ବାଲେଶ୍ଵର ଛାତ୍ରୀ ଆତ୍ମହତ୍ୟା ନେଇ ସାଂଘାତିକ ତଥ୍ୟ। ଜଣେ ଯୁବତୀ ନେଇଥିଲେ ବୋତଲରେ ପେଟ୍ରୋଲ । ସନ୍ଦେହ ଘେରରେ ସେହି ଯୁବତୀ । ପେଟ୍ରୋଲ ପମ୍ପ ମ୍ୟାନେଜରଙ୍କ ସୂଚନା ଅନୁସାରେ ଜଣେ ଯୁବତୀ ସ୍କୁଟିରେ ପେଟ୍ରୋଲ ନାହିଁ ବୋଲି କହି ନେଇଥିଲେ ପେଟ୍ରୋଲ। ସେହି ପେଟ୍ରୋଲରେ FM କଲେଜ ଛାତ୍ରୀ ନିଆଁ ଲଗାଇଥିବା ସନ୍ଦେହ କରାଯାଉଛି। କ୍ରାଇମବ୍ରାଞ୍ଚ ତଦନ୍ତରୁ ଏହା ଜଣାପଡ଼ିଛି। ଗତକାଲି ଦ୍ଵିତୀୟ ଥର ତାରିଣୀ ପେଟ୍ରୋଲ ପମ୍ପକୁ ଯାଇ ସେଠାକାର କର୍ମଚାରୀଙ୍କୁ ପଚରା ଉଚରା କରିବା ପରେ ଏହା ଜଣାପଡ଼ିଛି। କ୍ରାଇମବ୍ରାଞ୍ଚ ଡିଏସି ଇମାନ କଲ୍ୟାଣ ନାୟକ ଓ ଅନ୍ୟ ଅଧିକାରୀ ସେଠାକୁ ଯାଇଥିଲେ। ଏହି ପେଟ୍ରୋଲ ପମ୍ପରୁ ସଂପୃକ୍ତ ଛାତ୍ରୀଙ୍କ ପାଇଁ ପେଟ୍ରୋଲ କିଣାଯାଇଥିଲା କି, କିଏ କିଣିଥିଲା, ସଂପୃକ୍ତ ଛାତ୍ରୀ ନା ଆଉ କିଏ ଏସବୁ ପ୍ରଶ୍ନ ପଚାରିଥିଲେ। ଏହା ଆଗରୁ ଆଉ ଥରେ ମଧ୍ୟ ଏମିତି ପଚରା ଉଚରା କରାଯାଇଥିଲା। ଗତକାଲି ଏହି ଟିମ୍ କଲେଜ ଅଧ୍ୟକ୍ଷଙ୍କ ଚାମ୍ଵରକୁ ଯାଇ ଛାନଭିନ କରିଥିଲା। ପ୍ରିନ୍ସପାଲଙ୍କୁ ପଚରା ଉଚରା କରାଯାଇଥିଲା। ପୀଡ଼ିତାଙ୍କ ଗାଁକୁ ଯାଇ DSP ଇମାନ କଲ୍ୟାଣ ନାୟକଙ୍କ ଟିମ୍ ଛାତ୍ରୀଙ୍କ ପରିବାର, ବାପା ଓ ମାଙ୍କୁ ପଚରାଉଚରା କରିଛନ୍ତି। UGCର ୪ ଜଣିଆ ଟିମ ମଧ୍ୟ ଘଟଣାର ତଦନ୍ତ କରୁଛନ୍ତି।
ସାମ୍ନାକୁ ଆସିଲା ICC ରିପୋର୍ଟ ସତ: ରିପୋର୍ଟରେ ବିସ୍ଫୋରକ ବୟାନ ଦେଇଛନ୍ତି ଆଇସିସି ସଦସ୍ୟ
ସାମ୍ନାକୁ ଆସିଲା ICC ରିପୋର୍ଟ ସତ। ରିପୋର୍ଟରେ ବିସ୍ପୋରକ ବୟାନ ଦେଇଛନ୍ତି ଆଇସିସି ସଦସ୍ୟ। ସମୟ ସ୍ୱଳ୍ପତା ଭିତରେ ତରବରିଆ ଭାବରେ ପ୍ରସ୍ତୁତ ହୋଇଥିଲା ICC ରିପୋର୍ଟ। ଯେଉଁମାନେ କମିଟିରେ ଥିଲେ ସେମାନେ ଅନ୍ୟ କାର୍ଯ୍ୟରେ ବ୍ୟସ୍ତ ରହୁଥିଲେ। ଅଧ୍ୟାପକଙ୍କ ବିରୁଦ୍ଧରେ ଯେଉଁ ଅଭିଯୋଗ ଆସିଥିଲା ତା ସପକ୍ଷରେ ଯାଇ ନଥିଲେ ପିଲାମାନେ। ଲଟେରୀ ମାଧ୍ୟମରେ ଚୟନ କରାଯାଇ ଛାତ୍ରଛାତ୍ରୀଙ୍କ ବୟାନ ନିଆଯାଇଥିଲା। ବର୍ତ୍ତମାନ ତଦନ୍ତ ସଠିକ ବାଟରେ ଯାଉନାହିଁ। ଏବେ ଯେଉଁ ପିଲାଙ୍କ ବୟାନ ରେକର୍ଡ ହେଉଛି ସେମାନଙ୍କୁ ଆମେ ଚିହ୍ନି ନାହୁଁ। ଅନ୍ୟ ବିଭାଗର ପିଲାଙ୍କୁ ଇଣ୍ଟିଗ୍ରେଟେଡ ବିଏଡ୍ ଛାତ୍ରଛାତ୍ରୀ କହି ବୟାନ ନିଆଯାଉଛି। ଘଟଣା ପଛରେ ସତ୍ୟାସତ୍ୟ ଆସିବା ଦରକାର। ସାଇକେଲ ଚଢ଼ି ଆସୁଥିବା ଝିଅ ଆତ୍ମହତ୍ୟା ପାଇଁ ସଙ୍ଗେ ସଙ୍ଗେ ପେଟ୍ରୋଲ ପାଇଲା କେଉଁଠୁ। ଛାତ୍ରୀଙ୍କ ଆତ୍ମାହୁତି ବେଳେ କାହିଁକି ହେଉଥିଲା ଭିଡ଼ିଓଗ୍ରାଫି। କ୍ରାଇମବ୍ରାଞ୍ଚ ତଦନ୍ତକୁ ନିରପେକ୍ଷ କରି ସତ୍ୟକୁ ସାମ୍ନାକୁ ଅଣାଯାଉ ବୋଲି କହିଛନ୍ତି ଆଇସିସି ସଦସ୍ୟ ।
ଓଡ଼ିଶା ଫିଲ୍ମ ଇତିହାସରେ ପ୍ରଥମ: ରାଷ୍ଟ୍ରପତି ଭବନରେ ପ୍ରଦର୍ଶିତ ହେଲା ଶ୍ରୀଜଗନ୍ନାଥଙ୍କ ‘ନବକଳେବର’
ମହାପ୍ରଭୁଙ୍କ ପବିତ୍ର ବାହୁଡା ଯାତ୍ରାରେ, ଓଡ଼ିଶାର ପ୍ରମୁଖ ପ୍ରେକ୍ଷାଳୟରେ ରିଲିଜ୍ ହୋଇଥିବା ଫିଲ୍ମ ‘ଶ୍ରୀଜଗନ୍ନାଥଙ୍କ ନବକଳେବର’ର ଅପୂର୍ବ ସଫଳତା ଏବେ ଚର୍ଚ୍ଚାର ବିଷୟ । କେବଳ ଓଡ଼ିଶା ନୁହେଁ ସାରା ବିଶ୍ବର ଆରାଧ୍ୟ ଦେବତା ପ୍ରଭୁ ଶ୍ରୀଜଗନ୍ନାଥଙ୍କ ନବକଳେବରର କଥାବସ୍ତୁକୁ ନେଇ ନିର୍ମାଣ ହୋଇଥିବା ଏହି ଫିଲ୍ମକୁ ଦେଖିବାକୁ ପ୍ରେକ୍ଷାଳୟକୁ ଓଡିଆ ଦର୍ଶକ ନିଜେ ଟାଣି ହୋଇ ଆସୁଛନ୍ତି ।
ତେବେ ଓଡିଆ ମାଟିର ଝିଅ ତଥା ଭାରତ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ମଧ୍ୟ ବଡ଼ ଠାକୁରଙ୍କ ଏହି ଫିଲ୍ମର ଅନୁଭୂତି ନେବା ପାଇଁ ନୂଆଦିଲ୍ଲୀ ସ୍ଥିତ ରାଷ୍ଟ୍ରପତି ଭବନରୁ ଫିଲ୍ମର ସମ୍ପୂର୍ଣ୍ଣ ଟିମକୁ ନିମନ୍ତ୍ରଣ କରିଥିଲେ । ଶୁକ୍ରବାର ଦିନ ରାଷ୍ଟ୍ରପତି ଭବନରେ ଚଳଚ୍ଚିତ୍ର ଶ୍ରୀଜଗନରନ୍ନାଥଙ୍କ ‘ନବକଳେବର’ ମହାମହିମ ରାଷ୍ଟ୍ରପତିଙ୍କ ଉଦ୍ଦେଶ୍ୟରେ ପ୍ରଦର୍ଶିତ ହେଲା ଓ ଏହି କାର୍ଯକ୍ରମରେ ମହାମହିମଙ୍କ ସହ ଉପସ୍ଥିତ ଥିଲେ ଗୁରୁଜୀ
ଡଃ ଚନ୍ଦ୍ରଭାନୁ ଶତପଥୀ, ଚଳଚ୍ଚିତ୍ର ର ଉପଦେଷ୍ଠା ବିଭୁପ୍ରସାଦ ମହାପାତ୍ର, ମେଜର ଜେନେରାଲ ଭୁଦେବ ପରିଡା, ରାଷ୍ଟ୍ରପତିଙ୍କ ଭିଏସଏମ୍ ସାମରିକ ସଚିବ ବିଜୟ ନାୟକ, ବରିଷ୍ଠ ବୈଷୟିକ ନିର୍ଦ୍ଦେଶକ ଓ ଅତିରିକ୍ତ ପ୍ରେସ୍ ସଚିବ ଜ୍ଞାନ ରଞ୍ଜନ ନନ୍ଦ, ରାଷ୍ଟ୍ରପତିଙ୍କ ସଚିବ ଦୀପ୍ତି ଉମାଶଙ୍କର, ପ୍ରେସ୍ ସଚିବ ଅଜୟ କୁମାର ସିଂହ, ସ୍ୱତନ୍ତ୍ର ଦାୟିତ୍ୱରେ ଥିବା ଅଧିକାରୀ ସୁନୀଲ କୁମାର ତ୍ରିବେଦୀ, କ୍ୟାପ୍ଟେନ୍ ରଭନୀତ ସିଂହ ରନ୍ଧାୱା ନିୟନ୍ତ୍ରକ, କର୍ଣ୍ଣେଲ (ଡକ୍ଟର) କିରଣ କୁମାର କମ୍ପେଲା, ଦେବସ୍ୱେତା ବଣିକ (ରାଷ୍ଟ୍ରପତିଙ୍କ ବ୍ୟକ୍ତିଗତ ସଚିବ), ଡକ୍ଟର ସୁନିଶ ଏସ. (ଆଇଫ୍ଏ) ଓ ଓଡ଼ିଶାର ସାଂସଦ ମୁନା ଖାଁଙ୍କ ସହ ଫିଲ୍ମର ପ୍ରଯୋଜିକା ତଥା ନିର୍ଦ୍ଦେଶିକା ବିନି ସାମଲ, ପ୍ରଯୋଜକ ଦିଲ୍ଲୀପ ଜେନା, କାର୍ଯ୍ୟକାରୀ ପ୍ରଯୋଜକ ପ୍ରଣୟ ଜେଠୀ, ବିତରକ ପ୍ରକାଶ ଫିଲ୍ମସର ନିର୍ଦ୍ଦେଶକ ସଚ୍ଚିକାନ୍ତ ଜେନା , ସଂଗୀତ ନିର୍ଦ୍ଦେଶକ ମଳୟ ମିଶ୍ର, କାହାଣୀ ଓ ସଂଳାପକାର ଶଙ୍କର ତ୍ରୀପାଠି ଙ୍କ ସହ ଫିଲ୍ମର ମୁଖ୍ୟ କଳାକାର ବୃନ୍ଦ ଯେପରିକି ସିଦ୍ଧାନ୍ତ ମହାପାତ୍ର, ଜ୍ୟୋତି ରଞ୍ଜନ ନାୟକ, ଶ୍ରୀତମ ଦାସ, ଶିବାନୀ ସଙ୍ଗୀତା, ପିଙ୍କି ପ୍ରଧାନ, ଓ ଅଂଶୁମାନ ପ୍ରମୁଖ ।
ସ୍ୱୟଂ ବଡ଼ଠାକୁରଙ୍କ ଏହି ଫିଲ୍ମ ଦେଖି ସମସ୍ତେ ବହୁତ ଭାବ ବିହ୍ଵଳ ହୋଇଥିଲେ ଓ ଶ୍ରୀ ଜଗନ୍ନାଥ ସଂସ୍କୃତିକୁ ପ୍ରଚାର ଓ ପ୍ରସାର କରୁଥିବାରୁ ଫିଲ୍ମର ଟିମକୁ ଅନେକ ପ୍ରଶଂସା କରିଥିଲେ । ଏହି ଅବସରରେ ନବକଳେବର ଟିମ୍ ଗଣମାଧ୍ୟମକୁ କହିଥିଲେ ଯେ ମହାପ୍ରଭୁଙ୍କ ଆଶୀର୍ବାଦ ଓ ଆମ ଟିମର ଅକ୍ଳାନ୍ତ ପରିଶ୍ରମ ପାଇଁ ଆଜି ଆମେ ଦର୍ଶକଙ୍କ ଏହି ଭଲପାଇବା ପାଇଥିଲୁ । ଆମ ଓଡିଆ ଝିଅ ତଥା ମହାମହିମ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ସହ ତାଙ୍କ କାର୍ଯ୍ୟାଳୟର ଏହି ଫିଲ୍ମ ପ୍ରତି ଭଲପାଇବା ଆମର ମନୋବଳକୁ ଆହୁରି ବଢାଇଛି ।
ପୁଣି ଆସୁଛି ବଡ଼ ବର୍ଷା: ବଙ୍ଗୋପସାଗରରେ ଦାନା ବାନ୍ଧୁଛି ଆଉ ଏକ ଲଘୁଚାପ
ଲାଗ ଲାଗ ଲଘୁଚାପ। ଏପରି ପୂର୍ବାନୁମାନ କରିଛି ପାଣିପାଗ ବିଭାଗ। ପୁଣି ଆସୁଛି ବଡ଼ ବର୍ଷା । ଗୋଟିଏ ଲଘୁଚାପ ପ୍ରଭାବ ନସରୁଣୁ ବଙ୍ଗୋପସାଗରରେ ଦାନା ବାନ୍ଧୁଛି ଆଉଏକ ଲଘୁଚାପ । ଆସନ୍ତା ୨୨ରୁ ୨୪ ତାରିଖ ମଧ୍ଯରେ ବଙ୍ଗୋପସାଗରରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବା ସମ୍ଭାବନା ରହିଛି । ଫଳରେ ୨୩ ତାରିଖରୁ ରାଜ୍ୟରେ ବର୍ଷା ପରିମାଣ ବଢିବ। ୨୬ ତାରିଖ ଯାଏଁ ରହିବ ବର୍ଷାର ପ୍ରଭାବ। ୨୪ ଓ ୨୫ ତାରିଖରେ ଲଘୁଚାପରେ ରହିବ ଅଧିକ ପ୍ରଭାବ। ଲଘୁଚାପଟି ଉତ୍ତର ବଙ୍ଗୋପସାଗର ପାର୍ଶ୍ବବର୍ତ୍ତୀ ଅଞ୍ଚଳରେ ସୃଷ୍ଟି ହେବ। ପରବର୍ତ୍ତୀ ସମୟରେ ଅଧିକ ଘନୀଭୂତ ହୋଇ ଅବପାତରେ ପରିଣତ ହୋଇପାରେ। ଏହା ପଶ୍ଚିମ-ଉତ୍ତର-ପଶ୍ଚିମ ଦିଗରେ ଗତି କରିବାକୁ ଥିବାରୁ ଉତ୍ତର ଓଡ଼ିଶାରେ ବର୍ଷାର ପ୍ରଭାବ ଅଧିକ ରହିବ ବୋଲି ପୂର୍ବାନୁମାନ କରିଛି ପାଣିପାଗ କେନ୍ଦ୍ର । ୨୨ ତାରିଖ ପର୍ଯ୍ୟନ୍ତ କିଛି ଉପକୂଳ ଜିଲ୍ଲାକୁ ଛାଡ଼ି ଆଭ୍ଯନ୍ତରୀଣ, ପଶ୍ଚିମ ଓ ଦକ୍ଷିଣ ଓଡ଼ିଶାର ସବୁ ଜିଲ୍ଲାକୁ ୟେଲୋ ଆଲର୍ଟ ଜାରି କରାଯାଇଛି । ବିଭିନ୍ନ ସ୍ଥାନରେ ବିଜୁଳି ଘଡ଼ଘଡ଼ି ସହ ବର୍ଷା ସମ୍ଭାବନା ରହିଛି । ଆଜି ଦକ୍ଷିଣ ଓଡିଶାରେ ପ୍ରବଳ ବର୍ଷା ସମ୍ଭାବନା ରହିଛି । ଆଭ୍ୟନ୍ତରୀଣ ଓଡ଼ିଶା ଓ ଦକ୍ଷିଣ ଓଡ଼ିଶାରେ ଘଡ଼ଘଡ଼ି ସହ ବର୍ଷା ହୋଇପାରେ । ୧୯ ତାରିଖରେ ୨୦ ଜିଲ୍ଲାରେ ପ୍ରବଳ ବର୍ଷାର ଆଶଙ୍କା ଥିବା ବେଳେ ଆସନ୍ତା ୨୩ ତାରିଖ ପର୍ଯ୍ୟନ୍ତ ରାଜ୍ୟରେ ବର୍ଷା ସମ୍ଭାବନା ଥିବା ବେଳେ ପୁଣି ଆସନ୍ତା ୨୪ତାରିଖ ବେଳକୁ ଆସୁଛି ଆଉଏକ ଲଘୁଚାପ ।
ଅଭିଯୁକ୍ତ ଅଧ୍ୟାପକ ସମୀର ସାହୁଙ୍କ ବିରୋଧରେ ମିଳିଲା ବଳିଷ୍ଠ ପ୍ରମାଣ
ଅଭିଯୁକ୍ତ ଅଧ୍ୟାପକ ସମୀର ସାହୁଙ୍କ ବିରୋଧରେ ମିଳିଲା ବଳିଷ୍ଠ ପ୍ରମାଣ । ଉଚ୍ଚ ଶିକ୍ଷା ବିଭାଗର ନିର୍ଦ୍ଦେଶକ କାଳୀପ୍ରସନ୍ନ ମହାପାତ୍ର ଏନେଇ ଗୁରୁତ୍ୱପୂର୍ଣ୍ଣ ସୂଚନା ଦେଇଛନ୍ତି। ସମୀରଙ୍କ ବିରୋଧରେ କିଛି ପ୍ରମାଣ ମିଳିଛି । ଆଜି ଶେଷ ହେବ କମିଟିର ତଦନ୍ତ। ଖୁବଶୀଘ୍ର ସରକାରଙ୍କୁ ପ୍ରଦାନ କରାଯିବ ରିପୋର୍ଟ। ପ୍ରଥମ ଦିନ ୪ ଜଣ ଛାତ୍ରଛାତ୍ରୀଙ୍କ ସହ କିଛି କର୍ମଚାରୀଙ୍କୁ ପଚରାଉଚରା କରାଯାଇଥିଲା। ପୁରା ଘଟଣାର ତଦନ୍ତ ପାଇଁ ଉଚ୍ଚ ଶିକ୍ଷା ବିଭାଗ ତରଫରୁ ୩ ଜଣିଆ କମିଟି ଗଠନ କରାଯାଇଥିଲା। କମିଟିର ମୁଖ୍ୟ ହେଉଛନ୍ତି ଉଚ୍ଚଶିକ୍ଷା ବିଭାଗର ନିର୍ଦ୍ଦେଶକ କାଳୀପ୍ରସନ୍ନ ମହାପାତ୍ର। ଆଜି ଆଉ କଲେଜର ଆଉ କେତେକ ବ୍ୟକ୍ତିଙ୍କୁ ପଚରା ଉଚରା କରାଯିବ। କିଛି ଛାତ୍ରଛାତ୍ରୀଙ୍କୁ ମଧ୍ୟ ପଚରା ଉଚରା କରାଯାଇଛି। ସମସ୍ତଙ୍କର ବୟାନ ଆଧାରରେ ରିପୋର୍ଟ ପ୍ରସ୍ତୁତ କରି ବିିଭାଗରେ ଦାଖଲ କରାଯିବ। ସେହି ଅନୁସାରେ ସରକାର ଯାହା କିଛି ଆକ୍ସନ ନେଇପାରନ୍ତି।
ଅପରେସନ ସମୟରେ ଖାଦ୍ୟ ନଳୀ କାଟିଦେଲେ ଡାକ୍ତର
ଅପରେସନ ସମୟରେ ଖାଦ୍ୟ ନଳୀ କାଟିଦେଲେ ଡାକ୍ତର। ଗୁରୁତର ଅବସ୍ଥାରେ ମହିଳାଙ୍କୁ ବଲାଙ୍ଗୀର ହସପିଟାଲକୁ ସ୍ଥାନାନ୍ତର କରାଯାଇଛି । ଘଟଣାକୁ ନେଇ ଟିଟିଲାଗଡ଼ ହସ୍ପିଟାଲରେ ଉତ୍ତେଜନା ପ୍ରକାଶ ପାଇଥିଲା । ସଇଁତଳା ବ୍ଲକ୍ ଡୁକେର୍ଚଚରା ଗାଁର ଅନିତା ତାଣ୍ଡିଙ୍କ ଫ୍ୟାମିଲି ଅପରେସନ ପାଇଁ ଟିଟିଲାଗଡ଼ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ତେବେ ଅପରେସନ ସମୟରେ ରୋଗୀ କାଶି ଦେଇଥିବାରୁ ଖାଦ୍ୟନଳୀରେ ବ୍ଲେଡ୍ ଲାଗିଯାଇଥିବା ଡାକ୍ତର ସୂଚନା ଦେଇଥିଲେ। ଅନିତାଙ୍କୁ ତୁରନ୍ତ ବଲାଙ୍ଗୀର ହସପିଟାଲକୁ ସ୍ଥାନାନ୍ତର କରାଯାଇଥିଲା। ତେବେ ତାଙ୍କ ଅବସ୍ଥା ସ୍ଥିର ଥିବାବେଳେ ଏନେଇ କ୍ୟାମେରା ସାମ୍ନାରେ କିଛି କହିବାକୁ ମନା କରିଦେଇଛନ୍ତି ଡାକ୍ତର।
ଜଣେ ବ୍ୟବସାୟୀଙ୍କ ବ୍ୟାଙ୍କ ଆକାଉଣ୍ଟକୁ ଆସିଛି ୨୦ ଲକ୍ଷ କୋଟି ଟଙ୍କା
ଭୁବନେଶ୍ୱର ଜଣେ ବ୍ୟବସାୟୀଙ୍କ ବ୍ୟାଙ୍କ ଆକାଉଣ୍ଟକୁ ଆସିଛି ୨୦ ଲକ୍ଷ କୋଟି ଟଙ୍କା। ଏତେ ଟଙ୍କା ଦେଖି ଆଚାର୍ଯ୍ୟ ହୋଇଗଲେ ବ୍ୟବସାୟୀ। ଏହା ପରେ ସେ ସାଇବର ପୋଲିସ ଥାନାକୁ ଯାଇଥିଲେ। କିନ୍ତୁ ସେଠାରେ ପୋଲିସ ମାମଲା ରୁଜୁ ନକରିବାରୁ ସେ ହାଇକୋର୍ଟଙ୍କ ଦ୍ବାରସ୍ଥ ହୋଇଛନ୍ତି।ବ୍ୟବସାୟୀଙ୍କର ଟଙ୍କାର ଆବଶ୍ୟକତା ଥିଲା। ତେଣୁ ବନ୍ଧୁ ବସନ୍ତ କୁମାର ଜେନା ଲୋନ୍ କରେଇ ଦେବାକୁ ପ୍ରତିଶ୍ରୁତି ଦେଇ କଲିକତାର ଏକ କାର୍ଯ୍ୟାଳୟକୁ ନେଇ ସେଠାରେ ବ୍ୟବସାୟୀଙ୍କ ବ୍ୟାଙ୍କ ଆକାଉଣ୍ଟର ସମସ୍ତ ତଥ୍ୟ ଓ OTP ମଧ୍ୟ ନେଇଥିଲେ।
କଲିକତାରେ ତିନି ଦିନ ରହଣି ପରେ ଲୋନ୍ ହୋଇପାରି ନଥିଲା ତେଣୁ ବ୍ୟବସାୟୀ ଜଣକ ଭୁବନେଶ୍ୱର ଚାଲିଆସିଥିଲେ। ଭୁବନେଶ୍ୱର ପହଞ୍ଚିବା ପରେ ବସନ୍ତ କୁମାର ଜେନାଙ୍କୁ ବାରମ୍ବାର ଫୋନ୍ ଆସିଥିଲା। ହେଲେ ତାଙ୍କ ମୋବାଇଲ ଫୋନ ବନ୍ଦ ରହିଥିଲା ତେଣୁ ବ୍ୟବସାୟୀ ଜଣକ ବ୍ୟାଙ୍କକୁ ଯାଇ ଆକାଉଣ୍ଟ ଯାଞ୍ଚ କଲା ବେଳକୁ ତାଙ୍କ ଆକାଉଣ୍ଟରେ ୪ କୋଟି ୨୧ ଲକ୍ଷ ଟଙ୍କା ଆସିଥିଲା। ବ୍ୟବସାୟୀଙ୍କ ଆକାଉଣ୍ଟରୁ ବିଭିନ୍ନ ଆକାଉଣ୍ଟକୁ ଟଙ୍କା ବି ଯାଇଛି। ସେ ସାଇବର ଠକେଇର ଶିକାର ହୋଇଥିବା ଜାଣିବା ପରେ ବ୍ୟାଙ୍କ ମ୍ୟାନେଜରଙ୍କ ସହ ଆଲୋଚନା କରି ଆକାଉଣ୍ଟଟିକୁ ବ୍ଲକ୍ କରାଯାଇଛି। ସେହି ସମୟ ଭିତରେ ବ୍ୟବସାୟୀଙ୍କ ବ୍ୟାଙ୍କ ଆକାଉଣ୍ଟକୁ ୨୦ ଲକ୍ଷ କୋଟି ଟଙ୍କା ଆସିଛି। ତେଣୁ ଉକ୍ତ ଘଟଣାକୁ ଭୁବନେଶ୍ୱର ଡିସିପି ତଦନ୍ତ କରି ଆସନ୍ତା ୨୩ ତାରିଖ ସୁଦ୍ଧା ରିପୋର୍ଟ ଦାଖଲ ପାଇଁ ହାଇକୋର୍ଟ ଭୁବନେଶ୍ୱର ଡିସିପିଙ୍କୁ ନିର୍ଦ୍ଦେଶ ଦେଇଛନ୍ତି।.
ଉଦାହରଣ ସାଜିଛି ନବୀନ ମଡେଲ, ସାରା ଦେଶ କରୁଛି ଅନୁସରଣ
ନନ୍ଦିଘୋଷ ବ୍ୟୁରୋ: ସୁଶାସନ କ୍ଷେତ୍ରରେ ଓଡ଼ିଶାର ନବୀନ ମଡ଼େଲକୁ ସାରା ଦେଶ ଅନୁସରଣ କରୁଛି । ପ୍ରଶାସନରେ ଟେକ୍ନୋଲୋଜିର ବ୍ୟବହାରଠାରୁ ଆରମ୍ଭ କରି ଗର୍ଭବତୀ ମହିଳାଙ୍କ ପାଇଁ ମମତା ଯୋଜନା ସାରାଦେଶ ପାଇଁ ଉଦାହରଣ ସାଜିଛି । ସୁନ୍ଦରଗଡ଼ରେ ବର୍ଜ୍ୟବସ୍ତୁ ପରିଚାଳନା ମଡେଲରୁ ଆରମ୍ଭ କରି କୋରାପୁଟର ମୋବାଇଲ ଆପରେ ଶିକ୍ଷା, ସ୍ବାସ୍ଥ୍ୟ ପହଞ୍ଚାଇବା ପ୍ରକ୍ରିୟା ଦେଶର ଟପ ମଡେଲରେ ସ୍ଥାନ ପାଇଛି । ଓଡ଼ିଶାରେ ପ୍ରଥମ ଥର ପାଇଁ ଆୟୋଜିତ ସୁଶାସନ ଉପରେ ଜାତୀୟ ସମ୍ମିଳନୀରେ ନବୀନ ସରକାରରେ ନିଆଯାଇଥିବା ଓଡ଼ିଶାର ବିଭିନ୍ନ ମଡ଼େଲକୁ କରାଯାଇଛି ପ୍ରଶଂସା ।
ଆଗଉଛି ଓଡ଼ିଶା, ଶିଖୁଛି ଭାରତ । ଲୋକାଭିମୁଖୀ ସରକାର ପାଇଁ ନବୀନ ସରକାରଙ୍କ ମଡେଲକୁ ମିଳୁଛି ପ୍ରଶଂସା । ସାରା ଦେଶ ପାଇଁ ଉଦାହରଣ ସାଜିଛି ନବୀନ ସୁଶାସନ । ତତ୍କାଳୀନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଦୂରଦୃଷ୍ଟି ଓ ସମୟ ଉପଯୋଗୀ ପଦକ୍ଷେପ ଯୋଗୁଁ ଓଡ଼ିଶାର ବିଭିନ୍ନ ଶାସନ ମଡେଲକୁ ଅନ୍ୟ ରାଜ୍ୟ ଅନୁସରଣ କରୁଛନ୍ତି । କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଯୋଜନା ତୃଣମୂଳସ୍ତରରେ ପହଞ୍ଚାଇବା ପାଇଁ ବିଭିନ୍ନ ଜିଲ୍ଲାରେ ନିଆଯାଇଥିବା ଅଭିନବ ପଦକ୍ଷେପକୁ ପ୍ରଶଂସା କରାଯାଇଛି । ସୁନ୍ଦରଗଡ଼ ଜିଲ୍ଲାରେ ୨୦୧୮ରୁ ଆରମ୍ଭ ହୋଇଥିବା ବର୍ଜ୍ୟବସ୍ତୁ ପରିଚାଳନା ମଡେଲକୁ ଅନ୍ୟ ରାଜ୍ୟ ଓ କେନ୍ଦ୍ର ଅନୁସରଣ କରୁଛନ୍ତି । ବିଶେଷ କରି ସ୍ବଚ୍ଛ ସାଥୀଙ୍କୁ ନିୟୋଜିତ କରି ପ୍ଲାଷ୍ଟିକ ବର୍ଜ୍ୟ ପରିଚାଳନା କରିବାରେ ସୁନ୍ଦରଗଡ଼ ସାରା ଦେଶରେ ଏକ ନମ୍ବର ହୋଇଛି । ଏହାର ମନିଟରିଂ ପାଇଁ ସ୍ବତନ୍ତ୍ର ମୋବାଇଲ ଆପ୍ ଖୁବ ସହାୟକ ହେଉଛି । ସେହିପରି କୋରାପୁଟ ଜିଲ୍ଲା ସୁଶାସନ ପାଇ ପ୍ରଧାନମନ୍ତ୍ରୀଙ୍କ ଠାରୁ ପୁରସ୍କୃତ ହୋଇଛି । ୨୦୨୦ରୁ ଆରମ୍ଭ ହୋଇଥିବା ପ୍ରୟାସ ଏବେ ସୁଫଳ ଆଣୁଛି । ଗର୍ଭବତୀ ମହିଳାଙ୍କ ପାଇଁ ସମସ୍ତ ପ୍ରକାର ଚିକିତ୍ସା ପାଇଁ ଜନ୍ମଶ୍ରୀ ଆପ୍, ସ୍କୁଲ ଓ କଲେଜ ପିଲାଙ୍କୁ ଉନ୍ନତ ପାଠ୍ୟକ୍ରମ ଯୋଗାଇବାକୁ ଜ୍ଞାନଦୀପ ଆପ୍ ଏବଂ ଶିକ୍ଷା ଓ ସ୍ବାସ୍ଥ୍ୟ ଭିତ୍ତିଭୂମି ସଜାଡ଼ିବାକୁ ଦୃଷ୍ଟି ଆପ୍ ଖୁବ୍ ଲୋକପ୍ରିୟ ହୋଇଛି ।
ଭୁବନେଶ୍ବରରେ ଆୟୋଜିତ ଦୁଇଦିନିଆ ସୁଶାସନ ପ୍ରସଙ୍ଗରେ ଜାତୀୟ ସମ୍ମିଳନୀରେ ଓଡ଼ିଶା ଚମକିବା ସହିତ ଜାତୀୟ ସ୍ତରରେ ସମ୍ମାନ ମିଳିଛି । ବିଭିନ୍ନ ରାଜ୍ୟର ଅଧିକାରୀ, ଜିଲ୍ଲାପାଳମାନଙ୍କୁ ନେଇ ଅନୁଷ୍ଠିତ ସମ୍ମିଳନୀରେ ଓଡ଼ିଶାର ପେପରଲେସ୍ ପ୍ରଶାସନ ପାଇଁ ଓସ୍ବାସ, ସୁଭଦ୍ରା ଯୋଜନା, ମିଶନ ଶକ୍ତି, ସ୍ବଚ୍ଛ ସାଥୀ, ଡିଏମ୍ଏଫ୍ ପରିଚାଳନା ପାଇଁ ପ୍ରଶଂସା ସାଉଁଟିଛି । ଅନ୍ୟ ରାଜ୍ୟର ଭଲ ମଡ଼େଲକୁ ମଧ୍ୟ ଉପସ୍ଥାପନ କରାଯାଇଥିଲା । ଯେମିତିକି ଗୋଟିଏ ପ୍ଲାଟଫର୍ମରେ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ସମସ୍ତ ଯୋଜନା ବାବଦରେ ସବୁ ପ୍ରକାରର ବିବରଣୀ ପାଇଁ ଝାଡ଼ଖଣ୍ଡର ଗୁମଲା ଜିଲ୍ଲା ପ୍ରଶଂସିତ ହୋଇଛି । ସର୍ବୋଦୟ ଓ୍ବେବ ପ୍ଲାଟଫର୍ମରେ ସରକାରୀ ଯୋଜନା ବିଷୟରେ ସମସ୍ତ ସୂଚନା ମିଳିପାରୁଛି ।
କେନ୍ଦ୍ର ସରକାରଙ୍କ ଜନ ଶୁଣାଣି ନିର୍ଦ୍ଦେଶାଳୟ ଓ ଓଡ଼ିଶା ସରକାର ମିଳିତ ଭାବେ ସୁଶାସନ ଜାତୀୟ ସମ୍ମିଳନୀ ପ୍ରଥମ ଥର ପାଇଁ ରାଜ୍ୟରେ ଆୟୋଜନ କରିଛନ୍ତି । ପଛୁଆ ଜିଲ୍ଲା ଭାବେ ଜଣାଶୁଣା ନୀତି ଆୟୋଗ ଦ୍ବାରା ସ୍ଥିରୀକୃତ ଆକାଂକ୍ଷୀ ଜିଲ୍ଲାରୁ ପ୍ରେରଣାଦାୟୀ ଜିଲ୍ଲା କରିବାକୁ ଜିଲ୍ଲା ଓ ରାଜ୍ୟ ସ୍ତରରେ ଭିନ୍ନ ଭିନ୍ନ ମଡେଲ ହାତକୁ ନିଆଯାଉଥିବା ବେଳେ ଓଡ଼ିଶା ଏଥିରେ ଆଗରେ ରହିଛି ।
ବାଲେଶ୍ବର ଘଟଣା ସୁଶାସନ ନା କୁଶାସନ ?
ନନ୍ଦିଘୋଷ ବ୍ୟୁରୋ: ଓଡ଼ିଶାବାସୀଙ୍କୁ ସୁଶାସନ ଦେବାରେ ବିଫଳ ବିଜେପି । ୧୩ ମାସର ଶାସନରେ ରାଜ୍ୟରେ ଆଇନ ଶୃଙ୍ଖଳା ବିପର୍ଯ୍ୟସ୍ତ । ପୂରା ଭୁଶୁଡି ଗଲାଣି ଶାସନ ବ୍ୟବସ୍ଥା । ଯାହାକୁ ନେଇ ରାଜ୍ୟ ସରକାରଙ୍କୁ ଟାର୍ଗେଟ୍ କରିଛନ୍ତି ବିରୋଧୀ । ବାଲେଶ୍ବର ଘଟଣା ସୁଶାସନ ନା କୁଶାସନ ତାହା ସରକାର ଜାଣିଛନ୍ତି କି ବୋଲି ପ୍ରଶ୍ନ କରି ଶାସକ ଦଳ ଉପରେ ବର୍ଷିଛନ୍ତି ବରିଷ୍ଠ ରାଜନେତା ବିଜୟ ମହାପାତ୍ର । କଂଗ୍ରେସ ମଧ୍ୟ ବିଜେପି ସରକାରର ସୁଶାସନ ଦିବସକୁ କଟାକ୍ଷ କରିଛି ।
ସୁଶାସନ ଦିବସ ପାଳନ ବେଳେ ଫେଲ ମାରିଛି ବ୍ୟବସ୍ଥା । ରାଜ୍ୟରେ ବିଜେପି ସରକାରକୁ ଆସିବା ପରଠୁ ସଂପୂର୍ଣ୍ଣ ଦିଗହରା ଶାସନ ବ୍ୟବସ୍ଥା । ଓଡ଼ିଆ ଅସ୍ମିତାର ନାରା ଦେଇ କ୍ଷମତାକୁ ଆସିଥିଲା ବିଜେପି । ହେଲେ ୧୩ ମାସରେ ଓଡ଼ିଆଙ୍କ ମନରେ ଦେଲେଣି କଠୋର ଆଘାତ । ଯାହାକୁ ନେଇ ଶାସକ ବିଜେପିକୁ ସିଧା ନିଶାନା କରିଛି ବିଜେଡି । ପୂର୍ବତନ ରାଜ୍ୟପାଳଙ୍କ ପୁଅ ଓଡ଼ିଆ ଅଧିକାରୀଙ୍କୁ ମାଡ଼ ମାରିଲେ । ମାଣ୍ଡିପଙ୍କା ଗାଁରେ ଅଖାଦ୍ୟ ଖାଇ ଲୋକଙ୍କ ଜୀବନ ଗଲା । ଆଉ ରଥଯାତ୍ରାରେ ସାରା ରାଜ୍ୟ ଦେଖିଲା ବିଭ୍ରାଟ । ଖାଲି ସେତିକି ନୁହେଁ, ଗୋପାଳପୁରରେ ଯୁବତୀଙ୍କୁ ଦୁଷ୍କର୍ମ ଘଟଣା ହେଉ କି ବାଲେଶ୍ବରରେ ଛାତ୍ରୀ ମୃତ୍ୟୁ, ସବୁଠି ସୀମା ଟପିଲାଣି ନାରୀ ନିର୍ଯାତନା । ଏତେ ସବୁ ପରେ ବିଜେପି କେଉଁ ସୁଶାସନ ଦିବସ ପାଳନ କରୁଛି ବୋଲି ପ୍ରଶ୍ନ କରିଛି ବିଜେଡି । ବିଧାୟକ ସାରଦା ଜେନା କହିଛନ୍ତି, ବିଜେପି ସରକାର ଏକ ବିଫଳ ସରକାର । କେବଳ ବାହାଦୁରୀ ମାରିବାରେ ମାହିର । ରାଜ୍ୟରେ ମହିଳା, ଦଳିତ, ଆଦିବାସୀ ଓ ପଛୁଆ ବର୍ଗ ଅସୁରକ୍ଷିତ ଥିବା ବେଳେ, ସରକାର କେବଳ ଘୋଷଣାରେ ସୀମିତ ବୋଲି ଅଭିଯୋଗ କରିଛି ବିଜେଡି ।
ସେହିପରି କଂଗ୍ରେସ ମଧ୍ୟ ବିଜେପି କି ପ୍ରକାର ସୁଶାସନ ଦେଇଛି, ତାକୁ ନେଇ ସରକାରଙ୍କୁ ଟାର୍ଗେଟ କରିଛନ୍ତି । ସାରା ରାଜ୍ୟକୁ ବିଶ୍ବ ଦରବାରରେ ଲଜ୍ଜିତ କଲାଣି ବିଜେପି । ତ୍ରାହୀ ତ୍ରାହୀ ଡାକିଲେଣି ମହିଳା । ଏତେ ସବୁ ପରେ କେଉଁ ମୁହଁରେ ବିଜେପି ସୁଶାସନ ଦିବସ ପାଳନ କରୁଛି, ତାକୁ ନେଇ କଟାକ୍ଷ କରିଛି କଂଗ୍ରେସ ।
ବରିଷ୍ଠ ରାଜନେତା ବିଜୟ ମହାପାତ୍ର ବି ଶାସକ ଦଳର ସୁଶାସନ ଦିବସକୁ ତାତ୍ସଲ୍ୟ କରିଛନ୍ତି । ବାଲେଶ୍ବର ଘଟଣା ସୁଶାସନ ନା କୁଶାସନ ତାହା ସରକାର ସ୍ପଷ୍ଟ କରନ୍ତୁ ବୋଲି ସେ କହିଛନ୍ତି ।
ବିଜେପି ଶାସନକୁ ଆସିବା ଦିନଠୁ ବିଭିନ୍ନ ପ୍ରସଙ୍ଗରେ ଜାତୀୟସ୍ତରରେ ବଦନାମ ହେଲାଣି ଓଡ଼ିଶା । ଧିମେଇ ଗଲାଣି ବିକାଶ କାମ । ଶୀର୍ଷରେ ପହଞ୍ଚିଲାଣି ନାରୀ ନିର୍ଯାତନା । ଏସବୁ ପ୍ରସଙ୍ଗକୁ ନେଇ ଏବେ ଉଷ୍ମ ହୋଲାଣି ରାଜ୍ୟ ରାଜନୀତି ।
୨୪ ତାରିଖକୁ ଶ୍ରଦ୍ଧାଞ୍ଜଳି ଦିବସ ଭାବେ ପାଳିବ କଂଗ୍ରେସ
ନନ୍ଦିଘୋଷ ବ୍ୟୁରୋ: ପିସିସି ସଭାପତି ଭକ୍ତ ଦାସଙ୍କ ବଡ଼ ଘୋଷଣା । ଆସନ୍ତା ୨୪ ତାରିଖରେ ବାଲେଶ୍ବର ଛାତ୍ରୀଙ୍କ ଶ୍ରାଦ୍ଧ ଦିବସରେ ସାରା ରାଜ୍ୟରେ ପାଳନ ହେବ ଶ୍ରଦ୍ଧାଞ୍ଜଳି ଦିବସ । ସେଦିନ କଂଗ୍ରେସ ସହ ୮ ବାମପନ୍ଥୀ ଦଳ ମଧ୍ୟ ସାମିଲ ହେବେ । ରାଜ୍ୟରେ ଗତ କିଛି ଦିନରେ ହତ୍ୟା, ଆତ୍ମହତ୍ୟାର ଶିକାର ହୋଇଥିବା ଛାତ୍ରୀଙ୍କ ଉଦ୍ଦେଶ୍ୟରେ ଏହି ଦିବସ ପାଳନ ହେବ ।
ବିଭିନ୍ନ ସ୍ଥାନରେ ମହିଳା କଂଗ୍ରେସ ଏହି ଦିବସ ପାଳନ କରିବ । କଲେଜ ଓ ବିଶ୍ବବିଦ୍ୟାଳୟରେ ଦୁଇ ମିନିଟ ପାଇଁ ନିରବ ପ୍ରାର୍ଥନା ସହ ଏହି ଦିବସ ପାଳନ କରିବାକୁ ଅପିଲ କରିଛନ୍ତି ଭକ୍ତ । ନ୍ୟାୟ ମିଳିଲେ ପୀଡିତାଙ୍କ ଆତ୍ମା ଶାନ୍ତି ପାଇବ । ତେଣୁ ଏହି ଦିବସ ପାଳନ କେବଳ ତାଙ୍କୁ ନ୍ୟାୟ ଦେବା ପାଇଁ ଉଦ୍ଦିଷ୍ଟ । ମହିଳା କମିଶନ ଗଠନ ସହ ସୁପ୍ରିମକୋର୍ଟଙ୍କ ମନିଟରିଂରେ ନ୍ୟାୟିକ ତଦନ୍ତର ଦାବି ମଧ୍ୟ ଦୋହରାଇଛନ୍ତି ଭକ୍ତ ।
ଖୁବ ଶୀଘ୍ର ମହିଳା ଅଭିଯୋଗ ପ୍ରକୋଷ୍ଠ ଖୋଲିବ କଂଗ୍ରେସ । ଯିଏ ଚାହିଁବେ ଆସି ଅଭିଯୋଗ କରି ପାରିବେ ବୋଲି ଭକ୍ତ ସୂଚନା ଦେଇଛନ୍ତି । ତେବେ ୨୪ ତାରିଖ ପରେ କ’ଣ କାର୍ଯ୍ୟକ୍ରମ ହାତକୁ ନିଆଯିବ ସମସ୍ତ ଦଳ ମିଳିତ ବୈଠକ କରି ନିଷ୍ପତ୍ତି ନେବେ ବୋଲି ସେ କହିଛନ୍ତି ।

