spot_img
Home Blog Page 5040

ଭୂମିକମ୍ପ, ବନ୍ୟା, ବଜ୍ରାଘାତ, ଝଡ ଆଦି କ୍ଷେତ୍ରରେ ଦାୟୀ ରହିବନି ବ୍ୟାଙ୍କ

ନୂଆଦିଲ୍ଲୀ: ବଦଳିଲା ବ୍ୟାଙ୍କ ଲକର ନିୟମ । ବ୍ୟାଙ୍କ ଦ୍ବାରା ପ୍ରଦାନ କରାଯାଉଥିବା ଏହି ସୁବିଧା ଲାଗି କିଛି ନିୟମରେ ପରିବର୍ତ୍ତନ ଆଣିଛି ଭାରତୀୟ ରିଜର୍ଭ ବ୍ୟାଙ୍କ । ଆସନ୍ତା ଜାନୁଆରୀ ୧ରୁ ଲାଗୁ ହେବ ନିୟମ । ନୂଆ ବ୍ୟବସ୍ଥା ଅନୁସାରେ ଭୂମିକମ୍ପ, ବନ୍ୟା, ବଜ୍ରାଘାତ, ଝଡ ଆଦି କ୍ଷେତ୍ରରେ ବ୍ୟାଙ୍କ ଦାୟୀ ରହିବ ନାହିଁ । ତେବେ ଏହାର ସୁରକ୍ଷା ନିଶ୍ଚିତ କରିବା ଦିଗରେ ବ୍ୟାଙ୍କ ପଦକ୍ଷେପ ନେବ । ଡକାୟତି ଓ ଚୋରି କ୍ଷେତ୍ରରେ ବ୍ୟାଙ୍କ ଦାୟୀ ରହିବା ବ୍ୟବସ୍ଥା ରହିବ । ଲକର ଏଗ୍ରିମେଣ୍ଟରେ ଏଣିକି ଏକ ନୂଆ ବ୍ୟବସ୍ଥା ରହିବ । ଏଥିରେ ଗ୍ରାହକ ଲକରର କ୍ଷତି ପହଞ୍ଚାଇବା ପରି କୌଣସି ସାମଗ୍ରୀ ରଖିବେ ନାହିଁ ବୋଲି ବ୍ୟବସ୍ଥା ରହିବ ।

ବ୍ୟାଙ୍କିଂ ଓ ପ୍ରଯୁକ୍ତିକୁ ଆଧାର କରି ଆରବିଆଇ ଏହି ନିଷ୍ପତ୍ତି ନେଇଛି । ଭାରତୀୟ ବ୍ୟାଙ୍କ ଆସୋସିଏସନ ବା ଆଇବିଏର ଫିଡବ୍ୟାକକୁ ଭିତ୍ତି କରି ଏହି ନିୟମରେ ପରିବର୍ତ୍ତନ କରାଯାଇଛି । ଅନେକ ସମୟରେ ଲକରକୁ ଭଡାରେ ନେଇଥିବା ଗ୍ରାହକମାନେ ଲକରର ମ୍ୟାନେଜମେଣ୍ଟ କରୁନାହାନ୍ତି ବା ଚାର୍ଜ ବି ଠିକ୍ ସମୟରେ ଦାଖଲ କରୁନାହାନ୍ତି । ଠିକ୍ ସମୟରେ ଦେୟ ପାଉ ନଥିବାରୁ ବ୍ୟାଙ୍କଗୁଡିକ ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ତେଣୁ ଲକର ଆଲଟମେଣ୍ଟ ସମୟରେ ଟର୍ମ ଡିପୋଜିଟ ନେବା ଲାଗି ବ୍ୟାଙ୍କଗୁଡିକୁ କୁହାଯାଇଛି ।

ଏଥିରେ ରହିଛି ୩ ବର୍ଷର ଭଡା ତଥା ଲକର ଭାଙ୍ଗିବା ଲାଗି ଆବଶ୍ୟକ ହେଉଥିବା ଖର୍ଚ୍ଚ । ତେବେ ବର୍ତ୍ତମାନ ରହିଥିବା ଲକର ହୋଲଡରଙ୍କ କ୍ଷେତ୍ରରେ ଟର୍ମ ଡିପୋଜିଟ ଦାଖଲ କରିବା ବ୍ୟବସ୍ଥା ରହିବ ନାହିଁ । ଏହା ସହ ଯେଉଁମାନେ ବର୍ତ୍ତମାନ ଆକାଉଣ୍ଟ ଅପରେଟ କରୁଛନ୍ତି ସେମାନଙ୍କ ଲାଗି ବି ଏହି ନିୟମ ଲାଗୁ ହେବ ନାହିଁ । ଯଦି ଲକର ଭଡା ଆଗୁଆ ନିଆଯାଇଥାଏ ତେବେ ପରେ ଏହା ଫେରାଇ ଦିଆଯିବ । ଯଦି ଗ୍ରାହକ ଲଗାତର ୩ ବର୍ଷ ଧରି ଭଡା ନଦେବେ ତେବେ ବ୍ୟାଙ୍କ କର୍ତ୍ତୃପକ୍ଷ ଲକରକୁ ଭାଙ୍ଗିପାରିବେ । ପ୍ରାକୃତିକ ବିପର୍ଯ୍ୟୟ ସମୟରେ ବି ସେମାନଙ୍କ ଉପଭୋକ୍ତାଙ୍କୁ ଅବଗତ କରାଇବା ଲାଗି ବ୍ୟବସ୍ଥା କରିବେ ।

‘ମନ୍ କି ବାତ୍’: ପୋଲିସ ସେବାରେ ମହିଳାଙ୍କ ସଂଖ୍ୟା ବୃଦ୍ଧି, କରୋନା ଟିକାକରଣ ସମ୍ପର୍କରେ କହିଲେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ: ‘ମନ୍‌ କି ବାତ୍‌’ର ୮୨ତମ୍ ସଂସ୍କରଣ ଅବସରରେ ମହିଳା ପୋଲିସ କର୍ମଚାରୀଙ୍କ ଯୋଗଦାନ ସମ୍ପର୍କରେ କହିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ।ମହିଳା ପୋଲିସ କର୍ମଚାରୀମାନେ ଭାରତର ଲକ୍ଷ ଲକ୍ଷ ଝିଅମାନଙ୍କର ଆଦର୍ଶ ପାଲଟୁଥିବା କହିଛନ୍ତି ପ୍ରଧାନମନ୍ତ୍ରୀ ।

୨୦୧୪ ବେଳକୁ ପୋଲିସ ବିଭାଗରେ ପ୍ରାୟ ଦେଢ଼ ଲକ୍ଷ ମହିଳା କାର୍ଯ୍ୟରତ ଥିବା ବେଳେ ୨୦୨୦ ବେଳକୁ ଏହି ସଂଖ୍ୟା ଅଢ଼େଇ ଲକ୍ଷରେ ପହଞ୍ଚିଛି । ଏଥିସହିତ କେନ୍ଦ୍ରୀୟ ସଶସ୍ତ୍ର ବଳରେ କାର୍ଯ୍ୟରତ ମହିଳାଙ୍କ ସଂଖ୍ୟା ମଧ୍ୟ ବଢ଼ିଛି । କେବଳ ମହିଳାଙ୍କ ସଂଖ୍ୟାରେ ବୃଦ୍ଧି ଘଟିନି , ସେମାନେ କଠିନରୁ କଠିନ କାର୍ଯ୍ୟରେ ନିଜକୁ ନିୟୋଜିତ ରଖିବା ସହ ସମ୍ପୂର୍ଣ୍ଣ ଉତ୍ସାହ ସହ କାର୍ଯ୍ୟ କରୁଥିବା କହିଛନ୍ତି ପ୍ରଧାନମନ୍ତ୍ରୀ ।

ଏଥିସହିତ ଆଜିର ‘ମନ୍‌ କି ବାତ୍’ କାର୍ଯ୍ୟକ୍ରମ ପ୍ରାରମ୍ଭରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କରୋନାଭାଇରସ୍‌ ରୋଗ ବିପକ୍ଷରେ ଦେଶର ଟିକାକରଣ ଅଭିଯାନକୁ ପ୍ରଶଂସା କରିବା ସହ ଅକ୍ଳାନ୍ତ କଠିନ ଶ୍ରମ କରିଥିବା ସ୍ୱାସ୍ଥ୍ୟସେବା କର୍ମୀଙ୍କୁ ଅଭିବାଦନ ଜଣାଇ କହିଛନ୍ତି ଯେ, ନାଗରିକମାନଙ୍କୁ ଟିକା ଦେବାରେ ସେମାନେ ସବୁ ପ୍ରକାର ଉଦ୍ୟମ କରିଛନ୍ତି। ଦେଶର ଏକତା ଏବଂ ମହାନତା ପାଇଁ କିଛି ନା କିଛି କରିବା ଲାଗି ମଧ୍ୟ ପ୍ରଧାନମନ୍ତ୍ରୀ ମୋଦୀ ଭାରତବାସୀଙ୍କୁ ଅନୁରୋଧ କରିଛନ୍ତି। ସେ କହିଛନ୍ତି, ଏହି କାମ କେତେ ଆତ୍ମସନ୍ତୋଷ ଦେବ ତାହା ଆପଣମାନେ ହୃଦୟଙ୍ଗମ କରିପାରିବେ ।

ସେ କହିଛନ୍ତି, ଆଗାମୀ ରବିବାର, ଅକ୍ଟୋବର ୩୧ ତାରିଖ ହେଉଛି ସର୍ଦାର୍‌ ପଟେଲଙ୍କ ଜୟନ୍ତୀ। ‘ମନ୍‌ କି ବାତ୍’ର ସମସ୍ତ ଶ୍ରୋତା ଏବଂ ମୋ ତରଫରୁ, ମୁଁ ଭାରତର ଲୌହମାନବଙ୍କ ପ୍ରତି ସମ୍ମାନ ଜ୍ଞାପନ କରୁଛି। ସର୍ଦାର ପଟେଲ୍‌ଙ୍କ ଜୀବନ ଓ ଆଦର୍ଶରୁ ଆମେ ବହୁତ କିଛି ଶିଖି ପାରିବା। ନିକଟରେ ଭାରତ ସରକାରଙ୍କ ସୂଚନା ଓ ପ୍ରସାରଣ ମନ୍ତ୍ରାଳୟ ସର୍ଦାର ପଟେଲଙ୍କ ଉପରେ ଏକ ସଚ୍ଚିତ୍ର ଜୀବନୀ ପ୍ରକାଶ କରିଛି। ଏହାକୁ ନିଶ୍ଚୟ ପଢ଼ିବା ପାଇଁ ତରୁଣ ବନ୍ଧୁମାନଙ୍କୁ ନିବେଦନ କରିଛନ୍ତି ପ୍ରଧାନମନ୍ତ୍ରୀ । ଏଥିସହିତ ଦେଶରେ ବିକଶିତ ହେଉଥିବା ଡ୍ରୋନ୍ ଟେକ୍ନୋଲିଜ୍ ନେଇ ମଧ୍ୟ କହିଛନ୍ତି । କେନ୍ଦ୍ରର ନୂତନ ‘ଡ୍ରୋନ୍‌ ନୀତି’ର ସଦୁପଯୋଗ କରିବା ପାଇଁ ପ୍ରଧାନମନ୍ତ୍ରୀ ଦେଶର ତରୁଣମାନଙ୍କୁ କହିଛନ୍ତି। ଆମ ବିଶ୍ୱକୁ ଅଧିକ ସୁନ୍ଦର କରିବାରେ ଭାରତ ପ୍ରମୁଖ ଭୂମିକା ଗ୍ରହଣ କରିବ। ସୂଚନା ଥାଉ କି, ନିକଟ ଅତୀତରେ ଚାନ୍ଦିପୁରରେ ସମ୍ପୂର୍ଣ୍ଣ ସ୍ୱଦେଶୀ ଜ୍ଞାନକୌଶଳରେ  ନିର୍ମିତ ‘ଅଭ୍ୟାସ’ ଡ୍ରୋନ୍‌ର ପରୀକ୍ଷଣ ସଫଳ ହୋଇଛି ।

ଏଥିସହିତ ପଢ଼ନ୍ତୁ: ଆମେରିକା, ଫ୍ରାନ୍ସ ଓ ଜର୍ମାନୀ ସମେତ ୧୦ ଦେଶର ରାଜଦୂତଙ୍କୁ ଦେଶ ଛାଡ଼ିବାକୁ ତୁର୍କୀର ନିର୍ଦ୍ଦେଶ

ଆତ୍ମହତ୍ୟା ପୂର୍ବରୁ ଇନଷ୍ଟାଗ୍ରାମରେ ମନ କଥା ଲେଖିଥିଲେ ସାଇଶ୍ରୀ, ‘ଅମାନୁଷିକ ଲାଗେ ପୃଥିବୀ’

ଭୁବନେଶ୍ୱର: ବିନ୍ଦୁସାଗରକୁ ଡେଇଁ ଇଞ୍ଜିନିୟରିଂ ଛାତ୍ରଙ୍କ ଆତ୍ମହତ୍ୟା ଅଭିଯୋଗ । ଆତ୍ମହତ୍ୟାର କାରଣ ଜଣାପଡ଼ିନାହିଁ । ମୃତକ ବିଟେକ୍ ଛାତ୍ର ସାଇଶ୍ରୀ ଜ୍ୟୋତିପ୍ରକାଶ । ମାନସିକ ଦୁଶ୍ଚିନ୍ତାରେ ଥିଲେ ସାଇଶ୍ରୀ । ସେଥିପାଇଁ ଆତ୍ମହତ୍ୟା କରିଥିବା ସନ୍ଦେହ କାରଯାଉଛି । ଏମିତିକି ଆତ୍ମହତ୍ୟା ପୂର୍ବରୁ ସୋସିଆଲ ସାଇଟରେ ସେ ସୁଇସାଇଡ୍‌ ନୋଟ୍ ଅପଲୋଡ୍ କରିଥିବା ଦେଖିବାକୁ ମିଳିଛି । ଲିଙ୍ଗରାଜ ଥାନା ପୋଲିସ ଓ ଅଗ୍ନିଶମ ବିଭାଗ ମୃତଦେହ ଉଦ୍ଧାର କରିଛନ୍ତି ।

Saishree Wrote In Social Media Before Suicide

ଆତ୍ମହତ୍ୟା ପୂର୍ବରୁ ଇନଷ୍ଟାଗ୍ରାମରେ ଶେଷ ପୋଷ୍ଟ କରିଥିଲେ ସାଇଶ୍ରୀଙ୍କ । ଯେଉଁଥିରେ ସେ କଷ୍ଟଦାୟକ ଜୀବନ ନେଇ ଉଲ୍ଲେଖ କରିଛନ୍ତି । ସେ ଲେଖିଛନ୍ତି, ‘ପୃଥିବୀ ତାଙ୍କୁ ଅମାନୁଷିକ ଲାଗେ । ତାଙ୍କ ଜୀବନ ସବୁଠାରୁ କଷ୍ଟକର । ଏଣୁ ମୁଁ ମୋ ନିଜକୁ ମାରି ଦେବାକୁ ଚାହୁଁଛି । ବହୁଦିନ ହେଲା ମୋ ଜୀବନ ଶେଷ କରି ଦେବାକୁ ଚାହୁଁଥିଲି । ହେଲେ କିଛି ସାଙ୍ଗସାଥୀ ଓ ସମ୍ପର୍କୀୟଙ୍କ ଯୋଗୁ ମତେ ସାମାନ୍ୟ ଆଶ୍ୱାସନା ମିଳିଯାଉଥିଲା ।

Saishree Wrote In Social Media Before Suicide

ଯାହାର ଶେଷ ମୁହୂର୍ତ୍ତ ଆସିଛି । ଶେଷ ଦିନରେ ମୁଁ ସମସ୍ତଙ୍କୁ ଗୁଡ୍ ବାଏ କହୁଛି । ଧନ୍ୟବାଦ ସମସ୍ତଙ୍କୁ ଜଣାଉଛି । ମୁଁ ମରିବା ବେଳେ ହସି ହସି ମରୁଛି । ମୋର ପ୍ରତି ମୁହୂର୍ତ୍ତର ସ୍ମୃତିକୁ ମୁଁ ସେୟାର କରିଛି । ମୁଁ ହସି ହସି ମରୁଛି । ମୁଁ ତୁମକୁ ବହୁତ ଭଲ ପାଉଥିଲି । ବହୁତ ବିଶ୍ୱାସ କରୁଛି । ରହୁଛି ତୁମର ସାଇଶ୍ରୀ ବୋଲି ଇନଷ୍ଟାଗ୍ରାମରେ ପୋଷ୍ଟ ହୋଇଛି ।

Saishree Wrote In Social Media Before Suicide

ସେପେଟ ସାଇଶ୍ରୀଙ୍କ ବାପା ଓ ମାଆଙ୍କ ମଧ୍ୟରେ ବିବାଦ ଚାଲିଥିବାରୁ ସାଇଶ୍ରୀ ଓ ତାଙ୍କ ମାଆ ଭୁବନେଶ୍ୱରର ସାମନ୍ତରାପୁରରେ ଘର ଭଡ଼ା ନେଇ ରହୁଥିଲେ । ଟଙ୍କା ଅଭାବରୁ ଘର ଭଡ଼ା ଦେଇ ପାରୁ ନଥିଲେ । ଏପରିକି ଥରେ ଘରଭଡ଼ା ପାଇଁ ଘର ମାଲିକ ଜିନିଷ ବିକ୍ରି କରିବାରୁ ଧମକ ଦେଇଥିଲା । ସେପଟେ କଲେଜ ଫି’ ପାଇଁ ଟେନସନରେ ରହୁଥିଲେ ସାଇଶ୍ରୀ । ଶେଷରେ ଏପରି ଚରମ ନିଷ୍ପତ୍ତି ନେଇଥିବା ଅନୁମାନ କରାଯାଉଛି ।

ଆମେରିକା, ଫ୍ରାନ୍ସ ଓ ଜର୍ମାନୀ ସମେତ ୧୦ ଦେଶର ରାଜଦୂତଙ୍କୁ ଦେଶ ଛାଡ଼ିବାକୁ ତୁର୍କୀର ନିର୍ଦ୍ଦେଶ

ଆଙ୍କରା: ତୁର୍କୀ ରାଷ୍ଟ୍ରପତି ରିସେପ ତାଇପ ଏର୍ଦୋଗାନ ଆମେରିକା, ଫ୍ରାନ୍ସ ଏବଂ ଜର୍ମାନୀ ସମେତ ୧୦ ଦେଶର ରାଜଦୂତଙ୍କୁ ଦେଶ ଛାଡ଼ିବାକୁ ନିର୍ଦ୍ଦେଶ ଦେଇଛନ୍ତି । ତୁର୍କୀ ସରକାର ଏମାନଙ୍କୁ Person Non Grata ଅଣସ୍ୱୀକାର୍ଯ୍ୟ ବ୍ୟକ୍ତି ଘୋଷିତ କରିଛନ୍ତି । ଏହି ରାଜଦୂତମାନେ ତୁର୍କୀରେ ବନ୍ଦୀ ଥିବା ଜଣେ ସମାଜିକ କର୍ମୀଙ୍କୁ ମୁକ୍ତ କରିବାକୁ ଅପିଲ୍ କରିଥିଲେ । ଦେଶର ରାଜଧାନୀ ଆଙ୍କାରାରେ ୟୁଏସ୍ , ଫ୍ରାନ୍ସିସ୍ ଏବଂ ଜର୍ମାନୀ ସହିତ ୧୦ଦେଶର ରାଜଦୂତ ଏହି ସପ୍ତାହ ଆରମ୍ଭରେ ଏକ ବୟାନ ଜାରି କରି କହିଛନ୍ତି ଯେ, ତୁର୍କୀ ବ୍ୟବସାୟୀ ଉସ୍‌ମାନ କବଲା ଦୋଷୀ ନ ଥିବା ସତ୍ତ୍ୱେ ୨୦୧୭ଠାରୁ ଜେଲ୍‌ରେ ରଖାଯାଇଛି ।

ଅପରପକ୍ଷରେ ଏର୍ଦୋଗାନ ନିଜ ବୈଦେଶିକ ମନ୍ତ୍ରୀଙ୍କୁ ଘଟଣା ସମ୍ପର୍କରେ ନଜର ରଖିବାକୁ କହିବା ସହ କାର୍ଯ୍ୟାନୁଷ୍ଠାନ ପାଇଁ ସୁପାରିସ କରିଥିବା ପଶ୍ଚିମ ସହର ଏକ୍ସିସେରରେ ଅନୁଷ୍ଠିତ ଏକ ରାଲିରେ କହିଛନ୍ତି । ସେ ଆହୁରି କହିଥିଲେ, ଯେଉଁମାନେ ତୁର୍କୀକୁ ବୁଝିପାରିବେ ନାହିଁ ସେମାନେ ଦେଶ ଛାଡ଼ି ଯାଇପାରିବେ । ୟୁଏସ୍, ଫ୍ରାନ୍ସ ଏବଂ ଜର୍ମାନ ସମେତ ନେଦରଲ୍ୟାଣ୍ଡ, କାନାଡା, ଡେନମାର୍କ, ସ୍ୱଡେନ, ନରଓ୍ୱେ ଏବଂ ନ୍ୟୁଜିଲ୍ୟାଣ୍ଡର ରାଜଦୂତଙ୍କୁ ଅଣସ୍ୱୀକାର୍ଯ୍ୟ ବ୍ୟକ୍ତି ଭାବେ ଘୋଷଣା କରାଯାଇଛି । ଏ ସମସ୍ତଙ୍କୁ ମଙ୍ଗଳବାର ବିଦେଶ ମନ୍ତ୍ରାଳୟ ରିପୋର୍ଟ ତଲବ କରିଛନ୍ତି । ପରସନ ନନ୍ ଗ୍ରେଟା ଘୋଷଣାର ସାଧାରଣତଃ ମାନେ ହେଉଛି ରାଜଦୂତ ଅବସ୍ଥାପିତ ଦେଶରେ ରହିବା ନେଇ ପ୍ରତିବନ୍ଧକ ଜାରି କରିବା ।

୬୪ ବର୍ଷୀୟ କବାଲାଙ୍କୁ ୨୦୨୦ରେ ୨୦୧୩ରେ ଦେଶବ୍ୟାପୀ ସରକାର ବିରୋଧୀ ପ୍ରଦର୍ଶନ ସହ ଜଡ଼ିତ ଅଭିଯୋଗରେ ମୁକ୍ତ କରାଯାଇଥିଲା । କିନ୍ତୁ ପରେ ଏହି ଆଦେଶକୁ ପ୍ରତ୍ୟାହାର କରିଦିଆଯାଇଥିଲା ଏବଂ ୨୦୧୬ରେ କ୍ଷମତା ପରିବର୍ତ୍ତନ ନେଇ ପ୍ରୟାସ ସମ୍ପର୍କିତ ଅଭିଯୁକ୍ତଙ୍କ ମଧ୍ୟରେ ତାଙ୍କୁ ସାମିଲ କରାଯାଇଥିଲା ।

ଏଥିସହିତ ପଢ଼ନ୍ତୁ: ପାର୍ବଣରେ ବ୍ୟାପୁଛି କରୋନା, ୨ଟି ଟ୍ରେନର ୫୫ ଯାତ୍ରୀ କୋଭିଡ୍ ସଂକ୍ରମିତ

ପାକିସ୍ତାନୀ ହ୍ୟାକର ହ୍ୟାକ କଲେ ସମ୍ବଲପୁର ବିଶ୍ୱବିଦ୍ୟାଳୟ ୱେବସାଇଟ୍

ସମ୍ବଲପୁର: ସମ୍ବଲପୁର ବିଶ୍ବବିଦ୍ୟାଳୟର ୱେବ୍‌ସାଇଟ୍‌ ହ୍ୟାକ୍‌ । ବିଶ୍ୱବିଦ୍ୟାଳୟର ଗ୍ରିଭାନ୍ସ ୱେବସାଇଟ ହ୍ୟାକ୍ ହୋଇଥିବା ଅଭିଯୋଗ ହୋଇଛି । ପାକିସ୍ତାନ ହ୍ୟାକର ୱେବସାଇଟ୍ ହ୍ୟାକ୍ କରିଥିବା ସୂଚନା ମିଳିଛି । ୱେବସାଇଟ୍ ଖୋଲିଲେ ହ୍ୟାକ୍ ବାଏ ଡେଭିଲ୍ କିଲର ସହ ଅଲ୍‌ ପାକିସ୍ତାନୀ ବୋଲି ଲେଖା ଆସୁଛି ।

Sambalpur University Website Hacked By Pakistan Hackers

ହ୍ୟାକ୍ ହୋଇଥିବା ୱେବସାଇଟରେ ବିଶ୍ୱବିଦ୍ୟାଳୟର ସବୁ ଛାତ୍ରଛାତ୍ରୀଙ୍କ ବିସ୍ତୃତ ତଥ୍ୟ ଥାଏ । ନୋଟିସ୍, ପରୀକ୍ଷା ଓ ରେଜଲ୍ଟ ସମ୍ପର୍କୀୟ ତଥ୍ୟ ମଧ୍ୟ ରହିଥିବାରୁ ସେସବୁ ତଥ୍ୟ ଚୋରି ହେବା ଆଶଙ୍କା ପ୍ରକାଶ ପାଇଛି । ଗୋଟିଏ ପଟେ ସନ୍ଧ୍ୟାରେ ଭାରତ-ପାକିସ୍ତାନ ମ୍ୟାଚ୍ ଥିବା ବେଳେ ଅନ୍ୟପଟେ ପାକିସ୍ତାନ ଦ୍ୱାରା ୱେବସାଇଟ୍ ହ୍ୟାକ୍ ଅଭିଯୋଗ ନେଇ ଚର୍ଚ୍ଚା ଜୋର୍‌ ଧରିଛି ।

ପାର୍ବଣରେ ବ୍ୟାପୁଛି କରୋନା, ୨ଟି ଟ୍ରେନର ୫୫ ଯାତ୍ରୀ କୋଭିଡ୍ ସଂକ୍ରମିତ

ରାଞ୍ଚି: ଦେଶରେ ଚାଲିଛି ପାର୍ବଣ ଋତୁ । ନବରାତ୍ରୀ ପରେ ଦିପାବଳୀ ଓ ଛଟ୍ ପୂଜା ପାଇଁ ଜୋରଦାର ପ୍ରସ୍ତୁତି ଚାଲିଛି । ଅନ୍ୟପଟେ କରୋନା ସଂକ୍ରମଣ ମାମଲା ବଢ଼ୁଛି । ଗୋଟିଏ ପରେ ଗୋଟିଏ ମାମଲା ବଢ଼ିବା ସ୍ୱାସ୍ଥ୍ୟ ବିଭାଗର ଚିନ୍ତା ବଢ଼ାଇ ଦେଇଛି । କରୋନା ସଂକ୍ରମଣ ବ୍ୟାପୁଥିବାରୁ ପୁଣି ଥରେ ରେଲୱେ ଷ୍ଟେସନରେ କୋଭିଡ୍ ଟେଷ୍ଟ ଆରମ୍ଭ ହୋଇଛି ।

ଝାଡ଼ଖଣ୍ଡର ହାଟିଆ ଷ୍ଟେସନରେ କରୋନା ଟେଷ୍ଟ କରାଯାଉଛି । ଟ୍ରେନରୁ ଓହ୍ଲାଇଥିବା ଯାତ୍ରୀଙ୍କ ହେଉଛି ଆଣ୍ଟିଜେନ୍ ଟେଷ୍ଟ । ଶନିବାର ହାଟିଆ ଷ୍ଟେସନରୁ ଗୋଟିଏ ଥରରେ ୫୫ ଜଣ ଯାତ୍ରୀ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ସୂଚନା ଅନୁସାରେ, ସମସ୍ତ ଯାତ୍ରୀ ତପସ୍ୱିନୀ ଏକ୍ସପ୍ରେସ୍ ଓ ରାଉରକେଲା ଏକ୍ସପ୍ରେସରେ ହାଟିଆ ପହଞ୍ଚିଥିଲେ । ରେଲୱେ ଷ୍ଟେସନରେ ରାପିଡ୍ ଆଣ୍ଟିଜେନ ଟେଷ୍ଟରେ ୫୫ ଜଣଙ୍କ ନମୁନା କୋଭିଡ୍ ପଜିଟିଭ୍ ଆସିଛି ।

ସୂଚନା ଅନୁସାରେ, କୋଭିଡ୍ ଟେଷ୍ଟ ପାଇଁ ନମୁନା ଦେଇ ସମସ୍ତ ଯାତ୍ରୀ ପଳାଇଛନ୍ତି । ଯେତେବେଳେ କି କୌଣସି ବ୍ୟକ୍ତି କରୋନା ସଂକ୍ରମିତ ଚିହ୍ନଟ ହେଲେ ତାଙ୍କୁ ଆଇଲୋଲେସନ ସେଣ୍ଟର କିମ୍ବା କୋଭିଡ୍ ସେଣ୍ଟରରେ ଭର୍ତ୍ତି ପାଇଁ ସ୍ୱାସ୍ଥ୍ୟ ବିଭାଗର ନିର୍ଦ୍ଦେଶ ରହିଛି । ତେବେ ନିର୍ଦ୍ଦେଶ ସତ୍ତ୍ୱେ ଯାତ୍ରୀଙ୍କୁ ଘରକୁ ଛଡ଼ା ଯାଇଛି । ଯେଉଁଥିପାଇଁ କରୋନା ସଂକ୍ରମଣ ବ୍ୟାପିବା ଆଶଙ୍କା ରହିଛି ।

T20 ବିଶ୍ୱକପ୍: ଆଜି ଭାରତ-ପାକିସ୍ତାନ ମ୍ୟାଚ୍, ଜାଣନ୍ତୁ ଦୁବାଇର ପାଣିପାଗ ସ୍ଥିତି

ଆବୁଧାବି: ଟି-ଟ୍ୱେଣ୍ଟି ବିଶ୍ୱକପରେ ସବୁଠୁ ବଡ଼ ମୁକାବିଲା । କ୍ରିଜରେ ଲଢ଼ିବେ ଭାରତ-ପାକିସ୍ତାନ । ଯାହା ଉପରେ ରହିଛି ସମସ୍ତଙ୍କ ନଜର । ସନ୍ଧ୍ୟା ୭ଟା ୩୦ରେ ଦୁବାଇରେ ଆରମ୍ଭ ହେବ ଟକ୍କର । ପୂର୍ବରୁ ପାକିସ୍ତାନ ସହ ହୋଇଥିବା ସମସ୍ତ ମ୍ୟାଚ୍ ଭାରତ ସପକ୍ଷରେ ଯାଇଛି । ତେବେ ଟି-ଟ୍ୱେଣ୍ଟି ଫର୍ମାଟରେ ପାକିସ୍ତାନ ବି ଚକମା ଦେଇପାରେ । ଟି-ଟ୍ୱେଣ୍ଟି ବିଶ୍ୱକପରେ ଭାରତ-ପାକିସ୍ତାନ ୫ ଥର ମୁହାଁମୁହିଁ ହୋଇଛନ୍ତି । ବିଜୟ ଧାରାକୁ ଅବ୍ୟାହତ ରଖି ୬-୦ ସ୍କୋର କରିବାକୁ ଚାହିଁବ ଭାରତ । ତେବେ ଏସବୁ ଉପରେ ନିର୍ଭର କରୁଛି ଦୁବାଇର ପାଣିପାଗ । ଆସନ୍ତୁ ଜାଣିବା କଣ ରହିଛି ସେଠାକାର ପାଣିପାଗ ସ୍ଥିତି…

Cricket T20 World Cup India Vs Pakistan Dubai Weather Update

ଦୁବାଇୁ କ୍ରିକେଟପ୍ରେମୀଙ୍କ ଲାଗି ଭଲ ଖବର ଆସିଛି । ଦୁବାଇରେ ଆଜି ସନ୍ଧ୍ୟା ସମୟରେ ଆକାଶ ସଫା ରହିବା ସହ ବର୍ଷାର କୌଣସି ଆଶଙ୍କା ନାହିଁ । ସନ୍ଧ୍ୟା ବେଳେ ତାପମାତ୍ରା ପ୍ରାୟ ୩୧ ଡିଗ୍ରୀ ପାଖାପାଖି ରହିବ । ଦକ୍ଷିଣରୁ ପୂର୍ବ ଦିଗକୁ ଘଣ୍ଟାପ୍ରତି ୭ କିଲୋମିଟର ବେଗରେ ପବନ ବହିବ । ଏହାସହ ସନ୍ଧ୍ୟାରେ ଆଦ୍ରତା ୭୦ ପ୍ରତିଶତ ପାଖାପାଖି ରହିବ । ଅର୍ଥାତ୍ କ୍ରିକେଟ୍ ପାଇଁ ଭଲ ପାଗ ।

Cricket T20 World Cup India Vs Pakistan Dubai Weather Update

ଭାରତ-ପାକିସ୍ତାନ ମଧ୍ୟରେ ଖେଳା ଯିବାକୁ ଥିବା ମ୍ୟାଚରେ ଟସର ବଡ଼ ଭୂମିକା ରହିବ । ୟୁଏଇରେ ପାଗ ବଦୁଳିଥିବାରୁ କମ ଗରମ ହେବ । ସନ୍ଧ୍ୟା ସମୟରେ କାକରର ପ୍ରଭାବ ମ୍ୟାଚ୍ ଉପରେ ପଡ଼ିପାରେ । ସୂଚନାଯୋଗ୍ୟ ୨୦୨୦ ଆଇପିଏଲ୍ ମୁକାବିଲାର ପ୍ରଥମ ଭାଗରେ ଅଧିକ ଗରମ ହେଉଥିଲା । ଟସ୍ ଜିତି ପ୍ରଥମେ ବ୍ୟାଟିଂ କରି ୭୭ ପ୍ରତିଶତ ବିଜୟ ମିଳୁଥିଲା ।

Cricket T20 World Cup India Vs Pakistan Dubai Weather Update

ଭାରତ ଗ୍ରୁପରେ ୫ଟି ମ୍ୟାଚରୁ ୪ଟି ମୁକାବିଲା ଦୁବାଇରେ ଖେଳିବ । ବିଗତ ବର୍ଷର ପାଣିପାଗ ସ୍ଥିତି ଉପରେ ନଜର ପକାଇଲେ ଏଠାରେ ପିଚ୍ ସେତେ ବଦଳି ନାହିଁ । ବିଗତ ୨ଟି ଆଇପିଏଲ୍ ସିଜିନରେ ମଧ୍ୟ ସ୍କୋର ୧୫୦ରୁ ୧୬୦ ଭିତରେ ରହିଛି । ଦ୍ରୁତ୍ ବୋଲରଙ୍କୁ ଅଧିକ ୱିକେଟ୍ ମିଳିଛି । ରେକର୍ଡ କଥା କହିଲେ ଦୁବାଇରେ ଗୋଟିଏ ୱିକେଟ୍ ପାଇଁ ୨୭ ରନ୍ ଦିଅନ୍ତି ଦ୍ରୁତ ବୋଲର । ଯେତେବେଳେ କି ଗୋଟିଏ ୱିକେଟ୍ ନେବାକୁ ସ୍ପିନର ହାରାହାରି ୩୨ ରନ୍ ଦିଅନ୍ତି ।

୨୬ ଜିଲ୍ଲାରୁ ୪୪୭ କୋଭିଡ୍ ପଜିଟିଭ୍, ଖୋର୍ଦ୍ଧାରୁ ସର୍ବାଧିକ

ଭୁବନେଶ୍ୱର: ରାଜ୍ୟରେ ଗତ ୨୪ ଘଣ୍ଟାରେ ଆଉ ୪୪୭ କୋଭିଡ୍ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଶୂନରୁ ୧୮ ବର୍ଷ ମଧ୍ୟରେ ୭୮ ଜଣ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । କ୍ୱାରେଣ୍ଟାଇନରୁ ୨୬୦ ଜଣ ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ୧୮୭ ଜଣ ସ୍ଥାନୀୟ ସଂକ୍ରମିତ ଚିହ୍ନଟ ହୋଇଛନ୍ତି ।

ଖୋର୍ଦ୍ଧାରୁ ସର୍ବାଧିକ ୧୮୦ ଜଣ ପଜିଟିଭ୍ ଚିହ୍ନଟ ହୋଇଥିବା ବେଳେ ଅନୁଗୁଳରୁ ୩, ବାଲେଶ୍ୱରରୁ ୧୩, ବରଗଡ଼ରୁ ଜଣେ, ଭଦ୍ରକରୁ ୨ ଜଣ, ବଲାଙ୍ଗିରରୁ ଜଣେ, କଟକରୁ ୬୨, ଦେବଗଡ଼ରୁ ୨, ଢେଙ୍କାନାଳରୁ ୪, ଗଜପତିରୁ ୪, ଗଞ୍ଜାମରୁ ୨, ଜଗତସିଂହପୁରରୁ ୧୨, ଯାଜପୁରରୁ ୧୧, ଝାରସୁଗୁଡ଼ାରୁ ଜଣେ, କଳାହାଣ୍ଡିରୁ ଜଣେ ସଂକ୍ରମିତ ଚିହ୍ନଟ ହୋଇଛନ୍ତି ।

କେନ୍ଦ୍ରାପଡ଼ାରୁ ୮, କୋରାପୁଟରୁ ୨, ମାଲକାନଗିରିରୁ ୨, ମୟୂରଭଞ୍ଜରୁ ୧୭, ନୟାଗଡ଼ରୁ ୫, ନୂଆପଡ଼ାରୁ ୨, ପୁରୀରୁ ୮, ରାୟଗଡ଼ାରୁ ୩୧, ସମ୍ବଲପୁରରୁ ୨୪, ସୋନପୁରରୁ ୧, ସୁନ୍ଦରଗଡ଼ରୁ ୫ ଓ ଷ୍ଟେଟପୁଲରୁ ୪୩ ଜଣ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ରାଜ୍ୟରେ ମୋଟ ସଂକ୍ରମିତଙ୍କ ସଂଖ୍ୟା ୧୦ ଲକ୍ଷ ୩୮ ହଜାର ୪୧୧କୁ ବୃଦ୍ଧି ପାଇଛି । ୧୦ ଲକ୍ଷ ୨୫ ହଜାର ୫୦୭ ଜଣ କରୋନାରୁ ସୁସ୍ଥ ହୋଇଥିବା ବେଳେ ୪ ହଜାର ୫୪୨ ସକ୍ରିୟ ସଂକ୍ରମିତ ଅଛନ୍ତି ।

T20 ବିଶ୍ୱକପ୍: ମହା ମୁକାବିଲା ପୂର୍ବରୁ ମୁହାଁମୁହିଁ ଭାରତ ଓ ପାକିସ୍ତାନ କମ୍ପାନୀ

ନୂଆଦିଲ୍ଲୀ: ଆଜି ସନ୍ଧ୍ୟାରେ ଭାରତ-ପାକିସ୍ତାନ ମଧ୍ୟରେ ଖେଳାଯିବ ଟି-ଟ୍ୱେଣ୍ଟି ବିଶ୍ୱକପ୍ ସୁପର-୧୨ର ପ୍ରଥମ ମ୍ୟାଚ୍ । ଏହି ମ୍ୟାଚକୁ ଉତ୍କଣ୍ଠାର ସହ ଦୀର୍ଘ ଦିନରୁ ଅପେକ୍ଷା କରି ରହିଛନ୍ତି କ୍ରିକେଟ୍ ପ୍ରେମୀ । ଉଭୟ ଦେଶ ମଧ୍ୟରେ ଦୀର୍ଘ ବର୍ଷ ପରେ ମୁକାବିଲା ହେବାକୁ ଯାଉଛି । ଏହାକୁ ନେଇ ସବୁଠି କ୍ରେଜ୍ ରହିଛି । ତେବେ ଆଜି ସନ୍ଧ୍ୟା ୭ଟା ୩୦ରେ ହେବାକୁ ଥିବା ମ୍ୟାଚକୁ ନେଇ ଟ୍ୱିଟରରେ ଆରମ୍ଭ ହୋଇଛି ଭିଡ଼ାଭିଡ଼ି ।

ଭାରତ-ପାକିସ୍ତାନ ମ୍ୟାଚକୁ ନେଇ ଟ୍ୱିଟରରେ ମାହୋଲ ଜମୁଥିବା ବେଳେ ଦୁଇ କମ୍ପାନୀଙ୍କ ମଧ୍ୟରେ ଟ୍ୱିଟ୍ ଯୁଦ୍ଧ ଆରମ୍ଭ ହୋଇଛି । ଭାରତ ପକ୍ଷରୁ ଜମାଟୋ ମ୍ୟାଚକୁ ନେଇ ଏକ ଟ୍ୱିଟ୍ କରିଥିଲା । ଯାହାପରେ ପାକିସ୍ତାନ ପକ୍ଷରୁ କରିମ ପାକିସ୍ତାନ କମ୍ପାନୀ ଟ୍ୱିଟର ଜବାବ ଦେଇଛି । ପରେ ଏହି ଦୁଇ ଟ୍ୱିଟକୁ ନେଇ ପ୍ରଶଂସକ ବି ଯୁଦ୍ଧକୁ ଡେଇଁଛନ୍ତି ।

ମ୍ୟାଚ୍ ପୂର୍ବରୁ ଜମାଟୋ ପାକିସ୍ତାନ କ୍ରିକେଟ୍ ବୋର୍ଡକୁ ଟ୍ୱିଟ୍ କରି ଲେଖିଥିଲା ‘ପ୍ରିୟ ପିସିବି, ଯଦି ଆପଣଙ୍କୁ ବର୍ଗର ଓ ପିଜ୍ଜାର ଆବଶ୍ୟକତା ଅଛି ତ ଆମେ କେବଳ ଏକ ମେସେଜ ଦୂରରେ ଅଛୁ ।’ ଜମାଟୋ କରିଥିବା ଏହି ଟ୍ୱିଟର ଜବାବରେ କରିମ ପାକିସ୍ତାନ ଲେଖିଛି ‘ଚିନ୍ତା କର ନାହିଁ, ଆମେ ତାଙ୍କୁ ମାଗଣାରେ ବର୍ଗର ଓ ପିଜ୍ଜା ଯୋଗାଉଛୁ । ଏବଂ ଆପଣଙ୍କ ପାଇଁ ବଢ଼ିଆ ଚା ପଠାଉଛୁ ।’ ୨ କମ୍ପାନୀର ଏହି ଟ୍ୱିଟକୁ ନେଇ ମଧ୍ୟ ଫ୍ୟାନଙ୍କ ଟିପ୍ପଣୀ ବଢ଼ି ଚାଲିଛି ।

ଲଗାତାର ପଞ୍ଚମ ଦିନ ବଢ଼ିଲା ତୈଳଦର, ମାଲକାନଗିରିରେ ୧୧୦ ଡେଇଁଲା ଡିଜେଲ୍

ଭୁବନେଶ୍ୱର: ଦେଶରେ ପୁଣି ବଢ଼ିଛି ପେଟ୍ରୋଲ ଓ ଡିଜେଲ ଦାମ । ଲଗାତାର ପଞ୍ଚମ ଦିନରେ ତୈଳଦର ବୃଦ୍ଧି ପାଇଛି । ରାଷ୍ଟ୍ରୀୟ ରାଜଧାନୀ ଦିଲ୍ଲୀରେ ଉଭୟ ପେଟ୍ରୋଲ ଓ ଡିଜେଲ୍ ଦାମ ଲିଟର ପିଛା ୩୫ ପଇସା ଲେଖାଏଁ ବଢ଼ିଛି । ଦିଲ୍ଲୀରେ ପେଟ୍ରୋଲ ଲିଟର ପିଛା ୧୦୭ ଟଙ୍କା ୫୯ ପଇସା ଓ ଡିଜେଲ୍ ଦାମ ୯୬ ଟଙ୍କା ୩୨ ପଇସା ରହିଛି ।

ତୈଳଦର ବଢ଼ୁଥିବାରୁ ପରିବହନ ଭଡ଼ା ବଢ଼ି ସବୁର ଦରଦାମ ମଧ୍ୟ ବୃଦ୍ଧି ପାଉଛି । ରାଜ୍ୟର ସମସ୍ତ ଜିଲ୍ଲାରେ ଡିଜେଲ୍ ଦର ୧୦୫ ଟଙ୍କା ଉପରେ ରହିଛି । ମାଲକାନଗିରିରେ ଡିଜେଲର ସର୍ବାଧିକ ଦର ଲିଟର ପିଛା ୧୧୦ ଟଙ୍କା ୪୭ ପଇସା ଥିବାବେଳେ କୋରାପୁଟରେ ୧୦୯ ଟଙ୍କା ୯୦ ପଇସା, ନବରଙ୍ଗପୁରରେ ୧୦୯ ଟଙ୍କା ୨୪ ପଇସା, ରାୟଗଡ଼ାରେ ୧୦୯ ଟଙ୍କା ୬ ପଇସା ରହିଛି । ଭୁବନେଶ୍ୱରରେ ଡିଜେଲ୍ ୧୦୫ ଟଙ୍କା ୭ ପଇସାରେ ବିକ୍ରି ହେଉଛି ।

ଡିଜେଲ୍ ଭଳି ପେଟ୍ରୋଲ୍ ଦର ମଧ୍ୟ ସର୍ବକାଳୀନ ରେକର୍ଡ ଭାଙ୍ଗିଛି । ରାଜ୍ୟର ୧୩ ଜିଲ୍ଲାରେ ପେଟ୍ରୋଲ ଦର ୧୧୦ ଟଙ୍କା ଉପରେ ରହିଛି । ମାଲକାନଗିରିରେ ପେଟ୍ରୋଲର ସର୍ବାଧିକ ଦର ୧୧୪ ଟଙ୍କା ୧୩ ପଇସା ଥିବାବେଳେ କୋରାପୁଟରେ ୧୧୩ ଟଙ୍କା ୫୪ ପଇସା, ନବରଙ୍ଗପୁରରେ ୧୧୨ ଟଙ୍କା ୮୫ ପଇସା, ରାୟଗଡ଼ାରେ ୧୧୨ ଟଙ୍କା ୬୯ ପଇସା ରହିଛି । ଭୁବନେଶ୍ୱରରେ ପେଟ୍ରୋଲ ଲିଟର ପିଛା ୧୦୮ ଟଙ୍କା ୫୫ ପଇସାରେ ବିକ୍ରି ହେଉଛି ।