ନନ୍ଦିଘୋଷ ବ୍ୟୁରୋ: ବାଲେଶ୍ୱର ୭ ନମ୍ବର ୱାର୍ଡର ପୂର୍ବତନ କାଉସିଲରଙ୍କୁ ଆକ୍ରମଣ।ଘଟଣାକୁ ନେଇ ବାଲେଶ୍ୱର ମେଡିକାଲରେ ଉତ୍ତେଜନା। ଟାଉନ ଥାନାରେ ଆପୋଷ ବୁଝାମୁଣା କରି ଫେରୁଥିବା ବେଳେ ପୂର୍ବତନ ବିଜେଡି କାଉନସିଲର ସାକୀର ଖାନଙ୍କୁ ଅଜଣା ଯୁବକଙ୍କ ଆକ୍ରମଣ ପରେ ଉତ୍ତେଜନା ସୃଷ୍ଟି ହୋଇଥିବା ଜଣାପଡିଛି। କାହିଁକି ଓ କିଏ ଆକ୍ରମଣ କଲେ ତାହା ଅସ୍ପଷ୍ଟ ରହିଛି। ଗୁରୁତର କାଉନସିଲରଙ୍କୁ କଟକ ସ୍ଥାନାନ୍ତର କରାଯାଇଛି। ଘଟଣାର ପୋଲିସ ଛାନବିନ ଆରମ୍ଭ କରିଛି।
ହାଇକୋର୍ଟରେ ଭୁବନେଶ୍ଵର ଗାଡ଼କଣ ଡମ୍ପିଂୟାର୍ଡ ମାମଲା
ନନ୍ଦିଘୋଷ ବ୍ୟୁରୋ: ହାଇକୋର୍ଟରେ ଭୁବନେଶ୍ଵର ଗାଡ଼କଣ ଡମ୍ପିଂୟାର୍ଡ ମାମଲା । ଜନସ୍ବାର୍ଥ ମାମଲାର ଶୁଣାଣୀ କରି ୭ ଦିନ ଭିତରେ ସତ୍ୟପାଠ ଦାଖଲ କରିବାକୁ ବିଏମସିକୁ ନିର୍ଦ୍ଦେଶ ଦେଲେ ହାଇକୋର୍ଟ । ଅଳିଆ ପକାଇ ପରିବେଶକୁ ନଷ୍ଟ କରାଯାଉଥିବା ଦର୍ଶାଇ ଦାୟର ହୋଇଥିଲା ମାମଲା । ପରିବେଶ ମଞ୍ଜୁରୀ, ଆବର୍ଜନା ନିରାପତ୍ତା ନିୟମ ଓ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ବିନା ଅନୁମୋଦନରେ ଦୀର୍ଘ ୧୮ ବର୍ଷରୁ ଅଧିକ ସମୟ ଧରି ବେଆଇନ ଭାବେ ଅଳିଆ ଗଦା ଯାଉଥିବା ଆବେଦନରେ ଦର୍ଶାଯାଇଥିଲା । ଆଡଭୋକେଟ ବିରଜା ମହାପାତ୍ର, ବିପ୍ଳବ ବାହାଲି ଓ ସୂର୍ଯ୍ୟ ମିଶ୍ରଙ୍କ ଦ୍ୱାରା ଆଗତ ଏହି ମାମଲାରେ ବାରମ୍ବାର ଦୃଷ୍ଟି ଆକର୍ଷଣ ପରେ ବିଏମସି ଓ ରାଜ୍ୟ ସରକାର ଏହାକୁ ଅଣଦେଖା କରି ଚାଲିଥିବା ଦର୍ଶା ଯାଇଥିଲା । ଆଜି ମାମଲାର ଶୁଣାଣୀ କରି ୭ ଦିନ ଭିତରେ ସତ୍ୟପାଠ ଦାଖଲ କରିବାକୁ ବିଏମସିକୁ ନିର୍ଦ୍ଦେଶ ଦେଇଛନ୍ତି ଉଚ୍ଚ ନ୍ୟାୟାଳୟ ।
ପୁଣି ଥରେ ଜୋର ଧରିଲା ହାଇକୋର୍ଟ ସ୍ଥାୟୀ ବେଞ୍ଚ ପ୍ରତିଷ୍ଠା ଦାବି
ନନ୍ଦିଘୋଷ ବ୍ୟୁରୋ: ପୁଣି ଥରେ ଜୋର ଧରିଲା ହାଇକୋର୍ଟ ସ୍ଥାୟୀ ବେଞ୍ଚ ପ୍ରତିଷ୍ଠା ଦାବି । ଏ କ୍ଷେତ୍ରରେ ଓଡ଼ିଶା ପ୍ରତି କେନ୍ଦ୍ର ସରକାରଙ୍କ ଉଦାସୀନ ମନୋଭାବକୁ ଟାର୍ଗେଟ କରିଛନ୍ତି ବିରୋଧୀ । କାରଣ ମହାରାଷ୍ଟ୍ରକୁ ଆଉ ଏକ ହାଇକୋର୍ଟ ବେଞ୍ଚ ପ୍ରତିଷ୍ଠା ଲାଗି ମଞ୍ଜୁରୀ ମିଳିଛି । ହେଲେ ନା ଦକ୍ଷିଣ ଓଡ଼ିଶା ନା ପଶ୍ଚିମ ଓଡ଼ିଶାକୁ, କାହାକୁ ଏଯାଏଁ ମିଳିଲାନି ହାଇକୋର୍ଟ ବେଞ୍ଚ । ଦିନେ ବିରୋଧୀ ଦଳରେ ଥିବା ବିଜେପି ହାଇକୋର୍ଟ ବେଞ୍ଚ ପାଇଁ ସ୍ବର ଉଠାଉଥିଲା । ହେଲେ ଶାସନକୁ ଆସିବା ପରେ ଏ କ୍ଷେତ୍ରକୁ ଅଣଦେଖା କରି ଓକିଲଙ୍କ ଉପରେ ନିଷ୍ପତ୍ତି ଛାଡ଼ି ପ୍ରସଙ୍ଗକୁ ଏଡ଼ାଇବାକୁ ଚେଷ୍ଟା କରିଥିବା ଅଭିଯୋଗ ହୋଇଛି ।
ବମ୍ବେ ହାଇକୋର୍ଟକୁ ମିଳିଲା ଚତୁର୍ଥ ହାଇକୋର୍ଟ ବେଞ୍ଚ । ଗୋଆ, ଔରଙ୍ଗାବାଦ ଓ ନାଗପୁର ପରେ କୋହ୍ଲାପୁରରେ ହାଇକୋର୍ଟ ବେଞ୍ଚ ଅଗଷ୍ଟ ୧୮ରୁ କାର୍ଯ୍ୟକ୍ଷମ ହେବ । ହେଲେ ଦକ୍ଷିଣ ଓଡ଼ିଶା ନା ପଶ୍ଚିମ ଓଡ଼ିଶା, କାହାକୁ ଏଯାଏଁ ମିଳିଲାନି ହାଇକୋର୍ଟ ବେଞ୍ଚ । ଲୋକଙ୍କୁ କଟକ ଦୂର ପଡ଼ୁଥିବାରୁ ହାଇକୋର୍ଟର ସ୍ଥାୟୀ ବେଞ୍ଚ ପାଇଁ ଦକ୍ଷିଣ ଓ ପଶ୍ଚିମ ଓଡ଼ିଶାରୁ ଦୀର୍ଘ ଦିନରୁ ଦାବି ହୋଇ ଆସୁଛି । ଏହାକୁ ସମ୍ମାନ ଜଣାଇ ଦୁଇ ଦୁଇ ଥର କେନ୍ଦ୍ର ସରକାରଙ୍କୁ ଚିଠି ଲେଖିଥିଲେ ତତ୍କାଳୀନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏପରିକି ଭିତ୍ତିଭୂମି ଯୋଗାଇବାକୁ ବି ନବୀନ ସ୍ପଷ୍ଟ କରିଥିଲେ । ହେଲେ ଏଯାଏଁ ଏହା ହୋଇ ପାରିଲା ନାହିଁ ।
ଏହା ଭିତରେ ସରକାର ବଦଳି ବିଜେପି କ୍ଷମତାକୁ ଆସିଛି । ବିରୋଧୀରେ ଥିବା ସମୟରେ ବିଜେପି ବାରମ୍ବାର ହାଇକୋର୍ଟ ବେଞ୍ଚ ପାଇଁ ଦାବି କରୁଥିଲା । ହେଲେ ଶାସନକୁ ଆସିବା ପରେ ଏ ଦିଗରେ ପଦକ୍ଷେପ ଇଞ୍ଚେ ବି ଆଗେଇଲା ନାହିଁ । ଓଡ଼ିଶାରେ ହାଇକୋର୍ଟ ବେଞ୍ଚ ହେବନି ବୋଲି ଗତ ବର୍ଷ ସେପ୍ଟେମ୍ବର ୩ ତାରିଖରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ବିଧାନସଭାରେ ଲିଖିତ ଉତ୍ତର ରଖିଥିଲେ । ହେଲେ ବିରୋଧ ଯୋଗୁଁ ୨୪ ଘଣ୍ଟାରେ ସ୍ବର ବଦଳାଇ ମାମଲା ବିଚାରାଧୀନ ଥିବା ନେଇ ଗୃହରେ ଉତ୍ତର ରଖିଥିଲେ ମୁଖ୍ୟମନ୍ତ୍ରୀ । ସେବେଠାରୁ ହାଇକୋର୍ଟ ବେଞ୍ଚ ନେଇ ବିଜେପି ସରକାରଙ୍କ ଆଭିମୁଖ୍ୟକୁ ନେଇ ସନ୍ଦେହ ଉପୁଜିଛି ।
ସେପଟେ ହାଇକୋର୍ଟ ସ୍ଥାୟୀ ବେଞ୍ଚ ପ୍ରସଙ୍ଗରେ ଓକିଲ ସଙ୍ଘର କୋର୍ଟକୁ ବଲ ପକାଇଛନ୍ତି ରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀ । ଯଶବନ୍ତ ସିଂହ କମିଶନ ହାଇକୋର୍ଟ ବେଞ୍ଚ ନେଇ ମାପଦଣ୍ଡ ସ୍ଥିର କରିଛନ୍ତି । ଓକିଲ ସଙ୍ଘ ନିଜ ଭିତରେ ଆଲୋଚନା କରି ସ୍ଥିର କରିବା କଥା । ସରକାରଙ୍କ ଏପରି ଯୁକ୍ତିକୁ ବିରୋଧ କରିଛି କଂଗ୍ରେସ । ବିଜେପି ଏବେ କାହିଁକି ଚୁପ ? ହାଇକୋର୍ଟ ବେଞ୍ଚ ପାଇଁ ସ୍ଥାନ ନିରୂପଣ କରିବା ସରକାରଙ୍କ ଦାୟିତ୍ବ । ହେଲେ ସରକାର ଓକିଲଙ୍କ ସହ ଓକିଲ ଓ ଜିଲ୍ଲା ସହ ଜିଲ୍ଲାକୁ ଲଢେଇ କରିବା ପାଇଁ ଚେଷ୍ଟା କରୁଥିବା ନେଇ କଂଗ୍ରେସ ଅଭିଯୋଗ କରିଛି ।
ସବୁ ରାଜ୍ୟର ଭୌଗଳିକ ଚିତ୍ର ଭିନ୍ନ । ମହାରାଷ୍ଟ୍ର ତୁଳନାରେ ଓଡ଼ିଶା ଛୋଟ ରାଜ୍ୟ ହୋଇଥିଲେ ବି କଟକରୁ ଅନେକ ଦୂର ପଶ୍ଚିମ ଓ ଦକ୍ଷିଣ ଓଡ଼ିଶାର ବିଭିନ୍ନ ଅଞ୍ଚଳ । ସମ୍ବଲପୁରରୁ କଟକ ୨୬୭ କିଲୋମିଟର ଦୂର ହୋଇଥିବାବେଳେ ବଲାଙ୍ଗୀର ୩୧୩ କିଲୋମିଟର ଦୂର । ସେହିପରି କେରାପୁଟରୁ କଟକ ୫୩୦ କିଲୋମିଟର ଓ କଟକରୁ ମାଲକାନଗିରି ୬୬୨ କିଲୋମିଟର ଦୂର । ଏପରି ସ୍ଥିତିରେ ଦକ୍ଷିଣ ଓ ପଶ୍ଚିମରୁ କଟକ ଆସି ଖର୍ଚ୍ଚାନ୍ତ ହେଉଛନ୍ତି ଲୋକ । ଯଦି ତାରିଖ ପରେ ତାରିଖ ପଡ଼େ, ଅର୍ଥ ଓ ସମୟ ନଷ୍ଟ ହୋଇଥାଏ । ଏପରି ସ୍ଥିତିରେ ରାଜ୍ୟର ଆବଶ୍ୟକତାକୁ ଦୃଷ୍ଟିରେ ରଖି ମହାରାଷ୍ଟ ପରି ଓଡ଼ିଶାକୁ ହାଇକୋର୍ଟ ବେଞ୍ଚ ମିଳିବା ନେଇ ଚୁପ ବସିବା ବଦଳରେ କେନ୍ଦ୍ର ଉପରେ ରାଜ୍ୟ ସରକାର ଚାପ ପକାଇବାକୁ ଦାବି ଜୋର ଧରିଛି ।
ଖରିଫ ପଞ୍ଜିକରଣରେ ଜଟିଳ ପ୍ରକ୍ରିୟାକୁ ନେଇ ହନ୍ତସନ୍ତ ହେଉଛନ୍ତି ଚାଷୀ
ନନ୍ଦିଘୋଷ ବ୍ୟୁରୋ; ଖରିଫରେ ଜାରି ରହିଛି କଟନି ଛଟନି। କୁଇଣ୍ଟାଲ ପିଛା କଟାଯାଉଛି ୮ରୁ ୧୦ କେଜି ଧାନ। ଏନେଇ ଖୋଦ ଅଭିଯୋଗ କରିଛନ୍ତି ଶାସକ ଦଳର ବରିଷ୍ଠ ବିଧାୟକ ତଥା ବିଧାନସଭା ପବ୍ଲିକ ଅଣ୍ଡରଟେକିଂ କମିଟି ଅଧ୍ୟକ୍ଷ ପଦ୍ମଲୋଚନ ପଣ୍ଡା। ଧାନ ପଞ୍ଜିକରଣ ଜଟିଳରେ ବ୍ୟବସ୍ଥା ଓ ଖରିଫରେ ଧାନ କଟାଯିବାକୁ ନେଇ ବିଧାନସଭା କମିଟି ବୈଠକରେ ପ୍ରକାଶ ପାଇଛି ଉଦବେଗ। ତୁରନ୍ତୁ ପଞ୍ଜିକରଣ ସରଳ କରିବା ସହ କଟନି ଛଟନି ବନ୍ଦ କରିବାକୁ ଦାବି ହୋଇଛି। ସେହିପରି ବିଜେଡି ଓ କଂଗ୍ରେସ ବିଧାୟକ ମଧ୍ୟ ଧାନର କଟନି ଛଟନି ନେଇ ରାଜ୍ୟ ସରକାରଙ୍କୁ ଟାର୍ଗେଟ କରିଛନ୍ତି।
ଖରିଫ ପଞ୍ଜିକରଣରେ ଜଟିଳ ପ୍ରକ୍ରିୟାକୁ ନେଇ ହନ୍ତସନ୍ତ ହେଉଛନ୍ତି ଚାଷୀ । ସରକାରଙ୍କ ଜଟିଳ ନିୟମ ଯୋଗୁଁ ବାଧା ହେଉଛି ପଞ୍ଜିକରଣ । ଧାନ ପଞ୍ଜିକରଣକୁ ସରଳୀକରଣ କରିବାକୁ ବିଧାନସଭା ଗୃହ କମିଟିରେ ପ୍ରକାଶ ପାଇଛି ଉଦବେଗ। ପବ୍ଲିକ ଅଣ୍ଡରଟେକିଂ କମିଟି ବୈଠକରେ ସରକାରୀ ଅଧିକାରୀଙ୍କ ଉପରେ ଅସନ୍ତୋଷ ପ୍ରକାଶ କରିଛନ୍ତି ଶାସକ ଓ ବିରୋଧୀ ବିଧାୟକ। କମିଟି ଅଧ୍ୟକ୍ଷ ପଦ୍ମଲୋଚନ ପଣ୍ଡା ଅଭିଯୋଗ କରିଛନ୍ତି ଯେ, ବର୍ତ୍ତମାନର ପଞ୍ଜିକରଣ ବ୍ୟବସ୍ଥାରେ ଚାଷୀ ହଇରାଶ ହେଉଛନ୍ତି। ତେଣୁ ଗୋଟିଏ ଲେଖାରେ ଚାଷୀ ଯେମିତି ପଞ୍ଜିକରଣ କରିପାରିବ, ସେ ବ୍ୟବସ୍ଥା କରିବାକୁ ଅଧିକାରୀଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ବୈଠକ ପରେ ଶାସକ ଦଳର ବିଧାୟକଙ୍କ କହିବା କଥା, ଖରିଫ ଧାନ କିଣାରେ ୮ରୁ ୧୦ କେଜି କଟନି ଛଟନି ହେଉଛି। ଯାହାର ଫାଇଦା ନେଉଛନ୍ତି ମିଲର। ତେଣୁ କମିଟି ଉଦବେଗ ପ୍ରକାଶ କରିବା ସହ, କଟନି ଛଟନିକୁ ବନ୍ଦ କରିବାକୁ ତାଗିଦ କରିଛନ୍ତି।
ନିର୍ବାଚନ ପୂର୍ବରୁ ବିଜେପି ଧାନର କଟନି ଛଟନି ସଂପୂର୍ଣ୍ଣ ବନ୍ଦ କରିବ କହି ସରକାରକୁ ଆସିଲା। ରବି ପରି ଖରିଫରେ ମଧ୍ୟ ୮ରୁ ୧୦ କେଜି ଧାନ କଟା ଯାଉଛି ବୋଲି ବିରୋଧୀଙ୍କ ପରେ ଖୋଦ ଅଭିଯୋଗ କଲେଣି ଶାସକ ଦଳ ବିଧାୟକ। କଂଗ୍ରେସ ଅଭିଯୋଗ କରିଛି, ଲୁଟର ଶିକାର ହେଉଛନ୍ତି ଚାଷୀ। ସେହିପରି ଧାନ ପଞ୍ଜିକରଣକୁ ସରଳ କରିବା ସହ କଟନି ଛଟନି ବନ୍ଦ କରିବାକୁ ଦାବି କରିଛି ବିଜେଡି। ବିଜେପି କିନ୍ତୁ ଏହାକୁ ମାନିବାକୁ ନାରାଜ। ଚାଷୀ କେବଳ ଗୋଟିଏ ସେଲ୍ଫ ଡିକ୍ଲାରେସନ୍ ଫର୍ମରେ ଦସ୍ତଖତ କରାଇ ପଞ୍ଜିକରଣ କରି ପାରିବେ ବୋଲି କହୁଛନ୍ତି ଯୋଗାଣ ମନ୍ତ୍ରୀ। ହେଲେ ଗ୍ରାଉଣ୍ଡରେ ଏହା ହେଉନି କାର୍ଯ୍ୟକାରୀ। ବିଧାନସଭା କମିଟିରେ ଖୋଦ ଶାସକ ଦଳର ବିଧାୟକ ଉଦବେଗ ପ୍ରକାଶ କରିବା ପରେ ପଦାକୁ ଆସିଛି ସତ।
୪ ଜିଲ୍ଲା ସଭାପତିଙ୍କ ନାମ ଘୋଷଣା କଲା ବିଜେଡି
ନନ୍ଦିଘୋଷ ବ୍ୟୁରୋ: ବିଜେଡିର ୪ ଜିଲ୍ଲା ସଭାପତିଙ୍କ ନାମ ଘୋଷଣା କଲା ବିଜେଡି । ଗଂଜାମ ଜିଲ୍ଲା ବିଜେଡି ସଭାପତି ଭାବେ ବିକ୍ରମ ପଣ୍ଡାଙ୍କ ନାଁ ଘୋଷଣା କରାଯାଇଛି । ସେହିଭଳି କେନ୍ଦ୍ରାପଡ଼ା ଜିଲ୍ଲା ସଭାପତି ଭାବେ ଶିବ ପ୍ରସାଦ ଭୋଳଙ୍କ ନାଁ ଘୋଷଣା କରାଯାଇଛି । କଳାହାଣ୍ଡି ଜିଲ୍ଲା ସଭାପତି ଭାବେ ପ୍ରଦୀପ ଦିଶାରୀଙ୍କୁ ଦାୟିତ୍ବ ପ୍ରଦାନ କରାଯାଇଛି । କଟକ ଜିଲ୍ଲା ସଭାପତି ଭାବେ ପ୍ରଫୁଲ୍ଲ ସିଂଙ୍କ ନାଁ ଘୋଷଣା ହୋଇଛି । ସିମସ୍ତଙ୍କୁ ଜିଲ୍ଲା ସଭାପତି ଦାୟିତ୍ବ ପ୍ରଦାନ କରିଛନ୍ତି ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ । ପୂର୍ବରୁ ୨୪ ସାଂଗଠନିକ ଜିଲ୍ଲା ସଭାପତିଙ୍କ ନାଁ ଘୋଷଣା ସରିଥିଲା ।
ମାଆ କଟକ ଚଣ୍ଡୀଙ୍କ ପୀଠର ନବୀକରଣ କାମ କଛପ ଗତିରେ…
ନନ୍ଦିଘୋଷ ବ୍ୟୁରୋ: କଟକର ଆରାଧ୍ଯ ଦେବୀ ମାଆ କଟକ ଚଣ୍ଡୀଙ୍କ ପୀଠର ନବୀକରଣ କାମ କଛପ ଗତିରେ ଚାଲିଛି । ଆଗକୁ ଦୁଇ ମାସ ପରେ ମାଆଙ୍କ ନବରାତ୍ର ପୂଜା । ଏହା ପୂର୍ବରୁ କାମ ସରିବାର ସମ୍ଭାବନା ନଥିବାରୁ ଭକ୍ତଙ୍କ ମଧ୍ଯରେ ଅସନ୍ତୋଷ ପ୍ରକାଶ ପାଇଛି । ବାରବାଟୀ କଟକ ବିଧାୟିକା ସୋଫିଆ ଫିରଦୌସ ଓ ବରିଷ୍ଠ କଂଗ୍ରେସ ନେତା ମନ୍ଦିର ବୁଲି କାମର ଅଗ୍ରଗତି ଦେଖିବା ସହିତ ଶୀଘ୍ର ସାରିବାକୁ ନିର୍ଦ୍ଦେଶ ଦେଇଛନ୍ତି । ସେପଟେ ବିଭାଗୀୟ ଅଧିକାରୀ କହିଛନ୍ତି କାମ ଦ୍ରୁତ ଗତିରେ ଚାଲିଛି । ଆଉ କିଛି ମାସ ପରେ ସମ୍ପୂର୍ଣ୍ଣ ହେବ ।
କେବେ ସରିବ କଟକ ଚଣ୍ଡି ମନ୍ଦିର କାମ ? କଚ୍ଛପ ଗତିରେ ଚାଲିଛି ପୂନଃଉଦ୍ଧାର । ଆଗକୁ ନବରାତ୍ର ପୂଜା, ଶ୍ରଦ୍ଧାଳୁଙ୍କ ଅସନ୍ତୋଷ । କଟକର ଆରାଧ୍ଯ ଦେବୀ ମାଆ କଟକ ଚଣ୍ଡୀଙ୍କ ମନ୍ଦିର ନବୀକରଣ କାମର ମନ୍ଥରତାକୁ ନେଇ ଦେଖାଦେଇଛି ଅସନ୍ତୋଷ । ମନ୍ଦିର ପରିସର ପୁରୁଣା ଭିତ୍ତିଭୂମୀ ସବୁ ଉଚ୍ଛେଦ କରାଯାଇ କାମ ଆରମ୍ଭ କରାଯାଇଥିଲା । ତେବେ ଏହା ଭିତରେ ଦେଢ ବର୍ଷ ବିତିଥିଲେ ବି କାମ ସମ୍ପୂର୍ଣ୍ଣ ହୋଇ ପାରିନାହିଁ । ଫଳରେ ପ୍ରତିଦିନ ଆସୁଥିବା ଶହ ଶହ ଭକ୍ତ ପୂଜା ଓ ଦର୍ଶନ କରିବାକୁ ହଇରାଣ ହେଉଛନ୍ତି । ଦୁଇମାସ ପରେ ମାଆଙ୍କ ଷୋଡଶ ଉପଚାର ଓ ନବରାତ୍ର ପୂଜା । ସେହି ସମୟରେ କାମ ସରି ନଥିଲେ ସମସ୍ୟା ହେବ ବୋଲି କହିଛନ୍ତି ଶ୍ରଦ୍ଧାଳୁ ।
ଅନ୍ୟ ପକ୍ଷରେ କାମ କରୁଥିବା ବିଭାଗ ଓ ସଂସ୍ଥାର ଅଧିକାରୀ କହିଛନ୍ତି ପାର୍ଶ୍ବ ଦେବାଦେବୀ ମନ୍ଦିର କାମ ଆଗେଇ ଗଲାଣି । ମନ୍ଦିରର ପୂଜା ସାମଗ୍ରୀ ଓ ଭୋଗ ଦୋକାନ କାମ ସରିଲାଣି । ମୁଖ୍ଯ ମନ୍ଦିର ସେମାନଙ୍କୁ ବିଳମ୍ବରେ ହସ୍ତାନ୍ତର କରାଯାଇଥିଲା । ଏପ୍ରିଲ ମାସରୁ କାମ ଜୋରସୋରରେ ଚାଲିଛି, ପୂଜା ବେଳକୁ ଏକପ୍ରକାର ସମ୍ପୂର୍ଣ୍ଣ ହୋଇଥିବା । ଫେବ୍ରୁଆରୀ ମାସ ସୁଦ୍ଧା ସମସ୍ତ କାମ ସାରିବାକୁ ଲକ୍ଷ୍ଯ ରଖାଯାଇଛି ।
ଚାଲିଥିଲା ମେଳା, ଲାଗିଗଲା ନିଆଁ
ନିନ୍ଦିଘୋଷ ବ୍ୟୁରୋ: ସୁନ୍ଦରଗଡ଼ ଜିଲ୍ଲା ବିଶ୍ରା ବ୍ଲକ ଅନ୍ତର୍ଗତ ଝିରପାଣି ପଡ଼ିଆରେ ଚାଲିଥିବା ମେଳାରେ ଅଗ୍ନିକାଣ୍ଡ । ନିଆଁଲାଗି ମେଳାରେ ପଡିଥିବା ୩୦ ଟି ଦୋକାନ ସହ ବିଭିନ୍ନ ସାମଗ୍ରୀ ଜଳି ନଷ୍ଟ ହୋଇଥିବା ଅଭିଯୋଗ ହୋଇଛି । ୨୦ ଟି ଦୋକାନ ସମ୍ପୁର୍ଣ୍ଣ ଜଳି ନଷ୍ଟ ହୋଇଥିବା ବେଳେ ଅନ୍ୟ ୧୦ ଟି ଦୋକାନ ସାମାନ୍ୟ କ୍ଷତିଗ୍ରସ୍ତ ହୋଇଥିବା ଅଭିଯୋଗ ହୋଇଛି । ଅଗ୍ନିକାଣ୍ଡ ପରେ ୩ ଜଣ ବ୍ୟବସାୟୀ ସାମାନ୍ୟ ଆହତ ହୋଇଥିବା ଅଭିଯୋଗ ହୋଇଛି । ଝିରପାଣି ଥାନା ପୋଲିସ ଓ ଅଗ୍ନିଶମ ବାହିନୀ ନିଆଁକୁ ଆୟତ୍ତ କରିଛନ୍ତି । ନିଆଁ ଲାଗିବାର ନିର୍ଦ୍ଦିଷ୍ଟ କାରଣ ଜଣା ପଡିନଥିବା ବେଳେ ସର୍ଟ ସର୍କିଟ ଯୋଗୁଁ ଅଗ୍ନିକାଣ୍ଡ ଘଟିଥିବା ସନ୍ଦେହ କରାଯାଉଛି । ଶ୍ରାବଣ ମାସ ପାଇଁ ଜୁଲାଇ ୨୦ ତାରିଖରୁ ଚାଲିଥିଲା ଏହି ମେଳା । ରାଜ୍ୟ ଓ ରାଜ୍ୟ ବାହାରର ଶତାଧିକ ବ୍ୟବସାୟୀ ବିଭିନ୍ନ ପ୍ରକାରର ଦୋଳି ସହିତ ବିଭିନ୍ନ ସାମଗ୍ରୀ ଆଣି ବ୍ୟବସାୟ କରୁଥିଲେ ।
ମାଆ ଆଗରେ ଉଠିଲା ପୁଅର କୋକେଇ, କାନ୍ଦ ବୋବାଳିରେ ଫାଟି ପଡ଼ିଲା ଗାଁ
ନନ୍ଦିଘୋଷ ବ୍ୟୁରୋ: ଗ୍ରାନାଇଟ ପଥର ନେଇଗଲା ଜୀବନ। ଆନ୍ଧ୍ରପ୍ରଦେଶ ବାଲିକୁରଭା ମଣ୍ଡଳ ମଲାୟାପୁରମ ଗାଁ ନିକଟର ପଥର ଖଣିରେ ବିସ୍ଫୋରଣ ଘଟି ୬ ଓଡ଼ିଆ ଶ୍ରମିକଙ୍କ ମୃତ୍ଯୁ। ମୃତକଙ୍କ ମଧ୍ଯରେ ଗଞ୍ଜାମ ଜିଲ୍ଲାର ୪ ଜଣ ଥିବାବେଳେ ଗଜପତି ମୋହନାର ଦୁଇଜଣଙ୍କ ଜୀବନ ଯାଇଛି। ଆଜି ମୃତଦେହ ଗାଁରେ ପହଞ୍ଚିବା ପରେ ସୃଷ୍ଟି ହୋଇଛି ଶୋକାକୁଳ ପରିବେଶ । ଘଟଣାର ତଦନ୍ତ କରି ଫେରିଛନ୍ତି ଜିଲ୍ଲା ପ୍ରଶାସନର ୩ ଜଣିଆ ଟିମ୍ । ସେପଟେ ଓଡ଼ିଆ ଶ୍ରମିକଙ୍କ ପ୍ରାଣ ହରାଇଥିବା ନେଇ ଗଭୀର ଶୋକ ପ୍ରକାଶ କରିଥିଲେ ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ।
ମାଆ ଆଗରେ ଉଠିଲା ପୁଅର କୋକେଇ । କାନ୍ଦ ବୋବାଳିରେ ଫାଟି ପଡୁଛି ଗାଁ ଦାଣ୍ଡ । ବାହୁନି ବାହୁନି କାନ୍ଦୁଛି ମାଆ । ଆଉ ଛାତିକୁ ପଥର କରିଦେଇଛି ବାପା। ସ୍ବାମୀକୁ ହରାଇ କାନ୍ଦିକାନ୍ଦି ମୁର୍ଚ୍ଛା ଯାଉଛି ସ୍ତ୍ରୀ । ପରିବାର ପ୍ରତିପୋଷଣ ପାଇଁ ଆନ୍ଧ୍ର ଯାଇଥିଲେ । ହେଲେ ଫେରିଲା ସେମାନଙ୍କ ଶବ । ଆନ୍ଧ୍ରପ୍ରଦେଶ ବାଲିକୁରଭା ମଣ୍ଡଳ ମଲାୟାପୁରମ ଗାଁ ନିକଟର ପଥର ଖଣିରେ ବିସ୍ଫୋରଣ ଘଟି ଚାଲିଗଲା ୬ ଓଡ଼ିଆଙ୍କ ଜୀବନ । ମୃତକମାନେ ହେଲେ ଦିଗପହଣ୍ଡି ବ୍ଲକ ଚଷାନିମଣ୍ଡି ଗାଁର ଦଣ୍ଡ ବାଡତ୍ଯା, ଫାସିଗୁଡ଼ା ପଞ୍ଚାୟତ ବାଙ୍ଗରଡ଼ାର ବନମାଳୀ ବେହେରା, ଧରାକୋଟ ବ୍ଲକ ଢଉଗାଁ ପଞ୍ଚାୟତ ବାଇଡ଼ାଗୁଡ଼ାର ମୁଷା ଜେନା, ଓଳମ୍ବା ପଞ୍ଚାୟତ କଷେଇ ଗାଁର ସନ୍ତୋଷ ଗୌଡ଼ ଏବଂ ମୋହନା ଥାନା ଢେପାଗୁଡ଼ା ପଞ୍ଚାୟତ ଅଲରା ଗାଁର ଭାଷ୍କର ବିଷୋୟୀ ଓ ଟୁକୁନା ଦଳେଇ । ଆଜି ଗାଁରେ ମୃତଦେହ ପହଞ୍ଚିବା ପରେ ଶୋକାକୂଳ ପରିବେଶରେ ସମସ୍ତଙ୍କ ଅନ୍ତିମ ସଂସ୍କାର କରାଯାଇଛି ।
ମୃତ ଶରୀର ଗାଁରେ ପହଞ୍ଚିବା ପରେ ଘଟଣାର ତଦନ୍ତ କରି ଫେରିଛନ୍ତି ଜିଲ୍ଲା ପ୍ରଶାସନର ୩ ଜଣିଆ ଟିମ୍ । ଦିଗପହଣ୍ଡିର ଅତିରିକ୍ତ ତହସିଲଦାର ଆଶିଷ କୁମାର ନାୟକ, ସହକାରୀ ଶ୍ରମ ଅଧିକାରୀ ପ୍ରକାଶ କୁମାର ପରିଡ଼ା ଓ ଦିଗପହଣ୍ଡି ରାଜସ୍ୱ ନିରୀକ୍ଷକ ଉପେନ୍ଦ୍ର ବେହେରା ଗାଁକୁ ଯାଇ ତଦନ୍ତ କରିଛନ୍ତି । ସେପଟେ ଧରାକୋଟ ତହସିଲଦାର ଲମ୍ବୋଦର ମାର୍ଣ୍ଡି ମୃତ ସନ୍ତୋଷ ଗୌଡ଼ଙ୍କ ଗ୍ରାମ ନୂଆଁ କଂସେଇ ଠାରେ ପହଞ୍ଚି ପରିବାରକୁ ସାକ୍ଷାତ କରିଛନ୍ତି l
ପରିବାର ପ୍ରତିପୋଷଣ ପାଇଁ ଦିଗପହଣ୍ଡି ବ୍ଲକର ୯ ଜଣ ଓ ଗଜପତି ଜିଲ୍ଲା ମୋହନା ଅଞ୍ଚଳରୁ ୨ ଜଣ ଶ୍ରମିକ ଆନ୍ଧ୍ର ପଥର ଖଣିକୁ କାମ କରିବାକୁ ଯାଇଥିଲେ । ରବିବାର ଖାଦାନରେ ୧୫ ଜଣ କାମ କରୁଥିବାବେଳେ ବିସ୍ଫୋରଣ ଘଟି ଏକ ବଡ଼ ପଥର ଖସି ପଡ଼ିବାରୁ ତଳେ ଚାପି ହୋଇଯାଇଥିଲେ । ମୃତ ଶ୍ରମିକଙ୍କ ପରିବାରକୁ ମୁଖ୍ୟମନ୍ତ୍ରୀ ୪ ଲକ୍ଷ ଟଙ୍କା ସହାୟତା ଘୋଷଣା କରିଥିବାବେଳେ ଘଟଣାକୁ ନେଇ ଦୁଃଖ ପ୍ରକାଶ କରିଥିଲେ ବିରୋଧୀଦଳ ନେତା ନବୀନ ପଟ୍ଟନାୟକ ।
ଆବାସ ଯୋଜନା କାହା ପାଇଁ ? ଭଙ୍ଗା ଦଦରା ଘରେ ବିତୁଛି ଜୀବନ
ନନ୍ଦିଘୋଷ ବ୍ୟୁରୋ: ଆବାସ ଯୋଜନା କାହା ପାଇଁ ? ପ୍ରକୃତ ହିତାଧିକାରୀଙ୍କୁ ମିଳୁନି ଘର ଖଣ୍ଡେ । ସୁବର୍ଣ୍ଣପୁର ଜିଲ୍ଲା ଲଛିପୁର ଗାଁରେ ଦୁଇ ହିତାଧିକାରୀଙ୍କୁ ମିଳିନି ଘର । ଫଳରେ ଭଙ୍ଗା ଦଦରା ପଲିଥିନ ଘରେ ଦୟନୀୟ ଭାବେ ଜୀବନ ବିତାଉଛନ୍ତି ବୃଦ୍ଧ ଦମ୍ପତି । ସରକାର ଶୀଘ୍ର ଦୃଷ୍ଟି ଦେବାକୁ ଦାବି ହୋଇଛି ।
ଭାଙ୍ଗି ଯାଇଛି ଘର । ବାହାର ଅବସ୍ଥା ଯେମିତି ଭିତର ଅବସ୍ଥା ତାଠୁ ଅଧିକ ଖରାପ । ଘର ଭିତରୁ ଚାହିଁଲେ ଦିନରେ ସୂର୍ଯ୍ୟ, ରାତିରେ ତାରା ଦେଖାଯାଉଛି । ଏହାରି ଭିତରେ ମୁଣ୍ଡ ଗୁଞ୍ଜିବାକୁ ବାଧ୍ଯ ହେଉଛନ୍ତି ଦୁଇ ଅସହାୟ ବୃଦ୍ଧ ବୃଦ୍ଧା ଓ ତାଙ୍କ ପରିବାର । ଏ ହେଉଛି ସୁବର୍ଣ୍ଣପୁର ଜିଲ୍ଲା ଲଛିପୁର ଗାଁର ଅସହାୟ ବୃଦ୍ଧ ଜଙ୍ଗଲ କଲାୟତଙ୍କ ଘର । ଏଇଠି ତାଙ୍କର ରୋଷେଇ, ଖାଇବା ଓ ଶୋଇବା । ସେହିପରି ଆଏବାନ କଲାୟତଙ୍କୁ ମଧ୍ଯ ଘର ଖଣ୍ଡେ ମିଳିନଥିବାରୁ ସେ ମଧ୍ଯ ଭଙ୍ଗା ଚାଳ ଘରେ ଅତି ଦୟନୀୟ ଭାବେ ଜୀବନ ବିତାଉଛନ୍ତି ।
ଏବେ ବୟସର ସାୟାହ୍ନରେ ଏହି ଦୁଇ ପରିବାରର ସଦସ୍ୟ । ବର୍ତ୍ତମାନ ବର୍ଷା ହେଉଥିବାରୁ କେତେବେଳେ ଯେ ଘର ଭାଙ୍ଗି ଯିବ ସେଇ ଆଶଙ୍କାରେ ସେ ମୂଲ ଲାଗିବାକୁ ବି ଯାଇ ପାରୁନାହାନ୍ତି । ଯେଣତେଣ ପ୍ରକାରେ ପରିବାର ତ ଚଳାଇ ନେଉଛନ୍ତି କିନ୍ତୁ ଘର ଖଣ୍ଡେ କରିବାକୁ ତାଙ୍କର ସମର୍ଥ ନାହିଁ । ସରକାରୀ ଯୋଜନାରେ ଘର ଖଣ୍ଡେ ପାଇଁ ସେମାନେ ଅନେକ ଅଫିସକୁ ଯାଇ ଦରଖାସ୍ତ ଦେଲେଣି । ହେଲେ ଏଯାଏଁ ତାଙ୍କୁ ଘର ଖଣ୍ଡେ ମିଳିପାରିନାହିଁ । ଫଳରେ ଆଜିବି ପଲିଥିନ ଢାଙ୍କି ଦୟନୀୟ ଭାବେ ଜୀବନ ବିତାଇବାକୁ ବାଧ୍ୟ ହେଉଛନ୍ତି ଏହି ଦୁଇ ପରିବାର । ଅପରପକ୍ଷେ ବିଡିଓ କହିଛନ୍ତି, ଏବେ ଆବାସ ଯୋଜନା ପାଇଁ ସର୍ଭେ କାମ ଜାରି ରହିଛି ।
ନିମାପଡା ବ୍ଲକ ସାହାଡ଼ାପଡାରେ ନାଲି ପିମ୍ପୁଡି ଆତଙ୍କ
ନନ୍ଦିଘୋଷ ବ୍ୟୁରୋ: ନିମାପଡା ବ୍ଲକ ସାହାଡ଼ାପଡାରେ ନାଲି ପିମ୍ପୁଡି ଆତଙ୍କ । ପିମ୍ପୁଡି କବଳରେ ଛଟପଟ ହେଉଛନ୍ତି ଗ୍ରାମବାସୀ । ଘର ବାଡି, ଖେଳପଡିଆ, ଦାଣ୍ଡ କୁଆଡେ ବି ଯାଇପାରୁନାହାନ୍ତି ୪୦୦ ରୁ ଉର୍ଦ୍ଧ୍ଵ ଲୋକେ । କେବଳ ମଣିଷ ନୁହେଁ ପିମ୍ପୁଡି କବଳରେ ଗାଈ ଗୋରୁ ମଧ୍ଯ ଛଟପଟ ହେଉଛନ୍ତି ।
ନାଲି ପିମ୍ପୁଡି କବଳରେ ପୂରା ଗାଁ । ଘର ବାଡି, ଖେଳପଡିଆ ସବୁଠି ପିମ୍ପୁଡି ଭୟ । ନିମାପଡା ବ୍ଲକ ସାହାଡ଼ାପଡାରେ ଆତଙ୍କ ଖେଳାଉଛନ୍ତି ନାଲି ପିମ୍ପୁଡି । ପିଲାମାନେ ପିମ୍ପୁଡି ଭୟରେ କୀଟନାଶକ ଲକ୍ଷ୍ମଣ ରେଖା ଗାର ପକାଇ ମଝିରେ ବସି ପାଠ ପଢୁଛନ୍ତି । ଛୋଟ ପିଲାମାନଙ୍କୁ ଦୋଳିରେ ଶୁଆଉଛନ୍ତି ଲୋକେ । ମହିଳା ମାନେ ନା ଲୁଗା ପଟା ସଫା କରିପାରୁଛନ୍ତି ନା ଶୁଖାଇ ପାରୁଛନ୍ତି । ବାଡ଼ି ପଟକୁ ଯିବା କ୍ଷଣି ମହିଳା ମାନଙ୍କୁ ପିମ୍ପୁଡି କାମୁଡି ଦେଉଥିବା ଅଭିଯୋଗ ହୋଇଛି । ଖାଲି ସେତିକି ନୁହେଁ ଗାଈ ଗୋରୁ ଛେଳି ମେଣ୍ଢା ବି ପିମ୍ପୁଡିଙ୍କ କବଳରୁ ବାଦ ପଡ଼ୁ ନାହାନ୍ତି ।
ପିମ୍ପୁଡିଙ୍କ ଉପରେ କାମ କରୁନି କୌଣସି କୀଟନାଶକ । ଫଳରେ ହନ୍ତସନ୍ତ ହେଉଛନ୍ତି ସାହାଡ଼ାପଡାର ୪୦୦ରୁ ଉର୍ଦ୍ଧ୍ଵ ଲୋକେ । ତେବେ କୁଆଡୁ ଆସିଲେ ? କେମିତି ଆସିଲେ ଏତେ ପରିମାଣର ନାଲି ପିମ୍ପୁଡି । ତାହା କେହିବି ଜାଣି ପାରୁନଥିବା ବେଳେ ପ୍ରଶାସନ ପକ୍ଷରୁ କିଛି କୀଟନାଶକ ସ୍ପ୍ରେ କରିବା ସହ ଏହାର ଉପଚାର କେମିତି ହେବ ସେଥିପ୍ରତି ଦୃଷ୍ଟି ଦେବାକୁ ଅନୁରୋଧ କରିଛନ୍ତି ସ୍ଥାନୀୟ ଲୋକେ ।

