spot_img
Home Blog Page 4759

ବୟଫ୍ରେଣ୍ଡଙ୍କ ସହ ବ୍ରେକଅପ୍; ’Peace is beautiful’ ଲେଖିଲେ ୯୦ ଦଶକର ଏହି ହିରୋଇନ୍

ନୂଆଦିଲ୍ଲୀ: ବର୍ତ୍ତମାନ ବେଶ ଚର୍ଚ୍ଚାରେ ରହିଛନ୍ତି ବଲିଉଡ ଅଭିନେତ୍ରୀ ସୁସ୍ମିତା ସେନ୍ । ତେବେ କୌଣସି ଫିଲ୍ମକୁ ନେଇ ଚର୍ଚ୍ଚାରେ ନାହାନ୍ତି ସୁସ୍ମିତା । ବରଂ ତାଙ୍କ ବ୍ରେକଅପକୁ ନେଇ ଚର୍ଚ୍ଚାରେ ରହିଛନ୍ତି ସୁସ୍ମିତା ସେନ୍ । ଗୁରୁବାର ସୋସିଆଲ ମିଡିଆରେ ଏକ ପୋଷ୍ଟ କରି ରେହମାନ ଶୋଲଙ୍କ ସହ ତାଙ୍କର ବ୍ରେକଅପ ହୋଇଛି ବୋଲି ଲେଖିଥିଲେ ସୁସ୍ମିତା ସେନ୍ । ବ୍ରେକଅପ ପରେ ପ୍ରଥମ ଥର ପାଇଁ ସୋସିଆଲ ମିଡିଆରେ ଏକ ଫଟୋ ପୋଷ୍ଟ କରି ଲେଖିଥିଲେ କି ‘ଶାନ୍ତି ବହୁତ ସୁନ୍ଦର ‘।

 

 

View this post on Instagram

 

A post shared by Sushmita Sen (@sushmitasen47)

ଗତକାଲି ସୁସ୍ମିତା ଇନଷ୍ଟାଗ୍ରାମରେ ରେହମାନଙ୍କ ସହ ଏକ ଫଟୋ ପୋଷ୍ଟ କରି ଲେଖିଛନ୍ତି କି ’ଆମେ ସାଙ୍ଗ ହିସାବରେ ସମ୍ପର୍କ ଆରମ୍ଭ କରିଥିଲେ ଏବଂ ସବୁଦିନ ପାଇଁ ଭଲ ସାଙ୍ଗ ହୋଇ ରହିବା, ସମ୍ପର୍କ ଶେଷ ହୋଇଛି ସତ କିନ୍ତୁ ଏବେ ବି ଭଲ ପାଇବା ରହିଛି’ । ବଲିଉଡ ଅଭିନେତ୍ରୀ ସୁସ୍ମିତା ସେନ ୨୦୧୮ ମସିହାରେ ରେହମାନଙ୍କୁ ଡେଟ କରିବା ଆରମ୍ଭ କରିଥିଲେ । ସୁସ୍ମିତା ସେନ ଇନଷ୍ଟାଗ୍ରାମରେ ଫଟୋ ପୋଷ୍ଟ କରିବା ପରେ ରେହମାନ ମଧ୍ୟ ଏହି ପୋଷ୍ଟକୁ ସେୟାର କରି ବ୍ରେକଅପ ହୋଇଥିବା ସୂଚନା ଦେଇଛନ୍ତି । ତେବେ ଉଭୟଙ୍କ ମଧ୍ୟରେ କାହିଁକି ବ୍ରେକଅପ ହେଲା ତାହା ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ ।

ମକର ରାଶିରେ ଚଳନ କରିବେ ବୁଧ; ଏହି ରାଶିର ବ୍ୟକ୍ତି ରୁହନ୍ତୁ ସାବଧାନ…

ଭୁବନେଶ୍ୱର: ମଣିଷ ଜୀବନରେ ଗ୍ରହ ନକ୍ଷତ୍ରର ବହୁ ଗୁରୁତ୍ୱ ରହିଛି। ଜ୍ୟୋତିଷ ଶାସ୍ତ୍ରାନୁସାରେ ଡିସେମ୍ବର ୨୯ ତାରିଖରେ ମକର ରାଶିରେ ବୁଧଙ୍କ ଚଳନ ହେବ। ଫଳରେ ଏହି ନବ ବର୍ଷ କିଛି ରାଶିର ବ୍ୟକ୍ତିଙ୍କୁ ଶୁଭଫଳ ପ୍ରଦାନ କରିବାକୁ ଥିବା ବେଳେ ଆଉ କିଛି ରାଶି ପାଇଁ ଏତେଟା ଶୁଭଙ୍କର ହୋଇନପାରେ।

ଜ୍ୟୋତିଷ ଶାସ୍ତ୍ର ଅନୁସାରେ ଡିସେମ୍ବର ୨୯ ତାରିଖ ୧୧ଟା ୩୨ମି.ରେ ବୁଧ ଗ୍ରହ ମକର ରାଶିକୁ ଚଳନ କରିବ। ତେବେ ଆସନ୍ତୁ ଜାଣିବା ଏହି ଚଳନ କେଉଁ ରାଶି ଉପରେ କି ପ୍ରଭାବ ପକାଇବ…

ମିଥୁନ ରାଶି-

ଏହି ରାଶିର ଅଷ୍ଟମ ଭାଗରେ ବୁଧ ଚଳନ ହେବ। ଯାହା ଫଳରେ ମନ ସବୁବେଳେ ଚଞ୍ଚଳ ରହିବ । ଅସ୍ଥିର ମନକୁ ଆୟତ୍ତରେ ରଖିବା ଲାଗି ଏହି ରାଶିର ବ୍ୟକ୍ତି ଯୋଗ ତଥା ଧ୍ୟାନ୍ କରିବା ଉଚିତ୍ । ବିଦେଶୀ କମ୍ପାନୀରେ କାମ କରୁଥିଲେ ଆପଣଙ୍କ କାର୍ଯ୍ୟ ବରିଷ୍ଠଙ୍କ ଦୃଷ୍ଟି ଆକର୍ଷଣ କରିବ । ଯାହା ଭବିଷ୍ୟତରେ ଆପଣଙ୍କ ପାଇଁ ଲାଭବାନ ହୋଇପାରେ । ସେଥିପାଇଁ ଏକାଗ୍ରତାର ସହ କାମ କରନ୍ତୁ ଏବଂ ଯାନବାହନ ଚଳାଚଳ ବେଳେ ଯଥାସମ୍ଭବ ସତର୍କତା ଅବଲମ୍ବନ କରନ୍ତୁ । ଏହି ଚଳନ ଆଉ କିଛି ବ୍ୟକ୍ତିଙ୍କ ଉପରେ ଧନବର୍ଷା କରିପାରେ ।

ସିଂହ ରାଶି-

ଏହି ରାଶିର ବ୍ୟକ୍ତିଙ୍କୁ ଚର୍ମ ସମ୍ବନ୍ଧୀୟ ସମସ୍ୟା ହୋଇପାରେ । ଆଲର୍ଜି ହେଉଥିବା ଖାଦ୍ୟରୁ ବଞ୍ଚନ୍ତୁ । ବିରୋଧି ମାନେ ଆପଣଙ୍କୁ କ୍ଷତି ପହଞ୍ଚାଇପାରନ୍ତି । ଏହି ରାଶିର ବ୍ୟକ୍ତି ଭାବିଚିନ୍ତି କଥାବାର୍ତ୍ତା କରନ୍ତୁ । ମାନ-ପ୍ରତିଷ୍ଠା ଉପରେ ଆଞ୍ଚ ଆସିପାରେ । କୋର୍ଟ କଚେରୀ ମାମଲାରେ ଫସିଲେ ଭାବି ଚିନ୍ତି ନିଷ୍ପତ୍ତି ନିଅନ୍ତୁ। ତେବେ ଆପଣଙ୍କୁ ଜୀବନସାଥୀଙ୍କ ସମ୍ପୂର୍ଣ୍ଣ ସହଯୋଗ ମିଳିବ ।

କନ୍ୟା ରାଶି-

କନ୍ୟା ରାଶିର ସ୍ୱାମୀ ହେଉଛନ୍ତି ବୁଧ ଗ୍ରହ। ମକର ରାଶିକୁ ବୁଧ ଚଳନ ବେଳେ ଏହା କନ୍ୟା ରାଶିର ୫ମ ଭାଗରେ ରହିବ । ଏସମୟରେ କନ୍ୟା ରାଶିର ବ୍ୟକ୍ତିଙ୍କୁ ଶୁଭଫଳ ମିଳିବାକୁ ଥିବା ବେଳେ କିଛିଟା ସତର୍କ ମଧ୍ୟ ରହିବାକୁ ପଡିପାରେ । ସନ୍ତାନ ମାନଙ୍କୁ ନେଇ ମାତା ପିତା ଚିନ୍ତାରେ ରହିପାରନ୍ତି । ଏଥିସହିତ ପିଲା ମାନଙ୍କୁ ଭୁଲ୍ ରାସ୍ତାରେ ଯିବାକୁ ଅଟକାନ୍ତୁ ।

ଜଗନ୍ନାଥ ଓ ସହଯୋଗୀ କୋର୍ଟ ଚାଲାଣ, ଖୁଲାସା କରିବ କ୍ରାଇମବ୍ରାଞ୍ଚ

ପୁରୀ: ବହୁ ଚର୍ଚ୍ଚିତ ଚିତ୍ତରଞ୍ଜନ ପଲେଇ ହତ୍ୟା ମାମଲାରେ ଶେଷ ଟ୍ରାକରେ କ୍ରାଇମବ୍ରାଞ୍ଚ । ଅପରାହ୍ନରେ ଦୁଇ ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରିଛି କ୍ରାଇମବ୍ରାଞ୍ଚ ଟିମ୍ । ଦୁଇ ଅଭିଯୁକ୍ତ ହେଉଛନ୍ତି ଜଗନ୍ନାଥ ଷଡଙ୍ଗୀ ଓ ଅଶୋକ ଉପାଧ୍ୟାୟ । କ୍ରାଇମବ୍ରାଞ୍ଚ ଡ଼ିଏସପି ଶିଶିର ମିଶ୍ରଙ୍କ ତତ୍ୱବାଧାନରେ ଚାଲିଥିଲା ଏହି ହାଇପ୍ରୋଫାଇଲ ମାମଲାର ତଦନ୍ତ  ।  ରାଜ୍ୟ ଯୋଜନା ବୋର୍ଡ ଉପାଧ୍ୟକ୍ଷ ସଞ୍ଜୟ ଦାସବର୍ମାଙ୍କ ବ୍ୟକ୍ତିଗତ ସହାୟକ ଚିତ୍ତରଞ୍ଜନ ପଲେଇଙ୍କ ହତ୍ୟା ଘଟଣାର ଖିଅ କ୍ରାଇମବ୍ରାଞ୍ଚ ହାତରେ ଲାଗି ସାରିଥିବା ସୂଚନା  ।

ଘଟଣାରେ ସଂଶ୍ଲିଷ୍ଠ ଥିବା ନେଇ ପୂର୍ବରୁ ଜଗନ୍ନାଥ ଷଡ଼ଙ୍ଗୀଙ୍କୁ ପୋଲିସ ଅଟକ ରଖିଥିବାବେଳେ ଉକ୍ତ ବ୍ୟକ୍ତିଙ୍କୁ ହିଁ ମୁଖ୍ୟ ଅଭିଯୁକ୍ତ ବୋଲି ଅନୁମାନ କରାଯାଉଥିଲା । କିନ୍ତୁ ଆଜି କ୍ରାଇମବ୍ରାଞ୍ଚ ଟିମ୍ ଜଗନ୍ନାଥ ଷଡ଼ଙ୍ଗୀ ସହ ଅନ୍ୟଜଣେ ସହଯୋଗୀଙ୍କୁ  କୋର୍ଟ ଚାଲାଣ କରିଛି  । ଅର୍ଥାତ ଏହି ହତ୍ୟା ଘଟଣାରେ ଜଗନ୍ନାଥ ହିଁ ମୁଖ୍ୟଅଭିଯୁକ୍ତ ବୋଲି ସ୍ପଷ୍ଟ ହୋଇଛି  ।  ପୁରୀ ଉପକୂଳ ନୂଆ ନଇ ପଠାରେ ଚିତ୍ତ ରଞ୍ଜନ ପଲେଇଙ୍କ ମୃତ ଦେହ ମିଳିଥିଲା  । ଏହା ପୂର୍ବରୁ ଦୁଇ ଦିନ ଧରି ନିଖୋଜ ରହିଥିଲେ ଚିତ୍ତ ରଞ୍ଜନ   ।

ପଞ୍ଜାବ ଚାଷୀଙ୍କୁ ନୂଆ ବର୍ଷ ଗିଫ୍ଟ ଦେଲେ ଚନ୍ନି ସରକାର, ୨ଲକ୍ଷ ପର୍ଯ୍ୟନ୍ତ ଋଣ ଛାଡ

ଚଣ୍ଡିଗଡ: ନୂଆ ବର୍ଷରେ ପଞ୍ଜାବ ଚାଷୀଙ୍କୁ ବଡ଼ ଗିପ୍ଟ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ଚରଣଜିତ୍ ସିଂ ଚନ୍ନି । ପଞ୍ଜାବ ଚାଷୀଙ୍କ ୨ ଲକ୍ଷ ପର୍ଯ୍ୟନ୍ତ କୃଷି ଋଣ ଛାଡ କରିବା ନିଷ୍ପତ୍ତି ନେଇଛନ୍ତି ପଞ୍ଜାବ ସରକାର । ଏନେଇ ପ୍ରେସମିଟ୍ କରି ସୂଚନା ଦେଇଛନ୍ତି ପଞ୍ଜାବ ମୁଖ୍ୟମନ୍ତ୍ରୀ ଚରଣଜିତ୍ ସିଂ ଚନ୍ନି । ସେ କହିଛନ୍ତି କି ପଞ୍ଜାବରେ ଏମିତି ଦୁଇ ଲକ୍ଷ ପରିବାର ଅଛନ୍ତି ଯାହାଙ୍କ ଉପରେ ପଞ୍ଜାବ ସରକାର ଦୁଇ ହଜାର କୋଟି ଟଙ୍କା ଖର୍ଚ୍ଚ କରିବେ । ୫ ଏକର ପର୍ଯ୍ୟନ୍ତ ଚାଷଜମି ଥିବା ଚାଷୀଙ୍କୁ ଏହାର ଲାଭ ମିଳିବ । ବ୍ୟାଙ୍କରେ ଜମି ବନ୍ଧକ ରଖି ଋଣ ନେଇଥିବା କୃଷକମାନେ ମଧ୍ୟ ଏହା ଦ୍ୱାରା ଉପକୃତ ହେବେ ।

ପଞ୍ଜାବ ସରକାର ପୂର୍ବରୁ ୫ ଲକ୍ଷ ୬୩ ହଜାର କୃଷକଙ୍କ ୪ ହଜାର ୬୧୦ କୋଟି ଟଙ୍କାର ଋଣ ଛାଡ କରିସାରିଛନ୍ତି । ଏହାଛଡ଼ା ମିଳିତ କିଷାନ ମୋର୍ଚ୍ଚାର ଦାବି ମୁତାବକ ୩୧ ଡିସେମ୍ବର ମଧ୍ୟରେ ଚାଷୀଙ୍କ ନାମରେ ରୁଜୁ ହୋଇଥିବା ସମସ୍ତ ମାମଲା ମଧ୍ୟ ପ୍ରତ୍ୟାହୃତ କରି ନିଆଯାଇଛି । ଏସବୁ ଘୋଷଣା ପରେ ମଧ୍ୟ ପଞ୍ଜାବ ସରକାରଙ୍କ ବିରୋଧରେ କୃଷକ ସେମାନଙ୍କ ଅନ୍ୟ ଦାବି ନେଇ ଆନ୍ଦୋଳନ ଜାରି ରଖିଛନ୍ତି । ଚାଷୀଙ୍କ ସମସ୍ତ ଋଣ ଛାଡ, କୃଷି ଆଇନ ସମୟରେ ମୃତ୍ୟୁ ବରଣ କରିଥିବା ପରିବାରଙ୍କୁ କ୍ଷତିପୂରଣ ଦାବିରେ ଆନ୍ଦୋଳନ ଜାରି ରଖିଛନ୍ତି ଚାଷୀ ସଂଗଠନ ।

 

ATM କାର୍ଡ଼ ପାଇଲେ, ଟଙ୍କା ଉଠାଇଲେ ପରେ ସବୁ ଫେରାଇଦେଲେ

ଭୁବନେଶ୍ୱର: ବାଟରେ ବାଟୋଇ ପାଇଥିଲେ ଏକ ଏଟିଏମ କାର୍ଡ । ସାଧାରଣ ମଣିଷର ପ୍ରବୃତ୍ତି ଭାବେ ତାଙ୍କୁ ମଧ୍ୟ ଲୋଭ ଆସିଥିଲା  । କିନ୍ତୁ ମାନବିକତା ଆଗରେ ହାର ମାନିଲା ଲୋଭ । ଏଟିଏମ କାର୍ଡ ରାସ୍ତାରୁ ପାଇବା ପରେ ଏଟିଏମକୁ ଯାଇ ଟଙ୍କା ଉଠାଇଥିଲେ  । ପରବର୍ତ୍ତୀ ସମୟରେ ଏହି କାର୍ଯ୍ୟ କେଉଁଠି ନା କେଉଁଠି ମାନବିକତାର ବିରୋଧରେ ବୋଲି ତାଙ୍କୁ ହୃଦବୋଧ ହୋଇଥିଲା  ।  ଉଠାଇଥିବା ୨୪ ହଜାର ଟଙ୍କା ଓ ଏଟିଏମ କାର୍ଡକୁ ଫେରାଇଦେଲେ ।  ଭୁବନେଶ୍ୱରର ଲକ୍ଷ୍ମୀସାଗର ଥାନା ଅଞ୍ଚଳରେ ଦେଖିବାକୁ ମିଳିଛି ଏଭଳି ଘଟଣା  ।

ଖବର ଅନୁଯାୟୀ ଗତ ସୋମବାର ବିଜେବି ନଗରର ଏକ ପାର୍କ ପାଖରେ ଏଟିଏମ କାର୍ଡ ପଡିଥିବା ଦେଖିବାକୁ ପାଇଥିଲେ ଦୁର୍ଗା ଚରଣ ଦାସ । କାର୍ଡ ପାଇବା କ୍ଷଣି ନିକଟସ୍ଥ ଏଟିଏମକୁ ଯାଇ ୨୪ ହଜାର ଟଙ୍କା ଉଠାଇଥିଲେ । ପରେ ଏହା ଉଚିତ ନୁହେଁ ବୋଲି ଅନୁଭବ କରିଥିଲେ  । ପରେ ଏଟିଏମ କାର୍ଡ ଓ ଟଙ୍କା ଧରି ଥାନାରେ ହାଜର ହୋଇଥିଲେ । ପୋଲିସ ସହାୟତାରେ ଏଟିଏମ କାର୍ଡ ପାଇପାରିଛନ୍ତି ପ୍ରକୃତ କାର୍ଡଧାରୀ  ।

ତାଲିବାନ ଶାସନରେ ବନ୍ଦ ହୋଇଛି ୨୩୧ ଗଣମାଧ୍ୟମ ସଂସ୍ଥା, ଚାକିର ହରାଇଛନ୍ତି ୬ ହଜାରରୁ ଅଧିକ ସାମ୍ବାଦିକ

କାବୁଲ: ତାଲିବାନ ଶାସନ ପ୍ରତିଷ୍ଠା ହେବା ପରଠାରୁ ବିପନ୍ନ ହୋଇଛି ଗଣମାଧ୍ୟମ । ୨୩୧ରୁ ଅଧିକ ସଂସ୍ଥା ବନ୍ଦ ହୋଇଯିବା ସହ ଚାକିରି ହରାଇଛନ୍ତି ୬ ହଜାର ୪୦୦ରୁ ଅଧିକ ସାମ୍ବାଦିକ । ରିପୋଟର୍ସ ଓ୍ବି ଦ ଆଉଟ ବର୍ଡର୍ସ ବା ଆରଏସଏଫ ଏବଂ ଆଫଗାନ ଇଣ୍ଡିପେଣ୍ଡେଣ୍ଟ ଜର୍ଣ୍ଣାଲିଷ୍ଟସ ଆସୋସିଏସନ ବା ଏଆଇଜେଏ ପକ୍ଷରୁ କରାଯାଇଥିବା ସର୍ଭେରେ ଏହି ତଥ୍ୟ ଦିଆଯାଇଛି ।

ତାଲିବାନର କଠୋର ନିର୍ଦ୍ଦେଶ ଅନୁସାରେ ଅନେକ ମିଡିଆ ହାଉସ ବନ୍ଦ ହୋଇଯାଇଥିବାବେଳେ ସେଥିରେ ଚାକିରି କରୁଥିବା ବିଭିନ୍ନ ବର୍ଗର ସାମ୍ବାଦିକ ଜୀବିକା ହରାଇଛନ୍ତି । ରିପୋର୍ଟରେ କୁହାଯାଇଛି ଯେ, ଅଗଷ୍ଟ ସୁଦ୍ଧା ଦେଶରେ ୫୪୩ଟି ଗଣମାଧ୍ୟମ ସଂସ୍ଥା ଥିଲା । ମାତ୍ର ବର୍ତ୍ତମାନ ସେହି ସଂଖ୍ୟା ୩୧୨କୁ ହ୍ରାସ ପାଇଛି । ଅର୍ଥାତ ୪୩ ପ୍ରତିଶତ ମିଡିଆ ହାଉସରେ ତାଲା ପଡିଛି । ମୋଟ କର୍ମଚାରୀଙ୍କ ମଧ୍ୟରୁ ୬୦ ପ୍ରତିଶତ କର୍ମଚାରୀ ଆଉ କାର୍ଯ୍ୟକ୍ଷେତ୍ରରେ ନାହାନ୍ତି । ମୋଟ ମହିଳା ସାମ୍ବାଦିକଙ୍କ ମଧ୍ୟରୁ ୮୦ ପ୍ରତିଶତ ମହିଳା ସାମ୍ବାଦିକ ସେମାନଙ୍କ ଚାକିରି ହରାଇଛନ୍ତି ।

ଚାରି ମାସ ତଳେ ଦେଶର ପ୍ରତି ପ୍ରଜାତନ୍ତ୍ରରେ ହାରାହାରି ୧୦ଟି ଲେଖାଁଏ ଘରୋଇ ମିଡିଆ ହାଉସ ଥିଲା । ମାତ୍ର ବର୍ତ୍ତମାନ ସେସବୁର ସ୍ଥିତି ହଜିଯାଇଛି । ପରଓ୍ବାନ ପ୍ରଜାତନ୍ତ୍ରରେ ୧୦ଟି ମିଡିଆ ହାଉସ ଥିବାବେଳେ ଏବେ ମାତ୍ର ୩ଟି ଚାଲିଛି । ହେରାଟ ପ୍ରଜାତନ୍ତ୍ରରେ ୫୧ଟି ମିଡିଆ ହାଉସରୁ ମାତ୍ର ୧୮ଟି ବର୍ତ୍ତମାନ ସମୟରେ କାର୍ଯ୍ୟକରୁଛି । କାବୁଲ ଅଞ୍ଚଳରେ ଅଗଷ୍ଟରେ ୧୪୮ଟି ମିଡିଆ ହାଉସ ଥିବାବେଳେ ବର୍ତ୍ତମାନ ରହିଛି ମାତ୍ର ୭୨ଟି ମିଡିଆ ହାଉସ ।

 

ଯୋଡ଼ା ଶିଶୁ ବୋଲି ଛାଡ଼ିଦେଇଥିଲେ ଆଉ ଏବେ…

0

ଅମୃତସର : ଏମିତି ଅଜବ ଶରୀର ଯୋଗୁଁ ବାପା, ମା’ ଛାଡ଼ିଦେଇଥିଲେ, ଆଉ ଏବେ ସରକାରୀ ଚାକିରି ପାଇଲେ । ଏଭଳି ଘଟଣା ଦେଖିବାକୁ ମିଳିଛି ପଞ୍ଜାବର ଅମୃତସର ସହରରେ । ସୋହନା ଏବଂ ମୋହନା ଦୁଇ ଯାଆଁଳା ଭାଇ । ବର୍ତ୍ତମାନ ଉଭୟଙ୍କୁ ପଞ୍ଜାବ ବିଦ୍ୟୁତ୍ ନିଗମରେ ନିଯୁକ୍ତି ମିଳିଛି । ଏଠାକାର ଜଣେ ଅଧିକାରୀଙ୍କ କହିବାନୁସାରେ ଡିସେମ୍ୱର ୧୯ରେ ଏମାନଙ୍କୁ ନିଯୁକ୍ତି ମିଳିଥିବା ବେଳେ ୨୦ ତାରିଖରୁ ଉଭୟ କାମ କରିବା ଆରମ୍ଭ କରିଦେଇଥିଲେ । ପିଏସପିସିଏଲର ବିଦ୍ୟୁତ୍ ସରବରାହ ବିଭାଗରେ ନିରୀକ୍ଷକ ଭାବେ ଏମାନଙ୍କୁ ନିଯୁକ୍ତି ମିଳିଥିବା ସୂଚନା ରହିଛି ।

ପଞ୍ଜାବ ବିଦ୍ୟୁତ୍ ନିଗମରେ ନିଯୁକ୍ତି ମିଳିଥିବାରୁ ଉଭୟ ଭାଈ ବହୁତ ଖୁସି ଥିବା କହିଛନ୍ତି । ନିଯୁକ୍ତି ମିଳିଥିବାରୁ ଉଭୟ ପଞ୍ଜାବ ସରକାର ଏବଂ ପିଙ୍ଗଲୱାଡ଼ା ସଂସ୍ଥାନଙ୍କୁ ଧନ୍ୟବାଦ ଜଣାଇଛନ୍ତି । ଯୋଡ଼ା ଶରୀର ଦୁଇ ଭାଇ ଆଇଟିଆଇ ପାସ୍ କରିଥିଲେ ଏହାପରେ ଦୁହେଁ ଆତ୍ମନିର୍ଭର ହେବାକୁ ଉଦ୍ୟମ ଜାରି ରଖିଥିଲେ । ପ୍ରଥମେ ଇଲେକ୍ଟ୍ରିକାଲରେ ଡିପ୍ଲୋମା କରି ୱାର୍କସପ୍ କରିଥିଲେ । ତେବେ ପରେ ରାଜ୍ୟ ସରକାର ଚାକିରି ପାଇଁ ଆବେଦନ କରିଥିଲେ । ପ୍ରବେଶିକା ପରୀକ୍ଷା ଓ ସାକ୍ଷାତକାରରେ ସଫଳ ହେବା ପରେ ଦୁହିଁଙ୍କୁ ନିଯୁକ୍ତି ଦେଇଛନ୍ତି ପଞ୍ଜାବ ସରକାର । ଏବଂ ଦୁହିଁଙ୍କ ମାସିକ ଦରମା ୨୦ ହଜାର । ଦୁହେଁ ୨୦୦୩ରେ ସୁଚିତା କ୍ରିପାଳିନୀ ହସ୍ପିଟାଲରେ ଜନ୍ମଗ୍ରହଣ କରିଥିଲେ । ମାତ୍ର ଦୁହିଁଙ୍କୁ ବାପା, ମା’ ଛାଡ଼ିଦେବା ପରେ ଏମାନଙ୍କୁ ଦିଲ୍ଲୀ ଏମସକୁ ନିଆଯାଇଥିଲା । ହେଲେ ସେଠାରେ ଦୁହିଁଙ୍କୁ ଅଲଗା କରାଯାଇପାରିନଥିଲା ।

ମୋବାଇଲ ଓ ମିଠା ପାଇଁ ବିଦ୍ୟୁତ୍ ଟାଓ୍ୱାର ଉପରେ ବସିଛି ଯୁବକ

ପାଟନା: ବିହାରରେ ଅମାନିଆ ଯୁବକଙ୍କ ଉନ୍ମତ୍ତକାଣ୍ଡ । ମିଠା ଓ ମୋବାଇଲ ଦାବିରେ ବିଦ୍ୟୁତ୍ ଟାଓ୍ୱାର ଉପରେ ବସି ରହିଛି ଅମାନିଆ ଯୁବକ । ଏହି ଘଟଣା ଦେଖିବାକୁ ମିଳିଛି ବିହାରର ମୁଜାଫରନଗରରେ । ଅମାନିଆ ଯୁବକଙ୍କ ଅଜବ ଦାବିରେ ଉଚ୍ଚ କ୍ଷମତା ସମ୍ପନ୍ନ ବିଦ୍ୟୁତ୍ ଟାଓ୍ୱାର ଉପରେ ବସି ରହିଛନ୍ତି । ଯାହା ଫଳରେ ସେହି ଅଞ୍ଚଳରେ ୧୮ ଘଣ୍ଟା ଧରି ବିଦ୍ୟୁତ ସରବରାହ ବନ୍ଦ ରହିଛି । ଏହି ଖବର ପ୍ରସାରିତ ହେବା ପରେ ଘଟଣାସ୍ଥଳରେ ବିଦ୍ୟୁତ ବିଭାଗର କର୍ମଚାରୀ, ପୋଲିସ୍ ପ୍ରଶାସନ, ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚିଛନ୍ତି ।

ବିଦ୍ୟୁତ ଟାଓ୍ୱାରରେ ବସି ରହିଥିବା ଯୁବକ ଜଣଙ୍କୁ ବହୁ ବୁଝା ସୁଝା ପରେ ମଧ୍ୟ ସେ ବୁଝିବାକୁ ନାରଜ । ସ୍ଥାନୀୟ ପୋଲିସ ଅନେକ ବୁଝାଶୁଝା ପରେ ବି ଯୁବକ ଜଣଙ୍କ ତଳକୁ ଓହ୍ଲାଇବାକୁ ମନା କରୁଛନ୍ତି । ସୂଚନା ଅନୁସାରେ ଏହି ଯୁବକ ଜଣଙ୍କ ମାନସିକ ବିକାରଗ୍ରସ୍ତ । ଏହା ପୂର୍ବରୁ ଏହି ଯୁବକ ଏହି ପରି ଭାବରେ ଅନେକ କାର୍ଯ୍ୟ କରିଛନ୍ତି । ଦୀର୍ଘ ୧୮ଘଣ୍ଟା ଧରି ଏହି ଡ୍ରାମା ଚାଲିଥିବା ବେଳେ ଘଟଣାସ୍ଥଳରେ ଶହ ଶହ ଲୋକ ଏକାଠି ହୋଇଥିବା ଦେଖାଯାଇଛି ।

କ୍ରିକେଟକୁ ଅଲବିଦା କହିଲେ ହରଭଜନ, ଅନ୍ତ ହେଲା ୨୩ ବର୍ଷର କ୍ରିକେଟ କ୍ୟାରିୟର

ଚଣ୍ଡିଗଡ଼: କ୍ରିକେଟକୁ ଅଲବିଦା କହିଲେ ବିଶ୍ୱକପ ବିଜେତା ସ୍ପିନର ହରଭଜନ ସିଂ । ୨୩ ବର୍ଷ ଭାରତ ପାଇଁ କ୍ରିକେଟ ଖେଳିବା ପରେ ଶୁକ୍ରବାର କ୍ରିକେଟର ସମସ୍ତ ଫର୍ମାଟରୁ ଅବସର ଘୋଷଣା କରିଛନ୍ତି ହରଭଜନ । ଏନେଇ ଟ୍ୱିଟ କରି ସୂଚନା ଦେଇଛନ୍ତି ହରଭଜନ । ହରଭଜନ ହେଉଛନ୍ତି ଏମିତି ଏକ ଖେଳାଳି ଯିଏ କି ଦୁଇଟି ବିଶ୍ୱକପ ବିଜେତା ଦଳର ସଦସ୍ୟ ରହିଥିଲେ । ୨୦୦୭ରେ ପ୍ରଥମ ଥର ପାଇଁ ଖେଳାଯାଇଥିବା ଟି-୨୦ ବିଶ୍ୱକପରେ ଭାରତକୁ ବିଶ୍ୱ ବିଜେତା କରିବାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ତୁଲାଇଥିଲେ ହରଭଜନ। ସେହିପରି ଭାବରେ ୨୦୧୧ ଦିନିକିଆ ବିଶ୍ୱକପରେ ହରଭଜନ ଦମଦାର ପ୍ରଦର୍ଶନ କରିଥିଲେ ।

ଟର୍ବୋନେଟର ଭାବରେ ଜଣାଶୁଣା ହରଭଜନ ସିଂ ବିଶ୍ୱର ଶ୍ରେଷ୍ଠ ଅଫ ସ୍ପିନରଙ୍କ ମଧ୍ୟରେ ଅନ୍ୟତମ । ହରଭଜନଙ୍କ ଦମଦାର ବୋଲିଂ ଫଳରେ ଟିମ୍ ଇଣ୍ଡିଆ ବହୁ ମ୍ୟାଚରେ ବିଜୟ ଲାଭ କରିଛି । ସେ ୨୦୦୧ ମସିହାରେ ଅଷ୍ଟ୍ରେଲିଆ ବିପକ୍ଷରେ ଇଡେନ ଗାର୍ଡେନରେ ହ୍ୟାଟ୍ରିକ ଅକ୍ତିଆର କରିଥିଲେ । ୨୦୦୦ ମସିହାରୁ ୨୦୧୦ ମସିହା ପର୍ଯ୍ୟନ୍ତ ହରଭଜନ ଅନିଲ କୁମ୍ବେଲଙ୍କ ସହ ମିଶି ଭାରତୀୟ ଦଳକୁ ଅନେକ ଗୁରୁତ୍ୱପୂର୍ଣ୍ଣ ମ୍ୟାଚ ଜିତିଇବାରେ ସାହାଯ୍ୟ କରିଥିଲେ।

୨୫ ମାର୍ଚ୍ଚ ୧୯୯୮ ମସିହାରେ ଅଷ୍ଟ୍ରେଲିଆ ବିପକ୍ଷରେ ଟେଷ୍ଟରେ ଡେବ୍ୟୁ କରିଥିଲେ ହରଭଜନ । ସେହିପରି ୧୭ ଏପ୍ରିଲ ୧୯୯୮ରେ ନ୍ୟୁଜିଲାଣ୍ଡ ବିପକ୍ଷରେ ଦିନିକିଆରେ ପଦାର୍ପଣ କରିଥିଲେ ସେ । ହରଭଜନ ମୋଟ ୧୦୩ଟି ଟେଷ୍ଟ ମ୍ୟାଚ ଖେଳି ୪୧୭ ଓ୍ୱିକେଟ ଅକ୍ତିଆର କରିଥିବା ବେଳେ ଦିନିକିଆରେ ୨୩୬ ମ୍ୟାଚ ଖେଳି ୨୬୯ ଓ୍ୱିକେଟ ଅକ୍ତିଆର କରିଛନ୍ତି । ସେହିପରି ଭାବରେ ୨୮ଟି ଟି-୨୦ ମ୍ୟାଚ ଖେଳି ୨୫ ଓ୍ୱିକେଟ ଅକ୍ତିଆର କରିଛନ୍ତି । ଭାରତ ପକ୍ଷରୁ ଶେଷ ଥର ପାଇଁ ହରଭଜନ ୨୦୧୬ ମସିହାରେ ୟୁଏଇ ବିପକ୍ଷରେ ଶେଷ ଅନ୍ତର୍ଜାତୀୟ ମ୍ୟାଚ ଖେଳିଥିଲେ ।

ମାଣିକେଶ୍ୱରୀ ପୀଠ ବିକାଶ କାମର ଶିଳାନ୍ୟାସ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଭିଡିଓ କନ୍‌ଫରେନ୍‌ସିଂ ଜରିଆରେ କଳାହାଣ୍ଡିର ଥୁଆମୂଳ-ରାମପୁର ମା ମାଣିକେଶ୍ୱରୀ ପୀଠର ବିକାଶ କାମର ଶିଳାନ୍ୟାସ କରିଛନ୍ତି। ଏଥିରେ ଦୁଇ କୋଟି ଟଙ୍କା ଖର୍ଚ୍ଚ କରାଯିବ। 5T ଉପକ୍ରମ ଅଧୀନରେ ମା’ଙ୍କର ଏହି ପୀଠର ବିକାଶ କାମ ଆରମ୍ଭ କରାଯାଇଛି ।

ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ମା’ ମାଣେକେଶ୍ୱରୀଙ୍କ ଆଶୀର୍ବାଦ ଆମ ସମସ୍ତଙ୍କ ଉପରେ ରହିଛି ଏବଂ ମାଙ୍କ ଆଶୀର୍ବାଦ ଓ କଳାହାଣ୍ଡିବାସୀଙ୍କର ଉଦ୍ୟମ ଆଜି କଳାହାଣ୍ଡିରେ ରୂପାନ୍ତର ଆଣିଛି । କଳାହାଣ୍ଡି ଆଜି ବିକାଶର ନୂଆ ପରିଚୟ ନେଇ ଆଗକୁ ବଢୁଛି । ଏହି ବିକାଶରେ କଳାହାଣ୍ଡିର ପ୍ରତି ପରିବାର ଓ ପ୍ରତି ଲୋକ ସିଏ ଚାଷୀ ହେଉ ବା ଶ୍ରମିକ, ଯୁବ ସମାଜ, ସାଧାରଣ ଜନତା ବା ମହିଳା ସମସ୍ତଙ୍କର ଅବଦାନରେ କଳାହାଣ୍ଡି ଆଗେଇ ଚାଲିଛି। କଳାହାଣ୍ଡିର ଚାଷୀ ଆଜି ସାରା ଦେଶକୁ ଖାଦ୍ୟ ଯୋଗାଉଛି । କଳାହାଣ୍ଡି କପାର ଚାହିଦା ବଢିଛି । ଶିଳ୍ପ ନୂଆ ସୁଯୋଗ ଆଣିଛି । ଭିତ୍ତିଭୂମି ମଜବୁତ ହୋଇଛି । କଳାହାଣ୍ଡି ୟୁନିଭରସିଟି, ସରକାରୀ ମେଡିକାଲ କଲେଜ, ସରକାରୀ ଇଂଜିନିୟରିଂ କଲେଜ ଆଜି କଳାହାଣ୍ଡି ଯୁବସମାଜ ପାଇଁ ନୂଆ ପରିଚୟ ଆଣିଛି।

ଏହି କାର୍ଯ୍ୟକ୍ରମରେ ସ୍ୱାସ୍ଥ୍ୟ ମନ୍ତ୍ରୀ ନବ ଦାସ, ଶିଳ୍ପ, ଶକ୍ତି ଓ ସ୍ୱରାଷ୍ଟ୍ର  ରାଷ୍ଟ୍ରମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ର ଉଦ୍‌ବୋଧନ ଦେଇ ମୁଖ୍ୟମନ୍ତ୍ରୀଙ୍କ ନେତୃତ୍ୱରେ କଳାହାଣ୍ଡିର ବିଭିନ୍ନ କ୍ଷେତ୍ରରେ ଯେଉଁ ଉନ୍ନତି ସାଧିତ ହୋଇଛି, ତାହା ଉପରେ ଆଲୋକପାତ କରିଥିଲେ । ଏହାବ୍ୟତୀତ କଳାହାଣ୍ଡି ଜିଲ୍ଲାପାଳ, ଲାଞ୍ଜିଗଡ ବିଧାୟକ, ସାଂସଦ ସୁଜିତ କୁମାରଙ୍କ ସମେତ ଜିଲ୍ଲାର ବିଧାୟକମାନେ ଉପସ୍ଥିତ ଥିଲେ ।