spot_img
Home Blog Page 5766

ଆଦିବୀ ଶେଷଙ୍କ ‘ମେଜର’କୁ ଧମାକାଦାର ଟିଜର କହିଲେ ସଲମାନ ଖାନ୍‌‌

ନୂଆଦିଲ୍ଲୀ:    ରିଲିଜ୍‌ହୋଇ ସାରିଛି ଶଶି କିରଣ ଟିକାଙ୍କ ଫିଲ୍ମ ମେଜରର ଟିଜର । ଏହି ଫିଲ୍ମରେ ଆଦିବି ଶେଷ୍‌ଏବଂ ସଇ ମାଞ୍ଜରେକର ମୁଖ୍ୟ ଭୂମିକାରେ ନଜର ଆସିଛନ୍ତି । ଫିଲ୍ମର ଟିଜର ଖୁବ୍‌ଆକର୍ଷଣୀୟ ହୋଇଛି । ଫିଲ୍ମର ଟିଜର ଜାରି କରିଛନ୍ତି ସାଉଥ୍‌ସୁପରଷ୍ଟାର ମହେଶ୍‌ବାବୁ । ସେ ତାଙ୍କ ଟ୍ୱିଟରରେ ଫିଲ୍ମର ଟିଜର ଜାରି କରି ଲେଖିଛନ୍ତି, ଭାରତୀୟ ହିରୋଙ୍କୁ ସମ୍ମାନିତ କରିବାର ସୁଯୋଗ ମିଳିଛି । ଏହା ଏକ ଜୁରୁରୀ ଯାତ୍ରାର ଆରମ୍ଭ ।

 

ସୂଚନାଯୋଗ୍ୟ ମେଜର ଫିଲ୍ମରେ ଆଦିବୀ ଶେଷ୍‌୨୬/୧୧ରେ ଶହୀଦ ମେଜର ଅତ୍ରିକୃଷ୍ଣାନ୍‌ଙ୍କ ଚରିତ୍ରରେ ନଜର ଆସିବେ । ଟିଜରରେ ଆଦିବୀଙ୍କ ଅଭିନୟ ଖୁବ୍‌ଜୀବନ୍ତ ମନେ ହେଉଛି । ଫିଲ୍ମରେ ପ୍ରକାଶ ରାଜ୍‌, ରେବତୀ, ମୁରଲୀ ଶର୍ମା ଆଦି ମୁଖ୍ୟ ଚରିତ୍ରରେ ନଜର ଆସିବେ । ସଲମାନ ଖାନ୍‌ଏବଂ ପୃଥ୍ୱୀରାଜ୍‌ସୁକୁମାରନ ଫିଲ୍ମର ହିନ୍ଦୀ ଏବଂ ମଲୟାଲାମ ଟିଜର ଲଞ୍ଚ୍‌କରିଛନ୍ତି । ତେବେ ଫିଲ୍ମର ଟିଜରକୁ ବେଶ୍‌ଭଲ ରେସପନ୍ସ ମିଳୁଛି ।

ଆଦିବୀ ଶେଷଙ୍କ ଏହି ଫିଲ୍ମ କେବଳ ତେଲୁଗୁ ଭାଷାରେ ନୁହେଁ ବରଂ ହିନ୍ଦୀ, ଓ ମଲୟାଲାମ ଭାଷାରେ ମଧ୍ୟ ରିଲିଜ୍‌ହେବ । ଫିଲ୍ମର ପ୍ରଯୋଜକ ହେଉଛନ୍ତି ମହେଶ ବାବୁ ଏବଂ A+S ମୁଭିଜ୍‌। ୨ ଜାରିଖରେ ଫିଲ୍ମ ବଡ଼ ପରଦାରେ ରିଲିଜ ହେବ ।

ଭୁବନେଶ୍ୱରରେ ୨ ସଫେଇ କର୍ମୀଙ୍କ ମୃତ୍ୟୁ ଘଟଣା, ୧୦ ଲକ୍ଷ କ୍ଷତିପୂରଣ ନିର୍ଦ୍ଦେଶ ଦେଲେ NHRC

ଭୁବନେଶ୍ୱର: ଭୁବନେଶ୍ୱରରେ ମଇଳା ଟାଙ୍କି ସଫା କରିବା ସମୟରେ ଦୁଇଜଣଙ୍କ ମୃତ୍ୟୁ ହେବା ଘଟଣାରେ ଜାତୀୟ ମାନବ ଅଧିକାର କମିଶନ (ଏନଏଚଆରସି) ମୁଖ୍ୟ ଶାସନ ସଚିବ ଓ ପୋଲିସ୍ ଡିଜିଙ୍କୁ ନୋଟିସ୍ ଜାରି କରିଛନ୍ତି। ମୃତକଙ୍କ ପରିବାରକୁ ୧୦ ଲକ୍ଷ ଟଙ୍କା କ୍ଷତିପୂରଣ ଦେବାକୁ ସେ ନିର୍ଦ୍ଦେଶ କରିଛନ୍ତି । ଏଥିସହିତ ଦୋଷୀ ଅଫିସରଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେବାକୁ ବି ନିର୍ଦ୍ଦେଶ ଦେଇଛନ୍ତି ।

ଦୋଷୀ ଅଫିସରଙ୍କ ବିରୋଧରେ କି କାର୍ଯ୍ୟାନୁଷ୍ଠାନ ନିଆଯାଇଛି, ସେ ସମ୍ପର୍କରେ ଛଅ ସପ୍ତାହ ମଧ୍ୟରେ ରିପୋର୍ଟ ପ୍ରଦାନ ଲାଗି ଜାତୀୟ ମାନବ ଅଧିକାର କମିଶନ ମୁଖ୍ୟ ଶାସନ ସଚିବଙ୍କୁ ନିର୍ଦ୍ଦେଶ ଦେଇଛନ୍ତି  । ମାନବିକ ଅଧିକାର କର୍ମୀ ଶ୍ରୀ ଅଖଣ୍ଡ ଏକ ପିଟିସନ ଜରିଆରେ ଅଭିଯୋଗ କରିଥିଲେ ଯେ ଗତ ମାର୍ଚ୍ଚ ୧୯ରେ ବ୍ରହ୍ମେଶ୍ୱର ବାଗ୍ ଅଂଚଳରେ ଟାଙ୍କି ସଫା କରିବା ସମୟରେ ସୁନାରାମ ସଦର (୫୫) ଓ ସିଲୁପ ବିରୁଆଙ୍କର ମୃତ୍ୟୁ ଘଟିଥିଲା ।

ଓଡିଶା ଜଳ ଯୋଗାଣ ଓ ସ୍ୱେରେଜ୍ ବୋର୍ଡ ଦ୍ୱାରା ନିଯୁକ୍ତ ଏକ ଠିକାଦାର ସଂସ୍ଥା ଦ୍ୱାରା ସେମାନେ ନିଯୁକ୍ତ ହୋଇଥିଲେ। କାମ କରିବା ସମୟରେ ସେମାନେ ଅକ୍ସିଜେନ୍ ମାସ୍କ ପିନ୍ଧିନଥିଲେ କିମ୍ବା ଅନ୍ୟ ସୁରକ୍ଷା ସାରଜାଂମ ନଥିଲା। ଏହି ଘଟଣାରେ ମାନୁଆଲ୍ ସ୍କାଭେଂଜର ନିଯୁକ୍ତି ନିଷେଧ ଓ ଥଇଥାନ ଆଇନ, ୨୦୧୩ର ଧାରା ୭,୯ ଓ ୨୨ ଅନୁସାରେ ଏଫଆଇଆର୍ ହୋଇଛି କି ନାହିଁ ତାହା ଜଣାଇବା ସହ ଏହି ମାମଲାରେ କି ପଦକ୍ଷେପ ନିଆଯାଇଛି, ତାହା ଜଣାଇବାକୁ କମିଶନ ପୁଲିସ୍ ଡିଜିଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ।

ପିପିଲିରେ ନବୀନଙ୍କ ଭର୍ଚୁଆଲ ପ୍ରଚାର, କହିଲେ ମୁଁ ନେବି ବିକାଶ ଦାୟିତ୍ବ

ଭୁବନେଶ୍ୱର: ପିପିଲିରେ ଶଙ୍ଖ ଫୁଙ୍କିଲେ ବିଜେଡ଼ି ସୁପ୍ରିମୋ । ଭର୍ଚୁଆଲ ଯୋଗେ କ୍ୟାମ୍ପନିଂକୁ ଓହ୍ଲାଇଛନ୍ତି ଷ୍ଟାର କ୍ୟାମ୍ପନର ନବୀନ ପଟ୍ଟନାୟକ । ପିପିଲି ବିଜେଡ଼ି ପ୍ରାର୍ଥୀ ରୁଦ୍ର ମହାରଥିଙ୍କ ପାଇଁ ଉପସ୍ଥିତ ଭୋଟରଙ୍କୁ ଭୋଟ ଦେବାକୁ ଆହ୍ୱାନ ଦେଇଛନ୍ତି ନବୀନ । ୬ଟି ଜିଲ୍ଲା ପରିଷଦ ଜୋନବାସୀଙ୍କୁ ସମ୍ବୋଧନ କରି ସୁପ୍ରିମୋ କହିଛନ୍ତି ଏହି ପବିତ୍ର ଐତିହ୍ୟ ସମ୍ପୂର୍ଣ୍ଣ ମାଟିକୁ ମୋର ପ୍ରଣାମ । ପିପିଲିର ସମସ୍ତ ଭାଇ-ଭଉଣୀଙ୍କୁ ନମସ୍କାର ଜଣାଇବା ସହ ପିପିଲି ଚାନ୍ଦୁଆକୁ ନେଇ ଗର୍ବିତ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ ।

ମୁଖ୍ୟମନ୍ତ୍ରୀ କହିଛନ୍ତି ମୋ ପ୍ରତି ଆପଣମାନଙ୍କ ଭଲ ପାଇବା ରହିଛି, ମୁଁ ପିପିଲି ଯିବାକୁ ଆଗ୍ରହୀ କିନ୍ତୁ କୋଭିଡର କଟକଣା ବାଧକ ସାଜିଛି । ଯେଉଁଥିପାଇଁ ମୁଁ ଆଜି ଭର୍ଚୁଆଲ ଯୋଗେ ଆପଣମାନଙ୍କୁ ଭେଟୁଛି  । ସେହିପରି ସମ୍ବୋଧନ କରିବା ଅବସରରେ ମୁଖ୍ୟମନ୍ତ୍ରୀ କହିଛନ୍ତି ପିପିଲି-ଡେଲାଙ୍ଗର ବିକାଶ ଆଗକୁ ଆହୁରି ଆଗେଇବ । ଏହାର ବିକାଶ ଦାୟିତ୍ବ ନିଜେ ନେବାକୁ ମଧ୍ୟ ଘୋଷଣା କରିଛନ୍ତି ସୁପ୍ରିମୋ ।

ପିପିଲି-ଡେଲାଙ୍ଗରେ ଅନେକ ବିକାଶ ହୋଇଛି, ଆଗକୁ ମଧ୍ୟ ଏହି ପ୍ରକ୍ରିୟା ତ୍ବରିତ ହେବ । ଏଥିପାଇଁ ସ୍ବର୍ଗତ ମହାରଥିଙ୍କ ଅବଦାନ ଅତୁଳନୀୟ । ପୁନର୍ବାର ଏହି କାର୍ଯ୍ୟକୁ ଆଗେଇ ନେବା ପାଇଁ ବିଜେଡ଼ି ସମର୍ଥିତ ପ୍ରାର୍ଥୀ ରୁଦ୍ର ମହାରଥିଙ୍କୁ ବୋଟ ଦେବା ପାଇଁ ନିବେଦନ କରିଛନ୍ତି ମୁଖ୍ୟମନ୍ତ୍ରୀ । ସେହିପରି ମୁଖ୍ୟମନ୍ତ୍ରୀ କହିଛନ୍ତି କୋଭିଡ ସ୍ଥିତି ହଟିବା ପରେ ମୁଁ ନିଶ୍ଚିତ ପିପିଲି ଯାଇ ଆପଣମାନଙ୍କୁ ଭେଟିବି ।

OLXରେ MBA ଠକ, ଫେକ୍ ଗାଡି ସୋ ରୁମ୍ କରି ଲୁଟୁଥିଲା ଆଡଭାନ୍ସ

ଭୁବନେଶ୍ୱର: ଓଏଲଏକ୍ସରେ ସେକେଣ୍ଡ ହ୍ୟାଣ୍ଡ ଗାଡି ଦେବାକୁ କହି କୋଟି କୋଟି ଟଙ୍କା ହଡପ କରୁଥିଲା । କୋଲକାତାରୁ ଗିରଫ ହେବାପରେ ଏବେ ଠକାମୀର ଗୁମର ଖୋଲିଛି ମୋଷ୍ଟ ୱାଣ୍ଟେଡ ଠକ ତୃପି ରଞ୍ଜନ ଦାସ । ଗୋଟିଏ ଗାଡିକୁ ନେଇ ଅନେକ ଲୋକଙ୍କୁ ଅନଲାଇନ ଜରିଆରେ ମୋହରା ସଜାଉଥିଲା ଏହି ହାଇପ୍ରୋଫାଇଲ ଠକ । ସେହିପରି ଫେକ୍ ଗାଡି ସୋ ରୁମ୍ କରି ଲୋକଙ୍କ ଠାରୁ ଆଡଭାନ୍ସ ନେଉଥିବା ଭଳି ମଧ୍ୟ ସାଙ୍ଘାତିକ ଅଭିଯୋଗ ହୋଇଛି ।

ସେପଟେ ଗାଡି ବିକିବାକୁ ଚାହୁଁଥିବା ମାଲିକଙ୍କ ଠାରୁ ଗାଡ଼ି ଆଣିବା ସହ କିଛି ଟଙ୍କା ମଧ୍ୟ ଆଣିଥାଏ ଏହି ଅଭିଯୁକ୍ତ । ଗାଡି କିଣିବାକୁ ଚାହୁଁଥିବା ଲୋକଙ୍କୁ ଫଟୋ ପଠାଇ ବିଶ୍ବାସ ଜନ୍ମେଇବା ପାଇଁ ଆଡଭାନ୍ସ ସହିତ ଏଗ୍ରିମେଣ୍ଟ କରେ ଅଭିଯୁକ୍ତ । ଗାଡିର ଓନରସିପ୍ ପାଇଁ ସମୟ ଲାଗିବ କହି ଲୋକଙ୍କୁ ଧରା ଛୁଆଁ ଦିଏନି । ଲୋକେ ଗାଡି ପାଇବାରେ ବିଳମ୍ବ ହେଲେ ଟଙ୍କା ମାଗିଲେ ଧମକ ଦେବା ଭଳି ଅଭିଯୋଗ ମଧ୍ୟ ରହିଛି ।

ଚତୁରତାର ସହିତ ଠକୁଥିବା ଏହି ଯୁବକ ଜଣଙ୍କ ଭୁବନେଶ୍ବରରେ ଧରାପଡିବା ଭୟରେ ଉପାନ୍ତ ଅଞ୍ଚଳରେ କରୁଥିଲା ଅପରେସନ । ବଡଗଡ ଥାନାରେ ଏତଲା ପରେ ପୋଲିସ ଆରମ୍ଭ କରିଥିଲା ଅପରେସନ ତୃପ୍ତି । ମୋବାଇଲ ଟ୍ରାକ କରି ଠକ ମାଷ୍ଟରକୁ କୋଲକାତାରୁ ଗରିଫ କରିଥିଲା ପୋଲିସ । ସୋରୁମରୁ ୧୦ଟି ଗାଡି ଜବତ କରିବା ସହ ବେଆଇନ ଆର୍ଥିକ କାରବାରକୁ ଖୋଳତାଡ କରିବାକୁ ପ୍ରୟାସ ଆରମ୍ଭ କରିଛି ପୋଲିସ ।

‘ଅଭ୍ୟାସଗତ ଅସତ୍ୟ କହେ ବିଜେପି, ପରାଜୟ ପାଇଁ ଦଳ ବିବ୍ରତ ଓ ହତାଶ’

ଭୁବନେଶ୍ୱର: ନିର୍ବାଚନ ସମୟ ଯେତିକି ନିକଟତର ହେଉଛି, ରାଜନୈତିକ ପାରଦ ସେତିକି ବଢିବାରେ ଲାଗିଛି । ଆରୋପ ପ୍ରତ୍ୟାରୋପ ମଧ୍ୟ ପଛରେ ପଡିନି । ପିପିଲି ରାଜନୀତିରେ ହିଂସା ମଧ୍ୟ ମୁଣ୍ଡ ଟେକିବାରେ ଲାଗିଛି । ବିଜେପି ରାଷ୍ଟ୍ରୀୟ ମୁଖପାତ୍ର ସମ୍ବିତ ପାତ୍ରଙ୍କ ଅଭିଯୋଗ ନେଇ ପ୍ରତିକ୍ରିୟା ରଖିଛି ବିଜେଡ଼ି । ଦଳର ମୁଖପାତ୍ର ଶ୍ରୀମୟୀ ମିଶ୍ର ପ୍ରତିକ୍ରିୟା ଦେଇ କହିଛନ୍ତି, ପିପିଲି ଉପନିର୍ବାଚନରେ ବିଜେପି ନିଜର ଶୋଚନୀୟ ପରାଜୟ ହେଉଥିବା ଦେଖି ବିବ୍ରତ ଓ ହତାଶ ହୋଇ ପଡିଛି । ଅଭ୍ୟାସଗତ ଭାବରେ ମିଥ୍ୟା ଅଭିଯୋଗ କରିବା ସହ ପ୍ରତିଦିନ ସାମ୍ବାଦିକ ସମିଳନୀ କରି ଓ ନିର୍ବାଚନ କମିଶନକୁ ଯାଇ ନିଜର ପରାଜୟ ପାଇଁ ବାହାନା ଖୋଜୁଛି ଓ ଦର୍ଶାଉଛି ।

ବିଜେପି ପ୍ରତିଦିନ ଏହି ପ୍ରକାର ଭାବରେ ନାଟକ ଓ ଡ୍ରାମାବାଜି କରି ଅଭ୍ୟାସଗତ ଭାବରେ ଅସତ୍ୟ ଓ ମିଥ୍ୟା ବକ୍ତବ୍ୟ ଦ୍ବାରା ଅପପ୍ରଚାରରେ ମାତିଥିବା କହିଛନ୍ତି ଶ୍ରୀମୟୀ ମିଶ୍ର । ସେହିପରି ସେ କହିଛନ୍ତି, ବିଜେପି କର୍ମୀଙ୍କ ପାଖରୁ ପଚାଶ ଲକ୍ଷ ଟଙ୍କା ଧରାପଡ଼ିବା, ବିଜେପି କର୍ମୀଙ୍କ ଦ୍ବାରା ମନ୍ତ୍ରୀ ସୁଶାନ୍ତ ସିଂହକୁ ଆକ୍ରମଣ କରିବା , ବିଜେଡି କର୍ମୀଙ୍କୁ ଆକ୍ରମଣ କରିବା ଓ ତାଙ୍କ ପରିବାର ବର୍ଗଙ୍କ ସହ ଅଶାଳୀନ ଆଚରଣ କରିବା ପରେ ମଧ୍ୟ ବିଜେପିର ମୁହଁକୁ ଲଜ୍ୟା ନାହିଁ ବୋଲି କହିଛନ୍ତି ।

ସେହିପରି ଶ୍ରୀମୟୀ କହିଛନ୍ତି, ୨୦୧୪ ଏବଂ ୨୦୧୯ ମସିହାରେ ଓଡ଼ିଶା ନିର୍ବାଚନରେ ମଧ୍ୟ ବିଜେପି ସମାନ ଭାବରେ ଅଭିଯୋଗ ଆଣିଥାଏ । ନିର୍ବାଚନ ହାରିବା ଭୟ ଯୋଗୁଁ ଏହି ପ୍ରକାର ଭାବେ ବିଜେପି ଅଭ୍ୟାସଗତ ଅଭିଯୋଗ କରିଆସିଛି । ଏହା ନୂଆ ଘଟଣା ନୁହେଁ ବଂର ବିଜେପିର ଏହା ଚିରାଚରିତ ପ୍ରଥା ବୋଲି ପାଲଟା ଅଭିଯୋଗ ବାଢିଛନ୍ତି ବିଜେଡ଼ି ମୁଖପାତ୍ର ଶ୍ରୀମୟୀ ମିଶ୍ର ।

ପିପିଲି ବିଜେପି ପ୍ରାର୍ଥୀଙ୍କ ବିରୋଧରେ ସାଙ୍ଘାତିକ ଅଭିଯୋଗ, ଜଗନ୍ନାଥଙ୍କ ଜମି ଶାଗମାଛ ଦରରେ ବିକିଛନ୍ତି ପତ୍ନୀ

ଭୁବନେଶ୍ୱର: ଧର୍ମକୁ ନେଇ ରାଜନୀତି, ପୁଣି ଧର୍ମକୁ ଠୋକର । ଭୋଟ ରାଜନୀତିରେ ଧର୍ମକୁ ମୁଦ୍ଧା କରି ସର୍ବଦା ରଣାଙ୍ଗନକୁ ଓହ୍ଲାଇଥାଏ ବିଜେପି । ଆଉ ଏହି ଭୋଟକୁ ବାଲାଟ ବକ୍ସ ପର୍ଯ୍ୟନ୍ତ ଭିଡିନେଉଥିବା ଦଳ ନାଁରେ ହିଁ ଆସିଛି ସାଙ୍ଘାତିକ ଅଭିଯୋଗ । ଓଡିଆର ଅସ୍ମିତା, ପ୍ରତି ପରିବାରର ଆରାଧ୍ୟଦେବତା ମହାପ୍ରଭୁ ଜଗନ୍ନାଥଙ୍କ ଜମିକୁ ନେଇ ଖେଳ ଖେଳିଥିବା ନେଇ ହୋଇଛି ଅଭିଯୋଗ । ଆଉ ଏହି ଅଭିଯୋଗ ଆସିଛି ପିପିଲି ବିଜେପି ପ୍ରାର୍ଥୀ ଆଶ୍ରିତ ପଟ୍ଟନାୟକଙ୍କ ପତ୍ନୀଙ୍କ ନାଁ ରେ ।

ଯେଉଁ ଜଗନ୍ନାଥଙ୍କୁ ନେଇ ପୁରୀରେ ରାଜନୀତି କରୁଛି ବିଜେପି, ସେହି ମହାପ୍ରଭୁଙ୍କ ଜମିକୁ ଶାଗମାଛ ଦରରେ ଧନୀ ଓ ପ୍ରଭାବଶାଳୀ ବ୍ୟକ୍ତିଙ୍କୁ ବିକ୍ରି କରାଯିବା ଘଟଣାରେ ସଂଶ୍ଲିଷ୍ଟ ବିଜେପି ପ୍ରାର୍ଥୀଙ୍କ ପତ୍ନୀ ଡକ୍ଟର ସ୍ମିତା ମହାନ୍ତି । ଏହି ଅଭିଯୋଗ ଆଣିଛି କଂଗ୍ରେସର ଓବିସି ସେଲ । ସ୍ମିତା ୨୦୧୨ ମସିହାରେ ଯେତେବେଳେ ପୁରୀ ଜିଲ୍ଲା ସବ୍ ରେଜିଷ୍ଟ୍ରାର ଥିଲେ, ସେହି ସମୟରେ ଜଗନ୍ନାଥଙ୍କ ସମ୍ପତ୍ତି ଶାଗ ମାଛ ଦରରେ ବିକ୍ରି ହୋଇଥିବା ଅଭିଯୋଗ ଆଣିଛନ୍ତି କେନ୍ଦ୍ରାପଡ଼ା ଜିଲ୍ଲା କଂଗ୍ରେସ ଓବିସି ସେଲ ସଭାପତି ବିଧୁଭୂଷଣ ମହାପାତ୍ର ।

ସୂଚନା ମୁତାବକ ୨୦୧୨ ମସିହା ଜାନୁଆରୀ ୯ ତାରିଖରୁ ଡିସେମ୍ବର ୧୨ ତାରିଖ ମଧ୍ୟରେ ପ୍ରାୟ ୯୩ଟି ଦଲିଲ ଅନୁସନ୍ଧାନ କରିବା ପରେ ଏହି କୋଟି କୋଟିର କଳା କାରବାର କଥା ପଦାକୁ ଆସିଛି । ବିଧୁଭୂଷଣ ଏଇ ମାସ ୪ ତାରିଖରେ ଘଟଣା ସମ୍ପର୍କରେ ରାଜ୍ୟପାଳ, ମୁଖ୍ୟମନ୍ତ୍ରୀ, ୫ଟି ସଚିବ ଓ ରାଜସ୍ୱ ବିଭାଗର ଦୃଷ୍ଟି ଆକର୍ଷଣ କରିଛନ୍ତି। କିନ୍ତୁ ରାଜ୍ୟ ସରକାର ଏହି ଘଟଣାରେ ଏ ପର୍ଯ୍ୟନ୍ତ କିଛି ପଦକ୍ଷେପ ଗ୍ରହଣ କରି ନାହାନ୍ତି । ଏହି ସବୁ ଅଫିସରମାନେ ପୁରୀ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ, ମନ୍ଦିର ପ୍ରଶାସନ, ରାଜସ୍ୱ ଓ ଆଇନ ବିଭାଗରେ କାର୍ଯ୍ୟ କରୁଛନ୍ତି । ସେପଟେ ଜଗନ୍ନାଥଙ୍କ ଜମି ହାତେଇବାରେ ସଫଳ ହୋଇଥିବା ଏହି ସରକାରୀ ଅଫିସରମାନଙ୍କର ଇତି ମଧ୍ୟରେ ପଦୋନ୍ନତି ପାଇଥିବା ବିଧୂଭୂଷଣଙ୍କ ଅଭିଯୋଗ ଆଣିଛନ୍ତି ।

ଦେଶକୁ ମିଳିଲା ତୃତୀୟ ଟିକା, ‘ସ୍ପୁଟନିକ-ଭି’ କୁ ଅନୁମତି

ନୂଆଦିଲ୍ଲୀ: ଦେଶରେ ପୁନର୍ବାର କୋଭିଡ ଆତଙ୍କ ରଚିଲାଣି । ଦୈନିକ ସଂକ୍ରମଣ ଲକ୍ଷେ ଟପିଲାଣି । ମୃତ୍ୟୁ ସଂଖ୍ୟା ମଧ୍ୟ ସେହି ଆଧାରରେ ବଢିଚାଲିଛି । ଆଉ ଏଭଳି ସ୍ଥତିରେ ଆସ୍ବସ୍ତି କରିଛି ଟିକା ଖବର । ପୁଣି ଭାରତକୁ ମିଳିବାକୁ ଯାଉଛି ଆଉ ଏକ ଟିକା । ସ୍ପୁଟନିକ-ଭି ନାମକ ତୃତୀୟ ଭ୍ୟାକ୍ସନିକୁ ମିଳିଛି ମଞ୍ଜୁରୀ । ସଞ୍ଜେକ୍ଟ ଏକ୍ସପର୍ଟ କମିଟି SEC ଋଷ ଦ୍ବାରା ନିର୍ମିତି ଏହି ଟିକାକୁ ପରୀକ୍ଷା ନିମନ୍ତେ ମଞ୍ଜୁରୀ ଦେଇଛି । ଅର୍ଥାତ ଭାରତରେ ଏହି ନୂତନ ଟିକା ବ୍ୟବହାର ପାଇଁ ଅନୁମତି ମିଳିଛି ।

ପୂର୍ବରୁ ସ୍ପୁଟନିକ-ଭି ପରୀକ୍ଷାମୂଳକ ଭାବେ ବ୍ୟବହାର କରାଯାଇଥିଲା । ଏହାଦ୍ବାରା କୌଣସି ପାର୍ଶ୍ୱ ପ୍ରତିକ୍ରିୟା ପ୍ରକାଶ ପାଇନଥିଲା । ବଂର ଏହା ସଫଳ ହୋଇଥବା ନେଇ କମ୍ପାନୀ କମିଟି ପାଖରେ ତଥ୍ୟ ଉପସ୍ଥାପନା କରିଛି । ସୂଚନା ମୁତାବକ ସ୍ପୁଟନିକ-ଭି ଋଷ କମ୍ପାନୀ ଦ୍ବାରା ନିର୍ମିତ । ହାଇଦ୍ରାବାଦରେ ଡ. ରେଡ୍ଡୀ ଲାବ୍ସ ସହ ମିଶି ପରୀକ୍ଷାମୂଳକ ଭାବେ ବ୍ୟବହାର ମଧ୍ୟ କରାଯାଇଥିଲା । ଗୋଟେପଟେ କମ୍ପାନୀକୁ ବ୍ୟବହାର ପାଇଁ ଅନୁମତି ମିଳିନଥବା ବେଳେ ମଧ୍ୟ କମ୍ପାନୀ ଭ୍ୟକ୍ସିନ ପ୍ରସ୍ତୁତ ଜାରି ରଖିଥିଲା ।

ଦେଶରେ କୋଭିଡ ସଂକ୍ରମଣ ବୃଦ୍ଧି ଘଟିଚାଲିଛି । ଦୁଇଟି କମ୍ପାନୀ ଦ୍ବାରା ନିର୍ମିତ ଭ୍ୟାକ୍ସିନ ବ୍ୟବହାର କରାଯାଉଛି । ସ୍ପୁଟଚନିକ-ଭି କମ୍ପାନୀଙ୍କୁ ବ୍ୟବହାର ପାଇଁ ଅନୁମତି ମିଳିବା ଦେଶ ପାଇଁ ଆଶ୍ୱସ୍ତିକର ଖବର । ଏବେ ମଧ୍ୟ କୋଭିଡ ଟିକାକରଣ ଦେଶରେ ଜାରି ରହିଛି  । କିନ୍ତୁ ଆବଶ୍ୟକ ଅନୁଯାୟୀ ଟିକା ମିଳୁନଥିବା ଅନେକ ରାଜ୍ୟ ଅଭିଯୋଗ ଆଣିଛନ୍ତି  । ଏପରି ସ୍ଥଳେ ଅନ୍ୟ ଏକ ଟିକାକୁ ବ୍ୟବହାର ପାଇଁ ଅନୁମତି ମିଳିବା ଦ୍ବାରା ପୁନର୍ବାର ଟିକାକରଣ ପ୍ରକ୍ରିୟା ତ୍ବରାନିତ କରାଯାଇପାରିବ  ।

ବିମାନ ବନ୍ଦର ଓ ରେଳୱେ ଷ୍ଟେସନରେ ଆଜିଠୁ କଡାକଡି ଚେକିଂ

ଭୁବନେଶ୍ୱର: ଆଜି ଠାରୁ ଭୁବନେଶ୍ୱର ବିମାନ ବନ୍ଦର ଓ ରେଳୱେ ଷ୍ଟେସନ ରେ କଡାକଡି ହୋଇଛି ଚେକିଂ ବ୍ୟବସ୍ଥା । ଯେଉଁ ମାନେ ରାଜ୍ୟ ବାହାରୁ ଆସୁଛନ୍ତି ସମାନଙ୍କୁ କୋଭିଡ ରିପୋର୍ଟ ବାଧ୍ୟତା ମୂଳକ କରାଯାଇଛି । ଯଦି କୌଣସି ଯାତ୍ରୀ ରିପୋର୍ଟ ଆଣିନଥିବେ ତେବେ 7ଦିନ ହୋମ କ୍ୱାରେନଣ୍ଟାଇନରେ ରହିବା ବାଧ୍ୟତାମୂଳକ କରାଯାଇଛି ।

ସେପଟେ କୌଣସି ଯାତ୍ରୀଙ୍କ ନିକଟରେ ଲକ୍ଷଣ ଦେଖାଦେଲେ ତୁରନ୍ତ ସେମାଙ୍କର ଟେଷ୍ଟ ପାଇଁ ବ୍ୟବସ୍ଥା କରାଯାଇଛି । ବିଏମସି ପକ୍ଷରୁ ମାର୍କେଟ ମାନଙ୍କରେ ଚେକିଙ୍ଗ ଜୋରଦାର କରାଯାଉଛି । ଯେଉଁମାନେ ନିୟମ ଉଲଘଂନ କରୁଛନ୍ତି ସେମାନଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ନିଆଯାଉଥିବା କହିଛନ୍ତି ବିଏମସି କମିଶନର ।

ସେହିପରି ଆଜି ଉତ୍କଳ ବିଶ୍ୱବିଦ୍ୟାଳୟରେ 4ଜଣ ପଜେଟିଭି ଚିହ୍ନଟ ହୋଇଛନ୍ତି । ସେମାଙ୍କର କଣ୍ଟାକଟ୍ରେସିଂ ଚାଲିଛି । ଯଦି କୈଣସି ବ୍ୟକ୍ତି ସଂକ୍ରମିତଙ୍କ ସଂସ୍ପର୍ଶରେ ଆସିଥିବେ ତେବେ ସେମାନଙ୍କର ମଧ୍ୟ କୋଭିଡ ଟେଷ୍ଟ କରାଯିବ ବୋଲି ସୂଚନା ଦେଇଛନ୍ତି ବିଏମସି କମିଶନର ପ୍ରେମ ଚନ୍ଦ୍ର ଚୈଧୁରୀ ।

ଆସନ୍ତା ବର୍ଷରୁ ଉଡାଣ ଭରିବ ଫ୍ଲାଇଂ ଟ୍ୟାକ୍ସି, ପ୍ରସ୍ତୁତ ହେଉଛନ୍ତି ଜର୍ମାନୀ, ଆମେରିକା ଓ ଜାପାନ

ନୂଆଦିଲ୍ଲୀ: ଦୀର୍ଘ ସମୟ ଧରି ଉଡ଼ନ୍ତା କାରକୁ ନେଇ ଗବେଷଣା ଜାରି ରହିଥିଲା । କିନ୍ତୁ ତାହା କେବେ ସଫଳ ହୋଇପାରିନି । ବର୍ତ୍ତମାନ ସମୟରେ କାର ନିର୍ମାତା ଏବଂ ବିମାନ କମ୍ପାନୀ ଗୁଡ଼ିକ ଫ୍ଲାଇଂ ଟ୍ୟାକ୍ସି ଉପରେ ଫରପୁର ଟଙ୍କା ଲଗାଉଛନ୍ତି ।  Alcea Consultancyର ନିର୍ଦ୍ଦେଶିକା ନତାଶା ସାମନ୍ତାଙ୍କ ଅନୁଯାୟୀ ୩୦୦ରୁ ଅଧିକ କମ୍ପାନୀ ବ୍ୟାଟେରୀ ଚାଳିତ ଅଳ୍ପ ଦୂର ଯାଇପାରୁଥିବା ଫ୍ଲାଇଂ ଟ୍ୟାକ୍ସି ନିର୍ମାଣ କରିବାରେ ଲାଗିପଡ଼ିଛନ୍ତି । ଏହି ଟ୍ୟାକ୍ସି ଟି ସିଧାସିଧା ଉଡ଼ିବା ସହ ସେହି ଆଙ୍ଗଲରେ ତଳେ ଅବତରଣ କରିବ । ଇନଭେଷ୍ଟମେଣ୍ଟ ବ୍ୟାଙ୍କ ମୋର୍ଗନ ଷ୍ଟେନଲେଙ୍କ ଅନୁମାନ ଅନୁସାରେ, ୨୦୪୦ ମସିହା ବେଳକୁ ଫ୍ଲାଇଂ ଟ୍ୟାକ୍ସିର ମାର୍କେଟ ପାଞ୍ଚ ଲକ୍ଷ କୋଟିରୁ ଅଧିକ ହୋଇଯିବ ।

ନିୟାମକ ସଂସ୍ଥା ଏସବୁକୁ ରାସ୍ତା ସହଜ କରୁଛି । ଆମେରିକା ଫେଡେରାଲ ଏଭିଏସନ ଏଜେନ୍ସି ୩୦ କମ୍ପାନୀର ପ୍ରସ୍ତାବ ଉପରେ ଗୁରୁତ୍ୱ ପ୍ରକାଶ କରୁଛି । ଜର୍ମାନ କମ୍ପାନୀ ଲିଲିୟନ, ଜବି ଆଭିଏସନ ଏବଂ ଆର୍ଚର ସେୟାର ମାର୍କେଟରେ ଓହ୍ଲାଇବାକୁ ଯାଉଛନ୍ତି । କାର ଟ୍ୟାକ୍ସି ଏବଂ ହେଲିକପ୍ଟର ମଧ୍ୟରେ ଫ୍ଲାଇଂ ଟ୍ୟାକ୍ସି ଇଲେକଟ୍ରିକ ଚାଳିକ ମଟର ହେବ । ଏହା ଶୀଘ୍ର ବନ୍ଦ ହୋଇ ଶୀଘ୍ର ଷ୍ଟାର୍ଟ ହେବ । ଏହାର ଉଡ଼ାଣ ଏବଂ ଅବତରଣ ପାଇଁ ଛୋଟ କଂକ୍ରିଟ୍ ପ୍ଲାଟଫର୍ମ ଆବଶ୍ୟକ ପଡ଼ିବ । ଏହି ଫ୍ଲାଇଂ ଟ୍ୟାକ୍ସିରୁ ଅଧିକ ଶଦ୍ଦ ବାହାରିବ ନାହିଁ ।  ଆମେରିକା କମ୍ପାନୀ ଆର୍ଚର ୨୦୨୪ ସୁଦ୍ଧା ଲସ ଏଞ୍ଜିଲିସ ଏବଂ ମିୟାମୀ ମଧ୍ୟରେ ଫ୍ଲାଇଂ ଟ୍ୟାକ୍ସି ଚଳାଇବାର ପ୍ରସ୍ତୁତି କରୁଛି ।

ଅନ୍ୟପଟେ ଚୀନର ଡ୍ରୋନ ଟ୍ୟାକ୍ସି ଇ-ହେଙ୍ଗକୁ ଖୁବ ଶୀଘ୍ର ମଞ୍ଜୁରୀ ମିଳିବାକୁ ଯାଉଛି । କାର କମ୍ପାନୀ ଡେଲମର, ଜିଲି ଓ ଚିପ ନିର୍ମାତା ଇଣ୍ଟେଲର ପାର୍ଟନର ଜର୍ମାନ କମ୍ପାନୀ ୟୁରୋ ବେଲୋକପ୍ଟରକୁ ୨୦୨୩ ମସିହାରେ ଉଡ଼ାଣ ଭରିବାର ଆଶା ରହିଛି । ବ୍ରିଟିଶ କମ୍ପାନୀ ଭର୍ଟିକାଲ ଏୟରୋସ୍ପେସ୍, କାର ନିର୍ମାତା ହ୍ୟୁଣ୍ଡାଇ ଏବଂ ବିମାନ ନିର୍ମାତା ଏୟାରବସ ମଧ୍ୟ ଫ୍ଲାଇଂ ଟ୍ୟାକ୍ସି ଆଣିବା ପାଇଁ ଭରପୂର ପ୍ରସ୍ତୁତି କରୁଛି ।

‘ମହାପ୍ରଭୁଙ୍କ ସମ୍ପତ୍ତିକୁ ବେଆଇନ ଭାବେ ବିକ୍ରି କରିଛନ୍ତି ବିଜେପି ପ୍ରାର୍ଥୀଙ୍କ ପତ୍ନୀ’

ଭୁବନେଶ୍ୱର: ପିପିଲି ବିଜେପି ପ୍ରାର୍ଥୀଙ୍କ ପତ୍ନୀଙ୍କ ନାମରେ ଗୁରୁତର ଅଭିଯୋଗ । ବିଜେପି ପ୍ରାର୍ଥୀ  ଆଶ୍ରିତ ପଟ୍ଟନାୟକଙ୍କ ପତ୍ନୀ ସ୍ମିତା ମହାନ୍ତି (ସରକାରୀ କର୍ମଚାରୀ)ଙ୍କ ବିରୋଧରେ ସାଙ୍ଘାତିକ ଅଭିଯୋଗ ଆଣିଲେ କଂଗ୍ରେସର କେନ୍ଦ୍ରାପଡା ଓବିସି ସେଲ ଅଧ୍ୟକ୍ଷ।  ପୁରୀ ସବ ରେଜିଷ୍ଟ୍ରାର ଥିବା ବେଳେ ଜଗନ୍ନାଥଙ୍କ ସମ୍ପତ୍ତିକୁ ବେଆଇନ ଭାବେ ବିକ୍ରି ଅଭିଯୋଗ। ରାଜ୍ୟପାଳ, ମୁଖ୍ୟମନ୍ତ୍ରୀଙ୍କ ନିକଟରେ ଅଭିଯୋଗ ଦାୟର । ପୂର୍ବରୁ ବିଜେପି ପ୍ରାର୍ଥୀ ଆଶ୍ରିତ ପଟ୍ଟନାୟକଙ୍କ ପାଖ ଲୋକଙ୍କ ଠାରୁ ୫୦ ଲକ୍ଷ ଟଙ୍କା ଜବତ ହୋଇଥିଲା । ଏହି ଟଙ୍କା ନିର୍ବାଚନରେ ଭୋଟରଙ୍କୁ ପ୍ରଭାବିତ କରିବା ଉଦ୍ଦେଶ୍ୟରେ ଅଣାଯାଉଥିବା ବେଳେ ପୋଲିସ ହାତରେ ଧରାପଡ଼ିଥିଲା ଟଙ୍କା । ଏହା ପରେ ପୁଣି ବିଜେଡି କର୍ମୀ ଓ ତାଙ୍କ ପରିବାର ଲୋକଙ୍କୁ ଆକ୍ରମଣ ଭଳି ଘଟଣା ମଧ୍ୟ ସାମ୍ନାକୁ ଆସିଛି । ଯାହାକୁ ନେଇ ବିଜେପି ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ନିକଟରେ ଫେରାଦ ହୋଇଛି । ଏହା ପରେ ବିଜେପିର ଆଭିମୁଖ୍ୟ ଏବଂ ବିଜେପି ପ୍ରାର୍ଥୀଙ୍କ ଭାବମୂର୍ତ୍ତି ପ୍ରତି ପ୍ରଶ୍ନ ଉଠିଛି । ବିଜେପି ପ୍ରାର୍ଥୀ ଉପ ନିର୍ବାଚନରେ ଭୋଟରକୁ ପ୍ରଭାବିତ କରିବାକୁ ଉଦ୍ୟମ କରୁଥିବା ଭଳି ଘଟଣା ପଦାକୁ ଆସିଥିବା ବେଳେ ଏବେ ତାଙ୍କ ପତ୍ନୀଙ୍କ ନାମରେ ମହାପ୍ରଭୁଙ୍କ ଜମି ବିକ୍ରି ନେଇ ଅଭିଯୋଗ ହୋଇଛି ।

ଏଥିସହିତ ପଢ଼ନ୍ତୁ: ‘ବିଜେପି ଜାଣି ସାରିଛି ସେମାନେ ନିର୍ବାଚନ ହାରୁଛନ୍ତି, ଏଣୁ ବିଶୃଙ୍ଖଳା ସୃଷ୍ଟି କରୁଛନ୍ତି’