spot_img
Home Blog Page 4739

ରାକ୍ଷସ ସ୍ବାମୀ: ପିଟିପିଟି ମାରିଦେଲା ସ୍ତ୍ରୀଙ୍କୁ

ସୋନପୁର: ସଇତାନ ସ୍ବାମୀ । ପାରିବାରିକ କଳହରୁ ସ୍ତ୍ରୀକୁ ପିଟିପିଟି କଲା ହତ୍ୟା । ଘଟଣା ଘଟିଛି ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ବ୍ଲକ ଟିକିରାପଡାରେ । ମୃତକ ହେଲେ ୩୨ ବର୍ଷୀୟା ସୁନିତା ସିଂ ।

ଗତକାଲି କୌଣସି କାରଣରୁ ପତିପତ୍ନୀଙ୍କ ମଧ୍ୟରେ କଳହ ହୋଇଥିଲା । ଏଥିରେ ଉତ୍ତ୍ୟକ୍ତ ହୋଇ ସ୍ବାମୀ ଲଛମନ ସିଂ ସୁନିତାଙ୍କୁ ପିଟିପିଟି ମାରି ଦେଇଥିବା ଅଭିଯୋଗ ହୋଇଛି । ସୁନିତାଙ୍କୁ ହତ୍ୟା କରିବା ପରେ ଅଭିଯୁକ୍ତ ସ୍ବାମୀ ଫେରାର ହୋଇଯାଇଛି । ଖବର ପାଇ ପୋଲିସ ଗାଁରେ ପହଞ୍ଚି ଶବ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇବା ସହ ଘରକୁ ସିଲ୍ କରି ତଦନ୍ତ ଆରମ୍ଭ କରିଛି ।

ପଥର ଖାଦନକୁ ବିରୋଧ: ଏକାଠି ହେଲେ ୫ ଗାଁର ଲୋକ

ଜୟପୁର: ଖଡ଼ିମାଟି ପଥର ଖନନ ବିରୋଧରେ 7 ଖଣ୍ଡ ଗାଁ ଲୋକଙ୍କ ମେଳି । ଘଟଣାସ୍ଥଳରେ ଉତ୍ତେଜନା ଦେଖା ଦେଇଥିବାରୁ ୫ ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ କରାଯାଇଛି । ଘଟଣା ସ୍ଥଳରେ ଲମତାପୁଟ ତହସିଲଦାର ପହଞ୍ଚି ପରିସ୍ଥିତି ଉପରେ ଦୃଷ୍ଟି ରଖିଛନ୍ତି ।

ସ୍ଥାନୀୟ ହାଟସୁକୁ ନିକଟରୁ ୨୯ ତାରିଖରୁ ପୋଲିସ ଉପସ୍ଥିତିରେ ଖଣି ଖୋଳା ଆରମ୍ଭ ହୋଇଥିଲା । ତେବେ ସ୍ଥାନୀୟ ବାସିନ୍ଦାଙ୍କ ସହ ବିନା ଆଲୋଚନାରେ ଖଣି ଖୋଳାଯାଉଥିବାରୁ ଏହାକୁ ବିରୋଧ କରିଛନ୍ତି ଲୋକେ  । ଖଡିମାଟି ସୁରକ୍ଷା ସମିତି ପକ୍ଷରୁ ୫ଟି ଗ୍ରାମର ବାସିନ୍ଦା ଏକାଠି ହୋଇ ଖଣି ଖନନ କାର୍ଯ୍ୟକୁ ବନ୍ଦ କରିଛନ୍ତି । ଲୋକଙ୍କ ବିନା ସହମତି ଓ ସମ୍ମତିରେ ଖଣି ଖନନ କରାଯାଉଥିବା ଅଭିଯୋଗ କରିଛନ୍ତି ପରଜାଖୁଡୁବି, ମାଳିଖୁଡୁବି, ହାଟସୁକୁ, ଲଙ୍ଗଳପୁଟ, ହରିଆମୁଣ୍ଡା ଗ୍ରାମବାସୀ। ସେଠାରେ ଉତ୍ତେଜନା ପରିସ୍ଥିତି ଲାଗି ରହିଛି । ଖଣି ଖନନ ଦ୍ବାରା ପରିବେଶ ଦୂଷିତ ହେଉଥୁବାବେଳେ ପାରିପାର୍ଶ୍ବିକ ବିକାଶ ନେଇ କୌଣସି ଆଲୋଚନା ବା ନିଷ୍ପତ୍ତି ନନେଇ ଖଣି ଖନନ କରାଇ ଦିଆଯିବ ନାହିଁ ବୋଲି ସ୍ଥାନୀୟ ଲୋକେ ଦାବି କରିଛନ୍ତି ।

ରାଜଧାନୀ ଲୁଟେରା ରାଜ: ହାତଗୋଡ଼ ବାନ୍ଧି ଲୁଟିଲେ, ଯିବା ବେଳେ କହିଗଲେ…

ଭୁବନେଶ୍ବର: ରାଜଧାନୀ ଉପକଣ୍ଠରେ ଲୁଟେରାଙ୍କ ଆତଙ୍କ । ଘରେ ପଶିଲେ । ଦମ୍ପତିଙ୍କ ହାତଗୋଡ଼ ବାନ୍ଧି ହାଣିଲେ । ବନ୍ଧୁକ ମୁନରେ ୩୦ ଲକ୍ଷ ଟଙ୍କାର ସୁନାଗହଣା ଓ ୩ ଲକ୍ଷ ୨୦ ହଜାର ନଗଦ ଟଙ୍କା ନେଇ ଚମ୍ପଟ ମାରିଲେ । ଯିବା ବେଳେ କହିଗଲେ, ‘ତୁମକୁ ହତ୍ୟା କରିବାକୁ ସୁପାରୀ ମିଳିଛି, ଆମେ ଲୁଟ କରି ଯାଉଛୁ, ପରେ ଯିଏ ଆସିବେ ହତ୍ୟା କରିବେ ।’

ରକ୍ତାକ୍ତ ଲୁଟ୍ ପରେ ଏମିତି ଲୁଟେରାଙ୍କ ଏମିତି ଧମକପୂର୍ଣ୍ଣ ଚେତାବନୀ ରାଜଧାନୀରେ ଚାଞ୍ଚଲ୍ୟ ଖେଳାଇ ଦେଇଛି । ଘଟଣା ଘଟିଛି ମଞ୍ଚେଶ୍ବର ଥାନା ଭୋଟପଡ଼ାର ଦୀନବନ୍ଧୁ ଦାସଙ୍କ ଘରେ । ଗତକାଲି ବିଳମ୍ବିତ ରାତିରେ ୫ରୁ ଅଧିକ ଡକାୟତ ଦୀନବନ୍ଧୁଙ୍କ ଘରେ ପଶି ପରିବାର ଲୋକଙ୍କୁ ଆକ୍ରମଣ କରିବା ସହ ହାତ ଗୋଡ଼ ବାନ୍ଧି ଲୁଟ୍ କରିଥିବା ମଞ୍ଚେଶ୍ବର ଥାନାରେ ଅଭିଯୋଗ ହୋଇଛି ।

ଅଭିଯୋଗ ପରେ ସାଇଣ୍ଟିଫିକ ଟିମ ଓ ସ୍ପେଶାଲ ସ୍କୁଓ୍ବାର୍ଡ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ଆଖପାଖରେ ଲାଗିଥିବା ସିସିଟିଭି ଫୁଟେଜକୁ ଅନୁଧ୍ୟାନ କରୁଛି ପୋଲିସ ।

ଦୀନବନ୍ଧୁଙ୍କ ପତ୍ନୀ କହିଛନ୍ତି, ‘୫ ଜଣ ଲୋକ ହାତରେ ବନ୍ଧୁକ ସହ ମାରଣାସ୍ତ୍ର ଧରି ଘର ଭିତରେ ପଶିଥିବା ବେଳେ ବାହାରେ ଆଉ କିଛି ଜଣ ଥିଲେ । କେହି ଆସିଲେ ଗାଡ଼ି ହର୍ନ ମାରିବା ପାଇଁ ଜଣେ କହିଥିଲେ । ସେମାନେ ଘରେ ପଶିବା ପରେ ଆମକୁ ନିର୍ଧୁମ ପିଟିଥିଲେ । ପାଖରେ ଝିଅ ଶୋଇଥିଲା । ତା’ ମୁଣ୍ଡରେ ବନ୍ଧୁକ ରଖି ଧମକାଇଥିଲେ । କହିଥିଲେ ପାଟି କଲେ, ତୋ ବାପାକୁ ଗୁଳି ମାରିଦେବୁ । ଏହାପରେ ଆମ ହାତଗୋଡ ବାନ୍ଧୁ ଲୁଟକ କରିଥିଲେ । ପ୍ରତିବାଦ କରିବାକୁ ଆମକୁ ଆକ୍ରମଣ ମଧ୍ୟ କଲେ ।’

ସେ ଆହୁରି କହିଛନ୍ତି ‘ଯିବାବେଳେ ଜଣେ ଲୁଟେରା ଧମକ ଦେଇଥିଲା । କହିଥିଲା ଆମକୁ ହତ୍ୟା କରିବାକୁ ସୁପାରୀ ଦିଆଯାଇଛି । ବହୁତ ରାଜନୀତି କରୁଛ, ବନ୍ଦ କର ନହେଲେ ଆରଥରକୁ ଯିଏ ଆସିବ ହତ୍ୟା କରିବ । ଲୁଟେରାମାନେ ଟୁକୁନା ନାଁ ଧରି କାହାକୁ ଡାକୁଥିଲେ ।’

ଜାମ୍ମୁ କାଶ୍ମୀରରେ ଏନକାଉଣ୍ଟର, ସେନା ଗୁଳିରେ ୬ ଆତଙ୍କୀ ନିହତ

ଶ୍ରୀନଗର: ଜାମ୍ମୁ-କାଶ୍ମୀରରେ ଜୋରଦାର ହେଉଛି ଆତଙ୍କ ବିରୋଧୀ ଅଭିଯାନ । ସେନା ଗୁଳିଲେ ଟଳିଲେ ୬ ଆତଙ୍କବାଦୀ । ଜାମ୍ମୁ-କାଶ୍ମୀରର କୁଲଗାମ ଓ ଅନନ୍ତନାଗରେ ଆତଙ୍କବାଦୀ ଛପି ରହିଥିବା ନେଇ ଖବର ମିଳିବା ପରେ ସେନା ପକ୍ଷରୁ ସର୍ଚ୍ଚ ଅପରସେନ୍ କରାଯାଇଥିଲା । ଏଥିରେ ୬ ଜଣ ଆତଙ୍କାବାଦୀ ନିହତ ହୋଇଥିବା ଟ୍ବିଟ୍ କରି ସୂଚନା ଦେଇଛନ୍ତି ଆଇଜିପି ବିଜୟ କୁମାର ।

ସେନା ଗୁଳିରେ ମୃତ୍ୟୁ ବରଣ କରିଥିବା ୬ଜଣ ଆତଙ୍କବାଦୀଙ୍କ ମଧ୍ୟରୁ ୪ ଜଣ ଆତଙ୍କବାଦୀ ଜୈସ-ଇ-ମହମ୍ମଦ ଆତଙ୍କବାଦୀ ସଙ୍ଗଠନର ହୋଇଥିବାବେଳେ ଦୁଇ ଜଣ ସ୍ଥାନୀୟ ଆତଙ୍କବାଦୀ ବୋଲି ସୂଚନା ଦେଇଛନ୍ତି ଆଇଜିପି । ସର୍ଚ୍ଚ ଅପରେସନ୍ ସମୟରେ ଆତଙ୍କବାଦୀଙ୍କ ଗୁଳିରେ ଜଣେ ଯବାନ ଆହତ ହୋଇଥିବାବେଳେ ତାଙ୍କୁ ଚିକିତ୍ସା ପାଇଁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ସୀମାରେ ଆତଙ୍କବାଦୀମାନେ ଅନୁପ୍ରବେଶ କରିବା ପାଇଁ ଉଦ୍ୟମ କରିବା ସହ ଅଶାନ୍ତି ସୃଷ୍ଟି କରିବା ପାଇଁ ଉଦ୍ୟମ କରୁଥିବାବେଳେ ଭାରତୀୟ ସେନା ପକ୍ଷରୁ ଦିଆଯାଉଛି ମୁହଁତୋଡ ଯବାବ ।

ରାଜ୍ୟର ୨୩ ଲକ୍ଷରୁ ଅଧିକ ପିଲା ନେବେ ଟିକା

ଭୁବନେଶ୍ବର: ୧୫ରୁ ୧୮ ବର୍ଷର କିଶୋରଙ୍କୁ ଟିକାକରଣ ପାଇଁ ପ୍ରସ୍ତୁତ ରାଜ୍ୟ ସ୍ବାସ୍ଥ୍ୟ ବିଭାଗ । ରାଜ୍ୟରେ ମୋଟ ୨୩ ଲକ୍ଷ ୬୫ ହଜାର ପିଲାଙ୍କୁ ଦିଆଯିବ ଟିକା । କେନ୍ଦ୍ର ସରକାର ଏ ନେଇ ତାଲିକା ପ୍ରକାଶ କରିଛନ୍ତି । ଆସନ୍ତା ୩ ତାରିଖରୁ ହେବ ଟିକାକରଣ । ଏଥିପାଇଁ ଜାନୁଆରୀ ୧ ତାରିଖରୁ ଆରମ୍ଭ ହେବ ପଞ୍ଜିକରଣ । ପିଲାଙ୍କୁ ଦିଆଯିବ କୋଭାକ୍ସିନ ଟିକା ଦିଆଯିବ । ଏଥିପାଇଁ ପ୍ରାୟ ୧୪ ଲକ୍ଷ ଡୋଜ ଉପଲବ୍ଧ ରହିଛି । ଆବଶ୍ୟକତା ଅନୁସାରେ ଟିକାକରଣ କେନ୍ଦ୍ର ଖୋଲିବା ପାଇଁ ସବୁ ଜିଲ୍ଲାକୁ ନିର୍ଦେଶ ଦିଆଯାଇଥିବା କହିଛନ୍ତି ପରିବାର କଲ୍ୟାଣ ନିର୍ଦେଶକ ବିଜୟ ପାଣିଗ୍ରାହୀ ।

ଆବଶ୍ୟକ ପଡ଼ିଲେ ସ୍କୁଲରେ ବି ଟିକାକରଣ କେନ୍ଦ୍ର ଖୋଲାଯିବ । ସଠିକ ସମୟରେ ସମସ୍ତେ ଟିକା ନେଲେ ମାସେ ମଧ୍ୟରେ ୧୫ରୁ ୧୮ ବର୍ଷ ପିଲାଙ୍କ ଟିକାକରଣ ଶେଷ ହେବ । ସକାଳ ବେଳା ପିଲାଙ୍କୁ ଟିକା ଦିଆଯିବ । ଅପରାହ୍ଣରେ ଅନ୍ୟମାନଙ୍କୁ ଟିକା ଦିଆଯିବ । ପିଲାଙ୍କ ସହ ଅଭିଭାବକ ଆସିବାକୁ ପରାମର୍ଶ ଦେଇଛି ସ୍ବାସ୍ଥ୍ୟ ବିଭାଗ । ସେହିପରି ୬୦ ବର୍ଷରୁ ଅଧିକ ଓ ଦୁରାରୋଗ୍ୟରେ ପୀଡିତ ୧୦ ଲକ୍ଷ ୪୭ ହଜାର ୪୦୦ ଜଣ ପ୍ରିକସନ ଡୋଜ ନେବେ । ସମ୍ମୁଖ ଯୋଦ୍ଧାଙ୍କ ସଂଖ୍ୟା ୭ ଲକ୍ଷ ୫ ହଜାର ରହିଥିବା କହିଛନ୍ତି ପରିବାର କଲ୍ୟାଣ ନିର୍ଦ୍ଦେଶକ ।

ପଞ୍ଚାୟତ ନିର୍ବାଚନ: ଜିଲ୍ଲାକୁ ଗଲା ବାଲାଟ୍ ବକ୍ସ, ପ୍ରାର୍ଥୀଙ୍କ ପାଇଁ ଜାରି ହେଲା ଚିହ୍ନ

ଭୁବନେଶ୍ବର: ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ପାଇ ରାଜ୍ୟ ନିର୍ବାଚନ ଆୟୋଗ ସଂପୂର୍ଣ୍ଣ ପ୍ରସ୍ତୁତ । ସମସ୍ତ ଜିଲ୍ଲାକୁ ବାଲଟ ବକ୍ସ ପଠାଯାଇଛି । ଅନ୍ୟ ରାଜ୍ୟରୁ ବାଲଟ ବକ୍ସ ଆସିଛି । ଏନେଇ ସୂଚନା ଦେଲେ ରାଜ୍ୟ ନିର୍ବାଚନ ଆୟୋଗ । ସରକାରୀ ପ୍ରେସରେ ବାଲଟ ପେପର ପ୍ରିଣ୍ଟିଂ ବି ଶେଷ ପର୍ଯ୍ୟାୟରେ ପହଞ୍ଚି ଥିବା ସେ କହିଛନ୍ତି ।

ଏହାସହ ୱାର୍ଡ ମେମ୍ବର, ସରପଞ୍ଚ, ସମିତି ସଭ୍ୟ ଓ ଜିଲ୍ଲା ପରିଷଦ ସଭ୍ୟଙ୍କ ଚିହ୍ନ ଜାରି ହୋଇଛି । ଓଡ଼ିଆ ନାମ ଅନୁସାରେ ପ୍ରାର୍ଥୀଙ୍କୁ ଚିହ୍ନ ଆଲଟ କରାଯିବ । କରୋନା ଉପରେ ନଜର ରହିଛି । ନିର୍ବାଚନ ପ୍ରଚାର ଏବଂ ଭୋଟିଂ ବେଳେ ସ୍ଥିତି ଦେଖି ଗାଇଡ଼ଲାଇନ ଜାରି ହେବ ବୋଲି କହିଛନ୍ତି ନିର୍ବାଚନ ଆୟୋଗ । ସରପଞ୍ଚଙ୍କ ପାଇଁ ୩୨, ସମିତି ସଭ୍ୟ ପାଇଁ ୧୯ ଓ ୱାର୍ଡ ମେମ୍ବର ପାଇଁ ୧୫ଟି ଚିହ୍ନ ରହିଛି । ସେହିପରି ସ୍ବାଧୀନ ଜିଲ୍ଲା ପରିଷଦ ସଭ୍ୟ ପାଇଁ ୧୯ଟି ଚିହ୍ନ ରହିଛି । ସ୍ବୀକୃତି ପ୍ରାପ୍ତ ଦଳ ସେମାନଙ୍କ ଦଳୀୟ ଚିହ୍ନରେ ଲଢ଼ିବେ ଜିଲ୍ଲା ପରିଷଦ ନିର୍ବାଚନ ।

ପୂର୍ବରୁ ଜିଲ୍ଲା ପରିଷଦ ଅଧ୍ୟକ୍ଷ ପଦ ପାଇଁ ଚୂଡ଼ାନ୍ତ ସଂରକ୍ଷଣ ତାଲିକା ପ୍ରକାଶ ପାଇ ସାରିଛି । ସେହିପରି ସରପଞ୍ଚ, ସମିତି ସଭ୍ୟ ଓ ଓ୍ବାର୍ଡ ମେମ୍ବରଙ୍କ ପାଇଁ ସାନି ସଂରକ୍ଷଣ ତାଲିକା ପ୍ରକାଶ ପାଇଛି । ଆସନ୍ତା ୩ ତାରିଖ ମଧ୍ୟରେ ଆପତ୍ତି ଅଭିଯୋଗ କରିପାରିବେ । ଆସନ୍ତା ୭ ତାରିଖରେ କମିଶନଙ୍କ ନିକଟରେ ଚୂଡ଼ାନ୍ତ ସଂରକ୍ଷଣ ତାଲିକା ପ୍ରଦାନ କରିବେ ସରକାର ।

ଗାୟତ୍ରୀବାଳା ପଣ୍ଡା ପାଇବେ ‘ମହୁରି ସମ୍ମାନ-୨୦୨୧’

ଭୁବନେଶ୍ବର: ଓଡ଼ିଆ ସାହିତ୍ୟର ସମ୍ଭ୍ରାନ୍ତ ସାହିତ୍ୟ ପତ୍ରିକା ‘ମହୁରି’ ପକ୍ଷରୁ ଚଳିତବର୍ଷର ମହୁରି ସମ୍ମାନ ଘୋଷଣା କରାଯାଇଛି । ଚଳିତବର୍ଷ ଏହି ସମ୍ମାନ ପାଇବେ କବି ଡ. ଗାୟତ୍ରୀବାଳା ପଣ୍ଡା । ପ୍ରତିବର୍ଷ ମହୁରିରେ ଲେଖାଲେଖି କରୁଥିବା ଜଣେ ସାହିତ୍ୟିକଙ୍କୁ ଏହି ସମ୍ମାନ ପାଇଁ ମନୋନୀତ କରାଯାଇଥାଏ । ଚଳିତବର୍ଷ ଡ. ପଣ୍ଡାଙ୍କ ନାମ ଚୟନ କମିଟି ସୁପାରିଶ କରିଛି । ଏନେଇ ଘୋଷଣା କରିବା ସହିତ ଆସନ୍ତା ଜାନୁଆରୀ-୨୦୨୨ରେ ମହୁରି ମହୋତ୍ସବ-୨୦୨୧ରେ ତାଙ୍କୁ ସମ୍ମାନିତ କରାଯିବ ବୋଲି ମୁଖ୍ୟ ସଂପାଦକ ଡ. ଭବାନୀଶଙ୍କର ନିଆଲ ଘୋଷଣା କରିଛନ୍ତି ।

ଗତ ୨୦୦୮ରୁ ନିୟମିତ ପ୍ରକାଶ ପାଇଆସୁଥିବା ଷାଣ୍ମାସିକ ସାହିତ୍ୟ ପତ୍ରିକା ‘ମହୁରି’ ପକ୍ଷରୁ ବିଗତ ବର୍ଷରେ ଲେଖକ ବିଷ୍ଣୁପଦ ସେଠୀ, ଗାଳ୍ପିକ ଓ ଔପନ୍ୟାସିକ ସତ୍ୟପ୍ରିୟ ମହାଳିକ, କବି ସୁଚେତା ମିଶ୍ର, ଗଦ୍ୟ ସାହିତ୍ୟର ବିଶିଷ୍ଟ ବିନ୍ଧାଣୀ ପ୍ରଫେସର ଆଦିକନ୍ଦ ସାହୁ, ପ୍ରାବନ୍ଧିକ ଚନ୍ଦ୍ରଶେଖର ହୋତା, କବି ଡ଼. ସୁରେଶ ନାୟକ ଓ କବି ଲକ୍ଷ୍ମୀନାରାୟଣ ହୋତା ଏହି ସମ୍ମାନରେ ସମ୍ମାନିତ ହୋଇସାରିଛନ୍ତି ।

ଗ୍ରନ୍ଥାଗାର ଓ ସୂଚନା ବିଜ୍ଞାନରେ ପିଏଚଡି ହାସଲ କରିଥିବା ଡ. ପଣ୍ଡା ସାମ୍ବାଦିକତାକୁ ନିଜର ବୃତ୍ତିଭାବରେ ଗ୍ରହଣ କରିଛନ୍ତି । ଏଯାବତ୍ ତାଙ୍କର ୧୧ଟି କବିତା ସଂକଳନ, ୨ଟି ଗଳ୍ପ ସଂକଳନ, ଖଣ୍ଡିଏ ପ୍ରବନ୍ଧ ପୁସ୍ତକ, ୨ଟି ଉପନ୍ୟାସ ପ୍ରକାଶ ପାଇଛି । ହିନ୍ଦୀରେ ଅନୁବାଦ ହୋଇଥିବା ୪ଟି ଓ ଇଂରାଜୀରେ ଅନୁବାଦ ହୋଇଥିବା ଖଣ୍ଡିଏ କବିତା ସଂକଳନ ମଧ୍ୟ ପ୍ରକାଶ ପାଇଛି । 2011ରେ କେନ୍ଦ୍ର ସାହିତ୍ୟ ଏକାଡ଼େମୀ ଯୁବ ପୁରସ୍କାର ପାଇବା ସହିତ ଶ୍ରୀମତୀ ପଣ୍ଡା ଅନେକ ଜାତୀୟ ଓ ରାଜ୍ୟସ୍ତରୀୟ ପୁରସ୍କାର ପାଇଛନ୍ତି । 2015ରେ ଅତିଥି ଲେଖକ ଭାବରେ ରାଷ୍ଟ୍ରପତି ଭବନରେ ୧୭ ଦିନ ଅବସ୍ଥାନ କରିଥିଲେ । ଏହି ସମ୍ମାନ ପାଇବାରେ ସେ ପ୍ରଥମ ଓ ଏକମାତ୍ର ଓଡିଆ । ତାଙ୍କ କବିତାରେ ଥିବା ପ୍ରଖର ଓ ପ୍ରାସଙ୍ଗିକ ବାମାଵାଦୀ ସ୍ବର ନିମନ୍ତେ ଚଳିତବର୍ଷ ତାଙ୍କୁ ସମ୍ମାନଜନକ ‘ମହୁରି ସମ୍ମାନ’ ପ୍ରଦାନ କରାଯାଉଛି ।

ପାନ ଦୋକାନରେ କରୋନା ଟିକା

ପୁରୀ: ପାନ ଦୋକାନରେ ମିଳୁଛି କରୋନା ଟିକା । ଫ୍ରିଜରେ ରଖାଯାଇଛି, ଲୁଚାଛପାରେ ବିକ୍ରି କରାଯାଉଛି । ଶୁଣିକି ଆଶ୍ଚର୍ଯ୍ୟ ଲାଗୁଥିଲେ ବି ଘଟଣା ସମ୍ପୂର୍ଣ୍ଣ ସତ । ପୁରୀରେ କଳାବଜାରୀ ହେଉଛି କରୋନା ଟିକା । ପାନ ଦୋକାନରେ ଫ୍ରିଜରେ ରଖି ବିକ୍ରି କରାଯାଉଛି । ତେବେ ଧରା ପଡ଼ିବା ପରେ କେହି ଜଣେ ଦୋକାନରେ ଟିକା ରଖି ଯାଇଥିବା ସଫେଇ ଦେଇଛନ୍ତି ଦୋକାନୀ ।

ସାଧାରଣଜନତା ଟିକା ନେବାରୁ ବଞ୍ଚିତ ହେଉଥିବାବେଳେ ଏକ ପାନ ଦୋକାନରୁ ଟିକା ମିଳିବା ଘଟଣାକୁ ନେଇ ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ପୁରୀ ସହରରେ ଏବେ ଘରକୁ ଘର ବୁଲି ସ୍ବାସ୍ଥ୍ୟ କର୍ମୀ ଟିକା ଦେଉଛନ୍ତି । ହେଲେ ଖୋଲା ବଜାରକୁ ଟିକା କିଭଳି ଆସିଲା ତାକୁ ନେଇ ପ୍ରଶ୍ନ ଉଠିବାରେ ଲାଗିଛି ।

୧୦ ହଜାର ଟପିଲା କରୋନା ସଂକ୍ରମଣ

ନୂଆଦିଲ୍ଲୀ: ଦେଶରେ ପୁଣି ଥରେ ୧୦ ହଜାର ଟପିଛି କରୋନା ସଂକ୍ରମଣ । ୨୪ ଘଣ୍ଟାରେ ଦେଶରେ ୧୩ ହଜାର ୧୫୪ ନୂଆ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଗୋଟିଏ ଦିନରେ ୪୩ ପ୍ରତିଶତ ବଢିଛି କରୋନା ଗ୍ରାଫ । ଯାହାକୁ ନେଇ ଚିନ୍ତା ବଢିବାରେ ଲାଗିଛି । ସେପଟେ ଓମିକ୍ରନ ସଂକ୍ରମିତଙ୍କ ସଂଖ୍ୟା ୯୬୧ ଛୁଇଁଛି । ମହାରାଷ୍ଟ୍ର ଓ ଦିଲ୍ଲୀରେ ସଂକ୍ରମଣ ସଂଖ୍ୟା ସବୁଠୁ ଅଧିକ ରହିଛି । ମହାରାଷ୍ଟ୍ରରେ ମୋଟ ସଂକ୍ରମିତଙ୍କ ସଂଖ୍ୟା ୨୫୨ରେ ପହଞ୍ଚିଛି । ଦିଲ୍ଲୀରେ ୨୬୩, ଗୁଜରାଟରେ ୯୭ , ରାଜସ୍ଥାନରେ ୬୯, କେରଳରେ ୬୫ ଓ ତେଲଙ୍ଗାନାରେ ୬୨ ଓମିକ୍ରନ ସଂକ୍ରମିତ ଚିହ୍ନଟ ହୋଇଛନ୍ତି ।

ଅନ୍ୟ ରାଜ୍ୟରେ ମଧ୍ୟ ସଂକ୍ରମଣ ବଢିବାରେ ଲାଗିଛି । ନୂଆବର୍ଷକୁ ଆଖି ଆଗରେ ରଖି ମୁମ୍ବାଇରେ ୧୪୪ ଧାରା ଜାରି କରାଯାଇଛି । ଏହାସହ ଜାନୁଆରୀ ୭ ତାରିଖ ପର୍ଯ୍ୟନ୍ତ ସମସ୍ତ କଟକଣା ଜାରି କରାଯାଇଛି । ବାର୍, ରେଷ୍ଟୁରାଣ୍ଟ, ରିସର୍ଟ ଓ ହୋଟେଲରେ ପାର୍ଟି ଉପରେ ଲାଗିଛି କଟକଣା । ମୁମ୍ବାଇରେ ତୃତୀୟ ଲହର ଆରମ୍ଭ ହୋଇଯାଇଥିବା କହିଛନ୍ତି କୋଭିଡ ଟାସ୍କ ଫୋର୍ସ ସଦସ୍ୟ ଡାକ୍ତର ଶଶାଙ୍କ ଯୋଶୀ । ଆଗକୁ ସଂକ୍ରମଣ ଅଧିକ ବଢିବ ବୋଲି ସେ ଚେତାବନୀ ଦେଇଛନ୍ତି । ମୁମ୍ବାଇରେ ସଂକ୍ରମଣ ୮୨ ପ୍ରତିଶତ ଓ ଦିଲ୍ଲୀରେ ପଜିଟିଭିଟି ରେଟ୍ ୧.୨୯ ପ୍ରତିଶତ ବୃଦ୍ଧି ପାଇଛି । ଟିକାକରଣକୁ ରାଜସ୍ଥାନ ସରକାର ବାଧ୍ୟତାମୂଳକ କରିଥିବାବେଳେ ମଣିପୁରରେ ରାତି ୯ଟାରୁ ଭୋର ୪ଟା ଯାଏ ନାଇଟ କର୍ଫ୍ୟୁ ଲାଗୁ କରାଯାଇଛି । ସମସ୍ତ ପ୍ରକାର କାର୍ଯ୍ୟକ୍ରମ, ଉତ୍ସବକୁ ନିଷିଦ୍ଧ କରାଯାଇଛି ।

ଭୁଲ ଚିକିତ୍ସା ନେଲା ଜୀବନ !

ସୋନପୁର: ଭୁଲ ଚିକିତ୍ସା ପାଇଁ ରୋଗୀର ମୃତ୍ୟୁ ଅଭିଯୋଗ । ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁରର ଘରୋଇ କ୍ଲିନିକରେ ଡାକ୍ତରଙ୍କ ଭୁଲ ଚିକିତ୍ସା ପାଇଁ ଜଣଙ୍କ ଜୀବନ ଯାଇଥିବା ଅଭିଯୋଗ ହୋଇଛି । ମୃତକ ଜଣକ ହେଲେ ରଥପୁର ଗାଁର କାର୍ତ୍ତିକ ମେହେର । କାର୍ତ୍ତିକଙ୍କ ମୃତ୍ୟୁ ପରେ କ୍ଲିନିକରେ ଉତ୍ତେଜନା ଦେଖା ଦେଇଛି । କ୍ଲିନକ ଆଗରେ ମୃତଦେହ ରଖି ପ୍ରତିବାଦ କରିଛନ୍ତି ଲୋକେ । ଘଟଣାସ୍ଥଳରେ ପୋଲିସ ମୁତୟନ ହୋଇଥିବା ବେଳେ ଡାକ୍ତର ଫେରାର ହୋଇଯାଇଥିବା ଜଣାପଡିଛି । ଡାକ୍ତର ଜଣଙ୍କ ବେଆଇନ ଭାବେ ବୀରମହାରାଜପୁରରେ କ୍ଲିନିକ୍ ଖୋଲି ଚିକିତ୍ସା କରୁଥିବା ଅଭିଯୋଗ ହୋଇଛି ।