ବହୁଚର୍ଚ୍ଚିତ ଶୁଭମିତ୍ରା ସାହୁ ହତ୍ୟା ଘଟଣା । ଘଟଣାରେ ମୁହଁ ଖୋଲିଲେ ଦୀପକ ରାଉତଙ୍କ ପ୍ରଥମ ସ୍ତ୍ରୀ ଅପର୍ଣ୍ଣା ପ୍ରିୟଦର୍ଶିନୀଙ୍କ ଭଉଣୀ ରୋଜାଲିନ ପ୍ରିୟ ଦର୍ଶିନୀ। ସେ କହିଛନ୍ତି ବଡ ଭଉଣୀଙ୍କୁ ହତ୍ୟା କରାଯାଇଛି।ଏହା ଏକ ସଂଘବଦ୍ଧ ହତ୍ୟାକାଣ୍ଡ । ୨୦୧୮ରେ ତାଙ୍କର ହୋଇଥିଲା ବାହାଘର ।ବାହାଘରର ଚାରି ବର୍ଷ ପରେ ଅର୍ଥାତ୍ ୨୦୨୨ରେ ଖୁଣ୍ଟୁଣିରେ ହୋଇଥିଲା ଯୋଜନାମୂଳକ ଦୁର୍ଘଟଣା। ତେବେ ଏହା ଦୁର୍ଘଟଣା ନଥିଲା ବରଂ ଥିଲା ଏକ ହତ୍ୟାକାଣ୍ଡ। ହତ୍ୟା ପୂର୍ବରୁ ଶୁଭମିତ୍ରା ନାମରେ କୋଟିଏ ଟଙ୍କାର ବୀମା କରାଯାଇଥିଲା। ଏହା ସହିତ ଅପର୍ଣ୍ଣାଙ୍କ ନାମରେ ୨୫ ଲକ୍ଷ ଟଙ୍କାର ଋଣ କରିଥିଲେ। ମୃତ୍ୟୁବେଳକୁ ଅପର୍ଣ୍ଣା ୬ ମାସର ଗର୍ଭବତୀ ଥିଲେ।
’ହିଲସା’ ମାଛ ବଢ଼ାଇବ କି ଭାରତ-ବାଂଲାଦେଶର ବନ୍ଧୁତା ?
ଭାରତର ଦୁର୍ଗାପୂଜା ଅବସରରେ ବାଂଲାଦେଶୀ ’ହିଲସା’ ମାଛର ବେଶ୍ ଚାହିଦା ରହିଥାଏ । ଏହା ପଛର କାରଣ ମଧ୍ୟ ରହିଛି । ଏହି ମାଛ ଭାରତରେ ମିଳୁଥିବା ମାଛ ତୁଳନାରେ ବହୁତ ଭଲ । ଦୁର୍ଗାପୂଜାରେ ଏହି ମାଛର ବହୁତ ମହତ୍ତ୍ବ ରହିଥାଏ । ମାତ୍ର ଏଥର ବାଂଲାଦେଶରୁ ହେଉଥିବା ସପ୍ଲାଇ ୨୦୧୯ ପରେ ସବୁଠାରୁ କମ୍ ହେବ । ଭାରତ-ବାଂଲାଦେଶ ମଧ୍ୟରେ ଯେଉଁଭଳି ଭାବରେ ସମ୍ପର୍କ ରହିଛି, ଏପରି ସ୍ଥିତିରେ ଏହି ମାଛର ସପ୍ଲାଇ ହେବ ନାହିଁ ବୋଲି ଜଣାପଡ଼ୁଥିଲା ।
ବାଂଲାଦେଶରେ ଶାସନ ପରିବର୍ତ୍ତନ ପରେ ଭାରତ ସହ ଭଲ ସମ୍ପର୍କ ରହିନଥିଲା । ଅନ୍ୟପଟେ ବାଂଲାଦେଶୀ ଦୁଇ ପଡ଼ୋଶୀ ଚୀନ ଓ ପାକିସ୍ତାନ ଆଡ଼କୁ ଢଳିବା ଭାରତର ଟେନସନକୁ ବଢ଼ାଇ ଦେଇଥିଲା । ଏହା ମଧ୍ୟରେ ବାଂଲାଦେଶରୁ ୮ ଟ୍ରକ ହିଲସା ମାଛ ଭାରତ ଆସିଛି । ଏହି ମାଛକୁ ଦୁର୍ଗାପୂଜାରେ ପବିତ୍ର ବୋଲି କୁହାଯାଏ । ତେଣୁ ହିଲସା ଦୁଇ ଦେଶର ସମ୍ପର୍କକୁ ପୁଣି ଥରେ ଯୋଡ଼ିବାରେ ସହାୟକ ହେବ କି ବୋଲି ପ୍ରଶ୍ନ ଉଠିଛି । ଦୁର୍ଗାପୂଜା ପୂର୍ବରୁ ବାଂଲାଦେଶରୁ ୮ଟି ଟ୍ରକରେ ପାଖାପାଖି ୩୨ ଟ୍ରନ ମାଛ ଆସି ଭାରତ-ବାଂଲାଦେଶ ସୀମାରେ ପହଞ୍ଚିଛି । ଏହି ମାଛର ଦାମ୍ କେଜି ପ୍ରତି ପାଖାପାଖି ୧୮୦୦ ଟଙ୍କା ହେବ । ତେଣୁ ଏହି ହିଲସା ମାଛର ଆମଦାନୀ ପୁଣି ଥରେ ଦୁଇ ଦେଶର ସମ୍ପର୍କକୁ ଯୋଡ଼ି ପାରିବ କି? ସ୍ବାଦ କାରଣରୁ ଏହି ମାଛକୁ ’ମାଛର ରାଣୀ’ କୁହାଯାଏ ।
ଯେଉଁ ଅଞ୍ଚଳରେ କଂଗ୍ରେସ ମଜବୁତ, ସେଠାରେ ଭୋଟରଙ୍କୁ ଟାର୍ଗେଟ କରାଯାଉଛି: ରାହୁଲ ଗାନ୍ଧି
ଏକ ବଡ଼ଧରଣର ଭୋଟ ଚୋରି ହୋଇଥିବା ନେଇ କଂଗ୍ରେସ ସାଂସଦ ରାହୁଲ ଗାନ୍ଧି ଅଭିଯୋଗ କରିଛନ୍ତି । କର୍ଣ୍ଣାଟକର ଅଲନ୍ଦ ନିର୍ବାଚନ କ୍ଷେତ୍ରରେ ୬୦୧୮ ଭୋଟରଙ୍କ ନାମ ଡିଲିଟ କରିବାକୁ ପ୍ରୟାସ କରାଯାଇଛି । ଭୋଟର୍ସଙ୍କ ନାମ ଡିଲିଟ କରିବା ପାଇଁ କର୍ଣ୍ଣାଟକର ବାହାର ମୋବାଇଲ ନମ୍ବରର ପ୍ରୟୋଗ କରାଯାଇଥିା । ଭୋଟ ଡିଲିଟ କରି ବିପକ୍ଷଙ୍କୁ ଟାର୍ଗେଟ କରାଯାଉଛି । ଯେଉଁ ଅଞ୍ଚଳରେ କଂଗ୍ରେସ ମଜବୁତ ରହିଛି, ସେଠାକାର ଭୋଟରଙ୍କୁ ଟାର୍ଗେଟ କରାଯାଇଛି ।
ରାହୁଲ କହିଛନ୍ତି, କର୍ଣ୍ଣାଟକର ଅଲନ୍ଦ ନିର୍ବାଚନ କ୍ଷେତ୍ରରେ ଭୋଟ ଚୋରି ଧରାପଡ଼ିଛି । ଭୋଟରଙ୍କୁ କିଏ ଡିଲିଟ କରିଛି, ତାହା ଜଣପଡ଼ିବା ପରେ ପଡ଼ୋଶୀ ଭୋଟର ଡିଲିଟ କରିଦଇଥିଲେ । କର୍ଣ୍ଣାଟକର ଅଲନ୍ଦ ପ୍ରୟୋଗରେ ଯେଉଁ ପ୍ରକାରେ କରାଯାଇଥିଲା, ସେହି ସିଷ୍ଟମରେ ଭୋଟରଙ୍କୁ ଯୋଡ଼ା ଯାଉଛି । ରାଜୁରାରେର ୬୦୮୦ ଭୋଟର୍ସ ଯୋଡ଼ି ହୋଇଥିବା ରାହୁଲ କହିଛନ୍ତି । ୨୦୧୮ରେ ଯେଉଁ ୧୦ଟି ବୁଥରୁ କଂଗ୍ରେସ ୮ଟିରେ ଜିତିଥିଲା, ସେହି ସବୁ ବୁଥରେ ୬ ହଜାର ଲୋକଙ୍କୁ ଡିଲିଟ୍ ପାଇଁ ପ୍ରୟାସ କରାଯାଇଥିଲା । ଅଲନ୍ଦ ଆସନରେ ୨୦୨୩ ନିର୍ବାଚନରେ ୬୦୧୮ଟି ଭୋଟ ଡିଲିଟ କରଯାଇଥିଲା । ବିଶେଷ କରି ସେଥିରେ ଦଳିତ ଓ ଓବିସି ଭୋଟର ସାମିଲ ଥିଲେ । ବାଛି ବାଛି କଂଗ୍ରେସ ସମର୍ଥକଙ୍କ ଭୋଟ ଡିଲିଟ କରାଯାଇଥିଲା । ଡିଲିଟ କରିବା ପାଇଁ ବାହାର ରାଜ୍ୟର ଫୋନ ନମ୍ବରର ବ୍ୟବହାର କରାଯାଇଥିଲା । ନିଜର ଦେଶ ଓ ସମ୍ବିଧାନକୁ ସେ ବହୁତ ପାଆନ୍ତି ଓ ନିଜର ସମ୍ବିଧାନକୁ ସେ ରକ୍ଷା କରିବେ ବୋଲି ରାହୁଲ କହିଛନ୍ତି ।
ବିଧାନସଭା ଅଧିବେଶନ ଆରମ୍ଭ: ଆଗତ ହେଲା ଶୋକ ପ୍ରସ୍ତାବ
ବିଧାନସଭା ଅଧିବେଶନ ଆରମ୍ଭ। ପ୍ରଥମେ ପରଲୋକଗତ ବିଧାୟକ ଓ ପୂର୍ବତନ ବିଧାୟକଙ୍କ ଆତ୍ମାର ସଦଗତି କାମନାରେ ଗୃହରେ ଶୋକପ୍ରସ୍ତାବ ଆଗତ କରାଯାଇଥିଲା। ରାଜେନ୍ଦ୍ର ଢୋଲକିଆ, ବିଭୂତି ଭୂଷଣ ସିଂ ମର୍ଦ୍ଦରାଜ, ପ୍ରସନ୍ନ କୁମାର ପଟ୍ଟନାୟକ, କରେନ୍ଦ୍ର ମାଝୀ, ନିରଞ୍ଜନ ହେମ୍ବୁମ, ପ୍ରଫୁଲ୍ଲ କୁମାର ଭଞ୍ଜ ପ୍ରମୁଖଙ୍କ ବିୟୋଗରେ ଶୋକ ପ୍ରସ୍ତାବ ଆଗତ କରିଥିଲେ ମୁଖ୍ୟମନ୍ତ୍ରୀ ମୋହନ ମାଝି। ସେହିପରି ପୂର୍ବତନ ଓଏପିଏଫ ଲୋକନାଥ ଶବର, ପୂର୍ବତନ କନେଷ୍ଟବଳ ଲକ୍ଷ୍ମଣ ମାଝି ପ୍ରମୁଖଙ୍କ ବିୟୋଗରେ ଶୋକ ପ୍ରସ୍ତାବ ଆଗତ କରିଥିଲେ ମୁଖ୍ୟମନ୍ତ୍ରୀ। ଶୋକ ପ୍ରସ୍ତାବକୁ ସମର୍ଥନ କରିଥିଲେ ବିରୋଧୀ ଦଳ ଉପନେତା ପ୍ରସନ୍ନ ଆଚାର୍ଯ୍ୟ, କଂଗ୍ରେସ ବିଧାୟକ ଦଳ ନେତା ରାମଚନ୍ଦ୍ର କାଡାମ, CPI-M ବିଧାୟକ ଲକ୍ଷ୍ମଣ ମୁଣ୍ଡା…।
ଦୀର୍ଘ ୩ ସପ୍ତାହର ବ୍ୟବଧାନ ପରେ ମାତା ବୈଷ୍ଣୋଦେବୀଙ୍କ ଯାତ୍ରା ପୁଣି ଆରମ୍ଭ
ଦୀର୍ଘ ୩ ସପ୍ତାହର ବ୍ୟବଧାନ ପରେ ପୁଣି ଆରମ୍ଭ ହୋଇଛି ମାତା ବୈଷ୍ଣୋଦେବୀଙ୍କ ଯାତ୍ରା। ୨୨ ଦିନ ଯାତ୍ରା ବନ୍ଦ ରହିବା ପରେ ଗତକାଲିଠାରୁ ପୁଣି ଆରମ୍ଭ ହୋଇଛି ଯାତ୍ରା। ଆଜି ଦ୍ବିତୀୟ ଦିନରେ ପୀଠ ଅଭିମୁଖେ ଯାତ୍ରା କରିଛନ୍ତି ଶ୍ରଦ୍ଧାଳୁ। ସେପ୍ଟେମ୍ବର ୨୨ରୁ ଅକ୍ଟୋବର ପହିଲା ପର୍ଯ୍ୟନ୍ତ ନବରାତ୍ରି ମହୋତ୍ସବ ପୂର୍ବରୁ ବହୁ ସଂଖ୍ୟାରେ ଭକ୍ତଙ୍କ ସମାଗମ ହେବା ଆଶା କରାଯାଉଛି। ଗତ ୨୬ ଅଗଷ୍ଟରେ ଅର୍ଦ୍ଧକୁୱାରୀ ନିକଟରେ ହୋଇଥିବା ଭୂସ୍ଖଳନ ଯୋଗୁଁ ୨୨ ଦିନ ପାଇଁ ସ୍ଥଗିତ ରହିବା ପରେ ମାତା ବୈଷ୍ଣୋ ଦେବୀଙ୍କ ତୀର୍ଥଯାତ୍ରା ପୁଣି ଆରମ୍ଭ ହୋଇଛି। ପ୍ରଶାସନକୁ ସହଯୋଗ କରିବାକୁ ଯାତ୍ରୀଙ୍କୁ ପରାମର୍ଶ ଦିଆଯାଇଛି।
ଉତ୍ତରାଖଣ୍ଡରେ ପୁଣି ପ୍ରକୃତିର ତାଣ୍ଡବ: ବାଦଲଫଟା ବର୍ଷା ଯୋଗୁ ଭୂସ୍ଖଳନ
ଉତ୍ତରାଖଣ୍ଡ ଚାମୋଲିରେ ପୁଣି ପ୍ରକୃତିର ତାଣ୍ଡବ। ବାଦଲଫଟା ବର୍ଷା ଯୋଗୁ ଅନେକ ସ୍ଥାନରେ ହୋଇଛି ଭୂସ୍ଖଳନ। ଏହି ଘଟଣାରେ ୧୦ଜଣ ନିଖୋଜ ହୋଇଥିବା ସୂଚନା ମିଳିଛି। ଚାମୋଲିର ନନ୍ଦ ନଗର ନିକଟରେ ଘଟିଛି ଅଘଟଣ। ଘଟଣାସ୍ଥଳରେ ମେଡିକାଲ ଟିମ ଓ ଉଦ୍ଧାରକାରୀ ଟିମ ପହଞ୍ଚି ସହାୟତା କରୁଛନ୍ତି। ଘଟଣାସ୍ଥଳରେ ମୁତୟନ ହୋଇଛି ୩ଟି ଆମ୍ବୁଲାନ୍ସ। ଭୂସ୍ଖଳନରେ ୬ଟି କୋଠା ଧରାଶାୟୀ ହୋଇଛି। ଗତକାଲି ରାତିରେ ଏହି ଅଘଟଣ ଘଟିଥିଲା। ଘଟଣାସ୍ଥଳରୁ ୨ ଜଣଙ୍କୁ କୌଣସିମତେ ଉଦ୍ଧାର କରାଯାଇଥିଲା। ତେବେ ୫ ଜଣ ନିଖୋଜ ଅଛନ୍ତି। ସେଠାରେ ବର୍ତ୍ତମାନ ରେସ୍କ୍ୟୁ ଅପରେସନ ଜାରି ରହିଛି। ଆଉ କିଛି ଲୋକ ଧ୍ବଂସସ୍ତୂପ ତଳେ ପୋତି ହୋଇଥିବା ଆଶଙ୍କା କରାଯାଉଛି। ଡେରାଡୁନ ଚମ୍ପାବତ ଓ ଉଦ୍ଧମସିଂ ନଗରରେ ରେଡ ଆଲର୍ଟ ଜାରି କରାଯାଇଛି। ଆସନ୍ତା ୨୦ ଯାଏ ସ୍ଥାନୀୟ ଅଞ୍ଚଳରେ ବିପତ୍ତି ଲାଗି ରହିବ ବୋଲି ସତର୍କତା ଜାରି କରାଯାଇଛି। ବର୍ତ୍ତମାନ ସୁଦ୍ଧା ଉତ୍ତରାଖଣ୍ଡରେ ୧୫ ଜଣ ନିଖୋଜ ରହିଛି। ଗତ ପ୍ରାୟ ଏକ ମାସ ଧରି ଉତ୍ତରାଖଣ୍ଡରେ ଖଣ୍ଡପ୍ରଳୟ ଜାରି ରହିଛି। ଶତାଧିକ କୋଠା ଧସିବା ସହ ଅନେକ ରାସ୍ତା ନଷ୍ଟ ହୋଇଛି।
କେରଳରେ ବ୍ୟାପିଲା ପ୍ରାଇମେରୀ ଆମୋଇବିକ ମେନିଙ୍ଗୋଏନସେଫାଲିଟିସ
କେରଳରେ ବ୍ୟାପିଲା ପ୍ରାଇମେରୀ ଆମୋଇବିକ ମେନିଙ୍ଗୋଏନସେଫାଲିଟିସ ବା ପିଏଏମ। ଏନେଇ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ଜାରି କରାଯାଇଛି ଆଲର୍ଟ। ମସ୍ତିଷ୍କ ସହ ଜଡିତ ଏହି ରୋଗରେ ମୃତ୍ୟୁ ସମ୍ଭାବନା ଅଧିକ ଥିବାରୁ ସ୍ବାସ୍ଥ୍ୟ ବିଭାଗ ତତ୍ପର ହୋଇଛି। ନାଏଗ୍ଲେରିଆ ଫୋଲେରି ନାମକ ଏକ ଆମୋଇବା ଏହି ସଂକ୍ରମଣର ପ୍ରମୁଖ କାରଣ ହୋଇଛି। ଏହି ଆମୋଇବା ସାଧାରଣତଃ ମସ୍ତିଷ୍କକୁ ନଷ୍ଟ କରୁଥିବାରୁ ମୃତ୍ୟୁ ସମ୍ଭାବନା ଅଧିକ ରହିଛି। ବର୍ତ୍ତମାନ ସୁଦ୍ଧା ଏହି ଆମୋଇବା ଯୋଗୁ ୧୯ଜଣଙ୍କ ମୃତ୍ୟୁ ଘଟିଥିବାବେଳେ ୬୧ ଜଣ ସଂକ୍ରମିତ ହୋଇଥିବା ସୂଚନା ମିଳିଛି। ବିଶେଷ କରି କୋଝିକୋଡ ଓ ମାଲାପୁରମ ଜିଲ୍ଲାରେ ଏହି ରୋଗ ବିସ୍ତାରିତ ହେବାରେ ଲାଗିଛି। ଏହି ଆମୋଇବା ସୁସ୍ଥ ଶିଶୁ ଓ କିଶୋରମାନଙ୍କୁ ଆକ୍ରମଣ କରିଥାଏ। ବଡ଼କଥା ହେଉଛି ଏହି ରୋଗକୁ ଚିହ୍ନଟ କରିବା କଷ୍ଟସାଧ୍ୟ ହୋଇଥିବାରୁ ମୃତ୍ୟୁ ସଂଖ୍ୟା ଅଧିକ ହୋଇଥାଏ। ଏହାକୁ ରୋକିବା ଲାଗି ଜାତୀୟ ରୋଗ ନିୟନ୍ତ୍ରଣ କେନ୍ଦ୍ର ସହ କେରଳ ସ୍ବାସ୍ଥ୍ୟ ବିଭାଗ ସମନ୍ବୟ ରକ୍ଷା କରି ପଦକ୍ଷେପ ନେଉଥିବା ସୂଚନା ମିଳିଛି।
ବିହାର ପରେ ଦିଲ୍ଲୀରେ ହେବ ସ୍ବତନ୍ତ୍ର ଭୋଟର ତାଲିକା ସଂଶୋଧନ
ବିହାର ପରେ ଦିଲ୍ଲୀରେ ହେବ ସ୍ବତନ୍ତ୍ର ଭୋଟର ତାଲିକା ସଂଶୋଧନ ବା ଏସଆଇଆର। ଏନେଇ ପ୍ରସ୍ତୁତି ଆରମ୍ଭ କରିଛନ୍ତି ନିର୍ବାଚନ କମିଶନ। ଖୁବ୍ ଶୀଘ୍ର ତାରିଖ ଘୋଷଣା ହେବ ବୋଲି ସୂଚନା ମିଳିଛି। ଭୋଟର ତାଲିକାକୁ ନିର୍ଭୁଲ ଓ ଅନ୍ତର୍ଭୁକ୍ତିକରଣ ସଂକ୍ରାନ୍ତ ସାମ୍ବିଧାନିକ କର୍ତ୍ତବ୍ୟ ସମ୍ପାଦନ କରିବା ଲାଗି ନିର୍ବାଚନ କମିଶନ ଏହି ପଦକ୍ଷେପ ନେବେ। ଦିଲ୍ଲୀ ମୁଖ୍ୟ ନିର୍ବାଚନ ଅଧିକାରୀ କହିଛନ୍ତି- ୨୦୦୨ ଭୋଟର ତାଲିକାରେ ଯେଉଁମାନଙ୍କ ନାମ ସ୍ଥାନୀତ ହୋଇନାହିଁ ସେମାନେ ଉପଯୁକ୍ତ ପରିଚୟ ପ୍ରମାଣପତ୍ର ଦାଖଲ କରି ଭୋଟର ତାଲିକାରେ ନାମ ଅନ୍ତର୍ଭୁକ୍ତ କରିପାରିବେ। ଗତ ମାସରେ ମୁଖ୍ୟ ନିର୍ବାଚନ କମିଶନର ଜ୍ଞାନେଶ କୁମାର କହିଥିଲେ- ଦେଶବ୍ୟାପୀ ଏସଆଇଆର କରିବା ପ୍ରସଙ୍ଗରେ ଖୁବ୍ ଶୀଘ୍ର ଘୋଷଣା କରାଯିବ। ଦିଲ୍ଲୀ ସିଇଓ ନିଜର ୱେବସାଇଟରେ ୨୦୦୨ର ଭୋଟର ତାଲିକା ଅନଲାଇନରେ ଅପଲୋଡ ବି କରିଛନ୍ତି। ଜିଲ୍ଲା ନିର୍ବାଚନ ଅଧିକାରୀ, ଭୋଟର ପଞ୍ଜିକରଣ ଅଧିକାରୀ, ବୁଥସ୍ତରୀୟ ଅଧିକାରୀ ବା ବିଏଲଓମାନଙ୍କୁ ପ୍ରଶିକ୍ଷଣ ଦେବା ଲାଗି ପ୍ରକ୍ରିୟା ଆରମ୍ଭ ହୋଇଛି ବୋଲି ସେ କହିଛନ୍ତି। ସେପଟେ ବିହାର ଭୋଟର ତାଲିକା ପ୍ରସଙ୍ଗରେ ଆସନ୍ତା ଅକ୍ଟୋବର ୭ରେ ଚୂଡ଼ାନ୍ତ ଶୁଣାଣି କରିବେ ସୁପ୍ରିମକୋର୍ଟ। ବିହାର ଏସଆଇଆର ପ୍ରକ୍ରିୟାରେ ଆଧାର କାର୍ଡ ବୈଧ ପ୍ରମାଣପତ୍ର ବୋଲି ସୁପ୍ରିମକୋର୍ଟ କହିଥିବାବେଳେ ଏହାକୁ ନେଇ ନାଚାର ଅଛନ୍ତି ନିର୍ବାଚନ କମିଶନ।
ହ୍ୟାଣ୍ଡଶେକ ବିବାଦ ମଧ୍ୟରେ ପୁଣି ହେବ ଭାରତ-ପାକିସ୍ତାନ ମ୍ୟାଚ, ସ୍ଥିର ହେଲା ତାରିଖ
ଏସିଆ କପ ୨୦୨୫ରେ ଭାରତ ଓ ପାକିସ୍ତାନ ଟିମ ମଧ୍ୟରେ ପୁଣି ଥରେ ମୁକାବିଲା ହେବ । ଉଭୟ ଟିମ୍ ସୁପର-୪ ରାଉଣ୍ଡ ପାଇଁ କ୍ବାଲିଫାଏ କରିଛନ୍ତି । ଦୁଇ ଟିମ୍ ମଧ୍ୟରେ ହେବାକୁ ଥିବା ମୁକାବିଲାର ତାରିଖ ଧାର୍ଯ୍ୟ କରାଯାଇଛି । ଭାରତୀୟ ଟିମ୍ ଗ୍ରୁପ ଷ୍ଟେଜ ମ୍ୟାଚ ପରେ ପାକିସ୍ତାନୀ ଖେଳାଳିଙ୍କ ସହ ହାତ ମିଳାଇନଥିଲା । ତା’ପରେ ଦୁଇ ଦେଶ ମଧ୍ୟରେ ବିବାଦ ଉଗ୍ର ରୂପ ନେଇଥିଲା । ଏହି ଘଟଣା ପରେ ପାକିସ୍ତାନ ଟୁର୍ଣ୍ଣାମେଣ୍ଟର ବୟକଟ କରିବାକୁ ଧମକ ଦେଇଥିଲା । ଉକ୍ତ ବିବାଦ କାରଣରୁ ୟୁଏଇ-ପାକିସ୍ତାନ ମ୍ୟାଚ ବିଳମ୍ବରେ ହୋଇଥିଲା । ଉକ୍ତ ବିବାଦ ଶାନ୍ତ ପଡ଼ିନଥିବା ବେଳେ ପୁଣି ଥରେ ଦୁଇ ଦେଶ ମୁହାଁମୁହିଁ ହେବାକୁ ଯାଉଛନ୍ତି ।
ଆସନ୍ତା ୨୧ ତାରିଖରେ ଦୁବାଇ ଇଣ୍ଟରନ୍ୟାସନାଲ କ୍ରିକେଟ ଷ୍ଟାଡିୟମରେ ଦୁଇ ଟିମ୍ ପୁଣି ଥରେ ମୁହାଁମୁହିଁ ହେବେ । ଗ୍ରୁପ ଷ୍ଟେଜରେ ଟିମ୍ ଇଣ୍ଡିଆ ବର୍ତ୍ତମାନ ସୁଦ୍ଧା ୨ଟି ମ୍ୟାଚ ଖେଳି ଦୁଇଟିରେ ବିଜୟୀ ହୋଇ ଟପରେ ରହିଛି । ଅନ୍ୟପକ୍ଷରେ ପାକିସ୍ତାନ ୩ଟି ମ୍ୟାଚରୁ ୨ଟିରେ ଜିତି ଦ୍ବିତୀୟ ସ୍ଥାନରେ ରହିଛି । ୟୁଏଇ ୩ଟି ମ୍ୟାଚରେ ୧ଟିରେ ଜିତି ନିଜର ଅଭିଯାନ ସମାପ୍ତ କରିଛି । ଓମାନ ଭାରତ ବିପକ୍ଷରେ ନିଜର ଅନ୍ତିମ ମ୍ୟାଚ ଖେଳିବାକୁ ଥିବାବେଳେ ସୁପର-୪ ରେସ ପୂର୍ବରୁ ହିଁ ବିଦାୟ ନେଇଛି । ପ୍ରଥମ ଦୁଇଟି ମ୍ୟାଚରେ ଓମାନକୁ ପରାଜୟବରଣ କରିବାକୁ ପଡ଼ିଛି ।
ଆଜି ଫ୍ରାନ୍ସରେ ପୁଣି ହେବ ଜୋରଦାର ପ୍ରତିବାଦ
ଆଜି ଫ୍ରାନ୍ସରେ ପୁଣି ହେବ ଜୋରଦାର ପ୍ରତିବାଦ। ପ୍ରାୟ ୮ ଲକ୍ଷ ଜନତାଙ୍କ ସମାଗମ ହେବା ସମ୍ଭାବନା ରହିଛି। ଦେଶବ୍ୟାପୀ ପ୍ରତିବାଦ ଲାଗି ପ୍ରସ୍ତୁତ ହେଉଛି ଫ୍ରାନ୍ସ।ରାଜରାସ୍ତାକୁ ପ୍ରାୟ 8 ଲକ୍ଷରୁ ଅଧିକ ଲୋକ ଓହ୍ଲାଇବା ଆଶଂକା କରିଛି ପ୍ରଶାସନ। ଫ୍ରାନ୍ସର ବୃଦ୍ଧି ପାଉଥିବା ଋଣକୁ ହ୍ରାସ କରିବା ପାଇଁ କର୍ତ୍ତୃପକ୍ଷଙ୍କ ଡ୍ରାଫ୍ଟ ବଜେଟ୍ ବିରୋଧରେ ପ୍ରତିବାଦ କରିବାକୁ ଟ୍ରେଡ୍ ୟୁନିଅନମାନେ ଫ୍ରାନ୍ସବାସୀଙ୍କୁ ଅନୁରୋଧ କରିଛନ୍ତି।ଆନ୍ଦୋଳନ ଦ୍ଵାରା ସଡ଼କ ପରିବହନ, ରେଳ ଓ ବିମାନ ସେବା ବାଧାପ୍ରାପ୍ତ ହେବା ସହ ଅନେକ ସ୍କୁଲ ବନ୍ଦ ରହିବା ଆଶଙ୍କା କରାଯାଉଛି।ରାଷ୍ଟ୍ରପତି ଇମାନୁଏଲ ମାକ୍ରନ ଗତ ସପ୍ତାହରେ ଦେଖାଦେଇଥିବା ରାଜନୈତିକ ସଙ୍କଟର ସମାଧାନ ପାଇଁ ଘନିଷ୍ଠ ସହଯୋଗୀ ସେବାଷ୍ଟିଏନ ଲେକୋର୍ନୁଙ୍କୁ ନୂତନ ପ୍ରଧାନମନ୍ତ୍ରୀ ଭାବରେ ନିଯୁକ୍ତ କରିଥିଲେ। ଏହାପରେ ଯୋଜନାବଦ୍ଧ ଭାବେ ଆନ୍ଦୋଳନକାରୀଙ୍କ ପକ୍ଷରୁ ଏହି ପ୍ରଦର୍ଶନ କରିବାକୁ ସ୍ଥିର କରାଯାଇଛି।ରାଜନୈତିକ ଅଚଳାବସ୍ଥା ଏବଂ ଦରବୃଦ୍ଧି ନେଇ ଲୋକଙ୍କ ମଧ୍ୟରେ ଆକ୍ରୋଶ ବୃଦ୍ଧି ପାଉଥିବାରୁ ପ୍ରତିବାଦକାରୀ ଜନତାଙ୍କୁ ରାସ୍ତାକୁ ଆଣିବା ପାଇଁ ଟ୍ରେଡ୍ ୟୁନିଅନଗୁଡ଼ିକ ଆହ୍ଵାନ କରିଛନ୍ତି।ଆଜି ଦେଶର ବିଭିନ୍ନ ସ୍ଥାନରେ 250 ଶୋଭାଯାତ୍ରା ହେବା ନେଇ ଆଶଂକା କରାଯାଇଛି। ଏଥିରେ ସାମିଲ ହୋଇପାରନ୍ତି ୮ ଲକ୍ଷରୁ ଅଧିକ ଜନତା। ଏହା ପୂର୍ବରୁ ୨୦୨୩ରେ ଫ୍ରାନ୍ସରେ ସମାନ ଆନ୍ଦୋଳନ ହୋଇଥିଲା। ବିବାଦୀୟ ପେନସନ ସଂସ୍କାର ବିରୁଦ୍ଧରେ ପ୍ରାୟ ୧୦ ଲକ୍ଷରୁ ଅଧିକ ଲୋକ ବିକ୍ଷୋଭ ପ୍ରଦର୍ଶନ କରିଥିଲେ।ସ୍ଥିତିକୁ ନେଇ ଫ୍ରାନ୍ସ ସରକାରଙ୍କ ପକ୍ଷରୁ କଡା ସୁରକ୍ଷା ବନ୍ଦୋବସ୍ତ କରାଯାଇଛି। ସାରା ଦେଶରେ ପ୍ରାୟ ୮୦ ହଜାରରୁ ଅଧିକ ପୋଲିସ ମୁତୟନ ହେବେ।

