ଭୁବନେଶ୍ୱର: ରାଜଧାନୀରେ ମୁଣ୍ଡ ଟେକୁଛି ଆଉ ଏକ ଗ୍ୟାଙ୍ଗ। ଭାଇଗିରି ନାଁରେ ଚଳାଇଥିଲେ ଆତଙ୍କ । ମରଣାସ୍ତ୍ର ଧରି ଭିଡ଼ିଓ କରି ସୋସିଆଲ ମିଡିଆରେ ଛାଡୁଥିଲେ । ଦବଦବା ଜାହିର କରିବାକୁ କେଜିଏଫ୍ ଷ୍ଟାଇଲରେ ରିଲ୍ସ । ଯାହାର ଭିଡ଼ିଓ ଏବେ ଭାଇରାଲ ହୋଇଛି। ଏୟାରଫିଲଡ଼ ଥାନା ଅଞ୍ଚଳରେ ଚଳାଇଥିଲେ ଆତଙ୍କ। ଗତ କିଛି ଦିନ ତଳେ ଏୟାର ଫିଲଡ଼ ଥାନା ଅଂଚଳରେ ଥିବା ଚା ଦୋକାନୀ ସିପୁ ବେହେରାକୁ ଖଣ୍ଡାରେ ଆକ୍ରମଣ କରି ଲହୁଲୁହାଣ କରିଥିଲେ। ଘଟଣାରେ ୬ ଜଣଙ୍କୁ ଅଟକ ରଖିଛି ପୋଲିସ । ସେମାନଙ୍କ ଠାରୁ ଏକାଧିକ ମରଣାସ୍ତ୍ର ଜବତ କରାଯାଇଛି ।
ପୂର୍ବ ୟୁକ୍ରେନରେ ଜୋରଦାର ଯୁଦ୍ଧ, ଅତ୍ୟାଧୁନିକ ଅସ୍ତ୍ରଶସ୍ତ୍ର ପ୍ରୟୋଗରେ ଆଗକୁ ବଢୁଛି ଋଷ
କିଭ୍: ପୂର୍ବ ୟୁକ୍ରେନରେ ଜୋରଦାର ଯୁଦ୍ଧ । ଅତ୍ୟାଧୁନିକ ଯୁଦ୍ଧାସ୍ତ୍ର ପ୍ରୟୋଗରେ ଆଗକୁ ବଢ଼ୁଛି ଋଷ । ଦୁଇ ଦିନ ପରେ ଶହେ ଦିନରେ ପହଞ୍ଚିବ ଯୁଦ୍ଧ । ତମାମ ପ୍ରଚେଷ୍ଟା ସତ୍ତ୍ବେ ଏହି ବିଧ୍ବଂସକାରୀ ଯୁଦ୍ଧ ଥମିବାର ରାସ୍ତା ବାହାରିପାରିନି । ୟୁରୋପୀୟ ୟୁନିଅନର ପ୍ରତିବନ୍ଧକ, ଜାତିସଂଘ ମୁଖ୍ୟଙ୍କ ଆଲୋଚନା ପରେ ବି ବାହାରିପାରିନି ଯୁଦ୍ଧ ସମାପ୍ତିର ବାଟ । ଯୁଦ୍ଧକୁ ନେଇ ପଶ୍ଚିମୀ ଦେଶ ଋଷ ଉପରେ ଆରୋପ ଲଗାଉଥିବା ବେଳେ ଆମେରିକା ଉପରେ ଦୋଷ ଲଦିଛି ମସ୍କୋ ।
ସେପଟେ ଯୁଦ୍ଧରେ ଋଷ ଅତ୍ୟାଧୁନିକ ଅସ୍ତ୍ରଶସ୍ତ୍ର ବ୍ୟବହାର କରୁଥିବା ବେଳେ ୟୁକ୍ରେନକୁ ହାଇଟେକ ମିଡିୟମ ରେଞ୍ଜ ରକେଟ ସିଷ୍ଟମ ପଠାଇବାକୁ ଘୋଷଣା କରିଛି ଆମେରିକା । ଏହି ସିଷ୍ଟମ ଯୋଗେ ୟୁକ୍ରେନ ସେନା ଡୋନବାସ ରିଜିଅନରେ ଋଷ ସେନାକୁ ସାମ୍ନା କରିପାରିବ । ସେପଟେ ପୂର୍ବ ୟୁକ୍ରେନରେ ସ୍ଥିତି ବିଗୁଡ଼ୁଛି ବୋଲି କହିଛନ୍ତି ରାଷ୍ଟ୍ରପତି ଭୋଲୋଦିମିର ଜେଲେନସ୍କି । ଋଷ ଯୁଦ୍ଧକୁ ଜୋରଦାର କରିଥିବା ବେଳେ ପଶ୍ଚିମୀ ଦେଶର ସହଯୋଗ ଲୋଡିଛନ୍ତି ଜେଲେନସ୍କି ।
ଘୋଷଯାତ୍ରା ପାଇଁ ଜୋରଦାର ପ୍ରସ୍ତୁତି, ଆଇନ ମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଦ୍ବିତୀୟ ରଥ ସମନ୍ବୟ କମିଟି ବୈଠକ
ପୁରୀ: ବିଶ୍ବ ପ୍ରସିଦ୍ଧ ରଥଯାତ୍ରା ପାଇଁ ଜୋରଦାର ପ୍ରସ୍ତୁତି । ଆଇନ ମନ୍ତ୍ରୀ ପ୍ରତାପ ଜେନାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଛି ଦ୍ବିତୀୟ ରଥ ସମନ୍ୱୟ କମିଟି ବୈଠକ । ବୈଠକରେ ବିଭିନ୍ନ ବିଭାଗର ମନ୍ତ୍ରୀ ଯୋଗ ଦେଇଥିଲେ । ବୈଠକରେ ରଥଯାତ୍ରାକୁ ଶୃଙ୍ଖଳିତ ଭାବେ କରାଇବା ନେଇ ଆଲୋଚନା ହୋଇଥିବା ବେଳେ, ବିଭାଗୀୟ ଅଧିକାରୀଙ୍କୁ ବାକି ଥିବା କାର୍ଯ୍ୟ ଶେଷ କରିବାକୁ ନିର୍ଦ୍ଦେଶ ଦିଆଯାଇଛି ।
ଭକ୍ତଙ୍କ ସମାଗମକୁ ଦୃଷ୍ଟିରେ ରଖି ଶୃଙ୍ଖଳିତ ରଥଯାତ୍ରା କରାଇବା ନେଇ ରାଜ୍ୟ ସରକାର ସମସ୍ତ ପ୍ରକାର ବ୍ୟବସ୍ଥା କରିବେ ବୋଲି ଆଇନ ମନ୍ତ୍ରୀ ସୂଚନା ଦେଇଛନ୍ତି । ବୈଠକରେ ଆଇନ ଶୃଙ୍ଖଳା, ସୁରକ୍ଷା, ସ୍ବାସ୍ଥ୍ୟ, ଗମନାଗମନ, ପାନୀୟ ଜଳ ବ୍ୟବସ୍ଥା, ଆଲୋକୀକରଣ, ରାସ୍ତାଘାଟ ମରାମତି ସମ୍ପର୍କରେ ଆଲୋଚନା ହୋଇଥିଲା ।
କାହିଁକି ବାହାଘର କାର୍ଯ୍ୟକ୍ରମରେ ଗାଉ ନଥିଲେ କେକେ ? ଫିଲ୍ମ ଅଫରକୁ ବି କରିଛନ୍ତି ପ୍ରତ୍ୟାଖାନ
ନୂଆଦିଲ୍ଲୀ: ସମସ୍ତଙ୍କ ଆଖିରେ ଲୁହ ଦେଇ ଅଫେରା ବାଟରେ ଚାଲି ଯାଇଛନ୍ତି ବଲିଉଡର ସୁପ୍ରସିଦ୍ଧ ସୀଙ୍ଗର କୃଷ୍ଣକୁମାର କୁନ୍ନାଥ ଓରଫ କେକେ । କେକେଙ୍କ ପରଲୋକ ସଙ୍ଗୀତ ଜଗତକୁ ସ୍ତବ୍ଧ କରି ଦେଇଛି । କେବଳ ସଙ୍ଗୀତ କି ସିନେମା ଜଗତ ନୁହେଁ ପୂରା ଦେଶରେ ଖେଳି ଯାଇଛି ଶୋକର ଛାୟା । କୋଲକାତାରେ ଏକ କାର୍ଯ୍ୟକ୍ରମରେ ଯୋଗ ଦେଇଥିବା ବେଳେ ଅସୁସ୍ଥ ହୋଇ ପଡିଯିବା ପରେ ତାଙ୍କୁ ମେଡିକାଲ ନିଆଯାଇଥିଲା । ସେଠାରେ ତାଙ୍କର ମୃତ୍ୟୁ ଘଟିଛି । କେକେଙ୍କ ନିଧନ ପରେ ତାଙ୍କୁ ନେଇ ବହୁତ କଥା ଶୁଣିବାକୁ ମିଳୁଛି । ଏହାରି ଭିତରେ ବିବାହ କାର୍ଯ୍ୟକ୍ରମରେ ଗାଇବାକୁ କେକେ ମନା କରିବା, ଫିଲ୍ମରେ ହିରୋ ହେବାର ଅଫରକୁ ହସି ହସି ପ୍ରତ୍ୟାଖାନ କରିଦେବା ସଙ୍ଗୀତ ପ୍ରତି ତାଙ୍କ ଭଲ ପାଇବାକୁ ପ୍ରତିବାଦିତ କରୁଛି । ଆସନ୍ତୁ ଜାଣିବା କେକେ କାହିଁକି ଫିଲ୍ମ ଓ ବାହାଘରରେ ଗାଇବାକୁ ମନା କରିଥିଲେ ।
ପ୍ରାୟ ସବୁ ସୀଙ୍ଗର ବିଭିନ୍ନ ବିବାହ କାର୍ଯ୍ୟକ୍ରମରେ ସଙ୍ଗୀତ ପରିବେଶଣ କରିବା ଦେଖିଥିବେ । ହେଲେ ଏମାନଙ୍କ ମଧ୍ୟରୁ ବ୍ୟତିକ୍ରମ ଥିଲେ କେକେ । ଏକ ସାକ୍ଷାତକାରରେ ତାଙ୍କୁ ପଚରାଯାଇଥିଲା କଣ୍ଠଶିଳ୍ପୀ ଭାବେ ଆପଣ କୌଣସି ଅଫରକୁ ଗ୍ରହଣ କରିବାକୁ ମନା କରିଛନ୍ତି କି ? ଉତ୍ତରରେ କେକେ କହିଥିଲେ, ‘ମୁଁ ବିବାହ ଉତ୍ସବରେ ଗାଇବାକୁ ଆସୁଥିବା ଅଫରକୁ ଗ୍ରହଣ କରିନଥାଏ । ମୋତେ କୋଟିଏ ଟଙ୍କାର ଅଫର ଦେଲେ ବି ମୁଁ ବିବାହ ଉତ୍ସବରେ ଗାଇବି ନାହିଁ ।’
କିଛି କଣ୍ଠଶିଳ୍ପୀ ଆକ୍ଟିଂରେ ବି ନିଜ ଭାଗ୍ୟ ପରୀକ୍ଷା କରିଥିବା ଦେଖିଛନ୍ତି । ଏନେଇ କେକେଙ୍କୁ ପ୍ରଶ୍ନ ପଚରାଯିବାରେ ସେ କହିଥିଲେ, ‘ପ୍ଲିଜ… ଏହାକୁ ଛାଡ । ମୁଁ ପି-ନେଟ ପାଇଁ ଅଭିନୟ କରିପାରିବିନି । କିଛି ବର୍ଷ ପୂର୍ବେ ମୋତେ ଫିଲ୍ମ ଅଫର ଆସିଥିଲା, ଯାହାକୁ ମୁଁ ପ୍ରତ୍ୟାଖାନ କରିଦେଇଥିଲି ।
ଏଥିରୁ ସ୍ପଷ୍ଟ ଜଣାପଡୁଛି କେକେଙ୍କ ପ୍ରଥମ ଓ ଶେଷ ସମ୍ପର୍କ କେବଳ ସଙ୍ଗୀତ ସହ । ସଙ୍ଗୀତ ପ୍ରତି ପ୍ରେମ ତାଙ୍କ ଗୀତ ଓ ସ୍ବରରେ ପ୍ରତିଫଳିତ ହୋଇଥାଏ । କେକେ ତାଙ୍କର ପ୍ରଥମ ଗୀତ ଫିଲ୍ମ ‘ମାଚିସ’ର ଗୀତ ‘ଛୋଡ ଆଏ ହାମ…’ରୁ ଆରମ୍ଭ ହୋଇଥିଲା । ହେଲେ ଫିଲ୍ମ ‘ହମ୍ ଦିଲ୍ଲ ଦେ ଚୁକେ ସନମ’ର ଗୀତ ‘ତଡପ ତଡପ କେ ଇସ୍ ଦିଲ୍ଲ ସେ…’ ତାଙ୍କୁ ଦେଇଥିଲା ପରିଚୟ । ଏହାପରେ ସେ ଆଉ କେବେ ପଛକୁ ଫେରି ଚାହିଁ ନାହାନ୍ତି । ତାଙ୍କର ଏହି ଗୀତ ଆଜି ବି ଲୋକଙ୍କ କନ୍ଦାଇବାକୁ ଶକ୍ତି ରଖିଛି । ହେଲେ କେକେଙ୍କ ଏମିତି ଅକାଳ ବିୟୋଗରେ ତାଙ୍କ ପ୍ରଶଂସକଙ୍କ ହୃଦୟ ଭାଙ୍ଗି ଯାଇଛି ।
ମେଡିକାଲରେ ମାଡିଗଲା ଗାଡି, ଜଣେ ମୃତ
ଭଦ୍ରକ: ଭଦ୍ରକ ଆଗରପଡା ସ୍ବାସ୍ଥ୍ୟକେନ୍ଦ୍ରରେ ଗାଡି ମାଡି ଯାଇ ଜଣେ ମୃତ, ୪ ଜଣ ଆହତ । ମେଡିକାଲ କାର୍ଯ୍ୟରେ ନିୟୋଜିତ ବୋଲେରୋ ରୋଗୀ ଓ ସମ୍ପର୍କୀୟଙ୍କୁ ଧକ୍କା ଦେଇଥିଲା । ମୃତକ ହେଉଛନ୍ତି ଆଗରପଡ଼ା ବର୍ଚ୍ଚିକୟାଁର ଶ୍ରୀଧର ଲେଙ୍କା ।
ଆଗରପଡା ମେଡିକାଲ କାର୍ଯ୍ୟରେ ନିୟୋଜିତ ଗାଡ଼ି ଭଦ୍ରକରୁ ଔଷଧ ଆଣି ସ୍ବାସ୍ଥ୍ୟକେନ୍ଦ୍ର ପରିସରରେ ଥିଲା । ଔଷଧ କାଢିବା ବେଳେ ଗାଡିରେ ଚାବି ଲାଗିଥିଲା । ସେହି ସମୟରେ କେହି ଗାଡିଟିକୁ ଷ୍ଟାର୍ଟ କରିଦେବା ଯୋଗୁଁ ଏଭଳି ଦୁର୍ଘଟଣା ହୋଇଥିବା କୁହାଯାଉଛି । ମେଡିକାଲରେ ଚିକିତ୍ସାଧୀନ କିଛି ରୋଗୀ ଓ ସେମାନଙ୍କ ସମ୍ପର୍କୀୟଙ୍କ ଉପରେ ଦ୍ରୁତ ବେଗରେ ଗାଡିଟି ଚଢି ଯାଇଥିଲା । ସେମାନେ ଛିଟିକି ପଡ଼ିଥିବା ବେଳେ ଶରୀରର ବିଭିନ୍ନ ସ୍ଥାନରେ ଗଭୀର ଆଘାତ ଲାଗିଛି । ଆହତଙ୍କ ମଧ୍ୟରୁ ଶ୍ରୀଧର ଲେଙ୍କାଙ୍କ ସ୍ବାସ୍ଥ୍ୟାବସ୍ଥା ଗୁରୁତର ହେବାରୁ ତାଙ୍କୁ ଭଦ୍ରକ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଥିଲା । ସେଠାରେ ତାଙ୍କର ମୃତ୍ୟୁ ହୋଇଛି । ଘଟଣାସ୍ଥଳରେ ଉତ୍ତେଜନା ଲାଗି ରହିଥିବା ବେଳେ ପୋଲିସ ପହଞ୍ଚି ସ୍ଥିତି ଅନୁଧ୍ୟାନ କରୁଛି ।
ମହାନଦୀ ସମସ୍ୟାର ସମାଧାନ ପାଇଁ ଛତିଶଗଡ଼ କୁନ୍ଥକୁନ୍ଥ
ଭୁବନେଶ୍ବର: ମହାନଦୀ ସମସ୍ୟାର ସମାଧାନ ପାଇଁ ଛତିଶଗଡ଼ ସରକାରଙ୍କ ନାହିଁ ଆନ୍ତରିକତା । ମହାନଦୀ ଜଳ ପ୍ରବାହ ନେଇ ଛତିଶଗଡ଼କୁ ଗତ ମେ’ ୧୯ ତାରିଖରେ ଯୁଗ୍ମ ବୈଠକ ପାଇଁ ଚିଠି କରିଛି ରାଜ୍ୟ । ହେଲେ ଛତିଶଗଡ଼ ପକ୍ଷରୁ କିଛି ଜବାବ ଆସିନି । ଆଗାମୀ ବର୍ଷାଋତୁରେ ଓଡ଼ିଶାକୁ ଜଳ ପ୍ରବାହ ନେଇ କିପରି ପରିଚାଳନା କରାଯିବ ସେ ନେଇ ଚିଠିରେ ଉଲ୍ଲେଖ କରାଯାଇଛି । ଏନେଇ ଛତିଶଗଡ଼ର ମହାନଦୀ ମୁଖ୍ୟ ଯନ୍ତ୍ରୀଙ୍କ ସହ ଆଲୋଚନା କରାଯିବ । ହେଲେ ଏବେ ସୁଦ୍ଧା ଚିଠିର ଜବାବ ରଖିନି ଛତିଶଗଡ଼ ।
ଏପଟେ ଜଳସଂପଦ ବିଭାଗର ସର୍ବୋଚ୍ଚ ଯନ୍ତ୍ରୀ କହିଛନ୍ତି, ଛତିଶଗଡ଼ ପାଣି ଛାଡ଼ିବା ପରେ ହୀରାକୁଦର କ୍ଷମତା ଦେଖି ବନ୍ୟା ପରିସ୍ଥିତି ସଂପର୍କରେ ଜଣାପଡ଼ିବ । କେତେ ମାତ୍ରାରେ ପାଣି ଛାଡ଼ୁଛନ୍ତି, ତାହା ଦେଖିବାକୁ ପଡ଼ିବ । ଜୁନ୍ରେ ଭଲ ବର୍ଷା ହେବା ନେଇ ପାଣିପାଗ ବିଭାଗ ପୂର୍ବାନୁମାନ କରିଛି । ତେଣୁ ପ୍ରଥମ ବର୍ଷାରେ ପ୍ରବାହ ଅଧିକ ରହିବ । ଦ୍ଵିତୀୟ ବର୍ଷାରେ ସମୀକ୍ଷା କରି ବନ୍ୟା କଥା କହି ହେବ ବୋଲି ଜଳସଂପଦ ବିଭାଗର ସର୍ବୋଚ୍ଚ ଯନ୍ତ୍ରୀ କହିଛନ୍ତି । ଆଜିଠାରୁ ଜଳସମ୍ପଦ ହେଡକ୍ବାର୍ଟରରେ ବନ୍ୟା ନିୟନ୍ତ୍ରଣ ସେଲ ଖୋଲାଯାଇଛି । ଏହା ଜୁନ ୧ରୁ ଅକ୍ଟୋବର ୩୧ ଯାଏଁ ଖୋଲା ରହିବ । ଏଥିସହ ସର୍କଲ ଓ ଡିଭିଜନ ଅଫିସରେ ବି ବନ୍ୟା ନିୟନ୍ତ୍ରଣ ସେଲ ଖୋଲାଯାଇଛି ।

