ରାଜଧାନୀ ଭୁବନେଶ୍ବରରେ ଚାଞ୍ଚଲ୍ୟ। ଏଜି ଛକରେ ଥିବା ମନ୍ତ୍ରୀ ଓ ଆଇଏଏସଙ୍କ କ୍ୱାର୍ଟର ସମ୍ମୁଖରେ ଜଣେ ଯୁବତୀଙ୍କୁ ଅସଦାଚରଣ ଅଭିଯୋଗ। ଯୁବତୀ ଜଣଙ୍କ ପାଟି କରିବାରୁ ସଂପୃକ୍ତ ଯୁବକଙ୍କୁ କାବୁ କରିଛନ୍ତି ଲୋକେ। ନିଶାଖୋର ଅବସ୍ଥାରେ ଯୁବକକୁ ଲୋକେ କାବୁ କରିଛନ୍ତି। ମୋବାଇଲ ଛଡାଇବା ସହ ଦୁଷ୍କର୍ମ କରିବାକୁ ପାଚେରୀ କଣ ଅନ୍ଧାରକୁ ଟାଣି ନେଇଥିଲା ନିଶାଖୋର ଯୁବକ । ଘଟଣାସ୍ଥଳରେ କମିଶନରେଟ ପୋଲିସ ପହଞ୍ଚି ଉଭୟ ମଦ୍ୟପ ଓ ଯୁବତୀଙ୍କୁ କ୍ୟାପିଟାଲ ଥାନାକୁ ନେଇ ପଚରାଉଚରା କରୁଛି।
ଓଡ଼ିଶାରେ ଏବେ ଦୁଷ୍କର୍ମର ଲହରୀ ଚାଲିଛି: କ୍ଷୋଭ ପ୍ରକାଶ କଲେ ବିରୋଧୀ ଦଳ ନେତା
ଭୁବନେଶ୍ବର: ଓଡ଼ିଶାରେ ଏବେ ଦୁଷ୍କର୍ମର ଲହରୀ ଚାଲିଛି । ଯାହାକୁ ଦେଖିଲେ ଶୁଣିଲେ ଅତ୍ୟନ୍ତ ବିଚଳିତ ଲାଗୁଛି । ଗୋଟିଏ ଦିନରେ ଯାଜପୁର, ଜଗତସିଂହପୁର ଗଣଦୁଷ୍କର୍ମ, ମାଲକାନଗିରି ଓ ପୁରୀରେ ଝିଅ ଅସଦାଚରଣ ଦେଖି ଏପରି କ୍ଷୋଭ ପ୍ରକାଶ କରି ସୋସିଆଲ ମିଡିଆ ଏକସ୍ରେ ପୋଷ୍ଟ କରିଛନ୍ତି ବିରୋଧୀ ଦଳ ନେତା ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ସହରଠୁ ଗାଁ ସବୁଠି ମହିଳାଙ୍କ ପାଇଁ ଅସୁରିକ୍ଷତ ହୋଇପଡ଼ିଛି । ଦିନ ଦ୍ବିପହର ହେଉ କି ରାତି ଜଣେ ଯୁବତୀ ଘରୁ ବାହାରିବାକୁ ନିଜକୁ ସୁରକ୍ଷିତ ମଣୁନାହାନ୍ତି । ଜଣେ ଛାତ୍ରୀ ସ୍କୁଲ, କଲେଜ୍ କିମ୍ବା ଟ୍ୟୁସନ ଗଲେ ଘରକୁ ଭଲରେ ଫେରିବ ଏ ଗ୍ୟାରେଣ୍ଟି ଆଉ ନାହିଁ । ପାଦେ ପାଦେ ଏବେ ବିପଦ । ଏହା ପ୍ରମାଣିତ କରୁଛି ରାଜ୍ୟରେ ଆଇନଶୃଙ୍ଖଳା କିଛି ବି ନାହିଁ । ଯେତେବେଳେ ପୋଲିସ ରାଜନୈତିକ ଚାପ ଓ ହସ୍ତକ୍ଷେପ ଯୋଗୁ ପ୍ରଭାବିତ ହେଉଛି ସେଠି ମହିଳା ଓ ଝିଅଙ୍କ ଜୀବନ ଦୁର୍ବିସହ ହେବାରେ ଲାଗିଛି । ଯେଉଁଥିପାଇଁ ଗତମାସରେ ଆମେରିକା ସରକାର ଲେଭଲ-୨ ଭ୍ରମଣ ସତର୍କତା ଜାରି କଲେ । ଯେଉଁଥିରେ ଜଗନ୍ନାଥଙ୍କ ମାଟି ଓଡ଼ିଶା ସାମିଲ ରହିଛି ।
ଗୋଟିଏ ପଟେ ରାଜ୍ୟରୁ ମାଓ ହିଂସା କମୁଥିବାବେଳେ କାଁ ଭାଁ ଆତଙ୍କବାଦୀ କାର୍ଯ୍ୟକଳାପ ଦେଖିବାକୁ ମିଳୁଛି । କିନ୍ତୁ ସବୁଠୁ ବଳିଗଲାଣି ମହିଳାଙ୍କ ଉପରେ ଅତ୍ୟାଚାର । ଗତ ୧୭ ତାରିଖରେ ରେଭେନ୍ସା ବିଶ୍ବବିଦ୍ୟାଳୟ କର୍ତ୍ତୃପକ୍ଷ ଯେପରି ସନ୍ଧ୍ୟା ସାଢ଼େ ୫ଟା ପରେ ଛାତ୍ରୀଙ୍କ ଯିବାଆସିବା ପରେ ଯେପରି ନୋଟିସ ଜାରି କଲେ ଯାହାକୁ ପରବର୍ତ୍ତୀ ଅବସ୍ଥାରେ ପ୍ରତ୍ୟାହାର ବି କରାଯାଇଛି । କିନ୍ତୁ ଏହା ପ୍ରମାଣିତ କରୁଛି ରାଜ୍ୟରେ ସରକାରଙ୍କ ଅପାରଗତା ଏତେ ବଢିଲାଣି ଆଉ ଅପରାଧୀମାନେ ପୋଲିସକୁ ଡରୁନାହାନ୍ତି । ଏପରି ନୋଟିସ ଜାରି କରି ମହିଳାଙ୍କୁ ଦଣ୍ଡିତ କରାଯାଉଛି ସିନା ବାସ୍ତବରେ ଅପରାଧୀଙ୍କୁ ନିୟନ୍ତ୍ରଣ କରିବା ଉପରେ ଗୁରୁତ୍ବ ଦିଆଯାଉନି । ରାଜନୈତିକ ଇଚ୍ଛାଶକ୍ତି ଓ ଦୃଢ଼ କାର୍ଯ୍ୟାନୁଷ୍ଠାନ ନ ହେଲେ ଏପରି କାଣ୍ଡ ଆଗକୁ ଆହୁରି ବଢିବ ବୋଲି ନବୀନ ସତର୍କ କରାଇଦେଇଛନ୍ତି । ଏ ରାଜ୍ୟର ପ୍ରମୁଖ ରାଜନେତାମାନେ ଅନୁଭବ କରିବା ଦରକାର ପୋଲିସକୁ ପ୍ରଭାବିତ କରିବାକୁ ଉଦ୍ୟମ କଲେ ସ୍ଥିତି କେତେ ସଙ୍ଗୀନ ହୁଏ । ରାଜ୍ୟ ବିଜେପି ସରକାର ଏ ଦିଗରେ ତୁରନ୍ତ ଦାୟିତ୍ବସମ୍ପନ୍ନ ଭାବେ ପଦକ୍ଷେପ ନଅନ୍ତୁ । ଏହାସହିତ ସରକାର ଓ ବ୍ୟବସ୍ଥା ଉପରେ ମହିଳାମାନଙ୍କ ବିଶ୍ବାସ ଯେପରି ବଜାୟ ରହିବ ସେଥିପ୍ରତି ଏ ସରକାର ଶପଥ ନିଅନ୍ତୁ । ବିଜୁ ଜନତା ଦଳ ମା ଓ ଭଉଣୀଙ୍କୁ ସବୁବେଳେ ସମ୍ମାନ ଦେଇଆସିଛି । ମହିଳା ବିରୋଧୀ ହିଂସା ବିରୋଧରେ ସ୍ବରକୁ ଆହୁରି ଶାଣିତ କରିବ ।
ଦୁଷ୍କର୍ମର ଦିନ ମଙ୍ଗଳବାର: ଗୋଟିଏ ଦୁଇଟି ନୁହେଁ, ତିନିଟି ସ୍ଥାନରୁ ଆସିଛି ସମାନ ଅଭିଯୋଗ
ଦୁଷ୍କର୍ମର ଦିନ ମଙ୍ଗଳବାର । ଗୋଟିଏ ଦୁଇଟି ନୁହେଁ, ତିନିଟି ସ୍ଥାନରୁ ଆସିଛି ସମାନ ଅଭିଯୋଗ । ତା’ ସହ ଗୋଟିଏ ସ୍ଥାନରେ ହୋଇଛି ଅସଦାଚରଣ। ରାଜ୍ୟରେ ମହିଳାଙ୍କ ପାଇଁ ପାଦେ ପାଦେ ବିପଦ । ନାରୀ ସୁରକ୍ଷାରେ ଫେଲ ପୋଲିସ ପ୍ରଶାସନ। ଅପାରଗ ରାଜ୍ୟ ସରକାରଙ୍କ ବିରୋଧରେ ତୀବ୍ର ଅସନ୍ତୋଷ। ମାଲକାନଗିରି ଅଞ୍ଚଳରୁ ଆସିଛି ସଂଘାତିକ ଅଭିଯୋଗ । ସଦର ଥାନା ଅଞ୍ଚଳର ନାବାଳିକା ଜଣକ ରବିବାର ସନ୍ଧ୍ୟାରେ ନିଜ ସାଙ୍ଗର ଜନ୍ମ ଦିନ ପାଳନ ପାଇଁ ତାଙ୍କ ଘରକୁ ଯାଇଥିଲେ। କିନ୍ତୁ ବିଳମ୍ଵିତ ରାତି ଯାଏ ନ ଫେରିବାରୁ ପରିବାର ଲୋକେ ଖୋଜାଖୋଜି କରିଥିଲେ। ଆଉ ବିଳମ୍ଵିତ ରାତିରେ ମାଲକାନଗିରି ଜୟପୁର ରାସ୍ତାକୁ ସଂଯୋଗ କରୁଥିବା ମୁଖ୍ୟ ରାସ୍ତାର ବିଜାଘାଟିରେ ନାବାଳିକା ଓ ଜଣେ ଟ୍ରକ ଚାଳକକୁ ସନ୍ଦେହଜନକ ସ୍ଥିତିରେ ଦେଖିଥିଲେ ଲୋକେ। ଖବର ପାଇବା ପରେ ପୋଲିସ ପହଞ୍ଚି ନାବାଳିକାଙ୍କୁ ଉଦ୍ଧାର କରିଥିଲା। ଘଟଣାରେ ଟ୍ରକ ଡ୍ରାଇଭର ସହ ଅନ୍ୟ ୩ ଜଣଙ୍କୁ ଗିରଫ କରିଛି ପୋଲିସ।
ଜଗତସିଂହପୁରରେ ବି ସମାନ ଘଟଣା ସାମ୍ନାକୁ ଆସିଛି । ଗତକାଲି ସନ୍ଧ୍ୟାରେ ନାବାଳିକା ଜଣକ ନିଜ ଦାଦାଙ୍କ ଘରକୁ ବୁଲିବାକୁ ଯାଇଥିବା ବେଳେ ଗଣଦୁଷ୍କର୍ମର ହୋଇଛନ୍ତି ଶିକାର। ବହୁ ଖୋଜାଖୋଜି ପରେ ଗାଁ ପାଖରୁ ରକ୍ତଜୁଡୁ ଅବସ୍ଥାରେ ନାବାଳିକାଙ୍କୁ ଉଦ୍ଧାର କରିଥିଲେ ପରିବାର ଲୋକ। ଥାନାରେ ଅଭିଯୋଗ ପରେ ଜଣକୁ ଗିରଫ କରାଯାଇଥିବା ବେଳେ, ଦ୍ବିତୀୟ ଅଭିଯୁକ୍ତକୁ ଧରିବାକୁ ଚାଲିଛି ଧରପଗଡ଼। ପୋଲିସ ୩ଟି ଟିମ୍ ଗଠନ କରି ଚଢ଼ାଉ ଜାରି ରଖିଛି। ମାଲକାନଗିରି ଓ ଜଗତସିଂହପୁରକୁ ବାଦଦେଲେ, ଯାଜପୁରରେ ମଧ୍ୟ ନାବାଳିକାଙ୍କୁ ଦୁଷ୍କର୍ମ ସମସ୍ତଙ୍କୁ ଲଜ୍ଜିତ କରିଛି। ଗଣଦୁଷ୍କର୍ମ ଘଟଣାରେ କ୍ରୀଡ଼ା କୋଚ ଓ ୨ ସହଯୋଗୀଙ୍କୁ ବାନ୍ଧିଛି ପୋଲିସ। ହକି ଷ୍ଟାଡିୟମର କ୍ରୀଡା କୋଚ ଓ ଦୁଇ ସହଯୋଗୀ ଦୁଷ୍କର୍ମ କରିଥିବା ନେଇ ଯାଜପୁର ଥାନାରେ ଅଭିଯୋଗ ହୋଇଥିଲା। ଘଟଣାରେ ପାଲିସ ୩ ଜଣଙ୍କୁ ଗିରଫ କରିଛି। ସେହିପରି ପର୍ଯ୍ୟଟନର ସହର ପୁରୀରେ ଘଟିଛି ଘଟିଛି ଲଜ୍ଜା। ୩ ଭଉଣୀଙ୍କୁ ଅସଦାଚରଣ ଅଭିଯୋଗ ପରେ ଜଣକୁ ଗିରଫ କରିଛି ପୋଲିସ। ୩ ଭଉଣୀ ମନ୍ଦିରରୁ ଫେରୁଥିବା ବେଳେ ଅସଦାଚରଣ କରିଥିଲେ ଦୁର୍ବୃତ୍ତ। ଏନେଇ ପୀଡ଼ିତାଙ୍କ ଭାଇ ଅଭିଯୋଗ କରିବା ପରେ କାର୍ଯ୍ୟାନୁଷ୍ଠାନ ନେଇଛି ପୋଲିସ। ବାଲେଶ୍ବର ଛାତ୍ରୀ ଆତ୍ମାହୁତି ଓ ବଳଙ୍ଗା ଛାତ୍ରୀ ପୋଡି ଘଟଣାର ତଦନ୍ତ ଶେଷ ନହେଉଣୁ ପୁଣି ରାଜ୍ୟର ଖବରକୁ ସରଗରମ କରିଛି ଏହି ଚାରିଟି ଦୁଷ୍କର୍ମ ଓ ଅସଦାଚରଣ ଘଟଣା । ଯାହାକୁ ନେଇ ରାଜ୍ୟରେ ନାରୀ ସୁରକ୍ଷା ପ୍ରତି ସୃଷ୍ଟି ହୋଇଛି ବଡ଼ ପ୍ରଶ୍ନବାଚୀ।
ଜଗତସିଂହପୁର ନାବାଳିକାଙ୍କୁ ଗଣଦୁଷ୍କର୍ମ ଘଟଣାରେ ପୀଡିତାଙ୍କୁ ଭେଟିଲେ ବିଜେଡି ଟିମ୍
ଜଗତସିଂହପୁର ନାବାଳିକାଙ୍କୁ ଗଣଦୁଷ୍କର୍ମ ଘଟଣାରେ ପୀଡିତାଙ୍କୁ ଭେଟିଲେ ବିଜେଡି ଟିମ୍ । ବିଜୁ ଜନତା ଦଳର ପୂର୍ବତନ ବିଧାୟକ ପ୍ରଶାନ୍ତ ମୁଦୁଲି, ଚିରଞ୍ଜିବ ବିଶ୍ୱାଳ, ଭୁବନେଶ୍ୱର ମେୟର ସୁଲୋଚନାଙ୍କ ସମେତ ବହୁ ବିଜେଡି କର୍ମୀ ଓ ମହିଳାଙ୍କ ସମେତ ଯୁବକ ମାନେ ଜଗତସିଂହପୁର ଜିଲ୍ଲା ମୂଖ୍ୟ ଚିକିତ୍ସାଳୟରେ ପହଞ୍ଚି ପୀଡିତାକୁ ଭେଟିଥିଲେ। ଘଟଣାରେ ଦୁଃଖ ପ୍ରକାଶ କରିଥିଲେ। ସେଠାରୁ ସିଧା ଜଗତସିଂହପୁର ଏସପି ଅଫିସ ଚାଲିଚାଲି ଯାଇ ଘଟଣା ସମ୍ପର୍କରେ ଆଲୋଚନା କରିଥିଲେ । ଯିବା ବେଳେ ରାଜ୍ୟ ସରକାରଙ୍କ ବିରୋଧରେ ନାରାବାଜି କରିଥିଲେ ବିଜେଡି ନେତା ଓ କର୍ମୀ ।
ପଦ୍ମ ଉପରେ ଭାରି ପଡିବ ହାତ: ପିସିସି ଟାର୍ଗେଟରେ ମୋହନ ସରକାର
ଭୁବନେଶ୍ବରୀ: ପଦ୍ମ ଉପରେ ଭାରି ପଡିବ ହାତ । ଚଳିବନି ବିଜେପିର ଚକ୍ରାନ୍ତ ରାଜନୀତି । ପିସିସି ଟାର୍ଗେଟରେ ମୋହନ ସରକାର । ବିଜେପି ଦେଲା କାଉଣ୍ଟର ଜବାବ । ବିଜେପି ସରକାର ଯିବାକୁ ବସିଲାଣି। ସରକାର ନିଜର ଅସ୍ତିତ୍ବ ବଂଚାଇବାକୁ ଚେଷ୍ଟା ଜାରି ରଖିଛନ୍ତି । ମୁଖ୍ୟମନ୍ତ୍ରୀ ଇସ୍ତଫା ଦେବେ, ନହେଲେ ଏ ସରକାରକୁ କେହି ବଞ୍ଚାଇପାରିବେନି । ଅନ୍ୟାୟ ପଥରେ ଚାଲିଛି । ଯିଏ ନିଜ ଦଳର ଝିଅକୁ ନ୍ୟାୟ ଦେଇପାରିଲେନି ସେମାନେ କଣ ନାରୀ ସମାଜକୁ ନ୍ୟାୟ ଦେବେ ? ପିସିସି ସଭାପତି ଭକ୍ତ ଚରଣ ଦାସ ବିଜେପି ସରକାରକୁ ଏପରି ଖୋଲା ଚେତାବନୀ ଦେଇଛନ୍ତି । ବିଜେପି ସରକାର କଂଗ୍ରେସ ବିରୋଧରେ ଚକ୍ରାନ୍ତ ଚଳାଇଛି । ସଂସଦରୁ ଓଡିଶା ଯାଏ ଚାଲିଛି ଏ ଚକ୍ରାନ୍ତ । ନିଜ ଦୋଷକୁ ଅନ୍ୟ ଉପରେ ବିଜେପି ସରକାର ଲଦିବାକୁ ଚେଷ୍ଟା କରୁଛି ବୋଲି ପୂର୍ବତନ ପିସିସି ସଭାପତି ନିରଂଜନ ପଟ୍ଟନାୟକ କହିଛନ୍ତି । ଯଦି ଉଦିତ ଦୋଷ କରିଛି ତାହାଲେ ଦଣ୍ଡ ପାଇବ । ବିନା ତଦନ୍ତରେ କାହିଁକି ଜଣେ ଛାତ୍ର ନେତାଙ୍କୁ ପୋଲିସ ଗିରଫ କରିଛି ବୋଲି ସେ ପ୍ରଶ୍ନ ଉଠାଇଛନ୍ତି । ବିଧାୟକ ତାରା ପ୍ରସାଦ ବାହିନୀପତି ଓ ବରିଷ୍ଠ କଂଗ୍ରେସ ନେତା ସୁରେଶ ରାଉତରାୟ ବି ସିଧା ବିଜେପି ସରକାରକୁ ନିଶାଣ କରିଛନ୍ତି । ଏବେଠାରୁ ବିଜେପି ସରକାର କଂଗ୍ରେସକୁ ଡରିଲାଣି ବୋଲି ପିସିସିର ହେଭିଓ୍ବେଟ ନେତାମାନେ ଦାବି କରିଛନ୍ତି ।
ବାଲେଶ୍ଵର ଘଟଣାରେ ନ୍ୟାୟିକ ତଦନ୍ତ ନହେବା ପର୍ଯ୍ୟନ୍ତ କଂଗ୍ରେସ ଚୁପ ବସିବନି ବୋଲି ପ୍ରେସମିଟ କରି ଚେତାବନୀ ଦେଇଛି । ରାଜ୍ୟରେ ଅପରାଧ ସହ ନାରୀ ନିର୍ଯାତନା ବଢିଚାଲିଥିବାରୁ ବିଜେପିକୁ କଂଗ୍ରେସ କଡା ସମାଲୋଚନା କରିଛି । ଏ ସରକାର ମହିଳାମାନଙ୍କୁ ନ୍ୟାୟ ଦେଇପାରିବନି ବୋଲି ମହିଳା କଂଗ୍ରେସ ନେତ୍ରୀ ମୀନାକ୍ଷୀ ବାହିନୀପତି କହିଛନ୍ତି । ସେପଟେ ନାରୀ ନିର୍ଯାତନା ପ୍ରସଙ୍ଗରେ କଂଗ୍ରେସ ବିଜେପି ସରକାରଙ୍କୁ ଟାର୍ଗେଟ କରିବା ପରେ ଜବାବ ଦେଇଛି ବିଜେପି । ଯୋଗାଣ ମନ୍ତ୍ରୀ କୃଷ୍ଣ ପାତ୍ର କଂଗ୍ରେସକୁ ଛବିରାଣୀ ଇତିହାସ କଥା ମନେପକାଇ ଦେଇ କାଉଣ୍ଟର ଜବାବ ଦେଇଛନ୍ତି । ଯୋଗାଣ ମନ୍ତ୍ରୀ
ଭକ୍ତ ଦାସ ଇସ୍ତଫା ଦିଅ । ବୟକଟ NSUI । ରାଜଧାନୀର ବିଭିନ୍ନ ଛକରେ ଏଭଳି ଲେଖା ଥିବା ବଡ଼ ବଡ଼ ପୋଷ୍ଟର ଦେଖିବାକୁ ମିଳିଛି । ପୋଷ୍ଟରରେ ରାହୁଲ ଗାନ୍ଧୀ ଓ ପୂର୍ବତନ ଛାତ୍ର କଂଗ୍ରେସ ସଭାପତି ଉଦିତ ପ୍ରାଧନଙ୍କ ଫଟୋ ଥିବା ବେଳେ ଜଣେ ଦେଶଦ୍ରୋହୀ ଓ ଅନ୍ୟ ଜଣେ ବଳାତ୍କାରୀ ବୋଲି ଲେଖାଯାଇଛି । ଯାହାକୁ ନେଇ ଦୁଇ ଜାତୀୟ ଦଳ ମଧ୍ୟରେ ତେଜିଛି ପୋଷ୍ଟର ରାଜନୀତି ।
ବଦଳିବ ମୋହନଙ୍କ ଟିମ୍: ବାଦ୍ ପଡ଼ିବେ ବଦନାମ ମନ୍ତ୍ରୀ, ତାଲିକା ପ୍ରସ୍ତୁତ, ପ୍ରକ୍ରିୟା ଆରମ୍ଭ
ଭୁବେନଶ୍ବର: ୧୩ ମାସ ହେବ ୬ଟି ମନ୍ତ୍ରୀପଦ ଖାଲି। ମୁଖ୍ୟମନ୍ତ୍ରୀଙ୍କ ପାଖରେ ୬ଟି ବିଭାଗ। ଅଧିକାଶ ମନ୍ତ୍ରୀଙ୍କ ପାଖରେ ୩ଟି ବିଭାଗ । ରଥଯାତ୍ରା ବିଭ୍ରାଟ, ଦଳାଚକଟାରେ ୩ଜଣଙ୍କ ମୃତ୍ୟୁ, ବିଷାନ୍ତ ମଦମୃତ୍ୟୁ ଅଭିଯୋଗ, ବିପର୍ଯ୍ୟସ୍ତ ଆଇନ ଶୃଙ୍ଖଳା ଆଦି ବିବାଦରେ ଛନ୍ଦି ହୋଇପଡ଼ିଛନ୍ତି ଆଇନ, ଅବକାରୀ ଓ ପୂର୍ତ୍ତ ବିଭାଗ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ । ବାଲେଶ୍ବର ଏଫଏମ କଲେଜ, ପ୍ରଶ୍ନପତ୍ର ଲିକ, କଳିଙ୍ଗ ଷ୍ଟାଡିୟମ ଟ୍ରାକରେ କ୍ରୀଡ଼ା ମନ୍ତ୍ରୀଙ୍କ ଗାଡି ରହିବା ପ୍ରସଙ୍ଗରେ ଉଚ୍ଚଶିକ୍ଷାମନ୍ତ୍ରୀ ସୁରଜ ସୂର୍ଯ୍ୟବଂଶୀ ଛନ୍ଦି ହୋଇପଡିଛନ୍ତି । ବଳଙ୍ଗାରେ ଛାତ୍ରୀଙ୍କୁ ପୋଡିମାରିବା ଉଦ୍ୟମ, ରାଜ୍ୟରେ ମହିଳା ଓ ଶିଶୁଙ୍କ ଉପରେ ଅତ୍ୟାଚାର ଓ ଦୁର୍ଷମ ବଢିବା ନେଇ ବଦନାମ ହୋଇଛନ୍ତି ଉପ ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା। ବିଧାନସଭାରେ ଅସଭ୍ୟ ଶବ୍ଦ କହିବା, ହଇଜା ବ୍ୟାପିବା, ଭୁଲ ଇଂଜେକସନରେ ଲୋକେ ମରିବା ପରି ବିବାଦରେ ଛନ୍ଦି ହୋଇଛନ୍ତି ସ୍ବାସ୍ଥ୍ୟ ଓ ସଂସଦୀୟ ମନ୍ତ୍ରୀ ମୁକେଶ ମହାଲିଙ୍ଗ। ମାଣ୍ଡିପଙ୍କା ଗାଁରେ ଅଖାଦ୍ୟ ଖାଇ ଲୋକେ ମରିବା, ଆଳୁ ସଙ୍କଟ ସମୟରେ ବିବାଦୀୟ ବୟାନ, ରାସନ କାର୍ଡ଼ ବିବାଦ ଓ ଗଣମାଧ୍ୟମରେ ବିବାଦୀୟ ବୟାନ ଦେଇ ବଦନାମ ହୋଇଛନ୍ତି ଯୋଗାଣ ମନ୍ତ୍ରୀ କୃଷ୍ଣ ପାତ୍ର । ସେହିପରି ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକ, ରବି ନାୟକ, ପ୍ରଦୀପ ବଳସାମନ୍ତଙ୍କ ରିପୋର୍ଟ କାର୍ଡ଼ ମାର୍କକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଛି । ଏହାରି ଭିତରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ରାଜ୍ୟପାଳଙ୍କୁ ଭେଟିବା ପରେ ମନ୍ତ୍ରିମଣ୍ଡଳ ଚର୍ଚ୍ଚା ଜୋର ଧରିଛି । ଯେଉଁ ମନ୍ତ୍ରୀମାନଙ୍କ ବିଫଳତା ଯୋଗୁଁ ସବୁବେଳେ ସରକାର ବଦନାମ ଓ ଚର୍ଚ୍ଚାରେ ରହିଛନ୍ତି ସେମାନଙ୍କ ବିଭାଗ ପରିବର୍ତ୍ତନ ଓ ମନ୍ତ୍ରିମଣ୍ଡଳରୁ ବାଦ ଦେବାକୁ ପାଓ୍ବାର କରିଡରରେ ଚର୍ଚ୍ଚା ହେଉଛି । ଏହି ଚର୍ଚ୍ଚାକୁ ଅଧିକ ଖୋରାଜ ଯୋଗଇଛି ରାଜ୍ୟପାଳ ଓ ମୁଖ୍ୟମନ୍ତ୍ରୀଙ୍କ ଭେଟଘାଟ ଓ ରାଜ୍ୟ ସଭାପତିଙ୍କ ଦିଲ୍ଲୀଗସ୍ତ । ବିଜେପି ବିଧାୟକ କିନ୍ତୁ ମନ୍ତ୍ରିମଣ୍ଡଳ ସମ୍ପ୍ରସାରଣ ନେଇ ମାପିଚୁପି ବୟାନ ରଖିଛନ୍ତି ।
ମୋହନଙ୍କ ମନ୍ତ୍ରିମଣ୍ଡଳରେ ୧୫ ଜଣ ମନ୍ତ୍ରୀ ସ୍ଥାନ ପାଇଛନ୍ତି । ଅଧାଗଢା ମନ୍ତ୍ରିମଣ୍ଡଳକୁ ନେଇ ବିଜେପି ସରକାର ୧୩ମାସ ହେବ ଚାପରେ ଅଛି।ତାହାରି ଭିତରେ କିଛି ମନ୍ତ୍ରୀଙ୍କ କାର୍ଯ୍ୟକାଳପ ପାଇଁ ବଦନାମ ହୋଇଛି ବିଜେପି ସରକାର। ନିଜ ବିଭାଗର ଦାୟିତ୍ବ ସଠିକ ଭାବେ ତୁଳାଇପାରୁନଥିବାରୁ ଅଯଥା ବିବାଦ ମୁଣ୍ଡ ଟେକୁଛି ସରକାରଙ୍କ ବିରୋଧରେ। ତେଣୁ ଭାବମୃତ୍ତି ସଜାଡିବାକୁ ମୋହନ ମନ୍ତ୍ରିମଣ୍ଡଳର ସମ୍ପ୍ରସାରଣ କରିବେ ବୋଲି ରାଜନୀତି ସମୀକ୍ଷକ କହିଛନ୍ତି । ୬ଟି ମନ୍ତ୍ରିପଦ ଖାଲି ପଡିବା ଓ ମନ୍ତ୍ରିମଣ୍ଡଳ ସମ୍ପ୍ରସାରଣ ଚର୍ଚ୍ଚାକୁ ନେଇ ବିରୋଧୀ କଟାକ୍ଷ କରିଛନ୍ତି । ୧୭ଟି ଜିଲ୍ଲା ମନ୍ତ୍ରୀଶୂନ୍ୟ । ଅଧିକାଂଶ ମନ୍ତ୍ରୀ ୧୩ ମାସରେ ବିବାଦରେ ଛନ୍ଦି ହୋଇପଡିଛନ୍ତି। ସାମ୍ଭାବ୍ୟ ମନ୍ତ୍ରୀ ତାଲିକା ଆଗରେ ଅଛନ୍ତି ବିଧାୟକ ଜୟ ନାରାୟଣ ମିଶ୍ର, ଅମର ନାୟକ, ଆଶ୍ରିତ ପଟ୍ଟନାୟକ, ଇରାଶିଷ ଆଚାର୍ଯ୍ୟ, ସୀମାରାଣୀ ନାୟକ, ମନୋରଜଂନ ଦ୍ୟାନ ସାମନ୍ତରାୟ, ସରୋଜ ପାଢୀ, ଦୁର୍ଗା ଚରଣ ନାୟକ ପ୍ରମୁଖ।
ଆଉ ଦଶମରେ ବୋର୍ଡ ପରୀକ୍ଷା ରହିବ ନାହିଁ: ସିଧା ଦ୍ବାଦଶରେ ବୋର୍ଡ ପରୀକ୍ଷା ହେବ
ବିଜେପି ସରକାର ଆସୁ ଆସୁ ଜାତୀୟ ଶିକ୍ଷା ନୀତି ୨୦୨୦ ଲାଗୁ କରି ଦେଲେ । ଯାହା ଅନୁସାରେ ଆଉ ଦଶମରେ ବୋର୍ଡ ପରୀକ୍ଷା ରହିବ ନାହିଁ । ସିଧା ଦ୍ବାଦଶରେ ବୋର୍ଡ ପରୀକ୍ଷା ହେବ । ଯେଉଁ ହିସାବରେ ଶ୍ରେଣୀ ବିଭକ୍ତ କରାଯାଇଛି, ସେଥିରେ ନବମରୁ ଦ୍ବାଦଶ ଯାଏଁ ସ୍କୁଲରେ ହିଁ ପଢା ହେବ । ଯେଉଁଥିପାଇଁ ପ୍ରଥମ ପର୍ଯ୍ୟାୟରେ ୧୦୨ ସ୍କୁଲ ଅପଗ୍ରେଡ କରିବାକୁ ନିଷ୍ପତ୍ତି ନେଇଛନ୍ତି ସରକାର । ଏହା ପରେ ଆହୁରି ଅଧିକ ସ୍କୁଲ ଅପଗ୍ରଡ କରାଯିବ । ରାଜ୍ୟରେ ସମୁଦାୟ ୨୪୧୫ ଯୁକ୍ତ ଦୁଇ କଲେଜ ଅଛି । ଯାହାକୁ ଉଚ୍ଚମାଧ୍ୟମିକ ସ୍କୁଲ କୁହାଯାଉଛି । ସ୍କୁଲ ଗୁଡ଼ିକର ଅପଗ୍ରେଡେସନ ଯେତେ ବଢିବ ସେତେ ପ୍ରଭାବିତ ହେବ ଉଚ୍ଚମାଧ୍ୟମିକ ସ୍କୁଲ ଗୁଡ଼ିକରେ ନାମଲେଖା । ଚଳିତ ବର୍ଷ ପ୍ରଥମ ସିଲେକସନ ପରେ ୨ଲକ୍ଷ ୧୩ହଜାର ୫୪୭ ସିଟ ଖାଲି ପଡ଼ିଛି । ଦିନକ ପରେ ଆରମ୍ଭ ହେବ ଯୁକ୍ତ ଦୁଇ ପ୍ରଥମ ବର୍ଷ ପାଠପଢା । ଛାତ୍ର ସଂଖ୍ୟା ବୃଦ୍ଧି କରିବାକୁ ପାଠପଢା ଚାଲିଥିବା ସହ ଚାଲିବ ନାମଲେଖା । ଏବେ ଯଦି ଏପରି ସ୍ଥିତି, ସରକାରୀ ସ୍କୁଲ ଗୁଡ଼ିକରେ ଦ୍ବାଦଶ ଯାଏଁ ପାଠପଢା ହେଲେ, ବିଜେବି, ରମାଦେବୀ, ରେଭେନସା, ଫକୀର ମୋହନ ପରି ଏକକ କଲେଜ ଗୁଡ଼ିକରେ ନାମଲେଖା କମିବ । ବାଧ୍ୟ ହୋଇ ଏହି ସବୁ କଲେଜ ଗୁଡ଼ିକ ବନ୍ଦ କରି ସେହି ବିଲଡିଂ ସରକାର ନିଜ ଅକ୍ତିଆରକୁ ନେବେ ।
ସ୍କୁଲଗୁଡିକର ଅପଗ୍ରେଡସନ ଚାଲିଛି । ନାମଲେଖାକୁ ତାହା ସେତେ ପ୍ରଭାବିତ କରିବନି ବୋଲି ସରକାର ଆଶା ରଖିଛନ୍ତି । ଚଳିତ ବର୍ଷ ନାମଲେଖା ଆବେଦନକୁ ନେଇ ବଡ଼ ବିଭ୍ରାଟ ଦେଖା ଦେଇଥିଲା । ଦଶମ ପରୀକ୍ଷା ଫଳ ବାହାରି ନଥିଲା । ହେଲେ ସରିବାକୁ ବସିଥିଲା ନାମଲେଖାର ଅନଲାଇନ ଆବେଦନ । ଶେଷ ମୁହୂର୍ତ୍ତରେ ଭୁଲ ବୁଝି ପାରି ଆବେଦନ ତାରିଖ ବୃଦ୍ଧି କରିଥିଲେ ସରକାର ।
ରାଜ୍ୟର ଲୋକଙ୍କ ପାଇଁ ମହଙ୍ଗା ବିଜୁଳି ଦର: ଓଡ଼ିଶାର ବିଜୁଳି ଅନ୍ୟ ରାଜ୍ୟରେ ଶସ୍ତାରେ ମିଳୁଛି
ଭୁବନେଶ୍ବର: ବଳକା ବିଦ୍ୟୁତ ରାଜ୍ୟ । ହେଲେ ରାଜ୍ୟର ଲୋକଙ୍କ ପାଇଁ ମହଙ୍ଗା ବିଜୁଳି ଦର । ଓଡ଼ିଶାର ବିଜୁଳି ଅନ୍ୟରାଜ୍ୟରେ ଶସ୍ତାରେ ମିଳୁଛି । କିନ୍ତୁ ଏଠି ରାଜ୍ୟବାସୀଙ୍କୁ ବିକ୍ରି ହେଉଛି ଚଢ଼ା ଦରରେ । ଏ ନେଇ ବିତରକ କମ୍ପାନୀ ହଜାର ହଜାର କୋଟି ଲାଭ କରୁଛନ୍ତି । ଲୋକଙ୍କ ଉପରେ ଦାଉ ସାଧିବାକୁ ବୋଝ ଉପରେ ନଳିତା ବିଡ଼ା ଲଦିଚାଲିଛନ୍ତି ସରକାର । ଲୋକେ ତ୍ରାହି ତ୍ରାହି ଡାକିଲେଣି। କେତେବେଳେ ଲୋକଙ୍କ ଘରୁ ବିଜୁଳି କାଟି ଦିଆଯାଉଛି ତ କେତେବେଳେ ଘଣ୍ଟା ଘଣ୍ଟା ଅଘୋଷିତ ବିଜୁଳି କାଟ । ଜାତୀୟ ସ୍ତରରେ ୟୁନିଟ ପିଛା ଯେତିକି ଟାରିଫ ରହିଛି ଓଡ଼ିଶାର ବିଜୁଳି ଗ୍ରାହକ ତାଠୁ ଅଧିକ ଦର ଦେଉଥିବା ଅଭିଯୋଗ ହୋଇଛି। ସେପଟେ ସ୍ମାର୍ଟ ଓ ପ୍ରିପେଡ ମିଟର ନାଁରେ ଲୋକଙ୍କ ଉପରେ ଜାରି ରହିଛି ଜୁଲମ । ଏ ନେଇ ଓଡିଶା ବିଦ୍ୟୁତ ଉପଭୋକ୍ତା ମହାସଂଘ ଓ ରାଜନୈତିକ ଦଳର ପ୍ରତିନିଧିମାନେ ଓଇଆରସିଙ୍କୁ ଭେଟିବା ପରେ ବିଜୁଳି ସମସ୍ୟା ସମ୍ପର୍କିତ ଅଭିଯୋଗ, ନିଜର ମତାମତ, ପ୍ରସ୍ତାବ ଆୟୋଗଙ୍କୁ ଜଣାଇବାକୁ କୁହାଯାଇଛି। ଅଗଷ୍ଟ ୧୬ ତାରିଖ ସୁଦ୍ଧା ଏସବୁ ଅଭିଯୋଗ ଆୟୋଗଙ୍କ ପାଖରେ ପହଞ୍ଚିବ । ୨୯ ତାରିଖରେ ଏହାର ଶୁଣାଣି ହେବ । ଏହାକୁ ନେଇ ଉପଭୋକ୍ତା ମହାସଂଘ ରାଜ୍ୟବ୍ୟାପି ବ୍ୟାପକ ସଚେତନତା ସୃଷ୍ଟି କରିବାକୁ ନିଷ୍ପତ୍ତି ନେଇଛି।
ରାଜ୍ୟରେ ବିଜୁଳି ସମସ୍ୟା ନେଇ ଆୟୋଗଙ୍କ ଦ୍ୱାରସ୍ଥ ହୋଇଛନ୍ତି ବିଭିନ୍ନ୍ ରାଜନୈତିକ ଦଳ । ଏବେ ରାଜ୍ୟରେ ବିଜୁଳି ଗ୍ରାହକ ନାହିଁ ନ ଥିବା ଶୋଷଣର ସମ୍ମୁଖୀନ ହେଉଛନ୍ତି। ଏପରିକି ସବୁଆଡେ ଘଣ୍ଟାଘଣ୍ଟା ବିଜୁଳି କାଟ ହେଉଛି । ମନଇଚ୍ଛା ବିଲ ଆଦାୟ ଓ ସ୍ମାର୍ଟ ମିଟର ନାଁରେ ଲୁଟକୁ ଲୋକେ ଆୟୋଗ ସମ୍ମୁଖକୁ ଆଣିବାକୁ ରାଜନୈତିକ ଦଳର ସଦସ୍ୟ ମାନେ ନିବେଦନ କରିଛନ୍ତି। ୧୩ମାସର ସରକାର ଲୋକଙ୍କ ଉପରେ ବିଜୁଳି ସେବାକୁ ନେଇ ଯେପରି ଜୁଲମ ଚାଲିଛି ତା ବିରୋଧରେ ରାଜ୍ୟବ୍ୟାପି ଆନ୍ଦୋଳନର ଚେତାବନୀ ଦିଆଯାଇଛି। ଓଡିଶା ବିଜୁଳି ବଳକା ରାଜ୍ୟ । ହେଲେ ଖୋଦ ରାଜ୍ୟବାସୀ ବିଜୁଳି ସଙ୍କଟ ମଧ୍ୟରେ ଘାଣ୍ଟି ହେଉଛନ୍ତି । ଯାହାକୁ ନେଇ ଧୀରେ ଧୀରେ ଲୋକଙ୍କ ଭିତରେ ଅସନ୍ତୋଷ ଦାନା ବାନ୍ଧୁଛି ।
ଦିଲ୍ଲୀ ଏମ୍ସରେ ବଳଙ୍ଗା ପୀଡ଼ିତାଙ୍କ ସ୍ବାସ୍ଥ୍ୟାବସ୍ଥା ବୁଝିଲେ ବିଜେଡି ଟିମ୍
ଦିଲ୍ଲୀ ଏମ୍ସରେ ଆଜି ବିଜେଡିର ଏକ ପ୍ରତିନିଧି ଦଳ ପହଞ୍ଚି ବଳଙ୍ଗା ପୀଡିତାଙ୍କ ସ୍ବାସ୍ଥ୍ୟାବସ୍ଥା ବୁଝିଛନ୍ତି । ସାଂସଦ ଶୁଭାଶିଷ ଖୁଣ୍ଟିଆ, ଡ. ସସ୍ମିତ ପାତ୍ର, ସୁଲତା ଦେଓ, ନିରଞ୍ଜନ ବିଶିଙ୍କ ସହ ଯୁବ ନେତା ସୁବ୍ରତ ଛାଟୋଇ ଏମ୍ସକୁ ଯାଇଥିଲେ । ସେଠାରେ ଡାକ୍ତରଙ୍କ ସହ ପୀଡିତାଙ୍କ ସ୍ବାସ୍ଥ୍ୟାବସ୍ଥା ସମ୍ପର୍କରେ କଥା ହୋଇଥିଲେ । ପୀଡିତାଙ୍କ ଦାଦାଙ୍କ ସହ ପ୍ରତିନିଧି ମଣ୍ଡଳି ଆଲୋଚନା କରି ସମସ୍ତ ପ୍ରକାର ସହଯୋଗ ନିମନ୍ତେ ଆଶ୍ବାସନା ଦେଇଛନ୍ତି । ଗତ ଶନିବାର ଦିନ ପୁରୀ ଜିଲ୍ଲା ବଳଙ୍ଗା ଥାନା ଅର୍ନ୍ତଗତ ଗୋପୀନାଥପୁର ପଞ୍ଚାୟତର ବାୟାବର ନୂଆଗୋପାଳପୁରରେ ୧୫ ବର୍ଷୀୟ ନାବାଳିକାଙ୍କ ଦେହରେ ୩ ଜଣ ଦୁର୍ବୃତ୍ତ କିରୋସିନ ଢାଳି ପୋଡି ଦେବାକୁ ଉଦ୍ୟମ କରିଥିଲେ । ଏଥିରେ ପୀଡିତାଙ୍କ ଶରୀରର ୭୫ ଭାଗ ଜଳିଯାଇଛି । ଭୁବନେଶ୍ବର ଏମ୍ସ ଓ ପରେ ସେ ଚିକିତ୍ସା ପାଇଁ ଦିଲ୍ଲୀ ଏମ୍ସରେ ଭର୍ତ୍ତି ହୋଇଛନ୍ତି । ପୀଡିତାଙ୍କ ସ୍ବାସ୍ଥ୍ୟ ଅବସ୍ଥା ସ୍ଥିର ରହିଛି । ଗତକାଲି ପୀଡିତାଙ୍କ ସ୍କିନ ଟ୍ରାନ୍ସପ୍ଲାଣ୍ଟ କରାଯାଇଛି ।
ଜଳପଥରେ ଅପରେସନ କରିବ ରୋବୋଟ୍: ସବୁ ବାବଦରେ ସୂଚନା ଦେବ ଅଣ୍ଡର ୱାଟର ରୋବୋଟ
ଜଳପଥରେ ଅପରେସନ କରିବ ରୋବୋଟ୍ । ଜଳଦସ୍ୟୁ ହୁଅନ୍ତୁ ବା ସମୁଦ୍ରର ସ୍ଥିତି । ସବୁ ବାବଦରେ ସୂଚନା ଦେବ ଅଣ୍ଡର ୱାଟର ରୋବୋଟ । ଏକ ହଜାର ଫୁଟ ସମୁଦ୍ର ଭିତରୁ ତଥ୍ୟ ଦେବ ରୋବୋଟ ଜଳସୀମା । ଏଆଇ ଟେକ୍ନୋଲୋଜି ବ୍ୟବହାର ହୋଇଥିବା ଏହି ଅଣ୍ଡର ୱାଟର ରୋବୋଟ ଖୁବଶୀଘ୍ର ଭାରତୀୟ ନୌସେନାରେ ବ୍ୟବହାର କରାଯିବ । ପ୍ରଥମଥର ପାଇଁ ଓଡ଼ିଶାର ଷ୍ଟାର୍ଟଅପ କମ୍ପାନି ପ୍ରଡକ୍ଟ ଡିଫେନ୍ସରେ ବ୍ୟବହାର ହେବ । ଭାରତୀୟ ନୌସେନାକୁ ଆଖି ଆଗରେ ରଖି ଏହାକୁ ନିର୍ମାଣ କରାଯାଇଛି । ପାଣି ଭିତରର ସମସ୍ତ ତଥ୍ୟ, ଭିଡିଓ ସହ ଦେବ ରୋବୋଟ୍ । ଜିପିଏସ ଟ୍ରାକ ସୁବିଧା ଥିବାରୁ ଶତ୍ରୁ ପାଣି ଭିତରରେ ଲୁଚି ରହିଥିଲେ ମଧ୍ୟ ମିଳିବ ସୁରାକ । ଏହା ଛଡ଼ା ସମୁଦ୍ରରେ କୌଣସି ପ୍ଲେନ କ୍ରାସର ଅଂଶ ମଧ୍ୟ ଖୋଜିପାରିବ ରୋବାଟ । ଏହାର ଓଜନ ମାତ୍ର ୩୩ କେଜି ରହିଛି । ନୈସେନା, କୋଷ୍ଟଗାର୍ଡ ସହ ଏନଡିଆରଏଫକୁ ମଧ୍ୟ ସହଯୋଗ କରିବ । ନୌସେନାରେ ବ୍ୟବହାର ନେଇ ଆଲୋଚନା ହୋଇଥିବା କହିଛନ୍ତି କୋରାସିଆ ଟେକ୍ନୋଲୋଜିର ସହ ପ୍ରତିଷ୍ଠାତା ।
ଜଳସୀମା କେବଳ ପରିଷ୍କାର ପାଣି ନୁହେଁ ଗୋଳିଆ ଓ ପଙ୍କ ପାଣିରୁ ମଧ୍ୟ ଦେବ ସଠିକ ତଥ୍ୟ । କମ୍ପାନି ପୁର୍ବରୁ ଜଳଦୂତ ରୋବଟ ମଧ୍ୟ ନିର୍ମାଣ କରିଛି । ଏହା ଡ୍ୟାମ, ବ୍ରିଜ ସମ୍ପର୍କିତ ସମସ୍ତ ତଥ୍ୟ ଦେଇପାରିବ । ୨୦ କେଜି ଓଜନର ଏହି ଅଣ୍ଡର ୱାଟର ମଧ୍ୟ ବହୁ ଉପଯୋଗୀ ଥିବା କମ୍ପାନୀର ସଦସ୍ୟମାନେ କହିଛନ୍ତି । ଏହାଛଡ଼ା ଆଉ ଏକ ନୁତନ ଅନମ୍ୟାନ ଅଟୋମେଟିକ ବୋଟ ନାଭ୍ୟା ମଧ୍ୟ ନିର୍ମାଣ କରାଯାଇଛି ।
ଏହି କମ୍ପାନିକୁ ଏମଜିଏଫ କବଚ ସଂସ୍ଥା ପକ୍ଷରୁ ୧୭ କୋଟି ଟଙ୍କାର ସହଯୋଗ ମିଳିଛି । ନୌସେନା ବ୍ୟତୀତ ରେଳ ବିଭାଗ, ଟାଟା ଷ୍ଟିଲ, ସେଲ, ଆଇଓସିଏଲ ସହ ମଧ୍ୟ କାମ କରିଛି ।

