spot_img
Home Blog Page 5475

ଆଉ ନାହାଁନ୍ତି ପ୍ରସିଦ୍ଧ ରେଡିଓ ଖବର ପାଠକ ଉପେନ୍ଦ୍ର କୁମାର ପାହାଡ଼ସିଂହ

ଭୁବନେଶ୍ୱର: ଆଉ ନାହାଁନ୍ତି ପ୍ରସିଦ୍ଧ ରେଡିଓ ଖବର ପାଠକ ଉପେନ୍ଦ୍ର କୁମାର ପାହାଡ଼ସିଂହ। ଦୀର୍ଘ ଦିନ ଧରି ଦିଲ୍ଲୀ ଆକାଶବାଣୀରେ ସମ୍ବାଦ ଉପସ୍ଥାପକ ଭାବେ କାର୍ଯ୍ୟକରିଥିବା ଉପେନ୍ଦ୍ରଙ୍କର ୮୪ ବର୍ଷ ବୟସରେ ଦେହାନ୍ତ ଘଟିଛି। ଦିଲ୍ଲୀର ଏକ ଘରୋଇ ହସପିଟାଲରେ ପରଲୋକ ଘଟିଛି। ନିଜର ଗୁରଗମ୍ଭୀର ସ୍ୱର ପାଇଁ ସେ ଓଡ଼ିଶାର ଘରେ ଘରେ ବେଶ ପରିଚିତ ଥିଲେ।

ଜଣେ ଲିଜେଣ୍ଡଙ୍କ ବିୟୋଗରେ ସବୁ ମହଲରେ ଶୋକର ଛାୟା ଖେଳିଯାଇଛି। ନବେ ଦଶକରେ ଆକାଶବାଣୀର ସବୁଠୁ ଲୋକପ୍ରିୟ ସମ୍ବାଦ ପାଠକ ଥିଲେ ଉପେନ୍ଦ୍ର କୁମାର ପାହାଡ଼ସିଂହ। ତାଙ୍କ ନିଆରା ସମ୍ବାଦ ପଠନ ଶୈଳୀ ଆଜିବି ରେଡିଓ ଶ୍ରୋତାଙ୍କ ମନ ଭିତରେ ଛାପ ହୋଇ ରହିଛି। ଦିଲ୍ଲୀରୁ ପ୍ରସାରିତ ଓଡ଼ିଆ ସମ୍ବାଦ ପାଠକ ଭାବେ ଲୋକେ ତାଙ୍କୁ ଆଜି ବି ମନେ ରଖିଛନ୍ତି। ଚାକିରିରୁ ଅବସର ପରେ ସେ ଆକାଶବାଣୀ କଲୋନୀରେ ରହୁଥିଲେ।

ସୂଚନାରୁ ପ୍ରକାଶ, ଆକାଶବାଣୀର ଲୋକପ୍ରିୟ ସମ୍ବାଦପାଠକ ଉପେନ୍ଦ୍ର କୁମାର ପାହାଡ଼ସିଂହ ଗତ କିଛି ଦିନ ଧରି ଅସୁସ୍ଥ ହୋଇପଡ଼ିଥିଲେ। ତାଙ୍କୁ ଦିଲ୍ଲୀରେ ଏକ ପ୍ରାଇଭେଟ୍‌ ମେଡିକାଲ୍‌ରେ ଭର୍ତ୍ତି ହୋଇଥିଲେ। ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ଆଜି ତାଙ୍କର ବିୟୋଗ ହୋଇ ଯାଇଛି। ତାଙ୍କ ବିୟୋଗରେ ବିଭିନ୍ନ ମହଲରେ ଶୋକର ଛାଇ ଖେଳି ଯାଇଛି।

ଜୀବନର ମୋଡ଼ ବଦଳାଇ ଦେଇଛି କରୋନା, ଉଚ୍ଚଶିକ୍ଷିତ ପତିପତ୍ନୀ ଢାବା କରି ରୋଜଗାରର ରାସ୍ତା ବାଛିଛନ୍ତି

ଭଦ୍ରକ: କରୋନା ବଦଳାଇଦେଇଛି ଜୀବିକା। ଢାବା କରି ଆତ୍ମନିର୍ଭର ହେବାର ନୂଆ ରାସ୍ତା ଆପଣାଇଛନ୍ତି ଉଚ୍ଚଶିକ୍ଷିତ ପତିପତ୍ନୀ। ଭଦ୍ରକ ନଳାଙ୍ଗ ନିକଟରେ ଢାବା କରି ରୋଜଗାରର ରାସ୍ତା ବାଛିଛନ୍ତି ସିଭିଲ ଇଞ୍ଜିନିୟର ଲିପିକା ଦାସ ଏବଂ ତାଙ୍କ ସ୍ୱାମୀ। ସେପଟେ ଯାତ୍ରାରେ କଟକଣା କାରଣରୁ ଦୁର୍ଦ୍ଦିନରେ ଅଭିନେତା ଦାମ ପଣ୍ଡା। ପରିବାର ଚଳାଇବା ପାଇଁ ଏବେ ଛୋଟ ଦୋକାନ ଉପରେ ଭରସା କରିଛନ୍ତି।

ଏ ହେଉଛନ୍ତି ଲିପିକା ଦାସ। ଶିକ୍ଷାଗତ ଯୋଗ୍ୟତା ସିଭିଲ ଇଞ୍ଜିନିୟରିଂ। ହେଲେ କରୋନା ବଦଳାଇଦେଇଛି ଜୀବିକାର ମାଧ୍ୟମ। ଆଉ ଉଚ୍ଚଶିକ୍ଷିତ ମହିଳାଙ୍କ କାନ୍ଧରେ ଏବେ ଢାବାର ଦାୟିତ୍ୱ। ଭଦ୍ରକ ୧୬ ନମ୍ବର ଜାତୀୟ ରାଜପଥ ନଳାଙ୍ଗ  ନିକଟରେ ଲିପିକା ଏବଂ ତାଙ୍କ ସ୍ୱାମୀ ଆରମ୍ଭ କରିଛନ୍ତି ଏହି ବ୍ୟବସାୟ। ନିଜେ ପରିବା କାଟିବା ସହିତ ରୋଷେଇ କରିବା, ଲୋକଙ୍କୁ ପାର୍ସଲ ଦେବା କାର୍ଯ୍ୟ କରୁଛନ୍ତି ପତିପତ୍ନି। ଲିପିକାଙ୍କ ସ୍ୱାମୀ ବାଙ୍ଗାଲୋରରେ ଇଲେକ୍ଟ୍ରିକାଲ କଣ୍ଟ୍ରାକ୍ଟର ଭାବେ କାର୍ଯ୍ୟ କରୁଥିଲେ। ମାତ୍ର କରୋନା କାରଣରୁ ଗାଁକୁ ଆସି ଏହି ନୂଆ ବ୍ୟବସାୟକୁ ଆପଣାଇଛନ୍ତି। ଶିକ୍ଷିତ ଦମ୍ପତ୍ତିଙ୍କ ଏଭଳି ଆତ୍ମନିର୍ଭର ଉଦ୍ୟମକୁ ପ୍ରଶଂସା କରିଛନ୍ତି ଅଞ୍ଚଳବାସୀ।

ଦାମ ପଣ୍ଡା । ଯାତ୍ରା ଦୁନିଆର ଜଣାଶୁଣା ନାଁ। ପେଣ୍ଡାଲ ଉପରେ ମନୋରଞ୍ଜନ ଭରିଦେଦେଉଥିବା ଏହି କଳାକାରଙ୍କର ଜୀବନର ମୋଡ ବଦଳାଇଦେଇଛି ଭୂତାଣୁ। କରୋନା ଯାତ୍ରା କଳାକାରଙ୍କ ମେରୁଦଣ୍ଡ ଭାଙ୍ଗିଦେଇଥିବାବେଳେ ଦାମ ପଣ୍ଡା ଆପଣାଇଛନ୍ତି ନୂଆ ରାସ୍ତା। ବାଲେଶ୍ଵର ଜିଲ୍ଲା କଣ୍ଟାବଣିଆ ଗାଁରେ ଛୋଟ ଦୋକାନଟିଏ କରି ଚଳିବା ପାଇଁ ସେ ସଂଘର୍ଷ କରୁଛନ୍ତି। କଟକଣା କାରଣରୁ ଯାତ୍ରା ବନ୍ଦ ଥିବାରୁ ରୋଜଗାର ପାଇଁ ଏହି ଦୋକାନ ଉପରେ ଆଶାପ୍ରକାଶ କରିଛନ୍ତି ଦାମ। ଏଭଳି ଦୁର୍ଦ୍ଦିନରେ କଳାକାରଙ୍କୁ ସହାୟତା ଯୋଗାଇଦେବାକୁ ସେ ସରକାରଙ୍କୁ ଅନୁରୋଧ କରିଛନ୍ତି।

ଭୂତାଣୁର ଆତଙ୍କରେ ସାରା ମାନବଜାତି ହନ୍ତସନ୍ତ ହେଉଛି। ଉଭୟ ଜୀବନ ଆଉ ଜୀବିକାକୁ ବେଶ୍ ପ୍ରଭାବିତ କରିଛି କରୋନା। ଜୀବନ ଚାଲିଯାଉଥିବାବେଳେ ଜୀବିକା ମୋଡ ବଦଳିଯାଉଛି।

ଜାମ୍ମୁରେ ଡ୍ରୋନ୍‌ ଷ୍ଟ୍ରାଇକ ପରେ ପ୍ରଧାନମନ୍ତ୍ରୀଙ୍କ ଉଚ୍ଚସ୍ତରୀୟ ବୈଠକ

ଜାମ୍ମୁ: ଜାମ୍ମୁରେ ଡ୍ରୋନ୍‌ ଷ୍ଟ୍ରାଇକ ପରେ ପ୍ରଧାନମନ୍ତ୍ରୀଙ୍କ ଉଚ୍ଚସ୍ତରୀୟ ବୈଠକ । ସୁରକ୍ଷା ନେଇ ସ୍ଥିତି ସମୀକ୍ଷା କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଜାତୀୟ ନିରାପତ୍ତା ପରାମର୍ଶଦାତା ଅଜିତ ଡୋଭାଲ, ଗୃହମନ୍ତ୍ରୀ ଅମିତ ଶାହ ଓ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂଙ୍କ ଉପସ୍ଥିତରେ ସ୍ଥିତି ସମୀକ୍ଷା କରିଛନ୍ତି ପ୍ରଧାନମନ୍ତ୍ରୀ । ଜାମ୍ମୁ ଏୟାରଷ୍ଟ୍ରାଇକରେ ୨ ଜଣ ଯବାନ ଆହତ ହୋଇଥିବାବେଳେ ଏକ ବିଲ୍‌ଡିଂର କିଛି ଅଂଶ ହୋଇଥିଲା କ୍ଷତିଗ୍ରସ୍ତ ହୋଇଛି ।

ପ୍ରତିରକ୍ଷା ମନ୍ତ୍ରୀ କହିଛନ୍ତି, ଜାମ୍ମୁ ବିସ୍ଫୋରଣ ପରେ କାଲୁଚକରେ ଦେଖାଦେଇଥିବା ଡ୍ରୋନ ପଛରେ ଲସକର୍‌ର ହାତ ଥାଇପାରେ । ଏହି ବିସ୍ଫୋରଣ ପଛରେ ଲସକର- ଏ -ତୋଏବା ସଂଗଠନର ହାତ ଥିବା କୁହାଯାଉଛି । ସେପଟେ ଜାମ୍ମୁରେ ତଦନ୍ତ ଚଳାଇଛି ଏନଆଇଏ । ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ଓ ସେନାମୁଖ୍ୟ ଜେନରାଲ ଏମଏମ ନରବାଣେ ଲଦାଖ ଗସ୍ତରେ ଥିବାବେଳେ ଏହି ବିସ୍ଫୋରଣ ଘଟିଥିଲା ।

ପଶ୍ଚିମବଙ୍ଗ ନିର୍ବାଚନ ହିଂସା: ଯାଞ୍ଚ ସମୟରେ ସାମ୍ନାକୁ ଆସିଲା ୪୦ଘର ଭାଙ୍ଗିଥିବା ଘଟଣା

କୋଲକାତା: ପଶ୍ଚିମବଙ୍ଗରେ ବିଧାନସଭା ନିର୍ବାଚନ ପରେ ହିଂସା ସମୟରେ ହୋଇଥିବା ମାନବିକ ଅଧିକାରର ଉଲ୍ଲଂଘନ ଘଟଣାର ଚାସିଛି ଅନୁସନ୍ଧାନ । ଅନୁସନ୍ଧନ କରିବାକୁ ବଙ୍ଗଳାକୁ ଆସିଥିବା ଜାତୀୟ ମାନବ ଅଧିକାର ଆୟୋଗ (NHRC) ର ଅଧିକାରୀମାନେ ମଙ୍ଗଳବାର ଦିନ କହିଛନ୍ତି ଯେ ଏଠାରେ ଚାଳିଶରୁ ଅଧିକ ଘର ନଷ୍ଟ ହୋଇଯାଇଛି। ଯାଞ୍ଚ ସମୟରେ ଏହା ସାମ୍ନାକୁ ଆସିଛି ଯେ ଯାଦବପୁରରେ ହୋଇଥିବା ହିଂସାରେ ୪୦ରୁ ଅଧିକ ଘର ନଷ୍ଟ ହୋଇଯାଇଛି। କେବଳ ଏତିକି ନୁହେଁ ଗୁଣ୍ଡାଙ୍କ ଦ୍ୱାରା ଆକ୍ରମଣ କରାଯାଉଛି।

ପଶ୍ଚିମବଙ୍ଗରେ ବିଧାନସଭା ନିର୍ବାଚନ ପରେ ହିଂସା ସମୟରେ ମାନବିକ ଅଧିକାରର ଉଲ୍ଲଂଘନ ଘଟଣାର ଅନୁସନ୍ଧାନ ପାଇଁ ମଙ୍ଗଳବାର ଦିନ ଜାତୀୟ ମାନବ ଅଧିକାର ଆୟୋଗ (NHRC) ଦ୍ୱାରା ଗଠିତ ଏକ କମିଟି ମଧ୍ୟ ହିତାଧିକାରୀଙ୍କ ସହ କଥାବାର୍ତ୍ତା କରିଛି । କଲିକତା ହାଇକୋର୍ଟଙ୍କ ନିର୍ଦ୍ଦେଶରେ ଆୟୋଗର ଅଧ୍ୟକ୍ଷ ଏହି କମିଟି ଗଠନ କରିଥିଲେ।

ନିର୍ବାଚନ ପରବର୍ତ୍ତୀ ହିଂସା ସମୟରେ ମାନବିକ ଅଧିକାରର ଉଲ୍ଲଂଘନ ଅଭିଯୋଗର ଯାଞ୍ଚ କରିବା ପାଇଁ କୋର୍ଟ ଏହାକୁ ଗଠନ କରିଥିଲେ। ଏହି କମିଟି ମଙ୍ଗଳବାର ଦିନ ପଶ୍ଚିମବଙ୍ଗ ରାଜ୍ୟ ମାନବ ଅଧିକାର ଆୟୋଗ କାର୍ଯ୍ୟାଳୟ ସାଲ୍ଟ ଲେକରେ ଏହି ଅଭିଯୋଗ ଗ୍ରହଣ କରିଛି । ଏହାପୂର୍ବରୁ କମିଟିର ସଦସ୍ୟମାନେ ସୋମବାର ପର୍ଯ୍ୟନ୍ତ ସଲ୍ଟ ଲେକରେ ଥିବା ସେଣ୍ଟ୍ରାଲ ରିଜର୍ଭ ପୋଲିସ ଫୋର୍ସ (CRPF)ର ଷ୍ଟାଫ୍ ଅଫିସର ମେସରେ ପୀଡିତମାନଙ୍କୁ ଭେଟି ସେମାନଙ୍କ ଅଭିଯୋଗ ଗ୍ରହଣ କରଥିଲେ।

NHRC ଅଧିକାରୀଙ୍କ ଅନୁଯାୟୀ, କମିଟି ଏବଂ ଆୟୋଗର ଅନେକ ଟିମ୍ ରାଜ୍ୟର ବିଭିନ୍ନ ସ୍ଥାନ ପରିଦର୍ଶନ କରି ଅଭିଯୋଗର ଯାଞ୍ଚ କରୁଛନ୍ତି। ହାଇକୋର୍ଟର ଏକ ପାଞ୍ଚ ଜଣିଆ ଖଣ୍ଡପୀଠ ଜୁନ୍ ୧୮ରେ ନିର୍ଦ୍ଦେଶ ଦେଇଛନ୍ତି ଯେ, କମିଟି ଆହୁରି ପଦକ୍ଷେପ ନେବାକୁ ପରାମର୍ଶ ଦେବ ଯାହା ଦ୍ୱାରା ପୀଡିତାମାନେ ନିଜ ଘରେ ଶାନ୍ତିରେ ରହି ସେମାନଙ୍କ ବ୍ୟବସାୟ ଜାରି ରଖିବେ ।

ଦେବଗଡରେ ୧୦୦ ଶଯ୍ୟା ବିଶିଷ୍ଟ କୋଭିଡ ହସ୍‌ପିଟାଲ ଉଦ୍‌ଘାଟନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: କୋଭିଡ ମୁକାବିଲା ଏକ ମିଳିତ ସାମାଜିକ ଦାୟିତ୍ୱ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହା କହିଛନ୍ତି। ମହାମାରୀର ମୁକାବିଲା ପାଇଁ ସମସ୍ତଙ୍କ ସହଯୋଗ ଦରକାର। ଏ ଦିଗରେ ବେସରକାରୀ ଚିକିତ୍ସାଳୟ ମାନଙ୍କ ସହିତ କର୍ପୋରେଟ୍‌ ସେକ୍ଟର, ରାଜ୍ୟ ଓ କେନ୍ଦ୍ର ସରକାରଙ୍କ PSU ମାନେ ଆଗେଇ ଆସିବା ଖୁସିର କଥା। ତେଣୁ ସମସ୍ତେ ନିଜ ନିଜ ସ୍ତରରେ ମୁକାବିଲା କରିବା ପାଇଁ କାମ କରିବା ଦରକାର ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି। କରୋନା ସଂକଟରେ ସ୍ୱାସ୍ଥ୍ୟ ଭିତ୍ତିଭୂମିକୁ ଗୁରୁତ୍ୱ ଦେଉଛନ୍ତି ରାଜ୍ୟ ସରକାର। ଦେବଗଡରେ ୧୦୦ ଶଯ୍ୟା ବିଶିଷ୍ଟ କୋଭିଡ ହସ୍‌ପିଟାଲ ଉଦ୍‌ଘାଟନ କରିଛନ୍ତି।

ଏଥିରେ ଶିଶୁ ଶଯ୍ୟା ସହିତ ୧୨ଟି ICU, ୩୨ଟି HDU, ସ୍ୱତନ୍ତ୍ର ଶିଶୁ ୱାର୍ଡ ସହିତ ସମସ୍ତ ଅତ୍ୟାଧୁନିକ ଚିକିତ୍ସା ଉପକରଣ ଓ ପରୀକ୍ଷାଗାରର ସୁବିଧା ରହିଛି। ଏଥିସହ ରାଜ୍ୟର ୩୦ଟି ଜିଲ୍ଲାରେ ଅକ୍‌ସିଜେନ ବ୍ୟବସ୍ଥା ସହିତ ସ୍ୱାସ୍ଥ୍ୟ ଭିତ୍ତିଭୂମିକୁ ମଜବୁତ କରାଯାଇଛି। କୋଭିଡ ପରିଚାଳନାରେ ରାଜ୍ୟ ସରକାରଙ୍କ ନୀତି ହେଉଛି, ସବୁ ଜୀବନ ମୂଲ୍ୟବାନ। ଟିକା ଆମକୁ ସୁରକ୍ଷା ଦେବ। କିନ୍ତୁ ସଂପୂର୍ଣ୍ଣ ସୁରକ୍ଷା ପାଇଁ କୋଭିଡର ସବୁ ନିୟମ ପାଳନ କରିବାକୁ ମୁଖ୍ୟମନ୍ତ୍ରୀ ନିବେଦନ କରିଛନ୍ତି। ରାଜ୍ୟରେ ଟିକା ଉତ୍ପାଦନ ପାଇଁ ରାଜ୍ୟ ସରକାରଙ୍କ ଉଦ୍ୟମକୁ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ପ୍ରଶଂସା କରିଛନ୍ତି।

ସଂପୂର୍ଣ୍ଣ ସୁରକ୍ଷା ପାଇଁ କୋଭିଡର ସବୁ ନିୟମ ପାଳନ କରିବାକୁ ମୁଖ୍ୟମନ୍ତ୍ରୀ ନିବେଦନ

ଭୁବନେଶ୍ୱର: ସଂକ୍ରମଣ ହାର ଅଧିକ ଥିବା ଜିଲ୍ଲାରେ କୋଭିଡ ନିୟମକୁ କଡାକଡି ଭାବରେ ପାଳନ କର। ଘରକୁ ଘର ସର୍ଭେକୁ ଆହୁରି ତ୍ୱରାନ୍ୱିତ କର। ଟିକାକରଣ ଓ ଶିଶୁ ମାନଙ୍କ ସ୍ୱାସ୍ଥ୍ୟ ସୁରକ୍ଷାକୁ ଦିଅ ବିଶେଷ ଗୁରୁତ୍ୱ। ଆଜି କୋଭିଡ ସ୍ଥିତି ସମୀକ୍ଷା କରି ଏପରି ନିର୍ଦ୍ଦେଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ମୁଖ୍ୟତଃ ଅଧିକ ସଂକ୍ରମଣ ହାର ଥିବା ଜିଲ୍ଲା ଉପରେ ଫୋକସ କରିବା ସହିତ କୋଭିଡ ନିୟମର କଡାକଡି ଅନୁପାଳନ ଉପରେ ଗୁରୁତ୍ୱ ଆରୋପ କରିଛନ୍ତି ମୁଖ୍ୟମନ୍ତ୍ରୀ। ରାଜ୍ୟରେ ସଂକ୍ରମଣ ହାର କମୁଛି। ଅଳ୍ପ କେତେକ ଜିଲ୍ଲାରେ ଉଚ୍ଚ ସଂକ୍ରମଣ ହାରକୁ ଦୃଷ୍ଟିରେ ରଖି ସତର୍କତା ଅବଲମ୍ବନ କରିବାକୁ ମୁଖ୍ୟମନ୍ତ୍ରୀ ଗୁରୁତ୍ୱ ଦେଇଛନ୍ତି। ଏହାସହିତ ଘରକୁ ଘର ବୁଲି ଚାଲିଥିବା ସର୍ଭେ କାର୍ଯ୍ୟକ୍ରମ ଦ୍ୱାରା କୋଭିଡ ତଥା ଅନ୍ୟନ୍ୟ ରୋଗୀ ମାନଙ୍କର ଚିହ୍ନଟ କରାଯାଉଛି।

ତୁରନ୍ତ ଚିକିତ୍ସା ବ୍ୟବସ୍ଥା କରାଯାଇପାରୁଥିବାରୁ ମୁଖ୍ୟମନ୍ତ୍ରୀ ସନ୍ତୋଷ ପ୍ରକାଶ କରି ଏହାକୁ ଆହୁରି ଗୁରୁତର ସହ କାର୍ଯ୍ୟକାରୀ କରିବା ପାଇଁ ସେ ପରାମର୍ଶ ଦେଇଛନ୍ତି। ତୃତୀୟ ଲହର ପାଇଁ ଶିଶୁ ରୋଗ ଚିକିତ୍ସା ପାଇଁ ସମସ୍ତ ବ୍ୟବସ୍ଥା କରିବାକୁ କହିଛନ୍ତି। ଡାକ୍ତରମାନଙ୍କର ତାଲିମକୁ ପ୍ରାଥମିକତା ଦେଇ ସଂପୂର୍ଣ୍ଣ ପ୍ରସ୍ତୁତ ରହିବା ପାଇଁ ମୁଖ୍ୟମନ୍ତ୍ରୀ ପରାମର୍ଶ ଦେଇଛନ୍ତି। ସେହିପରି ବିଭିନ୍ନ ଡାକ୍ତରଖାନାରେ ଅକ୍‌ସିଜେନ ପ୍ଲାଣ୍ଟ କାର୍ଯ୍ୟକ୍ଷମକୁ ସୁନିଶ୍ଚିତ କରିବା ଉପରେ ମୁଖ୍ୟମନ୍ତ୍ରୀ ଗୁରୁତ୍ୱ ଦେଇଛନ୍ତି। ଶୀଘ୍ର ଟିକାକରଣ ଆଗାମୀ କିଛି ମାସ ପାଇଁ ମୁଖ୍ୟ ଫୋକସ ହୋଇରହିବ। ବର୍ତ୍ତମାନ ଦୈନିକ ୩ ଲକ୍ଷ ଲୋକଙ୍କୁ ଟିକା ଦିଆଯାଉଛି। ସୁବିଧା ସୁନିଶ୍ଚିତ କରିବାପାଇଁ ଜିଲ୍ଲାପାଳ ମାନେ ବ୍ୟକ୍ତିଗତ ଭାବେ ଦୃଷ୍ଟି ଦେବା ପାଇଁ ସେ ପରାମର୍ଶ ଦେଇଛନ୍ତି। ତେବେ ରାଜ୍ୟର ଦକ୍ଷିଣ ଓ ପଶ୍ଚିମାଞ୍ଚଳର ୧୭ଟି ଜିଲ୍ଲାରେ ଆଂଶିକ ଅନ୍‌ଲକ୍‌ ପରେ ମଧ୍ୟ କୋଭିଡ କେସ୍‌ରେ କୌଣସି ବୃଦ୍ଧି ହୋଇନାହିଁ। କିନ୍ତୁ ଉପକୂଳ ଓ ଉତ୍ତର ଓଡିଶାର ଅବିଭକ୍ତ ପୁରୀ, କଟକ, ବାଲେଶ୍ୱର ଓ ମୟୁରଭଂଜ ଆଦି ଜିଲ୍ଲା ମାନଙ୍କରେ ସଂକ୍ରମଣ ହାର ଅଧିକ ଥିବାରୁ ଅଧିକ ସତର୍କ ଦୃଷ୍ଟି ରଖାଯାଇଛି।

ରାସ୍ତା କଡ଼ରେ ମରିଗଲା ମା’ର ମମତା, ନବଜାତକୁ ନଳାରେ ଫୋପାଡ଼ିଦେଇ ପଳାଇଲା ମା’

ନୂଆଦିଲ୍ଲୀ: ମା’ର ଅନେକ ରୂପ। ସେ ଜନ୍ମଦାତ୍ରୀ, ମମତାମୟୀ, ସ୍ନେହମୟୀ। କୁହାଯାଏ ତା’ରି ପଣତକାନୀ ପିଲାଙ୍କୁ ସବୁ ସଙ୍କଟ, ବାଧା ବିଘ୍ନରୁ ମୁକ୍ତି ଦିଏ। ମା’ ଥିବା ପିଲାଙ୍କର କେବେ କିଛି ଅଭାବ ହୁଏ ନାହିଁ।  ସେଥିପାଇଁ ଓଡ଼ିଆରେ କଥାଟିଏ ଅଛି: ମା’ ଅଛି ଯାହାର କୋଟି ଆନନ୍ଦ ତାହାର। ଆଉ ମା’ ନାହିଁ ଯାହାର, ସାହା ନାହିଁ ତାହାର ….

ମା ଖାଲି ସନ୍ତାନକୁ ଜନ୍ମ ଦିଏନାହିଁ, ରାହା ବି ଦେଖାଏ। ସେ ନିଜେ ଭୋକରେ ରହି, ସନ୍ତାନ ପାଇଁ ଖାଇବା ଯୋଗାଡ କରିଥାଏ। ସେଥିପାଇଁ ମାଆ କୁ ଭଗବାନଙ୍କ ଅବତାର ସହିତ ତୁଳନା କରାଯାଏ।

କିନ୍ତୁ ଆଜି ଏହି ଭିଡିଓ ରେ ଏମିତି ଜଣେ  ମା’ ବିଷୟରେ କହିବି , ଯିଏ ମା’ ତ ନୁହେଁ ବରଂ ଆପଣ ତାଙ୍କୁ ମା’ ନା ରେ କଳଙ୍କ ବୋଲି କହିପାରିବେ।  ଆପଣ ଏହି ଭିଡିଓ ଦେଖିଲେ ନିଶ୍ଚିତ କହିବେ :  ଧିକ ତୋ ମାଆ ପଣିଆ …..

ପଞ୍ଜାବ ରଜ୍ୟେର ଚଣ୍ଡିଗଡ଼ର ଘଟଣା ଇଏ। ରାଏ ପୁରସନୀ ନାମକ ଏକ ଗାଁରେ ଜଣେ ଗର୍ଭବତୀ ମହିଳା ଏକ ମୋଟର ସାଇକେଲରେ ବସି ଆସିଲେ। ତାଙ୍କୁ ଜଣେ ପୁରୁଷ ବନ୍ଧୁ  ଏବଂ ଆଉ ଜଣେ ମହିଳା ସାଙ୍ଗରେ ନେଇ ଆସିଥିଲେ। ପୁରୁଷ ଜଣକ  ମୋଟର ସାଇକେଲ୍ ଚଳାଉଥିଲେ। ପାଖରେ ଥିବା ଏକ ମେଡିକାଲ୍ ଷ୍ଟୋର ପାଖରେ ତିନିଜଣ ଯାକ ରହିଗଲେ। ଆଉ ସେଇଠି ଆସନ୍ନ ପ୍ରସବା ଜଣକ ଜନ୍ମ ଦେଲେ ଜଣେ ନବଜାତକଙ୍କୁ।

ଆଉ ତା’ ପରେ… ଦୁନିଆର ସବୁଠାରୁ ହୀନ କାର୍ଯ୍ୟ ସେଇ ମା’ଟି ହାତରେ ଘଟିଲା। ମା’ଟି ସେଇ ଶିଶୁଟିକୁ ନଳାରେ ଫୋପାଡ଼ି ଦେଲା।

ଏହି ପୁରା ଘଟଣାଟିକୁ ନିକଟସ୍ଥ ଏକ ଘରେ ଲାଗିଥିବା ସିସିଟିଭି କ୍ୟାମେରା ରେକର୍ଡ଼ କରୁଥିଲା। ସେ ଘରର ମାଲିକ ଦୀପକ କୁମାରଙ୍କ କହିବା ଅନୁସାରେ, ସକାଳେ ତାଙ୍କ ସ୍ତ୍ରୀ ଘର ସଫା କରୁଥିବା ସମୟରେ, ଘର ପାଖରେ ଥିବା ଏକ ନାଳ ରେ ନବଜାତ ଶିଶୁର ମୃତ ଦେହ ପଡିଥିବାର ଦେଖିଥିଲେ। ତା ପରେ ମା’ଟି ସେ ମୃତ ନବଜାତ ଶିଶୁକୁ ନାଳରୁ କାଢି ଗୋଟେ ପେଟିରେ ରଖିଥିଲେ। ଏହାପରେ ସେମାନେ ଗାଁର ସରପଞ୍ଚ ଓ ସ୍ଥାନୀୟ ପୋଲିସକୁ ଏ ବିଷୟରେ ଅବଗତ କରାଇଥିଲେ। ପୋଲିସ ଏସଆଇ , ମୋହନ ଖାନ , ଏସ , ଆଇ ,ଆଶିଷ , ପି.ସି .ଆର  ୨୯ ଆଉ ୩୦ କର୍ମଚାରୀ ସେଠାରେ ସାଙ୍ଗେସାଙ୍ଗେ ପହଞ୍ଚିଥିଲେ।

ଘରେ ଲାଗିଥିବା ସିସି ଟିଭି ଫୁଟେଜ ଅନୁସାରେ, ଦୁଇଜଣ ମହିଳା ଓ ଜଣେ ପୁରୁଷ ବ୍ୟକ୍ତିଙ୍କ ସହିତ ଏକ ମୋଟର ସାଇକେଲ ରେ ଆସି, ସେଠି ଥିବା ମେଡିକାଲ ଷ୍ଟୋର ପାଖରେ କିଛି ସମୟ ଛିଡା ହେଇ ଯାଇଛନ୍ତି। ତା କିଛି ସମୟ ପରେ ମହିଳା ଜଣକ ସେଠି ଏକ ଶିଶୁକୁ ଜନ୍ମ କରି , ନିଜ ହାତରେ ସେ ଶିଶୁଟିକୁ , ସେହି ପାଖରେ ଥିବା ଏକ ନାଳରେ ଫିଙ୍ଗି ଦେଇଥିଲା। ଏବେ ଏହାର ତଦନ୍ତ ଚାଲିଛି।

ପାକିସ୍ତାନର ଲାହୋରରେ ଏକାଥରକେ ଫାଟିଲା ୧୦ ଗ୍ୟାସ୍‌ ସିଲିଣ୍ଡର

ନୂଆଦିଲ୍ଲୀ: ଥରିଲା ପାକିସ୍ତାନ। ଲାହୋରରେ ଫାଟିଲା ସିଲିଣ୍ଡର। ଗୋଟିଏ କି ଦୁଇଟି ନୁହେଁ ଏକା ଥରକେ ୧୦ଟି ଗ୍ୟାସ ସିଲିଣ୍ଡର ଫାଟିଲା ଲାହୋର ସହରର ବରକତ୍ ମାର୍କେଟରେ। ବିସ୍ଫୋରଣ ଏତେ ଭୟାବହ ଥିଲା ଯେ ପ୍ରାୟ ଦୁଇ କିଲୋମିଟର ଯାଏ ଏହା ଶବ୍ଦ କରିଥିଲା। ଗ୍ୟାସ ସିଲିଣ୍ଡର ଫାଟିବା ଫଳରେ ସ୍ଥାନୀୟ ଅଞ୍ଚଳରେ ନିଆଁ ଲାଗିଥିଲା। ଦମକଳ ବାହିନୀ ପହଞ୍ଚି ନିଆଁକୁ ଆୟତ୍ତ କରିବାରେ ସଫଳ ହୋଇଛି।

ବିସ୍ଫୋରଣରେ କାହାର ମୃତ୍ୟୁ ହୋଇନଥିବା ଜଣାପଡ଼ିଛି। ତେବେ ଅନେକ ଆହତ ହୋଇଥିବାବେଳେ ୧୦ ଜଣ ଗୁରୁତର ଭାବେ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି। ସିଲିଣ୍ଡର ଫାଟିବା କ୍ଷଣି ସ୍ଥାନୀୟ ଅଞ୍ଚଳକୁ ଖାଲି କରିଥିଲା ପ୍ରଶାସନ। କେଉଁ ଭଳି ପରିସ୍ଥିତିରେ ଏକାଥରକେ ଏତେ ସଂଖ୍ୟାରେ ସିଲିଣ୍ଡର ଫାଟିଲା ସେ ନେଇ ତଦନ୍ତ ଆରମ୍ଭ କରିଛି ସ୍ଥାନୀୟ ପ୍ରଶାସନ। କିଛି ଦିନ ପୂର୍ବରୁ ଜୋହର ଟାଉନରେ ଆତଙ୍କବାଦୀ ହାଫିଜ୍ ସଇଦ୍ ଘର ନିକଟରେ ବିସ୍ଫୋରଣ ହୋଇଥିଲା।

୧୩ ଯୋଡ଼ା ବିଶେଷ ଟ୍ରେନର ସେବା ଅବଧିରେ ବୃଦ୍ଧି

ଭୁବନେଶ୍ୱର: ଭୁବନେଶ୍ୱର-ବାଙ୍ଗିରିପୋଷି-ଭୁବନେଶ୍ୱର ବିଶେଷ ଟ୍ରେନର ପୂର୍ବ ବିଜ୍ଞପ୍ତିକୁ ପରିବର୍ତ୍ତିତ କରାଯାଇଅଛି। ଏହି ଟ୍ରେନ ଜୁଲାଇ ମାସ ୧୩ ତାରିଖ ମଧ୍ୟରେ ପ୍ରତି ଶନି, ରବିବାର ଓ ଛୁଟି ଦିନ ମାନଙ୍କରେ ବାତିଲ ରହିବ। ଭୁବନେଶ୍ୱର-ବାଙ୍ଗିରିପୋଷି-ଭୁବନେଶ୍ୱର ବିଶେଷ ଟ୍ରେନ ସେବା ଜୁଲାଇ ମାସ ୧୩ ତାରିଖ ମଧ୍ୟରେ ଭୁବନେଶ୍ୱର ଠାରୁ ଜୁଲାଇ ମାସ ୩ ଓ ୪ ତାରିଖ ଏବଂ ୧୦ ତାରିଖ ଠାରୁ ୧୨ ତାରିଖ ପର୍ଯ୍ୟନ୍ତ ବାତିଲ ରହିବ। ଏହି ଟ୍ରେନ (02891) ବାଙ୍ଗିରିପୋଷି ଠାରୁ ଜୁଲାଇ ମାସ ୪ ଓ ୫ ତାରିଖ ଏବଂ ୧୧ ତାରିଖ ଠାରୁ ୧୩ ତାରିଖ ପର୍ଯ୍ୟନ୍ତ ବାତିଲ ରହିବ।

ସେପଟେ ଆଠ ଯୋଡ଼ା ବିଶେଷ ଟ୍ରେନ ସେପ୍ଟେମ୍ବର ମାସ ଶେଷ ସପ୍ତାହ ପର୍ଯ୍ୟନ୍ତ ଚଳାଚଳ କରିବ । ଦୁଇ ଯୋଡ଼ା ବିଶେଷ ଟ୍ରେନ ଜୁଲାଇ ମାସ ଶେଷ ସପ୍ତାହ ପର୍ଯ୍ୟନ୍ତ ଚଳାଚଳ କରିବ । ଏକ ଯୋଡ଼ା ବିଶେଷ ଟ୍ରେନ ଅଗଷ୍ଟ ମାସ ଶେଷ ସପ୍ତାହ ପର୍ଯ୍ୟନ୍ତ ଚଳାଚଳ କରିବ । ଶାଲିମାର-ବିଶାଖାପାଟନମ୍ ଓ ସାନ୍ତ୍ରାଗଛି-ତିରୁପତି ବିଶେଷ ଟ୍ରେନ ପରବର୍ତ୍ତୀ ପରାମର୍ଶ ପର୍ଯ୍ୟନ୍ତ ଚଳାଚଳ କରିବ । ଯଶୋବନ୍ତପୁର-ଗୌହାଟୀ-ଯଶୋବନ୍ତପୁର ବିଶେଷ ଟ୍ରେନ ପରବର୍ତ୍ତୀ ପରାମର୍ଶ ପର୍ଯ୍ୟନ୍ତ ବାତିଲ ରହିବ। ଯାତ୍ରୀମାନଙ୍କ ସୁବିଧା ପାଇଁ ରେଳ ମନ୍ତ୍ରଣାଳୟ ପୂର୍ବ ତଟ ରେଳପଥ ପରିସୀମା ମଧ୍ୟରେ ଯାତାୟାତ କରୁଥିବା ୧୩ ଯୋଡ଼ା ଦୂରଗାମୀ ବିଶେଷ ଟ୍ରେନ ଗୁଡିକର ଚଳାଚଳ ଅବଧିକୁ ନିମ୍ନଲିଖିତ ଅନୁଯାୟୀ ବୃଦ୍ଧି କରିବାକୁ ନିଷ୍ପତ୍ତି ନେଇଛି।

ଜୁଲାଇ, ଅଗଷ୍ଟ ଏବଂ ସେପ୍ଟେମ୍ବର ମାସ ଶେଷ ସପ୍ତାହ ପର୍ଯ୍ୟନ୍ତ ସେବା ବୃଦ୍ଧି ପାଇବାକୁ ଥିବା ବିଶେଷ ଟ୍ରେନ ଗୁଡ଼ିକ ହେଉଛି।

୧. 02835/02836 ହଟିଆ-ଯଶୋବନ୍ତପୁର-ହଟିଆ ବିଶେଷ ଟ୍ରେନ ହଟିଆରୁ ୨୬ ସେପ୍ଟେମ୍ବର ପର୍ଯ୍ୟନ୍ତ ଏବଂ ଯଶୋବନ୍ତପୁରରୁ ୨୮ ସେପ୍ଟେମ୍ବର ପର୍ଯ୍ୟନ୍ତ ଚଳାଚଳ କରିବ।

୨. 08117/08118 ହାଓଡ଼ା-ମହୀଶୂର-ହାଓଡ଼ା ବିଶେଷ ଟ୍ରେନ ହାଓଡ଼ାରୁ ୨୪ ସେପ୍ଟେମ୍ବର ପର୍ଯ୍ୟନ୍ତ ଏବଂ ମହୀଶୂରରୁ ୨୬ ସେପ୍ଟେମ୍ବର ପର୍ଯ୍ୟନ୍ତ ଚଳାଚଳ କରିବ।

୩. 08645/08646 ହାଓଡ଼ା-ହାଇଦ୍ରାବାଦ-ହାଓଡ଼ା ବିଶେଷ ଟ୍ରେନ ହାଓଡ଼ାରୁ ୨୭ ସେପ୍ଟେମ୍ବର ପର୍ଯ୍ୟନ୍ତ ଏବଂ ହାଇଦ୍ରାବାଦରୁ ୨୯ ସେପ୍ଟେମ୍ବର ପର୍ଯ୍ୟନ୍ତ ଚଳାଚଳ କରିବ।

୪. 02873/02874 ହାଓଡ଼ା-ଯଶୋବନ୍ତପୁର-ହାଓଡ଼ା ବିଶେଷ ଟ୍ରେନ ହାଓଡ଼ାରୁ ୨୭ ସେପ୍ଟେମ୍ବର ପର୍ଯ୍ୟନ୍ତ ଏବଂ ଯଶୋବନ୍ତପୁରରୁ ୨୯ ସେପ୍ଟେମ୍ବର ପର୍ଯ୍ୟନ୍ତ ଚଳାଚଳ କରିବ।

୫.  08047/08048 ହାଓଡ଼ା-ଭାସ୍କୋଡାଗାମା-ହାଓଡ଼ା ବିଶେଷ ଟ୍ରେନ ହାଓଡ଼ାରୁ ୨୫ ସେପ୍ଟେମ୍ବର ପର୍ଯ୍ୟନ୍ତ ଏବଂ ଭାସ୍କୋଡାଗାମାରୁ ୨୮ ସେପ୍ଟେମ୍ବର ପର୍ଯ୍ୟନ୍ତ ଚଳାଚଳ କରିବ।

୬. 02867/02868 ହାଓଡ଼ା-ପଣ୍ଡିଚେରୀ-ହାଓଡ଼ା ବିଶେଷ ଟ୍ରେନ ହାଓଡ଼ାରୁ ୨୬ ସେପ୍ଟେମ୍ବର ପର୍ଯ୍ୟନ୍ତ ଏବଂ ପଣ୍ଡିଚେରୀରୁ ୨୯ ସେପ୍ଟେମ୍ବର ପର୍ଯ୍ୟନ୍ତ ଚଳାଚଳ କରିବ।

୭. 02837/02838 ହାଓଡ଼ା-ପୁରୀ-ହାଓଡ଼ା ବିଶେଷ ଟ୍ରେନ ହାଓଡ଼ାରୁ ୨୮ ସେପ୍ଟେମ୍ବର ପର୍ଯ୍ୟନ୍ତ ଏବଂ ପୁରୀରୁ ୨୯ ସେପ୍ଟେମ୍ବର ପର୍ଯ୍ୟନ୍ତ ଚଳାଚଳ କରିବ।

୮. 02877/02878 ହାଓଡ଼ା-ଏର୍ଣ୍ଣାକୁଲମ-ହାଓଡ଼ା ବିଶେଷ ଟ୍ରେନ ହାଓଡ଼ାରୁ ୨୫ ସେପ୍ଟେମ୍ବର ପର୍ଯ୍ୟନ୍ତ ଏବଂ ଏର୍ଣ୍ଣାକୁଲମରୁ ୨୭ ସେପ୍ଟେମ୍ବର ପର୍ଯ୍ୟନ୍ତ ଚଳାଚଳ କରିବ।

୯. 08637/08638 ହଟିଆ-ବାଙ୍ଗାଲୋର କ୍ୟାଣ୍ଟ-ହଟିଆ ବିଶେଷ ଟ୍ରେନ ହଟିଆରୁ ୩୧ ଜୁଲାଇ ପର୍ଯ୍ୟନ୍ତ ଏବଂ ବାଙ୍ଗାଲୋରରୁ ୦୩ ଅଗଷ୍ଟ ପର୍ଯ୍ୟନ୍ତ ଚଳାଚଳ କରିବ।

୧୦. 02449/02450 ଶାଲୀମାର-ସିକନ୍ଦରାବାଦ-ଶାଲୀମାର ବିଶେଷ ଟ୍ରେନ ଶାଲୀମାରରୁ ୨୮ ଜୁଲାଇ ପର୍ଯ୍ୟନ୍ତ ଏବଂ ସିକନ୍ଦରାବାଦରୁ ୩୦ ଜୁଲାଇ ପର୍ଯ୍ୟନ୍ତ ଚଳାଚଳ କରିବ।

୧୧. 05228/05227 ମୁଜାଫରପୁର-ଯଶୋବନ୍ତପୁର-ମୁସାଫରପୁର ବିଶେଷ ଟ୍ରେନ ମୁଜାଫରପୁରରୁ ୩୦ ଅଗଷ୍ଟ ପର୍ଯ୍ୟନ୍ତ ଏବଂ ଯଶୋବନ୍ତପୁରରୁ ୧ ସେପ୍ଟେମ୍ବର ୨୦୨୧ ପର୍ଯ୍ୟନ୍ତ ଚଳାଚଳ କରିବ।

ଅପରାଧ ଏବଂ ନକ୍ସଲ ଆକ୍ରମଣ ରୋକିବା ପାଇଁ ପୂର୍ବାଞ୍ଚଳର ପୋଲିସ ଡିଜି ମାନଙ୍କୁ ନେଇ ଗୁରୁତ୍ୱପୂର୍ଣ୍ଣ ବୈଠକ

ଭୁବନେଶ୍ୱର: ପୂର୍ବାଞ୍ଚଳର ପୋଲିସ ଡିଜିଙ୍କୁ ନେଇ ଗୁରୁତ୍ୱପୂର୍ଣ୍ଣ ବୈଠକ। ଓଡ଼ିଶା ସମେତ ପଶ୍ଚିମବଙ୍ଗ, ଝାଡଖଣ୍ଡ, ଛତିଶଗଡ ଓ ବିହାରର ପୋଲିସ ଡିଜି ଉର୍ଚୁଆଲରେ ସାମିଲ ହୋଇ ଅନେକ ପ୍ରସଙ୍ଗରେ ଆଲୋଚନା କରିଥିଲେ। ବିଶେଷକରି ନକ୍ସଲ ବିରୋଧୀ ଅପରେସନ୍, ଗୁଇନ୍ଦା, ଆଭ୍ୟନ୍ତରୀଣ ନିରାପତ୍ତା, ସଙ୍ଗଠିତ ଅପରାଧ, ସାଇବର ଅପରାଧ, ମାଦକ ଦ୍ରବ୍ୟ ଚୋରାଚାଲଣ ଓ ମାନବ ଚାଲାଣ ପ୍ରସଙ୍ଗରେ ଆଲୋଚନା ହୋଇଥିଲା। କିଭଳି ଅପରାଧର ପୃଷ୍ଣଭୂମି ଉପରେ ରୋକ ଲାଗିବ ସେ ନେଇ ପ୍ରସ୍ତୁତ ହୋଇଛି ବ୍ଲୁ ପ୍ରିଣ୍ଟ। ବୈଠକରେ ଓଡ଼ିଶା ପୋଲିସ ଡିଜି ଅଭୟଙ୍କ ସହ ରାଜ୍ୟ ଗୁଇନ୍ଦା ନିର୍ଦ୍ଦେଶକ ଆଇପିଏସ ଲଳିତ ଦାସ, ଅତିରିକ୍ତ ପୋଲିସ ମହାନିର୍ଦ୍ଦେଶକ ଆଇପିଏସ ସଞ୍ଜିବ ପଣ୍ଡା, ଆଇନ୍ ଶୃଙ୍ଖଳା ଅତିରିକ୍ତ ଡିଜି ଆଇପିଏସ ଆର.କେ ଶର୍ମା, ଆଇ.ଜି ଅପରେସନ୍ ଅମିତାଭ ଠାକୁର ଓ ସିଆଇଡି ଏବଂ କ୍ରାଇମବ୍ରାଞ୍ଚ ଆଇଜି ଅମିତେନ୍ଦ୍ରନାଥ ସିଂ ପ୍ରମୁଖ ଉପସ୍ଥିତ ଥିଲେ।

ସେହିପରି ଏହି ବୈଠକରେ ନକ୍ସଲ ମୁକାବିଲାର ବ୍ଲୁପ୍ରିଣ୍ଟ ପ୍ରସ୍ତୁତ ହୋଇଛି। ଲାଲବାହିନୀକୁ ମୁହଁତୋଡ ଜବାବ ଦେବା ଲାଗି ଏକ ହୋଇଛନ୍ତି ଓଡ଼ିଶା, ପଶ୍ଚିମବଙ୍ଗ, ଝାଡଖଣ୍ଡ, ଛତିଶଗଡ ଓ ବିହାର। ୫ ରାଜ୍ୟର ଡିଜିପିମାନଙ୍କ ବୈଠକରେ ନିଆଯାଇଛି ଅନେକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି। ନକ୍ସଲ ବିରୋଧୀ ଅପରେସନ୍, ଗୁଇନ୍ଦା, ଆଭ୍ୟନ୍ତରୀଣ ନିରାପତ୍ତା ନେଇ ବୈଠକରେ ହୋଇଥିଲା ଆଲୋଚନା। ଏହା ସହ ସଙ୍ଗଠିତ ଅପରାଧ, ସାଇବର ଅପରାଧ, ମାଦକ ଦ୍ରବ୍ୟ ଚୋରାଚାଲଣ ଓ ମାନବ ଚାଲାଣ ରୋକିବା ଲାଗି ୫ ରାଜ୍ୟର ଡିଜିପି ଦେଇଛନ୍ତି ଆହ୍ୱାନ।

ପରସ୍ପର ସହ ସମନ୍ୱୟ ରଖି ଏହି ଚାଲେଞ୍ଜଗୁଡିକର ମୁକାବିଲା ଲାଗି ହୋଇଛନ୍ତି ସହମତି। ଅପରାଧର ପୃଷ୍ଣଭୂମି ଉପରେ ରୋକ ଲଗାଇବା ଲାଗି ମଧ୍ୟ ଏକ ହୋଇଛନ୍ତି ୫ ରାଜ୍ୟ। ବୈଠକରେ ଓଡ଼ିଶା ପୋଲିସ ଡିଜି ଅଭୟଙ୍କ ସହ ରାଜ୍ୟ ଗୁଇନ୍ଦା ନିର୍ଦ୍ଦେଶକ ଆଇପିଏସ ଲଳିତ ଦାସ, ଅତିରିକ୍ତ ପୋଲିସ ମହାନିର୍ଦ୍ଦେଶକ ଆଇପିଏସ ସଞ୍ଜିବ ପଣ୍ଡା, ଆଇନ୍ ଶୃଙ୍ଖଳା ଅତିରିକ୍ତ ଡିଜି ଆଇପିଏସ ଆର.କେ ଶର୍ମା, ଆଇ.ଜି ଅପରେସନ୍ ଅମିତାଭ ଠାକୁର ଓ ସିଆଇଡି ଏବଂ କ୍ରାଇମବ୍ରାଞ୍ଚ ଆଇଜି ଅମିତେନ୍ଦ୍ରନାଥ ସିଂ ପ୍ରମୁଖ ଉପସ୍ଥିତ ଥିଲେ।