ନନ୍ଦିଘୋଷ ବ୍ୟୁରୋ : ଭିଜିଲାନ୍ସ ଜାଲରେ ରେଂଜର। ଆୟ ବହିର୍ଭୁତ ସଂପତ୍ତି ଠୁଳ ଅଭିଯୋଗରେ ରାୟଗଡ଼ା କାଶୀପୁର ବନାଞ୍ଚଳ ଅଧିକାରୀ ଅନ୍ତର୍ଯ୍ୟାମୀ ସାହୁଙ୍କ ଘରେ ରେଡ୍ ହୋଇଛି। ୪ ଜିଲ୍ଲାର ୯ ସ୍ଥାନରେ ଏକକାଳୀନ ରେଡ କରୁଛି ଭିଜିଲାନ୍ସ। କାଶୀପୁର ସ୍ଥିତ ସରକାରୀ ବାସଭବନ ଓ ଅଫିସ ସମେତ ବିିଭିନ୍ନ ସ୍ଥାନରେ ରେଡ ଚାଲିଛି। ଭିଜିଲାନ୍ସ ଟିମ୍ କାଶୀପୁର, ବ୍ରହ୍ମପୁର, ବାଲିଗୁଡା, ଭଜଂନଗର, ନୟାଗଡ ସମେତ ରାଜ୍ୟର ୯ଟି ସ୍ଥାନରେ ଥିବା ଅନ୍ତର୍ଯ୍ୟାମୀ ସାହୁଙ୍କ ସମ୍ପତ୍ତି ଉପରେ ଚଢ଼ାଉ କରିଛି।ଜୟପୁର ସ୍ବତନ୍ତ୍ର ଭିଜିଲାନ୍ସ ଏସପିଙ୍କ ତତ୍ବାବଧାନରେ ରେଡ୍ ଚାଲିଛି। ଅତିରିକ୍ତ ଏସପି ଅନନ୍ତ ମଲ୍ଲିକଙ୍କ ନେତୃତ୍ଵରେ ୭ ଜଣ ଡିଏସପି, ୭ ଜଣ ଇନିସପେକ୍ଟର ଓ ଅନ୍ୟ ସହାୟକ କର୍ମଚାରୀ ସାମିଲ ହୋଇଛନ୍ତି। କନ୍ଧମାଳ ବାଲିଗୁଡାରେ ଅନ୍ତର୍ଯ୍ୟାମୀ ସାହୁଙ୍କ ପତ୍ନୀଙ୍କ ନାଁରେ ରହିଛି କୋଠାଘର, ବାଲିଗୁଡ଼ାରେ ଆଉ ଏକ କୋଠା ଘର, ନୟାଗଡ଼ରେ ଥିବା ସମ୍ପର୍କୀୟଙ୍କ ଘର, ଦାରିଙ୍ଗବାଡ଼ି ସରନିକେତରେ କୋଠା, ଦାରିଙ୍ଗବାଡ଼ିରେ ଆଉ ଏକ କୋଠା, ଗଂଜାମ କୁକୁଡାଖଣ୍ଡିରେ କୋଠା, ଭଂଜନଗର ଦୋମୁହାଣୀରେ ଥିବା କୋଠାରେ ରେଡ କରୁଛି ଭିଜିଲାନ୍ସ।
ଶିକ୍ଷକ ଯୋଗ୍ୟତା ପରୀକ୍ଷାକୁ ନେଇ ଚିନ୍ତାରେ ଶିକ୍ଷକ
ଭୁବନେଶ୍ବର : କେତେବେଳେ ପ୍ରଶ୍ନପତ୍ର ଲିକ୍ ତ ପୁଣି କେବେ ବୋର୍ଡରେ ଅଧିକାରୀ ଅଭାବ । ଏପରି କାରଣ ଯୋଗୁଁ ବାରମ୍ବାର ସ୍ଥଗିତ ରହିବା ସହ ପରିବର୍ତ୍ତନ ହୋଇ ଚାଲିଛି ଓଟିଇଟି । ଶେଷରେ ଶିକ୍ଷକ ଯୋଗ୍ୟତା ପରୀକ୍ଷା ପାଇଁ ସେପ୍ଟେମ୍ବର ୨୭ ତାରିଖ ଧାର୍ଯ୍ୟ ହୋଇଛି। ଯାହାକୁ ନେଇ ପୁଣି ଥରେ ବିବାଦ ଦେଖାଦେଇଛି। କାରଣ ସେପ୍ଟେମ୍ବର ୨୭ ହେଉଛି କାର୍ଯ୍ୟ ଦିବସ । ସ୍କୁଲ ଛାଡ଼ି ପରୀକ୍ଷା ଦେବାକୁ କେମିତି ଯିବେ ବୋଲି ସରକାରଙ୍କୁ ପ୍ରଶ୍ନ କରିଛନ୍ତି ଶିକ୍ଷକ। ହେଲେ ଆଜି ସରକାର ଶୁଣାଇଛନ୍ତି ଚରମବାଣୀ। ସିଧାସିଧା କହିଛନ୍ତି, ସେପ୍ଟେମ୍ବର ୨୭ ତାରିଖରେ ହିଁ ହେବ ଓଟିଇଟି। ପରୀକ୍ଷା ତାରିଖରେ କୌଣସି ପରିବର୍ତ୍ତନ ନକରିବାକୁ ସ୍ପଷ୍ଟ କରିଚନ୍ତି ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ।
ଗଣଶିକ୍ଷା ମନ୍ତ୍ରୀଙ୍କ ଉତ୍ତର ପରେ ଶିକ୍ଷକଙ୍କ ଦ୍ବନ୍ଦ୍ବ ବଢ଼ିବା ସହ ଛାତ୍ରଛାତ୍ରୀଙ୍କ ଚିନ୍ତା ବଢ଼ିଛି। କାରଣ ପ୍ରଥମରୁ ଅଷ୍ଟମ ଶ୍ରେଣୀ ପିଲାଙ୍କ ଅର୍ଦ୍ଧ ବାର୍ଷିକ ପରୀକ୍ଷା ସେପ୍ଟେମ୍ବର ୨୨ରେ ଆରମ୍ଭ ହୋଇ ସେପ୍ଟେମ୍ବର ୨୭ ଯାଏଁ ଚାଲିବ। ଯଦି ଶିକ୍ଷକମାନେ ୨୭ ତାରିଖରେ ପରୀକ୍ଷା ଦେବାକୁ ଯିବେ, ତେବେ କିଏ କରିବ ସ୍କୁଲ ପିଲାଙ୍କ ପରୀକ୍ଷା ପରିଚାଳନା ? ସେପଟେ କିଛି ଦିନ ତଳେ ସୁପ୍ରିମକୋର୍ଟ ବି ଶିକ୍ଷକ ଯୋଗ୍ୟତା ପରୀକ୍ଷାକୁ ବାଧ୍ୟତାମୂଳକ କରିଛନ୍ତି । ଯେଉଁମାନେ ଶିକ୍ଷକ ହେବା ପାଇଁ ଆଶାୟୀ, ସେମାନେ ଟିଇଟି ଯୋଗ୍ୟତା ହାସଲ କରିବା ଅନିବାର୍ଯ୍ୟ। ଏଥିସହ ଯେଉଁମାନେ ଶିକ୍ଷକତା କରୁଛନ୍ତି, ସେମାନେ ମଧ୍ୟ ପଦୋନ୍ନତି ପାଇଁ ଟିଇଟି ଯୋଗ୍ୟତା ହାସଲ କରିବା ବାଧ୍ୟତାମୂଳକ। ଯଦି ଏହି ଶିକ୍ଷକମାନେ ୨ ବର୍ଷ ମଧ୍ୟରେ ଟିଇଟିରେ ଉତ୍ତୀର୍ଣ୍ଣ ହେବେ ନାହିଁ, ସେମାନେ ବାଧ୍ୟତାମୂଳକ ଅବସର ନେବେ। ଗୋଟିଏ ପଟେ ସର୍ବୋଚ୍ଚ ଅଦାଲତଙ୍କ ଛାଟ, ଅନ୍ୟପଟେ କାର୍ଯ୍ୟ ଦିବସରେ ପରୀକ୍ଷା ଯୋଗୁଁ ୭୫ ହଜାର ଶିକ୍ଷକ ଚିନ୍ତାରେ ଦିନ ଗଣୁଛନ୍ତି । ନିଜେ ପରୀକ୍ଷା ଦେବେ ନା ସ୍କୁଲରେ ପିଲାଙ୍କ ପରୀକ୍ଷା ପରିଚାଳନା କରିବେ। ଯାହାର ଉତ୍ତର ପାଇପାରୁନାହାନ୍ତି ଶିକ୍ଷକ। ଓଲଟି ଗଣଶିକ୍ଷା ମନ୍ତ୍ରୀଙ୍କ କଡ଼ା ଆଭିମୁଖ୍ୟ, ଶିକ୍ଷକଙ୍କୁ ଅଧିକ ଚାପଗ୍ରସ୍ତ କରୁଛି।
୧୦ଟି ସ୍କୁଲରେ ଗୁଣାତ୍ମକ ଶିକ୍ଷା ପ୍ରଦାନ, ୧୦୦୦ରୁ ଅଧିକ ଛାତ୍ରଛାତ୍ରୀଙ୍କୁ ଲାଭ
ଭୁବନେଶ୍ୱର: ଭାରତର ସର୍ବବୃହତ ଆଲୁମିନିୟମ ଉତ୍ପାଦକ ବେଦାନ୍ତ ଆଲୁମିନିୟମ, ଝାରସୁଗୁଡା ଜିଲ୍ଲାର କୁରାଲୋଇ ଅଞ୍ଚଳର ୧୦ଟି ସରକାରୀ ସ୍କୁଲର ୧୦ଜଣ ଅତିରିକ୍ତ ଶିକ୍ଷକଙ୍କୁ ନିଯୁକ୍ତ କରି ପ୍ରୋଜେକ୍ଟ ବିଦ୍ୟା ମାଧ୍ୟମରେ ଗୁଣାତ୍ମକ ଶିକ୍ଷାକୁ ଆଗକୁ ବଢାଇବା ପାଇଁ ଏହାର ପ୍ରତିବଦ୍ଧତାକୁ ସୁଦୃଢ଼ କରିଛି। ଏହି ପଦକ୍ଷେପ ଛାତ୍ର-ଶିକ୍ଷକ ଅନୁପାତକୁ ଉନ୍ନତ କରିବା ସହ ଗଣିତ, ବିଜ୍ଞାନ ଏବଂ ଇଂରାଜୀ ଭଳି ପ୍ରମୁଖ ବିଷୟ ଗୁଡ଼ିକରେ ଶିକ୍ଷଣ ଫଳାଫଳକୁ ସୁଦୃଢ଼ କରିବ, ଯାହା ୧୦୦୦ରୁ ଅଧିକ ଛାତ୍ରଛାତ୍ରୀଙ୍କୁ ଲାଭ ପହଞ୍ଚାଇବ। ଖୈରକୁନି ହାଇସ୍କୁଲରେ ଅନୁଷ୍ଠିତ ଏକ ଆନୁଷ୍ଠାନିକ କାର୍ଯ୍ୟକ୍ରମରେ, ନୂତନ ଭାବରେ ନିଯୁକ୍ତ ଶିକ୍ଷକମାନଙ୍କୁ ନିଯୁକ୍ତି ପତ୍ର ପ୍ରଦାନ କରାଯାଇଥିଲା। ଏହି କାର୍ଯ୍ୟକ୍ରମରେ କୁରାଲୋଇର ସରପଞ୍ଚ ସନାତନ ନାଏକ, AJKA ପ୍ରତିନିଧି, ସମ୍ପ୍ରଦାୟ ନେତା, ହିତାଧିକାରୀ ସ୍କୁଲର ପ୍ରଧାନଶିକ୍ଷକ ଏବଂ ସ୍କୁଲ ପରିଚାଳନା କମିଟିର ସଦସ୍ୟମାନେ ଯୋଗ ଦେଇଥିଲେ।
ଏପ୍ରିଲ୍ ୨୦୨୫ରେ ଘୋଘରପାଲି ଏବଂ ଯାମକାନିର ୨୦ଟି ସ୍କୁଲରେ ୨୨ଜଣ ଅତିରିକ୍ତ ଶିକ୍ଷକଙ୍କୁ ନିଯୁକ୍ତି ଦେବା ପରେ ଏହି କାର୍ଯ୍ୟକ୍ରମ ଏବେ କୁରାଲୋଇ ଅଞ୍ଚଳର ଛାତ୍ରଛାତ୍ରୀଙ୍କ ପାଇଁ ଶିକ୍ଷା ସୁଯୋଗକୁ ଆହୁରି ବୃଦ୍ଧି କରିବା ପାଇଁ ବିସ୍ତାରିତ ହେଉଛି। ଏହି ପଦକ୍ଷେପ ପ୍ରାଥମିକ, ଉଚ୍ଚ ପ୍ରାଥମିକ, ଆଶ୍ରମ ଏବଂ ଉଚ୍ଚ ବିଦ୍ୟାଳୟ ସମେତ ପିପିମାଲ, କୁରାଲୋଇ ଏବଂ ବଞ୍ଜାରୀ ପଞ୍ଚାୟତର ସ୍କୁଲ ଗୁଡ଼ିକରେ ପହଂଚିବ। ଏହି ସମ୍ପ୍ରସାରଣ ସହିତ ବେଦାନ୍ତ, ଶିକ୍ଷାର ଭିତ୍ତିଭୂମିକୁ ସୁଦୃଢ଼ କରିବା ସହ ଝାରସୁଗୁଡାର ଅଧିକ ପିଲାଙ୍କୁ ଏକ ଉନ୍ନତ ଶିକ୍ଷାଗତ ସୁଯୋଗ ଦେବା ପାଇଁ ଲକ୍ଷ୍ୟ ରଖିଛି।
ବେଦାନ୍ତ ଆଲୁମିନିୟମର ସିଇଓ ରାଜୀବ କୁମାର କହିଛନ୍ତି, “ଶିକ୍ଷା ହେଉଛି ସାମାଜିକ ପ୍ରଗତି ପାଇଁ ମୂଳଦୁଆ, ଏବଂ ବେଦାନ୍ତରେ, ଆମେ ଏହାକୁ ଯଥା ସମ୍ଭବ ସମର୍ଥନ କରିବାକୁ ପ୍ରତିବଦ୍ଧ। ପ୍ରୋଜେକ୍ଟ ବିଦ୍ୟାମାଧ୍ୟମରେ, ଆମେ ଓଡ଼ିଶାର ଗ୍ରାମୀଣ ସ୍କୁଲଗୁଡ଼ିକରେ ଶିକ୍ଷାଦାନ କ୍ଷମତା ବୃଦ୍ଧି କରୁଛୁ ଯାହା ଦ୍ୱାରା ଛାତ୍ରଛାତ୍ରୀମାନେ ଗୁଣାତ୍ମକ ଶିକ୍ଷା ସୁଯୋଗ ପାଇପାରିବେ। ଆମେ ଆମର କାର୍ଯ୍ୟର ଚାରିପାଖରେ ଥିବା ସମ୍ପ୍ରଦାୟ ପାଇଁ ଏକ ଉଜ୍ଜ୍ୱଳ ଭବିଷ୍ୟତ ଗଠନ ପାଇଁ ଚେଷ୍ଟାରତ।”
କୁରାଲୋଇର ସରପଞ୍ଚ ସନାତନ ନାଏକ କହିଛନ୍ତି, “ପ୍ରୋଜେକ୍ଟ ବିଦ୍ୟା ଆମ ସ୍କୁଲଗୁଡ଼ିକ ପାଇଁ ଏକ ସ୍ୱାଗତଯୋଗ୍ୟ ପଦକ୍ଷେପ। ଅତିରିକ୍ତ ଶିକ୍ଷକ ନିଯୁକ୍ତି ହେବା ସହିତ, ଛାତ୍ରଛାତ୍ରୀମାନେ ଅଧିକ କେନ୍ଦ୍ରିତ ମାର୍ଗଦର୍ଶନ ପାଇବେ, ଯାହା ସେମାନଙ୍କୁ ମୁଖ୍ୟ ବିଷୟ ଗୁଡ଼ିକରେ ଏକ ଦୃଢ଼ ଭିତ୍ତିଭୂମି ଗଠନ କରିବାରେ ଏବଂ ଶିକ୍ଷାରେ ଅଧିକ ଆତ୍ମବିଶ୍ୱାସ ହାସଲ କରିବାରେ ସାହାଯ୍ୟ କରିବ। ବେଦାନ୍ତର ଏହି ପଦକ୍ଷେପ ଗୁରୁତ୍ୱପୂର୍ଣ୍ଣ ସମ୍ପ୍ରଦାୟ ଆବଶ୍ୟକତାକୁ ପୂରଣ କରିବ ଏବଂ ଆମ ଅଞ୍ଚଳରେ ଶିକ୍ଷାକୁ ଉନ୍ନତ କରିବାରେ ବହୁତ ସାହାଯ୍ୟ କରିବ।
ବେଦାନ୍ତ ଆଲୁମିନିୟମ ଶିକ୍ଷା, ସ୍ୱାସ୍ଥ୍ୟସେବା, ସ୍ଥାୟୀଜୀବିକା, ଗ୍ରାମୀଣ ଭିତ୍ତିଭୂମି ଏବଂ ତୃଣମୂଳକ୍ରୀଡା ଏବଂ ସଂସ୍କୃତିକୁ ନେଇ ସାମାଜିକ ପ୍ରଭାବ ପଦକ୍ଷେପ ମାଧ୍ୟମରେ ଓଡ଼ିଶାରେ ପରିବର୍ତ୍ତନ ଆଣିବା ପାଇଁ ପ୍ରତିବଦ୍ଧ । ସ୍ଥାନୀୟ କର୍ତ୍ତୃପକ୍ଷ ଏବଂ ସମ୍ପ୍ରଦାୟ ଅଂଶୀଦାର ମାନଙ୍କ ସହିତ ଘନିଷ୍ଠ ଭାବରେ ସହଯୋଗ କରି, କମ୍ପାନୀ ନିଶ୍ଚିତ କରେଯେ ଏହାର ହସ୍ତକ୍ଷେପ ଏହାର କାର୍ଯ୍ୟକ୍ଷେତ୍ରରେ ଦୃଢ ସାମାଜିକ-ଆର୍ଥିକ ପ୍ରଗତି ଆଡ଼କୁ ନେଇଯିବ।
ବେଦାନ୍ତ ଲିମିଟେଡର ଏକ ବ୍ୟବସାୟ, ବେଦାନ୍ତ ଆଲୁମିନିୟମ ହେଉଛି ଭାରତର ସର୍ବବୃହତ ଆଲୁମିନିୟମ ଉତ୍ପାଦକ, ଯାହା ଭାରତର ଅଧାରୁ ଅଧିକ ଆଲୁମିନିୟମ ଅର୍ଥାତ୍ ଆର୍ଥିକ ବର୍ଷ ୨୫ରେ ୨.୪୨ ନିୟୁତ ଟନ୍ ଉତ୍ପାଦନ କରେ। ଏହା ମୂଲ୍ୟଯୁକ୍ତ ଆଲୁମିନିୟମ ଉତ୍ପାଦରେ ଏକନେତା ଯାହା ମୂଳଶିଳ୍ପଗୁଡ଼ିକରେ ଗୁରୁତ୍ୱପୂର୍ଣ୍ଣ ପ୍ରୟୋଗ ପାଏ। ଆଲୁମିନିୟମ ଶିଳ୍ପ ପାଇଁ S&P ଗ୍ଲୋବାଲ କର୍ପୋରେଟ୍ସ ଷ୍ଟେନେବିଲିଟିଆସେସମେଣ୍ଟ 2024 ବିଶ୍ୱ ରାଙ୍କିଂରେ ବେଦାନ୍ତ ଆଲୁମିନିୟମ ଦ୍ୱିତୀୟ ସ୍ଥାନରେ ଅଛି, ଯାହା ଏହାର ଅଗ୍ରଣୀ ସ୍ଥାୟୀ ବିକାଶ ଅଭ୍ୟାସର ପ୍ରତିଫଳନ। ଭାରତରେ ଏହାର ବିଶ୍ୱସ୍ତରୀୟ ଆଲୁମିନିୟମ ସ୍ମେଲଟର, ଆଲୁମିନା ରିଫାଇନାରୀ ଏବଂ ପାୱାରପ୍ଲାଣ୍ଟ ସହିତ, କମ୍ପାନୀ ଏକ ସବୁଜ ଆସନ୍ତା କାଲି ପାଇଁ ‘ଭବିଷ୍ୟତର ଧାତୁ’ ଭାବରେ ଆଲୁମିନିୟମର ଉଦୀୟମାନ ପ୍ରୟୋଗଗୁଡ଼ିକୁ ପ୍ରୋତ୍ସାହିତ କରିବାର ଲକ୍ଷ୍ୟ ପୂରଣ କରୁଛି।

