spot_img
Home Blog Page 5022

ଉଦ୍ଧବ ଠାକରେଙ୍କୁ ଚିଠିରେ କ’ଣ ଲେଖିଲେ ସୀମର ଓ୍ବାଙ୍ଖେଡଙ୍କ ପତ୍ନୀ ?

ମୁମ୍ବାଇ: ଡ୍ରଗ୍ସ କେସ ମାମଲାରେ ମହାରାଷ୍ଟ୍ର ସରକାରଙ୍କ ଟାର୍ଗେଟରେ ଏବେ ଏନସିବି ମୁମ୍ବାଇ ଜୋନ ଡାଇରେକ୍ଟର ସମୀର ଓ୍ବାଙ୍ଖେଡ । ଏଭଳି ସ୍ଥିତିରେ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେଙ୍କୁ ଚିଠି ଲେଖିଛନ୍ତି ସୀମର ଓ୍ବାଙ୍ଖେଡଙ୍କ ସ୍ତ୍ରୀ  କ୍ରାନ୍ତି ରେଡକର । ସେ କହିଛନ୍ତି କି ଶିବସେନା ରାଜ୍ୟରେ ଜଣେ ମହିଳାଙ୍କ ସମ୍ମାନ ସହ ଖେଳା ଯାଉଛି, ଥଟ୍ଟା କରାଯାଉଛି । ଯଦି ଆଜି ବାଲ ସାହାବେ ଠାକରେ ଥାନ୍ତେ ତେବେ ସେ ଏହାକୁ ନିଶ୍ଚିତ ବିରୋଧ କରିଥାନ୍ତେ ।

କ୍ରାନ୍ତି ତାଙ୍କ ଚିଠିରେ ଲେଖିଛନ୍ତି କି ମାନନୀୟ ଉଦ୍ଧବ ଜୀ, ଶିବେସନା ମରାଠୀ ଲୋକଙ୍କ ହକ୍ ପାଇଁ ଲଢ଼ୁଥିବାର ମୁଁ ପିଲା ଦିନରୁ ଦେଖିଛି । ବାଲ ସାହାବେ ଠାକରେ ଓ ଛତ୍ରପତି ଶିବାଜୀଙ୍କଠାରୁ ଶିଖିଛି କି କାହା ପ୍ରତି କେବେ ଅନ୍ୟାୟ କର ନାହିଁ ଏବଂ ନିଜ ଉପରେ ହେଉଥିବା ଅନ୍ୟାୟକୁ ବରଦାସ୍ତ କର ନାହିଁ । ସହି ଦୃଷ୍ଟିରୁ ମୋର ବ୍ୟକ୍ତିଗତ ଜୀବନ ଉପରେ ଆକ୍ରମଣ କରୁଥିବା ଲୋକଙ୍କ ବିରୋଧରେ ମୁଁ ଦୃଢ଼ ଭାବରେ ଠିଆ ହୋଇଛି ଏବଂ ସେମାନଙ୍କ ବିରୋଧରେ ଲଢ଼େଇ ମଧ୍ୟ ଜାରି ରଖିଛି ।

ସେ ଆହୁରି ଲେଖିଛନ୍ତି କି ସୋସିଆଲ ମିଡିଆରେ ଲୋକମାନେ କେବଳ ମଜା ଦେଖୁଛନ୍ତି । ମୁଁ ଜଣେ କଳାକାର । ରାଜନୀତିକୁ ମୁଁ ବୁଝେ ନାହିଁ ଏବଂ ରାଜନୀତିରେ ମୋର ପ୍ରବେଶ କରିବାର ମଧ୍ୟ ନାହିଁ । ଆମର କୌଣସି ସମ୍ପର୍କ ନଥାଇ ମଧ୍ୟ ପ୍ରତିଦିନି ଆମର ସମ୍ମାନ ନଷ୍ଟ କରାଯାଉଛି । ଶିବସେନା ରାଜ୍ୟରେ ଏକ ମହିଳାଙ୍କ ସମ୍ମାନ ସହ ଖେଳାଯାଉଛି, ଥଟ୍ଟା କରାଯାଉଛି । କିନ୍ତୁ ଯଦି ଆଜି ବାଲ ସାହାବେ ଠାକରେ ଥାନ୍ତେ ତେବେ ସେ ଏହାକୁ ନିଶ୍ଚିତ ବିରୋଧ କରିଥାନ୍ତେ ।

କ୍ରାନ୍ତି ଆହୁରି ଲେଖିଛନ୍ତି କି ଏକ ମହିଳା ଓ ତାଙ୍କ ପରିବାର ପ୍ରତି ହେଉଥିବା ଆକ୍ରମଣ ଅତ୍ୟନ୍ତ ତଳ ସ୍ତରର ରାଜନୀତି । ଆଜି ବାଲା ଠାକରେ ଆମ ସହ ନାହାନ୍ତି କିନ୍ତୁ ଆମେ ଏବେ ଆପଣଙ୍କ ଭିତରେ ତାଙ୍କୁ ଦେଖୁଛୁ ।  ଆମର ସମ୍ପୂର୍ଣ୍ଣ ବିଶ୍ବାସ ଅଛି ଆପଣ ମୋ ପ୍ରତି ଓ ମୋ ପରିବାର ପ୍ରତି ଅନ୍ୟାୟ ହେବାକୁ ଦେବେ ନାହିଁ । ଜଣେ ମରାଠୀ ବ୍ୟକ୍ତି ଭାବରେ ମୋର ପୂରା ବିଶ୍ବାସ ଅଛି କି ଆପଣ ଆମକୁ ନ୍ୟାୟ ଦେବେ ।

ଏକ୍ସ ଗାର୍ଲଫ୍ରେଣ୍ଡକୁ ପିଟିପିଟି ବେହୋସ କରିଦେଲା ଧୋକେବାଜ ଯୁବକର ପ୍ରେମିକା

ଲକ୍ଷ୍ନୌ: ବିଚ୍ ରାସ୍ତାରେ ହାଇ ଭୋଲଟେଜ୍ ଡ୍ରାମା । ମଦ ନିଶାରେ ଜବରଦସ୍ତ ହଙ୍ଗାମା କଲେ ଯୁବତୀ । ମହିଳା ବନ୍ଧୁଙ୍କ ସହ ମିଶି ପ୍ରେମିକଙ୍କ ଏକ୍ସ ଗାର୍ଲ ଫ୍ରେଣ୍ଡକୁ କଲେ ଆକ୍ରମଣ । ଲାତ, ଗୋଇଠାରେ ବେହୋସ ହୋଇଗଲେ ଯୁବତୀ । ଘଟଣାର ଭିଡିଓ ଭାଇରାଲ ହେବା ପରେ ଆକ୍ସନ ମୁଡ଼ରେ ପୋଲିସ । ପୀଡ଼ିତା ଯୁବତୀଙ୍କ ଅଭିଯୋଗ ଆଧାରରେ ମାମଲା ରୁଜୁ କରି ପ୍ରେମିକଙ୍କୁ ବାନ୍ଧିଲା । ଦୁଇ ଯୁବତୀଙ୍କୁ ନେଇ ଚାଲିଛି ତଦନ୍ତ ।

ପୋଲିସ ସୂଚନା ଅନୁସାରେ, ସୋମବାର ରାତିରେ ଆଶିୟାନା ଥାନା ଅନ୍ତର୍ଗତ ସ୍କାଏ ହିଲଟନ ହୋଟେଲ ଆଗରେ ଘଟିଛି ଏହି ହାଇ ଭୋଲଟେଜ ଡ୍ରାମା । ଘଟଣା ସମୟରେ ପୀଡ଼ିତ ଯୁବତୀ ଏକ କାରରେ ଆସି ହୋଟେଲ ଆଗରେ ଓହ୍ଲାଇଥିଲେ । ଏହି ସମୟରେ ତାଙ୍କ ପୂର୍ବତନ ପ୍ରେମିକ ରବୀନ ସିଂହ ନିଶାଶକ୍ତ ଅବସ୍ଥାରେ ସେଠାରେ ପହଞ୍ଚି ଥିଲେ । ତା ସହ ଦୁଇ ଜଣ ଯୁବତୀ ବି ଆସିଥିଲେ ଯେଉଁମାନେ ବି ମଦ ନିଶାରେ ଚୁର ଥିଲେ । ସେମାନେ ପହଞ୍ଚିବା ପରେ କାରରେ ଆସିଥିବା ଯୁବତୀଙ୍କୁ ଗାଳି ଗୁଲଜ କରିବା ଆରମ୍ଭ କରିଦେଇଥିଲେ । ଏହାପରେ ଆରମ୍ଭ ହୋଇଯାଇଥିଲା ରିୟଲ ଫାଇଟ୍ । ଯୁବତୀ ଦ୍ବୟ ନିଶାରେ ଏମିତି ମତୁଆଲା ଥିଲେ ଯେ ଭୁଲି ଯାଇଥିଲେ ସବୁ ହିତାହତ ଜ୍ଞାନ । ପୀଡ଼ିତାଙ୍କୁ ଘୋଷାଡି ଘୋଷାଡ଼ି ଲାତ, ବିଧା, ଗୋଇଠା ମାରିବାକୁ ଲାଗିଲେ । କିଛି ସମୟ ଭିତରେ ଯୁବତୀ ଜଣଙ୍କ ଅଚେତ ହୋଇ ତଳେ ପଡ଼ି ଯାଇଥିଲେ । ପରେ ପୀଡ଼ିତାଙ୍କ ଅଭିଯୋଗ ଆଧାରରେ ପୋଲିସ ରବୀନ ଓ ତାଙ୍କୁ ଦୁଇ ମହିଳା ବନ୍ଧୁଙ୍କ ବିରୋଧରେ ମାମଲା ରୁଜୁ କରିଛି ।

ପୀଡ଼ିତା ଅଭିଯୋଗ କରିଛନ୍ତି, ରବୀନ ତାଙ୍କୁ ପ୍ରେମ ଜାଲରେ ଫସାଇ ଶାରୀରିକ ଶୋଷଣ କରିଛନ୍ତି । ସୋମବାର ଦିନ ହୋଟେଲ ଆଗରେ ରବୀନ ସହ ତାଙ୍କର ଭେଟ ହୋଇଥିଲା । ତାଙ୍କ ସହ ଆସିଥିବା ଦୁଇ ଯୁବତୀ ତାଙ୍କୁ ମରଣାନ୍ତକ ଆକ୍ରମଣ କରିଥିଲେ ।

ଦୁଇ ପିଲାର ବାପା ଧୋକାବାଜ ପ୍ରେମିକ

୨୦୧୬ରେ ଏକ ବିବାହ ଉତ୍ସବରେ ପୀଡ଼ିତାଙ୍କର ରବୀନ ସହ ଦେଖା ହୋଇଥିଲା । କିଛିଦିନ କଥାବାର୍ତ୍ତା ପରେ ଉଭୟ ପରସ୍ପରକୁ ଭଲ ପାଇ ବସିଥିଲେ । ଉଭୟଙ୍କ ମଧ୍ୟରେ ଶାରୀରିକ ସମ୍ପର୍କ ବି ହୋଇଥିଲା । ଯୁବତୀ ରବୀନଙ୍କୁ ବହୁ ମୂଲ୍ୟବାନ ଉପହାର ମଧ୍ୟ ଦେଇଥିଲେ । ପରେ ରବୀନ ବିବାହିତ ଓ ତାଙ୍କୁ ଦୁଇଟି ପିଲା ଥିବା ଯୁବତୀ ଜାଣିବାକୁ ପାଇଥିଲେ । ଏହାପରେ ସେ ରବୀନଙ୍କଠାରୁ ଦୂରେଇବା ଆରମ୍ଭ କରିଥିଲେ ।

ହେଲେ ଧୋକାବାଜ ରବୀନ ପତ୍ନୀଙ୍କୁ ଛାଡ଼ପତ୍ର ଦେଇ ତାଙ୍କ ସହ ବିବାହ କରିବାକୁ ପ୍ରତିଶ୍ରୁତି ଦେଇଥିଲେ । ଏହାସହ ପୁଣି ଶାରୀରିକ ସମ୍ପର୍କ ରଖିବା ଆରମ୍ଭ କରିଥିଲେ । ଯୁବତୀ ଜଣଙ୍କ ଏହାର ବିରୋଧ କରିବାରୁ ଫଟୋ ଭାଇରାଲ କରିଦେବାକୁ ଧମକ ଦେବାକୁ ଲାଗିଥିଲେ । ଏନେଇ ଯୁବତୀ ଜଣଙ୍କ ଥାନାରେ ଅଭିଯୋଗ କରିଥିଲେ ବି ଜଣେ ପୋଲିସ ଅଧିକାରୀ ମାମଲାକୁ ରଫାଦଫା କରିବାକୁ ତାଙ୍କ ଉପରେ ଚାପ ପକାଉଥିବା ଅଭିଯୋଗ କରିଛନ୍ତି ।

ପଶୁଙ୍କ ପାଇଁ ପ୍ରଥମ ଥର ନନ୍ଦନକାନନକୁ ଆସିବ ଅଲଟ୍ରାସାଉଣ୍ଡ ମେସିନ

ଭୁବନେଶ୍ୱର: ନନ୍ଦନକାନନକୁ ପ୍ରଥମଥର ପାଇଁ ଆସିବ ଜନ୍ତୁ ଅଲଟ୍ରାସାଉଣ୍ଡ ମେସିନ। ପିସିସିଏଫ୍‌ ୱାଇଲଡଲାଇଫ ଅନୁମୋଦନ ରେ ଅଣାଯିବ ଏହି ମେସିନ୍‌। ଯାହା ଶାବକ ଜନ୍ମ ହେବାର ସମସ୍ୟା କୁ ଦୃଷ୍ଟି ରେ ରଖି ଏ ମେସିନ ସହଯୋଗ କରିବ। କେତୋଟି ଜନ୍ତୁ ଶାବକ ମାଆ ପେଟରେ ରହିଛନ୍ତି, ଜନ୍ମ ହେବା ସମୟରେ ବିଭିନ୍ନ ସମସ୍ୟା ଉପୁଜୁ ଥିବା ବିଷୟ ରେ ଜଣାଯାଇ ପାରିବ ଏହି ଅଲଟ୍ରାସାଉଣ୍ଡ ମେସିନ୍‌। ଏଥିପାଇଁ ବିଶେଷ ଡାକ୍ତରୀ ଟିମ ନିୟୋଯିତ ରହିବେ।

ତେବେ ଏହି ମେସିନର ଦାମ ରହିଛି ୨୦ ଲକ୍ଷ ଟଙ୍କା। ଖାଲି ସେତିକି ନୁହେଁ, ୪୫ ଲକ୍ଷ ଟଙ୍କା ବିନିମୟରେ ବିଭିନ୍ନ ପ୍ରକାର ମେସିନ ଅଣାଯିବାର ବନ୍ଦୋବସ୍ତ ରହିଛି। ଏନେଇ ସୂଚନା ଦେଇଛନ୍ତି ଉପ ନିର୍ଦେଶକ ସଞ୍ଜିତ କୁମାର। ସେପଟେ ନନ୍ଦନକାନନରେ ଅତ୍ୟାଧୁନିକ ଅପରେସନ ଥିଏଟର ଗଢ଼ାଯିବ। ଏଥିପାଇଁ ନୂତନ ଭେଟନାରୀ ଗୃହ ନିର୍ମାଣ ସରିଛି। ତେବେ ଅଟ୍ରାସାଉଣ୍ଡ ମେସିନ୍‌କୁ ମାର୍ଚ୍ଚ ମାସ ସୁଦ୍ଧା ଅଣାଯିବ ବୋଲି କୁହାଯାଇଛି।

କୋଟିଆରେ କିଏ ଉଡ଼ାଇଲା ଲାଲ ପତାକା ?

ଜୟପୁର: କୋଟିଆରେ ଉଡୁଛି ଲାଲ ପତାକା । ଏହା ମାଓବାଦୀଙ୍କ କାମ ନା ଆଉ କାହାର ସ୍ପଷ୍ଟ ହୋଇନାହିଁ । କୋଟିଆ ଉପରେ ଲୋଲୁପ ଦୃଷ୍ଟି ରଖିଥିବା ଆନ୍ଧ୍ରପ୍ରଦେଶର ବି କରିଥାଇପାରେ କୌଣସି ଚାଲାଖି ।

କୋଟିଆକୁ ନିଜର କରିବାକୁ ବାରମ୍ବାର ଆନ୍ଧ୍ର କରି ଚାଲିଛି ଅନୁପ୍ରବେଶ । କେତେବେଳେ ତେଲଗୁ ଭାଷାର ନାମ ଫଳକ ଲଗାଉଛି ତ କେତେବେଳେ ସାମଗ୍ରୀ ବଣ୍ଟନ କରୁଛି । ଆଉ କେତେବେଳେ କୋଟିଆରେ ପଶି ଆନ୍ଧ୍ର ଅଧିକାରୀ ଗରିବ ଲୋକଙ୍କୁ ନିଜ ସପକ୍ଷରେ ନେବାକୁ କରୁଛନ୍ତି ପ୍ରଲୋଭିତ ।

ଅନ୍ୟପକ୍ଷରେ ଆନ୍ଧ୍ରର ପ୍ରତିଟି ଚାଲାଖି ଉପରେ ଓଡ଼ିଶା ସରକାର ରଖିଛନ୍ତି ତୀକ୍ଷ୍ନ ନଜର । କୋରାପୁଟ ଜିଲ୍ଲା ପ୍ରଶାସନ ବି ଆନ୍ଧ୍ରକୁ ମୁହଁତୋଡ ଜବାବ ଦେବାକୁ ପୂରା ପ୍ରସ୍ତୁତ । ଲାଲ ପତାକ ଦେଖାଯିବା ପରେ ଅଞ୍ଚଳରେ କୋରାପୁଟ ପୋଲିସ ପକ୍ଷରୁ ୨ ପ୍ଲାଟୁନ ଫୋର୍ସ ମୁତୟନ କରିଦିଆଯାଇଛି । ଘଟଣା ଉପରେ ନଜର ରଖିଛନ୍ତି ସ୍ଥାନୀୟ ପ୍ରଶାସନ ।

ପାକିସ୍ତାନରେ ପୁଣି ହିଂସା; ୩ ପୋଲିସ ମୃତ

ଲାହୋର: ପାକିସ୍ତାନରେ ପୁଣି ହିଂସା । ଗତକାଲି ପାକିସ୍ତାନର ବିଭିନ୍ନ ସ୍ଥାନରେ ଟିଏଲପି ସମର୍ଥକ ଓ ପୋଲିସ ମଧ୍ୟରେ ହିଂସାତ୍ମକ ସଂଘର୍ଷ ହୋଇଛି । ଟିଏଲପି ମୁଖ୍ୟ ସାଦ୍ ରିଜଭିଙ୍କୁ ମୁକ୍ତି ଏବଂ ଫ୍ରାନ୍ସ ରାଷ୍ଟ୍ରଦୂତଙ୍କ ବହିସ୍କାର ଦାବିରେ ସୃଷ୍ଟି ହୋଇଛି ଏହି ହିଂସା । ଇମ୍ରାନ ସରକାରଙ୍କ ସହ ଟିଏଲପି ସମର୍ଥକଙ୍କ ଆଲୋଚନା ବିଫଳ ହେବା ପରେ ଏହି ହିଂସା ସୃଷ୍ଟି ହୋଇଛି । ଏହି ହିଂସା ଫଳରେ ତିନି ଜଣ ପୋଲିସ କର୍ମଚାରୀଙ୍କର ମୃତ୍ୟୁ ହୋଇଥିବା ବେଳେ ପ୍ରାୟ ୭୦ ଜଣ ଆହାତ ହୋଇଛନ୍ତି । ପାକିସ୍ତାନ ସରକାରଙ୍କ ସହ ଆଲୋଚନାରେ ବିଫଳ ହେବା ପରେ ଟିଏଲପି ସମର୍ଥକମାନେ ଇସଲାମାବାଦ୍ ଅଭିମୁଖେ ଯାତ୍ରା ଆରମ୍ଭ କରିଥିଲେ । ଏହି ସମୟରେ ପୋଲିସ ସେମାନଙ୍କ ଅଟକାଇବା ସମୟରେ ହଁ ଆରମ୍ଭ ହୋଇଥିଲା ସଂଘର୍ଷ । କୁହାଯାଉଛି କି ଏବେ ବି ୮ ହଜାରରୁ ୧୫ ହଜାର ଟିଏଲପି ସମର୍ଥକ ରହିଛନ୍ତି । ସବୁଠାରୁ ବଡ଼ କଥା ହେଉଛି ସେମାନଙ୍କ ପାଖରେ ଅତ୍ୟାଧୁନିକ ଅସ୍ତ୍ରଶସ୍ତ୍ର ରହିଛି ।

ପାକିସ୍ତାନ ଆଭ୍ୟନ୍ତରୀଣ ମନ୍ତ୍ରୀ ଶେଖ ରସିଦ୍ ବୁଧବାର ଏକ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି କି ଟିଏଲପି ଏବେ ଉଗ୍ର ରୂପ ଧାରଣ କରିଛି । ସେ ଆହୁରି କହିଛନ୍ତି କି ଟିଏଲପି ସମର୍ଥକମାନେ ପୋଲିସ ଉପରକୁ ଗୁଳି ମାରିଥିଲା । ଯାହାଫଳରେ  ୩ ଜଣ ପୋଲିସ ଅଫିସରଙ୍କ ମୃତ୍ୟୁ ହୋଇଥିବା ବେଳେ ୭୦ ଜଣ ଆହାତ ହୋଇଛନ୍ତି । ସେଥିମଧ୍ୟରୁ ୮ ଜଣଙ୍କ ସ୍ବାସ୍ଥ୍ୟବସ୍ଥା ସଙ୍କଟାପୂର୍ଣ୍ଣ ରହିଛି । ତେବେ ଏହି ସ୍ଥିତିକୁ ଆୟତ୍ତ କରିବା ପାଇଁ ଆଗାମୀ ୬୦ ଦିନ ପାଇଁ ପଞ୍ଜାବ ପ୍ରଦେଶରେ ରେଞ୍ଜର ନିୟୋଜିତ କରାଯାଇଛି ବୋଲି ସେ କହିଛନ୍ତି ।

ଗତବର୍ଷ ନଭେମ୍ବରରେ ଫ୍ରାନ୍ସର ରାଷ୍ଟ୍ରପତି  ଇମାନୁଏଲ୍‌ ମାକ୍ରନ୍ ମହମ୍ମଦଙ୍କ ଭାବମୂର୍ତ୍ତିର ଏକ କାର୍ଟୁନ୍ ଉପସ୍ଥାପନା କରି ଏହାକୁ ଅଭିବ୍ୟକ୍ତିର ସ୍ବାଧିନତା ବୋଲି କହିଥିଲେ । ସେବେଠାରୁ ପାକିସ୍ତାନରୁ ଫ୍ରାନ୍ସରେ ଥିବା ରାଷ୍ଟ୍ରଦୂତଙ୍କୁ ହଟାଇବାକୁ ଟିଏଲପି ଦାବି କରିଆସୁଛି । ଚଳିତ ବର୍ଷ ଏପ୍ରିଲରେ ମଧ୍ୟ ଏହି ସମାନ ଦାବି ଉପରେ ହିଂସା ସୃଷ୍ଟି ହୋଇଥିଲା । ଯାହାପରେ ଟିଏଲପି ମୁଖ୍ୟ ସାଦ୍ ରିଜଭିଙ୍କୁ ପୋଲିସ୍ ଗିରଫ କରିଥିଲା । ଏହି ଦୁଇଟି ଦାବି ସମ୍ପର୍କରେ ଟିଏଲପି ଏବଂ ଇମ୍ରାନ ସରକାରଙ୍କ ମଧ୍ୟରେ ହୋଇଥିବା ଆଲୋଚନାରେ କୌଣସି ସୁଫଳ ମିଳିନଥିଲା । ଯାହାଫଳରେ ଗତ ରବିବାର ଟିଏଲପି ତାଙ୍କ ଦାବି ପୂରଣ ପାଇଁ ସରକାରଙ୍କୁ ଦୁଇ ଦିନ ସମୟ ଦେଇଥିଲା । କିନ୍ତୁ ଏହି ଦୁଇ ଦିନ ମଧ୍ୟରେ ସରକାର ଦାବି ନଶୁଣିବାରୁ ବୁଧବାର ଟିଏଲପି ସମର୍ଥକ ଇସଲାମାବାଦ ଅଭିମୁଖେ ଯାତ୍ରା ଆରମ୍ଭ କରିଥିଲା । ଯେଉଁ କାରଣରୁ ଅନେକ ସ୍ଥାନରେ ପୋଲିସ ଓ ଟିଏଲପି ସମର୍ଥକଙ୍କ ମଧ୍ୟରେ ହିଂସାତ୍ମକ ସଂଘର୍ଷ ସୃଷ୍ଟି ହୋଇଥିଲା ।

ଆସୁଛି ପଞ୍ଚାୟତ ନିର୍ବାଚନ, ବିଜେଡି ସବୁ ବର୍ଗର ଲୋକଙ୍କ ପ୍ରିୟ ଦଳ : ବିଧାୟକ ଦେବୀ ପ୍ରସାଦ ମିଶ୍ର

ଭୁବନେଶ୍ୱର: ଆଗକୁ ଆସୁଛି ପଞ୍ଚାୟତ ନିର୍ବାଚନ। ସେଥିପାଇଁ ନିର୍ବାଚନ କମିଶନଙ୍କ ବଢ଼ୁଛି ପଞ୍ଚାୟତ ନିର୍ବାଚନ ଚିନ୍ତା। ସୁରୁଖୁରୁରେ ନିର୍ବାଚନ ଲାଗି ନଭେମ୍ବର ୬ ତାରିଖରେ ସର୍ବଦଳୀୟ ବୈଠକ ଡାକିଛନ୍ତି ନିର୍ବାଚନ କମିଶନ। ବୈଠକରେ ସମସ୍ତ ରାଜନୈତିକ ଦଳ ନିଜର ମତାମତ ରଖିବେ। ସ୍ୱଚ୍ଛ ଅବାଧ ଶୃଙ୍ଖଳିତ ନିର୍ବାଚନ ପରିଚାଳନା ପାଇଁ ବୈଠକରେ ଆଲୋଚନା ହେବ। ଏ ନେଇ ପ୍ରତିକ୍ରିୟା ରଖିଛି ଶାସକ ଦଳ ବିଜେଡି।

ପଞ୍ଚାୟତ ନିର୍ବାଚନବେଳେ ଗାଁ ଗାଁରେ ଟେନସନ ଥାଏ। ତେଣୁ ବ୍ଲକରେ ଭୋଟ ଗଣତି ହେଲେ ଭଲ ହେବ ବୋଲି କହିଛନ୍ତି ଦଳର ବରିଷ୍ଠ ବିଧାୟକ ଦେବୀ ପ୍ରସାଦ ମିଶ୍ର। ବିଜେଡିର କନଫିଡେନ୍ସନ ହେଉଛି ନବୀନଙ୍କ ନେତୃତ୍ୱ। ବିଜେଡି ସବୁ ବର୍ଗର ଲୋକଙ୍କ ପ୍ରିୟ ଦଳ। ଲୋକବଳ ହେଉଛି ବିଜେଡିର ବଳ। ଲୋକେ ସରକାରଙ୍କ ଉନ୍ନୟନମୂଳକ ପ୍ରକଳ୍ପକୁ ଦେଖି ବିଜେଡି ସହ ଯୋଡି ହୋଇ ରହିଛନ୍ତି। ସେଥିପାଇଁ ସବୁବେଳେ ବିଜେଡିର ବିଜୟ ଧାରା ବଜାୟ ରହିଛି। ଆଗକୁ ମଧ୍ୟ ବିଜେଡିର ବିଜୟ ଧାରା ବଜାୟ ରହିବ ବୋଲି ଦେବୀ ପ୍ରସାଦ ମିଶ୍ର କହିଛନ୍ତି।

୧୮ ହଜାର ସ୍କୋୟାର ଫୁଟରେ ଛିଡ଼ା ହୋଇଛି ପ୍ରସନ୍ନଙ୍କ ଫର୍ଣ୍ଣିଚର ଶୋ ରୁମ୍

ଭୁବନେଶ୍ବର: ପୋଲିସ ଚାକିରିରୁ ବହିଷ୍କୃତ ଓ ଗିରଫ କନେଷ୍ଟବଳ ପ୍ରସନ୍ନ ବେହେରାଙ୍କ ଘରେ ଭିଜିଲାନ୍ସ ଚଢ଼ାଉ । ୫ଟି ସ୍ଥାନରେ ଏକକାଳୀନ ଚାଲିଥିବା ଚଢ଼ାଉରେ ମିଳୁଛି କୋଟି କୋଟି ଟଙ୍କାର ସ୍ଥାବର, ଅସ୍ଥାବର ସମ୍ପତ୍ତି । ଡୁମୁଡୁମାରେ ଥିବା ତାଙ୍କ ସ୍ପାର୍କ ଫର୍ଣ୍ଣିଚର ଶୋ ରୁମରେ ଚାଲିଛି ଚଢ଼ାଉ ।

ଚଢ଼ାଉ ଚାଲିଥିବାରୁ ବର୍ତ୍ତମାନ ସୁଦ୍ଧା ଶୋ ରୁମ ଓ ଜମିର ପ୍ରକୃତ ମୂଲ୍ୟ କେତେ ସ୍ପଷ୍ଟ ହୋଇନାହିଁ । ତଥାପି ଯେତିକି ଜଣାପଡ଼ିଛି, ଜାଣିଲେ ଆଖି ଖୋସି ହୋଇଯିବ ।

ପ୍ରାୟ ୦.୨୫୦ ଏକର ଜମିରେ ଥିବା ଶୋ ରୁମ୍ ୨୦୧୯ ମସିହାରେ ୧ କୋଟି ୪୭ ଲକ୍ଷ ୬୦ ହଜାର ଟଙ୍କାରେ ପଞ୍ଜିକୃତ ହୋଇଥିଲା । ଯାହାର ପ୍ରକୃତ ବଜାର ମୂଲ୍ୟ ଏହାଠାରୁ ବହୁ ଅଧିକ । ବେସମେଣ୍ଟ ଓ ଗ୍ରାଉଣ୍ଡ ଫ୍ଲୋରକୁ ମିଶାଇ ଶୋ ରୁମ୍ ବିଲ୍ଡିଂ ପାଖାପାଖି ୧୮ ହଜାର ସ୍କୋୟାର ଫୁଟରେ ଛିଡ଼ା ହୋଇଛି । ଯାହାର ମୂଲ୍ୟ ପ୍ରାୟ ୨ କୋଟିରୁ ଅଧିକ ହେବ । ଭିଜିଲାନ୍ସ ଟେକ୍ନିକାଲ ଓ୍ବିଙ୍ଗ ଜମି ଓ ବିଲ୍ଡିଂର ପ୍ରକୃତ ମୂଲ୍ୟ କେତେ ହେବ ତାହା ଯାଞ୍ଚ କରୁଛନ୍ତି ।

ସେହିପରି ଶୋ ରୁମକୁ ବହୁ ମୂଲ୍ୟବାଦ ଫର୍ଣ୍ଣିଚରରେ ସଜାଯାଇଛି । ଭିଜିଲାନ୍ସ ଟେକ୍ନିକାଲ ଓ୍ବିଙ୍ଗ, ଭିଜିଲାନ୍ସ ଫରେଷ୍ଟ ଓ୍ବିଙ୍ଗ କର୍ମଚାରୀମାନେ ପ୍ରଫେସନାଲ ଫର୍ଣ୍ଣିଚର ଉତ୍ପାଦନକାରୀଙ୍କ ସହାୟତାରେ ଏହାର ମୂଲ୍ୟ ନିର୍ଧାରଣ କରୁଛନ୍ତି । ଯାହା କୁହାଯାଇଛି ଏହାର ମୂଲ୍ୟ ଲକ୍ଷାଧିକ ଟଙ୍କା କି ତା’ଠାରୁ ଢେର ଅଧିକ ହୋଇପାରେ ।

ଜମି କିଣା, ଶୋ ରୁମ ବିଲ୍ଡିଂ ନିର୍ମାଣ ଓ ଫର୍ଣ୍ଣିଚରର ଗୋଟି ଗୋଟି ହିସାବ କରାଯାଉଛି ।

ସୂଚନାଯୋଗ୍ୟ, ବେଆାଇନ ଭାବେ ସାଉଥ୍ ସିଟି ହୋଟେଲ୍ ଓ ବାର୍ ଚାଲାଇବା ଅଭିଯୋଗରେ ପ୍ରସନ୍ନ ବେହେରାଙ୍କୁ ଗିରଫ ପରେ ଚାକିରିରୁ ବହିଷ୍କୃତ କରାଯାଇଥିଲା । ହୋଟେଲରେ ରେଡ୍ ବେଳେ ପୋଲିସକୁ ମିଳିଥିଲା ବିପୁଳ ପରିମାଣରେ ମଦ ।

ଏକାମ୍ର କ୍ଷେତ୍ରରୁ ମିଳିଲା ଆଉ ଏକ ମନ୍ଦିରର ମୂଳଦୁଆ, ମିଳିପାରେ ଛୋଟ ଛୋଟ ଅନେକ ମନ୍ଦିର

ଭୁବନେଶ୍ୱର:ଏକାମ୍ର କ୍ଷେତ୍ରରେ ମିଳିଲା ଏକ ମନ୍ଦିର। ମାଟି ଖୋଳା ହେବା ସମୟରେ ଏହି ମନ୍ଦିରକୁ ଉଦ୍ଧାର କରାଯାଇଛି। ଶୁକଶାରୀ ମନ୍ଦିର ପାର୍ଶ୍ୱରୁ ଏକ ମନ୍ଦିରର ଭଗ୍ନା ବଶେଷ ମିଳିଛି। ଏଏସ୍ଆଇ ପକ୍ଷରୁ ଏହାର ଖନନ କାର୍ଯ୍ୟ ଚାଲିଛି। ଏଠାରେ ଅନେକ ଐତିହାସିକ ଓ ପୂରାତନ ମନ୍ଦିର ଥିବା ଅନୁମାନ କରାଯାଇ ଗତ ଜାନୁଆରୀରୁ ଖନନ କାର୍ଯ୍ୟ ଚାଲିଥିଲା। ପାଣିପାଗ କାରଣରୁ କିଛିଦିନ ପାଇଁ ଖନନ କାର୍ଯ୍ୟ ବନ୍ଦ ଥିଲା। ହେଲେ ବତ୍ତର୍ମାନ ପୁଣି ଥରେ ଖନନ କାର୍ଯ୍ୟ ଆରମ୍ଭ ହୋଇଛି। ଦୁଇ ଦିନର ଏହି ଖନନରେ ଗୋଟିଏ ମନ୍ଦିରର ମୂଳଦୁଆ ଚିହ୍ନଟ କରାଯାଇଛି।

ତେବେ ଏହି ମନ୍ଦିର କେତେ ବର୍ଷ ତଳର ଏବଂ ଏଠାରେ ଆହୁରି କେତେ ମନ୍ଦିର ରହିଛି ତାହା କୁହାଯାଇ ନାହିଁ। ଆଗକୁ ଆହୁରି ମନ୍ଦିର ମିଳିପାରେ ବୋଲି ଅନୁମାନ କରିଛନ୍ତି ASI ଅଧିକାରୀ। ସେ କହିଛନ୍ତି ଲିଙ୍ଗରାଜ ମନ୍ଦିର ଭିତରେ ଯେମିତି ଛୋଟ ଛୋଟ ମନ୍ଦିର ରହିଛି ସେମିତି ମନ୍ଦିର ମାନଙ୍କର ଗୋଟିଏ ବଡ କମ୍ପ୍ଲେକ୍ସ ମିଳିପାରେ।  ଆଗକୁ ପାଗ ଭଲ ରହିଲେ ଖନନ କାର୍ଯ୍ୟ ଏମିତି ଚାଲୁ ରହିବ। ଏହି ଖନନ କାର୍ଯ୍ୟ ବିନ୍ଦୁ ସାଗରରୁ ୩ ଶହ ମିଟର ପର୍ଯ୍ୟନ୍ତ ଚାଲୁ ରହିବ। ମନ୍ଦିର ମାଳିନି ଭୁବନେଶ୍ୱରରେ ରହିଛି ଅନେକ ମନ୍ଦିର। ଅନେକ ମନ୍ଦିର ମାଟି ତଳେ ପୋତି ହୋଇ ରହିଥିବା ମଧ୍ୟ ବିଶ୍ୱାସ କରାଯାଉଛି।

ହରିଆଣାରେ ଖେରି ଘଟଣା; ମହିଳା ଚାଷୀଙ୍କ ଉପରେ ମାଡ଼ିଗଲା ଟ୍ରକ

ହରିଆଣା: ହରିୟାଣା ବାହାଦୁରଗଡ଼ରେ ଖେରି ଘଟଣାର ପୁନରାବୃତ୍ତି । ଟିକରି ସୀମାରେ ଆନ୍ଦୋଳନରତ ମହିଳା ଚାଷୀଙ୍କ ଉପରେ ମାଡିଗଲା ଟ୍ରକ୍ । ଆଜି ସକାଳୁ ଦିଲ୍ଲୀ-ହରିଆଣା ସୀମାନ୍ତବର୍ତ୍ତୀ ବାହାଦୂରଗଡ଼ରେ ଏକ ଦ୍ରୁତଗାମୀ ଟ୍ରକ ମହିଳା ଚାଷୀଙ୍କୁ ଧକ୍କା ଦେଇଥିଲା । ଯାହା ଫଳରେ ୩ ଜଣ ମହିଳା ଚାଷୀଙ୍କ ମୃତ୍ୟୁ ହେଇଛି ଏବଂ ତିନି ଜଣ ଗୁରୁତର ଥିବା ସୂଚନା ମିଳିଛି । ଘଟଣାସ୍ଥଳରେ ପୋଲିସ ପହଞ୍ଚି ମୃତଦେହ ଉଦ୍ଧାର କରିଛି । ଅନ୍ୟ ୩ ଜଣଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରି ତଦନ୍ତ କରୁଛି ପୋଲିସ ।

ସୂଚନା ଅନୁସାରେ ଆଜି ସକାଳ ପ୍ରାୟ ୬.୩୦ ସମୟରେ ଝାଝର ରୋଡ୍ ଘଟିଛି ଏହି ଦୁର୍ଘଟଣା । ମହିଳା ଚଷୀମାନେ ରୋଡ ଡିଭାଇଡର ଉପରେ ବସିଥିବା ସମୟରେ ହଠାତ୍ ଏକ ଦୃତଗାମୀ ଟ୍ରକ୍ ସେମାନଙ୍କ ଉପରେ ମାଡିଯାଇଥିଲା ।  ଯାହା ଫଳରେ ଘଟଣାସ୍ଥଳରେ ଦୁଇ ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ଡାକ୍ତରଖାନାରେ ଜଣଙ୍କର ମୃତ୍ୟୁ ଘଟିଛି  ଏବଂ ଆଉ ତିନି ଜଣ ମହିଳା ଚାଷୀ ଗୁରୁତର ଥିବା କୁହାଯାଉଛି ।

ତେବେ ଦୁର୍ଘଟଣାର ଶିକାର ହୋଇଥିବା ମହିଳାମାନେ କୃଷକ ଆନ୍ଦୋଳନରେ ଜଡ଼ିତ ଥିଲେ । ଏହି ଦୁର୍ଘଟଣାରେ ପ୍ରାଣ ହରାଇଥିବା ତିନି ଜଣ ଚାଷୀ ପଞ୍ଜାବର ମାନସା ଜିଲ୍ଲାର ବାସିନ୍ଦା । କେନ୍ଦ୍ର ସରକାରଙ୍କ ତିନୋଟି କୃଷି ଆଇନକୁ ବିରୋଧ କରି ନଭେମ୍ବର ୨୦୨୦ରୁ ଦିଲ୍ଲୀ ସୀମାରେ କୃଷକଙ୍କ ଆନ୍ଦୋଳନ ଚାଲିଛି । ଏହି ଦୁର୍ଘଟଣାରେ ପ୍ରାଣ ହରାଇଥିବା ମହିଳାମାନେ ମଧ୍ୟ ଏହି ଆେନ୍ଦାଳନ ସହ ଜଡ଼ିତ ଥିଲେ ।

BSKYରେ ଚିକିତ୍ସା ପାଇଲେ କାଳିଆ, ମୁଖ୍ୟମନ୍ତ୍ରୀଙ୍କୁ ଦେଲେ ଧନ୍ୟବାଦ

କଣ୍ଟାବାଞ୍ଜି: ଗରିବଙ୍କ ଜୀବନ ବଞ୍ଚାଉଛି ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନା ସ୍ମାର୍ଟ କାର୍ଡ । ସଫଳତାର ସହ ଆଗକୁ ବଢ଼ୁଛି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଦେଖିଥିବା ସ୍ବପ୍ନ । ଅସହାୟ, ଗରିବ, ନିଷ୍ପେସିତ ପରିବାର ପାଖରେ ପହଞ୍ଚୁଛି ବିଜୁ ସ୍ବସ୍ଥ୍ୟ ସ୍ମାର୍ଟ କାର୍ଡ ସୁବିଧା । କଣ୍ଟାବାଞ୍ଜି ଏନଏସି ୧୨ ନମ୍ବର ଓ୍ବାର୍ଡ ସିଙ୍ଗଲପଡ଼ାର କାଳିଆ ବେହେରା ପାଇଛନ୍ତି ଏହାର ସୁଫଳ । ରାୟପୁର ରାମକ୍ରିଷ୍ଣ ହସ୍ପିଟାଲରେ ବିଜୁ ସ୍ବାସ୍ଥ୍ୟ ସ୍ମାର୍ଟ କାର୍ଡରେ ଚିକିତ୍ସିତ ହୋଇଛନ୍ତି କାଳିଆ । ଏଥିପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ କୋଟି କୋଟି ଧନ୍ୟବାଦ ଜଣାଇଛନ୍ତି ।

ଏହାସହ କଣ୍ଟାବାଞ୍ଜି ଏନଏସିର ପ୍ରଥମ ବ୍ୟକ୍ତି ଭାବେ ସେ ଏହି ସୁବିଧା ପାଇଥିବାରୁ ଖୁସି ବ୍ୟକ୍ତ କରିଛନ୍ତି । ସୂଚନାଯୋଗ୍ୟ, ଗତ ୨୨ ତାରିଖରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବଲାଙ୍ଗିର ଗସ୍ତରେ ଯାଇ ଏହି ଯୋଜନାର ଶୁଭାରମ୍ଭ କରିଥିଲେ।