spot_img
Home Blog Page 4763

ବିମାନ ଯାତ୍ରୀଙ୍କ ପାଇଁ ଅଧିକ ସଂକ୍ରାମକ ଓମିକ୍ରନ୍

ନୂଆଦିଲ୍ଲୀ: ସାରା ବିଶ୍ୱରେ ଦିନକୁ ଦିନ ହୁ ହୁ ହୋଇ ବଢ଼ିବାରେ ଲାଗିଛି ଓମିକ୍ରନ । ଓମିକ୍ରନ ଆତଙ୍କ ବଢ଼ୁଥିବାବେଳେ ଏହାକୁ ନେଇ ଆଉ ଏକ ତଥ୍ୟ ସାମ୍ନାକୁ ଆସିଛି । ଓମିକ୍ରନ ପାଇଁ ବିମାନ ଯାତ୍ରୀଙ୍କୁ ଚେତାବନୀ ଦିଆଯାଇଛି । ନୂଆ ଭାରିଆଣ୍ଟ ଅଧିକ ସଂକ୍ରମଣଶୀଳ ଏବଂ ଅତିଶୀଘ୍ର ବିମାନଯାତ୍ରୀଙ୍କୁ ସଂକ୍ରମିତ କରିଥାଏ ବୋଲି କହିଛନ୍ତି ଆନ୍ତର୍ଜାତିକ ବିମାନ ପରିବହନ ସଂଗଠନର ମେଡିକାଲ ପରାମର୍ଶଦାତା ଡାଭିଡ ପୋଓ୍ୱେଲ । ବିମାନ ଯାତ୍ରା ସମୟରେ ଯାତ୍ରୀମାନେ ଅତି ନିକଟରୁ କଥାବାର୍ତ୍ତା ହେବା, ବାରମ୍ବାର ଅନ୍ୟକୁ ସ୍ପର୍ଶ କରିବା, ପାଖାପାଖି ହୋଇ ବସିବା ଆଦି ନ କରିବା ସହ ମାସ୍କ ବ୍ୟବହାର କରିବା ଜରୁରୀ ବୋଲି ସେ କହିଛନ୍ତି ।

ଏୟାର ନ୍ୟୁଜିଲାଣ୍ଡର ପୂର୍ବତନ ମେଡିକାଲ ଅଫିସର ପୋଓ୍ୱେଲ କହିଛନ୍ତି ଡେଲଟା ତୁଳନାରେ ଓମିକ୍ରନ ସଂକ୍ରମଣ ଦୁଇ ତିନିଗୁଣ ବୃଦ୍ଧି ପାଇବା ପରିଲିକ୍ଷିତ ହେଉଛି । ସାଧାରଣ ବିମାନ ତୁଳନାରେ ଆଧୁନିକ ବିମାନଗୁଡିକରେ ଲାଗିଥିବା ହସ୍ପିଟାଲ ଗ୍ରେଡର ଏୟାର ଫିଲଟର ଏହି ସଂକ୍ରମଣକୁ ହ୍ରାସ କରିଥାଏ । ଅଧିକ ଯାତ୍ରୀ ବସୁଥିବା ଇକୋନୋମିକ କ୍ୟାବିନ ତୁଳନାରେ ବିଜନେସ କ୍ଲାସ ଅପେକ୍ଷାକୃତ ନିରାପଦ ଅଟେ । ବିଶ୍ୱର ବିଭିନ୍ନ ଦେଶକୁ ଚଳାଚଳ କରୁଥିବା ତିନି ଶହରୁ ଅଧିକ ବିମାନକୁ ନେଇ ଗଠିତ ଏହି ସଂଗଠନ ପକ୍ଷରୁ ସତର୍କବାଣୀ ଦିଆଯାଇଛି ।

ଲୁଧିଆନା ଜିଲ୍ଲା କୋର୍ଟରେ ବିସ୍ଫୋରଣ; ୨ ମୃତ, ୩ ଆହତ

ଲୁଧିଆନା: ପଞ୍ଜାବ ଲୁଧିଆନା ସେସନ କୋର୍ଟ ପରିସରରେ ଏକ ବଡ଼ ଧରଣର ବିସ୍ଫୋରଣ ହୋଇଛି । ଏହି ବିସ୍ଫୋରଣ ଫଳରେ ଦୁଇ ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ଚାରି ଜଣ ଆହତ ହୋଇଥିବା ସୂଚନା ମିଳିଛି । କୋର୍ଟ ପରିସରରେ କିପରି ଏତେ ବଡ଼ ବିସ୍ଫୋରଣ ହେଲା ତାହାକୁ କେହି ବି ବିଶ୍ୱାସ କରିପାରୁନାହାନ୍ତି । ତେବେ କେଉଁ କାରଣରୁ ଏତେ ବଡ଼ ବିସ୍ଫୋରଣ ହେଲା ତାହାର କାରଣ ଏପର୍ଯ୍ୟନ୍ତ ଜଣା ପଡ଼ିନାହିଁ ।

ଏହି ବିସ୍ଫୋରଣ ପରେ ତଦନ୍ତ ପାଇଁ NIA-NSG ଟିମ୍ ଘଟଣାସ୍ଥଳରେ ପହଞ୍ଚିଛି । ଏହି ବିସ୍ଫୋରଣ ପରେ ପଞ୍ଜାବ ମୁଖ୍ୟମନ୍ତ୍ରୀ ଚରଣଜିତ୍ ସିଂ ଚନ୍ନୀଙ୍କ ବୟାନ ଦେଇଛନ୍ତି । ସେ କହିଛନ୍ତି ଏହା ଏକ ଷଡଯନ୍ତ୍ର । ପଞ୍ଜାବ ନିର୍ବାଚନ ଯେତିକି ପାଖେଇ ଆସୁଛି କିଛି ଦେଶ ବିରୋଧୀ ଶକ୍ତି ଦ୍ୱାରା ଏପରି ଷଡଯନ୍ତ୍ର କରାଯାଉଛି ବୋଲି କହିଛନ୍ତି ଚରଣଜିତ୍ ସିଂ ଚନ୍ନୀ । ମୁଁ ଘଟଣାସ୍ଥଳକୁ ଯିବି ଏବଂ ଦୋଷୀଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କହିଛନ୍ତି ପଞ୍ଜାବ ମୁଖ୍ୟମନ୍ତ୍ରୀ ଚରଣଜିତ୍ ସିଂ ଚନ୍ନୀ ।

ଏହି ବିସ୍ଫୋରଣର ତୀବ୍ରତା ଏତେ ମାତ୍ରରେ ଅଧିକ ଥିଲା ଯେ ୬ ମହଲା ବିଶିଷ୍ଟ ଏହି କୋର୍ଟକୁ ଦେହଲାଇ ଦେଇଥିଲା । ତେବେ ଏହି ବିସ୍ଫୋରଣ ବୋମା ଦ୍ୱାରା ହୋଇଥିଲା ନା ଗ୍ୟାସ ସିଲିଣ୍ଡର ଦ୍ୱାରା ହୋଇଥିଲା ତାହା ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ ।

ମାନୁନି ମାଆ ମନ, ମୃତ ଛୁଆକୁ କୋଳରେ ଧରି ବୁଲୁଛି ମାଙ୍କଡ଼

ଭଦ୍ରକ: ମାଆର ମମତା ସନ୍ତାନ ପାଇଁ ସବୁବେଳେ ରହିଥାଏ । ଆଜିର ଦୁନିଆରେ ଟଙ୍କା, ସମ୍ପତ୍ତି ପାଇଁ ମଣିଷ ରକ୍ତ ସମ୍ପର୍କ ଭୁଲି ଯାଉଛି । ପୁଅ, ମାଆକୁ ଟଙ୍କା ପାଇଁ ମାଡ଼ ମାରୁଛି । ଏମିତି ଅନେକ ଉଦାହରଣ ବି ରହିଛି । ଭତ୍ତା ଟଙ୍କା ନଦେବାରୁ ମାଆକୁ ଘରୁ ତଡ଼ି ଦେଇଛି ପୁଅ । ପ୍ରତିଦିନ ଏଭଳି ଦୃଶ୍ୟ ଦେଖିବାକୁ ମିଳୁଥିବା ବେଳେ ଏ ଚିତ୍ର ଆପଣଙ୍କୁ ବିଚଳିତ କରିବ । ଭାବିବାକୁ ବାଧ୍ୟ କରିବ ମାଙ୍କଡ଼ଠୁ କେତେ ନୀଚ ମଣିଷ ।

Monkey Holding Dead Body Of Child In Bhadrak

ମଲା ଛୁଆକୁ କୋଳରେ ଧରିଛି ମାଡ଼ଙ୍କ, ଗେଲ ବି କରୁଛି । ବୋଧ ହୁଏ ସେ ଜାଣିନି ଛୁଆ ଆଉ ଦୁନିଆରେ ନାହିଁ । ଛୁଆ ମରି ଯାଇଥିଲେ ବି ମାଆର ମମତାରେ କୌଣସି କମି ନାହଁ । ମଲା ଛୁଆକୁ କୋଳରେ ଧରି ମାଙ୍କଡ଼ଟି ଧାଇଁ ଯାଉଛି । କେବେ ରାସ୍ତାରେ ଛୁଆକୁ ଖାକରେ ଯାକି ଦୁଇ ଗୋଡ଼ରେ ଚାଲୁଛି ତ ଆଉ କେବେ ଚାଳ ଉପରେ ବସି ଛୁଆକୁ ଆଉଁଶୁଛି ।

Monkey Holding Dead Body Of Child In Bhadrak

ସୂଚନା ଅନୁଯାୟୀ ମାଙ୍କଡ଼ ଦଳ ଖେଳୁଥିବା ସମୟ କୌଣସି କାରଣ ବଶତଃ ମାଙ୍କଡ଼ ଛୁଆର ମୃତ୍ୟୁ ହୋଇଥିଲା । କିନ୍ତୁ ମାଆ ମାଙ୍କଡ଼ ଏହି କଥାକୁ ଗ୍ରହଣ କରିପାରୁ ନାହିଁ । ଦଳରୁ ଅଲଗା ହୋଇ ମୃତ ଛୁଆକୁ ଧରି ଏଣେତେଣେ ଘୁରି ବୁଲୁଛି ।

ରାଗିଂ ଘଟଣାରେ କାର୍ଯ୍ୟାନୁଷ୍ଠାନ, ଛାତ୍ରାବାସରୁ ୯ ଛାତ୍ର ବହିଷ୍କୃତ

ସମ୍ବଲପୁର: ମହଙ୍ଗା ପଡ଼ିଲା ରାତି ଅଧିଆ ରାଗିଂ । ସମ୍ବଲପୁର ବିଶ୍ୱବିଦ୍ୟାଳୟ ଅଧିନରେ ଥିବା ସମ୍ବଲପୁର ୟୁନିଭରସିଟି ଇନଷ୍ଟିଚ୍ୟଟ୍ ଅଫ୍ ଇନଫରମେସନ ଟେକ୍ନୋଲୋଜି- ସୁଇଟ ମହାବିଦ୍ୟାଳୟରେ ରାଗିଂ ଘଟଣାରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି । ଛାତ୍ରାବାସରୁ ୯ ଜଣ ଛାତ୍ରଙ୍କୁ ବହିଷ୍କୃତ କରାଯାଇଛି । ଶୃଙ୍ଖଳା କମିଟିର ତଦନ୍ତ ରିପୋର୍ଟ ଆଧାରରେ ହୋଇଛି କାର୍ଯ୍ୟାନୁଷ୍ଠାନ ।

Sambalpur University Institute of Information Technology Rusticates Nine Students For Ragging

ଦ୍ୱିତୀୟ ବର୍ଷର ୮ଜଣ ଓ ଶେଷ ବର୍ଷର ଜଣେ ଛାତ୍ରଙ୍କୁ ବହିଷ୍କାର କରାଯାଇଛି । ଶୃଙ୍ଖଳା କମିଟିର ରିପୋର୍ଟ ଆସିବା ପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି ସୁଇଟର ନିର୍ଦ୍ଦେଶକ ପ୍ରଫେସର ବି.କେ ମହାନ୍ତି । କିଛି ଦିନ ପୂର୍ବରୁ ଦୁଇ ଗୋଷ୍ଠୀ ମଧ୍ୟରେ ଗଣ୍ଡଗୋଳ ହେବା ପରେ ଦ୍ୱିତୀୟ ବର୍ଷର ଜଣେ ଛାତ୍ରଙ୍କୁ ୮ ସହପାଠୀ ରାଗିଂ କରିଥିଲେ ।

ଜ୍ୟାକଲିନ ଓ ନୋରାଙ୍କ ସମସ୍ତ ଉପହାରକୁ ଜବତ କରିବ ଇଡି

ନୂଆଦିଲ୍ଲୀ: ବଢିବାରେ ଲାଗିଛି ଅଭିନେତ୍ରୀ ଜ୍ୟାକଲିନ ଫର୍ଣ୍ଣାଣ୍ଡିଜଙ୍କ ଅଡୁଆ । ଆର୍ଥିକ ଜାଲିଆତି ଘଟଣାରେ ସୁକେଶ ଚନ୍ଦ୍ରଶେଖରଙ୍କଠାରୁ ଜ୍ୟାକଲିନ ପାଇଥିବା ସମସ୍ତ ଉପହାରକୁ ଜବତ କରିବ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ । ଜ୍ୟାକଲିନଙ୍କୁ ଡିସେମ୍ବର ୨୦୨୦ରୁ ଅଗଷ୍ଟ ୨୦୨୧ ମଧ୍ୟରେ ସୁକେଶ ପ୍ରାୟ ୧୦ କୋଟି ଟଙ୍କାର ଗିଫ୍ଟ ଦେଇଥିଲା ।  ସୁକେଶଙ୍କଠାରୁ ଜ୍ୟାକଲିନ ଦୁଇ ହଳ ହୀରାର ରିଙ୍ଗ, ଦୁଇଟି ଦାମୀ ବ୍ରେସଲେଟ, ୩ଟି ବିର୍କିନ ବ୍ୟାଗ, ଦୁଇଟି ଗୁସି ବ୍ୟାଗ, ଗୋଟିଏ ବହୁରଙ୍ଗୀ ବ୍ରେସଲେଟ ଗିଫ୍ଟ ଆକାରରେ ପାଇଛନ୍ତି ବୋଲି ସ୍ୱୀକାର କରିଛନ୍ତି ।

ଅନ୍ୟପକ୍ଷରେ ସୁକେଶ କହିଛି ଯେ ସେ ଜ୍ୟାକଲିନଙ୍କୁ ୧୫ ହଳ କାନଫୁଲ ଓ ରିଙ୍ଗ, ୫ଟି ବିର୍କିନ ବ୍ୟାଗ, ଗୁସିର ବିଭିନ୍ନ ସାମଗ୍ରୀ, କାର୍ଟିୟର ଚୁଡି ଓ ରିଙ୍ଗ, ଟିଫାନି ଆଣ୍ଡ କମ୍ପାନୀର ଏକ ବ୍ରେସଲେଟ, ଅନେକ ରୋଲେକ୍ସ ଘଡି ଦେଇଛନ୍ତି । ଏଥି ସହ ୭ କୋଟି ଟଙ୍କାର ଅଳଙ୍କାର, ଏସ୍ପୁଏଲା ନାମକ ଏକ ଦାମୀ ଘୋଡା, ୪ଟି ପାର୍ସୀ ବିଲେଇ ଉପହାର ଦେଇଥିଲେ । ସୁକେଶଙ୍କ ପତ୍ନୀ ଲୀନା ମାରିଆଙ୍କଠାରୁ ଅଭିନେତ୍ରୀ ନୋରା ଫତେ ଏକ ଦାମୀ ବିଏମଡବ୍ଲୁ କାର୍ ଗିଫ୍ଟ ସ୍ୱରୂପ ପାଇଥିଲେ ବୋଲି ତଦନ୍ତରୁ ଇଡି ଜାଣିବାକୁ ପାଇଛି । ବିଭିନ୍ନ ଉପାୟରେ ଠକେଇ କରାଯାଇଥିବା ଅର୍ଥକୁ ବ୍ୟବହାର କରି ଏହି ଗିଫ୍ଟ ଦିଆଯାଇଥିଲା ବୋଲି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ସ୍ପଷ୍ଟ କରିଛି ।

ମହାମାରୀ ପାଇଁ ଆସିଲା ମହୌଷଧୀ, ଫାଇଜର ପ୍ରସ୍ତୁତ କଲା ପ୍ରଥମ କୋଭିଡ ବଟିକା

ଓ୍ୱାଶିଂଟନ: ଆମେରିକା ଫାର୍ମା କମ୍ପାନୀ ଫାଇଜର ଦ୍ୱାରା ପ୍ରସ୍ତୁତ ହୋଇଛି ପ୍ରଥମ କୋଭିଡ ବଟିକା ‘ପାକ୍ସଲୋଭିଡ୍’ । କରୋନା ମହାମାରୀରୁ ସୁରକ୍ଷା ଦେବ ଏହି ଆଣ୍ଟି ଭାଇରାଲ ଟାବଲେଟ । ଫାର୍ମା କମ୍ପାନୀ ଫାଇଜର ପ୍ରସ୍ତୁତ କରିଥିବା ଆଣ୍ଟି ଭାଇରାଲ କରୋନା ବଟିକା ‘ପାକ୍ସଲୋଭିଡ୍’କୁ ଅନୁମତି ଦେଇଛି ଆମେରିକାର ଫୁଡ ଆଣ୍ଡ ଡ୍ରଗ୍ସ ଆଡମିନିଷ୍ଟ୍ରେସନ । ବିଶ୍ୱର ବିଭିନ୍ନ ରାଷ୍ଟ୍ରରେ ଓମିକ୍ରନ୍ ମାଡ଼ି ଚାଲିଥିବା ବେଳେ ଏହି ବଟିକା ଆକ୍ରାନ୍ତଙ୍କୁ ଗୁରୁତର ହେବାରୁ ସୁରକ୍ଷା ଦେଇପାରିବ ବୋଲି କୁହାଯାଉଛି ।

 

ଫାଇଜର ପ୍ରସ୍ତୁତ କରିଥିବା କରୋନା ବଟିକା ପାକ୍ସଲୋଭିଡ୍ ୯୦ ପ୍ରତିଶତ ପ୍ରଭାବଶାଳୀ । ଏହା ଆକ୍ରାନ୍ତଙ୍କୁ ଗୁରୁତର ହେବାରୁ ଓ ମେଡିକାଲରେ ଭର୍ତ୍ତି ହେବା ଆଶଙ୍କାକୁ ଅନେକାଂଶରେ କମାଇ ପାରିବ । କମ୍ପାନୀ ପକ୍ଷରୁ କରାଯାଇଥିବା କ୍ଲିନିକାଲ ଟ୍ରାଏଲରୁ ଏହି ତଥ୍ୟ ମିଳିଛି । ସବୁଠୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି, ଏହି ବଟିକା ଓମିକ୍ରନ ଷ୍ଟ୍ରେନକୁ ମଧ୍ୟ ମାତ୍ ଦେବାରେ ସଫଳ ବୋଲି ଫାଇଜର ଦାବି କରିଛି । କମ୍ପାନୀ ଏହାର ଉତ୍ପାଦନ କ୍ଷମତା ୮୦ ମିଲିଅନରୁ ୧୨୦ ମିଲିଅନକୁ ବଢ଼ାଇ ଦିଆଯାଇଛି । କରୋନାର ଏହି ବଟିକା ଯୁକ୍ତରାଷ୍ଟ୍ର ଆମେରିକାରେ ତୁରନ୍ତ ବିତରଣ ଆରମ୍ଭ କରିବାକୁ ପ୍ରସ୍ତୁତ ବୋଲି କମ୍ପାନୀ ପକ୍ଷରୁ କୁହାଯାଇଛି ।  ୧୨ ବର୍ଷରୁ ଅଧିକ ବୟସ୍କ ଲୋକ ଏହି ବଟିକା ଖାଇପାରିବେ । ସେପଟେ ଫାର୍ମା କମ୍ପାନୀ ମର୍କ ଆଣ୍ଡ କୋ. ପ୍ରସ୍ତୁତ କରିଥିବା କରୋନା ଔଷଧକୁ ଫିଲିପାଇନ୍ସରେ ମଧ୍ୟ ମଞ୍ଜୁରି ଦିଆଯାଇଛି ।

୭୩୦୦ ପଞ୍ଜିକୃତ ହକରଙ୍କୁ ୬୦୦୦ ଟଙ୍କା ଲେଖାଏ ସହାୟତା ପ୍ରଦାନ

ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ରାଜ୍ୟର ଖବର କାଗଜ ହକର ମାନଙ୍କୁ ସେମାନଙ୍କର ହକ୍‌ ପ୍ରଦାନ କରିଛନ୍ତି । ସେମାନଙ୍କ ପାଇଁ ଏକ ଯୁଗାନ୍ତକାରୀ ପଦକ୍ଷେପ ନେଇ ସେମାନଙ୍କୁ ସ୍ୱତନ୍ତ୍ର କୋଭିଡ୍ ସହାୟତା ପ୍ରଦାନ କରିବା ସହିତ ଅଣସଂଗଠିତ କ୍ଷେତ୍ର ସାମାଜିକ ସୁରକ୍ଷା ଯୋଜନାରେ ସାମିଲ କରିଛନ୍ତି । ଏହି ସହାୟତା ପାଇଁ ରାଜ୍ୟର ୭୩୦୦ ହକର ମାନଙ୍କ ପାଇଁ ସୂଚନା ଓ ଲୋକସମ୍ପର୍କ ବିଭାଗ ପକ୍ଷରୁ ଡିଜିଟାଲ ଡାଟା ବେସ୍‌ ପ୍ରସ୍ତୁତ କରାଯାଇ ପଞ୍ଜିକୃତ କରାଯାଇଛି । ପ୍ରତ୍ୟେକ ପଞ୍ଜିକୃତ ହକର ୬୦୦୦ ଟଙ୍କା ଲେଖାଏ ସହାୟତା ପାଇଛନ୍ତି । ସମୁଦାୟ ୪ କୋଟି ୩୮ ଲକ୍ଷ ଟଙ୍କାର ସହାୟତା ପ୍ରଦାନ କରାଯାଇଛି । ଏହା ସିଧାସଳଖ ସେମାନଙ୍କ ବ୍ୟାଙ୍କ ଆକାଉଣ୍ଟକୁ ଯାଇଛି । ଏହି ସହାୟତା ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିରୁ ପ୍ରଦାନ କରାଯାଇଛି ।

CM Naveen Patnaik Distributes Special Assistance To Hawkers

ଏହି ସହାୟତା ପ୍ରଦାନ କରି ମୁଖ୍ୟମନ୍ତ୍ରୀ କହିଛନ୍ତି, ହକର ମାନେ ହେଉଛନ୍ତି ଖବର କାଗଜ ଓ ପାଠକ ମାନଙ୍କ ମଧ୍ୟରେ ସେତୁ । ଖରା, ବର୍ଷା, ଶୀତ ସବୁ ସମୟରେ ଏପରିକି କୋଭିଡ୍ ମହାମାରୀ ସମୟରେ ମଧ୍ୟ ସେମାନେ ନିଜ ଦୁଃଖ କଷ୍ଟକୁ ଭୁଲି ପାଠକ ମାନଙ୍କୁ ଖବର କାଗଜ ଯୋଗାଇଛନ୍ତି । ଡିଜିଟାଲ ଯୁଗରେ ମଧ୍ୟ ଖବର କାଗଜର ଚାହିଦା କମି ନାହିଁ । କୋଭିଡ ସହାୟତା ସହିତ ହକର ମାନଙ୍କୁ ଅଣସଂଗଠିତ ସାମାଜିକ ସୁରକ୍ଷା ବୋର୍ଡରେ ସାମିଲ କରାଯାଇ ସାହାଯ୍ୟ ପ୍ରଦାନ କରାଯିବ । ଦୁର୍ଘଟଣାଜନିତ ମୃତ୍ୟୁ କ୍ଷେତ୍ରରେ ୨ ଲକ୍ଷ ଟଙ୍କା, ସ୍ୱଭାବିକ ମୃତ୍ୟୁ କ୍ଷେତ୍ରରେ ୧ ଲକ୍ଷ ଟଙ୍କା ଏବଂ ଦୁର୍ଘଟଣାରେ ସମ୍ପୂର୍ଣ୍ଣ ଅକ୍ଷମ ହୋଇଥିବା ହକର ମାନଙ୍କ ପାଇଁ ମଧ୍ୟ ସହାୟତା ବ୍ୟବସ୍ଥା କରାଯାଇଛି । ହକର ମାନେ ସୁବିଧାରେ କାମ କରିବା ପାଇଁ ଜିଲ୍ଲାସ୍ତରରେ ୱାର୍କସେଡ୍‌ ନିର୍ମାଣ କରାଯିବ ବୋଲି ମଧ୍ୟ ମୁଖ୍ୟମନ୍ତ୍ରୀ ଘୋଷଣା କରିଛନ୍ତି । ଗୃହ ଓ ନଗର ଉନ୍ନୟନ ବିଭାଗ ପକ୍ଷରୁ ଏହା ନିର୍ମାଣ କରାଯିବ ।

CM Naveen Patnaik Distributes Special Assistance To Hawkers

ସୂଚନାଯୋଗ୍ୟ ଯେ ଦୁର୍ଘଟଣାଜନିତ ସମ୍ପୂର୍ଣ୍ଣ ଅକ୍ଷମତା ଯୋଗୁ ହକର ମାନଙ୍କୁ ଦେଢ ଲକ୍ଷ ଟଙ୍କା, ଉଭୟ ଅଙ୍ଗ ହରାଇଥିବା ହକର ମାନଙ୍କୁ ୮୦ ହଜାର ଓ ଗୋଟିଏ ଅଙ୍ଗ ହରାଇଥିବା ହକର ମାନଙ୍କୁ ୪୦ ହଜାର ଟଙ୍କା ପ୍ରଦାନ କରିବା ପାଇଁ ବ୍ୟବସ୍ଥା କରାଯାଇଛି । ଲୋକସେବା ଭବନ କନଭେନସନ ହଲରେ ଆୟୋଜିତ କାର୍ଯ୍ୟକ୍ରମରେ ଯୋଗ ଦେଇ ଜଳସମ୍ପଦ ଏବଂ ସୂଚନା ଓ ଲୋକସମ୍ପର୍କ ମନ୍ତ୍ରୀ ରଘୁନନ୍ଦନ ଦାସ କହିଛନ୍ତି,  ମୁଖ୍ୟମନ୍ତ୍ରୀ ଅନେକ ଜନକଲ୍ୟାଣ କାର୍ଯ୍ୟକ୍ରମ କରି ଓଡ଼ିଶା ପ୍ରଗତିର ନୂଆ ଇତିହାସ ଲେଖିଛନ୍ତି । ଆର୍ଥିକ ଦୂରାବସ୍ଥାର ସମ୍ମୁଖୀନ ହେଉଥିବା ହକର ମାନେ ଏହାଦ୍ୱାରା ଉପକୃତ ହେବେ ।

CM Naveen Patnaik Distributes Special Assistance To Hawkers

ରାଜ୍ୟ ସରକାରଙ୍କ ଗଣମାଧ୍ୟମ ଉପଦେଷ୍ଟା ମାନସ ମଙ୍ଗରାଜ ଏଥିରେ ଯୋଗ ଦେଇ କହିଛନ୍ତି, ମୁଖ୍ୟମନ୍ତ୍ରୀଙ୍କ ଏହି ପଦକ୍ଷେପ ସାରା ଦେଶରେ ଅଭିନବ ଓ ଅନନ୍ୟ । କାର୍ଯ୍ୟକ୍ରମରେ ଭୁବନେଶ୍ବରରୁ ଗୋବର୍ଦ୍ଧନ ଦାସ, କଟକରୁ ରତ୍ନାକର ପ୍ରଧାନ, ସମ୍ବଲପୁରରୁ କୃଷ୍ଣଚନ୍ଦ୍ର ନାଥ ଓ ବ୍ରହ୍ମପୁରରୁ ସନ୍ତୋଷ ପାଣିଗ୍ରାହୀ ପ୍ରମୁଖ ହକରମାନେ ସେମାନଙ୍କର ଅନୁଭବ ବ୍ୟକ୍ତ କରି କହିଥିଲେ. ଆମେ ହକର ଭାଇମାନେ ଅନେକ ଅର୍ଥାଭାବର ସମ୍ମୁଖୀନ ହୋଇଛୁ । ମୁଖ୍ୟମନ୍ତ୍ରୀ ଆମ ଦୁଃଖ ବୁଝିଥିବାରୁ ଆମେ ହୃଦୟରୁ ତାଙ୍କ ପ୍ରତି ଆମର କୃତଜ୍ଞତା ପ୍ରକାଶ କରୁଛୁ । ମୁଖ୍ୟମନ୍ତ୍ରୀଙ୍କ ସଚିବ (5T) ଭି.କେ. ପାଣ୍ଡିଆନ କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ । ସୂଚନା ଓ ଲୋକସମ୍ପର୍କ ବିଭାଗ ପ୍ରମୁଖ ସଚିବ ବିଷ୍ଣୁପଦ ସେଠୀ ସ୍ୱାଗତ ଭାଷଣ ଦେଇଥିଲେ ଓ ନିର୍ଦ୍ଦେଶକ ଇନ୍ଦ୍ରମଣି ତ୍ରିପାଠୀ ଧନ୍ୟବାଦ ଅର୍ପଣ କରିଥିଲେ । ବିଭିନ୍ନ ଜିଲ୍ଲାରେ ମନ୍ତ୍ରୀ, ବିଧାୟକଗଣ, ଜିଲ୍ଲାପାଳ, ସୂଚନା ଓ ଲୋକସମ୍ପର୍କ ଅଧିକାରୀ ଓ ହକର ମାନେ ଉପସ୍ଥିତ ରହି କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ ।

ସ୍ମୃତିରେ ୨୦୨୧ : ଟୋକିଓରେ ଭାରତର ସୁନେଲି ସଫଳତା

ଭୁବନେଶ୍ୱର: କରୋନା କାଳର ଦ୍ୱିତୀୟ ଅଙ୍କ ୨୦୨୧ ବିତିବାକୁ ଆଉ ମାତ୍ର କେଇଦିନ ବାକି । କରୋନାର କଳାଛାଇ ଜୀବନ,ଜୀବିକା ସହିତ ଖେଳ ଉପରେ ମଧ୍ୟ ପଡିଛି । ୨୦୨୦ ଅଲମ୍ପିକ୍ସ ଗୋଟିଏ ଭାଇରସ ପାଇଁ ବାତିଲ ହୋଇଥିଲା । ତେବେ ସେଇ ଭାଇରସର ଆତଙ୍କ ଭିତରେ ୨୦୨୧ରେ ଟୋକିଓ ଅଲମ୍ପିକ୍ସ ଅନୁଷ୍ଠିତ ମଧ୍ୟ ହୋଇଥିଲା । କ୍ରୀଡା ମହାକୁମ୍ଭ ଅଲମ୍ପିକ୍ସ ଭାରତ ପାଇଁ ଆଣିଥିଲା ଖୁସୀ ଖବର । ହକିରେ ୪୦ ବର୍ଷ ପଦକ ମରୁଡିର ଅନ୍ତ ୨୧ରେ ଘଟିଥିଲା । ପୁଣି ନିରଜ ଚୋପ୍ରା ପ୍ରଥମ ଥର ପାଇଁ ଭାରତକୁ ଦେଇଥିଲେ ବ୍ୟକ୍ତିଗତ ଆଥଲେଟିକ୍ସ ପଦକ । ଓଡ଼ିଶା ପାଇଁ ବି ୨୧ର କ୍ରୀଡା କ୍ୟାଲେଣ୍ଡର ଥିଲା ଆଶା ଓ ନିରାଶର ଲେଖାଯୋଖା । ଆସନ୍ତୁ ନଜର ପକାଇବା ୨୧ କ୍ରୀଡା କ୍ୟାଲେଣ୍ଡରରେ କ’ଣ ଥିଲା ହିଟ୍ ,କ’ଣ ଥିଲା ମିସ୍….

୨୧ର ସୁନାପୁଅ

କରୋନାର ଭୟ ଓ ନିରାଶା ଭିତରେ ଆଶାର ଆଲୋକ ଭାବେ ଉଭା ହୋଇଥିଲା ଟୋକିଓ ଅଲିମ୍ପିକ୍ସ। ଏଥିରେ ୧ ସ୍ୱର୍ଣ୍ଣ, ୨ ରୌପ୍ୟ ଓ ୪ କାଂସ୍ୟ ପଦକ ସହ ୪୮ତମ ସ୍ଥାନ ଅଧିକାର କରିଥିଲା ଭାରତ। ଯାହା ଥିଲା ଭାରତର ସର୍ବଶ୍ରେଷ୍ଠ ଅଲିମ୍ପିକ୍ସ ପ୍ରଦର୍ଶନ। ଭାରତକୁ ମିଳିଥିବା ଏକମାତ୍ର ସ୍ୱର୍ଣ୍ଣ ପଦକ ଆଣିଥିଲେ ଜାଭଲିନ ଷ୍ଟାର ନିରଜ ଚୋପ୍ରା । ୮୭.୫୮ ମିଟର ଦୂରତାକୁ ଜାଭଲିନ୍ ଫିଙ୍ଗି ସମସ୍ତଙ୍କୁ ଚକିତ କରିଦେଇଥିଲେ ନିରଜ। ନୀରଜଙ୍କ ଏହି ସୁନେଲି ସଫଳତା ପରେ ଭାରତରେ ଜାଭଲିନ ଖେଳର ହୋଇଥିଲା ପୁନର୍ଜନ୍ମ । ଏପରିକି ନୀରଜ ଅଲିମ୍ପିକ୍ସରେ ସ୍ୱର୍ଣ୍ଣ ହାସଲ କରିଥିବା ଦିନକୁ ଅର୍ଥାତ ଅଗଷ୍ଟ ୭ ତାରିଖକୁ ଜାତୀୟ ଜାଭଲିନ୍ ଦିବସ ଭାବେ ପାଳନ କରିବାକୁ ଘୋଷଣା କରିଥିଲା ଆଥଲେଟିକ୍ସ ଫେଡେରେସନ୍ ଅଫ୍ ଇଣ୍ଡିଆ।

ନିରଜଙ୍କ ବ୍ୟତୀତ ଆହୁରି ଅନେକ ଭାରତୀୟ ଖେଳାଳି ଦେଶ ପାଇଁ ଆଣିଥିଲେ ଗୌରବ । ଟୋକିଓ ଅଲିମ୍ପିକ୍ସ ୨୦୨୦ର ପ୍ରଥମ ଦିନରେ ଦେଶକୁ ରୌପ୍ୟ ପଦକ ଜିତାଇଥିଲେ ମୀରାବାଈ ଚାନୁ। ଭାରୋତ୍ତଳନରେ ସେ ୪୯ କେ.ଜି ମହିଳା ବର୍ଗରେ ରୌପ୍ୟ ପଦକ ହାସଲ କରିଥିଲେ । ସେହିଭଳି କୁସ୍ତିରେ ରବିକୁମାର ଦାହିୟା ରୌପ୍ୟ ଓ ବଜରଙ୍ଗ ପୁନିଆ କାଂସ୍ୟ, ବ୍ୟାଡମିଣ୍ଟନ୍ରେ ପିଭି ସିନ୍ଧୁ କାଂସ୍ୟ, ବକ୍ସିଂରେ ଲଭଲିନା ବର୍ଗୋହାଁ କାଂସ୍ୟ ପଦକ ଜିତି ସମଗ୍ର ଦେଶକୁ ବିଶ୍ୱ ଦରବାରରେ ଗୌରବାନ୍ୱିତ କରିଥିଲେ।

ହକିର ପଦକ ମରୁଡ଼ି ଅନ୍ତ

କ୍ରିକେଟ୍ ପାଗଳ ଦେଶରେ ହକିର କ୍ରେଜ୍ ୨୦୨୧ରେ ଫେରିଥିଲା କହିଲେ ଭୁଲ ହେବ ନାହିଁ । କାରଣ ୧୯୮୪ର ମସ୍କୋ ଅଲମ୍ପିକ୍ସ ପରେ ଭାରତୀୟ ଟିମ୍ ପ୍ରଥମ ଥର ପାଇଁ ପଦକ ପାଇଥିଲା । ଦୀର୍ଘ ବର୍ଷ ପରେ ଭାରତୀୟ ହକି ପ୍ରେମୀଙ୍କ ପାଖରେ ଉତ୍ସବ ମନାଇବାର ବାହାନା ଥିଲା । ପୁଣିଥରେ ପ୍ରତ୍ୟେକଟି ଭାରତୀୟଙ୍କ ହୃତ୍ସ୍ପନ୍ଦନ ପାଲଟିଯାଇଥିଲା ହକି । ଘରେ ଘରେ ହକିକୁ ନେଇ ଦେଖିବାକୁ ମିଳିଥିଲା ଉତ୍ସାହ। କେବଳ ଏତିକି ନୁହେଁ ଟୋକିଓ ଅଲିମ୍ପିକ୍ସର ପ୍ରଦର୍ଶନ ଆଧାରରେ ଭାରତୀୟ ପୁରୁଷ ହକି ଦଳର ପ୍ରତ୍ୟେକ ଖେଳାଳିଙ୍କୁ ମିଳିଥିଲା ଅର୍ଜୁନ ପୁରସ୍କାର।

ଓଡ଼ିଆ ହକି ଖେଳାଳି ବୀରେନ୍ଦ୍ର ଲାକ୍ରା ଓ ଅମିତ ରୋହିଦାସ ଓଡ଼ିଶାକୁ ପ୍ରଥମ ଅଲିମ୍ପିକ୍ସ ପଦକ ଆଣିଥିଲେ । ଭାରତୀୟ ହକିର ପଦକ ବିଜୟର ଶ୍ରେୟ ସାରା ଦେଶ ଓଡ଼ିଶାକୁ ଓ ହକି ପ୍ରେମୀ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଦେଇଥିଲା । କାରଣ କେବଳ ଭାରତୀୟ ହକି ଦଳ ପ୍ରାୟୋଜକ ଭାବେ ନୁହେଁ, ଏହାର ଭିତ୍ତିଭୂମିକୁ ସୁଦୃଢ କରିବା ଠାରୁ ଆରମ୍ଭ କରି ହକିକୁ ଲୋକପ୍ରିୟ କରିବା କ୍ଷେତ୍ରରେ ମୁଖ୍ୟମନ୍ତ୍ରୀଙ୍କ ଭୂମିକା ଅତୁଳନୀୟ। ଟୋକିଓ ଅଲିମ୍ପିକ୍ସରେ ଭାରତୀୟ ହକି ଦଳର ଏହି ପ୍ରଦର୍ଶନରେ ଉତ୍ସାହିତ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଉ ୧୦ ବର୍ଷ ପାଇଁ ଓଡ଼ିଶା ଭାରତୀୟ ହକିର ପ୍ରାୟୋଜକ ରହିବ ବୋଲି ଘୋଷଣା କରିଥିଲେ।

ଓଡ଼ିଶାକୁ ମିଳିଥିଲା ପ୍ରଥମ ସ୍ୱର୍ଣ୍ଣ:

ଟୋକିଓ ପାରାଲିମ୍ପିକ୍ସରେ ମଧ୍ୟ ଭାରତୀୟ ପ୍ରତିଯୋଗୀ ଐତିହାସିକ ସଫଳତା ଲାଭ କରିଥିଲେ। ଏଥିରେ ପ୍ରତିଯୋଗୀମାନେ ୫ ସ୍ୱର୍ଣ୍ଣ, ୮ ରୌପ୍ୟ ଓ ୬ କାଂସ୍ୟ ସହ ସମୁଦାୟ ୧୯ଟି ପଦକ ହାସଲ କରିଥିଲେ। ପାରାଲିମ୍ପିକ୍ସରେ ପ୍ରଥମ ଥର ପାଇଁ ସାମିଲ ହୋଇଥିବା ବ୍ୟାଡମିଣ୍ଟନ୍ରେ ଓଡ଼ିଆ ତାରକା ପ୍ରମୋଦ ଭଗତ ସ୍ୱର୍ଣ୍ଣ ପଦକ ଜିତି ବିଶ୍ୱ ଦରବାରରେ ଓଡ଼ିଶାର ଟେକ ରଖିଥିଲେ। ପ୍ରମୋଦ ନିଜର ସୁନେଲି ସଫଳତାରେ ସାଢ଼େ ୪ କୋଟି ଓଡ଼ିଆଙ୍କୁ ଗର୍ବିତ କରିଥିଲେ। ପ୍ରମୋଦଙ୍କ ବ୍ୟତୀତ ସୁମିତ ଆନ୍ତିଲ, ମନୀଷ ନରୱାଲ, କ୍ରିଷ୍ଣା ନଗର ଓ ଅବନି ଲେଖରା ମଧ୍ୟ ସ୍ୱର୍ଣ୍ଣ ପଦକ ହାସଲ କରିଥିଲେ। ଅବନି ଲେଖରା ସ୍ୱର୍ଣ୍ଣ ସହ କାଂସ୍ୟ ଓ ସିଙ୍ଗରାଜ ଅଧାନା ରୌପ୍ୟ ଓ କାଂସ୍ୟ ଦୁଇଟି ଲେଖାଏଁ ପଦକ ଜିତି ଦେଶକୁ ଗୌରବାନ୍ୱିତ କରିଥିଲେ।

କରୋନା ମହାମାରୀର ଯୋଗୁ ଗୋଟିଏ ବର୍ଷ ବିଳମ୍ବିତ ହୋଇଥିବା ଏବଂ ଅସ୍ୱଭାବିକ ପରିସ୍ଥିତିରେ ବିନା ଦର୍ଶକରେ ଖେଳା ଯାଇଥିବା ଏହି ଅଲିମ୍ପିକ୍ସରେ ଭାରତ ଐତିହାସିକ ସଫଳତା ହାସଲ କରିଥିଲା

ରାଜ୍ୟରୁ ଆଉ ୨ ଓମିକ୍ରନ୍ ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ୱର: ଓଡ଼ିଶାରେ ଓମିକ୍ରନ୍ ଆକ୍ରାନ୍ତଙ୍କ ସଂଖ୍ୟା ୪କୁ ବୃଦ୍ଧି ପାଇଛି । ପୂର୍ବରୁ ୨ ଜଣ ଓମିକ୍ରନ୍ ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ଆଉ ୨ ନାବାଳିକା ଭଉଣୀ ଓମିକ୍ରନ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସପରିବାର ନାଇଜେରିଆରୁ ଫେରିଥିଲେ । ପରିବାର ଅନ୍ୟ ସଦସ୍ୟଙ୍କ କରୋନା ରିପୋର୍ଟ ନେଗେଟିଭ୍ ଆସିଛି । ଦୁଇ ନାବାଳିକା ଭଉଣୀ ଭୁବନେଶ୍ୱରର ଘରୋଇ ହସ୍ପିଟାଲରେ ଚିକିତ୍ସାଧୀନ ଅଛନ୍ତି । ସେମାନଙ୍କ ସ୍ୱାସ୍ଥ୍ୟାବସ୍ଥା ଭଲ ଅଛି । ଜଣଙ୍କ ବୟସ ୧୫ ଓ ଅନ୍ୟ ଜଣଙ୍କର ବୟସ ୧୧ ବର୍ଷ । ଉଭୟଙ୍କ କଣ୍ଟାକ୍ଟ ଟ୍ରେସିଂ ସରିଥିବା ସୂଚନା ଦେଇଛନ୍ତି ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ ନିରଞ୍ଜନ ମିଶ୍ର । ଜିନୋମ ସିକ୍ୱେନ୍ସିଂରୁ ୨ ନୂଆ ଓମିକ୍ରନ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଗତ ୧୩ ତାରିଖରେ ନାଇଜେରିଆରୁ ସପରିବାର ଫେରିଥିଲେ । ପୂର୍ବରୁ ୨ଜଣ ଓମିକ୍ରନ ଆକ୍ରାନ୍ତଙ୍କୁ ଚିହ୍ନଟ କରାଯାଇଥିଲା ।

ଏଥିସହ ପଢ଼ନ୍ତୁ: ମଞ୍ଜ ଥରାଉଛି ହାଡ଼ଭଙ୍ଗା ଜାଡ଼, କନ୍ଧମାଳରୁ ଶିମିଳିପାଳ ସବୁଠି ଶୀତର ରାଜୁତି

ଅନ୍ୟପଟେ ପୁଣି ଓମିକ୍ରନ ଆକ୍ରାନ୍ତ ଚିହ୍ନଟ ହେବା ପରେ ସର୍ଭିଲାନ୍ସକୁ ଜୋରଦାର କରାଯିବ ବୋଲି ସୂଚନା ଦେଇଛନ୍ତି ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ବିଜୟ ମହାପାତ୍ର । ଦୈନିକ ୭୦ ହଜାରରୁ ଅଧିକ ଟେଷ୍ଟ କରିବାକୁ ନିର୍ଦ୍ଦେଶ ଦିଆଯାଇଛି । ଜିଲ୍ଲାପାଳ ମାନଙ୍କୁ କୁହାଯାଇଛି ବିଦେଶ ଫେରନ୍ତାଙ୍କ ଉପରେ ତୀକ୍ଷଣ ନଜର ରଖିବେ । ଟିକାକରଣକୁ ଆହୁରି ବ୍ୟାପକ କରାଯିବ ।

ପର୍ଲ ଚିଟଫଣ୍ଡ ସ୍କାମ ମାମଲା, ଭୁବନେଶ୍ୱର ସମେତ ଅନ୍ୟ ସ୍ଥାନରୁ ୧୧ ଅଭିଯୁକ୍ତଙ୍କୁ ଗିରଫ କଲା ସିବିଆଇ

ନୂଆଦିଲ୍ଲୀ: ୬୦ ହଜାର କୋଟି ଟଙ୍କାର ପର୍ଲ ଚିଟଫଣ୍ଡ ସ୍କାମ୍ ମାମଲାରେ ସିବିଆଇର କାର୍ଯ୍ୟାନୁଷ୍ଠାନ । ସଂସ୍ଥା ବନ୍ଦର ୬ ବର୍ଷ ପରେ ଦେଶର ବିଭିନ୍ନ ରାଜ୍ୟରୁ ୧୧ ଜଣଙ୍କୁ ଗିରଫ କରିଛି ସିବିଆଇ । ଗିରଫଙ୍କ ମଧ୍ୟରେ କମ୍ପାନୀର କେତେକ କର୍ମଚାରୀଙ୍କ ସହ ବ୍ୟବସାୟୀ ରହିଛନ୍ତି । ପିଏସିଏଲ୍ ଗ୍ରୁପ୍ ଲୋଭନୀୟ ଅଫର୍ ଦେଇ ୫ କୋଟିରୁ ଅଧିକ ଲୋକଙ୍କୁ ଠକିଥିଲା । ଲୋକଙ୍କୁ ଠକି ବିଦେଶରେ ସମ୍ପତ୍ତି କିଣିଥିଲେ କମ୍ପାନୀର ମାଲିକ ।

ସିବିଆଇ ମୁଖପାତ୍ର ଆରସି ଯୋଶୀଙ୍କ ଅନୁସାରେ, ପର୍ଲ ଏଗ୍ରୋ କର୍ପୋରେସନ୍ ଲିମିଟେଡ୍ ଚିଟଫଣ୍ଡ ସ୍କାମ୍ ମାମଲାରେ ସିବିଆଇ ବିଭିନ୍ନ ରାଜ୍ୟରୁ ୧୧ ଜଣଙ୍କୁ ଗିରଫ କରିଛି । ଗିରଫଙ୍କ ମଧ୍ୟରେ ଚନ୍ଦ୍ର ଭୂଷଣ ଢିଲ୍ଲନ, ପ୍ରେମ ନାଥ, ମନମୋହନ କମଲ ମହାଜନ, ମୋହନଲାଲ ସେହଜପାଲ, କମ୍ବଲଜୀତ ସିଂହ ତୋର ଅଛନ୍ତି । ଏହି ଅଭିଯୁକ୍ତମାନେ ପର୍ଲ ଗ୍ରୁପର କର୍ମଚାରୀ ।

ବ୍ୟବସାୟୀ ପ୍ରବୀଣ କୁମାର ଅଗ୍ରୱାଲ, ମନୋଜ କୁମାର ଜୈନ୍, ଆକାଶ ଅଗ୍ରୱାଲ, ଅନିଲ କୁମାର ଖେମକା, ସୁଭାଷ ଅଗ୍ରୱାଲ, ରାଜେଶ ଅଗ୍ରୱାଲଙ୍କୁ ସିବିଆଇ ଗିରଫ କରିଛି । ଦିଲ୍ଲୀ, ଚଣ୍ଡିଗଡ଼, କୋଲକାତା, ଭୁବନେଶ୍ୱର ସହ ଅନ୍ୟ କିଛି ସହରରୁ ଅଭିଯୁକ୍ତମାନଙ୍କୁ ଗିରଫ କରିଛି ସିବିଆଇ ।

ପୂର୍ବରୁ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶରେ ସିବିଆଇ ଯାଞ୍ଚ ଆରମ୍ଭ କରିଥିଲା । ମାମଲାରେ ନିର୍ମଳ ସିଂହ ଭଙ୍ଗୁ, ସୁଖଦେବ ସିଂହ, ସୁବ୍ରତ ଭଟ୍ଟାଚାର୍ଯ୍ୟ, ଗୁରମିତ ସିଂହଙ୍କୁ ୨୦୧୬ ଜାନୁଆରୀ ୮ରେ ଗିରଫ କରିଥିଲା । ୨୦୧୬ ଏପ୍ରିଲ ୭ ତାରିଖରେ ଦାଖଲ ହୋଇଥିଲା ଚାର୍ଜସିଟ୍ ।