spot_img
Home Blog Page 4761

ଚୋରି ଜିନିଷ ଫେରାଇ ଭାବବିହ୍ୱଳ ହେଲା ଚୋର, ଜାଣିନଥିଲି ଆପଣ ଏତେ ଗରିବ…

ଲକ୍ଷ୍ନୌ: ଉତ୍ତରପ୍ରଦେଶର ବାନ୍ଦାରୁ ଚୋରିର ଏକ ରୋଚକ କାହାଣୀ ସାମ୍ନାକୁ ଆସିଛି । ଯେଉଁଠି ଜଣେ ଚୋର ଏକ ୱେଲ୍ଡିଂ ଦୋକାନରୁ ହଜାରେରୁ ଅଧିକ ଟଙ୍କାର ସାମଗ୍ରୀ ଚୋରି କରିଥିଲା । ଚୋରି ପରେ ପୀଡ଼ିତଙ୍କ ଚିନ୍ତା ଦେଖି ଚୋରର ହୃଦୟ ତରଳି ଯାଇଛି । ଭାବବିହ୍ୱଳ ହୋଇ ଚୋର ଗୋଟି ଗୋଟି କରି ସମସ୍ତ ଚୋରି ସାମଗ୍ରୀ ଫେରାଇ ଦେବା ସହ କ୍ଷମା ମାଗିଛି ।

ଚୋର ଏକ ବସ୍ତା ଓ ଡବାରେ ସମସ୍ତ ଜିନିଷ ପ୍ୟାକ କରି ଭୁଲ୍ କରିଥିବା ଏକ କାଗଜରେ ଲେଖି ଫେରାଇ ଦେଇଛି । ଏହାକୁ ନେଇ ସ୍ଥାନୀୟ ଅଞ୍ଚଳରେ ବେଶ ଚର୍ଚ୍ଚା ହେଉଛି । ସୂଚନା ଅନୁସାରେ, ବିସଣ୍ଡା ଥାନା ଅଞ୍ଚଳର ଚନ୍ଦ୍ରାୟଲ ଗାଁରେ ରୁହନ୍ତି ଦିନେଶ ତିୱାରୀ । ତାଙ୍କର ଆର୍ଥିକ ଅବସ୍ଥା ବେଶ୍ ଖରାପ । କିଛିବର୍ଷ ତଳେ ୪୦ ହଜାର ଟଙ୍କା ଧାର କରି ଘର ତିଆରି କରିଥିଲେ । ସବୁଦିନ ଭଳି ଡିସେମ୍ବର ୨୦ ସକାଳେ ଦୋକାନ ଖୋଲିବାକୁ ପହଞ୍ଚିଥିଲେ ଦିନେଶ । ଆଉ ଦେଖିଥିଲେ ଭଙ୍ଗା ଯାଇଛି ଦୋକାନର ତାଲା, ଚୋରି ହୋଇ ଯାଇଛି ସାମଗ୍ରୀ ।

ଏନେଇ ସେ ଥାନାରେ ଅଭିଯୋଗ କରିଥିଲେ । ୨୨ ଡିସେମ୍ବରରେ ଜଣାପଡ଼ିଥିଲା କି ତାଙ୍କର ଚୋରି ହୋଇଥିବା ଜିନିଷ ଘର ଠାରୁ କିଛି ଦୂରରେ ଖାଲି ସ୍ଥାନରେ ପଡ଼ିଛି । ଚୋର ଦିନେଶଙ୍କ ସାମଗ୍ରୀଙ୍କୁ ଗାଁର ଏକ ଖାଲି ସ୍ଥାନରେ ରଖି ଦେଇଥିଲା । ଫେରାଇଥିବା ସାମଗ୍ରୀ ସହ ଚୋର ଏକ ପେପର ନୋଟ ଦେଇଥିଲା । ଯେଉଁଥିରେ ଲେଖାଥିଲା, ଏହା ଦିନେଶ ତିୱାରୀଙ୍କ ସାମଗ୍ରୀ । ମୁଁ ବାହାର ଲୋକଙ୍କ ଠାରୁ ଆପଣଙ୍କ ବିଷୟରେ ଶୁଣିଲି । ଭୁଲ୍ ଠିକଣା ଯୋଗୁଁ ମୋର ଭୁଲ୍ ହୋଇ ଯାଇଛି ।

କରୋନାରୁ ’ଜୱାଦ୍’, କେମିତି ସଫଳ ମୁକାବିଲା କରିଥିଲା ଓଡ଼ିଶା ?

ମହାମାରୀ ସହ ଯୁଝୁଥିଲା ବିଶ୍ୱ । ନିଶ୍ୱାସ ନେବାରେ କଷ୍ଟ ଅନୁଭବ କରୁଥିଲା ଭାରତ । ଦେଶର ଏହି ଘଡ଼ିସନ୍ଧି ମୁହୂର୍ତ୍ତରେ ସଞ୍ଜିବନୀ ଯୋଗାଇଥିଲା ଓଡ଼ିଶା । ବିଦାୟ ବର୍ଷ ୨୦୨୧ରେ ଓଡ଼ିଶା ଦେଶ ପାଇଁ ପାଲଟିଥିଲା ରାହା । ସାମୁଦ୍ରିକ ଝଡ଼ ‘ୟାସ୍’ ଓଡ଼ିଶା ଉପକୂଳ ମୁହାଁଉଥିବା ବେଳେ ଅନ୍ୟ ରାଜ୍ୟକୁ ଟନ୍ ଟନ୍ ଅମ୍ଲଜାନ ପଠାଇ ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଥିଲା ରାଜ୍ୟ । ଝଡ଼ର ମାଡ଼ ଭିତରେ ଅନ୍ୟ ରାଜ୍ୟରେ ଓଡ଼ିଶା ପହଞ୍ଚାଇଥିଲା ନିଶ୍ୱାସ । ଯାହାକୁ ନେଇ ଅନ୍ତର୍ଜାତୀୟ ମେଡିକାଲ୍ ଜର୍ଣ୍ଣାଲ ଦ ଲାନସେଟ୍ ମଧ୍ୟ ଓଡ଼ିଶାକୁ ପ୍ରଂଶସା କରିଥିଲା ।

ଓଡ଼ିଶା ବାଣ୍ଟିଥିଲା ସଞ୍ଜିବନୀ

କରୋନାର ପ୍ରଥମ ପ୍ରବାହ ଭଳି ଦ୍ୱିତୀୟ ପ୍ରବାହରେ ଆଗୁଆ ସତର୍କ ହୋଇଥିଲା ଓଡ଼ିଶା । ସଂକ୍ରମଣର ଚେନରେ ବ୍ରେକ୍ ଦେବାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଦେଇଥିଲେ ୬ ସୂତ୍ରୀ ମନ୍ତ୍ର । ବଢ଼ାଇଥିଲେ କରୋନା ଯୋଦ୍ଧାଙ୍କ ମନୋବଳ । କେନ୍ଦ୍ରର ଘୋଷଣା ପୂର୍ବରୁ ମୁଖ୍ୟମନ୍ତ୍ରୀ ସମସ୍ତଙ୍କ ପାଇଁ ମାଗଣା କୋଭିଡ୍ ଟିକା ଘୋଷଣା କରିବା ସହ ଆଗୁଆ ଅର୍ଡର ମଧ୍ୟ ଦେଇଥିଲେ । ଏତିକିରେ ଅଟକି ନଥିଲେ ମୁଖ୍ୟମନ୍ତ୍ରୀ । କୋଭିଡ୍ ଟିକା ପାଇଁ ଦେଶରେ ପ୍ରଥମ ରାଜ୍ୟ ଭାବେ ଓଡ଼ିଶା ବିଶ୍ୱସ୍ତରରେ ଡାକିଥିଲା ଟେଣ୍ଡର । ଅନଲାଇନରେ କୋଭିଡ୍ ପରୀକ୍ଷା ରିପୋର୍ଟ ପାଇଁ ସରକାର ଆରମ୍ଭ କରିଥିଲେ ୱେବସାଇଟ୍ ।

ମହାମାରୀ ସହ ଓଡ଼ିଶା ଲଢ଼ୁଥିବା ବେଳେ ମାଡ଼ି ଆସିଥିଲା ବିପର୍ଯ୍ୟୟ । ଉତ୍ତର ଓଡ଼ିଶାରେ ତାଣ୍ଡବ ରଚିଥିଲା ବାତ୍ୟା ‘ୟାସ୍’ । ପ୍ରବଳ ବର୍ଷା, ପବନ ଭିତରେ ଓଡ଼ିଶା ବିଭିନ୍ନ ରାଜ୍ୟକୁ ବାଣ୍ଟି ଚାଲିଥିଲା ସଞ୍ଜିବନୀ । ଟନ୍ ଟନ୍ ଅମ୍ଲଜାନ ଓଡ଼ିଶା ଅନ୍ୟ ରାଜ୍ୟକୁ ପଠାଇ କରୋନା ଆକ୍ରାନ୍ତଙ୍କୁ ନୂଆ ପ୍ରାଣ ଦେଇଥିଲା । ଯେଉଁଥିପାଇଁ ଜାତୀୟ ସହ ଅନ୍ତର୍ଜାତୀୟ ସ୍ତରରେ ଉଚ୍ଚ ପ୍ରଂଶସିତ ହୋଇଥିଲା ଓଡ଼ିଶା । ଅନ୍ତର୍ଜାତୀୟ ମେଡିକାଲ ଜର୍ଣ୍ଣାଲ ଦ ଲାନସେଟ୍ ମଧ୍ୟ ଓଡ଼ିଶାକୁ ପ୍ରଂଶସା କରିଥିଲା । ଉଚ୍ଚକୋଟୀର କୋଭିଡ୍ ଡ୍ୟାସବୋର୍ଡ ପାଇଁ ଓଡ଼ିଶାକୁ ମିଳିଥିଲା ଟେକ୍ ସଭା ଆୱାର୍ଡ ।

https://twitter.com/i/status/1397449000941326337

କୋଭିଡର ଦ୍ୱିତୀୟ ପ୍ରବାହର ସଫଳ ମୁକାବିଲା କରିଥିବା ଓଡ଼ିଶା ଏବେ ତୃତୀୟ ପ୍ରବାହକୁ ସାମ୍ନା କରିବାକୁ ପ୍ରସ୍ତୁତ । କୋଭିଡ୍ ଯୋଗୁଁ ଲୋକଙ୍କ ଆର୍ଥିକ ଅବସ୍ଥା ଖରାପ ହୋଇ ଯାଇଥିବା ବେଳେ ସରକାର ରାସନ କାର୍ଡ ହିତାଧିକାରୀଙ୍କୁ ୧ ହଜାର ଟଙ୍କା ଲେଖାଏ ଯୋଗାଇ ଦେଇଛନ୍ତି । ତା ସହ ୨୦୨୨ ମାର୍ଚ୍ଚ ଯାଏ ଅତିରିକ୍ତ ୫ କେଜି ମାଗଣା ଚାଉଳ ଯୋଗାଇ ଦେବେ ସରକାର ।

ଭାର ନୁହେଁ ଓଡ଼ିଶା

କରୋନା ବେଳେ ବାତ୍ୟା ମାଡ଼ ହୋଇଥିଲେ ବି କେନ୍ଦ୍ର ଉପରେ ଅନୁଦାନ ପାଇଁ ଚାପ ପକାଇ ନଥିଲେ ସରକାର । ନିଜସ୍ୱ ପାଣ୍ଠିରେ ବାତ୍ୟା ପରବର୍ତ୍ତୀ ପୁନରୁଦ୍ଧାର ଓ ଥଇଥାନ ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିଷ୍ପତ୍ତି ନେଇଥିଲେ । ଯେଉଁଥିପାଇଁ ସମଗ୍ର ଦେଶରେ ଓଡ଼ିଶା ଚର୍ଚ୍ଚାକୁ ଆସିଥିଲା । ବାତ୍ୟା ପ୍ରଭାବିତ ଲୋକଙ୍କ ପାଇଁ ୭ ଦିନିଆ ରିଲିଫ୍ ଘୋଷଣା କରିଥିଲେ ମୁଖ୍ୟମନ୍ତ୍ରୀ । ୧୨୮ ଜଳବନ୍ଦୀ ଗାଁର ଲୋକଙ୍କୁ ରନ୍ଧା ସହ ଶୁଖିଲା ଖାଦ୍ୟ ବଣ୍ଟନ କରାଯାଇଥିଲା । ବାତ୍ୟାର ୨୪ ଘଣ୍ଟା ମଧ୍ୟରେ ସ୍ୱଭାବିକ ହୋଇଥିଲା ୮୦ ପ୍ରତିଶତ ବିଦ୍ୟୁତ୍ ସେବା ।

How Odisha Successfully Handled Corona And Cyclone In 2021

ବର୍ଷ ଶେଷକୁ ଆଉ ଏକ ସାମୁଦ୍ରିକ ଝଡ଼ ‘ଜୱାଦ୍’ ଓଡ଼ିଶା ମୁହାଁ ହୋଇଥିଲା । ‘ଜୱାଦ୍’ ମୁକାବିଲା ପାଇଁ ସରକାର ବ୍ୟାପକ ପଦକ୍ଷେପ ନେବା ସହ ତଳିଆ ଅଞ୍ଚଳରୁ ଲୋକଙ୍କୁ ସୁରକ୍ଷିତ ସ୍ଥାନାନ୍ତରଣ ଆରମ୍ଭ କରିଥିଲା । ଆଶ୍ୱସ୍ତିର କଥା ‘ଜୱାଦ୍’ ସମୁଦ୍ରରେ ହିଁ ଦୁର୍ବଳ ହୋଇ ଯାଇଥିଲା । ଏବେ ବର୍ଷ ୨୦୨୧ ସରୁଥିବା ବେଳେ ଥମିନି ମହାମାରୀ କରୋନା । ପ୍ରତିବର୍ଷ ବାତ୍ୟା, ବନ୍ୟା ଭଳି ପ୍ରାକୃତିକ ବିପର୍ଯ୍ୟୟର ସାମ୍ନା କରୁଥିବା ଓଡ଼ିଶା ଦୀର୍ଘ ମିଆଦୀ ଯୋଜନା ପାଇଁ କେନ୍ଦ୍ର ନିକଟରେ ଦାବି ରଖିଛି ।

ଉଠା ଦୋକାନୀଙ୍କୁ ଆଜି କୋଭିଡ୍ ସହାୟତା ବାଣ୍ଟିବେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ସାରା ବିଶ୍ୱର ଆର୍ଥିକ ସ୍ଥିତିକୁ ଦୋହଲାଇ ଦେଇଛି କରୋନା । ମହାମାରୀ ଦ୍ୱାରା ବିଶେଷ ପ୍ରଭାବିତ ହୋଇଛନ୍ତି ରାସ୍ତାକଡ଼ର ଉଠା ଦୋକାନୀ । କରୋନା ପାଇଁ ସେମାନଙ୍କର ମେରୁଦଣ୍ଡ ଭାଙ୍ଗି ପଡ଼ିଛି । ଉଠାଦୋକାନୀଙ୍କ ଜୀବନ ଜୀବିକାକୁ ଟ୍ରାକକୁ ଆଣିବାକୁ ଆଜି ସହାୟତା ପ୍ରଦାନ କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ରାସ୍ତା କଡ଼ର ଉଠା ଦୋକାନୀଙ୍କୁ ପ୍ରଦାନ କରାଯିବ ୩ ହଜାର ଟଙ୍କାର ସହାୟତା ରାଶି ।

CM Naveen Patnaik To Give Covid Assistance To Street Vendor

ଭର୍ଚୁଆଲରେ ଦିନ ୧୧ଟା ୩୦ ମିନିଟରେ ସହାୟତା ପ୍ରଦାନ କରିବେ ମୁଖ୍ୟମନ୍ତ୍ରୀ । ରାଜ୍ୟର ୫ ମହାନଗର ନିଗମ ଭୁବନେଶ୍ୱର ସମେତ ବ୍ରହ୍ମପୁର, ରାଉରକେଲା, ସମ୍ବଲପୁର, କଟକରେ ସହାୟତା ପ୍ରଦାନର ଶୁଭାରମ୍ଭ କରିବେ ନବୀନ । ପର୍ଯ୍ୟାୟକ୍ରମେ ସାରା ରାଜ୍ୟରେ ସହାୟତା ଦିଆଯିବ ।

୨୩ ଥାନାରେ ୮ ହଜାର ୯୬୭ଟି ମାମଲା

ଭୁବନେଶ୍ୱର: କମିଶନରେଟ ପୋଲିସର ଭୁବନେଶ୍ୱର ୟୁପିଡର ୨୩ଟି ଥାନାରେ ମାମଲା ରୁଜୁ ଓ ତଦନ୍ତ ଶେଷ ନେଇ ବାର୍ଷିକ ରିପୋର୍ଟ କାର୍ଡ । ଚଳିତ ବର୍ଷ ଡିସେମ୍ବର ୨୦ ତାରିଖ ସୁଦ୍ଧା ୮ ହଜାର ୯୬୭ ଟି ମାମଲା ରୁଜୁ ହୋଇଛି । କ୍ୟାପିଟାଲ ଥାନାରେ ସର୍ବାଧିକ ୮୨୪ ଟି ମାମଲା ରୁଜୁ ହୋଇଥିବାବେଳେ ଜଟଣୀ ଥାନାରେ ୬୮୧ ଟି ଏବଂ ଖଣ୍ଡଗିରି ଥାନାରେ ୬୪୬ ଟି ମାମଲା ରୁଜୁ ହୋଇଛି । ସେହିପରି ନନ୍ଦନକାନନ, ମହିଳା ଥାନା ଏବଂ ଧଉଳି ଥାନାରେ ୧୪୬, ୧୬୨ ଏବଂ ୧୯୬ ଟି ମାମଲା ହୋଇଛି ।

ଗତବର୍ଷ ଭୁବନେଶ୍ୱରରେ ମୋଟ ୭ ହଜାର ୬୭୪ ଟି ମାମଲା ରୁଜୁ ହୋଇଥିବା ବେଳେ ଏ ବର୍ଷ ଅଧିକ ୨୯୩ ଟି ମାମଲା ପଞ୍ଜୀକୃତ ହୋଇଛି । ସେହିପରି ଚଳିତ ବର୍ଷ ଡିସେମ୍ବର ୨୦ ସୁଦ୍ଧା ଭୁବନେଶ୍ୱରର ବିଭିନ୍ନ ଥାନାରେ ମୋଟ ୧୧ ହଜାର ୨୦୨ ଟି ମାମଲାର ତଦନ୍ତ ଶେଷ କରିଛି ପୋଲିସ । ସେଥିମଧ୍ୟରୁ ସହିଦନଗର ଥାନା ସର୍ବାଧିକ ୯୯୦ ଟି ମାମଲାର ତଦନ୍ତ ଶେଷ କରିଛି ।

ଖଣ୍ଡଗିରି ୮୯୬ ଓ ମଞ୍ଚେଶ୍ୱର ଥାନାରେ ୭୮୬ ଟି ମାମଲାର ତଦନ୍ତ ଶେଷ ହୋଇଛି । ୨୦୨୧ରେ ୧ ହଜାର ୩୧୫ ଥର ଭିଭିଆଇପି, ଭିଆଇପି ଗସ୍ତ ପାଇଁ ହୋଇଥିଲା । ଆଇନ ଶୃଙ୍ଖଳା ପରିସ୍ଥିତି ପାଇଁ ୧ ହଜାର ୪୨୨ ଥର ସୁରକ୍ଷା ବ୍ୟବସ୍ଥା କରିଥିଲା ପୋଲିସ । ଡିସିପି ଅଫିସରେ ଥିବା CASE CLOSURE UNIT ତଦନ୍ତ ଶେଷ କରିବା ପାଇଁ ତଦନ୍ତକାରୀ ଅଫିସରମାନଙ୍କ ଉପରେ ନ୍ୟସ୍ତ ଥିବା ମାମଲା ଗୁଡିକର ସମୀକ୍ଷା କରିବା ସହିତ ତୁରନ୍ତ ତଦନ୍ତ ଶେଷ କରିବା ପାଇଁ ସହଯୋଗ କରିଥିଲେ ।

ଅପରାହ୍ନରେ ରାଜ୍ୟ କ୍ୟାବିନେଟ, କଣ ହେବ ନିଷ୍ପତ୍ତି ?

ଭୁବନେଶ୍ୱର: ଶୁକ୍ରବାର ବସିବ ରାଜ୍ୟ କ୍ୟାବିନେଟ ବୈଠକ । ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଅପରାହ୍ନ ୫ଟା ୩୦ରେ ବସିବ କ୍ୟାବିନେଟ ବୈଠକ । ବୈଠକରେ 10ରୁ 12ଟି ପ୍ରସ୍ତାବକୁ ମଞ୍ଜୁରୀ ମିଳିବା ନେଇ ସୂଚନା ରହିଛି  । ଅନୁଦାନପ୍ରାପ୍ତ କଲେଜକୁ ସପ୍ତମ ବେତନ କମିଶନ ଦରମାଭୁକ୍ତ କରାଯିବା ନେଇ ସମ୍ଭାବନା ରହିଛି ।

ସେହିପରି ଭେଟେନାରୀ କ୍ୟାଡର ପୁନର୍ଗଠନକୁ ବୈଠକରେ ମଞ୍ଜୁରୀ ମିଳିପାରେ ସମ୍ଭାବନା । ପୂର୍ବ କ୍ୟାବିନେଟ ବୈଠକରେ ସେହିପରି ରାଜ୍ୟ ସରକାର ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇଥିଲେ  । ବାତ୍ୟା, ବନ୍ୟା ଆଦି ପ୍ରାକୃତିକ ଦୁର୍ବିପାକୁ ରାଜ୍ୟବାସୀ ସହ୍ୟ କରୁଛନ୍ତି  । ତେଣୁ ଘର ସଜାଡ଼ିବାକୁ ରାଜ୍ୟ ସରକାର ଆର୍ଥିକ ସହାୟତା ପ୍ରଦାନ ନେଇ ଘୋଷଣା କରିଥିଲେ  ।

କେନ୍ଦ୍ର ଆଦିବାସୀ ବ୍ୟାପାର ମନ୍ତ୍ରୀଙ୍କୁ ଭେଟିଲେ ବିଜେଡି ସାଂସଦ

ନୂଆଦିଲ୍ଲୀ: ଝୋଡ଼ିଆ ସମ୍ପ୍ରଦାୟକୁ ଆଦିବାସୀ ମାନ୍ୟତା ପ୍ରଦାନ ଦାବିରେ କେନ୍ଦ୍ର ଆଦିବାସୀ ବ୍ୟାପାର ମନ୍ତ୍ରୀଙ୍କୁ ଭେଟିଲେ ବିଜେଡି ସାଂସଦ । ଝୋଡ଼ିଆ ସମ୍ପ୍ରଦାୟକୁ ଆଦିବାସୀ ମାନ୍ୟତା ପ୍ରଦାନ ପାଇଁ କେନ୍ଦ୍ର ଆଦିବାସୀ ବ୍ୟାପାର ମନ୍ତ୍ରୀ ଅର୍ଜୁନ ମୁଣ୍ଡାଙ୍କୁ ବିଜେଡି ସାଂସଦ ଏନ. ଭାସ୍କର ରାଓ ସାକ୍ଷାତ କରି ଦାବି କରିଛନ୍ତି । ଉଭୟଙ୍କ ମଧ୍ୟରେ ପ୍ରାୟ ୧୦ ମିନିଟ ଧରି ଆଲୋଚନା ହୋଇଥିଲା ।

ଝୋଡ଼ିଆ ସମ୍ପ୍ରଦାୟକୁ ଆଦିବାସୀ ମାନ୍ୟତା ଦେବାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଦୀର୍ଘଦିନ ଧରି ଦାବି କରିଆସୁଛନ୍ତି । ଏ ଦିଗରେ ଶୀଘ୍ର ପଦକ୍ଷେପ ଗ୍ରହଣ କରିବାକୁ କେନ୍ଦ୍ରମନ୍ତ୍ରୀ ଅର୍ଜନ ମୁଣ୍ଡାଙ୍କୁ ବିଜେଡି ସାଂସଦ ଏନ୍‌. ଭାସ୍କର ରାଓ ଅନୁରୋଧ କରିଛନ୍ତି । ସଂସଦର ଆସନ୍ତା ବଜେଟ୍ ଅଧିବେଶନ ପୂର୍ବରୁ ଏ ସମ୍ପର୍କରେ ଆଲୋଚନା କରି ପଦକ୍ଷେପ ନେବାକୁ କେନ୍ଦ୍ର ଆଦିବାସୀ ବ୍ୟାପାର ମନ୍ତ୍ରୀ ଅର୍ଜୁନ ମୁଣ୍ଡା ପ୍ରତିଶ୍ରୁତି ଦେଇଥିବା ବିଜେଡି ସାଂସଦ ଏନ୍‌. ଭାସ୍କର ରାଓ କହିଛନ୍ତି ।

ଗାଁ ଗାଁକୁ ଗଡ଼ିବ ବସ, ୫୫ଟି ବସ୍ ଷ୍ଟାଣ୍ଡ୍ ଶିଳାନ୍ୟାସ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ସ୍ମାର୍ଟ ହେବ ରାଜ୍ୟର ସବୁ ବସଷ୍ଟାଣ୍ଡ । ଗାଁ ଗାଁକୁ ଗଡ଼ିବ ବସ । ଗ୍ରାମଞ୍ଚଳକୁ ସହଜ ହେବ ବସସେବା । ରାଜ୍ୟର 22ଟି ଜିଲ୍ଲାର 55ଟି ବସ୍ ଷ୍ଟାଣ୍ଡ ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏସବୁ ଅତ୍ୟାଧୁନିକ ବସଷ୍ଟାଣ୍ଡରେ ଭିନ୍ନକ୍ଷମଙ୍କ ପାଇଁ ସ୍ବତନ୍ତ୍ର ସୁବିଧା ରହିବ । ସବୁଜ ନିର୍ମାଣ କୌଶଳରେ ଯୁଗୋପଯୋଗୀ ପ୍ଲାନିଂ ଆଣ୍ଡ୍‌ ଡିଜାଇନ ଦ୍ୱାରା ଆରାମଦାୟକ ପ୍ରତୀକ୍ଷାଳୟ, ବର୍ଷାଜଳ ଅମଳ ବ୍ୟବସ୍ଥା ରହିବ ।

ଗାଁ ଗାଁକୁ ଯୋଡ଼ିବା ଓ ଗ୍ରାମାଞ୍ଚଳ ଲୋକଙ୍କୁ ଉନ୍ନତ ଯାତାୟାତ ସେବା ଯୋଗଇବା ଲକ୍ଷ୍ୟରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ପଦକ୍ଷେପ ନେଇଛନ୍ତି । ରାଜ୍ୟରେ ଯାତାୟତ କ୍ଷେତ୍ରରେ ରାଜ୍ୟ ସରକାରଙ୍କ ଏହି ପଦକ୍ଷେପ ଆଉ ଏକ ମାଇଲ ଖୁଣ୍ଟ । OSRTC ସମଗ୍ର ରାଜ୍ୟରେ ଲୋକଙ୍କୁ ସଂଯୋଗ କରିବାରେ ଏକ ମାଧ୍ୟମ ସାଜିବ । ନୂଆ ବସ୍‌ ଷ୍ଟାଣ୍ଡ ଗୁଡ଼ିକର ଭିତ୍ତିପ୍ରସ୍ତର କାର୍ଯ୍ୟକ୍ରମକୁ 5-ଟି ସଚିବ ଭିକେ ପାଣ୍ଡିଆନ୍ ପରିଚାଳନା କରିଥିଲେ । ଉପସ୍ଥିତ ଥିଲେ ବାଣିଜ୍ୟ ଓ ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରା ।

ଜାଣନ୍ତୁ କେବେ ଓ କେଉଁଠି ହେବ ଆଇପିଏଲର ମେଗା ଅକ୍ସନ?

ନୂଆଦିଲ୍ଲୀ: ଆସନ୍ତା ଫେବ୍ରୁଆରୀରେ ହେବ IPL ମେଗା ଅକ୍ସନ । ସୂଚନା ଅନୁସାରେ ଆସନ୍ତା ଫେବ୍ରୁଆରୀ ୧୧,୧୨ ଓ ୧୩ରେ ବାଙ୍ଗାଲୋରରେ ହେବ ଆଇପିଏଲର ମେଗା ଅକ୍ସନ । ଆଇପିଏଲ ସିଜିନ-୧୫ ପାଇଁ ସମସ୍ତ ୮ ଟିମ୍ ସେମାନଙ୍କ ରିଟେନ ଲିଷ୍ଟ ପୂର୍ବରୁ ଜାରି କରି ସାରିଛନ୍ତି । ଏହା ବ୍ୟତୀତ ନୂଆ କରି ହୋଇଥିବା ଦୁଇଟି ଟିମ୍ ଲକ୍ଷ୍ନୌ ଓ ଅହମଦାବାଦ ମଧ୍ୟ ଖୁବ୍ ଶୀଘ୍ର ସେମାନଙ୍କ ପ୍ରଥମ ୩ ଜଣ ଖେଳାଳିଙ୍କ ନାମ ଘୋଷଣା କରିବେ ।

ଚଳିତ ଥର ଆଇପିଏଲରେ ୮ଟି ଟିମ୍ ବଦଳରେ ଖେଳାଯିବ ୧୦ଟି ଟିମ୍ । ଆଇପିଏଲ ସିଜିନ-୧୫ ଭାରତରେ ହିଁ ଖେଳାଯିବ ବୋଲି ପୂର୍ବରୁ ବିସିସିଆଇ ସଭାପତି ସୌରଭ ଗାଙ୍ଗୁଲି କହିସାରିଛନ୍ତି । ଆଇପିଏଲ ମେଗା ଅକ୍ସନ ପାଇଁ ଜାନୁୟାରୀ ଦ୍ୱିତୀୟ ସପ୍ତାହ ଶେଷ ସୁଦ୍ଧା ଖେଳାଳିଙ୍କ ତାଲିକା ପ୍ରକାଶ ପାଇବ । ଏହି ମେଗା ଅକ୍ସନରେ ସୁରେଶ ରୈନା, ଡ୍ୱେନ ବ୍ରାଭୋ, ହାର୍ଦ୍ଦିକ ପାଣ୍ଡ୍ୟା, କଗିସୋ ରବାଡା, ବେନ ଷ୍ଟୋକ୍ସ ଓ ଡେଭିଡ ଓ୍ୱାର୍ଣ୍ଣରଙ୍କ ଭଳି ଖେଳାଳି ଅଧିକ ଟଙ୍କାରେ କିଣାହେବେ ବୋଲି ଆଣା କରାଯାଉଛି ।

 

ମଲରେ ମହିଳାଙ୍କ ଡ୍ରେସ ଓହ୍ଲାଇଲେ, ମାଲିକଙ୍କ ନାଁରେ ମାମଲା

ଜୟପୁର: ସପିଙ୍ଗ ମଲରେ ମହିଳାଙ୍କୁ ଅପମାନ । ଡ୍ରେସ୍ ଚୋରି ଅଭିଯୋଗରେ ଖୋଲିଲେ ପୂରା କପଡ଼ା । ମଲ୍ ପୂରା ଖଚାଖଚ ଥିଲେ ବି କେହି କରିଲେନି ପ୍ରତିବାଦ । ଥାନାକୁ ଗଲା ମାମଲା । ମଲର ଯେଉଁ ଶୋ’ରୁମରେ ଘଟିଛି ଏହି ଲଜ୍ୟାଜନକ ଘଟଣା ସେହି ଶୋ’ରୁମ ମାଲିକ ଓ କମର୍ଚାରୀଙ୍କ ବିରୋଧରେ ରୁଜୁ ହେଲା ମାମଲା ।

ଘଟଣା ଜୟପୁରର । ଏଠାରେ ଥିବା ଓ୍ବାଲର୍ଡ ଟ୍ରେଡ ପାର୍କ ମଲରେ ଡିସେମ୍ବର ୨୦ ତାରିଖରେ ଘଟିଛି ଏହି ଅପମାନଜନକ ଘଟଣା । ଚୋରି ଅଭିଯୋଗରେ ଜବରଦସ୍ତଙ୍କ ପୂରା କପଡ଼ା ଓହ୍ଲାଇ ଯାଞ୍ଚ କରିଛନ୍ତି ଶୋ’ରୁମ କର୍ମଚାରୀ ।

ଅଭିଯୋଗ ଅନୁସାରେ, ଘଟଣା ଦିନ ମହିଳା ଜଣଙ୍କ ଶୋ’ରୁମକୁ ଯାଇଥିଲେ । କିଛି ଡ୍ରେସ ନେଇ ଶୋ’ରୁମର ଯାଞ୍ଚ ରୁମକୁ ଟ୍ରାଏଲ କରିବାକୁ ଯାଇଥିଲେ । ସାଇଜ୍ ଠିକ୍ ନଥିବାରୁ ସେଲସ ମ୍ୟାନକୁ ଆଉ କିଛି ଡ୍ରେସ୍ ମଗାଇ ଥିଲେ । ଟ୍ରାଏଲ କରିବା ପରେ ନିଜ ପସନ୍ଦର ଡ୍ରେସ୍ ନେଇ ବାହାରକୁ ଆସି ବିଲ୍ କରିବାକୁ ଯାଇଥିଲେ । ଏହି ସମୟରେ ସେଲସ୍ ମ୍ୟାନ ଆସି ଗୋଟିଏ ଡ୍ରେସ୍ କମ ଥିବା ଅଭିଯୋଗ କରିଥିଲେ ।

ଏହାପରେ ମହିଳା ଶୋ’ରୁମ କର୍ମଚାରୀଙ୍କୁ ତାଙ୍କ ବ୍ୟାଗ୍ ଯାଞ୍ଚ କରିବାକୁ ଦେଇଥିଲେ । ସେଥିରୁ କିଛି ବାହାରି ନଥିଲା । ଏହାପରେ ସେଲସ୍ ମ୍ୟାନ ଅନ୍ୟ କର୍ମଚାରୀଙ୍କୁ ଡକାଇ ଥିଲେ ।

ମହିଳା ଜଣଙ୍କ ଶୋ’ରୁମ୍ କର୍ମଚାରୀଙ୍କୁ ପୂରା ଘଟଣା କହିଥିଲେ । ହେଲେ ତାଙ୍କ କଥା କେହି ଶୁଣି ନଥିଲେ । ଏହାପରେ ଜଣେ ମହିଳା କର୍ମଚାରୀ ପୀଡ଼ିତାଙ୍କୁ ଟ୍ରାଏଲ ରୁମକୁ ନେଇ ଗୋଟି ଗୋଟି କରି ତାଙ୍କ ସବୁ କପଡ଼ା ଓହ୍ଲାଇ ଚେକ କରିଥିଲେ । ହେଲେ ତାଙ୍କ ପାଖରୁ କିଛି ମିଳି ନଥିଲା ।

ମହିଳା ଜଣଙ୍କ ଅପମାନ ସହି ପାରି ନଥିଲେ ଓ କାନ୍ଦି କାନ୍ଦି ଘରକୁ ଯାଇଥିଲେ । ଏହାପରେ ମହିଳା ଜଣଙ୍କ ଆଡିସନାଲ କମିଶନରଙ୍କୁ ଭେଟି ଅଭିଯୋଗ କରିଥିଲେ । ଏହାପରେ ଘଟଣାର ତଦନ୍ତ କରିବାକୁ ଆଡିଶନାଲ କମିଶନର ନିର୍ଦ୍ଦେଶ ଦେଇଛନ୍ତି । ଏନେଇ ଜବାହାର ସର୍କଲ ଥାନାରେ ଶୋ’ରୁ ମାଲିକ, ମ୍ୟାନେଜର ଓ କର୍ମଚାରୀଙ୍କ ବିରୋଧରେ ମାମଲା ରୁଜୁ ହୋଇଛି ।

ରାଜ୍ୟରେ ନାହିଁ ଓମିକ୍ରନ୍, ଲାଗୁ ହେଲା ନାଇଟ୍ କର୍ଫ୍ୟୁ

ଭୋପାଳ: ସାରା ବିଶ୍ୱରେ ଦିନକୁ ଦିନ ହୁ ହୁ ହୋଇ ବଢ଼ିବାରେ ଲାଗିଛି ଓମିକ୍ରନ୍ ଆକ୍ରାନ୍ତଙ୍କ ସଂଖ୍ୟା । ଭାରତରେ ମଧ୍ୟ ଓମିକ୍ରନ ମାମଲା ବଢ଼ିବାରେ ଲାଗିଛି । ଭାରତରେ ୩୦୦ ପାର କରିଛି ଓମିକ୍ରନ୍ ଆକ୍ରାନ୍ତଙ୍କ ସଂଖ୍ୟା । ଦେଶରେ ଓମିକ୍ରନ୍ ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ୁଥିବାର ଦେଖି ମଧ୍ୟ ପ୍ରଦେଶରେ ଲାଗୁ ହେଲା ନାଇଟ କର୍ଫ୍ୟୁ । ମଧ୍ୟ ପ୍ରଦେଶରେ ରାତି ୧୧ରୁ ସକାଳ ୫ଟା ପର୍ଯ୍ୟନ୍ତ ଜାରି ରହିବ ନାଇଟ କର୍ଫ୍ୟୁ । ଓମିକ୍ରନର ସମ୍ଭାବ୍ୟ ଲହରକୁ ଦେଖି ପ୍ରଥମ ରାଜ୍ୟ ଭାବରେ ମଧ୍ୟ ପ୍ରଦେଶ ଲାଗୁ କରିଛି ନାଇଟ କର୍ଫ୍ୟୁ ।

ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ମଧ୍ୟ ପ୍ରଦେଶରେ ଓମିକ୍ରନର ଗୋଟିଏ ବି କେସ୍ ଏପର୍ଯ୍ୟନ୍ତ ସାମ୍ନାକୁ ଆସିନାହିଁ । ଗୋଟିଏ କେସ୍ ସାମ୍ନାକୁ ନଆସିବା ପୂର୍ବରୁ ହିଁ ଦୃଢ଼ ପଦକ୍ଷେପ ଗ୍ରହଣ କରିଛି ମଧ୍ୟ ପ୍ରଦେଶ । ଓମିକ୍ରନକୁ ନେଇ ମଧ୍ୟ ପ୍ରଦେଶ ମୁଖ୍ୟମନ୍ତ୍ରୀ ଶିବରାଜ ସିଂ ଚୌହାନ କହିଛନ୍ତି କି ମଧ୍ୟ ପ୍ରଦେଶରେ ବହୁତ ଶୀଘ୍ର ଓମିକ୍ରନ୍ ମାମଲା ସାମ୍ନାକୁ ଆସିବାର ସମ୍ଭାବନା ରହିଛି । ଆମେ ରାତି ୧୧ରୁ ସକାଳ ୫ ପର୍ଯ୍ୟନ୍ତ ନାଇଟ କର୍ଫ୍ୟୁ ଲାଗୁ କରିଛୁ, ଦରକାର ହେଲେ ଓମିକ୍ରନକୁ ରୋକିବାକୁ ଆହୁରି କଡ଼ା ପଦକ୍ଷେପ ଗ୍ରହଣ କରିବୁ ବୋଲି କହିଛନ୍ତି ମଧ୍ୟ ପ୍ରଦେଶ ମୁଖ୍ୟମନ୍ତ୍ରୀ ଶିବରାଜ ସିଂ ଚୌହାନ ।