spot_img
Home Blog Page 564

ରାଜ୍ୟରେ ଆଇନ ଶୃଙ୍ଖଳା ବିପର୍ଯ୍ୟସ୍ତ, ଆଜିଠୁ ରାଜ୍ୟବ୍ୟାପୀ ପ୍ରତିବାଦ କରିବେ ଛାତ୍ରଛାତ୍ରୀ

ଭୁବନେଶ୍ବର : ରାଜ୍ୟରେ ଆଇନ ଶୃଙ୍ଖଳା ବିପର୍ଯ୍ୟସ୍ତ। ଛାତ୍ରୀ ଓ ନାରୀ ଅସୁରକ୍ଷିତ। ପ୍ରତିବାଦରେ ଆଜିଠୁ ୭ ତାରିଖ ପର୍ଯ୍ୟନ୍ତ ରାଜ୍ୟବ୍ୟାପୀ ପ୍ରତିବାଦ କରିବେ ଛାତ୍ରଛାତ୍ରୀ। ଏଥିରେ ଛାତ୍ରଛାତ୍ରୀ ମାନେ ସେମାନଙ୍କ ଅଞ୍ଚଳର ଥାନା ଓ ଏସପିଙ୍କୁ ଭେଟି ରାଜ୍ୟର ବିପର୍ଯ୍ୟସ୍ତ ଆଇନ ଶୃଙ୍ଖଳା, ଛାତ୍ରୀ ଓ ନାରୀ ସୁରକ୍ଷା ପ୍ରଦାନ ସମ୍ବନ୍ଧରେ ପୋଲିସ ଡିଜିଙ୍କ ଉଦ୍ଦେଶ୍ୟରେ ସ୍ମାରକ ପତ୍ର ପ୍ରଦାନ କରିବେ। ସେହିପରି ଅଗଷ୍ଟ ୮ ତାରିଖରୁ ୧୪ ତାରିଖ ପର୍ଯ୍ୟନ୍ତ ଛାତ୍ର ଛାତ୍ରୀ ମାନେ ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ନିକଟକୁ ଖୋଲା ଚିଠି ପଠାଇବେ। ଏହି କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀଙ୍କ ନିକଟକୁ ଲକ୍ଷାଧିକ ଚିଠି ପଠାଯିବ। ରାଜ୍ୟରେ ବିପର୍ଯ୍ୟସ୍ତ ଆଇନ ଶୃଙ୍ଖଳା, ବିଶେଷକରି ଛାତ୍ରୀ ଓ ମହିଳା ମାନେ ଅସୁରକ୍ଷିତ ହୋଇ ପଡିଛନ୍ତି ବୋଲି ଅଭିଯୋଗ କରି ବିଜେଡି ଆନ୍ଦୋଳନ କରି ଆସୁଥିବା ବେଳେ, ବିଜୁ ଛାତ୍ର ଓ ଯୁବ ଜନତା ଦଳ ତରଫରୁ ଦ୍ଵିତୀୟ ପର୍ଯ୍ୟାୟ ଆନ୍ଦୋଳନ ଆରମ୍ଭ ହେବ। ବିଭିନ୍ନ ଛାତ୍ରୀ ନିବାସରେ ନାବାଳିକା ମାନେ ଗର୍ଭବତୀ ହେଉଛନ୍ତି। ଛାତ୍ରୀ ଓ ନାରୀ ମାନେ ଅସୁରକ୍ଷିତ ହୋଇ ପଡିଥିଲା ବେଳେ, ରାଜ୍ୟ ସରକାର ନିଘୋଡ଼ ନିଦରେ ଶୋଇଛନ୍ତି। ଗୋପାଳପୁର ବେଳାଭୂମିରେ ଜଣେ ଛାତ୍ରୀଙ୍କୁ ଗଣଦୁଷ୍କର୍ମ, ବାଲେଶ୍ଵର ଏଫଏମ କଲେଜ ଛାତ୍ରୀଙ୍କ ଆତ୍ମଦାହ ଘଟଣା ଓ ବଳଙ୍ଗା ନାବାଳିକା ପୋଡି ଘଟଣା ସମଗ୍ର ଦେଶରେ ଚର୍ଚ୍ଚାର ବିଷୟ ପାଲଟିଛି। ଏହି ପ୍ରସଙ୍ଗରେ ରାଜ୍ୟ ସରକାରଙ୍କ ଉଦାସୀନତାର ପ୍ରତିବାଦରେ ବିଜୁ ଯୁବ ଓ ଛାତ୍ର ଜନତା ଦଳ ରାଜ୍ୟବ୍ୟାପୀ କ୍ୟାମ୍ପସ ଆନ୍ଦୋଳନ କରିଥିଲା। ବିଜୁ ଜନତା ଦଳ ତରଫରୁ ବାଲେଶ୍ୱର ବନ୍ଦ, ଲୋକସେବା ଭବନ ଘେରାଉ କାର୍ଯ୍ୟକ୍ରମ ସହିତ ୩ ଆରଡିସି ଅଫିସ ଘେରାଉ କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା।

ଆଜିଠୁ ପର୍ଯ୍ୟଟକ ମାନଙ୍କ ପାଇଁ ଖୋଲିଲା ଭିତରକନିକା ଜାତୀୟ ଉଦ୍ୟାନ

ରାଜନଗର : ପର୍ଯ୍ୟଟକଙ୍କ ପାଇଁ ଖୁସି ଖବର । ଆଜିଠୁ ପର୍ଯ୍ୟଟକ ମାନଙ୍କ ପାଇଁ ଖୋଲିଲା ଭିତରକନିକା ଜାତୀୟ ଉଦ୍ୟାନ । ୩ ମାସ ଧରି ବନ୍ଦ ରହିବା ପରେ ଭିତରକନିକା ଖୋଲୁଥିବାରୁ ପର୍ଯ୍ୟଟକଙ୍କ ମଧ୍ୟରେ ବେଶ  ଉତ୍ସାହ ଦେଖିବାକୁ ମିଳିଛି । ପର୍ଯ୍ୟଟକଙ୍କୁ ସ୍ବାଗତ କରିବା ପାଇଁ ବନବିଭାଗ  ପ୍ରସ୍ତୁତ ରହିଛି।  କୁମ୍ଭୀର ପ୍ରଜନନ ପାଇଁ  ମେ ୧ ତାରିଖରୁ ଜୁଲାଇ ୩୧ ତାରିଖ ପର୍ଯ୍ୟନ୍ତ ୩ ମାସଧରି ବନ୍ଦ ରହିଥିଲା ଭିତରକନିକା । ଭିତରକନିକାରେ ପର୍ଯ୍ୟଟକମାନେ ପ୍ରକୃତିର ମନୋରମ ଦୃଶ୍ୟ ଉପଭୋଗ କରିବା ସହିତ  ନୈାବିହାର  ଓ ସ୍କାଏ ଓ୍ଵାକରେ ଜଙ୍ଗଲ ଉପରେ ଚାଲିଚାଲି ଜଙ୍ଗଲର ସୌନ୍ଦର୍ଯ୍ୟକୁ ଉପଭୋଗ କରିପାରିବେ । ଭିତରକନିକା ଖୋଲିଥିବାରୁ ପର୍ଯ୍ୟଟକଙ୍କ ସହ ଭିତରକନିକା ଉପରେ ନିର୍ଭର କରୁଥିବା ବୋଟ , ହୋଟେଲ , ଟ୍ରାଭେଲ୍ ଏଜେନ୍ସି, ଛୋଟ ବ୍ୟବସାୟ , ଟୁରିଷ୍ଟି ଗାଇଡ଼ ମାନେ ଚଳଚଞ୍ଚଳ ହୋଇ ଉଠିଛନ୍ତି ।

ଆଜିଠୁ ୟୁପିଆଇରେ ବଡ଼ ପରିବର୍ତ୍ତନ : ବାଲାନ୍ସ ଚେକଠାରୁ ଟାଞ୍ଜାକସନ ଷ୍ଟାଟସ ଯାଏଁ ପରିବର୍ତ୍ତନ

ନନ୍ଦିଘୋଷ ବ୍ୟୁରୋ : ଆଜିଠାରୁ ୟୁନିଫାଏଡ ପେମେଣ୍ଟସ ଇଣ୍ଟରଫେସ ବା ୟୁପିଆଇରେ ହେବ ବ୍ୟାପକ ପରିବର୍ତ୍ତନ। ଏନେଇ ନିଷ୍ପତ୍ତି ନେଇଛି ନ୍ୟାସନାଲ ପେମେଣ୍ଟସ୍ କର୍ପୋରେସନ ଅଫ ଇଣ୍ଡିଆ ବା ଏନପିସିଆଇ। ନୂଆ ନିୟମ ମଧ୍ୟରେ ରହିଛି ବାଲାନ୍ସ ଚେକଠାରୁ ଆରମ୍ଭ କରି ଟାଞ୍ଜାକସନ ଷ୍ଟାଟସ ଯାଏଁ । ପରଫର୍ମାନ୍ସ ବୃଦ୍ଧି ଲାଗି ଏହି ବ୍ୟବସ୍ଥା କାର୍ଯ୍ଯକାରୀ କରାଯାଉଥିବା ଗତ ଏପ୍ରିଲ ୨୬ରେ ସୂଚନା ଦେଇଥିଲା ଏନପିସିଆଇ। ଏହି ପଦକ୍ଷେପ ଯୋଗୁ ବ୍ୟାଙ୍କ, ପେମେଣ୍ଟ ସର୍ଭିସ ପ୍ରୋଭାଇଡର ବା ପିଏସପି ଯଥା ଫୋନ ପେ, ଗୁଗଲ ପେ, ପେଟିଏମ ଆଦି ଉପକୃତ ହେବେ। ନୂଆ ନିୟମ ଯୋଗୁ ଜଣେ ୟୁଜର ୟୁପିଆଇ ଆପରେ ଦୈନିକ ୫୦ ଥର ବାଲାନ୍ସ ଚେକ୍ କରିପାରିବେ। ଅନ୍ୟ ଆପ୍ ବ୍ୟବହାର କରୁଥିଲେ ସେ ଅଧିକ ଥର ଚେକ କରିପାରିବେ। ଏକ ପେଣ୍ଡିଂ ଟ୍ରାଞ୍ଜାକସନ କ୍ଷେତ୍ରରେ ତିନିଥର ଷ୍ଟାଟସ ଚେକ୍ କରାଯାଇପାରିବ। ପ୍ରତି ଚେକର ୯୦ ସେକଣ୍ଡ ପରେ ହିଁ ଚେକ କରାଯାଇପାରିବ। ସକାଳ ୧୦ଟାରୁ ଅପରାହ୍ଣ ଗୋଟାଏ ଏବଂ ସନ୍ଧ୍ୟା ୫ଟାରୁ ରାତି ସାଢେ ୯ଟା ଯାଏ ଅଟୋ ପେ ଟ୍ରାଞ୍ଜାକସନ ହୋଇପାରିବ। ଜଣେ ୟୁଜର ଦୈନିକ ୨୫ଥର ସେମାନଙ୍କର ଲିଙ୍କଡ୍ ବ୍ୟାଙ୍କ ଆକାଉଣ୍ଟ ଦେଖିପାରିବେ। ୩୦ ଦିନରେ ଜଣେ ୟୁଜର ସର୍ବାଧିକ ୧୦ଟି ପେମେଣ୍ଟ ରିଭର୍ସାଲ ରିକୁଏଷ୍ଟ କରିପାରିବେ। ପେମେଣ୍ଟ ହେବା ପୂର୍ବରୁ ପ୍ରାପକଙ୍କ ପଞ୍ଜିକୃତ ବ୍ୟାଙ୍କ ନାମ ପ୍ରଦର୍ଶିତ ହେବ।

ଆଜି ପ୍ରକାଶ ପାଇବ ବିହାର ଚିଠା ମତଦାତା ତାଲିକା

ନନ୍ଦିଘୋଷ ବ୍ୟୁରୋ : ଆଜି ପ୍ରକାଶ ପାଇବ ବିହାର  ଚିଠା ମତଦାତା ତାଲିକା। ଏନେଇ ସୂଚନା ଦେଇଛନ୍ତି ମୁଖ୍ଯ ନିର୍ବାଚନ କମିଶନର ଜ୍ଞାନେଶ କୁମାର। ସେ କହିଛନ୍ତି- ଯୋଗ୍ୟ ନାଗରିକଙ୍କୁ ତାଲିକାରେ ଯୋଗ କରିବା କିମ୍ବା ଅଯୋଗ୍ୟ ନାମଗୁଡିକୁ ତାଲିକାରୁ ବାଦ୍ ଦେବା ଲାଗି ଏକମାସ ସମୟ ଦିଆଯିବ। ବିଭିନ୍ନ ରାଜନୈତିକ ଦଳ ଓ  ମତଦାତାମାନଙ୍କୁ ପୂରା ଏକ ମାସ ସମୟ ଦିଆଯିବ। ସ୍ବତନ୍ତ୍ର ଭୋଟର ତାଲିକା ସଂଶୋଧନ ବା ଏସଆଇଆର ବିହାରରେ ଜାରି ରହିଥିବାବେଳେ ଚିଠା ମତଦାତା ତାଲିକା ପ୍ରକାଶ ପାଇବ। ସମସ୍ତ ସ୍ବୀକୃତିପ୍ରାପ୍ତ ରାଜନୈତିକ ଦଳଗୁଡିକୁ ଏହି ତାଲିକାର ଡିଜିଟାଲ କପି ତଥା ନକଲ ଦିଆଯିବ। ରାଜ୍ୟର ସମସ୍ତ ୩୮ ଜିଲ୍ଲାରେ ଜିଲ୍ଲା ନିର୍ବାଚନ ଅଧିକାରୀମାନେ ଏହି ତାଲିକା ଦେବେ। ବିହାରରେ ଥିବା ମୁଖ୍ୟ ନିର୍ବାଚନ ଅଧିକାରୀ ଓ ୨୪୩ ନିର୍ବାଚନ ପଞ୍ଜିକରଣ ଅଧିକାରୀଙ୍କ ନିକଟରେ ନିଜ ମତ ଉପସ୍ଥାପନ ଲାଗି କୁହାଯାଇଛି। ଅଗଷ୍ଟ ୧ରୁ ସେପ୍ଟେମ୍ବର ୧ ଯାଏ ଏହି ପ୍ରକ୍ରିୟା ଚାଲିବ।

ପଦାରେ ପଡିଛି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଦୋମୁହାଁ ବାଣିଜ୍ୟ ନୀତି

ନନ୍ଦିଘୋଷ ବ୍ୟୁରୋ : ଭାରତ ଉପରେ ଟାରିଫ ମାଡ଼। ପାକିସ୍ତାନ ସହ ବାଣିଜ୍ଯ ପ୍ରୀତି। ପଦାରେ ପଡିଛି ଆମେରିକା ରାଷ୍ଟ୍ରପତ ଡୋନାଲ୍ଡ ଟ୍ରମ୍ପଙ୍କ ଦୋମୁହାଁ ବାଣିଜ୍ୟ ନୀତି। ଏପରିକି ଭାରତ ଉପରେ ଟାରିଫ ନୀତି ଘୋଷଣା ପରେ ଟ୍ରମ୍ପ କହିଥିଲେ ପାକିସ୍ତାନ ସହ ଆମେରିକା ବାଣିଜ୍ୟ ଚୁକ୍ତି କରିଛି। ବଡ଼କଥା ହେଉଛି ରୁଷଠାରୁ ଭାରତ ତୈଳ ଓ ଗ୍ୟାସ କ୍ରୟ କରୁଥିବାବେଳେ ପାକିସ୍ତାନର ତୈଳ ସମ୍ପଦ ଉପରେ ଆଖି ପକାଇଛି ଆମେରିକା। ପାକିସ୍ତାନ ନିକଟରେ ପ୍ରାୟ ୩୫ କୋଟି ବ୍ୟାରେଲ ତୈଳ ଗଚ୍ଛିତ ଥିବାବେଳେ ବିଶ୍ବର ତୈଳ ସମ୍ପଦର ଏହା ହେଉଛି ୦.୦୨୧ ପ୍ରତିଶତ। ଟ୍ରମ୍ପ କହିଛନ୍ତି- ତୈଳ କ୍ଷେତ୍ର ଲାଗି ଉଭୟ ଆମେରିକା ଓ ପାକିସ୍ତାନ ମିଳିତ ଭାବେ କାର୍ଯ୍ୟ କରିବେ ଏବଂ ଏଥିଲାଗି ତୈଳ କମ୍ପାନୀଗୁଡିକୁ ଚୟନ କରାଯାଇଛି। ୨୦୨୪ରେ ପାକିସ୍ତାନ ସହ ଆମେରିକାର ବାଣିଜ୍ୟ ପରିମାଣ ଥିଲା ୭.୩ ବିଲିୟନ ଡଲାର। ୨୦୨୩ରେ ଏହି ପରିମାଣ ଥିଲା ୬.୯ ବିଲିୟନ ଡଲାର। ବିଶେଷ କରି ଏସିଆରେ ଚୀନର ଆଧିପତ୍ୟକୁ ପ୍ରତିହତ କରିବା ଲାଗି ପାକିସ୍ତାନକୁ ଗେହ୍ଲାପୁଅ କରିଛନ୍ତି ଟ୍ରମ୍ପ। ଏପରିକି ପାକିସ୍ତାନକୁ ଆମେରିକା ଏକ ପ୍ରମୁଖ ଅଣନାଟୋ ମିତ୍ରରାଷ୍ଟ୍ର ଭାବେ ଗ୍ରହଣ କରିଥିବାରୁ ପାକିସ୍ତାନର ଗୁରୁତ୍ବ ବୃଦ୍ଧି ପାଇଛି। ବାଣିଜ୍ୟ ସମେତ ଅନ୍ୟାନ୍ୟ କ୍ଷେତ୍ରରେ ଆମେରିକା ସହଜ ସ୍ଥିତିରେ ରହିବା ଲାଗି ବ୍ରିଟେନ, ଭିଏତନାମ, ଜାପାନ, ଇଣ୍ଡୋନେସିଆ, ଫିଲିପାଇନ୍ସ ଓ ୟୁରୋପୀୟ ରାଷ୍ଟ୍ରସଂଘ ସହ ସମ୍ପର୍କ ବୃଦ୍ଧି କରିଛି।

ଗୁଣ୍ଡିଚା ମନ୍ଦିର ଦଳାଚକଟା ଘଟଣାର ରିପୋର୍ଟ ଦାଖଲ

ନନ୍ଦିଘୋଷ ବ୍ୟୁରୋ: ଚଳିତବର୍ଷ ରଥଯାତ୍ରାରେ ପୁରୀ ଗୁଣ୍ଡିଚା ମନ୍ଦିର ଦଳା ଚକଟା ଘଟଣାର ହେଲା ରିପୋର୍ଟ ଦାଖଲ । ଲୋକସେବା ଭବନରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କୁ ରିପୋର୍ଟ ପ୍ରଦାନ କରିଛନ୍ତି ଉନ୍ନୟନ କମିଶନର ଅନୁ ଗର୍ଗ । ଗତ ଜୁନ ୨୯ ତାରିଖରେ ହୋଇଥିଲା ଦଳାଚକଟା । ଏହି ଘଟଣାକୁ ନେଇ ରାଜ୍ୟ ଓ ଜାତୀୟ ସ୍ତରରେ ହଇଚଇ ସୃଷ୍ଟି ହୋଇଥିଲା ।

ଘଟଣାର ପ୍ରାଶାସନିକ ତଦନ୍ତ ପାଇଁ ଉନ୍ନୟନ କମିଶନରଙ୍କୁ ଦାୟିତ୍ୱ ପ୍ରଦାନ କରିଥିଲେ ମୁଖ୍ୟମନ୍ତ୍ରୀ । ମାସକ ପରେ ସରକାରଙ୍କୁ ତଦନ୍ତ ରିପୋର୍ଟ ପ୍ରଦାନ କରିଛନ୍ତି ଅତିରିକ୍ତ ମୁଖ୍ୟ ଶାସନ ସଚିବ । ପୂର୍ବରୁ ତଦନ୍ତ ରିପୋର୍ଟ ପ୍ରସଙ୍ଗରେ ଆଇନମନ୍ତ୍ରୀ କହିଥିଲେ ଯେ, ପ୍ରାଶାସନିକ ତଦନ୍ତ ରିପୋର୍ଟର ପୁଙ୍ଖାନୁପୁଙ୍ଖ ତର୍ଜମା କରିବେ ସରକାର । ସୁପାରିଶ ଅନୁଯାୟୀ, ଭବିଷ୍ୟତରେ ଯେପରି ଏଭଳି ଅଘଟଣ ନଘଟେ, ସେଥିପାଇଁ ପଦକ୍ଷେପ ନିଆଯିବ । ଗତକାଲି ଥିଲା ତଦନ୍ତର ଶେଷ ତାରିଖ । ଗତ ଜୁନ ୨୯ ତାରିଖରେ ଗୁଣ୍ଡିଚା ମନ୍ଦିର ସାମ୍ନାରେ ହୋଇଥିଲା ଦଳା ଚକଟା । ଯେଉଁଥିରେ ୩ ଜଣଙ୍କ ଜୀବନ ଯାଇଥିଲା । ଦଳାଚକଟାରେ ଆହତ ହୋଇଥିଲେ ଏକାଧିକ ।

ସରକାରୀ ବ୍ୟବସ୍ଥାର ବିକଳ ଚିତ୍ର: ଭତ୍ତା ଟଙ୍କା ପାଇଁ ଚୌକିରେ ୧୫ କିମି ବୁହା ହେଲେ ୭୦ ବର୍ଷୀୟ ବୃଦ୍ଧା

ନନ୍ଦିଘୋଷ ବ୍ୟୁରୋ: ସରକାରୀ ବ୍ୟବସ୍ଥାର ବିକଳ ଚିତ୍ର । ଭତ୍ତା ଟଙ୍କା ପାଇଁ ଚୌକିରେ ୧୫ କିଲୋମିଟର ବୁହା ହେଲେ ୭୦ ବର୍ଷୀୟ ବୃଦ୍ଧା । ଏଭଳି ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଛି ବଲଙ୍ଗୀର ପାଟଣାଗଡ଼ ଅଞ୍ଚଳରେ । ଚାଲିବାକୁ ଅକ୍ଷମ ଜନଜାତି ବର୍ଗର ଏହି ବୃଦ୍ଧାଙ୍କ ଆର୍ଥିକ ଅନାଟନ ଏତେ ଯେ, ବ୍ୟାଙ୍କ ପାଖରେ ପହଞ୍ଚିବାକୁ ଗାଡ଼ି ଖଣ୍ଡେ ଭଡ଼ା କରିବାକୁ ନାହିଁ ଅର୍ଥ । ସମ୍ପର୍କୀୟମାନେ ଚୌକିରେ ବୃଦ୍ଧାକୁ ଉଠାଇ ନେଇ କରାଇଛନ୍ତି କେ-ଓ୍ବାଇସି । ଶାରିରୀକ ଅକ୍ଷମତା ଓ ବୟବୃଦ୍ଧ ବୃଦ୍ଧାଙ୍କ ଘରକୁ ଯାଇ ଭତ୍ତା ଟଙ୍କା ଦେବାର ସରକାରୀ ବ୍ୟବସ୍ଥା ଥିଲେ ବି ସ୍ଥାନୀୟ ପ୍ରଶାସନର ଅବହେଳା ଯୋଗୁଁ ବୃଦ୍ଧା ଜଣକ ହୀନିମାନ ହେଉଛନ୍ତି । ହେଲେ ଗରିବ ନିଃସହାୟ କଥା ଶୁଣୁଛି କିଏ ?

ପାଗଣାଗଡ଼ ବାଙ୍କୀବାହାଲ ଗ୍ରାମର ଗଣେନ ବରିହା । ବୟସ ୭୦ । ଚାଲିବାକୁ ଅକ୍ଷମ । ବ୍ୟାଙ୍କ କେଓ୍ବାଇସି ନଥିବାରୁ ପାଉନାହାନ୍ତି ଭତ୍ତା ଟଙ୍କା । ଏବେ କେଓ୍ବାଇସି ପାଇଁ ଚୌକିରେ ବୁହା ହୋଇ ଯାଉଛନ୍ତି ୧୫ କିଲୋମିଟର । ଏ ଦୃଶ୍ୟ ହେଉଛି ବଲାଙ୍ଗୀର ପାଟଣାଗଡ଼ ଅଞ୍ଚଳର । ମାଳ ମାଳ ସରକାରୀ ଯୋଜନା, ମାଳ ମାଳ ନିୟମ । ହେଲେ ନିୟମ ପାଳନ କରୁଛି କିଏ ? ନିୟମ ରହିଛି ଶାରିରୀକ ଭିନ୍ନକ୍ଷମ ଓ ଶଯ୍ୟାଶାୟୀ ବୃଦ୍ଧବୃଦ୍ଧାମାନଙ୍କୁ ଭତ୍ତା ଟଙ୍କା ନଗଦ ଆକାରରେ ଘରେ ପହଞ୍ଚାଇ ଦିଆଯିବ । ହେଲେ ସରକାରୀ ବାବୁ କ’ଣ ଏତେ କଷ୍ଟ କରିବେ ? କିଏ ପାଇଲେ ପାଉ ନ ପାଇଲେ ନ ପାଉ ତାଙ୍କ ଦରମା କ’ଣ ବନ୍ଦ ହୋଇଯାଉଛି ? ବୃଦ୍ଧା ଠିକରେ ଚାଲିବୁଲି ପାରୁନାହାନ୍ତି ଘରେ ଶଯ୍ୟାଶାୟୀ ଅଛନ୍ତି I ଗାଡ଼ି ଭଡ଼ା କରି ବ୍ୟାଙ୍କ ବୃଦ୍ଧାଙ୍କୁ ନେବାକୁ ପରିବାର ପାଖରେ ଟଙ୍କା ନାହିଁ । ଘୋର ଆର୍ଥିକ ଅନାଟନ । ଭତ୍ତା ଟଙ୍କା ଗଣ୍ଡାକ ଭରସା । ଘର ଚଳିବା ପାଇଁ ପାଖରେ ଟଙ୍କା ନଥିବାରୁ ସମ୍ପର୍କୀୟମାନଙ୍କୁ କହିବା ପରେ, ସମ୍ପର୍କୀୟ ଗୋଟିଏ ଚୌକିରେ ବସାଇ ବୃଦ୍ଧାକୁ ଦୂର ପାଟଣାଗଡ଼କୁ ଟେକି ଟେକି ଆଣି କେଓ୍ବାଇସି କରିଥିଲେ I ବିଶେଷ କରି ଆଦିବାସୀମାନେ ଭତ୍ତା ଯନ୍ତ୍ରଣାର ବାରମ୍ବାର ହଇରାଣ ହରକତ ହେଉଥିବାରୁ ଅସନ୍ତୋଷ ପ୍ରକାଶ କରିଛନ୍ତି ଆଦିବାସୀ ନେତା I

ବୃଦ୍ଧାଟିର ଏପରି ଅବସ୍ଥା ଦେଖି ସ୍ଥାନୀୟ ଲୋକେ ପାଟଣାଗଡ଼ ବିଡ଼ିଓ ସୁମନ ମିଞ୍ଜଙ୍କୁ ଯୋଗାଯୋଗ କରିଥିଲେ । ବୃଦ୍ଧାଙ୍କ ବିଷୟରେ ଜଣାଇଥିଲେ I ବିଡିଓ ତଦନ୍ତ କରି ଶୀଘ୍ର ତାଙ୍କୁ ନଗଦ ଅର୍ଥ ଭାବେ ଭତ୍ତା ଟଙ୍କା ଦିଆଯିବ ବୋଲି କହିଥିବା ଜଣାପଡିଛି । ଏଭଳି ଦୁଃଖଦ ଘଟଣା ନେଇ ବୁଦ୍ଧିଜୀବୀ ମହଲରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି l ପ୍ରଶାସନିକ ଅଧିକାରୀଙ୍କ ଏପରି ଅବହେଳାକୁ ସବୁ ମହଲରେ ନିନ୍ଦା କରାଯାଇଛି ।

ଏ କେବଳ ଗଣେନ ବରିହା ନୁହଁନ୍ତି । ଗତ ଜୁନ୍‌ ପହିଲାରେ ପାଟଣାଗଡ଼ ବ୍ଲକ ଫଟାମୁଣ୍ଡା ପଞ୍ଚାୟତ ପାଣ୍ଡେସରା ଗାଁର ଭିନ୍ନକ୍ଷମ ବିଧବା ମହିଳା ସୁରେଖା ନାଗ ଭତ୍ତା ପାଇଁ ରାସ୍ତାରେ ଘୁଷୁଡ଼ି ଘୁଷୁଡ଼ି ଯାଉଥିବା ଭିଡିଓ ଭାଇରାଲ ହୋଇଥିଲା ।

ଅନ୍ୟ ରାଜ୍ୟରେ ବ୍ରିଜ ଭୁଶୁଡିବା ଘଟଣା ଦେଖି ସରକାରଙ୍କ ଆଗୁଆ ପଦକ୍ଷେପ, ଆଣିଲେ ବ୍ରିଜ ମେଣ୍ଟେନାନ୍ସ ପଲିସି

ନନ୍ଦିଘୋଷ ବ୍ୟୁରୋ: ବାରମ୍ବାର ତାଗିଦ ପରେ ବି ରାଜ୍ୟର ପ୍ରମୁଖ ନିର୍ମାଣ କାର୍ଯ୍ୟଗୁଡିକ ସଠିକ ସମୟରେ ସରୁ ନାହିଁ । ଯାହାକୁ ନେଇ ପୂର୍ତ୍ତ ମନ୍ତ୍ରୀ ସମୀକ୍ଷା ବୈଠକରେ ତାଗିଦ କରିଛନ୍ତି । ଏଥିସହିତ ଦେଶର ବିଭିନ୍ନ ରାଜ୍ୟରେ ପୁରୁଣା ପୋଲ ଭାଙ୍ଗି ବହୁ ଜୀବନ ଯାଉଥିବାରୁ ଓଡ଼ିଶାରେ ଏକ ବ୍ରିଜ ପଲିସି ଆଣିଛନ୍ତି ସରକାର । ଏହି ପଲିସି ଅନୁଯାୟୀ ରାଜ୍ୟର ସମସ୍ତ ପୋଲର ସ୍ଥିତି ତଦାରଖ କରିବା ସହ ସଠିକ ସମୟରେ ସେସବୁର ରକ୍ଷଣାବେକ୍ଷଣ କରାଯିବ ବୋଲି ପୂର୍ତ୍ତ ବିଭାଗର ସମୀକ୍ଷା ପରେ ସୂଚନା ଦେଇଛନ୍ତି ପୂର୍ତ୍ତ ମନ୍ତ୍ରୀ।

ରାଜ୍ୟରେ ଆସିଲା ବ୍ରିଜ ମେଣ୍ଟେନାନସ ପଲିସି । ଦେଶର ବିଭିନ୍ନ ରାଜ୍ୟରେ ବ୍ରିଜ ଭୁଶୁଡି ପଡୁଥିବା ବେଳେ ଏହାକୁ ଆଖି ଆଗରେ ରଖି ଏହି ପଲିସି ଅଣାଯାଇଥିବା ସୂଚନା ଦେଇଛନ୍ତି ପୂର୍ତ୍ତ ମନ୍ତ୍ରୀ । ଏହି ପଲିସି ଅନୁଯାୟୀ ରାଜ୍ୟର ପୁରୁଣା ଓ ନୂଆ ବ୍ରିଜର କିଭଳି ନିରନ୍ତର ପରିଚାଳନା ଠିକ ଭାବେ ହେବ ତା’ ଉପରେ ଫୋକସ କରାଯାଇଛି । ରୋଡ ମେଣ୍ଟେନାନ୍ସ ପଲିସି ମଧ୍ୟ କାର୍ଯ୍ୟକାରୀ ହେବ । ବ୍ରିଜ ଗୁଡିକର ପର୍ଯ୍ୟାୟ ଭିତ୍ତିକ ସୁପରଭିଜନ କରାଯିବ । ସମୟ ସୀମା ମଧ୍ୟରେ ତର୍ଜମା କରାଯିବ, ସମୀକ୍ଷା ହେବ । ଇଂଜିନିୟର ମାନେ ଯାଇ ସ୍ଥିତି ପରଖିବେ । ବ୍ରିଜର ସ୍ଥିତିକୁ ଦେଖି ମରାମତି କରିବେ କିମ୍ବା ଅନ୍ୟ ପଦକ୍ଷେପ ନେବେ । ଅନ୍ୟ ରାଜ୍ୟରେ ବ୍ରିଜ ଭୁଶୁଡିବା ପରେ ଏଭଳି ନିଷ୍ପତ୍ତି ନିଆଯାଇଥିବା କହିଛନ୍ତି ପୂର୍ତ୍ତମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ ।

ସେପଟେ ରାଜ୍ୟରେ ବହୁ ପ୍ରମୁଖ ନିର୍ମାଣ କାର୍ଯ୍ୟ ସଠିକ ସମୟରେ ଶେଷ ନ ହେବାକୁ ନେଇ ତାଗିଦ କରିଛନ୍ତି ମନ୍ତ୍ରୀ । କାର୍ଯ୍ୟାନୁଷ୍ଠାନର ଚେତାବନୀ ମଧ୍ୟ ଦିଆଯାଇଛି । ପୂର୍ତ୍ତ ବିଭାଗ କାର୍ଯ୍ୟଗୁଡିକର ଅଗ୍ରଗତିକୁ ନେଇ ଚତୁର୍ଥ ବୈଠକରେ ମନ୍ତ୍ରୀ ଏଭଳି ତାଗିଦ କରିଛନ୍ତି । ଯେଉଁ ପ୍ରକଳ୍ପ ୫୦ କୋଟିରୁ ଅଧିକ ସେ ସମ୍ପର୍କରେ ଆଲୋଚନା ହୋଇଛି । ନିର୍ମାଣ ସଂସ୍ଥାଗୁଡିକର କାମ ଓ ଇଂଜିନିୟରଙ୍କ ଭୂମିକା ସମ୍ପର୍କରେ ଆଲୋଚନା ହୋଇଛି । ଜାତୀୟ ରାଜପଥ, ବିଲ୍ଡିଂ, ରୋଡ ଆଦି ସବୁ ସମ୍ପର୍କରେ ସମୀକ୍ଷା କରାଯାଇଛି । ଗତ ମାର୍ଚ୍ଚ ମାସରେ ଶେଷ ଥର ପାଇଁ ସମୀକ୍ଷା ହୋଇଥିଲା । ଯେଉଁଥିରେ ସମୟ ଅନୁସାରେ କାର୍ଯ୍ୟ ସାରିବା ଓ କ୍ବାଲିଟି ମେଣ୍ଟେନ ପାଇଁ ଉଦ୍ୟମ କରାଯିବାକୁ ନିଷ୍ପତ୍ତି ହୋଇଛି । ଯେଉଁ ପ୍ରକଳ୍ପ ବିଳମ୍ବିତ ହେଉଥିଲା ତାହା ସମାଧାନ କରାଯାଉଛି ।

ରାଜ୍ୟରେ ପୋଲଠୁ ଆରମ୍ଭ କରି ରାସ୍ତାଘାଟ ଅବସ୍ଥା ଖରାପ ବୋଲି ଅଭିଯୋଗ ହୋଇଆସୁଛି । ଏପରିକି ବହୁ ପ୍ରକଳ୍ପ କାର୍ଯ୍ୟ ଠିକ ଭାବେ ହୋଇ ନଥିବାରୁ ତାହା ନଷ୍ଟ ହେଉଛି । ତେଣୁ ମନ୍ତ୍ରୀଙ୍କ ତାଗିଦ ଏସବୁ ଦିଗରେ କେତେ କାର୍ଯ୍ୟକାରୀ ହେଉଛି ତା’ ଉପରେ ରହିଛି ନଜର ।

ସରକାରୀ ଚାକିରିଆଙ୍କୁ ଲାଗୁଛି ଝଟକା ପରେ ଝଟକା

ନନ୍ଦିଘୋଷ ବ୍ୟୁରୋ: ବର୍ଷେ ହେବ ସରକାରୀ ଚାକିରି ଆଶାୟୀଙ୍କୁ ଝଟକା ପରେ ଝଟକା ଲାଗିବାରେ ଲାଗିଛି । ସରକାରକୁ ଆସିବା ପରେ ସରକାରୀ ଚାକିରି ମିଳିବା ନେଇ ବିଜେପି ପ୍ରତିଶ୍ରୁତି ଦେଇଥିଲା । ହେଲେ ସରକାରକୁ ୧୩ ମାସ ବିତିବା ପରେ ଚାକିରି ପାଇଁ କେବଳ ବିଜ୍ଞପ୍ତି ପ୍ରକାଶ ପାଉଛି, ହେଲେ ପରିଚାଳନାରେ ଏପରି ଅନିୟମିତା ହେଉଛି ଯେ ପରୀକ୍ଷା ବାତିଲ ହେଉଛି । ଯାହା ଚାକିରି ଆଶାୟୀଙ୍କ ଭବିଷ୍ୟତକୁ ଅନ୍ଧକାର ଆଡ଼କୁ ଠେଲି ଦେଲାଣି । ଏପରି ସରକାରୀ ଅପାରଗତାକୁ ବିରୋଧୀ ଟାର୍ଗେଟ କରିଥିବାବେଳେ ସରକାରଙ୍କ କହିଛନ୍ତି ଯେ ଆଗକୁ ସ୍ବଚ୍ଛତାର ସହ ପରୀକ୍ଷା କରାଯିବ ।

ଆରଆଇ, ଅମିନ ଚାକିରି ଆଶାୟୀ ଏବେ ଟେନସନରେ । ଅଗଷ୍ଟ ପହିଲାରୁ ଆରମ୍ଭ ହେବାକୁ ଥିବା ମୁଖ୍ୟ ପରୀକ୍ଷା ବାତିଲ ପରେ ସେମାନଙ୍କ ଆଶା ମଉଳି ଯାଇଛି । ୨୦୨୩ ଡିସେମ୍ବର ୨୯ରେ ୨୮୯୫ଟି ପଦବୀ ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଥିଲା । ଏଥିରୁ ଆରଆଇ ୫୫୯, ଆଇସିଡିଏସ୍ ୪୯୮, ଏଆରଆଇ ୮୨୭, ଅମିନ ୬୮୬ ଓ ଏସଏଫଏସ୍ ପାଇଁ ୩୨୫ଟି ପଦବୀ ରହିଛି । ଏବେ ପୁଣି ପ୍ରିଲିମ ପରୀକ୍ଷା ନିଷ୍ପତ୍ତି ଯୋଗୁଁ ଚାକିରି ଆଶାୟୀମାନେ ନିଜ ଭବିଷ୍ୟତକୁ ନେଇ ସନ୍ଦେହରେ ପଡ଼ିଛନ୍ତି । ସେହିପରି ଓଟିଇଟି ପରୀକ୍ଷା ବି ପ୍ରଶ୍ନପତ୍ର ଲିକରେ ବଳି ଚଢିଗଲା ।

ଗତ ବର୍ଷକ ଭିତରେ ଅନେକ ସରକାରୀ ଚାକିରି ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଥିଲା । ହେଲେ ସରକାରୀ ପରିଚାଳନାରେ ଏତେ ତୃଟି ଦେଖା ଦେଲା ଯେ ପରୀକ୍ଷା ହୋଇପାରିଲା ନାହିଁ । ବ୍ୟାପକ ଅନିୟମିତତା ଯୋଗୁଁ ଫରେଷ୍ଟ ଗାର୍ଡ ପରୀକ୍ଷା ବାତିଲ ହେଲା । ଓପିଆରବି ଏସଆଇ ପରୀକ୍ଷା ହୋଇ ପାରିଲା ନାହିଁ । ଭୁଲ ପ୍ୟାଟର୍ଣ୍ଣ ପ୍ରଶ୍ନ ଯୋଗୁଁ ଅବକାରୀ ଓ ଟ୍ରାଫିକ ଏସଆଇ ପରୀକ୍ଷା ରଦ୍ଦ ହେଲା । ଓପିଏସସି ପରୀକ୍ଷାରେ ଭୁଲ ପ୍ରଶ୍ନ ଆସିଲା । ଆଶ୍ଚର୍ଯ୍ୟଜନକ ଭାବେ ଆଇଆରବି ବାଟାଲିୟନ ପରୀକ୍ଷାର ନିଯୁକ୍ତିପତ୍ର ମିଳିବା ସତ୍ତ୍ବେ ଏଯାଏଁ ନିଯୁକ୍ତି ଦେବାରେ ବିଫଳ ହୋଇଛନ୍ତି ସରକାର । ବାରମ୍ବାର ଆଶାୟୀ ପରୀକ୍ଷାର୍ଥୀମାନେ ଆନ୍ଦୋଳନ କରୁଛନ୍ତି । ହେଲେ ବ୍ୟବସ୍ଥାରେ ସୁଧାର ନ ଆସିବାରୁ, ସେମାନଙ୍କ ଭିତରେ ଅସନ୍ତୋଷ ବଢିବାରେ ଲାଗିଛି । ଯେଉଁ ଆଶା ନେଇ ବିଜେପି ସରକାରକୁ ଭୋଟ ଦିଆଯାଇଥିଲା, ତାହା ପୂରଣ ହେଉ ନଥିବା ଅଭିଯୋଗ କରିଛନ୍ତି ଆଶାୟୀ । ସରକାରଙ୍କ ତୃଟିପୂର୍ଣ୍ଣ ପରୀକ୍ଷା ପରିଚାଳନାକୁ ଦାୟୀ କରି ସେମାନେ ଆଉ ପରୀକ୍ଷା ଦେବାକୁ ମନ ବଳାଉ ନାହାନ୍ତି । ଶିକ୍ଷାବିତମାନେ ବି ଏପରି ସ୍ଥିତିରେ ସରକାରୀ ଅପାରଗତାକୁ ଦାୟୀ କରିଛନ୍ତି ।

ସ୍ବଚ୍ଛତା ସହ ପରୀକ୍ଷା କରି ଯୁବକଙ୍କୁ ଚାକିରି ଦେବାର ପ୍ରତିଶୃତି ଦେଇ ସରକାରକୁ ଆସିଛି ବିଜେପି । ହେଲେ ଏ କ୍ଷେତ୍ରରେ ସରକାର ଫେଲ ମାରିଥିବା ବିଜେଡି ଅଭିଯୋଗ କରିଛି । ଏହାକୁ ସରକାର ଓ ପ୍ରଶାସନିକ ଅପରାଗତାର ନାଁ ଦେଇଛି ବିଜେଡି । ପରୀକ୍ଷାକୁ ନେଇ ରାଜନୈତିକ ନିଷ୍ପତ୍ତି ନିଆଯାଉଥିବା ନେଇ କଂଗ୍ରେସ ଯୁକ୍ତି ବାଢିଛି । ସରକାରଙ୍କ ଅଭିଜ୍ଞତା ଅଭାବର ଫାଇଦା ଉଠାଇ ପ୍ରଶାସନିକ ଅଧିକାରୀ ମନଇଚ୍ଛା ନିଷ୍ପତ୍ତି ନେଉଥିବା କଂଗ୍ରେସ ଅଭିଯୋଗ କରିଛି । ସେପଟେ ସରକାର କହିଛନ୍ତି, ଦୋଷୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ହେବ । ଆଗାମୀ ଦିନରେ କିପରି ସ୍ବଚ୍ଛତା ସହ ପରୀକ୍ଷା ହେବ, ସେ ଦିଗରେ କାମ କରାଯିବ ।

ସରକାରୀ ଚାକିରି ପାଇଁ କେବଳ ବୟସ ସୀମା ବଢାଇ ଦେଇଛନ୍ତି ସରକାର । ସେପଟେ ବାରମ୍ବାର ପରୀକ୍ଷା ବାତିଲ ହୋଇଚାଲିଛି । ଏପରି ସ୍ଥିତିରେ ବର୍ଦ୍ଧିତ ବୟସ ବି ପଳେଇବ । ହେଲେ ଆଶାୟୀମାନେ ଆଶଂକାରେ ରହୁଥିବାରୁ, ସରକାରଙ୍କ ଉପରେ ଭରସା ଜୁଟାଇ ପାରୁ ନାହାନ୍ତି ।

ବିରୋଧ ପରେ ସରଳୀକରଣ ହେଲା ଧାନ ପଞ୍ଜିକରଣ ପ୍ରକ୍ରିୟା, ଏଣିକି ଗୋଟିଏ ସେଲ୍ପ ଡିକ୍ଲାରେସନ୍ ଫର୍ମରେ ଦସ୍ତଖତ କରିବେ ଚାଷୀ

ନନ୍ଦିଘୋଷ ବ୍ୟୁରୋ: ଖରିଫ ଧାନ ପଞ୍ଜିକରଣରେ କଠୋର ସ୍ବର୍ତ୍ତ ବିରୋଧରେ ସ୍ବର ଶାଣିତ ହେବା ପରେ ପଞ୍ଜିକରଣ ପ୍ରକ୍ରିୟାକୁ ସରଳୀକରଣ କରିଛନ୍ତି ରାଜ୍ୟ ସରକାର । ଚାଷୀ କେବଳ ଗୋଟିଏ ସେଲ୍ପ ଡିକ୍ଲାରେସନ୍ ଫର୍ମରେ ଦସ୍ତଖତ କରାଇ ପଞ୍ଜିକରଣ କରି ପାରିବେ । ଏନେଇ ସୂଚନା ଦେଇଛନ୍ତି ଯୋଗାଣ ମନ୍ତ୍ରୀ କୃଷଚନ୍ଦ୍ର ପାତ୍ର । ଚାଷୀମାରଣା ନୀତିକୁ ନେଇ ଦୁଇ ବିରୋଧୀ ବିଜେଡି ଓ କଂଗ୍ରେସ ସରକାରଙ୍କୁ ସମାଲୋଚନା କରିଛନ୍ତି । ଅନ୍ୟପଟେ ବହୁସ୍ଥାନରେ ଖରିଫ ଧାନ ସଂଗ୍ରହରେ ବାଧକ ସାଜିଛି ଆଇ ସ୍କାନର ।

ବାପା କିମ୍ବା ଭାଇ ଯାହା ନାଁରେ ରେକର୍ଡ ଥିବ, ତାହା କେବଳ ଲେଖିକି ଦେବେ ଚାଷୀ । ଏଥିପାଇଁ ସ୍ବତନ୍ତ୍ର ଫର୍ମ ମଞ୍ଜୁର କରିଛନ୍ତି ସରକାର । ଯାହାଦ୍ବାରା ଧାନ କିଣା ପଞ୍ଜିକରଣରେ ଚାଷୀ ଅସୁବିଧାର ସମ୍ମୁଖୀନ ହେବେ ନାହିଁ ବୋଲି କହିଛନ୍ତି ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର । ବର୍ତ୍ତମାନ ସୁଦ୍ଧା ୩ ଲକ୍ଷ ୩୮ ହଜାର ୭୩୫ ଜଣ ଚାଷୀ ପଞ୍ଜିକରଣ କରିସାରିଲେଣି । ଗତବର୍ଷ ଏହି ସମୟରେ ୩ ଲକ୍ଷ ୪୮ ହଜାର ଚାଷୀ ପଞ୍ଜିକରଣ କରିଥିଲେ । ଯଦି କୌଣସି ସମସ୍ୟା ଉପୁଜେ ତେବେ ସରକାର ଦେଇଥିବା ଫୋନ୍ ନମ୍ବରରେ ଫୋନ କରିବାକୁ ଚାଷୀଙ୍କୁ ପରାମର୍ଶ ଦେଇଛନ୍ତି ମନ୍ତ୍ରୀ । ଗତବର୍ଷ ୭୩ ଲକ୍ଷ ୪୬ ହଜାର ମେଟ୍ରିକ୍ ଟନ୍ ଧାନ ସଂଗ୍ରହ ହୋଇଥିଲା । ଆଉ ଚଳିତବର୍ଷ ଆଉ ଟିକେ ଅଧିକ ଧାନ ସଂଗ୍ରହ ହେବ । ପଞ୍ଜିକରଣ ପରେ କେତେ ଧାନ ସଂଗ୍ରହ ହେବ ତାହା ସ୍ପଷ୍ଟ ହେବ । ସେହିପରି ଇ-କେୱାଇସିରେ ଧରାପଡ଼ିଲେଣି ଅନେକ ଅଯୋଗ୍ୟ ଚାଷୀ । ଏହାସହ ଚାଷ କାର୍ଯ୍ୟ ବଢ଼ିଥିବାରୁ ଏଥର ଧାନ ଓ ଚାଉଳ ଉତ୍ପାଦନ ବଢିବାର ସମ୍ଭାବନା ରହିଛି ବୋଲି କହିଛନ୍ତି ଯୋଗାଣ ମନ୍ତ୍ରୀ ।

ଏହି ପ୍ରସଙ୍ଗରେ ବିଜେଡି ବିଧାୟକ ସାରଦା ଜେନା କହିଛନ୍ତି, ଖରିଫରେ କିପରି କମ ଚାଷୀ ପଞ୍ଜିକରଣ କରିବେ, ସେନେଇ ବ୍ୟବସ୍ଥା କରିଛନ୍ତି ସରକାର । ଜଟିଳ ପଞ୍ଜିକରଣ ବ୍ୟବସ୍ଥା ଦ୍ବାରା ବହୁ ଚାଷୀ ଏଥର ଧାନ ବିକ୍ରିରୁ ବଞ୍ଚିତ ହେବେ । ଏଫସିଆଇ ଚାଉଳ ନେଉ ନଥିବାରୁ ସରକାର ଏପରି ଚାଷୀମାରଣା ନୀତିକୁ ଆପଣାଇଛନ୍ତି ବୋଲି କହିଛି ବିଜେଡି । ସେହିପରି କଂଗ୍ରେସ ମୁଖପାତ୍ର ନିଶିକାନ୍ତ ମିଶ୍ର ଅଭିଯୋଗ କରିଛନ୍ତି, ନିର୍ବାଚନରେ ଚାଷୀଙ୍କୁ ନାନା ସ୍ବପ୍ନ ଦେଖାଇ କ୍ଷମତାକୁ ଆସିଥିଲା ବିଜେପି । ପ୍ରଥମ ବର୍ଷ ବୋନସ ଟଙ୍କା ମଧ୍ୟ ଦେଲେ । ହେଲେ ଏବେ ଚାଷୀ କିପରି ବୋନସ ପାଇବେନି ସେ ବ୍ୟବସ୍ଥା କରିଛନ୍ତି ସରକାର ।

ପଞ୍ଜିକରଣ ବ୍ୟବସ୍ଥାକୁ ସରଳ କରାଯାଇଥିବା ନେଇ କହୁଛନ୍ତି ଯୋଗାଣ ମନ୍ତ୍ରୀ । ହେଲେ ପଞ୍ଜିକରଣ ବେଳେ ଚାଷୀ ଅସୁବିଧାର ସମ୍ମୁଖୀନ ହେଉଛନ୍ତି ବୋଲି ୩୦ ତାରିଖର ଏହି ଚିଠି ଖୁଲାସା କରିଛି । ଖରିଫ ଧାନ ସଂଗ୍ରହରେ ବାଧକ ସାଜିଛି ଆଇ ସ୍କାନର । ୧୬ ଜିଲ୍ଲାରେ ନାହିଁ ଆବଶ୍ୟକୀୟ ଆଇ ସ୍କାନର ମେସିନ୍ । ଏହି ଜିଲ୍ଲାରେ ଆବଶ୍ୟକ ରହିଛି ୯୭୯ ଆଇ ସ୍କାନର ମେସିନ୍ । ତେଣୁ ପ୍ୟାକ୍ସ ଓ ଲ୍ୟାମ୍ପସକୁ ତୁରନ୍ତ ଏହି ମେସିନ ଯୋଗାଇ ଦେବାକୁ ମୁଖ୍ୟ ଯୋଗାଣ ଅଧିକାରୀଙ୍କୁ ନିର୍ଦ୍ଦେଶ ଦିଆଯାଇଛି ।