spot_img
Home Blog Page 429

ଶ୍ରୀମନ୍ଦିରରେ ଶ୍ରୀଜିଉଙ୍କ ରାଧା ଦାମୋଦର ବେଶ

ପୁରୀ : ଆଶ୍ବିନ ମାସ ଶୁକ୍ଳପକ୍ଷ ଏକାଦଶୀ । ଶ୍ରୀମନ୍ଦିରରେ ରାଧା ଦାମୋଦର ବେଶ । କାର୍ତ୍ତିକ ନୀତିକାନ୍ତି ସହ ସ୍ବତନ୍ତ୍ର ବାଳଭୋଗ । ଶ୍ରୀକ୍ଷେତ୍ର ଆସି ସକଳ୍ପ ନେଲେ ହବିଷ୍ଯାଳି । କାର୍ତ୍ତିକ ମାସ ଶୁକ୍ଳ ଏକାଦଶୀ ପର୍ଯ୍ୟନ୍ତ ମାସ ଧରି ଶ୍ରୀମନ୍ଦିରରେ ପ୍ରତିଦିନ ଶ୍ରୀଜୀଉଙ୍କର ଅନୁଷ୍ଠିତ ହୁଏ ରାଧା ଦାମୋଦର ବେଶ । ଏହାସହ ଆଜିଠାରୁ କାର୍ତ୍ତିକ ପୂର୍ଣ୍ଣିମା ପର୍ଯ୍ୟନ୍ତ ପ୍ରତ୍ୟହ ଅନୁଷ୍ଠିତ ହୋଇଥାଏ ସ୍ୱତନ୍ତ୍ର ବାଳଭୋଗ ନୀତି। ଶ୍ରୀମନ୍ଦିରରେ ରାଧା ଦାମୋଦର ବେଶ ଦର୍ଶନ ଓ ବାଳଭୋଗ ପାଇବା ପାଇଁ ହବିଷ୍ୟାଳି ବ୍ରତ ପାଳନ କରିଥାନ୍ତି । ବିଶ୍ୱାସ ରହିଅଛି ମହାପ୍ରଭୁଙ୍କୁ ଏହି ମାସ ତମାମ ପୁଜାପାଠ ସହ ଦର୍ଶନ ମୋକ୍ଷ ପ୍ରାପ୍ତିର ମାର୍ଗ ଦର୍ଶାଇ ଥାଏ ।

ଧର୍ମମାସ କାର୍ତ୍ତିକ କୁମାର ପୂର୍ଣ୍ଣିମା ଠାରୁ ଆରମ୍ଭ ହେଉଥିବା ସତ୍ତ୍ବେ ଆଶ୍ବିନ ଏକାଦଶୀ ଠାରୁ ଶ୍ରୀମନ୍ଦିରରେ ଶ୍ରୀଜୀଉଙ୍କର ରାଧା ଦାମୋଦର ବେଶ ଆରମ୍ଭ ହେଉଥିବାରୁ ବହୁ ଭକ୍ତ ହବିଷ୍ୟ ବ୍ରତ ନେଇ ସଂକଳ୍ପ କରିଛନ୍ତି । ପ୍ରତ୍ୟେହ ବଡି ଭୋରରୁ ସ୍ନାନ ଓ ପରେ ଶ୍ରୀଜୀଉଙ୍କ ଦର୍ଶନ ସହ ଏକ ବକ୍ତ ଭୋଜନ କରି ପୁଜାପାଠ ଓ ନାମ ସଂକୀର୍ତ୍ତନ ସହ କାର୍ତ୍ତିକ ପୂର୍ଣ୍ଣିମା ପର୍ଯ୍ୟନ୍ତ ବ୍ରତ ପାଳନ କରିବେ ବୋଲି କହିଛନ୍ତି ବ୍ରତଧାରୀ । ଚଳିତ ବର୍ଷ କାର୍ତ୍ତିକ ବ୍ରତ ପାଳନ ନେଇ ପୁରୀରେ ଆଜିଠାରୁ ପ୍ରବଳ ଭକ୍ତଙ୍କ ସମାଗମ ହେଲାଣି ।

ଦଶହରା ଅବସରରେ ପାଇକ କ୍ରୀଡ଼ା

ହିନ୍ଦୋଳ : ଦଶହରାରେ ପାଇକ କ୍ରୀଡ଼ା । ବୀର ପାଇକ ପୁଅଙ୍କ ରଣ କୌଶଳ ପ୍ରଦର୍ଶନ । ବଜାୟ ରହିଛି ରାଜ ରାଜୁଡ଼ା ଅମଳର ପରମ୍ପରା। ଢେଙ୍କାନାଳ ଜିଲ୍ଲା ହିନ୍ଦୋଳ ଗଡ଼ଜାତ ଅଂଚଳର ଦୃଶ୍ୟ । ଦଶହରା ଅବସରରେ ବୀର ପାଇକ ପୁଅ ଦେଖାଇଛନ୍ତି ରଣ କୌଶଳ । ବାଡ଼ି ଖେଳ, ଖଣ୍ଡା ଖେଳ ସହ ଶଗଡ଼ ଚକାରେ ଖେଳ, ମୁଣ୍ଡରେ ନଡ଼ିଆ ଫଟେଇବା, ଛାତିରେ ପଥର ଭାଙ୍ଗିବା ସହ ନିଆଁ ଖେଳ ଭଳି ଅନେକ ବିପଦପୂର୍ଣ୍ଣ ଖେଳ ପ୍ରଦର୍ଶନ କରିଛନ୍ତି ଆଜିର ପାଇକ ପୁଅ ।  ହିନ୍ଦୋଳ ଗଡ଼ଜାତ ଅଂଚଳର ଗାଁ ମାନଙ୍କରେ ଦେଖିବାକୁ ମିଳେ ଏହି କ୍ରୀଡ଼ା । ବୀର ପାଇକ ପୁଅ ମାନେ ଏହି ଖେଳ ମାଧ୍ୟମରେ ତାଙ୍କର ବୀରତ୍ବର ପରିଚୟ ଦେଇଥାନ୍ତି।

ଦୁଦୁରକୋଟ ଗାଁ ଗଜତଜନନୀ ପାଇକ ସଂଘ ପକ୍ଷରୁ ପାଇକ କ୍ରୀଡ଼ା ଅନୁଷ୍ଠିତ ହୋଇଛି । ଇଷ୍ଟ ଦେବୀ ରାମଚଣ୍ଡୀଙ୍କ ପୂଜାର୍ଚ୍ଚନା ପରେ ଗାଁରେ ଏହି ବୀର ପାଇକଙ୍କ ଦ୍ବାରା ବିଭିନ୍ନ ପ୍ରକାର ରଣକୌଶଳ ପ୍ରଦର୍ଶନ କରାଯାଇଥାଏ। ଏହାକୁ ଦେଖିବାକୁ ଆଖପାଖ ଅଞ୍ଚଳର ଶହ ଶହ ଲୋକେ ଏକାଠି ହୋଇଥାନ୍ତି। ସରକାର ଏହାକୁ କେବଳ କ୍ରୀଡା ଭାବେ ମାନ୍ୟତା ଦେଇଛନ୍ତି। ହେଲେ କୌଣସି ଆର୍ଥିକ ପ୍ରୋତ୍ସାହନ ମିଳୁନଥିବାରୁ ପାଇକଙ୍କ ଭିତରୋ ଅସନ୍ତୋଷ ପ୍ରକାଶ ପାଇଛି। ସରକାର ଆର୍ଥିକ ପ୍ରୋତ୍ସାହନ ଯୋଗାଇଲେ ଏହି କ୍ରୀଡ଼ାର ପ୍ରଚାର ପ୍ରସାର ହୋଇପାରନ୍ତା ବୋଲି ସାଧାରଣରେ ମତ ପ୍ରକାଶ ପାଉଛି ।

ସମସ୍ୟା ଘେରରେ ଡମ୍ବଗୁଡା ସରକାରୀ ବିଦ୍ୟାଳୟ

ମୋହନା : ସ୍ମାର୍ଟ କ୍ଲାସ ରୁମରେ ମାଳ ମାଳ ଅବ୍ୟବସ୍ଥା।  ବିପଦପୂର୍ଣ୍ଣ ଭାବେ ଚାଲିଛି ପିଲାଙ୍କ ପାଠପଢା । ଦେଖନ୍ତୁ କିପରି କାନ୍ଥ ଫାଟି ଆଁ କରିଛି। କେତେବେଳେ ଯେ ଭୁଶୁଡି ପଡିବ ତାହା କହିବା ମୁସ୍କିଲ। କାନ୍ଥରୁ ଟାଇଲ ଖସି କିଛି ଛାତ୍ର ଆହତ ବି ହୋଇଛନ୍ତି। ଏ ଦୃଶ୍ୟ ହେଉଛି ଗଜପତି ଜିଲ୍ଲା ମୋହନା ବ୍ଲକ ଦୁର୍ଗମ ଅଞ୍ଚଳ ଡମ୍ବଗୁଡା ସ୍କୁଲର। ଏହି ବିଦ୍ୟାଳୟରେ ପ୍ରଥମରୁ ଦଶମ ଶ୍ରେଣୀ ପର୍ଯ୍ୟନ୍ତ ୧୫୨ ଜଣ ପିଲା ପାଠ ପଢୁଛନ୍ତି। ଯେଉଁଠି ଅଛନ୍ତି ମାତ୍ର ୬ ଜଣ ଶିକ୍ଷକ। ବିଦ୍ୟାଳୟରେ କମ୍ପ୍ୟୁଟର ଅଛି, କିନ୍ତୁ ନେଟୱାର୍କ ନ ଥିବାରୁ ହୋଇପାରୁନି ସ୍ମାର୍ଟ କ୍ୟାସ। ଶ୍ରେଣୀ ଗୃହର କାମ ନିର୍ମମlନର ହୋଇଥିବାରୁ ମାତ୍ର ଦୁଇ ବର୍ଷ ଭିତରେ ଏଭଳି ସ୍ଥିତି ହୋଇଥିବା ଅଭିଯୋଗ ହୋଇଛି।

୪୫ ଲକ୍ଷ ଟଙ୍କା ବ୍ୟୟରେ ନିର୍ମିତ ହୋଇଥିଲା ସ୍କୁଲ। ମାତ୍ର ୨ ବର୍ଷ ଭିତରେ ଶ୍ରେଣୀ ଗୃହ କୋଠା ଭିତର ଫାଟି ଆଁ କଲାଣି। ନିମ୍ନମାନର କାମ ଯୋଗୁଁ ଏଭଳି ହୋଇଥିବା ଅଭିଯୋଗ ହୋଇଛି। କେବଳ ଛୋଟ ମୋଟ ମରାମତି କରିବା ସହିତ ରଙ୍ଗ ମାରି ବିଦ୍ୟାଳୟ କାମ ସାରି ଦିଆଯାଇଥିବା କହିଛନ୍ତି ସ୍ଥାନୀୟ ଲୋକେ । ତେଣୁ ସମସ୍ୟାର ତୁରନ୍ତ ସମାଧାନ କରିବାକୁ ଦାବି ହୋଇଛି। ବିଦ୍ୟାଳୟର ଭିତ୍ତିଭୂମି ମରାମତି ପାଇଁ ଟଙ୍କା ଅନୁମୋଦନ ହେଉଛି। ହେଲେ କାମ ନିମ୍ନମାନର ହେଉଥିବାରୁ, ସରକାର ଏଦିଗରେ ଦୃଷ୍ଟି ଦେବା ଜରୁରୀ ହୋଇପଡ଼ିଛି।

ବିପର୍ଯ୍ୟସ୍ତ ସ୍ୱାସ୍ଥ୍ୟସେବା, ମିଳୁନି ପର୍ଯ୍ୟାପ୍ତ ବେଡ୍

ଡୁଙ୍ଗୁରିପାଲି : ବିପର୍ଯ୍ୟସ୍ତ ସ୍ୱାସ୍ଥ୍ୟସେବାର ବିକଳ ଚିତ୍ର। ଖୋଲା ବାରଣ୍ଡାରେ ଚିକିତ୍ସିତ ହେଉଛନ୍ତି ପ୍ରସୂତୀ ଓ ନବଜାତ । ମଶା ମାଛି ସହ ରହିଛି ସଂକ୍ରମଣର ଭୟ। ଏ ହେଉଛି ସୁବର୍ଣ୍ଣପୁର ଜିଲ୍ଲା ଡୁଙ୍ଗୁରିପାଲି ପ୍ରସୂତୀ ଓ ଶିଶୁ ଚିକିତ୍ସା କେନ୍ଦ୍ରର ଦୃଶ୍ୟ । କିଏ ଆଜି ତ ଆଉ କିଏ ଗତକାଲି ଶିଶୁକୁ ଧରି ବାରଣ୍ଡାରେ ଚିକିତ୍ସିତ ହେଉଛନ୍ତି l ପର୍ଯ୍ୟାପ୍ତ ବେଡ ଅଭାବରୁ ଏହି ଦୃଶ୍ୟ ଦେଖିବାକୁ ମିଲିଛି । ଗୋଟିଏ ପଟେ ସୁସ୍ଥ ନାରୀ ସଶକ୍ତ ପରିବାରର କ୍ୟାମ୍ପ ଚାଲିଥିବା ବେଳେ ଅନ୍ୟପଟେ ବାରଣ୍ଡାରେ ପଡି ସମସ୍ୟା ଭୋଗୁଛନ୍ତି ମା ଓ ନବଜାତ ଶିଶୁ। ଯାହାକୁ ଦୃଢ଼ ନିନ୍ଦା କରିବା ସହ ସରକାର ତୁରନ୍ତ ଦୃଷ୍ଟି ଦେବାକୁ ରୋଗୀ ଓ ସମ୍ପର୍କୀୟ ଦାବି କରିଛନ୍ତି l

ଅନ୍ୟପଟେ ବେଡ଼ ସମସ୍ୟାକୁ ସ୍ବୀକାର କରିଛନ୍ତି ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ। ସମସ୍ୟା ସଂପର୍କରେ ସରକାରଙ୍କୁ ବହୁପୂର୍ବରୁ ଅବଗତ କରାଯାଇଛି।  ଆବଶ୍ୟକ ଅନୁଯାୟୀ ବେଡ ସଂଖ୍ଯା ବଢ଼ାଇବା ନେଇ ପଦକ୍ଷେପ ନିଆଯିବ ବୋଲି  ସଫେଇ ଦେଇଛନ୍ତି ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ । ସରକାର ସୁସ୍ଥ ନାରୀ ଶସକ୍ତ ପରିବାରର ନାରା ଦେଉଥିବା ବେଳେ ଅନ୍ୟପଟେ ନବଜାତ ଓ ପ୍ରସ୍ତୁତି ବେଡ ନ ମିଳିବା ଯନ୍ତ୍ରଣାଦାୟକ ନିଶ୍ଚିତ ।

କାମ ଦେଲାନି ଆୟୁଷ୍ମାନ କାର୍ଡ, ଅଧା ଚିକିତ୍ସାରୁ ଘରକୁ ଫେରିଲେ ରୋଗୀ

ଋାୟଗଡା : କାମ ଦେଲାନି ଆୟୁଷ୍ମାନ କାର୍ଡ । ଡିସ୍ଚାର୍ଜ କଲେନି ମେଡିକାଲ କର୍ତ୍ତୃପକ୍ଷ । ଶେଷରେ ନିଜ କଷ୍ଟ ଅର୍ଜିତ ସମ୍ପତ୍ତିକୁ ବିକ୍ରିକରି ମେଡିକାଲ ବିଲ୍ ପୈଠ କଲେ। ଆଉ ଅଧା ଚିକିତ୍ସାରୁ ନିଜ ଘରକୁ ଫେରିଲେ କିଡନୀ ଆକ୍ରାନ୍ତ ରୋଗୀ । ଏ ହେଉଛନ୍ତି ରାୟଗଡାର ୪୭ ବର୍ଷୀୟ ବୃନ୍ଦାବନ ରାଉଲା । କିଡନୀ ରୋଗରେ  ଆକ୍ରାନ୍ତ । ଅସୁସ୍ଥ ହେବାରୁ ପ୍ରଥମେ ରାୟଗଡା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ଯାଇଥିଲେ । ସେଠାରେ କିଡନୀ ରୋଗ ହୋଇଥିବା ଜଣାପଡିଥିଲା । ଅଧିକ ଚିକିତ୍ସା ପାଇଁ ଆନ୍ଧ୍ରକୁ ଚାଲିଯାଇଥିଲେ । ପାଖରେ ପଇସା ନଥିଲେ ମଧ୍ୟ ଆୟୁଷ୍ମାନ କାର୍ଡ ଥିବାରୁ ମେଡିକାଲରେ ଭର୍ତ୍ତି ହେଲେ । ବିଶାଖାପାଟଣାର ଏକ ଘରୋଇ ଚିକିତ୍ସାଳୟରେ ଚିକିତ୍ସିତ ହୋଇଥିଲେ । ଚିକିତ୍ସା ବାବଦକୁ ୩ ଲକ୍ଷ ଟଙ୍କା ଅର୍ଥ ପୈଠ କରିବାକୁ ମେଡିକାଲ କର୍ତ୍ତୃପକ୍ଷ କହିଥିଲେ। ସେ ନିଜର ଆୟୁଷ୍ମାନ କାର୍ଡ ପ୍ରଦାନ କରିବାରୁ ଏହା କାମ ଦେବନି ବୋଲି କହିଥିଲେ । ବୃନ୍ଦାବନଙ୍କ ପାଦ ତଳୁ ମାଟି ଖସିଯାଇଥିଲା । ଅର୍ଥ ପୈଠ ନକରିବାରୁ ବୃନ୍ଦାବନଙ୍କୁ ଛାଡିଲେନି ମେଡିକାଲ କର୍ତ୍ତୃପକ୍ଷ । ଶେଷରେ କଷ୍ଟ ଉପାର୍ଜିତ କିଛି ସୁନା ଓ ଜମି ବିକି ଟଙ୍କା ପୈଠ କରି ଅଧା ଚିକିତ୍ସାରୁ ଘରକୁ ଫେରିଥିଲେ। ତେବେ ଏଠି ପ୍ରଶ୍ନ ଉଠୁଛି କାହା ପାଇଁ ଆୟୁଷ୍ମାନ କାର୍ଡ? ଆବଶ୍ୟକ ବେଳେ ଆୟୁଷ୍ମାନ କାର୍ଡ ଯଦି କାମ ଦେବନି ତେବେ କାହିଁକି ଏ ପ୍ରହସନ ?

ରାୟଗଡା ସଦର ଡାଙ୍ଗଲୋଡି ପଚାଂୟତ ଅନ୍ତର୍ଗତ ଡାଙ୍ଗଲୋଡି ଗ୍ରାମ । ଡାଙ୍ଗଲୋଡି ଗ୍ରାମର ଆଦିବାସୀ ସାହିରେ ନିଜ ପରିବାର ସହ ବାସ କରନ୍ତି ବୃନ୍ଦାବନ ରାଉଲା । ପରିବାର କହିଲେ ସ୍ତ୍ରୀ, ଦୁଇ ଝିଅଙ୍କ ସହିତ ସାନ ପୁଅ । ଦୁଇ ଝିଅ ଓ ପୁଅ ପାଠ ପଢୁଛନ୍ତି । ବୃନ୍ଦାବନ ଜଣେ ରାଜମିସ୍ତ୍ରୀ । ସେ ରାଜମିସ୍ତ୍ରୀ କାମ କରି ଯାହା ରୋଜଗାର କରନ୍ତି ସେଥିରେ ପରିବାର ପ୍ରତିପୋଷଣ କରିଥାନ୍ତି । ଗତ ୫ ମାସ ତଳେ କିଡନୀ ରୋଗରେ ଆକାନ୍ତ ହେବା ପରେ ସେ ଆଉ ଚାଲି ବୁଲି ପାରୁନଥିବା ବେଳେ କାମକୁ ନଯାଇ ଘରେ ରହୁଛନ୍ତି । ହେଲେ ଆଗକୁ କରିବେ କଣ ? ଚିକିତ୍ସିତ ହେବେ କେମିତି ? ପିଲା ପାଠ କେମିତି ପଢିବେ ? ସେହି ଚିନ୍ତାରେ ଏବେ ବୃନ୍ଦାବନ ।  ରାଜ୍ୟ ସରକାରଙ୍କ ଆୟୁଷ୍ମାନ କାର୍ଡ କାମ ନକରିବା ସୀମାନ୍ତ ଅଚଂଳବାସୀ  ଆଦିବାସୀ ରୋଗୀଙ୍କ ପାଇଁ ସମସ୍ୟା ସୃଷ୍ଟି କରିଛି। ସରକାର ତୁରନ୍ତ ଏ ଦିଗରେ ଧ୍ୟାନ ଦେବା ଆବଶ୍ୟକ ହୋଇପଡିଛି।

SI ପରୀକ୍ଷା ଜାଲିଆତି ଘଟଣା, ସିଲିକନ ଟେକଲ୍ୟାବ ପ୍ରାଇଭେଟ ଲିମିଟେଡ ପ୍ରତିଷ୍ଠାତା ସିଇଓଙ୍କୁ ଜେରା

ଭୁବନେଶ୍ବର : ଏସଆଇ ପରୀକ୍ଷା ଜାଲିଆତି ଘଟଣା। ସିଲିକନ ଟେକଲ୍ୟାବ ପ୍ରାଇଭେଟ ଲିମିଟେଡ ପ୍ରତିଷ୍ଠାତା ସିଇଓ ସୁରେଶ ଚନ୍ଦ୍ର ନାୟକଙ୍କୁ ଜେରା। କ୍ରାଇମବ୍ରାଞ୍ଚ ଅଫିସରେ ସୁରେଶଙ୍କୁ ଚାଲିଛି ପଚରାଉଚରା। ସୁରେଶଙ୍କ ସହ ପଞ୍ଚସଫ୍ଟର ଜଣେ ମ୍ୟାନେଜରଙ୍କୁ ମଧ୍ୟ ଜେରା କରୁଛି କ୍ରାଇମବ୍ରାଞ୍ଚ । ପଞ୍ଚସଫ୍ଟର ମାଲିକ ଶଙ୍କର ପୃଷ୍ଟି ଫେରାର ଅଛନ୍ତି। ଏହାସହ ଦଲାଲ ମୁନା ମହାନ୍ତି ମଧ୍ୟ ଫେରାର ଅଛନ୍ତି। ୧୧୪ ଜଣ ପରୀକ୍ଷାର୍ଥୀଙ୍କ ଅରିଜିନାଲ ପ୍ରମାଣପତ୍ର ଧରି ଫେରାର ହୋଇଯାଇଥିବା ଜଣାପଡିଛି। ଜାଲିଆତି ଘଟଣାରେ ବହୁ ଲୋକଙ୍କ ତାଲିକା ପ୍ରସ୍ତୁତ କରିଛି କ୍ରାଇମବ୍ରାଞ୍ଚ । SI ପରୀକ୍ଷା ପାଇଁ OPRB ITIକୁ ଦାୟିତ୍ୱ ଦେଇଥିଲା । ITI ଗୁଜୁରାଟର ରିଚ ମାଇନସ ଡିଜିଟାଲକୁ ଦାୟିତ୍ୱ ଦେଇଥିଲା । ଗତ ଏପ୍ରିଲ ମାସରେ OPRB ରିଚ ମାଇନସକୁ ହଟାଇ ସିଲିକନକୁ ଦାୟିତ୍ବ ଦେଇଥିଲା। ପରେ ସିଲିକନ ସଲ୍ୟୁସନ, ବ୍ରହ୍ମପୁରର ପଞ୍ଚସଫ୍ଟ ଟେକ୍ନୋଲୋଜି ପ୍ରାଇଭେଟ ଲିମିଟେଡକୁ ପରୀକ୍ଷା ପରିଚାଳନା କାମ ସବଲେଟ କରିଥିଲା । ୨୦୧୭ ପଞ୍ଚାୟତ ନିର୍ବାଚନରେ ଜଣେ ସରପଞ୍ଚ ପ୍ରାର୍ଥୀଙ୍କୁ ହତ୍ୟା ଅଭିଯୋଗରେ ପଞ୍ଚସଫ୍ଟର ମୁଖ୍ୟ ଶଙ୍କର ପୃଷ୍ଟିଙ୍କ ନାଁରେ ଆସିଥିଲା ଅଭିଯୋଗ।

ପାକିସ୍ତାନର ଦାବି ଏକ ମନୋହର କାହାଣୀ,ଏମିତି କହିଲେ ବାୟୁସେନା ମୁଖ୍ୟ

ନନ୍ଦିଘୋଷ ବ୍ୟୁରୋ : ପୁଣି ଥରେ ପାକିସ୍ତାନର ଗୁମର ଖୋଲିଲେ ବାୟୁସେନା ମୁଖ୍ୟ । ଭାରତୀୟ ବାୟୁସେନା ମୁଖ୍ୟ ଏୟାର ମାର୍ଶାଲ ଅମର ପ୍ରୀତ ସିଂହ କହିଛନ୍ତି ଯେ,ପାକିସ୍ତାନ ୧୫ଟି ଭାରତୀୟ ଜେଟ୍ ଖସାଇ ଦେଇଛି… ଏଗୁଡ଼ିକ ସୁନ୍ଦର କାହାଣୀ, ଏହାକୁ ଜାରି ରଖିବାକୁ ଦିଅ । କିନ୍ତୁ ପ୍ରକୃତ ସତ୍ୟ ହେଲା ଆମେ ଶତ୍ରୁର ୫ଟି F-16 ଯୁଦ୍ଧ ବିମାନ ଖସାଇ ଦେଇଛୁ।

ଅପରେସନ ସିନ୍ଦୂର ପରେ ବାୟୁ ଶକ୍ତିର ପ୍ରାସଙ୍ଗିକତା ଆହୁରି ବୃଦ୍ଧି ପାଇଛି। ବାୟୁସେନା ମୁଖ୍ୟ କହିଛନ୍ତି ଯେ, ଆମେ ମିଳିତ ଭାବରେ ଭାରତର ନିଜସ୍ୱ ଲୁହା ଗମ୍ବୁଜ ପ୍ରଣାଳୀ, ସୁଦର୍ଶନ ଚକ୍ର ଉପରେ କାମ ଆରମ୍ଭ କରିଛୁ। ଆମେ କାହା ଉପରେ ନିର୍ଭର କରିବୁ ନାହିଁ। ଯୁଦ୍ଧର ପ୍ରକୃତି ନିରନ୍ତର ପରିବର୍ତ୍ତନ ହେଉଛି। ଆମକୁ ଭବିଷ୍ୟତ ପାଇଁ ପ୍ରସ୍ତୁତ ରହିବାକୁ ପଡିବ। ଅପରେସନ ସିନ୍ଦୂର ପରେ ଭାରତୀୟ ବାୟୁସେନାର ପ୍ରଥମ ସମ୍ମିଳନୀରେ ସେ ଏହା ଉପରେ ଗୁରୁତ୍ୱଆରୋପ କରିଛନ୍ତି ।

ପାକିସ୍ତାନ ତାର ସୀମା ଭିତରେ ମଧ୍ୟ କାର୍ଯ୍ୟାନୁଷ୍ଠାନ ନେଇପାରିଲା ନାହିଁ

ଏୟାର ମାର୍ଶାଲ ଏପି ସିଂହ କହିଛନ୍ତି ଯେ ପାକିସ୍ତାନ ନିଜ ଅଞ୍ଚଳ ମଧ୍ୟରେ ମଧ୍ୟ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିପାରିଲା ନାହିଁ। ସାମଗ୍ରିକ ଯୋଜନାରେ ଦୃଢ଼ ବାୟୁ ପ୍ରତିରକ୍ଷା ଭିତ୍ତିଭୂମି ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥିଲା। ଆମେ ଶତ୍ରୁ ଅଞ୍ଚଳ ଭିତରକୁ ପଶି ପାରିଲୁ। ଏୟାର ମାର୍ଶାଲ କହିଛନ୍ତି ଯେ ଏହି ଅପରେସନରେ ଏପର୍ଯ୍ୟନ୍ତ ସବୁଠାରୁ ଦୀର୍ଘ ଦୂରଗାମୀ ଆକ୍ରମଣ କ୍ଷମତା ହାସଲ କରାଯାଇଛି। ସେ ଆ ଯେ, ଦୂରଗାମୀ ଅସ୍ତ୍ରଶସ୍ତ୍ର ପ୍ରଭାବଶାଳୀ ଭାବରେ ବ୍ୟବହାର କରାଯାଇଥିଲା। ଏୟାର ମାର୍ଶାଲ କହିଛନ୍ତି ଯେ ଆକ୍ରମଣ ଅତ୍ୟନ୍ତ ସଠିକତାର ସହିତ କରାଯାଇଥିଲା।  ସାଟେଲାଇଟ୍ ଚିତ୍ର ଆମ ଦ୍ୱାରା କରାଯାଇଥିବା ଆକ୍ରମଣକୁ ନିଶ୍ଚିତ କରିଛି।

ଶତ୍ରୁ ଦେଶରେ ୩୦୦ କିଲୋମିଟର ଭିତରକୁ ପଶି ମାରିଥିଲୁ

ଏୟାର ମାର୍ଶାଲ ଏପି ସିଂହ କହିଛନ୍ତି ଯେ ସମଗ୍ର ଯୋଜନାରେ ଏକ ଦୃଢ଼ ବାୟୁ ପ୍ରତିରକ୍ଷା ଭିତ୍ତିଭୂମି ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥିଲା। ଆମେ ଶତ୍ରୁ ଅଞ୍ଚଳ ମଧ୍ୟରେ ୩୦୦ କିଲୋମିଟର ଗଭୀରକୁ ପ୍ରବେଶ କରି ମାରିଥିଲୁ । ଏହି ଅପରେସନ୍ ଏପର୍ଯ୍ୟନ୍ତ ହାସଲ କରିଥିବା ସବୁଠାରୁ ଦୀର୍ଘ ଦୂରଗାମୀ ଆକ୍ରମଣ କ୍ଷମତା ହାସଲ କରିଥିଲା। ଦୂରଗାମୀ ଅସ୍ତ୍ରଶସ୍ତ୍ର ପ୍ରଭାବଶାଳୀ ଭାବରେ ବ୍ୟବହାର କରାଯାଇଥିଲା। ଏହି ଆକ୍ରମଣ ଅତ୍ୟନ୍ତ ସଠିକତାର ସହିତ କରାଯାଇଥିଲା। ସାଟେଲାଇଟ୍ ଚିତ୍ରଗୁଡ଼ିକ ଆମର ଆକ୍ରମଣକୁ ନିଶ୍ଚିତ କରିଛି। ବାୟୁସେନା 4-5 ଟି F-16 ଯୁଦ୍ଧ ବିମାନ ଏବଂ ଏକ C-130 ନଷ୍ଟ କରିଛି। ତିନୋଟି ପାକିସ୍ତାନୀ ହ୍ୟାଙ୍ଗର ମଧ୍ୟ କ୍ଷତିଗ୍ରସ୍ତ ହୋଇଛି। ପାକିସ୍ତାନ ଏହି ବିମାନଗୁଡ଼ିକୁ ଆମେରିକାରୁ କିଣିଥିଲା।

ପାକିସ୍ତାନର କାହାଣୀ ଏକ ସୁନ୍ଦର କାହାଣୀ, ଏହାକୁ ଜାରି ରଖ…

ଏପି ସିଂହ କହିଛନ୍ତି ଯେ ଯଦି ପାକିସ୍ତାନ ବିଶ୍ୱାସ କରେ ଯେ ସେ ୧୫ଟି ଭାରତୀୟ ବିମାନକୁ ଖସାଇ ଦେଇଛି, ତେବେ ସେମାନଙ୍କୁ ଏପରି ଭାବିବାକୁ ଦିଅ। ସେମାନଙ୍କର କାହାଣୀ, ସେମାନଙ୍କର ସୁନ୍ଦର କାହାଣୀ ଜାରି ରହିବାକୁ ଦିଅ। ସେ କହିଛନ୍ତି ଯେ S-400 ଏକ ଉତ୍କୃଷ୍ଟ ଅସ୍ତ୍ର ପ୍ରଣାଳୀ ଭାବରେ ପ୍ରମାଣିତ ହୋଇଛି।

 

ଅପରେସନ ସିନ୍ଦୂର ନେଇ ବାୟୁସେନା ମୁଖ୍ୟଙ୍କ ଖୁଲାସା : ଇତିହାସ ରଚିଥିଲା ଭାରତୀୟ ବାୟୁସେନା

ନନ୍ଦିଘୋଷ ବ୍ୟୁରୋ : ଅପରେସନ ସିନ୍ଦୂର ନେଇ ବାୟୁସେନା ମୁଖ୍ୟ ଏୟାର ଚିଫ୍ ମାର୍ଶାଲ ଅମରପ୍ରୀତ ସିିଂହ ବଡ଼ ଖୁଲାସା କରିଛନ୍ତି। ସେ କହିଛନ୍ତି, ଏହି ଅପରେସନ ବେଳେ ଇତିହାସ ରଚିଥିଲା ଭାରତୀୟ ବାୟୁସେନା । ପାକିସ୍ତାନର ୩୦୦ କିଲୋମିଟର ଭିତରକୁ ଯାଇ ଭାରତୀୟ ବାୟୁସେନା ଧ୍ଵଂସ କରିଥିଲା ଆତଙ୍କବାଦୀଙ୍କ ଆଡ୍ଡା। ଏପରିକି ଜବାବ ଦେବାକୁ ଭାରତୀୟ ସୀମା ପାଖକୁ ଆସିପାରିନଥିଲା ପାକିସ୍ତାନ। ଅତି କମ୍ ସମୟ ମଧ୍ୟରେ ଭାରତ ନିଜର ଲକ୍ଷ୍ୟ ପୂରଣ କରଥିଲା। ଅର୍ଥାତ ଆତଙ୍କବାଦୀଙ୍କ ଆଡ୍ଡାକୁ ଧ୍ଵଂସ କରିଥିଲା। ଏମିତି ଆକ୍ରମଣ ହୋଇଥିଲା ଯେ, ତୁରନ୍ତ ଅସ୍ତ୍ରବିରତି ପାଇଁ ଅନୁରୋଧ କରିଥିଲା ଇସଲାମାବାଦ। ମିଲିଟାରି ଆକ୍ସନ ନେବା ପାଇଁ ସେନାକୁ ମିଳିଥିଲା ପୂର୍ଣ୍ଣ କ୍ଷମତା। ଏହି ଯୁଦ୍ଧ ଏଥିପାଇଁ ଗୁରୁତ୍ଵପୂର୍ଣ୍ଣ ଯେ, ସ୍ପଷ୍ଟ ଲକ୍ଷ୍ୟ ନେଇ ଏହା ଆରମ୍ଭ ହୋଇଥିଲା ଏବଂ ଖୁବ ଅଳ୍ପ ସମୟରେ ତାହା ପୂରଣ ହୋଇଥିଲା। ତେଣୁ ପାକିସ୍ତାନ ଅସ୍ତ୍ରବିରତି ପାଇଁ ଅନୁରୋଧ କରିବା ପରେ ଆମେ ଅସ୍ତ୍ରବିରତି ପାଇଁ ରାଜି ହୋଇଥିଲୁ ବୋଲି କହିଛନ୍ତି ବାୟୁସେନା ମୁଖ୍ୟ ।

ଜୁବିନଙ୍କ ମୃତ୍ୟୁ ମାମଲାରେ ଆଉ ୨ ଗିରଫ

ନନ୍ଦିଘୋଷ ବ୍ୟୁରୋ : ଆସାମର ଗାୟକ ଜୁବିନ ଗର୍ଗଙ୍କ ମୃତ୍ୟୁ ଘଟଣାରେ ଆଉ ଦୁଇ ଜଣଙ୍କୁ ଗିରଫ କରିଛି ପୋଲିସ। ସେମାନେ ହେଲେ ଜୁବିନଙ୍କ ବନ୍ଧୁ ଶେଖର ଜ୍ୟୋତି ଗୋସ୍ଵାମୀ ଓ ଅମ୍ରିତପ୍ରଭା ମହନ୍ତ। ଜୁବିନଙ୍କ ବ୍ୟାଣ୍ଡରେ କାମ କରୁଥିଲେ ଉଭୟେ। ଅମ୍ରିତପ୍ରଭା ନିଜେ ଜଣେ କଣ୍ଠଶିଳ୍ପୀ। ଏମାନଙ୍କୁ ମିଶାଇ ଏହି ଘଟଣାରେ ଆସାମ ପୋଲିସ ଏସଆଇଟି ୪ ଜଣଙ୍କୁ ଗିରଫ କଲାଣି। ଜୁବିନଙ୍କ ମୃତ୍ୟୁ ସମୟରେ ଉଭୟ ଶେଖର ଓ ଅମ୍ରିତପ୍ରଭା ତାଙ୍କ ସାଙ୍ଗରେ ଥିଲେ। ଜୁବିନଙ୍କ ସହିତ ଶେଖର ଏକା ସାଙ୍ଗରେ ପହଁରୁଥିଲେ। ସେପଟେ ଅମ୍ରିତପ୍ରଭା ନିଜ ମୋବାଇଲରେ ପୁରା ଘଟଣାର ସୁଟିଂ କରିଛନ୍ତି।

୬ ଘଣ୍ଟା ଧରି ପଚରା ଉଚରା କରିବା ପରେ ଉଭୟଙ୍କୁ ଗିରଫ କରିଛି ଏସଆଇଟି। କୋର୍ଟ ଉଭୟଙ୍କୁ ୧୪ ଦିନିଆ ପୋଲିସ ରିମାଣ୍ଡରେ ପଠାଇଛନ୍ତି। ଆଗରୁ ଜୁବିନଙ୍କ ମ୍ୟାନେଜର ସିଦ୍ଧାର୍ଥ ଶର୍ମା ଓ ନର୍ଥ ଇଷ୍ଟ ଇଣ୍ଡିଆ ଫେଷ୍ଟିଭାଲ ମ୍ୟାନେଜର ଶ୍ୟାମକାନୁ ମହନ୍ତଙ୍କୁ ବି ଗିରଫ କରାଯାଇଛି। ଏସଆଇଟି ଏବେ ସମସ୍ତଙ୍କୁ ଏକା ସାଙ୍ଗରେ ମୁହାଁମୁହିଁ ଜେରା କରିବ ବୋଲି ଜଣାପଡ଼ିଛି। ଏସଆଇଟି ତଦନ୍ତ ପାଇଁ ସିଙ୍ଗାପୁର ମଧ୍ୟ ଯିବ ବୋଲି ଜଣାପଡ଼ିଛି। ସେପଟେ ଜୁବିନଙ୍କ ପୋଷ୍ଟମର୍ଟମ ରିପୋର୍ଟ ଆସିଛି। ଭାରତୀୟ ଦୂତାବାସକୁ ଏହି ରିପୋର୍ଟ ଦିଆଯାଇଛି। ଏହି ପୋଷ୍ଟମର୍ଟମ ରିପୋର୍ଟକୁ ଆସାମ ପୋଲିସକୁ ହସ୍ତାନ୍ତର କରାଯିବ। ଏହା ପରେ ଜୁବିନଙ୍କ ମୃତ୍ୟୁର ପ୍ରକୃତ କାରଣ ଜଣାପଡ଼ିବ ବୋଲି ଆଶା କରାଯାଉଛି। ସିଙ୍ଗାପୁରକୁ ନଷ୍ଟ ଇଷ୍ଟ ଇଣ୍ଡିଆ ଫେଷ୍ଟିଭାଲକୁ ଯାଇଥିବା ବେଳେ ଜୁବିନଙ୍କ ସନ୍ଦେହଜନକ ଅବସ୍ଥାରେ ମୃତ୍ୟୁ ହୋଇଥିଲା। ଗତ ସେପଟେମ୍ଵର ୧୯ ରେ ଏହି ଘଟଣା ଘଟିଥିଲା। ସମୁଦ୍ରରେ ପହଁରିବାକୁ ଯାଇଥିବା ବେଳେ ପାଣିରୁ ଉଦ୍ଧାର ହୋଇଥିଲା ଜୁବିନଙ୍କ ମୃତଦେହ।

ଖୋଲୁଛି ବାବା ଚୈତନ୍ୟାନନ୍ଦଙ୍କ ଅନେକ ଗୁମର ; ୩ ମହିଳା ସହଯୋଗୀ ଗିରଫ

ନନ୍ଦିଘୋଷ ବ୍ୟୁରୋ : ଦିଲ୍ଲୀର ବିବାଦୀୟ ଗଡମ୍ୟାନ ସ୍ବାମୀ ଚୈତନ୍ୟାନନ୍ଦ ସରସ୍ବତୀଙ୍କ ଖୋଲିଛି ଆଉ ଅନେକ ଗୁମର। ଜେରାର ସମ୍ମୁଖୀନ ହୋଇଥିବା ବାବାଙ୍କ ୩ ମହିଳା ସହଯୋଗୀଙ୍କୁ ଗିରଫ କରାଯାଇଛି। ବାବାଙ୍କ ଚାପରେ ସେମାନେ ଛାତ୍ରୀମାନଙ୍କୁ ବିଭିନ୍ନ ଅସାଧୁ କାର୍ଯ୍ୟକଳାପରେ ଲିପ୍ତ କରିବା ଦିଗରେ କାର୍ଯ୍ୟ କରୁଥିଲେ। ଗିରଫ ୩ ମହିଳା ହେଲେ ଆସୋସିଏଟ ଡିନ ଶ୍ବେତା ଶର୍ମା, କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ଭାବନା କପିଲ ଓ ସିନିଅର ଫାକଲ୍ଟି କାଜଲ। ଛାତ୍ରୀଙ୍କୁ ଧମକ ଦେବା, କୁକାର୍ଯ୍ୟ ଲାଗି ପ୍ରୋତ୍ସାହିତ କରିବା, ପ୍ରମାଣ ନଷ୍ଟ ଅଭିଯୋଗରେ ସେମାନଙ୍କୁ ଗିରଫ କରାଯାଇଛି।

ବାବାଙ୍କ ନିକଟରୁ ୩ଟି ଫୋନ ଓ ଗୋଟିଏ ଆଇପ୍ୟାଡ ଜବତ କରାଯାଇଛି। ଗୋଟିଏ ଫୋନରେ କ୍ୟାମ୍ପସ ଓ ହଷ୍ଟେଲର ସିସିଟିଭି ଫୁଟେଜର ଆସେସ ରହିଥିଲା। ବାବାଙ୍କ ନିକଟରେ ଥିବା ୮ କୋଟି ଟଙ୍କାର ବ୍ୟାଙ୍କ ଆକାଉଣ୍ଟକୁ ବି ସିଜ କରାଯାଇଛି। ବାବାଙ୍କ ବିରୋଧରେ ଶ୍ରୀ ଶାରଦା ଇନଷ୍ଟିଚ୍ୟୁଟ ଅଫ ଇଣ୍ଡିଆନ ମ୍ୟାନେଜମେଣ୍ଟର ୧୭ ଛାତ୍ରୀ ଅଭିଯୋଗ ଆଣିବା ପରେ ଗିରଫ ହୋଇଥିଲେ ବାବା। ପୋଲିସ ହେପାଜତରେ ଥାଇ ଆଶ୍ରମରେ ଚାଲିଥିବା ବିଭିନ୍ନ କେଳଙ୍କାରୀ ସମ୍ପର୍କରେ ସୂଚନା ଦେବାରେ ଲାଗିଛନ୍ତି ବାବା। ଆଶ୍ରମ ସମ୍ପର୍କରେ ଅନେକ ଗୋପନୀୟ ତଥ୍ୟ ପୋଲିସ ହାତରେ ବି ଲାଗିଛି। ଗତ ରବିବାର ଆଗ୍ରାର ଏକ ହୋଟେଲରୁ ଗିରଫ କରାଯାଇଥିଲା।