spot_img
Home Blog Page 551

ଆଜି ନୂଆଁଖାଇ: ପାରମ୍ପରିକ ନୃତ୍ୟ ବାଦ୍ୟରେ ଦୁଲୁକୁଛି ପଶ୍ଚିମ ଓଡ଼ିଶା

ଆଜି ନୂଆଁଖାଇ । ସବୁଠି ଆନନ୍ଦ ଓ ଉଲ୍ଲାସ । ପାରମ୍ପରିକ ନୃତ୍ୟ ବାଦ୍ୟରେ ଦୁଲୁକୁଛି ପଶ୍ଚିମ ଓଡ଼ିଶା । ପିଠାପଣାରେ ମହକୁଛି ଗାଁ ଦାଣ୍ଡ । ଅତିଥି ଓ ଅଭ୍ୟାଗତଙ୍କ ଲାଗିଛି ଗହଳି । ମାଆ ସମଲେଶ୍ଵରୀଙ୍କ ପୀଠରେ ୧୦.୩୩ ରୁ ୧୦.୫୫ ମଧ୍ୟରେ ନବାନ୍ନ ଲାଗି ହୋଇଥିବା ବେଳେ ପଶ୍ଚିମ ଓଡିଶାର ଅଧିକାଂଶ ଜିଲ୍ଲାରେ ନିର୍ଦ୍ଧାରିତ ଲଗ୍ନ ଅନୁସାରେ ନୂଆଁଖାଇ ପାଳିତ ହୋଇଛି । ନୂଆପଡାରେ ଇଷ୍ଟଦେବୀଙ୍କୁ ନୂତନ ଶସ୍ୟ ଅର୍ପଣ ପରେ ତୁକୁଲା ଗାଁରେ ଶହେ ମେହର ପରିବାର ଏକାଠି ବସି ନୂଆ ଖାଇ ସମାଜକୁ ଏକତାର ବାର୍ତ୍ତା ଦେଇଛନ୍ତି । ଝାରସୁଗୁଡାରେ ରାଗରୋଷ ଭୁଲି ୨୦ରୁ ଉର୍ଦ୍ଧ୍ଵ ବ୍ୟକ୍ତି ନୂଆ ଖାଇଛନ୍ତି ।

ନୂଆଁଖାଇ ପାଇଁ ଚଳଚଞ୍ଚଳ ହୋଇପଡିଛି କଳାହାଣ୍ଡିର ଜୁନାଗଡ ସହର । ପ୍ରଥମେ ଦଧି ବାମନ ମନ୍ଦିରରେ ଓ ପରେ ଜୁନାଗଡ଼ର ଇଷ୍ଟ ଦେବୀ ଲଙ୍କେଶ୍ୱରିଙ୍କ ମନ୍ଦିରରେ ନବାନ୍ନ ଲାଗି ହେବା ପରେ କଳାହାଣ୍ଡି ଜିଲ୍ଲାରେ ପାଳିତ ହୋଇଛି ନୂଆଁଖାଇ । ପିଠା ପଣା ଖିରି ପୁରୀ ସମସ୍ତେ ଖାଇସାରିବା ପରେ ଚାଲିଛି ଜୁହାର ଭେଟ । ନାଚ ଗୀତରେ ମଧ୍ୟରେ ଗାଁ ରେ ସୃଷ୍ଟି ହୋଇଛି ବର୍ଣ୍ଣାଢ଼୍ୟ ପରିବେଶ l ସେପଟେ ବୌଦ୍ଧ ଜିଲ୍ଲା କଣ୍ଟାମାଳରେ ଇଷ୍ଟଦେବୀ ସମଲେଇଙ୍କ ଠାରେ ନବାନ୍ନ ଲାଗି ହେବା ପରେ ନୂଆ ଖାଇଛନ୍ତି ସମସ୍ତେ । ଉତ୍ସାହ, ଉଦ୍ଦୀପନାର ପର୍ବ ପାଇଁ ଶୁଭେଚ୍ଛା ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝି ଓ ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ ।

ସମ୍ଭଲ ଦଙ୍ଗାକୁ ନେଇ ଗୋପନୀୟ ରିପୋର୍ଟରେ ଦାବି, ସହରରେ ଅଛନ୍ତି ମାତ୍ର ୧୫ ପ୍ରତିଶତ ହିନ୍ଦୁ

ଉତ୍ତରପ୍ରଦେଶର ସମ୍ଭଲର ଜନସଂଖ୍ୟାକୁ ନେଇ ଏକ ଆଶ୍ଚର୍ଯ୍ୟଜନକ ରିପୋର୍ଟ ସାମ୍ନାକୁ ଆସିଛି । ସମ୍ଭଲରେ ମାତ୍ର ୧୫ ପ୍ରତିଶତ ହିନ୍ଦୁ ରହିଥିବା ବେଳେ ଅବଶିଷ୍ଟ ପଳାୟନ କରିଛନ୍ତି । ସ୍ବାଧିନତା ପରେ ସମ୍ଭଲ ନଗରପାଳିକାରେ ୪୫ ପ୍ରତିଶତ ହିନ୍ଦୁ ଥିଲେ । ତା’ପରେ ସେଠାକାର ଜନସଂଖ୍ୟା ପରିବର୍ତ୍ତନ ହୋଇଥିଲା । ତିନି ସଦସ୍ୟ ବିଶିଷ୍ଟ ନ୍ୟାୟିକ ଯାଞ୍ଚ ଆୟୋଗର ରିପୋର୍ଟ ଆସିବା ପରେ ଏହା ସାମ୍ନାକୁ ଆସିଛି । ଆୟୋଗର ସଦସ୍ୟ ପୂର୍ବ ଡିଜିପି ଏକେ ଜୈନ କହିଛନ୍ତି, ସିଏମ ଯୋଗୀଙ୍କୁ ଆଜି ସକାଳ ୧୦ଟା ସମୟରେ ଏହି ରିପୋର୍ଟ ପ୍ରଦାନ କରାଯାଇଛି । ଏହା ସମ୍ପୂର୍ଣ୍ଣ ଭାବେ ଗୋପନୀୟ ରିପୋର୍ଟ ।

ସମ୍ଭଲ ହିଂସା ପରେ ନ୍ୟାୟିକା ଆୟୋଗ ଗଠନ କରାଯାଇଥିଲା । ଗତବର୍ଷ ନଭେମ୍ବର ୨୪ରେ ଉକ୍ତ କ୍ଷେତ୍ରରେ ହିଂସା ସୃଷ୍ଟି ହୋଇଥିଲା । ସମ୍ଭଲରେ ମସଜିଦରେ ସର୍ଭେ କରିବା ସମୟରେ ହିଂସା ହୋଇଥିଲା । ନ୍ୟାୟିକ ଆୟୋଗରେ ଆହ୍ଲାବାଦ ହାଇକୋର୍ଟର ଅବସରପ୍ରାପ୍ତ ବିଚାରପତି ଜଷ୍ଟିସ ଦେବେନ୍ଦ୍ର କୁମାର ଅରୋଡ଼ା ଓ ରିଟାୟାର୍ଡ IAS ଅମିତ ମୋହନ, ରିଟାୟାର୍ଡ IPS ଅରବିନ୍ଦ କୁମାର ଜୈନ ଥିଲେ । ଆଜି ନ୍ୟାୟିକ ଆୟୋଗର ଟିମ ସିଏମ ଯୋଗୀଙ୍କୁ ସାକ୍ଷାତ କରି ଗୋପନୀୟ ଯାଞ୍ଚ ରିପୋର୍ଟ ପ୍ରଦାନ କରିଛନ୍ତି ।

ବଡ଼ଚଣା ଥାନାର ଜଣେ ବରିଷ୍ଠ ପୋଲିସ ଅଧିକାରୀଙ୍କ ବିରୋଧରେ ଆସିଛି ସଙ୍ଗୀନ ଅଭିଯୋଗ

ଯାଜପୁର ଜିଲ୍ଲା ବଡ଼ଚଣା ଥାନାର ଜଣେ ବରିଷ୍ଠ ଅଧିକାରୀଙ୍କ ବିରୋଧରେ ଆସିଛି ସଙ୍ଗୀନ ଅଭିଯୋଗ। ସମ୍ପୃକ୍ତ ବରିଷ୍ଠ ଅଧିକାରୀ ନିଜ କ୍ଷମତା ପରିସର ବାହାରେ ଅନ୍ୟ ଏକ ଥାନା ଅଞ୍ଚଳରୁ ଜଣେ ବ୍ୟକ୍ତିଙ୍କୁ ଉଠାଇ ଆଣି ଥାନାରେ ତିନି ଦିନ ଅଟକ ରଖି ନିଜ କ୍ଷମତାର ଅପବ୍ୟବହାର କରିଥିବା ଅଭିଯୋଗ ହୋଇଛି। ସମ୍ପୃକ୍ତ ଅଧିକାରୀ ବିନା କୌଣସି ଅଭିଯୋଗ ବା ମାମଲାରେ କଟକ ଜିଲ୍ଲା ନିଶ୍ଚିନ୍ତକୋଇଲି ଅଞ୍ଚଳର ଜଣେ ବ୍ୟବସାୟୀଙ୍କୁ ଉଠାଇ ଆଣି ୩ ଦିନ ଥାନାରେ ଅଟକ ରଖିବା ସହ ଲକ୍ଷାଧିକ ଟଙ୍କା ଲାଞ୍ଚ ନେଇଥିବା ଅଭିଯୋଗ ହୋଇଛି। ଏହି ଲାଞ୍ଚ କାରବାରରେ ୨ ଜଣ ସାମ୍ବାଦିକ ମଧ୍ୟ ସାମିଲ ଥିବା ଜଣାପଡିଛି। ଏନେଇ ଅନଲାଇନ ମାଧ୍ୟମରେ ମୁଖ୍ୟମନ୍ତ୍ରୀ ଅଭିଯୋଗ ପ୍ରକୋଷ୍ଠ ଓ ରାଜ୍ୟ ପୋଲିସ ମହାନିର୍ଦ୍ଦେଶକଙ୍କ ନିକଟରେ ଅଭିଯୋଗ ହେବା ପରେ ଘଟଣା ସମ୍ପର୍କରେ ଜଣାପଡିଛି। ବୁଧବାର ଅଭିଯୋଗକାରୀଙ୍କ ପୁଅ ଯାଜପୁର ଏସପିଙ୍କ ଦ୍ବାରସ୍ଥ ହୋଇ ବଡ଼ଚଣା ଥାନା ଅଧିକାରୀ ଓ ଦୁଇ ଗଣମାଧ୍ୟମ ପ୍ରତିନିଧିଙ୍କ ବିରୋଧରେ ଲିଖିତ ଅଭିଯୋଗ କରିଛନ୍ତି। ଅଭିଯୋଗ ମୁତାବକ କଟକ ଜିଲ୍ଲା ଭଦ୍ରେଶ୍ବର ଥାନା କୁରୁଜଙ୍ଗା ଗ୍ରାମର ପ୍ରଫୁଲ୍ଲ କୁମାର ସାହୁଙ୍କ ନିଶ୍ଚିନ୍ତକୋଇଲି ଥାନା କଟିକଟା ବଜାରରେ ଏକ ଔଷଧ ଦୋକାନ ରହିଛି। ଗତ ଜୁନ ୨୪ ତାରିଖରେ ବଡ଼ଚଣା ଥାନାର ସମ୍ପୃକ୍ତ ବରିଷ୍ଠ ଅଧିକାରୀ ଜଣକ ପ୍ରଫୁଲ୍ଲଙ୍କ ଔଷଧ ଦୋକାନରେ ପହଞ୍ଚି ଡାକ୍ତର ଏ.କେ ଜୟସିଂହଙ୍କୁ ଖୋଜିଥିଲେ। ହେଲେ ଡକ୍ଟର ଆସି ନାହାନ୍ତି ବୋଲି ପ୍ରଫୁଲ୍ଲ କହିବାରୁ ତାଙ୍କୁ ବଡ଼ଚଣା ଥାନାକୁ ଉଠାଇ ଆଣିଥିଲେ। ପରେ ପ୍ରଫୁଲ୍ଲଙ୍କ ପୁଅ ଓ ତାଙ୍କର ଜଣେ ସମ୍ପର୍କୀୟ ଥାନାରେ ପହଞ୍ଚି ଉଠାଇ ଆଣିବାର କାରଣ ବା ଅଭିଯୋଗ ସମ୍ପର୍କରେ ପଚାରିଥିଲେ ମଧ୍ୟ ପୋଲିସ କିଛି କହିନଥିଲା। ପରେ ନିଶ୍ଚିନ୍ତକୋଇଲି ଅଞ୍ଚଳର ୨ ଜଣ ଗଣମାଧ୍ୟମ ପ୍ରତିନିଧି ଥାନାରେ ପହଞ୍ଚି ମଧ୍ୟସ୍ଥତା କରିଥିଲେ । ପ୍ରଫୁଲ୍ଲଙ୍କୁ ମୁକୁଳାଇବାକୁ ୫ ଲକ୍ଷ ଟଙ୍କା ଦାବି କରିଥିଲେ । ପ୍ରଫୁଲ୍ଲଙ୍କ ପୁଅ ପ୍ରଦୀପ୍ତ ସୁନା ଗହଣା ବିକିବା ସହ ଧାର କରଜ କରି ଅଢେଇ ଲକ୍ଷ ଟଙ୍କା ଦେବା ପରେ ୩ ଦିନ ଦିନ ଧରି ଥାନାରେ ବସିଥିବା ପ୍ରଫୁଲ୍ଲଙ୍କୁ ପୋଲିସ ଛାଡିଥିଲା। ଅଢେ଼ଇ ଲକ୍ଷ ଟଙ୍କାରୁ ୯୦ ହଜାର ଫୋନପେ ଓ ବଳକା ଟଙ୍କା ନଗଦ ଆକାରରେ ପ୍ରଦୀପ୍ତ ଦେଇଥିଲେ। ଘଟଣା ପରଠୁ ପ୍ରଫୁଲ୍ଲ ଭୟଭୀତ ହୋଇ ରହିଛନ୍ତି । ଏହା ପଛରେ ଏକ ରାକେଟ କାମ କରୁଥିବା ଚର୍ଚ୍ଚା ହେଉଛି ।

ଭୟଙ୍କର ବନ୍ୟା ଉଜାଡି ଦେଲା ଚାଷୀଙ୍କ ସୁନାର ଫସଲ

ଭୟଙ୍କର ବନ୍ୟା ଉଜାଡି ଦେଲା ସୁନାର ଫସଲ । ଚାଷୀଙ୍କ ମୁହଁରୁ ଛଡାଇ ନେଲା ବର୍ଷକର ଖାଦ୍ୟ । ଧାର ଉଦ୍ଧାର କରି ଚାଷ କରିଥିବା ଚାଷୀ ଆଜି ସ୍ବର୍ବଶାନ୍ତ । ମାସକ ତଳେ ରୁଆ ହୋଇଥିବା ଧାନ ବିଲରେ ଜମିଛି ପାଣି । ଯାଜପୁର ଦଶରଥପୁର ଅଂଚଳର ହେକ୍ଟର ହେକ୍ଟର ଚାଷ ନଷ୍ଟ ହୋଇଛି | ତୁରନ୍ତ ସହାୟତା ପାଇଁ ଦାବି କରିଛନ୍ତି ଚାଷୀ ।

ଆସନ୍ତାକାଲି ଠାରୁ ଓଡ଼ିଶାରେ ଆୟୋଜିତ ହେବ ୨ ଦିନିଆ SC/ST ସମ୍ମିଳନୀ

ଆସନ୍ତାକାଲି ଠାରୁ ଓଡ଼ିଶାରେ ଆୟୋଜିତ ହେବ ଦୁଇ ଦିନିଆ ଅନୁସୂଚିତ ଜାତି ଓ ଜନଜାତି ସଂସଦୀୟ କମିଟିର ଜାତୀୟ ସମ୍ମିଳନୀ। ଅଗଷ୍ଟ ୨୯ ଏବଂ ୩୦ ରେ ଏହି ଜାତୀୟ ସମ୍ମିଳନୀ ଅନୁଷ୍ଠିତ ହେବ। ୧୯୯୪ ପରେ ପ୍ରଥମ ଥର ପାଇଁ ଓଡ଼ିଶାରେ କୌଣସି ସଂସଦୀୟ କମିଟିର ବୈଠକ ହେବାକୁ ଯାଉଛି। ସବୁ ରାଜ୍ୟ ଏବଂ କେନ୍ଦ୍ରଶାସିତ ଅଞ୍ଚଳର ବିଧାନସଭା କମିଟିର ଜଣେ ଅଧ୍ୟକ୍ଷ, 5 ଜଣ ସଦସ୍ୟ ଏବଂ 4 ଜଣ ବିଧାୟକ ଯୋଗଦେବେ। ଅନୁସୂଚିତ ଜାତି ଓ ଜନଜାତି ଉନ୍ନୟନ ସଂସଦୀୟ କମିଟିର 30 ଜଣ ସଦସ୍ୟ ଯୋଗଦେବେ। ଏହାକୁ ଲୋକସଭା ବାଚସ୍ପତି ଓମ ବିର୍ଲା ଉଦଘାଟନ କରିବେ। ଏଥିରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ସମେତ ଅନ୍ୟ କେନ୍ଦ୍ରମନ୍ତ୍ରୀମାନେ ଯୋଗଦେବେ। ଏଥିରୁ ସାରା ଦେଶରୁ 395 ଜଣ ପ୍ରତିନିଧି ଯୋଗ ଦେବେ।

ଏହି ସମ୍ମିଳନୀର ବିଷୟବସ୍ତୁ ହେଉଛି ଆଦିବାସୀ ବିକାଶରେ ସଂସଦୀୟ କମିଟିର ଭୂମିକା। ଯାହା ସମ୍ପର୍କରେ ଆଲୋଚନା ହେବ। ଉଦଯାପନୀ ସମାରୋହରେ ରାଜ୍ୟପାଳ ହରିବାବୁ କମ୍ଭମପତିଙ୍କ ସମେତ ରାଜ୍ୟ ମନ୍ତ୍ରୀମାନେ ଉଦବୋଧନ ଦେବେ। ଏ ନେଇ ଆଜି ବିଧାନସଭା ବାଚସ୍ପତିଙ୍କ ଅଧ୍ୟକ୍ଷତାରେ ଏକ ବୈଠକ ବସିଥିଲା। ଦୁଇ ଦିନ ଧରି ଲୋକସେବା ଭବନ କନଭେନସନରେ ଏହି ସମ୍ମିଳନୀ ଆୟୋଜିତ ହେବ। ସାମ୍ବିଧାନିକ ସୁରକ୍ଷା ଓ ଆଦିବାସୀ ବିକାଶ ନେଇ ବିଭିନ୍ନ ରାଜ୍ୟ ନେଇଥିବା ପଦକ୍ଷେପକୁ ଏହି ସମ୍ମିଳନୀରେ ଉପସ୍ଥାପନ କରାଯିବ। 31 ବର୍ଷ ପରେ ଏହା ଓଡ଼ିଶାରେ ଆୟୋଜନ କରାଯାଉଛି। ଓଡ଼ିଶାର ହସ୍ତଶିଳ୍ପ, କାରିଗରୀ, ସଂସ୍କୃତି ଓ କଳାକୁ ନେଇ ଏକ ପ୍ରଦର୍ଶନୀ ସହ ସାଂସ୍କୃତିକ କାର୍ଯ୍ୟକ୍ରମର ଆୟୋଜନ କରାଯିବ। ଉଦଯାପନୀ ପରେ ପ୍ରତିନିଧିମାନଙ୍କୁ କୋଣାର୍କ ସହ ଶ୍ରୀଜଗନ୍ନାଥ ଦର୍ଶନ କରାଯିବ।

ଗଣେଶ ପୂଜାରେ ଛିଟିକିଣି ଧରି ବୁଲୁଛନ୍ତି ଲୁଟେରା

ଗଣେଶ ପୂଜାରେ ଛିଟିକିଣି ଧରି ବୁଲୁଛନ୍ତି ଲୁଟେରା । ବାଟୁଳି ବାଜୁଛି, କାଚ ଭାଙ୍ଗୁଛି । ଖାରବେଳନଗର ଥାନା ଠାରୁ ଶହେ ମିଟର ଦୂରରେ ଘଟିଛି ଅଘଟଣ । ଗତକାଲି ଭୁବନେଶ୍ୱର ଜନପଥରେ ଲୁଟେରା ଏଭଳି କାର କାଚ ଭାଙ୍ଗି ଲୁଟିଛନ୍ତି । ଲୁଟ ର ଶିକାର ହୋଇଛନ୍ତି ବାଲେଶ୍ଵରର ସୌମ୍ୟରଞ୍ଜନ କର । ସୌମ୍ୟଙ୍କ ଘର ବାଲେଶ୍ଵର । ଗତକାଲି ବିଳମ୍ବିତ ରାତି ପର୍ଯ୍ୟନ୍ତ ପତ୍ନୀଙ୍କ ସହ ସପିଂ କରି ଫେରିବା ବେଳକୁ କାର ରୁ ଲାପଟପ, ସୁନା ମୁଦି, ସୁନା କାନଫୁଲ ଲୁଟ ହୋଇଥିବା ଜଣାପଡିଛି । ଏ ନେଇ ଖାରବେଳନଗର ଥାନାରେ ଅଭିଯୋଗ ପରେ ପୋଲିସ ସିସିଟିଭି ଆଧାରରେ ଆରମ୍ଭ କରିଛି ।

ଭୁଲ ଇଂଜେକ୍ସନରୁ ଗୋଡ଼ ଅକାମୀ ! ୪ ବର୍ଷର ଶିଶୁକୁ ଧରି ଧାରଣାରେ ପରିବାର

ପଟ୍ଟାମୁଣ୍ଡାଇ ଉପଖଣ୍ଡସ୍ତରୀୟ ମେଡିକାଲ ପରିସରରେ ୪ ବର୍ଷର ଶିଶୁକୁ ଧରି ଧାରଣାରେ ପରିବାର। ସ୍ଥାନୀୟ ୧୭ ନମ୍ବର ୱାର୍ଡ ମାଟିଆ ଗ୍ରାମର ସୁବ୍ରତ ମଲ୍ଲିକ ଗତ ୨୩ ତାରିଖ ଦିନ ନିଜର ୪ ବର୍ଷର ପୁଅ ରୋହନକୁ ନେଇ ଥଣ୍ଡା ଜ୍ବରର ଚିକିତ୍ସା ଲାଗି ପଟ୍ଟାମୁଣ୍ଡାଇ ଉପଖଣ୍ଡସ୍ତରୀୟ ମେଡିକାଲକୁ ଆସିଥିଲେ l ସେଠାରେ ଡ୍ୟୁଟିରେ ଥିବା ଡ଼ାକ୍ତରଙ୍କ ଭୁଲ୍ ଇଞ୍ଜେକସନ ଯୋଗୁଁ ତାଙ୍କ ପୁଅର ଗୋଟେ ଗୋଡ ଅଚଳ ହୋଇଯାଇଥିବା ନେଇ ଅଭିଯୋଗ କରିଛନ୍ତି  । ଅନ୍ୟପଟେ ପୋଲିସ FIR ରଖୁନଥିବା ବେଳେ ଉପରିସ୍ଥ ଅଧିକାରୀଙ୍କ ହସ୍ତକ୍ଷେପ ପରେ FIR ରଖିଥିବା ନେଇ କହିଛନ୍ତି ଅଭିଯୋଗକାରୀ  ।ସୁବ୍ରତ ଓ ତାଙ୍କ ପରିବାର ଉପଯୁକ୍ତ ନ୍ୟାୟ ଦାବୀ ସହ ନିଜ ପୁଅକୁ ଠିକ୍ କରିବା ଦାବୀ ନେଇ ମେଡିକାଲ ଆଗରେ ଧାରଣା ବସି ରହିଛନ୍ତି

ବିରାଟ କୋହଲିଙ୍କୁ ନେଇ ବଡ଼ ବୟାନ ଦେଲେ ରାହୁଲ ଦ୍ରାବିଡ଼, ଫ୍ୟାନ୍ସ ହୋଇଗଲେ ତାଜୁବ୍

ଭାରତୀୟ ଅଭିଜ୍ଞ କ୍ରିକେଟର ବିରାଟ କୋହଲି ବିଶ୍ବରେ ଶ୍ରେଷ୍ଠ ବ୍ୟାଟ୍ସମ୍ୟାନ ଭାବେ ପରିଗଣିତ ହୋଇଥାନ୍ତି । ସେ ଟିମ୍ ଇଣ୍ଡିଆ ପକ୍ଷରୁ ପ୍ରତିନିଧିତ୍ବ କରି ଅନ୍ତର୍ଜାତୀୟ କ୍ରିକେଟରେ ବହୁ ବିରୋଧୀଙ୍କୁ ଚକମା ଦେବାରେ ସଫଳ ହୋଇଛନ୍ତି । ନିକଟରେ ବିରାଟ କୋହଲିଙ୍କୁ ନେଇ ଏକ ବୟାନ ଦେଇଛନ୍ତି ଟିମ୍ ଇଣ୍ଡିଆର ପୂର୍ବତନ ହେଡ୍ କୋଚ ରାହୁଲ ଦ୍ରାବିଡ଼ । ବିରାଟଙ୍କ ଉଚ୍ଚତା ବହୁତ କମ୍ ବୋଲି ଏକ ପଡକାଷ୍ଟ ଅବସରରେ ଦ୍ରାବିଡ଼ କହିଛନ୍ତି । କୋହଲିଙ୍କ ହାଇଟକୁ ନେଇ ଦ୍ରାବିଡ଼ଙ୍କ ଏହି ବୟାନ ଶୁଣି ଫ୍ୟାନ୍ସ ଚକିତ ହୋଇଯାଇଛନ୍ତି ।

ଆଶିଷ କୌଶିକଙ୍କ ଏକ ପଡକାଷ୍ଟ ଅବସରରେ ଦ୍ରାବିଡ଼ କହିଛନ୍ତି, ‘ଗାଭାସ୍କର ଜଣେ ବାଲାନ୍ସ ଖେଳାଳି ଥିଲେ । ମୁଁ ତାଙ୍କୁ ବ୍ୟାଟିଂ କରୁଥିବା ସବୁବେଳେ ଦେଖିଛି । ମୋର ହାଇଟ୍‌ ସାମାନ୍ୟ ଅଧିକ ଥିଲା, ସେଥିପାଇଁ ମୁଁ ତାଙ୍କୁ କେବେ ବି କପି କରିନଥିଲି । ସଚିନ ତେନ୍ଦୁଲକର ମଧ୍ୟ ବହୁତ ବାଲାନ୍ସ ଖେଳାଳି ଥିଲେ । କମ୍ ଉଚ୍ଚତା ବିଶିଷ୍ଟ ବ୍ୟାଟ୍ସମ୍ୟାନଙ୍କ ନିକଟରେ ବ୍ୟାଟିଂର ଅଧିକ ଫାଇଦା ରହିଥାଏ । ଗତ କିଛି ବର୍ଷ ମଧ୍ୟରେ କମ୍ ହାଇଟଧାରୀ ବହୁ ମହାନ୍ ବ୍ୟାଟ୍ସମ୍ୟାନଙ୍କୁ ଦେଖିବାକୁ ମିଳିଛି । ସୁନିଲ  ଗାଭାସ୍କର, ସଚିନ ତେନ୍ଦୁଲକର, ବ୍ରାଏନ ଲାରା ଓ ରିକି ପଣ୍ଟିଂଙ୍କୁ ଆପଣ ଦେଖିପାରନ୍ତି । ସାର ଡନ ବ୍ରାଡମ୍ୟାନ ମଧ୍ୟ କମ୍ ହାଇଟର ଥିଲେ । ବିରାଟ କୋହଲିଙ୍କ ଉଚ୍ଚତା ମଧ୍ୟ କମ୍ । ମୁଁ ବିରାଟଙ୍କୁ ଛୋଟ କହିଲି ବୋଲି ତାଙ୍କୁ ଏହା କେବେ ବି ଭଲ ଲାଗିବ ନାହିଁ ।’

ଜିନପିଙ୍ଗ ପଠାଇଲେ ସିକ୍ରେଟ ଲେଟର, ତା’ପରେ ପିଏମ୍ ମୋଦୀଙ୍କ ଚୀନ ଗସ୍ତ: ଏହା ପଛରେ କ’ଣ ରହିଛି ରହସ୍ୟ ?

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଗୁରୁବାର ଠାରୁ ଚୀନ ଓ ଜାପାନ ଗସ୍ତରେ ଯାଉଛନ୍ତି । ଏହି ଗସ୍ତ କାଳରେ ଏସସିଓ ସମ୍ମିଳନୀରେ ସି ଜିନପିଙ୍ଗ ଓ ଭ୍ଲାଦିମିର ପୁଟିନଙ୍କୁ ମୋଦୀ ଭେଟିବେ । ଗତ କିଛି ମାସ ହେଲା ଭାରତ-ଚୀନ ସମ୍ପର୍କ ସୁଦୃଢ଼ ନେଇ ପ୍ରୟାସ ଜାରି ରହିଛି । ୭ ବର୍ଷ ପରେ ପିଏମ୍ ମୋଦୀ ଚୀନ ଗସ୍ତରେ ଯାଉଛନ୍ତି । ପାଖାପାଖି ୫ ବର୍ଷ ପୂର୍ବରୁ ଗଲଓ୍ବାନ ଘାଟିରେ ଦୁଇ ଦେଶର ଯବାନଙ୍କ ମଧ୍ୟରେ ଅତ୍ୟଧିକ ଉତ୍ତେଜନା ଦେଖିବାକୁ ମିଳିଥିଲା । ମାତ୍ର କିଛି ମାସ ହେଲା ଦୁଇ ଦେଶର ସମ୍ପର୍କରେ ସୁଧାର ପାଇଁ ପ୍ରୟାସ ଜାରି ରହିଛି ।

ଏହା ମଧ୍ୟରେ କିଛି ରହସ୍ୟ ଲୁଚି ରହିଛି । ଏକ ରିପୋର୍ଟରେ କୁହାଯାଇଛି ଯେ, ଚଳିତ ବର୍ଷ ମାର୍ଚ୍ଚରେ ଯେତେବେଳେ ଡୋନାଲ୍ଡ ଟ୍ରମ୍ପ ଚୀନ ସହ ବାଣିଜ୍ୟ ଯୁଦ୍ଧ ଆରମ୍ଭ କରିଥିଲେ, ସେହି ସମୟରେ ଚୀନ ରାଷ୍ଟ୍ରପତି ସି ଜିନପିଙ୍ଗ ଭାରତର ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ ଏକ ଗୋପନୀୟ ଚିଠି ପଠାଇଥିଲେ । ସମ୍ପର୍କ ସୁଧାର ପାଇଁ ତାହା ପ୍ରଥମ ପଦକ୍ଷେପ ଥିଲା । ବ୍ଲୁମବର୍ଗର ଏକ ରିପୋର୍ଟରେ ଏହି ସିକ୍ରେଟ ପତ୍ରକୁ ନେଇ ଲମ୍ବା ଲେଖା ପ୍ରକାଶିତ ହୋଇଛି । ଜଣେ ଭାରତୀୟ ବ୍ଲୁମବର୍ଗକୁ କହିଛନ୍ତି, ପତ୍ରରେ ଆମେରିକାର ପଦକ୍ଷେପ ଦ୍ବାରା ଚୀନର କ୍ଷତି ବାବଦରେ ଚିନ୍ତା ପ୍ରକାଶ କରାଯାଇଛି । ଉକ୍ତ ସନ୍ଦେଶ ମୋଦୀଙ୍କ ନିକଟରେ ପହଞ୍ଚିଥିଲା । ଏହାପରେ ଜୁନ ସୁଦ୍ଧା ମୋଦୀ ସରକାର ଚୀନ ସହ ସମ୍ପର୍କ ସୁଧାର ପାଇଁ ଗମ୍ଭୀର ପ୍ରୟାସ ଆରମ୍ଭ କରିଥିଲେ । ଭାରତ-ଆମେରିକା ମଧ୍ୟରେ ବାଣିଜ୍ୟକୁ ନେଇ ବିବାଦ ସୃଷ୍ଟି ହେବା ସମୟରେ ଏହା ଘଟିଥିଲା । ମେ ମାସରେ ଭାରତ-ପାକିସ୍ତାନ ସଂଘର୍ଷ ପରେ ଟ୍ରମ୍ପଙ୍କ ମଧ୍ୟସ୍ଥତା ଦାବି ପରେ ଦିଲ୍ଲୀରେ ରୋଷ ବଢ଼ିଥିଲା । ଚଳିତ ସପ୍ତାହରେ ମୋଦୀ ସଂଘାଈ କୋଅପରେସନ ଅର୍ଗାନାଇଜେସନ (ଏସସିଓ) ସମ୍ମିଳନୀ ପାଇଁ ଚୀନ ଯାଉଛନ୍ତି । ସେଠାରେ ସେ ଜିନପିଙ୍ଗ ଓ ପୁଟିନଙ୍କୁ ଭେଟିବେ । ଏହି ତ୍ରିପାକ୍ଷୀୟ ଆଲୋଚନା ଆମେରିକା ପାଇଁ ଚିନ୍ତାଜନକ ବିଷୟ ହେବ ।

ବିଜାପୁର ଏସପିଙ୍କ ନିକଟରେ ୩୦ ଜଣ ମାଓବାଦୀଙ୍କ ଆତ୍ମସମର୍ପଣ

ମାଲକାନଗିରି : ମାଲକାନଗିରି ଛତିଶଗଡ ସୀମାନ୍ତ ବିଜାପୁର ଜିଲ୍ଲାରେ ପୋଲିସକୁ ବଡ ସଫଳତା । ୮୧ ଲକ୍ଷ ଟଙ୍କାର ପୁରସ୍କାର ଘୋଷିତ ୩୦ ଜଣ ମାଓବାଦୀ ବିଜାପୁର ଏସପିଙ୍କ ନିକଟରେ ଆତ୍ମସମର୍ପଣ କରିଛନ୍ତି । ଏମାନଙ୍କ ମଧ୍ୟରେ କିଛି DVCM, ACM ଓ PLGA ସଦସ୍ୟ ରହିଛନ୍ତି । ଦୁର୍ଗମ ଅଞ୍ଚଳରେ ସରକାରଙ୍କ ବିକାଶମୂଳକ କାର୍ଯ୍ୟ, ରାସ୍ତା ନିର୍ମାଣ, ପାଣି, ବିଦ୍ୟୁତ ଓ ଅନ୍ୟାନ୍ୟ ଜନ ହିତକର ଯୋଜନା ଗାଁ ଲୋକଙ୍କ ପାଖରେ ପହଞ୍ଚିବା ଆରମ୍ଭ କରିଛି। ସୁରକ୍ଷା ବାହିନୀର ଗ୍ରାମବାସୀଙ୍କ ସହିତ ସକାରାତ୍ମକ ଆଲୋଚନା, କମ୍ୟୁନିଟି ପୋଲିସିଂ ଅଧୀନରେ ଦିଆଯାଉଥିବା ଜନ କଲ୍ୟାଣକାରୀ ଯୋଜନା ବିଷୟରେ ସୂଚନା ଏବଂ ଛତିଶଗଡ଼ ସରକାରଙ୍କ ଆତ୍ମସମର୍ପଣ ଏବଂ ପୁନର୍ବାସ ନୀତିର ବ୍ୟାପକ ପ୍ରଚାର ଯୋଗୁଁ ସଂଗଠନରୁ ମାଓବାଦୀଙ୍କ ଭ୍ରମ ଦୂର ହୋଇଛି । ଆତ୍ମସମର୍ପଣ କରି ସମାଜର ମୁଖ୍ୟସ୍ରୋତରେ ସାମିଲ ହୋଇଥିବା ସମସ୍ତ ମାଓବାଦୀଙ୍କୁ ପ୍ରୋତ୍ସାହନ ସ୍ୱରୂପ ୫୦ ଟଙ୍କାର ଚେକ୍ ପ୍ରଦାନ କରାଯାଇଛି । ପରେ ସେମାନଙ୍କୁ ସରକାରଙ୍କ ନିୟମ ଅନୁସାରେ ଥଇଥାନ କରାଯିବ ବୋଲି  ବିଜାପୁର ଏସପି କହିଛନ୍ତି ।