କଟକ : କଟକରେ ୩୬ ଘଣ୍ଟା ପାଇଁ ଲାଗୁ ହୋଇଛି କର୍ଫ୍ୟୁ। ଦରଘାବଜାର, ମଙ୍ଗଳାବାଗ, କ୍ୟାଣ୍ଟନମେଣ୍ଟ, ପୁରୀ ଘାଟ, ବିଡ଼ାନାସୀ, ମର୍କତନଗର, ଲାଲବାଗ, ସିଡିଏ ଫେଜ-୨, ସଦର ଥାନା, ମାଲଗୋଦାମ, ଜଗତପୁର, ବାଦାମବାଡ଼ି ଓ ବୟାଳିଶମୌଜା ଥାନା ଅଞ୍ଚଳରେ ଲାଗୁ ହୋଇଛି କର୍ଫ୍ୟୁ। କିନ୍ତୁ ସ୍ବାସ୍ଥ୍ୟସେବା, ପରିମଳ ସେବା ଭଳି ଜରୁରୀ ସେବା ଉପରେ କର୍ଫ୍ୟୁ ଲାଗୁ ହେବ ନାହିଁ। ରବିବାର ସନ୍ଧ୍ୟାରେ କଟକରେ ଯେଭଳି ହିଂସାକାଣ୍ଡ ଘଟିଲା, ସେଥିରେ ୮ ଜଣ ପୋଲିସଙ୍କ ସମେତ ମୋଟ ୨୫ ଜଣ ଆହତ ହୋଇଛନ୍ତି। ଏହାସହିତ ଏହି ହିଂସା ସାଂପ୍ରଦାୟିକ ହିଂସାର ରୂପ ନେଇପାରେ । ଜିଲ୍ଲା ପ୍ରଶାସନର ରିପୋର୍ଟ ଆଧାରରେ କଟକ ସହରରେ ସୋସିଆଲ ମିଡିଆ ଉପରେ ୨୪ ଘଣ୍ଟା ପାଇଁ ବ୍ୟାନ ଲଗାଯାଇଛି । ପୋଲିସ କମିଶନର କହିଛନ୍ତି, ଭସାଣ ବେଳେ ବ୍ୟକ୍ତିଗତ କାରଣ ପାଇଁ ଗଣ୍ଡଗୋଳ ହୋଇଥିଲା । ଏଥିରେ ୪ ଜଣ ଆହତ ହୋଇଥିଲେ । ଗଣ୍ଡଗୋଳ କରିଥିବା ବ୍ୟକ୍ତିଙ୍କୁ ଚିହ୍ନଟ କରି ଗିରଫ କରାଯିବା ସହ କୋର୍ଟ ଚାଲାଣ କରାଯାଇଛି । ଏହାକୁ ଆଳ କରି ବିଶ୍ବ ହିନ୍ଦୁ ପରିଷଦ ପକ୍ଷରୁ ବାଇକ ରାଲି କରିବାକୁ ଅନୁମତି ମଗାଯାଇଥିଲା । କିନ୍ତୁ ରାଲି କରିବାକୁ ପୋଲିସ ଅନୁମତି ଦେଇନଥିଲା । ପୋଲିସର ବାରଣ ସତ୍ତ୍ବେ ଗୋଟିଏ ଗୋଷ୍ଠୀ ବାଇକ ରାଲି କରି ସମ୍ବେଦନଶୀଳ ଅଞ୍ଚଳକୁ ଧସେଇ ପଶିଥିଲେ । ବିଶ୍ବ ହିନ୍ଦୁ ପରିଷଦର ଏହି ରାଲିକୁ ପୋଲିସ ଅଟକାଇବାକୁ ଉଦ୍ୟମ କରିଥିଲା । କିନ୍ତୁ ସେମାନେ ମାନି ନଥିଲେ । ଓଲଟି ପୋଲିସ ଉପରକୁ ଟେକା ପଥର ମାଡ଼ କରିଥିଲେ । ଫଳରେ ପୋଲିସ କର୍ମଚାରୀ ଓ ଅଧିକାରୀ ଆହତ ହୋଇଥିଲେ । ଏହାସହ ଉପଦ୍ରବକାରୀ ସେମାନେ ବିଭିନ୍ନ ଦୋକାନ ବଜାର ଭଙ୍ଗାରୁଜା କରିବା ସହ ରାସ୍ତାରେ ଥିବା ଗାଡ଼ି ଓ ଷ୍ଟଲଗୁଡ଼ିକୁ ନିଆଁ ଲଗାଇ ଦେଇଥିଲେ । ସ୍ଥିତିକୁ ନିୟନ୍ତ୍ରଣ କରିବାକୁ ପୋଲିସ ରବର ବୁଲେଟ ଫାୟାରିଂ କରିବା ସହ ଟିୟର ଗ୍ୟାସ ପ୍ରୟୋଗ କରିଥିଲା। ତଥାପି ଉପଦ୍ରବକାରୀମାନେ ହିଂସା ଜାରି ରଖିଥିଲେ । ଅନ୍ୟ ଉପାୟ ନ ପାଇ ସ୍ଥିତିକୁ ନିୟନ୍ତ୍ରଣକୁ ଆଣିବାକୁ ଯାଇ ପୋଲିସ ଲାଠିଚାର୍ଜ କରିଥିଲା । ଏବେ ସ୍ଥିତି ନିୟନ୍ତ୍ରଣାଧୀନ ରହିଛି । ତଥାପି ପୋଲିସ ହିଂସାକାଣ୍ଡ ଭିଆଇଥିବା ଗୋଷ୍ଠୀଙ୍କ ଉପରେ କଡ଼ା ନଜର ରଖିଛି । ଯେଉଁମାନେ ହିଂସା ଘଟାଇଛନ୍ତି ସେମାନଙ୍କୁ ଚିହ୍ନଟ କରାଯାଇ ଆଇନ ଅନୁଯାୟୀ କଡ଼ା କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି କହିଛନ୍ତି ପୋଲିସ କମିଶନର। ସାମ୍ପ୍ରଦାୟିକ ହିଂସାକୁ ନଜରରେ ରଖି ସହରରେ ସୋସିଆଲ ମିଡିଆ ବ୍ୟାନ କରିଛି। ହ୍ଵାଟ୍ସଆପ, ଇନଷ୍ଟାଗ୍ରାମ, ଫେସବୁକ, ସ୍ନାପଚାଟକୁ ବ୍ୟାନ କରାଯାଇଛି। ୨୪ ଘଣ୍ଟା ପାଇଁ ଏହି ବ୍ୟାନ କରାଯାଇଛି। ଆଜି ସନ୍ଧ୍ୟା ୭ଟା ଯାଏ ବ୍ୟାନ ବଳବତ୍ତର ରହିବ।ସୋସିଆଲ ମିଡିଆରେ ଭାଇରାଲ କରିଥିବା ବ୍ୟକ୍ତିଙ୍କ ବିରୋଧରେ ହେବ କାର୍ଯ୍ୟାନୁଷ୍ଠାନ। ଘଟଣାସ୍ଥଳରେ ସ୍ଥିତି ସମୀକ୍ଷା କରିଛନ୍ତି ଡିଜିପି। ଅନ୍ୟପଟେ ଆଜି କଟକ ବନ୍ଦ ଡାକରା ଦିଆଯାଇଛି। ଶାନ୍ତି ପ୍ରତିଷ୍ଠା ଲାଗି ଆହ୍ବାନ ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ।
ଶୋଭାଯାତ୍ରାକୁ ନେଇ ଜଳୁଛି କଟକ ; ଆଜି ସଂଧ୍ୟା ୭ଟାରୁ ଆସନ୍ତାକାଲି ସଂଧ୍ୟା ୭ଟା ପର୍ଯ୍ୟନ୍ତ ସୋସିଆଲ ମିଡ଼ିଆ ବ୍ୟାନ
କଟକ : ଶୋଭାଯାତ୍ରାକୁ ନେଇ ଜଳୁଛି କଟକ। ଏକ ସଂଗଠନର ଶୋଭାଯାତ୍ରା ବେଳେ ପୋଲିସ ଅଟାକାଇବାରୁ ମହାଭାରତ। ଦରଘା ବଜାର ଅଞ୍ଚଳରେ ପ୍ରବଳ ଉତ୍ତେଜନ। ସ୍ଥିତିକୁ ନଜରରେ ରଖି ସହରରେ ସୋସିଆଲ ମିଡିଆ ବ୍ୟାନ କରାଯାଇଛି । ହ୍ଵାଟ୍ସଆପ, ଇନଷ୍ଟାଗ୍ରାମ, ଫେସବୁକ, ସ୍ନାପଚାଟକୁ ବ୍ୟାନ କରାଯାଇଛି। ୨୪ ଘଣ୍ଟା ପାଇଁ ଏହି ବ୍ୟାନ କରାଯାଇଛି। ସୋମବାର ସନ୍ଧ୍ୟା ୭ଟା ଯାଏ ବ୍ୟାନ ବଳବତ୍ତର ରହିବ। ସିଡିଏ, ୪୨ ମୌଜା, ସିଏମସି ଅଞ୍ଚଳରେ ଲାଗୁ ହୋଇଛି ବ୍ୟାନ।
ଆନ୍ଦୋଳନକାରୀଙ୍କୁ ଘଉଡ଼ାଇବାକୁ ପୋଲିସ କରିଛି ଲାଠିଚାର୍ଜ। ଏହା ସହ ଲୁହବୁହା ଗ୍ୟାସ ପ୍ରୟୋଗ କରାଯାଇଛି। ସେପଟେ ଉତ୍ତେଜନାକୁ ଦୃଷ୍ଟିରେ ରଖି କଟକରେ କ୍ୟାମ୍ପ କରି ରହିବାକୁ ପୋଲିସ ଡିଜିଙ୍କୁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି। ତେଣେ ଆସନ୍ତାକାଲି ଡାକରା ଦିଆଯାଇଛି ବନ୍ଦ। ଶାନ୍ତି ପ୍ରତିଷ୍ଠା ଲାଗି ଆହ୍ବାନ ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝି। ଦୋଷୀଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ସେ କହିଛନ୍ତି।
କଟକରେ ଶାନ୍ତି ବଜାୟ ରଖିବାକୁ ଅପିଲ କଲେ ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ। କଟକରେ ସୃଷ୍ଟି ହୋଇଥିବା ଆଇନଶୃଙ୍ଖଳା ପରିସ୍ଥିତି ନେଇ ବିରୋଧୀ ଦଳ ନେତା ନବୀନ ପଟନାୟକ ଗଭୀର ଉଦବେଗ ପ୍ରକାଶ କରିଛନ୍ତି। କହିଛନ୍ତି ଏକ ଶାନ୍ତିପ୍ରିୟ ରାଜ୍ୟ ଭାବରେ ଓଡିଶାର ସୁନାମ ରହିଛି। ଓଡିଶାବାସୀ, କଟକବାସୀ ଶାନ୍ତି ଓ ସଦଭାବ ଚାହାଁନ୍ତି। ତେଣୁ କଟକ ସହରରେ ଶାନ୍ତି ବଜାୟ ରଖିବା ପାଇଁ ବିରୋଧୀ ଦଳ ନେତା ନବୀନ ପଟନାୟକ ସମସ୍ତଙ୍କୁ ଅନୁରୋଧ କରିଛନ୍ତି ।
ପାକିସ୍ତାନକୁ ଭାରତର ୨୪୮ ରନର ଟାର୍ଗେଟ୍
ନନ୍ଦିଘୋଷ ବ୍ୟୁରୋ: ମହିଳା ବିଶ୍ଵକପ୍ ୨୦୨୫ରେ ଆଜି ମୁହାଁମୁହିଁ ହୋଇଛନ୍ତି ଭାରତ ଓ ପାକିସ୍ତାନ। ପୁରୁଷ ଏସିଆ କପ୍ ପରେ ଏବେ ମହିଳା ଭାରତୀୟ ଦଳ ପାକିସ୍ତାନ ଦଳ ସହ କଲୋମ୍ବୋରେ ମୁକାବିଲା କରୁଛି । ପ୍ରଥମେ ବ୍ୟାଟିଂ କରିଥିବା ଭାରତ ୨୪୭ ରନ କରି ପାକିସ୍ତାନକୁ କଡ଼ା ଟକ୍କର ଦେଇଛି । ଭାରତ-ପାକିସ୍ତାନ ମଧ୍ୟରେ ହ୍ୟାଣ୍ଡସେକ୍ ବିବାଦ ଚାଲିଥିବା ବେଳେ ଭାରତୀୟ ମହିଳା ଦଳ ପାକିସ୍ତାନ ବିପକ୍ଷରେ ଲଢୁଆ ସ୍କୋର କରି ପାରିଛି। ହର୍ଲିନ ଦେଓଲ ସର୍ବାଧିକ ୪୬ ରନ କରିଥିବା ବେଳେ ଋଚାଘୋଷ ୩୫ ରନର ଉଲ୍ଲେଖନୀୟ ଅପରାଜିତ ରନ କରିଛନ୍ତି । ପାକିସ୍ତାନ ମହିଳା ଦଳ ସମ୍ମୁଖରେ ରହିଛି ୨୪୮ ରନ ବିଜୟ ଲକ୍ଷ୍ୟ। ବୋଲିଂରେ ପାକିସ୍ତାନ ପକ୍ଷରୁ ଦିଆନା ବୈଗ ୪ ଓ୍ଵିକେଟ୍ ନେଇଛନ୍ତି ।
ପୁଣି ପଡ଼ିଆରେ ହ୍ୟାଣ୍ଡସେକ୍ ବିବାଦ। ଆଜି ପୁଣି ଦୁଇ ଦେଶ ପାକିସ୍ତାନ ଓ ଭାରତର ଖେଳାଳି କଲେନାହିଁ ହ୍ୟାଣ୍ଡସେକ। ମହିଳା ବିଶ୍ଵକପରେ କଲମ୍ବୋରେ ଆଜି ଭାରତ-ପାକିସ୍ତାନ ମଧ୍ୟରେ ମ୍ୟାଚ ଚାଲିଛି । ତେବେ ମ୍ୟାଚ ପୂର୍ବରୁ ଟସ ଲାଗି ଉଭୟ ଦେଶର ଅଧିନାୟକ ପଡିଆ ମଧ୍ୟକୁ ଟସ ପାଇଁ ଆସିଥିଲେ। ଟସ ପଡ଼ିବା ପରେ ଦୁଇ ଖେଳାଳିଙ୍କ ମଧ୍ୟରେ ହ୍ୟାଣ୍ଡସେକ୍ କରିବା କଥା। ତେବେ ଉଭୟ ଅଧିନାୟକ ହ୍ୟାଣ୍ଡେସକ କରିନଥିଲେ। ଭାରତୀୟ ଅଧିନାୟକ ପୁରୁଷ କ୍ରିକେଟ ଟିମ ରାସ୍ତା ଆପଣାଇ ପାକିସ୍ତାନ ଅଧିନାୟକଙ୍କ ସହ ହ୍ୟାଣ୍ଡସେକ୍ କରିନଥିଲା। ଆଜି ଟସ ଜିତି ପାକିସ୍ତାନ ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲା । ପାକିସ୍ତାନ ମହିଳା ଦଳ ସମ୍ମୁଖରେ ରହିଛି ୨୪୮ ରନ ବିଜୟ ଲକ୍ଷ୍ୟ ।
ପୁଣି 9 ରୁ ଘୂର୍ଣ୍ଣି ବଳୟ ; ରାଜ୍ୟରେ ଲାଗିରହିବ ବର୍ଷା
ଭୁବନେଶ୍ବର : ରାଜ୍ୟ ଉପରେ ଆଉ ଏକ ଘୁର୍ଣ୍ଣିବଳୟ ସମ୍ଭାବନା। ଅକ୍ଟୋବର ୭ରେ ଘୁର୍ଣ୍ଣିବଳୟ ସୃଷ୍ଟି ନେଇ ଆକଳନ କରିଛନ୍ତି ପାଣିପାଗ ବିଜ୍ଞାନୀ। ଘୁର୍ଣ୍ଣିବଳୟ ପ୍ରଭାବରେ ୭ ରୁ ୧୨ ତାରିଖ ଯାଏ ବର୍ଷା ଲାଗିରହିବ । କେନ୍ଦ୍ରୀୟ ବଙ୍ଗୋପସାଗରରେ ଘୁର୍ଣ୍ଣିବଳୟ ସୃଷ୍ଟି ହେବାର ସମ୍ଭାବନା ଥିବା ବେଳେ ବିଶେଷ କରି ଉତ୍ତର ଓ ଉପକୂଳ ଓଡ଼ିଶାରେ ବର୍ଷା ର ପ୍ରଭାବରେ ରହିବ । ସେପଟେ ୯ ଅକ୍ଟୋବର ବେଳକୁ ଉତ୍ତର ବଙ୍ଗୋପସାଗର ରେ ଆଉ ଏକ ଲଘୁଚାପ ସମ୍ଭାବନାକୁ ନେଇ ଭାରତୀୟ ପାଣିପାଗ ବି ଆକଳନ କରିଛି । ୭ ବେଳକୁ ବଙ୍ଗୋପସାଗରଏ ଏକ ଘୂର୍ଣ୍ଣିବଳୟ କିମ୍ଵା ଲଘୁଚାପ ସୃଷ୍ଟି ସମ୍ଭାବନା ହେଇଛି ବିଭାଗ ।
ଏହା ପ୍ରଭାବରେ ୭ ରୁ ବର୍ଷା ଆରମ୍ଭ ହେବାର ସମ୍ଭାବନା ଦେଇଛି ବିଭାଗ।ଏପଟେ ଟ୍ରପ ଲାଇନ ପ୍ରଭାବରେ ରାଜ୍ୟରେ ମେଘୁଆ ପାଗ ସହ ହାଲୁକା ବର୍ଷା ଲାଗିରହିଛି। ଆସନ୍ତା ୪ ଦିନ ଯାଏ ବିଜୁଳି ଘଡଘଡି ସହ ବର୍ଷା ର ସମ୍ଭାବନାକୁ ନେଇ ଚେତାବନୀ ଦେଇଛି ପାଣିପାଗ ବିଭାଗ। ଆସନ୍ତା ୨୪ ଘଂଟାରେ ବିଜୁଳି ଘଡଘଡି ସହ ବର୍ଷାର ସମ୍ଭାବନାକୁ ନେଇ ୨୦ ଜିଲ୍ଲାକୁ ହଳଦିଆ ଚେତାବନୀ ଦେଇଛି ବିଭାଗ। ଉତ୍ତର ଆଭ୍ୟନ୍ତରୀଣ ଓ ଉପକୂଳ ଓଡ଼ିଶାର ଜିଲ୍ଲା ଗଂଜାମ, ଗଜପତି, ନୟାଗଡ, ଖୋର୍ଦ୍ଧା, ପୁରୀ, ଜଗତସିଂହପୁର କେନ୍ଦ୍ରାପଡା, କଟକ, ଅନୁଗୁଳ ,ଢେଙ୍କାନାଳ,ଯାଜପୁର, ଭଦ୍ରକ, ବାଲେଶ୍ୱର, ମୟୁରଭଞ୍ଜ ,କେନ୍ଦୁଝର, ଦେଓଗଡ ସମ୍ବଲପୁର ବରଗଡ଼, ସୁନ୍ଦରଗଡ ଓ ଝାରସୁଗୁଡା କୁ ବର୍ଣ୍ଣିଙ୍ଗ ରହିଛି। ସେହିପରି ଆସନ୍ତାକାଲି ସମାନ ଜିଲ୍ଲାପାଇଁ ହଳଦିଆ ଚେତାବନୀ ରହିଛି।
ଦାର୍ଜିଲିଂରେ ପ୍ରବଳ ବର୍ଷାରୁ ଭୂସ୍ଖଳନ ; ୧୪ ଜଣଙ୍କ ମୃତ୍ୟୁ
ନନ୍ଦିଘୋଷ ବ୍ୟୁରୋ: ପଶ୍ଚିମବଂଗରେ ପ୍ରବଳ ବର୍ଷାରୁ ଭୂସ୍କଳନ। ଦାର୍ଜିଲିଂରେ ଭୂସ୍ଖଳରେ ୧୪ ଜଣଙ୍କ ମୃତ୍ୟୁ ହୋଇଥିବା ଜଣାପଡିଛି। ଧସିଗଲା ଲୁହା ନିର୍ମିତ ଡୁଡିଆ ବ୍ରିଜ। ବ୍ରିଜ ଧସି ଅତି କମରେ ୬ ଜଣଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି। ରାତିସାରା ଲଗାଣ ବର୍ଷାରୁ ପଶ୍ଚିମବଂଗର ଉତ୍ତର ପାର୍ଶ୍ଵରେ ଗମ୍ଭୀର ପରିସ୍ଥିତି ସୃଷ୍ଟି ହୋଇଛି। ଦାର୍ଜିଲିଂର ମିରିକ ଏବଂ ସୁଖିଆ ଅଂଚଳରେ ଭୂସ୍ଖଳନରୁ ଏ ଅଘଟଣ ଘଟିଥିଲା। ଦାର୍ଜିଲିଂ ଜିଲ୍ଲା ପୋଲିସ ଦ୍ୱାରା ଉଦ୍ଧାର କାର୍ଯ୍ୟ ଜାରି ରହିଛି। ମୃତ୍ୟୁ ସଂଖ୍ୟା ଆହୁରିୁ ଅଧିକ ହେବା ଆଶଂକା କରାଯାଉଛି।
ବର୍ଷା ଓ ଭୂସ୍ଖଳନ ଯୋଗୁଁ ପଶ୍ଚିମବଙ୍ଗ ଏବଂ ସିକିମ ମଧ୍ୟରେ ସଡ଼କ ଯୋଗାଯୋଗ ବିଚ୍ଛିନ୍ନ ହୋଇଯାଇଛି। ଦାର୍ଜିଲିଂ ଏବଂ ସିଲିଗୁଡ଼ି ମଧ୍ୟରେ ମୁଖ୍ୟ ରାସ୍ତା ଅବରୋଧ ହୋଇଛି। ଜଳପାଇଗୁଡ଼ି, ସିଲିଗୁଡ଼ି ଏବଂ କୁଚବିହାରକୁ ମଧ୍ୟ ଗାଡି ଚଳାଚଳ ହୋଇପାରୁନି। ଅନେକ ଅଞ୍ଚଳ ଜଳବନ୍ଦୀ ହୋଇଯାଇଛି। ଜାତୀୟ ରାଜପଥ ୧୦ର ବିଭିନ୍ନ ସ୍ଥାନରେ ମାଟି ଧସି ରାସ୍ତା ଅବରୋଧ ହୋଇଛି। ତିସ୍ତା ନଦୀରେ ବନ୍ୟା ଆସିବାରୁ କାଲିମପଙ୍ଗରୁ ତିସ୍ତା ବଜାର ଦେଇ ଦାର୍ଜିଲିଂ ଯିବା ରାସ୍ତା ବନ୍ଦ ହୋଇଯାଇଛି। କରୋନେସନ୍ ସେତୁ ଦେଇ ସିକିମ୍ ଏବଂ ଦାର୍ଜିଲିଂ ପାହାଡ଼କୁ ଯୋଗାଯୋଗ ବନ୍ଦ ହୋଇଯାଇଛି।
ପ୍ରବଳ ବର୍ଷା ଏବଂ ଭୂସ୍ଖଳନ ଯୋଗୁଁ, ଗୋର୍ଖାଲ୍ୟାଣ୍ଡ ଆଞ୍ଚଳିକ ପ୍ରଶାସନ GTA ଦାର୍ଜିଲିଂରେ ଟାଇଗର ହିଲ୍ ଏବଂ ରକ୍ ଗାର୍ଡେନ୍ ସମେତ ପର୍ଯ୍ୟଟନ ସ୍ଥଳଗୁଡ଼ିକୁ ବନ୍ଦ କରିଦିଆଯାଇଛି। ଦାର୍ଜିଲିଂରେ ଟଏ ଟ୍ରେନ ଚଳାଚଳ ମଧ୍ୟ ବନ୍ଦ ରଖାଯାଇଛି। ଉଦ୍ଧାର ଏବଂ ରିଲିଫ କାର୍ଯ୍ୟ ଜାରି ରହିଥିବା ବେଳେ କର୍ତ୍ତୃପକ୍ଷ ସ୍ଥାନୀୟ ଲୋକ ଏବଂ ପର୍ଯ୍ୟଟକଙ୍କୁ ସତର୍କତା ଅବଲମ୍ବନ କରିବାକୁ ପରାମର୍ଶ ଦେଇଛନ୍ତି।
ସାବତ ବାପାକୁ ସାଙ୍ଗଙ୍କ ସହ ମିଶି ହତ୍ୟାକଲା ପୁଅ !
କେନ୍ଦୁଝର : ସାବତ ବାପାକୁ ସାଙ୍ଗଙ୍କ ସହ ମିଶି ହତ୍ୟାକଲା ନାବାଳକ ପୁଅ । ଏହି ଅଭାବନୀୟ ଘଟଣା ଘଟିଛି ଯୋଡ଼ା ପୌରାଞ୍ଚଳ ୧୦ ନଂ ୱାର୍ଡ଼ ହନୁମାନ ହଟିଂରେ ଅଞ୍ଚଳରେ । ମୃତକ ୪୫ ବର୍ଷିୟ ମନୋଜ କାଳନ୍ଦୀ ଓରଫ୍ ମନୋଜ ବେହେରା । ମନୋଜଙ୍କ ପ୍ରଥମ ସ୍ତ୍ରୀ ଗାଁ ରେ ରହୁଥିବାବେଳେ, ସେ ଜଣେ ବିଧବାଙ୍କୁ ୫ ବର୍ଷ ହେବ ସ୍ତ୍ରୀ କରି ଘରେ ରଖିଥିଲେ । ତାଙ୍କର ଏହି ଦ୍ୱିତୀୟ ପତ୍ନୀଙ୍କର ଜଣେ ୧୫ ବର୍ଷିୟ ନାବାଳକ ପୁଅ ମଧ୍ୟ ରହୁଥିଲେ । ତେବେ କିଛିନା କିଛି କାରଣକୁ ନେଇ ସାବତ ବାପା ସହ ପୁଅର ପଡୁନଥିଲା । ଅନେକ ସମୟରେ ଝଗଡ଼ା ଲାଗି ରହୁଥିଲା।
ଆଜି ସକାଳ ପ୍ରାୟ ସାଢ଼େ ୯ଟା ସମୟରେ ମନୋଜ ସ୍କୁଟି ନେଇ ବାହାରକୁ ଜଳଖିଆ ପାଇଁ ଯାଉଥିବାବେଳେ, ତାଙ୍କ ଉପରକୁ ଅତର୍କିତ ଭାବରେ ଆକ୍ରମଣ ହୋଇଥିଲା । ନାବାଳକ ସାବତ ପୁଅ ସହ ତା’ର ୨ ସାଙ୍ଗ ମିଶି ସଂଘବଦ୍ଧ ଭାବରେ ପାଇପ୍ ଓ ଭୁଜାଲୀରେ ଆକ୍ରମଣ କରି ସେଠାରୁ ଫେରାର ହୋଇଯାଇଥିଲେ । ପରିବାର ଲୋକେ ମୂମୂର୍ଷ ଅବସ୍ଥାରେ ଉଦ୍ଧାର କରି ଏକ ଅଟୋ ଯୋଗେ ନିକଟସ୍ଥ ଟାଟା ହସପିଟାଲକୁ ନେଇଥିଲେ, ମାତ୍ର ବାଟରେ ତାଙ୍କର ମୃତ୍ୟୁ ଘଟିଥିଲା । ଏନେଇ ଖବର ପାଇବା ପରେ ଯୋଡ଼ା ପୋଲିସ ଘଟଣା ସ୍ଥଳକୁ ଯାଇ ଛାନଭିନ୍ ଆରମ୍ଭ କରିଛି । ମୃତଦେହକୁ ଜବତ୍ କରିବା ସହ ଅଭିଯୁକ୍ତମାନଙ୍କୁ ଧରିବା ପାଇଁ ଚେଷ୍ଟା ଚଳାଇଛି ।
କୁମାର ପୂର୍ଣ୍ଣିମା କେବେ ? ପୂର୍ଣ୍ଣିମା ତିଥି କେତେ ସମୟ ରହୁଛି ?
ନନ୍ଦିଘୋଷ ବ୍ୟୁରୋ: କୁମାର ପୂର୍ଣ୍ଣିମା ଏବଂ ଗଜଲକ୍ଷ୍ମୀ ପୂଜାର ତାରିଖ ନେଇ ଦ୍ୱନ୍ଦ୍ୱ । ଓଡ଼ିଶା ଭକ୍ତଙ୍କୁ ଦ୍ୱନ୍ଦ୍ୱରେ ପକାଇଛି ତାରିଖ । ପାରମ୍ପରିକ ଭାବରେ ଗୋଟିଏ ଦିନରେ ପାଳିତ ହେଉଥିବା କୁମାର ପୂର୍ଣ୍ଣିମା ଏବଂ ଗଜଲକ୍ଷ୍ମୀ ପୂଜା ପାଳନକୁ ନେଇ ସାରା ଓଡ଼ିଶାରେ ଦ୍ୱନ୍ଦ୍ୱ ରହିଛି । କିନ୍ତୁ ଚଳିତ ବର୍ଷ ଚନ୍ଦ୍ର କ୍ୟାଲେଣ୍ଡରରେ ପରିବର୍ତ୍ତନ ଯୋଗୁଁ ତାରିଖଗୁଡ଼ିକରେ ଅସଙ୍ଗତତା ଦେଖାଦେଇଛି, ଗଜଲକ୍ଷ୍ମୀ ପୂଜା ସୋମବାର ପାଳନ କରାଯିବ, ଯେତେବେଳେ କୁମାର ପୂର୍ଣ୍ଣିମା ମଙ୍ଗଳବାର ପାଳନ କରାଯିବ। ଭିନ୍ନ ଭିନ୍ନ ତାରିଖ ଯୋଗୁଁ ଅନେକ ବିଶେଷକରି କୁମାର ପୂର୍ଣ୍ଣିମା ପୂଜା କରୁଥିବା ଯୁବତୀମାନେ, ପାଳନର ସଠିକ୍ ଦିନ ବିଷୟରେ ଅନିଶ୍ଚିତ ହୋଇପଡ଼ିଛନ୍ତି । ଅନେକ ପଞ୍ଜିକାରେ ସୋମବାରକୁ କୁମାର ପୂର୍ଣ୍ଣିମାର ଦିନ ଭାବରେ ତାଲିକାଭୁକ୍ତ କରାଯାଇଛି, ଯେତେବେଳେ ପୁରୀ ଶ୍ରୀମନ୍ଦିରରେ ଏହି ଉତ୍ସବ ମଙ୍ଗଳବାର ପାଳନ କରାଯିବାର କାର୍ଯ୍ୟକ୍ରମ ରହିଛି । ରାଜ୍ୟର ବିଭିନ୍ନ ସ୍ଥାନରେ ଭକ୍ତ ଏବଂ ପାରମ୍ପରିକ ପର୍ଯ୍ୟବେକ୍ଷକଙ୍କ ମଧ୍ୟରେ ଦ୍ୱନ୍ଦ୍ୱ ବୃଦ୍ଧି ପାଇଛି ।
ପଞ୍ଜିକାର ତିଥି, ବାର, ଯାତ୍ରା, ଶୁଭ ତଥା ଅଶୁଭ ବେଳାକୁ ମାନି ସାଧାରଣ ଲୋକ ପୂଜାପାଠ କରିଥାନ୍ତି । କିନ୍ତୁ ଅନେକ ସମୟରେ ଭିନ୍ନ ଭିନ୍ନ ପଞ୍ଜିକାରେ ଭିନ୍ନ ଭିନ୍ନ ତାରିଖ ଉଲ୍ଲେଖକୁ ନେଇ ସୃଷ୍ଟି ହେଉଛି ଦ୍ବନ୍ଦ୍ବ । ଚଳିତ ବର୍ଷ କୁମାର ପୂର୍ଣ୍ଣିମା ଯେଉଁ ତାରିଖରେ ଉଲ୍ଲେଖ କରାଯାଇଛି ଓ ଶ୍ରୀମନ୍ଦିରରେ କୁମାର ପୂର୍ଣ୍ଣିମା ପାଳନ ଭିନ୍ନ ଥିବାରୁ ସାଧାରଣ ଲୋକଙ୍କ ମଧ୍ୟରେ ଦ୍ଵନ୍ଦ ସୃଷ୍ଟି ହୋଇଥିବା ଦେଖିବାକୁ ମିଳିଛି। ପଞ୍ଜିକାରେ କୁମାରପୂର୍ଣ୍ଣିମା ଅକ୍ଟୋବର ୬ ତାରିଖ ଲେଖା ରହିଛି । କ୍ୟାଲେଣ୍ଡର ଓ ଆଉ କିଛି ପଞ୍ଜିକାରେ କୁମାରପୂର୍ଣ୍ଣିମା ଅକ୍ଟୋବର ୭ ତାରିଖ ଲେଖା ଅଛି । ତେବେ ଜ୍ୟୋତିର୍ବିଦ ମାନଙ୍କ ମତରେ ଶ୍ରୀଜଗନ୍ନାଥ ସଂସ୍କୃତି ଓ ପରମ୍ପରା ଅନୁଯାୟୀ ୬ତାରିଖରେ ଗଜଲକ୍ଷ୍ମୀ ପୂଜା କରାଯିବ ।
ଏହାର ପର ତାରିଖରେ ପାଳନ ହେବ କୁମାର ପୂର୍ଣ୍ଣିମା ବ୍ରତ । ଶ୍ରୀମନ୍ଦିର ପରମ୍ପରା ଓ ସଂସ୍କୃତିରେ ସମସ୍ତ ନୀତିକାନ୍ତି ମୁକ୍ତିମଣ୍ଡପ ଦ୍ୱାରା ସ୍ଥିରୀକୃତ ହୋଇଥାଏ । ଏପରିକି ପର୍ବ ପର୍ବାଣି ମାନଙ୍କରେ ବିଶେଷ ନୀତିକାନ୍ତି ସବୁ ମଧ୍ୟ ଛାତିଶା ନିଯୋଗରେ ଆଲୋଚନା କରାଯାଇ ସ୍ଥିରୀକୃତ କରାଯାଇଥାଏ । ଭିନ୍ନ ଭିନ୍ନ ପଞ୍ଜିକା ଦ୍ୱାରା ନିର୍ଦ୍ଧାରଣ ହୋଇଥିବା ସମୟରେ ପୂର୍ବରୁ ଅନେକ ତାରତମ୍ୟ ଦେଖାଯାଇଥିବାରୁ ସାଧାରଣ ଲୋକଙ୍କ ମନରେ ଭ୍ରମ ସୃଷ୍ଟି ହେଉଥିବା ନେଇ ସୂଚନା ରହିଛି । ୭ତାରିଖ ଦିନ ସରକାରୀ ଛୁଟି ରହିଥିବାରୁ ମଧ୍ୟ ଅନେକ ଦ୍ଵନ୍ଦ ରହିଥିବାବେଳେ ୬ତାରିଖ ଦିନ ହିଁ କୁମାର ପୂର୍ଣ୍ଣିମା ଓ ଗଜଲକ୍ଷ୍ମୀ ପୂଜା କରିବା ପାଇଁ ଜ୍ୟୋତିର୍ବିଦ କହିଛନ୍ତି ।
ରାହୁଲ ଗାନ୍ଧୀଙ୍କ ବନ୍ଧୁତା ତେଜସ୍ୱୀ ଯାଦବଙ୍କୁ ପଡ଼ିବ ମହଙ୍ଗା !
ନନ୍ଦିଘୋଷ ବ୍ୟୁରୋ: ୨୦୨୫ ବିହାର ବିଧାନସଭା ନିର୍ବାଚନ ଘୋଷଣା ହେବାକୁ ଆଉ ମାତ୍ର କିଛି ଘଣ୍ଟା ବାକି ଅଛି। ମାୟାବତୀଙ୍କ ଦଳର ଦୁଇଜଣ ପ୍ରାର୍ଥୀଙ୍କୁ ଛାଡ଼ିଦେଲେ, କୌଣସି ରାଜନୈତିକ ଦଳ ଏପର୍ଯ୍ୟନ୍ତ ସେମାନଙ୍କର ପ୍ରାର୍ଥୀ ଘୋଷଣା କରିନାହାଁନ୍ତି। ଦୁଇ ପ୍ରମୁଖ ମେଣ୍ଟ ଏନଡିଏ ଏବଂ ମହାଗଠବନ୍ଧନ ମଧ୍ୟରେ ଆସନ ବଣ୍ଟନ ଏପର୍ଯ୍ୟନ୍ତ ଚୂଡ଼ାନ୍ତ ହୋଇନାହିଁ। ବର୍ତ୍ତମାନ ମହାଗଠବନ୍ଧନ ଏବଂ କଂଗ୍ରେସ ଭିତରେ ଅଙ୍କକଷା ଛିଣ୍ଡୁନଥିବା ବେଳେ ଏନଡିଏ ମଧ୍ୟରେ ଆଲୋଚନା ଜାରି ରହିଛି।
ଚିରାଗ ପାସଓ୍ବାନଙ୍କ ମତ ଏନଡ଼ିଏ ସହିତ ମେଳ ଖାଉନଥିବା ବେଳେ ମହାଗଠବନ୍ଧନ ଫସିଛି କଂଗ୍ରେସର ପ୍ରତିବନ୍ଧକ ଫନ୍ଦାରେ । ଆସନ ବଣ୍ଟନ ନିଷ୍ପତ୍ତି ନେବା ପାଇଁ କଂଗ୍ରେସ ହାଇକମାଣ୍ଡ ସ୍ତରରେ କେହି ଉପଲବ୍ଧ ନଥିବା ବେଳେ ରାହୁଲ ଗାନ୍ଧୀ ପ୍ରାୟ ଗୋଟିଏ ସପ୍ତାହ ପାଇଁ ବିଦେଶ ଗସ୍ତରେ ଥିଲେ। ତେଣୁ ମହାଗଠବନ୍ଧନ ଭିତରେ ସମସ୍ତ ନିଷ୍ପତ୍ତି ସ୍ଥଗିତ ରହିଛି। ଏନଡିଏ ଭିତରେ ଚିରାଗ ପାସୱାନଙ୍କ ମତ ମଧ୍ୟ ସ୍ପଷ୍ଟ ନୁହେଁ। ତଥାପି ସେ ଏନଡିଏରେ ରହିବା ଏବଂ ନୀତିଶ କୁମାରଙ୍କୁ ମୁଖ୍ୟମନ୍ତ୍ରୀ କରିବା ପାଇଁ ତାଙ୍କର ପ୍ରତିବଦ୍ଧତାକୁ ବାରମ୍ବାର ଦୋହରାଇଛନ୍ତି। ଚିରାଗ ପାସୱାନ ୨୦୨୦ ମସିହାରେ ଯେପରି ମନୋଭାବ ଦେଖାଇଥିଲେ ବର୍ତ୍ତମାନ ସେପରି ମନୋଭାବ ଦେଖାଉନାହାଁନ୍ତି। ତଥାପି ସେ ଅଧିକ ଆସନ ସୁରକ୍ଷିତ କରିବା ପାଇଁ ବିଭିନ୍ନ ରଣନୀତି ଅବଲମ୍ବନ କରୁଛନ୍ତି। ବିହାରରେ ତାଙ୍କୁ ଦଳର ସବୁଠାରୁ ଦକ୍ଷ ନେତା ଭାବରେ ବର୍ଣ୍ଣନା କରାଯାଇଥିଲା ତଥାପି ଚିରାଗ ପାସୱାନଙ୍କ ପାଖରେ ଏନଡିଏକୁ ରୋକିବାର ଶକ୍ତି ନାହିଁ କିମ୍ବା କଂଗ୍ରେସ ପାଖରେ ଆରଜେଡି ସହିତ ସମକକ୍ଷ ହେବାର ଶକ୍ତି ନାହିଁ।
କଂଗ୍ରେସ ୧୦ ପ୍ରତିଶତ ଭୋଟ ପାଉଛି
କଂଗ୍ରେସ ହୁଏତ ଆରଜେଡି ସହିତ ସମକକ୍ଷ ବୋଲି ଦାବି କରିପାରେ କିନ୍ତୁ ବାସ୍ତବତା ଭିନ୍ନ। ଗତ 35 ବର୍ଷ ମଧ୍ୟରେ କଂଗ୍ରେସ କେବିବେ ନିଜର ଅତୀତ ଗୌରବ ଫେରି ପାଇବାରେ ସକ୍ଷମ ହେଇନାହିଁ । ନିରୀକ୍ଷଣ କଲେ କଂଗ୍ରେସର ରାହୁକାଳ ୨୦୦୫ରେ ଆରମ୍ଭ ହୋଇଥିଲା, ଯେତେବେଳେ ଏହାର ଆସନ ଏକକ ସଂଖ୍ୟାରେ ପହଞ୍ଚିପାରିନଥିଲା । ମହାଗଠବନ୍ଧନର ଆରଜେଡି ମଧ୍ୟ ସମାନ ପରିସ୍ଥିତିର ସମ୍ମୁଖୀନ ହୋଇଥିଲା। ଜେଡିୟୁ ଏବଂ ବିଜେପି ମଧ୍ୟରେ ମେଣ୍ଟ ଯୋଗୁଁ ୩୧ ପ୍ରତିଶତ ଭୋଟ ପାଇଥିବା ଆରଜେଡିର ମୁସଲିମ-ଯାଦବ (ଏମୱାଇ) ମେଣ୍ଟ ଅକ୍ଷତ ରହିଲା। ନୀତିଶ କୁମାରଙ୍କ ଜେଡିୟୁ ମୁସଲିମ ଭୋଟ ଦଖଲ କରିଥିଲା, ଯେତେବେଳେ ବିଜେପି ମନ୍ଦିର ଏବଂ ସନାତନ ନାମରେ ବୈଶ୍ୟ ଏବଂ ଉଚ୍ଚ ଜାତିର ଭୋଟରମାନଙ୍କୁ ଆକର୍ଷିତ କରିଥିଲା।
କଂଗ୍ରେସ ୪ ରୁ ୨୭ ଆସନ ମଧ୍ୟରେ ଝୁଲିଥିଲା
ଯଦି ଆମେ ଲାଲୁ ଯାଦବ ଏବଂ ରାବ୍ରୀ ଦେବୀଙ୍କ କାର୍ଯ୍ୟକାଳକୁ ପାଶୋରି ଦେବା, ତେବେ ଫେବୃଆରୀ ୨୦୦୫ ବିଧାନସଭା ନିର୍ବାଚନରେ କଂଗ୍ରେସ ମାତ୍ର ୧୦ଟି ଆସନ ଜିତିଥିଲା। ସେହି ବର୍ଷ ଅକ୍ଟୋବର ନିର୍ବାଚନରେ କଂଗ୍ରେସ ୯ଟି ଆସନକୁ ହ୍ରାସ ପାଇ ୬.୦୯ ପ୍ରତିଶତ ଭୋଟ ପାଇଥିଲା। ୨୦୧୦ ନିର୍ବାଚନ ଏନଡିଏ ବିରୋଧୀ ଦଳଗୁଡ଼ିକ ପାଇଁ ପରିସ୍ଥିତିକୁ ଆହୁରି ଖରାପ କରିଦେଇଥିଲା। ବିହାରରେ ଏକଦା ପ୍ରଭାବଶାଳୀ ଶକ୍ତି ଥିବା କଂଗ୍ରେସ ମାତ୍ର ୪ଟି ଆସନକୁ ହ୍ରାସ ପାଇଥିଲା। ଏହା କଂଗ୍ରେସର ନିର୍ବାଚନ ଇତିହାସରେ ସବୁଠାରୁ ଖରାପ ସମୟ ପ୍ରମାଣିତ ହୋଇଥିଲା। ଏହାର ଭୋଟ ଅଂଶ ମଧ୍ୟ ୮.୪ ପ୍ରତିଶତକୁ ହ୍ରାସ ପାଇଥିଲା। ଯେତେବେଳେ କଂଗ୍ରେସ ୨୦୧୦ ନିର୍ବାଚନରେ ଆରଜେଡି ସହିତ ମେଣ୍ଟ କରି ଲଢ଼ିଥିଲା ଆସନରେ ଉନ୍ନତି ହୋଇଥିଲା ଏବଂ ୨୭ଟି ଆସନ ଜିତିଥିଲା, ଯାହା ତିନି ଦଶନ୍ଧି ମଧ୍ୟରେ ସର୍ବାଧିକ ଥିଲା। ତଥାପି, ଏହାର ଭୋଟ ଅଂଶ ୬.୮ ପ୍ରତିଶତକୁ ହ୍ରାସ ପାଇଥିଲା। କିନ୍ତୁ ୨୦୨୦ ନିର୍ବାଚନ କଂଗ୍ରେସ ପାଇଁ ଏକ ବିପର୍ଯ୍ୟୟ ଥିଲା। ମହାଗଠବନ୍ଧନ ସହିତ କଂଗ୍ରେସ ୭୦ଟି ଆସନରେ ପ୍ରତିଦ୍ୱନ୍ଦ୍ୱିତା କରିଥିଲା, କିନ୍ତୁ ମାତ୍ର ୧୯ଟି ଜିତିଥିଲା ଏବଂ ଏହାର ଭୋଟ ଅଂଶ ସାମାନ୍ୟ ବୃଦ୍ଧି ପାଇ ୯.୬ ପ୍ରତିଶତକୁ ବୃଦ୍ଧି ପାଇଥିଲା। କଂଗ୍ରେସ ଦଳର ଅବସ୍ଥା ଏପରି ଥିଲା ଯେ ୨୦୨୪ ଲୋକସଭା ନିର୍ବାଚନରେ ମଧ୍ୟ ଏହାକୁ RJD ଉପରେ ନିର୍ଭର କରିବାକୁ ପଡିଲା। ୨୦୨୪ ଲୋକସଭା ନିର୍ବାଚନରେ NDAକୁ ମୁକାବିଲା କରିବା ପାଇଁ ବିରୋଧୀ ଦଳଗୁଡ଼ିକ ଇଣ୍ଡିଆ ନାମକ ଏକ ଜାତୀୟ ମେଣ୍ଟ ଗଠନ କରିଥିଲେ। ଏହା ବିହାରରେ NDAକୁ ୯ଟି ଆସନ ହରାଇ ଲାଭ ଦେଇଥିଲା। ୪୦ଟି ସଂସଦୀୟ ଆସନରୁ ୩୯ଟି ଜିତି ରେକର୍ଡ ସୃଷ୍ଟି କରିଥିବା NDA ମାତ୍ର ୩୦ଟି ଜିତିଥିଲା। ଯାହା ଜାତୀୟ ସ୍ତରରେ କଂଗ୍ରେସର ପ୍ରଦର୍ଶନ ସାମାନ୍ୟ ଉନ୍ନତ କରିଥିଲା, ଲୋକସଭାରେ ୯୯ଟି ଆସନ ଜିତିଥିଲା ଯାହା ପୂର୍ବ ଦୁଇଟି ନିର୍ବାଚନରେ ଏହାର ସଂଖ୍ୟା ପ୍ରାୟ ଦ୍ୱିଗୁଣିତ କରିଥିଲା। ଲୋକସଭା ନିର୍ବାଚନ ପୂର୍ବରୁ ରାହୁଲ ଗାନ୍ଧୀ ଦେଶବ୍ୟାପୀ ଭାରତ ଯୋଡୋ ଯାତ୍ରା ଆରମ୍ଭ କରିଥିଲେ। ସେ ଭୁଲିଯାଇଥିଲେ ଯେ କଂଗ୍ରେସର ଆସନ ବୃଦ୍ଧିର ପ୍ରକୃତ କାରଣ ତାଙ୍କ ଯାତ୍ରାର ଫଳାଫଳ ନୁହେଁ, ବିରୋଧୀ ଏକତା ଥିଲା। ଏହା ତାଙ୍କୁ ଏତେ ଉତ୍ସାହିତ କରିଥିଲା ଯେ ବିହାରରେ ମହାଗଠବନ୍ଧନକୁ ଖାତିର ନକରି ସେ ସମ୍ବିଧାନ ଏବଂ ଗଣତନ୍ତ୍ରକୁ ବଞ୍ଚାଇବା ନାମରେ ବାରମ୍ବାର ଯାତ୍ରା ଆରମ୍ଭ କରିଥିଲେ। ସେ ସଂଗଠନକୁ ପୁନର୍ବାର ସଜାଡ଼ିଥିଲେ।ତେଜସ୍ୱୀ ଯାଦବଙ୍କ ପ୍ରତିଦ୍ୱନ୍ଦ୍ୱୀ କନହୈୟା କୁମାରଙ୍କୁ “ପ୍ରବାସନ ବନ୍ଦ କରନ୍ତୁ, ଚାକିରି ଦିଅନ୍ତୁ ଯାତ୍ରା”ରେ ବିହାର ସାରା ପଠାଯାଇଥିଲା। ସମ୍ପ୍ରତି ସେ ନିର୍ବାଚନ କମିଶନଙ୍କ ଉପରେ ଭୋଟ ଚୋରିର ଅଭିଯୋଗ ଆଣି ବିହାରରେ ଏକ ପନ୍ଦର ଦିନ ଧରି ଭୋଟର ଅଧିକାର ଯାତ୍ରା ଆରମ୍ଭ କରିଥିଲେ।
ଆରଜେଡି ଅଲଗା ଲଢ଼ିଲେ ମିଳିବ ଫାଇଦା
ଆରଜେଡି ଭଲ ଭାବରେ ଜାଣିଛି ଯେ କଂଗ୍ରେସ ସହିତ ରହିବା ପାଇଁ ତାଙ୍କର ଅଯଥା ସର୍ତ୍ତଗୁଡ଼ିକୁ ଗ୍ରହଣ କରିବା ବିପଦର ପୁନରାବୃତ୍ତି ବ୍ୟତୀତ ଆଉ କିଛି ନୁହେଁ। ମହାଗଠବନ୍ଧନ ୨୦୨୦ରେ ସରକାର ଗଠନ କରିବାରେ ବିଫଳ ହୋଇଥିଲା କାରଣ ଏହା କଂଗ୍ରେସକୁ କ୍ଷମତାଠାରୁ ଅଧିକ ଆସନ ଦେଇଥିଲା। ତେଜସ୍ୱୀ ମୁଖ୍ୟମନ୍ତ୍ରୀଙ୍କ ଚୌକି ପାଖରେ ପହଞ୍ଚିବା ସତ୍ତ୍ବେ କିନ୍ତୁ ଏହାକୁ ଦଖଲ କରିବାରେ ବିଫଳ ହୋଇଥିଲେ। ତେଜସ୍ୱୀ ପାଞ୍ଚ ବର୍ଷ ଧରି ଏହି ଦୁଃଖରେ ଦୁଃଖିତ ଅଛନ୍ତି। ସେ ଏଥର ଏହାକୁ ସଂଶୋଧନ କରିପାରିଥାନ୍ତେ, କିନ୍ତୁ ସେ କଂଗ୍ରେସର ଦ୍ୱନ୍ଦ୍ୱରେ ଫସିଯାଇଛନ୍ତି। ନିର୍ବାଚନ ନିକଟତର ଏବଂ ଟିକେଟ ବଣ୍ଟନକୁ ଚୂଡ଼ାନ୍ତ କରିବା ଅପେକ୍ଷା ରାହୁଲ ଗାନ୍ଧୀଙ୍କ ବିଦେଶ ଯାତ୍ରା ଜରୁରୀ। ତେଜସ୍ୱୀଙ୍କୁ ମୁଖ୍ୟମନ୍ତ୍ରୀ ଭାବରେ ଘୋଷଣା କରିବାରେ ଅନିଚ୍ଛା, ୭୦ ଆସନ ପାଇଁ ଜିଦ୍ ଏବଂ ଉପ-ମୁଖ୍ୟମନ୍ତ୍ରୀ ପଦବୀ ପାଇଁ ଦାବି ତେଜସ୍ୱୀଙ୍କ ମୁଖ୍ୟମନ୍ତ୍ରୀ ହେବାର ସମ୍ଭାବନାକୁ ବାଧା ଦେଇପାରେ।
ପୋଲିସ SI ଚାକିରି ଜାଲିଆତି ଘଟଣା ; ଫେକ୍ ସିଣ୍ଡିକେଟର ଖୋଲୁଛି ଗୁମର
ଭୁବନେଶ୍ବର : ପୋଲିସ SI ଚାକିରି ଜାଲିଆତି ଘଟଣା। ଫେକ୍ ସିଣ୍ଡିକେଟର ଖୋଲୁଛି ଗୁମର । SI ପରୀକ୍ଷା ଓ ନିଯୁକ୍ତି କେଳେଙ୍କାରୀକୁ ନେଇ ରାଜ୍ୟ ରାଜନୀତି ସରଗରମ ଥିବା ବେଳେ ଧିରେ ଧିରେ ଗୁମର ଖୋଲିବାରେ ଲାଗିଛି । ଗତକାଲି କଟକ ବିଦ୍ୟାଧରପୁରର ବିଶ୍ୱରଞ୍ଜନ ବେହେରାକୁ ଗିରଫ କରିଛି କ୍ରାଇମବ୍ରାଞ୍ଚ । ତେବେ ସବୁଠାରୁ ସାଙ୍ଘାତିକ ଓ ସଙ୍ଗୀନ ଘଟଣା ହେଉଛି ଅଭିଯୁକ୍ତ ବିଶ୍ୱରଞ୍ଜନ ଜଣେ ପୋଲିସ କର୍ମଚାରୀ । ସେ ସ୍ପେଶାଲ ସିକ୍ୟୁରୀଟି ବାଟାଲିୟନ ବା SSB ଯବାନ । ୨୦୧୮ ବ୍ୟାଚରେ ବିଶ୍ଵରଂଜନକୁ ନିଯୁକ୍ତି ମିଳିଥିଲା । ପୂର୍ବରୁ ଲୋକସେବା ଭବନ ସମେତ ବହୁ ଗୁରୁତ୍ୱପୂର୍ଣ୍ଣ ସ୍ଥାନରେ ସେ ଡ୍ୟୁଟି କରିଛନ୍ତି । ସେପଟେ କ୍ରାଇମବ୍ରାଞ୍ଚ ଦେଇଥିବା ପ୍ରେସ ରିଲିଜ ମୁତାବକ ବିଶ୍ୱରଞ୍ଜନ ଠକେଇ ସିଣ୍ଡିକେଟର ମେମ୍ବର ବା ଦଲାଲ ଭାବେ କାମ କରୁଥିଲା । ଏଠାରେ ପ୍ରଶ୍ନ ଉଠୁଛି ଦଲାଲ ଜଣଙ୍କ ଯଦି ପୋଲିସ ଡିପାର୍ଟମେଣ୍ଟରେ କାମ କରୁଥିଲେ, ତେବେ ଏହି ଠକେଇ ସିଣ୍ଡିକେଟର ମାଷ୍ଟରମାଇଣ୍ଡ କିଏ ?
ଠକେଇ ସିଣ୍ଡିକେଟରେ ଆଉ କିଛି ପୋଲିସ ଅଧିକାରୀ ନାହାନ୍ତି ତ ? ଯଦି ଅଛନ୍ତି ସେମାନଙ୍କୁ ଧରିବାକୁ କାହିଁକି ପଛଘୁଞ୍ଚା ଦେଉଛି କ୍ରାଇମବ୍ରାଞ୍ଚ ? ପୂର୍ବରୁ ଏହି କେସରେ ୧୧୪ ପରୀକ୍ଷାର୍ଥୀଙ୍କ ସହ ୩ ଜଣ ଦଲାଲଙ୍କୁ ଗିରଫ କରାଯାଇଥିଲା। ଗତକାଲି ବିଶ୍ୱରଞ୍ଜନଙ୍କୁ ଗିରଫ ପରେ ଗିରଫଦାରୀ ସଂଖ୍ୟା ୧୧୮ରେ ପହଁଚିଛି। ତେବେ ରାଜ୍ୟ ଭିତରେ ଓ ବାହାରେ ନିଯୁକ୍ତି କେଲେଙ୍କାରୀର ମାଷ୍ଟରମାଇଣ୍ଡକୁ ଧରିବା ପାଇଁ ଚଢ଼ାଉ ଆରମ୍ଭ ହୋଇଛି। ବିଭିନ୍ନ ଶିକ୍ଷାନୁଷ୍ଠାନର ମାଲିକଙ୍କୁ ସ୍କାନରକୁ ନିଆଯାଇଛି। ଅଭିଯୁକ୍ତଙ୍କ ସିଡ଼ିଆର ରିପୋର୍ଟ ଯାଞ୍ଚ ହେଉଛି। ଆବଶ୍ୟକସ୍ଥଳେ ଆର୍ଥିକ କାରବାର ନେଇ ବ୍ୟାଙ୍କକୁ ଚିଠି ଲେଖାଯିବ। ରାଜ୍ୟ ସରକାରଙ୍କ ପକ୍ଷରୁ ମଧ୍ୟ ତନାଘନାକୁ ବ୍ୟାପକ କରାଯାଇଛି।୨୦୨୪ ଜୁନରୁ ଆଜି ପର୍ଯ୍ୟନ୍ତ ବାତିଲ ହୋଇଥିବା ପରୀକ୍ଷା ଗୁଡିକର ରିପୋର୍ଟ ଦାଖଲ କରିବାକୁ ସମସ୍ତ ବୋର୍ଡ ଓ ଆୟୋଗଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ମାଷ୍ଟରମାଇଣ୍ଡ ଧରାପଡିଲେ ଠକେଇ ସିଣ୍ଡିକେଟର ସାଙ୍ଘାତିକ ସତ ପଦାକୁ ଆସିବ । ପୋଲିସ ଭଳି ଏକ ଦାୟିତ୍ବପୂର୍ଣ୍ଣ ବିଭାଗରେ ଏଭଳି ଘଟଣା ପଦାକୁ ଆସିବା ପରେ OPRBର ଅସଲ ମୁଖା ପଦାରେ ପଡିଛି ।
ଏସଆଇ ପରୀକ୍ଷା ମହା ଦୁର୍ନୀତିର ଅନ୍ୟତମ ମୁଖ୍ୟ କାର୍ପଟଦାର କୁହାଯାଉଥିବା ଶଙ୍କର ପୃଷ୍ଟି ଫେରାର ହୋଇଯାଇଛି ବୋଲି କୁହାଯାଉଛି । କିନ୍ତୁ ଶଙ୍କର ପୃଷ୍ଟି ଦୁଇଦିନ ତଳେ ଭୁବନେଶ୍ବର ରାଜରାସ୍ତାରେ ବୁଲୁଥିଲା ବୋଲି ଏକ ସୂତ୍ରରୁ ଜଣାପଡ଼ିଛି । OD-07-AU-9777 ଗାଡିରେ ଶଙ୍କର ବୁଲୁଥିବାର ଦେଖାଯାାଇଛି । ଏହି ଗାଡ଼ି ରହିଛି ଶଙ୍କର ପୃଷ୍ଟି ନାଁରେ । ଶଙ୍କର ପୃଷ୍ଟିର ସଂପୂର୍ଣ୍ଣ ଠିକଣା ମଧ୍ୟ ଓନର ଇନଫର୍ମେସନରେ ସ୍ପଷ୍ଟ ଲେଖାଯାଇଛି । ଶଙ୍କର ପୃଷ୍ଟି ହେଉଛି ପଞ୍ଚସଫ୍ଟର ମାଲିକ । ଏସଆଇ ପରୀକ୍ଷା ମହା ଦୁର୍ନୀତିରେ ପଞ୍ଚସଫ୍ଟ ସଂସ୍ଥାର ପ୍ରମୁଖ ଭୂମିକା ରହିଥିବା କୁହାଯାଉଛି । ଓଡ଼ିଶା ପୋଲିସ ରିକ୍ରୁଟମେଣ୍ଟ ବୋର୍ଡ ଗୁଜରାଟ ଆଇଟିଆଇକୁ ଦାୟିତ୍ବ ଦେଇଥିଲା । ତାପରେ ଏହି ଦାୟିତ୍ବ ସିଲିକନ ଟେକ୍ ଲାବକୁ ମିଳିଥିଲା । ସିଲିକନ ଟେକ୍ ଲାବ୍ ଏହି ଦାୟିତ୍ବ ପଞ୍ଚ ସଫ୍ଟକୁ ସବଲେଟିଙ୍ଗ୍ କରିଥିଲା । ଶଙ୍କର ପୃଷ୍ଟିର ଘର ଗଞ୍ଜାମ ଜିଲ୍ଲାର ହିଞ୍ଜଳିକାଟୁ ନିକଟସ୍ଥ ବ୍ରାହ୍ମଣସାହି ଗ୍ରାମରେ । ବ୍ରହ୍ମପୁରରେ ମଧ୍ୟ ଶଙ୍କର ପୃଷ୍ଟିର ଘର ରହିଛି । କିନ୍ତୁ ସେହି ଘରେ ତାଲା ପଡ଼ିଛି । ଶଙ୍କର ପୃଷ୍ଟି ସଂପର୍କରେ ଆଉ ଏକ ସାଂଘାତିକ ତଥ୍ୟ ମଧ୍ୟ ସାମ୍ନାକୁ ଆସିଛି । ମହାରାଷ୍ଟ୍ରର ଜଣେ ବ୍ୟକ୍ତି ସହ ଶଙ୍କର ପୃଷ୍ଟିର ଘନିଷ୍ଠତା ରହିଛି । ମହାରାଷ୍ଟ୍ରର ଏହି ବ୍ୟକ୍ତିଙ୍କର ରାଜ୍ୟ ସରକାରରେ ବିଶେଷ ପ୍ରଭାବ ରହିଛି । ମାଇନ୍ସ ଟେଣ୍ଡରରୁ ଆରମ୍ଭ କରି ବିଭିନ୍ନ କେଳେଙ୍କାରୀରେ ଏହି ବ୍ୟକ୍ତି ଜଣଙ୍କର ସଂପୃକ୍ତି ରହିଛି । ସେ ହିଁ ଶଙ୍କର ପୃଷ୍ଟିକୁ ନେଇ ରାଜ୍ୟ ସରରାରର ବଡ଼ବଡ଼ିଆଙ୍କ ସହ ସାକ୍ଷାତ କରାଇବା ସହ ମଧ୍ୟସ୍ଥତା କରିଥିବା ଆଲୋଚନା ହେଉଛି । ଏହି ମରାଠୀ ବ୍ୟକ୍ତିଙ୍କୁ କ୍ରାଇମବ୍ରାଞ୍ଚ ପଚରାଉଚରା କଲେ ବହୁ ତଥ୍ୟ ପଦାକୁ ଆସିବ । ଏହି ବ୍ୟକ୍ତିଙ୍କ ଜରିଆରେ ଶଙ୍କର ପୃଷ୍ଟି ମହାରାଷ୍ଟ୍ରରେ ମଧ୍ୟ ଘର କିଣିଥିବା ଜଣାପଡ଼ିଛି ।
ଏସଆଇ ପରୀକ୍ଷା ମହାଦୁର୍ନୀତିର ଆଉ ଏକ ଏକ୍ସକ୍ଲୁସିଭ ଭିଡିଓ ନନ୍ଦିଘୋଷ ଚିଭି ହାତରେ ଲାଗିଛି । ଦଲାଲ ମୁନ୍ନା ମହାନ୍ତି ନିଜ ସ୍କର୍ପିଓରେ ନେଇ ଛାଡୁଥିବା ଭିଡିଓ ଆମ ହାତରେ ଲାଗିଛି । ସ୍କର୍ପିଓଟି ହେଉଛି ମୁନ୍ନା ମହାନ୍ତିର। ସ୍କର୍ପିଓର ଡିଟେଲ୍ସ ମଧ୍ୟ ଦେଖନ୍ତୁ । ତାର ଗାଡ଼ି ନମ୍ବର ହେଉଛି OD-02 CL-2487 । ମୁନ୍ନା ମହାନ୍ତିର ଘର କଟକ ଜିଲ୍ଲା କଳା ପଥରରେ ବୋଲି ମଧ୍ୟ ଏଥିରେ ଉଲ୍ଲେଖ ରହିଛି । ମୁନ୍ନା ମହାନ୍ତି ହେଉଛି ଶଙ୍କର ପୃଷ୍ଟିର ଘନିଷ୍ଠ ସହଯୋଗୀ । ଭୁବନେଶ୍ବରରୁ ଆଶାୟୀ ପ୍ରାର୍ଥୀଙ୍କୁ ହାଇଦ୍ରାବାଦ ନେବା ଲାଗି ମୁନ୍ନା ମହାନ୍ତି ହିଁ ୩ଟି ବସ ଭଡ଼ା କରିଥିଲା ବୋଲି ସୂଚନା ରହିଛି। ଏହି ଭିଡିଓରେ ସ୍ପଷ୍ଟ ଦେଖାଯାଉଛି ଯେ, ମୁନ୍ନା ମହାନ୍ତି ଆଶାୟୀ ପ୍ରାର୍ଥୀଙ୍କୁ ଭୁବନେଶ୍ବରର କୌଣସି ଏକ ଓଭରବ୍ରିଜ ନିକଟରେ ଛାଡ଼ି ନିଜ ସ୍କର୍ପିଓରେ ଫେରୁଛି। ଘଟଣା ପଦାକୁ ଆସିବା ପରେ ଶଙ୍କର ପୃଷ୍ଟି ଏବଂ ମୁନ୍ନା ମହାନ୍ତିର ପତ୍ତା ମିଳୁନାହିଁ ।
SI ନିଯୁକ୍ତି ଜାଲିଆତି ନେଇ ପୁଣି ବର୍ଷିଲା ବିଜେଡି। ଏକ ପ୍ରେସମିଟରେ ବିଜେଡିର ନେତା ପ୍ରୀତିରଂଜନ ଘଡ଼େଇ ଅଭିଯୋଗ କରିଛନ୍ତି, ବଡ଼ ମୁଣ୍ଡମାନଙ୍କୁ ଖସାଇବାକୁ ଚେଷ୍ଟା ହେଉଛି। ସେଥିପାଇଁ କେବଳ ଦଲାଲମାନଙ୍କୁ ଗିରଫ କରାଯାଉଛି। ରିଚ୍ ମାଇଣ୍ଡକୁ ପରୀକ୍ଷା ଦାୟିତ୍ଵରୁ ହଟାଇ କାହିଁକି ସିଲିକନ୍ କୁ ଦାୟିତ୍ଵ ଦିଆଯାଇଥିଲା। ଏହି ନିଷ୍ପତ୍ତି ପଛରେ କିଏ ଅଛି। ତାର ନାଁ ଖୁଲାସା କରନ୍ତୁ ବୋଲି ଦାବି କରିଛି ବିଜେଡି। ପ୍ରୀତିରଂଜନ ଦାବି କରିଛନ୍ତି ଉତ୍ତର ରଖନ୍ତୁ ଡିଜି, କ୍ରାଇମବ୍ରାଞ୍ଚ, ଓପିଆରବି। କାହିଁକି ସେମାନେ ଚୁପ୍ ରହୁଛନ୍ତି। ମୁଖ୍ୟମନ୍ତ୍ରୀ ଯୁବବର୍ଗଙ୍କୁ ନ୍ୟାୟ ଦିଅନ୍ତୁ। ସେଥିପାଇଁ ସିବିଆଇ ତଦନ୍ତ କରାନ୍ତୁ । ନ ହେଲେ ଏହି ସରକାର ଓ ମୁଖ୍ୟମନ୍ତ୍ରୀ ଏହି ସ୍କାମରେ ସଂପୃକ୍ତ ବୋଲି ଧରାଯିବ। ୨୫୦ କୋଟି ଟଙ୍କାର ସ୍କାମ ହୋଇଥିବା ଅଭିଯୋଗ କରିଛନ୍ତି ପ୍ରୀତିରଂଜନ ଘଡ଼ାଇ।
ହଠାତ କାହିଁକି ମାର୍ଚ୍ଚ ୭ ତାରିଖରେ ହେବାକୁ ଥିବା ପରୀକ୍ଷାକୁ ଘୁଞ୍ଚାଇ ଦିଆଗଲା ବୋଲି ମଧ୍ୟ ସେ ପ୍ରଶ୍ନ କରିଛନ୍ତି। ପୁରା ସଂଗଠିତ ଭାବେ ଦୁର୍ନୀତି କରିବାକୁ, ଏସଆଇ ଚାକିରି ବିକ୍ରି କରିବାକୁ ଏହି ଷଡ଼ଯନ୍ତ୍ର ହୋଇଥିବାର ସଂଗୀନ ଅଭିଯୋଗ ଆଣିଛି ବିଜେଡି।
SI ନିଯୁକ୍ତି ର ଫିଟିବ ଗୁମର । ଶ୍ରୀ Lingaraj Infosol ରେ ହେବ ଚଢ଼ାଉ । କ୍ରାଇମବ୍ରାଞ୍ଚ ଚଢ଼ାଉ ପୂର୍ବରୁ ସେଣ୍ଟର ସିଲ କରିଛି ନନ୍ଦନକାନନ ଥାନା ପୋଲିସ । କ୍ରାଇମବ୍ରାଞ୍ଚ ଉପସ୍ଥିତିରେ ଜବତ ହୋଇପାରେ ଗୁରୁତ୍ୱପୂର୍ଣ୍ଣ ତଥ୍ୟ।
ପୋଲିସ SI ମହାକେଳେଙ୍କାରୀ ମାମଲା : ମୁଖ୍ୟ ଅଭିଯୁକ୍ତ ଶଙ୍କର ପୃଷ୍ଟିର ବୁଲୁଛି ଗାଡ଼ି
ନନ୍ଦିଘୋଷ ବ୍ୟୁରୋ : ଏସଆଇ ପରୀକ୍ଷା ମହା ଦୁର୍ନୀତିର ଅନ୍ୟତମ ମୁଖ୍ୟ କାର୍ପଟଦାର କୁହାଯାଉଥିବା ଶଙ୍କର ପୃଷ୍ଟି ଫେରାର ହୋଇଯାଇଛି ବୋଲି କୁହାଯାଉଛି। କିନ୍ତୁ ଶଙ୍କର ପୃଷ୍ଟି ଦୁଇଦିନ ତଳେ ଭୁବନେଶ୍ବର ରାଜରାସ୍ତାରେ ବୁଲୁଥିଲା ବୋଲି ଏକ ସୂତ୍ରରୁ ଜଣାପଡ଼ିଛି। ଏହି ଗାଡ଼ିକୁ ଦେଖନ୍ତୁ । ଏହାର ନମ୍ବର ହେଉଛି OD-07-AU-9777। ଏହି ଗାଡ଼ି ରହିଛି ଶଙ୍କର ପୃଷ୍ଟି ନାଁରେ। ଶଙ୍କର ପୃଷ୍ଟିର ସଂପୂର୍ଣ୍ଣ ଠିକଣା ମଧ୍ୟ ଗାଡି ସୂଚନାରେ ସ୍ପଷ୍ଟ ଲେଖାଯାଇଛି।
ଶଙ୍କର ପୃଷ୍ଟି ହେଉଛି ପଞ୍ଚସଫ୍ଟର ମାଲିକ। ଏସଆଇ ପରୀକ୍ଷା ମହାଦୁର୍ନୀତିରେ ପଞ୍ଚସଫ୍ଟ ସଂସ୍ଥାର ପ୍ରମୁଖ ଭୂମିକା ଥିବା କୁହାଯାଉଛି। ଓଡ଼ିଶା ପୋଲିସ ରିକ୍ରୁଟମେଣ୍ଟ ବୋର୍ଡ ଗୁଜରାଟ ଆଇଟିଆଇକୁ ଦାୟିତ୍ବ ଦେଇଥିଲା। ତାପରେ ଏହି ଦାୟିତ୍ବ ସିଲିକନ ଟେକ୍ ଲାବକୁ ମିଳିଥିଲା । ସିଲିକନ ଟେକ୍ ଲାବ୍ ଏହି ଦାୟିତ୍ବ ପଞ୍ଚ ସଫ୍ଟକୁ ସବଲେଟିଙ୍ଗ୍ କରିଥିଲା । ଶଙ୍କର ପୃଷ୍ଟିର ଘର ଗଞ୍ଜାମ ଜିଲ୍ଲାର ହିଞ୍ଜଳିକାଟୁ ନିକଟସ୍ଥ ବ୍ରାହ୍ମଣସାହି ଗ୍ରାମରେ। ବ୍ରହ୍ମପୁରରେ ମଧ୍ୟ ଶଙ୍କର ପୃଷ୍ଟିର ଘର ରହିଛି। କିନ୍ତୁ ସେହି ଘରେ ତାଲା ପଡ଼ିଛି।
ଶଙ୍କର ପୃଷ୍ଟି ସଂପର୍କରେ ଆଉ ଏକ ସାଂଘାତିକ ତଥ୍ୟ ମଧ୍ୟ ସାମ୍ନାକୁ ଆସିଛି। ମହାରାଷ୍ଟ୍ରର ଜଣେ ବ୍ୟକ୍ତି ସହ ଶଙ୍କର ପୃଷ୍ଟିର ଘନିଷ୍ଠତା ରହିଛି। ମହାରାଷ୍ଟ୍ରର ଏହି ବ୍ୟକ୍ତିଙ୍କର ରାଜ୍ୟ ସରକାରରେ ବିଶେଷ ପ୍ରଭାବ ରହିଛି। ମାଇନ୍ସ ଟେଣ୍ଡରରୁ ଆରମ୍ଭ କରି ବିଭିନ୍ନ କେଳେଙ୍କାରୀରେ ଏହି ବ୍ୟକ୍ତି ଜଣଙ୍କର ସଂପୃକ୍ତି ରହିଛି। ସେ ହିଁ ଶଙ୍କର ପୃଷ୍ଟିକୁ ନେଇ ରାଜ୍ୟ ସରକାରର ବଡ଼ବଡ଼ିଆଙ୍କ ସହ ସାକ୍ଷାତ କରାଇବା ସହ ମଧ୍ୟସ୍ଥତା କରିଥିବା ଆଲୋଚନା ହେଉଛି। ଏହି ମରାଠୀ ବ୍ୟକ୍ତିଙ୍କୁ କ୍ରାଇମବ୍ରାଞ୍ଚ ପଚରାଉଚରା କଲେ ବହୁ ତଥ୍ୟ ପଦାକୁ ଆସିବ। ଏହି ବ୍ୟକ୍ତିଙ୍କ ଜରିଆରେ ଶଙ୍କର ପୃଷ୍ଟି ମହାରାଷ୍ଟ୍ରରେ ମଧ୍ୟ ଘର କିଣିଥିବା ଜଣାପଡ଼ିଛି।

