spot_img
Home Blog Page 4787

ଏସିଆନ ଚମ୍ପିଆନ୍ସ ଟ୍ରଫି ହକି: ଶୁକ୍ରବାର ପାକିସ୍ତାନକୁ ଭେଟିବ ଭାରତ

ଢ଼ାକା: ବାଂଲାଦେଶର ଢ଼ାକାରେ ଜାରି ରହିଛି ଏସିଆନ ଚମ୍ପିଆନ୍ସ ଟ୍ରଫି ହକି । ଟୋକିଓ ଅଲମ୍ପିକ୍ସରେ ବ୍ରୋଞ୍ଜ ମେଡାଲ ଜିତିବା ପରେ ପ୍ରଥମ ଥର ପାଇଁ ଅନ୍ତର୍ଜାତୀୟ ଟୁର୍ଣ୍ଣାମେଣ୍ଟ ଖେଳୁଛି ଟିମ୍ ଇଣ୍ଡିଆ । ଢ଼ାକାରେ ଚାଲୁଥିବା ଏହି ଏସିଆନ ଚମ୍ପିଆନ୍ସ ଟ୍ରଫି ହକିରେ ଶୁକ୍ରବାର ଭାରତ ତା’ର ପାରମ୍ପାରିକ ପ୍ରତିଦ୍ୱନ୍ଦୀ ପାକିସ୍ତାନକୁ ଭେଟିବ । ୨୦୧୮ ଏସିଆନ ଚମ୍ପିଆନ୍ସ ଟ୍ରଫିର ଯୁଗଳ ବିଜେତା ଭାତର-ପାକିସ୍ତାନ ପୁଣି ଥରେ ଏସିଆନ ଚମ୍ପିଆନ୍ସ ଟ୍ରଫିରେ ମୁହାଁମୁହିଁ ହେବାକୁ ଯାଉଛନ୍ତି । ଏସିଆନ ଚମ୍ପିଆନ୍ସ ଟ୍ରଫିରେ ଏପର୍ଯ୍ୟନ୍ତ ଉଭୟ ଦଳ ୮ ଥର ମୁହାଁମୁହିଁ ହୋଇଥିଲେ । ଭାରତ ୪ଟି ମ୍ୟାଚ ନିଜ ନାମରେ କରିଥିବାବେଳେ ୨ଟି ମ୍ୟାଚରେ ବିଜୟ ହାସଲ କରିଛି ପାକିସ୍ତାନ ଓ ୨ଟି ମ୍ୟାଚ ଡ୍ର’ ରହିଛି । ତେବେ ଆସନ୍ତାକାଲି ହେବାକୁ ଥିବା ଭାରତ-ପାକିସ୍ତାନ ମହାମୁକାବିଲାରେ ଭାରତ ବିଜୟ ଲାଭ କରି ଏସିଆନ ଚମ୍ପିଆନ୍ସ ଟ୍ରଫିରେ ଥିବା ବିଜୟ ରେକର୍ଡକୁ ବଜୟ ରଖିବାକୁ ଚେଷ୍ଟା କରିବ ।

ଅନ୍ୟପକ୍ଷରେ ଚଳିତ ଏସିଆନ ଚମ୍ପିଆନ୍ସ ଟ୍ରଫି ହକିରେ ଭାରତ ଏପର୍ଯ୍ୟନ୍ତ ଦୁଇଟି ମ୍ୟାଚ ଖେଳିଛି । ପ୍ରଥମ ମ୍ୟାଚରେ ଭାରତ ଭେଟିଥିଲା ଡିଫେଣ୍ଡିଂ ଚମ୍ପିଆନ କୋରିଆକୁ । ଏହି ମ୍ୟାଚ ୨-୨ରେ ଡ୍ର’ ରହିଥିଲା । ପ୍ରଥମ ମ୍ୟାଚ ଡ୍ର’ ରହିବା ଫଳରେ ବୁଧବାର ଦ୍ୱିତୀୟ ମ୍ୟାଚରେ ଭାରତ ଭେଟିଥିଲା ଆୟୋଜକ ବାଂଲାଦେଶକୁ । ଏହି ମ୍ୟାଚକୁ ୯-୦ରେ ବଡ଼ ବ୍ୟବଧାନରେ ନିଜ ନାମରେ କରିଥିଲା ଟିମ୍ ଇଣ୍ଡିଆ । ଦୁଇଟି ମ୍ୟାଚରୁ ଗୋଟିଏ ବିଜୟ ଓ ଗୋଟିଏ ମ୍ୟାଚରେ ଡ୍ର’ ସହ ଭାରତ ପଏଣ୍ଟ ଟେବୁଲର ପ୍ରଥମ ସ୍ଥାନରେ ରହିଛି । ସେହିପରି ଭାବରେ ପାକିସ୍ତାନ ଗୋଟିଏ ମ୍ୟାଚ ଖେଳି ଡ୍ର’ ସହ ପଏଣ୍ଟ ଟେବୁଲରେ ଚତୁର୍ଥ ସ୍ଥାନରେ ରହିଛି ।

ଜାତୀୟ ସୁଟର କନିକାଙ୍କ ଆତ୍ମହତ୍ୟା, ଅଢ଼େଇ ଲକ୍ଷ ଟଙ୍କାର ଜର୍ମାନ ରାଇଫଲ ଉପହାର ଦେଇଥିଲେ ସୋନୁ ସୁଦ୍

0

କୋଲକାତା: ଜାତୀୟସ୍ତର ସୁଟର୍ କନିକା ଲାୟକଙ୍କର ମୃତ୍ୟୁ ହୋଇଛି । ସେ ନିଜକୁ ଫାଶି ଲଗାଇ ଆତ୍ମହତ୍ୟା କରିଥିବା କୁହାଯାଉଛି । ୨୬ ବର୍ଷୀୟା କନିକା କୋଲକାତାରେ ସୁଟିଂ ପାଇଁ ତାଲିମ ନେଉଥିଲେ ।  ଏହା ପୂର୍ବରୁ ସେ ଗୁଜରାଟର ଅହମ୍ମଦାବାଦରେ ମଧ୍ୟ ଟ୍ରେନିଂ ନେବାକୁ ଯାଇଥିଲେ । ତେବେ ଏହି ସମୟରେ ତାଙ୍କ ସହ ଅସାଦାଚରଣ ହୋଇଥିବା ଅଭିଯୋଗ ଆସିଥିଲା । କନିକାଙ୍କ ମୃତଦେହ କୋଲକାତାର ଏକ ଲେଡିସ ହଷ୍ଟେଲରୁ ଝୁଲନ୍ତା ଅବସ୍ଥାରେ ଉଦ୍ଦାର କରାଯାଇଛି ।

କନିକାଙ୍କ  ହେଉଛନ୍ତି ବିହାର ଧନବାଦର ବାସିନ୍ଦା । ୨୦୨୨ ଫେବୃଆରୀରେ ତାଙ୍କର ବିବାହ ମଧ୍ୟ ହେବାର ଥିଲା । ହେଲେ ଏବେ ଏହି ଦୁଃଖଦ ଘଟଣାରେ ସେ ଆର ପାରିକୁ ଚାଲିଯାଇଛନ୍ତି। କନିକା ଜଣେ ବହୁତ ଭଲ ସୁଟର ଥିଲେ । ନିକଟରେ ସେ ଅଭିନେତା ସୋନୁ ସୁଦଙ୍କୁ ସାହାଯ୍ୟ ମାଗିଥିଲେ ଆଉ ସୋନୁ  ଅଢ଼େଇ ଲକ୍ଷ ଟଙ୍କା ମୂଲ୍ୟର ଏକ ରାଇଫଲ୍ କନିକାଙ୍କୁ ଉପହାର ଦେଇଥିଲେ ।

କନିକା ଝାଡ଼ଖଣ୍ଡରୁ ରାଜ୍ୟ ସ୍ତରରେ ଚାରିଟି ସ୍ୱର୍ଣ୍ଣ ଓ ରୌପ୍ୟ ପଦକ ଜିତିଥିଲେ। ସେ ୧୦୦ ମିଟର ଏୟାର ରାଇଫଲ ବର୍ଗରେ ରାଜ୍ୟ ଚାମ୍ପିୟନ ହୋଇଥିଲେ। କନିକାଙ୍କ ସ୍ୱପ୍ନ ଅଲିମ୍ପିକ୍ସକୁ ଯିବା ଥିଲା, କିନ୍ତୁ ଏହାପୂର୍ବରୁ ସେ ଦୁନିଆ ଛାଡି ଚାଲିଯାଇଛନ୍ତି । ସୋନୁ ସୁଦ ମଧ୍ୟ ଚାହୁଁଥିଲେ ଯେ କନିକା ଆଗାମୀ ସମୟରେ ଅଲିମ୍ପିକ୍ସ ପରି ଏକ ବଡ଼ ମଞ୍ଚରେ ନିଜର ଚମତ୍କାରିତା ଦେଖାନ୍ତୁ କିନ୍ତୁ ଏହା ସମ୍ଭବ ହୋଇପାରିଲା ନାହିଁ । ଜଣେ ଦକ୍ଷ ଓ ଉଦୀୟମାନ ସୁଟରଙ୍କ ଦେହାନ୍ତରେ ସାରା ଖେଳ ଜଗତରେ ଶୋକର ଛାୟା ଖେଳାଇଯାଇଛି।

CBIକୁ ଚିଠି ଲେଖିଲେ ଇନ୍ଦ୍ରାଣୀ ମୁଖାର୍ଜୀ; କହିଲେ ସିନା ବୋରା ବଞ୍ଚିଛନ୍ତି, ତାଙ୍କୁ କାଶ୍ମୀରରେ ଖୋଜନ୍ତୁ

ମୁମ୍ବାଇ: ବହୁ ଚର୍ଚ୍ଚିତ ସିନା ବୋରା ମର୍ଡର କେସରେ ନୂଆ ଟ୍ୱିଷ୍ଟ । ସିନା ବୋରା ହତ୍ୟାକାଣ୍ଡର ମୁଖ୍ୟ ଦୋଷୀ ଇନ୍ଦ୍ରାଣୀ ମୁଖାର୍ଜୀ ଏକ ବଡ଼ ଦାବି କରିଛନ୍ତି । ଝିଅ ବଞ୍ଚିଛି କହିଲେ ସିନାଙ୍କ ହତ୍ୟାକାରୀ ମାଆ ଇନ୍ଦ୍ରାଣୀ ମୁଖାର୍ଜୀ । ସେ କାଶ୍ମୀରରେ ରହୁଛନ୍ତି ବୋଲି ଦାବି କରିଛନ୍ତି ଇନ୍ଦ୍ରାଣୀ । ସିବିଆଇ ଡାଇରେକ୍ଟରଙ୍କୁ ଚିଠି ଲେଖି ସିନା ବଞ୍ଚିଥିବା ସେ ଦାବି କରିଛନ୍ତି । ଇନ୍ଦ୍ରାଣୀ ମୁଖାର୍ଜୀ ଚିଠିରେ ଲେଖିଛନ୍ତି କି ସିନା କାଶ୍ମୀରରେ ରହୁଛନ୍ତି । ନିକଟରେ ଜେଲରେ ସେ ଜଣେ ମହିଳାଙ୍କୁ ଭେଟିଥିଲେ । ସମ୍ପୃକ୍ତା ମହିଳା କାଶ୍ମୀରରେ ସିନା ବୋରାଙ୍କୁ ଭେଟିଥିଲେ ବୋଲି କହିଛନ୍ତି । ସିବିଆଇ ସିନାଙ୍କୁ କାଶ୍ମୀରରେ ଖୋଜିବାକୁ ଚିଠିରେ ଇନ୍ଦ୍ରାଣୀ ଉଲ୍ଲେଖ କରିଛନ୍ତି ।

୨୦୧୨ରେ ସିନା ବୋରାଙ୍କ ହତ୍ୟାକାଣ୍ଡ ହୋଇଥିଲା । ଏପ୍ରିଲରେ ସିନାଙ୍କୁ ହତ୍ୟା କରାଯାଇଥିବା ବେଳେ ମେ’ ୨୩ରେ ରାୟଗଡ଼ର ଏକ ଜଙ୍ଗଲରୁ ମୃତଦେହ ମିଳିଥିଲା । ଏହି ମାମଲାରେ ସିନାଙ୍କ ମାଆ ଇନ୍ଦ୍ରାଣୀ ମୁଖାର୍ଜୀ ମୁଖ୍ୟ ଦୋଷୀ ସାବ୍ୟସ୍ତ ହୋଇ ୨୦୧୫ରୁ ମୁମ୍ବାଇର ବାୟକୁଲା ଜେଲରେ ଅଛନ୍ତି । ଗତମାସରେ ବମ୍ବେ ହାଇକୋର୍ଟ ଇନ୍ଦ୍ରାଣୀଙ୍କ ଜାମିନ ଆବେଦନକୁ ଖାରଜ କରିଥିଲେ । ସୂଚନା ଅନୁସାରେ ଇନ୍ଦ୍ରାଣୀ ମୁଖାର୍ଜୀ ଜାମିନ ପାଇଁ ସୁପ୍ରିମକୋର୍ଟ ଯାଇ ପାରନ୍ତି ।

ମୁମ୍ବାଇରେ ଏକ ଘର ଦେବା ପାଇଁ ସିନା ତାଙ୍କ ମାଆ ଇନ୍ଦ୍ରାଣୀଙ୍କୁ ବ୍ଲାକମେଲ କରୁଥିଲେ । ତେଣୁ ଇନ୍ଦ୍ରାଣୀ ସିନାଙ୍କ ଗଳା ଚିପି ହତ୍ୟା କରିଥିଲେ । ୨୦୧୫ରେ ଯେତେବେଳେ ଏହି ମାମଲା ସାମ୍ନାକୁ ଆସିଥିଲା ସେ ସମୟର ଯାଞ୍ଚରେ ଜଣା ପଡ଼ିଥିଲା କି ଇନ୍ଦ୍ରାଣୀ ମୁମ୍ବାଇର ବାନ୍ଦ୍ରାରେ ସିନାଙ୍କ ତଣ୍ଟି ଚିପି ହତ୍ୟା କରିଥିଲେ । ଏହା ପରେ ସିନାଙ୍କ ଶବକୁ ରାୟଗଡ ଜିଲ୍ଲାରେ ଫିଙ୍ଗି ଦେଇଥିଲେ । ପୋଲିସ ସେଠାରୁ ସିନାଙ୍କର ଦେହାବଶେଷ ପାଇଥିବା କଥା ମଧ୍ୟ ଦାବି କରିଥିଲେ। କିନ୍ତୁ ଇନ୍ଦ୍ରାଣୀ ମୁଖାର୍ଜୀ ଏହି କଥାକୁ ଅସ୍ୱୀକାର କରିଥିଲେ।

ଜେଲର ଅନ୍ଧାର କୋଠରୀରେ ୧୯ ବର୍ଷ ବିତିବା ପରେ ନିର୍ଦ୍ଦୋଷରେ ଖଲାସ ହେଲେ ହାବିଲ

ବାରିପଦା: ବର୍ଷେ ନୁହେଁ କି ଦୁଇ ବର୍ଷ ନୁହେଁ । ଜେଲର ଚାରି କାନ୍ଥ ଭିତରେ ବିତିଗଲା ଯୁବାବସ୍ଥା । ଜେଲର ଅନ୍ଧାରୀ କୋଠରୀରେ ହଜିଗଲା ୧୯ଟି ଫଗୁଣ । ଏବେ ମିଳିଛି ମୁକ୍ତି । ଉଦୟ ହୋଇଛି ନୂଆ ସୂର୍ଯ୍ୟ । ଜୀବନ ରଥକୁ ପୁଣି ସଜାଡ଼ି ଆଗକୁ ବଢ଼ିବେ । ହେଲେ, ଯୌବନର ୧୯ ବର୍ଷ କିଏ ଫେରାଇବ ? କେଉଁଠି ରହିଗଲା ଭୁଲ ? ଯେଉଁଠି ପାଇଁ ଜେଲ୍ ଭିତରେ ବିତିଗଲା ଜଣେ ନିର୍ଦ୍ଦୋଷଙ୍କ ୧୯ ବର୍ଷ ।

ଆମ ଆଇନ କହୁଛି, ୧୦୦ ଦୋଷୀ ପଛେ ଖସି ଯାଆନ୍ତୁ, ହେଲେ ଜଣେ ନିର୍ଦ୍ଦୋଷକୁ ଦଣ୍ଡ ନ ମିଳୁ । ହେଲେ ଏଠି ୧୯ ବର୍ଷ ଜେଲରେ ରହିବା ପରେ ପ୍ରମାଣ ଅଭାବରୁ ମୁକ୍ତି ପାଇଛନ୍ତି ମୟୂରଭଞ୍ଜନ ଯଶିପୁର ଥାନା ବଳରାମପୁର ଗାଁର ବିଚାରାଧୀନ କଏଦୀ ହାବିଲ ସିନ୍ଧୁ । ଜିଲ୍ଲା ଦୌରାଜଜ୍ କୋର୍ଟ ତାଙ୍କୁ ନିର୍ଦ୍ଦୋଷରେ ଖଲାସ କରିଛନ୍ତି ।

୨୦୦୩ ମସିହାର କଥା । ଶ୍ବଶୁର ଘର କୁଦୁପୁଟୁରେ ରହୁଥିଲେ ହାବିଲ । ସ୍ଥାନୀୟ ଲୋକେ ତାଙ୍କ ଶୁଶୁଙ୍କୁ ଡାହାଣୀ ବୋଲି ସନ୍ଦେହ କରୁଥିଲେ । ଶାଶୁଘର ଗାଁକୁ ଜମାଦାର ପିଙ୍ଗୁଅ, ତାଙ୍କ ୨ ବର୍ଷ ପୁଅ ଶୁକୁରୁ ପିଙ୍ଗୁଅ ଓ ଦାଦା ତୁରମ ପୁର୍ତ୍ତି ଆସିଥିଲେ । ହେଲେ ସେମାନେ ଘରକୁ ଫେରି ନଥିଲେ । ୩ ତାରିଖରେ ଯଶୀପୁର ଖଇର ନଦୀ ପଠାରୁ ସେମାନଙ୍କ ଗଣ୍ଡିମୁଣ୍ଡ ଅଲଗା ମୃତଦେହ ଉଦ୍ଧାର କରାଯାଇଥିଲା । ହୋମଗାର୍ଡଙ୍କ ଅଭିଯୋଗକୁ ଆଧାର କରି ପୋଲିସ ହତ୍ୟା ମାମଲା ରୁଜୁ କରିବା ସହ ହାବିଲଙ୍କୁ ଗିରଫ କରିଥିଲା ।

ଗିରଫ ପରେ ୨ ବର୍ଷ ଚାଲିଲା ବିଚାର । ୨୦୦୫ରେ ବାରିପଦାର ତତ୍କାଳୀନ ଅତିରିକ୍ତ ଦୌରାଜଜ୍ ମାମଲାର ବିଚାର କରି ହାବିଲଙ୍କୁ ଆଜୀବନ କାରା ଦଣ୍ଡାଦେଶ ଶୁଣାଇଥିଲେ ।

କୋର୍ଟଙ୍କ ରାୟକୁ ବିରୋଧ କରି ହାବିଲ ଉଚ୍ଚ ନାୟାଳୟଙ୍କ ଦ୍ବାରସ୍ଥ ହୋଇଥିଲେ । ଆବେଦନର ବିଚାର କରି ଉଚ୍ଚ ନ୍ୟାୟାଳୟ ମାମଲାର ପୁନଃର୍ବିଚାର କରିବାକୁ ନିର୍ଦ୍ଦେଶ ଦେଇଥିଲେ । ସେବେଠାରୁ ଗଡୁଥିଲା ତାରିଖ ପରେ ତାରିଖ, ଚାଲୁଥିଲା ବିଚାର । ବିଚାର ହୋଇ ରାୟ ଆସିବାକୁ ଲାଗିଗଲା ୧୬ ବର୍ଷ । ଆଉ ପ୍ରମାଣ ଅଭାବରୁ ହାବିଲଙ୍କୁ ନିର୍ଦ୍ଦୋଷରେ ଖଲାସ କରିଛନ୍ତି କୋର୍ଟ ।

କୋର୍ଟରୁ ମୁକ୍ତି ପାଇବା ପରେ ଖୁସି ଜାହିର କରିଛନ୍ତି ହାବିଲ । ମୁହଁରୁ ହସ ଫୁଟୁଛି । ଜେଲରୁ ଘରକୁ ଫେରିଥିବାରୁ କୋହ ସମ୍ଭାଳି ପାରୁନାହାନ୍ତି । ପରିବାର ସହ ସମୟ ବିତାଇବା ସହ ଚାଷ କରି ବାକି ଜୀବନ ବିତାଇ ଦେବେ ବୋଲି କହିଛନ୍ତି ।

ଏବେ ପ୍ରଶ୍ନ ଉଠୁଛି, ପୋଲିସ ତଦନ୍ତରେ ଭୁଲ ରହିଗଲା ନାଁ ବିଚାର ଅଧିକ ଦିନ ଚାଲିଲା । ଏହାର ଜବାବ କିଏ ଦେବ ? ଦେଶରେ ଆଜୀବନ କରାଦଣ୍ଡାଦେଶ ୧୪ ବର୍ଷ ଥିବା ବେଳେ ୧୯ ବର୍ଷ ଜେଲରେ ଜଣେ ବିଚାରାଧୀନ କଏଦୀ କାଟିବାକୁ ନେଇ ପ୍ରଶ୍ନ ଉଠାଇଛନ୍ତି ଲୋକେ ।

‘ଡିମ୍ପଲ ମୋତେ ବରବାଦ କରିଦେଲେ’

ବ୍ରହ୍ମପୁର: ବହୁ ଚର୍ଚ୍ଚିତ ଡିମ୍ପଲ-ସୁମିତ ବିବାହ ପ୍ରସଙ୍ଗରେ ପୁଣି ଏକ ଟୁଇଷ୍ଟ । ନିଖୋଜ କୁହାଯାଉଥିବା ପତି ସୁବିତଙ୍କର ଆସିଲା ଅଡିଓ । ନିଜେ ଅଡିଓ ରିଲିଜ କରିଛନ୍ତି ସୁମିତ । କହିଲେ ଡିମ୍ପଲ ମୋତେ ବରବାଦ କରିଦେଲେ ।

ସୁମିତ ଫେରାର ହୋଇଯାଇଥିବା ନେଇ ଡିମ୍ପଲ ଅଭିଯୋଗ କରୁଥିବା ବେଳେ ଅଡିଓ ମେସେଜରେ ଏହାର ବଜାବ ରଖିଛନ୍ତି ସୁମିତ । ସେ କୁଆଡେ ପଳାଇ ଯାଇନଥିବା କି ଫେରାର ହୋଇ ନଥିବା ସୁମିତ କହୁଥିବା ଶୁଣିବାକୁ ମିଳୁଛି ।

ସେ ଆଗକୁ କହିଛନ୍ତି, ‘ମୁଁ ମାନସିକ ଓ ଶାରିରୀକ ଭାବେ ଅସୁସ୍ଥ । ଡିମ୍ପଲ ମତେ ବରବାଦ କରିଦେଲାଣି । ୭ ଦିନ ରହିବା ପରେ ମଧ୍ୟ ସମ୍ପର୍କ କିଛି ବଢିନି ।’

ସୂଚନାଯୋଗ୍ୟ, ଶାଶୁଘର ଲୋକେ ଗ୍ରହଣ କରିବା ଦାବିରେ ଡିମ୍ପଲ ଘର ଆଗରେ ବସିବା ସହ ମାଣ ବସାଇ ଥିଲେ । ଯାହା ସାରା ରାଜ୍ୟରେ ଚର୍ଚ୍ଚାର ବିଷୟ ପାଲଟିଥିଲା । ମାମଲା କୋର୍ଟକୁ ଯାଇଥିଲା । ଏହାର ବିଚାର କରି ୭ ଦିନ ଭଡା ଘର ନେଇ ରହିବାକୁ କୋର୍ଟ ପତିପତ୍ନୀଙ୍କୁ ନିର୍ଦ୍ଦେଶ ଦେଇଥିଲେ । ଏହାସହ ଡିମ୍ପଲଙ୍କ ସମସ୍ତ ଖର୍ଚ୍ଚ ବହନ କରିବାକୁ କୋର୍ଟ ସୁମିତିଙ୍କୁ ନିର୍ଦ୍ଦେଶ ଦେଇଥିଲେ । ପତିପତ୍ନୀ ୭ ଦିନ ରହିବା ପରେ ଆଉ ୭ ଦିନ ଏକାଠି ରହିବାକୁ କୋର୍ଟ କହିଥିଲେ । ପରେ ସୁମିତ କେଉଁଆଡେ ଚାଲି ଯାଇଥିବା ଅଭିଯୋଗ ଆଣିଥିଲେ ଡିମ୍ପଲ । ଯାହାକୁ ନେଇ ଚର୍ଚ୍ଚା ସରି ନଥିବା ବେଳେ ସୁମିତଙ୍କ ଅଡିଓ ଆସିଛି ।

ଆଧାର ସହ ଯୋଡି ହେବ ଭୋଟର ଆଇଡି; କ୍ୟାବିନେଟରେ ବାଜିଲା ମୋହର

ନୂଆଦିଲ୍ଲୀ: ନିର୍ବାଚନ ପ୍ରକ୍ରିୟା ଉପରେ ସୁଧାର ଆଣିବାକୁ ଏକ ବଡ଼ ପଦକ୍ଷେପ ଗ୍ରହଣ କରିବାକୁ ଯାଉଛନ୍ତି କେନ୍ଦ୍ର ସରକାର । ବୁଧବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ହୋଇଥିବା କ୍ୟାବିନେଟ ମିଟିଂରେ ନିର୍ବାଚନରେ ସୁଧାର ଆଣିବା ପାଇଁ ଏକ ବିଲକୁ ଅନୁମୋଦନ ଦିଆଯାଇଛି । ବିଲ୍ ଅନୁଯାୟୀ, ଆଗାମୀ ସମୟରେ ଭୋଟର ଆଇଡି କାର୍ଡ ସହ ଆଧାର କାର୍ଡ ନମ୍ବର ସଂଯୋଗ କରାଯିବ । ନିର୍ବାଚନ ଆୟୋଗର ସୁପାରିଶ ଆଧାରରେ ସରକାର ଏହି ନିଷ୍ପତ୍ତି ନେଇଛନ୍ତି। ଆଧାରକୁ ଭୋଟର ID ସହିତ ଲିଙ୍କ୍ କରିବା ଦ୍ୱାରା ନକଲି ଭୋଟର ବା ଜାଲିଆତି କରି ଗୋଟିଏ ନାଁରେ ଦୁଇଟି ଜାଗାରେ ଭୋଟ ଦେଇ ହେବନାହିଁ ।

ସେହିପରି ପୂର୍ବରୁ ୧୮ ବର୍ଷରେ ପାଦ ଦେଉଥିବା ନୂଆ ଭୋଟରଙ୍କ ପାଇଁ ବର୍ଷକରେ ଥରେ ପଞ୍ଜୀକରଣର ସୁଯୋଗ ମିଳୁଥିଲା । ନୂଆ ବ୍ୟବସ୍ଥାରେ ବର୍ଷକୁ ୪ ଥର ନୂଆ ଭୋଟର ପଞ୍ଜୀକରଣ କରିପାରିବେ । କ୍ୟାବିନେଟ ଅନୁମୋଦନ ପରେ ଜନପ୍ରତିନିଧି ଆଇନ ୧୯୫୧ ଏବଂ ଆଧାର ଆଇନ ୨୦୧୬ ସଂଶୋଧନ ପାଇଁ ସଂସଦର ଚଳିତ ଅଧିବେଶନରେ ବିଲ୍ ଆସିବ । ତେବେ ଆଧାର କାର୍ଡ-ଭୋଟର ପରିଚୟପତ୍ର ଲିଙ୍କକୁ ବାଧ୍ୟତାମୂଳକ କରାଯାଇନାହିଁ । ଆଧାର ଏବଂ ଭୋଟର ପରିଚୟ ସଂଯୋଗ ମାମଲାରେ ସୁପ୍ରିମକୋର୍ଟଙ୍କ ଗୋପନୀୟତା ନିଷ୍ପତ୍ତିର ଅଧିକାରକୁ ବିଚାରକୁ ନିଆଯିବ। ନିର୍ବାଚନ ଆୟୋଗକୁ ଅଧିକ କ୍ଷମତା ଦେବା ପାଇଁ ସରକାର ଏହି ପଦକ୍ଷେପ ନେବେ।

ଏବେ ୧୮ ନୁହେଁ, ୨୧ ବର୍ଷ ହେବ ଝିଅଙ୍କ ବିବାହ ବୟସ

ନୂଆଦିଲ୍ଲୀ: ବଢ଼ିବ ଝିଅଙ୍କ ସର୍ବନିମ୍ନ ବିବାହ ବୟସ । ଏଣିକି ୧୮ ନୁହେଁ ୨୧ରେ ହେବ ବାହାଘର । ବିବାହ ପାଇଁ ନ୍ୟୂନତମ ବୟସ ୨୧ ବର୍ଷକୁ ବୃଦ୍ଧି କରିବାକୁ କେନ୍ଦ୍ର କ୍ୟାବିନେଟ ମୋହର ମାରିଛି । କ୍ୟାବିନେଟ ଏ ସଂକ୍ରାନ୍ତୀୟ ଏକ ପ୍ରସ୍ତାବରେ ମୋହର ମାରିଥିବା ବେଳେ ଚଳିତ ଶୀତ ଅଧିବେଶନରେ ସଂସଦରେ ବିଲ୍‌ ଗୃହୀତ ହୋଇପାରେ । ପୁଅଙ୍କ ବିବାହ ବୟସ ୨୧ ଥିବା ବେଳେ ଝିଅଙ୍କ ବାହାଘର ବୟସ ୧୮ ଥିବାରୁ ଏଥିରେ ପରିବର୍ତ୍ତନ ଆଣିବାକୁ ସରକାର ଲକ୍ଷ୍ୟ ରଖିଛନ୍ତି ।  ଗତବର୍ଷ ସ୍ୱାଧୀନତା ଦିବସରେ ଲାଲକିଲ୍ଲାରେ ଭାଷଣ ଦେଉଥିବା ସମୟରେ ପ୍ରଧାନମନ୍ତ୍ରୀ ଏହି ପ୍ରସଙ୍ଗରେ ଉଲ୍ଲେଖ କରିଥିଲେ । ଝିଅମାନଙ୍କୁ କୁପୋଷଣକୁ ରକ୍ଷା କରିବାକୁ ହେଲେ ସେମାନଙ୍କ ବିବାହ ଠିକ୍ ସମୟରେ ହେବା ଆବଶ୍ୟକ ।

ଏ ବିଷୟରେ ବିଚାର କରିବା ଲାଗି ଜୟା ଜେଟଲୀଙ୍କ ଅଧ୍ୟକ୍ଷତାରେ ଏକ ଟାସ୍କ ଫୋର୍ସ ଗଠନ କରାଯାଇଥିଲେ । ନୀତି ଆୟୋଗର ସଦସ୍ୟ ଭି.କେ ପଲ ଏହି ଟାସ୍କ ଫୋର୍ସର ସଦସ୍ୟ ରହିଥିଲେ । ଏହି ଟାସ୍କ ଫୋର୍ସରେ ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ, ମହିଳା ଓ ଶିଶୁ ବିକାଶ ମନ୍ତ୍ରଣାଳୟ, ଆଇନ ମନ୍ତ୍ରଣାଳୟର ବରିଷ୍ଠ ଅଧିକାରୀ ରହିଥିଲେ । ଏହି ଟାସ୍କ ଫୋର୍ସ ଗତ ବର୍ଷ ଜୁନ ମାସରେ ଗଠନ ହୋଇଥିଲା ଏବଂ ଗତ ବର୍ଷ ଡିସେମ୍ବର ମାସରେ ଏହି ଟାସ୍କ ଫୋର୍ସ ତା’ର ରିପୋର୍ଟ ଦାଖଲ କରିଥିଲା ।

ଏହି ଟାସ୍କ ଫୋର୍ସ ପକ୍ଷରୁ ପ୍ରସ୍ତୁତ କରାଯାଇଥିବା ରିପୋର୍ଟ ଆଧାରରେ ପ୍ରସ୍ତୁତ କରାଯାଇଥିବା ଏକ ପ୍ରସ୍ତାବ ଉପରେ ମୋହର ମାରିଛି କେନ୍ଦ୍ର କ୍ୟାବିନେଟ । ଏଥିରେ ପ୍ରଥମ ଗର୍ଭଧାରଣର ପାଇଁ ଝିଅଙ୍କ ସର୍ବନିମ୍ନ ବୟସ ୨୧ ବର୍ଷ ରହିବା ଦରକାର ବୋଲି ସୁପାରିସ କରାଯାଇଥିଲା। ଏହା ବ୍ୟତୀତ ବିବାହ ବୟସ ବୃଦ୍ଧି ହେଲେ ଏହା ଆର୍ଥିକ, ସାମାଜିକ, ସ୍ୱାସ୍ଥ୍ୟଗତ, ସମାଜ ଓ ପିଲାମାନଙ୍କ ଉପରେ ସକାରାତ୍ମକ ପ୍ରଭାବ ପକାଇବ ବୋଲି ଟାସ୍କ ଫୋର୍ସ କହିଥିଲା।

ରାଜଧାନୀରେ କାୟା ବିସ୍ତାର କରୁଛି ଓମିକ୍ରନ, ୪ ନୂଆ ଆକ୍ରାନ୍ତ ଚିହ୍ନଟ

ନୂଆଦିଲ୍ଲୀ: ଦିନକୁ ଦିନ ଦେଶେ କାୟା ବିସ୍ତାର କରୁଛି ଓମିକ୍ରନ। କରୋନା ଦ୍ୱିତୀୟ ଲହରରେ ସବୁଠୁ ଅଧିକ ପ୍ରଭାବିତ ହୋଇଥିବା ମହାରାଷ୍ଟ୍ର ଓ ଦିଲ୍ଲୀରେ ଓମିକ୍ରନ କେସ୍ ବଢ଼ିବାରେ ଲାଗିଛି। ଆଜି ରାଜଧାନୀ ଦିଲ୍ଲୀରେ ୪ ନୂଆ ଓମିକ୍ରନ ଷ୍ଟ୍ରେନ୍ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ରାଜଧାନୀରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୦ ଛୁଇଁଛି ।

ଏହି ୪ ନୂଆ ଆକ୍ରାନ୍ତଙ୍କ ମଧ୍ୟରୁ ୩ ଜଣ ନୂଆଦିଲ୍ଲୀର LNJP ହସ୍ପିଟାଲରେ ଚିକିତ୍ସାଧୀନ ଥିବା ବେଳେ ଜଣେ ଡିସଚାର୍ଜ ହୋଇଛନ୍ତି ବୋଲି ଦିଲ୍ଲୀ ସ୍ୱାସ୍ଥ୍ୟମନ୍ତ୍ରୀ ସତୈନ୍ଦ୍ର ଜୈନ୍ କହିଛନ୍ତି । LNJP ହସ୍ପିଟାଲରେ ଓମିକ୍ରନ ଭାରିଆଣ୍ଟ ଆକ୍ରାନ୍ତଙ୍କ ଲାଗି ଏକ ସ୍ୱତନ୍ତ୍ର ୱାର୍ଡ କରାଯାଇଛି । ଏଥିରେ ବେଡ୍ ସଂଖ୍ୟା ୪୦ରୁ ୧୦୦କୁ ବୃଦ୍ଧି କରାଯାଇଛି ।

ସୂଚନା ମୁତାବକ ଏବେ ସୁଦ୍ଧା ୧୧ ରାଜ୍ୟରେ ଓମିକ୍ରନ ଆକ୍ରାନ୍ତ ଠାବ ହୋଇଛନ୍ତି। ଦେଶେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୭୩ ହୋଇଥିବା ବେଳେ ସଂକ୍ରମଣ ସଂଖ୍ୟାରେ ସବୁଠୁ ଉପରେ ରହିଛି ମହାରାଷ୍ଟ୍ର । ମହାରାଷ୍ଟ୍ରରେ ୩୨ କେସ୍ ରିପୋର୍ଟ ହୋଇଛି । ସେହିଭଳି ରାଜସ୍ଥାନରେ ୧୭ ଓମିକ୍ରନ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସଂକ୍ରମଣ ସଂଖ୍ୟାରେ ତୃତୀୟରେ ରହିଛି ଦିଲ୍ଲୀ । କେରଳ, ଗୁଜରାଟ, କର୍ଣ୍ଣାଟକ, ତେଲେଙ୍ଗାନା, ଆନ୍ଧ୍ରପ୍ରଦେଶ, ଚଣ୍ଡିଗଡ଼, ତାମିଲନାଡୁ ଓ ପଶ୍ଚିମବଙ୍ଗରେ ବି ଓମିକ୍ରନ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।

ଓଡ଼ିଶାରେ ମେଗା ନିଯୁକ୍ତି: ୬,୧୩୧ ହାଇସ୍କୁଲ ଶିକ୍ଷକ, ଶିକ୍ଷୟିତ୍ରୀଙ୍କୁ ନିଯୁକ୍ତି

ଭୁବନେଶ୍ବର: ଓଡ଼ିଶାରେ ନିଯୁକ୍ତି କ୍ଷେତ୍ରରେ ନୂଆ ଇତିହାସ । ଯାହା କେବେ ହୋଇନଥିଲା, ଏବେ ହେଲା । ଏକାଥରେ ନିଯୁକ୍ତି ପାଇଲେ ୬ ହଜାର ୧୩୧ ହାଇସ୍କୁଲ ଶିକ୍ଷକ ଶିକ୍ଷୟିତ୍ରୀ । କଳିଙ୍ଗ ଷ୍ଟାଡିୟମରେ ଓରିଏଣ୍ଟେସନ କାର୍ଯ୍ୟକ୍ରମରେ ନବନିଯୁକ୍ତ ଶିକ୍ଷକମାନଙ୍କୁ ଆଜି ଗୁରୁମନ୍ତ୍ର ଦେବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।

ସୂଚନାଯୋଗ୍ୟ, ଏକାଥରେ ୧୧ ହଜାର ୪ ଶହ ଶିକ୍ଷକ ନିଯୁକ୍ତି ଯୋଜନା ଥିଲା । ସଂରକ୍ଷିତ ବର୍ଗରେ ଉତ୍ତୀର୍ଣ୍ଣ ହୋଇନଥିବାରୁ ବଳକା ୪ହଜାର ୪ ଶହ ପଦବୀ ସପ୍ତାହକ ମଧ୍ୟରେ ପୂରଣ ହେବ । ଏବର୍ଷ ୧୬ ହଜାର ଶିକ୍ଷକ ନିଯୁକ୍ତି ପାଇଁ ବିଭାଗ ଲକ୍ଷ୍ୟ ରଖିଛି ।  5T ଉପକ୍ରମରେ ସ୍କୁଲରେ ସ୍ମାର୍ଟ କ୍ଲାସରୁମ୍‌, ଇ-ଲାଇବ୍ରେରୀ, ଡିଜିଟାଲ ଟେକ୍ନୋଲୋଜିରେ ପାଠପଢ଼ା ବ୍ୟବସ୍ଥା କରାଯାଉଛି । ଏହାସହ ଶିକ୍ଷକ ପଦବୀ ପୂରଣ ପାଇଁ ରାଜ୍ୟ ସରକାର ସମସ୍ତ ପଦକ୍ଷେପ ନେଉଛନ୍ତି । ରାଜ୍ୟର ରୂପାନ୍ତରିତ ଉନ୍ନତ ଭିତ୍ତିଭୂମି ସହ ଉନ୍ନତମାନର ଶିକ୍ଷାଦାନ ପାଇଁ ନୂଆ ଶିକ୍ଷକ ନିଯୁକ୍ତି କରାଯାଉଛି । ରାଜ୍ୟର ଶିକ୍ଷା ବ୍ୟବସ୍ଥାକୁ ଦେଶରେ ସର୍ବୋକୃଷ୍ଟ କରିବାକୁ ମୁଖ୍ୟମନ୍ତ୍ରୀଙ୍କ ଦିଗଦର୍ଶନରେ କାମ କରୁଛି ବିଭାଗ । ଏହି ପ୍ରୟାସକୁ ଶିକ୍ଷାବିତମାନେ ସ୍ବାଗତ କରିଛନ୍ତି  ।

କେନ୍ଦ୍ର ଗୃହ ରାଷ୍ଟ୍ରମନ୍ତ୍ରୀ ଅଜୟ ମିଶ୍ରାଙ୍କ ବଢ଼ୁଛି ଅଡୁଆ; ରାହୁଲ କହିଲେ କ୍ରିମିନାଲ ମନ୍ତ୍ରୀଙ୍କୁ ତୁରନ୍ତ ବାହାର କର

ନୂଆଦିଲ୍ଲୀ: ସଂସଦରୁ ସଡ଼କ ପର୍ଯ୍ୟନ୍ତ ସବୁଠି ସଂଗ୍ରାମ । ଲକ୍ଷ୍ନୌ ଲଢ଼େଇକୁ ନେଇ ଦିଲ୍ଲୀରେ ଦଙ୍ଗଲ ଜାରି । ହରଡ଼ଘଣାରେ କେନ୍ଦ୍ରମନ୍ତ୍ରୀ ଅଜୟ ମିଶ୍ରା ଟେନି । ଲଖିମପୁର ଚାଷୀ ହତ୍ୟା ମାମଲାର SIT ତଦନ୍ତ ରିପୋର୍ଟ ଆସିବା ପରେ ୟୁପିରୁ ଦିଲ୍ଲୀ ପର୍ଯ୍ୟନ୍ତ ଜାରି ରହିଛି ହଙ୍ଗାମା । ଅଜୟ ମିଶ୍ରାଙ୍କ ଇସ୍ତଫା ଦାବିରେ ସଂସଦରେ ବିରୋଧୀଙ୍କ ଜୋରଦାର ବିରୋଧ ପ୍ରଦର୍ଶନ କରିଛନ୍ତି । କ୍ରିମିନାଲ ମନ୍ତ୍ରୀଙ୍କୁ ତୁରନ୍ତ ବହିଷ୍କାର କରିବାକୁ ଗୃହରେ ଦାବି କରିଛନ୍ତି କଂଗ୍ରେସ ସାଂସଦ ରାହୁଲ ଗାନ୍ଧୀ । ଅଜୟ ମିଶ୍ରାଙ୍କୁ ନେଇ ସରକାର ବ୍ୟାକଫୁଟରେ ଥିବା ବେଳେ ୟୁପି ବିଧାନସଭାରେ ବି ଯୋଗୀ ସରକାରଙ୍କୁ ଘେରିଛନ୍ତି ବିରୋଧୀ।

ଚାଷୀଙ୍କୁ ଯୋଜନାବଦ୍ଧ ହତ୍ୟା କରିଥିବା ଅଭିଯୁକ୍ତର ବାପାଙ୍କୁ ବହିଷ୍କାର କରିବା ଦାବିରେ ସମାଜବାଦୀ ପାର୍ଟି ଓ କଂଗ୍ରେସ ପକ୍ଷରୁ ହଙ୍ଗାମା କରାଯାଇଛି । ହେଲେ ପୁଅର କାରନାମା ପାଇଁ ବାପାଙ୍କୁ ମନ୍ତ୍ରୀ ପଦରୁ ବହିଷ୍କାର କରିବା ମୁଡରେ ନାହାନ୍ତି କେନ୍ଦ୍ର ସରକାର । ମାମଲା କୋର୍ଟରେ ବିଚାରାଧୀନ ରହିଛି ବୋଲି ପୂର୍ବରୁ ସଂସଦୀୟ ବ୍ୟାପାର ମନ୍ତ୍ରୀ ପ୍ରହଲ୍ଲାଦ ଜୋଶୀ କହିଥିଲେ। ଅନ୍ୟପଟେ ପୂରା ମାମଲାର ତଦନ୍ତ କରୁଥିବା ସ୍ୱତନ୍ତ୍ର ଟିମ୍ ଦାଖଲ କରିଥିବା ରିପୋର୍ଟରେ କେନ୍ଦ୍ରମନ୍ତ୍ରୀଙ୍କ ପୁଅଙ୍କୁ ଯୋଜନାବଦ୍ଧ ହତ୍ୟାକାରୀ ଦର୍ଶାଇଥିଲା। ଏହାପରେ ମନ୍ତ୍ରୀଙ୍କ ପୁଅକୁ ବଞ୍ଚାଇବାର ରାଜ୍ୟ ସରକାରଙ୍କ ସବୁ ଉଦ୍ୟମ ଫେଲ ମାରିଛି ।