spot_img
Home Blog Page 4599

ପରିବାରରେ ଝିଆରୀଙ୍କ ସହିତ ଅଧିକ ନିକଟତର ଥିଲେ ଲତା ମଙ୍ଗେସକର, ଜାଣନ୍ତୁ କିଏ ରାଧା ମଙ୍ଗେସକର

ନୂଆଦିଲ୍ଲୀ: କିମ୍ବଦନ୍ତୀ ଗାୟିକା ଲତା ମଙ୍ଗେଶକରଙ୍କ ମୃତ୍ୟୁ ପରେ ସାରା ଦେଶରେ ଶୋକର ଲହରୀ ଖେଳିଯାଇଛି । ଲତା ମଙ୍ଗେଶକର ୧୩ ବର୍ଷ ବୟସରୁ ଜୀବନର ଶେଷ ପର୍ଯ୍ୟନ୍ତ ତାଙ୍କ ପରିବାରର ଯତ୍ନ ନେଇଛନ୍ତି । ପିଲାଦିନେ ବାପାଙ୍କୁ ହରାଇବା ପରେ ଲତା ମଙ୍ଗେଶକର ତାଙ୍କ ପରିବାରର ଯତ୍ନ ନେଇଥିଲେ । ସେ ତାଙ୍କ ଭାଇ ଓ ଭଉଣୀମାନଙ୍କୁ ସମର୍ଥନ କରିଥିଲେ ଏବଂ ସବୁ ପରିସ୍ଥିତିରେ ତାଙ୍କ ସହିତ ଛିଡା ହୋଇଥିଲେ । କିନ୍ତୁ ଆପଣ ଜାଣିଛନ୍ତି କି ଲତା ଦିଦି ପରିବାରରେ କାହା ସହିତ ଅଧିକ ନିକଟତର ଥିଲେ…

କୁହାଯାଏ ଯେ ଲତା ମଙ୍ଗେଶକର ତାଙ୍କ ଝିଆରୀ ରାଧା ମଙ୍ଗେଶକରଙ୍କ ଖୁବ ନିକଟତର ଥିଲେ । ୨୦୦୯ ମସିହାରେ, ଲତା ମଙ୍ଗେଶକର ଝିଆରୀ ରାଧା ମଙ୍ଗେଶକରଙ୍କ ସିଙ୍ଗଲ ଆଲବମ୍ ନାଭ ମାଝେ ଶାମି ମଧ୍ୟ ଲଞ୍ଚ କରିଥିଲେ । ତେବେ ଆସନ୍ତୁ ଜାଣିବା କିଏ ଏହି ରାଧା ମଙ୍ଗେଶକର ? ସେ ମଙ୍ଗେସକର ପରିବାରର ତୃତୀୟ ପିଢ଼ୀର ସଦସ୍ୟ । ସେ ଲତାଙ୍କ ସାନ ଭାଇ ହୃଦୟନାଥ ମଙ୍ଗେସକରଙ୍କ ଝିଅ ଅଟନ୍ତି । ରାଧା ମଙ୍ଗେସକର ମଧ୍ୟ ପେଶାରେ ଜଣେ ଗାୟିକା । ତାଙ୍କ ବୟସ ୪୦ ବର୍ଷ ଏବଂ ସେ ଭାରତରେ ସଂଗୀତ ସମ୍ବେଦନଶୀଳତାକୁ ବ୍ୟାଖ୍ୟା କରିଛନ୍ତି ।

ରାଧା ମଙ୍ଗେଶକରଙ୍କ ୱେବସାଇଟ୍ ଅନୁଯାୟୀ ସେ ଜଣେ Stage Performer ଅଟନ୍ତି ।  ସେ ତାଙ୍କ ପିତା ହୃଦୟନାଥ ମଙ୍ଗେଶକରଙ୍କ ଠାରୁ ସଂଗୀତ ଶିକ୍ଷା ପାଇଛନ୍ତି । ନିଜ ପିଇସୀଙ୍କ ଭଳି ରାଧା ମଙ୍ଗେଶକର ମଧ୍ୟ ସର୍ବଦା ସଙ୍ଗୀତ ଶିଖିବା ଏବଂ ଆଗକୁ ବଢ଼ିବା ପାଇଁ ଆଗ୍ରହୀ ଥିଲେ । ରାଧା ୭ବର୍ଷ ବୟସରେ ତାଙ୍କର ସଂଗୀତ ଯାତ୍ରା ଆରମ୍ଭ କରିଥିଲେ । ଏହା ପରେ ସେ ତାଙ୍କ ବାପା ହୃଦୟନାଥଙ୍କ ସହ ମଞ୍ଚରେ ସଙ୍ଗୀତ ପରିବେଷଣ କରିବା ଆରମ୍ଭ କରିଥିଲେ । ରାଧା, ନିଜ ବାପାଙ୍କ କନସର୍ଟ ଭାବ ସରଗମରେ ଗୀତ ଗାଉଥିଲେ।

ରାଧା ମଙ୍ଗେଶକର ନିଜ ବାପାଙ୍କ ଶିକ୍ଷା ଏବଂ ମାର୍ଗଦର୍ଶନ ସହିତ ଏକକ ମଞ୍ଚ କଳାକାର ଭାବରେ ଉଭା ହୋଇଥିଲେ । ସେ ମହାରାଷ୍ଟ୍ରରୁ ଆରମ୍ଭ କରି ଦେଶ, ବିଦେଶ ବୁଲି ନିଜ କନ୍ସର୍ଟ କରିଛନ୍ତି ।

ରାଧା ମଙ୍ଗେଶକର ମରାଠୀ, ହିନ୍ଦୀ ଏବଂ ବଙ୍ଗାଳୀ ଭାଷାରେ ଗୀତ ଗାଇଛନ୍ତି । ସେ ଅନେକ ଆଲବମ୍ ମଧ୍ୟ ରିଲିଜ୍ କରିଛନ୍ତି, ଯାହା ଦର୍ଶକଙ୍କ ମନ କିଣିଛି । ରାଧା ମଙ୍ଗେଶକର ହିନ୍ଦୁସ୍ତାନୀ ଶାସ୍ତ୍ରୀୟ ସଙ୍ଗୀତର ଜଣେ ବିଶେଷଜ୍ଞ ଏବଂ ଏଥିରୁ ସେ ନିଜର ଭିନ୍ନ ଏକ ଶୈଳୀ ସୃଷ୍ଟି କରିଛନ୍ତି । ଅଧ୍ୟୟନ ବିଷୟରେ କହିବାକୁ ଗଲେ ରାଧା ମଙ୍ଗେଶକର ହିନ୍ଦୀ ଏବଂ ଦର୍ଶନ ଶାସ୍ତ୍ରରେ ସ୍ନାତକ ହାସଲ କରିଛନ୍ତି । ସେ ଦାର୍ଶନିକଶାସ୍ତ୍ରରେ ମଧ୍ୟ MA କରିଛନ୍ତି ।

ଭୁବନଙ୍କୁ ମିଳୁନି ‘କଚ୍ଚା ବାଦାମ’ ଲାଭ

ନୂଆଦିଲ୍ଲୀ: ଏବେ ସୋସିଆଲ୍ ମିଡିଆରେ ଭାଇରାଲ୍ ହେବାରେ ଲାଗିଛି କଚ୍ଚା ବାଦାମ ଗୀତ । ଭାଇରାଲ୍ ସହ ଲୋକ ଖୁବ୍ ଚର୍ଚ୍ଚା ମଧ୍ୟ କରୁଛନ୍ତି । ସାଧାରଣ ଲୋକଙ୍କ ଠାରୁ ସେଲିବ୍ରିଟି ପର୍ଯ୍ୟନ୍ତ ରିଲ୍ସ ବି କରୁଛନ୍ତି । ଏହି ଗୀତକୁ ପଶ୍ଚିମବଭଙ୍ଗର ଏକ ଛୋଟ ଗାଁରେ ରହୁଥିବା ବାଦାମ ବିକାଳି ଭୁବନ ବାଦାୟକର ଗାଇ କରି ରାତାରାତି ଷ୍ଟାର ହୋଇ ଯାଇଛନ୍ତି । ଏବେ ସବୁଠି ଭୁବନ ବାଦାୟକର ଓ କଚ୍ଚା ବାଦାମ ଗୀତର ଚର୍ଚ୍ଚା ହେଉଛି ।

ତେବେ ଭୁବନଙ୍କ ଦୁଃଖ ହେଉଛି ସେ କଚ୍ଚା ବାଦାମ ଗୀତ ଗାଇ ସେ ରାତାରାତି ଲୋକପ୍ରିୟ ହୋଇଗଲେ, କିନ୍ତୁ ଟଙ୍କା ମିଳିଲା ନାହିଁ । ଷ୍ଟୁଡିଓରେ ଗୀତ ଗାଇଲେ, ସେ ଟଙ୍କା ବି କେହି ଦେଲେନି । ପଶ୍ଚିମବଙ୍ଗର କୁରାଲଜୁରି ଗାଁରେ ରୁହନ୍ତି ଭୁବନ । ଏବେ ଭୁବନଙ୍କୁ ଭେଟିବାକୁ ବାହାରୁ ଆସୁଥିବା ଲୋକଙ୍କୁ ଗାଁକୁ ଛାଡ଼ୁ ନାହାନ୍ତି ଗାଁ ଲୋକ ।

ଭୁବନ ଜାଣିନଥିଲେ ତାଙ୍କ କଚ୍ଚା ବାଦାମ ଗୀତ ତାଙ୍କୁ ଇଣ୍ଟରନେଟ୍ ସେନସେସନ୍ କରାଇ ଦେବ । ଯେତେବେଳେ ତାଙ୍କୁ ଭେଟିବାକୁ ଦୂର ଦୂରାନ୍ତରୁ ଲୋକ ଆସିଲେ ତ ଭୁବନ ଜାଣିଲେ ସେ ଲୋକପ୍ରିୟ ହୋଇ ଯାଇଛନ୍ତି । ଏପରିକି ତାଙ୍କୁ ଭେଟିବାକୁ ଆସୁଥିବା ଲୋକ ତାଙ୍କ ସହ ଭିଡିଓ କରି ସେୟାର କରୁଥିଲେ । ତାଙ୍କ ଲୋକପ୍ରିତା ବଢ଼ିବା ସହ ସେ ନିକଟରେ ଏକ ମ୍ୟୁଜିକ୍ ଭିଡିଓରେ ନଜର ଆସିଥିଲେ । ହେଲେ ଦୁଃଖର କଥା ତାଙ୍କୁ ଏଗ୍ରିମେଣ୍ଟ ଅନୁସାରେ ଟଙ୍କା ମିଳିନାହିଁ ।

କଞ୍ଚା ବାଦାମ ବିକୁଥିବା ବେଳେ ଭୁବନ ଦୈନିକ ୨୦୦ରୁ ୨୫୦ ଟଙ୍କା ରୋଜଗାର କରୁଥିଲେ । ସେ ଲୋକପ୍ରିୟ ହେବା ପରେ ତାଙ୍କ ରେକର୍ଡ ପାଇଁ ଲୋକ ୫୦୦ରୁ ୩ ହଜାର ଟଙ୍କା ଦେଉଛନ୍ତି । ବିଭିନ୍ନ କାର୍ଯ୍ୟକ୍ରମରେ ଗୀତ ଗାଇ ଭୁବନଙ୍କ ପରିବାର ତ ଚଳି ଯାଉଛି । କିନ୍ତୁ ଷ୍ଟୁଡିଓରେ ରେକର୍ଡ କରାଯାଇଥିବା ଅଡିଓ, ଭିଡିଓର ଟଙ୍କା ମିଳିନଥିବା କହିଛନ୍ତି ଭୁବନ ।

ସୌମ୍ୟ ଆତ୍ମହତ୍ୟା ମାମଲା: ପୁଅକୁ ନ୍ୟାୟ ଦାବିରେ ଡିସିପି ଅଫିସରେ ମାଆ

ଭୁବନେଶ୍ୱର: ଯୁବ ବ୍ୟବସାୟୀ ସୌମ୍ୟ ରଞ୍ଜନ ପାଣିଗ୍ରାହୀ ଆତ୍ମହତ୍ୟା ମାମଲା । ଡିସିପି ଅଫିସରେ ପହଞ୍ଚିଲେ ମୃତ ସୌମ୍ୟଙ୍କ ପରିବାର । ପୁଅକୁ ନ୍ୟାୟ ଦାବିରେ ଡିସିପିଙ୍କ ଅଫିସରେ ଫେରାଦ ହୋଇଛନ୍ତି ସୌମ୍ୟଙ୍କ ମା , ଭଉଣୀ ଓ ପରିବାର ଲୋକ । ସୌମ୍ୟ ଭଲ ପାଉଥିବା ଯୁବତୀ ସୋନାଲି ନନ୍ଦ ଓ ତାଙ୍କ ମାଙ୍କୁ ଗିରଫ ଦାବି କରି ଲିଖିତ ଭାବେ ଜଣାଇଛନ୍ତି ।

ଯୁବ ବ୍ୟବସାୟୀ ସୌମ୍ୟ ରଞ୍ଜନ ପାଣିଗ୍ରାହୀ ଆତ୍ମହତ୍ୟା ଘଟଣାକୁ ୧୨ ଦିନ ବିତିବାକୁ ବସିଲାଣି  ।  ୧୨ଦିନ ପରେ ମଧ୍ୟ କାହିଁକି ହେଉନି କାର୍ଯ୍ୟାନୁଷ୍ଠାନ ? ସୋନାଲି ଓ ତାଙ୍କ ମାଙ୍କ ଯୋଗୁଁ ସୌମ୍ୟ ଆତ୍ମହତ୍ୟା କରିଥିବା ଇନଫୋସିଟି ଥାନାରେ ଅଭିଯୋଗ କରିଥିଲେ ତାଙ୍କ ପରିବାର  । ସୌମ୍ୟଙ୍କୁ ଫୋନରେ ଆତ୍ମହତ୍ୟା ନେଇ ଉସକାଇଥିବା ମଧ୍ୟ ଅଭିଯୋଗ କରିଥିଲେ  ।

ସେପଟେ ୧୨ ଦିନ ପରେ ମଧ୍ୟ ପୋଲିସ ଏହି ଘଟଣାକୁ ନେଇ ଚୁପ ରହିଛି  । ତେଣୁ ପୁଅର ଆତ୍ମହତ୍ୟା ପଛରେ ସମ୍ପୃକ୍ତ ଯୁବତୀଙ୍କ ହାତ ରହିଥିବା କହିଛନ୍ତି ତାଙ୍କ ଭଉଣୀ ଓ ମା  । ଏନେଇ ଘଟଣାର ୧୨ ଦିନ ପରେ ଡିସିପି କାର୍ଯ୍ୟାଳୟ ଆସି ଫେରାଦ ହୋଇଛନ୍ତି ସୌମ୍ୟଙ୍କ ପରିବାର ସଦସ୍ୟ  ।

ବିଦେଶ ଫେରନ୍ତାଙ୍କ ଲାଗି ଆସିଲା ନୂଆ କରୋନା ଗାଇଡଲାଇନ୍

ନୂଆଦିଲ୍ଲୀ: ଦେଶରେ କୋଭିଡ୍ ସଂକ୍ରମଣ ମାମଲା ଖସୁଥିବା ବେଳେ ଗୁରୁବାର କେନ୍ଦ୍ର ସରକାର ନୂଆ ଗାଇଡଲାଇନ୍ ଜାରି କରିଛନ୍ତି । ବିଦେଶ ଫେରନ୍ତାଙ୍କ ଲାଗି ଜାରି ନୂଆ ଗାଇଡଲାଇନରେ ୭ ଦିନିଆ ବାଧ୍ୟତାମୂଳକ କ୍ୱାରେଣ୍ଟାଇନକୁ ହଟାଇ ଦିଆଯାଇଛି । ଏହି ନୂଆ ନିୟମ ଫେବ୍ରୁଆରୀ ୧୪ ତାରିଖରୁ ଲାଗୁ ହେବ ।

ନୂଆ ଗାଇଡଲାଇନ୍ ଅନୁସାରେ, କେହି ବିଦେଶରୁ ଆସିଲେ ୧୪ ଦିନ ଯାଏ ନିଜେ ନିଜ ସ୍ୱାସ୍ଥ୍ୟ ଉପରେ ନଜର ରଖିବେ । କୋଭିଡର କୌଣସି ଲକ୍ଷଣ ଦେଖାଗଲେ ନିଜକୁ ଆଇସୋଲେଟ୍ କରିବେ । ଏଥିସହ ପୂର୍ବରୁ ଓମିକ୍ରନ୍ ବିପଦକୁ ଦେଖି ବିଭିନ୍ନ ଦେଶ ପାଇଁ ସରକାର ଜାରି କରିଥିବା ଆଟ ରିସ୍କ ଟ୍ୟାଗକୁ ମଧ୍ୟ ହଟାଇ ଦିଆଯାଇଛି ।

ଏଥିସହ ୮୨ଟି ଦେଶରୁ ଆସୁଥିବା ଯାତ୍ରୀ ଯାତ୍ରାର ୭୨ ଘଣ୍ଟା ମଧ୍ୟରେ କୋଭିଡ୍ ଆରଟିପିସିଆର୍ ନେଗେଟିଭ୍ ପ୍ରମାଣପତ୍ର ସହ ୨ ଡୋଜ୍ ଟିକା ନେଇଥିବା ସାର୍ଟିଫିକେଟ୍ ଅପଲୋଡ୍ କରିବେ । ଗତ ୨୪ ଘଣ୍ଟାରେ ଦେଶରେ ୬୭ ହଜାର ୮୪ ଜଣ କୋଭିଡ୍ ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ୧୨୪୧ ଜଣଙ୍କ ଜୀବନ ନେଇଛି କରୋନା ।

୧୦ ମାସର ବାଘ ଛୁଆ ‘ରକି’ ଅସୁସ୍ଥ

ଭୁବନେଶ୍ୱର: ନନ୍ଦନକାନନନରେ ବାଘ ଛୁଆ ଅସୁସ୍ଥ । ଧଳାବାଘୁଣୀ ବିଜୟାର 10 ମାସର ଛୁଆ ମହାବଳ ରକି ଅସୁସ୍ଥ ହୋଇ ପଡିଛି । 4 ଦିନ ହେଲା ତରଳ ଝାଡ଼ା ହେଉଥିବାରୁ ଖାଦ୍ୟ ଗ୍ରହଣ କରୁନଥିଲା ରକି । ନନ୍ଦନକାନନ ପ୍ରାଣୀ ଚିକତ୍ସକଙ୍କ ଦ୍ୱାରା ତା’ର ଚିକିତ୍ସା ଚାଲିଛି । ରକି ଦେହରେ କାନାଇନ ପ୍ରାଭୋ ଭୂତାଣୁ ଥିବା ରକ୍ତ ନମୁନା ପରୀକ୍ଷାରୁ ଜଣାପଡ଼ିଛି ।

ଗତବର୍ଷ ମାର୍ଚ୍ଚ ମାସରେ ବାଘୁଣୀ ବିଜୟାର ଏକ ଦଶ ମାସର ଛୁଆ ଭୂତାଣୁ ସଂକ୍ରମିତ ହୋଇ ମୃତ୍ୟୁବରଣ କରିଥିଲା । ତେବେ ରକିକୁ ସେହି ଭୂତାଣୁ ସଂକ୍ରମଣ ନହେବା ପାଇଁ ତାକୁ ଏକ ସ୍ୱତନ୍ତ୍ର କୋଠରୀରେ ନନ୍ଦନକାନନ ପକ୍ଷରୁ ରଖାଯାଇଛି ।  ରକିର ସ୍ୱାସ୍ଥ୍ୟ ଉପରେ ମଧ୍ୟ ବିଶେଷ ପ୍ରାଧାନ୍ୟ ଦିଆଯାଉଛି  । କିନ୍ତୁ ବର୍ତ୍ତମାନ ରକିର ଅସୁସ୍ଥତା ଚିନ୍ତା ପାଲଟିଛି  ।

ଦୁର୍ଦ୍ଦାନ୍ତ ଅପରାଧୀ ମୁନୁକୁ ଗିରଫ କଲା STF, ୨୦୧୪ରୁ ଥିଲା ଫେରାର୍

ଭୁବନେଶ୍ୱର: ଏସଟିଏଫ୍ ହାତରେ କୁଖ୍ୟାତ ଅପରାଧୀ କିଶୋର କୁମାର ମହାରଣା ଓରଫ୍ ମୁନୁ ଧରା ପଡ଼ିଛି । ବିଶ୍ୱସ୍ତ ସୂତ୍ରରୁ ଖବର ପାଇ ଏସଟିଏଫ୍ ଆଜି ରେଡ୍ କରିଥିଲା । କଟକ ସଦର ଅଞ୍ଚଳରେ ରେଡ୍ ବେଳେ କିଶୋ ଓରଫ୍ ମୁନୁ ଧରା ପଡ଼ିଛି । ତା’ ଠାରୁ ଏସଟିଏଫ୍ ଗୋଟିଏ ୯ ଏମ୍ଏମର ପିସ୍ତଲ୍ ସହ ୫ ରାଉଣ୍ଡ ଗୁଳି ଏବଂ ଅନ୍ୟ ଅପରାଧିକ ସାମଗ୍ରୀ ଜବତ ହୋଇଛି । ୨୦୧୪ରେ ଅନ୍ୟ ସାଥୀଙ୍କ ସହ ଚଣ୍ଡିଖୋଲ ବଜାରରେ ଜଣଙ୍କୁ ହତ୍ୟା ପରେ ମୁନୁ ଫେରାର୍ ଥିଲା ।

STF Arrested Hardcore Criminal Munu From Cuttack

୨୦୧୪ରେ ଚଣ୍ଡିଖୋଲ ବଜାରରେ ମୁନୁ ଅନ୍ୟ ସହଯୋଗୀଙ୍କ ସହ ମିଶି ଦୀପକ ନାଏକକୁ ହତ୍ୟା କରିଥିଲା । ଘଟଣାରେ ୩ ଜଣଙ୍କ ସମ୍ପୃକ୍ତି ରହିଥିବା ବେଳେ ଯାଜପୁରର ଶେଷଦେବ ସ୍ୱାଇଁ ଓରଫ୍ ବୁବାକୁ ଗିରଫ କରାଯାଇଥିଲା । ଏହି ହତ୍ୟାକାଣ୍ଡ ଛଡ଼ା ମୁନୁ ନାଁରେ କେନ୍ଦ୍ରାପଡ଼ା ଥାନାରେ ମଧ୍ୟ ମାମଲା ରହିଛି । ୨୦୨୦ରୁ ଏସଟିଏଫ୍ ସ୍ୱତନ୍ତ୍ର ଡ୍ରାଇଭ୍ ଆରମ୍ଭ କରିଛି । ଏବେ ଯାଏ ଏସଟିଏଫ୍ ୬୮ଟି ବନ୍ଧୁକ ସହ ୧୪୬ ରାଉଣ୍ଡ ଗୁଳି ଜବତ କରିଛି ।

ଶେଷ ହେଲା ସର୍ବଦଳୀୟ ବୈଠକ, ୨୪ରେ ପ୍ରକାଶ ପାଇବ ଚୂଡାନ୍ତ ଭୋଟର ତାଲିକା

ଭୁବନେଶ୍ୱର: ପୌର ନିର୍ବାଚନ ନେଇ ରାଜ୍ୟ ନିର୍ବାଚନ କମିଶନଙ୍କ ଅଧ୍ୟକ୍ଷତାରେ ବସିଥିବା ବୈଠକ ଶେଷ ହୋଇଛି  । ଏହି ବୈଠକରେ ଅନେକ ଗୁରୁତ୍ୱପୂର୍ଣ୍ଣ ଆଲୋଚନା କରାଯାଇଛି  । ଏନେଇ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ରାଜ୍ୟ ନିର୍ବାଚନ କମିଶନର ଆଦିତ୍ୟ ପ୍ରସାଦ ପାଢୀ  । ସମସ୍ତ ଦଳର ପ୍ରତିନିଧିଙ୍କ ସହ ସକାରତ୍ମକ ଆଲୋଚନା ହୋଇଛି  । ନିର୍ଭୁଲ ଭୋଟର ତାଲିକା ପ୍ରକାଶକୁ ଗୁରୁତ୍ୱ ଦିଆଯାଇଛି  । ନିର୍ବାଚନକୁ ସୁରୁଖୁରୁରେ ସମାପନ୍ନ କରିବାକୁ କୁହାଯାଇଛି  । ରାଜ୍ୟରେ ୧୧୦ ପୌରାଞ୍ଚଳରେ ହେବ ନିର୍ବାଚନ ।  ତେବେ ଏଥିରେ ମତଦାନ ସମୟ ନେଇ କେହି କିଛି ପ୍ରସ୍ତାବ ଦେଇନାହାନ୍ତି ।

ସେପଟେ ୨୪ତାରିଖରେ ପ୍ରକାଶ ପାଇବ ଚୂଡ଼ାନ୍ତ ଭୋଟର ତାଲିକା । ଖରାଦିନେ ହୋଇପାରେ ପୌର ନିର୍ବାଚନ । ପିଇବା ପାଣି ବ୍ୟବସ୍ଥା କରିବାକୁ ପ୍ରସ୍ତାବ ଦେଇଛି ବିଜେଡି । ନିର୍ଭୁଲ ଭୋଟର ତାଲିକା ପ୍ରସ୍ତୁତି ଉପରେ ଗୁରୁତ୍ୱ ଦିଆଯାଉଛି । ରାଜ୍ୟର ୫୯ଟି ବିଜ୍ଞାପିତ ଅଞ୍ଚଳ ପରିଷଦ, ୪୮ଟି ପୌର ପରିଷଦ ଏବଂ ୩ଟି ମହାନଗର ନିଗମରେ ନିର୍ବାଚନ ହେବ । ଏହି ସବୁ ସହରାଞ୍ଚଳରେ ୱାର୍ଡୱାରି ଚିଠା ଭୋଟର ତାଲିକା ଆଜି ପ୍ରକାଶ ପାଇବ ।

ଚିଠା ଭୋଟର ତାଲିକା ପ୍ରକାଶ ପରେ ଫେବ୍ରିଆରୀ ୧୧ରୁ ୧୬ ପର୍ଯ୍ୟନ୍ତ ଆପତ୍ତି ଅଭିଯୋଗ କରିହେବ । ୧୮ ତାରିଖରେ ଅଭିଯୋଗ ଉପରେ ହେବ ଶୁଣାଣି । ୨୧ରେ ଜିଲ୍ଲାପାଳ ସ୍ତରରେ ହେବ ଶୁଣାଣି ପରେ ୨୪ରେ ପ୍ରକାଶ ପାଇବ ଚୂଡାନ୍ତ ଭୋଟର ତାଲିକା । ଫେବ୍ରୁଆରୀ ୨୮ରେ ଚୂଡ଼ାନ୍ତ ଭୋଟର ତାଲିକା ନିର୍ବାଚନ କମିଶନଙ୍କୁ ଦିଆଯିବ । ପୂର୍ବରୁ ସବୁ ସହରାଞ୍ଚଳରେ ୱାର୍ଡ ପୁନର୍ଗଠନ, ସଂରକ୍ଷଣ ସହ ମେୟର ଓ ଅଧ୍ୟକ୍ଷ ପଦ ପାଇଁ ସଂରକ୍ଷଣ ଚୂଡ଼ାନ୍ତ ହୋଇଛି  ।

କର୍ଣ୍ଣାଟକରେ ‘ହିଜାବ’, ତେଲଙ୍ଗାନାରେ ‘ବୁର୍ଖା’ ବିବାଦ କାହିଁକି ?

ହାଇଦ୍ରାବାଦ: କର୍ଣ୍ଣାଟକରେ ହିଜାବକୁ ନେଇ ତେଜିଥିବା ବିବାଦ ଥମିନି । ଏବେ ଆଉ ଏକ ବିବାଦ ତେଲଙ୍ଗାନାରେ ମୁଣ୍ଡ ଟେକିଲାଣି । ତେଲଙ୍ଗାନାରେ ବୁର୍ଖାକୁ ନେଇ ଅସନ୍ତୋଷ ଦେଖାଦେଇଛି । ସିକନ୍ଦରାବାଦରେ ଦିବ୍ୟାଙ୍ଗଙ୍କ ଲାଗି କାମ କରୁଥିବା ଏକ ସଂସ୍ଥା ମହିଳାଙ୍କୁ ବୁର୍ଖା ପିନ୍ଧି ଆସିବାକୁ ମନା କରିଛି । ଏନେଇ ଫାତିମା ନାମକ ଜଣେ ମହିଳା ଟ୍ୱିଟ୍ କରି ଲେଖିଛନ୍ତି, ‘ଫେବ୍ରୁଆରୀ ୫ରେ ମୌଖିକ ଭାବେ କୁହାଯାଇଥିଲା ସଂସ୍ଥା ପରିସରରେ ବୁର୍ଖା କିମ୍ବା ହିଜାବ ପିନ୍ଧିବାକୁ ଅନୁମତି ନାହିଁ । ତେଣୁ ସମସ୍ତ ମହିଳା କେବଳ ଶାଢ଼ି ପିନ୍ଧି ଆସିବେ ।’

 Karnataka Hijab Row Secunderabad Institute Has Barred Burqa For Girls

ଫାତିମା ଆହୁରି ଲେଖିଛନ୍ତି, ‘ସଂସ୍ଥାରେ ଭର୍ତ୍ତି ହେବା ଦିନ ଫର୍ମରେ ପୋଷାକ ସମ୍ବନ୍ଧିତ ସ୍ଥାନ ପୂରଣ କରିଥିଲୁ । ସେଥିରେ କେଉଁଠି ବି ଲେଖା ନଥିଲା କି ବୁର୍ଖା କାଢ଼ିବାକୁ ପଡ଼ିବ । କିନ୍ତୁ ଏବେ ଏହି ନୂଆ ଆଦେଶ ଆସିବା ପରେ କେହି ଆମକୁ ସାଥ୍ ଦେଉ ନାହାଁନ୍ତି । ଏନେଇ ଫାତିମା ମୁସଲିମ୍ ସଂଗଠନ ମଜଲିସ୍ ବଞ୍ଚାଅ ତହରିକକୁ ସାହାଯ୍ୟ ମାଗିଛନ୍ତି ।’

ସେ ଆହୁରି କହିଛନ୍ତି, ଫେବ୍ରୁଆରୀ ୮ ତାରିଖରେ ସଂସ୍ଥାରେ ଜଣେ କନିଷ୍ଠଙ୍କ ଠାରୁ ବୁର୍ଖା କାଢ଼ି ନିଆଯାଇଛି । ଏହାପରେ ଅନ୍ୟ ଶିକ୍ଷାର୍ଥୀ ସଂସ୍ଥାକୁ ଯିବା ବନ୍ଦ କରି ଦେଇଛନ୍ତି । ଏହି ଆଦେଶ ପରେ ଅନେକ ଯୁବତୀ ଆଉ ସଂସ୍ଥାକୁ ଯାଉ ନାହାଁନ୍ତି । ଡିସେମ୍ବର ଦ୍ୱିତୀୟ ସପ୍ତାହରେ କର୍ଣ୍ଣାଟକ ଉଡ୍ଡପିରୁ ଆରମ୍ଭ ହୋଇଥିବା ହିଜାବ ବିବାଦ ଅନ୍ୟ ରାଜ୍ୟକୁ ଡେଉଁଥିବା ବେଳେ ତେଲଙ୍ଗାନାରେ ବୁର୍ଖା ବିବାଦ ତେଜିଛି ।

ଅପରିବର୍ତ୍ତିତ ରେପୋରେଟ ଓ ରିଭର୍ସ ରେପୋରେଟ୍

ନୂଆଦିଲ୍ଲୀ: ଦଶମ ଥର ରେପୋରେଟ ଓ ରିଭର୍ସ ରେପୋରେଟ ଅପରିବର୍ତ୍ତିତ । ଦଶମ ଥର ଲାଗି ଏହି ନୀତି ରହିଛି ଅପରିବର୍ତ୍ତିତ । ବର୍ତ୍ତମାନ ରେପୋ ରେଟ୍ ୪ ପ୍ରତିଶତ ଥିବା ବେଳେ ରିଭର୍ସ ରେପୋ ରେଟ୍ ୩.୩୫ ପ୍ରତିଶତ ରହିଛି । ରାଜସ୍ବ ବର୍ଷ ୨୦୨୩ ଲାଗି ଜିଡିପି ଅଭିବୃଦ୍ଧି ହାର ଲକ୍ଷ୍ୟ ରଖାଯାଇଛି ୭ଦଶମିକ ୮ ପ୍ରତିଶତ । ବଜେଟ ପରେ ପ୍ରଥମ ଥର ପାଇଁ ଆରବିଆଇ ମୁଦ୍ରା ନୀତିର ସମୀକ୍ଷା କରିଛି ।

ଗତକାଲି ମୁଦ୍ରାନୀତି ଲାଗି ଆରବିଆଇର ବୈଠକ ଅନୁଷ୍ଠିତ ହୋଇଥିଲା । କୋଭିଡର ତୃତୀୟ ଲହର, କ୍ରିପ୍ଟୋ କରେନ୍ସି, ଦର ବୃଦ୍ଧି ଭଳି କିଛି ପ୍ରସଙ୍ଗ ଉପରେ ଆରବିଆଇ ଫୋକସ କରିଛି । ଆରବିଆଇ ଲଗାତାର ୯ ଥର ରେପୋ ରେଟ୍‌ ଓ ରିଭର୍ସ ରେପୋ ରେଟ୍‌ ଅପରିବର୍ତ୍ତିତ ରଖିଥିଲା । ଗତ ମେ ୨୦୨୦ରୁ ରେପୋ ବା ରିଭର୍ସ ରେପୋରେଟକୁ ଅପରିବର୍ତ୍ତିତ ରଖିଛନ୍ତି ଆରବିଆଇ ।

ବିଭିନ୍ନ ବ୍ୟାବସାୟିକ ବ୍ୟାଙ୍କକୁ ରିଜର୍ଭ ବ୍ୟାଙ୍କ ଧାର ଦେଉଥିବା ଟଙ୍କାର ହାରକୁ ରେପୋ ରେଟ କୁହାଯାଉଥିବା ବେଳେ ବ୍ୟାଙ୍କଗୁଡିକଠାରୁ ଆରବିଆଇ ନେଉଥିବା ଟଙ୍କାର ସୁଧହାରକୁ ରିଭର୍ସ ରେପୋରେଟ କୁହାଯାଇଥାଏ । ମୁଦ୍ରାସ୍ଫୀତି ନିୟନ୍ତ୍ରଣ ଲାଗି ଆରବିଆଇ ଏହି ମୁଦ୍ରାନୀତି ଆପଣାଇଥାଏ । ଗତ ମଙ୍ଗଳବାର ଆରବିଆଇ ଗଭର୍ଣ୍ଣର ଶକ୍ତିକାନ୍ତ ଦାସଙ୍କ ନେତୃତ୍ବରେ ଆର୍ଥିକ ନୀତି କମିଟିର ୬ ଜଣ ସଦସ୍ୟଙ୍କ ବୈଠକ ବସିଥିଲା । ଶେଷ ଥର ଲାଗି ଗତ ବର୍ଷ ଡିସେମ୍ବର ୮ ତାରିଖରେ ମୁଦ୍ରାନୀତିର ସମୀକ୍ଷା କରାଯାଇଥିଲା ।

ସଜାଗ ପୋଲିସ, ଛକ ଛକରେ ଚାଲିଛି ଯାଞ୍ଚ

ନିମାପଡ଼ା: ନିର୍ବାଚନ ସମୟ ସନ୍ନିକଟ । ଛକ ଛକରେ ଲାଗିଛି ଗହଳି । ରାଜ୍ୟରେ ପଞ୍ଚାୟତ ନିର୍ବାଚନକୁ ଶାନ୍ତିଶୃଙ୍ଖଳାରେ କରିବାକୁ ଓଡିଶା ପୋଲିସ ପକ୍ଷରୁ ବ୍ୟାପକ ପ୍ରସ୍ତୁତି ଚାଲିଛି । ଯେପରି କୌଣସି ସ୍ଥାନରେ ଅପ୍ରୀତିକର ପରିସ୍ଥିତି ସୃଷ୍ଟି ନହୁଏ ସେନେଇ ପଇଁତରା ମାରୁଛି ପୋଲିସ  ।  ପୁରୀ ଜିଲ୍ଲା ନିମାପଡା ପୋଲିସ ପକ୍ଷରୁ ଯାଞ୍ଚ ବ୍ୟବସ୍ଥାକୁ କଡାକଡି କରାଯାଇଛି ।

ନିମାପଡା ନିର୍ବାଚନ ମଣ୍ଡଳୀର ବିଭିନ୍ନ ଛକ ଓ ବଜାରରେ ଏସଡିପିଓ ଓ ଆଇଆଇସିଙ୍କ ନେତୃତ୍ୱରେ ଏକ ଟିମ ରାତ୍ରି ପ୍ରେଟ୍ରୋଲିଂ କରୁଛି  । ଦୁଇ ଚକିଆ ଓ ଚାରି ଚକିଆ ଯାନକୁ ତନ୍ନ ତନ୍ନ କରି ଯାଞ୍ଚ କରୁଛି  । ଯେହେତୁ ନିର୍ବାଚନ ସମୟ ଅତିକ୍ରମ କରୁଛି ତେଣୁ ଏହି ପ୍ରକ୍ରିୟାକୁ ଜୋରଦାର କରିଛି ପୋଲିସ ।

ବିଶେଷ କରି ନିର୍ବାଚନ ସମୟରେ ନିଶା ଏବଂ ଅର୍ଥ କାରବାର ହୋଇଥାଏ  । ଯାହା ପୋଲିସ ପାଇଁ ଚ୍ୟାଲେଞ୍ଜ ସୃଷ୍ଟି କରିଥାଏ  ।  ତେଣୁ ଏହି ସମୟରେ ଟଙ୍କା କାରବାର ଓ ନିଶା ଦ୍ରବ୍ୟ କାରବାରକୁ ରୋକିବା ପାଇଁ ଯାଞ୍ଚ ପ୍ରକ୍ରିୟାକୁ ଆହୁରି କଡାକଡି କରାଯିବ ବୋଲି ନିମାପଡା ଏସଡିପିଓ ଦେବାଶିଷ ମିଶ୍ର କହିଛନ୍ତି ।