spot_img
Home Blog Page 527

ଯାଜପୁରରେ ଲୋକଙ୍କ ହିତରେ ଲାଗୁନି ବିନ୍ଧାଣ ଆଦର୍ଶ ମାର୍କେଟ କମ୍ପ୍ଲେକ୍ସ

ନନ୍ଦିଘୋଷ ବ୍ୟୁରୋ: ଯାଜପୁରରେ ବ୍ଯବସାୟୀଙ୍କ କାମରେ ଆସୁନି ବିନ୍ଧାଣ ଆଦର୍ଶ ମାର୍କେଟ କମ୍ପ୍ଲେକ୍ସ । ବନ୍ଦ ହୋଇପଡିଛି ଲକ୍ଷାଧିକ ଟଙ୍କାରେ ନିର୍ମିତ ଭିତ୍ତିଭୂମି । ଆମିଷ ବ୍ୟବସାୟୀ ଓ ପନିପରିବା ବ୍ୟବସାୟୀଙ୍କ ଉଦ୍ଦେଶ୍ଯରେ ନିର୍ମିତ ସ୍ଥାନ ହୋଇପାରୁନି ଆବଣ୍ଟିତ । ଫଳରେ ହଇରାଣ ହରକତ ହେଉଛନ୍ତି ବ୍ଯବସାୟୀ ।

ଲୋକଙ୍କ ହିତରେ ଲାଗୁନି RMC ମାର୍କେଟ । ବନ୍ଦ ହୋଇପଡିଛି ଲକ୍ଷାଧିକ ଟଙ୍କାରେ ନିର୍ମିତ ଭିତ୍ତିଭୂମି । ଯାଜପୁର ଆରଏମସି ବା ନିୟନ୍ତ୍ରିତ ବଜାର କମିଟି ପକ୍ଷରୁ ଗତ ବର୍ଷ ସେପ୍ଟେମ୍ବର ମାସରୁ ଉଦଘାଟିତ ହୋଇଛି ବିନ୍ଧାଣ ଆଦର୍ଶ ମାର୍କେଟ କମ୍ପ୍ଲେକ୍ସ । ଆମିଷ ବ୍ୟବସାୟୀ ଓ ପନିପରିବା ବ୍ୟବସାୟୀଙ୍କ ଉଦ୍ଦେଶ୍ଯରେ ନିର୍ମିତ ଏହି ସ୍ଥାନ ଠିକ ଭାବେ ବଣ୍ଟନ ହୋଇ ନଥିବାରୁ ଜାଗା ଖାଲି ପଡୁଛି । ଫଳରେ ମାଛ ବ୍ଯବସାୟୀ ବାହାରେ ମାଛ ବେପାର କରୁଥିବା ବେଳେ ପରିବା ବ୍ଯବସାୟୀ ତଳେ ବସି ବେପାର କରୁଛନ୍ତି । ସେହିଭଳି ଏଠାକୁ ପ୍ରତିଦିନ ଶତାଧିକ ଲୋକ ଆସୁଥିବାରୁ ସ୍ଥାନୀୟ ଅଞ୍ଚଳ ଅଳିଆ ଆବର୍ଜନାରେ ଭର୍ତ୍ତି ହୋଇଗଲାଣି । ସାମାନ୍ୟ ବର୍ଷା ହେଲେ ଏହି ଜାଗା କାଦୁଅରେ ଭର୍ତ୍ତି ହୋଇଯାଉଥିବାରୁ ଗ୍ରାହକ ଆସୁନାହାନ୍ତି । ମାର୍କେଟରୁ ଆରଏମସି ଟିକସ ସଂଗ୍ରହ କରୁଥିଲେ ମଧ୍ୟ କୌଣସି ସଠିକ ପଦକ୍ଷେପ ଗ୍ରହଣ କରୁ ନଥିବା ଅଭିଯୋଗ କରିଛନ୍ତି ବ୍ୟବସାୟୀ ।

ଯାଜପୁର ନିୟନ୍ତ୍ରିତ ବଜାର କମିଟି ପକ୍ଷରୁ ପ୍ରଥମେ ଆଙ୍କୁଲା ଠାରେ ଏକ ମାର୍କେଟ କମ୍ପ୍ଲେସ ପ୍ରତିଷ୍ଠା କରାଯାଇଥିଲା । କିନ୍ତୁ ଯାଜପୁର ମେଡିକାଲ କଲେଜ ପ୍ରତିଷ୍ଠା ଯୋଗୁଁ ସେହି କମ୍ପ୍ଲେକ୍ସକୁ ଉଚ୍ଛେଦ କରାଯାଇ ବିନ୍ଧାଣରେ ପ୍ରତିଷ୍ଠା କରାଯାଇଛି । କିନ୍ତୁ ଅଦ୍ୟାବଧି ଆଙ୍କୁଲାରେ ଥିବା ବ୍ୟବସାୟୀ ମାନଙ୍କୁ ଆଜି ପର୍ଯ୍ୟନ୍ତ ଥଇଥାନ କରାଯାଇନାହିଁ । ଅନ୍ଯପଟେ ମାର୍କେଟ କମ୍ପ୍ଲେକ୍ସର ଅବ୍ଯବସ୍ଥା ନେଇ ଆରଏମସି ଅବଗତ ଅଛି ଏବଂ ଶୀଘ୍ର ସମସ୍ଯାର ସମାଧାନ କରାଯିବ ବୋଲି ନିୟନ୍ତ୍ରିତ ବଜାର କମିଟିର ଅଧ୍ୟକ୍ଷ କହିଛନ୍ତି । ଆରଏମସି ଶୀଘ୍ର ବ୍ଯବସାୟୀଙ୍କ ସମସ୍ଯାର ସମାଧାନ କରିବାକୁ ଦାବି ଜୋର ଧରିଛି ।

ଗଜପତିରେ ଫେଲ୍ ମାରିଛି ଶିଶୁ ବିକାଶ ଯୋଜନା

ନନ୍ଦିଘୋଷ ବ୍ୟୁରୋ: ଫେଲ ମାରିଛି ଶିଶୁ ବିକାଶ ଯୋଜନା । ବିଫଳ ହେଉଛି ପୋଷଣ କାର୍ଯ୍ୟକ୍ରମ । ମହିଳା ଓ ଶିଶୁଙ୍କ ସ୍ବାସ୍ଥ୍ୟର ବିକାଶ ପାଇଁ କାର୍ଯ୍ୟ କରୁଛି ସମନ୍ୱିତ ଶିଶୁ ବିକାଶ ପ୍ରକଳ୍ପ । ଏହି ପ୍ରକଳ୍ପ ମାଧ୍ୟମରେ ଶିଶୁ ଓ ମହିଳା ସହ କିଶୋରୀ ବାଳିକାମାନଙ୍କ ଶିକ୍ଷା ଓ ସ୍ବାସ୍ଥ୍ୟର ଯତ୍ନ ନେବା ବ୍ୟବସ୍ଥା ରହିଛି। ହେଲେ ଗଜପତିରେ ଏହାର ଲକ୍ଷ୍ଯ ସମ୍ପୂର୍ଣ୍ଣ ଭ୍ରଷ୍ଟ ହୋଇଥିବା ଦେଖିବାକୁ ମିଳିଛି ।

ଗଜପତିରେ ଫେଲ ମାରିଛି ଶିଶୁ ବିକାଶ ଯୋଜନା । ମହିଳା, ଶିଶୁ ଓ କିଶୋରୀଙ୍କୁ ସଠିକ ଭାବେ ଦିଆଯାଉନି ପୋଷଣ । ପୁଷ୍ଟିକର ଖାଦ୍ଯ ଅଭାବରୁ ଅନେକ ଏବେ ଅପପୁଷ୍ଟିର ଶିକାର । ପ୍ରତି ଗାଁରେ ମହିଳା ଓ ଶିଶୁଙ୍କ ସ୍ବାସ୍ଥ୍ୟର ବିକାଶ ପାଇଁ କାର୍ଯ୍ୟ କରୁଛି ସମନ୍ୱିତ ଶିଶୁ ବିକାଶ ପ୍ରକଳ୍ପ । ଏହି ପ୍ରକଳ୍ପ ଜରିଆରେ ଶିଶୁ, କିଶୋରୀ ଗର୍ଭବତୀ ଓ ପ୍ରସୂତିଙ୍କୁ ଅଣ୍ଡା, ଛତୁଆ, ବାଦାମ ମିଶ୍ରିତ ଲଡୁ, ରନ୍ଧାଖାଦ୍ୟ ଯୋଗାଇ ଦିଆଯାଉଛି । ହେଲେ ଜିଲ୍ଲାରେ କେଉଁଠି ଅଙ୍ଗନବାଡ଼ି କୋଠା ନାହିଁ ତ କେଉଁଠି କର୍ମଚାରୀଙ୍କ ଖାମଖିଆଲ ମନୋଭାବ ଯୋଗୁଁ ସରକାରୀ ଯୋଜନାରୁ ବଞ୍ଚିତ ହେଉଛନ୍ତି ଅନେକ ହିତାଧିକାରୀ । ରାୟଗଡ ବ୍ଳକ ସାନତୁଣ୍ଡି ପଞ୍ଚାୟତ ଚେରୁ ସାହିରେ ଦୀର୍ଘ ବର୍ଷ ହେଲା ଅଙ୍ଗନବାଡ଼ି କେନ୍ଦ୍ର ଚାଲୁ ନଥିବା ବେଳେ କୋଠାଟି ଅର୍ଦ୍ଧନିର୍ମିତ ଅବସ୍ଥାରେ ପଡିରହିଛି । ଅନ୍ୟ ଏକ ଗାଁରୁ ଅଙ୍ଗନବାଡ଼ି କର୍ମୀ, ମାସ ମାସ ବ୍ୟବଧାନରେ ଥରେ ଓଳିଏ ଆସି ଚାଲି ଯାଉଥିବା ଅଭିଯୋଗ ହୋଇଛି । ଫଳରେ ଏଠାରେ ଶିଶୁମାନଙ୍କର ସମସ୍ତ ଅଧିକାର କ୍ଷୁଣ୍ଣ ହେଉଛି । ସେହିଭଳି ନୂଆଗଡ ବ୍ଲକ ଖଜୁରୀପଦା ଗାଁରେ ଏକ ଭଡା ଘରେ ଚାଲିଛି ଅଙ୍ଗନବାଡି କେନ୍ଦ୍ର । ଉପଯୁକ୍ତ କୋଠା ଓ ଭିତ୍ତିଭୂମି ନଥିବାରୁ ବିଭିନ୍ନ କାର୍ଯ୍ୟକ୍ରମ କରିବାରେ ସମସ୍ୟା ସୃଷ୍ଟି ହେଉଥିବା କହିଛନ୍ତି ଅଙ୍ଗନବାଡ଼ି କର୍ମୀ।

ସରକାରୀ ତଥ୍ୟ ଅନୁସାରେ, ବର୍ତ୍ତମାନ ଜିଲ୍ଲାରେ ୩୯୬ ଜଣ ଶିଶୁ ଅପପୁଷ୍ଟିର ଶିକାର ହୋଇଥିବା ଚିହ୍ନଟ ହୋଇଛନ୍ତି । ଅପପୁଷ୍ଟି ହାର ନିୟନ୍ତ୍ରଣ ପାଇଁ ସମସ୍ତ ଅଙ୍ଗନବାଡ଼ି କେନ୍ଦ୍ର ମାଧ୍ୟମରେ ପୁଷ୍ଟିସାର ମିଶ୍ରିତ ରନ୍ଧାଖାଦ୍ୟ ସହ ଗୋଟିଏ ଶିଶୁ ପିଛା ମାସିକ ୨ କିଲୋ ୨୦୦ ଗ୍ରାମ ଛତୁଆ , ୧୨ଟି ଅଣ୍ଡା, ୧ କିଲୋ ୩୦୦ ଗ୍ରାମ ସୁଜି ଯୋଗାଇ ଦିଆଯାଉଛି । ସେହପରି ଗର୍ଭବତୀ ଓ ପ୍ରସୂତିଙ୍କୁ ୩ କିଲୋ ୬୦୦ଗ୍ରାମ ଛତୁଆ , ୧୨ ଟି ଅଣ୍ଡା, ୨୫ ଟି ବାଦାମ ଲଡୁ ଦିଆଯିବା ସହ କିଶୋରୀ ବାଳିକା ପାଇଁ ଅଧିକ ୪ ଟି ଅଣ୍ଡା ଦେବାକୁ ବ୍ୟବସ୍ଥା ରହିଛି । ଜିଲ୍ଲାରେ ୨ ହଜାର ୪୪୩ଟି ଅଙ୍ଗନବାଡି କେନ୍ଦ୍ରରେ ୫୩ ହଜାର ୩୫୫ ଶିଶୁ , ୧୧ ହଜାର ୩୮୬ କିଶୋରୀ, ୪୨୭୮ ଗର୍ଭବତୀ ଏବଂ ୩୩୭୮ ପ୍ରସୂତି ହିତାଧିକାରୀ ପଞ୍ଜିକୃତ ଅଛନ୍ତି । ହେଲେ ୨୪୪୩ କେନ୍ଦ୍ର ମଧ୍ୟରୁ ମାତ୍ର ୧୫୯୯ଟି କେନ୍ଦ୍ର ପରିଚାଳନା ହେଉଛି । କିନ୍ତୁ ବଳକା ୮୪୪ଟି କେନ୍ଦ୍ରରେ କୋଠା ନିର୍ମାଣ ହୋଇନାହିଁ । ଫଳରେ ଯୋଜନାର ସୁଫଳ ପାଇବାରୁ ବଞ୍ଚିତ ହେଉଛନ୍ତି ଜିଲ୍ଲାର ୩୫ ଭାଗ ଶିଶୁ କିଶୋରୀ ଓ ମହିଳା।

ପ୍ରଶାସନର ଅବହେଳାରୁ ଚାଲୁ ନାହଁ କେନ୍ଦ୍ର, ଠିକ୍ ସେ ବିତରଣ ହେଉନାହିଁ ପୋଷଣ ଖାଦ୍ୟ । ଯାହାର ସିଧା ପ୍ରଭାବ କୋମଳ ମତି ଶିଶୁ, ମହିଳା ଓ କିଶୋରୀ ବାଳିକାମାନଙ୍କ ଉପରେ ପଡୁଛି ।

ଲଗାଣ ବର୍ଷାରେ ଭୁଶୁଡ଼ିଲା ସ୍କୁଲ ଶ୍ରେଣୀ ଘର

ନନ୍ଦିଘୋଷ ବ୍ୟୁରୋ: ଲଗାଣ ବର୍ଷାରେ ଭୁଷୁଡ଼ିଲା ସ୍କୁଲ ଶ୍ରେଣୀ ଘର । ଏବେ ବିପଦ ସଂକୁଳ ଅବସ୍ଥାରେ ଥିବା ଅତିରିକ୍ତ ଶ୍ରେଣୀ ଗୃହରେ ଚାଲିଛି ପିଲାଙ୍କ ପାଠପଢା । କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ବ୍ଲକ ଅନ୍ତର୍ଗତ ବାରଖମା ପଞ୍ଚାୟତର ନାଡ଼ାପାଟାଙ୍ଗ ପ୍ରକଳ୍ପ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଦେଖିବାକୁ ମିଳିଛି ଏଭଳି ଅବସ୍ଥା । ବର୍ଷା କାରଣରୁ ଶ୍ରେଣୀ ଗୃହ ଭୁଶୁଡିପଡିଥିବାରୁ ବର୍ତ୍ତମାନ ଭଙ୍ଗା ଆଜବେଷ୍ଟସ ଘରେ ପାଠ ପଢୁଛନ୍ତି ୭୭ ଜଣ ଛାତ୍ରଛାତ୍ରୀ । ସ୍କୁଲର ଅବସ୍ଥା ଶୋଚନୀୟ ଥିବାରୁ ଏବେ ପିଲାଙ୍କୁ ବିଦ୍ଯାଳୟକୁ ଛାଡିବାକୁ ଅସୁରକ୍ଷିତ ମଣୁଛନ୍ତି ଅଭିଭାବକ । ପୂର୍ବରୁ ବିଦ୍ଯାଳୟର ଶ୍ରେଣୀ ଗୃହ ନିର୍ମାଣ ସହ ଆନୁଷଙ୍ଗିକ ସୁରକ୍ଷା ପ୍ରତି ବିଦ୍ଯାଳୟର ପ୍ରଧାନ ଶିକ୍ଷକ ଓ ଗ୍ରାମବାସୀ ପ୍ରଶାସନ ଓ ବିଭାଗୀୟ ଅଧିକାରୀଙ୍କୁ ଜଣାଇଥିଲେ । ହେଲେ କେହି ଦୃଷ୍ଟି ଦେଉନଥିବା ଅଭିଯୋଗ ହୋଇଛି । ବର୍ତ୍ତମାନ ଛାତ୍ରଛାତ୍ରୀଙ୍କ ଭବିଷ୍ଯତକୁ ଗୁରୁତ୍ଵ ଦେଇ ପ୍ରଶାସନ ଏଥିପ୍ରତି ଦୃଷ୍ଟି ଦେବାକୁ ଦାବି କରିଛନ୍ତି ଗ୍ରାମବାସୀ । ଅନ୍ୟପଟେ ବିଦ୍ୟାଳୟର ଶ୍ରେଣୀଗୃହ ବର୍ଷାରେ ଭୁଷୁଡ଼ିବା ଖବର ମୁଁ ପାଇଛି, ଏନେଇ ମୁଁ ଉପରିସ୍ଥ ଅଧିକାରୀଙ୍କୁ ଜଣାଇ ଖୁବ୍ ଶୀଘ୍ର ସମସ୍ୟାର ସମାଧାନ ପାଇଁ ପଦକ୍ଷେପ ନେବି ବୋଲି କହିଛନ୍ତି ବାଲିଗୁଡ଼ା ବ୍ଲକ୍ ଗୋଷ୍ଠୀ ଶିକ୍ଷା ଅଧିକାରୀ ।

ପ୍ରଖର ସ୍ରୋତରେ ଭାସିଗଲେ ଦୁଇ ଯୁବକ 

ନନ୍ଦିଘୋଷ ବ୍ୟୁରୋ: ସୁନ୍ଦରଗଡ଼ ଇବ ନଦୀ କନାକୁଣ୍ଡ ଠାରେ ପୁଣି ଭାସିଗଲେ ଦୁଇ ଯୁବକ । ଗାଧୋଇବାକୁ ଯାଇ ପ୍ରଖର ସ୍ରୋତରେ ଭାସି ଯାଇ ନିଖୋଜ ହୋଇଛନ୍ତି । ସମ୍ବଲପୁର ଜିଲ୍ଲା ଗୋବିନ୍ଦପୁର ଥାନା ଅଞ୍ଚଳର ତିନି ଜଣ ସାଙ୍ଗ ବୁଲିବାକୁ ଆସିଥିଲେ । ଗାଧୋଇବା ବେଳେ ତିନି ଜଣ ଭାସି ଯାଇଥିଲେ । ଜଣେ ପହଁରା ଜାଣିଥିବାରୁ ବାହାରି ଆସିଥିଲେ ।ହେଲେ ଅନ୍ୟ ୨ ସାଙ୍ଗ ରୋଶନ ପାଶୱାନ ଏବଂ ଜୟନାରାୟଣ ପାତ୍ର ଭାସି ଯାଇ ନିଖୋଜ ଥିବା ସୂଚନା ମିଳିଛି । ଘଟଣାସ୍ଥଳରେ ସ୍ଥାନୀୟଲୋକେ, ପୁଲିସ ଓ ଅଗ୍ନିଶମ ବିଭାଗ ଖୋଜାଖୋଜି ଜାରି ରଖିଛନ୍ତି । ପୂର୍ବରୁ ମଧ୍ୟ ସେଠାର ପାଣିରେ ଭାସି ୬ ଜଣଙ୍କ ମୃତ୍ୟୁ ହୋଇଛି ।

ମାଛଗାଁ କେନାଲରେ ୧୦ ଫୁଟର ଘାଇ

ନନ୍ଦିଘୋଷ ବ୍ୟୁରୋ: ମାଛଗାଁ କେନାଲରେ ୧୦ ଫୁଟର ଘାଇ । ଜଗତସିଂହପୁର କଟକ ରାସ୍ତାର ତରିକୁନ୍ଦ ଠାରେ ମାଛଙ୍ଗା କେନାଲରେ ୧୦ ଫୁଟର ଘାଇ ହୋଇଛି । ଏନେଇ ତରିକୁନ୍ଦ ପଞ୍ଚାୟତବାସୀ ଆତଙ୍କିତ ହୋଇ ପଡିଛନ୍ତି । ତରିକୁନ୍ଦ ନୂଆଦା ଠାରେ ଘାଇ ସୃଷ୍ଟି ହୋଇଯାଇଛି । ବର୍ତ୍ତମାନ ମାଛଙ୍ଗା କେନାଲ ନିକଟରେ ତରିକୁନ୍ଦ ଫାଣ୍ଡି ପୋଲିସ କର୍ମଚାରୀମାନେ ଲୋକଙ୍କୁ  ଘାଇ ପାଖକୁ ନ ଯିବା ପାଇଁ ବାରଣ କରିଛନ୍ତି । ଯୁଦ୍ଧକାଳୀନ ଭିତରେ ପାଣିକୁ ରୋକା ନଗଲେ ରାସ୍ତାରେ ପାଣି ଚାଲିବ ବୋଲି ଗ୍ରାମବାସୀ କହିଛନ୍ତି ।‍

କେବଳ କ୍ୟାନ୍ସର ନୁହେଁ, ଅନେକ ରୋଗର କାରଣ ଧୂମପାନ

ନନ୍ଦିଘୋଷ ବ୍ୟୁରୋ : ଧୂମପାନ ଏକ ଧୀର ବିଷ, ଯାହା ଜଣେ ବ୍ୟକ୍ତିଙ୍କ ଜୀବନକୁ ନଷ୍ଟ କରିଦିଏ ଏବଂ ଶରୀରର ଅନେକ ଅଙ୍ଗକୁ ନଷ୍ଟ କରିଦିଏ। WHO ଅନୁଯାୟୀ, ଧୂମପାନ ପ୍ରତିବର୍ଷ ସାରା ବିଶ୍ୱରେ ଲକ୍ଷ ଲକ୍ଷ ଲୋକଙ୍କ ମୃତ୍ୟୁ ଘଟେ। ଫୁସଫୁସ କର୍କଟ ବିଶେଷଜ୍ଞଙ୍କ ଅନୁଯାୟୀ, ଧୂମପାନ କର୍କଟ ଭଳି ଅସାଧ୍ୟ ରୋଗର କାରଣ ହୁଏ ଏବଂ ପ୍ରତିବର୍ଷ ପ୍ରାୟ ୭୦ଲକ୍ଷ ଲୋକ ମୃତ୍ୟୁବରଣ କରନ୍ତି। ସିଗାରେଟ୍ ପାନ କେବଳ ଫୁସଫୁସ କର୍କଟକୁ ଆମନ୍ତ୍ରଣ କରେ ନାହିଁ, ବରଂ ଏହା ଆପଣଙ୍କ ସମଗ୍ର ଶରୀରକୁ ଅନେକ ମାରାତ୍ମକ ରୋଗର ଶିକାର କରିପାରେ। ତମାଖୁ ଏବଂ ନିକୋଟିନ୍ ପ୍ରତ୍ୟେକ ଅଙ୍ଗକୁ କ୍ଷତି ପହଞ୍ଚାଏ। ସିଗାରେଟ୍ ପାନ କରିବା ଦ୍ୱାରା ହେଉଥିବା କିଛି ଗମ୍ଭୀର ରୋଗ ବିଷୟରେ ଜାରନ୍ତୁ, ଯାହା ଅନ୍ୟ ଅପେକ୍ଷା ଅଧିକ ମାରାତ୍ମକ।

  • ଫୁସଫୁସ କର୍କଟ:ଫୁସଫୁସ କର୍କଟ ହେଉଛି ମୃତ୍ୟୁର ପ୍ରମୁଖ କାରଣ ଏବଂ ୯୦% ମାମଲା ଧୂମପାନ ସହିତ ଜଡିତ। ସିଡିସି ଅନୁଯାୟୀ, ଧୂମପାନ କରୁଥିବା ଲୋକଙ୍କର ଧୂମପାନ ନ କରୁଥିବା ଲୋକଙ୍କ ତୁଳନାରେ ୧୫-୩୦ ଗୁଣ ଅଧିକ ବିପଦ ଥାଏ। ଧୂମପାନ ମଧ୍ୟ ଏହି ବିପଦକୁ ବୃଦ୍ଧି କରେ ଏବଂ ପ୍ରତିବର୍ଷ ହଜାର ହଜାର ମୃତ୍ୟୁର କାରଣ ହୁଏ।
  • କ୍ରନିକ୍ ଅବଷ୍ଟ୍ରକ୍ଟିଭ୍ ଫୁସଫୁସ ରୋଗ:୯୦% COPD ସମ୍ବନ୍ଧୀୟ ମୃତ୍ୟୁ ଧୂମପାନ ଯୋଗୁଁ ହୁଏ। ଏହା ଏକ ଗମ୍ଭୀର ଫୁସଫୁସ ରୋଗ ଯାହା ନିଶ୍ୱାସ ନେବାରେ କଷ୍ଟ ହୋଇଥାଏ ଏବଂ ମୃତ୍ୟୁର ପ୍ରମୁଖ କାରଣ ସାଜେ। ପିଲାଦିନେ ଧୂମପାନ ଫୁସଫୁସ ବିକାଶକୁ ଧୀର କରିଦିଏ ଏବଂ COPD ର ଆଶଙ୍କା ବୃଦ୍ଧି କରେ।
  • ହୃଦରୋଗ:ଧୂମପାନ ହୃଦରୋଗର ଆଶଙ୍କାକୁ ଚାରି ଗୁଣ ବୃଦ୍ଧି କରେ। ନିକୋଟିନ୍ ହୃଦୟକୁ ଅମ୍ଳଜାନ ଯୋଗାଣକୁ ହ୍ରାସ କରେ ଏବଂ ହୃଦସ୍ପନ୍ଦନକୁ ବୃଦ୍ଧି କରେ, ଯାହା ହୃଦୟ ଉପରେ ଚାପ ସୃଷ୍ଟି କରେ। ଦେଶରେ ମୃତ୍ୟୁର ପ୍ରଥମ କାରଣ ହେଉଛି ହୃଦରୋଗ, ଯାହା ମଧ୍ୟରୁ ପ୍ରତି ୫ ପ୍ରତିଶତ ମୃତ୍ୟୁ ଧୂମପାନ ସହିତ ଜଡିତ।
  • ଷ୍ଟ୍ରୋକ୍:ଧୂମପାନ ଷ୍ଟ୍ରୋକ୍ ହେବାର ଆଶଙ୍କାକୁ ଦ୍ୱିଗୁଣିତ କରେ। ଏହା ମସ୍ତିଷ୍କକୁ ରକ୍ତ ଯୋଗାଣକୁ ଅବରୋଧ କରେ, ଯାହା ପକ୍ଷାଘାତ, ବାକ୍ ସମସ୍ୟା କିମ୍ବା ମୃତ୍ୟୁର କାରଣ ହୋଇପାରେ। ଷ୍ଟ୍ରୋକ୍ ହେଉଛି ମୃତ୍ୟୁର ପଞ୍ଚମ ପ୍ରମୁଖ କାରଣ ଏବଂ ବୟସ୍କମାନଙ୍କ ମଧ୍ୟରେ ଅକ୍ଷମତାର ଏକ ପ୍ରମୁଖ କାରଣ।
  • ଆଓର୍ଟିକ ଆନିଉରିଜମ୍:ଶରୀରର ସବୁଠାରୁ ବଡ଼ ରକ୍ତବାହୀ ନାଳୀ ହେଉଛି ଏଓର୍ଟିକା। ଧୂମପାନ କରୁଥିବା ପୁରୁଷମାନଙ୍କଠାରେ ଏଓର୍ଟିକ ଆନିଉରିଜମ୍ ହେବାର ଆଶଙ୍କା ଅଧିକ ଥାଏ। ଏହି ଆନିଉରିଜମ୍ ଜୀବନ ପାଇଁ ବିପଦପୂର୍ଣ୍ଣ ହୋଇପାରେ କାରଣ ଏଗୁଡ଼ିକ ରକ୍ତବାହୀ ନାଳୀକୁ କ୍ଷତି ପହଞ୍ଚାଏ।
  • ଓରୋଫାରିଞ୍ଜିଆଲ୍ କର୍କଟ: ଏହା ଏକ କର୍କଟ ଯାହା ପାଟି କିମ୍ବା ଗଳାରୁ ଆରମ୍ଭ ହୁଏ। ଏହାର ବିପଦ କେହି କେତେ ଧୂମପାନ କରନ୍ତି କିମ୍ବା ତମାଖୁ ଚୋବନ୍ତି ତାହା ଉପରେ ନିର୍ଭର କରେ। ଏହା ଓଠ, ମାଢ଼ି, ଗାଲ ଏବଂ ସ୍ୱର ନଳୀକୁ ପ୍ରଭାବିତ କରିପାରେ।
  • ଖାଦ୍ୟନଳୀ କର୍କଟ:ଏହା ଏକ ଗଳା କର୍କଟ ଯାହାର ବିପଦ ଧୂମପାନ ସହିତ ବୃଦ୍ଧି ପାଏ। ସ୍କ୍ୱାମସ୍ ସେଲ୍ କର୍କଟ, ଯାହା ଚର୍ମ କିମ୍ବା ଅଙ୍ଗଗୁଡ଼ିକର ଆସ୍ତରଣରେ ହୁଏ। ଏହା ସିଧାସଳଖ ତମାଖୁ ଏବଂ ମଦ୍ୟପାନ ସହିତ ଜଡିତ।
  • ମୋତିଆବିନ୍ଦୁ:ଏହା ଏକ ଆଖି ଅବସ୍ଥା ଯେଉଁଠାରେ ଲେନ୍ସ ଅସ୍ୱଚ୍ଛ ହୋଇଯାଏ ଏବଂ ଦୃଷ୍ଟିଶକ୍ତି ହ୍ରାସ ପାଏ। ଏହା ଅନ୍ଧତ୍ୱର ମୁଖ୍ୟ କାରଣ ଏବଂ ଧୂମପାନ ଏହା ହେବାର ଆଶଙ୍କା ବୃଦ୍ଧି କରେ।
  • ଟାଇପ୍ 2 ମଧୁମେହ: ୯୦% ମଧୁମେହ ରୋଗୀଙ୍କର ଟାଇପ୍ 2 ଏବଂ ଧୂମପାନ ରୋଗର ସିଧାସଳଖ କାରଣ। ଧୂମପାନକାରୀଙ୍କଠାରେ ଏହା ହେବାର ସମ୍ଭାବନା ୩୦-୪୦% ଅଧିକ ଥାଏ। ଧୂମପାନ ମଧ୍ୟ ମଧୁମେହ ଜଟିଳତାକୁ ବୃଦ୍ଧି କରେ।
  • ହଠାତ୍ ଶିଶୁ ମୃତ୍ୟୁ ସିଣ୍ଡ୍ରୋମ: ଏହା ଶୋଇଥିବା ସମୟରେ ଶିଶୁର ଅଚାନକ ମୃତ୍ୟୁକୁ ଦର୍ଶାଏ । ଗର୍ଭାବସ୍ଥାରେ କିମ୍ବା ପୂର୍ବରୁ ଧୂମପାନ କରୁଥିବା ମା’ଙ୍କ ଶିଶୁମାନଙ୍କ ପାଇଁ ଏହା ଅଧିକ ବିପଦ । ଯଦି ପିତା ମଧ୍ୟ ଧୂମପାନ କରନ୍ତି ତେବେ ଏହି ବିପଦ ଆହୁରି ବଢ଼ିଯାଏ।
  • ଇରେକ୍ଟାଇଲ୍ ଡିସଫଙ୍କସନ୍:ଅନେକ ଅଧ୍ୟୟନରୁ ଜଣାପଡିଛି ଯେ ଧୂମପାନ ଇରେକ୍ଟାଇଲ୍ ଡିସଫଙ୍କସନର ମୁଖ୍ୟ କାରଣ। ଧୂମପାନ ଧମନୀରେ ପ୍ଲାକ୍ ଜମା କରେ ଏବଂ ରକ୍ତ ପ୍ରବାହକୁ ଅବରୋଧ କରେ, ଯାହା ଫଳରେ ଏହି ଅବସ୍ଥାର ଆଶଙ୍କା ୬୦% ବୃଦ୍ଧି ପାଏ।

 

କ୍ୟାମେରାରେ କଏଦ ହେଲା ଭିଡିଓ, ରେଡ୍ ବେଳେ ଟଙ୍କା ବ୍ୟାଗ୍ ଫିଙ୍ଗିଦେଲେ…

ନନ୍ଦିଘୋଷ ବ୍ୟୁରୋ: ଭିଜିଲାନ୍ସ ରେ଼ଡ୍ ବେଳେ ଟଙ୍କା ବ୍ୟାଗ ଫୋପାଡୁଥିଲେ ଆସିଷ୍ଟାଣ୍ଟ ଇଞ୍ଜିନିୟର। ୧ ଲକ୍ଷ ଟଙ୍କା ସହ ଗୁରୁତ୍ୱପୂର୍ଣ୍ଣ ଡକ୍ୟୁମେଣ୍ଟ ଘର ବାହାରକୁ ଫୋପାଡୁଥିଲେ ବାବୁ। ଦ୍ୱିତୀୟ ଦିନରେ ମାରାଥନ ରେଡ଼ ବେଳେ ଅନେକ ସଙ୍ଗୀନ ଘଟଣା ସାମ୍ନାକୁ ଆସିଛି। ଭୁବନେଶ୍ଵର ଆର ଆଣ୍ଡ ବି ଡିଭିଜନ ଆସିଷ୍ଟାଣ୍ଟ ଇଞ୍ଜିନିୟର ରାଜକିଶୋର ଜେନାଙ୍କ ଫ୍ଲାଟ ସମେତ ଅନ୍ୟାନ୍ୟ ସ୍ଥାନରେ ମାରାଥନ ରେଡ଼ କରିଥିଲା। କାଲିଠାରୁ ୧୦ଟି ସ୍ଥାନରେ ଚାଲିଛି ଚଢାଉ। ରେଡ଼ ବେଳେ ଗତକାଲି ବାବୁଙ୍କର ଗୋଟିଏ ବହୁତଳ ପ୍ରାସାଦ, ୨ ଟି ଫ୍ଲାଟ, ୨ ଟି ମଲରେ ଦୁଇଟି କମର୍ସିଆଲ ଦୋକାନ, ୧୩ଟି ଦାମୀ ପ୍ଲଟ ଠାବ କରାଯାଇଥିଲା। ଆୟ ବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ ରାଜକିଶୋର ଜେନାଙ୍କୁ ଅଟକ ରଖି ଅଧିକ ପଚରାଉଚରା କରୁଛି ଭିଜିଲାନ୍ସ। ଭିଜିଲାନ୍ସର ଟେକ୍ନିକାଲ ଟିମ ଏବେବି ବାବୁଙ୍କ ଠୁଳ ସମ୍ପତ୍ତି, ବ୍ୟାଙ୍କ ବାଲାନ୍ସ, ଫରେନ ଟ୍ରିପରେ ଖର୍ଚ୍ଚ ନେଇ ଛାନଭିନ ଜାରି ରଖିଛି। ଅନ୍ୟପଟେ କସ୍ମୋପଲିସ ଆପାର୍ଟମେଣ୍ଟରେ ବାବୁଙ୍କ ସହଯୋଗୀଙ୍କ ଫ୍ଲାଟରେ ରେଡ଼ ହୋଇଛି।  ଆସିଷ୍ଟାଣ୍ଟ ଇଞ୍ଜିନିୟର ଅଶୋକ ପଣ୍ଡାଙ୍କ ଘରେ ରେଡ୍ କରିଛି ଭିଜିଲାନ୍ସ। ଅଶୋକ ହେଉଛନ୍ତି ରାଜକିଶୋରଙ୍କ ସହଯୋଗୀ।  ୧୬ ନମ୍ବର ମହଲାରେ ଫ୍ଲାଟର ସାଜସଜା ଦେଖି ଜଳକା ହୋଇଛି ଭିଜିଲାନ୍ସ ।

ଗୌତମ ଗମ୍ଭୀରଙ୍କ ସପକ୍ଷରେ ବାହାରିଲେ ଇରଫାନ ପଠାନ

ନନ୍ଦିଘୋଷ ବ୍ୟୁରୋ: ଭାରତ-ଇଂଲଣ୍ଡ ପଞ୍ଚମ ଟେଷ୍ଟ ପୂର୍ବରୁ ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି । ଯେଉଁଥିରେ ଗୌତମ ଗମ୍ଭୀର ଏବଂ ପିଚ୍ କ୍ୟୁରେଟର ଲି ଫୋର୍ଟିସଙ୍କ ମଧ୍ୟରେ ଯୁକ୍ତିତର୍କ ହୋଇଛି । ଯାହାକୁ ନେଇ ବେଶ ଚର୍ଚ୍ଚା ଆରମ୍ଭ ହୋଇଛି । ତେବେ ପଞ୍ଚମ ଟେଷ୍ଟ ଭାରତ ପାଇଁ ବେଶ ଗୁରୁତ୍ବପୂର୍ଣ୍ଣ ରହିଛି । ଏହି ମ୍ୟାଚ ଯଦି ଭାରତ ଜିତେ ତାହେଲେ ସିରିଜ ବରାବର ହେବ । ମାତ୍ର ପିଚରେ ଏଭଳି ଏକ ଦୃଶ୍ୟ ଭାଇରାଲ ହେଉଛି । ଜାତୀୟ ଗଣମାଧ୍ୟମର ରିପୋର୍ଟକୁ ଯଦି ବିଶ୍ବାସ କରିବା ତାହେଲେ ପିଚକୁ ଦେଖିବା ପାଇଁ ଯେତେବେଳେ ଟିମ ଇଣ୍ଡିଆର ମୁଖ୍ୟ ପ୍ରଶିକ୍ଷକ ଗୌତମ ଗମ୍ଭୀର ଏବଂ ଖେଳାଳିମାନେ ଯାଇଥିଲେ ସେତେବେଳେ ଲି ଙ୍କ କିଛି କଥା ହୋଇଥିଲେ । ପରେ ଉଭୟଙ୍କ ମଧ୍ୟରେ ଯୁକ୍ତି ତର୍କ ହୋଇଥିଲା ।

କୁହାଯାଉଛି କି, ଗମ୍ଭୀର ପିଚକୁ ଦେଖିବା ପାଇଁ ଯାଇଥିବାବେଳେ ସେ ଏହାକୁ ବାରଣ କରିବା ସହ ଏଭଳି ହୋଇଛି । ମାତ୍ର ଅନ୍ୟ ଏକ ଫଟୋ ଭାଇରାଲ ହେଉଛି ଯେଉଁଥିରେ ଇଂଲଣ୍ଡର ମୁଖ୍ୟ ପ୍ରଶିକ୍ଷକ ବ୍ରାଣ୍ଡମ ମ୍ୟାକୁଲମଙ୍କ ସହ ଲି ପିଚ ଉପରେ ଛିଡ଼ା ହୋଇଛନ୍ତି ଆଉ ବେଶ ଖୁସିର ସହ କଥା ହେଉଛନ୍ତି । ତେବେ ଏହାକୁ ନେଇ ନିଜର କଡ଼ା ପ୍ରତିକ୍ରିୟା ରଖିଛନ୍ତି ଇରଫାନ ପଠାନ । ସେ କହିଛନ୍ତି କି, ଇଂରେଜମାନେ ଏବେ ମଧ୍ୟ କର ଭାରତୀୟଙ୍କୁ ସେମାନଙ୍କ ଦାସ ବୋଲି ଭାବୁଛନ୍ତି କି ? ସେମାନେ କଣ ଯାହା ଚାହିଁବେ ସେୟା କରିବେ କି ? ସେ କହିଛନ୍ତି କି, ଇଂଲଣ୍ଡର କୋଚ ଯାଇ ପିଚ ସମ୍ପର୍କରେ ବୁଝିପାରିବେ କିନ୍ତୁ ଭାରତୀୟ ପ୍ରଶିକ୍ଷକ କାହିଁକି ବୁଝି ପାରିବେ ନାହିଁ । ଏଭଳି ଭାବେ ସେ ନିଜର ଟ୍ବିଟରରେ ପୋଷ୍ଟ କରିଛନ୍ତି ।

 

ସେନା ଆତଙ୍କବାଦ ବିରୋଧରେ ଭାରତର ପ୍ରତିବଦ୍ଧତା ପ୍ରମାଣିତ କରିଛନ୍ତି : ମାନସ ମଙ୍ଗରାଜ

 

ନନ୍ଦିଘୋଷ ବ୍ୟୁରୋ: ଅପରେସନ ସିନ୍ଦୂର ଆତଙ୍କବାଦ ବିରୋଧରେ ଭାରତର ପ୍ରତିବଦ୍ଧତାକୁ ପ୍ରମାଣିତ କରିଛନ୍ତି । ଅପରେସନ ସିନ୍ଦୂର କେବଳ ସେନାବାହିନୀର ଏକ ଅପରେସନ ନଥିଲା । ଏହା ଭାରତୀୟ ସେନାର ସାହସିକତାର ପ୍ରତିଫଳନ ବୋଲି ଅପରେସନ ସିନ୍ଦୂର ଉପରେ ଚାଲିଥିବା ବିତର୍କରେ ଭାଗନେଇ କହିଛନ୍ତି ବିଜେଡି ସାଂସଦ ମାନସ ମଙ୍ଗରାଜ । ଆତଙ୍କବାଦୀଙ୍କ ଭୀରୁତା ବିରୋଧରେ ଭାରତୀୟ ସେନାର ଏହି ପ୍ରହାରକୁ ପ୍ରଶଂସା କରିଛନ୍ତି ମାନସ ମଙ୍ଗରାଜ । ଏହି ଅପରେସନ ପାକିସ୍ଥାନ ଓ ପିଓକେରେ ହୋଇଥିଲା । ଅପରେସନ ସିନ୍ଦୂର ଜରିଆରେ ଭାରତ ସାରା ବିଶ୍ବକୁ ସ୍ପଷ୍ଟ ବାର୍ତ୍ତା ଦେଇଛି ଯେ, ଭାରତ ଆତଙ୍କବାଦକୁ ସହ୍ୟ କରିବ ନାହିଁ କିମ୍ବା ଦେଶର ସାର୍ବଭୌମତ୍ବ ପ୍ରତି ବିପଦ ସୃଷ୍ଟି ହେଲେ ଚୁପ ରହିବ ନାହିଁ ।

ଏହା ପ୍ରମାଣିତ କରୁଛି ଯେ, ସୁଉଚ୍ଚ ହିମାଳୟ ହେଉ କି ଜଳ କିମ୍ବା ଆକାଶ ପାଥ କିଛି ବି ଭାରତୀୟ ସେନା ପାଇଁ ଅପହଞ୍ଚ ନୁହେଁ । ଭାରତୀୟ ସେନା ସବୁ ସମୟରେ ଦେଶବାସୀଙ୍କ ସୁରକ୍ଷା ପାଇଁ ସମର୍ପିତ । ଓଡିଶା ମଧ୍ୟ ସବୁ ସମୟରେ ସେନାର ବୀରତ୍ବକୁ ସମ୍ମାନ ଦେଇଛି । ଭାରତୀୟ ସେନାର କର୍ତ୍ତବ୍ୟନିଷ୍ଠାକୁ ମଧ୍ୟ ପ୍ରତିଟି ଓଡିଆ ସମ୍ମାନ ଦେଉଛନ୍ତି । ଭାରତୀୟ ସେନା ସବୁ ସମୟରେ ପ୍ରତ୍ୟେକ ଭାରତୀୟଙ୍କୁ ସୁରକ୍ଷା ଦେଉଛନ୍ତି, କୌଣସି ରାଜନୈତିକ ଦଳକୁ ନୁହେଁ ବୋଲି କହିଛନ୍ତି ମାନସ ମଙ୍ଗରାଜ । ଦଳ ମତ ନିର୍ବିଶେଷରେ ଭାରତୀୟ ସେନାର ଏହି ବୀରତ୍ବକୁ ସମ୍ମାନ ଜଣାଇବାକୁ ସେ ଅପିଲ କରିଛନ୍ତି । ଏଥିସହ ସେନାର ଏହି ବୀରତ୍ବ ଆଗାମୀ ଦିନରେ ଦେଶର ଯୁବପିଢିଙ୍କ ପାଇଁ ପ୍ରେରଣାଦାୟୀ ହେବ ବୋଲି ସେ କହିଛନ୍ତି ।

ସେପଟେ ଅପରେସନ ସିନ୍ଦୂରକୁ ସମର୍ଥନ କରିଛି ବିଜେଡି । ଏହି ବିତର୍କରେ ଭାଗ ନେଇ ବିଜେଡି ସାଂସଦ ନିରଞ୍ଜନ ବିଶି କହିଛନ୍ତି ଯେ, ଭାରତ ଗଣତନ୍ତ୍ରର ଜନକ ହୋଇଥିବା ବେଳେ ପାକିସ୍ତାନ ଆତଙ୍କବାଦର ଜନକ । ଭାରତ ଓ ପାକିସ୍ତାନ ମଧ୍ୟରେ ଅମ୍ରିତସର ଟ୍ରିଟି ଠାରୁ ଆରମ୍ଭ କରି କରାଚି ଚୁକ୍ତି, ଦିଲ୍ଲୀ ଚୁକ୍ତି, ସିମଲା ଚୁକ୍ତି ହୋଇଥିଲେ ବି ସବୁ ବେଳେ ପାକିସ୍ତାନ ଏହି ସବୁ ଚୁକ୍ତି ଓ ଟ୍ରିଟିର ଉଲଂଘନ କରୁଛି । ଅପରସେନ ସିନ୍ଦୂର ଜରିଆରେ ଭାରତ ପାକିସ୍ତାନକୁ ଦୃଢ ଜବାବ ଦେଇଛି ବୋଲି ସେ କହିଛନ୍ତି ।

ପୁଣିଥରେ ରାହୁଲ ମାରିଲେ ପ୍ରଶ୍ନବାଣ, କହିଲେ ଟ୍ରମ୍ପଙ୍କ ନାଁ ନେଲେ…

ନନ୍ଦିଘୋଷ ବ୍ୟୁରୋ: ସଂସଦରେ ‘ଅପରେସନ ସିନ୍ଦୂର’ ଉପରେ ସ୍ବତନ୍ତ୍ର ଆଲୋଚନା ହୋଇଛି । ସରକାର ନିଜର ମତ ରଖିଥିବାବେଳେ ବିରୋଧୀମାନେ ନିଜର ପ୍ରଶ୍ନବାଣରେ ଘାଇଲା କରିଛନ୍ତି । ତେବେ ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ ଅପରେସନ ସିନ୍ଦୂର ଏବଂ ଭାରତ-ପାକିସ୍ତାନ ଯୁଦ୍ଧର ଅସ୍ତ୍ରବିରତିକୁ ନେଇ ବାରମ୍ବାର ସରକାରଙ୍କୁ ପ୍ରଶ୍ନ କରି ଚାଲିଛନ୍ତି । ମଙ୍ଗଳବାର ସଂସଦରେ ରାହୁଲ କହିଥିଲେ କି, ପ୍ରଧାନମନ୍ତ୍ରୀ ସିଧାସଳଖ ଭାବେ ଟ୍ରମ୍ପଙ୍କ ନାମ ନେଉନାହାନ୍ତି । ତାଙ୍କୁ ମିଛୁଆ ବୋଲି କୁହନ୍ତୁ । ସେପଟେ ଏନେଇ ପୁଣିଥରେ ଆଜି କହିଛନ୍ତି କି, ଯଦି ସେ ଟ୍ରମ୍ପଙ୍କ ନାମ ନେବେ ତାହେଲେ ବାଣିଜ୍ୟିକ ପ୍ରଭାବ ପକାଇଦେବେ ।

ରାହୁଲ କହିଛନ୍ତି କି, ଟ୍ରମ୍ପ ବାରମ୍ବାର ମଧ୍ୟସ୍ଥତା କହୁଥିବାବେଳେ ପ୍ରଧାନମନ୍ତ୍ରୀ କାହିଁକି ଏହାକୁ ମାନୁନାହାନ୍ତି । ସତ କଥା ଲୋକଙ୍କୁ କାହିଁକି କହୁନାହାନ୍ତି । ଆମେରିକା ସହିତ ବାଣିଜ୍ୟ ଚୁକ୍ତି ସମ୍ପର୍କରେ ରାହୁଲ ଗାନ୍ଧୀ କହିଛନ୍ତି, “ବର୍ତ୍ତମାନ ସେ (ଟ୍ରମ୍ପ୍) ଆମ ସହିତ ଏକ ବାଣିଜ୍ୟ ଚୁକ୍ତି ଚାହୁଁଛନ୍ତି। ସେ (ଟ୍ରମ୍ପ୍) ସେଠାରେ ଚାପ ପକାଇବେ। ଆପଣ ଦେଖିବେ କି ପ୍ରକାର ବାଣିଜ୍ୟ ଚୁକ୍ତି ହୋଇଛି।” ସେପଟେ ଏହି ଘଟଣାକୁ ନେଇ ପ୍ରିୟଙ୍କା ଗାନ୍ଧୀ ମଧ୍ୟ ଟାର୍ଗେଟ କରିଥିବା ଦେଖିବାକୁ ମିଳିଛି ।