spot_img
Home Blog Page 4178

ମଙ୍କିପକ୍ସ ନେଇ ସତର୍କ ରାଜ୍ୟ ସରକାର, ଆଜି ସିଡିଏମଓ ଓ ମୁଖ୍ୟ ଡାକ୍ତରଙ୍କୁ ନେଇ ବସିବ ବୈଠକ

ଭୁବନେଶ୍ବର: କିଛି ଦେଶରେ ବ୍ୟାପିଛି, କିଛି ଦେଶରେ ବ୍ୟାପୁଛି ମଙ୍କିପକ୍ସ । ମେ’ ମାସ ସୁଦ୍ଧା ଦେଶରେ ମଙ୍କିପକ୍ସର କୌଣସି ତଥ୍ୟନାହିଁ। l ତେବେ ମଙ୍କିପକ୍ସ ନେଇ ରାଜ୍ୟ ସତର୍କ ରହିଛି । ବର୍ତ୍ତମାନ ରାଜ୍ୟର ଥିବା ସମସ୍ତ ସ୍ୱାସ୍ଥ୍ୟ ଅଧିକାରୀଙ୍କୁ ମଙ୍କିପକ୍ସ ଉପରେ ଅବଗତ କରାଯାଇଛି।

ଏହାକୁ ନେଇ ଆଜି ମଧ୍ୟ ସିଡିଏମଓ ଓ ମୁଖ୍ୟ ଡାକ୍ତରଙ୍କୁ ନେଇ ବସିବ ବୈଠକ। ଯଦି ମଙ୍କିପକ୍ସର ପ୍ରଭାବ ଦେଶରେ ବ୍ୟାପେ ତେବେ ଭାରତ ସରକାରଙ୍କର ୨ ପ୍ରକାରର ସର୍ଭିଲାନ୍ସ କରାଯିବ। ଗୋଟିଏ ହେଲା କମ୍ୟୁନିଟି ସଭିଲାନ୍ସ ଓ ଅନ୍ୟଟି ହେଲା ହସ୍ପିଟାଲ ସର୍ଭିଲାନ୍ସ।

ଯଦି କୌଣସି କମ୍ୟୁନିଟିରେ ଏଭଳି ରୋଗୀ ରହିଛନ୍ତି ତେବେ ସେମାନଙ୍କୁ ଆଇସୋଲେସନରେ ରଖିବା ସହ ସେମାନଙ୍କର ଟେଷ୍ଟ କରାଯିବ ବୋଲି ସ୍ବାସ୍ଥ୍ୟ ନିର୍ଦ୍ଦେଶକ କହିଛନ୍ତି । ଯଦି ହସ୍ପିଟାଲରେ ଏଭଳି ରୋଗୀ ଛୋଟ ଛୁଆ ଆସୁଛନ୍ତି ସେମାନଙ୍କ ଉପରେ କଡ଼ା ନଜର ରହିବ। ବିଶେଷ କରି ଏହି ମଙ୍କିପକ୍ସରେ ଜ୍ୱର ସାଙ୍ଗକୁ ଘା’ ହୋଇଥାଏ।

ପଞ୍ଚାୟତ ପ୍ରତିନିଧିଙ୍କୁ ଗୁରୁମନ୍ତ୍ର ଦେଲେ ମୁଖ୍ୟମନ୍ତ୍ରୀ, କହିଲେ ଲୋକଙ୍କ ସମସ୍ୟାର ସମାଧାନ ଦିଗରେ ଦାୟିତ୍ବବାନ ହୁଅନ୍ତୁ

ଭୁବନେଶ୍ବର: ନବ ନିର୍ବାଚିତ ପଞ୍ଚାୟତ ପ୍ରତିନିଧିଙ୍କୁ ଗୁରୁମନ୍ତ୍ର ଦେଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ନବନିର୍ବାଚିତ ପଞ୍ଚାୟତ ପ୍ରତିନିଧିଙ୍କୁ ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ । ଏଥର ମା’ ମାନେ ବହୁ ସଂଖ୍ୟାରେ ଜିତିଛନ୍ତି । ମା’ ମାନେ ପଞ୍ଚାୟତର ମଙ୍ଗ ଧରୁଛନ୍ତି । ପଞ୍ଚାୟତର ଗୁରୁତ୍ବ ବେଶୀ ରହିଛି ।

ପଞ୍ଚାୟତ ହେଉଛି ସେବାର କେନ୍ଦ୍ର । ସାଧାରଣ ଲୋକ ସରକାରୀ ସେବା ପାଇବାରୁ ବ଼ଞ୍ଚିତ ନହୁଅନ୍ତୁ ସେଥିପ୍ରତି ଧ୍ୟାନ ଦେବାକୁ କହିଛନ୍ତି ନବୀନ। ଲୋକଙ୍କ ସମସ୍ୟାର ସମାଧାନ ଦିଗରେ ଅଧିକ ଦାୟିତ୍ବବାନ ହୁଅନ୍ତୁ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ। ଲୋକଙ୍କ ସୁଖଦୁଃଖରେ ସେମାନଙ୍କ ସାଥିରେ ରହିବାକୁ ଦେଇଛନ୍ତି ପରାମର୍ଶ ।

ନିଜ କାମ ଦ୍ବାରା ଗ୍ରାମବାସୀଙ୍କ ହୃଦୟରେ ସ୍ବତନ୍ତ୍ର ସ୍ଥାନ ଅଧିକାର କରନ୍ତୁ ଏବଂ ଏପରି କାମ କରନ୍ତୁ ଗାଁ ଓ ପଞ୍ଚାୟତ ଯେପରି ଅନ୍ୟମାନଙ୍କ ପାଇଁ ଆଦର୍ଶ ହେବ ବୋଲି ସେ ପରାମର୍ଶ ଦେଇଛନ୍ତି । ଗ୍ରାମବାସୀଙ୍କ ଆସ୍ଥା ଓ ଭରସା ରକ୍ଷା କରନ୍ତୁ ବୋଲି ମନ୍ତ୍ର ଦେଇଛନ୍ତି ନବୀନ ।

ଏଥିରେ ସମସ୍ତ ଜିଲ୍ଲା ପରିଷଦ ସଭାପତି, ଉପସଭାପତିଙ୍କ ସମେତ ପଞ୍ଚାୟତ ସମିତି ଅଧ୍ୟକ୍ଷ ଓ ପ୍ରତ୍ୟେକ ବ୍ଲକରୁ ଜଣେ ସରପଞ୍ଚଙ୍କୁ ନେଇ ଏହି ରାଜ୍ୟସ୍ତରୀୟ କର୍ମଶାଳା ଅନୁଷ୍ଠିତ ହୋଇଛି। କର୍ମଶାଳାରେ ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗ ମନ୍ତ୍ରୀଙ୍କ ସମେତ କୃଷି ଓ କୃଷକ ସଶକ୍ତିକରଣ, ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ, ମିଶନ ଶକ୍ତି, ଖାଦ୍ୟା ଯୋଗାଇ ଓ ଖାଉଟି କଲ୍ୟାଣ ବିଭାଗର ମନ୍ତ୍ରୀ ଯୋଗଦେଇଥିଲେ ।

ତାରା ମାରିଲେ ତେର୍ଚ୍ଛାବାଣ, କହିଲେ ପିସିସି ସଭାପତିଙ୍କ ଚାରିପାଖେ ବୁଲିଲେ ସଂଗଠନ ମଜବୁତ ହେବନି

ଭୁବନେଶ୍ବର: ରାଜ୍ୟ କଂଗ୍ରେସର ନବ ସଂକଳ୍ପ ଶିବିରକୁ ନେଇ ତାରା ମାରିଲେ ତେର୍ଚ୍ଛାବାଣ । କହିଲେ ପିସିସି ସଭାପତିଙ୍କ ଚାରିପଟେ ବୁଲିଲେ ସଙ୍ଗଠନ ମଜବୁତ ହେବନି । ସଙ୍ଗଠନକୁ ମଜବୁତ କରିବାକୁ ହେଲେ କାମ କରିବାକୁ ପଡ଼ିବ ।

ସ୍ୱାସ୍ଥ୍ୟ ଗତ କାରଣରୁ ନବ ସଙ୍କଳ୍ପ ବୈଠକରେ ଅନୁପସ୍ଥିତ ଥିଲେ ବୋଲି କହିଛନ୍ତି ତାରା ପ୍ରସାଦ ବାହିନୀପତି । ପ୍ରବଳ ଖରାରେ ବ୍ରଜରାଜନଗରରେ ନିର୍ବାଚନ ପ୍ରଚାର କରିବା ପରେ ମୋ ଦେହ ଅସୁସ୍ଥ ହୋଇଯାଇଥିଲା । ତେଣୁ ମୁଁ ଅନୁପସ୍ଥିତ ଥିଲି । ପିସିସି ସଭାପତି ପଦ ନ ମିଳିବାରୁ ମନ ଦୁଃଖ ଅଛି ବେଲି ସାମ୍ବାଦିକଙ୍କ ପ୍ରଶ୍ନର ଉତ୍ତର ଦେଇଥିଲେ ତାରା । ସେ କହିଥିଲେ, ‘ମୋର ତ ମନ ନାହିଁ ମନ ଦୁଃଖ କେମିତି ହେବ? ଲୋକମାନେ ଚାହିଁଲେ କଂଗ୍ରେସର ସ୍ଥିତି ପରିବର୍ତ୍ତନ ହେବ । ପିସିସି ସଭାପତିଙ୍କ ପଛରେ ବୁଲିଲେ କଂଗ୍ରେସ ଆଗକୁ ବଢ଼ି ପାରିବନି । ପରିଶ୍ରମ କଲେ ହିଁ ବଢ଼ିପାରିବ ବୋଲି କହିଥିଲେ ତାରା ।

ସେହିପରି ଦଳୀୟ ସଙ୍ଗଠନକୁ ନେଇ କୌଣସି ଅସନ୍ତୋଷ ନାହିଁ ବୋଲି ସେ କହିଛନ୍ତି । ସେ ପିସିସି ସଭାପତି ରେସରେ ନଥିଲେ, ଆଉ ଯଦି ମିଳିଥାନ୍ତା ଛାଡ଼ିନଥାନ୍ତେ ବୋଲି କହିଛନ୍ତି ତାରା ପ୍ରସାଦ ବାହିନୀପତି । ଏହାସହ କାନ କଥା ଶୁଣିବେନି ବୋଲି ପିସିସି ସଭାପତି ଶରତ ପଟ୍ଟନାୟକ ଯେଉଁ କଥା କହିଛନ୍ତି ତାହାକୁ ସ୍ବାଗତ କରିଛନ୍ତି ତାରା ପ୍ରସାଦ ବାହିନୀପତି।

ଶ୍ରୀମନ୍ଦିର ପ୍ରସଙ୍ଗରେ ମଧ୍ୟ ନିଜର ଉକ୍ତି ରଖିଥିଲେ ତାରା । ସେ କହିଛନ୍ତି ଯେ, ପୁରୀରେ ବିକାଶ କାର୍ଯ୍ୟ ହେବା ଦରକାର । ଆଇନ୍ ଅନୁସାରେ କାର୍ଯ୍ୟ ହେଉ । ଜନନ୍ନାଥକୁ ନେଇ ରାଜନୀତି ନ ହେଉ । କଂଗ୍ରେସ କେବେ ଜଗନ୍ନାଥଙ୍କୁ ନେଇ ରାଜନୀତି କରେ ନାହିଁ ।

ବାରବାଟୀ ବ୍ୟାଟେଲ ପାଇଁ ପ୍ରସ୍ତୁତି ଜୋରଦାର, ଷ୍ଟାଡିୟମରେ ମକ୍ ଡ୍ରିଲ୍

କଟକ: ବାରବାଟୀ ଟି-୨୦ ମ୍ୟାଚ୍ ପାଇଁ ଓସିଏ ସମେତ ଜିଲ୍ଲା ପ୍ରଶାସନ ଓ କମିଶନରେଟ୍ ପୋଲିସର ଜୋରଦାର ପ୍ରସ୍ତୁତି । ଷ୍ଟାଡିୟମର ସୁରକ୍ଷା ବ୍ୟବସ୍ଥା ଯାଞ୍ଚ ପାଇଁ ଆଜି ଏକ ମକ ଡ୍ରିଲ କରାଯାଇଛି । ମ୍ୟାଚ ସମୟରେ ହେବାକୁ ଥିବା ସମ୍ଭାବ୍ୟ ପ୍ରତିକୂଳ ପରିସ୍ଥିତିର ମୁକାବିଲା କିଭଳି କରାଯିବ, ଏହା ହିଁ ଏହି ମକ ଡ୍ରିଲର ମୁଖ୍ୟ ଉଦେଶ୍ୟ ।

ଏହି ମକ ଡ୍ରିଲରେ ପୋଲିସ,  ଅଗ୍ନିଶମ ବିଭାଗ, ବେସରକାରୀ ସୁରକ୍ଷା କର୍ମୀ, ଓଡ୍ରାଫ, ମେଡ଼ିକାଲ ଟିମ ଏବଂ ଓସିଏ କର୍ମଚାରୀ ମାନେ ଯୋଗ ଦେଇଥିଲେ । ପୋଲିସ କମିଶନର ବାରବାଟୀ ଷ୍ଟାଡିୟମରେ ପହଞ୍ଚି ମକଡ୍ରିଲର ସମୀକ୍ଷା କରିଥିଲେ । ସେହିପରି ଆଜି ଷ୍ଟାଡିୟମ ବୁଲି ସୁରକ୍ଷା ବ୍ୟବସ୍ଥାର ସମୀକ୍ଷା କରିବେ ଆରଡିସି, ଜିଲ୍ଲାପାଳ ଓ ଡିସିପି । ଏଥର ଓସିଏର ପ୍ରବେଶପଥ, ପ୍ଲେୟାର ଡେସିଂ ରୁମ ସମେତ କ୍ଳକ ଟାଓ୍ବାରର କିଛି ଅଂଶକୁ ଉଡେନ ଲୁକ ଦିଆଯାଇଛି । ୬, ୭ ନମ୍ବର ଗ୍ୟାଲେରୀ ଦର୍ଶକଙ୍କ ପାଇଁ ଏଥର ଖୋଲା ଯାଉଥିବା ବେଳେ ଆଇଆଇଟି ଖଡଗପୁର ଏକ୍ସପର୍ଟଙ୍କ ଦ୍ବାରା ଏହି କାର୍ଯ୍ୟକୁ ସମ୍ପାଦନ କରାଯାଇଛି ।

ପ୍ରାୟ ୪୪ ହଜାରରୁ ଅଧିକ ଦର୍ଶକ ମ୍ୟାଚ ଦେଖିବେ । ଏହାକୁ ଦୃଷ୍ଟିରେ ରଖି, ପାର୍କିଂ ପାଇଁ ପ୍ରଶାସନ ପକ୍ଷରୁ ତଳ ଓ ଉପର ବାଲିଯାତ୍ରା ପଡିଆକୁ ପ୍ରସ୍ତୁତ କରାଯାଉଛି । ଗତକାଲିଠୁ ଅନଲାଇନ ଟିକେଟ ବିକ୍ରି ଆରମ୍ଭ ହୋଇଛି । ୯ ତାରିଖରୁ ଅଫଲାଇନରେ ଟିକେଟ ବିକ୍ରି ହେବ ।

ଦ୍ରୁତ ଗତିରେ ମାଡ଼ି ଆସୁଥିଲା ଟ୍ରେନ୍, ଡ୍ରାଇଭରଙ୍କ ଉପସ୍ଥିତ ବୁଦ୍ଧି ଯୋଗୁ ଅଳ୍ପକେ ବର୍ତ୍ତିଲେ ଯାତ୍ରୀ

ଖୋର୍ଦ୍ଧା: ଟ୍ରେନ୍ ଚାଳକଙ୍କ ଉପସ୍ଥିତ ବୁଦ୍ଧି ଯୋଗୁ ଅଳ୍ପକେ ବର୍ତ୍ତିଲା ଜୀବନ । ଟ୍ରେନ୍ ଆସୁଥିଲା, ହେଲେ ରେଳ ଫାଟକ  ଖୋଲି ଦେଇଥିଲେ ରେଳବାଇର ଗାର୍ଡ । ବହୁ ସମୟ ଧରି ଛିଡ଼ା ହୋଇଥିବା ଲୋକ ବି ଟ୍ରାକ୍ ଅତିକ୍ରମ କରିଚାଲିଲେ । ହେଲେ ଦ୍ରୁତ ଗତିରେ ମାଡ଼ି ଆସୁଥିବା ଟ୍ରେନ ଦେଖି ଲୋକ ବି ହଠାତ୍ କିଛି କରିପାରୁନଥାନ୍ତି । ଭିଡ଼ ଏତେ ଥିଲା ଯେ, ଟ୍ରେନ୍ ଲୋକଙ୍କ ଉପରେ ମାଡିଯାଇଥାନ୍ତା । ହେଲେ ଟ୍ରେନ୍ ଡ୍ରାଇଭରଙ୍କ ଉପସ୍ଥିତ ବୁଦ୍ଧି ଯୋଗୁ ଅନେକ ଜୀବନ ବଞ୍ଚିଯାଇଛି ।

ଖୋର୍ଦ୍ଧା ରେଳ ଡିଭିଜନ୍ କାଳୁପଡ଼ା ଘାଟ ଷ୍ଟେସନ  ନିକଟରେ ଗତକାଲି ରାତିରେ ଦେଖିବାକୁ ମିଳିଥିଲା ଏହି ଘଟଣା । ସୂଚନା ଅନୁସାରେ ୨ ଟି ଟ୍ରେନ୍ ଦୁଇ ଦିଗକୁ  ଯିବା ପାଇଁ  ରେଳ ବିଭାଗ ପକ୍ଷରୁ ସିଗନାଲ ଦିଆଯାଇଥିଲା । ଗୋଟିଏ ମାଲ ଗାଡ଼ି କାଳୁପଡା ଘାଟ ଷ୍ଟେସନରେ  ଛିଡ଼ା ହୋଇଥିଲା । ସିଗନାଲ ମିଳିବା ପରେ ସେହି ମାଲ ଗାଡ଼ିଟି ଖୋର୍ଦ୍ଧା ଅଭିମୁଖେ ଯାତ୍ରା କରିଥିଲା । ତେବେ  ଅନ୍ୟପଟ ସିଗନାଲ କ୍ଲିଅର ନ ହେଉଣୁ  ଫାଟକ ଖୋଲିଥିଲା ।

ଲୋକ ରେଳ ଟ୍ରାକ୍ ପାର ହେବା ବେଳେ ସାଲିମାର  ସିକନ୍ଦରାବାଦ ସୁପର ମାଡ଼ି ଆସୁଥିଲା । ଲୋକେ ଭୟଭୀତ ହୋଇ ପଡ଼ିଥିଲେ । ଯିଏ ଯୁଆଡ଼େ ପାରିଲେ ପଛକୁ ହଟିବାକୁ ଲାଗିଲେ । ସେପଟେ ଦୂରରୁ  ଟ୍ରେନ ଚାଳକ ଗେଟ୍ ଖୋଲା ଥିବା ଜାଣିପାରି ଜରୁରୀ କାଳୀନ ବ୍ରେକ୍ ଲଗାଇଥିଲେ । ଫଳରେ ବଂଚି ଯାଇଥିଲା ଅନେକ ଜୀବନ । ଲୋକେ ରେଳ ବିଭାଗର ଏପରି ଅବହେଳାକୁ ନିନ୍ଦା କରିଛନ୍ତି । ତୁରନ୍ତ ଦୋଷୀ କର୍ମଚାରୀଙ୍କ ବିରୁଦ୍ଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି ।

କାଶୀ ପଣ୍ଡିତ କହି ଟଙ୍କା ମାଗୁଥିଲେ, ଗାଁରୁ ନକଲି ବାବାଙ୍କୁ ତଡ଼ିଲେ ଲୋକେ

ବଲାଙ୍ଗୀର: ଭଣ୍ଡ ବାବାଙ୍କୁ ଗାଁରୁ ତଡ଼ିଲେ ଗ୍ରାମବାସୀ । ବଲାଙ୍ଗୀର ଜିଲ୍ଲା ଦେଓଗାଁ ବ୍ଲକ ବହଲି ଗାଁରେ ୨ଜଣ ଭଣ୍ଡ ବାବା ନିଜକୁ କାଶୀର ପଣ୍ଡିତ କହି ଘରକୁ ଘର ବୁଲି ବିଭିନ୍ନ ଉପାୟରେ ଟଙ୍କା ମାଗୁଥିଲେ । ଯିଏ ଟଙ୍କା ଦେଉନଥିଲେ ସେମାନଙ୍କୁ ଅଭିଶାପ ଦେଇ ଭୟଭୀତ କରୁଥିଲେ I

ଏହି ଦୁଇ ନକଲି ବାବା ବହୁ ସମୟ ଧରି ଗାଁରେ ଆତଙ୍କ ଖେଳାଇ ଗରିବ ଓ ନୀରିହ ଲୋକଙ୍କୁ ଅଭିଶାପ ଦେଇ ଟଙ୍କା ଲୁଟ କରୁଥିଲେ I ତେବେ ଏହି ବାବାଙ୍କ ଦୌରାତ୍ମ୍ୟ ଦେଖି କିଛି ଶିକ୍ଷିତ ଯୁବକ ବାବାକୁ ବିଭିନ୍ନ ପ୍ରଶ୍ନ ପଚାରିଥିଲେ ।

ଯେମିତିକି ଗାୟତ୍ରୀମନ୍ତ୍ର, ଶିବ ପୂରାଣ, ଭଗବାନଙ୍କ କେତୋଟି ଅବତାର । କିନ୍ତୁ ଭଣ୍ଡ ବାବା କୌଣସି ପ୍ରଶ୍ନର ଉତ୍ତର ନ ଦେଇ କିପରି ସେଠାରୁ ଫେରାର୍ ମାରିବେ ସେନେଇ ବାଟ ଖୋଜିଥିଲେ I ଲୁଟ୍ ଉଦ୍ଦେଶ୍ୟରେ ଗାଁରେ ବାବା ବେଶରେ ପଶିଥିବା କହି ଗାଁରୁ ତଡ଼ିଦେଲେ ଲୋକ ।

ମାଲକାନଗିରି ଗସ୍ତରେ ପୋଲିସ ଡିଜି, ମାଓଗଡ଼ରେ ସୁରକ୍ଷା ବ୍ୟବସ୍ଥାର କରିବେ ସମୀକ୍ଷା

ମାଲକାନଗିରି: ମାଲକାନଗିରି ଗସ୍ତରେ ଯାଉଛନ୍ତି ପୋଲିସ ଡିଜି ସୁନୀଲ ବଂଶଲ । ଜିଲ୍ଲାର ଶେଷ ମାଓଗଡ଼ ଯନ୍ତ୍ରୀ ପଞ୍ଚାୟତ ଓ ଛତିଶଗଡ଼ ସୀମାନ୍ତ ମାଥିଲି ଅଞ୍ଚଳକୁ ଗସ୍ତ କରିବେ ପୋଲିସ ଡିଜି ।

ମାଓଗଡ଼ରେ ସୁରକ୍ଷା ବ୍ୟବସ୍ଥାର ସମୀକ୍ଷା କରିବା ସହ ମାଥିଲି ଅଞ୍ଚଳରେ ଛତିଶଗଡ଼ ମାଓବାଦୀଙ୍କ ଗତିପଥ ବଢିଥିବାରୁ ନୂତନ ରଣ କୌଶଳ ପ୍ରସ୍ତୁତ କରିବା ପାଇଁ ବରିଷ୍ଠ ଅଧିକାରୀଙ୍କ ସହ ବୈଠକ କରିବେ ପୋଲିସ ଡିଜି । କୋରାପୁଟ ସୁନାବେଡା ହେଲିପ୍ୟାଡରେ ପହଞ୍ଚିବା ପରେ ମାଲକାନଗିରି ଅଭିମୁଖେ ଯାଉଛନ୍ତି ପୋଲିସ୍ ଡିଜି ।

ଆଇନ୍ ଯୁଦ୍ଧରେ ଜିତିଲେ ଜନି, ପତ୍ନୀ ଦେବେ ୧୫ ନିୟୁତ ଡଲାର କ୍ଷତିପୂରଣ

ନୂଆଦିଲ୍ଲୀ: ବହୁଚର୍ଚ୍ଚିତ ମାନହାନି ଓ ଘରୋଇ ହିଂସା ମାମଲା । ଆଇନ ଯୁଦ୍ଧରେ ପୂର୍ବତନ ପତ୍ନୀ ଆମ୍ବର ହାର୍ଡଙ୍କ ବିରୋଧରେ ଅଭିନେତା ଜନି ଡେପଙ୍କ ବିଜୟ । ସ୍ବାମୀ ଜନିଙ୍କୁ କ୍ଷତିପୂରଣ ବାବଦରେ ୧୫ ନିୟୁତ ଡଲାର ଦେବାକୁ ଆମ୍ବରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ଆମେରିକାର ଏକ କୋର୍ଟ । ଘରୋଇ ହିଂସା ନେଇ ସ୍ବାମୀ ତଥା ପାଇରେଟସ ଅଫ ଦି କାରିବିୟାନ ଫିଲ୍ମର ନାୟକଙ୍କ ବିରୋଧରେ ଅଭିଯୋଗ ଆଣିଥିଲେ ପୂର୍ବତନ ପତ୍ନୀ ଆମ୍ବର ।

ପ୍ରାୟ ୬ ସପ୍ତାହ ଧରି ଭିର୍ଜିନିଆର ଫେୟାରଫାକ୍ସ କୋର୍ଟର ୭ ଜଣିଆ ଖଣ୍ଡପୀଠ ଦୁଇ ବଲିଉଡ ସେଲିବ୍ରିଟିଙ୍କ ମଧ୍ୟରେ ସୃଷ୍ଟି ହୋଇଥିବା ବିବାଦର ଶୁଣାଣି କରି ଆସୁଥିଲେ । ରାୟ ପରେ ଜନି କହିଛନ୍ତି, ସେ ଏହି ରାୟକୁ ନେଇ ଖୁସି । ଆମ୍ବର ମିଥ୍ୟା ଅଭିଯୋଗ କରିଥିବା ଦର୍ଶାଇ ଜନି କୋର୍ଟରେ ୫୦ ନିୟୁତ ଡଲାରର ଏକ ମାନହାନି ମାମଲା ରୁଜୁ କରିଥିଲେ ।

ପ୍ରତିବାଦରେ ନିଜକୁ ନ୍ୟାୟ ପ୍ରଦାନ ଲାଗି ୩୬ ବର୍ଷ ବୟସ୍କା ତଥା ଆକ୍ବାମାନ ଚଳଚ୍ଚିତ୍ରର ନାୟିକା ୧୦୦ ନିୟୁତ ଡଲାରର କ୍ଷତିପୂରଣ ନେଇ ମାମଲା ରୁଜୁ କରିଥିଲେ । ତେବେ ରାୟ କ୍ରମେ ପୂର୍ବତନ ପତ୍ନୀଙ୍କୁ ୨ ନିୟୁତ ଡଲାର କ୍ଷତିପୂରଣ ଦେବାକୁ ଜନିଙ୍କୁ ନିର୍ଦ୍ଦେଶ ଦେଇଛନ୍ତି କୋର୍ଟ ।

ଏହି ମାମଲାରେ ବହୁ ବଡିଗାର୍ଡ, ହଲିଉଡ ଏକଜିକ୍ୟୁଟିଭ, ଏଜେଣ୍ଟ, ଆମୋଦ ପ୍ରମୋଦ ଶିଳ୍ପ ସହ ଜଡିତ ବ୍ୟକ୍ତି, ଡାକ୍ତର, ସମ୍ପର୍କୀୟ ଓ ସଙ୍ଗସାଥୀଙ୍କ ବୟାନ ନିଆଯାଇଥିଲା । ଏହି ସେଲିବ୍ରିଟିଙ୍କ ବିବାହ ୨୦୧୫ରେ ହୋଇଥିବା ବେଳେ ୨୦୧୬ରେ ଘରୋଇ ହିଂସାକୁ କାରଣ ଦର୍ଶାଇ ସେମାନେ ଅଲଗା ହୋଇଯାଇଥିଲେ । ପତ୍ନୀଙ୍କୁ ନିର୍ଯାତନା ଦେଉଥିବା ନେଇ ଦି ସନରେ ଏକ ରିପୋର୍ଟ ପ୍ରକାଶ ପାଇବା ପରେ ଜନି ଲଣ୍ଡନରେ ଏକ ମାମଲା ରୁଜୁ କରିଥିଲେ । ମାତ୍ର ୨୦୨୦ରେ ସେ ଏହି ମାମଲାରେ ହାରି ଯାଇଥିଲେ।

ନବ ନିର୍ବାଚିତ ପଞ୍ଚାୟତ ପ୍ରତିନିଧିଙ୍କୁ ଆଜି ଗୁରୁମନ୍ତ୍ର ଦେବେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର: ଆଜି ନବ ନିର୍ବାଚିତ ପଞ୍ଚାୟତ ପ୍ରତିନିଧିଙ୍କୁ ଗୁରୁମନ୍ତ୍ର ଦେବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । କିଟ୍‌ କନଭେନସନ ହଲରେ କର୍ମଶାଳା ଅନୁଷ୍ଠିତ ହେବ । ଏଥିରେ ସମସ୍ତ ଜିଲ୍ଲା ପରିଷଦ ସଭାପତି, ଉପସଭାପତିଙ୍କ ସମେତ ପଞ୍ଚାୟତ ସମିତି ଅଧ୍ୟକ୍ଷ ଓ ସରପଞ୍ଚ ଉପସ୍ଥିତ ରହିବେ ।

କର୍ମଶାଳରେ ସ୍ବଚ୍ଛ ଶାସନର ପାଠ ପଢ଼ିବେ ନିର୍ବାଚିତ ପ୍ରତିନିଧି । ଫାଇଭି ଟି ଅଭିଯାନରେ ସ୍ବଚ୍ଛ ଶାସନରେ ନବନିର୍ବାଚିତ ପ୍ରତିନିଧିଙ୍କର ଭୂମିକା ଗୁରୁତ୍ବପୂର୍ଣ୍ଣ  । ଏହି ସମ୍ପର୍କରେ ଟିପ୍ସ ଦେବେ ନବୀନ ।

ଲୋକଙ୍କ ଆସ୍ଥା ପ୍ରକଟ କରିଥିବା ନେତା  ନିର୍ବାଚନ ସମୟରେ ଲୋକଙ୍କୁ ଦେଇଥିବା ପ୍ରତିଶ୍ରୁତି କିଭଳି ପୂରଣ କରାଯିବ, ତାହା ଉପରେ କର୍ମଶାଳାରେ ଗୁରୁତ୍ବ ଦିଆଯିବ । ବିଶେଷକରି ଗ୍ରାମାଞ୍ଚଳର ମୌଳିକ ସମସ୍ୟାର ସମାଧାନ ଉପରେ ଫୋକସ କରାଯିବ । ଏହା ସହ ଲୋକଙ୍କ ପାଖରେ ସହଜରେ ସମସ୍ତ ସେବା ପହଞ୍ଚାଇବା ସମ୍ପର୍କରେ ପରାମର୍ଶ ଦେବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।

ଗଂଜେଇ ମାଫିଆଙ୍କ ବେଆଇନ ସମ୍ପତ୍ତି ଉପରେ ଆଇନର ଛାଟ, ୧,୨୨ କୋଟି ସମ୍ପତ୍ତି ସିଲ୍

ନବରଙ୍ଗପୁର: ନବରଙ୍ଗପୁରର ଗଞ୍ଜେଇ ମାଫିଆଙ୍କ ବେଆଇନ ସମ୍ପତ୍ତି ଉପରେ ଆଇନର ଛାଟ । ଅନ୍ତରାଜ୍ୟ ଗଞ୍ଜେଇ ମାଫିଆଙ୍କ ସମ୍ପତ୍ତି ସିଲ କଲା ପୋଲିସ । ଗଞ୍ଜେଇ କାରବାର କରି ବେଆଇନ ଭାବେ ଠୁଳ କରିଥିବା ନବରଙ୍ଗପୁର ଜିଲ୍ଲାର ସୁବାସ ବିଷୋୟୀ, ସୁଧୀର ବିଷୋୟୀ ଓ ରାମଚନ୍ଦ୍ର ବିଷୋୟୀ ତିନି ଗଞ୍ଜେଇ ମାଫିଆଙ୍କ ଠାରୁ ପ୍ରାୟ ୧.୨୨ କୋଟି ଟଙ୍କାର ସ୍ଥାବର ଓ ଅସ୍ଥାବର ସମ୍ପତ୍ତିକୁ ସିଲ କରିଛି ନବରଙ୍ଗପୁର ପୋଲିସ ।

କୋଲକାତା ସ୍ଥିତ କମ୍ପିଟେଣ୍ଟ ଅଥୋରୀଟିଙ୍କ ଠାରୁ ଅନୁମତି ନେଇ ନବରଙ୍ଗପୁର ଏସପିଙ୍କ ନିର୍ଦ୍ଦେଶକ୍ରମେ ସମ୍ପତ୍ତି ସିଜ କରିଛି ଜିଲ୍ଲା ପୋଲିସ । ସିଜ ହୋଇଥିବା ଏହି ସମ୍ପତ୍ତି ମଧ୍ୟରେ ଦୁଇଟି ଘର, ଗୋଟିଏ ବୁଲେଟ ସହ ନଗଦ ୪ ଲକ୍ଷ ୩୯ ହଜାର ୯୦୯ ଟଙ୍କା ଜବତ କରିଛି ପୋଲିସ ।

ଏମାନଙ୍କ ନାଁରେ କୋଷାଗୁମୁଡା ଓ କୋଡ଼ିଙ୍ଗା ଥାନାରେ କେସ୍‌ ରହିଥିଲା । ୨୦୨୨ ମେ ପ୍ରଥମ ସପ୍ତାହରେ ନବରଙ୍ଗପୁର ପୂର୍ବତନ ଏସପି  ତିନି ଅଭିଯୁକ୍ତଙ୍କ ସମ୍ପତି ସିଜ ପାଇଁ ଅନୁମତି ପାଇଁ ଆବେଦନ କରିଥିଲେ ।  ଏଥିପୂର୍ବରୁ ଓଡିଶା ଇତିହାସରେ ପ୍ରଥମ ଥର ପାଇଁ  ନବରଙ୍ଗପୁର ଜିଲ୍ଲା କୋଷାଗୁମୁଡା ଥାନା ତିନି ଗଞ୍ଜେଇ ମାଫିଆଙ୍କ ୪ କୋଟି ୭୭ ଲକ୍ଷ ଟଙ୍କା ମୂଲ୍ୟର ସ୍ଥାବର ଓ ଅସ୍ଥାବର ସମ୍ପତ୍ତି ସିଲ କରିଥିଲା ନବରଙ୍ଗପୁର ପୋଲିସ ।