spot_img
Home Blog Page 4164

ଆଗୁଆ ଜାମିନ ପାଇଁ ହାଇକୋର୍ଟକୁ ଗଲେ ବାବୁସାନ

କଟକ: ଆଗୁଆ ଜାବିନ ପାଇଁ ହାଇକୋର୍ଟକୁ ଗଲେ ବାବୁସାନ । ପତ୍ନୀ ତୃପ୍ତି ଶତପଥିଙ୍କ ଅଭିଯୋଗ ଆଧାରରେ ଆଇପିସି ୪୯୮ ‘ଏ’ରେ ହୋଇଛି ମାମଲା । ଖାରବେଳ ନଗର ଥାନାରେ ବାବୁସାନଙ୍କ ନାଁରେ ତୃପ୍ତି ଅଭିଯୋଗ କରିବା ପରେ ମାମଲା ରୁଜୁ ହୋଇଛି ।

ସୂଚନାଯୋଗ୍ୟ, ଆଜି ବାବୁସାନ ଓଡ଼ିଶା ଫେରିବା ପରେ ୪ ଦିନ ହେଲା ଲାଗିଥିବା ହାଇଡ୍ରାମାରେ ଯବନିକା ପଡିଛି । ଆଜି ସକାଳ ପ୍ରାୟ ସାଢେ ୮ଟାରେ ଚେନ୍ନାଇରୁ ବିମାନ ଯୋଗେ ଆସି ଭୁବନେଶ୍ବର ବିମାନବନ୍ଦରରେ ପହଞ୍ଚିଥିଲେ ବାବୁସାନ । ସେଠାରୁ ସେ ସିଧାସଳଖ ଜଗନ୍ନାଥ ବିହାରସ୍ଥିତ ଘରେ ଥିବା ନିଜ ବାପାମାଆଙ୍କ ପାଖକୁ ଯାଇଥିଲେ । ଏହାପରେ ଗଣମାଧ୍ୟମ ପ୍ରତିନିଧିଙ୍କ ସବୁ ପ୍ରଶ୍ନର ଉତ୍ତର ଦେବେ ବୋଲି କହିଥିଲେ ବାବୁସାନ । ଗତକାଲି ବାବୁସାନ ମହାନ୍ତି ଚେନ୍ନାଇ ଏୟାରପୋର୍ଟରେ ଥିବା ଭିଡିଓ ସାମ୍ନାକୁ ଆସିଥିଲା । ହେଲେ ଏହାପରେ ବି ସେ ଭୁବନେଶ୍ବର ଫେରି ନ ଥିଲେ ।

ବାବୁସାନ, ପ୍ରକୃତି, ତୃପ୍ତି ବିବାଦ ଦିନକୁ ଦିନ ଘନେଇବାରେ ଲାଗିଥିବା ବେଳେ ଗତକାଲି ଭୁବନେଶ୍ବରରେ ପହଞ୍ଚିଥିଲେ ପ୍ରକୃତି ମିଶ୍ର । ଏହାପରେ ପ୍ରକୃତି ମିଶ୍ରଙ୍କୁ ପଚରାଉଚରା କରିଥିଲା ଖାରବେଳନଗର ଥାନା ପୋଲିସ । ଏପଟେ ବାବୁସାନଙ୍କୁ ଆଜି ଭୁବନେଶ୍ବରରେ ପହଞ୍ଚିଥିବାରୁ ତାଙ୍କୁ ପଚରାଉଚରା କରିପାରେ ପୋଲିସ । ରାଜଧାନୀରେ ବାବୁସାନ, ତୃପ୍ତି, ପ୍ରକୃତିଙ୍କ ମଧ୍ୟରେ ହାଇଡ୍ରାମା ଦେଖିବାକୁ ମିଳିଥିବା ବେଳେ ଚେନ୍ନାଇ ପଳାଇଥିଲେ ବାବୁସାନ ଓ ପ୍ରକୃତି ।

ଅର୍ପିତାଙ୍କ ଆଉ ଏକ ଘରୁ ପୁଣି ମିଳିଲା ପୁଳାପୁଳା ଟଙ୍କା

କୋଲକାତା: ପଶ୍ଚିମବଙ୍ଗ ଶିକ୍ଷା ବିଭାଗ ମହା ଘୋଟାଲାର ତଦନ୍ତ ଯେତେ ଆଗଉଛି ସେହି ପରିମାଣରେ ମିଳିବାରେ ଲାଗିଛି ବିଡ଼ା ବିଡ଼ା ଟଙ୍କା । ଅର୍ପିତା ମୁଖାର୍ଜୀଙ୍କ ଯେଉଁ ଘରେ ଇଡି ପଶୁଛି ଦେଖୁଛି ଟଙ୍କାର ପାହାଡ଼ । ଆଜି ଅର୍ପିତାଙ୍କ ଦ୍ବିତୀୟ ଘରୁ ମଧ୍ୟ ଇଡି ହାତରେ ଲାଗିଛି ବିପୁଳ ପରିମାଣର ଟଙ୍କା । କେତେ ଟଙ୍କା ଇଡି ଜବତ କରିଛି ତାହା ସ୍ପଷ୍ଟ ହୋଇନାହିଁ । ହେଲେ ଏହାକୁ ଗଣିବାକୁ ମେସିନ ନିଆଯାଇଛି । ଯେଉଁଥିରୁ ଜଣାପଡିଛି ଟଙ୍କାର ପରିମାଣ ପୂର୍ବ ପରି ବହୁତ ଅଧିକ ରହିଛି ।

କ୍ଲବ ଟାଉନ ସ୍ଥିତ ଅର୍ପିତାଙ୍କ ଆପାର୍ଟମେଣ୍ଟରେ ବିପୁଳ ପରିମାଣର ଟଙ୍କା ଲୁଚାଇ ରଖାଯାଇଥିବା ପ୍ରବର୍ତ୍ତନ ନିର୍ଦ୍ଦେଶାଳୟକୁ ସୂଚନା ମିଳିଥିଲା । ଏହାକୁ ଆଧାର କରି ଇଡି ପକ୍ଷରୁ ଆପାର୍ଟମେଣ୍ଟରେ ଚଢାଉ କରାଯାଇଥିଲା ।

ସୂଚନାଯୋଗ୍ୟ, ଏହି ମହା ଘୋଟାଲାରେ ବର୍ତ୍ତମାନ ସୁଦ୍ଧା ଇଡି ୨୨ କୋଟି ଟଙ୍କା ଜବତ କରିଛି । ଏଥିରେ କେବଳ ଭାରତୀୟ ମୁଦ୍ରା ନୁହେଁ, ବିଦେଶୀ ମୁଦ୍ରା ବି ରହିଥିଲା । ଏହି ସମୟରେ ଅର୍ପିତାଙ୍କ ଘରୁ ୨୦ରୁ ଅଧିକ ଫୋନ ଓ ବିଭିନ୍ନ କମ୍ପାନୀର କାଗଜପତ୍ର ଜବତ କରାଯାଇଥିଲା ।

ଏହି ଘୋଟାଲା ମାମଲାରେ ପଶ୍ଚିମବଙ୍ଗ ସରକାରରେ ମନ୍ତ୍ରୀ ଥିବା ପାର୍ଥ ଚାଟାର୍ଜୀଙ୍କୁ ଗିରଫ କରାଯାଇଛି । ତାଙ୍କୁ ଇଡି ତରଫରୁ ଘଣ୍ଟା ଘଣ୍ଟା ଜେରା କରାଯାଇଛି । ବିଶେଷ କରି ଏକ କଳା ଡାଏରୀକୁ ନେଇ ଇଡି ତାଙ୍କୁ ଗୋଡ଼ାଇ ତୋଡ଼ାଇ ପ୍ରଶ୍ନ କରିଛି । ଏ ହେଉଛି ସେହି ବ୍ଲାକ ଡାଏରୀ ଯାହାକୁ ଚଢାଉ ବେଳେ ଇଡି ଅର୍ପିତାଙ୍କ ଘରୁ ଜବତ କରିଥିଲା ।

ରାଜ୍ୟ ସରକାରଙ୍କ ଜିରୋ ଟଲରାନ୍ସ: ଦୁର୍ନୀତିର ସ୍ଥାନ ନାହିଁ

ଭୁବନେଶ୍ବର: ଦୁର୍ନୀତିଗ୍ରସ୍ତ ଅଧିକାରୀଙ୍କୁ ନିସ୍ତାର ନାହିଁ । ଯିଏ ବି ଦୁର୍ନୀତି କରିଛି ତାଙ୍କ ବିରୋଧରେ ରାଜ୍ୟ ସରକାର ଦୃଢ଼ କାର୍ଯ୍ୟାନୁଷ୍ଠାନ ନେଇଛନ୍ତି । ଚାକିରିରୁ ବିଦା କରିବା ସହ ପେନସନ ବି ବନ୍ଦ କରାଯାଇଛି । ୨୦୨୧ ଜାନୁଆରୀ ୧ରୁ ୨୦୨୨ ଜୁନ ୩୦ ସୁଦ୍ଧା ଭିଜିଲାନ୍ସ ପକ୍ଷରୁ ୭୫୮ ଜଣଙ୍କ ବିରୋଧରେ କେସ୍ କରାଯାଇଛି । ସେମାନଙ୍କ ମଧ୍ୟରୁ ୪୦୪ଙ୍କ ନାଁରେ ହୋଇଛି କ୍ରିମିନାଲ କେସ୍ । ଯେଉଁଥିରେ ୭୬ ଜଣ ‘କ’ ଏବଂ ୬୮ ଜଣ ‘ଖ’ ବର୍ଗ ଅଧିକାରୀ ଅଛନ୍ତି । ୨୭୨ ଜଣଙ୍କୁ ଗିରଫ କରାଯିବା ସହ ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ମାମଲାରେ ୨୫୪.୫୭ କୋଟି ଟଙ୍କା ଜବତ କରାଯାଇଛି । ୭୫ଟି ମାମଲାରେ ୮୮ ଜଣ ଦୋଷୀ ସାବ୍ୟସ୍ତ ହୋଇଛନ୍ତି । ବିଧାନସଭାରେ ବିରୋଧୀଙ୍କ ପକ୍ଷରୁ ପିସି କାରବାର ଅଭିଯୋଗ ନେଇ ଆଗତ ମୁଲତବି ପ୍ରସ୍ତାବ ଆଲୋଚନାର ଉତ୍ତରରେ ଏଭଳି କହିଛନ୍ତି ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ ।

ଶାସନ ବ୍ୟବସ୍ଥାରେ ଶୂନ୍ୟ ସହନଶୀଳତାକୁ କିପରି ଗୁରୁତ୍ବ ଦିଆଯାଇଛି ତାହା ନିମାପଡ଼ା ସହକାରୀ ଯନ୍ତ୍ରୀ ଗିରଫ ହେବା ଓ ଟଙ୍କା ଜବତ ହେବା ଘଟଣାରୁ ସ୍ପଷ୍ଟ ପ୍ରମାଣିତ ହେଉଛି ବୋଲି କହିଛି ଶାସକ ଦଳ । ସ୍ବଚ୍ଛତା ଉପରେ ରାଜ୍ୟ ସରକାର ଗୁରୁତ୍ବ ଦେଇ ଦୁର୍ନୀତିକୁ ଧିରେ ଧିରେ ମୂଳପୋଛ କରୁଛନ୍ତି । କଣ୍ଟ୍ରାକ୍ଟରଙ୍କୁ ଲାଇସେନ୍ସ ପ୍ରଦାନଠାରୁ ଆରମ୍ଭ କରି ବିଲ୍ ପୈଠ ପର୍ଯ୍ୟନ୍ତ ସବୁ କିଛି ଅନଲାଇନରେ କରାଯାଉଛି । ସବୁକ୍ଷେତ୍ରରେ ସ୍ବଚ୍ଛତାକୁ ରାଜ୍ୟ ସରକାର ଗୁରୁତ୍ବ ଦେଉ ଥିବା ବିଜେଡି ପକ୍ଷରୁ କୁହାଯାଇଛି । ଅନ୍ୟପକ୍ଷରେ  ବିରୋଧୀ କିନ୍ତୁ ଶାସକ ଦଳକୁ ଘେରିବାକୁ ଚେଷ୍ଟା କରିଥିଲେ । ସେମାନଙ୍କ କହିବା କଥା, ଦୁର୍ନୀତିକୁ ମୂଳପୋଛ କରିବା ପାଇଁ ଭିଜିଲାନ୍ସକୁ ସୁଦୃଢ଼ କରାଯାଉ ।

ନେତା, ବିଧାୟକ ଓ ମନ୍ତ୍ରୀଙ୍କଠାରୁ ଆରମ୍ଭ କରି ସବୁ ସ୍ତରର କର୍ମଚାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯାଉଛି ।

ପରିହାସ ହେଲେ ବି କାହିଁକି କାଟୁନାହାନ୍ତି ନିଶ ?

କେରଳ : ପୂର୍ବରୁ ଅଧିକାଂଶ ପୁରୁଷ ଲୋକ ନିଶ ଦାଢ଼ି ରଖିବାକୁ ପସନ୍ଦ କରୁନଥିବା ବେଳେ ବର୍ତ୍ତମାନ ଏହା ଫ୍ୟାସନରେ ପରିଣତ ହୋଇଛି । ବର୍ତ୍ତମାନର ଯୁବପିଢ଼ି ଏଭଳି ଫ୍ୟାସନ୍ କରିବାକୁ ଖୁବ୍ ପସନ୍ଦ କରୁଛନ୍ତି । ଆଜିକାଲିର ଫିଲ୍ମମାନଙ୍କରେ ଅଭିନୟ କରୁଥିବା ଅଭିନେତାମାନଙ୍କଠାରୁ ପ୍ରେରିତ ହୋଇ ଯୁବବର୍ଗ ନିଶ ଦାଢ଼ି ରଖୁଥିବା ଦେଖାଯାଉଛି । ପୁରୁଷ କିମ୍ୱା ମହିଳାଙ୍କ ମଧ୍ୟରେ ଥିବା ହରମୋନର ଅସନ୍ତୁଳନ ହେତୁ ଉଭୟ ମହିଳା ଓ ପୁରୁଷଙ୍କ ଶରୀରରେ ବିଭିନ୍ନ ପରିବର୍ତ୍ତନ ଦେଖାଦିଏ । ଏହି କାରଣରୁ କେଉଁ ପୁରୁଷଙ୍କର ନିଶ ଦାଢ଼ି ଉଠିନଥାଏ ତ କେଉଁ ମହିଳାଙ୍କର ମୁହଁର କିଛି ଅଂଶରେ ଚୁଟି ଦେଖାଯାଏ । କୌଣସି ମହିଳା ନିଶ ଦାଢ଼ି ରଖିବାକୁ ପସନ୍ଦ କରୁନଥିବାରୁ ମହିଳାମାନେ ରେଜର, କ୍ରିମ୍ ଆଦି ସାହାଯ୍ୟରେ ଏସବୁକୁ ହଟାଇଥାନ୍ତି । ମାତ୍ର, ଆପଣ ଶୁଣି ଆଶ୍ଚର୍ଯ୍ୟ ହେବେ ଯେ ଭାରତର ଜଣେ ଏଭଳି ମହିଳା ଯିଏ ନିଶ ରଖିବାକୁ ପସନ୍ଦ କରନ୍ତି । ଆଜ୍ଞା ହଁ କଥାଟି ଆଶ୍ଚର୍ଯ୍ୟ ଲାଗୁଥିଲେ ବି ପୂରାପୁରି ସତ । ତେବେ ଏହି ମହିଳା ଜଣକ କିଏ ? ଓ ସେ କାହିଁକି ପୁରୁଷଙ୍କ ଭଳି ନିଶ ରଖିବାକୁ ପସନ୍ଦ କରନ୍ତି ? ଏ ବିଷୟରେ ଜାଣିବା…

ମହିଳା ଜଣକ ହେଉଛନ୍ତି କେରଳର କନ୍ନୁର ଅଞ୍ଚଳ ବାସିନ୍ଦା ସାଏଜା । ତାଙ୍କର ଏହି ନିଶ ପାଇଁ ତାଙ୍କୁ ଅନେକ ସ୍ଥାନରେ ଅପଦସ୍ଥ ମଧ୍ୟ ହେବାକୁ ପଡ଼େ । ଏସବୁ ପରେ ବି ସେ ନିଶ କାଟିବାକୁ ଇଚ୍ଛୁକ ନୁହଁନ୍ତି । ନିଶ ରଖିବା ମୋର ପସନ୍ଦ ବୋଲି ସଏଜା ଏକ ସାକ୍ଷାତକାରରେ କହିଥିଲେ । ଅନେକ ମହିଳାଙ୍କ ନିଶ ଉଠୁଥିବାରୁ ଥ୍ରେଡିଙ୍ଗ୍ ସାହାଯ୍ୟରେ ସେମାନେ ଏହାକୁ ହଟାଇଥାନ୍ତି । ମାତ୍ର, ଏଭଳି କରିବାର କେବେ ଆବଶ୍ୟକ ମଣିନଥିବା ସେ କହିଛନ୍ତି । ବିନା ନିଶରେ ରହିବା ତାଙ୍କ ପକ୍ଷେ ସମ୍ଭବ ନୁହେଁ ବୋଲି ମଧ୍ୟ ସେ କହିଛନ୍ତି । ଏମିତିକି କରୋନା ମହାମାରୀ ସମୟରେ ମାସ୍କ ପିନ୍ଧିବା ତାଙ୍କୁ ପସନ୍ଦ ନଥିଲା କାରଣ ମାସ୍କ ପିନ୍ଧିବା ଦ୍ୱାରା ତାଙ୍କ ନିଶ ଦେଖାଯାଉନଥିଲା । ଅନେକ ଲୋକ ନିଶ କାଟିଦେବାକୁ ପରାମର୍ଶ ଦେଇଥିଲେ ମଧ୍ୟ ସେ କାଟିନାହାନ୍ତି ଏବଂ ଏହି କାରଣରୁ ସେ ନିଜକୁ ଅସୁନ୍ଦର ବୋଲି ମଧ୍ୟ କେବେ ଅନୁଭବ କରନାହାନ୍ତି । ପରିବାରର ସମସ୍ତ ସଦସ୍ୟ ତାଙ୍କୁ ସହଯୋଗ କରୁଥିବା ବେଳେ ତାଙ୍କ ଝିଅ କୁହନ୍ତି ମା’ଙ୍କୁ ନିଶ ଭଲ ମାନେ । ଆଉ ଏକ ସାକ୍ଷାତକାରରେ ସାଏଜା କହିଛନ୍ତି ଯେ ମୋର ଏଯାବତ୍ ୬ଟି ସର୍ଜରୀ ହୋଇସାରିଲାଣି । ଜୀବନରେ ଅନେକ ସମସ୍ୟା ଦେଇ ମୁଁ ଗତିକରିଛି । ମାତ୍ର, କେବେ ବି ହାର ମାନିନି । ଏବେ ଖୁସିର ଜୀବନ ବିତେଇବାକୁ ନିଷ୍ପତ୍ତି ନେଇଛି ।

 

ବିଶ୍ବ ଐତିହ୍ୟ ନଗରୀ ହେବ ଶ୍ରୀକ୍ଷେତ୍ର: ଆଗଉଛି ପୁରୀ ବିମାନବନ୍ଦର ନିର୍ମାଣ ପ୍ରକ୍ରିୟା

ପୁରୀ: ଆଗଉଛି ପୁରୀ ବିମାନବନ୍ଦର ନିର୍ମାଣ ପ୍ରକ୍ରିୟା । ଗ୍ରୀନ ଫିଲ୍ଡ ଏୟାରପୋର୍ଟ ପାଇଁ ଇଡକୋର ସ୍ଥିତି ତଦାରଖ କରିଛନ୍ତି ୩ ଜଣିଆ ଟିମ୍  । ଟେକ୍ନୋ ଫିଜିବିଲିଟି ଆସେସମେଣ୍ଟ ସର୍ଭେ ନେଇ ପୁରୀ ଜିଲ୍ଲାପାଳଙ୍କ ସହିତ କରିଛନ୍ତି ଆଲୋଚନା  । ଏୟାରପୋର୍ଟ ପାଇଁ ଅଧିକାଂଶ ଜମି ଅଧିଗ୍ରହଣ କରାଯାଇଛି। ସିଆରଜେଡ୍ କଟକଣା ଓ ବିଭିନ୍ନ ଦିଗ ନେଇ ମଧ୍ୟ ହୋଇଛି ଆଲୋଚନା  । ଖୁବଶୀଘ୍ର ନିର୍ମାଣ କାମ ଆରମ୍ଭ ହେବ ବୋଲି କହିଛନ୍ତି ଜିଲ୍ଲାପାଳ  । ସେପଟେ ବିମାନବନ୍ଦର କାର୍ଯ୍ୟର ଅଗ୍ରଗତିକୁ ସ୍ବାଗତ କରିଛନ୍ତି ଅଞ୍ଚଳବାସୀ  ।

ପୂରଣ ହେବାକୁ ଯାଉଛି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସ୍ବପ୍ନ । ବିଶ୍ବ ଐତିହ୍ୟ ନଗରୀ ହେବ ଶ୍ରୀକ୍ଷେତ୍ର । ଆଉ ପାଦେ ଆଗେଇଲା ପୁରୀ ବିମାନବନ୍ଦର ନିର୍ମାଣ ପ୍ରକ୍ରିୟା । ଗ୍ରୀନଫିଲ୍ଡ ଏୟାରପୋର୍ଟ ପାଇଁ ସ୍ଥିତି ସମୀକ୍ଷା କଲେ ଇଡକୋର ୩ ଜଣିଆ ଟିମ୍ । ଟେକ୍ନୋ ଫିଜିବିଲିଟି ଆସେସମେଣ୍ଟ ସର୍ଭେ ଓ ଜମି ଅଧିଗ୍ରହଣ ସଂପର୍କରେ ଜିଲ୍ଲାପାଳଙ୍କ ସହିତ କରିଛନ୍ତି ଆଲୋଚନା । ସିଆରଜେଡ୍ ଅଞ୍ଚଳ ମଧ୍ୟରେ ପ୍ରସ୍ତାବିତ ଏୟାରପୋର୍ଟର କିଛି ଅଂଶ ଆସୁଛି । ଏହାର ସମାଧାନ ପରେ ଖୁବଶୀଘ୍ର ଏୟାରପୋର୍ଟ କାର୍ଯ୍ୟ ଆରମ୍ଭ ହେବ ବୋଲି କହିଛନ୍ତି ଜିଲ୍ଲାପାଳ ସମର୍ଥ ବର୍ମା ।

ସୂଚନାଯୋଗ୍ୟ, ପୁରୀରେ ଶ୍ରୀଜଗନ୍ନାଥଙ୍କ ନାଁରେ ବିମାନବନ୍ଦର ପ୍ରତିଷ୍ଠା ପାଇଁ ରାଜ୍ୟ ସରକାର କେନ୍ଦ୍ରକୁ ପ୍ରସ୍ତାବ ଦେଇଥିଲେ । ଏହା ଚାରିଧାମକୁ ସଂଯୋଗ କରିବା ସହ ପର୍ଯ୍ୟଟନ କ୍ଷେତ୍ରରେ ବିକାଶ ଦିଗରେ ବେଶ ସହାୟକ ହେବ ବୋଲି ମୁଖ୍ୟମନ୍ତ୍ରୀ ଦର୍ଶାଇଥିଲେ । ଏଥିପାଇଁ ଗିରଳ ଛକଠାରେ ୧୫୦୦ ଏକର ଜମି ଚିହ୍ନଟ ହୋଇଛି । ରାଜ୍ୟ ସରକାରଙ୍କ ସହଯୋଗରେ ଭୂତଳ ସର୍ଭେ ସହ ପ୍ରସ୍ତାବିତ ସ୍ଥାନ ଯାଞ୍ଚ କରାଯାଇଛି ।

ଖୁବଶୀଘ୍ର ଶ୍ରୀଜଗନ୍ନାଥ ଗ୍ରୀନଫିଲ୍ଡ ଏୟାରପୋର୍ଟ ନିର୍ମାଣ କାମ ଆରମ୍ଭ ହେବ । ଦୁଇବର୍ଷ ମଧ୍ୟରେ ଏହାକୁ ଶେଷ କରିବାକୁ ଲକ୍ଷ୍ୟ ରଖାଯାଇଛି ।

ରାସ୍ତାକଡ଼ରେ ଆଉ ଭିକ ମାଗିବେନି ଶିଶୁ

ଭୁବନେଶ୍ବର: ରାସ୍ତାକଡ଼ରେ ଅସୁରକ୍ଷିତ ଅବସ୍ଥାରେ ଲକ୍ଷ ଲକ୍ଷ ଶିଶୁ । ସିଧାସଳଖ ପ୍ରଭାବିତ ହେଉଛି ଶିଶୁଙ୍କ ସାମ୍ବିଧାନିକ ଅଧିକାର ଓ ସାମାଜିକ ସୁରକ୍ଷା । ଦେଶରେ ପ୍ରାୟ ୧୫ ଲକ୍ଷ ଶିଶୁ ରାସ୍ତାକଡ଼ରେ ଜୀବନ ବିତାଉଛନ୍ତି । ବସଷ୍ଟାଣ୍ଡ, ରେଳ ଷ୍ଟେସନ, ପର୍ଯ୍ୟଟନ ସ୍ଥଳ ଓ ପ୍ରମୁଖ ଟ୍ରାଫିକ ଛକରେ ଭିକ୍ଷାବୃତ୍ତି କାର୍ଯ୍ୟରେ ନିୟୋଜିତ ହେଉଛନ୍ତି ଏହି ପିଲାମାନେ । ଯାହାକୁ ନେଇ ସୁପ୍ରିମକୋର୍ଟ ଓ ଜାତୀୟ ଶିଶୁ ଅଧିକାର ସୁରକ୍ଷା ଆୟୋଗ ଉଦବେଗ ପ୍ରକାଶ କରିବା ସହ ରାଜ୍ୟସ୍ତରରେ ସ୍ବତନ୍ତ୍ର ଟାସ୍କଫୋର୍ସ ଗଠନ କରି ସମସ୍ୟାର ସମାଧାନ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ।

ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ପରେ ରାଜ୍ୟ ସରକାରଙ୍କ ପକ୍ଷରୁ ପ୍ରସ୍ତୁତି ଆରମ୍ଭ ହୋଇଯାଇଛି । ରାଜ୍ୟସ୍ତରୀୟ ଟାସ୍କଫୋର୍ସ ଗଠନ ପାଇଁ ଭୁବନେଶ୍ବରରେ ସ୍ବତନ୍ତ୍ର କର୍ମଶାଳା ଉଦଘାଟିତ ହୋଇଛି । କାର୍ଯ୍ୟକ୍ରମରେ ପୋଲିସ ମହାନିର୍ଦ୍ଦେଶକ ସୁନୀଲ କୁମାର ବଂଶଲ ମୁଖ୍ୟଅତିଥି ଭାବେ ଯୋଗ ଦେଇ ରାସ୍ତା କଡ଼ରେ ଥିବା ଶିଶୁଙ୍କୁ ଚିହ୍ନଟ କରି ଉପଯୁକ୍ତ ଥଇଥାନ ଉପରେ ଗୁରୁତ୍ବ ଦେଇଛନ୍ତି ।

ସୂଚନାଯୋଗ୍ୟ, ଶିଶୁଙ୍କ ସୁରକ୍ଷା ପାଇଁ କାର୍ଯ୍ୟ କରୁଥିବା ରାଜ୍ୟମାନଙ୍କ ମଧ୍ୟରେ ଓଡ଼ିଶାର ସ୍ଥାନ ଶୀର୍ଷରେ ରହିଛି । ରାଜ୍ୟ ସରକାର ଏଥିପାଇଁ ସ୍ବତନ୍ତ୍ର ଗାଇଡ଼ଲାଇନ ଜାରି କରିବା ସହ ବିଭିନ୍ନ ଯୋଜନା ପ୍ରଣୟନ କରିଛନ୍ତି । ବସ୍ତିକୁ ଚାଲ ଅଭିଯାନରେ ଟ୍ଵିନସିଟିରେ ସଚେତନତା କରାଯାଉଛି । ସେହିଭଳି ଶ୍ରମ ବିଭାଗ ପକ୍ଷରୁ ଶିଶୁ ଶ୍ରମିକ ରୋକିବାକୁ ଅନେକ ପଦକ୍ଷେପ ନିଆଯାଉଛି । ୨୦୨୫ ସୁଦ୍ଧା ଓଡିଶାକୁ ଶିଶୁ ଶ୍ରମିକ ମୁକ୍ତ ରାଜ୍ୟ ଭାବେ ପରିଗଣିତ କରିବାକୁ ଲକ୍ଷ୍ୟ ରଖାଯାଇଛି । ବିଭିନ୍ନ ବିଭାଗ ସମେତ ସ୍ବେଛାସେବୀ ସଂଗଠନ ମଧ୍ୟରେ ସମନ୍ବୟ ରକ୍ଷା କରି କାର୍ଯ୍ୟକୁ ସଫଳ ରୂପାୟନ କରିବା ଜରୁରୀ ବୋଲି କର୍ମଶାଳାରେ ମତ ପ୍ରକାଶ ପାଇଛି ।

ତନିଷ୍କ ବିଜ୍ଞାପନରୁ ହଟିଲେ ପ୍ରକୃତି

ଭୁବନେଶ୍ବର: ତୃପ୍ତି-ବାବୁସାନଙ୍କ ପାରିବାରିକ ବିବାଦ ପ୍ରକୃତିଙ୍କୁ ମହଙ୍ଗା ପଡ଼ିବାରେ ଲାଗିଛି । ବାବୁସାନଙ୍କ ସହ ପ୍ରକୃତିଙ୍କ ସମ୍ପର୍କକୁ ନେଇ ପତ୍ନୀ ତୃପ୍ତି ଆଣିଥିବା ଅଭିଯୋଗ ତାଙ୍କ କ୍ୟାରିୟର ଉପରେ ପ୍ରଭାବ ପକାଇବାରେ ଲାଗିଛି । ଜୁଏଲରୀ ବ୍ରାଣ୍ଡ ତନିଷ୍କ ନିଜ ବିଜ୍ଞାପନରୁ ପ୍ରକୃତିଙ୍କୁ ହଟାଇ ଦେଇଛି ।

ସୂଚନାଯୋଗ୍ୟ, ଗତ ୨୩ ତାରିଖରେ ରାଜଧାନୀରେ ଦେଖିବାକୁ ମିଳିଥିଲା ହାଇ ଡ୍ରାମା । ପ୍ରକୃତି ଓ ବାବୁସାନ ଏକ କାରରେ ଥିବା ବେଳେ ସେଠାରେ ପହଞ୍ଚି ଥିଲା ବାବୁସାନଙ୍କ ପତ୍ନୀ ତୃପ୍ତି ଶତପଥି । ଉଭୟଙ୍କୁ ଗାଡ଼ି ଭିତରେ ଦେଖି ତୃପ୍ତିଙ୍କ ରାଗ ପଞ୍ଚମ ହୋଇ ଯାଇଥିଲା । ବିଚ୍ ରାସ୍ତାରେ ତୃପ୍ତି ଉଭୟ ବାବୁସାନ ଓ ପ୍ରକୃତିଙ୍କୁ ଟଣାଓଟରା କରିଥିଲେ । ଏହି ସମୟରେ ପ୍ରକୃତି କାରରୁ ବାହାରି ରାସ୍ତାରେ ଦୌଡ଼ିବାକୁ ଲାଗିଥିଲେ ଓ ଜୀବନ ବଞ୍ଚାଇବାକୁ ଉପସ୍ଥିତ ଲୋକଙ୍କୁ ନେହୁରା ହୋଇଥିଲେ । ହେଲେ ତୃପ୍ତି ତାଙ୍କ ପିଛା ଛାଡି ନଥିଲେ । ପ୍ରକୃତିଙ୍କୁ ଗୋଡାଇ ଗୋଡାଇ ଧକ୍କା ପରେ ଧକ୍କା ମାରିବା ସହ ଚୁଟି ଟାଣିଥିଲେ ଓ ଏ ମୋ ଘର ଭାଙ୍ଗି ଦେଲା ବୋଲି ଚିତ୍କାର କରି କହିଥିଲେ । ଏହାପରେ ପ୍ରକୃତି ଓ ବାବୁସାନ ଚେନ୍ନାଇ ଚାଲି ଯାଇଥିଲେ ।

ଷ୍ଟାର ପରିବାରର ଏହି ରୋଡ଼ ଶୋ’ ଭାଇରାଲ ହେବା ପରେ ପ୍ରକୃତିଙ୍କ ପରିବାର ପକ୍ଷରୁ ତୃପ୍ତି ଓ ତାଙ୍କ ବାପାଙ୍କ ବିରୋଧରେ ଥାନାରେ ଅଭିଯୋଗ କରାଯାଇଥିଲା । ପରେ ବାବୁସାନଙ୍କ ମାଆ ତଥା ଓଲିଉଡର ଏଭରଗ୍ରୀନ ଅଭିନେତ୍ରୀ ଅପରାଜିତା ମହାନ୍ତି ତୃପ୍ତିଙ୍କୁ ଧରି ଥାନାରେ ପହଞ୍ଚି ଥିଲେ ଓ ତୃପ୍ତି ପତି ବାବୁସାନ ଏବଂ ପ୍ରକୃତିଙ୍କ ବିରୋଧରେ ଥାନାରେ ଏତଲା ଦେଇଥିଲେ ।

ପଶ୍ଚିମବଙ୍ଗରେ ଦିଦିଙ୍କ ଗାଦିକୁ ବିପଦ, ମିଥୁନଙ୍କ ଦାବି ବିଜେପି ସମ୍ପର୍କରେ ଟିଏମସିର ୩୮ ବିଧାୟକ

କୋଲକତା : ପଶ୍ଚିମବଙ୍ଗରେ ମହାରାଷ୍ଟ୍ର ରାଜନୀତି ଭଳି ଘଟଣା ଘଟିବାକୁ ଯାଉଛି କି ? ଏଭଳି ପ୍ରଶ୍ନ ଉଠିବା ପଛରେ ଅଛି ବିଜେପି ନେତା ତଥା ବଲିଉଡ୍ ଅଭିନେତା ମିଥୁନ ଚକ୍ରବର୍ତ୍ତିଙ୍କ ବିସ୍ଫୋରଣକାରୀ ଦାବି । କୋଲକତାରେ ଆଯୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ମିଥୁନ୍ ବଲିଉଡ୍ ତଡକା ମାରି ରାଜନୈତିକ ବୟାନବାଜୀ କରିଛନ୍ତି । କହିଛନ୍ତି ଯେ, ବିଜେପି ସମ୍ପର୍କରେ ଟିଏମସି ୩୮ ଜଣ ଅସନ୍ତୁଷ୍ଟ ବିଧାୟକ ଅଛନ୍ତି । ଏହି ୩୮ ବିଧାୟକଙ୍କ ମଧ୍ୟରୁ ୨୧ ଜଣ ବ୍ୟକ୍ତିଗତ ଭାବେ ତାଙ୍କ ସମ୍ପର୍କରେ ଥିବା ସେ ଦାବି କରିଛନ୍ତି । ତାଙ୍କ ଅନୁସାରେ ଆଗାମୀ ଦିନରେ ପଶ୍ଚିମବଙ୍ଗରେ କିଛି ମଧ୍ୟ ହୋଇପାରେ ।

ମେଗାଷ୍ଟାରଙ୍କ ବଲିଉଡ୍ ଡାଇଲଗ

ମିଥୁନ ଆଜି ସାମ୍ବାଦିକ ସମ୍ମିଳନୀରେ ମମତା ବାନାର୍ଜୀଙ୍କ ସରକାର ଆଗାମୀ ଦିନରେ ଅସ୍ଥିର ହେବ ବୋଲି ଦାବି କରିଛନ୍ତି । ଏବେ ଗୀତ ରିଲିଜ୍ କଲି ପରେ ଟ୍ରେଲର ରିଲିଜ୍ କରିବି ବୋଲି କହି ମିଥୁନ କହିଥିଲେ ଯେ, ବିଜେପି ସମ୍ପର୍କରେ ତୃଣମୂଳର ୩୮ ଜଣ ବିଧାୟକ ଅଛନ୍ତି । ଏହି ୩୮ ଜଣଙ୍କ ମଧ୍ୟରୁ ୨୧ ଜଣ ବ୍ୟକ୍ତିଗତ ଭାବେ ତାଙ୍କୁ ଯୋଗାଯୋଗ କରିଥିବା ସେ ଦାବି କରିଛନ୍ତି । ଯେତେବେଳେ ସାମ୍ବାଦିକ ତାଙ୍କୁ ପ୍ରଶ୍ନ କରିଥିଲେ ଯେ, ମହାରାଷ୍ଟ୍ର ଭଳି ରାଜନୈତିକ ଘଟଣାକ୍ରମ ପଶ୍ଚିମବଙ୍ଗରେ ଘଟିବ ନାହିଁ ବୋଲି ମମତାଙ୍କ ବୟାନ ପ୍ରତି ଦୃଷ୍ଟି ଆକର୍ଷଣ କରିବାରେ ସେ କହିଥିଲେ ଯେ, ମମତା ଯଦି କହୁଛନ୍ତି ପଶ୍ଚିମବଙ୍ଗରେ କୁମ୍ଭୀର, ବାଘ ଖାଇଯିବେ, ହାତୀ ମାରିଦେବେ ତେବେ ତାଙ୍କର ଭାବିବାର କଥା ଯେ, କୁମ୍ଭୀର ତାଙ୍କୁ ମଧ୍ୟ ଛାଡିବ ନାହିଁ । କାରଣ କୁମ୍ଭୀର କିମ୍ବା ବାଘ କାହାରି ବନ୍ଧୁ ନୁହନ୍ତି । ସୂଚନାଯୋଗ୍ୟ ଯେ, ମହାରାଷ୍ଟ୍ର ଘଟଣାକ୍ରମ ପରେ ମମତା କହିଥିଲେ ଯେ, ମହାରାଷ୍ଟ୍ର ଜନତା ଦୁର୍ବଳ ତେଣୁ ସେଠାରେ ସେମିତି ଘଟିଲା । ପଶ୍ଚିମବଙ୍ଗର ଜନତା ଶକ୍ତ ଏଠାରେ ସେମିତି ହୋଇ ପାରିବ ନାହିଁ । ସେମାନେ ଯଦି ସୁନ୍ଦରବନପଟୁ ପ୍ରବେଶ କରିବେ ତେବେ ବାଘ ଖାଇଯିବ ।

ମହାରାଷ୍ଟ୍ରରେ ଯଦି ହୋଇପାରିବ ପଶ୍ଚିମବଙ୍ଗରେ ବି ହୋଇପାରିବ

ମିଥୁନ କହିଥିଲେ ଯେ, ମୁଁ ଶୋଇଥିଲି ସକାଳୁ ଉଠି ଜାଣିଲି ମହାରାଷ୍ଟ୍ରରେ ସରକାର ଭାଙ୍ଗିଯାଇଛି । ସେଠାରେ ଯଦି ହୋଇ ପାରୁଛି ତେବେ ଏଠାରେ ମଧ୍ୟ ହୋଇପାରିବ । ସୂଚନାଯୋଗ୍ୟ ଯେ, ଗତବର୍ଷ ମିଥୁନ ବିଜେପିରେ ସାମିଲ ହୋଇଥିଲେ । ତେବେ ପଶ୍ଚିମବଙ୍ଗ ନିର୍ବାଚନ ପରେ ସେ ଆଉ ରାଜନୀତିରେ ସକ୍ରିୟ ନଥିଲେ । ଗତ କିଛି ଦିନ ହେବ ସେ ପୁଣିଥରେ ରାଜ୍ୟ ରାଜନୀତିରେ ସକ୍ରିୟ ହୋଇଛନ୍ତି । ବିଜେପିର କେନ୍ଦ୍ରୀୟ. ନେତୃତ୍ୱ ତାଙ୍କୁ ରାଜ୍ୟ ରାଜନୀତିରେ ଅଧିକ ସକ୍ରୀୟ ହେବାକୁ କହିଥିବା ଅନୁମାନ କରାଯାଉଛି ।

୮ ତାରିଖରେ ବାହାରିବ ଯୁକ୍ତଦୁଇ କଳା ରେଜଲ୍ଟ

ଭୁବନେଶ୍ବର: ଆଜି ଯୁକ୍ତଦୁଇ ବିଜ୍ଞାନ ଓ ବାଣିଜ୍ୟ ପରୀକ୍ଷା ଫଳ ପ୍ରକାଶ ପାଇଛି । ଆସନ୍ତା ୮ ତାରିଖରେ ଯୁକ୍ତଦୁଇ କଳା ପରୀକ୍ଷା ଫଳ ପ୍ରକାଶ ପାଇବ ।

ଆଜି ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ବା ସିଏଚ୍‌ଏସ୍‌ଇ ପକ୍ଷରୁ ବିଜ୍ଞାନ ଓ ବାଣିଜ୍ୟ ପରୀକ୍ଷା ଫଳ ପ୍ରକାଶ ପାଇଛି । ସିଏଚଏସଇ ମୁଖ୍ୟାଳୟରେ ଆନୁଷ୍ଠାନିକ ଭାବେ ଏହା ପ୍ରକାଶ  । www.odisha results.nic.in ଓ SAMS e space ୱେବସାଇଟ ମାଧ୍ୟମରେ ରେଜଲ୍ଟ ପାଉଛନ୍ତି ଛାତ୍ରଛାତ୍ରୀ । ବିଜ୍ଞାନରେ ୭୮ ହଜାର ଓ ବାଣିଜ୍ୟର ୨୪ ହଜାର ଛାତ୍ରଛାତ୍ରୀଙ୍କୁ ମିଶାଇ ପାଖାପାଖି ୧ ଲକ୍ଷ ଛାତ୍ରଛାତ୍ରୀଙ୍କ ପରୀକ୍ଷା ଫଳ ପ୍ରକାଶ ପାଇଛି  ।

ଚଳିତବର୍ଷ ରାଜ୍ୟର ୧ ହଜାର ୧୩୩ଟି ପରୀକ୍ଷା କେନ୍ଦ୍ରରେ ମୋଟ୍ ୩ ଲକ୍ଷ ୨୧ହଜାର ୫୦୮ ପରୀକ୍ଷାର୍ଥୀ ଯୁକ୍ତଦୁଇ ପରୀକ୍ଷା ଦେଇଥିଲେ । ବିଜ୍ଞାନରେ ୭୮ ହଜାର ୭୭ ଓ ବାଣିଜ୍ୟରେ ୨୪ ହଜାର ୧୩୬ଜଣ ପରୀକ୍ଷା ଦେଇଥିଲେ ।

ବିଜ୍ଞାନରେ ୯୪ ପ୍ରତିଶତରୁ ଅଧିକ ରେଜଲ୍ଟ

ବିଜ୍ଞାନରେ ୯୪.୧୨ ପ୍ରତିଶତ ରେଜଲ୍ଟ ହୋଇଛି । ମୋଟ ୭୨ ହଜାର ୧୦୬ ଛାତ୍ରଛାତ୍ରୀ ପାସ୍ କରିଛନ୍ତି । ରେଗୁଲାରରେ ୭୦ ହଜାର ୯୧୮ ଓ ଏକ୍ସରେଗୁଲାରରେ ୧୧୮୮ ଜଣ ଛାତ୍ରଛାତ୍ରୀ ପାସ୍ କରିଛନ୍ତି । ୪୨ ହଜାର ୨୦୩ ଛାତ୍ର ପରୀକ୍ଷା ଦେଇଥିବା ବେଳେ ୩୯ ହଜାର ୫୮୭ ଜଣ ପାସ୍ କରିଛନ୍ତି । ଛାତ୍ରଙ୍କ ପାସ୍ ହାର ୯୩.୮୦ ପ୍ରତିଶତ ରହିଛି । ସେହିପରି ୩୪ ହଜାର ୪୦୨ ଛାତ୍ରୀ ପରୀକ୍ଷା ଦେଇଥିବା ବେଳେ ୩୨ ହଜାର ୫୧୯ ଜଣ ପାସ କରିଛନ୍ତି । ଛାତ୍ରୀଙ୍କ ପାସ୍ ହାର ୯୪.୫୨ ପ୍ରତିଶତ ରହିଛି । ଫାଷ୍ଟ ଡିଭିଜନରେ ୫୦ ହଜାର ୧୫୭ ଛାତ୍ରଛାତ୍ରୀ ପାସ୍ କରିଥିବା ବେଳେ ସେକେଣ୍ଡ ଡିଭିଜନରେ ୧୪ ହଜାର ୧୨୫ ଓ ଥାର୍ଡ ଡିଭିଜନରେ ୬ ହଜାର ୯୧୦ ଜଣ ପାସ୍ କରିଛନ୍ତି ।

୧୧୨୩ ଛାତ୍ରଛାତ୍ରୀ ୯୦ ପ୍ରତିଶତରୁ ଅଧିକ ମାର୍କ ରଖିଥିବା ବେଳେ ୧୯୩ ସ୍କୁଲରେ ଶତ ପ୍ରତିଶତ ରେଜଲ୍ଟ ହୋଇଛି । ବିଜ୍ଞାନରେ ନୟାଗଡ଼ ଜିଲ୍ଲାର ଛାତ୍ରଛାତ୍ରୀ ସର୍ବାଧିକ ରେଜଲ୍ଟ କରିଛନ୍ତି । ଜିଲ୍ଲାରେ ୯୯.୧୧ ପ୍ରତିଶତ ରେଜଲ୍ଟ ହୋଇଛି । ସେହିଭଳି ଫୁଲବାଣୀରେ ସର୍ବନିମ୍ନ ୭୬.୮୧ ପ୍ରତିଶତ ରେଜଲ୍ଟ ହୋଇଛି ।

ବାଣିଜ୍ୟରେ ୮୯ ପ୍ରତିଶତରୁ ଅଧିକ ରେଜଲ୍ଟ

ବାଣିଜ୍ୟରେ ୮୯.୨୦ ପ୍ରତିଶତ ରେଜଲ୍ଟ ହୋଇଛି । ବାଣିଜ୍ୟରେ ମୋଟ ୨୧ ହଜାର ୧୬୫ ଜଣ ଛାତ୍ରଛାତ୍ରୀ ପାସ୍ କରିଛନ୍ତି । ରେଗୁଲାରରେ ୨୦ ହଜାର ୮୭୦ ଜଣ ପାସ୍ କରିଥିବା ବେଳେ ଏକ୍ସ ରେଗୁଲାରରେ ୨୮୪ ଓ ପରେସପଣ୍ଡେନ୍ସରେ ୧୧ ଜଣ ପାସ୍ କରିଛନ୍ତି । ମୋଟ ୧୪ ହଜାର ୯୫୮ ଛାତ୍ର ପରୀକ୍ଷା ଦେଇଥିବା ବେଳେ ୧୩ ହଜାର ୨୧୧ ଜଣ ପାସ୍ କରିଛନ୍ତି । ସେହିପରି ୮ ହଜାର ୭୬୮ ଛାତ୍ରୀ ପରୀକ୍ଷା ଦେଇଥିବା ବେଳେ ୭ ହଜାର ୯୫୪ ଜଣ ପାସ୍ କରିଛନ୍ତି । ଫାଷ୍ଟ ଡିଭିଜନରେ ୧୦ ହଜାର ୮୮୩ ଜଣ ପାସ୍ କରିଥିବା ବେଳେ ସେକେଣ୍ଡ ଡିଭିଜନରେ ୫ ହଜାର ୫୩ ଓ ଥାର୍ଡ ଡିଭିଜନରେ ୫୨୪୨ ଜଣ ଛାତ୍ରଛାତ୍ରୀ ପାସ୍ କରିଛନ୍ତି ।

୧୩୪ ସ୍କୁଲରେ ଶତ ପ୍ରତିଶତ ରେଜଲ୍ଟ ହୋଇଥିବା ବେଳେ ୨୭୩ ଛାତ୍ରଛାତ୍ରୀ ୯୦ ପ୍ରତିଶତରୁ ଅଧିକ ମାର୍କ ରଖିଛନ୍ତି । ବାଣିଜ୍ୟରେ ବୌଦ୍ଧ ଜିଲ୍ଲାରେ ଶତ ପ୍ରତିଶତ ରେଜଲ୍ଟ ହୋଇଛି । ସେହିପରି ଦେବଗଡ଼ରେ ସର୍ବନିମ୍ନ ୬୧.୫୩ ପ୍ରତିଶତ ରେଜଲ୍ଟ ହୋଇଛି ।

ଯୁକ୍ତଦୁଇ ପରୀକ୍ଷା ଫଳ: ବିଜ୍ଞାନରେ ୯୪ ପ୍ରତିଶତ ଓ ବାଣିଜ୍ୟରେ ୮୯ ପ୍ରତିଶତ ରେଜଲ୍ଟ

ଭୁବନେଶ୍ୱର: ପ୍ରକାଶ ପାଇଲା ଯୁକ୍ତ ଦୁଇ ବିଜ୍ଞାନ ଓ ବାଣିଜ୍ୟ ଫଳ । ବିଜ୍ଞାନରେ ୯୪ ପ୍ରତିଶତରୁ ଅଧିକ ଓ ବାଣିଜ୍ୟରେ ୮୯ ପ୍ରତିଶତରୁ ଅଧିକ ରେଜଲ୍ଟ ହୋଇଛି । ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ବା CHSE ପକ୍ଷରୁ ଫଳ ପ୍ରକାଶ ପାଇଛି  । CHSE ମୁଖ୍ୟାଳୟରେ ଆନୁଷ୍ଠାନିକ ଭାବେ ଫଳ ପ୍ରକାଶ ପାଇଛି ।  www.odisha results.nic.in ଓ SAMS e space ୱେବସାଇଟ ମାଧ୍ୟମରେ ଛାତ୍ରଛାତ୍ରୀ ରେଜଲ୍ଟ ଦେଖୁଛନ୍ତି । ବିଜ୍ଞାନ ବିଭାଗର ୭୮ ହଜାର ଓ ବାଣିଜ୍ୟର ୨୪ ହଜାର ଛାତ୍ରଛାତ୍ରୀଙ୍କୁ ମିଶାଇ ପାଖାପାଖି ୧ ଲକ୍ଷରୁ ଅଧିକ ଛାତ୍ରଛାତ୍ରୀଙ୍କ ପରୀକ୍ଷା ଫଳ ପ୍ରକାଶ ପାଇଛି  । ଚଳିତବର୍ଷ ବିଜ୍ଞାନରେ ୭୮ ହଜାର ୭୭ଜଣ, ବାଣିଜ୍ୟରେ ୨୪ହଜାର ୧୩୬ଜଣ ପରୀକ୍ଷା ଦେଇଥିଲେ  ।

ଚଳିତବର୍ଷ ବିଜ୍ଞାନରେ ୯୪.୧୨ ପ୍ରତିଶତ ପାସ୍ ହାର ରହିଥିବାବେଳେ ବାଣିଜ୍ୟରେ ୮୯.୨୦ ପ୍ରତିଶତ ପାସ୍ ରହିଛି । ବିଜ୍ଞାନରେ ନୟାଗଡ଼ ଜିଲ୍ଲାରେ ସର୍ବାଧିକ ରେଜଲ୍ଟ ହୋଇଥିବାବେଳେ ଫୁଲବାଣୀରେ ସର୍ବନିମ୍ନ ରେଜଲ୍ଟ ହୋଇଛି । ସେହିପରି ବାଣିଜ୍ୟରେ ବୌଦ୍ଧରେ ଶତପ୍ରତିଶତ ରେଜଲ୍ଟ ହୋଇଥିବାବେଳେ ଦେବଗଡ଼ରେ ସର୍ବନିମ୍ନ ରେଜଲ୍ଟ ହୋଇଛି ।

ବିଜ୍ଞାନରେ ୯୪ ପ୍ରତିଶତରୁ ଅଧିକ ରେଜଲ୍ଟ

ବିଜ୍ଞାନରେ ୯୪.୧୨ ପ୍ରତିଶତ ରେଜଲ୍ଟ ହୋଇଛି । ମୋଟ ୭୨ ହଜାର ୧୦୬ ଛାତ୍ରଛାତ୍ରୀ ପାସ୍ କରିଛନ୍ତି । ରେଗୁଲାରରେ ୭୦ ହଜାର ୯୧୮ ଓ ଏକ୍ସରେଗୁଲାରରେ ୧୧୮୮ ଜଣ ଛାତ୍ରଛାତ୍ରୀ ପାସ୍ କରିଛନ୍ତି । ୪୨ ହଜାର ୨୦୩ ଛାତ୍ର ପରୀକ୍ଷା ଦେଇଥିବା ବେଳେ ୩୯ ହଜାର ୫୮୭ ଜଣ ପାସ୍ କରିଛନ୍ତି । ଛାତ୍ରଙ୍କ ପାସ୍ ହାର ୯୩.୮୦ ପ୍ରତିଶତ ରହିଛି । ସେହିପରି ୩୪ ହଜାର ୪୦୨ ଛାତ୍ରୀ ପରୀକ୍ଷା ଦେଇଥିବା ବେଳେ ୩୨ ହଜାର ୫୧୯ ଜଣ ପାସ କରିଛନ୍ତି । ଛାତ୍ରୀଙ୍କ ପାସ୍ ହାର ୯୪.୫୨ ପ୍ରତିଶତ ରହିଛି । ଫାଷ୍ଟ ଡିଭିଜନରେ ୫୦ ହଜାର ୧୫୭ ଛାତ୍ରଛାତ୍ରୀ ପାସ୍ କରିଥିବା ବେଳେ ସେକେଣ୍ଡ ଡିଭିଜନରେ ୧୪ ହଜାର ୧୨୫ ଓ ଥାର୍ଡ ଡିଭିଜନରେ ୬ ହଜାର ୯୧୦ ଜଣ ପାସ୍ କରିଛନ୍ତି ।

୧୧୨୩ ଛାତ୍ରଛାତ୍ରୀ ୯୦ ପ୍ରତିଶତରୁ ଅଧିକ ମାର୍କ ରଖିଥିବା ବେଳେ ୧୯୩ ସ୍କୁଲରେ ଶତ ପ୍ରତିଶତ ରେଜଲ୍ଟ ହୋଇଛି । ବିଜ୍ଞାନରେ ନୟାଗଡ଼ ଜିଲ୍ଲାର ଛାତ୍ରଛାତ୍ରୀ ସର୍ବାଧିକ ରେଜଲ୍ଟ କରିଛନ୍ତି । ଜିଲ୍ଲାରେ ୯୯.୧୧ ପ୍ରତିଶତ ରେଜଲ୍ଟ ହୋଇଛି । ସେହିଭଳି ଫୁଲବାଣୀରେ ସର୍ବନିମ୍ନ ୭୬.୮୧ ପ୍ରତିଶତ ରେଜଲ୍ଟ ହୋଇଛି ।

ବାଣିଜ୍ୟରେ ୮୯ ପ୍ରତିଶତରୁ ଅଧିକ ରେଜଲ୍ଟ

ବାଣିଜ୍ୟରେ ୮୯.୨୦ ପ୍ରତିଶତ ରେଜଲ୍ଟ ହୋଇଛି । ବାଣିଜ୍ୟରେ ମୋଟ ୨୧ ହଜାର ୧୬୫ ଜଣ ଛାତ୍ରଛାତ୍ରୀ ପାସ୍ କରିଛନ୍ତି । ରେଗୁଲାରରେ ୨୦ ହଜାର ୮୭୦ ଜଣ ପାସ୍ କରିଥିବା ବେଳେ ଏକ୍ସ ରେଗୁଲାରରେ ୨୮୪ ଓ ପରେସପଣ୍ଡେନ୍ସରେ ୧୧ ଜଣ ପାସ୍ କରିଛନ୍ତି । ମୋଟ ୧୪ ହଜାର ୯୫୮ ଛାତ୍ର ପରୀକ୍ଷା ଦେଇଥିବା ବେଳେ ୧୩ ହଜାର ୨୧୧ ଜଣ ପାସ୍ କରିଛନ୍ତି । ସେହିପରି ୮ ହଜାର ୭୬୮ ଛାତ୍ରୀ ପରୀକ୍ଷା ଦେଇଥିବା ବେଳେ ୭ ହଜାର ୯୫୪ ଜଣ ପାସ୍ କରିଛନ୍ତି । ଫାଷ୍ଟ ଡିଭିଜନରେ ୧୦ ହଜାର ୮୮୩ ଜଣ ପାସ୍ କରିଥିବା ବେଳେ ସେକେଣ୍ଡ ଡିଭିଜନରେ ୫ ହଜାର ୫୩ ଓ ଥାର୍ଡ ଡିଭିଜନରେ ୫୨୪୨ ଜଣ ଛାତ୍ରଛାତ୍ରୀ ପାସ୍ କରିଛନ୍ତି ।

୧୩୪ ସ୍କୁଲରେ ଶତ ପ୍ରତିଶତ ରେଜଲ୍ଟ ହୋଇଥିବା ବେଳେ ୨୭୩ ଛାତ୍ରଛାତ୍ରୀ ୯୦ ପ୍ରତିଶତରୁ ଅଧିକ ମାର୍କ ରଖିଛନ୍ତି । ବାଣିଜ୍ୟରେ ବୌଦ୍ଧ ଜିଲ୍ଲାରେ ଶତ ପ୍ରତିଶତ ରେଜଲ୍ଟ ହୋଇଛି । ସେହିପରି ଦେବଗଡ଼ରେ ସର୍ବନିମ୍ନ ୬୧.୫୩ ପ୍ରତିଶତ ରେଜଲ୍ଟ ହୋଇଛି ।