spot_img
Home Blog Page 4167

ସାତ ବର୍ଷ ପରେ ମା’ ହେଲେ ଥରକରେ ଜନ୍ମ କଲେ ୨ ପୁଅ, ୩ ଝିଅ

ରାଜସ୍ଥାନ : ମା’ ହେବାର ସୌଭାଗ୍ୟ ଭାଗ୍ୟରେ ଥିଲେ ମିଳେ । ଆଜିକାଲିର ଜୀବନଶୈଳୀ କାରଣରୁ ବର୍ତ୍ତମାନ ମାତୃତ୍ୱଲାଭରେ ଅନେକ ପ୍ରକାର ଅସୁବିଧା ଦେଖାଯାଉଛି । ଅଧିକାଂଶ ମହିଳା ଏଥିପାଇଁ ଡାକ୍ତରଙ୍କ ପରାମର୍ଶ ମଧ୍ୟ ଲୋଡ଼ୁଛନ୍ତି । କିଏ ମାତୃତ୍ୱଲାଭ କରିବାରେ ସଫଳ ହେଉନି ତ କାହାର ପିଲା ଜନ୍ମ ହେବା ପରେ ସ୍ୱାସ୍ଥ୍ୟ ସମସ୍ୟା ଦେଖାଦେଉଛି । ରାଜସ୍ଥାନର କରୋଲି ଅଞ୍ଚଳରେ ଥରକରେ ୫ଟି ଶିଶୁଙ୍କୁ ଜନ୍ମ ଦେଇ ଚର୍ଚ୍ଚାରେ ୨୫ ବର୍ଷୀୟ ମହିଳା । ମହିଳା ଜଣକ ହେଉଛନ୍ତି ରେସ୍ମା । ତାଙ୍କ ସ୍ୱାମୀ ଅସ୍କ ଅଲ୍ଲି କେରଳରେ ରହି କାମ କରୁଥିବା ବେଳେ ରେସ୍ମା ପ୍ରଥମ ଥର କରି ମାତୃତ୍ୱଲାଭ କରିଥିଲେ । ଏଥିମଧ୍ୟରୁ ଦୁଇ ଜଣ ପୁଅ ଥିବାବେଳେ ୩ଟି ଝିଅ ବୋଲି ଜଣାପଡ଼ିଛି । ସମସ୍ତ ଶିଶୁ ୭ ମାସରେ ଜନ୍ମ ଅର୍ଥାତ୍ ପ୍ରି-ମ୍ୟାଚୋର ବେବି ହୋଇଥିବାରୁ ସମସ୍ତଙ୍କର ସ୍ୱାସ୍ଥ୍ୟବସ୍ଥା ଦୁର୍ବଳ ଥିଲା ।

ମହିଳାଙ୍କ କହିବାନୁସାରେ ୨୦୧୫ରେ ତାଙ୍କର ବିବାହ ହୋଇଥିବା ବେଳେ ଦୀର୍ଘ ୭ ବର୍ଷ ଧରି ତାଙ୍କର କୌଣସି ସନ୍ତାନସନ୍ତତି ହେଉନଥିଲା । ଅନେକ ଡାକ୍ତରଙ୍କ ପରମର୍ଶ ନେବା ପରେ ମଧ୍ୟ କୌଣସି ସଫଳତା ଦେଖାଦେଇନଥିଲା । ଏତେ ବର୍ଷର ବ୍ୟବଧାନ ପରେ ମାତୃତ୍ୱଲାଭର ସୌଭାଗ୍ୟ ଅର୍ଜନ କରିଥିବାରୁ ବହୁତ ଖୁସି ଥିଲେ ରେସ୍ମା । ୫ଟି ଶିଶୁ ୧ରୁ ଦେଢ଼ ମିନିଟ୍ ବ୍ୟବଧାନରେ ଜନ୍ମ ହୋଇଥିବା ବେଳେ ଓଜନ ଥିଲା ୩୦୦ରୁ ୬୦୦ ଗ୍ରାମ୍ । ଜନ୍ମ ହୋଇଥିବା ସମସ୍ତ ଶିଶୁ ଦୁର୍ବଳ ହୋଇଥିବାରୁ ଉନ୍ନତ ଚିକିତ୍ସା ପାଇଁ ଶିଶୁମାନଙ୍କୁ ଜୟପୁରସ୍ଥିତ ଜେକେ ଲନ୍ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଥିଲା । ମାତ୍ର, ଦୁର୍ଭାଗ୍ୟବଶତଃ ଡାକ୍ତରଖାନାକୁ ନେବା ସମୟରେ ବାଟରେ ହିଁ ସମସ୍ତ ଶିଶୁ ମୃତ୍ୟୁବରଣ କରିଥିଲେ । ନବଜାତ ଶିଶୁଙ୍କୁ ହରାଇବା ପରେ ରେସ୍ମା ସମ୍ପୂର୍ଣ୍ଣ ଭାଙ୍ଗିପଡ଼ିଥିବା ସ୍ୱାମୀ କହିଛନ୍ତି ।

ନିର୍ବାଚନ ବେଳେ ରାଜନୈତିକ ଦଳଙ୍କ ଫ୍ରି ଅଫର ଉପରେ ରୋକ୍ ଲାଗୁ ପାଇଁ ସୁପ୍ରିମକୋର୍ଟଙ୍କ ପରାମର୍ଶ

ନୂଆଦିଲ୍ଲୀ: ନିର୍ବାଚନ ସମୟରେ ଘୋଷଣା କରାଯାଉଥିବା ମାଗଣା ଯୋଜନା ଉପରେ ରୋକ୍ ଲଗାଇବା ପାଇଁ କହିଛନ୍ତି ସୁପ୍ରିମକୋର୍ଟ । ଅନେକ ସମୟରେ ଦେଖାଯାଇଥିାଏ ଭୋଟରମାନଙ୍କୁ ଆକୃଷ୍ଟ କରିବା ପାଇଁ ରାଜନୈତିକ ଦଳଗୁଡିକ ନିର୍ବାଚନ ସମୟରେ ଅନେକ ମାଗଣା ଯୋଜନା ଘୋଷଣା କରିଥାନ୍ତି । ଏହାଦ୍ୱାରା ଜନମତ ପ୍ରଭାବିତ ହେଉଛି ବୋଲି ଜଣେ ଆବେଦନକାରୀ କୋର୍ଟରେ ଆବେଦନ କରିଥିଲେ ।

ଏହା ଉପରେ ରୋକ୍ ଲଗାଇବା ପାଇଁ ସୁପ୍ରିମକୋର୍ଟଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ । ସୁପ୍ରିମକୋର୍ଟ ମାମଲାକୁ ଗମ୍ଭୀରତାର ସହ ନେଇ ଏହା ଉପରେ କାର୍ଯ୍ୟ କରିବା ପାଇଁ କେନ୍ଦ୍ର ସରକାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ଏହି ମାମଲାର ଆଗାମୀ ଶୁଣାଣି ୩ ଅଗଷ୍ଟରେ ହେବ । ଭୋଟରଙ୍କୁ ଲୋଭାୟିତ କରିବା ପାଇଁ ମାଗଣା ଯୋଜନାର ଘୋଷଣା ଉପରେ ସୁପ୍ରିମକୋର୍ଟ ୩ ମାର୍ଚ୍ଚରେ ଆପତ୍ତି ପ୍ରକାଶ କରିଥିଲେ । ଏହାପରେ ଆବେଦନକାରୀ ଯାଚିକା ପ୍ରତ୍ୟାହାର କରିନେଇଥିଲେ । କିନ୍ତୁ ମଙ୍ଗଳବାର କୋର୍ଟ ଏହି ପ୍ରକାରର ଅନ୍ୟ ଏକ ମାମଲାରେ ଶୁଣାଣି  କରି ଏହି ନିର୍ଦ୍ଦେଶ ଦେଇଛନ୍ତି ।

ସୁପ୍ରିମକୋର୍ଟ ସରକାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ଯେ, ଅର୍ଥ ଆୟୋଗ ସହ ଆଲୋଚନା କରନ୍ତୁ । ମାଗଣାରେ ଖର୍ଚ୍ଚ କରାଯାଇଥିବା ପଇସାକୁ ଧ୍ୟାନରେ ରଖି ଯାଞ୍ଚ କରନ୍ତୁ । ନିର୍ବାଚନ ଆୟୋଗ ପରାମର୍ଶ ଦେଇଛି ଯେ, ସରକାର ଏହି ପ୍ରସଙ୍ଗ ସହ ମୁକାବିଲା ପାଇଁ ନୂଆ ଆଇନ ଆଣିପାରିବେ । ସରକାରଙ୍କ ତର୍କ ଥିଲା ଯେ ଏହି ମାମଲା ନିର୍ବାଚନ ଆୟୋଗ ଅଧୀନରେ ଆସୁଛି । ସୁପ୍ରିମକୋର୍ଟ କେନ୍ଦ୍ର ସରକାରଙ୍କୁ କହିଛନ୍ତି ଏହା ଉପରେ ପଦକ୍ଷେପ ନେବାକୁ ପଛଘୁଞ୍ଚା କାହିଁକି ଦେଉଛନ୍ତି । ଏହା ଅତ୍ୟନ୍ତ ଗମ୍ଭୀର ପ୍ରସଙ୍ଗ ।

ଗାନ୍ଧୀ ପରିବାରକୁ ବଦନାମ କରିବାକୁ କେନ୍ଦ୍ର କରୁଛି ଚକ୍ରାନ୍ତ: ପିସିସି ସଭାପତି

ଭୁବନେଶ୍ୱର: ଗାନ୍ଧୀ ପରିବାରକୁ ବଦନାମ କରିବାକୁ ଚକ୍ରାନ୍ତ କରୁଛନ୍ତି କେନ୍ଦ୍ର ସରକାର । ଏଆଇସିସି ଅଧ୍ୟକ୍ଷା ସୋନିଆ ଗାନ୍ଧୀଙ୍କୁ ଇଡି ଜେରା କରିବା ପ୍ରତିବାଦରେ ପ୍ରଦେଶ କଂଗ୍ରେସ ପକ୍ଷରୁ ସ୍ଥାନୀୟ କଂଗ୍ରେସ ଭବନ ଆଗରେ ସତ୍ୟାଗ୍ରହ କରାଯାଇଛି । ପିସିସି ସଭାପତି ଶରତ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବିକ୍ଷୋଭ କାର୍ଯ୍ୟକ୍ରମରେ ଛାତ୍ର, ଯୁବ, ମହିଳା କଂଗ୍ରେସର ଶତାଧିକ ନେତା ଓ କର୍ମୀ ଯୋଗଦେଇ କେନ୍ଦ୍ର ସରକାରଙ୍କୁ ଟାର୍ଗେଟ କରିଛନ୍ତି । ଦେଶର ଅତ୍ୟାବଶ୍ୟକ ସାମଗ୍ରୀ ଦରଦାମ ବୃଦ୍ଧିରେ ସାଧାରଣ ଲୋକେ ଅତିଷ୍ଟ ।

ଏପରିକି ଚୁଡ଼ା, ମୁଢ଼ି ଓ ଖାଇବା ପାଇଁ ଜିଏସ୍‌ଟି ଦେବାକୁ ପଡ଼ୁଛି । ଏହି କଥା ଅଧ୍ୟକ୍ଷା ସୋନିଆ ଗାନ୍ଧି ଓ ସାଂସଦ ରାହୁଲ ଗାନ୍ଧି କହିବାରୁ ଆକ୍ରୋଶମୂଳକ ଭାବେ ଇଡି ଲଗାଇ ତାଙ୍କୁ ମିଛ ମାମଲାରେ ଫସାଇ ଦିଆଯାଇଛି । ଇଡିକୁ ଲଗାଇ ବିରୋଧୀଙ୍କ ସ୍ବରକୁ ଚାପି ଦେବା ପାଇଁ କେନ୍ଦ୍ର ସରକାର ଉଦ୍ୟମ କରୁଛନ୍ତି । ଯାହାକୁ କଂଗ୍ରେସ ନିନ୍ଦା କରୁଛି । ଯେ ପର୍ଯ୍ୟନ୍ତ ଏଆଇସିସି ଅଧ୍ୟକ୍ଷା ସୋନିଆ ଗାନ୍ଧି ଓ ରାହୁଲ ଗାନ୍ଧିଙ୍କ ଉପରେ ଇଡି ମାମଲା ପ୍ରତ୍ୟାହାର ନ କରିଛି ସେ ପର୍ଯ୍ୟନ୍ତ ସାରା ଦେଶରେ କଂଗ୍ରେସ ଏପରି ସତ୍ୟାଗ୍ରହ ଜାରି ରଖିବ ।

ବିଜେଡିରେ ମିଶିଲେ କଂଗ୍ରେସ ଓ ବିଜେପି କର୍ମୀ

ନନ୍ଦିଘୋଷ ବ୍ୟୁରୋ: ବଢୁଛି ବିଜେଡି ବଳ । ବିଜୁଜନତା ଦଳରେ ଯୋଗ ଦେଇଛନ୍ତି ଗୋପାଳପୁର ଓ ନବରଙ୍ଗପୁର ବିଧାନସଭା କ୍ଷେତ୍ରର ଅନେକ ନେତା ଓ କର୍ମୀ । ସମସ୍ତେ ବିଜେପି ଓ କଂଗ୍ରେସ ଛାଡ଼ି ବିଜେଡିରେ ମିଶିଛନ୍ତି । ମୁଖ୍ୟମନ୍ତ୍ରୀଙ୍କ ରାଜନୈତିକ ସଚିବ ଗୋପବନ୍ଧୁ ଦାସଙ୍କ ଉପସ୍ଥିତିରେ ଗୋପାଳପୁର ବିଜେପି ଓ କଂଗ୍ରେସର ୨୦୦ରୁ ଅଧିକ କର୍ମୀ ବିଜେଡିରେ ଯୋଗ ଦେଇଛନ୍ତି । ଅନ୍ୟ ଦଳରେ ରହି ଅଞ୍ଚଳର ବିକାଶ ହୋଇପାରିବ ନାହିଁ ବୋଲି ସେମାନେ କହିଛନ୍ତି ।

ସେହିପରି ନବରଙ୍ଗପୁର ବିଧାୟକ ସଦାଶିବ ପ୍ରଧାନୀ ଓ ବିଜେଡି ସହ-ପର୍ଯ୍ୟବେକ୍ଷକ ଦେବାଶିଷ ପାତ୍ରଙ୍କ ଉପସ୍ଥିତିରେ ନବରଙ୍ଗପୁର ବିଜେପି ଓ କଂଗ୍ରେସ କର୍ମୀ ବିଜେଡିରେ ଯୋଗ ଦେଇଛନ୍ତି । ମିଶ୍ରଣ ପର୍ବର ନେତୃତ୍ବ ନେଇଥିବା ବିଜେଡି ସଂଗଠନ ସମ୍ପାଦକ ପ୍ରଣବ ପ୍ରକାଶ ଦାସ ସମସ୍ତଙ୍କୁ ଦଳକୁ ସ୍ବାଗତ କରିଛନ୍ତି । ଦଳରେ ସାମିଲ ହୋଇଥିବା ନେତା ଓ କର୍ମୀଙ୍କ ସମ୍ମାନ ଅକ୍ଷୁର୍ଣ୍ଣ ରହିବା ନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ପକ୍ଷରୁ ବାର୍ତ୍ତା ଜଣାଇଥିଲେ ସଂଗଠନ ସମ୍ପାଦକ ।

ଡିଜେ ବାଜିବାରୁ ବରଯାତ୍ରୀଙ୍କ ମେଳରେ ନାଚିଲା ଘୋଡ଼ା

ଉତ୍ତରପ୍ରଦେଶ : ବାହାଘରରେ ଆଉ କିଛି ଥାଉ କି ନଥାଉ ରୋସଣୀରେ ବରଯାତ୍ରୀ ଡିଜେ ଆଣିବା ଥୟ । ଆଗ କାଳରେ ଯେମିତି ଯୋଡ଼ି-ମହୁରୀ, ବାଜା ରୋସଣୀରେ ବାହାଘର ହେଉଥିଲା ଏବେ କିନ୍ତୁ ଡିଜେ ଯୁଗ । ଡିଜେ ତାଳରେ ନାଚନ୍ତି ବରଯାତ୍ରୀ । ଆଜିକାଲି ତ ଡିଜେର ଏତେ ଡିମାଣ୍ଡ ଯେ ବାହାଘର ସମୟରେ ହଠାତ୍ ମିଳିବା କଷ୍ଟକର । ତେଣୁ ଦିନେ କି ଦୁଇ ଦିନ ନୁହେଁ ମାସେ ଆଗରୁ ଡିଜେ ପାର୍ଟିକୁ ବୁକିଂ କରିବାକୁ ପଡ଼ୁଛି । ନିକଟରେ ଉତ୍ତରପ୍ରଦେଶ ହମିରପୁରର ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗୁଛି । ଯେଉଁଥିରେ ଡିଜେ ଗୀତରେ ବରଯାତ୍ରୀ ନାଚୁଥିବା ବେଳେ ବରଯାତ୍ରୀଙ୍କ ସହ ଆସିଥିବା ଘୋଡ଼ା ହଠାତ୍ ଅନିୟନ୍ତ୍ରିତ ହୋଇଯାଉଛି । କେବଳ ଏତିକି ନୁହେଁ ଘୋଡ଼ାର ଏଭଳି ସ୍ୱଭାବ କାରଣରୁ ବାହାଘରରେ ଆସିଥିବା ବରଯାତ୍ରୀଙ୍କ ମଧ୍ୟରୁ ୧୨ ଜଣ ଆହତ ହୋଇଥିବା ମଧ୍ୟ ସୂଚନା ମିଳିଛି । ଯାହାର ଭିଡିଓଟି ସୋସିଆଲ ମିଡିଆରେ ଖୁବ୍ ଭାଇରାଲ ହେଉଥିବାର ଦେଖାଯାଉଛି ।

 

ଡିଜେ ୱାଲେ ବାବୁ ମେରା ଗାନା ଚଲାଦୋ ଭଳି ଡିଜେ ଉପରେ ଆଧାରିତ ଅନେକ ଗୀତ ରହିଛି । ଏମିତିକି ପୁରୁଣା ଗୀତଗୁଡ଼ିକ ଆଜିକାଲି ଡିଜେ ଢାଞ୍ଚାରେ ବାଜୁଥିବାର ତ ଆପଣ ଶୁଣିଥିବେ । ତେବେ ଏହି ଭିଡିଓରେ ଦେଖାଯାଉଥିବା ଘୋଡ଼ାଟି ନିଜ ଭାରସାମ୍ୟ ହରାଇ ଏଭଳି ବିଚଳିତ ହେବାର କାରଣ ଜଣାପଡ଼ିନାହିଁ । ଟ୍ୱିଟରରେ ଭିଡିଓଟିକୁ ସେୟାର କରିଥିବା ଜଣେ ଆଇପିଏସ୍ ଅଧିକାରୀ ଦିପାଂଶୁ କବରା କହିଛନ୍ତି ଯେ ଏତେ ଉଚ୍ଚ ଧ୍ୱନିର ଡିଜେ ସହିତ ଏତେ ଲୋକଙ୍କ ଭିଡ଼ରେ ଘୋଡ଼ାଟି ବିଚଳିତ ହେବା ସାଧାରଣ କଥା । ବିବାହରେ ଉପସ୍ଥିତ ଥିବା ଲୋକମାନେ ସମ୍ୱେଦନଶୀଳ ହୋଇଥିଲେ ବୋଧହୁଏ ଏଭଳି ଘଟଣା ଘଟିନଥାନ୍ତା ବୋଲି ସେ ଟ୍ୱିଟ୍ କରି କହିଛନ୍ତି ।

 

 

ଗୁଜୁରାଟରେ ବିଷାକ୍ତ ମଦମୃତ୍ୟୁ ସଂଖ୍ୟା ୨୯ରେ ପହଞ୍ଚିଲା, ମୁଖ୍ୟ ଅଭିଯୁକ୍ତ ସମେତ ୧୪ ଗିରଫ

ଅହମ୍ମଦାବାଦ: ଗୁଜରାଟର ବୋତାଡ ଜିଲ୍ଲାରେ ବିଷାକ୍ତ ମଦ ପିଇବା କାରଣରୁ ୨୯ ଜଣଙ୍କ ମୃତ୍ୟୁ ହୋଇଯାଇଛି । ୩୦ ଜଣଙ୍କ ସ୍ୱାସ୍ଥ୍ୟବସ୍ଥା ଗୁରୁତର ଥିବା ସୂଚନା । ଗତକାଲି ଏହି ମାମଲାରେ ୧୦ ଜଣଙ୍କ ମୃତ୍ୟୁ ହୋଇଥିଲା । ସେହିପରି ଆଜି ଆଉ ୧୯ ଜଣଙ୍କ ଚିକିତ୍ସା ସମୟରେ ମୃତ୍ୟୁ ଘଟିଛି । ବୋତାଡ ଜିଲ୍ଲାରେ କ୍ରମାଗତ ବଢୁଛି ମୃତ୍ୟୁସଂଖ୍ୟା । ମଦମୃତ୍ୟୁ ସଂଖ୍ୟା ବଢିବା ପରେ ୩୦୨, ୩୨୮, ୧୨୦-ଖ ଧାରାରେ ମାମଲା ରୁଜୁ କରିଛି ପୋଲିସ ।

ପୋଲିସ ପକ୍ଷରୁ କୁହାଯାଇଛି ମଦମୃତ୍ୟୁ ମାମଲାରେ ୧୪ଜଣଙ୍କ ନାମରେ ଏଫଆଇଆର ରୁଜୁ କରାଯାଇ ସେମାନଙ୍କୁ ଗିରଫ କରାଯାଇଛି । ମାମଲାର ତଦନ୍ତ ଏସଆଇଟି ଆରମ୍ଭ କରିଦେଇଛି । ଗୁଜରାଟ ଡିଜିପି ଆଶିଷ ଭାଟିଆ କହିଛନ୍ତି ଏହି ମାମଲାରେ ବାରଓ୍ବାଲା, ରଣପୁର ଓ ଅହମ୍ମଦାବାଦ ରୁରାଲ ଥାନାରେ ୩ଟି ଏଫଆଇଆର ରୁଜୁ ହୋଇଛି ।

ପ୍ରାଥମିକ ତଦନ୍ତରେ ଜଣାଯାଇଛି ଯେ ସୋମବାର ବରୱାଲାର ରୋଜିଦ ଗାଁର ଏକ ମଦ ଭାଟିକୁ ୮ଟି ଗାଁର ଲୋକ ମଦ ପିଇବା ପାଇଁ ଆସିଥିଲେ । ସେଠାରେ ମଦ ପରିବର୍ତ୍ତେ ସେମାନଙ୍କୁ ମିଥାନଲ ରସାୟନ ଦିଆଯାଇଥିଲା । ଏହି ମିଥାନଲ ଅହମ୍ମଦବାଦାରୁ ଅଣାଯାଇଥିଲା । ତେବେ ମିଥାନଲ ପିଇ ଲୋକମାନେ ଅସୁସ୍ଥ ହୋଇପଡିଥିଲେ । ସେମାନଙ୍କୁ ହସ୍ପିଟାଲ ନିଆଯାଇଥିଲା ହେଲେ ଜଣେ ପରେ ଜଣଙ୍କ ମୃତ୍ୟୁ ଖବର ସାମ୍ନାକୁ ଆସୁଛି । ଏହି ସଂଖ୍ୟା ଆଗକୁ ବୃଦ୍ଧି ପାଇବ ବୋଲି ଆଶଙ୍କା କରାଯାଉଛି । ରୋଜିନ୍ଦ ଗାଁର ସର୍ବାଧିକ ୯ଜଣ ଏଥିରେ ମୃତ୍ୟୁବରଣ କରିଛନ୍ତି । ଏହା ବ୍ୟତୀତ ରେସ, ଚୌକଡି, ଧନ୍ଧୁକା, ନଭୋଇ, ରଣପରୀ, ପୋଲପୁର ଏବଂ ଚୌରାଗାର ଲୋକ ମୃତ୍ୟୁବରଣ କରିଛନ୍ତି ।

କମନୱେଲଥ ଗେମ୍ସରୁ ବାଦ୍ ପଡ଼ିଲେ ଅଲିମ୍ପିକ ମେଡାଲ ବିଜେତା ନୀରଜ !

ନୂଆଦିଲ୍ଲୀ: ଅଲିମ୍ପିକ ମେଡାଲ ବିଜେତା ତଥା ଗତ ରବିବାର ବିଶ୍ୱ ଆଥଲେଟ୍ ଚାମ୍ପିଅନସିପରେ ରୌପ୍ୟ ପଦକ ଜିତିଥିବା ନୀରଜ ଚୋପ୍ରା କମନୱେଲଥ ଗେମ୍ସରୁ ବାଦ ପଡିଛନ୍ତି । ଆଘାତ କାରଣରୁ ତାଙ୍କୁ ବିଶ୍ରାମ ଦିଆଯାଇଛି । ଦେଶବାସୀଙ୍କ ଆଶା ଥିଲା ଯେ, ଅଲିମ୍ପିକ ଭଳି କମନୱେଲଥରେ ବି ନୀରଜ ସୁନା ପଦକ ଜିତିବେ । ହେଲେ ସେ ଆଶା ଏବେ ଆଶାରେ ରହିଯାଇଛି । ତେବେ ନୀରଜଙ୍କୁ ବିଶ୍ୱ ଆଥଲେଟ୍ ଚାମ୍ପିଅନସିପ୍ ରେ ଜାଭେଲିନ ଫାଇନାଲ ସମୟରେ ଆଘାତ ଲାଗିଥିଲା ।

ଫାଇନାଲରେ ନୀରଜ ନିଜ ଜଙ୍ଘରେ ପଟି ଘୋଡାଇଥିବାର ନଜର ମଧ୍ୟ ଆସିଥିଲେ । ଇଣ୍ଡିଆନ ଅଲିମ୍ପିକ ଆସୋସିଏସନର ଜେନେରାଲ ସେକ୍ରେଟାରୀ ରାଜୀବ ମେହତା ନୀରଜଙ୍କ କମନୱେଲଥ ନଖେଳିବା ନେଇ ସୂଚନା ଦେଇଛନ୍ତି । ସେ କହିଛନ୍ତି ୱାର୍ଲଡ ଆଥଲେଟିକ୍ ଚମ୍ପିଆନସିପ ସମୟରେ ତାଙ୍କୁ ଆଘାତ ଲାଗିଥିଲା । ଏବେ ସେ ଖେଳିବା ପାଇଁ ଫିଟ୍ ନାହାନ୍ତି । ଫାଇନାଲ ଇଭେଣ୍ଟ ପରେ ନୀରଜଙ୍କ ଏମଆରଆଇ ସ୍କାନ ହୋଇଥିଲା, ଯେଉଁଥିରେ ଗ୍ରୋଇନ ଇଞ୍ଜୁରୀ ଥିବା ଜଣାପଡ଼ିଥିଲା ।

ଏପରି ସ୍ଥିତିରେ ତାଙ୍କୁ ଏକମାସର ବିଶ୍ରାମ ପାଇଁ ପରାମର୍ଶ ଦିଆଯାଇଛି । କମନୱେଲଥ ଗେମ୍ସରେ ନୀରଜ ଚୋପଡାଙ୍କ ମ୍ୟାଚ ୫ ଅଗଷ୍ଟରେ ହେବାର ଥିଲା, ସେହିଦିନ ଜାଭେଲିନ ଥ୍ରୋର ଇଭେଣ୍ଟ ଥିଲା । ଏବେ ଏହି ଫିଲ୍ଡରେ ଭାରତର ଆଶା ଡିପି ମନୁ ଏବଂ ରୋହିତ ଯାଦବଙ୍କ ଠାରେ ରହିଛି । ଜାଭେଲିନ ଥ୍ରୋରେ ଏବେ ଏହି ଦୁଇ ଭାରତର ପ୍ରତିନିଧିତ୍ୱ କରିବେ ।

ହଙ୍ଗାମା ଓ ନାରାବାଜୀ ପାଇଁ ରାଜ୍ୟସଭାର ୧୯ ବିରୋଧୀ ସାଂସଦ ନିଲମ୍ବିତ

ନୂଆଦିଲ୍ଲୀ: ଗତକାଲି ଲୋକସଭା ଅଧ୍ୟକ୍ଷ ୪କଂଗ୍ରେସ ସାଂସଦଙ୍କୁ ଗୃହ ଭିତରେ ବିରୋଧ ପ୍ରଦର୍ଶନ କରୁଥିବାରୁ ନିଲମ୍ବିତ କରିଥିଲେ । ଆଜି ମଧ୍ୟ ରାଜ୍ୟସଭାରେ ବିରୋଧୀ ସାଂସଦଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି । ସଂସଦର ମୌସୁମୀ ଅଧିବେସନ ସମୟରେ ଗୃହର ୱେଲରେ ପ୍ରବେଶ କରିବା ଏବଂ ନାରାବାଜୀ ପାଇଁ ରାଜ୍ୟସଭାର ୧୯ ସାଂସଦଙ୍କୁ ନିଲମ୍ବିତ କରାଯାଇଛି ।

୧୯ ସାଂସଦଙ୍କୁ ସପ୍ତାହ ଶେଷ ପର୍ଯ୍ୟନ୍ତ ନିଲମ୍ବିତ କରାଯାଇଛି । ନିଲମ୍ବିତ କରାଯାଇଥିବା ସାଂସଦମାନଙ୍କ ମଧ୍ୟରେ ସୁଷ୍ମିତା ଦେବ, ଡା. ଶାନ୍ତନୁ ସେନ, ଡୋଲା ସେନ, ରହିମ ଏବଂ ଶିବଦାସାନ (ବାମଦଳ), କାନିମୋଝୀ (ଡିଏମକେ), ବିଏଲ ଯାଦବ (ଟିଆରଏସ) ଏବଂ ମହମ୍ମଦ ଅବଦୁଲ୍ଲା ସାମିଲ ଅଛନ୍ତି । ବିରୋଧୀ ସାଂସଦଙ୍କ ହଙ୍ଗାମା କାରଣରୁ ଉଚ୍ଚ ସଦନର କାର୍ଯ୍ୟବାହୀ ୨୦ ମିନିଟ ପାଇଁ ସ୍ଥଗିତ ରହିଥିଲା ।

ପ୍ରକାଶଯୋଗ୍ୟ, ଦରଦାମ ବୃଦ୍ଧି ଏବଂ ଆବଶ୍ୟକୀୟ ସାମଗ୍ରୀ ଉପରେ ଜିଏସଟି ଲଗାଯିବାକୁ ନେଇ ବିରୋଧୀ ସାଂସଦମାନେ ଫ୍ଲାକାର୍ଡ ଧରି ସଂସଦର ଉଭୟ ଗୃହରେ ବିରୋଧ କରୁଛନ୍ତି । ସେମାନେ ଦାବି କରୁଛନ୍ତି, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗୃହକୁ ଆସି ପ୍ରସଙ୍ଗ ଉପରେ ସେମାନଙ୍କ କଥା ଶୁଣନ୍ତୁ । ସଂସଦର ମୌସୁମୀ ଅଧିବେସନ ଗତ ୧୮ ତାରିଖରେ ଆରମ୍ଭ ହୋଇଥିଲା, ଲଗାତାର ସାଂସଦମାନଙ୍କ ବିରୋଧ କାରଣରୁ କାର୍ଯ୍ୟରେ ବାଧାପ୍ରାପ୍ତ ଘଟୁଛି ।

ନ୍ୟୁଡ୍ ଫଟୋ ସୁଟ୍ କରି ଫସିଲେ ରଣବୀର; ଥାନାରେ ମାମଲା ରୁଜୁ

ମୁମ୍ୱାଇ: ଅଡ଼ୁଆରେ ବଲିଉଡ୍‌ ଅଭିନେତା ରଣବୀର ସିଂ । ଲୋକପ୍ରିୟ ଫେସନ୍‌ ପତ୍ରିକା ପେପର୍‌ ମାଗାଜିନ୍‌ ପାଇଁ ନ୍ୟୁଡ୍‌(ନଗ୍ନ) ଫଟୋସୁଟ୍‌ କରି ଅଡ଼ୁଆରେ ଛନ୍ଦି ହୋଇପଡ଼ିଛନ୍ତି ଏହି ବଲିଉଡ୍ ଷ୍ଟାର । ତାଙ୍କ ବିରୋଧରେ ଏକ ଏଫଆଇଆର ଦାୟର ହୋଇଛି । ସୋସିଆଲ ମିଡିଆରେ ନିଜର ନଗ୍ନ ଫଟୋ ମାଧ୍ୟମରେ ମହିଳାଙ୍କ ଭାବନାକୁ ଆଘାତ ଦେଇଥିବାରୁ ରଣବୀରଙ୍କ ବିରୋଧରେ ଏଫଆଇଆର ଦାୟର ପାଇଁ ମୁମ୍ୱାଇ ପୋଲିସ। ମୁମ୍ବାଇ ଚେମ୍ବୁର ଥାନାରେ  IPC ଧାରା ୫୦୯, ୨୯୨ , ୨୯୪ ଓ ଆଇଟି ଆକ୍ଟରେ ୬୭A ରେ ମାମଲା ରୁଜୁ ହୋଇଛି । ଟ୍ୱିଟର ଓ ଇନଷ୍ଟାଗ୍ରାମରୁ ରଣବୀରଙ୍କ ସେହି ନ୍ୟୁଡ ଫଟୋ ହଟାଇବା ସହ ଏତଲାରେ ଉଲ୍ଲେଖ କରାଯାଇଛି ।

ସୂଚନା ଅନୁଯାୟୀ, ପୂର୍ବ ମୁମ୍ବାଇରେ ଅବସ୍ଥିତ ଏକ ଅଣ-ସରକାରୀ ସଂଗଠନ (ଏନଜିଓ) ର ଜଣେ କର୍ମଚାରୀ ଚେମ୍ବୁର ପୋଲିସ୍ ଷ୍ଟେସନରେ ଅଭିଯୋଗ ଆବେଦନ ଦାଖଲ କରିଛନ୍ତି। ଅଭିଯୋଗକାରୀ କହିଛନ୍ତି ଯେ ଅଭିନେତା ମହିଳାଙ୍କ ଭାବନାକୁ ଆଘାତ ଦେଇଛନ୍ତି ଏବଂ ତାଙ୍କ ଫଟୋଗ୍ରାଫ୍ ମାଧ୍ୟମରେ ସେମାନଙ୍କ ନମ୍ରତାକୁ ଅପମାନିତ କରିଛନ୍ତି। ସୂଚନା ପ୍ରଯୁକ୍ତିବିଦ୍ୟା ଅଧିନିୟମ ତଥା ଭାରତୀୟ ଦଣ୍ଡବିଧି ଆଇନର ବିଭିନ୍ନ ବିଭାଗ ଅନୁଯାୟୀ ରଣବୀରଙ୍କ ବିରୋଧରେ ମାମଲା ରୁଜୁ କରିବାକୁ ଅଭିଯୋଗକାରୀ ଦାବି କରିଛନ୍ତି ।

ଏହି ସମ୍ପର୍କରେ ପୁଲିସ ଅଧିକାରୀ କହିଛନ୍ତି ଯେ, ଏକ ଏନଜିଓ ସହ ଜଡିତ ବ୍ୟକ୍ତିଙ୍କ ଠାରୁ ଆମେ ଏକ ଏଫଆଇଆର ଆବେଦନ ଗ୍ରହଣ କରିଛୁ। କିନ୍ତୁ ଏପର୍ଯ୍ୟନ୍ତ କୌଣସି ଏଫଆଇଆର ପଞ୍ଜୀକୃତ ହୋଇନାହିଁ। ଏ ସଂକ୍ରାନ୍ତରେ ଆମେ ଅଧିକ ପଚରାଉଚରା କରୁଛୁ ।

ରଣବୀରଙ୍କୁ କ’ଣ ସଜ୍ଜା ହୋଇପାରେ?

ଓକିଲଙ୍କ କହିବାନୁସାରେ, ଆଇପିସିର ଧାରା ୨୯୨ ଅନୁଯାୟୀ ୫ବର୍ଷ ଏବଂ ଧାରା ୨୯୩ ଅନୁଯାୟୀ ୩ବର୍ଷ ଜେଲ ଦଣ୍ଡାଦେଶ ହୋଇପାରେ । ଅନ୍ୟପକ୍ଷରେ ଆଇଟି ଆକ୍ଟ ୬୭ ଏ ଅନୁଯାୟୀ ୫ବର୍ଷ ଯାଏଁ ଜେଲ ଦଣ୍ଡ ଭୋଗିବାକୁ ପଡ଼ିପାରେ । ରଣବୀର ଏକ ମ୍ୟାଗାଜିନ୍ ପାଇଁ ନ୍ୟୁଡ୍ ଫଟୋ ସୁଟ୍ କରିଥିଲେ । ସାମାଜିକ ଗଣମାଧ୍ୟମରେ ଏହି ବୋଲ୍ଡ ଫଟୋ ସୁଟ୍‌ ଫଟୋ ସେୟାର ହେବା ପରେ ଖୁବ୍ ଭାଇରାଲ ହୋଇଥିଲା । ଏବଂ ଖୁବ୍ ଟ୍ରୋଲ ମଧ୍ୟ ହୋଇଥିଲା । ଏସବୁ ଗୋଟିଏ ପ୍ରକାର ଚଳନୀୟ କିନ୍ତୁ ଏହି ଘଟଣା ଥାନା ପହଞ୍ଚିବା ରଣୀବରଙ୍କ ପାଇଁ ଅଡ଼ୁଆ ସୃଷ୍ଟି କରିଛି ।

ବାବୁସାନ୍-ପ୍ରକୃତି ବିବାଦ ମାମଲାର ତଦନ୍ତ ପାଇଁ ମନ୍ମଥ ମିଶ୍ରଙ୍କ ଘରେ ପୋଲିସ

ଭୁବନେଶ୍ୱର: ବାବୁସାନ, ପତ୍ନୀ ତୃପ୍ତି ଓ ପ୍ରକୃତି ମିଶ୍ର ବିବାଦ ମାମଲାରେ ପୋଲିସର ଖୋଳତାଡ଼ । ତଦନ୍ତ କରୁଛି ଖାରବେଳ ନଗର ଥାନା ପୋଲିସ । ମନ୍ମଥ ମିଶ୍ରଙ୍କ ଘରେ ଖାରବେଳନଗର ଥାନା ପୋଲିସ । ତଦନ୍ତ ପାଇଁ ପୋଲିସ ଯାଇଥିବା ସୂଚନା ମିଳିଛି । ସେପଟେ ପୂର୍ବରୁ ମାମଲାରେ ପ୍ରକୃତି ମିଶ୍ରଙ୍କୁ ହାଜର ପାଇଁ ନୋଟିସ୍ କରିଥିଲା ପୋଲିସ । ହେଲେ ଏବେ ଯାଏ ସେ ହାଜର ହୋଇନାହାନ୍ତି ।

ଅନ୍ୟପକ୍ଷରେ ପ୍ରକୃତିଙ୍କ ବାପା ମାଆଙ୍କ ସହ ଚେନ୍ନାଇରେ ନିଜ ଭାଇଙ୍କ ଘରେ ରହି ନିଜ ପକ୍ଷକୁ ଅଧିକ ମଜଭୁତ କରିବା ଲାଗି ଗୋଟି ଚାଳନା କରୁଛନ୍ତି । ଗତକାଲି ରାତିରେ ଦମନର ଟିମ ଚେନ୍ନାଇରୁ ଫେରିଛି । କିନ୍ତୁ ସେମାନଙ୍କ ସହ ବାବୁସାନ ନଫେରିବା ଘଟଣାକୁ ଆହୁରି ରହସ୍ୟମୟ କରିଛି । ସମସ୍ତ ପକ୍ଷ ଏବେ ମୁହଁ ବନ୍ଦ ରଖିଥିବା ବେଳେ କୁହାଯାଉଛି ଯେ, ମୁହଁ ବନ୍ଦ ରଖିବା ପାଇଁ କମିଶନରେଟ ପୋଲିସ ପକ୍ଷରୁ ତାଗିଦ କରାଯାଇଛି ।

ବାବୁସାନ ଓ ତୃପ୍ତିଙ୍କ ବିବାଦ ନେଇ ଧିରେ ଧିରେ ଓଲିଉଡରୁ ପ୍ରତିକ୍ରିୟା ଆସିବାରେ ଲାଗିଛି । କେହି ପ୍ରକୃତିଙ୍କୁ ଦୋଷ ଦେଉଥିବା ବେଳେ କେହି କେହି ବାବୁସାନଙ୍କୁ ଟାର୍ଗେଟ କରୁଛନ୍ତି । ଏବେ ସମସ୍ତଙ୍କ ନଜର ରହିଛି ପୋଲିସର ପରବର୍ତ୍ତୀ ପଦକ୍ଷେ ଉପରେ । ପୋଲିସ ଆଶା କରୁଛି ଦିନେ ଦୁଇ ଦିନ ଭିତରେ ବାବୁସାନ ନୋଟିସ ମୁତାବକ ପୋଲିସ ପାଖରେ ହାଜର ହେବେ ।