spot_img
Home Blog Page 4144

ରାଜଧାନୀରେ ବେକରେ ରଶି ଲଗାଇ ଯୁବତୀଙ୍କ ଆତ୍ମହତ୍ୟା

ଭୁବନେଶ୍ୱର: ରାଜଧାନୀର ନୟାପଲ୍ଲୀ ଅଞ୍ଚଳରେ ଯୁବତୀଙ୍କ ଆତ୍ମହତ୍ୟା । ଇସ୍କନ ମନ୍ଦିର ସମ୍ମୁଖ ଗଳିରେ ରଶି ଲଗାଇ ଆତ୍ମହତ୍ୟା କରିଛନ୍ତି ଯୁବତୀ । ତେବେ ଆତ୍ମହତ୍ୟାର କାରଣ ଅସ୍ପଷ୍ଟ ଥିବାବେଳେ ଯୁବତୀ ଜଣକ କଟକ ଚୌଦ୍ୱାର କୁମ୍ଭାରପୁର ଗାଁର ରଞ୍ଜିତା ସାହୁ ବୋଲି ଜଣାପଡ଼ିଛି ।  ଘଟଣାସ୍ଥଳରେ ନୟାପଲ୍ଲୀ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।

ସୂଚନା ମୁତାବକ ଯୁବତୀ ଜଣକ ଭୁବନେଶ୍ୱରର ଏକ ଘରୋଇ ସଂସ୍ଥାରେ ଚାକିରି କରୁଥିଲେ। ତେବେ ଯୁତୀ ରହୁଥିବା ଭଡ଼ା ଘରର ମାଲିକ ଏ ନେଇ ଏକ ଚାଞ୍ଚଲ୍ୟକର ପ୍ରତିକ୍ରିୟା ରଖିଛନ୍ତି । ସେ କହିଛନ୍ତି ଯେ ଯୁବତୀ ଜଣକୁ କିଛି ମାସ ହେଲା ଜଣେ ଯୁବକ ହଇରାଣ କରୁଥିଲେ। ଯୁବତୀଙ୍କୁ ତାଙ୍କ ସହ ବିବାହ କରିବାକୁ କହୁଥିଲେ।

ଆକ୍ସନ ମୋଡରେ ଇଡି, ସିଲ୍ କଲା ଦିଲ୍ଲୀର ନ୍ୟାସନାଲ ହେରାଲ୍ଡ ଅଫିସ

ନୂଆଦିଲ୍ଲୀ: କଂଗ୍ରେସ ମୁଖପତ୍ର ନ୍ୟାସନାଲ ହେରାଲ୍ଡ ଅଫିସ ସିଲ୍ କଲା ଇଡି । ନ୍ୟାସନାଲ ହେରାଲ୍ଡ  ଦୁର୍ନୀତି  ମାମଲାରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟର ଏହା ବଡ଼ କାର୍ଯ୍ୟାନୁଷ୍ଠାନ। ତେବେ ବର୍ତ୍ମାନଠୁ ଇଡିର ବିନା ଅନୁମତିରେ ନ୍ୟାସନାଲ ହେରାଲ୍ଡ  ଅଫିସ ଖୋଲାଯାଇପାରିବ ନାହିଁ। ଇଡିରଏଭଳି ନିଷ୍ପତ୍ତି ପରେ କଂଗ୍ରେସ ଅଫିସ୍ ବାହାରେ କଡ଼ା ସୁରକ୍ଷା ବ୍ୟବସ୍ଥା କରାଯିବା ସହ କଂଗ୍ରେସ ଅଫିସକୁ ରାସ୍ତା ମଧ୍ୟ ସିଲ୍ କରାଯାଇଛି।

ମଙ୍ଗଳବାର ଦିନ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ବା ED ପକ୍ଷରୁ ନ୍ୟାସନାଲ ହେରାଲ୍ଡ ଅଫିସ ଚଢ଼ଉ ହୋଇଥିଲା ।  ଯାହାକୁ କଂଗ୍ରେସ ରାଜନୈତିକ ପ୍ରତିଶୋଧମୂଳଳ କାର୍ଯ୍ୟାନୁଷ୍ଠାନ ବୋଲି କହିଥିଲା। ତେବେ ଚଢ଼ଉର ୨୪ ଘଣ୍ଟା ଭିତରେ ଇଡ଼ି ଏହି ଅଫିସରେ ଅନିର୍ଦ୍ଧିଷ୍ଟ କାଳ ପାଇଁ ତାଲା ଲଗାଇଛି ।

ସୂଚନାଯୋଗ୍ୟ ଯେ, ପୂର୍ବତନ ପ୍ରଧାନମନ୍ତ୍ରୀ ଜୱାହରଲାଲ ନେହେରୁଙ୍କ ଦ୍ୱାରା ଆରମ୍ଭ କରାଯାଇଥିବା ନ୍ୟାସନାଲ ହେରାଲ୍ଡ,,ଆସୋସିଏଟ୍ ଜର୍ଣ୍ଣାଲ ଲିମିଟେଡ୍ ଓ ୟଙ୍ଗ ଇଣ୍ଡିଆ ଲିମିଟେଡ୍ ମଧ୍ୟରେ ହୋଇଥିବା ଅର୍ଥ ଦେଣନେଣ ସନ୍ଦେହାସ୍ପଦ ଥିଲା ବୋଲି ଅଭିଯୋଗ ହେଉଛି । ପ୍ରଥମେ ଏହି ମାମଲାରେ ବିଜେପି ନେତା ସୁବ୍ରମଣ୍ୟମ ସ୍ୱାମୀ ଅଦାଲତ ଯାଇଥିଲେ । ଅଦାଲତ ମାମଲାର ତଦନ୍ତ ପାଇଁ ଆଦେଶ ଦେଇଥିଲେ । ତେବେ ଏହି ମାମଲାରେ ଇଡି ସୋନିଆ ଗାନ୍ଧୀ ଓ ରାହୁଲ ଗାନ୍ଧୀଙ୍କୁ ମଧ୍ୟ ପଚରା ଉଚରା କରିଛି । ଯାହାକୁ ବିରୋଧ କରି କଂଗ୍ରେସ ପକ୍ଷରୁ ଦେଶବ୍ୟାପୀ ସତ୍ୟାଗ୍ରହ କରାଯାଉଛି ।

ଆମେରିକାରେ ବଢ଼ିବେ ଓଡ଼ିଶାର ଯାଆଁଳା ଭଉଣୀ କଟକୀ ଓ ସୁନ୍ଦରୀ, କୋଳେଇନେଲେ ଆମେରିକୀୟ ଦମ୍ପତି

ଯାଜପୁର: ଶକ୍ତିଶାଳୀ ରାଷ୍ଟ୍ରରେ ବଢିବେ ଓଡ଼ିଶାର ଦୁଇ ସୁନା ଝିଅ । କଟକୀ ଓ ସୁନ୍ଦରୀଙ୍କୁ ପୋଷ୍ୟ ସନ୍ତାନ ଭାବେ ଗ୍ରହଣ କଲେ ଆମେରିକୀୟ ଦମ୍ପତି । ଯାଜପୁର ଜିଲ୍ଲା ବଡ଼ଚଣା ବ୍ଲକ ବୁଢାକେନ୍ଦୁଆଠାରେ ଥିବା ନେସନ ଶିଶୁ ଯତ୍ନ ଅନୁଷ୍ଠାନରୁ ଦୁଇ ଶିଶୁଙ୍କୁ ଆପଣେଇଛନ୍ତି ଆମେରିକୀୟ ଦମ୍ପତି ।

ସୂଚନା ମୁତାବକ ଆମେରିକୀୟ ଦମ୍ପତି ଏରିକା ଓ ଫିଲିପ ଦୁଇ ଯାଆଁଳା ଶିଶୁ କନ୍ୟା କଟକୀ ଓ ସୁନ୍ଦରୀଙ୍କୁ ନିଜ ପୋଷ୍ୟସନ୍ତାନ ଭାବେ ଗ୍ରହଣ କରିଛନ୍ତି। ନେସନର ମୁଖ୍ୟ ପରିଚାଳକ ପ୍ରଦ୍ୟୁମ୍ନ ପାତ୍ର, ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ, ଜିଲ୍ଲା ଶିଶୁ ମଙ୍ଗଳ କମିଟିର ଚ୍ୟାରମୟାନ ଓ ଅନ୍ୟ ପ୍ରଶାସନିକ ଅଧିକାରୀଙ୍କ ଉପସ୍ଥିତିରେ ଦୁଇ ଶିଶୁ କନ୍ୟାଙ୍କୁ ହସ୍ତାନ୍ତର କରାଯାଇଛି।

ନ୍ୟାୟ ପାଇଁ ଶିଶୁ ପୁତ୍ରକୁ ଧରି ପ୍ରେମିକ ଘର ସାମ୍ନାରେ ଧାରଣାରେ ବସିଲେ ମହିଳା

ଗଞ୍ଜାମ: ବର୍ଷକର ଶିଶୁ ପୁତ୍ରକୁ ଧରି ନ୍ୟାୟ ପାଇଁ ପ୍ରେମିକ ଘର ସାମ୍ନାରେ ଧାରଣାରେ ବସିଲେ ମହିଳା । ବ୍ରହ୍ମପୁର ବଡ଼ ବଜାର ଦେଶୀ ବେହେରା ସାହିରେ ଦେଖିବାକୁ ମିଳିଛି ଏଭଳି ଦୃଶ୍ୟ । ବିବାହର ପ୍ରତିଶ୍ରୁତି ଦେଇ କେ ଦୀପାଙ୍କ ସହ ଦେଶୀ ବେହେରା ସାହିର କେ ଦିନେଶ ଶାରିରୀକ ସମ୍ପର୍କ ରଖିଥିଲେ। ପରେ ଯୁବତୀ ଜଣଙ୍କ ଗର୍ଭବତୀ ହେବାରୁ ବିବାହ ପାଇଁ କହିଥିଲେ ହେଲେ ଯୁବକ ଜଣକ ମନା କରିଦେଇଥିଲେ।

ତେବେ ବିବାହ ପାଇଁ ଯୁବକ ରାଜି ନହେବାରୁ ଟାଉନ ଥାନାରେ ଅଭିଯୋଗ କରିଥିଲେ ଦୀପା। ଯାହାପରେ ଦିନେଶଙ୍କୁ ଗିରଫ କରିଥିଲା ପୋଲିସ । ବର୍ତ୍ତମାନ ସେ  ହାଇକୋର୍ଟରୁ ଜାମିନରେ ଆସିଛନ୍ତି । ହାଇକୋର୍ଟରେ ମାମଲା ଚାଲିଥିବା ବେଳେ ଦିନେଶ ଅନ୍ୟ ଏକ ଝିଅକୁ ବିବାହ କରୁଥିବା ଖବର ଶୁଣି ଘର ଦାଣ୍ଡରେ ମହିଳା ଜଣଙ୍କ ଧାରଣା ଦେଇଛନ୍ତି ।  ପତ୍ନୀର ମାନ୍ୟତା ଦେବାକୁ ଦାବି କରିଛନ୍ତି କେ ଦୀପିକା ।

ସେପେଟ ଦୀପାଙ୍କ ବିରୁଦ୍ଧରେ ଘର ଭିତରେ ଜୋର ଜବରଦସ୍ତ ପଶି ଯିବାକୁ ଉଦ୍ୟମ କରୁଥିବା ନେଇ ବଡ଼ ବଜାର ଥାନାରେ ଅଭିଯୋଗ କରିଛନ୍ତି ଦିନେଶଙ୍କ ପରିବାର । ବଡ଼ବଜାର ପୋଲିସ ପହଞ୍ଚି କେ ଦୀପାଙ୍କୁ ଘର ଭିତରୁ ବାହାରକୁ ଆଣିବା ସହ ଘଟଣାର ତଦନ୍ତ କରୁଛି ।

‘ନୂଆଖାଇ’ ଲାଗି ଧାର୍ଯ୍ୟ ହେଲା ଲଗ୍ନ

ବଲାଙ୍ଗୀର: ପଶ୍ଚିମ ଓଡ଼ିଶାର ପ୍ରସିଦ୍ଧ ନୂଆଁଖାଇ ପ୍ରବ ପାଇଁ ଲଗ୍ନ ଧାର୍ଯ୍ୟ ହୋଇଯାଇଛି। ପାଟଣା ମହାରାଜାଙ୍କ ହାଉସ୍‌ ହୋଲ୍ଡ ଅଫିସ ପକ୍ଷରୁ ବିଧିବଦ୍ଧ ଭାବେ ବାହାରିଲା ଲଗ୍ନ ।ଏହି ନବାନ୍ନ ଲାଗି ନୀତିକାନ୍ତି ଆସନ୍ତା ସେପ୍ଟେମ୍ବର ୧ ତାରିଖ ତଥା ଗୁରୁବାର ସକାଳ ୧୦ଟା ୫୪ମି.ରୁ ଦିନ ୧୧ ଟା ୦୮ମି. ମଧ୍ୟରେ ଅନୁଷ୍ଠିତ ହେବା ନେଇ ସୂଚନା ମିଳିଛି।

ଜ୍ୟୋତିଷ ପଣ୍ଡିତ ମହାସଭାର ନବାନ୍ନ ଲଗ୍ନ ନିର୍ଣ୍ଣାୟକ କମିଟିର ସିଦ୍ଧାନ୍ତ କ୍ରମେ ପୂର୍ବତନ ପାଟଣା ଷ୍ଟେଟ୍‌ ତଥା ମହାରାଜାଙ୍କ ଇଷ୍ଟଦେବୀ ଶ୍ରୀ ଶ୍ରୀ ପାଟଣେଶ୍ୱରୀ ଓ ସମଲେଶ୍ୱରୀଙ୍କ ରାଶି ନକ୍ଷତ୍ର ଏବଂ ପୂର୍ବ ପରମ୍ପରା ଅନୁଯାୟୀ ଧାର୍ଯ୍ୟ କରାଯାଇଛି । ସେପ୍ଟେମବ୍ର ୧ ତାରିଖ ଦିନ ସମଗ୍ର ବଲାଙ୍ଗୀର ଜିଲ୍ଲାରେ ନବାନ୍ନ ବିଧି ଅନୁଷ୍ଠିତ ହେବ।

ରାଗିଂ ରୋକିବାକୁ କୁଳପତି ଓ କଲେଜ ଅଧ୍ୟକ୍ଷଙ୍କୁ ଉଚ୍ଚଶିକ୍ଷା ସଚିବଙ୍କ ଚିଠି, ତିଆରି ହେବ ଆଣ୍ଟି ରାଗିଂ ସ୍କ୍ୱାର୍ଡ

ଭୁବନେଶ୍ୱର: ବିଶ୍ୱବିଦ୍ୟାଳୟ ଓ କଲେଜରେ ରାଗିଂ ରୋକିବାକୁ ପ୍ରାକ ପଦକ୍ଷେପ। କୁଳପତି ଓ କଲେଜ ଅଧ୍ୟକ୍ଷଙ୍କୁ ଉଚ୍ଚଶିକ୍ଷା ସଚିବ ଚିଠି ଲେଖିଛନ୍ତି।  ଏଣିକି UGC ନିୟମାନୁସାରେ ପଦକ୍ଷେପ ନିଆଯିବ । ଆଡମିଶନ ସମୟରେ ଛାତ୍ରଛାତ୍ରୀ ଅନଲାଇନ ଅଣ୍ଡରଟେକିଂ ଦେବେ । ନିୟମ ଅନୁସାରେ ଅଭିଭାବକଙ୍କୁ ମଧ୍ୟ  ଅନଲାଇନ ଅଣ୍ଡରଟେକିଂ ଦେବାକୁ ହେବ। ପ୍ରତିବର୍ଷ କଲେଜ କର୍ତ୍ତୃପକ୍ଷଙ୍କୁ ଅଣ୍ଡରଟେକିଂ ଦିଆଯିବ । ତେବେ ବ୍ୟକ୍ତିଗତ ଭାବେ ଅଣ୍ଡରଟେକିଂର ସତ୍ୟପାଠର ଆଉ ଆବଶ୍ୟକତା ନାହିଁ । ବ୍ୟକ୍ତିଗତ ଭାବେ ଅଣ୍ଡରଟେକିଂର ସତ୍ୟପାଠର ଆଉ ଆବଶ୍ୟକତା ନାହିଁ ।

ଏସବୁ ବ୍ୟତୀତ ସମସ୍ତ କଲେଜ ଆଣ୍ଟିରାଗିଂ ସଚେତନତା କର୍ମଶାଳା କରିବେ। ୩ରୁ ୪ଜଣ ଅଧ୍ୟାପକଙ୍କୁ ନେଇ ଏକ ଆଣ୍ଟି ରାଗିଂ ସ୍କ୍ୱାର୍ଡ ହେବ। ପ୍ରତିବର୍ଷ ପ୍ରଥମ ୩ମାସ ଯାଏ ନୂଆ ଛାତ୍ରଛାତ୍ରୀଙ୍କ ଫିଡବ୍ୟାକ୍ ନିଆଯିବ । ରାଗିଂ ଅଭିଯୋଗ ଆସିଲେ କଲେଜ FIR ଦେବ। ପୋଲିସ ଆକ୍ସନ ପୂର୍ବରୁ କଲେଜ ବି କାର୍ଯ୍ୟାନୁଷ୍ଠାନ ନେଇପାରିବ ।  ଏଥିସହ ପ୍ରତ୍ୟେକ କଲେଜକୁ ରାଜ୍ୟ ଓ ଜିଲ୍ଲା ସ୍ତରୀୟ ଆଣ୍ଟି ରାଗିଂ କମିଟି ସର୍ପ୍ରାଇଜ ଭିଜିଟ୍ କରିବ।

ବଢ଼ୁଛି ସାଇବର ଠକେଇ, ମାସକରେ ୧ କୋଟି ୩୮ଲକ୍ଷ ଟଙ୍କା ଲୁଟ୍

ଭୁବନେଶ୍ୱର: ରାଜ୍ୟରେ ଦିନକୁ ଦିନ ବଢ଼ିବାରେ ଲାଗିଛି ସାଇବର ଠକେଇ ମାମଲା । ଗତମାସରେ ସାଇବର ସେଲ ଭୁବନେଶ୍ୱର ପ୍ରାୟ ୩୬୮ କଲ୍ ରିସିଭ୍ କରିଛି । ସେଥି ମଧ୍ୟରୁ ୩୨୧ କଲ୍ ଭୁବନେଶ୍ୱରରୁ ଆସିଥିବା ବେଳେ ୪୭ କଲ୍ ଅନ୍ୟ ଜିଲ୍ଲାରୁ ରିପୋର୍ଟ ହୋଇଛି । ସୋସିଆଲ ମିଡିଆ, UPI, ଡେବିଟ, କ୍ରେଡିଟ କାର୍ଡ ଯୋଗେ ଠକେଇ ହୋଇଛି।

ତେବେ ଭୁବନେଶ୍ୱର ଡିସିପିଙ୍କ ମୁତାବକ ଗତମାସରେ ସର୍ବମୋଟ ୧ କୋଟି ୩୮ଲକ୍ଷ ୬୪ ହଜାର ଟଙ୍କାର ଠକେଇ ହୋଇଛି । ସେଥିରୁ ୩୦ଲକ୍ଷ ୩୮ହଜାର ଟଙ୍କା ଫ୍ରିଜ କରିବା ବା ଫେରାଇ ଆଣିବାରେ ସକ୍ଷମ ହୋଇଛି ସାଇବର ସେଲ । ଅନ୍ୟ କେସ୍ ଗୁଡ଼ିକର ତଦନ୍ତ ଚାଲିଛି । ସେହିପରି ଗତ ୭ ମାସରେ ୭ କୋଟି ୭୯ ଲକ୍ଷ ଟଙ୍କାର ଚୂନ ଲଗାଇଛନ୍ତି ଅଦୃଶ୍ୟ ଠକ । ୭୦ ଲକ୍ଷ ଫେରସ୍ତ ଆସିପାରିଛି । ୬୧ ଲକ୍ଷ ଟଙ୍କା ବ୍ଲକ କରାଯାଇଛି ବୋଲି ସୂଚନା ଦେଇଛନ୍ତି ଭୁବନେଶ୍ୱର ଡିସିପି ।

ଦରବୃଦ୍ଧି ପ୍ରତିବାଦରେ ଆସନ୍ତା ୫ରୁ ରାସ୍ତାକୁ ଓହ୍ଲାଇବ କଂଗ୍ରେସ

ଭୁବନେଶ୍ୱର: ଦରବୃଦ୍ଧି ପ୍ରତିବାଦରେ ରାସ୍ତାକୁ ଓହ୍ଲାଇବ କଂଗ୍ରେସ। ୫ତାରିଖରୁ ସାରା ଓଡ଼ିଶାରେ ଆନ୍ଦୋଳନ କରିବ ଦଳ। ଏହାସହ ରାଜଭବନ ଘେରାଉ କରିବ ବୋଲି ପିସିସି ସଭାପତି ଶରତ ପଟ୍ଟନାୟକ ଚେତାବନୀ ଦେଇଛନ୍ତି। କେନ୍ଦ୍ର ସରକାରଙ୍କ ଭୁଲ ନିଷ୍ପତ୍ତି ଯୋଗୁଁ ଦରଦାମ ବୃଦ୍ଧି ଓ ବେକାରୀ ସମସ୍ୟା ବଢିଛି। ଖାଦ୍ୟ ସାମଗ୍ରୀରେ GST ଲଗାଇଥିବାରୁ ସାଧାରଣ ଲୋକେ ହଇରାଣ ହେଉଛନ୍ତି । ଏହାକୁ ବିରୋଧ କରି ଆସନ୍ତା ୫ତାରିଖରୁ ସାର ଓଡ଼ିଶାରେ କଂଗ୍ରେସ ଆନ୍ଦୋଳନ କରିବ ବୋଲି ପିସିସି ସଭାପତି  କହିଛନ୍ତି।

ସେପଟେ ଦରବୃଦ୍ଧି ନେଇ କେନ୍ଦ୍ର ଉପରେ ବର୍ଷିଛି ବିଜେଡି।  ଦରବୃଦ୍ଧି ଜାତୀୟ ସମସ୍ୟା । ଇନ୍ଧନ ରେଟ୍ ବଢୁଥିବାରୁ ପରିବହନ ରେଟ୍ ବଢୁଛି । ଥରେ ବଢ଼ିଲେ ଆଉ ଖସୁନି । ଚାହିଦା ଓ ଯୋଗାଣ ଭିତରେ ଅଧିକ ପ୍ରଭେଦ ରହୁଛି । କୋଭିଡ୍ ପରେ ଖାଦ୍ୟ ସାମଗ୍ରୀର ଚାହିଦା ବଢୁଛି । ଏହାକୁ ନିୟନ୍ତ୍ରଣ କରିବାରେ କେନ୍ଦ୍ର ସରକାରଙ୍କ ଗୁରୁତ୍ୱପୂର୍ଣ୍ଣ ଦାୟିତ୍ଵ ରହିଛି । ତେବେ ରାଜ୍ୟ ଯୋଗାଣ ବିଭାଗ ହୋର୍ଡିଂ ବନ୍ଦ ପାଇଁ ନିର୍ଦ୍ଦେଶ ଦେଇଛି । ଜିଲ୍ଲପାଳମାନଙ୍କୁ କାର୍ଯ୍ୟାନୁଷ୍ଠାନ ପାଇଁ କୁହାଯାଇଛି । ଦର ଅହେତୁକ ବୃଦ୍ଧି ହେଲେ ପଦକ୍ଷେପ ନିଆଯିବ ବୋଲି ଖାଦ୍ୟ ଯୋଗାଣ ମନ୍ତ୍ରୀ କହିଛନ୍ତି ।

ଯୁଦ୍ଧର ୫ ମାସ ପରେ ଋଷ ବିରୋଧରେ ଆମେରିକାର ବଡ଼ ଧରଣର କଟକଣା

ଓ୍ୱାଶିଂଟନ: ଯୁଦ୍ଧର ୫ ମାସ ପରେ ଋଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ଗାର୍ଲଫ୍ରେଣ୍ଡଙ୍କ ସମେତ ବହୁ ଅର୍ବୁତପତିଙ୍କ ବିରୋଧରେ କଟକଣା ଜାରି କଲା ଆମେରିକା । ପୁଟିନଙ୍କ ନିକଟ ସମ୍ପର୍କୀୟ କେତେକ ବ୍ୟକ୍ତିଙ୍କ ବିରୋଧରେ କଟକଣା ଲଗାଇଯାଇଥିବାବେଳେ ୨୪ରୁ ଅଧିକ ବ୍ୟବସାୟ ପ୍ରତିଷ୍ଠାନ, ଉଚ୍ଚପ୍ରଯୁକ୍ତି ପ୍ରତିଷ୍ଠାନ ଓ ଇଲେକ୍ଟ୍ରୋନିକ କମ୍ପାନି ବିରୋଧରେ ଏହି କଟକଣା ଜାରି ହୋଇଛି । ପୁଟିନିଙ୍କ ସହଯୋଗ ତଥା ଅର୍ବୁଦପତି ଆନ୍ଦ୍ରେଇଭିଚ୍ ଗ୍ୟୁରେଭଙ୍କ ବିରୋଧରେ କଟକଣା ଜାରି ହୋଇଛି । ଲଣ୍ଡନର ଦ୍ବିତୀୟ ବୃହତ ଏଷ୍ଟେଟ ଅର୍ଥାତ ଓ୍ବିଟାନହର୍ଷ୍ଟ ଏଷ୍ଟେଟର ମାଲିକ ଅଛନ୍ତି ଗ୍ୟୁରେଭ ।

ବିଶ୍ବ ସାର ବଜାରର ପ୍ରମୁଖ ସପ୍ଲାୟର ଭାବେ ଗ୍ୟୁରେଭ ଜଣାଶୁଣା । ପୂର୍ବତନ ଅଲିମ୍ପିକ ଜିମ୍ନାଷ୍ଟ ତଥା ପୁଟିନଙ୍କ ଗାର୍ଲଫ୍ରେଣ୍ଡ ଆଲିନା କାବେଭାଙ୍କ ବିରୋଧରେ ବି କଟକଣା ଜାରି ହୋଇଛି । ସେହିପରି ଋଷ ସରକାରଙ୍କ ଅନ୍ୟ ଜଣେ କର୍ମକର୍ତ୍ତା କିରିଲ ଦିମିତ୍ରିଭଙ୍କ ପତ୍ନୀ ନାତାଲ୍ୟା ପୋପୋଭାଙ୍କ ବିରୋଧରେ ବି କଟକଣା ଜାରି କରିଛି ଆମେରିକା । ସେହିପରି ଋଷର ଅନ୍ୟତମ ସର୍ବବୃହତ କରଦାତା ଭିକ୍ଟର ଫିଲିପୋଭିଚ ରସନିକୋଭ ବି ଆମେରିକା କଟକଣାର ଶିକାର ହୋଇଛନ୍ତି ।

 

ପାଟଣାଗଡ଼ ଓ କୁଚିଣ୍ଡାରେ ଖୋଲାଯିବ ନୂଆ ସରକାରୀ ଶିଳ୍ପ ତାଲିମ ପ୍ରତିଷ୍ଠାନ

ଭୁବନେଶ୍ୱର: ସମ୍ବଲପୁରର କୁଚିଣ୍ଡା ଓ ବଲାଙ୍ଗୀରର ପାଟଣାଗଡ଼ଠାରେ ଦୁଇଟି ନୂତନ ସରକାରୀ ଶିଳ୍ପ ତାଲିମ ପ୍ରତିଷ୍ଠାନ (ITI) ଖୋଲାଯିବ ବୋଲି ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏହାଦ୍ୱାରା ଏହି ଜନଜାତି ବହୁଳ ଅଞ୍ଚଳର ଯୁବ ସମାଜ ବିଶେଷ ଭାବରେ ଉପକୃତ ହେବେ । କୁଚିଣ୍ଡାରେ ନୂଆ ସରକାରୀ ITI ପ୍ରତିଷ୍ଠା ଦ୍ୱାରା କୁଚିଣ୍ଡା ବାମରା ଓ ଜମନକିରା ବ୍ଲକର ଯୁବସମାଜ ଉପକାର ପାଇବେ । ନିଯୁକ୍ତି ତଥା ଆତ୍ମନିଯୁକ୍ତିର ସୁଯୋଗ ଥିବା ଚାରିଗୋଟି TRADEରେ ଏଠାରେ ୨୪୦ ପ୍ରଶିକ୍ଷାର୍ଥୀଙ୍କୁ ତାଲିମ ଦିଆଯିବ । ସମ୍ବଲପୁର ଆଖପାଖରେ ଅନେକ ଶିଳ୍ପାନୁଷ୍ଠାନ ଗଢି ଉଠୁଥିବାରୁ ଏହା ଛାତ୍ରଛାତ୍ରୀମାନଙ୍କ ପାଇଁ ବିପୁଳ ଓ ଆତ୍ମନିଯୁକ୍ତି ପାଇଁ ସୁଯୋଗ ମଧ୍ୟ ସୃଷ୍ଟି କରିବ ।

ସେହିପରି ବଲାଙ୍ଗୀରର ପାଟଣାଗଡ଼ଠାରେ ପ୍ରତିଷ୍ଠିତ ITIରେ ମଧ୍ୟ ୪ ଗୋଟି tradeରେ ୨୪୦ ଜଣ ପିଲା ଶିଳ୍ପ ତାଲିମ ପାଇପାରିବେ । ବୃତ୍ତିଗତ ତାଲିମ ବ୍ୟବସ୍ଥା ଦ୍ୱାରା ବ୍ଲକର ଯୁବକ ଯୁବତୀମାନଙ୍କୁ ଦକ୍ଷତା ବୃଦ୍ଧି ହେବା ସହିତ ନିଯୁକ୍ତି/ଆତ୍ମନିଯୁକ୍ତିର ସୁଯୋଗ ସୃଷ୍ଟିରେ ସହାୟକ ହେବ।

ସୂଚନାଯୋଗ୍ୟ ଯେ ରାଜ୍ୟର ୩୧୪ଟି ବ୍ଲକ୍‌ ମଧ୍ୟରୁ ୨୫୧ଟି ବ୍ଲକର ସରକାରୀ/ବେସରକାରୀ ଶିଳ୍ପ ତାଲିମ ପ୍ରତିଷ୍ଠାନ (ITI) ରହିଛି । ସେହିପରି ୫୮ଟି ସବଡିଭିଜନ ମଧ୍ୟରୁ ୪୮ଟିରେ ITI ରହିଛି । ପାଟଣାଗଡ ଓ କୁଚିଣ୍ଡାରେ ITI  ପ୍ରତିଷ୍ଠା ହେବା ପରେ ଏହି ସଂଖ୍ୟା ୫୦କୁ ବୃଦ୍ଧି ପାଇବ । Skilled in Odisha କାର୍ଯ୍ୟକ୍ରମ ଜରିଆରେ ଆମର ଯୁବକ ଯୁବତୀମାନେ ବିଭିନ୍ନ ସରକାରୀ ଶିଳ୍ପତାଲିମ ପ୍ରତିଷ୍ଠାନ ମାନଙ୍କରେ ତାଲିମ ନେଇ ନିଜର ଦକ୍ଷତା ଦ୍ୱାରା ଓଡିଶା ପାଇଁ ନୂଆ ପରିଚୟ ସୃଷ୍ଟି କରିପାରିଛନ୍ତି। ଭୁବନେଶ୍ବର ନିକଟରେ ପ୍ରତିଷ୍ଠିତ World Skill Centre ଆମର ଯୁବସମାଜ ପାଇଁ ଅନେକ ସମ୍ଭାବନା ସୃଷ୍ଟି କରିଛି।