spot_img
Home Blog Page 4392

ନ୍ୟୁୟର୍କରେ ୧୮ ବର୍ଷ ଯୁବକଙ୍କ ଆତଙ୍କରାଜ୍, ସୁପର ମାର୍କେଟରେ ଆଖିବୁଜା ଗୁଳିମାଡ଼ରେ ୧୦ ମୃତ୍ୟୁ

ନ୍ୟୁୟର୍କ: ଆମେରିକାର ନ୍ୟୁୟର୍କ ସୁପରମାର୍କେଟରେ ଗୁଳିକାଣ୍ଡ । ୧୮ ବର୍ଷୀୟ ଯୁବକଙ୍କ ଅମାନୁଷିକ କାର୍ଯ୍ୟ । ଗୁଳିକାଣ୍ଡରେ ୧୦ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୩ରୁ ଅଧିକ ଗୁରୁତର ହୋଇଛନ୍ତି । ନ୍ୟୁୟର୍କ ବଫୋଲୋସ୍ଥିତ ଏକ ଗ୍ରୋସରୀ ଷ୍ଟୋରରେ ପଶି ଆଖିବୁଜା ଗୁଳିମାଡ଼ କରିଥିବା ଯୁବକଙ୍କୁ ବଫାଲୋ ପୋଲିସ ଗିରଫ କରିଛି । ବର୍ଣ୍ଣଗତ ବିଦ୍ବେଷ ରଖି ଯୁବକ ଜଣକ ଏହି ଅମାନୁଷିକ କାଣ୍ଡ ଘଟାଇଥିବା ଜଣାପଡିଛି । ତେବେ ଏହି ଗୁଳିକାଣ୍ଡରେ ପ୍ରାଣ ହରାଇଥିବାଙ୍କ ମଧ୍ୟରେ ରହିଛନ୍ତି ଅଧିକାଂଶ କୃଷ୍ଣକାୟ । ଜଣେ ଅବସରପ୍ରାପ୍ତ ପୋଲିସ ଅଧିକାରୀ ମଧ୍ୟ ଘଟଣାସ୍ଥଳରେ ପ୍ରାଣ ହରାଇଛନ୍ତି ।

ଗିରଫ କରିବା ସମୟରେ ଦୁର୍ବୃତ୍ତ ଜଣକ ଆତ୍ମହତ୍ୟା କରିବାକୁ ଚେଷ୍ଟା କରିଥିଲା । ଏହି ଅପରାଧ ଘଟାଇବା ଲାଗି ଯୁବକ ଜଣକ ବହୁ ଦୂରରୁ ଆସି ସୁଯୋଗ ଖୋଜୁଥିଲା ବୋଲି ବଫାଲୋ ମେୟର କହିଛନ୍ତି । ଗଣହତ୍ୟା ବେଳେ ଏହାର ଲାଇଭ କରିବାକୁ ମଧ୍ୟ ଯୁବକ ଚେଷ୍ଟା କରିଥିବା ପୋଲିସ କହିଛି । ଏହି ଘଟଣାରେ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ ଶୋକବ୍ୟକ୍ତ କରିବା ସହ ଘଟଣାର ସମୀକ୍ଷା କରିଛନ୍ତି । ଗତମାସରେ ଓ୍ବାଶିଂଟନରେ ଜଣେ ଦୁର୍ବୃତ୍ତ ଗୁଳିକାଣ୍ଡ ଘଟାଇ 4 ଜଣଙ୍କୁ ଆହତ କରିବା ପରେ ଆତ୍ମହତ୍ୟା ଉଦ୍ୟମ କରିଥିଲା ।

 

ଦୁଇ ମାସରେ ଦୁଇ କ୍ରିକେଟରଙ୍କୁ ହରାଇଲା କ୍ରିକେଟ ଜଗତ

କ୍ରୀଡା ଜଗତରୁ ଆସିଛି ଦୁଃଖଦ ଖବର । ଅଷ୍ଟ୍ରେଲିଆ କ୍ରିକେଟ ଜଗତ ଏବେ ଭାବବିହ୍ୱଳ ହୋଇଯାଇଛି । କାରଣ ଦେଶ ଏବେ ତାର ଜଣେ ଦିଗ୍ଗଜ କ୍ରିକେଟରକୁ ହରାଇଛି । ଦୁଇ ମାସ ଭିତରେ ଦୁଇ କିମ୍ବଦନ୍ତୀ କ୍ରିକେଟରଙ୍କୁ ହରାଇବା ପରେ କ୍ରିକେଟ ପ୍ରଶଂସକମାନେ ମର୍ମାହତ ହୋଇଛନ୍ତି । ଏହି ମହାନ କ୍ରିକେଟରଙ୍କ ବିୟୋଗ କ୍ରିକେଟ ଜଗତ ପାଇଁ ବି ଏକ ଅପୂରଣୀୟ କ୍ଷତି ସୃଷ୍ଟି ହୋଇଛି । ଆଣ୍ଡ୍ର୍ୟୁ ସାଇମଣ୍ଡସଙ୍କ ଅକାଳ ବିୟୋଗ କ୍ରିକେଟ ଜଗତକୁ ଶକ୍ତ ଧକ୍କା ଦେଇଛି । ଗତ ମାର୍ଚ୍ଚ ୪ ତାରିଖରେ ମହାନ ଲେଗ୍ ସ୍ପିନର ସେନ ୱାର୍ଣ୍ଣଙ୍କର ପରଲୋକ ହୋଇଥିଲା । ହୃଦଘାତରେ ପ୍ରାଣ ହରାଇଥିଲେ ସେନ୍ ୱାର୍ଣ୍ଣ । ଏବେ ସଡକ ଦୁର୍ଘଟଣାରେ ସାଇମଣ୍ଡଙ୍କ ମୃତ୍ୟୁ ସମସ୍ତଙ୍କୁ ମର୍ମାହତ କରିଛି ।

ସୂଚନା ଅନୁଯାୟୀ, ଶନିବାର ରାତିରେ ଟାଉନ୍ସିଭାଲେରେ ଏକ କାର ଦୁର୍ଘଟଣାରେ ଆଣ୍ଡ୍ରିୟୁ ସାଇମଣ୍ଡଙ୍କ ମୃତ୍ୟୁ ହୋଇଛି। ତାଙ୍କୁ ବଞ୍ଚାଇବା ପାଇଁ ଚେଷ୍ଟା କରାଯାଇଥିଲା, କିନ୍ତୁ ସମସ୍ତ ଉଦ୍ୟମ ବିଫଳ ହୋଇଥିଲା। ମୃତ୍ୟୁ ବେଳକୁ ତାଙ୍କୁ ୪୬ ବର୍ଷ ବୟସ ହୋଇଥିଲା । ସାଇମଣ୍ଡଙ୍କୁ ବଞ୍ଚାଇବା ପାଇଁ ସବୁ ପ୍ରକାର ଉଦ୍ୟମ କରାଯାଇଥିଲା, କିନ୍ତୁ ଏହା ବିଫଳ ହୋଇଥିଲା।

ପୋଲିସର କହିବା ଅନୁସାରେ ଦୁର୍ଘଟଣା ଅତି ଭୟଙ୍କର ଥିଲା । ପୂର୍ବତନ କ୍ରିକେଟରଙ୍କ ଶରୀରରେ ଗଭୀର କ୍ଷତ ପହଞ୍ଚିଥିଲା । ସହର ଠାରୁ ପାଖାପାଖି ୫୦ କିଲୋମିଟର ଭେଷ୍ଟର ହର୍ଭେ ରେଞ୍ଜରେ ରାତି ପ୍ରାୟ ୧୦ଟା ୩୦ରେ ସାଇମଣ୍ଡ ଦୁର୍ଘଟଣାର ସାମ୍ନା କରିଥିଲେ । ଦୁର୍ଘଟଣା ସଂପର୍କିତ ସୂଚନା ମିଳିବା ପରେ ପୋଲିସ ତୁରନ୍ତ ପହଞ୍ଚିଥିଲା । ତାଙ୍କୁ ଆମ୍ବୁଲାନ୍ସରେ ହସ୍ପିଟାଲ ନିଆଯାଇଥିଲା । କିନ୍ତୁ ଡାକ୍ତର ମୃତ ଘୋଷଣା କରିଥିଲେ ।

ଆପଣଙ୍କୁ କହି ରଖୁଛୁ ଯେ, ଆଣ୍ଡ୍ରୁ ସାଇମଣ୍ଡ ଅଷ୍ଟ୍ରେଲିଆ ପାଇଁ ୨୬ଟି ଟେଷ୍ଟ, ୧୯୮ଟି ଦିନିକିଆ ଓ ୧୨ଟି ଟି-୨୦ ମ୍ୟାଚ ଖେଳିଥିଲେ । ସେ ୨୦୦୩ ଓ ୨୦୦୭ରେ ଅଷ୍ଟ୍ରେଲିଆର ବିଶ୍ୱକପ ବିଜୟରେ ବଡ଼ ଭୂମିକା ନେଇଥିଲେ ।

ତେବେ ଦୁଇ ଖେଳାଳୀଙ୍କ ଯୋଡି ବେସ ଚର୍ଚ୍ଚିତ ଥିଲା । ଆଉ ଏବେ ସେମାନଙ୍କ ଆବର୍ତ୍ତମାନରେ ସେମାନଙ୍କୁ ଝୁରୁଛନ୍ତି ସମସ୍ତେ । ସୋସିଆଲ ମିଡିଆରେ ସେମାନଙ୍କର ପଡିଆରେ ବିତିଥିବା ଦିନର ସ୍ମୃତିଭିଜା ଫଟୋ ଭାଇରାଲ ହେଉଛି ।

ରାଜ୍ୟରେ ତାତିରୁ ମିଳିଛି ଆଶ୍ବସ୍ତି, ୧୮ ଯାଏ କାଳବୈଶାଖୀ ପାଇଁ ବିଭିନ୍ନ ଜିଲ୍ଲାକୁ ଆଲର୍ଟ

ଭୁବନେଶ୍ୱର: ତାତିରୁ ରାଜ୍ୟକୁ ମିଳିଛି ସାମାନ୍ୟ ଆଶ୍ବସ୍ତି । କାଳବୈଶାଖୀ ସକ୍ରିୟ ଥିବାରୁ ପାରା କମିଥିବା ସୂଚନା ଦେଇଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର । ଆସନ୍ତା ୪ ଦିନ ପର୍ଯ୍ୟନ୍ତ ପାଗରେ କୌଣସି ପରିବର୍ତ୍ତନ ହେବ ନାହିଁ । ଆଭ୍ୟନ୍ତରୀଣ ଓଡ଼ିଶାରେ ତାପମାତ୍ରା ୪୦ ଉପରେ ରହିଲେ ମଧ୍ୟ ତାହା ସ୍ବାଭାବିକ । ୧୯ ତାରିଖ ପର୍ଯ୍ୟନ୍ତ ଉତ୍ତର ଉପକୂଳ ସହ ଦକ୍ଷିଣ ଓଡ଼ିଶାର ଅଧିକାଂଶ ଜିଲ୍ଲାରେ ଘଡ଼ଘଡ଼ି ଓ ବିଜୁଳି ସହ ବର୍ଷା ହୋଇପାରେ ।

୨୪ ଘଣ୍ଟା ଭିତରେ କାଳବୈଶାଖୀ ପାଇଁ ବାଲେଶ୍ୱର, ଭଦ୍ରକ, କେନ୍ଦୁଝର, ଯାଜପୁର, ମୟୁରଭଞ୍ଜ, କୋରାପୁଟ ଆଦି ଜିଲ୍ଲାକୁ ଆଲର୍ଟ ଜାରି ହୋଇଛି । ଆସନ୍ତାକାଲି ପାଇଁ ୧୫ ଜିଲ୍ଲା, ୧୭ ତାରିଖରେ ୧୮ ଜିଲ୍ଲା ଓ ୧୮ ତାରିଖରେ ୧୨ ଜିଲ୍ଲାକୁ ୟେଲୋ ଆଲର୍ଟ ଜାରି କରାଯାଇଛି । ବର୍ଷା ବେଳେ ଘଣ୍ଟା ପ୍ରତି ୩୦ରୁ ୪୦ କିଲୋମିଟର ବେଗରେ ପବନ ବହିବାର ମଧ୍ୟ ସମ୍ଭାବନା ରହିଛି  ।

ସେପଟେ ବିଶ୍ୱର ଦ୍ବିତୀୟ ଉତ୍ତପ୍ତ ଦେଶ ପାଲଟିଛି ଭାରତ । ଓ୍ବାର୍ଲଡ ଟେମ୍ପରେଚର ଆଣ୍ଡ ରେନଫଲ୍ ଏକ୍ସଟ୍ରିମ୍ସ ପକ୍ଷରୁ ଜାରି ତାଲିକାରେ ପ୍ରଥମରେ ରହିଛି ପାକିସ୍ତାନ । ଭାରତର ପଞ୍ଜାବ, ହରିୟାଣା, ଉତ୍ତର ପ୍ରଦେଶ, ମଧ୍ୟପ୍ରଦେଶ, ରାଜସ୍ଥାନ, ବିଦର୍ଭରେ ତାତି ରେକର୍ଡ କରିଛି ।

ସକାଳ-ନନ୍ଦିଘୋଷ ଟିଭିର ଆଜି ’ଦହନା’

ଭୁବନେଶ୍ୱର: ସଂସ୍କୃତି, ପରମ୍ପରା ଓ ଐତିହ୍ୟର ମାଟି ପଶ୍ଚିମ ଓଡ଼ିଶା । ଏ ଅଞ୍ଚଳ ଏବେ ବିକାଶର ରାସ୍ତାରେ । ବିକାଶକୁ ଅଧିକ ତ୍ବରାନ୍ବିତ କରିବାକୁ ପ୍ରସ୍ତୁତ ହେବ ରୋଡମ୍ୟାପ୍ । ଗୋଟିଏ ମଞ୍ଚରେ ଏକାଠି ହେବେ ଅଭିଜ୍ଞ ରାଜନେତା, ସମାଜସେବୀ, ଅଭିନେତା, ଅଭିନେତ୍ରୀ ଓ ମାନ୍ୟଗଣ୍ୟ ବ୍ୟକ୍ତି ବିଶେଷ । ପଶ୍ଚିମାଞ୍ଚଳର ବିକାଶ ରଥକୁ ଆହୁରି ଆଗକୁ ନେବାକୁ ହେବ ମାନସମନ୍ଥନ । ଗୋଷ୍ଠୀ ଓ ରାଜନୀତିରୁ ଊର୍ଦ୍ଧ୍ବକୁ ଉଠି ପ୍ରସ୍ତୁତ ହେବ ନୂଆ ବିକାଶର ନୀଳନକ୍ସା । ଏଥିପାଇଁ ଆଜି ଦୈନିକ ‘ସକାଳ’ ଓ ‘ନନ୍ଦିଘୋଷ ଟିଭି’ ପକ୍ଷରୁ ଆୟୋଜିତ ହେଉଛି ସ୍ୱତନ୍ତ୍ର କାର୍ଯ୍ୟକ୍ରମ ‘ଦହନା’ । ରବିବାର ଅପରାହ୍ନ ୪ଟାରେ ସମ୍ବଲପୁର ତପସ୍ବିନୀ ହଲଠାରେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ ।

କାର୍ଯ୍ୟସୂଚୀ ଅନୁସାରେ ଆଜି ଅପରାହ୍ନ ୩.୪୫ରେ ମା’ ସମଲେଶ୍ବରୀଙ୍କ ବନ୍ଦନାରୁ ଏହି କାର୍ଯ୍ୟକ୍ରମ ଆରମ୍ଭ ହେବ । ଅପରାହ୍ନ ୪ଟାରେ ଆରମ୍ଭ ହେବ ’ଦହନା’ର ପ୍ରଥମ ଅଧିବେଶନ । ‘ପଶ୍ଚିମ ଓଡ଼ିଶା ବିକାଶର ନକ୍ସା’ ଶୀର୍ଷକ ଆଲୋଚନାଚକ୍ରରେ କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର, ସାଂସଦ ପ୍ରସନ୍ନ ଆଚାର୍ଯ୍ୟ ଓ ସୁରେଶ ପୂଜାରୀ ସାମିଲ ହେବେ । ଏହି ଅଧିବେଶନକୁ ସଂଯୋଜନା କରିବେ ନନ୍ଦିଘୋଷ ଟିଭି ମୁଖ୍ୟ ସଂପାଦକ ଶିଶିର ଭଟ୍ଟମିଶ୍ର । ଅପରାହ୍ନ ୫ଟାରେ ସମ୍ବଲପୁରୀ କ୍ଷୁଦ୍ର ନାଟକ ପରିବେଷଣ କରାଯିବ । ସାଢ଼େ ୫ଟାରେ ଅନୁଷ୍ଠିତ ହେବ ଦ୍ୱିତୀୟ ଅଧିବେଶନ । ‘ଓଡ଼ିଆ ସିନେମାକୁ ପଶ୍ଚିମ ଓଡ଼ିଶାର ଅବଦାନ’ ଶୀର୍ଷକ ଆଲୋଚନାଚକ୍ରରେ ବରିଷ୍ଠ ସିନେ ନିର୍ଦ୍ଦେଶକ ସବ୍ୟସାଚ୍ଚୀ ମହାପାତ୍ର, ଅଭିନେତା ସବ୍ୟସାଚ୍ଚୀ ଓ ଅଭିନେତ୍ରୀ ଅର୍ଚ୍ଚିତା ଯୋଗ ଦେବେ । ଏହି ଅଧିବେଶନକୁ ସଂଯୋଜନା କରିବେ ନନ୍ଦିଘୋଷ ଟିଭି ଉପସ୍ଥାପକ ଅବିନାଶ ଷଡ଼ଙ୍ଗୀ ।

ଏହାପରେ ସମ୍ମାନ ଓ ସମ୍ବଦ୍ଧର୍ନା କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ । ‘ବିକାଶ ରାସ୍ତାରେ ନାରୀ’ ଶୀର୍ଷକ ଆଲୋଚନାରେ ଅଂଶ ଗ୍ରହଣ କରିବେ ବର୍ଷା ପ୍ରିୟଦର୍ଶିନୀ ଓ ଜୟନ୍ତୀ ଏକ୍କା । ଏହାକୁ ସଂଯୋଜନା କରିବେ ନନ୍ଦିଘୋଷ ଟିଭି ଉପସ୍ଥାପିକା ଶୁଭଶ୍ରୀ ମହାପାତ୍ର । ସନ୍ଧ୍ୟା ୭ଟା ରେ ରଙ୍ଗାରଙ୍ଗ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ । ଏହି ରଙ୍ଗାରଙ୍ଗ ସାଂସ୍କୃତିକ କାର୍ଯ୍ୟକ୍ରମରେ ପପୁ ପମପମ୍, ଅଭିଜିତ ମଜମୁଦାର, ଅନ୍ତରା ଚକ୍ରବର୍ତ୍ତୀ, ଶୀତଲ ଓ ଶାନ୍ତନୁ ପ୍ରମୁଖ ଯୋଗଦେବେ ।

ଆଜିଠୁ ତାରାତାରିଣୀ ପୀଠରେ ୬ଦିନ ବ୍ୟାପୀ ପ୍ରତିଷ୍ଠା ଉତ୍ସବ, ୧୮ରେ ସାମିଲ ହେବେ ମୁଖ୍ୟମନ୍ତ୍ରୀ

ଗଞ୍ଜାମ: ଝଟକୁଛି ମା’ ତାରାତାରିଣୀଙ୍କ ମନ୍ଦିର । ବଦଳିଛି ଗଞ୍ଜାମ ଜିଲ୍ଲା ଅଧିଷ୍ଟାତ୍ରୀ ଦେବୀଙ୍କ ପୀଠର ରୂପରେଖ । ଆଜିଠୁ ପୀଠରେ ୬ ଦିନ ବ୍ୟାପୀ ଆୟୋଜିତ ହେଉଛି ପ୍ରତିଷ୍ଠା ଉତ୍ସବ । ଆଜି ଦୀକ୍ଷା ଗ୍ରହଣ ଓ ଅଙ୍କୁର ରୋପଣ ପରେ ଆସନ୍ତାକାଲି ଜଳଯାତ୍ରା, ଯଜ୍ଞ ଆରମ୍ଭ ସହ ୧୭ ତାରିଖରେ ସୂର୍ଯ୍ୟପୂଜା, ବ୍ରାହ୍ମଣ ବରଣ କରାଯିବ । ୧୮ରେ ଦଶ ମହାବିଦ୍ୟା, ତ୍ରିଶୁଳ, ଧ୍ବଜ ଓ ଦେବତା ସ୍ନାନ କରାଯିବ । ଏହିଦିନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସାମିଲ ହେବାର କାର୍ଯ୍ୟକ୍ରମ ରହିଛି । ୧୯ରେ ଦେବତା ଓ ଆୟୁଦ୍ଧ ଧ୍ବାଜ ନାଶ ଏବଂ ଶେଷଦିନରେ ଧ୍ବଜ, ପାର୍ଶ୍ବ ଦେବତା, ସ୍ଥାପନ ସହ ଅଖଣ୍ଡ ନାମଯଜ୍ଞ, ଘ୍ରୁତଯଜ୍ଞ କରାଯିବାର କାର୍ଯ୍ୟକ୍ରମ ରହିଛି ।

୬ ଦିନିଆ ମନ୍ଦିର ପ୍ରତିଷ୍ଠା କାର୍ଯ୍ୟକ୍ରମ ପାଇଁ ପୀଠରେ ପହଞ୍ଚି ସାରିଛନ୍ତି ରାଜ୍ୟ ଓ ରାଜ୍ୟ ବାହାରର ବହୁ ବ୍ରାହ୍ମଣ, ସନ୍ଥ ଓ ଭକ୍ତ । ପୂଣ୍ୟତୋୟା ଋଷିକୁଲ୍ୟା ମୁହାଣର ବଣ ପାହାଡ଼ ଘେରା ଏହି ପୀଠର ସୌନ୍ଦର୍ଯ୍ୟକରଣ ଏବେ ପର୍ଯ୍ୟଟକଙ୍କ ଦୃଷ୍ଟି ଆକର୍ଷଣ କରୁଛି । ରାଜ୍ୟ ସରକାରଙ୍କ ଅନୁଦାନରେ ମନ୍ଦିରର ହୋଇଛି ସୌନ୍ଦର୍ଯ୍ୟକରଣ । ୨୦୦୪ରେ ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇଥିଲା । ଏବେ କାମ ଶେଷ ହୋଇ ମନ୍ଦିର ପ୍ରତିଷ୍ଠା କରାଯାଉଛି । ଏଥିପାଇଁ ଜିଲ୍ଲା ଓ ମନ୍ଦିର ପ୍ରଶାସନ କରିଛି ବ୍ୟାପକ ପ୍ରସ୍ତୁତି ।

କ୍ରିକେଟ ଜଗତ ସ୍ତବ୍ଧ, ଆଉ ନାହାନ୍ତି ଅଷ୍ଟ୍ରେଲିଆର ପୂର୍ବତନ ଅଲରାଉଣ୍ଡର ଆଣ୍ଡ୍ର୍ୟୁ ସାଇମଣ୍ଡସ

ମେଲବର୍ଣ୍ଣ: କ୍ରୀଡ଼ା ଜଗତ ପାଇଁ ପୁଣି ଥର ବଡ଼ ଦୁଃଖଦ ଖବର ଆସିଛି । ପରଲୋକରେ ଅଷ୍ଟ୍ରେଲିଆର ପୂର୍ବତନ ଷ୍ଟାର ଅଲରାଉଣ୍ଡର ଆଣ୍ଡ୍ର୍ୟୁ ସାଇମଣ୍ଡ । ଏକ ସଡ଼କ ଦୁର୍ଘଟଣାରେ ସାଇମଣ୍ଡସଙ୍କର ମୃତ୍ୟୁ ହୋଇଛି । ମାତ୍ର ୪୬ ବର୍ଷରେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି ଷ୍ଟାର କ୍ରିକେଟର ଆଣ୍ଡ୍ର୍ୟୁ ସାଇମଣ୍ଡସ । ସାଇମଣ୍ଡସଙ୍କ ମୃତ୍ୟୁକୁ ନେଇ ସାରା କ୍ରିକେଟ ଜଗତ ସ୍ତବ୍ଧ ହୋଇଯାଇଛି । ଅଷ୍ଟ୍ରେଲିଆ ସମେତ ବିଭିନ୍ନ ଦେଶର ଖେଳାଳି ସାଇମଣ୍ଡସଙ୍କ ମୃତ୍ୟୁରେ ଶୋକ ପ୍ରକାଶ କରିଛନ୍ତି ।

ଦୁଇ ଦୁଇ ଥର ଅଷ୍ଟ୍ରେଲିଆ ଟିମରେ ବିଶ୍ବକପ୍ ଖେଳିଥିଲେ ସାଇମଣ୍ଡସ । ଏହା ଅଷ୍ଟ୍ରେଲିଆକୁ ୨୦୦୩ ଓ ୨୦୦୭ ମସିହାରେ ବିଶ୍ବକପ୍ ଜିତାଇବାରେ ମଧ୍ୟ ପ୍ରମୁଖ ଭୂମୀକା ତୁଲାଇଥିଲେ ସାଇମଣ୍ଡ । ଅଷ୍ଟ୍ରେଲିଆ ପାଇଁ ସାଇମଣ୍ଡସ ୨୬ଟି ଟେଷ୍ଟ ଓ ୧୯୮ଟି ଦିନିକିଆ ମ୍ୟାଚ୍ ଖେଳିଥିଲେ । ସାଇମଣ୍ଡଙ୍କ ମୃତ୍ୟୁରେ ଶୋକବ୍ୟକ୍ତ କରିଛି ଇଣ୍ଟରନାସନାଲ କ୍ରିକେଟ କାଉନସିଲ ବା ଆଇସିସି । କିଛି ମାସ ପୂର୍ବରୁ ଅଷ୍ଟ୍ରେଲିଆର ଅନ୍ୟତମ ବିଶିଷ୍ଟ ଖେଳାଳି ସେନ୍ ୱାର୍ଣ୍ଣଙ୍କ ପରଲୋକ ହୋଇଯାଇଥିଲା ।

ଭୁଲରେ ବି କରନ୍ତୁ ନାହିଁ ଏଭଳି କାମ, ନଚେତ୍…

ମେଷ : ଆଜି ମନ ଅଶାନ୍ତ ରହିପାରେ । ଚାଲୁ ରହୁଥିବା କାର୍ଯ୍ୟ ହଠାତ୍ ବନ୍ଦ ହେବାର ଚିନ୍ତା ଘାରିପାରେ । ମନରେ ସକାରାତ୍ମକ ଚିନ୍ତାଧାରା ଆଣନ୍ତୁ । କର୍ମକ୍ଷେତ୍ରରେ କାର୍ଯ୍ୟଭାର ବଢ଼ିପାରେ । ବିଦ୍ୟାର୍ଥୀ ପଢ଼ାରେ ଅଧିକ ଧ୍ୟାନ ଦିଅନ୍ତୁ, ପରବର୍ତ୍ତୀ ସମୟରେ ନିଶ୍ଚିତ ଫଳପ୍ରାପ୍ତି ହେବ । ବ୍ୟବସାୟରେ ସାବଧାନ ରୁହନ୍ତୁ । ସ୍ଥିର ଚିନ୍ତାରେ ନିଷ୍ପତ୍ତି ନିଅନ୍ତୁ । ପେଟ ଯନ୍ତ୍ରଣା ଦେଖାଦେଇପାରେ । ଗରିଷ୍ଠ ଭୋଜନଠୁ ଦୂରେଇ ରୁହନ୍ତୁ । ବନ୍ଧୁଙ୍କ ସହ କଳହରୁ ନିବୃତ୍ତ ରୁହନ୍ତୁ ।

ବୃଷ : କାର୍ଯ୍ୟକ୍ଷେତ୍ରରେ ଆନନ୍ଦଦାୟକ ସମୟ ଅତିବାହିତ କରିବେ । ଲାଭ ମିଳିପାରେ । ବ୍ୟବସାୟରେ ବିବାଦ ଦେଖାଦେଇପାରେ । ଆଣ୍ଠୁଗଣ୍ଠି ବ୍ୟଥା ଦେଖାଦେଇପାରେ । ଏଥିପାଇଁ ସ୍ୱାସ୍ଥ୍ୟର ଯତ୍ନ ନିଅନ୍ତୁ । ଥଣ୍ଡା ପାନୀୟଠୁ ଦୂରେଇ ରୁହନ୍ତୁ । ପରିବାର ସହ ସମ୍ପର୍କ ସୁଦୃଢ଼ କରିବାର ଏହା ଉପଯୁକ୍ତ ସମୟ । ଅଯଥା କଥାରେ ମୁଣ୍ଡ ନ ପୁରାଇ ନିଜ କ୍ୟାରିୟର ପ୍ରତି ଧ୍ୟାନ ଦିଅନ୍ତୁ ।

ମିଥୁନ : କୌଣସି କଥାକୁ ନେଇ ମନ ଅଶାନ୍ତ ରହିବ । ବରିଷ୍ଠ ବ୍ୟକ୍ତିଙ୍କ ପରାମର୍ଶ ନିଅନ୍ତୁ । ଚାକିରିରେ ପରିବର୍ତ୍ତନ ଦେଖାଦେଇପାରେ । କୌଣସି ନିଷ୍ପତ୍ତି ସ୍ଥିର କରିବା ପୂର୍ବରୁ ଭାବିଚିନ୍ତି କାର୍ଯ୍ୟ କରନ୍ତୁ । କୌଣସି ନୂଆ ବ୍ୟବସାୟ କରିବାର ସୁଯୋଗ ମିଳୁଥିଲେ ନିଶ୍ଚିତ ସଫଳତା ପାଇବେ । ଶରୀରର ଯତ୍ନ ନିଅନ୍ତୁ । ଠିକ୍ ସମୟରେ ଔଷଧ ସେବନ କରନ୍ତୁ । ଅଧିକ ପରିଶ୍ରମ କିମ୍ୱା ଚିତ୍କାର କରି କୌଣସି କଥା ପ୍ରକାଶ କରନ୍ତୁ ନାହିଁ, ନଚେତ୍ ରକ୍ତଚାପ ବଢ଼ିପାରେ । ମା’ଙ୍କ ସ୍ୱାସ୍ଥ୍ୟର ଧ୍ୟାନ ନିଅନ୍ତୁ । ଆବଶ୍ୟକ ପଡ଼ିଲେ ଡାକ୍ତରଙ୍କ ପରାମର୍ଶ ନିଅନ୍ତୁ ଏବଂ ସଠିକ୍ ସମୟରେ ଔଷଧ ସେବନ କରାନ୍ତୁ ।

କର୍କଟ : ବାକି ରହିଥିବା କାର୍ଯ୍ୟ ପୂର୍ଣ୍ଣ ହେବ ।  ଛାତ୍ରଛାତ୍ରୀ କୌଣସି ପ୍ରତିଯୋଗିତା ପାଇଁ ପୂରା ପ୍ରସ୍ତୁତି କରନ୍ତୁ । ପରିଶ୍ରମ ବ୍ୟର୍ଥ ହୁଏ ନାହିଁ । ତେଣୁ ନିଶ୍ଚିତ ସଫଳତା ପାଇବେ । ବ୍ୟବସାୟ କାରବାରରେ ସତର୍କତା ଅବଲମ୍ୱନ କରନ୍ତୁ । କ୍ଷତି ହେବାର ସମ୍ଭାବନା ରହିଛି । ସୀମିତ ପରିମାଣର ଖର୍ଚ୍ଚ କରନ୍ତୁ । ଗରମ ବଢ଼ୁଥିବାରୁ ଡିହାଇଡ୍ରେସନ୍ ଭଳି ସମସ୍ୟା ଦେଖାଦେଇପାରେ । ଖରାରେ ବାହାରକୁ ଯାଉଥିଲେ ସାଙ୍ଗରେ ପାଣି ନିଅନ୍ତୁ, ନଚେତ୍ ଅଂଶୁଘାତର ସମ୍ଭାବନା ରହିଛି । ଭାଇଙ୍କ ସହ ବିବାଦ ଦେଖାଦେଇପାରେ । ଏହି ରାଶିର ବ୍ୟକ୍ତିଙ୍କ ଆଜିର ଦିନଚର୍ଯ୍ୟା ବ୍ୟସ୍ତତା ପୂର୍ଣ୍ଣ ରହିପାରେ । ଅନିୟମିତତା ସ୍ୱାସ୍ଥ୍ୟ ଉପରେ ପ୍ରଭାବ ପକାଇପାରେ । ସତର୍କ ରୁହନ୍ତୁ ।

ସିଂହ : ଏହି ରାଶିର ବ୍ୟକ୍ତି ପ୍ରତିଭାଶାଳୀ । ସିଂହ ରାଶିର ବ୍ୟକ୍ତିଙ୍କ ନିକଟରେ ଏକାସଙ୍ଗେ ଅନେକ କାମ କରିବାର ଦକ୍ଷତା ରହିଛି । ପୁଞ୍ଜି ପ୍ରାପ୍ତି ହୋଇପାରେ । ଏହାକୁ ଭବିଷ୍ୟତରେ ସଠିକ୍ କାର୍ଯ୍ୟରେ ଲଗାଇବାର ଯୋଜନା କରନ୍ତୁ । ସୁସ୍ଥ ସ୍ୱାସ୍ଥ୍ୟ ପାଇଁ ସଠିକ୍ ସମୟରେ ଭୋଜନ ଏବଂ ଶୟନ କରନ୍ତୁ । ବାପା, ମା’ଙ୍କ ସ୍ୱାସ୍ଥ୍ୟକୁ ନେଇ ଚିନ୍ତିତ ହୋଇପାରନ୍ତି । ଏନେଇ ଡାକ୍ତରଙ୍କ ପରାମର୍ଶ ନିଅନ୍ତୁ ଏବଂ ସଠିକ୍ ଚିକିତ୍ସା କରାନ୍ତୁ । ବନ୍ଧୁଙ୍କ ସହ ସମ୍ପର୍କ ବଢ଼ାନ୍ତୁ । ପରବର୍ତ୍ତୀ ମୂହୁର୍ତ୍ତରେ ସହାୟ ହେବେ ।

କନ୍ୟା : କଠିନ ପରିଶ୍ରମ କରିପାରନ୍ତି । ପରିଶ୍ରମ କଲେ ନିଶ୍ଚିତ ଫଳପ୍ରାପ୍ତି ହେବ । ସରକାରୀ ଚାକିରିର ଯୋଗ ରହିଛି । ବ୍ୟବସାୟରେ ଲାଭ ମିଳିପାରେ । ଏଥିସହ ବ୍ୟବସାୟରେ ସତର୍କତା ଅବଲମ୍ୱନ କରିବା ଜରୁରୀ । ସ୍ୱାସ୍ଥ୍ୟ ଭଲ ରହିବ । ମନ ପ୍ରସନ୍ନ ରହିବ । ସ୍ୱାସ୍ଥ୍ୟ ପ୍ରତି ଯତ୍ନ ନିଅନ୍ତୁ । କୌଣସି ଛୋଟ କଥାକୁ ପରିବାର ସହ କଳହ ଦେଖାଦେଇପାରେ । କିଛି ଗ୍ରହ ନକାରାତ୍ମକ ଥିବାରୁ ଏଭଳି ସମସ୍ୟା ଦେଖାଦେଲେ ଏହାର ସମାଧାନ କରିବାକୁ ଚେଷ୍ଟା କରନ୍ତୁ ।

ତୁଳା : ଭରପୁର ଆତ୍ମବିଶ୍ୱାସ ରହିବ । କୌଣସି ନିଷ୍ପତ୍ତି ନେବା ପୂର୍ବରୁ ଦୃଢ଼ ଆତ୍ମବିଶ୍ୱାସର ସହ ନେଲେ ଏହା ପୂର୍ଣ୍ଣ ହେବ । ସହଯୋଗିତାଙ୍କ ସହ ପ୍ରତିଯୋଗିତା ମନୋଭାବ ରହିବ । କାର୍ଯ୍ୟକ୍ଷେତ୍ରରେ ବିଶେଷ ଧ୍ୟାନ ଦେବାର ଆବଶ୍ୟକତା ରହିଛି । ସ୍ୱାସ୍ଥ୍ୟ ଭଲ ରହିବ । ଅନାବଶ୍ୟକ ଚିନ୍ତା କରନ୍ତୁ ନାହିଁ । ସ୍ୱାସ୍ଥ୍ୟରେ ଅବହେଳା କରନ୍ତୁ ନାହିଁ । ପରିବାର ପ୍ରତି ଧ୍ୟାନ ଦିଅନ୍ତୁ ।

ବିଛା : ଆଜିର ଦିନ ଏହି ରାଶିର ବ୍ୟକ୍ତିଙ୍କ ପାଇଁ ଅନୁକୂଳ । ଦୀର୍ଘ ସମୟ ଧରି ଅଟକିଥିବା କାର୍ଯ୍ୟ ପୂର୍ଣ୍ଣ ହେବ । ଅଯଥା ଚିନ୍ତା କରନ୍ତୁ ନାହିଁ । ବ୍ୟାଙ୍କରେ କାର୍ଯ୍ୟ କରୁଥିବା ବ୍ୟକ୍ତିଙ୍କୁ ଲାଭ ମିଳିପାରେ । ଭଲ ସୁଯୋଗ ମିଳିବ ଏହାର ସଦୁପଯୋଗ କରନ୍ତୁ । ଧାର୍ମିକ ଯାତ୍ରା କରିବାର ସମ୍ଭାବନା ରହିଛି । ଘର ଆଖପାଖରେ ଆବର୍ଜନା ଜମା କରନ୍ତୁନି । ସଫେଇ କର୍ମଚାରୀ ନଥିଲେ ନିଜେ ସଫା କରିବାକୁ ପ୍ରୟାସ କରନ୍ତୁ ।

ଧନୁ : ମନ ଅଶାନ୍ତ ରହିବ । କୌଣସି ବରିଷ୍ଠ ବ୍ୟକ୍ତିଙ୍କ ପରାମର୍ଶ ନେବା ହିତକର । ସ୍ଥାନ ପରିବର୍ତ୍ତନର ସମ୍ଭାବନା ରହିଛି । କାର୍ଯ୍ୟକ୍ଷେତ୍ରରେ ସ୍ଥିରତାର ସହ କାର୍ଯ୍ୟ କରନ୍ତୁ । ଆର୍ଥିକ ଦୃଷ୍ଟିରୁ ଆଜିର ଦିନଟି ଭଲ । ଉଚିତ୍ ସ୍ଥାନରେ ଧନ ନିବେଶ କରନ୍ତୁ । ବିବାହ ଯୋଗ ପାଇଁ ମା’ ଲକ୍ଷ୍ମୀଙ୍କ ଉପାସନା କରନ୍ତୁ । ଖୁବ୍ ଶୀଘ୍ର ବିବାହ ଯୋଗ ହେବ । ବୈବାହିକ ପୁରୁଷ ନିଜ ସନ୍ତାନ ସହ ସମୟ ଅତିବାହିତ କରନ୍ତୁ ।

ମକର : ଭବିଷ୍ୟତ ପାଇଁ ଚିନ୍ତା କରିବାର ଉପଯୁକ୍ତ ସମୟ । କିଛି ନୂଆ କାର୍ଯ୍ୟ କରିପାରନ୍ତି । ନୂଆ କାର୍ଯ୍ୟ ମିଳିଲେ ମନା କରନ୍ତୁ ନାହିଁ । ପରବର୍ତ୍ତୀ ମୁହୂର୍ତ୍ତରେ ଲାଭ ମିଳିବ । ନୂଆ ବ୍ୟବସାୟ ଆରମ୍ଭ କରିବାର ଅନୁକୂଳ ସମୟ । ହୃଦରୋଗୀ ବ୍ୟକ୍ତି ବ୍ୟର୍ଥ ଚିନ୍ତା କରନ୍ତୁ ନାହିଁ । ଏଭଳି କରିବା ଦ୍ୱାରା ରୋଗ ବଢ଼ିପାରେ । ବୟସ୍କ ବ୍ୟକ୍ତିଙ୍କ ସହ ଯୁକ୍ତି କରନ୍ତୁ ନାହିଁ । ବୟସ୍କ ବ୍ୟକ୍ତିଙ୍କୁ ସମ୍ମାନ କରନ୍ତୁ । ବୃକ୍ଷ ଦାନ ମହାପୂଣ୍ୟ ଏଣୁ ବୃକ୍ଷରୋପଣ କରନ୍ତୁ ।

କୁମ୍ଭ : ଭରପୁର ଆତ୍ମବିଶ୍ୱାସ ରହିବ । କୌଣସି ନିଷ୍ପତ୍ତି ନେବା ପୂର୍ବରୁ ଦୃଢ଼ ଆତ୍ମବିଶ୍ୱାସର ସହ ନେଲେ ଏହା ପୂର୍ଣ୍ଣ ହେବ । ସହଯୋଗିତାଙ୍କ ସହ ପ୍ରତିଯୋଗିତା ମନୋଭାବ ରହିବ । କାର୍ଯ୍ୟକ୍ଷେତ୍ରରେ ବିଶେଷ ଧ୍ୟାନ ଦେବାର ଆବଶ୍ୟକତା ରହିଛି । ସ୍ୱାସ୍ଥ୍ୟ ଭଲ ରହିବ । ଅନାବଶ୍ୟକ ଚିନ୍ତା କରନ୍ତୁ ନାହିଁ । ସ୍ୱାସ୍ଥ୍ୟରେ ଅବହେଳା କରନ୍ତୁ ନାହିଁ । ପରିବାର ପ୍ରତି ଧ୍ୟାନ ଦିଅନ୍ତୁ ।

ମୀନ : କାର୍ଯ୍ୟକ୍ଷେତ୍ରରେ ଆନନ୍ଦଦାୟକ ସମୟ ଅତିବାହିତ କରିବେ । ଲାଭ ମିଳିପାରେ । ବ୍ୟବସାୟରେ ବିବାଦ ଦେଖାଦେଇପାରେ । ଆଣ୍ଠୁଗଣ୍ଠି ବ୍ୟଥା ଦେଖାଦେଇପାରେ । ଏଥିପାଇଁ ସ୍ୱାସ୍ଥ୍ୟର ଯତ୍ନ ନିଅନ୍ତୁ । ଥଣ୍ଡା ପାନୀୟଠୁ ଦୂରେଇ ରୁହନ୍ତୁ । ପରିବାର ସହ ସମ୍ପର୍କ ସୁଦୃଢ଼ କରିବାର ଏହା ଉପଯୁକ୍ତ ସମୟ । ଅଯଥା କଥାରେ ମୁଣ୍ଡ ନ ପୁରାଇ ନିଜ କ୍ୟାରିୟର ପ୍ରତି ଧ୍ୟାନ ଦିଅନ୍ତୁ ।

 

NITର ଦୁଇ ଛାତ୍ରୀଙ୍କୁ ଅସଦାଚରଣ ଅଭିଯୋଗ

ରାଉରକେଲା: ଏନଆଇଟିର ଦୁଇଜଣ ଛାତ୍ରୀଙ୍କୁ ପ୍ରଫେସର ଅସଦାଚରଣ କରିଥିବା ନେଇ ଅଭିଯୋଗ ପରେ ତଦନ୍ତ ଆରମ୍ଭ । କର୍ତ୍ତୃପକ୍ଷଙ୍କ ନିକଟରେ ଅଭିଯୋଗ ପରେ NIT ପକ୍ଷରୁ ୬ ଜଣିଆ ଆଭ୍ୟନ୍ତରୀଣ ତଦନ୍ତକାରୀ ଟିମ୍ ଘଟଣାର ତଦନ୍ତ କରୁଛି । ଅଭିଯୋଗ ଆସିଥିବା ପ୍ରଫେସର ଛୁଟିରେ ଅଛନ୍ତି । ତଦନ୍ତ କମିଟି ରିପୋର୍ଟ ଆସିବା ପରେ ଆଇନ ଅନୁସାରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ସୂଚନା ଦେଇଛନ୍ତି NIT ରେଜିଷ୍ଟ୍ରାର ।

ସ୍ବାମୀଙ୍କ ଶେଷ ଇଚ୍ଛା ପୂରଣ କରିବାକୁ ଶ୍ରୀମନ୍ଦିରକୁ ୨୦ ଲକ୍ଷ ଦାନ କଲେ ସୁପ୍ରଭା

ବାଲେଶ୍ବର: ଶ୍ରୀମନ୍ଦିରକୁ ୨୦ ଲକ୍ଷ ଟଙ୍କା ଦାନ କଲେ ଜଣେ ବୟସ୍କ ମହିଳା । ମହିଳା ଜଣଙ୍କ ବାଲେଶ୍ବର ଜିଲ୍ଲା ବସ୍ତା ସଦାନନ୍ଦପୁର ଅଞ୍ଚଳର ସୁପ୍ରଭା ପଣ୍ଡା । ତାଙ୍କ ସ୍ବାମୀ ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ପରମ ଭକ୍ତ ଥିଲେ । ମହାପ୍ରଭୁଙ୍କ ଉଦ୍ଦେଶ୍ୟରେ ଦାନ କରିବାକୁ ତାଙ୍କର ବହୁତ ଇଚ୍ଛା ଥିଲା । ହେଲେ ଏହି ଇଚ୍ଛା ପୂରଣ ହେବା ଆଗରୁ ସେ ଆରପାରିକୁ ଚାଲି ଯାଇଥିଲେ । ସୁପ୍ରଭା ସବୁ ସମ୍ପତ୍ତି ବିକ୍ରି କରି ୨୦ ଲକ୍ଷ ଟଙ୍କା ପାଇଥିଲେ । ଯାହାକୁ ସେ ସ୍ବାମୀଙ୍କ ଇଚ୍ଛା ପୂରଣ କରିବାକୁ ଶ୍ରୀମନ୍ଦିରକୁ ଦାନ କରିଦେଇଛନ୍ତି ।

ବ୍ରଜରାଜନଗର ଦଖଲ ପାଇଁ ବିଜେଡିର ଜୋରଦାର ପ୍ରସ୍ତୁତି

ଝାରସୁଗୁଡା: ଉପନିର୍ବାଚନରେ ବ୍ରଜରାଜନଗର ଦଖଲ ପାଇଁ ପୂରା ଜୋର ଲଗାଇ ଦେଇଛି ଶାସକ ଦଳ ବିଜେଡି । ଆସନ୍ତା ୩୧ ତାରିଖରେ ହେବାକୁ ଥିବା ନିର୍ବାଚନ ପାଇଁ ଚାଲିଛି ଜୋରଦାର ପ୍ରସ୍ତୁତି । ଆଜି ବେଲପାହାଡଠାରେ ବିଜେଡି ପକ୍ଷରୁ ଏକ କର୍ମୀ ସମ୍ମିଳନୀ ଅନୁଷ୍ଠିତ ହୋଇଥିଲା । ଏଥିରେ ଆଗାମୀ ନିର୍ବାଚନ ପାଇଁ ଆଲୋଚନା କରାଯାଇଛି । ଏହି ଅଵସରରେ ବିଧାୟକ ପ୍ରାର୍ଥୀନୀ ଅଳକା ମହାନ୍ତି, ଅତାବିରା ବିଧାୟିକା  ସ୍ନେହାଙ୍ଗିନୀ ଛୁରୀଆ, କଟକ ମେୟର ସୁବାଷ ସିଂ, ଜିଲ୍ଲା ବିଜେଡିର ସହ ପର୍ଯ୍ୟବେକ୍ଷକ ବିଷ୍ଣୁ ପ୍ରସାଦ କେଡ଼ିଆ ପ୍ରମୁଖ ଉପସ୍ଥିତ ଥିଲେ l

କିଶୋର ମହାନ୍ତିଙ୍କ ପରଲୋକ ପରେ ଏହି ଆସନଟି ଖାଲି ପଡିଥିଲା । ବିଜେଡି ସ୍ବର୍ଗତ ମହାନ୍ତିଙ୍କ ପତ୍ନୀ ଅଳକା ମହାନ୍ତିଙ୍କୁ ପ୍ରାର୍ଥୀ କରିଛି । ସେହିପରି ବିଜେପି ପକ୍ଷରୁ ରାଧାରାଣୀ ପଣ୍ଡା ଏବଂ କଂଗ୍ରେସ ପକ୍ଷରୁ କିଶୋର ପଟେଲ ମୈଦାନକୁ ଓହ୍ଲାଇଛନ୍ତି । ମୁଖ୍ୟମନ୍ତ୍ରୀଙ୍କ ସ୍ବଚ୍ଛ ଓ ବିକାଶ କାମକୁ ନେଇ ବିଜେଡି ପଡିଆକୁ ଓହ୍ଲାଇଛି । ଦଳର ନେତା, ମନ୍ତ୍ରୀଙ୍କଠାରୁ ଆରମ୍ଭ କରି ସାଧାରଣ କର୍ମୀମାନେ ଅଳକାଙ୍କୁ ଜିତାଇବାକୁ ଲାଗିପଡିଛନ୍ତି । ଅନ୍ୟପଟେ ବିରୋଧୀ ଅଳକାଙ୍କ ବିଜୟ ଗାଡିକୁ ଅଟକାଇବାକୁ ଯୋଜନା କରୁଛନ୍ତି । ରାଜ୍ୟ ନେତାଙ୍କ ବଦଳରେ ଏହି ଦୁଇ ଜାତୀୟ ଦଳ ପଡୋଶୀ ରାଜ୍ୟର ନେତାଙ୍କ ଭରସାରେ ବ୍ରଜରାଜନଗର ଦଖଲ କରିବାକୁ ଯୋଜନା କରୁଛନ୍ତି ।