spot_img
Home Blog Page 470

ଯଦି ରାଜସ୍ଥାନକୁ ଯିବେ ଜାଡେଜା, ଜୟସ୍ବାଲଙ୍କ ପାଇଁ ହେବ କି ଅସୁବିଧା ?

ନନ୍ଦିଘୋଷ ବ୍ୟୁରୋ: ଆସନ୍ତା ଆଇପିଏଲ ସିଜିନ ଲାଗି ଏବେଠାରୁ ଆରମ୍ଭ ହୋଇଛି ଚର୍ଚ୍ଚା । ସମସ୍ତ ଫ୍ରାଞ୍ଚାଇଜ୍ ନିଜକୁ ମଜବୁତ କରିବା ଲାଗି ଆରମ୍ଭ କରିଛନ୍ତି ପ୍ରୟାସ । ନିଲାମୀ ଆରମ୍ଭ ହେବା ପୂର୍ବରୁ ରାଜସ୍ଥାନ ଏବଂ ଚେନ୍ନାଇ ମଧ୍ୟରେ ହେଉଥିବା ଚର୍ଚ୍ଚା ବେଶ ଗୁରୁତ୍ବ ବହନ କରୁଛି । ଯଦିଓ ଅଫିସିଆଲି ଏଯାବତ କୌଣସି ଘୋଷଣା ହୋଇନାହିଁ । ମାତ୍ର ଜାଡେଜା ରାଜସ୍ଥାନ ରୟାଲ୍ସକୁ ଯାଉଥିବାବେଳେ ସାମସନ ଚେନ୍ନାଇକୁ ଆସିବେ ।

କୁହାଯାଉଛି କି, ଜାଡେଜାଙ୍କ ଅଭିଜ୍ଞତା ଲାଗି ରାଜସ୍ଥାନ ତାଙ୍କୁ ଅଧିନାୟକ ପଦ ଦେଇପାରେ । ସେପଟେ କୁହାଯାଉଥିଲା କି, ଚଳିତ ସିଜିନରେ ପରାଗ କିମ୍ବା ଜୟସ୍ବାଲ ରାଜସ୍ଥାନର ଅଧିନାୟକ ପଦ ସମ୍ଭାଳିପାରନ୍ତି । ଏପରିକି ଏକ ଇଣ୍ଟରଭିୟ୍ୟୁ ସମୟରେ ଜୟସ୍ବାଲ ଅଧିନାୟକ ହେବାକୁ ଇଛା ରଖିଥିବା ମଧ୍ୟ ପ୍ରକାଶ କରିଛନ୍ତି । ତେବେ ଜାଡେଜାଙ୍କୁ ଯଦି ଅଧିନାୟକ କରିବ ତାହେଲେ ଏହି ଦୁଇ ଖେଳାଳିଙ୍କ ଆଶା ଏକପ୍ରକାର ମଉଳି ଯିବ । ଅନ୍ୟପଟେ ଜାଡେଜା ପୂର୍ବରୁ ସିଏସକେ ପାଇଁ ଅଧିନାୟକ ଭାବେ ଖେଳିଛନ୍ତି । ମାତ୍ର ଅଧିନାୟକ ଭାବେ ତାଙ୍କ ରେକର୍ଡ ଭଲ ନାହିଁ । ଏଣୁ ଆଗାମୀ ଦିନରେ କଣ ନିଷ୍ପତ୍ତି ହେଉଛି ଏହା ଉପରେ ରହିଛି କ୍ରୀଡ଼ାପ୍ରେମୀଙ୍କ ନଜର ।

ଦିଲ୍ଲୀ ବ୍ଲାଷ୍ଟକୁ ନେଇ ବଡ଼ ଖୁଲାସା: ତୁର୍କିରେ ଜୈଶ ହ୍ୟାଣ୍ଡଲରଙ୍କୁ ଭେଟିଥିଲା ମୁଜମ୍ମିଲ ଓ ଉମର

ଦିଲ୍ଲୀ ବ୍ଲାଷ୍ଟକୁ ନେଇ ବଡ଼ ଖୁଲାସା: ତୁର୍କିରେ ଜୈଶ ହ୍ୟାଣ୍ଡଲରଙ୍କୁ ଭେଟିଥିଲେ ମୁଜମ୍ମିଲ ଓ ଉମର

ନନ୍ଦିଘୋଷ ବ୍ୟୁରୋ: ଦିଲ୍ଲୀ ବିସ୍ଫୋରଣର ସନ୍ଧିଗ୍ଧ ଉମର ମୋହମ୍ମଦ ଓ ମୁଜମ୍ମିଲ ଶକିଲକୁ ନେଇ ବଡ଼ ଅପଡେଟ୍ ସମ୍ମାନକୁ ଆସିଛି । ଦିଲ୍ଲୀ ବ୍ଲାଷ୍ଟ ପୂର୍ବରୁ ଉମୟ ତୁର୍କି ଯାଇଥିଲେ । ସେଠାରେ ସେମାନେ ଜୈଶ ଏ ମୋହମ୍ମଦର ହ୍ୟାଣ୍ଡଲରକୁ ଭେଟିଥିବାର କୁହାଯାଉଛି । ଗୁଇନ୍ଦା ସଂସ୍ଥା ଉଭୟଙ୍କ ତୁର୍କି ଯାତ୍ରାକୁ ନେଇ ଅଧିକରୁ ଅଧିକ ତଥ୍ୟ ଜୋଟାଇବାରେ ଲାଗିଛି ।

ତଥ୍ୟ ଅନୁସାରେ, ଉଭୟଙ୍କ ପାସେପାର୍ଟରେ ତୁର୍କି ଷ୍ଟାମ୍ପ ଲାଗିଥିବା ଦେଖିବାକୁ ମିଳିଛି । ଏମିତିରେ କୁହାଯାଉଛି, ଗ୍ରୁପ୍ ବନାଇବା ପୂର୍ବରୁ ଉଭୟ ତୁର୍କି ଯାତ୍ରା କରିଥିଲେ । ଯେଉଁଠି ସେମାନେ ଜୈଶ ହ୍ୟାଣ୍ଡଲରକୁ ଭେଟି ପ୍ଲାନକୁ ଆଗକୁ ବଢ଼ାଇଥିଲେ ।

ତୁର୍କି ଜୈଶ ହ୍ୟାଣ୍ଡଲରଙ୍କ ପାଇଁ ସ୍ବର୍ଗ

ପାକିସ୍ତାନର ଅଧିକ ନକଟତର କୌଣସି ଦେଶ ଯଦି ଥାଏ, ତେବେ ସେ ହେଉଛି ତୁର୍କି । ଅପରେସନ ସିନ୍ଦୂର ସମୟରେ ତୁର୍କି ଖୋଲାଖୋଲି ଭାବେ ପାକିସ୍ତାନ ସମର୍ଥନରେ ବାହାରିଥିଲା । ଭାରତ ବିରୋଧରେ ଲଢ଼େଇ ପାଇଁ ତୁର୍କି ପାକିସ୍ତାନକୁ ଡ୍ରୋନ ଓ ଅସ୍ତ୍ରଶସ୍ତ୍ର ଦେଇଥିଲା । ଏହି କାରଣରୁ ତୁର୍କି ଜୈଶ ହ୍ୟାଣ୍ଡଲରଙ୍କ ପାଇଁ ସବୁଠାରୁ ସୁରକ୍ଷିତ ସ୍ଥାନ ପାଲଟିଛି । କାରଣ ଏଠିକାର ସରକାର ପାକିସ୍ତାନର ଏହି ପାଳତୁ ଆତଙ୍କବାଦୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେବା କଥା ଛାଡନ୍ତୁ, ଏମାନଙ୍କୁ ପାଖରେ ରଖି ଜ୍ମାଇଁ ପୁଅ ଭଳି ସୁବିଧା ଯୋଗାଉଛି ।

ଦିଲ୍ଲୀ ବ୍ଲାଷ୍ଟ ସହ ଜୈଶ ଲିଙ୍କ୍

ଦିଲ୍ଲୀ ବ୍ଲାଷ୍ଟର ଯାଞ୍ଚ ଏନଆଇଏ କରୁଛି । ଏହି ମାମଲାରେ ସନ୍ଧିଗ୍ଧଙ୍କ ଉପରେ ନଜର ରଖାଯାଇଛି । ଫରିଦାବାଦରୁ ଡକ୍ତର ମୁଜମ୍ମିଲ ଶକିଲ ଏବଂ ଲକ୍ଷ୍ନୌରୁ ମହିଳା ଡକ୍ତର ଶାହିନା ଶାହିଦଙ୍କୁ ଗିରଫ କରାଯାଇଛି । ଶାହିନା ଜୈଶର ମହିଳା ବ୍ରିଗେଡ ପାଇଁ କାମ କରୁଥିବା କୁହାଯାଉଛି । ନିକଟ ଅତୀତରେ ଜୈଶ ମୁଖ୍ୟ ମସୁଦ ଅଜହର ନିଜ ଭଉଣୀକୁ ମହିଳା ବ୍ରିଗେଡ ଦାୟିତ୍ବ ଦେଇଥିଲା । ତେବେ ଦିଲ୍ଲୀ ବ୍ଲାଷ୍ଟରେ ଜୈଶର ସମ୍ପୃକ୍ତି ନେଇ ବର୍ତ୍ତମାନ ପର୍ଯ୍ୟନ୍ତ ଭାରତର କୌଣସି ଯାଞ୍ଚ ଏଜେନ୍ସି ସ୍ପଷ୍ଟ କରିନାହାନ୍ତି ।

କେମିତି ରାଡାରକୁ ଆସିଲେ ଏହି ଗ୍ୟାଙ୍ଗ ?

ଜମ୍ମୁ ଓ କାଶ୍ମୀର ପୋଲିସ କିଛି ଦିନ ପୂର୍ବେ ସହାରନପୁରରୁ ମୋହମ୍ମଦ ଆଦିଲ ନାମକ ଜଣେ ବ୍ୟକ୍ତିଙ୍କୁ ଗିରଫ କରିଥିଲା । ପଚରାଉଚରା ବେଳେ ଆଦିଲ ପାଖରୁ ମିଳିଥିବା ସୂଚନାକୁ ଆଧାର କରି ଶକିଲ ଠକଣାରେ ଚଢ଼ାଉ କରାଯାଇଥିଲା । ଏବେ ତଦନ୍ତକାରୀ ସଂସ୍ଥା ଆଦିଲ, ଶକିଲ, ଶାହିନ ଓ ପରଓ୍ବେଜକୁ ନେଇ ଥିବା ନେଟଓ୍ବର୍କକୁ ଯାଞ୍ଚ କରୁଛି । କୁହାଯାଉଛି ହ୍ବାଇଟ୍ କିଲର ମଡ୍ୟୁଲ ଶିକ୍ଷିତ ଡକ୍ତରଙ୍କ ଜରିଆରେ କାମ କରୁଥିଲା । ଏମାନେ ନିଯୁକ୍ତି ଓ ଫଣ୍ଡିଂ କାମ କରୁଥିଲେ ।

ଗୋଟିଏ ଦିନ ବଢ଼ିଲା କଟକ ବାଲିଯାତ୍ରା ଅବଧି, ୧୩ ତାରିଖରେ ଉଦଯାପନ

ଗୋଟିଏ ଦିନ ବଢ଼ିଲା କଟକ ବାଲିଯାତ୍ରା ଅବଧି, ୧୩ ତାରିଖରେ ଉଦଯାପନ

ନନ୍ଦିଘୋଷ ବ୍ୟୁରୋ: ଆଜି ସରିବାକୁ ଥିବା ଐତିହାସିକ କଟକ ବାଲିଯାତ୍ରାର ଅବଧି ଆଉ ଗୋଟିଏ ଦିନ ବୃଦ୍ଧି କରାଯାଇଛି । ଆଜି ଅର୍ଥାତ ୧୨ ତାରିଖ ବଦଳରେ ଆସନ୍ତାକାଲି ୧୩ ତାରିଖରେ ହେବ ଉଦଯାପିତ । ଏନେଇ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଘୋଷଣା କରିଛନ୍ତି ।

ବାଲିଯାତ୍ରା ପ୍ରତି ସାଧାରଣ ଲୋକଙ୍କ ଆକର୍ଷଣ ଓ ଆଗ୍ରହ ତଥା ମେଳାରେ ବ୍ୟବସାୟୀଙ୍କ କାରବାରକୁ ନଜରରେ ରଖି ମୁଖ୍ୟମନ୍ତ୍ରୀ ଏହାର ଅବଧି ବୃଦ୍ଧି କରିଛନ୍ତି । ସେପଟେ ବାଲିଯାତ୍ରାରେ ଦିନକୁ ଦିନ ଲୋକଙ୍କ ଗହଳି ବଢ଼ିବାରେ ଲାଗିଛି । ଲୋକେ ଖାଇବା, ପିଇବାର ମଜା ନେବା ସହ ମୀନାବଜାରରେ ମନ ଭରି କିଣିକିଣି କରୁଛନ୍ତି । ଏହାସହ ବିଭିନ୍ନ ପ୍ରକାରର ଦୋଳି ଓ ଅନ୍ୟ ଖେଳ ଲାଗିଥିବା ସ୍ଥାନରେ ଲୋକଙ୍କ ଭିଡ଼ ଲାଗୁଛି । ସେହିପରି ଘୋଡ଼ା ଓ ଓଟରେ ମହାନଦୀର ବାଲୁକା ରାଶିରେ ବୁଲିବାର ମଜା ବି ଭରପୁର ଉଠାଉଛନ୍ତି ଲୋକେ ।

ଅପରେସନ୍ ସିନ୍ଦୂର୍ ପରେ ୨୦ ଯୁଦ୍ଧାଭ୍ୟାସ, ମୋଦୀଙ୍କ ଇଂରାଜୀରେ ପୁନର୍ବାର କଡ଼ା ସନ୍ଦେଶର କ’ଣ ଅର୍ଥ ?

ଅପରେସନ୍ ସିନ୍ଦୂର୍ ପରେ ୨୦ ଯୁଦ୍ଧାଭ୍ୟାସ, ମୋଦୀଙ୍କ ଇଂରାଜୀରେ ପୁନର୍ବାର କଡ଼ା ସନ୍ଦେଶର କ’ଣ ଅର୍ଥ

ନୂଆଦିଲ୍ଲୀ: ଲାଲକିଲ୍ଲା ବିସ୍ଫୋରଣର ତାର ଧିରେ ଧିରେ ପାକିସ୍ତାନ୍ ସହ ଯୋଡ଼ି ହେବାରେ ଲାଗିଲାଣି । ତଦନ୍ତ ଏଜେନ୍ସିଗୁଡ଼ିକ ସବୁ ତାର ଯୋଡ଼ୁଛନ୍ତି, ଯାହାର ଗୋଟିଏ ମୁଣ୍ଡ ପାକିସ୍ତାନର ଆତଙ୍କବାଦୀ ସଂଗଠନ ଜୈଶ-ଏ-ମହମ୍ମଦ ପର୍ଯ୍ୟନ୍ତ ଯାଉଛି । ଏହି ପରିସ୍ଥିତିରେ ବଡ଼ ପ୍ରଶ୍ନ ଉଠୁଛି ଯେ ଯଦି ଆତଙ୍କବାଦୀ ଆକ୍ରମଣର ନିଶ୍ଚିତକରଣ ହୁଏ, ତେବେ ଭାରତ ଅପରେସନ୍ ସିନ୍ଦୂର୍ ୨.୦ ସହ କଡ଼ା ଉତ୍ତର ଦେବ କି ? ଏସବୁ ମଧ୍ୟରେ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ‘ଦୋଷୀମାନଙ୍କୁ ଛାଡ଼ିବୁ ନାହିଁ’ ବୟାନ ମଧ୍ୟ ଅର୍ଥପୂର୍ଣ୍ଣ, ଯାହା ସେ ଭୂଟାନ୍ ଭୂମିରୁ ଇଂରାଜୀରେ ଦେଇଥିଲେ । ଅପରେସନ୍ ସିନ୍ଦୂର୍ ପୂର୍ବରୁ ମଧ୍ୟ ପିଏମ୍ ମୋଦୀ ଏକାଧିକ ଇଂରାଜୀ ବୟାନ ଦେଇଥିଲେ । ସରଳ ଭାଷାରେ ଏହି ସନ୍ଦେଶକୁ ମଧ୍ୟ ବୁଝିବା ।

ଭାରତ-ପାକିସ୍ତାନ୍ କ’ଣ ଆଉ ଏକ ଯୁଦ୍ଧ ଆଡ଼କୁ ବଢ଼ୁଛନ୍ତି ?

ୟୁରେସିଆନ୍ ଟାଇମ୍ସରେ ପ୍ରକାଶିତ ଏକ ଲେଖା ଅନୁଯାୟୀ, ଦୁଇ ଦେଶ ମଧ୍ୟରେ ପରବର୍ତ୍ତୀ ପର୍ଯ୍ୟାୟର ଶତ୍ରୁତାର ଅଶୁଭ ସଙ୍କେତ ସମସ୍ତଙ୍କ ସାମ୍ନାରେ ଅଛି । ପ୍ରକୃତରେ, ଏହି ବର୍ଷ ମେ’ ମାସ ଠାରୁ ଏପର୍ଯ୍ୟନ୍ତ ହୋଇଥିବା ସାମରିକ ଘଟଣାକ୍ରମଗୁଡ଼ିକର ସାଧାରଣ ଉଲ୍ଲେଖ କରିଲେ ଏହା ସ୍ପଷ୍ଟ ହେବ ଯେ ଦୁଇ ଦେଶ ଯୁଦ୍ଧ ଆଡ଼କୁ ବଢ଼ୁଛନ୍ତି, ତେଣିକି ତାହା ବାରମ୍ବାର ହେଉଥିବା ସାମରିକ ଅଭ୍ୟାସ ହେଉ, ବାରମ୍ବାର ହେଉଥିବା ଅସ୍ତ୍ରଶସ୍ତ୍ର ପରୀକ୍ଷଣ ହେଉ, ବାରମ୍ବାର ନୋଟାମ୍ ଘୋଷଣା ହେଉ କିମ୍ବା ସୈନ୍ୟ ଏବଂ ନାଗରିକ ନେତୃତ୍ୱ ଉଭୟରୁ ଆସୁଥିବା ବୟାନ ହେଉ ।

ପିଏମ୍ ମୋଦୀଙ୍କ ଇଂରାଜୀରେ ଭାଷଣ ଦେବାର ଅର୍ଥ

ଭୂଟାନ୍ ଗସ୍ତ ସମୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଦିଲ୍ଲୀ ବମ୍ ବିସ୍ଫୋରଣ ସମ୍ପର୍କରେ କଡ଼ା ଚେତାବନୀ ଦେଇ କହିଛନ୍ତି- ଭାରତୀୟ ତଦନ୍ତ ଏଜେନ୍ସିଗୁଡ଼ିକ ଏହି ଷଡ଼ଯନ୍ତ୍ରର ମୂଳ ପର୍ଯ୍ୟନ୍ତ ଯିବେ ଏବଂ ଦୋଷୀମାନଙ୍କୁ ଛାଡ଼ା ଯିବ ନାହିଁ । ସେ ହିନ୍ଦୀରେ କହୁଥିଲେ, କିନ୍ତୁ ହଠାତ୍ ଇଂରାଜୀରେ ଜୋର ଦେଇ କହିଛନ୍ତି ଯେ ‘ସମସ୍ତ ଦାୟୀ ଲୋକଙ୍କୁ ନ୍ୟାୟର କାଠଗଡ଼ାକୁ  ଆଣାଯିବ’ । ଏହି ବର୍ଷ ପହେଲଗାମ୍ ଆକ୍ରମଣ ପରେ ମଧ୍ୟ ପିଏମ୍ ମୋଦୀ ବିହାରର ମଧୁବନୀରେ କହିଥିଲେ ଯେ ଭାରତ ଆତଙ୍କବାଦୀ ଏବଂ ତାଙ୍କ ସମର୍ଥକଙ୍କୁ ଖୋଜି, ଧରିବ ଏବଂ ଦଣ୍ଡ ଦେବ । ଏହି ସମୟରେ ମଧ୍ୟ ସେ ଭାଷଣ ଦେଉଥିବା ବେଳେ ହଠାତ୍ ହିନ୍ଦୀରୁ ଇଂରାଜୀରେ କିଛି ଧାଡ଼ି କହିଥିଲେ । ସେତେବେଳେ ମଧ୍ୟ ସେ କହିଥିଲେ- ଆଜି ବିହାର ଭୂମିରୁ ମୁଁ ସମଗ୍ର ବିଶ୍ୱକୁ କହୁଛି, ଭାରତ ପ୍ରତ୍ୟେକ ଆତଙ୍କବାଦୀ ଏବଂ ତାଙ୍କ ପୃଷ୍ଠପୋଷକଙ୍କୁ ଚିହ୍ନଟ କରିବ, ଟ୍ରାକ୍ କରିବ ଏବଂ ଦଣ୍ଡ ଦେବ । ଆମେ ସେମାନଙ୍କୁ ପୃଥିବୀର ଯେକୌଣସି କୋଣରେ ଖୋଜିବୁ… । ଅର୍ଥାତ୍ ଭାରତ ପ୍ରତ୍ୟେକ ଆତଙ୍କବାଦୀ ଏବଂ ତାଙ୍କ ମାଲିକଙ୍କୁ ଚିହ୍ନଟ କରିବ, ସେମାନଙ୍କୁ ଖୋଜିବ ଏବଂ ସେମାନଙ୍କୁ ଦଣ୍ଡ ଦେବ । ଆମେ ସେମାନଙ୍କୁ ପୃଥିବୀର ଯେକୌଣସି କୋଣରୁ ଧରିବୁ ।’ ଏହା ପରେ ହିଁ ଅପରେସନ୍ ସିନ୍ଦୂର୍ ହୋଇଥିଲା ।

ବଡ଼ ପ୍ରଶ୍ନ: ପ୍ରଥମ ଗୁଳି କିଏ ଚଳାଇବ ?

ଲେଖା ଅନୁଯାୟୀ, ଭାରତ-ପାକିସ୍ତାନ୍ ଯୁଦ୍ଧର ପରବର୍ତ୍ତୀ ପର୍ଯ୍ୟାୟର ପ୍ରସ୍ତୁତି ୧୦ ମେ’ରେ ହଠାତ୍ ଯୁଦ୍ଧବିରତି ଘୋଷଣା ପରେ ହିଁ ଜୋର୍-ଶୋରକେ ଚାଲିଥିଲା । ଚାରି ଦିନ ଧରି ଚାଲିଥିବା ସାମରିକ ସଂଘର୍ଷ ପରେ, ଯେଉଁଥିରେ ୧୯୭୧ ପରେ ଦୁଇ ଦେଶ ମଧ୍ୟରେ ସବୁଠାରୁ ବଡ଼ ବାୟୁ ଯୁଦ୍ଧ ହୋଇଥିଲା, ଏବଂ ଉଭୟ ପକ୍ଷ ପରସ୍ପର ଉପରକୁ ମିସାଇଲ୍ ଏବଂ ଡ୍ରୋନ୍ ଦ୍ୱାରା ଆକ୍ରମଣ କରିଥିଲେ । ଏହି ପରିସ୍ଥିତିରେ ଲାଲକିଲ୍ଲା ନିକଟରେ ହୋଇଥିବା ବିସ୍ଫୋରଣ ଏହି ଉତ୍ତେଜନାକୁ ଆହୁରି ବଢ଼ାଇ ପାରେ । ଦୁଇ ପରମାଣୁ ଅସ୍ତ୍ରଶସ୍ତ୍ର ସମ୍ପନ୍ନ ଦେଶ ମଧ୍ୟରେ ଯୁଦ୍ଧର ରେଖା ପୂର୍ବରୁ ହିଁ ଅଙ୍କାଯାଇଛି । ଏବେ ପ୍ରକୃତ ପ୍ରଶ୍ନ ପ୍ରଥମେ କିଏ ଗୁଳି ଚଳାଇବ ?

ଅପରେସନ୍ ସିନ୍ଦୂର୍ ପରେ ଭାରତ କରିଛି ୨୦ ଯୁଦ୍ଧାଭ୍ୟାସ

ଭାରତ ଯୁଦ୍ଧବିରତି ଘୋଷଣା ପରେ ୬ ମାସରେ ପ୍ରାୟ ୨୦ ଯୁଦ୍ଧାଭ୍ୟାସରେ ଅଂଶଗ୍ରହଣ କରିଛି । ଏହା ମାସିକ ହାରାହାରି ୩ରୁ ଅଧିକ କିମ୍ବା ପ୍ରତି ୧୦ ଦିନରେ ୧ । ଏଗୁଡ଼ିକ ମଧ୍ୟରୁ ଅନେକ ବହୁପାକ୍ଷିକ କିମ୍ବା ଦ୍ୱିପାକ୍ଷିକ ଯୁଦ୍ଧାଭ୍ୟାସ ପୂର୍ବରୁ ନିର୍ଦ୍ଧାରିତ ଥିଲା । ତଥାପି, ଅନେକ ଯୁଦ୍ଧାଭ୍ୟାସ ଅପରେସନ୍ ସିନ୍ଦୂର୍ ପରେ ପରିବର୍ତ୍ତିତ ପରିସ୍ଥିତିକୁ ଧ୍ୟାନରେ ରଖି ଯୋଜନା କରାଯାଇଥିଲା । ପ୍ରଥମ ଯୁଦ୍ଧ ଅଭ୍ୟାସ ୧୦ ମେ’ର ଯୁଦ୍ଧବିରତିର ଠିକ୍ ଏକ ପକ୍ଷ ପରେ ଆରମ୍ଭ ହୋଇଥିଲା । ୨୬ ମେ’ରେ, ଭାରତୀୟ ବାୟୁସେନାର ଗରୁଡ଼ କମାଣ୍ଡୋ ଏବଂ ଆମେରିକୀୟ ବିଶେଷ ଅପରେସନ୍ ବଳଗୁଡ଼ିକ ଚଣ୍ଡିଗଡ଼ ଏୟାର ବେସରେ ଟାଇଗର କ୍ଲ଼ ଅଭ୍ୟାସ (୨୬ ମେ’ – ୧୦ ଜୁନ୍, ୨୦୨୫)ରେ ଅଂଶଗ୍ରହଣ କରିଥିଲେ । ଏହା ପରେ ଆମେରିକା, ଫ୍ରାନ୍ସ ଏବଂ ଶ୍ରୀଲଙ୍କା ଭଳି ଦେଶଗୁଡ଼ିକ ସହ ମଧ୍ୟ ଡ୍ରିଲ୍ କରାଯାଇଛି ।

ଭାରତ କରିଛି ଅନେକ ଘରୋଇ ଯୁଦ୍ଧାଭ୍ୟାସ

ଏହି ମଧ୍ୟରେ, ଭାରତ ପାକିସ୍ତାନ୍ ସହ ପରବର୍ତ୍ତୀ ସମ୍ଭାବ୍ୟ ଯୁଦ୍ଧ ପାଇଁ ନିଜର ସଶସ୍ତ୍ର ବଳଗୁଡ଼ିକୁ ପ୍ରସ୍ତୁତ କରିବା ଉଦ୍ଦେଶ୍ୟରେ ଅନେକ ଘରୋଇ ଯୁଦ୍ଧ ଅଭ୍ୟାସ ମଧ୍ୟ କରିଛି । ଅଗଷ୍ଟରେ, ଭାରତ ଅରୁଣାଚଳ ପ୍ରଦେଶରେ ଭାରତୀୟ ସେନା ଅଭ୍ୟାସ, ଯୁଦ୍ଧ କୌଶଳ ୩.୦ର ଆୟୋଜନ କରିଥିଲା । ଯେଉଁଥିରେ ଯୁଦ୍ଧାଭ୍ୟାସ ପାଇଁ ଏଆଇ-ଚାଳିତ ଡ୍ରୋନ୍ ଏବଂ ଏଆର୍/ଭିଆର୍ ଭଳି ପରବର୍ତ୍ତୀ ପିଢ଼ିର ପ୍ରଯୁକ୍ତିବିଦ୍ୟାକୁ ଏକତ୍ରିତ କରାଯାଇଥିଲା । ଯେଉଁଥିରେ ପୂର୍ବ କମାଣ୍ଡର ୫,୦୦୦ ସୈନିକ ସାମିଲ ଥିଲେ । ଏହା ପରେ ଭାରତୀୟ ନୌସେନା ଦ୍ୱାରା ସ୍ଥଳସେନା ଏବଂ ବାୟୁସେନା ସହ ମିଶି ତ୍ରି-ସେବା ଅଭ୍ୟାସ (ଟିଏସ୍ଇ-୨୦୨୫) ତ୍ରିଶୂଳର ଆୟୋଜନ କରାଯାଇଥିଲା । ଯେଉଁଥିରେ ରାଜସ୍ଥାନର ଥାର ମରୁଭୂମି, ଗୁଜରାଟର କଚ୍ଛ ଉପସାଗର ଏବଂ ଉତ୍ତର ଆରବ ସାଗରରେ ହଜାର ହଜାର ସୈନିକଙ୍କୁ ମୋହରାଯାଇଥିଲା । ଏବେ ପୂର୍ବୋତ୍ତରରେ ବାୟୁସେନାର ୮ ଦିନିଆ ଅଭ୍ୟାସ ଚାଲିବ ।

ଅଗ୍ନି-୫ ଏବଂ ବ୍ରହ୍ମୋସ୍, ରାଫେଲର ପ୍ରଦର୍ଶନ

ଏସବୁ ଅଭ୍ୟାସର ଗୋଟିଏ ବଡ଼ ପକ୍ଷ ହେଲା, ଏଥିରେ ସେହି ଅସ୍ତ୍ର ପ୍ରଣାଳୀଗୁଡ଼ିକର ବ୍ୟବହାର କରାଯାଇଛି, ଯାହା ଅପରେସନ୍ ସିନ୍ଦୂରରେ ଭଲ ପ୍ରଦର୍ଶନ କରିଥିଲା । ଯେମିତି ରାଫେଲ୍, ଏସ୍ୟୁ-୩୦ ଏମକେଆଇ ଯୁଦ୍ଧବିମାନ, ବ୍ରହ୍ମୋସ୍ ମିସାଇଲ୍, ହେରନ୍ ୟୁଏଭି ସହିତ ତିନି ସେନା ମଧ୍ୟରେ ସମନ୍ୱୟ ଏବଂ ବହୁ-ଡୋମେନ୍ ହାଇବ୍ରିଡ୍ ଯୁଦ୍ଧ ଉପରେ ଧ୍ୟାନ କେନ୍ଦ୍ରୀଭୂତ କରାଯାଇଛି । ଅନ୍ୟପକ୍ଷରେ, ଓଡ଼ିଶାର ହ୍ୱିଲର ଦ୍ୱୀପରୁ ପରମାଣୁ କ୍ଷମତା ସମ୍ପନ୍ନ ଏବଂ ୫,୦୦୦ କିଲୋମିଟର ପର୍ଯ୍ୟନ୍ତ ଆଘାତ କରିପାରୁଥିବା ଅଗ୍ନି-୫ ଏକୀକୃତ ମଧ୍ୟମ ଦୂରତାର ବାଲିଷ୍ଟିକ ମିସାଇଲ୍ (ଆଇଆରବିଏମ୍)ର ପରୀକ୍ଷଣ ମଧ୍ୟ କରାଯାଇଛି ।

ସନ୍ଦିଗ୍ଧ ଆତ୍ମଘାତୀ ଉମରର ଡାକ୍ତର ଭାବିପତ୍ନୀ କ’ଣ କରୁଛନ୍ତି ? ଯିଏ ଅଛନ୍ତି ତଦନ୍ତ ଏଜେନସିଙ୍କ ସନ୍ଦେହ ଘେରରେ

ସନ୍ଦିଗ୍ଧ ଆତ୍ମଘାତୀ ଉମରର ଡାକ୍ତର ଭାବିପତ୍ନୀ କ’ଣ କରୁଛନ୍ତ ? ଯିଏ ଅଛନ୍ତି ତଦନ୍ତ ଏଜେନସିଙ୍କ ସନ୍ଦେହ ଘେରରେ

ନୂଆଦିଲ୍ଲୀ: ଲାଲ କିଲ୍ଲା ବିସ୍ଫୋରଣରେ ଚାଲିଥିବା ତଦନ୍ତ ଘେର ଭିତରକୁ ସନ୍ଦିଗ୍ଧ ଆତ୍ମଘାତୀ ଆକ୍ରମଣକାରୀ ଡାକ୍ଟର ଉମର ଉନ୍ ନବୀ ଓରଫ୍ ମହମ୍ମଦ ଉମରର ଭାବିପତ୍ନୀ ଆସିଛନ୍ତି । ଯିଏ  ନିଜେ ମଧ୍ୟ ଜଣେ ଡାକ୍ତର । ପୋଲିସ୍ ଉମରଙ୍କ ଭାବିପତ୍ନୀଙ୍କ ଘରୁ ଇଲେକ୍ଟ୍ରୋନିକ୍ ଗ୍ୟାଜେଟ୍, ମୋବାଇଲ୍ ଫୋନ୍ ଏବଂ ଲାପଟପ୍ ତଦନ୍ତ ସମ୍ପର୍କରେ ଜବତ କରିଛନ୍ତି । ଉଭୟଙ୍କର ନିର୍ବନ୍ଧ ହୋଇ ସାରିଥିଲା ଏବଂ ପରିବାର ନିକାହର ଅପେକ୍ଷାରେ ଥିଲେ । ତା’ପୂର୍ବରୁ ଉମରଙ୍କ କାର୍ ବିସ୍ଫୋରଣରେ ନିଜକୁ ଉଡାଇ ଦେବାର ଖବର ଆସିଥିଲା ।

ପାଠ ପଢୁଥିଲା ଭଲ କିନ୍ତୁ …

ଦିଲ୍ଲୀ ବିସ୍ଫୋରଣର ମୁଖ୍ୟ ସନ୍ଦିଗ୍ଧ ଡାକ୍ଟର ଉମର ଉନ୍ ନବୀ ଓରଫ୍ ମହମ୍ମଦ ଉମର ଯାହାର ନାମ ଏବେ ଆତ୍ମଘାତୀ ଆକ୍ରମଣକାରୀ ରୂପେ ସାମ୍ନାକୁ ଆସିଛି, ଦକ୍ଷିଣ କାଶ୍ମୀରର ପୁଲୱାମା ଜିଲ୍ଲାର କୋଇଲ ଗ୍ରାମର ବାସିନ୍ଦା ଥିଲା। ସେ ବହୁତ ମେଧାବୀ ଥିଲା । କୋଇଲ ଗ୍ରାମ ଶ୍ରୀନଗରଠାରୁ ପ୍ରାୟ ୩୫ କିଲୋମିଟର ଦୂରରେ ଅବସ୍ଥିତ । ଗାଁ ଲୋକ ତାହାର ଏହି କାଣ୍ଡକୁ ବିଶ୍ୱାସ କରି ପାରୁନାହାନ୍ତି । ଫରିଦାବାଦର ଆଲ୍ ଫଲାହ୍ ୟୁନିଭର୍ସିଟିରେ ଆସିଷ୍ଟାଣ୍ଟ ପ୍ରୋଫେସର ହେବା ପୂର୍ବରୁ ସେ ଶ୍ରୀନଗରର ପ୍ରତିଷ୍ଠିତ ଏସଏମଏଚଏସ ହସ୍ପିଟାଲ୍ ଏବଂ ଅନନ୍ତନାଗ ଗଭର୍ଣ୍ଣମେଣ୍ଟ ମେଡିକାଲ୍ କଲେଜରେ ଡାକ୍ତର ଭାବେ କାମ କରିଥିଲେ ।

ନିକାହର ପ୍ରସ୍ତୁତିରେ ଥିଲା ଉମରର ପରିବାର

ପୋଲିସ୍ ପଚରାଉଚରା ଏବଂ ଡିଏନଏ ନମୁନା ନେବା ପାଇଁ ମଙ୍ଗଳବାର ଦିନ ଉମରଙ୍କ ମା’, ବାପା ଏବଂ ଦୁଇ ଭାଇଙ୍କୁ ଉଠାଇଛି । ଘରେ ଏକାକୀ ତାଙ୍କ ଗର୍ଭବତୀ ଭଉଣୀ ମୁଜମ୍ମିଲ ଅଛନ୍ତି । ମୁଜମ୍ମିଲ ଇଟି ସହ କଥାବାର୍ତ୍ତାରେ କହିଛନ୍ତି ଯେ ‘ସେ (ଉମର) ଆମର ମୁଖ୍ୟ ରୋଜଗାରକାରୀ ଏବଂ ଆଶା ଥିଲା।’ ‘ଆମେ ଶୁକ୍ରବାର ଦିନ ଦ୍ୱିପ୍ରହର ପରେ ତାଙ୍କ ସହ କଥା ହୋଇଥିଲୁ । ସେ ବହୁତ କଥାବାର୍ତ୍ତା କରୁଥିଲେ ଏବଂ ନିଜର ପଢାପଢି ବିଷୟରେ କହୁଥିଲେ । ଆମେ ତାଙ୍କ ନିକାହର ପ୍ରସ୍ତୁତି କରୁଥିଲୁ।’

ୟୁପିଏସସି ପାଇଁ ପ୍ରସ୍ତୁତି କରୁଛନ୍ତି ଭାବିପତ୍ନୀ

ଉମର ନବୀର ନିର୍ବନ୍ଧ ଶ୍ରୀନଗରର ହାଇଦରପୁରାର ଜଣେ ଅନ୍ୟ ଡାକ୍ତର ସହ ହୋଇଥିଲା । ପୋଲିସ୍ ତାଙ୍କ ଘରେ ମଧ୍ୟ ରେଡ୍ କରିଛନ୍ତି । ଡାକ୍ତର ହେବା ପରେ ତାଙ୍କ ଫିଆନ୍ସି ୟୁପିଏସସି ପରୀକ୍ଷା ପାଇଁ ପ୍ରସ୍ତୁତି କରୁଛନ୍ତି । ଉମରଙ୍କ ଭଉଣୀ ଅନ୍ୟ ଏକ ଟିଭି ଚ୍ୟାନେଲ୍ ସହ କଥାବାର୍ତ୍ତାରେ କହିଛନ୍ତି ଯେ ‘ଶୁକ୍ରବାର ଦିନ ସେ ଫୋନ୍ କରି କହିଥିଲେ ଯେ ଠିକ୍ ଅଛି… । ମୁଁ କହିଥିଲି ଯେ ଘରକୁ ଆସ… । ମୁଁ କହିଛି ଯେ, ମୋର ପରୀକ୍ଷା ଅଛି, ମୁଁ ଲାଇବ୍ରେରୀରେ ପଢ଼ିବାକୁ ଯିବି’… । ମୁଁ କହିଥିଲି ଯେ ନାହିଁ ଆସ, ଆପଣଙ୍କୁ କେହି ଖୋଜୁଛି… । ଆମକୁ କେହି ଫୋନ୍ କରି କହିଥିଲେ ଯେ ଆମ ଏଠାରେ ରେଡ୍ ପଡ଼ିଛି… । ତାଙ୍କ ଶଶୁରଘର ଲୋକେ ଫୋନ୍ କରି କହିଥିଲେ ଯେ ଆମ ଏଠାରେ ରେଡ୍ ପଡ଼ିଛି… । ତେଣୁ ଆମେ ମଧ୍ୟ ଭୟଭୀତ ହୋଇଗଲୁ ଏବଂ ତାଙ୍କୁ କହିଲୁ ଯେ ତୁମେ ଘରକୁ ଆସ ତେଣୁ ସେ କହିଥିଲେ ଯେ ତିନି ଦିନ ପରେ ଆସିବି।’

ପରିଜନଙ୍କ ପଚରାଉଚରାରେ ଉମର ଫୋନ୍ ବନ୍ଦ କରିଦେଲେ

ପୋଲିସ୍ ଏହି ମାମଲାର ତଦନ୍ତରେ ନବୀଙ୍କ ଘରୁ ଏବଂ ତାଙ୍କ ଫିଆନ୍ସିଙ୍କ ଘରୁ ମୋବାଇଲ୍ ଫୋନ୍, ଏକ ଲାପଟପ୍ ସହିତ ସବୁ ଇଲେକ୍ଟ୍ରୋନିକ୍ ଗ୍ୟାଜେଟ୍ ଜବତ କରିଛନ୍ତି । ଉମରଙ୍କ ଭଉଣୀଙ୍କ କହିବା ଅନୁଯାୟୀ ‘ଆମେ ତାଙ୍କୁ ଅନ୍ୟ ଜଣେ ପଡ଼ୋଶୀ ଡାକ୍ଟର ମୁଜମ୍ମିଲ ଶକିଲଙ୍କ ଗିରଫଦାରୀ ବିଷୟରେ ମଧ୍ୟ କହିଥିଲୁ ଯିଏ ସେହି ବିଶ୍ୱବିଦ୍ୟାଳୟ (ଆଲ୍-ଫଲାହ୍ ୟୁନିଭର୍ସିଟି)ରେ କାମ କରୁଥିଲେ । କିନ୍ତୁ ସେ କହିଥିଲେ ଯେ ସେ ଏହା ବିଷୟରେ କିଛି ଜାଣନ୍ତି ନାହିଁ।’ କିନ୍ତୁ, ଶନିବାର (୮ ନଭେମ୍ବର, ୨୦୨୫) ଠାରୁ ଉମର ନିଜର ଫୋନ୍ ବନ୍ଦ କରିଦେଇଛନ୍ତି ।

ଯାତ୍ରା ମଞ୍ଚରେ କଳାକଳରଙ୍କ ଅଭିନୟ ଦେଖି ତାତିଲେ ଦର୍ଶକ, ଚେୟାର ଫିଙ୍ଗିବା ସହ ଷ୍ଟେଜକୁ ଉଠି ମାରିଲେ ଚାପୁଡ଼ା

ଯାତ୍ରା ମଞ୍ଚରେ କଳାକଳରଙ୍କ ଅଭିନୟ ଦେଖି ତାତିଲେ ଦର୍ଶକ, ଚେୟାର ଫିଙ୍ଗିବା ସହ ଷ୍ଟେଜକୁ ଉଠି ମାରିଲେ ଚାପୁଡ଼ା

ନନ୍ଦିଘୋଷ ବ୍ୟୁରୋ: ଯାତ୍ରା କଳାକାରଙ୍କ ଅଭିନୟକୁ ସତ ମାନି ନେଲେ ଦର୍ଶକ । ଅଭିନୟ ଏତେ ଜୀବନ୍ତ ଥିଲା ଯେ, ରାଗ ତମତମ ଦର୍ଶକ ଷ୍ଟେଜ୍ ଉପରକୁ ଚେୟାର ଫିଙ୍ଗିବା ସହ ଉପରକୁ ଉଠି ଆସି ମାରିଲେ ଚାପୁଡା । ଏମିତି ଘଟଣା ଘଟିଛି ଭଦ୍ରକ ଅଣ୍ଡରେଇରେ । ଅଣ୍ଡରେଇରେ ରାଜନନ୍ଦିନୀ ପାର୍ଟି ଯାତ୍ରା ପରିବେଶଣ କରୁଥିବା ବେଳେ ଏମିତି ଦୃଶ୍ୟ ଦେଖିବାକୁ ମିଳିଥିଲା । ପରେ ଯାତ୍ରା କମିଟର ସଦସ୍ୟମାନେ ଦର୍ଶକ ଜଣଙ୍କୁ ବାକୁ କରି ବାହାରକୁ ବାହାର କରିଦେଇଥିଲେ ।

ଖବର ଅନୁସାରେ, ରାଜନନ୍ଦିନୀ ପାର୍ଟି ତରଫରୁ ‘ଏମିତି ବିଚାର କେବେ ଦେଖିନି’ ନାଟକ ମଞ୍ଚସ୍ଥ ହେଉଥିଲା । ନାଟକର ଏକ ସିନରେ ମା ଭୂମିକାରେ ଟୁନିଆ ମଲ୍ଲିକ, ବାପା ଭାବେ ସଞ୍ଜୟ ଓ ଭଉଣୀ ଭୂମିକାରେ ମାମା ଅଭିନୟ କରୁଥିଲେ । ନାଟକର ଦୃଶ୍ୟ ଅନୁଯାୟୀ ନାୟକ ଅର୍ଥାତ୍ ପୁଅ ଭୂମିକାରେ କାର୍ତ୍ତିକ ଅଭିନୟ କରୁଥିବା ବେଳେ ସମସ୍ତ କଳାକାରଙ୍କ ଅଭିନୟକୁ ସତ ମାନି କିଛି ଦର୍ଶକ କ୍ଷୁବ୍ଧ ହୋଇଯାଇଥିଲେ । ଏପରିକି କାର୍ତ୍ତିକଙ୍କୁ ଚେୟାର ଫିଙ୍ଗିଥିଲେ । ଜଣେ ଦର୍ଶକ ମଞ୍ଚକୁ ଉଠି କାର୍ତ୍ତିକକୁ ମାଡ ମାରିଥିଲେ । ଏହି ସମୟରେ ଅନ୍ୟ କଳାକାରମାନେ ତାଙ୍କୁ ଅଟକାଇ ଥିଲେ ।

ଚାଲିଥିବା ଦୃଶ୍ୟରେ ଭଉଣୀଙ୍କୁ ଜଣେ ବାବା ଦୁଷ୍କର୍ମ କରିଥିବା ଭଉଣୀଙ୍କ ସମେତ ପୂରା ପରିବାର ଅଭିଯୋଗ କରୁଥିଲେ । ହେଲେ ବାବା ଏପରି କରି ନଥିବା କହି କାର୍ତ୍ତିକ ପରିବାରକୁ ଓଲଟା ତାଡନା ଦେଉଥିବା ଦୃଶ୍ୟକୁ ନେଇ ଦର୍ଶକ ତାତିଥିଲେ । ଫଳରେ କିଛି ସମୟ ଧରି ଯାତ୍ରା ବନ୍ଦ ହେବା ପରେ ପୁଣି ଆରମ୍ଭ ହୋଇଥିଲା ।

୨୦୨୬ ବର୍ଷରେ ୨୯ଟି ସରକାରୀ ଓ ୯ଟି ଇଚ୍ଛାଧୀନ ଛୁଟି

୨୦୨୬ ବର୍ଷରେ ୨୯ଟି ସରକାରୀ ଓ ୯ଟି ଇଚ୍ଛାଧୀନ ଛୁଟି

ନନ୍ଦିଘୋଷ ବ୍ୟୁରୋ: ୨୦୨୬ ବର୍ଷ ପାଇଁ ପ୍ରକାଶ ପାଇଛି ସରକାରୀ କ୍ୟାଲେଣ୍ଡର । ଏଥିରେ ୨୯ଟି ସରକାରୀ ଛୁଟି ରହିଥିବା ବେଳେ ୯ ଦିନ ଇଚ୍ଛାଧୀନ ଛୁଟି ରହିଛି । ଆସନ୍ତାବର୍ଷ ମାର୍ଚ୍ଚ ୫ ତାରିଖ ପଞ୍ଚାୟତିରାଜ ଦିବସ ତଥା ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ଜନ୍ମଦିନକୁ ସରକାରୀ ଛୁଟି ତାଲିକାରୁ ବାଦ ଦିଆଯାଇଛି । ୨୦୨୫ରେ ରାଜ୍ୟ ସରକାର ଏହି ଦିନକୁ କ୍ୟାଲେଣ୍ଡରରେ ଛୁଟି ଘୋଷଣା କରିଥିଲେ ବି ପରେ ଏକ ବିଜ୍ଞପ୍ତି ଜରିଆରେ ଏହାକୁ ବାତିଲ କରିଥିଲେ ।

ସେହିଭଳି ଦୀପାବଳିକୁ ମଧ୍ୟ ସରକାରୀ ଛୁଟି ତାଲିକାରୁ ବାଦ ଦିଆଯାଇଛି । ତେବେ ସେପ୍ଟେମ୍ବର ୧୫ ନୂଆଁଖାଇ ଓ ସେପ୍ଟେମ୍ବର ୧୬ ନୂଆଁଖାଇ ପରଦିନ ଏହିଭଳି ଦୁଇ ଦିନ ଛୁଟି ଘୋଷଣା କରାଯାଇଛି । ମାର୍ଚ୍ଚ ୨୭ ତାରିଖ ଶ୍ରୀରାମନବମୀକୁ ସରକାରୀ ଛୁଟି କରାଯାଇଛି। ଅଗଷ୍ଟ ୨୭ ତାରିଖ ଝୁଲଣ ଯାତ୍ରାକୁ ମଧ୍ୟ ସରକାରୀ ଛୁଟି ବୋଲି କୁହାଯାଇଛି । ୨୦୨୫ରେ ସ୍ବାଧୀନତା ଦିବସ ଓ ଜନ୍ମଷ୍ଟମୀ ଗୋଟିଏ ଦିନରେ ପଡିଥିଲା । ହେଲେ ୨୦୨୬ରେ ଜନ୍ମଷ୍ଟମୀ ଭିନ୍ନ ତାରିଖରେ ପଡୁଥିବାରୁ ସେପ୍ଟେମ୍ବର ୪କୁ ସରକାରୀ ଛୁଟି ଭାବେ ଘୋଷଣା କରାଯାଇଛି ।

ଗାଁ ଲୋକଙ୍କ ଉପରକୁ ବୋମା ଫିଙ୍ଗିଲେ ଦୁର୍ବୃତ୍ତ, ୩ ଗୁରୁତର

ଗାଁ ଲୋକଙ୍କ ଉପରକୁ ବୋମା ଫିଙ୍ଗିଲେ ଦୁର୍ବୃତ୍ତ, ୩ ଗୁରୁତର

ନନ୍ଦିଘୋଷ ବ୍ୟୁରୋ: ନୟାଗଡ ଜିଲ୍ଲା ଟାଉନ ଥାନା ଅଧୀନ ଶୁଳିଆ ଗାଁରେ ବୋମାମାଡ଼ । ଦୁର୍ବୃତ୍ତଙ୍କ ବୋମାମାଡ଼ରେ ୩ ଜଣ ଗୁରୁତର ହୋଇ ମେଡିକାଲରେ ଭର୍ତ୍ତି ହୋଇଛନ୍ତି । ଗତକାଲି ବିଳମ୍ବିତ ରାତିରେ ୫ ଜଣ ଦୁର୍ବୃତ୍ତ ମାରଣାସ୍ତ୍ର ଧରି ଗାଁ ନିକଟରେ ବୁଲୁଥିଲେ । ଉକ୍ତ ରାସ୍ତା କାମ ଚାଲୁଥିବାରୁ ଦୁଇ ଜଣ ଯୁବକ ସିମେଣ୍ଟ ଜଗିବାକୁ ରାସ୍ତା ପାଖରେ ରହିଥିଲେ । ଦୁର୍ବୃତ୍ତଙ୍କ ଗତିବିଧି ଦେଖି ଗାଁ ଲୋକଙ୍କୁ ଡାକିଥିଲେ । ଗାଁ ଲୋକେ ଆସିବାରୁ ଦୁର୍ବୃତ୍ତ ତାଙ୍କ ଉପରକୁ ବୋମାମାଡ କରିଥିଲେ । ଏଥିରେ ଉପେନ୍ଦ୍ର ଖଟେଇ, ସୁମନ୍ତ ବାରିକ ଏବଂ ଶତୃଘ୍ନ ବାରିକ ଗୁରୁତର ହୋଇ ନୟାଗଡ ମେଡିକାଲରେ ଭର୍ତ୍ତି ହୋଇଛନ୍ତି ।

ବୋମାମାଡ କରି ୪ ଜଣ ଦୁର୍ବୃତ୍ତ ଫେରାର ହୋଇଯାଇଥିବା ବେଳେ ଜଣଙ୍କୁ ଗ୍ରାମବାସୀ ଅଟକ ରଖି ପୋଲିସର ଜିମା ଦେଇଛନ୍ତି । ଅଟକ ଅଭିଯୁକ୍ତ ଜଣକ ହେଲା କଇଥଗାଡିଆ ଗାଁର ଅକୃର ପ୍ରଧାନ । ଅକୃରକୁ ପୋଲିସ ଅଟକ ରଖି ତଦନ୍ତ ଚଳାଇଛି ।

ଦିଲ୍ଲୀ ବିସ୍ଫୋରଣରେ ବିଦେଶୀ ଲିଙ୍କ୍ ସନ୍ଦେହ

ଦିଲ୍ଲୀ ବିସ୍ଫୋରଣରେ ବିଦେଶୀ ଲିଙ୍କ୍ ସନ୍ଦେହ

ନନ୍ଦିଘୋଷ ବ୍ୟୁରୋ: ଦିଲ୍ଲୀ ଆତ୍ମଘାତୀ ବିସ୍ଫୋରଣରେ ବ୍ୟବହୃତ ହୋଇଛି ହାଇଗ୍ରେଡ ମିଲିଟାରୀ ବିସ୍ଫୋରକ । ଏହାସହ ବିସ୍ଫୋରଣ ପଛରେ ବିଦେଶୀ ହାତ ଥିବା ସନ୍ଦେହ କରାଯାଉଛି । ପ୍ରାଥମିକ ତଦନ୍ତରୁ ବିଦେଶରୁ ଏହି ବିସ୍ଫୋରଣ ଘଟାଇବା ଲାଗି ପ୍ଲାନ କରାଯାଇଥିବା କୁହାଯାଉଛି । ବିସ୍ଫୋରଣ ସ୍ଥଳୀରୁ ଫରେନସିକ ଟିମ ୪୨ଟି ସାମଗ୍ରୀ ଜବତ କରିଛି । ସେଥିରେ ରହିଛି କାରର ଅଂଶ ବିଶେଷ । ଘଟଣାର ତଦନ୍ତ ବଢ଼ାଇଛି ଏନଆଇଏ ।

ଘଟଣାରେ କାନାଡା ପ୍ରଧାନମନ୍ତ୍ରୀ ମାର୍କ କାର୍ଣ୍ଣି ଶୋକ ପ୍ରକାଶ କରିବା ସହ ଘଟଣାର ନିନ୍ଦା କରିଛନ୍ତି । ତେଣେ ଡାକ୍ତର ସାହିନ ଅନସାରୀର ଭାଇ ପରଭେଜ ଅନସାରୀକୁ କବଜାକୁ ନେଇ ଜେରା କରୁଛି ଉତ୍ତରପ୍ରଦେଶ ଏଟିଏସ । ସାହିନର ଗିରଫ ପରେ ପରଭେଜ ଲୁଚିଥିଲା । ସେ ଲକ୍ଷ୍ନୌର ଇଣ୍ଟେଗ୍ରାଲ ୟୁନିଭର୍ସିଟିର ଛାତ୍ର ଥିବାବେଳେ ତା’ ଘରୁ ବହୁ ନଥିପତ୍ର ଜବତ କରାଯାଇଛି । ତେଣେ ବିସ୍ଫୋରଣ ଘଟଣା ପରେ କୋଲକାତାରେ ସୁରକ୍ଷା ବ୍ୟବସ୍ଥାକୁ ବଢାଇ ଦିଆଯାଇଛି । ଭାରତ-ଦକ୍ଷିଣ ଆଫ୍ରିକ ମଧ୍ୟରେ ଟେଷ୍ଟ ଖେଳାଯିବାକୁ ଥିବାରୁ ସହରରେ ନିରାପତ୍ତା ବ୍ୟବସ୍ଥା କଡ଼ାକଡ଼ି କରାଯାଇଛି ।

କ’ଣ ଏହି ମିଲିଟାରୀ ଗ୍ରେଡ ବିସ୍ଫୋରକ ?

ମିଲିଟାରୀ ଗ୍ରେଡ ବିସ୍ଫୋରକ ହେଉଛି ଏକ ରିଆକ୍ଟିଭ ସବଷ୍ଟାନ୍ସ । ଏହା ହଠାତ୍ ଭୟଙ୍କର ବିସ୍ଫୋରଣ ହୋଇଥାଏ । ପ୍ରଚଣ୍ଡ ଶବ୍ଦ, ଆଲୋକ, ଚାପ ସୃଷ୍ଟି କରିଥାଏ ବିସ୍ଫୋରକ । ଏହା ଘଟଣା ସ୍ଥଳରୁ ବହୁତ ଅଞ୍ଚଳକୁ କ୍ଷତି ପହଞ୍ଚାଇବାକୁ ସକ୍ଷମ । ଏଥିରେ ନାଇଟ୍ରୋ ଗ୍ଲିସେରିନ କିମ୍ବା ଗ୍ରେନ ଡଷ୍ଟ ରହିଥାଏ । ଏକ ଗ୍ୟାସ ସିଲିଣ୍ଡର, ଏରୋସଲ କ୍ୟାନ, ବଏଲିଂ ଲିକୁଇଡ ରହିଥାଏ । ଏଥିରେ ଭେପର ଏକ୍ସପ୍ଲୋଜନ ନ୍ୟୁକ୍ଲିୟର ଏନର୍ଜି ସୃଷ୍ଟି ହୋଇଥାଏ । ଯାହା କ୍ଷୟକ୍ଷତିର ପରିମାଣ ବହୁତ ବଢ଼ାଇ ଦେଇଥାଏ ।

ଇମାମ ଗିରଫ

ଦିଲ୍ଲୀ ଆତ୍ମଘାତୀ ବିସ୍ଫୋରଣ ଘଟଣାରେ ଜାମ୍ମୁ ଓ କାଶ୍ମୀରର ସୋପିଆନର ଜଣେ ଇମାମକୁ ଗିରଫ କରିଛି ପୋଲିସ । ଗିରଫ ଇମାମ ହେଲେ ଇରଫାନ ଅହମ୍ମଦ ୱାଘା । ଡାକ୍ତରଙ୍କୁ ହିଂସାତ୍ମକ କାର୍ଯ୍ୟକଳାପ ପାଇଁ ଉସକାଇବା ଯୋଗାଇବା ତାକୁ ଗିରଫ କରିଛି ଜାମ୍ମୁ ଓ କାଶ୍ମୀର କାଉଣ୍ଟର ଇଣ୍ଟେଲିଜେନ୍ସ କାଶ୍ମୀର ଓ ଶ୍ରୀନଗର ପୋଲିସ । କାଶ୍ମୀରରେ ବହୁ ଯୁବକଙ୍କୁ ବି ଦେଶଦ୍ରୋହୀ କାର୍ଯ୍ୟରେ ସାମିଲ କରୁଥିବା ନେଇ ତା’ ବିରୋଧରେ ଅଭିଯୋଗ ଥିଲା ।

ସମସ୍ତଙ୍କୁ ସଡ଼କ, ବିଜୁଳି ଓ ପିଇବା ପାଣି ଯୋଗାଇବାକୁ ସରକାରଙ୍କ ମିଶନ ପାଓ୍ବାର, କାର୍ଯ୍ୟକାରିତାକୁ ନେଇ ଉଠିଲା ପ୍ରଶ୍ନ

ସମସ୍ତଙ୍କୁ ସଡ଼କ, ବିଜୁଳି ଓ ପିଇବା ପାଣି ଯୋଗାଇବାକୁ ସରକାରଙ୍କ ମିଶନ ପାଓ୍ବାର, କାର୍ଯ୍ୟକାରିତାକୁ ନେଇ ଉଠିଲା ପ୍ରଶ୍ନ

ନନ୍ଦିଘୋଷ ବ୍ୟୁରୋ: ଗାଁକୁ ସଡ଼କ, ବିଜୁଳି ଓ ପିଇବା ପାଣି ପହଞ୍ଚାଇବାକୁ ରାଜ୍ୟ ସରକାର ଆରମ୍ଭ କରିଛନ୍ତି ମିଶନ ପାଓ୍ବାର । ଡିସେମ୍ବର ୨୦୨୭ ସୁଦ୍ଧା ଲକ୍ଷ୍ୟ ହାସଲ ପାଇଁ ରହିଛି ଟାର୍ଗେଟ । ଲୋକସେବା ଭବନରେ ବସିଥିବା ବୈଠକ ନଭେମ୍ବର ଶେଷ ସୁଦ୍ଧା ସମସ୍ତ ଜିଲ୍ଲାପାଳ ନିଜ ନିଜ ଜିଲ୍ଲାର ସ୍ଥିତି ବାବଦରେ ରିପୋର୍ଟ ଦେବେକୁ ନିଷ୍ପତ୍ତି । ଏହାପରେ ଗ୍ରାମ୍ୟ ଉନ୍ନୟନ, ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗ, ଶକ୍ତି ବିଭାଗର ମିଳିତ ବୈଠକ ବସି ରଣନୀତି ପ୍ରସ୍ତୁତ ହେବ । ସରକାର ଯୋଜନା କାର୍ଯ୍ୟକାରୀ ପାଇଁ ଡେଡଲାଇନ ସ୍ଥିର କରୁଥିଲେ ବି କୌଣସି କାମ ସମୟ ଭିତରେ ସରେ ନାହିଁ । ଏଥିପ୍ରତି ସରକାର ସଜାଗ ହେଲେ ଯୋଜନା ବାସ୍ତବ ରୂପ ପାରିବ ବୋଲି ସମୀକ୍ଷକ ଦେଲେ ମତ ।

ଟାର୍ଗେଟ ଡିସେମ୍ବର ୨୦୨୭ । ରାଜ୍ୟର ସମସ୍ତ ଘରକୁ ମିଳିବ ବିଶୁଦ୍ଧ ପିଇବା ପାଣି, ପକ୍କା ସଡ଼କ ଓ ବିଜୁଳି । ଏମିତି ଏକ ଲକ୍ଷ୍ୟରେ ସରକାର ଆରମ୍ଭ କରିଛନ୍ତି ମିଶନ ପାଓ୍ବାର । ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓଙ୍କ ଅଧ୍ୟକ୍ଷତାରେ ଲୋକସେବା ଭବନରେ ବସିଥିଲା ପ୍ରଥମ ବୈଠକ । କେନ୍ଦ୍ର ସରକାରଙ୍କ ସୌଭାଗ୍ୟ ଓ ଦୀନ ଦୟାଲ ଉପାଧ୍ୟାୟ ଗ୍ରାମୀଣ ଜ୍ୟୋତି ଯୋଜନାରେ ଗ୍ରାମାଞ୍ଚଳରେ ବିଦ୍ୟୁତକରଣ ହେଉଥିଲେ ବି ବିଭିନ୍ନ ସସସ୍ୟା ଯୋଗୁଁ ଲକ୍ଷ ଲକ୍ଷ ଘର ଏବେ ବି ଅନ୍ଧାରରେ । ସବୁ ଘରକୁ ପିଇବା ପାଣି ଯୋଗାଇବାକୁ ୨୦୨୨କୁ ଟାର୍ଗେଟ ରଖିଥିଲେ ପୂର୍ବ ସରକାର । କିନ୍ତୁ ନୂଆ ସରକାର ଆସିବା ପରେ ପ୍ରକଳ୍ପ କାମ କେଉଁଠି ଧିମେଇ ଚାଲିଛି ତ କେଉଁଠି ଠପ୍ ହୋଇଛି । ୨ ହଜାର ୮୦୮ କୋଟି ଟଙ୍କା ଖର୍ଚ୍ଚ ହୋଇଛି । ରାଜ୍ୟ ସରକାର ୨୦୨୬କୁ ନୂଆ ଟାର୍ଗେଟ ରଖିଥିଲେ ବି ମନ୍ଥର ଗତିରେ ଚାଲିଛି କାମ । ରାଜ୍ୟରେ ୫୯ ହଜାର ୯୭୨ ଗାଁ ମଧ୍ୟରୁ ଏବେ ୮ ହଜାର ୩୦୦ ଗାଁକୁ ରାସ୍ତା ନାହିଁ । ପାଣି, ବିଜୁଳି, ସଡ଼କ ନେଇ ପ୍ରତି ଗାଁର ସ୍ଥିତି ବାବଦରେ ଜିଲ୍ଲାପାଳମାନେ ମାସକ ମଧ୍ୟରେ ରିପୋର୍ଟ ପ୍ରଦାନ କରିବେ । ଏହାପରେ ସରକାର ସବୁ ବିଭାଗ ସହ ମିଳିତ ବୈଠକ କରି ସମସ୍ୟା ସମାଧାନର ବାଟ ବାହାର କରିବେ ବୋଲି କହିଛନ୍ତି ପଞ୍ଚାୟତିରାଜ ମନ୍ତ୍ରୀ ।

୨୦୨୭ରେ ରାଜ୍ୟରେ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ହେବାକୁ ଥିବାରୁ ସରକାର ମିଶନ ପାଓ୍ବାର ଆରମ୍ଭ କରିଛନ୍ତି । ସବୁ ଘରକୁ ସଡ଼କ, ବିଜୁଳି, ପାଣି ପାଇଁ ଯୋଜନା କରୁଛନ୍ତି । ପ୍ରଧାନମନ୍ତ୍ରୀ ଗ୍ରାମ ସଡ଼କ ଯୋଜନାରେ ରାଜ୍ୟରେ ୭୦ ହଜାର କିଲୋମିଟର ରାସ୍ତା ହୋଇଥିବା ବେଳେ, ସାରା ଦେଶରେ ଓଡ଼ିଶା ୪ ନମ୍ବରରେ ଅଛି । ଆସନ୍ତାବର୍ଷ ସୁଦ୍ଧା ମୁଖ୍ୟମନ୍ତ୍ରୀ ସଡ଼କ ଯୋଜନାରେ ୫ ହଜାର କିଲୋମିଟର ରାସ୍ତା କରିବାକୁ ଲକ୍ଷ୍ୟ ରହିଛି । ନକ୍ସଲ ପ୍ରଭାବିତ ଓ ଆଦିବାସୀ ବହୁଳ ଗାଁକୁ ସଂଯୋଗ ହେଉଛି ପ୍ରାଥମିକତା । ସେହିପରି ସେତୁ ବନ୍ଧନ ଯୋଜନାରେ ଆସନ୍ତା ୫ ବର୍ଷରେ ୫ ଶହ ସେତୁ କରିବାକୁ ଟାର୍ଗେଟ ରହିଛି । ହେଲେ ସରକାରଙ୍କ ଲକ୍ଷ୍ୟ ଓ କାମ ଭିତରେ ସାମଞ୍ଜସ୍ୟ ନାହିଁ ବୋଲି ମତ ରଖିଛନ୍ତି ସମୀକ୍ଷକ ।

ଆନ୍ତରିକତା ଓ ସମନ୍ବୟ ଅଭାବ ଯୋଗୁଁ ଟାର୍ଗେଟ ମଧ୍ୟରେ ସରିପାରୁନି ସରକାରୀ କାର୍ଯ୍ୟକ୍ରମ । ତେଣୁ ସରକାର ଏଦିଗରେ ସଜାଗ ହେଲେ ଯୋଜନା ବାସ୍ତବ ରୂପ ନେବା ସାଙ୍ଗକୁ ସୁବିଧା ପାଇପାରନ୍ତେ ଜନତା ।