spot_img
Home Blog Page 4619

୭ରୁ ଖୋଲିବ ଶିକ୍ଷାନୁଷ୍ଠାନ, ହଷ୍ଟେଲ ଖୋଲିବାକୁ ନିର୍ଦେଶ

ଭୁବନେଶ୍ୱର: ଚଳିତ ମାସ ୭ ତାରଖରୁ ଖୋଲିବ ଅଷ୍ଟମ ଶ୍ରେଣୀରୁ ଉର୍ଦ୍ଧ୍ୱ ସ୍କୁଲ ଏବଂ କଲେଜ  । ସେହିପରି ଫେବୃଆରୀ ୧୪ ତାରିଖରୁ ରାଜ୍ୟର କେଜି ୨ ଠାରୁ ସପ୍ତମ ଶ୍ରେଣୀ ପର୍ଯ୍ୟନ୍ତ ସ୍କୁଲ ଖୋଲିବା ନେଇ ଘୋଷଣା କରିଛନ୍ତି ମୁଖ୍ୟ ଶାସନ  ସଚିବ ସୁରେଶ ଚନ୍ଦ୍ର ମହାପାତ୍ର  । ରାଜ୍ୟରେ କୋଭିଡ ସ୍ଥିତି କ୍ରମାଗତ ଭାବେ ହ୍ରାସ ଘଟିବାରେ ଲାଗିଛି  । କୋଭିଡ ପ୍ରବାହ ରାଜ୍ୟର ଛାତ୍ରଛାତ୍ରୀଙ୍କ ଉପରେ ବିଶେଷ ପ୍ରଭାବ ପକାଇଛି  । ତେଣୁ ରାଜ୍ୟ ସରକାର ଏହି ନିଷ୍ପତ୍ତି ଗ୍ରହଣ କରଛନ୍ତି  ।

ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ରଙ୍କଅପରାହ୍ନରେ ସାମ୍ବାଦିକ ସମ୍ମିଳନୀ କରି ଏହି ସୂଚନା ପ୍ରଦାନ କରିଛନ୍ତି  । ପିଲାମାନେ ଅଫଲାଇନ କିମ୍ବା ଅନଲାଇନରେ କ୍ଲାସ କରିପାରିବେ । କୋଭିଡ କଟକଣା ଭିତରେ ଶିକ୍ଷାନୁଷ୍ଠାନ ଖୋଲିବାକୁ ନିର୍ଦେଶ ରହିଛି  । ଗଣଶିକ୍ଷା ଓ ଉଚ୍ଚଶିକ୍ଷା ବିଭାଗର ଗାଇଡଲାଇନ୍ ଅନୁଯାୟୀ କ୍ଲାସ ହେବ । ସବୁ ହଷ୍ଟେଲ ଖୋଲିବାକୁ ମଧ୍ୟ ରାଜ୍ୟ ସରକାର ନିଷ୍ପତ୍ତି ନେଇଛନ୍ତି । ଦରକାର ପଡିଲେ ଖରାଛୁଟିର ଅବଧି କମାଇବାକୁ ଚିନ୍ତା କରୁଛି ବିଭାଗ । ସେହିପରି କଲେଜ, ଟେକ୍ନିକାଲ ଓ ପ୍ରଫେସନାଲ ଶିକ୍ଷାନୁଷ୍ଠାନ ମଧ୍ୟ ଖୋଲିବ ।

ଝାରସୁଗୁଡା ବିଜେଡିର ମିଶ୍ରଣ ପର୍ବ

ଝାରସୁଗୁଡା: ପଞ୍ଚାୟତ ନିର୍ବାଚନ ପୂର୍ବରୁ ଝାରସୁଗୁଡାରେ ବିଜେଡିର ମିଶ୍ରଣ ପର୍ବ । ବିଜୁ ଜନତା ଦଳରେ ମିଶିଲେ ୧୦୦ରୁ ଉର୍ଦ୍ଧ୍ୱ ବିଜେପି ଓ କଂଗ୍ରେସ କର୍ମୀ । ଝାରସୁଗୁଡା କାଳିବାଡି ସ୍ଥିତ ବିଜେଡି କାର୍ଯ୍ୟାଳୟରେ ହୋଇଛନ୍ତି ସାମିଲ । ସ୍ବାସ୍ଥ୍ୟମନ୍ତ୍ରୀ ନବ ଦାସଙ୍କ ଉପସ୍ଥିତିରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନୀତି, ଆଦର୍ଶ ଓ ଲୋକାଭିମୂଖୀ କାର୍ଯ୍ୟ ଅନୁପ୍ରାଣିତ ହୋଇ ଲଖନପୁର ବ୍ଲକର 100ରୁ ଉର୍ଦ୍ଧ୍ବ ବିଜେପି ଓ କଂଗ୍ରେସ କର୍ମୀ ବିଜେଡିରେ ମିଶିଛନ୍ତି ।

ଏହି ମିଶ୍ରଣ ପର୍ବ ଦ୍ୱାରା ଆଗାମୀ ପଞ୍ଚାୟତ ନିର୍ବାଚନରେ ବିଜୁ ଜନତା ଦଳ ଝାରସୁଗୁଡା ଜିଲ୍ଲାର ୯ଟି ଯାକ ଜିଲ୍ଲାପରିଷଦ ଆସନରେ ବିଜୟଲାଭ କରିବ ବୋଲି ସ୍ୱାସ୍ଥ୍ୟ ମନ୍ତ୍ରୀ କହିଛନ୍ତି  । ପୂର୍ବ ସ୍ଥିତି ଠାରୁ ଝାରସୁଗୁଡାରେ ବିଜେଡି ଆହୁରି ସଶକ୍ତ ହେବ ବୋଲି ମତ ପ୍ରକାଶ କରିଛନ୍ତି ସାଧାରଣ ଲୋକେ  ।

ପୁଣି ଚର୍ଚ୍ଚାରେ ବିହାର ଶିକ୍ଷା ବ୍ୟବସ୍ଥା, କାର ହେଡ ଲାଇଟରେ ପରୀକ୍ଷା ଦେଲେ ଛାତ୍ରଛାତ୍ରୀ

ପାଟନା: ବତୀ ଗୁଲ୍‌, ପରୀକ୍ଷା ଚାଲୁ । ପୁଣି ଚର୍ଚ୍ଚାରେ ବିହାରର ଶିକ୍ଷା ବ୍ୟବସ୍ଥା । ପରୀକ୍ଷା ବେଳେ କପି ଓ ରେଜଲ୍ଟକୁ ନେଇ ସବୁ ବେଳେ ଚର୍ଚ୍ଚାରେ ଥିବା ବିହାରରେ ଏବେ ଦେଖିବାକୁ ମିଳିଛି ଆଉ ଏକ ଅଜବ ଘଟଣା । କାର ହେଡ ଲାଇଟରେ ପରୀକ୍ଷା ଦେଲେ ଛାତ୍ରଛାତ୍ରୀ । ପରୀକ୍ଷା ସେଣ୍ଟରରେ ବିଦ୍ୟୁତ୍ ସଂଯୋଗ ନଥିବାରୁ କାର୍‌ ହେଡ୍‌ ଲାଇଟରେ ପରୀକ୍ଷା ଦେଇଛନ୍ତି ଯୁକ୍ତ ଦୁଇ ଛାତ୍ରଛାତ୍ରୀ । ଏମିତି ଏକ ଅଜବ ଘଟଣା ଦେଖିବାକୁ ମିଳିଛି ବିହାର ମୋତିହାରୀରୁ ଅଞ୍ଚଳରୁ । ମହାରାଜା ହରେନ୍ଦ୍ର କିଶୋର କଲେଜର ପିଲାମାନେ ଗାଡ଼ି ହେଡ୍‌ ଲାଇଟରେ ଯୁକ୍ତ ଇଣ୍ଟମିଡିଏଟ୍ ପରୀକ୍ଷା ଦେଇଛନ୍ତି । ନିର୍ଦ୍ଧାରିତ ସମୟ ପରେ ପ୍ରଶ୍ନପତ୍ର ମିଳିବାକୁ ନେଇ ପ୍ରଥମେ ହଙ୍ଗାମା ହେବା ପରେ ରାତି ପ୍ରାୟ ୮ଟା ଯାଏ ପରୀକ୍ଷା ଦେଇଥିଲେ ଛାତ୍ରଛାତ୍ରୀ । ତେବେ କଲେଜରେ ଇଲେକ୍ଟ୍ରି କନେକ୍ସନ ନଥିବାରୁ ପୋଲିସ ଗାଡ଼ିର ହେଡ ଲାଇଟରେ ପିଲାଙ୍କୁ ପରୀକ୍ଷା ଦେବାକୁ ପଡ଼ିଥିଲା ।

 

ଅଣ୍ଡର-୧୯ ବିଶ୍ୱକପ: କୋହଲିଙ୍କ ସମକ୍ଷକ ହେଲେ ଧୁଲ, ଏବେ ନିଲାମରେ ହେବେ ମାଲାମାଲ!

ନୂଆଦିଲ୍ଲୀ: ଚଳିତ ଅଣ୍ଡର-୧୯ ବିଶ୍ୱକପରେ ଭାରତ ଦମଦାର ପ୍ରଦର୍ଶନ କରି ଫାଇନାଲରେ ନିଜ ସ୍ଥାନ ପକ୍କା କରିଛି । ବୁଧବାର ଖେଳାଯାଇଥିବା ସେମିଫାଇନାଲରେ ଭାରତ ଅଷ୍ଟ୍ରେଲିଆକୁ ୯୬ ରନରେ ପରାସ୍ତ କରି ଫାଇନାଲ ଟିକେଟ ହାତେଇଥିଲା । ସେମି ଫାଇନାଲରେ ଭାରତୀୟ ଦଳକୁ ଜିତିଇବାରେ ମୁଖ୍ୟ ଭୂମିକା ତୁଲାଇଥିଲେ ଅଧିନାୟକ ୟଶ ଧୁଲ । ଏହି ମ୍ୟାଚରେ ସେ ଦମଦାର ୧୧୦ ରନର ପାରି ଖେଳିଥିଲେ । ସେମି ସମର ଜିତିବା ପରେ ଫାଇନାଲ ଫାଇଟରେ ଭାରତର ମୁକାବିଲା ଇଂଲଣ୍ଡ ସହ ହେବ ।

ସେମିଫାଇନାଲ ମୁକାବିଲାରେ ଶତକ ହାସଲ କରିବା ପରେ ୟଶ ଧୁଲ ଏକ ନୂଆ ରେକର୍ଡ ହାସଲ କରିଛନ୍ତି । ୟୁଶ ଧୁଲ ହେଉଛନ୍ତି ତୃତୀୟ ଅଧିନାୟକ ଯିଏ ଅଣ୍ଡର-୧୯ ବିଶ୍ୱକପରେ ଶତକ ହାସଲ କରିଛନ୍ତି । ଧୁଲଙ୍କ ପୂର୍ବରୁ ଏହି ରେକର୍ଡ ବିରାଟ କୋହଲି ଓ ଉନ୍ମୁକ୍ତ ଚାନ୍ଦଙ୍କ ନାମରେ ରହିଥିଲା । କୋହଲି ୨୦୦୮ରେ ଓ୍ୱେଷ୍ଟଇଣ୍ଡିଜ୍ ବିପକ୍ଷରେ ଶତକ ହାସଲ କରିଥିବାବେଳେ ଉନ୍ମୁକ୍ତ ଚାନ୍ଦ୍ ୨୦୧୨ ଅଣ୍ଡର-୧୯ ବିଶ୍ୱକପରେ ଅଷ୍ଟ୍ରେଲିଆ ବିପକ୍ଷରେ ଫାଇନାଲ ମ୍ୟାଚରେ ଶତକ ହାସଲ କରିଥିଲେ ।

ଅଣ୍ଡର-୧୯ ବିଶ୍ୱକପ ସେମିଫାଇନାଲରେ ଦମଦାର ଶତକ ହାସଲ କରିବା ପରେ ଆଇପିଏଲ ନିଲାମରେ ମିଳିପାରେ ବଡ଼ ସୁଯୋଗ । ଆଇପିଏଲ ୨୦୨୨ର ମେଗା ନିଲାମ ଫେବ୍ରୁଆରୀ ୧୨ ଓ ୧୩ରେ ହେବାକୁ ଯାଉଛି । ମେଗା ନିଲାମ ପାଇଁ ୟୁଶ ଧୁଲଙ୍କୁ ମଧ୍ୟ ବିସିସିଆଇ ସର୍ଟ ଲିଷ୍ଟ କରିଛି । ଧୁଲଙ୍କ ବେସ୍ ପ୍ରାଇସ୍ ୨୦ ଲକ୍ଷ ରହିଛି । ତେବେ ସେମିଫାଇନାଲରେ ୟୁଶ ଧୁଲ ଦମଦାର ଶତକ ହାସଲ କରିବା ପରେ ନିଲାମରେ ସେ ଅଧିକ ଟଙ୍କାରେ ନିଲାମ ହୋଇପାରନ୍ତି ।

 

ଘୁଞ୍ଚିବନି GATE-2022, ନିର୍ଦ୍ଧାରିତ ସମୟରେ ହେବ ପରୀକ୍ଷା: ସୁପ୍ରିମକୋର୍ଟ

ନୂଆଦିଲ୍ଲୀ: ଘୁଞ୍ଚିବନି ଗେଟ୍-୨୦୨୨ ପରୀକ୍ଷା । ନିର୍ଦ୍ଧାରିତ ସମୟରେ ଅନୁଷ୍ଠିତ ହେବ GATE-2022 ପରୀକ୍ଷା । ପରୀକ୍ଷା ଘୁଞ୍ଚିବ ନାହିଁ ବୋଲି ସ୍ପଷ୍ଟୀକରଣ କରିଛନ୍ତି ସୁପ୍ରିମକୋର୍ଟ । କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ଗେଟ୍-୨୦୨୨ ପରୀକ୍ଷାକୁ ଘୁଞ୍ଚାଇବାକୁ ସୁପ୍ରିମକୋର୍ଟରେ ଆବେଦନ କରିଯାଇଥିଲା । କିନ୍ତୁ ଏହି ଆବେଦନକୁ ଖାରଜ କରିଛନ୍ତି ସର୍ବୋଚ୍ଚ ନ୍ୟାୟଳୟ । ଗୁରୁବାର ସୁପ୍ରିମକୋର୍ଟ ଏହି ମାମଲାରେ ଶୁଣାଣି କରି କହିଥିଲେ କି ବର୍ତ୍ତମାନ ଦେଶରେ କରୋନା ସଂକ୍ରମଣ ହ୍ରାସ ପାଉଛି । ଦେଶରେ ଏବେ ସବୁକିଛି ଖୋଲା ରହିଛି । ଏପରି ସ୍ଥିତିରେ ଯଦି ଗେଟ୍-୨୦୨୨ ପରୀକ୍ଷା ସ୍ଥଗିତ ରଖାଯାଏ ତେବେ ଛାତ୍ରଛାତ୍ରୀଙ୍କ ମଧ୍ୟରେ ବିଶୃଙ୍ଖଳା ସୃଷ୍ଟି ହେବ । ଏଥିସହ ଯେଉଁ ପିଲାମାନେ ଏହି ପରୀକ୍ଷା ପାଇଁ ପ୍ରସ୍ତୁତ ହେଉଛନ୍ତି ସେମାନଙ୍କ ସହ ଖେଳା ଯାଇପାରିବ ନାହିଁ ବୋଲି କହିଛନ୍ତି ସୁପ୍ରିମକୋର୍ଟ ।

ସୂଚନା ଅନୁସାରେ ଗେଟ୍-୨୦୨୨ ପରୀକ୍ଷା ଫେବ୍ରୁଆରୀ ୫, ୬, ୧୨ ଓ ୧୩ରେ ଅନୁଷ୍ଠିତ ହେବ । ଚଳିତ ଥର ଗେଟ୍ ପରୀକ୍ଷା ପାଇଁ ପ୍ରାୟ ୯ ଲକ୍ଷରୁ ଅଧିକ ଛାତ୍ରଛାତ୍ରୀ ଆବେଦନ କରିଥିଲେ । ତେବେ ଗେଟ୍-୨୦୨୨ ପରୀକ୍ଷା ସ୍ଥଗିତ କରିବା ପାଇଁ ସୁପ୍ରିମକୋର୍ଟରେ ଦୁଇଟି ପିଟିସନ ଦାୟର ହୋଇଥିଲା । ଗୋଟିଏ ପିଟିସନ ଜଣେ ଗେଟ୍ ପାଇଁ ଥିବା ଆଶାୟୀ କରିଥିବାବେଳେ ଆଉ ଏକ ପିଟିସନ ଉମେଶ ଦାଣ୍ଡେ ଦାୟର କରିଛନ୍ତି ଯିଏ ଏକ ଶିକ୍ଷା ପ୍ରତିଷ୍ଠାନ ଚଳାଉଛନ୍ତି । ତେବେ ଏହି ଉଭୟ ପିଟିସନକୁ ଖାରଜ କରିଛନ୍ତି ସୁପ୍ରିମକୋର୍ଟ ।

ନାମାଙ୍କନ ଭରିବାକୁ ଯାଉଥିଲେ ମନ୍ତ୍ରୀ, ହେଲା ମରଣାନ୍ତକ ଆକ୍ରମଣ

ଲକ୍ଷ୍ନୌ: ଉତ୍ତରପ୍ରଦେଶ ନିର୍ବାଚନ ଯେତେ ପାଖେଇ ଆସୁଛି ୟୁପି ରାଜନୀତି ସରଗରମ ହେବାରେ ଲାଗିଛି । ପ୍ରଚାର, ଆରୋପ ପ୍ରତ୍ୟାରୋପ ଭିତରେ ଉତ୍ତରପ୍ରଦେଶରେ ଦେଖିବାକୁ ମିଳିଛି ନିର୍ବାଚନୀ ହିଂସା । ନାମାଙ୍କନ ପାଇଁ ଯିବା ବେଳେ ବିଜେପି ପ୍ରାର୍ଥୀଙ୍କୁ ଆକ୍ରମଣ କରିଛନ୍ତି ଦୁର୍ବୃତ୍ତ । ଆଜି ନାମାଙ୍କନ ଭରିବାକୁ ଯିବା ବେଳେ ଉତ୍ତରପ୍ରଦେଶର କ୍ୟାବିନେଟ ମନ୍ତ୍ରୀ ସିଦ୍ଧାର୍ଥ ନାଥ ସିଂ ଆକ୍ରମଣର ଶିକାର ହୋଇଛନ୍ତି । ୟୁପି କ୍ୟାବିନେଟ ମନ୍ତ୍ରୀ ସିଦ୍ଧାର୍ଥ ନାଥ ସିଂଙ୍କ ଉପରକୁ ଦୁର୍ବୃତ୍ତ ବିଷ ଓ ବ୍ଲେଡରେ ଆକ୍ରମଣ କରିଥିଲେ । ତେବେ ମନ୍ତ୍ରୀଙ୍କ ଉପରକୁ ଆକ୍ରମଣ କରିଥିବା ବ୍ୟକ୍ତି ଜଣଙ୍କୁ ପୋଲିସ ହେପାଜତକୁ ନେଇଥିବା ବେଳେ ତାଙ୍କଠାରୁ ବିଷ ଓ ବ୍ଲେଡ୍‌ ଜବତ ହୋଇଛି ।

ପଶ୍ଚିମ ଆହ୍ଲାବାଦ ଆସନ ପାଇଁ ସିଦ୍ଧାର୍ଥ ସିଂଙ୍କୁ ବିଜେପି ଟିକେଟ ଦେଇଛି । ଏହି ସିଟରୁ ସେ ଦ୍ବିତୀୟ ଥର ଲାଗି ନିର୍ବାଚନ ଲଢୁଛନ୍ତି । ଅନ୍ୟପଟେ ପ୍ରଥମ ପର୍ଯ୍ୟାୟ ନିର୍ବାଚନକୁ ନେଇ ଜୋରଦାର ହୋଇଛି କ୍ୟାମ୍ପେନିଂ । ହେଭିଓ୍ବେଟଙ୍କ ସହ ଡୋର ଟୁ ଡୋର ବୁଲି ପ୍ରଚାର କରୁଛନ୍ତି ପ୍ରାର୍ଥୀ । ସୂଚନା ଅନୁସାରେ ଉତ୍ତରପ୍ରଦେଶରେ ୭ଟି ପର୍ଯ୍ୟାୟରେ ବିଧାନସଭା ନିର୍ବାଚନ ହେବାକୁ ଯାଉଛି । ଫେବ୍ରୁଆରୀ ୧୦ରେ ପ୍ରଥମ ପର୍ଯ୍ୟାୟ ଭୋଟ ଗ୍ରହଣ ହେବ । ସେହପରି ୧୦ ମାର୍ଚ୍ଚରେ ଭୋଟ ଗଣତି ହେବ ।

ଉଦ୍ଧାର ହେଲେ ଅପହୃତ ସମିତିସଭ୍ୟ ପ୍ରାର୍ଥୀ, ଜଣେ ଅଟକ

ଢେଙ୍କାନାଳ: ଉଦ୍ଧାର ହେଲେ ନିଖୋଜ ସମିତିସଭ୍ୟ ପ୍ରାର୍ଥୀ ସୁବ୍ରତ ବେହେରା । କିଛି ସମୟ ତଳେ ଏକ ନମ୍ବରରୁ ସୁବ୍ରତ ତାଙ୍କ ବାପାଙ୍କୁ କଲ୍ କରି ଭାପୁର ଅଞ୍ଚଳରେ ଥିବା କହିଥିଲେ । ଏଥିସହ ଉକ୍ତ ନମ୍ବରରେ କଲ୍ ବ୍ୟାକ୍ କରିବାକୁ ମନା କରିଥିଲେ । ସେହି ଆଧାରରେ ପୋଲିସ ନିଖୋଜ ସୁବ୍ରତଙ୍କୁ ଉଦ୍ଧାର କରିଛି । ଘଟଣାରେ ଅନ୍ୟ ଜଣଙ୍କୁ ଅଟକ ରଖି ପଚରାଉଚରା କରୁଛି ପୋଲିସ । ସୂଚନା ଅନୁସାରେ ଅଟକ ଥିବା ବ୍ୟକ୍ତି ସୁବ୍ରତଙ୍କୁ ଶେଷ କଲ୍ କରିଥିଲେ ।

Missing Samiti Aspirants Rescued From Bhapur

ତେବେ, ସୁବ୍ରତଙ୍କୁ କିଏ ଅପହରଣ କରିଥିଲା ସେନେଇ ପୋଲିସ କିଛି ସ୍ପଷ୍ଟ ସୂଚନା ଦେଇନାହିଁ । ଏବେ ସୁବ୍ରତ ଉଦ୍ଧାର ହୋଇଥିବା ବେଳେ ପୋଲିସ ତାଙ୍କୁ ଢେଙ୍କାନାଳ ଆଣୁଛି । ସୁବ୍ରତଙ୍କୁ ଖୋଜିବା ଲାଗି ପୋଲିସ ୩ଟି ଟିମ୍ ଗଠନ କରିଥିଲା । ଡିଆଇଜି ସାର୍ଥକ ଷଡ଼ଙ୍ଗୀ ତଦନ୍ତର ତଦାରଖ କରୁଥିଲେ ।

Missing Samiti Aspirants Rescued From Bhapur

ସୂଚନା ଅନୁସାରେ, ଫେବ୍ରୁଆରୀ ୧ ତାରିଖରେ ପୁସିଂ କାର୍ଡ ଛପାଇବାକୁ ଯାଇ ସମିତିସଭ୍ୟ ପ୍ରାର୍ଥୀ ସୁବ୍ରତ ବେହେରା ଘରକୁ ଫେରିନଥିଲେ । ନୂଆଗାଁ ପଞ୍ଚାୟତର ସମିତିସଭ୍ୟ ପାର୍ଥୀ ସୁବ୍ରତ ବେହେରା ଘରକୁ ନଫେରିବାରୁ, ଗତକାଲି ଥାନାରେ ଏତଲା ଦେଇଥିଲେ ପରିବାର ଲୋକ । ନିମବାହାଲି ଛକ ନିକଟ ପୋଖରୀ ପାଖରୁ ତାଙ୍କ ଚପଲ ଓ ବାଇକ୍ ମିଳିଥିଲା । ୧ ତାରିଖ ଦିନ ୩ ଟାରେ ସେ ତାଙ୍କ ମାଙ୍କ ସହ ଶେଷ ଥର ପାଇଁ କଥା ହୋଇଥିଲେ । ତାପରେ ଆଉ ତାଙ୍କ ଫୋନ୍ ଲାଗୁନଲା । ନିର୍ବାଚନକୁ କେନ୍ଦ୍ର କରି ଅପହରଣ ହୋଇଥିବା ଅଭିଯୋଗ କରିଥିଲେ ପରିବାର ଲୋକ ।

ଗାଈ ପାଇଁ ଜିଲ୍ଲାପାଳଙ୍କ ଗାଡ଼ି ଆଗରେ ଶୋଇ ପଡ଼ିଲେ ବୃଦ୍ଧା

ସୋନପୁର: ଗାଈ ପାଇଁ ଗୁହାରୀ । ଜିଲ୍ଲାପାଳଙ୍କ ଗାଡ଼ି ଆଗରେ ଅଳି । ପରିଣତ ବୟସରେ ବୃଦ୍ଧା ପାତିଲେ ପଣତକାନି । କାନ୍ଦି କାନ୍ଦି ନେହୁରା ହୋଇ କହୁଛନ୍ତି, ମୋ ପ୍ରିୟ ଗାଈକୁ ମୋତେ ଫେରାଇ ଦିଅ । ଘର ନାହିଁ, ମାନସିକ ସ୍ଥିତି ଭଲ ନାହିଁ । କିନ୍ତୁ ଏକ ଗାଈ ସହ ଯୋଡ଼ି ହୋଇଥିଲା ଭାବନା । ଗାଈକୁ କାଞ୍ଜିଆହୁଦାକୁ ନିଆଯିବାରୁ ଫେରାଇ ଆଣିବାକୁ ଗୁହାରୀ କରିଛନ୍ତି ବୃଦ୍ଧା । ଗୁହାରୀ କେହି ନଶୁଣିବାରୁ ଶେଷରେ ଗାଈ ଫେରାଇବା ପାଇଁ ଜିଲ୍ଲାପାଳଙ୍କ ଗାଡ଼ି ଆଗରେ ବୃଦ୍ଧା ଶୋଇ ପଡ଼ିଥିଲେ । ଶେଷରେ ଜିଲ୍ଲାପାଳ ବୃଦ୍ଧାଙ୍କୁ ତାଙ୍କ ପ୍ରିୟ ଗାଈ ଫେରାଇ ଦେବାକୁ ପ୍ରତିଶ୍ରୁତି ଦେଇଛନ୍ତି । ସୂଚନା ଅନୁସାରେ ୨୦ ବର୍ଷ ହେଲା ସୁବର୍ଣ୍ଣପୁର ମେଡିକାଲ ବାରଣ୍ଡାରେ ରହୁଛନ୍ତି ତରାସ ବାଘ ।

Woman Sleeping In front Of Collector Vehicle For Returning Cow

ସେ ଏକ ବୁଲାଗାଈକୁ ନିଜର କରିଥିଲେ । ଭିକ ମାଗି ଯାହା ଖାଆନ୍ତି, ଗାଈଟିକୁ ମଧ୍ୟ ଦିଅନ୍ତି । ଗୋଟିଏ ପତ୍ରରେ ମଧ୍ୟ ଗାଈ ସହ ଖାଉଥିଲେ । ହେଲେ ବୁଲାଗାଈଟିକୁ କାଞ୍ଜିଆ ହାଉସକୁ ନିଆଯିବା ପରେ ଆକୁଳ ନିବେଦନ କରିଛନ୍ତି ବୃଦ୍ଧା । ଜିଲ୍ଲାପାଳଙ୍କ ଗାଡ଼ି ଆଗରେ ପଡ଼ିଯାଇ ନିଜ ଜୀବନଠୁ ପ୍ରିୟ ଗାଈକୁ ଫେରାଇବାକୁ ଅଳି କରିଥିଲେ । ଗାଈ ଫେରିବା ପ୍ରତିଶ୍ରୁତି ପାଇବା ପରେ ବୃଦ୍ଧାଙ୍କ ମନ ବୁଝିଛି ।

ଚାକିରି ସଂରକ୍ଷଣକୁ ନେଇ ସରକାରଙ୍କ ନିଷ୍ପତ୍ତି ଉପରେ ରୋକ୍ ଲଗାଇଲେ ହାଇକୋର୍ଟ

ଚଣ୍ଡିଗଡ଼: ହରିଆଣା ରାଜ୍ୟ ସରକାରଙ୍କୁ ବଡ଼ ଧରଣର ଧକ୍କା । ସ୍ଥାନୀୟ ଲୋକଙ୍କ ଲାଗି ଚାକିରି ସଂରକ୍ଷଣ ନେଇ ରାଜ୍ୟ ସରକାରଙ୍କ ନିଷ୍ପତ୍ତି ଉପରେ ରୋକ୍ ଲଗାଇଲେ ପଞ୍ଜାବ ଓ ହରିଆଣା ହାଇକୋର୍ଟ । ଘରୋଇ ଚାକିରି କ୍ଷେତ୍ରରେ ସ୍ଥାନୀୟ ଲୋକଙ୍କ ଲାଗି ୭୫ ପ୍ରତିଶତ କୋଟା ନିଷ୍ପତ୍ତି ନେଇଥିଲେ ରାଜ୍ୟ ସରକାର । ସରକାରଙ୍କ ଏହି ନିଷ୍ପତ୍ତିକୁ ରଦ୍ଦ କରିଛନ୍ତି ପଞ୍ଜାବ ଓ ହରିଆଣା ହାଇକୋର୍ଟ । ଗତ ଜାନୁଆରୀରେ ରାଜ୍ୟରେ ବଳବତ୍ତର ହୋଇଥିଲା ହରିଆଣା ରାଜ୍ୟ କର୍ମଚାରୀ ସ୍ଥାନୀୟ ପ୍ରାର୍ଥୀ ଆଇନ-୨୦୨୦ ।

ଏହି ଆଇନ ଅନୁସାରେ ମାସିକ ସର୍ବାଧିକ ୩୦ ହଜାର ଟଙ୍କାର ଦରମା ଦେବାର ବ୍ୟବସ୍ଥା ରହିଛି । ଏହା ସହ ଘରୋଇ କମ୍ପାନୀରେ ସ୍ଥାନୀୟ ଲୋକଙ୍କ ଲାଗି ୭୫ ପ୍ରତିଶତ ସଂରକ୍ଷଣ ବ୍ୟବସ୍ଥା ରହିଛି । ରାଜ୍ୟ ଉପମୁଖ୍ୟମନ୍ତ୍ରୀ ଦୃଶ୍ୟନ୍ତ ଚୌତାଲା କହିଥିଲେ- ଏହି ଆଇନ ଦ୍ବାରା ସ୍ଥାନୀୟ ଅଞ୍ଚଳର ହଜାର ହଜାର ଯୁବକଯୁବତୀ ଉପକୃତ ହେବେ । ଗତବର୍ଷ ରାଜ୍ୟ ସରକାର କହିଥିଲେ ଯେ ସମସ୍ତ ଘରୋଇ କମ୍ପାନୀ, ସୋସାଇଟି, ଟ୍ରଷ୍ଟ, ପାର୍ଟନରସିପ୍ ଫାର୍ମ ତଥା ଯେଉଁ ବ୍ୟକ୍ତି ବା କମ୍ପାନୀ ୧୦ କିମ୍ବା ତାହାଠାରୁ ଅଧିକ ଲୋକଙ୍କୁ ନିଯୁକ୍ତି ଦେଇଛନ୍ତି ସେହି କ୍ଷେତ୍ରରେ ଏହି ଆଇନ ପ୍ରଯୁଜ୍ୟ ହେବ ।

ଦୁଇବର୍ଷ ପରେ ପୁଣି ଥରେ ଚନ୍ଦ୍ର ଅଭିମୁଖେ ଭାରତ

ନୂଆଦିଲ୍ଲୀ: ଦୁଇ ବର୍ଷ ପରେ ପୁଣି ଥରେ ଚନ୍ଦ୍ର ଅଭିମୁଖେ ଯାତ୍ରା ଆରମ୍ଭ କରିବ ଭାରତ । ଖୁବଶୀଘ୍ର ଚନ୍ଦ୍ରାୟନ -୩ ଲଞ୍ଚ କରିବ ଭାରତୀୟ ସ୍ପେସ୍ ଆଣ୍ଡ୍ ରିସର୍ଚ୍ଚ ଅର୍ଗାନାଇଜେସନ୍ (ଇସ୍ରୋ) । ଚନ୍ଦ୍ରାୟନ-୨ ମିଶନ ବେଳେ ଲ୍ୟାଣ୍ଡର ବିକ୍ରମ ଲୁନାର ସରଫେସରେ କ୍ରାସ୍‌ ହୋଇଯାଇଥିଲା । ଯାହା ଫଳରେ ଚନ୍ଦ୍ରାୟନ-୨ ମିଶନ ସଫଳତା ପାଇ ପାରିନଥିଲା । ମାତ୍ର ଚନ୍ଦ୍ରାୟନ-୨ରେ ଚନ୍ଦ୍ର ପୃଷ୍ଠକୁ ପଠାଯାଇଥିବା ଅର୍ବିଟର ଏବେ ବି ସଫଳତାର ସହ କାର୍ଯ୍ୟ କରୁଛି । ତେବେ ଚନ୍ଦ୍ରାୟନ-୨ ମିଶନରୁ ମିଳିଥିବା ଶିକ୍ଷା ଓ ବିଶ୍ବସ୍ତରୀୟ ବିଶେଷଜ୍ଞଙ୍କ ପରାମର୍ଶକୁ ଆଧାର କରି ଚନ୍ଦ୍ରାୟନ-୩ର ପରୀକ୍ଷଣ ଚାଲିଛି ବୋଲି ଇସ୍ରୋ ବୈଜ୍ଞାନିକ କହିଛନ୍ତି ।

ଚନ୍ଦ୍ରାୟନ-୩ ଲଞ୍ଚ ପୂର୍ବରୁ ଏହାର ଆବଶ୍ୟକ ପରୀକ୍ଷା ଶେଷ ହୋଇଛି । ଚନ୍ଦ୍ରାୟନ-୩ ୨୦୨୨ ଅଗଷ୍ଟରେ ଲଞ୍ଚ ହେବା ଯୋଜନା ରହିଛି ବୋଲି ଇସ୍ରୋ ପକ୍ଷରୁ କୁହାଯାଇଛି । କରୋନା ଯୋଗୁ ଇସ୍ରୋର ଅନେକ ମିଶନ ପ୍ରଭାବିତ ହୋଇଛି ବୋଲି ବିଜ୍ଞାନ ଏବଂ ପ୍ରଯୁକ୍ତିବିଦ୍ୟା ମନ୍ତ୍ରୀ ଡକ୍ଟର ଜିତେନ୍ଦ୍ର ସିଂ କହିଛନ୍ତି । ଡକ୍ଟର ଜିତେନ୍ଦ୍ର ସିଂ ସୂଚନା ଦେଇଛନ୍ତି ଯେ କ୍ରମାଗତ ବିଳମ୍ବ ପରେ ୨୦୨୨ ମସିହାରେ ମହାକାଶ ବିଭାଗ ପକ୍ଷରୁ ୧୯ଟି ମିଶନ ଆରମ୍ଭ କରିବାକୁ ଯୋଜନା କରିଛି । ୨୦୨୨ରେ ଇସ୍ରୋ ୮ଟି ଲଞ୍ଚ ଯାନ ମିଶନ, ୭ଟି ମହାକାଶଯାନ ମିଶନ ଏବଂ ୪ଟି ଟେକ୍ନୋଲୋଜି ପ୍ରଦର୍ଶନକାରୀ ମିଶନ ଆରମ୍ଭ କରିବାକୁ ଯୋଜନା ରହିଛି ବୋଲି କହିଛନ୍ତି ବିଜ୍ଞାନ ଓ ପ୍ରଯୁକ୍ତିବିଦ୍ୟା ମନ୍ତ୍ରୀ ଡକ୍ଟର ଜିତେନ୍ଦ୍ର ସିଂ ।