ବିଜୁ ଛାତ୍ର ଜନତା ଦଳର ନବ ନିଯୁକ୍ତ ସଭାନେତ୍ରୀ ଇପସିତା ସାହୁ ଓ ବିଜୁ ଯୁବ ଜନତା ଦଳର ସଭାପତି ଚିନ୍ମୟ ସାହୁଙ୍କୁ ଆଜି ସମ୍ଵର୍ଦ୍ଧିତ କରାଯିବ। ଏହି ଦୁଇ ଯୁବ ନେତା ଓ ସେମାନଙ୍କୁ ମାର୍ଗ ଦର୍ଶନ କରିବା ପାଇଁ ଚୟନ ହୋଇଥିବା ଅନ୍ୟ ନେତାଙ୍କୁ ସମ୍ଵର୍ଦ୍ଧିତ କରାଯିବ। ଆଜି ଭୁବନେଶ୍ୱର ବିମାନ ବନ୍ଦର ନିକଟରେ ଥିବା ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ପ୍ରତିମୂର୍ତ୍ତି ନିକଟରୁ ପଦଯାତ୍ରା କରାଯିବ। ପ୍ରଥମେ ବିଜୁ ବାବୁଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରି ଯୁବ ଓ ଛାତ୍ର ବିଜେଡି କର୍ମକର୍ତା ଶଙ୍ଖ ଭବନ ଯାଏଁ ପଦଯାତ୍ରା କରିବେ। ସେଠାରେ ଏକ ଭବ୍ୟ କାର୍ଯ୍ୟକ୍ରମର ଆୟୋଜନ କରାଯିବ। ଏହି ସମାରୋହରେ ବରିଷ୍ଠ ଉପସଭାପତି ଦେବୀ ମିଶ୍ର ଓ ଉପସଭାପତି ପ୍ରତାପ ଜେନାଙ୍କ ସମେତ ଅନ୍ୟ ବରିଷ୍ଠ ନେତା ଯୋଗ ଦେବେ। ସମସ୍ତ ଛାମୁଆ ସଂଗଠନକୁ ସୁଦୃଢ କରି ଦାୟିତ୍ବବାନ ବିରୋଧୀ ଦଳ ଭାବେ କିପରି ଦଳ ଆଗକୁ ଯାଇ ସରକାରଙ୍କ ତ୍ରୁଟିକୁ ଲୋକଲୋଚନକୁ ଆଣିବ, ସେ ନେଇ ସାଧାରଣ ସଭାରେ ଆଲୋଚନା ହେବ।
ଆଜିଠାରୁ ଆରମ୍ଭ ହେଲା ପିତୃପକ୍ଷ
ଆଜିଠାରୁ ଆରମ୍ଭ ହେଲା ପିତୃପକ୍ଷ । ଜ୍ୟୋତିଷ ଶାସ୍ତ୍ର ଅନୁସାରେ ଆଶ୍ଵୀନ କୃଷ୍ଣ ପକ୍ଷ ପ୍ରତିପଦାରୁ ଅମାବାସ୍ୟା ପର୍ଯ୍ୟନ୍ତ ପିତୃପକ୍ଷ ବା ଅପରପକ୍ଷ ଭାବେ ପାଳନ କରାଯିବାର ବିଧି ରହିଛି । ହିନ୍ଦୁ ଧର୍ମରେ ଏହାର ବିଶେଷ ମହତ୍ବ ରହିଥିବା ବେଳେ ଏହି ସମୟରେ ପିତୃ ପୁରୁଷଙ୍କ ଉଦ୍ଦେଶ୍ୟରେ ତିଳ ତର୍ପଣ, ଶ୍ରାଦ୍ଧ ଏବଂ ପିଣ୍ଡଦାନ କରାଯାଇଥାଏ । ୧୫ ଦିନ ପର୍ଯ୍ୟନ୍ତ ନିୟମ ନିଷ୍ଠାରେ ଏହି ପକ୍ଷ ପାଳନ କଲେ ପିତୃ ପୁରୁଷଙ୍କ ପରିବାର ଉପରେ ଆଶୀର୍ବାଦ ପ୍ରାପ୍ତି ହୋଇଥାଏ ବୋଲି ବିଶ୍ୱାସ ରହିଛି । ନିୟମ ନିଷ୍ଠାର ସହ ଏହି ଅପରପକ୍ଷ ବା ପିତୃପକ୍ଷକୁ ପାଳନ କରନ୍ତି ଶ୍ରଦ୍ଧାଳୁ । ପିତୃପକ୍ଷ ସମୟରେ ଖିଅର ହେବା ସମ୍ପୂର୍ଣ୍ଣ ନିଷିଦ୍ଧ ରହିଥିବା ବେଳେ ଏହି ସମୟରେ ନଖ ମଧ୍ୟ କଟାଯିବା ବାରଣ । ଏପରିକି ଅପର ପାଗରେ ଅର୍ଥାତ ବାହାରେ ଭୋଜନ କରିବା ସମ୍ପୂର୍ଣ ନିଷିଦ୍ଧ କରାଯାଇଛି । ସେହିପରି ତିଳ ତର୍ପଣ, ଶ୍ରାଦ୍ଧ ଓ ପିଣ୍ଡଦାନ କରିବା ସମୟରେ ସମ୍ପୂର୍ଣ୍ଣ ଶୁଦ୍ଧପୂତ ଭାବେ ରହିବାକୁ ଶାସ୍ତ୍ରରେ ବର୍ଣ୍ଣନା କରାଯାଇଛି ।
ଭାରତୀୟ ଟିମକୁ ଅଭିନନ୍ଦନ ଜଣାଇଲେ ନବୀନ
ଭୁବନେଶ୍ବର : ଭାରତ ଚତୁର୍ଥ ଥର ପାଇଁ ପୁରୁଷ ଏସିଆ କପ ହକି ଚାମ୍ପିଅନ ହେବା ପରେ ଭାରତୀୟ ଟିମକୁ ଅଭିନନ୍ଦନ ଜଣାଇଛନ୍ତି ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ। ବିହାରର ରାଜଗିର ହକି ଷ୍ଟାଡିଅମରେ ଅନୁଷ୍ଠିତ ମ୍ୟାଚରେ ଦକ୍ଷିଣ କୋରିଆକୁ ୪-୧ ଗୋଲରେ ଭାରତ ପରାସ୍ତ କରିବା ପରେ ଟିମକୁ ନବୀନ ଜଣାଇଛନ୍ତି ଶୁଭେଚ୍ଛା। ସେ କହିଛନ୍ତି- ଭାରତ କେବଳ ଚତୁର୍ଥ ଥର ଲାଗି କପ୍ ହାସଲ କରିନାହିଁ ବରଂ ବିଶ୍ବକପ ୨୦୨୬ ଲାଗି ଯୋଗ୍ୟତା ଅର୍ଜନ କରିଛି। ଭାରତୀୟ ଟିମର ଉଜ୍ବଳ ଭବିଷ୍ୟତ କାମନା କରିଛନ୍ତି ନବୀନ।
ଭାରତ ଚତୁର୍ଥ ଥର ପାଇଁ ପୁରୁଷ ଏସିଆ କପ ହକି ଚାମ୍ପିଅନ ହେବା ପରେ ଭାରତୀୟ ଟିମକୁ ଶୁଭେଚ୍ଛା ଜଣାଇଛନ୍ତି ରାଜ୍ୟସଭା ସାଂସଦ ମାନସ ମଙ୍ଗରାଜ। ଦମଦାର ବିଜୟ ସହ ୨୦୨୬ ବିଶ୍ବକପ୍ ଲାଗି ଭାରତ ଯୋଗ୍ୟତା ଅର୍ଜନ ହାସଲ କରିଥିବାରୁ ଭାରତୀୟ ଟିମକୁ ଅଭିନନ୍ଦନ ଜଣାଇଛନ୍ତି ସାଂସଦ ମାନସ ମଙ୍ଗରାଜ। ଅପୂର୍ବ ସାହସ ଓ ଟିମଗତ ପରିଚାଳନା ଯୋଗୁ ଏହି ସଫଳତା ହାସଲ ହୋଇପାରିଛି ବୋଲି ସେ କହିଛନ୍ତି। ସେହିପରି ଏହି ସଫଳତା ଲାଗି ଭାରତୀୟ ଟିମକୁ ଅଭିନନ୍ଦନ ଜଣାଇଛନ୍ତି ବିଜୁ ଜନତା ଦଳ ଉପସଭାପତି ପ୍ରଣବ ପ୍ରକାଶ ଦାସ।

