spot_img
Home Blog Page 4139

ସିଙ୍ଗଲ ଓ୍ବିଣ୍ଡୋରେ ୧୧ ପ୍ରକଳ୍ପକୁ ମଞ୍ଜୁରୀ

ଭୁବନେଶ୍ବର: ସିଙ୍ଗଲ ଓ୍ୱିଣ୍ଡୋ ଜରିଆରେ ୧୧ଟି ପ୍ରକଳ୍ପକୁ ମିଳିଲା ମଞ୍ଜୁରୀ । ରାଜ୍ୟକୁ ଆସିଲା ୨ ହଜାର ୨୫୩ କୋଟି ଟଙ୍କାର ପୁଞ୍ଜିନିବେଶ ।  ଏସବୁ ପ୍ରକଳ୍ପରେ ୩ ହଜାର ୮୧୭ ଜଣଙ୍କୁ ମିଳିବ  ସିଧାସଳଖ ନିଯୁକ୍ତି ସୁଯୋଗ ।

ଏଥିରେ ସୁନ୍ଦରଗଡ଼ରେ ହେବ ଇସ୍ପାତ ଓ ଫେରୋ ଆଲୟଜ ପ୍ଲାଣ୍ଟ । ୫୫୩.୨୫ କୋଟି ଟଙ୍କା ନିବେଶରେ ହେବ ୨ଟି ପ୍ଲାଣ୍ଟ । ଖୋର୍ଦ୍ଧାରେ ଆଦାନୀ ଏଣ୍ଟରପ୍ରାଇଜ ଲିମିଟେଡ୍‌ କରିବ ଡାଟା ସେଣ୍ଟର । ଏହି ଡାଟା ସେଣ୍ଟରରେ ୫୦୦ କୋଟି ଟଙ୍କା ନିବେଶରେ ୨୦୦ ଜଣଙ୍କୁ ମିଳିବ ନିଯୁକ୍ତି । ସେହିପରି କେନ୍ଦୁଝରରେ ହେବ ଲୁହାଛଡ଼ ତିଆରି କାରଖାନା । ଆର୍ଯ୍ୟ ଆଇରନ୍ ଆଣ୍ଡ ଷ୍ଟିଲ୍ କମ୍ପାନୀ ୧୭୫.୭୫କୋଟି ନିବେଶ କରିବ । କାରଖାନାରେ ୬୦୦ ଜଣଙ୍କୁ ସିଧାସଳଖ ନିଯୁକ୍ତି ମିଳିବ । ଗଞ୍ଜାମରେ ହେବ ଟିଟାନିୟମ ସ୍ଲାଗ ଓ ପିଗ୍ ଆଇରନ୍ କାରଖାନା । ଆରଆରଏଲଟି ପ୍ରାଇଭେଟ୍‌ ଲିମିଟେଟ୍‌ କାରଖାନା ପାଇଁ ୧୫୦ କୋଟି ନିବେଶ କରିବ । କାରଖାନାରେ ୪୦୦ ଜଣଙ୍କୁ ନିଯୁକ୍ତି ସୁଯୋଗ ମିଳିବ । ସମ୍ବଲପୁରରେ ୧୦୧ କୋଟି ଟଙ୍କାରେ ହେବ ତରଳ ଆଲୁମିନିୟମ ଆଲୟଜ ପ୍ଲାଣ୍ଟ । ସେହିପରି କଟକ, ଢେଙ୍କାନାଳ, ଯାଜପୁରରେ ମଧ୍ୟ ପୁଞ୍ଜି ନିବେଶ ପାଇଁ ମଞ୍ଜୁରୀ ମିଳିଛି ।

ପୁଣି ସ୍ବତନ୍ତ୍ର ଫୋକସ୍‌ ଷ୍ଟେଟ୍‌ ମାନ୍ୟତା ଦାବି କରିବ ଓଡ଼ିଶା

ଭୁବନେଶ୍ବର: ୭ ତାରିଖରେ ନୀତି ଆୟୋଗ ବୈଠକ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ବସିବ ନୀତି ଆୟୋଗର ସପ୍ତମ ଗଭର୍ଣ୍ଣିଂ କାଉନସିଲ ବୈଠକ । ନୀତି ଆୟୋଗ ବୈଠକରେ ଯୋଗଦେବାକୁ ମୁଖ୍ୟମନ୍ତ୍ରୀ ଆସନ୍ତାକାଲି ଯିବେ ଦିଲ୍ଲୀ ।  ଏଥିରେ ଫୋକସ୍‌ ଷ୍ଟେଟ୍‌ ମାନ୍ୟତା ଦାବି ଦୋହରାଇବ  ଓଡ଼ିଶା ।

ବୈଠକକୁ ନେଇ ପୁଣି ତାଜା ହୋଇଛି ସ୍ବତନ୍ତ୍ର ଫୋକସ୍‌ ଷ୍ଟେଟ୍‌ ମାନ୍ୟତା ଦାବି । ଦୁଇ ଦଶନ୍ଧି ଧରି କେନ୍ଦ୍ର ପାଖରେ ଏହି ଦାବି କରି ଆସୁଛି ଓଡ଼ିଶା । ନୀତି ଆୟୋଗର ଆସନ୍ତା ଗଭର୍ଣ୍ଣିଂ କାଉନସିଲ ବୈଠକରେ ଏହି ଦାବି ଦୋହରାଇବ ରାଜ୍ୟ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ଦାବିକୁ ପୁଣି ଦିଲ୍ଲୀ ଦରବାରରେ ଉଠାଇବେ ।  କାହିଁକି ଓଡ଼ିଶାକୁ ଫୋକସ୍‌ ଷ୍ଟେଟ୍‌ ମାନ୍ୟତା ଆବଶ୍ୟକ, ସେନେଇ ପୁଣି କେନ୍ଦ୍ରର ଦୃଷ୍ଟି ଆକର୍ଷଣ କରିବେ ନବୀନ ।

୨୦୧୪ରେ ଓଡ଼ିଶାକୁ ସ୍ବତନ୍ତ୍ର ରାଜ୍ୟ ପାହ୍ୟା ଦେବାକୁ ଘୋଷଣା କରିଥିବା କେନ୍ଦ୍ର କାହିଁକି ଅବହେଳା କରୁଛି ? ଏହାକୁ ନେଇ ଉଠିଛି ପ୍ରଶ୍ନ । ଏନେଇ ଲଗାତାର ଭାବେ ନୀତି ଆୟୋଗଙ୍କ ଦୃଷ୍ଟି ଆକର୍ଷଣ କରୁଛି ଓଡ଼ିଶା । ତେଣୁ ଓଡ଼ିଶାକୁ ସ୍ବତନ୍ତ୍ର ଆର୍ଥିକ ପ୍ୟାକେଜ୍ ଦେବାକୁ ଦାବି କରିଛି ବିଜେଡି ।

ଅଧିକ ରେଳବାଇ, ବ୍ୟାଙ୍କିଙ୍ଗ, ମୋବାଇଲ ଯୋଗାଯୋଗ ଦାବି ସହ ପ୍ରାକୃତିକ ବିପର୍ଯ୍ୟୟର ସମ୍ମୁଖୀନ ହେଉଥିବା ଓଡ଼ିଶାକୁ ଅଧିକ ଅର୍ଥ ଦେବାକୁ ବାରମ୍ବାର ଦାବି କରୁଛି ବିଜେଡି । ରାଜ୍ୟର ବିକାଶ ଧାରାକୁ କେନ୍ଦ୍ର ପ୍ରଶଂସା କଲେ ମଧ୍ୟ ବିଭିନ୍ନ ବାହନା ଦେଖାଇ ଅଣଦେଖା କରୁଛି । ବିଜେଡି ସହିତ ସ୍ବର ମିଳାଇଛି କଂଗ୍ରେସ । ଫୋକସ୍‌ ଷ୍ଟେଟ୍‌ ସହ କେନ୍ଦ୍ର ତୁରନ୍ତ ବକେୟା ଅର୍ଥ ଦେବାକୁ କଂଗ୍ରେସ ଦାବି କରିଛି । ରାଜ୍ୟ ବିଜେପି କିନ୍ତୁ ଏ ପ୍ରସଙ୍ଗରେ ରାଜ୍ୟ ସ୍ବାର୍ଥ ଭୁଲି କେନ୍ଦ୍ର ପାଇଁ ଓକିଲାତି କରିଛି ।

ସ୍ବତନ୍ତ୍ର ଫୋକସ୍‌ ଷ୍ଟେଟ ମାନ୍ୟତା ପାଇଁ ସଂସଦରୁ ଆରମ୍ଭ କରି ରାଜ୍ୟରେ ଦାବି ଉଠୁଛି । ନିର୍ବାଚନକୁ ଆଖି ଆଗରେ ରଖି କେନ୍ଦ୍ର ବିହାର ସମେତ କିଛି ରାଜ୍ୟକୁ ସ୍ବତନ୍ତ୍ର ସହାୟତା ଦେଉଥିବା ବେଳେ ଓଡ଼ିଶା କାହିଁକି ବଞ୍ଚିତ ବୋଲି ଉଠିଛି ପ୍ରଶ୍ନ ।

ନ୍ୟାସନାଲ ହେରାଲ୍ଡ ମାମଲା: ବଢ଼ିବ ସୋନିଆ ଓ ରାହୁଲଙ୍କ ଅଡୁଆ

ନୂଆଦିଲ୍ଲୀ: ଅଡୁଆ ସୂତାରେ ନ୍ୟାସନାଲ ହେରାଲ୍ଡ ମାମଲା । ପଦାକୁ ଆସିଲା ହାଓ୍ବଲା ଲିଙ୍କ୍ । ପୁଣି ବଢ଼ିବ କଂଗ୍ରେସ ସଭାନେତ୍ରୀ ସୋନିଆ ଗାନ୍ଧି ଓ ପୁଅ ରାହୁଲ ଗାନ୍ଧିଙ୍କ ଅଡୁଆ । ୟଙ୍ଗ ଇଣ୍ଡିଆ ପରିସରରେ ସର୍ଚ୍ଚ ଅପରେସନ ଜାରି ପରେ କାର୍ଯ୍ୟାନୁଷ୍ଠାନ ନେଇ ପାରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ । ନ୍ୟାସନାଲ ହେରାଲ୍ଡ ମାମଲାରେ ତୃତୀୟ ପକ୍ଷ ସହ ହାଓ୍ବଲା କାରବାରର ଟେର୍ ପାଇଛି ଇଡି । ଏପରିକି ମୁମ୍ବାଇ ଓ କୋଲକାତାର ହାଓ୍ବଲା ଦଲାଲଙ୍କ ସହ କାରବାର ହୋଇଥିବା ନେଇ ପ୍ରମାଣ ପାଇଛି ସଂସ୍ଥା । ଆସୋସିଏଟେଡ ଜର୍ଣ୍ଣାଲ ଓ ୟଙ୍ଗ ଇଣ୍ଡିଆନ ମଧ୍ୟରେ ହୋଇଥିବା ସମସ୍ତ ଆର୍ଥିକ କାରବାର ନେଇ ସ୍ବର୍ଗତ ନେତା ମୋତିଲାଲ ଭୋରାଙ୍କୁ ସୋନିଆ ଓ ରାହୁଲ ଦାୟୀ କରିଥିଲେ ବି ତାହାକୁ ଗ୍ରହଣ କରିନି ଇଡି ।

ଇଡିର ଆକ୍ସନକୁ ନେଇ ବର୍ଷିଛନ୍ତି ରାହୁଲ । ଗଣତନ୍ତ୍ରର ସୁରକ୍ଷା ପାଇଁ ଲଢ଼େଇ ଜାରି ରହିବ ବୋଲି ସେ କହିଛନ୍ତି । ତେଣେ ସଂସଦରେ ବି ଏହି ପ୍ରସଙ୍ଗରେ ହୋଇଛି ହଙ୍ଗାମା । ଏହି ମାମଲାରେ ହେରାଲ୍ଡ ହାଉସରେ ଉପସ୍ଥିତ ରହିବାକୁ ଇଡି ଦେଇଥିବା ସମନ ଅନୁସାରେ ପହଞ୍ଚିଥିଲେ ବରିଷ୍ଠ କଂଗ୍ରେସ ନେତା ମଲ୍ଲିକାର୍ଜୁନ ଖଡଗେ ।

ସେପଟେ ପୁଣି ବଢ଼ିଲା ଶିବସେନା ନେତା ସଞ୍ଜୟ ରାଉତଙ୍କ ଅଡୁଆ । ଆସନ୍ତା ଅଗଷ୍ଟ ୮ ତାରିଖ ଯାଏଁ ଇଡି ହେପାଜତକୁ ଯିବା ଲାଗି ନିର୍ଦ୍ଦେଶ ଦେଇଛନ୍ତି କୋର୍ଟ । ୧ ହଜାର ୩୪ କୋଟି ଟଙ୍କାର ଜମି ଦୁର୍ନୀତି ମାମଲାରେ ସଞ୍ଜୟଙ୍କ ପତ୍ନୀ ବର୍ଷାଙ୍କୁ ସମନ ଜାରି କରିଛି ଇଡି । ଅନ୍ୟତମ ଅଭିଯୁକ୍ତ ମାଧୁରୀ ରାଉତଙ୍କଠାରୁ ସେ ୫୫ ଲକ୍ଷ ପାଇଥିବାରୁ ପଡ଼ିଛନ୍ତି ଇଡି ସ୍କାନରରେ । ଗତ ଜାନୁଆରୀରେ ପିଏମସି ବ୍ୟାଙ୍କ ସ୍କାମ୍ ମାମଲାରେ ବି ବର୍ଷା ହୋଇଥିଲେ ଜେରାର ସମ୍ମୁଖୀନ ।

ମୁଖ୍ୟମନ୍ତ୍ରୀଙ୍କୁ ଭେଟିଲେ ୟୁନିୟନ ବ୍ୟାଙ୍କ ସିଇଓ

ଭୁବନେଶ୍ବର: ୟୁନିୟନ ବ୍ୟାଙ୍କ ଏମଡି ତଥା ସିଇଓ ଏ. ମଣିମେଖାଲାଇ ନବୀନ ନିବାସ ଯାଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ସୌଜନ୍ୟମୂଳକ ସାକ୍ଷାତ କରିଛନ୍ତି । ଗରିବ ଓ ଅତି ଗରିବଙ୍କ ଆର୍ଥିକ ସ୍ଥିତିକୁ ନେଇ ଉଭୟଙ୍କ ମଧ୍ୟରେ ଆଲୋଚନା ହୋଇଛି ।

ଚାଷୀ ଏବଂ ମହିଳା ସ୍ବୟଂ ସହାୟିକା ଗୋଷ୍ଠୀଙ୍କ ପାଇଁ ଆର୍ଥିକ ସହାୟତା ବୃଦ୍ଧି କରିବାକୁ ମୁଖ୍ୟମନ୍ତ୍ରୀ ମନିମେଖାଲାଇଙ୍କୁ କହିଥିଲେ । ଏହାକୁ ସେ ଗ୍ରହଣ କରିବା ସହ ଚାଷୀ ଓ ମହିଳା ସ୍ବୟଂ ସହାୟିକା ଗୋଷ୍ଠୀ ପାଇଁ ବ୍ୟାଙ୍କର ଆଉଟରିଚ୍ କାର୍ଯ୍ୟକ୍ରମ ବଢାଇବେ ବୋଲି କହିଥିଲେ ।

ମୁଖ୍ୟମନ୍ତ୍ରୀଙ୍କ ସହ ମନିମେଖାଲାଇ ଭେଟ ସମୟରେ 5T ସଚିବ ଭିକେ ପାଣ୍ଡିଆନ ଏବଂ ବ୍ୟାଙ୍କର ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ ।

ସୂଚନା ଓ ପ୍ରସାରଣ ମନ୍ତ୍ରାଳୟର ପରାମର୍ଶଦାତା କମିଟି ସଦସ୍ୟ ହେଲେ ମାନସ ମଙ୍ଗରାଜ

ନୂଆଦିଲ୍ଲୀ: ବିଜେଡି ସାଂସଦ ମାନସ ମଙ୍ଗରାଜଙ୍କୁ ଗୁରୁଦାୟିତ୍ବ । ସୂଚନା ଓ ପ୍ରସାରଣ ମନ୍ତ୍ରାଳୟର ପରାମର୍ଶଦାତା କମିଟିର ସଦସ୍ୟ ଭାବେ ମନୋନୀତ ହେଲେ ମାନସ । ସଂସଦୀୟ ବ୍ୟାପାର ମନ୍ତ୍ରାଳୟ ପକ୍ଷରୁ ଏ ନେଇ ବିଜ୍ଞପ୍ତି ପ୍ରକାଶ କରାଯାଇଛି ।

ଏହା ପୂର୍ବରୁ ସାମୁଦ୍ରିକ ଦ୍ରବ୍ୟ ରପ୍ତାନି ଉନ୍ନୟନ କର୍ତ୍ତୃପକ୍ଷ ବା MPEDAର ସଦସ୍ୟ ଭାବେ ନିର୍ବାଚିତ ହୋଇଥିଲେ ସାଂସଦ ମାନସ ମଙ୍ଗରାଜ । ଏନେଇ ରାଜ୍ୟସଭା କମିଟି କୋଅର୍ଡିନେସନ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଥିଲା । ଜଣେ ନୂତନ ସାଂସଦ ତାଙ୍କୁ ଦୁଇ ଦୁଇଟି କମିଟିରେ ସଦସ୍ୟ ଭାବେ ମନୋନିତ କରାଯିବା ଏକ ବଡ଼ ଘଟଣା ।

ରାକ୍ଷୀରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଏବଂ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

କଟକ: ରକ୍ଷା ବନ୍ଧନ । ଭାଇ-ଭଉଣୀଙ୍କ ପବିତ୍ର ସମ୍ପର୍କର ଡୋରୀ । ସ୍ନେହ ଓ ଭଲ ପାଇବାର ଉଦାହରଣ । ରକ୍ଷାର ପ୍ରତିଶ୍ରୁତି ନେଇ ଭାଇ ହାତରେ ବାନ୍ଧେ ଭଉଣୀ । ଏହି ଉତ୍ସବ ଆଉ ଦିନ କେଇଟା ଥିବାବେଳେ ବଜାରରେ ଏବେ ଭଳିକି ଭଳି ରାକ୍ଷୀର ପସରା ଦେଖିବାକୁ ମିଳିଲାଣି । ଏସବୁ ଭିତରେ ମୁଖ୍ୟ ଆକର୍ଷଣ ସାଜିଛି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ ନେଇ ତିଆରି ରାକ୍ଷୀ । କଟକ ଗଙ୍ଗା ମନ୍ଦିର ନିକଟରେ ଥିବା କାରିଗର ଭୀମସେନ ସାହୁ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଓ ମୁଖ୍ୟମନ୍ତ୍ରୀଙ୍କ ସମ୍ପର୍କକୁ ରାକ୍ଷୀରେ ପ୍ରଦର୍ଶନ କରିଛନ୍ତି ।

ମୁଖ୍ୟମନ୍ତ୍ରୀ, ରାଷ୍ଟ୍ରପତିଙ୍କୁ ପ୍ରିୟ ଭଉଣୀ ବୋଲି ସମ୍ବୋଧନ କରିଛନ୍ତି ଓ ଦୌପଦୀ ମୁର୍ମୁ ମଧ୍ୟ ନବୀନଙ୍କୁ ଭାଇ କହି ସମ୍ପର୍କ ଯୋଡିଛନ୍ତି । ତେଣୁ ଦୁହିଙ୍କର ଫଟୋକୁ ରାକ୍ଷୀରେ ସ୍ଥାନ ଦେଇଛନ୍ତି କାରିଗର । ତାରକଶି ଭଳି ତାର ଓ ଚୁମୁକି କାମରେ ତିଆରି କରିଛନ୍ତି ସୁନ୍ଦର ସୁନ୍ଦର ରାକ୍ଷୀ । ବଜାରରେ ଏହାର ଅଧିକ ଚାହିଦା ଥିବା କହିଛନ୍ତି କାରିଗର ।

ରକ୍ଷୀ ପୂର୍ଣ୍ଣିମାକୁ ମଝିରେ ଗୋଟିଏ ସପ୍ତାହ ଥିବାରୁ ଏହି ରାକ୍ଷୀ ଦିନେ ଦୁଇ ଦିନ ମଧ୍ୟରେ ବଜାରରେ ଉପଲବ୍ଧ ହେବ ।

ବାବୁସାନଙ୍କ ଆଗୁଆ ଜାମିନ ଆବେଦନ ମାମଲାରେ ପୂର୍ଣ୍ଣଚ୍ଛେଦ

କଟକ: ବାବୁସାନ-ତୃପ୍ତି-ପ୍ରକୃତି ବିବାଦରେ ବାବୁସାନଙ୍କ ଆଗୁଆ ଜାମିନ ଆବେଦନ ମାମଲାରେ ପୂର୍ଣ୍ଣଚ୍ଛେଦ ପକାଇଲେ ହାଇକୋର୍ଟ । ତୃପ୍ତିଙ୍କ ଅଭିଯୋଗ ପରେ ସମ୍ଭାବ୍ୟ ଗିରଫଦାରୀ ଏଡାଇବାକୁ ଆଗୁଆ ଜାମିନ ଆବେଦନ କରିଥିଲେ ବାବୁସାନ । ତଦନ୍ତରେ ସହଯୋଗ କରୁଥିବାରୁ ଆବେଦନର ଆଗକୁ ଶୁଣାଣି ନକରିବାକ ପାଇଁ କୋର୍ଟ କହିଛନ୍ତି । ଏହାସହ Crpc ୪୧ରେ ତାଙ୍କ ବୟାନ ରେକର୍ଡ କରିଛି ପୋଲିସ । ଏଥିପାଇଁ ଜାମିନର ଆବଶ୍ୟକତା ନଥିବା ଦର୍ଶାଇ ଆଗୁଆ ଜାମିନ ଆବେଦନର ଅନ୍ତ ଘଟାଇଲେ ହାଇକୋର୍ଟ ।

ସୂଚନାଯୋଗ୍ୟ, ପ୍ରକୃତି ଓ ବାବୁସାନଙ୍କୁ କାରରେ ଏକାଠି ଦେଖି ପତ୍ନୀ ତୃପ୍ତି କରିଥିଲେ ହଙ୍ଗାମା । ସେ ବାବୁସାନ ଓ ପ୍ରକୃତିଙ୍କୁ ଟଣାଘୋଷଡା କରିଥିଲେ । ଏହାସହ ପ୍ରକୃତିଙ୍କୁ ଧକ୍କା ମାରିବା ସହ ଏଇ ମୋ ଘର ଭାଙ୍ଗି ଦେଲା ବୋଲି ଚିଲ୍ଲାଇ ଚିଲ୍ଲାଇ କହିଥିଲେ । ଏସବୁ ଘଟଣା ଘଟିଥିଲା ରାଜଧାନୀ ରାଜରାସ୍ତାରେ । ଷ୍ଟାର ଘରର କଳି ଦେଖିବାକୁ ସେଦିନ ରାସ୍ତାରେ ରୁଣ୍ଡ ହୋଇ ଯାଇଥିଲେ ଶହ ଶହ ଲୋକ । ଏହାପରେ ତୃପ୍ତି ଓ ତାଙ୍କ ବାପାଙ୍କ ନାଁରେ ପ୍ରକୃତିଙ୍କ ବାପାମାଆ ଏତଲା ଦେଇଥିଲେ । ଅନ୍ୟପକ୍ଷରେ ତୃପ୍ତିଙ୍କ ପକ୍ଷରୁ ବାବୁସାନ ଏବଂ ପ୍ରକୃତିଙ୍କ ନାଁରେ ଏତଲା ଦିଆଯାଇଥିଲା । ପୋଲିସ ଉଭୟ ପକ୍ଷର ଏତଲାକୁ ଆଧାର କରି ମାମଲା ରୁଜୁ କରି ଘଟଣାର ତଦନ୍ତ ଚଲାଇଛି ।

ଘଟଣା ପରେ ପ୍ରକୃତି ଓ ବାବୁସାନ ଚେନ୍ନାଇ ପଳାଇଥିଲେ । ସେଠାରୁ ପ୍ରକୃତି ଫେରିଥିବା ବେଳେ ବାବୁସାନଙ୍କ ଫେରିବାକୁ ନେଇ ସସପେନ୍ସ ଲାଗି ରହିଥିଲା । ଏପରିକି ବାବୁସାନ ହୋଟେଲ ଛାଡ଼ିଥିଲେ ବି ଓଡ଼ିଶା ଫେରି ନଥିଲେ, ଯାହା ଚର୍ଚ୍ଚାର ବିଷୟ ପାଲଟିଥିଲା । ପରେ ବାବୁସାନ ଘରକୁ ଫେରିବା ପରେ ଥାନାକୁ ଯାଇ ତଦନ୍ତର ସମ୍ମୁଖୀନ ହୋଇଥିଲେ ।

ଓଡ଼ିଆ ମିଡିୟମ ପିଲା କରିବେ ଭଲ ରେଜଲ୍ଟ: ଆରମ୍ଭ ହେଲା ମିଶନ ସୁପର୍-୩୦

କଟକ: ଏଣିକି ଓଡ଼ିଆ ମିଡିୟମ ସ୍କୁଲରେ ହେବ ସୁପର ରେଜଲ୍ଟ । ଭଲ ମାର୍କ ରଖି ପାସ୍ କରିବେ ଛାତ୍ରଛାତ୍ରୀ । କଟକ ଜିଲ୍ଲା ପ୍ରଶାସନର ଅଭିନବ ଉଦ୍ୟମ । ଆରମ୍ଭ ହେଲା ମିଶନ ‘ସୁପର୍-୩୦’ । ପ୍ରଥମ ପର୍ଯ୍ୟାୟରେ କଟକ ଜିଲ୍ଲା ଆଠଗଡ଼ର ବିଶ୍ବନାଥ ବିଦ୍ୟାପୀଠ ଓ ସରକାରୀ ବାଳିକା ବିଦ୍ୟାଳୟ ବିଦ୍ୟାର୍ଥୀଙ୍କୁ ନେଇ ଆରମ୍ଭ ହୋଇଛି ଅଭିଯାନ । ଛାତ୍ରଛାତ୍ରୀଙ୍କ ମେଧା ଶକ୍ତିର ଅନୁଧ୍ୟାନ କରାଯାଇ କିପରି ସେମାନେ ମାଟ୍ରିକରେ ୯୦ ପ୍ରତିଶତରୁ ଅଧିକ ନମ୍ବର ରଖିବେ ଓ A-1 ଗ୍ରେଡରେ ପାସ୍ କରିବେ, ସେନେଇ ପ୍ରଶିକ୍ଷଣ ଦିଆଯିବ । ପ୍ରସ୍ତୁତି କରିବେ ଅଭିଜ୍ଞ ଶିକ୍ଷକଙ୍କ ସହ ଜିଲ୍ଲାପାଳ ଓ ଉପଜିଲ୍ଲାପାଳ । ଏହି ଅଭିଯାନକୁ ଆନୁଷ୍ଠାନିକ ଭାବେ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ବାଇଁ କରିଛନ୍ତି ଶୁଭାରମ୍ଭ ।

୨୦୨୩ ମାଟ୍ରିକ୍ ପାଇଁ ନବମରେ ୬୯ ପ୍ରତିଶତ ମାର୍କ ରଖିଥିବା ୩୦ ଜଣ ବିଦ୍ୟାର୍ଥୀଙ୍କୁ ଚିହ୍ନଟ କରାଯାଇଛି । ସେମାନଙ୍କ ଭିତରେ ଅଛନ୍ତି ୧୫ ଜଣ ଛାତ୍ରୀ ଓ ୧୫ ଜଣ ଛାତ୍ର । ସେମାନଙ୍କୁ ସ୍ବତନ୍ତ୍ର ଶିକ୍ଷାଦାନ ସହ ପରୀକ୍ଷା କରାଯିବ । ବିଦ୍ୟାର୍ଥୀଙ୍କ ପ୍ରଥମ କ୍ଲାସ୍ ନେଇଛନ୍ତି ଜିଲ୍ଲାପାଳ । ଇତିହାସ ହେଉ ଅବା ସାହିତ୍ୟ, କିପରି ସହଜ ଓ ସରଳ ଉପାୟରେ ମନେ ରଖି ହେବ ସେ ନେଇ ଜିଲ୍ଲାପାଳ ଛାତ୍ରଛାତ୍ରୀଙ୍କୁ ତାଲିମ ଦେଇଥିଲେ । ଏଥିପାଇଁ ବିଦ୍ୟାର୍ଥୀଙ୍କୁ ପାଠ୍ୟ ଉପକରଣ ଓ ପୃଷ୍ଟିଦାୟକ ଖାଦ୍ୟ ବିଭିନ୍ନ ସଂସ୍ଥା ଯୋଗାଇ ଦେଇଛନ୍ତି । ଆଗାମୀ ଦିନରେ ପୂରା ଜିଲ୍ଲାରେ ଆରମ୍ଭ ହେବ ଏହି ଅଭିଯାନ ।

ଆବାସିକ ସ୍କୁଲରେ ଛାତ୍ରୀ ଗର୍ଭବତୀ !

ମାଲକାନଗିରି: ମାଲକାନଗିରିର ଏକ ଆବାସିକ ସ୍କୁଲ ବିରୋଧରେ ଆସିଛି ଗୁରୁତର ଅଭିଯୋଗ । ସ୍କୁଲ ହଷ୍ଟେଲରେ ରହି ପାଠ ପଢୁଥିବା ଦଶମ ଶ୍ରେଣୀର ଜଣେ ଛାତ୍ରୀ ୬ ମାସର ଗର୍ଭବତୀ ଥିବା ଜଣାପଡିଛି । ଅନ୍ୟପକ୍ଷରେ ସ୍କୁଲ କର୍ତ୍ତୃପକ୍ଷ ଛାତ୍ରୀଙ୍କ ବାପାଙ୍କ ପାଖରୁ ଏକ କାଗଜରେ ଦସ୍ତଖତ ନେଇଥିବା ଅଭିଯୋଗ ହୋଇଛି ।

ପରିବାର ଲୋକଙ୍କ ଅଭିଯୋଗ ଅନୁସାରେ, ଜୁଲାଇ ୧୨ ତାରିଖ ରାତିରେ ସ୍କୁଲ କର୍ତ୍ତୃପକ୍ଷ ଛାତ୍ରୀଙ୍କ ଘରେ ପହଞ୍ଚି ଝିଅର ଦେହ ଗୁରୁତର ଥିବା କହିଥିଲେ । ଏହାସହ ଛାତ୍ରୀଙ୍କ ବାପାଙ୍କୁ ସ୍କୁଲକୁ ନେଇ ଯାଇଥିଲେ । ସେଠାରେ ତାଙ୍କ ଝିଅ ଗର୍ଭବତୀ ଥିବା ଓ ଅନ୍ୟ ପିଲାଙ୍କ ସହ ତା’ର ସମ୍ପର୍କ ଥିବା କହିଥିଲେ । ଏହାସହ ସ୍କୁଲର କିଛି ଶିକ୍ଷକ ଓ କର୍ମଚାରୀ ତାଙ୍କ ବାପାଙ୍କୁ ଧମକଚମକ ଦେଇ ଏକ ସାଦା କାଗଜରେ ଦସ୍ତଖତ କରିବାକୁ ବାଧ୍ୟ କରିଥିଲେ । ହେଲେ ଛାତ୍ରୀଙ୍କ ବାପା ଦସ୍ତଖତ ନକରି ଗାଁକୁ ଫେରି ଯାଇଥିଲେ । ପରଦିନ ସ୍କୁଲ କର୍ତ୍ତୃପକ୍ଷ ପୁଣି ଛାତ୍ରୀଙ୍କ ପରିବାରକୁ ଡକାଇଥିଲେ ଓ ପୂର୍ବରୁ ଲେଖା ଥିବା ଏକ କାଗଜରେ ଜୋରଜବରଦସ୍ତ ଦସ୍ତଖତ ନେଇ ଝିଅକୁ ଘରକୁ ପଠାଇ ଦେଇଥିବା ଅଭିଯୋଗ ହୋଇଛି ।

ଘରକୁ ଆସିବା ପରେ ଛାତ୍ରୀଙ୍କୁ ଆଶାକର୍ମୀ ଓ ଅଙ୍ଗନବାଡ଼ି କର୍ମୀଙ୍କ ସହାୟତାରେ ମାଲକାନଗିରି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ନିଆଯାଇଥିଲା । ଗତ ୩୦ ତାରିଖରେ ଚାଇଲ୍ଡ ଲାଇନ୍ ସହାୟତାରେ ଛାତ୍ରୀ ଜଣଙ୍କ ମାଲକାନଗିରି ଆଦର୍ଶ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି । ଏଥିରେ ସ୍କୃଲରେ ଛାତ୍ରୀ ଗର୍ଭବତୀ ହୋଇଥିବା ତାଙ୍କ ପରିବାର ଅଭିଯୋଗ କରୁଛନ୍ତି । ଅନ୍ୟପକ୍ଷରେ ଛାତ୍ରୀ ଛୁଟିରେ ଘରକୁ ଯାଇଥିବା ବେଳେ ଗର୍ଭବତୀ ହୋଇଛନ୍ତି ବୋଲି ସ୍କୃଲ କର୍ତ୍ତୃପକ୍ଷ କହିଛନ୍ତି ।

ଦୁର୍ଘଟଣା ନୁହେଁ, ମାଆଝିଅଙ୍କୁ ଯୋଜନାବଦ୍ଧ ହତ୍ୟା

ଯାଜପୁର: ଯାଜପୁରରେ ଗତକାଲି ଦୁର୍ଘଟଣାରେ ମାଆଝିଅଙ୍କ ମୃତ୍ୟୁ ଘଟଣାରେ ବଡ଼ ଖୁଲାସା । ଏହା ଦୁର୍ଘଟଣା ନୁହେଁ, ଯୋଜନାବଦ୍ଧ ଭାବେ ମାଆଝିଅଙ୍କୁ ଗାଡ଼ି ଚଢ଼ାଇ ହତ୍ୟା କରାଯାଇଛି । ଗାଡ଼ି ସାଇଡ ମରାକୁ କେନ୍ଦ୍ର କରି ପାଟିତୁଣ୍ଡ ଓ ଏହାପରେ ମାଆଝିଅଙ୍କ ଉପରେ ଗାଡ଼ି ଚଢାଇ ଦେଇଥିଲା ଅଭିଯୁକ୍ତ ।

ମିଳିଥିବା ସୂଚନା ଅନୁସରେ, ସୁକିନ୍ଦା ଅଞ୍ଚଳର ଶ୍ରୀତିକା ଚକ୍ରବର୍ତ୍ତି ଝିଅ ସୋନାଲି ଚକ୍ରବର୍ତ୍ତିଙ୍କ ସହ ବାପାଙ୍କ ଶୁଦ୍ଧିକ୍ରିୟାରେ ଯୋଗ ଦେବାକୁ କେନ୍ଦ୍ରପଡ଼ା ଯାଇଥିଲେ । ଝିଅ ସହତ ସ୍କୁଟିରେ ଫେରିବା ବେଳେ ଯାଜପୁର ୫୩ ନମ୍ବର ଜାତୀୟ ରାଜପଥ ବରଡ଼ା ଛକ ନିକଟରେ ସାଇଡ ମରାକୁ କେନ୍ଦ୍ର କରି ଟ୍ରକ ଡ୍ରାଇଭର ଅମର ସ୍ବାଇଁଙ୍କ ସହ ପାଟିତୁଣ୍ଡ ହୋଇଥିଲା । ଏହାପରେ ଶ୍ରୀତିକା ଝିଅ ସହ ସ୍କୁଟି ଧରି ବାହାରି ଯାଇଥିଲେ । ହେଲେ ରାଗ ପଞ୍ଚମ ଅମର ହିତାହିତ ଜ୍ଞାନ ଭୁଲି ତାଙ୍କ ସ୍କୁଟି ଉପରେ ଟ୍ରକ ଚଢାଇ ଦେଇଥିଲେ । ଫଳରେ ଉଭୟଙ୍କ ମୃତ୍ୟୁ ଘଟିଥିଲା । ଜେନାପୁର ପୋଲିସ ଅଭିଯୁକ୍ତ ଡ୍ରାଇଭରଙ୍କୁ ଗିରଫ କରିବା ସହ ଏକ ହତ୍ୟା ମାମଲା ରୁଜୁ କରିଛି ।