ନୂଆପଡ଼ା : ପୂର୍ବତନ ମନ୍ତ୍ରୀ ଓ ନୂଆପଡ଼ାର ସ୍ବର୍ଗତ ବିଧାୟକ ରାଜେନ୍ଦ୍ର ଢୋଲକିଆଙ୍କ ପ୍ରତି ବିଜେଡି ସଭାପତି ନବୀନ ପଟ୍ଟନାୟକଙ୍କ ଗଭୀର ଶ୍ରଦ୍ଧାଞ୍ଜଳି। ଢୋଲକିଆଙ୍କ ପାଇଁ ଆୟୋଜିତ ଶ୍ରଦ୍ଧାଞ୍ଜଳି ସଭାରେ ନବୀନ ପଟ୍ଟନାୟକ କହିଛନ୍ତି, ନୂଆପଡାର ବିକାଶରେ ସ୍ବର୍ଗତ ରାଜେନ୍ଦ୍ର ଢୋଲକିଆଙ୍କ ବହୁତ ଅବଦାନ ରହିଛି। ତାଙ୍କର ନିଷ୍ଠା, ପ୍ରତିବଦ୍ଧତା ଓ କଠିନ ପରିଶ୍ରମ ପାଇଁ ସେ ସବୁଦିନ ମନେ ରହିବେ। ଶାନ୍ତ, ସରଳ, ନିରହଂକାର ଗୁଣ ପାଇଁ ସମସ୍ତଙ୍କ ପ୍ରିୟ ଥିଲେ ରାଜେନ୍ଦ୍ର। ଢୋଲକିଆ ବାବୁଙ୍କ ଅଧୁରା କାମକୁ ପୁରା କରିବାକୁ ତାଙ୍କ ପରିବାର ସହ ବିଜୁ ଜନତା ଦଳ ଓ ସେ ନିଜେ ସମସ୍ତେ ଏକାଠି କାମ କରିବେ ବୋଲି ନବୀନ ପଟ୍ଟନାୟକ ପ୍ରତିଶୃତି ଦେଇଛନ୍ତି। ନବୀନ ପଟ୍ଟନାୟକ କହିଛନ୍ତି, ସ୍ବର୍ଗତ ଢୋଲକିଆ ବିଜୁ ଜନତା ଦଳର ଗୋଟେ ସ୍ତମ୍ଭ ଥିଲେ। ଦଳକୁ ମଜଭୁତ କରିବାରେ ତାଙ୍କର ବିଶେଷ ଅବଦାନ ଥିଲା। ସେ ସବୁବେଳେ ଲୋକଙ୍କ ସହ ଯୋଡି ହୋଇ ରହିଥିଲେ। ସାଧାରଣ ଲୋକଙ୍କ ସହ ସ୍ବର୍ଗତ ଢୋଲକିଆଙ୍କ ସମ୍ପର୍କ ବିଷୟ ଉଲ୍ଲେଖ କରି ନବୀନ ପଟ୍ଟନାୟକ କହିଛନ୍ତି, ସ୍ବର୍ଗତ ଢୋଲକିଆ ଲୋକଙ୍କ ସୁଖ ଦୁଃଖର ସାଥୀ ଥିଲେ। ସେ ବହୁବାର ବିଧାୟକ ହୋଇଛନ୍ତି, ମନ୍ତ୍ରୀ ହୋଇଛନ୍ତି। କିନ୍ତୁ ତୃଣମୂଳ ସ୍ତରରେରେ ସବୁବେଳେ ଯୋଡ଼ି ହୋଇ ରହୁଥିଲେ। ନୂଆପଡ଼ାର ବିକାଶରେ ସ୍ବର୍ଗତ ଢୋଲକିଆଙ୍କ ଅବଦାନ ବିଷୟରେ ସ୍ମରଣ କରାଇ ବିରୋଧୀ ଦଳ ନେତା କହିଛନ୍ତି, ଭିତ୍ତିଭୂମି ବିକାଶ, ବିଶେଷ କରି ନୂଆପଡ଼ାରେ ବିଜୁ ଏକ୍ସପ୍ରେସ ୱେ, ପିଇବା ପାଣି ଓ ଜଳସେଚନ କ୍ଷେତ୍ରରେ ଢୋଲକିଆ ବହୁତ ଭଲ କାମ କରିଛନ୍ତି।ଜନଜାତି ଭାଇ ଭଉଣୀଙ୍କ କଲ୍ୟାଣ ସହ ଶିକ୍ଷା ଓ ସ୍ୱାସ୍ଥ୍ୟର ବିକାଶ ପାଇଁ ଢୋଲକିଆ ବାବୁଙ୍କର ବହୁତ ଅବଦାନ ରହିଛି। ସମାଜସେବା କ୍ଷେତ୍ରରେ ତାଙ୍କର ବିଶେଷ ପରିଚୟ ଥିଲା। ଗରିବ ଲୋକଙ୍କ ବିବାହ, ଚକ୍ଷୁ ଚିକିତ୍ସା ଶିବିର, ଭିନ୍ନକ୍ଷମ ଶିବିର ଆୟୋଜନ କରି ସେ ଲୋକଙ୍କ ସେବା କରୁଥିଲେ। ଅନେକ ମନ୍ଦିର, ମସଜିଦ, ଚର୍ଚ୍ଚ, ଗୁରୁଦ୍ୱାରାର ପୁନଃରୁଦ୍ଧାରରେ ନିଜକୁ ସାମିଲ କରିଥିଲେ। ତାଙ୍କର ଶାନ୍ତ ସରଳ ଅମାୟିକ ଓ ନିରହଂକାର ଗୁଣ ଯୋଗୁଁ ସେ ସମସ୍ତଙ୍କର ଆଦରଣୀୟ ଥିଲେ। ନବୀନ ପଟ୍ଟନାୟକ କହିଛନ୍ତି, ସ୍ବର୍ଗତ ଢୋଲକିଆ ଆଜି ଆମ ଭିତରେ ନାହାନ୍ତି ସତ। କିନ୍ତୁ ନୂଆପଡାର ବିକାଶ ଓ ଲୋକଙ୍କ କଲ୍ୟାଣ ପାଇଁ ତାଙ୍କର ପ୍ରତିବଦ୍ଧତା, ନିଷ୍ଠା ଓ କଠିନ ପରିଶ୍ରମ ପାଇଁ ସେ ଲୋକଙ୍କ ହୃଦୟ ଜିତି ପାରି ଥିଲେ। ସେ ଲୋକଙ୍କ ପ୍ରିୟ ଥିଲେ ଏବଂ ସବୁବେଳେ ପ୍ରିୟ ହୋଇ ରହିଥିବେ। ଏ ଦୁଃଖ ସମୟରେ ସେ ନିଜେ ଏବଂ ପୁରା ବିଜୁ ଜନତା ଦଳ ଢୋଲକିଆ ବାବୁଙ୍କ ପରିବାର ସହ ରହିଛନ୍ତି ବୋଲି କହିଛନ୍ତି ନବୀନ ପଟ୍ଟନାୟକ। ଢୋଲକିଆଙ୍କ ପତ୍ନୀ, ପୁଅ ଓ ନୂଆପଡାବାସୀଙ୍କୁ ମଧ୍ୟ ଗଭୀର ସମବେଦନା ଜଣାଇଛନ୍ତି ନବୀନ ପଟ୍ଟନାୟକ।
ଛାତ୍ର ସଂସଦ ନିର୍ବାଚନକୁ ନେଇ ସରକାରଙ୍କ ଉପରେ ବର୍ଷିଲା ବିଜେଡି
ଭୁବନେଶ୍ବର : କହି ହେଉଥାଏ ପରକୁ, ବୁଦ୍ଧି ନ ଦିଶଇ ଘରକୁ। ଛାତ୍ର ସଂସଦ ନିର୍ବାଚନ କରିବାକୁ କହି ଏହାକୁ ଟାଳି ଚାଲିଥିବା ରାଜ୍ୟ ସରକାରଙ୍କୁ ଘେରିଛି ବିଜେଡି । କାହିଁକି ସରକାର ଛାତ୍ର ସଂସଦ ନିର୍ବାଚନ କରିବାକୁ ଆଗଭର ହେଉନାହାଁନ୍ତି ? କାହାକୁ ଡରୁଛନ୍ତି ସରକାର ? କୋଭିଡ୍, ଫାଇଲନ, ଫନି, ହୁଡ ହୁଡ ନାହିଁ । ରାଜ୍ୟରେ ବନ୍ୟା ପରିସ୍ଥିତି ମଧ୍ୟ ନାହିଁ । ତେବେ କାହିଁକି ସରକାର ଛାତ୍ର ସଂସଦ ନିର୍ବାଚନ କରୁନାହାଁନ୍ତି ବୋଲି ପ୍ରଶ୍ନ କରିଛି ଛାତ୍ର ବିଜେଡି । ABVP ଓ ଯୁବ ମୋର୍ଚ୍ଚା ମଧ୍ୟରେ କନ୍ଦଳ ଯୋଗୁଁ କ୍ୟାମ୍ପସ ସୁରକ୍ଷିତ ନୁହେଁ। ନିଜ ଭିତରେ ମାଡ ପିଟ୍ ପାଇଁ ବିଜେପି ସରକାର ଅଡ଼ୁଆରେ ଅଛନ୍ତି । ସରକାର ବିଧାନସଭାରେ ଉତ୍ତର ରଖି କହିଛନ୍ତି କି ବର୍ଷକ ମଧ୍ୟରେ ୧୭ ଜଣ ଛାତ୍ରୀ ବିଭିନ୍ନ ନିର୍ଯାତନାର ଶିକାର ହୋଇଛନ୍ତି । ତା ଭିତରୁ ୬ ଜଣ ଯୌନ ନିର୍ଯାତନା, ୨ଜଣ ଅସଦାଚରଣ ଓ ୯ ଜଣ ମାନସିକ ନିର୍ଯାତନାର ଶିକାର ହୋଇଛନ୍ତି । ଗତ ୧୫ ମାସରେ କ୍ୟାମ୍ପସରେ ୨୨ ଜଣ ଛାତ୍ରଛାତ୍ରୀ ଆତ୍ମହତ୍ୟା କରିଛନ୍ତି । ଏପରି ସ୍ଥିତିରେ ବ୍ଯାକଫୁଟରେ ସରକାର । ତେଣୁ ଉଚ୍ଚଶିକ୍ଷା ମନ୍ତ୍ରୀଙ୍କୁ ଛାତ୍ର ବିଜେଡି ଚ୍ୟାଲେଞ୍ଜ କରି କହିଛି କି, ଯଦି ଦମ ଅଛି ୫ରୁ ୭ ଦିନ ଭିତରେ ବିଜ୍ଞପ୍ତି ପ୍ରକାଶ କରନ୍ତୁ । ରଙ୍ଗ ମାରିଥିଲା ବିଜେପି, ଆମେ ଆଇ-କାର୍ଡ ପରିବର୍ତ୍ତନ କରିବୁ । ବାଲେଶ୍ଵରର ମୃତ ଛାତ୍ରୀଙ୍କ ଆଇ କାର୍ଡକୁ ଧରି କ୍ୟାମ୍ପସ ବୁଲିବୁ। ତାଙ୍କୁ ନ୍ୟାଯ ପ୍ରଦାନ ପାଇଁ ବିଜେଡି ଲଢେଇ ଜାରି ରଖିବ ବୋଲି କହିଛନ୍ତି ଛାତ୍ର ବିଜେଡି ସଭାପତି ଇପସିତା ସାହୁ ।
ସାମ୍ବାଦିକଙ୍କ ପାଇଁ ଆନ୍ଦୋଳନକୁ ଓହ୍ଲାଇଛି ଓୟୁଜେ
ଭୁବନେଶ୍ବର : ସାମ୍ବାଦିକଙ୍କ ପାଇଁ ଆନ୍ଦୋଳନକୁ ଓହ୍ଲାଇଛି ଓୟୁଜେ । ସାମ୍ବାଦିକଙ୍କୁ ଭତ୍ତା, ସୁରକ୍ଷା ଓ ସ୍ବିକୃତିକୁ ନେଇ ବିଧାନସଭା ଘେରାଉ କିଛି ଓୟୁଜେ । ସାମ୍ବାଦିକଙ୍କ ଏହି ଆନ୍ଦୋଳନକୁ ନୈତିକ ସମର୍ଥନ ଦେଇଛି ବିଜେଡି ଓ କଂଗ୍ରେସ । ଆନ୍ଦୋଳନରେ ବିଜେଡି ବିଧାୟକଙ୍କ ଏକ ଟିମ୍ ସାମିଲ ହୋଇଥିଲା । ବରିଷ୍ଠ ବିଧାୟକ ଅରୁଣ ସାହୁଙ୍କ ନେତୃତ୍ୱରେ ବିଧାୟକ ଅନନ୍ତ ନାରାୟଣ ଜେନା, ସଂଜୀବ ମଲ୍ଲିକ, ସାରଦା ଜେନା, ରୋମାଞ୍ଚ ରଂଜନ ବିଶ୍ଵାଳ, ପ୍ରଦୀପ ସାହୁ, ମାଧବ ଧଡା, ରୁପେଶ ପାଣିଗ୍ରାହୀ ସାମିଲ ହୋଇଥିଲେ। ସାମ୍ବାଦିକ ଦାବି ସହ ବିଜେଡି ଏକମତ ବୋଲି ବିଜେଡି କହିଛି। ସାମ୍ବାଦିକଙ୍କୁ ରାଜ୍ୟ ସରକାର ଅଣଦେଖା କରୁଥିବା ବିଜେଡି ଅଭିଯୋଗ କରିଛି । ସାମ୍ବାଦିକଙ୍କ ଏହି ଆନ୍ଦୋଳନରେ କଂଗ୍ରେସ ବିଧାୟକ ତାରା ପ୍ରସାଦ ବାହିନୀପତି ମଧ୍ୟ ସାମିଲ ହୋଇଥିଲେ। ବିଜେପି ସରକାରରେ ସବୁ ବର୍ଗ ଅବହେଳିତ। ସାମ୍ବାଦିକମାନେ ଆନ୍ଦୋଳନ କରିବା ଆମକୁ ବ୍ୟଥିତ କରୁଛି ବୋଲି ତାରା କହିଛନ୍ତି । ବିଧାନସଭାରେ ମଧ୍ୟ ଏହି ପ୍ରସଙ୍ଗରେ ଉଠାଇଛନ୍ତି ବିରୋଧୀ ଦଳ ମୁଖ୍ୟ ସଚେତକ ପ୍ରମିଳା ମଲ୍ଲିକ। ସାମ୍ବାଦିକଙ୍କ ଦାବିକୁ ପୂରଣ କରନ୍ତୁ ସରକାର। ପୂର୍ବ ସରକାର ଯାହା ସୁବିଧା ଦେଉଥିଲେ ତାହା ଦେବାକୁ ଦାବି କରିଛନ୍ତି ପ୍ରମିଳା।ଏଥିସହ ଓୟୁଜେର ଏକ ଟିମ୍ ମୁଖ୍ୟମନ୍ତ୍ରୀଙ୍କୁ ବିଧାନସଭା ପ୍ରକୋଷ୍ଠରେ ଭେଟି ଦାବିପତ୍ର ପ୍ରଦାନ କରିଛନ୍ତି।
ପଞ୍ଚାୟତ ପ୍ରତିନିଧିଙ୍କ କ୍ଷମତାକୁ ସଙ୍କୁଚିତ କରି ଅଫିସରଙ୍କ କ୍ଷମତା ବୃଦ୍ଧିକୁ ବିରୋଧ
ଭୁବନେଶ୍ବର : ଗଣତନ୍ତ୍ରକୁ ହତ୍ୟା କରୁଛି ବିଜେପି ସରକାର । ତୃଣମୂଳ ସ୍ତରରେ ନିର୍ବାଚିତ ପ୍ରତିନିଧିଙ୍କ ଗଣତାନ୍ତ୍ରିକ କ୍ଷମତାକୁ ସଙ୍କୁଚିତ କରିଛନ୍ତି ରାଜ୍ୟ ସରକାର। ବିଜେପି ସରକାର ପଞ୍ଚାୟତ ପ୍ରତିନିଧିଙ୍କ କ୍ଷମତାକୁ ହ୍ରାସ କରି ଅଫିସରଙ୍କ କ୍ଷମତା ବୃଦ୍ଧି କରିଛନ୍ତି । ଏହାର ପ୍ରତିବାଦରେ ପ୍ରଶ୍ନକାଳ ଆରମ୍ଭ ହେବା ମାତ୍ରେ ବିଧାନସଭାରେ ଗଣତନ୍ତ୍ରକୁ ରକ୍ଷା କରିବା ପାଇଁ ଗର୍ଜନ କରିଛି ବିଜେଡି। ବିଜେଡି ବିଧାୟକମାନେ ଗୃହ ମଧ୍ୟ ଭାଗକୁ ଆସି ହଟ୍ଟଗୋଳ କରିବା ସହ ରାଜ୍ୟ ସରକାର ତୁରନ୍ତ ପଞ୍ଚାଯତ ପ୍ରତିନିଧିଙ୍କ କ୍ଷମତାକୁ ଫେରାଇ ଦିଅନ୍ତୁ ବୋଲି ଦଳ ଦାବି କରିଛି। ୩୦ରୁ ୩୦ ଜିଲ୍ଲା ପରିଷଦ ଦଖଲ କରିଛି ବିଜେଡି। ଅଧିକାଂଶ ପଞ୍ଚାୟତ ଦଖଲ କରିଛି। ତେଣୁ ବିଜେପି, ଜନ ପ୍ରତିନିଧିଙ୍କ ବିରୋଧରେ ଷଡଯନ୍ତ୍ର କରି ବିଡିଓଙ୍କୁ ଅଧିକ କ୍ଷମତାଶାଳୀ କରିଛି। ବିଜେପିର ଏପରି ଗଣତନ୍ତ୍ର ବିରୋଧୀ ଆଭିମୁଖ୍ୟକୁ କଡା ସମାଲୋଚନା କରିଛି ବିଜେଡି। ଏହା ବିରୋଧରେ ବିଧାନସଭାରୁ ରାଜରାସ୍ତା ଯାଏ ଲଢ଼େଇ ହେବ ବୋଲି ଚେତାବନୀ ଦେଇଛନ୍ତି ବିଜେଡି ବିଧାୟକ ଗୌତମ ବୁଦ୍ଧ ଦାସ ଓ ସାରଦା ଜେନା।
ସେପଟେ ପ୍ରଶ୍ନକାଳ ଆରମ୍ଭ ହେବା ମାତ୍ରେ କଂଗ୍ରେସ ବିଧାୟକମାନେ ବିଜେଡି ଓ ବିଜେପି ସମ୍ପର୍କକୁ ନେଇ ନିଜ ଆସନରେ ଛିଡା ହୋଇ ପ୍ରତିବାଦ କରିଥିଲେ । ବିରୋଧୀ ଦଳ ମୁଖ୍ୟ ସଚେତକ ପ୍ରମିଳା ମଲ୍ଲିକ କହିଛନ୍ତି, କଂଗ୍ରେସ ବିଜେପି ସହ ମିଶି ବିଜେଡିକୁ ବଦନାମ କରିବାକୁ ରାଜନୀତି କରୁଛି। ୨୦୨୪ ନିର୍ବାଚନରେ କଂଗ୍ରେସର ସବୁ ଭୋଟ କିପରି ବିଜେପିକୁ ଯାଇଥିଲା ସେ କଥା କହିଛନ୍ତି ପ୍ରମିଳା। ଏହାସହ ଅନାସ୍ଥା ପ୍ରସ୍ତାବ ଆଣିବା ପୂର୍ବରୁ କାହିଁକି ମୁଖ୍ୟ ବିରୋଧୀ ଦଳ ବିଜେଡି ସହ କଂଗ୍ରେସ ଆଲୋଚନା କରିନଥିଲା ବୋଲି ପ୍ରଶ୍ନ କରିଛନ୍ତି ପ୍ରମିଳା। କେବଳ ଲୋକ ଦେଖାଣିଆ ଭାବେ ମାତ୍ର ୧୪ ଜଣ ବିଧାୟକରେ କଂଗ୍ରେସ ଅନାସ୍ଥା ଆଣିଛି। ଏଥିରୁ ସ୍ପଷ୍ଟ ଭାବେ ଜଣାପଡୁଛି ଯେ, କଂଗ୍ରେସ କାହା ସହ ଅଛି। ସେପଟେ ବିଜେପି କହିଛି କଂଗ୍ରେସ ଓ ବିଜେଡି ମିଶିକି ଅଛନ୍ତି । ଯାହାକୁ ନେଇ ମହାଁମୁହିଁ ହୋଇଛନ୍ତି ଉଭୟ ଶାସକ ଓ ବିରୋଧୀ।
ସ୍ବଳ୍ବକାଳୀନ ମୌସୁମୀ ଅଧିବେଶନରେ ଜାରି ରହିଛି ଅଚଳାବସ୍ଥା। ସରକାରଙ୍କ ବିରୋଧରେ ମାଳ ମାଳ ପ୍ରସଙ୍ଗ ଥିବାରୁ ମୁଖ୍ୟ ବିରୋଧୀ ବିଜେଡି, ଗୋଟିଏ ପରେ ଗୋଟିଏ ପ୍ରସଙ୍ଗରେ ଶାସକ ଦଳକୁ ଘେରୁଛି। ସେହିପରି କଂଗ୍ରେସ ମଧ୍ୟ ଶାସକ ଦଳକୁ କରୁଛି ଶାଣିତ ଆକ୍ରମଣ। ଯାହାକୁ ନେଇ ବେଶ ସରଗରମ ହୋଇଛି ଅଧିବେଶନ।
ଶିଶୁ ମୃତ୍ୟୁକୁ ନେଇ କ୍ୟାପିଟାଲ ହସ୍ପିଟାଲରେ ଉତ୍ତେଜନା, ଭୁଲ ଚିକିତ୍ସା ଯୋଗୁଁ ଶିଶୁର ମୃତ୍ୟୁ ହୋଇଥିବା ଅଭିଯୋଗ
ଭୁବନେଶ୍ୱର : ଶିଶୁ ମୃତ୍ୟୁକୁ ନେଇ କ୍ୟାପିଟାଲ ହସ୍ପିଟାଲରେ ଉତ୍ତେଜନା । କ୍ଷତିପୂରଣ ଓ କାର୍ଯ୍ୟାନୁଷ୍ଠାନ ଦାବିରେ ହୋହଲ୍ଲା, ଆନ୍ଦୋଳନ, ରାସ୍ତାରୋକ । କିଛି ସମୟ ପାଇଁ କ୍ୟାପିଟାଲ ହସ୍ପିଟାଲ ଛକରୁ ଏଜି ଛକ ଯାଏଁ ଯାତାୟାତ ଠପ୍ । ଅଟୋ ଚାଳକ ଆଶିଷ ସାହୁ ତାଙ୍କ ଦେଢ଼ ବର୍ଷର ପୁଅକୁ ଚିକିତ୍ସା ପାଇଁ କ୍ୟାପିଟାଲ ହସ୍ପିଟାଲ ଆଣିଥିଲେ । ଥଣ୍ଡା, କାଶ ଚିକିତ୍ସା ହସପିଟାଲରେ ଭର୍ତ୍ତି କରିଥିଲେ । ହେଲେ ଡାକ୍ତରଙ୍କ ଖାମଖିଆଲି ଯୋଗୁଁ ଶିଶୁକୁ ଓଭର ଡୋଜ ମେଡ଼ିସିନ ଦିଆଯାଇଥିବା ଅଭିଯୋଗ କରିଛନ୍ତି ପରିବାର । ତେଣୁ ଔଷଧ ନେବାର କିଛି ସମୟ ପରେ ଶିଶୁଟିର ଶରୀର ନିସ୍ତେଜ ହେବା ସହ ମୃତ୍ୟୁ ହୋଇଥିଲା । ଡାକ୍ତରଙ୍କ ଅବହେଳାକୁ ଦାୟି କରି କାର୍ଯ୍ଯାନୁଷ୍ଠାନ ସହ କ୍ଷତିପୂରଣ ଦାବି କରି ରାସ୍ତା ଅବରୋଧ କରିଥିଲେ ସ୍ମାର୍ଟ ଅନଲାଇନ ଅଟୋ ଚାଳକ ।
ପୋଲିସ ଆନ୍ଦୋଳନକାରୀଙ୍କ ବୁଝାସୁଝା କରିବା ପରେ ରାସ୍ତାରେ ଗାଡ଼ି ଚଳାଚଳ ସ୍ୱାଭାବିକ ହୋଇଥିଲା । ଏହାପରେ ଶିଶୁର ପୋଷ୍ଟମର୍ଟମ ପାଇଁ ପ୍ରକ୍ରିୟା ଆରମ୍ଭ ହୋଇଥିବା ବେଳେ ହସ୍ପିଟାଲରେ ନିୟୋଜିତ ସୁରକ୍ଷା କର୍ମୀ ଓ ଉତ୍ତ୍ୟକ୍ତ ଲୋକମାନଙ୍କ ମଧ୍ୟରେ ଝଗଡା ହେଲା । ସୁରକ୍ଷା କର୍ମୀ ମାଡ଼ରେ ଜଣେ ଆନ୍ଦୋଳନକାରୀ ଗୁରୁତର ଭାବେ ଅଭିଯୋଗ ହୋଇଛି । ସଂପୃକ୍ତ ସୁରକ୍ଷା କର୍ମୀଙ୍କୁ ଖୋଜି ଖୋଜି ନିର୍ଦ୍ଦେଶଙ୍କ କାର୍ଯ୍ୟାଳୟରେ ପହଞ୍ଚିଥିଲେ ଆନ୍ଦୋଳନକାରୀ । ଏହାରି ଭିତରେ ଶିଶୁର ପରିବାରକୁ ୪ ଲକ୍ଷ ଟଙ୍କାର ଅନୁକମ୍ପା ରାଶି ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ । ତେବେ ରୋଗୀ ସେବାରେ କୌଣସି ଅବହେଳା ହୋଇନାହିଁ ବୋଲି ସ୍ପଷ୍ଟ କରିଛନ୍ତି ହସ୍ପିଟାଲ ନିର୍ଦ୍ଦେଶକ । ମାମଲାର ଗୁରୁତ୍ୱକୁ ଦେଖି ସ୍ବାସ୍ଥ୍ୟ ସଚିବଙ୍କ ନିର୍ଦ୍ଦେଶରେ ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ହସ୍ପିଟାଲରେ ପହଞ୍ଚି ତଦନ୍ତ କରିଛନ୍ତି । କ୍ୟାପିଟାଲ ହସ୍ପିଟାଲରେ ଭିତ୍ତିଭୂମି ଯେତିକି ବଢୁଛି, ରୋଗୀ ସେବା ସେତିକି କମୁଛି । ତା ସାଙ୍ଗରେ ପୁଣି ହସ୍ପିଟାଲରେ ନିୟୋଜିତ ଘରୋଇ ସୁରକ୍ଷା କର୍ମୀଙ୍କ ଦାଦାଗିରି ଯୋଗୁଁ ରୋଗୀ ଓ ସମ୍ପର୍କୀୟ ହଇରାଣ ହେଉଥିବା ଅଭିଯୋଗ ହୋଇଛି ।
ଶ୍ରୀକ୍ଷେତ୍ରରେ ଆଜିଠାରୁ ଆରମ୍ଭ ହେଲା ଗୁପ୍ତ ଗୁଣ୍ଡିଚା
ପୁରୀ : ଶ୍ରୀକ୍ଷେତ୍ରରେ ଆରମ୍ଭ ହେଲା ଶାକ୍ତ ଗୁଣ୍ଡିଚା ବା ଗୁପ୍ତ ଗୁଣ୍ଡିଚା । ଲକ୍ଷ୍ମୀ ସ୍ବରୂପା ମାଆ ଦୁର୍ଗାଙ୍କୁ ନେଇ ୮ ଦିନ ପାଇଁ ଯାତ୍ରା କଲେ ଶ୍ରୀଜଗନ୍ନାଥ । ନିଳାଦ୍ରୀ ବିଜେ ଦିନ ଅଭିମାନିନୀ ଲକ୍ଷ୍ମୀଙ୍କ ପ୍ରତିଶ୍ରୁତି ଦେଇଥିଲେ ଜଗତ ନାଥ । ଆଶ୍ବିନ ମାସରେ ଷୋଳପୂଜା ସମୟରେ ପ୍ରଥମ ୮ ଦିନ ଦୁର୍ଗା ମାଧବ ଶ୍ରୀମନ୍ଦିର ପରିସରରେ ଥିବା ମାଆ ବିମଳାଙ୍କ ମନ୍ଦିର ଜଗମୋହନରେ ପୂଜା ପାଉଥିବା ବେଳେ ଶେଷ ୮ ଦିନ ଦୋଳମଣ୍ଡପ ସାହି ନାରାୟଣୀ ମନ୍ଦିରକୁ ବିଜେ କରିଥାନ୍ତି । ଦୁର୍ଗାମାଧବ ଉପାସନାର ପ୍ରତୀକ ସ୍ୱରୂପ ଶ୍ରୀଜଗନ୍ନାଥ ଗୁପ୍ତଗୁଣ୍ଡିଚାରେ ମହାଲକ୍ଷ୍ମୀ ସ୍ଵରୁପା ମାଆ ଦୁର୍ଗାଙ୍କୁ ନେଇ ବିଜେ କରିବାର ପରମ୍ପରା ରହିଛି । ଲୋକକଥା ଅନୁସାରେ ମାଆ ଲକ୍ଷ୍ମୀଙ୍କୁ ରଥଯାତ୍ରା ନେଇନଥିବାରୁ ନୀଳାଦ୍ରିବିଜେ ଦିନ ଗୁପ୍ତଗୁଣ୍ଡିଚାରେ ନେବା ପାଇଁ ପ୍ରତିଶୃତି ଦେଇଥିଲେ ପ୍ରଭୁ ଶ୍ରୀଜଗନ୍ନାଥ । ସେହି ପ୍ରତିଶୃତି, ସଂସ୍କୃତି ଓ ପରମ୍ପରାକୁ ରକ୍ଷାକରି ଆରମ୍ଭ ହୋଇଛି ଏହି ଯାତ୍ରା ।
ସକାଳ ଧୂପ ନୀତି ପରେ ଦୁର୍ଗାମାଧବଙ୍କୁ ସ୍ୱତନ୍ତ୍ର ବିମାନରେ ବିଜେ କରାଯାଇଥିଲା । ଘଣ୍ଟ ଛତା ବିଜେ କାହାଳି ଭିତରେ ଶ୍ରୀମନ୍ଦିରରୁ ଦୋଳମଣ୍ଡପ ସାହି ନାରାୟଣୀ ମନ୍ଦିରକୁ ବିଜେ କରାଯାଇଥିଲା l ସ୍ୱତନ୍ତ୍ର ଉପଚାରରେ ପୂଜାର୍ଚ୍ଚନା ପରେ ନାରାୟଣୀ ମନ୍ଦିରରେ ଦୁର୍ଗା ମାଧବ ଅବସ୍ଥାନ କରିଥିଲେ । ସ୍ୱତନ୍ତ୍ର ଭାବେ ଏଠାରେ ତାଙ୍କୁ ମାଣ୍ଡୁଆ ଓ ଖଇକୋରା ଭୋଗ ଲାଗି କରାଯିବାର ବିଧି ରହିଥିବା ବେଳେ ଏହି ନିଆରା ପରମ୍ପରାକୁ ଦର୍ଶନ କରି ଭକ୍ତ ମାନେ ବିଭୋର ହୋଇଥିଲେ। ଶ୍ରୀମନ୍ଦିରରେ ଚନ୍ଦନଲାଗି ନୀତି ବଢିବା ପରେ ନାରାୟଣୀ ମନ୍ଦିରରୁ ଦୁର୍ଗାମାଧବ ଶ୍ରୀମନ୍ଦିରକୁ ପାଲିଙ୍କିରେ ପ୍ରତ୍ୟାବର୍ତ୍ତନ କରିଥାନ୍ତି ।
ଟ୍ୟାକ୍ସି ଡ୍ରାଇଭର ବିଦ୍ୟାଧର ମୃତ୍ୟୁ ଘଟଣାରେ ଖୁଲାସା, ଚାକିରି ଆଶାୟୀଙ୍କ ନିର୍ଯାତନା ଯୋଗୁଁ କରିଥିଲେ ଆତ୍ମହତ୍ୟା…
ଭୁବନେଶ୍ୱର : ପୁଅ ପାଇଁ ଚାକିରି ଖୋଜୁଥିଲେ, ଏବେ ବନ୍ଧାହେଲେ । ଛାରଖାର ହୋଇଗଲା ସୁନେଲି ସ୍ୱପ୍ନ । ବିଦ୍ୟାଧର ମୃତ୍ୟୁ ଘଟଣାରେ ବଡ଼ ଖୁଲାସା । ଠକେଇ ରାଣୀ ଜ୍ୟୋସ୍ନା ମ୍ୟାଡାମ ଏବେ ବି ଫେରାର । ଗଜପତି ଜିଲ୍ଲା ପାରଳାଖେମୁଣ୍ଡି ଓ ଗୁରାଣ୍ଡିର ଏନ ଦିଲ୍ଲୀପ କୁମାର, ଦୀପକ ସାହୁକାର, ରବୀନ୍ଦ୍ର ବେହେରା ଓ ରମେଶ ଚନ୍ଦ୍ର ବେହେରା । କିଏ ପୁଅକୁ ସରକାରୀ ଚାକିରି ଦେବାକୁ ଟଙ୍କା ଦେଇଥିଲା ତ ଆଉ କିଏ ଭାଇ ପାଇଁ ଲକ୍ଷ ଲକ୍ଷ ଡିଲ୍ କରିଥିଲା । ଚାକିରି ମିଳିଲାନି, ଟଙ୍କା ବି ମିଳିଲାନି । ଆଉ ଶେଷରେ ବାନ୍ଧିଲା ପୋଲିସ । ଯେତିକି ରୋଚକ, ସେତିକି ଉଦବେଗ ଜନକ ମଧ୍ୟ ଏହି କେସ । ବିଦ୍ୟାଧର ସାହୁ ମୃତ୍ୟୁ ଘଟଣାରେ ଏହି ୪ ଅଭିଯୁକ୍ତଙ୍କୁ ଅପହରଣ, ନିର୍ଯ୍ୟାତନା, ଆତ୍ମହତ୍ୟା ପାଇଁ ପ୍ରବର୍ତ୍ତାଇବା ଭଳି ଦଫାରେ ଗିରଫ କରିଛି ବଡଗଡ଼ ଥାନା ପୋଲିସ । ଆଉ ବିଦ୍ୟାଧର ମୃତ୍ୟୁ ପଛରେ ରହିଛି ଚାକିରି ପାଇଁ କୋଟି କୋଟି ଠକେଇର ଅଭିଯୋଗ । ମୃତ ବିଦ୍ୟାଧର ଟ୍ୟାକ୍ସି ଚଳାଇବା ସହ ସରକାରୀ ଓ ବେସରକାରୀ ଚାକିରି ଦେବାକୁ କହି ଅଭିଯୁକ୍ତଙ୍କ ଠାରୁ ନେଇଯାଇଥିଲେ ପ୍ରାୟ ଦେଢ଼ କୋଟି ଟଙ୍କା । ପରେ ଚାକିରି ଦେଇ ନପାରିବାରୁ ଗତ ୧୫ ତାରିଖରେ ଭୁବନେଶ୍ୱରରୁ ଅପହରଣ କରିଥିଲେ ଆଶାୟୀ ।
ଅପହରଣ ପରେ ଯାଜପୁରରେ ରଖି ଟଙ୍କା ଫେରସ୍ତ ମାଗିଥିଲେ । ପରିବାରକୁ ଫୋନ କରି ପ୍ରାୟ ୨ କୋଟି ଦାବି କରିଥିଲେ । କିନ୍ତୁ ଠକେଇର ସିଣ୍ଡିକେଟ ଚଳାଇଥିବା ମହିଳା ଜଣଙ୍କ ଫେରାର ଥିବାରୁ ଗଜପତି ଜିଲ୍ଲାର ଏହି ଚାକିରି ଆଶାୟୀମାନଙ୍କୁ ଟଙ୍କା ଫେରସ୍ତ କରିପାରିନଥିଲେ ବିଦ୍ୟାଧର । ବନ୍ଦ ଘରେ ମାନସିକ ଓ ଶାରିରୀକ ନିର୍ଯ୍ୟାତନା ପାଇବା ପରେ ବେକରେ ଗାମୁଛା ଲଗାଇ ସେ ଆତ୍ମହତ୍ୟା କରିଥିଲେ । ସେପଟେ ବିଦ୍ୟାଧରଙ୍କୁ ମୃତ ଅବସ୍ଥାରେ ଦେଖି ହତବାକ୍ ହୋଇଯାଇଥିଲେ ଅଭିଯୁକ୍ତ । ପ୍ରମାଣ ନଷ୍ଟ କରିବା ପାଇଁ ସେଠାରୁ ଆଣି ଦାରୁଠେଙ୍ଗ ନିକଟ ଜଙ୍ଗଲରେ ଫିଙ୍ଗିଦେଇଥିଲେ ମୃତଦେହ । ଧମକପୂର୍ଣ୍ଣ କଲ, ସିସିଟିଭି, ଟୋଲ ଗେଟର ଫାସ୍ ଟ୍ୟାଗରୁ ମିଳିଥିବା ତଥ୍ୟ ଆଧାରରେ ଏମାନଙ୍କୁ ଗିରଫ କରିଛି ପୋଲିସ । ଘଟଣା ସାମ୍ନାକୁ ଆସିବା ପରେ ଚାକିରି ପାଇଁ କୋଟି କୋଟିର ଠକେଇ ପଦାକୁ ଆସିଛି । ପୁଳା ପୁଳା ସାର୍ଟିଫିକେଟ, ଫେକ୍ ଷ୍ଟାମ୍ପ, ଚେକ ଦେଖି ପୋଲିସର ମଧ୍ୟ ଅକଲଗୁଡୁମ ହୋଇଛି ।
ଭୁବନେଶ୍ବର ଗାନ୍ଧୀମାର୍ଗରେ ବିଭିନ୍ନ ସଂଗଠନର ଗର୍ଜନ, ଦାବି ପୂରଣ ନଯାଏଁ ବିକ୍ଷୋଭ ଚେତାବନୀ
ଭୁବନେଶ୍ବର : ହକ୍ ପାଇଁ ଆନ୍ଦୋଳନ । ଗାନ୍ଧୀମାର୍ଗରେ ବିଭିନ୍ନ ସଂଗଠନର ଗର୍ଜନ । ବିଧାନସଭା ଘେରାଉ ସହ ଗର୍ଜିଲେ ଅଧ୍ଯାପକ, ଶିକ୍ଷକ ଓ ଆଶାସାଥୀ । ୪ ଦଫା ଦାବି ନେଇ ଏସଏସବି ଆଶାୟୀ ଅଧ୍ୟାପକ ପ୍ରାର୍ଥୀ ସଂଘର ବିକ୍ଷୋଭ । ଦୀର୍ଘ ୧୮ ମାସ ହେଲା ହାଇକୋର୍ଟରେ ଚାଲିଆସୁଥିବା ମାମଲାର ତୁରନ୍ତ ସମାଧାନ, ଚଳିତ ବର୍ଷ ଡିସେମ୍ବର ମାସ ସୁଦ୍ଧା ପରୀକ୍ଷା ପରିଚାଳନା ପକ୍ରିୟା ଶେଷ କରିବା ସହ ୨୦୧୬ SSB ବୋର୍ଡ ଅନୁସାରେ ପରୀକ୍ଷା, ଖାଲିଥିବା ପଦବୀ ପୂରଣ ଦାବି । ସେହିଭଳି ୪ ଦଫା ଦାବି ନେଇ ଭିନ୍ନକ୍ଷମ ଅନ୍ତନିବାସୀ ଶିକ୍ଷା ସ୍ବେଚ୍ଛାସେବୀ ସଂଗଠନର ପ୍ରତିବାଦ । ୧୪ ବର୍ଷର ଅଭିଜ୍ଞତା ଥିବା ସତ୍ତ୍ବେ ଭିନ୍ନକ୍ଷମ ଆଇନ ଅନୁଯାୟୀ ବିଭାଗ ନୀତି ପରିବର୍ତ୍ତନ ସହ ଗୋଟିଏ ଦିନର ଛଟେଇକୁ ବନ୍ଦ କରି ସ୍ଥାୟୀ ନିଯୁକ୍ତି ପ୍ରଦାନ ଓ ଭିନ୍ନକ୍ଷମ IEVଙ୍କୁ ମାସିକ ୩୦ ହଜାର ଟଙ୍କା ବେତନ ପ୍ରଦାନ କରିବାକୁ ଦାବି । ସେପଟେ ୪ ଦଫା ଦାବି ନେଇ ଅଲ ଓଡିଶା ଆଶା ସାଥୀ ସଂଘ ଧାରଣା ଦେଇଛି । ସର୍ବନିମ୍ନ ମଜୁରୀ ମାସିକ ୨୬ ହଜାର ଟଙ୍କା ସହିତ ନିଯୁକ୍ତି ଓ ସରକାରୀ କର୍ମଚାରୀ ମାନ୍ଯତା ଦାବିରେ ଚାଲିଛି ଧାରଣା ।
ଓଡିଶା ସରକାରୀ ହାଇସ୍କୁଲ ନୂତନ ପେନସନ ଯୋଜନାଭୁକ୍ତ ଶିକ୍ଷକ ସଂଘର ବିଶାଳ ରାଲି ସହ ବିକ୍ଷୋଭ । ଗାନ୍ଧୀମାର୍ଗର ୧୦ ହଜାର NPAC ଶିକ୍ଷକଙ୍କ ହଲ୍ଲାବୋଲ । ୨୦୧୬ ବ୍ଯାଚରୁ ୨୦୨୨ ବ୍ଯାଚର ଚୁକ୍ତି ଭିତ୍ତିକ ଶିକ୍ଷକଙ୍କୁ ନିୟମିତ, ୬ ବର୍ଷର ଠିକା ଚାକିରିକୁ ମୂଳ ଚାକିରିରେ ଗଣନା ସହ ୬ଟି ନୋସନାଲ ଇନକ୍ରିମେଣ୍ଟ ପ୍ରଦାନ ଦାବି । ସେହିଭଳି ଗାନ୍ଧୀମାର୍ଗରେ ଚାକିରି ସର୍ତ୍ତାବଳୀ ଏବଂ ପେନସନ ଦାବିରେ ୪୮୮ ବର୍ଗ ଶିକ୍ଷକ ଓ କର୍ମଚାରୀ ସଂଘର ସ୍ବାଭିମାନ ବଞ୍ଚାଓ ଅନ୍ଦୋଳନ । ୪୮୮ ବର୍ଗ ମହାବିଦ୍ଯାଳୟରେ ୨୦୦୪ ଅନୁଦାନ ନୀତି ପ୍ରଣୟନ ହେବା ପୂର୍ବରୁ ବଳବତ୍ତର ଥିବା ଅନୁଦାନ ନିୟମ ଓ ଆଇନ ଅନୁଯାୟୀ କାର୍ଯ୍ଯରତ ବ୍ଳକଗ୍ରାଣ୍ଟ ଅଧ୍ଯାପକ, ଅଧ୍ଯାପିକା ଓ କର୍ମଚାରୀମାନଙ୍କୁ ଚାକିରି ସର୍ତ୍ତାବଳୀ ଓ ପେନସନ ସହ ୩ ଦଫା ଦାବି କରିଛି ସଂଘ । ରାଜ୍ଯ ସରକାର ସେମାନଙ୍କୁ ଅଣଦେଖା ଓ ଅବହେଳା କରୁଥିବା ଅଭିଯୋଗ କରିଛନ୍ତି ବିଭିନ୍ନ ସଂଗଠନ ।
ଶକ୍ତି ପୀଠରେ ଶକ୍ତି ଆରାଧନା, ହରଚଣ୍ଡୀ ବେଶରେ ଦର୍ଶନ ଦେଲେ କଟକ ଚଣ୍ଡୀ
କଟକ : ପୀଠେ ନବରାତ୍ରୀ । ଶକ୍ତି ପୀଠରେ ଚାଲିଛି ଶକ୍ତି ଆରାଧନା । ବିଭିନ୍ନ ପୀଠରେ ଆରମ୍ଭ ହୋଇଛି ନବରାତ୍ରୀ ପୂଜା । ଷୋଡ଼ଶ ଉପଚାର ପୂଜା ସହ ଚଣ୍ଡୀପାଠରେ କମ୍ପୁଛି ଶକ୍ତି ପୀଠ । ନବପତ୍ରିକା ପୂଜା ସହ ଆରମ୍ଭ ହୋଇଛି ସ୍ବତନ୍ତ୍ର ପୂଜାର୍ଚ୍ଚନା । ପୀଠରେ ପବିତ୍ର କଳସ ସ୍ଥାପନ ସହ ବଢି ଭୋର ସମୟରୁ କରାଯାଇଛି ମାଆଙ୍କ ଆବାହନ । କଟକର ବିଭିନ୍ନ ଶକ୍ତି ପୀଠରେ ମାଆଙ୍କ ଦର୍ଶନ ପାଇଁ ଜମିଛି ଶ୍ରଦ୍ଧାଳୁଙ୍କ ଭିଡ଼ । ନବରାତ୍ରୀ ଓଷା ପାଳନ କରି ପରିବାରର ମଙ୍ଗଳ କାମନା କରିବା ସହ ମାଆଙ୍କ ଆଶିଷ ନେଇଛନ୍ତି ଶ୍ରଦ୍ଧାଳୁ ।
କଟକର ଅଧିଷ୍ଠାତ୍ରୀ ଦେବୀ ମାଆ କଟକ ଚଣ୍ଡୀ ପୀଠରେ ଆରମ୍ଭ ହୋଇଛି ନବପତ୍ରିକା ପୂଜା । ଗୋଟିଏ ପଟେ ନବରାତ୍ର ପୂଜା, ମନ୍ତ୍ର ପାଠ, ଯଜ୍ଞ ଆଦି ଆୟୋଜିତ ହେଉଥିବା ବେଳେ ନବ ଦିନରେ ମାଆ ଭିନ୍ନ ଭିନ୍ନ ବେଶରେ ଭକ୍ତଙ୍କୁ ଦର୍ଶନ ଦେବେ । ମାଆ କଟକ ଚଣ୍ଡୀ ନବରାତ୍ରୀର ପ୍ରଥମ ଦିନରେ ହରଚଣ୍ଡୀ ବେଶରେ ଦର୍ଶନ ଦେଇଛନ୍ତି । ସେପଟେ ଗଡ଼ଚଣ୍ଡୀ ପୀଠରେ ରାଜରାଜେଶ୍ବରୀ ବେଶରେ ଭୂଷିତ ହୋଇ ଦର୍ଶନ ଦେଉଛନ୍ତି ମାଆ ଗଡ଼ଚଣ୍ଡୀ । ନବରାତ୍ର ପୂଜା ପାଇଁ ନବମୀ ପର୍ଯ୍ୟନ୍ତ ଶକ୍ତିପୀଠରେ ଭକ୍ତଙ୍କ ସମାଗମ ଲାଗି ରହିବ । ଏଥିପାଇଁ ପ୍ରଶାସନ ପକ୍ଷରୁ ବ୍ଯାପକ ବ୍ଯବସ୍ଥା କରାଯାଇଛି ।
ନିର୍ବାଚନ ପରେ ଅଧାରେ ଅଟକିଛି ପୋଲ କାମ, ଦୁର୍ଦ୍ଦଶା ଭୋଗୁଛନ୍ତି ୧୫ରୁ ଉର୍ଦ୍ଧ୍ଵ ପଞ୍ଚାୟତବାସୀ
ଛେଣ୍ଡିପଦା : ନିର୍ବାଚନ ପରେ ଅଧାରେ ଅଟକିଛି ପୋଲ କାମ । ପିଲର ନିର୍ମାଣ କରି ଠିକାଦାର ନାହିଁ ଦେଖାଦର୍ଶନ । ଦୁର୍ଦ୍ଦଶା ଭୋଗୁଛନ୍ତି ୧୫ରୁ ଉର୍ଦ୍ଧ୍ଵ ପଞ୍ଚାୟତବାସୀ । ଅନୁଗୁଳ ଜିଲ୍ଲା ଛେଣ୍ଡିପଦା ବ୍ଲକ ଜରପଡା ପତିତପାବନ ମହାବିଦ୍ୟାଳୟଠାରୁ ଉଗୀ ଯାଇଥିବା ପୂର୍ତ୍ତ ବିଭାଗ ରାସ୍ତାରେ ବାଉରୀ ନାଳ ଉପରେ ଏକ ପୁରୁଣା ପୋଲ ଥିଲା । ପୂର୍ବ ସରକାର ସମୟରେ ଉକ୍ତ ପୋଲକୁ ଭଙ୍ଗା ଯାଇ ନୂତନ ପୋଲ ଓ ରାସ୍ତା କାମ ଆରମ୍ଭ ହୋଇଥିଲା l କିନ୍ତୁ ସରକାର ବଦଳିବା ପରେ କେବଳ ପିଲର ନିର୍ମାଣ କରି ଠିକାଦାର ଚମ୍ପଟ ମାରିଛି । ଫଳରେ ପୁରୁଣା ପୋଲରୁ ବାହାରିଥିବା ଭଙ୍ଗା ହୋମ ପାଇପରେ ବିପଦଶଙ୍କୁଳ ଭାବେ ଯାଆସ କରୁଛନ୍ତି ଲୋକେ । ହେଲେ ନିଦାବିଷ୍ଣୁ ସାଜିଛି ପ୍ରଶାସନ । ଯାହାକୁ ନେଇ ସ୍ଥାନୀୟ ଲୋକଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ଦେଖାଦେଇଛି ।
ପୋଲ କାମ ବନ୍ଦ ହୋଇଥିବା ଯୋଗୁଁ ସ୍ଥାନୀୟ ଲୋକେ ଦୁଇ କିଲୋମିଟର ଯିବା ପରିବର୍ତ୍ତେ ୧୬ କିଲୋମିଟର ବୁଲି ଯାଆସ କରୁଛନ୍ତି । ବିଦ୍ୟାଳୟ, କଲେଜ, ଡାକ୍ତରଖାନା, ଥାନା ଓ ଜରପଡା ବଜାରକୁ ଆସିବା ପାଇଁ ବହୁ ହଇରାଣ ହରକତ ହେଉଛନ୍ତି l ସରକାର ଶୀଘ୍ର ପୋଲ କାମ ଆରମ୍ଭ ନକଲେ ସ୍ଥାନୀୟ ଲୋକେ ରାଜରାସ୍ତାକୁ ଓହ୍ଲାଇବେ ବୋଲି ଚେତାବନୀ ଦେଇଛନ୍ତି ।

