ସରକାରଙ୍କ କଡ଼ା ତାଗିଦ ସତ୍ତ୍ବେ ଆଜି ବି କଲମ ଛାଡ ଆନ୍ଦୋଳନରେ ବସିଛନ୍ତି ରାଜସ୍ବ ଅମଲା କର୍ମଚାରୀ। ସରକାର ବାରମ୍ବାର ଆଲୋଚନା ପରେ ଦାବି ଶୁଣୁନାହାନ୍ତି। ଅପରପକ୍ଷରେ ଆନ୍ଦୋଳନକୁ ଦବାଇବା ପାଇଁ ସରକାର ଉଦ୍ୟମ କରୁଥିବା ଅଭିଯୋଗ କରିଛନ୍ତି ଆନ୍ଦୋଳନକାରୀ। ବିଭିନ୍ନ ଦାବି ନେଇ ରାଜସ୍ବ ଅମଲା ସଂଘର 30 ଜିଲ୍ଲାର 10 ହଜାରରୁ ଅଧିକ କର୍ମଚାରୀ ୩ ଦିନ ହେବ ସମୂହ ଛୁଟିରେ ଯାଇଛନ୍ତି। ଗତ ଜୁଲାଇ 7 ତାରିଖରେ ଅମଲା କର୍ମଚାରୀମାନେ କଳାବ୍ଯାଜ୍ ପରିଧାନ କରିଥିଲେ। ପରେ ସରକାରଙ୍କ ସହ ଆଲୋଚନା ପରେ ଦାବି ପୂରଣ ଆଶାରେ ଅଗଷ୍ଟ 10 ତାରିଖ ପର୍ଯ୍ୟନ୍ତ ଆନ୍ଦୋଳନକୁ ସ୍ଥଗିତ ରଖିଥିଲା। ଏହା ଭିତରେ ସରକାର କୌଣସି ପ୍ରତିଶୃତି ପାଳନ ନକରିବାରୁ ସମସ୍ତେ ସମୂହ ଛୁଟିରେ ଯାଇଛନ୍ତି।
ଅଗଷ୍ଟ ୧୫ ଠାରୁ SBI ଗ୍ରାହକଙ୍କ ପାଇଁ ବଦଳିଯିବ ଏହିସବୁ ନିୟମ
ଆସନ୍ତାକାଲି ଅର୍ଥାତ ଅଗଷ୍ଟ ୧୫ ତାରିଖ ଠାରୁ ଏସବିଆଇ ଗ୍ରାହକଙ୍କ ପାଇଁ ଅନେକ ନିୟମ ବଳିବାକୁ ଯାଉଛି । ତେଣୁ ଆପଣ ଯଦି ଜଣେ ଏସବିଆଇ ଗ୍ରାହକ, ତେବେ ଏନେଇ ଆପଣମାନେ ସତର୍କ ହେବା ନିହାତି ଆବଶ୍ୟକ । ବ୍ୟାଙ୍କ ପକ୍ଷରୁ IMPS ମାଧ୍ୟମରେ ଅନଲାଇନ୍ ଟଙ୍କା ପଠାଇବା ନିୟମ ପରିବର୍ତ୍ତନ କରାଯାଇଛି । ଆସନ୍ତାକାଲି ଠାରୁ ଏଥିପାଇଁ ଚାର୍ଜ ନିଆଯିବ । ଏହି ପରିବର୍ତ୍ତନ ରିଟେଲ ଗ୍ରାହକଙ୍କ ପାଇଁ ଲାଗୁ ହେବ । ସେହିପରି କର୍ପୋରେଟ ଗ୍ରାହକଙ୍କ ପାଇଁ ଏହା ସେପ୍ଟେମ୍ବର ୮ରୁ ଲାଗୁ ହେବ । ଏସବିଆଇର ଏହି ନିୟମ ପରିବର୍ତ୍ତନ ଫଳରେ ପାଖାପାଖି ୪୦ କୋଟି ଗ୍ରାହକ ପ୍ରଭାବିତ ହେବେ ।
ସାଧାରଣ ଭାବେ ଫଟାଫର ଅନଲାଇନ ଟଙ୍କା ପଠାଇବା ପାଇଁ IMPSର ବ୍ୟବହାର କରାଯାଇଥାଏ । ମାତ୍ର ଏହି ନିୟମ ପରିବର୍ତ୍ତନ ଫଳରେ ଗ୍ରାହକଙ୍କୁ କିଛି ଚାର୍ଜ ଦେବାକୁ ପଡ଼ିପାରେ । ଛୋଟ ଛୋଟ କାରବାର ପାଇଁ କୌଣସି ଚାର୍ଜ ଲାଗିବ ନାହିଁ । ୨୫ ହଜାର ଟଙ୍କା ପର୍ଯ୍ୟନ୍ତ ଟ୍ରାଞ୍ଜାକସନ ଉପରେ କୌଣସି ଶୁଳ୍କ ଲାଗିବ ନାହିଁ । ଇଣ୍ଟରନେଟ ବ୍ୟାଙ୍କ ବା YONO ଆପରେ ୨୫ ହଜାର ଟଙ୍କା ପର୍ଯ୍ୟନ୍ତ କାରବାର ପାଇଁ କୌଣସି ଚାର୍ଜ ଲାଗିବ ନାହିଁ । ଏହି ରାଶିଠାରୁ ଅଧିକ ଟ୍ରାନ୍ସଫର କଲେ ଶଳ୍କ ଦେବାକୁ ପଡ଼ିବ । ତେବେ ଏହି ଶୁଳ୍କ କେବଳ ଅନଲାଇନ (ଇଣ୍ଟରନେଟ ବ୍ୟାଙ୍କିଂ, ମୋବାଇଲ ବ୍ୟାଙ୍କିଂ) ପାଇଁ କେବଳ ଲାଗୁ ହେବ । ତେବେ ବ୍ରାଞ୍ଚ ଟ୍ରାଞ୍ଜାକସନ ପାଇଁ ଅଲଗା ନିୟମ ରହିଛି ।
ନିଷ୍ପତ୍ତି ପ୍ରତ୍ୟାହାର କଲା ICICI ବ୍ୟାଙ୍କ: ଏବେ ଆକାଉଣ୍ଟରେ ୫୦ ହଜାର ରଖିବା ଜରୁରୀ ନୁହେଁ
ଦେଶର ଦ୍ବିତୀୟ ସର୍ବବୃହତ ପ୍ରାଇଭେଟ ବ୍ୟାଙ୍କ ICICI ବ୍ୟାଙ୍କ ଗ୍ରାହକଙ୍କ ପାଇଁ ଆକାଉଣ୍ଟରେ ସର୍ବନିମ୍ନ ବାଲାନ୍ସ ସୀମା ହ୍ରାସ କରିଛି । ଆକାଉଣ୍ଟରେ ସର୍ବନିମ୍ନ ବାଲାନ୍ସ ୫୦ ହଜାର ରଖିବାକୁ ନିକଟରେ ବ୍ୟାଙ୍କ ପକ୍ଷରୁ ସୂଚନା ଜାରି କରାଯାଇଥିଲା । ମାତ୍ର ଏବେ ବ୍ୟାଙ୍କ ପୂର୍ବ ନିଷ୍ପତ୍ତିକୁ ପ୍ରତ୍ୟାହାର କରିନେଇଛି । ଅର୍ଥାତ ଏବେ ଗ୍ରାହକମାନେ ନିଜ ନିଜର ବ୍ୟାଙ୍କ ଆକାଉଣ୍ଟରେ ୫୦ ହଜାର ଟଙ୍କା ରଖିବା ଜରୁରୀ ନୁହେଁ । ଗ୍ରାମାଞ୍ଚଳ ଲୋକଙ୍କ ପାଇଁ ଏହି ଲିମିଟ୍ ହ୍ରାସ କରାଯାଇ ୨୫୦୦ ଟଙ୍କା କରାଯାଇଛି ।
ସେହିପରି ମେଟ୍ରୋ ଓ ସହରାଞ୍ଚଳର ନୂଆ ସେଭିଙ୍ଗ ଆକାଉଣ୍ଟ ପାଇଁ ସର୍ବନିମ୍ନ ମାସିକ ଆଭରେଜ ବାଲାନ୍ସ (MAB) ୧୫ ହଜାର ଟଙ୍କା କରାଯାଇଛି । ଅଗଷ୍ଟ ପହିଲା ଠାରୁ ଏହା ଲାଗୁ କାର୍ଯ୍ୟକାରୀ ହେବ । ଅର୍ଦ୍ଧ-ସହରୀ କ୍ଷେତ୍ର ପାଇଁ ୨୫ ହଜାର ଟଙ୍କାରୁ ହ୍ରାସ କରାଯାଇ ୭,୫୦୦ ଟଙ୍କା କରାଯାଇଛି । ଗ୍ରାମୀଣ କ୍ଷେତ୍ର ପାଇଁ ୧୦ ହଜାରରୁ ହ୍ରାସ କରାଯାଇ ୨,୫୦୦ କରାଯାଇଛି । ଅଗଷ୍ଟ ପହିଲା ଠାରୁ ନୂଆ ସେଭିଂ ଆକାଉଣ୍ଟ ପାଇଁ MABର ନୂଆ ନିୟମ ବ୍ୟାଙ୍କ ଲାଗୁ କରିଥିଲା । ମାତ୍ର ଗ୍ରାହକଙ୍କ ପକ୍ଷରୁ ପ୍ରତିକ୍ରିୟା ମିଳିବା ପାଇଁ ବ୍ୟାଙ୍କ ପକ୍ଷରୁ ଉକ୍ତ ସର୍ତ୍ତରେ ପରିବର୍ତ୍ତନ କରାଯାଇଛି ।
୨୪ ଘଣ୍ଟା ମଧ୍ୟରେ ପ୍ରବଳ ବର୍ଷା ଆଶଙ୍କା: ଘଣ୍ଟା ପ୍ରତି ୩୦-୪୦ କିମି ବେଗରେ ବହିବ ପବନ
ବଙ୍ଗୋପ ସାଗରରେ ସକ୍ରିୟ ସୃଷ୍ଟ ଲଘୁଚାପ। ୨୪ ଘଣ୍ଟାରେ ଘନୀଭୂତ ହୋଇ ସୁଦୃଶ୍ୟ ଲଘୁଚାପର ରୂପ ନେଇପାରେ। ପ୍ରଭାବରେ ପ୍ରବଳ ବର୍ଷା ସମ୍ଭାବନା ରହିଛି। ଆସନ୍ତାକାଲିଠାରୁ ଅତି ପ୍ରବଳ ବର୍ଷା ଆଶଂକା କରାଯାଉଛୀ । ଘଣ୍ଟା ପ୍ରତି ୩୦ରୁ ୪୦ କିମି ବେଗରେ ବହିବ ପବନ। ଶନିବାରଠାରୁ ପାଗରେ ପରିବର୍ତ୍ତନ ସମ୍ଭାବନା ରହିଛି। ।
ପୁଣି ଅଡୁଆରେ ଅଭିନେତ୍ରୀ ଶିଳ୍ପା ସେଟ୍ଟୀ ଓ ସ୍ବାମୀ ରାଜ କୁନ୍ଦ୍ରା: ୬୦ କୋଟି ଟଙ୍କା ଠକେଇ ଅଭିଯୋଗରେ ମାମଲା ରୁଜୁ
ପୁଣି ଅଡୁଆରେ ଅଭିନେତ୍ରୀ ଶିଳ୍ପା ସେଟ୍ଟୀ ଓ ସ୍ବାମୀ ରାଜ କୁନ୍ଦ୍ରା। ମୁମ୍ବାଇର ଜଣେ ବ୍ୟବସାୟୀଙ୍କଠାରୁ ପ୍ରାୟ ୬୦ କୋଟି ଟଙ୍କା ଠକେଇ ଅଭିଯୋଗରେ ରୁଜୁ ହୋଇଛି ମାମଲା। ବେଷ୍ଟ ଡିଲ୍ ଟିଭି ପ୍ରାଇଭେଟ ଲିମିଟେଡକୁ ନେଇ ହୋଇଥିବା ଡିଲରେ ଏହି ଠକେଇ ଘଟିଥିବା ଅଭିଯୋଗ ହୋଇଛି। ବର୍ତ୍ତମାନ ଏହି ଫାର୍ମ ବନ୍ଦ ହୋଇଯାଇଥିବା ସୂଚନା ମିଳିଛି। ଶିଳ୍ପା ଓ କୁନ୍ଦ୍ରାଙ୍କ ବିରୋଧରେ ୬୦ କୋଟି ଟଙ୍କାର ଅଭିଯୋଗ ଆଣିଛନ୍ତି ବ୍ୟବସାୟୀ ଦୀପକ କୋଠାରି। ୨୦୧୫ରୁ ୨୦୨୩ ମଧ୍ଯରେ ଏହି ଠକେଇ ହୋଇଥିବା ଅଭିଯୋଗ ହୋଇଛି। ଲୋଟସ କ୍ୟାପିଟାଲ ଫାଇନାନସିଆଲ ସର୍ଭିସେସର ନିର୍ଦ୍ଦେଶକ ଅଛନ୍ତି ଦୀପକ। ଶିଳ୍ପା ଓ କୁନ୍ଦ୍ରାଙ୍କୁ ତାଙ୍କ ସହ ପରିଚୟ କରାଇଥିଲେ ରାଜେଶ ଆର୍ଯ୍ୟ ନାମକ ଜଣେ ବ୍ୟକ୍ତି। ସେମାନେ ସେତେବେଳେ ବେଷ୍ଟ ଡିଲ ଟିଭି ପ୍ରାଇଭେଟ ଲିମିଟେଡର ନିର୍ଦ୍ଦେଶକ ଥିଲେ। ଏହା ଥିଲା ଏକ ହୋମ ସପିଙ୍ଗ ଓ ଅନଲାଇନ ରିଟେଲ ପ୍ଲାଟଫର୍ମ। ସେମାନେ କମ୍ପାନୀର ୮୭.୬ ପ୍ରତିଶତ ସେୟାର ରଖିଥିଲେ। ପ୍ରଥମେ ବଲିଉଡ ଦମ୍ପତି୧୨ ପ୍ରତିଶତ ସୁଧହାରରେ ୭୫ କୋଟି ଟଙ୍କାର ଋଣ ଚାହିଁଥିଲେ। ଦମ୍ପତିଙ୍କ ଅନୁରୋଧ ପରେ ଏପ୍ରିଲ ୨୦୧୫ ଦୀପକ ୩୧.୯୫ କୋଟି ଟଙ୍କାର ଋଣ ଦେଇଥିଲେ। ସେପ୍ଟେମ୍ବରରେ ଆଉ ୨୮.୫୩ କୋଟି ଟଙ୍କା ପ୍ରଦାନ କରିଥିଲେ। ଋଣ ମିଳିବା ପରେ କମ୍ପାନୀର ନିର୍ଦ୍ଦେଶିକା ପଦରୁ ଶିଳ୍ପା ଇସ୍ତଫା ଦେଇଥିଲେ। ଏହା ସହ ଦୀପକଙ୍କ ଟଙ୍କା ଫେରାଇ ନଥିଲେ। ପୂର୍ବରୁ ଆଡଲ୍ଟ ଫିଲ୍ମ ଓ ବିଟକଏନ ଠକେଇ ମାମଲାରେ ଛନ୍ଦି ହୋଇଥିଲେ କୁନ୍ଦ୍ରା।
ହୁତୁ ହୁତୁ ହୋଇ ଜଳିଗଲା ଲୁହା ବୋଝେଇ ଟ୍ରକ
ହୁତୁ ହୁତୁ ହୋଇ ଜଳିଗଲା ଲୁହା ବୋଝେଇ ଟ୍ରକ । କେନ୍ଦୁଝରରୁ ଲୁହା ଧରି ପାରାଦୀପ ଯାଉଥିବା ସମୟରେ ଘଟଗାଁ ଥାନା ପୋଇଜାମୁଳା ଛକ ନିକଟରେ ଜଳିଯାଇଛି। ସର୍ଟ ସର୍କିଟ ଯୋଗୁଁ ଉକ୍ତ ଟ୍ରକଟି ଜଳିଯାଇଥିବା ସନ୍ଦେହ କରାଯାଉଛି। ଟ୍ରକଟି ଜଳିଯାଉଥିବା ଦେଖି ସ୍ଥାନୀୟ ଲୋକ ଅଗ୍ନିଶମ ବାହିନୀକୁ ଖବର ଦେଇଥିଲେ । ଖବର ପାଇ ଅଗ୍ନିଶମ କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଛନ୍ତି। ଟ୍ରକ ଚାଳକ ସୁରକ୍ଷିତ ଥିବା ସୂଚନା ମିଳିଛି।
ନାବାଳିକାଙ୍କ ସନ୍ଦେହଜନକ ମୃତ୍ୟୁ ଘଟଣା: ମୃତ ଛାତ୍ରୀଙ୍କ ମା’ ଆଣିଲେ ହତ୍ୟା ଅଭିଯୋଗ
ପୁରୀ ଜିଲ୍ଲା ନିମାପଡ଼ାରେ ନାବାଳିକାଙ୍କ ସନ୍ଦେହଜନକ ମୃତ୍ୟୁ ଘଟଣା। ମୃତ ଛାତ୍ରୀଙ୍କ ମା ଆଣିଲେ ହତ୍ୟା ଅଭିଯୋଗ। ନିମାପଡ଼ା ବିଜ୍ଞାପିତ ଅଞ୍ଚଳ ପରିଷଦ ଅଧୀନ ଅଣ୍ଢିଆ ସାହି ଗ୍ରାମର ଏକ ଭଡ଼ା ଘରୁ ଝୁଲନ୍ତା ଅବସ୍ଥାରେ ମିଳିଥିଲା ୧୦ମ ଶ୍ରେଣୀ ଛାତ୍ରୀଙ୍କ ମୃତ ଦେହ । ଖବର ପାଇବା ପରେ ନିମାପଡ଼ା ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଛାତ୍ରୀଙ୍କ ମୃତଦେହ ଜବତ୍ କରିବା ସହିତ ଅଧିକ ତଦନ୍ତ ଜାରି ରଖିଥିଲା। ସେପଟେ ଆଜି ଘଟଣା ନୂଆମୋଡ ନେଇଛି। ଗତକାଲି ନାବାଳିକାଙ୍କ ବାପା ନିମାପଡ଼ା ଥାନାରେ ଝିଅର ମୃତ୍ୟୁକୁ ନେଇ ଏକ ଅପମୃତ୍ୟୁ ମାମଲା ରୁଜୁ କରିଥିଲେ।ପୋଲିସ ଅଭିଯୋଗ ଅନୁଯାୟୀ ତଦନ୍ତ ଜାରି ରଖିଥିବା ବେଳେ ପୁଣି ଆଜି ନାବାଳିକାଙ୍କ ମା ଝିଅକୁ ହତ୍ୟା କରାଯାଇଥିବା ଅଭିଯୋଗ କରିଛନ୍ତି।
ନାବାଳିକାଙ୍କ ବାପା ଦୁଇଟି ବିବାହ କରିଛନ୍ତି। ପ୍ରଥମ ପତ୍ନୀ କୋଣାର୍କରେ ରହୁଥିବା ବେଳେ ଦ୍ଵିତୀୟ ପତ୍ନୀଙ୍କୁ ପାଖରେ ରଖିଥିଲେ। ନାବାଳିକାଜଣକ ପ୍ରଥମ ପତ୍ନୀଙ୍କ ଝିଅ ହୋଇଥିବା ବେଳେ ଝିଅକୁ ହତ୍ୟା କରି ଟାଙ୍ଗୀ ଦେଇଥିବା ଅଭିଯୋଗ କରିଛନ୍ତି ମା। ଝିଅର ମୃତ୍ୟୁ ଖବର ତାଙ୍କ ମାଙ୍କୁ ବାପା କିମ୍ବା ପରିବାର ଲୋକ ଜଣାଇ ନଥିବା ବେଳେ ଝିଅକୁ ମାନସିକ ନିର୍ଯ୍ୟାତନା ଦିଆ ଯାଇ ହତ୍ୟା କରାଯାଇଥିବା ଅଭିଯୋଗ କରିଛନ୍ତି ମା। ବିଭିନ୍ନ ସମୟରେ ସାବତ ମାଆ ଝିଅକୁ ଜୀବନରୁ ମାରିଦେବା ପାଇଁ ଧମକ ଚମକ ଦେଇ ଆସୁଥିବା କଥା ମଧ୍ୟ ଅଭିଯୋଗ କରିଛନ୍ତି ମା। ଘଟଣାର ତଦନ୍ତ ଲାଗି ଦାବି କରିଛନ୍ତି ନାବାଳିକାଙ୍କ ମା।
ଓଡ଼ିଶାରୁ ୨ ଜଣଙ୍କୁ ମିଳିବ ରାଷ୍ଟ୍ରପତି ପଦକ
ଦେଶର ୧୦୯୦ ଜଣଙ୍କୁ ମିଳିବ ରାଷ୍ଟ୍ରପତି ପଦକ। ଉଲ୍ଲେଖନୀୟ ସେବା ଲାଗି ୭୫୮ ଜଣଙ୍କୁ ମିଳିବ ପୁରସ୍କାର। ଓଡ଼ିଶାରୁ ୨ ଜଣଙ୍କୁ ମିଳିବ ରାଷ୍ଟ୍ରପତି ପଦକ। ଏଏସପି ରବୀନ୍ଦ୍ର ପଣ୍ଡା ଓ କମାଣ୍ଡାଣ୍ଟ ନରେଶ ପଟେଲଙ୍କୁ ମିଳିବ ରାଷ୍ଟ୍ରପତି ପଦକ। ଓଡ଼ିଶାର ୯ ଜଣଙ୍କୁ ମିଳିବ ସାହସିକତା ପୁରସ୍କାର। ଉଲ୍ଲେଖନୀୟ ସେବା ଲାଗି ଓଡ଼ିଶାର ୧୧ ଜଣଙ୍କୁ ମିଳିବ ପଦକ। ଯେଉଁ ୧୧ ଜଣଙ୍କୁ ଉଲ୍ଲେଖନୀୟ ସେବା ଲାଗି ପଦକ ପାଇବେ ସେମାନେ ହେଲେ ସହକାରୀ ଆଇଜି ମହେଶ୍ବର ସେଠୀ, ଅତିରିକ୍ତ ଏଏସପି ପ୍ରଦୀପ କୁମାର ପ୍ରଧାନ, ଏଏସପି ଦେବେନ୍ଦ୍ର ନାରାୟଣ ଦାସ, ଡିଏସପି ଆଶିଷ କୁମାର ରାଉତ, ଇନସ୍ପପେକ୍ଟର ଏ. ଶ୍ରୀନିବାସ ଦୋରା, ଡିଏସପି ହେମାମାଳିନୀ ନାୟକ, କମାଣ୍ଡାଣ୍ଟ ସୂର୍ଯ୍ୟ ନାରାୟଣ ମଲ୍କିକ, ଇନ୍ସପେକ୍ଟର ସନ୍ତୋଷ କୁମାର ମିର୍ଦ୍ଧା, ଏଏସଆଇ ଅରୁଣ କୁମାର ସାମନ୍ତ, ଏଏସଆଇ ଅରବିନ୍ଦ ଦାସ, କନଷ୍ଟେବଳ ଚିନ୍ମୟୀ ରାଉତ।
ସାପ କାମୁଡ଼ାରେ ଚାରି ଜଣଙ୍କ ମୃତ୍ୟୁ
ସାପ କାମୁଡ଼ାରେ ଚାଲିଗଲା ମା ଓ ପୁଅର ଜୀବନ । କେନ୍ଦୁଝର ଘସିପୁ୍ରା ବ୍ଲକ ରାଧିକାଦେଇପୁର ଗାଁରେ ଅଘଟଣ । ରାତିରେ ଖାଇ ସାର ଘରେ ଶୋଇଥିଲେ ବାପା, ମା ଓ ୯ ବର୍ଷର ପୁଅ । ହଠାତ ଘର ଭିତରକୁ ପଶି ଆସିଥିଲା ବିଷାକ୍ତ ସାପ । ଆଉ ସାପ କାମୁଡ଼ାରେ ଏକାବେଳକେ ଚାଲିଗଲା ମା ଓ ପୁଅର ଜୀବନ ।
ବର୍ତ୍ତିଗଲେ ବାପା । ମୃତକ ହେଲେ ସୁନୀଲ ମୁଣ୍ଡାଙ୍କ ପତ୍ନୀ ଜେମା ମୁଣ୍ଡା ଓ ପୁଅ ଗୋପାଳ । ରାତିରେ ପେଟରେ ଯନ୍ତ୍ରଣା ଓ ବାନ୍ତି ହେବାରୁ ସୁନୀଲ ସେମାନଙ୍କୁ ପ୍ରଥମେ କେଶଦୁରାପାଳ ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ର ଓ ପରେ ଆନନ୍ଦପୁର ଉପଖଣ୍ଡ ଚିକିତ୍ସାଳୟକୁ ଆଣିଥିଲେ। ଉଭୟ ମା ଓ ପୁଅଙ୍କୁ ମେଡିକାଲରେ ମୃତ ଘୋଷଣା କରିଛନ୍ତି ଡାକ୍ତର। ପୋଲିସ ପହଁଞ୍ଚି ମୃତଦେହ ବ୍ୟବଚ୍ଛେଦ ପାଇଁ ପଠାଇଛି।
ସେହିପରି ଗଞ୍ଜାମ ଦିଗପହଣ୍ଡିରେ ସାପ କାମୁଡାରେ ମାଇଁ, ଭାଣିଜୀ ମୃତ। ପାତ୍ରପୁର ବ୍ଲକ ବୁରାତାଲ ପଂଚାୟତ ପାହାଡ଼ ଉପରେ ଥିବା ବିଲୁ ଗାଁରେ ଘଟିଛି ଅଭାବନୀୟ ଘଟଣା। ଘରେ ଶୋଇଥିବା ଅବସ୍ଥାରେ ସେମାନଙ୍କୁ ସାପ କାମୁଡିଥିଲା। ତେବେ ସେମାନଙ୍କୁ ମେଡିକାଲକୁ ନେବା ପୂର୍ବରୁ ମୃତ୍ୟୁ ଘଟିଥିଲା। ଶବ ବ୍ୟବଚ୍ଛେଦ ପାଇଁ ବ୍ରହ୍ମପୁରକୁ ପଠାଯାଇଛି। ମୃତକ ମାଇଁ ହେଲେ ଦମୟନ୍ତୀ ଶବର ଓ ଭାଣିଜୀ ଲିମି କାର୍ଜି।
ରିଲିଜ ହେଲା ସୁପରଷ୍ଟାର ରଜନୀକାନ୍ତଙ୍କ ମୋଷ୍ଟ ଆଓ୍ବେଟେଡ ଫ୍ଲିଲ୍ମ `କୁଲି’
ରିଲିଜ ହେଲା ମୋଷ୍ଟ ଆଓ୍ବେଟେଡ ଫ୍ଲିଲ୍ମ `କୁଲି । ସୁପରଷ୍ଟାର ରଜନୀକାନ୍ତଙ୍କ ଦମଦାର ଆକ୍ସନରେ ଫିଦା ଫ୍ୟାନ୍ସ ।ମଲ୍ଟି ଷ୍ଟାରର ଫିଲ୍ମ ଦେଖିବାକୁ ଫ୍ୟାନ୍ସଙ୍କ ମଧ୍ୟରେ ପ୍ରବଳ ଉତ୍ସାହ ଦେଖିବାକୁ ମିଳିଛି। ଫିଲ୍ମ ପୋଷ୍ଟରରେ କ୍ଷୀର ଢାଳିଛନ୍ତି ପ୍ରଶଂସକ। ଆଡଭାନ୍ସ ବୁକିଂରେ ରେକର୍ଡ ୧୦୦ କୋଟି ଆୟ କରିଛି କୁଲି । ଯାହାକି ଭାରତୀୟ ସିନେମା ଇତିହାସରେ ପ୍ରଥମ। ଲୋକେଶ କନଗରାଜ ନିର୍ଦ୍ଦେଶିତ ଫିଲ୍ମରେ ବ୍ୟୟ ହୋଇଛି ୪୦୦ କୋଟି ଟଙ୍କା । ବିଭିନ୍ନ ଭାଷାରେ ଫିଲ୍ମଟି ରିଲିଜ ହୋଇଛି। ନାଗାର୍ଜୁନ, ସୃତି ହାସନ, ଅମିର ଖାନ, ଉପେନ୍ଦ୍ର, ସୌବିନ ସାହିର ଓ ସତ୍ୟରାଜ ଫିଲ୍ମରେ ନଜର ଆସିଛନ୍ତି। ଏହା ସହିତ ତାମିଲ ସିନେମାରେ ୫୦ ବର୍ଷ ପୂରଣ କରିଛନ୍ତି ରଜନୀକାନ୍ତ। ୪୦୦ କୋଟି ଟଙ୍କାର ବଜେଟରେ ନିର୍ମିତ ଫିଲ୍ମ ଆଜି ସାରା ବିଶ୍ବରେ ବି ରିଲିଜ ହୋଇଛି। ତାମିଲରେ ନିର୍ମିତ ଏହି ଫିଲ୍ମର ଅବଧି ରହିଛି ୧୭୦ ମିନଟ। ସନ୍ ପିକ୍ଚର୍ସ ବ୍ୟାନରରେ ନିର୍ମିତ ଫିଲ୍ମର ପ୍ରଯୋଜନା କରିଛନ୍ତି କଳାନିଥି ମରାନ। ଏହି ଫିଲ୍ମ ହେଉଛି ରଜନୀକାନ୍ତଙ୍କ ୧୭୧ତମ ଫିଲ୍ମ। ଏହାର ଟାଇଟଲ ଘୋଷଣା ହୋଇଥିଲା ଏପ୍ରିଲ ୨୦୨୪ରେ। ଚେନ୍ନାଇ, ହାଇଦ୍ରାବାଦ, ବିଶାଖପାଟଣା, ଜୟପୁର, ବ୍ୟାଙ୍ଗକରେ ଫିଲ୍ମର ଶୁଟିଂ ହୋଇଛି।

