spot_img
Home Blog Page 500

ଟ୍ରମ୍ପ ପ୍ରତିଶ୍ରୁତିର ପେଡି ଖୋଲିବା ପରେ ଭେଟିବାକୁ ପୁଟିନଙ୍କ ହଁ

ନନ୍ଦିଘୋଷ ବ୍ୟୁରୋ: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏବଂ ଋଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟନଙ୍କ ମଧ୍ୟରେ ଭେଟଘାଟ ହେବାକୁ ଯାଉଛି । ତାରିଖ ସ୍ପଷ୍ଟ ହୋଇ ନଥିଲେ ବି ଆସନ୍ତା ସପ୍ତାହରେ ଦୁଇ ରାଷ୍ଟ୍ରନେତାଙ୍କ ମଧ୍ୟରେ ବୈଠକ ହୋଇପାରେ । ଟ୍ରମ୍ପ, ପୁଟନଙ୍କୁ ଅଲଟିମେଣ୍ଟମ ଦେଇଥିବା ବେଳେ ଏମିତି ଭେଟଘାଟକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଯାଇଛି । ତଥ୍ୟ ଅନୁସାରେ ଟ୍ରମ୍ପଙ୍କୁ ଭେଟିବାକୁ ଏମିତିରେ ରାଜି ହୋଇନାହାନ୍ତି ପୁଟିନ । ଟ୍ରମ୍ପ ଏମିତି କିଛି ପ୍ରତିଶ୍ରୁତି ଦେଇଛନ୍ତି ଯାହା ଋଷ ପାଇଁ ଲାଭଦାୟକ ହେବ । ଏହାପରେ ଦୁଇ ନେତାଙ୍କ ମଧ୍ୟରେ ବୈଠକ ଉପରେ ମୋହର ବାଜିଛି ।

ସୂଚନାଯୋଗ୍ୟ, ୟୁକ୍ରେନକୁ ନେଇ ଟ୍ରମ୍ପ ଓ ପୁଟିନଙ୍କ ମଧ୍ୟରେ ସବୁକିଛି ଠିକ ନାହିଁ । କିଛିଦିନ ପୂର୍ବେ ଟ୍ରମ୍ପ, ପୁଟନଙ୍କୁ ୫୦ ଦିନର ଅଲଟିମେଟମ ଦେଇଥିଲେ । ପରେ ଏହାକୁ କମାଇ ୧୦ ଦିନ କରିଦେଲେ । ଏହି ସମୟ ସୀମା ଶେଷ ହୋଇ ସାରିଛି । ଏହାରି ମଧ୍ୟରେ ଟ୍ରମ୍ପ ତାଙ୍କ ବିଶ୍ବସ୍ତ ଓ୍ବେଟକଫଙ୍କୁ ପୁଟିନଙ୍କ ପାଖକୁ ପଠାଇବା ସହ ଏମିତି କିଛି ପ୍ରତିଶ୍ରୁତି ଦେଇଛନ୍ତି ଯାହା ଋଷ ପାଇଁ ଲାଭଦାୟକ ହେବ ବୋଲି କୁହାଯାଉଛି । ଏପଟେ ପୁଟିନଙ୍କ ବ୍ୟବହାରରେ ଟ୍ରମ୍ପ ଖୁସି ନାହାନ୍ତି । ଏପରିକି ସେ ପୁଟିନଙ୍କୁ ସମାଲୋଚନା କରି ନିରାଶକାରୀ ବି କହି ସାରିଛନ୍ତି । ଏବେ ସବୁକିଛି ପୁଟିନଙ୍କ ଉପରେ ନିର୍ଭର କରୁଛି । ହେଲେ ସେ ଏମିତି ବି ପ୍ରତିଶ୍ରୁତି ଦେବାକୁ ପ୍ରସ୍ତୁତ ଅଛନ୍ତି, ଯାହା କୌଣସି ନା କୌଣସି ପ୍ରକାରରେ ଋଷ ଓ ପୁଟନଙ୍କ ପାଇଁ ଉପହାର କହିଲେ ଭୁଲ ହେବନି ।

ଟ୍ରମ୍ପଙ୍କ କେଉଁ ସୂଚନା ପୁଟିନଙ୍କ ପାଖକୁ ଆଣିଛନ୍ତି ଓ୍ବେଟକଫ ?

ଦୁଇ ନେତାଙ୍କ ମଧ୍ୟରେ ବଢୁଥିବା ବିବାଦ ଓ୍ବେଟକଫଙ୍କ ଋଷ ଗସ୍ତ ପରେ କିଛି ମାତ୍ରାରେ କମିବା ପରି ମନେ ହେଉଛି । କାରଣ, ଓ୍ବେଟକଫ ପୁଟିନଙ୍କୁ ଏମିତି କିଛି ଅଫଣ ଦେଇଛନ୍ତି ଯାହା ଋଷ ଓ ୟୁକ୍ରେନ ମଧ୍ୟରେ ବୁଝାମଣା ହେବାର ସମ୍ଭାବନାକୁ ବଢ଼ାଇ ଦେଇଛି । ଏଥିରେ ନାଟୋର ବିସ୍ତାର ବନ୍ଦ କରିବାକୁ ମଧ୍ୟ ପ୍ରତିଶ୍ରୁତି ରହିଛି । ଏଥିପାଇଁ ପୁଟିନ ଆଲୋଚନା ପାଇଁ ରାଜି ହେବା ସହ ବୈଠକ ଋଷର ମିତ୍ର ରାଷ୍ଟ୍ର ୟୁଏଇରେ ହେବା ନେଇ କହି ସାରିଛନ୍ତି ।

ପୁଟିନଙ୍କୁ କି କି ପ୍ରତିଶ୍ରୁତି ଦେଇଛନ୍ତି ଟ୍ରମ୍ପ ?

୧. ଟ୍ରମ୍ପ, ପୁଟିନଙ୍କୁ ବିଶ୍ବାସ ଦେଇଛନ୍ତି ଯେ, ୟୁକ୍ରେନରେ ଶାନ୍ତି ନୁହେଁ ବରଂ ଦୁଇ ଦେଶ ମଧ୍ୟରେ ଅସ୍ତ୍ରବିରତି ଉପରେ ସହମତି ହେବ ।

୨. ବାସ୍ତବତା ଆଧାରରେ ଋଷ, ୟୁକ୍ରେନର ଦଖଲ କରିଥିବା ଜମି ନିଜ ପାଖରେ ରଖିବ । ହେଲେ ଏହାକୁ ଆଇନଗତ ମାନ୍ୟତା ମିଳିବନି ।

୩. ଆଇନଗତ ମାନ୍ୟତା ନହେଲେ ବି ୪୯ ବର୍ଷରୁ ନେଇ ୯୯ ବର୍ଷ ପର୍ଯ୍ୟନ୍ତ ଏହି ବିବାଦକୁ ଏଡାଇ ହେବ ।  ଅର୍ଥାତ, ସେତେଦିନ ପର୍ଯ୍ୟନ୍ତ ଉକ୍ତ ଜମି ଉପରେ ଋଷର ଦଖଲ ରହିବ ।

୪. ଋଷର ତେଲ ଓ ଗ୍ୟାସ ରପ୍ତାନୀକୁ ମଞ୍ଜୁରୀ ମିଳିବ ଓ ଏହା ଦୀର୍ଘଦିନ ପାଇଁ ରହିବ ।

୫. କୌଣସି ପ୍ରକାର ସ୍ଥିତିରେ ନାଟୋର ବିସ୍ତାର ହେବ ନାହିଁ । ଏହାର ଗ୍ୟାରେଣ୍ଟି ଆମେରିକା ଦେବ ।

ବୈଠକ ପାଇଁ ପୁଟିନ ବି ଉତ୍ସାହିତ

ଟ୍ରମ୍ପଙ୍କ ପକ୍ଷରୁ ଏମିତି ଅଫର ମିଳିବା ପରେ ବୈଠକ ପାଇଁ ପୁଟିନ ବି ଉତ୍ସାହ ଦେଖାଇଛନ୍ତି । ସେ ଏହାକୁ ନିଜର ବିଜୟ ଭାବେ ବିବେଚନା କରୁଛନ୍ତି । ଏଥିପାଇଁ ସେ ଓ୍ବେଟକଫଙ୍କୁ ସକରାତ୍ମକ ସନ୍ଦେଶ ଦେଇଛନ୍ତି । ଟ୍ରମ୍ପୁଙ୍କୁ ଭେଟିବା ସହ ୟୁକ୍ରେନ ଉପରେ ଆକ୍ରମଣ ବନ୍ଦ କରିବାକୁ ବି ପୁଟିନ ସଙ୍କେତ ଦେଇ ସାରିଛନ୍ତି ।

ଏ ଦେଶର ରାଷ୍ଟ୍ରପତିଙ୍କୁ ଧରିବାକୁ ଲାଦେନ ଓ ବଗଦାଦି ଠାରୁ ଦୁଇ ଗୁଣା ପୁରସ୍କାର ଘୋଷଣା କଲା ଆମେରିକା

ନନ୍ଦିଘୋଷ ବ୍ୟୁରୋ: ନା ଆତଙ୍କବାଦ ଅଭିଯୋଗ, ନା ଗ୍ୟାଙ୍ଗଷ୍ଟା । ତଥାପି ଜଣେ ବ୍ୟକ୍ତିଙ୍କୁ ଖୋଜୁଛି ଆମେରିକା । ତାଙ୍କୁ ଧରାଇ ଦେବା ଲୋକଙ୍କୁ ୫୦ ମିଲିୟନ ଡଲାର (୪ ଶହ କୋଟି) ଦେବାକୁ ଆମେରିକା ପ୍ରସ୍ତୁତ । ଏ ବ୍ୟକ୍ତି ଜଣଙ୍କ କୌଣସି ସାଧାରଣ ଲୋକ ନୁହେଁ । ଏ ହେଉଛନ୍ତି ଏକ ରାଷ୍ଟ୍ରନେତା । ଆଉ ଭେନଜୁଆଲାର ରାଷ୍ଟ୍ରପତି ନିକୋଲସ ମାଦୁରୋ । ଯିଏ ଆମେରିକାର ନିଦ ହଜାଇଛନ୍ତି । ମାଜୁରଙ୍କୁ ନେଇ ଆମେରିକା ଏତେ ଚିନ୍ତିତ ଯେ, ଅଲକାୟଦା ମୁଖ୍ୟ ଓସାମା ବିନ ଲାଦେନ ଏବଂ ଇସଲାମିକ୍ ଷ୍ଟେଟର ଅବୁ ବକର ବଗଦାଦିଠାରୁ ଦୁଇଗୁଣା ପୁରସ୍କାର ଘୋଷଣା କରିଛି ।

ସୂଚନାଯୋଗ୍ୟ, ଲାଦେନ ଓ ବଗଦାଦିଙ୍କୁ ଧରାଇ ଦେବାକୁ ଆମେରିକା ୨୫ ମିଲିୟନ ଡଲାର ଘୋଷଣା କରିଥିଲା । ଏମିତି ସ୍ଥିତିରେ ପ୍ରଶ୍ନ ଉଠୁଛି, କାହିଁକି ଆମେରିକା ଭେନଜୁଆଲା ରାଷ୍ଟ୍ରପତିଙ୍କୁ ଧରିବାକୁ ପାଣି ଭଳି ଟଙ୍କା ଖର୍ଚ୍ଚ କରିବାକୁ ପ୍ରସ୍ତୁତ ।

ନିକୋଲସ ମାଦୁରୋଙ୍କ ଉପରେ ପୁରସ୍କାର କାହିଁକି ?

ଆସନ୍ତୁ ଜାଣିବା ଭେନଜୁଆଲାର ରାଷ୍ଟ୍ରପତି ନିକୋଲସ ମାଦୁରୋ କିଏ ? କାହିଁକି ଆମେରିକା ତାଙ୍କୁ ଧରାଇ ଦେବାକୁ ପୁରସ୍କାର ଘୋଷଣା କରିଛି ? କାହିଁକି ଆମେରିକା ମାଦୁରୋଙ୍କୁ ଏତେ ଭୟ କରୁଛି ?

ଆମେରିକା ବେଦାଶ ମନ୍ତ୍ରୀ ମାର୍କ ରୁବିୟୋଙ୍କ ଅନୁସାରେ, ନିକୋଲସ ମାଦୁରୋ ଡ୍ରଗ୍ସ କାରବାରର ମୁଖିଆ । ମାଦୁରୋଙ୍କ ନିର୍ଦ୍ଦେଶରେ ଆମେରିକାକୁ ଡ୍ରଗ୍ସ ଚାଲାଣ କରାଯାଇଥାଏ । ଆମେରିକା ତଦନ୍ତକାରୀ ସଂସ୍ଥାଙ୍କ ଅନୁସାରେ ଭେନଜୁଆଲା ସାରା ବିଶ୍ବରେ ଡ୍ରଗ୍ସ ଚାଲାଣ ପାଇଁ ସେତୁ ଭାବେ କାମ କରିଥାଏ । ଏହି ଦେଶ ଦେଇ ପ୍ରତିବର୍ଷ ପାଖାପାଖି ୨୫୦ ମେଟ୍ରିକ ଟନ୍ ଡ୍ରଗ୍ସ ଆମେରିକା ଆସୁଛି । ଏହାସହ ଭେନଜୁଆଲା ରାସ୍ତା ଦେଇ ନକଲି ପାର୍ସପୋଟ ଜରିଆରେ କିଛି ଆତଙ୍କବାଦୀ ଆମେରିକାରେ ପ୍ରବେଶ କରିଛନ୍ତି ।

ବ୍ରିଟିଶ ଖବରକାଗଜ ଡେଲି ମେଲ୍ ଅନୁସାରେ, ଅବୈଦ୍ଧ ଇରାନୀ ପ୍ରବାସୀଙ୍କୁ ନିଜ ପାସପୋର୍ଟ ଜରିଆରେ ଭେନଜୁଆଲା ଆମେରିକା ପଠାଉଛି । ରିପୋର୍ଟରେ ଆଶଙ୍କା ପ୍ରକାଶ କରାଯାଇଛି, ଭେନଜୁଆଲା ରାସ୍ତାରେ ନକଲି ପାର୍ସପୋଟ ଜରିଆରେ କିଛି ଆତଙ୍କବାଦୀ ମଧ୍ୟ ପ୍ରବେଶ କରିଛନ୍ତି ।

ଆମେରିକାର ଅଟର୍ଣ୍ଣି ଜେନେରାଲ ପାମ ବୋଡିଂଙ୍କ ଅନୁସାରେ, ଆମେ ଭେନଜୁଆଲା ରାଷ୍ଟ୍ରପତିଙ୍କୁ ଧରାଇ ଦେବାକୁ ପୁରସ୍କାର ରାଶି ଦୁଇ ଗୁଣା କରିବାକୁ ନିଷ୍ପତ୍ତି ନେଇଛୁ । କାରଣ ମାଦୁରୋ ସିଧାସଳଖ ନିଶାଦ୍ରବ୍ୟ ଚାଲାଣରେ ସାମିଲ ହୋଇଛନ୍ତି । ତେବେ ଭେନଜୁଆଲା ବିଦେଶମନ୍ତ୍ରୀ ଇଓ୍ବାନ ଗିଲ ଟେଲିଗ୍ରାମରେ ପୋଷ୍ଟ କରି ଏହାକୁ ଅର୍ଥହୀନ ବୋଲି କହିଛନ୍ତି ।

ଭେନଜୁଆଲା-ଆମେରିକା ବିବାଦ

ଏହି ଦୁଇ ଦେଶ ମଧ୍ୟରେ ବିବାଦ ବହୁତ ପୁରୁଣା । ଏହି ଦକ୍ଷିଣ ଆମେରିକୀୟ ଦେଶର ଶାସନ ଭାର ୧୯୯୯ରେ ହୁଗୋ ଚାଭେଜଙ୍କ ହାତକୁ ଯାଇଥିଲା । ଏହାପରେ ଚାଭେଜ, ଆମେରିକାର ସାମ୍ରାଜ୍ୟବାଦ ବିରୋଧରେ ମୋର୍ଚ୍ଚା ଖୋଲି ଦେଇଥିଲେ । ଚାଭେଜଙ୍କୁ ଶାନ୍ତ କରିବାକୁ ଆମେରିକା ସରକାର ପରିବର୍ତ୍ତନ ପାଇଁ ଉଦ୍ୟମ କରି ବିଫଳ ହୋଇଥିଲା । ଚାଭେଦ ନିଜ ଶାସନ କାଳରେ ଭେନଜୁଆଲାରେ ମନ୍ୟୁନିଷ୍ଟ ବିଚାରଧାର ଲାଗୁ କରିଥିଲେ । ଯେଉଁ କାରଣରୁ ଆମେରିକାକୁ ବହୁତ ସମସ୍ୟାର ସମ୍ମୁଖୀନ ହେବାକୁ ପଡୁଛି । ଭେନଜୁଆଲାର ବର୍ତ୍ତମାନ ରାଷ୍ଟ୍ରପତି ନିକୋଲସ ମାଦୁରୋ ହେଉଛନ୍ତି ଚାଭେଦଙ୍କ ରାଜେନୖତିକ ଶିଷ୍ୟ । ମାଦୁରୋ ମଧ୍ୟ ଆମେରିକା ବିରୋଧରେ କୁଟନୈତିକ ସ୍ତରରେ ଆକ୍ରମଣାତ୍ମକ ରହିଥାନ୍ତି ।

SIR ପାଇଁ ପଶ୍ଚିମବଙ୍ଗ ପ୍ରସ୍ତୁତ ନୁହେଁ, ନିର୍ବାଚନ କମିଶନଙ୍କୁ ୨ ବର୍ଷ ସମୟ ମାଗିଲେ ମମତା ସରକାର

ନନ୍ଦିଘୋଷ ବ୍ୟୁରୋ: SIRକୁ ନେଇ ବିହାରରେ ବିବାଦୀୟ ସ୍ଥିତି ଲାଗି ରହିଥିବା ବେଳେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ବମ୍ ଫଉଟାଇଛନ୍ତି । ବିହାରରେ ଭୋଟର ତାଲିକା ପାଇଁ SIR ଶେଷ ହୋଇ ସାରିଛି । ଏମିତି ସ୍ଥିତିରେ ଚର୍ଚ୍ଚା ହେଉଛି ଶୀଘ୍ର ପଶ୍ଚିମବଙ୍ଗରେ SIR ପାଇଁ ପଦକ୍ଷେପ ନିଆଯିବ । ହେଲେ ପଶ୍ଚିମବଙ୍ଗରେ SIR ସମ୍ଭବ ହେବା ପରି ଲାଗୁନି । ତଥ୍ୟ ଅନୁସାରେ, ଶୁକ୍ରବାର ମମତା ସରକାରଙ୍କ ପକ୍ଷରୁ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କୁ ଚିଠି ଲେଖା ଯାଇଛି । ଚିଠିରେ ପଶ୍ଚିମବଙ୍ଗ ମୁଖ୍ୟ ସଚିବ ମନୋଜ ପନ୍ତ ଉଲ୍ଲେଖ କରିଛନ୍ତି, ରାଜ୍ୟ ଏବେ SIR ପାଇଁ ପ୍ରସ୍ତୁତ ନାହିଁ । ଏମିତି ଭୋଟର ତାଲିକା ପାଇଁ SIR କରାଯାଇପାରିବ ନାହିଁ । ଏଥିପାଇଁ ଅତି କମରେ ଦୁଇ ବର୍ଷ ସମୟ ଦରକାର ।

ନିକଟରେ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ନିର୍ବାଚନ କମିଶନଙ୍କୁ ଚିଠି ଲେଖି ଜଣାଇଥିଲେ ଯେ, ପଶ୍ଚିମବଙ୍ଗ SIR ପାଇଁ ପ୍ରସ୍ତୁତ ଅଛି । ଯାହାକୁ ମମତା ସରକାର ଅସ୍ବୀକାର କରିଦେଇଛନ୍ତି । ମୁଖ୍ୟ ସଚିବ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କୁ ଚିଠି ଲେଖି ସ୍ଥିତି ସ୍ପଷ୍ଟ କରିଛନ୍ତି । ସେ କହିଛନ୍ତି, ଏବେ ସମୟ ଆସିନି । ଏହାସହ ଚିଠିରେ କ୍ଷୋଭ ମଧ୍ୟ ପ୍ରକାଶ କରିଛନ୍ତି ପନ୍ତ । ରାଜ୍ୟ ସରକାରଙ୍କ ବିନା ପରାମର୍ଶରେ କେମିତି ମୁଖ୍ୟ ନିର୍ବାଚନ ଅଧିକାରୀ ନିର୍ବାଚନ କମିଶନଙ୍କୁ ଚିଠି ଲେଖିଲେ ବୋଲି ପ୍ରଶ୍ନ କରାଯାଇଛି ।

ସେପଟେ, ବିଜେପି ମମତା ସରକାରଙ୍କ ଏହି ଷ୍ଟାଣ୍ଡକୁ ହାଲକାରେ ନେଉନାହିଁ । କେନ୍ଦ୍ରରାଜ୍ୟ ମନ୍ତ୍ରୀ ସୁକାନ୍ତ ମଜୁମଦାର କହିଛନ୍ତି, ସବୁକିଛି ବୁଝା ପଡୁଛି । ସେମାନେ ଯେକୌଣସି ପ୍ରକାରେ SIRକୁ ଅଟକାଇବାକୁ ଲାଗିଛନ୍ତି । କାରଣ ଯଦି ଭୋଟର ତାଲିକାରେ ବ୍ୟାପକ ସଂଶୋଧନ ହେଲା, ତେବେ ରୋହିସିଂଆଙ୍କ ଭୋଟରେ ଜିତିଥିବା ଏ ସରକାର ହାରିଯିବ । ନିର୍ବାଚନ କମିଶନ ଦେଶର ସର୍ବଭୌମତ୍ବକୁ ନିଶ୍ଚିତ ପଦକ୍ଷେପ ନେବେ ।

SIRକୁ ନେଇ ନାଟ ଚାଲିଛି: ଟିଏମସି

ଅନ୍ୟପକ୍ଷରେ ଟିଏମସି ପ୍ରବକ୍ତା ଅରୂପ ଚକ୍ରବର୍ତ୍ତି କହିଛନ୍ତି, SIR ସହ ନାଟ ଚାଲିଛି । ରାହୁଲ ଗାନ୍ଧି ଭୋଟ ଚୋରି କଥା ଉଠାଇଛନ୍ତି । ନିର୍ବାଚନ କମିଶନଙ୍କୁ ପ୍ରଥମେ ତା’ର ଉତ୍ତର ଦେବା ଦରକାର । ସୂଚନାଯୋଗ୍ୟ, SIRକୁ ନେଇ ନିର୍ବାଚନ କମିଶନ ଏବଂ ବିରୋଧୀଙ୍କ ମଧ୍ୟରେ ତୁ ତୁ ମେଁ ମେଁ ବଢ଼ିବାରେ ଲାଗିଛି । ବିହାରରେ SIR ଶେଷ ହେବା ପରେ ଏହି ବିବାଦ ଆରମ୍ଭ ହୋଇଛି ।

ଯୁବକଙ୍କ ଝୁଲନ୍ତା ମୃତଦେହକୁ ନେଇ ବଢୁଛି ସନ୍ଦେହ; ଯୋଜନାବଦ୍ଧ ହତ୍ୟାକାଣ୍ଡ ଅଭିଯୋଗ ଆଣିଲେ ପରିବାର

ନନ୍ଦିଘୋଷ ବ୍ୟୁରୋ : ଭୁବନେଶ୍ୱର ଭରତପୁର ଥାନା ପଣ୍ଡାକୁଦିଆ ଅଞ୍ଚଳରୁ ଜଣେ ଯୁବକଙ୍କ ଝୁଲନ୍ତା ମୃତଦେହକୁ ନେଇ ବଢିଛି ସନ୍ଦେହ  । ପରିବାର ଲୋକେ ଏହା ଏକ ଯୋଜନାବଦ୍ଧ ହତ୍ୟାକାଣ୍ଡ କହୁଥିବାବେଳେ ପୋଲିସ ଜୋରଜବରଦସ୍ତ ଏହାକୁ ଆତ୍ମହତ୍ୟାର ରୂପ ଦେବାକୁ ଚେଷ୍ଟା ଚଳାଇଥିବା ଅଭିଯୋଗ ହୋଇଛି  । ମୃତକଙ୍କ ପତ୍ନୀଙ୍କୁ ଆତ୍ମହତ୍ୟା ବୋଲି ରିପୋର୍ଟରେ ଦର୍ଶାଇବାକୁ ଚାପ ପକାଇଲେ ଭରତପୁର ଥାନାର SI ବୈକୁଣ୍ଠ ନାଥ ବେହେରା  । ମୃତ ଯୁବକ ହେଉଛନ୍ତି ଶିବ ପ୍ରସାଦ ବାରିକ । ଶିବଙ୍କ ଘର ଯାଜପୁର ସୁଜନପୁରରେ । ସେ ଗତକାଲି ତାଙ୍କ ଶ୍ୱଶୁର ଘର ପଣ୍ଡାକୁଦିଆକୁ ଆସିଥିବାବେଳେ ତାଙ୍କର ଝୁଲନ୍ତା ମୃତଦେହ ମିଳିବା ପରେ ସ୍ଥାନୀୟ ଅଞ୍ଚଳରେ ଚାଞ୍ଚଲ୍ୟ ସୃଷ୍ଟି କରିଛି  ।

 

କେନ୍ଦ୍ରାପଡା ଛାତ୍ରୀ ମୃତ୍ୟୁ ମାମଲା ; ଝିଅର ମୃତ୍ୟୁରେ ବାପାଙ୍କ ହାତ ଥିବା ଅଭିଯୋଗ

ନନ୍ଦିଘଷାଷ ବ୍ୟୁରୋ : କେନ୍ଦ୍ରାପଡା ଛାତ୍ରୀ ମୃତ୍ୟୁ ମାମଲା। ଛାତ୍ରୀଙ୍କ ପୁରୁଷ ବନ୍ଧୁ ପ୍ରମୋଦ ବେହେରା ଗିରଫ। ପ୍ରମୋଦଙ୍କୁ ଚେନ୍ନାଇରୁ ଉଠାଇ ଆଣିଛି ପୋଲିସ । ଆଜି ପୁଣି କାଠିଆପଡ଼ା ଯାଇ ସରଜମିନ ତଦନ୍ତ କରିବେ କେନ୍ଦ୍ରାପଡ଼ା ଏସପି। ଏଫଏମଟି ଓ ସାଇଣ୍ଟିଫିକ ଟିମ ପୀଡ଼ିତାଙ୍କ ଘରକୁ ଯାଇ ପ୍ରମାଣ ସଂଗ୍ରହ କରିବେ। ଏହି ପୂରା ଘଟଣାର ତଦନ୍ତ ନିଜେ ଏସପି ତଦାରଖ କରୁଥିବାରୁ ଖୁବ୍ ଶୀଘ୍ର ମୃତ୍ୟୁ ରହସ୍ୟ ଉପରୁ ପରଦା ହଟିବା ସମ୍ଭାବନା ରହିଛି। ଅପରାହ୍ଣରେ ଏସପି ଏକ ପ୍ରେସମିଟ କରି ବର୍ତ୍ତମାନ ସୁଦ୍ଧା ହୋଇଥିବା ତଦନ୍ତ ଓ ମୃତ୍ୟ ରହସ୍ୟ ସମ୍ପର୍କରେ ଖୁଲାସା କରିପାରନ୍ତି। ଚେନ୍ନାଇରୁ ଗିରଫ ହୋଇଥିବା ପୁରୁଷ ବନ୍ଧୁଙ୍କୁ କେନ୍ଦ୍ରାପଡ଼ା ଅଣାଯିବା ପରେ ତାଙ୍କ ବୟାନ ଓ ମୃତ ଛାତ୍ରୀଙ୍କ ପରିବାରର ବୟାନକୁ ନେଇ ଅଧିକ ତଦନ୍ତ କରାଯିବ ବୋଲି ଏସପି ସୂଚନା ଦେଇଛନ୍ତି। ଅନ୍ୟପଟେ ପ୍ରମୋଦଙ୍କ ମାଆ ପୁଅର ଭଲ ପାଇବାକୁ ସ୍ୱୀକାର କରିଛନ୍ତି । ସେମାନଙ୍କର ବାହାଘର ହୋଇଥାନ୍ତା । ହେଲେ ଆମେ ଗରିବ ବୋଲି ଝିଅର ବାପା ବିରୋଧ କରିବା ସହିତ ବାପା ବାରମ୍ବାର ଝିଅକୁ ମାଡ଼ ମାରୁଥିଲେ ବୋଲି ଅଭିଯୋଗ କରିଛନ୍ତି ମାଆ ।

ଥମୁନି ବିହାର ସ୍ବତନ୍ତ୍ର ଭୋଟର ତାଲିକା ସଂଶୋଧନ ତାତି

ନନ୍ଦିଘୋଷ ବ୍ୟୁରୋ : ଥମୁନି ବିହାର ସ୍ବତନ୍ତ୍ର ଭୋଟର ତାଲିକା ସଂଶୋଧନ ତାତି। ସଂସଦ ବାହାରେ ଆଜି ବିହାର ସ୍ବତନ୍ତ୍ର ଭୋଟର ତାଲିକା ସଂଶୋଧନ ଝଡ଼। କାହିଁକି ବିହାର ଏସଆଇଆର ପ୍ରସଙ୍ଗରେ ଗୃହରେ ସ୍ବତନ୍ତ୍ର ଆଲୋଚନା ହେଉନାହିଁ ବୋଲି ପ୍ରଶ୍ନ କରିଛନ୍ତି ବିରୋଧୀ। ସଂସଦ ଅଧିବେଶନ ଆରମ୍ଭ ଦିନଠାରୁ ଏହି ପ୍ରସଙ୍ଗରେ ଗୃହ ବାହାରେ ଓ ଭିତରେ ଇଣ୍ଡିମେଣ୍ଟ ସାଂସଦ କରିଆସୁଛନ୍ତି ପ୍ରତିବାଦ। ମୌଳିକ ଅଧିକାର କ୍ଷୁଣ୍ଣ କରାଯାଉଥିବା ଅଭିଯୋଗ କରି ସଂସଦ ଭବନ ବାହାରେ ନାରାବାଜି କରିଛନ୍ତି ଇଣ୍ଡିମେଣ୍ଟ ସାଂସଦ। କୌଣସି ପରିସ୍ଥିତିରେ ବିହାର ଏସଆଇଆରକୁ ଗ୍ରହଣ କରାଯିବ ନାହିଁ ବୋଲି ବିରୋଧ ନିଜ ଯୁକ୍ତିରେ ଅଟଳ ରହିଛନ୍ତି। ବିଭିନ୍ନ ରାଜ୍ୟରେ ଭୋଟ ଗଡ଼ବଡ଼ି ନେଇ ଇଣ୍ଡି ମେଣ୍ଟ ପକ୍ଷରୁ ଅଭିଯୋଗ କରାଯାଉଥିବାବେଳେ ନିଜ ଜିଦରେ ଅଟଳ ରହିଛନ୍ତି ନିର୍ବାଚନ କମିଶନ।

ନିଶାରେ ଶୋଇପଡ଼ିଲେ ଆମ୍ବୁଲାନ୍ସ ଡ୍ରାଇଭର, ଅଧାବାଟରେ ଅଟକିଲେ ରୋଗୀ

ନନ୍ଦିଘୋଷ ବ୍ୟୁରୋ : ନିଶାରେ ଶୋଇପଡ଼ିଲେ ଡ୍ରାଇଭର । ଅଧାବାଟରେ ଅଟକିଲେ ରୋଗୀ । ଜଣେ ଗର୍ଭବତୀଙ୍କୁ ମେଡିକାଲ ନେଇ ଯାଉଥିବା ବେଳେ ଏଭଳି ଅଭାବନୀୟ ଦୃଶ୍ୟ ସାମ୍ନାକୁ ଆସିଛି । ୧୦୮ ଆମ୍ବୁଲାନ୍ସ ଭିତରେ ରୋଗୀ ଥିବା ବେଳେ ଡ୍ରାଇଭର ଜଣଙ୍କ ନିଶାରେ ଶୋଇ ପଡ଼ିଛନ୍ତି । ଡ୍ରାଇଭର ମଦ୍ୟପାନ ଯୋଗୁଁ ଅଧା ରାସ୍ତାରେ ଅଟକିଥିଲା ଗର୍ଭବତୀଙ୍କୁ ନେଇ ଯାଉଥିବା ୧୦୮ ଆମ୍ବୁଲାନ୍ସ । ସୂଚନାନୁଯାୟୀ ଗଜପତି ଜିଲ୍ଲା ଆର. ଉଦୟଗିରି ବ୍ଲକ୍ କାନିକିପଦର୍ ଗାଁର ବିଜୟ ରଇତଙ୍କ ପତ୍ନୀ ନନ୍ଦିନୀ ରଇତଙ୍କ ଗର୍ଭ ଯନ୍ତ୍ରଣା ହେବାରୁ ବିଳମ୍ବିତ ରାତିରେ ପରିବାର ଲୋକେ ତାଙ୍କୁ ଚନ୍ଦ୍ରଗିରି ମେଡ଼ିକାଲରେ ଭର୍ତ୍ତି କରିଥିଲେ  । ହେଲେ ଗର୍ଭସ୍ତ ଶିଶୁର ଅବସ୍ଥା ଭଲ ନଥିବାରୁ ଡାକ୍ତର ତାଙ୍କୁ ବ୍ରହ୍ମପୁର MKCG ମେଡ଼ିକାଲକୁ ସ୍ତାନାନ୍ତର କରିଥିଲେ ।୧୦୮ ଆମ୍ବୁଲାନ୍ସରେ ବ୍ରହ୍ମପୁର ଯିବା ବେଳେ ଡ୍ରାଇଭର ଅତ୍ୟଧିକ ମଦ୍ୟପାନ କରିଥିବା ଯୋଗୁଁ ବେପରୁଆ ଗାଡ଼ି ଚାଳନା ସହ ଅଧା ରାସ୍ତାରେ ଆମ୍ବୁଲାନ୍ସ ରଖି ଦେଇ ଡ୍ରାଇଭର ଜଣଙ୍କ ଗାଡ଼ିରେ ଶୋଇ ପଡିଥିଲେ  । ଏପରିକି ପରିବାର ଲୋକେ ତାଙ୍କୁ ଉଠାଇବା ପରେ ମଧ୍ୟ ସେ ଉଠି ନଥିଲେ  । ଫଳରେ ପରିବାର ଲୋକେ ବାଧ୍ୟ ହୋଇ ବିଳମ୍ୱିତ ରାତିରେ ଅନ୍ୟ ଏକ ଗାଡ଼ି ଭଡ଼ା କରି ବ୍ରହ୍ମପୁର ବଡ଼ ଡାକ୍ତରଖାନାରେ ପହଞ୍ଚିଥିଲେ । ଅନ୍ୟପଟେ ଡ୍ରାଇଭର ଅଜିତ ଶତୃଶଲ୍ୟ ମଦ୍ୟପାନ କଥାକୁ ଖଣ୍ଡନ କରିଛନ୍ତି। ଧାରାବାହିକ ପରିଶ୍ରମ ଯୋଗୁଁ ଅଳ୍ପ ସମୟ ବିଶ୍ରାମ ନେଇଥିଲେ। ବିଶ୍ରାମନେବା ବିଷୟକୁ ଏପରି ଅପପ୍ରଚାର କରାଯାଇଥିବା କହିଛନ୍ତି ସମ୍ପୃକ୍ତ ଡ଼୍ରାଇଭର।

ପାର୍କିଂ ବିବାଦକୁ ନେଇ ହୁମା କୁରେଶୀଙ୍କ ଭାଇଙ୍କୁ ହତ୍ୟା

ନନ୍ଦିଘୋଷ ବ୍ୟୁରୋ : ଦିଲ୍ଲୀର ନିଜାମୁଦ୍ଦିନରେ ବଲିଉଡ ଫିଲ୍ମ ଅଭିନେତ୍ରୀ ହୁମା କୁରେଶୀଙ୍କ ଭାଇଙ୍କୁ ହତ୍ୟା କରାଯାଇଥିଲା। ଘର ପାଖରେ ପାର୍କିଂକୁ ନେଇ ଆରମ୍ଭ ହୋଇଥିବା ବିବାଦ ଏତେ ବଢ଼ି ଯାଇଥିଲା ଯେ ଆସିଫ୍ କୁରେଶୀଙ୍କୁ ହତ୍ୟା କରାଯାଇଥିଲା । ଏହି ଘଟଣାରେ ପୋଲିସ ଦୁଇ ଅଭିଯୁକ୍ତଙ୍କୁ ଗିରଫ କରିଛି ଏବଂ ହତ୍ୟାରେ ବ୍ୟବହୃତ ଅସ୍ତ୍ର ଜବତ କରିଛି।

ଗୁରୁବାର ରାତି ପ୍ରାୟ ୧୧ଟା ସମୟରେ ଆସିଫ କୁରେଶୀ ଦୁଇ ବ୍ୟକ୍ତିଙ୍କୁ ତାଙ୍କ ଘର ପ୍ରବେଶ ପଥ ଆଗରେ ସ୍କୁଟର ପାର୍କ ନ କରିବାକୁ ଅନୁରୋଧ କରିଥିଲେ। ଏହାକୁ ନେଇ ପ୍ରଥମେ ବାକଯୁଦ୍ଧ ହୋଇଥିଲା, ଯାହା ପରେ ହିଂସାତ୍ମକ ରୂପ ନେଇଥିଲା।

ଘଟଣା ସମ୍ପର୍କରେ ହୁମା କୁରେଶୀଙ୍କ ପିତା ସଲିମ କୁରେଶୀ କହିଛନ୍ତି, “ଦୁଇ ବ୍ୟକ୍ତି ଆମ ଘର ଆଗରେ ସ୍କୁଟର ପାର୍କ କରିଥିଲେ। ଆସିଫ ସେମାନଙ୍କୁ ଏହାକୁ ଅନ୍ୟତ୍ର ପାର୍କ କରିବାକୁ କହିଥିଲେ, ଯାହା ଦ୍ୱାରା ଘରର ପ୍ରବେଶ ପଥ ଅବରୋଧ ନ ହୁଏ। ଏହା ବାକଯୁଦ୍ଧରେ ପରିଣତ ହେଲା ଏବଂ ପରେ ଶାରୀରିକ ହିଂସାରେ ବଦଳିଗଲା। ସେ ଦୁଇ ଅଭିଯୁକ୍ତ ମିଳିତ ଭାବେ ମୋ ପୁତୁରାକୁ ହତ୍ୟା କଲେ।”

୪୨ ବର୍ଷୀୟ ଆସିଫ କୁରେଶୀ ଏକ କୁକୁଡ଼ା ବ୍ୟବସାୟ ଚଳାଉଥିଲେ। ତାଙ୍କର ଦୁଇ ପତ୍ନୀ ରହିଛନ୍ତି। ପୋଲିସ ଏହି ଘଟଣାର ତଦନ୍ତ ଜାରି ରଖିଛି ଏବଂ ଅଭିଯୁକ୍ତଙ୍କ ବିରୁଦ୍ଧରେ କଡ଼ା କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ପୋଲିସ କହିଛି । ଏହି ଘଟଣାକୁ ସ୍ଥାନୀୟ ଅଞ୍ଚଳରେ ଭୟର ବାତାବରଣ ଖେଳିଯାଇଛି ।

ଢେଙ୍କାନାଳରେ ବୋମାମାଡ଼ କରି ଦୁର୍ବୃତ୍ତ ଫେରାର

ନନ୍ଦିଘୋଷ ବ୍ୟୁରୋ : ଢେଙ୍କାନାଳରେ ବୋମାମାଡ଼ । କେହି ଦୁର୍ବୃତ୍ତ ବୋମାମାଡ଼ କରି ଫେରାର। ଢେଙ୍କାନାଳ ସଦର ଥାନା ଅନ୍ତର୍ଗତ ନୂଆ ଗାଁ ହରିଜନ ସାହି ବିଜୟ ନାୟକଙ୍କ ଘରେ ବୋମା ମାଡ଼ ଅଭିଯୋଗ ହୋଇଛି ।ଗତକାଲି ବିଜୟଙ୍କ ପରିବାର ଶୋଇଥିବା ବେଳେ ବିଳମ୍ବିତ ରାତିରେ ବୋମାମାଡ଼ କରିଥିଲେ ଦୁବୃର୍ତ୍ତ । ହଠାତ୍ ବୋମା ମାଡ଼ ଶବ୍ଦ ଶୁଣି ଉଠି ପଡ଼ିଥିଲେ ପରିବାର ଲୋକେ । କେହି ଦୁର୍ବୃତ୍ତ ବୋମାମାଡ଼ କରି ଫେରାର ହୋଇଛି । ଥାନାରେ ଅଭିଯୋଗ ପରେ ପୋଲିସ ସବୁ ଦିଗକୁ ନେ ତଦନ୍ତ କରୁଛି । ବୋମା ମାଡ଼ର କାରଣ ଅସ୍ପଷ୍ଟ ଥିବା ବେଳେ ପୋଲିସ ତଦନ୍ତ କରୁଛି । କିଏ, କାହିଁକି ବୋମା ମାଡ କଲା ସେନେଇ ଖୋଳତାଡ଼ କରୁଛି ସଦର ପୋଲିସ ।

ମହାରାଷ୍ଟ୍ର ଓ କର୍ଣ୍ଣାଟକରେ ଭୋଟ ଚୋରି ପ୍ରସଙ୍ଗ : ରାହୁଲଙ୍କ ଯୁକ୍ତିକୁ ସାଂସଦ ଶଶୀ ଥରୁରଙ୍କ ସମର୍ଥନ

ନନ୍ଦିଘୋଷ ବ୍ୟୁରୋ : ମହାରାଷ୍ଟ୍ର ଓ କର୍ଣ୍ଣାଟକରେ ଭୋଟ ଚୋରି ପ୍ରସଙ୍ଗ। ବିରୋଧୀ ଦଳ ନେତା ରାହୁଲ ଗାନ୍ଧିଙ୍କ ଯୁକ୍ତିକୁ ସମର୍ଥନ କଲେ କଂଗ୍ରେସ ସାଂସଦ ଶଶୀ ଥରୁର। ୨୦୨୪ ଲୋକସଭା ନିର୍ବାଚନରେ ଏହି ଦୁଇ ରାଜ୍ୟରେ ବହୁ ସଂଖ୍ୟକ ଭୋଟ ଗଡ଼ବଡ଼ି ହୋଇଥିଲା ବୋଲି ରାହୁଲ ଗତକାଲି ଅଭିଯୋଗ କରିବା ପରେ ଦେଶବ୍ୟାପୀ ଚର୍ଚ୍ଚା ହୋଇଥିଲା। ଭୋଟ ଚୋରି ସମ୍ପର୍କରେ ରାହୁଲ ବଳିଷ୍ଠ ପ୍ରମାଣ ଦର୍ଶାଇଛନ୍ତି। ସମସ୍ତ ଦଳ ଓ ସମସ୍ତ ଭୋଟରଙ୍କ ସ୍ବାର୍ଥକୁ ଏହା ପ୍ରତିଫଳିତ କରୁଛି। ଭାରତର ଗଣତନ୍ତ୍ର ଅତ୍ୟନ୍ତ ମୂଲ୍ୟବାନ ଏବଂ ଏହାକୁ ନଷ୍ଟ ହେବାକୁ ନ ଦିଆଯାଉ ବୋଲି ସେ କହିଛନ୍ତି। ଜାଲ୍ ଭୋଟର ପ୍ରସଙ୍ଗରେ ଗତକାଲି ନିର୍ବାଚନ କମିଶନଙ୍କୁ ପୁଣି ଟାର୍ଗେଟ କରିଥିଲେ ବିରୋଧୀ ଦଳ ନେତା ରାହୁଲ ଗାନ୍ଧି। ବିଜେପି ସହ ନିର୍ବାଚନ କମିଶନ ହାତ ମିଳାଇଥିବା ଅଭିଯୋଗ କରିଥିଲେ ରାହୁଲ। ସେ କହିଥିଲେ- ଲୋକସଭା ନିର୍ବାଚନରେ ଭୋଟର ତାଲିକାରେ ଜାଲ୍ ଭୋଟରଙ୍କୁ ସ୍ଥାନୀତ କରାଯାଇଥିଲା। କର୍ଣ୍ଣାଟକ ଭୋଟର ତାଲିକାରେ ବି ଜାଲ୍ ଭୋଟରଙ୍କୁ ସ୍ଥାନ ଦିଆଯାଇଥିଲା ବୋଲି ସେ ଅଭିଯୋଗ କରିଥିଲେ।