spot_img
Home Blog Page 4613

କେନ୍ଦ୍ରୀୟ ଅବହେଳା: ବିଜେଡି ସହ ସ୍ବର ମିଳାଇଲା କଂଗ୍ରେସ

ଭୁବନେଶ୍ବର: କେନ୍ଦ୍ରର ଅବହେଳା ପ୍ରସଙ୍ଗରେ ବିଜେଡି ସହ ସ୍ବର ମିଳାଇଲା କଂଗ୍ରେସ । ଜିଏସଟି ବକେୟା ପ୍ରସଙ୍ଗରେ କେନ୍ଦ୍ର ଉପରେ ବର୍ଷିଲେ ବରିଷ୍ଠ କଂଗ୍ରେସ ନେତା ତଥା ପୂର୍ବତନ ଅର୍ଥମନ୍ତ୍ରୀ ପଞ୍ଚାନନ କାନୁନଗୋ । କହିଲେ- ଓଡ଼ିଶାକୁ ଶୋଷୁଛନ୍ତି କେନ୍ଦ୍ର ସରକାର ।

ସେ କହିଛନ୍ତି, ଏଠୁ ସେସ୍‌ ନେଲେ, କୋଇଲା ସେସ୍‌ ନେଲେ ଓ GST ବି ନେଉଛନ୍ତି । ହେଲେ ଦେଲା ବେଳକୁ କାହିଁକି ମାଗିବାକୁ ପଡୁଛି । ବହୁତ ଟଙ୍କା ବାକି ପଡ଼ିଛି । ଅଧିକ ସେସ୍‌ ବସାଇ ରାଜ୍ୟଙ୍କୁ ଧୋଇବାରେ ଲାଗିଛି କେନ୍ଦ୍ର । କେନ୍ଦ୍ର ସରକାରଙ୍କ କାରଖାନାକୁ ଓଡ଼ିଶାର ପାଣି ଓ ବିଦ୍ୟୁତ ବନ୍ଦ କଲେ ସେମାନେ ବାଟକୁ ଆସିବେ ବୋଲି ପଞ୍ଚାନନ ଚେତାବନୀ ଦେଇଛନ୍ତି ।

ଜାମ୍ମୁ-କାଶ୍ମୀରରେ ଭୂମିକମ୍ପ

ଶ୍ରୀନଗର: ଜାମ୍ମୁ-କାଶ୍ମୀରରେ ଜୋରଦାର ଭୂକମ୍ପ ଝଟ୍‌କା । ଦିଲ୍ଲୀ-ଏନସିଆର ଓ ହରିୟାଣାରେ ବି ଭୂକମ୍ପ ଅନୁଭୂତ ହୋଇଛି ।  ରିକ୍ଟର ସ୍କେଲରେ ଏହାର ତୀବ୍ରତା ୫.୭ ରେକର୍ଡ ହୋଇଛି । ଏହାର ଗଭୀରତା ୨୧୦ କିମି ରହିଥିଲା ।  ସକାଳ ୯ଟା ୪୬ ମିନଟରେ ହୋଇଥିବା ଏହି ଭୂମିକମ୍ପ ପ୍ରଭାବରେ ୨୦ ସେକେଣ୍ଡ ପର୍ଯ୍ୟନ୍ତ ଦୋହଲି ଯାଇଥିଲା ଏସବୁ ଅଞ୍ଚଳ ।

ଭୂମିକମ୍ପର ତୀବ୍ରତା ଅଧିକ ଥିବାରୁ ଘର ଭିତରର ଆସବାବପତ୍ର ସବୁ ଥରିବାକୁ ଲାଗିଥିଲା । ଲୋକମାନେ ଆତଙ୍କିତ ଅବସ୍ଥାରେ ଘର ବାହାରକୁ ଚାଲିଆସିଥିଲେ । ଆଫଗାନିସ୍ତାନ-ତାଜକିସ୍ତାନ ସୀମାରେ ଭୂକମ୍ପର କେନ୍ଦ୍ରବିନ୍ଦୁ ସୃଷ୍ଟି ହୋଇଥିବା ନ୍ୟାସନାଲ ଇନଷ୍ଟିଚ୍ୟୁଟ ଅଫ ସେସମୋଲୋଜୀ ପକ୍ଷରୁ ସୂଚନା ଦିଆଯାଇଛି ।

ବେଙ୍ଗାଲୁରୁରୁ ଠକେଇ ଭୁବନେଶ୍ବରରୁ ଗିରଫ

ଭୁବନେଶ୍ବର: ଭୁବନେଶ୍ବରରେ ବେଙ୍ଗାଳୁରୁ ପୋଲିସର ସ୍ବତନ୍ତ୍ର ଟିମ୍ । ଚନ୍ଦ୍ରଶେଖରପୁର ଥାନା ସହାୟତାରେ ୩ ଜଣଙ୍କୁ କଲା ଗିରଫ । ୨୦ ଲକ୍ଷ ଟଙ୍କା ଠକେଇ ଅଭିଯୋଗରେ ୩ ଠକ ଗିରଫ । ଗିରଫଙ୍କ ମଧ୍ୟରେ ଦୁଇ ଜଣ ଓଡ଼ିଆ ହୋଇଥିବା ବେଳେ ଜଣେ ପୁଣର । ଆଇବିଏମ ସଫ୍ଟଓ୍ବେର କମ୍ପାନୀରେ ଚାକିରି କରାଇ ଦେବାକୁ କହି ଠକେଇ କରିଥିଲେ ।

ବେଙ୍ଗାଳୁରୁରେ ଠକେଇ ଅଭିଯୋଗ ପରେ ଅଭିଯୁକ୍ତମାନେ ଓଡ଼ିଶା ପଳାଇ ଆସିଥିଲେ । ବେଙ୍ଗାଳୁରୁ ପୋଲିସ ପାଇଁ ୨୦୧୮ ମସିହାରୁ ଏମାନେ ମୋଷ୍ଟ ୱାଣ୍ଟେଡ ଥିଲେ । ଅଧିକ ତଦନ୍ତ ପାଇଁ ୩ ଅଭିଯୁକ୍ତଙ୍କୁ ଟ୍ରାଞ୍ଜିଟ ରିମାଣ୍ଡରେ ନେବ ବାଙ୍ଗାଲୁରୁ ପୋଲିସ ।

କେନ୍ଦ୍ର ଦୟା କରୁନି, ଭାଗ ପାଇବା ଆମ ଅଧିକାର: ସୁବାସ ସିଂ

ଭୁବନେଶ୍ବର: ଆବାସ ଯୋଜନା, ଉଷୁନା ଚାଉଳ କିଣା, ଜିଏସଟିକୁ ନେଇ କେନ୍ଦ୍ରୀୟ ଅବହେଳାକୁ ବିଜେଡିର ଦୃଢ ବିରୋଧ । କେନ୍ଦ୍ର ଶାସିତ ବିଜେପି ସରକାର ବିରୋଧରେ ବିଜେଡିର ଯୁଦ୍ଧଂ ଦେହି ଡାକରା । ବିଜେଡି ସାଂସଦ ସୁବାସ ସିଂ ଆଣିଲେ କେନ୍ଦ୍ର ସରକାରଙ୍କ ବିରୋଧରେ ଗୁରୁତର ଅଭିଯୋଗ । କହିଲେ- କେନ୍ଦ୍ରର ଏମିତି ପାତରଅନ୍ତର ନୀତି ପୂର୍ବରୁ କେବେ ଦେଖିନି ।

ସୁବାସ କହିଛନ୍ତି, ‘କେନ୍ଦ୍ର ସରକାରଙ୍କୁ ପ୍ରଧାନମନ୍ତ୍ରୀ ଆବାସ ଯୋଜନା ନେଇ ମୁଖ୍ୟମନ୍ତ୍ରୀ ଦୁଇ ଥର ଚିଠି ଲେଖିଛନ୍ତି । ବିଜେଡି ସାଂସଦ ମଧ୍ୟ ଏହି ପ୍ରସଙ୍ଗ ସଂସଦରେ ଉପସ୍ଥାପନ କରିଛନ୍ତି । କର୍ଣ୍ଣାଟକରେ ଆଗକୁ ନିର୍ବାଚନ ଅଛି । ସେଠି ଏବେ ବିଜେପି ସରକାର ଅଛି । କେବଳ ରାଜନୈତିକ ଆଭିମୁଖ୍ୟ ରଖି ଆର୍ଥିକ ସ୍ଥିତିରେ ବଳିଷ୍ଠ ରାଜ୍ୟ କର୍ଣ୍ଣାଟକ ପାଇଁ ଉଇଣ୍ଡୋ ଖୋଲି ଦେଲେ । ହେଲେ ଆମ ପ୍ରତି ଅବିଚାର କରାଯାଉଛି । ଏପରି ପାତରଅନ୍ତର ଆମେ ଅତୀତରେ କେବେ ଦେଖିନୁ । ଏହା ସଂଘୀୟ ବ୍ୟବସ୍ଥା ପାଇଁ ବଡ଼ ବିପଦ ସୃଷ୍ଟି କରୁଛି ।’

ସେ ଆହୁରି କହିଛନ୍ତି, ‘ଫନି ବାତ୍ୟା ପରେ ପ୍ରଧାନମନ୍ତ୍ରୀ ଆସି ପ୍ରତିଶ୍ରୁତି ଦେଇଥିଲେ । ହେଲେ ଏଯାଏଁ ପାଖାପାଖି 2 ଲକ୍ଷ ଲୋକ ଘର ପାଇ ନାହାନ୍ତି । ସେହିପରି କେବିକେ ଜିଲ୍ଲାର 6 ଲକ୍ଷ ଲୋକ ଘର ପାଇଁ ଅପେକ୍ଷା କରି ରହିଛନ୍ତି ।’

କେନ୍ଦ୍ର ସରକାର ରାଜ୍ୟର ବଳକା ଉଷୁନା ଚାଉନ ନେଉ ନଥିବାକୁ ନେଇ ମଧ୍ୟ ଟାର୍ଗେଟ କରିଛନ୍ତି ସୁବାସ । ସେ କହିଛନ୍ତି, ‘ଆମେ ଉଷୁନା ଚାଉଳ ଉତ୍ପାଦନରେ ବଳକା ରାଜ୍ୟ । କେନ୍ଦ୍ର ଯଦି ଚାଉଳ ନନେବ ଆମେ କ’ଣ ଏହାକୁ ବଙ୍ଗୋପସାଗରରେ ଫିଙ୍ଗି ଦେବୁ । ରାଜ୍ୟରେ 19ରୁ 20 ଲକ୍ଷ ମେଟ୍ରିକ ଟନ ଚାଉଳ ବଳକା ଅଛି । ହେଲେ କେନ୍ଦ୍ର 5ରୁ 6 ଲକ୍ଷ ମେଟ୍ରିକ ଟନ ନେବ ବୋଲି କହୁଛି ।’

ସେ କହିଛନ୍ତି, ‘କରୋନା ସମୟରେ ବି GST ଓ ରାଜସ୍ୱ ସଂଗ୍ରହରେ ଓଡ଼ିଶା ଆଗରେ ରହିଛି । ହେଲେ କେନ୍ଦ୍ର 1623 କୋଟି ଜିଏସଟି ନଦେଇ ପକାଇ ରଖିଛି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସଫଳତା ସହ କୋଭିଡ ପରିଚାଳନା କରୁଛନ୍ତି । ଓଡ଼ିଶା ପ୍ରାକୃତିକ ବିପର୍ଯ୍ୟୟ ରାଜ୍ୟ । ଆମେ ରାଜସ୍ୱ ଦେଉଛୁ । ଭାଗ ପାଇବା ଆମ ଅଧିକାର । କେନ୍ଦ୍ର ସରକାର ଦାନ କରୁ ନାହାନ୍ତି । ଆଦିବାସୀ ଶିକ୍ଷାରେ କେନ୍ଦ୍ର ଅନୁଦାନ କମୁଛି । ତେଣୁ ବିଜେଡି ପକ୍ଷରୁ ସଂସଦରେ ସ୍ବର ଶାଣିତ କରାଯାଉଛି ।’

ପଞ୍ଚାୟତ ଓ ପୌର ନିର୍ବାଚନକୁ ନେଇ ମଧ୍ୟ ମତ ରଖିଛନ୍ତି ସାଂସଦ । ସେ କହିଛନ୍ତି, ‘ବିଜେଡି ପାଇଁ ନିର୍ବାଚନ ଏକ ଗଣତାନ୍ତ୍ରିକ ପ୍ରକ୍ରିୟା । ପଞ୍ଚାୟତ ନିର୍ବାଚନ ପରେ ପୌର ନିର୍ବାଚନ ଆସିବ । ଆମ ଦଳ ତୃଣମୂଳ ସ୍ତରରେ ଲୋକଙ୍କ ସହିତ ଅଛି । ନେତାଙ୍କୁ ଜିଲ୍ଲା ଦାୟିତ୍ୱ ବଣ୍ଟନ କରାଯାଇଛି । ଏକ ହୋଇ ଆମେ କାମ କରୁଛୁ । ସାଙ୍ଗଠନିକ ଦୃଷ୍ଟିରେ ବିଜେଡି ବୁଥ ଓ ଲୋକଙ୍କ ସହ ଅଛି । ବିଜେପିର ସ୍ଥିତି କ’ଣ ପଂଚାୟତ ନିର୍ବାଚନ ପରେ ଜଣାପଡ଼ିବ । ଏ ନିର୍ବାଚନ ସେହିମାନଙ୍କ ବିରୋଧରେ ଜନମତର ନୂଆ ରୂପରେଖ ତିଆରି କରିବ, ଯେଉଁମାନେ ଭୁଲ ତଥ୍ୟ ଦେଇ ଓଡ଼ିଶାବାସୀଙ୍କୁ ଭ୍ରମିତ କରୁଛନ୍ତି । ଏହାର ପ୍ରତିଫଳନ ନିର୍ବାଚନରେ ହେବ ।’

କୋଚ୍ କୁମ୍ବଲେଙ୍କୁ କାହିଁକି ବିରୋଧ କରୁଥିଲେ ବିରାଟ ?

ମୁମ୍ବାଇ: ଭାରତୀୟ କ୍ରିକେଟ ଟିମର ତତ୍କାଳୀନ କୋଚ୍ ଅନିଲ କୁମ୍ବଲେ ଏବଂ ଅଧିନାୟକ ବିରାଟ କୋହଲିଙ୍କ ବିବାଦ କଥା କାହାକୁ ଅଛପା ନାହିଁ । ଉଭୟଙ୍କ ବିବାଦରେ ବଳି ପଡିଥିଲା କୁମ୍ବଲେଙ୍କ କୋଚ ପଦ । ସେ ସମୟରେ କ୍ରିକେଟ୍ ଦୁନିଆରେ ସବୁଠାରୁ ଚର୍ଚ୍ଚିତ ବିଷୟ ଥିବା ଏହି ବାଦ ଉପରରୁ ଉଠିଛି ପରଦା । ଟିମ୍ ଇଣ୍ଡିଆର ପୂର୍ବତନ ମ୍ୟାନେଜର ଏବଂ ବିସିସିଆଇରେ ଦୀର୍ଘଦିନ କାମ କରିଥିବା ରତ୍ନାକର ସେଟ୍ଟୀ ଏହି ବିବାଦ ଉପରୁ ପରଦା ଉଠାଇଛନ୍ତି ।

୨୦୧୭ରେ ପାକିସ୍ତାନଠାରୁ ଚାମ୍ପିୟନ୍ସ ଟ୍ରଫି ଫାଇନାଲରେ ଭାରତ ହାରିବା ପରେ ଏହି ବିବାଦ ଉଗ୍ର ରୂପ ନେଇଥିଲା ଓ କୁମ୍ବଲେଙ୍କୁ କୋଚ୍ ପଦରୁ ଇସ୍ତଫା ଦେବାକୁ ପଡ଼ିଥିଲା ।

ରତ୍ନାକର କହିଛନ୍ତି, ବିରାଟ ଓ କୁମ୍ବଲେଙ୍କ ମଧ୍ୟରେ ବିବାଦ ଦୀର୍ଘଦିନରୁ ଲାଗି ରହିଥିଲା । କୋହଲିଙ୍କୁ ଲାଗୁଥିଲା କୁମ୍ବଲେ ଖେଳାଳିଙ୍କୁ ଉଚିତ ସପୋର୍ଟ କରୁନାହାନ୍ତି । ତାଙ୍କ ବ୍ୟବହାର ଡ୍ରେସିଂ ରୁମରେ ଅଶାନ୍ତି ସୃଷ୍ଟି କରୁଥିଲା । ଏହି କାରଣରୁ ୨୦୧୭ ଚାମ୍ପିୟନ୍ସ ଟ୍ରଫି ପରେ କୁମ୍ବଲେଙ୍କୁ କୋଚ୍ ପଦରୁ ଇସ୍ତଫା ଦେବାକୁ ପଡିଥିଲା । ସୂଚନାଯୋଗ୍ୟ, କୁମ୍ବଲେ ମାତ୍ର ଗୋଟିଏ ବର୍ଷ ପାଇଁ ଭାରତୀୟ ଟିମର କୋଚ୍ ରହିଥିଲେ ।

ଉଭୟଙ୍କ ବିବାଦକୁ ନେଇ ରତ୍ନାକର ଆଗକୁ କହିଛନ୍ତି, ‘କୋଚ୍ ଭାବେ କୁମ୍ବଲେଙ୍କୁ ବହୁତ ଲୋକ ପସନ୍ଦ କରୁନଥିଲେ । ସେ କୋଚ୍ ପଦରୁ ହଟି ଯାଆନ୍ତୁ ବୋଲି ବହୁତ ଲୋକ ଚାହୁଁଥିଲେ ।’ ବିବାଦକୁ ନେଇ ସେ ଆଗକୁ କହିଛନ୍ତି, ‘୨୦୧୭ IPL ସମୟରେ ବିରେନ୍ଦ୍ର ସେହଓ୍ବାଗ ଏବଂ ସଚିନ ତେନ୍ଦୁଲକରଙ୍କ ସହ ତାଙ୍କର ଦେଖା ହୋଇଥିଲା । ସେତେବେଳେ ବୀରୁ କହିଥିଲେ, ଡ. ଶ୍ରୀଧର ତାଙ୍କୁ କୋଚ୍ ପଦ ପାଇଁ ଆବେଦନ କରିବାକୁ କହିଥିଲେ ।’ ଏହାପରେ ସେ ହାଇଦ୍ରାବାଦରେ ଅନିଲ କୁମ୍ବଲେ ଓ ବିରୋଟ କୋହଲିଙ୍କ ସହ ସେ ସିଓଏ ମିଟିଂରେ ଏକାଠି ଥିଲେ ।

ଏହି ମିଟିଂରେ କୁମ୍ବଲେ ସାମିଲ ହୋଇଥିବା ବେଳେ କୋହଲି ଅନଲାଇନରେ ଯୋଗ ଦେିଥିଲେ । କୋଚ ପଦ ପାଇଁ କି ପଦକ୍ଷେପ ନିଆଯାଇଛି ବୋଲି ମିଟିଂରେ ବିନୋଦ ରାୟ ପ୍ରଶ୍ନ କରିତିଲେ । ଏହି ପ୍ରକ୍ରିୟା ଶୀଘ୍ର ପୁଣି ଆରମ୍ଭ ହେବା ଦରକାର । ଏପରିକି କିଛି ଲୋକ କୁମ୍ବଲେଙ୍କୁ ପସନ୍ଦ କରୁ ନଥିବା ସେ ଭାବୁଛନ୍ତି ବୋଲି କହିଥିଲେ । ବିନୋଦଙ୍କ ଏମିତି କଥା ତାଙ୍କୁ ଓ କୋଚ୍ କୁମ୍ବଲେଙ୍କୁ ଆଶ୍ଚର୍ଯ୍ୟ କରିଥିଲା ।

ଏସବୁ ବିଷୟରେ ରତ୍ନାକର ସେଟ୍ଟୀ ତାଙ୍କ ବହି ‘’On Board: Test, Trial, Triumph’ରେ ଉଲ୍ଲେଖ କରିଛନ୍ତି । ଏଥିରେ ସେ ଆହୁରି ଲେଖିଛନ୍ତି, ‘ପାକିସ୍ତାନ ବିପକ୍ଷ ଫାଇନାଲ ପୂର୍ବରୁ ବିରୋଟ କୋହଲି, ଅନିଲ ଜୋହର, ଅମିତାଭ ଚୌଧଉରୀ ଏବଂ ଡା ଶ୍ରୀଧରଙ୍କ ମଧ୍ୟରେ ଏକ ବୈଠକ ହୋଇଥିଲା । ଚାମ୍ପିୟନ୍ସ ଟ୍ରଫି ଫାଇନାଲରେ ଭାରତ ହାରିବା ପରେ କୁମ୍ବଲେ ତୁରନ୍ତ ଇସ୍ତଫା ଦେଇ ଦେଇଥିଲେ । ଏହା ପୂର୍ବରୁ ଭାରତୀୟ ଟିମ୍ ଚୟନକୁ ନେଇ ଉଭୟଙ୍କ ମଧ୍ୟରେ ବିବାଦ ଥିବା କୁହାଯାଇଥିଲା ।’

ଆଜି ରଥ ଯାତ୍ରାର ପ୍ରଥମ ପର୍ବ, ରଥଖଳାରେ ପୂଜା ହେବ ରଥ କାଠ

ପୁରୀ: ଆଜି ଆରମ୍ଭ ହେବ ବିଶ୍ୱ ପ୍ରସିଦ୍ଧ ରଥ ଯାତ୍ରାର ପ୍ରଥମ ପର୍ବ ଶ୍ରୀ ପଞ୍ଚମୀ ଅବସରରେ ସନ୍ଧ୍ୟାରେ ଅନୁଷ୍ଠିତ ହେବ ରଥକାଠ ପୂଜା ନୀତି ଏଥିସହିତ ମହାପ୍ରଭୁଙ୍କ ବିଶ୍ବପ୍ରସିଦ୍ଧ ରଥ ଯାତ୍ରା ପ୍ରସ୍ତୁତିର ପ୍ରଥମ ପର୍ବ ଆରମ୍ଭ ହେବ ପରମ୍ପରା ଅନୁସାରେ ରଥନିର୍ମାଣ ପାଇଁ ଆସିଥିବା କାଠ ରଥଖଳାରେ ପୂଜା କରାଯିବ ରାଜପୁରୋହିତ, ସ୍ୱତ୍ରୀୟ ବ୍ରାହ୍ମଣଙ୍କ ଦ୍ୱାରା ତିନିଖଣ୍ଡ ୧୨ ଫୁଟିଆ ଧଉରା କାଠ ଉପରେ ପଞ୍ଚାମୃତ ସିଞ୍ଚନ କରି ପୂଜାର୍ଚ୍ଚନା କରାଯିବ ଏନେଇ ରଥ ଖଳାକୁ ପରିସ୍କାର କରାଯିବା ସହ ତିନିରଥର ତିନୋଟି ଧଉରା କାଠକୁ ରଖାଯାଇଛି ରଥ ନିର୍ମାଣ ପାଇଁ ମୋଟ ୮୬୫ ଖଣ୍ଡ କାଠର ଆବଶ୍ୟକତା ଥିବା ବେଳେ ଗତ ତାରିଖରେ ୬୩ ଖଣ୍ଡ କାଠ ଆସି ସାରିଛି ଅକ୍ଷୟ ତୃତୀୟାରେ ରଥଖଳାରେ ରଥ ନିର୍ମାଣ ଅନୁକୁଳ କରାଯିବ ରାମନବମୀ ତିଥିରେ ରଥ କାଠ ଚିରଟ ପ୍ରକ୍ରିୟା ଆରମ୍ଭ କରାଯିବାର ବିଧି ରହିଛି

ଦେଶରେ କମୁଛି ସଂକ୍ରମଣ, ବଢ଼ୁଛି ମୃତ୍ୟୁ, ୨୪ ଘଣ୍ଟାରେ ୧ ହଜାର ୦୫୯ ଆକ୍ରାନ୍ତଙ୍କ ଜୀବନ ନେଲା କରୋନା

ନୂଆଦିଲ୍ଲୀ: ଦେଶରେ ହ୍ରାସ ପାଉଛି କରୋନା ସଂକ୍ରମଣ । ଦୁଇ ଲକ୍ଷ ତଳେ ରହିଛି ଦୈନିକ ସଂକ୍ରମଣ । ଦେଶରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ହ୍ରାସ ପାଉଛି କିନ୍ତୁ ମୃତ୍ୟୁ ସଂଖ୍ୟାରେ ଲାଗୁନି ବ୍ରେକ୍ । ୨୪ ଘଣ୍ଟାରେ ଦେଶରେ ୧ ଲକ୍ଷ ୨୭ ହଜାର ୯୫୨ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ସେହିପରି ୨୪ ଘଣ୍ଟାରେ ୧ହଜାର ୦୫୯ ଜଣଙ୍କ ଜୀବନ ନେଇଛି କିଲର ଭାଇରସ୍ । ଦେଶରେ ବର୍ତ୍ତମାନ ଦୈନିକ ପଜିଟିଭ ରେଟ୍ ୭.୯୮ ପ୍ରତିଶତ ରହିଛି । ସେହିପରି ଭାବରେ ୨୪ ଘଣ୍ଟାରେ ଦେଶରେ ୨ ଲକ୍ଷ ୩୦ ହଜାର ୮୧୪ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି ।

ଦେଶରେ ଶୁକ୍ରବାର ୧ ଲକ୍ଷ ୪୯ ହଜାର ୩୯୪ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିଲେ । କିନ୍ତୁ ଆଜି ଏହି ସଂଖ୍ୟାରେ ହ୍ରାସ ପାଇଛି । ୨୪ ଘଣ୍ଟାରେ ଦେଶରେ ୧ ଲକ୍ଷ ୨୭ ହଜାର ୯୫୨ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଆକ୍ଟିଭ୍ କେସ୍ କଥା ଯଦି କହିବା ତାହାଲେ ବର୍ତ୍ତମାନ ଭାରତରେ ଆକ୍ଟିଭ୍ କେସ୍ ସଂଖ୍ୟା ୧୩ ଲକ୍ଷ ୩୧ ହଜାର ୬୪୮ ରହିଛି ।

 

 

ଟାଟା ଓ ହୁଣ୍ଡାଇକୁ ଟକ୍କର ଦେବାକୁ ଆସୁଛି ମହିନ୍ଦ୍ରା ଇଲେକ୍ଟ୍ରି କାର୍

ନୂଆଦିଲ୍ଲୀ: ଟାଟା ନେକ୍ସନ ଓ ହୁଣ୍ଡାଇ କୋନକୁ ଟକ୍କର ଦେବ ମହିନ୍ଦ୍ରାର ଇଲେକ୍ଟ୍ରି କାର୍ । ଆନନ୍ଦ ମହିନ୍ଦ୍ରାଙ୍କ କମ୍ପାନୀ ମହିନ୍ଦ୍ରା ଆଣ୍ଡ ମହିନ୍ଦ୍ରା ଶୀଘ୍ର ନିଜ ନୂଆ ଇଲେକ୍ଟ୍ରି କାର୍ ଭାରତୀୟ ବଜାରରେ ଲଞ୍ଚ ହେବାକୁ ଯାଉଛି । ଏହାର କିଛି ସ୍ପାଇ ଫଟୋ ଦେଖିବାକୁ ମିଳିଛି । ଭାରତୀୟ ବଜାରରେ Tata Nexon EV ସହ MG ZS EV ଓ Hyundai Kona EVକୁ ଟକ୍କର ଦେବ ଏହି କାର୍ ।

ନାଁ ହୋଇପାରେ XUV400

ଗତ ଅଟୋ ଏକ୍ସପୋରେ ମହିନ୍ଦ୍ରା କନସେପ୍ଟ ଇଲେକ୍ଟ୍ରି କାର୍ eXUV300sକୁ ଶୋକେସ୍ କରିଥିଲା । ଅନୁମାନ କରାଯାଉଛି କମ୍ପାନୀ ଏହାକୁ XUV400 ନାଁରେ ଲଞ୍ଚ କରିପାରେ । ଏହା ସମ୍ପୂର୍ଣ୍ଣ ଇଲେକ୍ଟ୍ରି କାର । ନିକଟରେ ଏହାର ରୋଡ ଟେଷ୍ଠିଂ ବେଳେ ଫଟୋ ସିଟ୍ କରାଯାଇଛି । କମ୍ପାନୀର ଏହି ଇଲେକ୍ଟ୍ରି କାର XUV300 ବେସରେ ହୋଇପାରେ ।

ଶୀଘ୍ର ହେବ XUV400 ଲଞ୍ଚ

କମ୍ପାନୀ ପକ୍ଷରୁ ଏହି ଗାଡିକୁ ୨୦୨୧-୨୨ରେ ଲଞ୍ଚ କରାଯିବାର ଥିଲା । ହେଲେ ସେମିକଣ୍ଡକ୍ଟ ସମସ୍ୟାରୁ ଏହା ଲଞ୍ଚ ହେବାରେ ବିଳମ୍ବ ହେଉଛି । ଭାରତୀୟ ବଜାରରେ ୨୦୨୩-୨୪ରେ ଏହାକୁ ଲଞ୍ଚ କରାଯାଇପାରେ ।

ଆଗକୁ ରହିବ ଚାର୍ଜିଂ ସକେଟ୍

କାରର ଫଟୋରୁ ଜଣାପଡୁଛି ଏହାର ଚାର୍ଜିଂ ସକେଟ ଆଗକୁ ରହିବ । eXUV300 concept କାରରେ କମ୍ପାନୀ 350V ଓ 380Vର ବ୍ୟାଟେରୀ ଅପସନ ରହିଛି । ଆଶା କରାଯାଉଛି ଏହି କାରରେ LG ଦ୍ବାରା ବିଶେଷ କରି ଭାରତ ପାଇଁ ନିର୍ମିତ ବ୍ୟାଟେରୀ ବ୍ୟବହାର କରାଯାଇପାରେ ।

ସୂଚନାଯୋଗ୍ୟ, ଭାରତରେ ପ୍ରଥମ ଇଲେକ୍ଟ୍ରି କାର ମହିନ୍ଦ୍ରା ଆଣିଥିଲା । ହେଲେ ଏହା ଭାରତୀୟ ବଜାରରେ ସେତେଟା କମାଲ ଦେଖାଇ ପାରିନଥିଲା । ଏବେ ଏହି କ୍ଷେତ୍ରରେ ଟାଟା ମୋଟର୍ସର ଦବଦବା ରହିଛି ।

ରାଜ୍ୟରେ କମୁଛି କରୋନା ସଂକ୍ରମଣ, ୨୪ ଘଣ୍ଟାରେ ୨ ହଜାର ୬୦୩ ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ୱର: ରାଜ୍ୟରେ ହ୍ରାସ ପାଉଛି କରୋନା ସଂକ୍ରମଣ । ୨୪ ଘଣ୍ଟାରେ ରାଜ୍ୟରେ ୨ ହଜାର ୬୦୩ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ୨୪ ଘଣ୍ଟାରେ ଚିହ୍ନଟ ହୋଇଥିବା ଆକ୍ରାନ୍ତ ମଧ୍ୟରୁ କ୍ୱାରେଣ୍ଟାଇନରୁ ୧ ହଜାର ୫୨୧ ଆକ୍ରାନ୍ତ ଚିହ୍ନଟ ହୋଇଥିବାବେଳେ ୧ ହଜାର ୦୮୨ ଲୋକାଲ କେସ୍ ଚିହ୍ନଟ ହୋଇଛନ୍ତି । ସେହିପରି ୦ ରୁ ୧୮ ବର୍ଷ ମଧ୍ୟରେ ରାଜ୍ୟରେ ୩୪୯ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଯଦି ସୁସ୍ଥ କଥା କହିବା ତାହାଲେ ରାଜ୍ୟରେ ୨୪ ଘଣ୍ଟାରେ ୬ ହଜାର ୧୦୯ ଜଣ ଆକ୍ରାନ୍ତ କରୋନାରୁ ସୁସ୍ଥ ହୋଇଛନ୍ତି ।

୨୪ ଘଣ୍ଟାରେ ଚିହ୍ନଟ ହୋଇଥିବା ଆକ୍ରାନ୍ତଙ୍କ ମଧ୍ୟରୁ ଖୋର୍ଦ୍ଧାରୁ ସର୍ବାଧିକ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଖୋର୍ଦ୍ଧାରୁ ୪୪୪ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସେହିପରି ଅନୁଗୁଳରୁ ୧୦୨, ବାଲେଶ୍ୱରରୁ ୪୮, ବରଗଡ଼ରୁ ୫୧, ଭଦ୍ରକରୁ ୩୭, ବଲାଙ୍ଗୀରରୁ ୬୦, ବୌଦ୍ଧରୁ ୩୭, କଟକରୁ ୨୦୫, ଦେଓଗଡ଼ରୁ ୨୧, ଢେଙ୍କାନାଳରୁ ୬୪, ଗଜପତିରୁ ୬୪, ଗଞ୍ଜାମରୁ ୮୫, ଜଗତସିଂହପୁରରୁ ୬୦, ଯାଜପୁରରୁ ୧୩୩, ଝାରସୁଗୁଡ଼ାରୁ ୫୭, କଳାହାଣ୍ଡିରୁ ୬୦, କନ୍ଧମାଳରୁ ୨୬, କେନ୍ଦ୍ରାପଡ଼ାରୁ ୬୩, କେନ୍ଦୁଝରରୁ ୪୩, କୋରାପୁଟରୁ ୯୪, ମାଲକାନଗିରିରୁ ୧୯, ମୟୁରଭଞ୍ଜରୁ ୧୦୪, ନବରଙ୍ଗପୁରରୁ ୬୨, ନୟାଗଡ଼ରୁ ୬୭, ନୂଆପଡ଼ାରୁ ୮୭, ପୁରୀରୁ ୪୧, ରାୟଗଡ଼ାରୁ ୬୧, ସମ୍ବଲପୁରରୁ ୮୮, ସୋନପୁରରୁ ୧୬, ସୁନ୍ଦରଗଡ଼ରୁ ୨୦୪ ଓ ଷ୍ଟେଟ ପୁଲରୁ ୧୦୦ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।

 

ଖୁବଶୀଘ୍ର ଆସିବ ସିଙ୍ଗଲ ଡୋଜ୍ ଭ୍ୟାକ୍ସିନ, ଜରୁରୀକାଳୀନ ବ୍ୟବହାର ପାଇଁ ଅନୁମତି ଦେଲା DCGI

ନୂଆଦିଲ୍ଲୀ: ଖୁବଶୀଘ୍ର ଆସିବ ସିଙ୍ଗଲ ଡୋଜ କୋଭିଡ ଭ୍ୟାକ୍ସିନ ସ୍ପୁଟନିକ୍ ଲାଇଟ୍ । ଏହାର ଜରୁରୀକାଳୀନ ବ୍ୟବହାର ଲାଗି ସୁପାରିସ କରିଛି ବିଶେଷଜ୍ଞ ପ୍ୟାନେଲ । ଭାରତର ଔଷଧ ମହାନିୟନ୍ତ୍ରକ ବା ଡିସିଜିଆଇ ଗ୍ରୀନ ସିଗନାଲ ଦେବା ପରେ ଦେଶରେ ଆରମ୍ଭ ହେବ ସିଙ୍ଗଲଡୋଜ ଭ୍ୟାକ୍ସିନ ପ୍ରକ୍ରିୟା । ତେବେ ବିଭିନ୍ନ ନିୟାମକ ବ୍ୟବସ୍ଥା ମଧ୍ୟରେ ଏହି ଟିକା ଦିଆଯିବ ବୋଲି କହିଛନ୍ତି ବିଶେଷଜ୍ଞ ପ୍ୟାନେଲ । ବିଶ୍ୱକୁ ଆସିଥିବା ସ୍ପୁଟନିକ-ଭି ପରି ସ୍ପୁଟନିକ ଲାଇଟ ମଧ୍ୟ ମହାମାରୀ ବିରୋଧରେ ଶକ୍ତିଶାଳୀ ବୋଲି ବିଶେଷଜ୍ଞ କହିଛନ୍ତି ।

ଗତ ଜାନୁଆରୀ ୩୧ରେ ବସିଥିବା ବିଶେଷଜ୍ଞ କମିଟି ବୈଠକରେ ଡକ୍ଟର ରେଡିସ୍ ଲାବରେଟୋରି ପକ୍ଷରୁ ସ୍ପୁଟନିକ ଲାଇଟର ଆମଦାନି ପାଇଁ ପ୍ରସ୍ତାବ ଦାଖଲ କରାଯାଇଥିଲା । ଏହାର ଜରୁରୀକାଳୀନ ବ୍ୟବହାର ତଥା ବୁଷ୍ଟର ଡୋଜ ଟିକାକରଣ ପାଇଁ ଡକ୍ଟର ରେଡିସ ପକ୍ଷରୁ ଆବେଦନ କରାଯାଇଥିଲା । ସ୍ପୁଟନିକ-ଲାଇଟର କାର୍ଯ୍ୟକ୍ଷମତା, ଏହାର ନିରାପତ୍ତା ଆଦି ସମ୍ପର୍କରେ ରିପୋର୍ଟ ଉପସ୍ଥାପିତ କରାଯାଇଥିଲା । ଓମିକ୍ରନ ବିରୋଧରେ ଏହି ଟିକା ଫଳପ୍ରଦ ବୋଲି ମଧ୍ୟ କୁହାଯାଇଥିଲା । ସ୍ପୁଟନିକ ଲାଇଟ ବର୍ତ୍ତମାନ ଋଷ, ଆର୍ଜେଣ୍ଟିନା ସମେତ ୨୯ରୁ ଅଧିକ ରାଷ୍ଟ୍ରରେ ବ୍ୟବହୃତ ହେଉଛି ।

ନିଜ ରିପୋର୍ଟରେ ବିଶେଷଜ୍ଞ ପ୍ୟାନେଲ ଦର୍ଶାଇଥିଲା ଯେ, ଡକ୍ଟର ରେଡିସ ପକ୍ଷରୁ ସ୍ପୁଟନିକ ଲାଇଟକୁ ନେଇ ଭାରତରେ ସଫଳ ପରୀକ୍ଷଣ କରାଯାଇଛି ଏବଂ ଏହାର ନିରାପତ୍ତା ଓ ପ୍ରତିରୋଧ କ୍ଷମତା ସଠିକ୍ ପ୍ରମାଣିତ ହୋଇଛି । ବିଭିନ୍ନ ଦିଗକୁ ବିଚାର କରି ସ୍ପୁଟନିକ ଲାଇଟର ବ୍ୟବହାର ଲାଗି ଅନୁମତି ଦେବାକୁ ଡିସିଜିଆଇଙ୍କ ନିକଟରେ ସୁପାରିସ କରିଛି ପ୍ୟାନେଲ । ସ୍ପୁଟନିକ ଲାଇଟକୁ ଅନୁମତି ମିଳିଲେ ୧୮ ବର୍ଷ ବୟସରୁ ଉର୍ଦ୍ଧ୍ୱ ଲୋକଙ୍କୁ ଏହା ଦିଆଯାଇପାରିବ । ବର୍ତ୍ତମାନ ସ୍ପୁଟନିକକୁ ନେଇ ଚାଲିଥିବା କ୍ଲିନିକାଲ ଟ୍ରାଏଲର ରିପୋର୍ଟ ନିୟମିତ ଦାଖଲ ଲାଗି ଡକ୍ଟର ରେଡିସକୁ ନିର୍ଦ୍ଦେଶ ଦେଇଛି ପ୍ୟାନେଲ । ଏପଟେ ବିହାରରେ ଆରମ୍ଭ ହୋଇଛି ଦେଶର ପ୍ରଥମ ଛୁଞ୍ଚିବିହୀନ କୋଭିଡ ଟିକା ଜାଇକୋଭ-ଡି । କୋଭାକ୍ସିନ ପରେ ଜାଇକୋଭ -ଡି ହେଉଛି ଦେଶର ଦ୍ୱିତୀୟ ସ୍ୱଦେଶୀ ଟିକା ।