ବ୍ରହ୍ମପୁର : ବ୍ରହ୍ମପୁରରେ ବିଜେପି ନେତା ତଥା ଆଇନଜୀବୀ ପୀତବାସ ପଣ୍ଡାଙ୍କୁ ଗୁଳିମାଡ଼।ଗୁଳିମାଡ଼ କରିଛନ୍ତି ବାଇକରେ ଆସିଥିବା ୨ ଦୁର୍ବୃତ୍ତ। ଗୁରୁତର ଅବସ୍ଥାରେ ଏମକେସିଜି ମେଡିକାଲରେ ଭର୍ତ୍ତି କରାଯାଇଥିଲା। ହେଲେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଛନ୍ତି। ବ୍ରହ୍ମାନଗରରେ ଏହି ଗୁଳିକାଣ୍ଡ ଘଟାଇଛନ୍ତି ଦୁର୍ବୃତ୍ତ। ରାଜ୍ୟ ଆଇନଜୀବୀ ପରିଷଦର ସଦସ୍ୟ ପୀତବାସ ପଣ୍ଡା ଗତକାଲି ରାତି ପ୍ରାୟ ୧୦ଟା ସମୟରେ ବ୍ରହ୍ମାନଗରସ୍ଥିତ ନିଜ ଘର ପାଖରେ ଛିଡ଼ା ହୋଇଥିଲେ। ଏହି ସମୟରେ ୨ ଜଣ ଦୁର୍ବୃତ୍ତ ବାଇକରେ ଆସି ତାଙ୍କ ଉପରକୁ ଗୁଳି ଚଳାଇଥିଲେ। ଗୁଳିମାଡ଼ର ଶିକାର ହେବାପରେ ପୀତବାସ ଅଚେତ ହୋଇ ତଳେ ପଡ଼ିଯାଇଥିଲେ। ତାଙ୍କର ଛାତିରେ ବାଜିଥିଲା ଗୁଳି। ଗୁରୁତର ଅବସ୍ଥାରେ ତାଙ୍କୁ ଏମକେସିଜି ଡାକ୍ତରଖାନା ନିଆଯାଇଥିଲା। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ପୀତବାସ ବିଜେପି ଦଳର ଜଣେ ସକ୍ରିୟ ସଦସ୍ୟ ଥିଲେ। ତେବେ କିଏ ଓ କାହିଁକି ତାଙ୍କ ଉପରେ ଆକ୍ରମଣ କଲେ ଜଣାପଡ଼ିନି। ବ୍ରହ୍ମପୁର ଏସ୍ପି ଓ ବୈଦ୍ୟନାଥପୁର ଥାନା ଆଇଆଇସି ଉଭୟ ଛୁଟିରେ ଥିବା ବେଳେ ଏହି ଘଟଣା ଘଟିଛି। ବିଜେପିର ବହୁ କର୍ମକର୍ତ୍ତା ଘାଟଣାସ୍ଥଳରେ ପହଂଚିଛନ୍ତି।
୧୫ ମାସର ବିଜେପି ସରକାର: ୧୫ ମାସରେ ୧୬ ସରକାରୀ ପରୀକ୍ଷାରେ ବିଭ୍ରାଟ
୧୫ ମାସର ବିଜେପି ସରକାର । ୧୫ ମାସରେ ୧୬ ସରକାରୀ ପରୀକ୍ଷାରେ ବିଭ୍ରାଟ । ମାଟ୍ରିକ ପରୀକ୍ଷାରୁ ଆରଆଇ ପରୀକ୍ଷା, ସବୁଥିରେ ହେରଫେର। ଏ ସବୁକୁ ବଳିଗଲା ଏସଆଇ ପରୀକ୍ଷା । ଟଙ୍କା ଦିଅ ଚାକିରି ନିଅ। ଏପରି ଏକ କଳଙ୍କିତ ଅଧ୍ୟାୟ ଦେଇ ଗତି କରୁଛି ଓଡ଼ିଶା। ଏହା ବିରୋଧରେ ଆଜି ରାଜଧାନୀରେ ରଣହୁଙ୍କାର ଦେଇଛି ଯୁବ ଓ ଛାତ୍ର ବିଜେଡି। ଏପରି ଏକ ସମ୍ବେଦନଶୀଳ ଘଟଣାରେ ପୋଲିସକୁ ଦାୟୀ କରାଯାଉଥିବା ବେଳେ, କ୍ରାଇମବ୍ରାଞ୍ଚ କିପରି ତଦନ୍ତ କରିବ ବୋଲି ପ୍ରଶ୍ନ କରିଛି ବିଜେଡି। କାରଣ ଏହି କେଳେଙ୍କାରୀରେ ସାମିଲ ଥିବା ବଡ଼ବଡ଼ିଆଙ୍କୁ ଖସାଇବାକୁ ସରକାର ଉଦ୍ୟମ କରୁଥିବା ଅଭିଯୋଗ କରିଛି ଦଳ। ଘଟଣାରେ ସିବିଆଇ ତଦନ୍ତ କରିବାକୁ ଦାବି ଦୋହରାଇଛି ବିଜୁ ଜନତା ଦଳ। ହଜାର ହଜାର ସଂଖ୍ୟାରେ ବିଜେଡି ନେତାଙ୍କ ସହ ପରୀକ୍ଷା ଆଶାୟୀ ଆନ୍ଦୋଳନରେ ହୋଇଥିଲେ ସାମିଲ। ଲୋୟର ପିଏମଜିରେ ସରକାରଙ୍କ କୁଶପୁତ୍ତଳିକା ଦାହ ସାଙ୍ଗକୁ ବ୍ୟାରିକେଡ ଭାଙ୍ଗିବା ବେଳେ ବିଜେଡି କର୍ମୀ ଓ ପୋଲିସ ହୋଇଥିଲେ ମୁହାଁମୁହିଁ।
ସରକାରୀ ଚାକିରି ପାଇଁ ପରୀକ୍ଷାରେ ବାରମ୍ବାର ବିଭ୍ରାଟ ଘଟୁଥିବାରୁ ରାଜ୍ୟର ଯୁବ ସମାଜ ବ୍ୟତିବ୍ୟସ୍ତ ହେବା ସାଙ୍ଗକୁ ହତାଶ ହୋଇ ପଡ଼ିଲେଣି । ରାଜ୍ୟର ଯୁବ ସମାଜ ରାଜ୍ୟ ସରକାରଙ୍କ ଉପରେ ଆସ୍ଥା ହରାଇଥିବା ଅଭିଯୋଗ କରିଛି ବିଜେଡି। ମାର୍ଚ୍ଚ ୭ ଓ ୮ରେ ହେବାକୁ ଥିବା ପରୀକ୍ଷାକୁ ଶେଷ ମୁହୂର୍ତ୍ତରେ ବାତିଲ କରାଗଲା। ପରୀକ୍ଷା ବାତିଲର କାରଣ ଜଣାପଡ଼ିନଥିବା ବେଳେ, ଓପିଆରବି ଅଧ୍ୟକ୍ଷଙ୍କୁ ବିଦା କରି ନୂତନ ଅଧିକାରୀଙ୍କୁ ଦାୟିତ୍ବ ଦିଆଯାଇଥିବାରୁ ଆପତ୍ତି ଉଠାଇଥିଲା ଦଳ। ଏପରିକି ଆଇଟିଆଇର ସହଯୋଗୀ ସଂସ୍ଥା ଭାବେ ପୂର୍ବରୁ ଥିବା ରିଚ ମାଇଣ୍ଡକୁ ହଟାଯାଇ ସିଲିକନ୍ ଟେକ୍ ଲ୍ୟାବକୁ ଦାୟିତ୍ବ ଦିଆଗଲା। ଆଉ ସିଲିକନ ଟେକ୍ ପଞ୍ଚସଫ୍ଟକୁ ସହଯୋଗୀ ଭାବେ ଗ୍ରହଣ କଲା। ଆଉଟ ସୋର୍ସିଂ ମାଧ୍ୟମରେ ପୋଲିସ ଏସ୍ଆଇ ଚାକିରି ବିକ୍ରି ପାଇଁ ଏକ ସୁଚିନ୍ତିତ ଯୋଜନା ଚାଲିଥିବାରୁ ଆନ୍ଦୋଳନକୁ ଶାଣିତ କରିଛି ବିଜୁ ଜନତା ଦଳ । ଗୋଟିଏ ପଟେ ରାଜ୍ୟ ସରକାର ପରୀକ୍ଷାଟିଏ ସୁରୁଖୁରୁରେ କରାଇ ପାରୁନାହାନ୍ତି । ଅନ୍ୟପଟେ ଗିରଫ ଅଭିଯୁକ୍ତଙ୍କୁ ଜେଲ ଭିତରେ ରଖିବାରେ ସକ୍ଷମ ହେଉ ନାହାନ୍ତି । ପ୍ରଶ୍ନ ଉଠୁଛି, ଲାଞ୍ଚ ଦେଇ ଗରଫ ହୋଇଥିବା ଆଶାୟୀ ପରୀକ୍ଷାର୍ଥୀଙ୍କ ଭବିଷ୍ୟତ ଏବେ କଣ ହେବ।
LTR ଶିକ୍ଷକ ପଦବୀ ନିଯୁକ୍ତି ବାହାର କଲେ: ହେଲେ ନିଯୁକ୍ତି ପ୍ରକ୍ରିୟା ଭୁଲିଗଲା OSSC
OSSC ଆଗରେ ଓଡ଼ିଶା ହାଇସ୍କଲୁ ଶିକ୍ଷକ ଆଶାୟୀ ସଂଘର ଧାରଣା । LTR ଶିକ୍ଷକ ପଦବୀ ନିଯୁକ୍ତି ବାହାର କଲେ । ହେଲେ ନିଯୁକ୍ତି ପ୍ରକ୍ରିୟା ଭୁଲିଗଲା OSSC । ଥରେ କି ଦୁଇ ଥର ନୁହଁ ୨୫ ଥର ଆୟୋଗଙ୍କୁ ଭେଟିଲେଣି ଆଶାୟୀ । ଶୁଣାଣି ଲାଗି ତାରିଖ ପରେ ତାରିଖ ପଡୁଛି, ହେଲେ ଫଳ ଶୂନ । ୯ ତାରିଖ ଶେଷ କଣ୍ଟ । ଧାରଣା କି ଗର୍ଜନ ନୁହଁ, ଆଶାୟୀ କରିବେ ଆୟୋଗଙ୍କ ନାମରେ ବ୍ୟକ୍ତିଗତ କେସ । କାହାର ବାପା ଦିନ ମଜୁରିଆ ତ କାହାର ବାପା ଚାଷୀ । ଚାକିରିକୁ ଅପେକ୍ଷା କରି ବୟସ ଗଡି଼ ଗଲାଣି । ପ୍ରାରମ୍ଭିକ ପରୀକ୍ଷାରେ ଭଲ ମାର୍କ ରଖିଥିଲେ ବି ମୁଖ୍ଯ ପରୀକ୍ଷା ହୋଇ ପାରୁନି । ଆଉ ଏହି ଆଶାୟୀ ଜଣଙ୍କ ଦିବ୍ୟାଙ୍ଗ । ଝାରୁସୁଗୁଡା ଜିଲ୍ଲାରୁ ଥରେ ଆସିଲେ ହଜାରେ ଖର୍ଚ୍ଚ । ଏହିପରି ସବୁ ଜିଲ୍ଲାରୁ ପିଲା ମାନେ ହକ୍ ପାଇଁ ଟଙ୍କା ଖର୍ଚ୍ଚ କରି OSSC ଆଗରେ ଚକ୍କର କାଟୁଛନ୍ତି ।
ଓଡ଼ିଶା ଷ୍ଟାଫ୍ ସିଲେକ୍ସନ୍ କମିଶନ୍ ୨୦୨୪ ଅକ୍ଟୋବର ୨୨ ତାରିଖରେ LTR ପଦ ପୂରଣ ପାଇଁ ବିଜ୍ଞାପନ ବାହାର କରିଥିଲେ । ପ୍ରାରମ୍ଭିକ ପରୀକ୍ଷା ମାର୍ଚ୍ଚ ୨୨ ତାରିଖରେ ହୋଇଥିଲା। କେବଳ ଉର୍ଦ୍ଦୁ, ତେଲ୍ଗୁ ଆଦିର ଫଳ ପ୍ରକାଶିତ ହୋଇଥିଲା । ହେଲେ LTR କଳା ବିଭାଗର ଓଡି଼ଆ, ହିନ୍ଦୀ ମେନ୍ ପରୀକ୍ଷା ହୋଇ ପାରୁନି । ଗତ ମାର୍ଚ୍ଚ ୨୩ ଜୁନ ତାରିଖରେ TGT ଆର୍ଟସ ଓ ୨୯ ଜୁନ ତାରିଖରେ TGT ଓଡ଼ିଆ ମୁଖ୍ୟ ପରୀକ୍ଷା ହେବା ପାଇଁ ବିଜ୍ଞାପନ ବାହାର କରିଥିଲେ । କୋର୍ଟରେ କେସ ଥିବାରୁ ଆର୍ଟସ ଓଡ଼ିଆର ପରୀକ୍ଷା ହୋଇନଥିଲା । ହାଇକୋର୍ଟଙ୍କ ଆଦେଶ ସତ୍ତ୍ବେ OSSC ଏହାକୁ ପାଳନ କରୁନଥିବାରୁ ଆଶାୟୀମାନେ ମାନସିକ ଚାପ ମଧ୍ୟରେ ଗତି କରୁଛନ୍ତି । ଏଣୁ ନିଯୁକ୍ତି ପ୍ରକ୍ରିୟାରେ ବାଧକ ସାଜିଥିବା ଅଦୃଶ୍ୟ ଶକ୍ତି ବିରୋଧରେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ନେବା ଲାଗି ସଂଘ ଦାବି କରିଛି । ଆସନ୍ତା ୯ ତାରିଖରେ ଶୁଣାଣି । ତେବେ ସମାଧାନ ବାଟ ନ ବହାରିଲେ ଗାନ୍ଧୀ ମାର୍ଗରେ ଗର୍ଜନ କରିବା ସହିତ ପ୍ରତ୍ୟେକ ପିଲା ବ୍ୟକ୍ତିଗତ ଭାବରେ କେସ ଫାଇଲ କରିବେ ବୋଲି ଚେତାବନୀ ଦେଇଛନ୍ତି ।
ଆସନ୍ତାକାଲିଠାରୁ ଧର୍ମମାସ କାର୍ତ୍ତିକ: ପୁରୀରେ ଜମିଲାଣି ହବିଷ୍ୟାଳିଙ୍କ ଭିଡ଼
କାଲିଠୁ ଧର୍ମମାସ କାର୍ତ୍ତିକ । ସଂକଳ୍ପ କରି ରାଧାଦାମୋଦର ପୂଜା କରିବେ ହବିଷ୍ୟାଳି । ମହାପ୍ରଭୁଙ୍କୁ ଦର୍ଶନ କରି ପାଳିବେ ବ୍ରତ । ଏଥିପାଇଁ ପୁରୀରେ ଜମିଲାଣି ହବିଷ୍ୟାଳିଙ୍କ ଭିଡ଼ । ବୃନ୍ଦାବତୀ ଭକ୍ତ ନିବାସ, ବଗଲା ଧର୍ମଶାଳା, ରେଲୱେ ଟୁରିଷ୍ଟ କମ୍ପ୍ଲେକ୍ସ ଓ ମୋଚିସାହି କଲ୍ୟାଣ ମଣ୍ଡପରେ କରାଯାଇଛି ସ୍ବତନ୍ତ୍ର ଶିବିର । ବ୍ରତଧାରୀଙ୍କ ମହାପ୍ରସାଦ ସେବନ, ପୂଜାର୍ଚ୍ଚନା, ଭଜନ କୀର୍ତ୍ତନ, ତୀର୍ଥ ପୁଷ୍କରିଣୀରେ ସ୍ନାନ ନେଇ ହୋଇଛି ବ୍ୟବସ୍ଥା । ଶ୍ରୀମନ୍ଦିର ଦର୍ଶନ ପାଇଁ ସ୍ବତନ୍ତ୍ର ବ୍ୟାରିକେଡ ନିର୍ମାଣ କରାଯାଇଛି । ସୁରକ୍ଷା ନେଇ ୨୨ ପ୍ଲାଟୁନ ପୋଲିସ ଫୋର୍ସ ସମେତ ୪ ଜଣ ଅତିରିକ୍ତ ଏସପି, ୧୫ ଡିଏସପି, ୧୫ ଇନ୍ସପେକ୍ଟର, ୬୫ ସବ ଇନ୍ସପେକ୍ଟର, ଶହଜଣ କନଷ୍ଟେବଳ ମୁତୟନ ଥିବା ପୁରୀ ଏସପି ସୂଚନା ଦେଇଛନ୍ତି ।
ପୁରୀରେ ମହାପ୍ରଭୁଙ୍କ ସାନିଧ୍ୟ ନେଇ ବ୍ରତ ପାଳିବେ ହବିଷ୍ୟାଳି । ମାଗଣାରେ ସୁବିଧା ପାଇବା ସହ ବ୍ରତ ପାଳିବାକୁ ସମସ୍ତଙ୍କ ମନରେ ରହିଛି ଉତ୍କଣ୍ଠା । ଅନ୍ୟପକ୍ଷରେ କିଛି ବ୍ରତଧାରୀ ପଞ୍ଜିକରଣ ପ୍ରକ୍ରିୟାକୁ ନେଇ ପ୍ରଶ୍ନ ଉଠାଇଛନ୍ତି । କିଛି ଘଣ୍ଟା ପାଇଁ ପଞ୍ଜିକରଣ ହେଉଥିବାରୁ ଅନେକ ଏଥିରୁ ବାଦ ପଡ଼ିଥିବା ଅଭିଯୋଗ ହୋଇଛି । ବ୍ରତପାଳନ ପାଇଁ ସେମାନେ ପୁରୀ ପହଞ୍ଚିଥିବା ବେଳେ ଯୋଜନାରେ ଅନ୍ତର୍ଭୂକ୍ତ କରିବାକୁ ଦାବି କରିଛନ୍ତି । ଧର୍ମମାସ କାର୍ତ୍ତିକରେ ମହାପ୍ରସାଦ ସେବନ କରି ହବିଷ ବ୍ରତ ପାଳନର ସ୍ୱତନ୍ତ୍ରତା ରହିଥିବା ବେଳେ ଶ୍ରୀକ୍ଷେତ୍ରରେ ଭକ୍ତଙ୍କ ଅହେତୁକ ଭିଡ଼ ପ୍ରଶାସନ ପାଇଁ ବଡ଼ ଚ୍ୟାଲେଞ୍ଜ ସୃଷ୍ଟି କରିଛି ।
ମୌକା ଦେଖି ଚୌକା ମାରିଲେ ବିହାରୀ କଏଦୀ: ଜଳକା ହୋଇ ରହିଗଲେ ସୁପରିଟେଣ୍ଡେଣ୍ଟ ଓ ଜେଲର୍
ମୌକା ଦେଖି ଚୌକା ମାରିଲେ ବିହାରୀ କଏଦୀ । ଜଳକା ହୋଇ ରହିଗଲେ ସୁପରିଟେଣ୍ଡେଣ୍ଟ ଓ ଜେଲର୍ । କଟକରେ ଦଶହରା ମେଢ଼ ବୁଲିଥିଲେ ଏସ୍କେପ ପ୍ରିଜନର । ପ୍ରି ପ୍ଲାନ୍ ମୁତାବକ ବନ୍ଦ ଥିଲା ସିସିଟିଭି, ହୁଗୁଳା ହୋଇଥିଲା ତଲାସୀ । ଜେଲ୍ ମାନୁଆଲର ଖୁଲମଖୁଲା ଉଡିଲା ଧଜ୍ଜିଆ । କଡା ସୁରକ୍ଷା ବଳୟ । ସବୁଠାରୁ ସୁରକ୍ଷିତ ଜେଲ । ପେଶାଦାର, ହତ୍ୟାକାରୀ, ଗଣ ଦୁଷ୍କର୍ମୀ, ଚିଟଫଣ୍ଡ ଠକଙ୍କ ଭଳି ଜଘନ୍ୟ ଅପରାଧୀଙ୍କୁ ଚୌଦ୍ୱାର ସର୍କଲ ଜେଲରେ ରଖାଯାଏ । ଆଉ ଏମାନଙ୍କ ମଧ୍ୟରେ ଯେଉଁମାନେ ଅତି ଦୁର୍ଦ୍ଦାନ୍ତ ସେମାନଙ୍କୁ ୱାର୍ଡରେ ନରଖି ସେଲ୍ ରେ ରଖାଯାଏ । ଏହି କଡା ସୁରକ୍ଷାକୁ ବାଏଁ ବାଏଁ ଉଡାଇ ଛୋଟିଆ ଆରୀ ସାହାଯ୍ୟରେ ଛୁ ମାରିଛାନ୍ତି କିଲର୍ ମଧୁକାନ୍ତ ରଣା ଓ ରାଜା ସାହାଣୀ । କମ୍ବଳ ଓ ଗାମୁଛା ସାହାଯ୍ୟରେ ରଶି ବନାଇ ଚମ୍ପଟ ମାରିଛନ୍ତି ଏହି ୨ ହାର୍ଡକୋର । ବାହାରକୁ ବାହାରିବା ପରେ ଚୌଦ୍ୱାର ଚାରିବାଟିଆ ଛକରେ ଅପରାଧୀମାନେ ଯାଉଥିବା ଦୃଶ୍ୟ ସିସିଟିଭିରେ କଏଦ ହୋଇଛି । ତେବେ ପାଣିକୋଇଲି ଠାରେ ସୁନା ଦୋକାନ ଲୁଟିବା ବେଳେ ମଣିଷ ମାରିବାକୁ ତିଳେ ମାତ୍ର ପଛାଇ ନଥିବା ଏହି ହାର୍ଡକୋର କ୍ରିମିନାଲ, ଆଗକୁ ଆଉ କିଛି ବଡ଼ ଧରଣର ଅଘଟଣ ଘଟାଇପାରନ୍ତି ବୋଲି ବଢିଛି ସନ୍ଦେହ ।
ମିଳିଥିବା ତଥ୍ୟ ଯେତିକି ଭୟଙ୍କର, ସେତିକି ଉଦବେଗଜନକ । ବାରମ୍ବାର ୱାର୍ଡରଙ୍କ ଅଭିଯୋଗ ପରେ ମଧ୍ୟ ଦୁଇ ହାର୍ଡକୋର ମଧୁ ଓ ରାଜାଙ୍କୁ ଏକାଠି ରଖାଯାଇଥିଲା । ଦୁଇ ହାର୍ଡକୋର ଫେରାର ହେବା ପୂର୍ବରୁ ତାଙ୍କୁ କଟକ ପୂଜା ବୁଲାଯାଇଥିଲା । ଅଫିସର ଜେଲରୁ ଚାଲିଯିବା ପରେ ସିସିଟିଭି ଠିକ ଭାବେ କାମ କରୁନଥିଲା । ଭଲକରି ନଜର ପକାନ୍ତୁ ଏହି ଜେଲ ମାନୁଆଲ ଉପରେ । ତଦନ୍ତ ସମୟରେ ଜଣାପଡିଛି ଯେ, ସେଲରେ ତଲାସୀ ସମୟରେ ନିଜେ ଜେଲର ଉପସ୍ଥିତ ରହୁନଥିଲେ । ଯଦି ରହୁଥାନ୍ତେ, ତେବେ ସେଲ ଭିତରୁ ଲଗାତାର ଭାବେ ଆଣ୍ଡ୍ରଏଡ ଫୋନ, ଚାର୍ଜର, ପାୱାର ବ୍ୟାଙ୍କ ମିଳୁନଥାନ୍ତା । ସେପଟେ ଜେଲ ଅଧିକାରୀଙ୍କ ଅପାରଗତା ପାଇଁ ହରଡ଼ଘଣାରେ ପଡିଛି ପୋଲିସ । ଟୁଇନ ସିଟିର ଆଇନଶୃଙ୍ଖଳା ପରିସ୍ଥିତି ଭିତରେ ମଧ୍ୟ ଜେଲ କେସରେ ୩ ଟି ସ୍ପେଶାଲ ଟିମ ଗଠନ ହୋଇଛି । ବିହାର ଓ ଝାଡଖଣ୍ଡରେ ଚଢ଼ାଉ ଚାଲିଛି । ପୁରସ୍କାର ରାଶି ମଧ୍ୟ ଘୋଷଣା ହୋଇଛି । ଜେଲକୁ କାଳ କୋଠରୀ ନୁହେଁ ବରଂ ସୁଧାର ଗୃହ କରି ଗଢି ତୋଳିବା ପାଇଁ ପୂର୍ବ ସରକାର ସମୟରେ ଅନେକ କାର୍ଯ୍ୟକ୍ରମ ହାତକୁ ନିଆଯାଇଥିଲା ଓ ଉପଲବ୍ଧି ମଧ୍ୟ ମିଳିଥିଲା । କିନ୍ତୁ ଏବେ ବିଭାଗୀୟ ଅପାରଗତା ପାଇଁ ଏସବୁରେ ଦେଖାଯାଇଛି ବ୍ୟତିକ୍ରମ ।
ମାଳ ମାଳ ବେଆଇନ ପାଥୋ ଲ୍ୟାବ୍: ମୋଟା ଅଙ୍କର ଅର୍ଥ ଉପାର୍ଜନ କରି ମାଲିକ ମାଲେମାଲ
ମାଳ ମାଳ ବେଆଇନ ପାଥୋ ଲ୍ୟାବ୍ । ଖୋର୍ଦ୍ଧା ଜିଲ୍ଲା ଜଟଣୀ ବ୍ଲକରେ ଅଣ ସ୍ବୀକୃତିପ୍ରାପ୍ତ ପାଥୋ ଲ୍ୟାବ । ୨ଶହରୁ ଅଧିକ ବେଆଇନ ପାଥୋ ଲ୍ୟାବ୍ କରୁଛନ୍ତି ନମୁନା ପରୀକ୍ଷା । ଲୋକଙ୍କ ଜୀବନ ସହ ଖେଳୁଛନ୍ତି ଖେଳ । ମୋଟା ଅଙ୍କର ଅର୍ଥ ଉପାର୍ଜନ କରି ମାଲିକ ମାଲେମାଲ। ବର୍ଷ ବର୍ଷ ଧରି ନମୁନା ପରୀକ୍ଷା କରୁଛନ୍ତି ଅଣ- ସୀକୃତିପ୍ରାପ୍ତ ପାଥୋ ଲ୍ୟାବ । ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀଙ୍କୁ ସୂଚନା ଅଧିକାର ଆଇନ ଦ୍ୱାରା ମଗାଯାଇଥିବା ରିପୋର୍ଟ ଅନୁସାରେ, ଜଟଣୀ ସହରରେ ଏକ ମାତ୍ର ପାଥୋ ଲ୍ୟାବକୁ ସ୍ବୀକୃତି ମିଳିଛି। ତେବେ ଅବଶିଷ୍ଟ ପାଥୋ ଲ୍ୟାବ କିପରି ବେଆଇନ ଭାବେ ନମୁନା ପରୀକ୍ଷା କରୁଛନ୍ତି ତାକୁ ନେଇ ସୂଚନା ଅଧିକାର କର୍ମୀ ପ୍ରଶ୍ନ ଉଠାଇଛନ୍ତି।
ବର୍ଷ ବର୍ଷ ଧରି କିପରି ବିନା ସ୍ବୀକୃତିରେ ନମୁନା ପରୀକ୍ଷା ଚାଲିଛି ତାକୁ ନେଇ ଉଠିଛି ପ୍ରଶ୍ନ । ଜିଲ୍ଲା ସ୍ବାସ୍ଥ୍ୟ ବିଭାଗ ଏ ସଂପର୍କରେ କେମିତି ଜାଣୁନାହାଁନ୍ତି ? କାହା ଅନୁମତିରେ ଖୋଲିଛି ଏହି ଲ୍ୟାବ ? ଡାକ୍ତର କିପରି ଅଣସ୍ବୀକୃତିପ୍ରାପ୍ତ ନମୁନା ପରୀକ୍ଷା ଉପରେ ମେଡିସିନ ଲେଖୁଛନ୍ତି ତାକୁ ନେଇ ଉଦବେଗ ପ୍ରକାଶ ପାଇଛି। ଏ ସମ୍ପର୍କରେ CDMOଙ୍କୁ ପଚାରିବାରୁ ସେ କୌଣସି ଉତ୍ତର ଦେଇନଥିଲେ। ଅଣସ୍ବୀକୃତିପ୍ରାପ୍ତ ପାଥୋ ଲ୍ୟାବ ଉପରେ କେବେ ଜିଲ୍ଲା ସ୍ବାସ୍ଥ୍ୟ ବିଭାଗ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବ ତାକୁ ଅପେକ୍ଷା।
ତିନି ଦିନ ହେଲାଣି ପୁଅର ପତ୍ତା ମିଳୁନି: ଧନ ଶଙ୍ଖାଳିକୁ ବାହୁନି କାନ୍ଦୁଛି ମା’
ଧନ ଶଙ୍ଖାଳିକୁ ବାହୁନି କାନ୍ଦୁଛି ମା’ । ଦୁଃଖ ଦେଇ କୁଆଡେ ପଳେଇଲୁରେ ଧନ.. ନିଖୋଜ ପୁଅ ପାଇଁ ବୁକୁ ଫଟାଇ କାନ୍ଦୁଛି ମାଆ । ପୂରା ଗାଁରେ ଶୋକର ପରିବେଶ। ମାଆ କୋଳରୁ ପୁଅକୁ ଛଡ଼ାଇ ନେଇଛି ପ୍ରଳୟଙ୍କାରୀ ବନ୍ୟା। ଗଞ୍ଜାମ ଜିଲ୍ଲା ଧରାକୋଟ ଥାନା ପୋଡ଼ାପଲ୍ଲୀ ଗାଁର ବୁଲୁ ପ୍ରଧାନଙ୍କ ୧୬ ବର୍ଷର ଶୁଭମ ପ୍ରଧାନ। ବ୍ରହ୍ମପୁର ବେଦ ବ୍ୟାସ ଘରୋଇ କଲେଜରେ ଯୁକ୍ତ ଦୁଇ ପ୍ରଥମ ବର୍ଷରେ ପଢ଼ୁଥିଲେ। ଦଶହରା ଛୁଟିରେ ଗାଁକୁ ବୁଲିବାକୁ ଆସିଥିଲେ। ଗତ ୩ ତାରିଖରେ ଉପର ମୁଣ୍ଡରେ ପ୍ରବଳ ବର୍ଷା ଫଳରେ ଋଷିକୂଲ୍ୟା ନଦୀରେ ବନ୍ୟା ପରିସ୍ଥିତି ଉପୁଜି ଥିଲା। ଗତ ୪ ତାରିଖରେ ଋଷିକୂଲ୍ୟା ନଦୀକୁ ନିଜ ସାଙ୍ଗ ସହ ଗାଧୋଇବାକୁ ଯାଇଥିଲେ ଶୁଭମ। ହେଲେ ଅସାବଧାନତା ଯୋଗୁଁ ଗୋଡ ଖସିଯିବାରୁ ବନ୍ୟା ଜଳର ପ୍ରଖର ସ୍ରୋତରେ ଭାସି ଯାଇଥିଲେ। ଅଗ୍ନିଶମ ବାହିନୀ ବହୁ ଖୋଜା ଖୋଜି ପରେ ବି ଆଜକୁ ୩ ଦିନ ବିତିଲାଣି ଶୁଭମଙ୍କ ପତ୍ତା ମିଳୁନି।
ପାଠ ପଢୁଆ ପୁଅକୁ ନେଇ ମା ବାପା କେତେ ସ୍ୱପ୍ନ ଦେଖିଥିଲେ। ସବୁ ସେହି କାଳ ବନ୍ୟାର କରାଳ ରୂପରେ ଲୀନ ହୋଇ ଯାଇଛି । ଅଗ୍ନିଶମ ବିଭାଗ ପକ୍ଷରୁ ବୋଟ ମାଧ୍ୟମରେ ଖୋଜାଖୋଜି ବି ଜାରି ରହିଛି। ହେଲେ ଶୁଭମଙ୍କ କୌଣସି ପତ୍ତା ମିଳୁନି। ସୋରଡା ହ୍ରଦ ଓ ଭଞ୍ଜନଗର ହ୍ରଦର ଗେଟ ବନ୍ଦ କରି ନଦୀ ପାଣି ଜଳ ପ୍ରବାହକୁ କିଛି ମାତ୍ରାରେ କମ କରାଯାଇପାରିଲେ ଶୁଭମଙ୍କୁ ଖୋଜିବାରେ ସହଜ ହୋଇପାରନ୍ତା ବୋଲି ମତ ପ୍ରକାଶ ପାଉଛି ।
ଶୁଖିଲା ପଡିଛି ହଜାର ହଜାର ହେକ୍ଟର ଚାଷଜମି: ଫଳରେ ବର୍ଷକର ଚାଷକୁ ନେଇ ଚିନ୍ତାରେ ଚାଷ
ଜମି ଫାଟି ଆଁ କରିଛି । ପାଲଟିଲାଣି ମରୁଭୂମି । ହଜାର ହଜାର ହେକ୍ଟର ଚାଷଜମି ଶୁଖିଲା ପଡିଛି। କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକରେ କେନାଲ ଥାଇ ବି ମିଳୁନି ଲାଭ । କେଉଁଠି କେନାଲରେ କିଛି ଜାଗାରେ ଗଛ ଉଠି ଜଙ୍ଗଲ ହୋଇଯିବାରୁ ପାଣି ଆସୁନି ତ ଆଉ କେଉଁଠି କେନାଲ ଶୁଖିଲା ପଡିଛି । ଧର୍ମଗଡ ବ୍ଲକ ଆଇଁଲା ଜୋର୍, ପର୍ଲା, ବଡ ଗୁମର, ଆମ୍ବଗୁଡା, ପିପଲା, ଚିତାମୁଣ୍ଡା ସାଙ୍ଗକୁ କୋକସରା ବ୍ଲକର ୬ରୁ ଅଧିକ ଗାଁ ହେଉଛି ଅଣ-ଜଳସେଚିତ ଅଞ୍ଚଳ । ଏହି ଅଞ୍ଚଳରେ ପ୍ରାୟ ୨୦ ହଜାର ହେକ୍ଟର ଜମିରେ ଧାନ ଚାଷ ହେଉଥିବାବେଳେ ୫ ହଜାରରୁ ଅଧିକ ଚାଷୀ ଚାଷ କରି ପରିବାର ପ୍ରତିପୋଷଣ କରନ୍ତି । ଏଭଳି ସ୍ଥିିତିରେ ଏବେ ଆଶା ଆଶଙ୍କାରେ ଚାଷୀ।
ପ୍ରତି ବର୍ଷ ଏହି ଅଞ୍ଚଳର ଚାଷୀ ମରୁଡିର ଶିକାର ହେଉଥିବା ଅଭିଯୋଗ ହେବା ପରେ ପୂର୍ବ ସରକାର କେନାଲ ନିର୍ମାଣ କରିଥିଲେ । ଉପର ଇନ୍ଦ୍ରାବତୀ ଜଳସେଚନ ବିଭାଗର ବାମ ମୁଖ୍ୟ କେନାଲର ରାବଣ ଗୁଡା ଠାରୁ ପିପଲା ଯାଏଁ ଏକ ଶାଖା କେନାଲ ନିର୍ମାଣ ହୋଇଥିଲା । କୋଟି କୋଟି ଟଙ୍କା ବ୍ୟୟରେ ନିର୍ମିତ କେନାଲରେ ଏବେ ଆସୁନି ପାଣି । ଅନ୍ୟ ପଟେ କେନାଲ ସମସ୍ୟା ନେଇ ବିଭାଗୀୟ ଅଧକାରୀ ପ୍ରତିକ୍ରିୟା ଦେବାକୁ ମନା କରି ଦେଇଛନ୍ତି । କେତେବେଳେ ନିଅଣ୍ଟିଆ ବର୍ଷା ତ କେତେବେଳେ ସାର ଅଭାବ ଚାଷୀଙ୍କ ମେରୁଦଣ୍ଡ ଦୋହଲାଇ ଦେଇଥିବାବେଳେ ଏବେ ଇନ୍ଦ୍ରାବତୀ କେନାଲ ଚାଷୀଙ୍କ ମେରୁଦଣ୍ଡ ଭାଙ୍ଗି ଦେଇଛି l ତୁରନ୍ତ ଏହି କେନାଲର ପୁନରୁଦ୍ଧାର କରିବାକୁ ଦାବି ହୋଇଛି ।
ପଶ୍ଚିମବଙ୍ଗର ଅନେକ ସ୍ଥାନରେ ଭୂସ୍ଖଳନ, ୨୦ ମୃତ
ନନ୍ଦିଘୋଷ ବ୍ୟୁରୋ : ପଶ୍ଚିମବଙ୍ଗର ବିଭିନ୍ନ ସ୍ଥାନରେ ଭୂସ୍ଖଳନ ଘଟଣା। ବର୍ତ୍ତମାନ ସୁଦ୍ଧା ମୃତ୍ୟୁ ସଂଖ୍ୟା ୨୦। ପ୍ରକୃତିର ତାଣ୍ଡବରେ ଧୂଳିସାତ ହୋଇଛନ୍ତି ଅନେକ ଘର। ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି ଶତାଧିକ ଲୋକ। ଗୋଟିଏ ପରିବାରର ୩ ଜଣଙ୍କ ମୃତ୍ଯୁ ଘଟିଛି। ଏନଡିଆରଏଫ ସମେତ ବିଭିନ୍ନ ଟିମ ଉଦ୍ଧାର କାର୍ଯ୍ଯରେ ସାମିଲ ହୋଇଛନ୍ତି। ସେପଟେ ପ୍ରବଳ ବର୍ଷା ନେଇ ରେଡଆଲର୍ଟ ଜାରି କରାଯାଇଛି। ଗତକାଲି ଧସିଯାଇଥିଲା ଲୁହା ନିର୍ମିତ ଡୁଡିଆ ବ୍ରିଜ। ଲଗାଣ ବର୍ଷାରୁ ପଶ୍ଚିମବଙ୍ଗର ଉତ୍ତର ପାର୍ଶ୍ଵରେ ଗମ୍ଭୀର ପରିସ୍ଥିତି ସୃଷ୍ଟି ହୋଇଛି। ମୃତ୍ୟୁ ସଂଖ୍ୟା ଆହୁରିୁ ଅଧିକ ହେବା ଆଶଂକା କରାଯାଉଛି। ବର୍ଷା ଓ ଭୂସ୍ଖଳନ ଯୋଗୁଁ ପଶ୍ଚିମବଙ୍ଗ ଏବଂ ସିକିମ ମଧ୍ୟରେ ସଡ଼କ ଯୋଗାଯୋଗ ବିଚ୍ଛିନ୍ନ ହୋଇଯାଇଛି। ଦାର୍ଜିଲିଂ ଏବଂ ସିଲିଗୁଡ଼ି ମଧ୍ୟରେ ମୁଖ୍ୟ ରାସ୍ତା ଅବରୋଧ ହୋଇଛି। ଉତ୍ତର ବଙ୍ଗ ପୋଲିସ ମହାନୀରିକ୍ଷକ ରାଜେଶ କୁମାର ଯାଦବ ମିରିକ ହସ୍ପିଟାଲ ପରିଦର୍ଶନ କରିଛନ୍ତି। ରାସ୍ତା ସଫେଇ କାର୍ଯ୍ୟ ଜାରି ରହିଛି ଏବଂ ପର୍ଯ୍ୟଟନସ୍ଥଳୀକୁ ନଯାଇ ହୋଟେଲରେ ରହିବାକୁ ପର୍ଯ୍ଯଟକଙ୍କୁ ପରାମର୍ଶ ଦିଆଯାଇଛି। ମିରିକରେ ଏସଡିଆରଏଫ ଏବଂ ଏନଡିଆରଏଫ ପକ୍ଷରୁ ଉଦ୍ଧାର କାର୍ଯ୍ଯ ଜାରି ରହିଛି। ଦାର୍ଜିଲିଂ ତଳିଆ ଅଞ୍ଚଳର ଲଜରେ ଥିବା ପର୍ଯ୍ୟଟକଙ୍କୁ ଜେସିବି ଜରିଆରେ ଉଦ୍ଧାର କରାଯାଇଛି। ଗତକାଲି ପ୍ରକୃତି ତାଣ୍ଡବରେ ପ୍ରବଳ ଜଳସ୍ରୋତ ଯୋଗୁଁ ତିସ୍ତା ଓ ହାଲଙ୍ଗ ନଦୀ ଉପରେ ଏକ କାଠ ପୋଲ ଭୁଶୁଡ଼ି ପଡ଼ିଥିଲା। ବର୍ତ୍ତମାନ ହାଲଙ୍ଗ ନଦୀର ଜଳସ୍ତର ହ୍ରାସ ପାଇଛି।

କାମାକ୍ଷାନଗର ସ୍ଥିତ ମହାବିରୋଡ ରେଞ୍ଜରେ ଅଜଣା ଜନ୍ତୁ ଆତଙ୍କ
କାମାକ୍ଷାନଗର : ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ସ୍ଥିତ ମହାବିରୋଡ଼ ରେଞ୍ଜରେ ଅଜଣା ଜନ୍ତୁ ଆତଙ୍କ । ଅଜଣା ଯନ୍ତୁଟି ବାଘ ହୋଇଥିବା ନେଇ ସନ୍ଦେହ କରୁଛନ୍ତି ଗ୍ରାମବାସୀ । କୁଟୁରିଆ ଗ୍ରାମରେ ଏକ ଗାଈକୁ ଆକ୍ରମଣ କରିବା ସହ ସ୍ଥାନୀୟ ଜଙ୍ଗଲରେ ରହିଥିବା ସୂଚନା ମିଳିଛି । ସ୍ଥାନୀୟ ଲୋକଙ୍କ ଠାରୁ ସୂଚନା ପାଇବା ପରେ ଲୋକଙ୍କୁ ସତର୍କ କରାଇବା ସହ ଅଜଣା ଜନ୍ତୁକୁ ଖୋଜୁଛି ବନବିଭାଗ । ରାତିରେ ପାଟ୍ରୋଲିଂ କରିବା ସହ ଜଙ୍ଗଲ ନିକଟରେ ଥିବା ଗ୍ରାମବାସୀଙ୍କୁ ସଚେତନ କରୁଛି ବନବିଭାଗ । କେଉଁ ପ୍ରଜାତିର ଜନ୍ତୁ ଜଣାପଡ଼ିନଥିବା ବେଳେ ଲୋକଙ୍କୁ ଆତଙ୍କିତ ନହେବା ପାଇଁ ପରାମର୍ଶ ଦେଉଛି ବନବିଭାଗ । ACFଙ୍କ ନେତୃତ୍ୱରେ ସ୍ଥାନୀୟ ରେଞ୍ଜର, ବିଦ୍ୟୁତବିଭାଗ କର୍ମଚାରୀଙ୍କୁ ନେଇ ପାଟ୍ରୋଲିଂ କରୁଛି ବନବିଭାଗ ।

