ନନ୍ଦିଘୋଷ ବ୍ୟୁରୋ : ୫୦ ପ୍ରତିଶତ ବଦଳରେ ଚୀନ ଉପରେ ଲଗାଅ ୧୦୦ ପ୍ରତିଶତ ଟାରିଫ। ନାଟୋକୁ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଅପିଲ। ରୁଷଠାରୁ ସମସ୍ତ ନାଟୋ ରାଷ୍ଟ୍ର ତୈଳ ନକିଣିବାକୁ ଆହ୍ଵାନ କଲେ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ। ଏହାଦ୍ଵାରା ଦୁର୍ବଳ ହେବ ରୁଷର ଅର୍ଥ ବ୍ୟବସ୍ଥା। ୟୁକ୍ରେନ ସଂଘର୍ଷ ଉପରେ ବିରାମ ଲାଗିବ ବୋଲି କହିଛନ୍ତି ଟ୍ରମ୍ପ। ଭାରତ ପରେ ଟାରିଫ ନେଇ ଚୀନକୁ ଟାର୍ଗେଟ କରିଛନ୍ତି ରାଷ୍ଟ୍ରପତି ଟ୍ରମ୍ପ।ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ନାଟୋକୁ ଚୀନ୍ ଉପରେ ୫୦ ରୁ ୧୦୦ ପ୍ରତିଶତ ଶୁଳ୍କ ଲାଗୁ କରିବାକୁ ଅପିଲ୍ କରିଛନ୍ତି। ରୁଷ ଉପରେ ଚୀନ୍ର ଆର୍ଥିକ ନିୟନ୍ତ୍ରଣକୁ ଦୁର୍ବଳ କରିବ ଏବଂ ୟୁକ୍ରେନ୍ ଯୁଦ୍ଧର ଅନ୍ତ ଘଟାଇବ। ଏହା ସହିତ ରୁଷ ଉପରେ କଠୋର କଟକଣା ଲାଗୁ କରିବାକୁ ଦାବି କରିଛନ୍ତି। ନାଟୋ ଦେଶଗୁଡ଼ିକୁ ଏକ ଚିଠି ଲେଖି କହିଥିଲେ ଯେ ଯଦି ସମସ୍ତ ସଦସ୍ୟ ଦେଶ ରୁଷରୁ ତେଲ କିଣିବା ବନ୍ଦ କରନ୍ତି ଏବଂ ରୁଷ ଉପରେ ବଡ଼ ଧରଣର କଟକଣା ଲଗାନ୍ତି, ତେବେ ସେ ରୁଷ ବିରୁଦ୍ଧରେ କଠୋର କାର୍ଯ୍ୟାନୁଷ୍ଠାନ ନେବାକୁ ମଧ୍ୟ ପ୍ରସ୍ତୁତ। କିନ୍ତୁ କେବଳ ଯେତେବେଳେ ସମସ୍ତ ନାଟୋ ଦେଶ ସର୍ବସମ୍ମତିକ୍ରମେ ଏପରି ପଦକ୍ଷେପ ନିଅନ୍ତି ତେବେ ଯାଇ କଟକଣା ଲଗାଇ ହେବ। ଭାରତ ରୁଷରୁ ତେଲ ନିରନ୍ତର ଆମଦାନୀ କରୁଛି। ତଥାପି, ଚୀନ୍ ଉପରେ ଏପର୍ଯ୍ୟନ୍ତ ସମାନ ଶୁଳ୍କ କାର୍ଯ୍ୟାନୁଷ୍ଠାନ ନିଆଯାଇନାହିଁ। ଟ୍ରମ୍ପ୍ କହିଛନ୍ତି ଯେ ଯଦି ରୁଷ-ୟୁକ୍ରେନ ବିବାଦ ସମାପ୍ତ ନହୁଏ, ତେବେ ଚୀନ୍ ଏବଂ ଭାରତ ଭଳି ବଡ଼ ତେଲ କ୍ରେତାଙ୍କ ବିରୁଦ୍ଧରେ ମଧ୍ୟ କଠୋର କାର୍ଯ୍ୟାନୁଷ୍ଠାନ ନିଆଯିବ। ଟ୍ରମ୍ପଙ୍କ ପ୍ରସ୍ତାବ ବିଶ୍ୱ ସ୍ତରରେ ରାଜନୀତିକ ଅସ୍ଥିରତା ବୃଦ୍ଧି କରିପାରେ। ଚୀନ୍ ଏବଂ ରୁଷ ସହିତ ଜଡିତ ନାଟୋ ଦେଶମାନଙ୍କ ମଧ୍ୟରେ ବାଣିଜ୍ୟ ସମ୍ପର୍କ ଉପରେ ମଧ୍ୟ ପ୍ରଶ୍ନ ଉଠିବ। ଆମେରିକାର ଏପରି ପଦକ୍ଷେପକୁ ଯୁଦ୍ଧ ସପକ୍ଷରେ ଏକ ପ୍ରଭାବଶାଳୀ ଚାପ ଭାବରେ ଦେଖାଯାଉଛି।ଏହା ରୁଷର ଆର୍ଥିକ ଅବସ୍ଥା ଉପରେ ଗଭୀର ପ୍ରଭାବ ପକାଇପାରେ ବୋଲି କହିଛନ୍ତି ବିଶେଷଜ୍ଞ।
ନାଳରୁ ନାବାଳକଙ୍କ ମୃତଦେହ ଉଦ୍ଧାର ଘଟଣା : ତୁରନ୍ତ ଆସାମୀକୁ ଗିରଫ କରିବାକୁ କଂଗ୍ରେସର ଦାବି
ନନ୍ଦିଘୋଷ ବ୍ୟୁରୋ: ଅନୁଗୁଳ ସଦର ଥାନା ଶ୍ୟାମସୁନ୍ଦର ଗାଁରେ ନାବାଳିକାଙ୍କ ମୃତଦେହ ନାଳରୁ ଉଦ୍ଧାର ଘଟଣା। ଘଟଣାକୁ ୭ ଦିନ ବିତିଯାଇଥିଲେ ସୁଦ୍ଧା ପୋଲିସ ହାତ ଖାଲି। ଯାହାକୁ ପ୍ରତିବାଦ କରିଛି କଂଗ୍ରେସ।ଘଟଣା ଦିନ ପୁଲିସ ସନ୍ଧାନୀ କୁକୁର ଓ ସାଇଣ୍ଟିଫିକ ଟିମ ନେଇ ତଦନ୍ତ ଆରମ୍ଭ କରିଥିଲା । ଖୋଦ ଅନୁଗୁଳ ଏସ ପି ରାହୁଲ ଜୈନ ଘଟଣା ସ୍ଥଳକୁ ଯାଇ ତଦନ୍ତ କରିବା ସହ 7 ଦିନ ଭିତରେ ଅଭିଯୁକ୍ତକୁ ଧରିବାକୁ ପ୍ରତିଶୃତି ଦେଇଥିଲେ । ହେଲେ ଘଟଣାକୁ 7 ଦିନ ବିତି ଯାଇଥିଲେ ମଧ୍ୟ ପୁଲିସ ହାତରେ କିଛି ସୁରାଗ ମିଳିନଥିଲା। ଯାହାକୁ ପ୍ରତିବାଦ କରି କଂଗ୍ରେସ ପକ୍ଷରୁ ଅନୁଗୁଳ ତହସିଲ ଅଫିସ ଆଗରେ ପ୍ରତିବାଦ ସଭା କରିବା ସହ ତୁରନ୍ତ ଆସାମୀକୁ ଗିରଫ କରିବାକୁ ଦାବି କରାଯାଇଛି। ରାଜ୍ୟରେ ମହିଳାଙ୍କ ଉପରେ ଅତ୍ୟାଚାର, ରାଜ୍ୟରେ ଶିଶୁ ନିଖୋଜ ଥିବା ଘଟଣା ବଢି ଚାଲିଛି । ଯାହାକି ସରକାରଙ୍କ ଅପାରଗତା ଯୋଗୁଁ ହେଉଥିବା କଂଗ୍ରେସ ଅଭିଯୋଗ କରିଛି ।
ରାୟଗଡ଼ାରେ ଆଦିବାସୀ ଛାତ୍ରଛାତ୍ରୀଙ୍କ ପାଇଁ ଏକ ଫିଟନେସ୍-କମ୍-ଆମ୍ୟୁଜମେଣ୍ଟ ପାର୍କ ବିକଶିତ କରୁଛି ବେଦାନ୍ତ ଆଲୁମିନିୟମ
ନନ୍ଦିଘୋଷ ବ୍ୟୁରୋ: ଭାରତର ସର୍ବବୃହତ ଆଲୁମିନିୟମ ଉତ୍ପାଦକ ବେଦାନ୍ତ ଆଲୁମିନିୟମ ରାୟଗଡ଼ାର ହାତମୁନିଗୁଡ଼ାରେ ଥିବା ରାମକୃଷ୍ଣ ମିଶନ ଆଶ୍ରମ ସ୍କୁଲର ୭୦୦ ଛାତ୍ରଛାତ୍ରୀଙ୍କ ପାଇଁ ଏକ ଉତ୍ସର୍ଗୀକୃତ ଫିଟନେସ୍-କମ୍-ଆମ୍ୟୁଜମେଣ୍ଟ ପାର୍କ ବିକଶିତ କରିଛି। ବିଭିନ୍ନ ପ୍ରକାରର ଖେଳ ଏବଂ ଫିଟନେସ୍ ସୁବିଧା ସହିତ ସଜ୍ଜିତ ଏହି ପାର୍କଟି ଶାରୀରିକ କାର୍ଯ୍ୟକଳାପ, ମନୋରଞ୍ଜନ ଏବଂ ଛାତ୍ରଛାତ୍ରୀଙ୍କ ସାମଗ୍ରିକ ବିକାଶକୁ ପ୍ରୋତ୍ସାହିତ କରିବା ପାଇଁ ଡିଜାଇନ୍ କରାଯାଇଛି।
ସ୍କୁଲ କର୍ତ୍ତୃପକ୍ଷଙ୍କ ଉପସ୍ଥିତିରେ ବେଦାନ୍ତ ସିଜିମାଲି ବକ୍ସାଇଟ୍ ମାଇନ୍ସର ଉପାଧ୍ୟକ୍ଷ ଏବଂ ମୁଖ୍ୟ ଶ୍ରୀ ପ୍ରତୀକ କୁମାର ଏହି ପାର୍କର ଉଦଘାଟନ କରିଥିଲେ। ଉଦଘାଟନ ପରେ ଛାତ୍ରଛାତ୍ରୀମାନେ ଉତ୍ସାହର ସହିତ ସେଠାରେ ଅନେକ ସମୟ ଖେଳକୁଦ କରିଥିଲେ। ଏହିପରି ଗ୍ରାମାଞ୍ଚଳରେ, ସୀମିତ ସ୍କୁଲ ଭିତ୍ତିଭୂମି ଛାତ୍ରଛାତ୍ରୀଙ୍କ ଶିକ୍ଷା ଏବଂ ଅଭିବୃଦ୍ଧିକୁ ବାଧା ସୃଷ୍ଟି କରେ। ସ୍କୁଲଗୁଡ଼ିକୁ ଗୁରୁତ୍ୱପୂର୍ଣ୍ଣ ଭିତ୍ତିଭୂମି ସହିତ ସଜ୍ଜିତ କରି, ବେଦାନ୍ତ ଆଲୁମିନିୟମ ଛାତ୍ରଛାତ୍ରୀଙ୍କ ଶୈକ୍ଷିକ ସଫଳତା ଏବଂ ସାମଗ୍ରିକ ବିକାଶକୁ ସମର୍ଥନ କରିବା ସହିତ ଏକ ଅନୁକୂଳ ଶିକ୍ଷା ପରିବେଶ ସୃଷ୍ଟି କରିବାକୁ ଲକ୍ଷ୍ୟ ରଖିଛି। ଓଡ଼ିଶା ସରକାରଙ୍କ ଦ୍ୱାରା ପ୍ରଦାନ କରାଯାଇଥିବା ୧୦୦ ଏକର ଜମିରେ ୨୦୦୮ ମସିହାରେ ପ୍ରତିଷ୍ଠିତ ରାମକୃଷ୍ଣ ମିଶନ ଆଶ୍ରମ ସ୍କୁଲ ସିବିଏସଇ ପାଠ୍ୟକ୍ରମ ଅନୁଯାୟୀ ଦ୍ୱାଦଶ ଶ୍ରେଣୀ ପର୍ଯ୍ୟନ୍ତ ଶିକ୍ଷା ପ୍ରଦାନ କରେ। ଏହାର ସମସ୍ତ ଛାତ୍ରଛାତ୍ରୀ ରାୟଗଡା, କୋରାପୁଟ, ମାଲକାନଗିରି ଏବଂ ନବରଙ୍ଗପୁର ଜିଲ୍ଲା ସମେତ କୋରାପୁଟ ଅଞ୍ଚଳର ଆଦିବାସୀ ସମ୍ପ୍ରଦାୟରୁ ଆସିଥାନ୍ତି।
ଏହି ପଦକ୍ଷେପ ବିଷୟରେ କହି, ବେଦାନ୍ତ ଆଲୁମିନିୟମର ସିଇଓ ଶ୍ରୀ ରାଜୀବ କୁମାର କହିଛନ୍ତି, “ବେଦାନ୍ତ ଆଲୁମିନିୟମରେ, ଆମେ ବିଶ୍ୱାସ କରୁ ଯେ, ପ୍ରକୃତ ସମ୍ପ୍ରଦାୟ ବିକାଶ ଭିତ୍ତିଭୂମିଠାରୁ ଅଧିକ – ଏହାର ସାମଗ୍ରିକ ବିକାଶ ପାଇଁ ସୁଯୋଗ ସୃଷ୍ଟି କରିବାରେ ଥାଏ। ଏହି ଫିଟନେସ୍-କମ୍-ମନୋରଞ୍ଜନଭିତ୍ତିକ ପାର୍କ ପିଲାମାନଙ୍କୁ ଖେଳ ଏବଂ ଶାରୀରିକ କାର୍ଯ୍ୟକଳାପ ପାଇଁ ସୁଯୋଗ ପ୍ରଦାନ କରିବା ସହିତ ଏକ ଆନନ୍ଦଦାୟକ ପରିବେଶ ଯୋଗାଇଦେବା ଯାହା ପିଲାମାନଙ୍କର ସାମଗ୍ରିକ ବିକାଶକୁ ସମର୍ଥନ କରେ।”
ବେଦାନ୍ତ ଆଲୁମିନିୟମ ଶିକ୍ଷା, ସ୍ୱାସ୍ଥ୍ୟସେବା, ସ୍ଥାୟୀ ଜୀବିକା, ଭିତ୍ତିଭୂମି ଏବଂ ତୃଣମୂଳ କ୍ରୀଡା ଏବଂ ସଂସ୍କୃତିକୁ ପ୍ରୋତ୍ସାହିତ କରି ସ୍ଥାନୀୟ ସମ୍ପ୍ରଦାୟକୁ ସଶକ୍ତ କରିବା ପାଇଁ ସମର୍ପିତ ରହିଛି। ଏହି ପ୍ରୟାସଗୁଡ଼ିକ ବେଦାନ୍ତ ଆଲୁମିନିୟମର କାର୍ଯ୍ୟକ୍ଷମ କ୍ଷେତ୍ର ମଧ୍ୟରେ ଏବଂ ବାହାରେ ପରିବର୍ତ୍ତନ ଆଣିବା ପ୍ରତି ପ୍ରତିବଦ୍ଧତାକୁ ରେଖାଙ୍କିତ କରେ, ଓଡ଼ିଶାର ସାମଗ୍ରିକ ଅଭିବୃଦ୍ଧି ଏବଂ ଉନ୍ନତି ପ୍ରତି ସମ୍ପ୍ରଦାୟ ଅବଦାନର ଭାବନାକୁ ପ୍ରୋତ୍ସାହିତ କରେ। ସ୍ଥାନୀୟ କର୍ତ୍ତୃପକ୍ଷ ଏବଂ ସମ୍ପ୍ରଦାୟ ଅଂଶୀଦାରମାନଙ୍କ ସହିତ ଘନିଷ୍ଠ ଭାବରେ ସହଯୋଗ କରି, କମ୍ପାନୀ ନିଶ୍ଚିତ କରେ ଯେ ଏହାର ହସ୍ତକ୍ଷେପ ଦୃଶ୍ଯ ସାମାଜିକ-ଆର୍ଥିକ ପ୍ରଗତି ଆଡ଼କୁ ନେଇଯାଏ।
ତୁମୁଡ଼ିବନ୍ଧ ସିଡିପିଓଙ୍କ ବଦଳି ଦାବିରେ ଅଙ୍ଗନବାଡ଼ି କର୍ମୀଙ୍କ ଧାରଣା
ନନ୍ଦିଘୋଷ ବ୍ୟୁରୋ: କନ୍ଧମାଳ ତୁମୁଡ଼ିବନ୍ଧ ସିଡିପିଓଙ୍କ ବଦଳି ଦାବିରେ ସିଡିପିଓଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଅଙ୍ଗନବାଡ଼ି କର୍ମୀଙ୍କ ଧାରଣା। ସିଡିପିଓ ଲତା ଦିଗାଳଙ୍କ ବିରୋଧରେ ସାଙ୍ଘାତିକ ଅଭିଯୋଗ କରିଛନ୍ତି ଅଙ୍ଗନବାଡ଼ି କର୍ମୀ ସମୂହ । ଅଙ୍ଗନବାଡ଼ି କର୍ମୀଙ୍କୁ ଅଶ୍ଳୀଳ ଭାଷାରେ ଗାଳିଗୁଲଜ କରିବା ସହ ଦରମା ବନ୍ଦ କରିଥିବା ଅଭିଯୋଗ ହୋଇଛି । ଘଟଣାର ସମାଧାନ ପାଇଁ ଗତକାଲି ଜିଲ୍ଲା ଶିଶୁ ମଙ୍ଗଳ ଅଧିକାରୀ ତୁମୁଡ଼ିବନ୍ଧ ଯାଇଥିଲେ। ସେପଟେ ଅଲ୍ ଓଡିଶା ଅଙ୍ଗନବାଡ଼ି ସଙ୍ଘର ରାଜ୍ୟ ଉପଦେଷ୍ଟା ଝିନୁପମା ଶତପଥୀ, ଜିଲ୍ଲା ସଭାପତି, ସମ୍ପାଦକଙ୍କ ସମେତ ବ୍ଲକର ସମସ୍ତ କର୍ମୀ ତୁମୁଡ଼ିବନ୍ଧ ସମନ୍ୱିତ ଶିଶୁ ବିକାଶ ଯୋଜନା କାର୍ଯ୍ୟାଳୟରେ ପହଁଚି ଅଙ୍ଗନବାଡ଼ି କର୍ମୀଙ୍କ ଅଭିଯୋଗ ଏବଂ ସମସ୍ୟାର ସମାଧାନ କରିବା ପାଇଁ ଚେଷ୍ଟା କରିଥିଲେ।
କିନ୍ତୁ ସିଡ଼ିପିଓ ଲତା ଦିଗାଳ ବେଖାତିର କରି କାର୍ଯ୍ୟାଳୟରୁ ବାହାରି ଯାଇଥିଲେ।କାର୍ଯ୍ୟାଳୟ ବାହାରେ ସଙ୍ଘର ଜିଲ୍ଲା ସମ୍ପାଦିକା ଶାରଦା ବିଶୋଇ ସିଡ଼ିପିଓ ଲତା ଦିଗାଳଙ୍କୁ ଆଲୋଚନା କରିବା ପାଇଁ ଅଟକାଇବା ବେଳେ ସିଡ଼ିପିଓ ତାଙ୍କ କାର୍ ଡୋରରେ ଆଘାତ ଦେଇଥିବା ମଧ୍ୟ ଅଭିଯୋଗ ହୋଇଛି।ଘଟଣାକୁ ନେଇ ଅଙ୍ଗନବାଡ଼ି ସଙ୍ଘ ପକ୍ଷରୁ ତୁମୁଡ଼ିବନ୍ଧ ଥାନାରେ ଲିଖିତ ଅଭିଯୋଗ ହୋଇଥିବା ଜଣାପଡ଼ିଛି। ସିଡ଼ିପିଓ ଲତା ଦିଗାଳଙ୍କୁ ଅନ୍ୟତ୍ର ବଦଳି ଦାବିରେ ସମନ୍ୱିତ ଶିଶୁ ବିକାଶ ଯୋଜନା କାର୍ଯ୍ୟାଳୟ ସମ୍ମୁଖରେ ଧାରଣାରେ ବସିଥିବା ଦେଖିବାକୁ ମିଳିଛି। ସେପଟେ ଯଥାଶୀଘ୍ର ଏହାର ସମାଧାନ ନହେଲେ ଆଗାମୀ ଦିନରେ ଆନ୍ଦୋଳନ ତୀବ୍ରତର ହେବ ବୋଲି ଚେତାବନୀ ଦେଇଛି ସଙ୍ଘ। ଅନ୍ୟପଟେ ଘଟଣା ସମ୍ପର୍କରେ ତୁମୁଡ଼ିବନ୍ଧ ସିଡ଼ିପିଓଙ୍କ ପ୍ରତିକ୍ରିୟା ମିଳିପାରିନାହିଁ।
ଶ୍ରୀମନ୍ଦିର ଉତ୍ତର ଦ୍ୱାର ନିକଟରେ ଛୁରା ମାଡ଼
ନନ୍ଦିଘୋଷ ବ୍ୟୁରୋ: ପୁରୀ ଶ୍ରୀମନ୍ଦିର ଉତ୍ତର ଦ୍ୱାର ନିକଟରେ ଛୁରା ମାଡ଼ । ଛୁରା ମାଡ଼ରେ ଦାଦା ଓ ପୁତୁରା ଆହତ । ଆହତ ବ୍ୟକ୍ତି ମାନେ ହେଲେ ଗୌରାଙ୍ଗ ସାହୁ ଓ ସନ୍ତୋଷ କୁମାର ସାହୁ। ଉଭୟ ମାର୍କଣ୍ଡେଶ୍ୱର ସାହି ଅଂଚଳର । କେହି ଦୁର୍ବୃତ୍ତ ଛୁରା ମାଡ଼ କରି ଘଟଣା ସ୍ଥଳରୁ ଫେରାର ହୋଇଯାଇଥିବା ଜଣାପଡ଼ିଛି। ସିଂହ ଦ୍ୱାର ଥାନାରେ ଅଭିଯୋଗ ପରେ ପୋଲିସ ତଦନ୍ତ କରୁଛି। ଫେରାର ଅଭିଯୁକ୍ତକୁ ଧରିବା ପାଇଁ ପୋଲିସ ପକ୍ଷରୁ ପ୍ରୟାସ ଆରମ୍ଭ କରାଯାଇଅଛି।

