spot_img
Home Blog Page 586

ରିଷଭ ପନ୍ତ ଗୁରୁତର ଆହତ, ଗ୍ରାଉଣ୍ଡ ଆମ୍ବୁଲାନ୍ସରେ ପଡ଼ିଆ ବାହାରକୁ ନିଆଗଲା

ନନ୍ଦିଘୋଷ ବ୍ୟୁରୋ : ମାଞ୍ଚେଷ୍ଟରର ଓଲ୍ଡ ଟ୍ରାଫୋର୍ଡରେ ଚାଲିଥିବା ଚତୁର୍ଥ ଟେଷ୍ଟ ମ୍ୟାଚ୍ ସମୟରେ ଭାରତୀୟ କ୍ରିକେଟ୍ ଟିମକୁ ବଡ଼ ଝଟକା ଲାଗିଛି। ଭାରତୀୟ ଦଳର ଷ୍ଟାର ୱିକେଟକିପର-ବ୍ୟାଟସମ୍ୟାନ୍ ରିଷଭ ପନ୍ତଙ୍କ ଡାହାଣ ଗୋଡରେ ଆଘାତ ଲାଗିଛି । ଫଳରେ ତାଙ୍କୁ ପଡ଼ିଆ ଛାଡିବାକୁ ପଡିଛି । ଏହି ଘଟଣା ଭାରତୀୟ ଇନିଂସର ୬୮ତମ ଓଭରରେ ଘଟିଥିଲା, ଯେତେବେଳେ ପନ୍ତ ଇଂଲଣ୍ଡର ଦ୍ରୁତ ବୋଲର କ୍ରିସ୍ ୱକ୍ସଙ୍କ ସାମ୍ନା କରୁଥିଲେ। ଏହି ଆଘାତ ଭାରତୀୟ ପ୍ରଶଂସକଙ୍କ ଚିନ୍ତା ବଢାଇଛି ।

ଭାରତୀୟ ଇନିଂସର ୬୮ତମ ଓଭରରେ, କ୍ରିସ୍ ୱକ୍ସଙ୍କ ଏକ ଦ୍ରୁତ ୟର୍କର ବଲ ପନ୍ତଙ୍କୁ ଅସୁବିଧାରେ ପକାଇଥିଲା। ପନ୍ତ ଏହି ବଲ୍ ଉପରେ ରିଭର୍ସ-ସ୍ୱାଇପ୍ ଖେଳିବାକୁ ଚେଷ୍ଟା କରିଥିଲେ, କିନ୍ତୁ ବଲଟି ସିଧାସଳଖ ତାଙ୍କ ଜୋତାରେ ବାଜିଥିଲା। ଏହି ଶକ୍ତ ଆଘାତ ପରେ ପନ୍ତ ଯନ୍ତ୍ରଣାରେ କାନ୍ଦୁଥିବା ଦେଖାଯାଇଥିଲା। ପଡ଼ିଆରେ ଉପସ୍ଥିତ ଫିଜିଓ ତୁରନ୍ତ ତାଙ୍କୁ ପରୀକ୍ଷା କରିଥିଲେ ଓ ଦେଖାଯାଇଥିଲା ଯେ ତାଙ୍କ ପାଦରୁ ରକ୍ତ ବାହାରିଥିଲା। ଯନ୍ତ୍ରଣା ଏବଂ ଆଘାତର ଗମ୍ଭୀରତାକୁ ଦେଖି ପନ୍ତ ଆଉ ବ୍ୟାଟିଂ କରିପାରି ନଥିଲେ। ଏହା ପରେ, ତାଙ୍କୁ ଏକ ଗ୍ରାଉଣ୍ଡ ଆମ୍ବୁଲାନ୍ସରେ ପଡ଼ିଆ ବାହାରକୁ ନିଆଯାଇଥିଲା।

ଏହି ସିରିଜରେ ରିଷଭ ପନ୍ତ ଆହତ ହେବା ଏହା ପ୍ରଥମ ଥର ନୁହେଁ। ସେ ତୃତୀୟ ଟେଷ୍ଟ ମ୍ୟାଚରେ ମଧ୍ୟ ଆଘାତ ପାଇଥିଲେ। ସେହି ମ୍ୟାଚ ସମୟରେ ଜସପ୍ରିତ ବୁମରାହଙ୍କ ଦ୍ରୁତ ବାଉନ୍ସର ପନ୍ତଙ୍କ ଆଙ୍ଗୁଠିରେ ବାଜିଥିଲା, ଯାହା ଫଳରେ ସେ ସମଗ୍ର ମ୍ୟାଚରେ ୱିକେଟକିପିଂ କରିପାରି ନଥିଲେ। ତଥାପି, ସେ ବ୍ୟାଟିଂ କରିଥିଲେ। ଏହା ପରେ ମାଞ୍ଚେଷ୍ଟର ଟେଷ୍ଟରେ ତାଙ୍କ ଖେଳିବା ଉପରେ ସସପେନ୍ସ ଥିଲା। କିନ୍ତୁ ଲମ୍ବା ବ୍ୟବଧାନ ଯୋଗୁଁ ସେ ସୁସ୍ଥ ହୋଇପାରିଥିଲେ।

ଆଳୁ ପାଇଁ ମମତାଙ୍କ ଶରଣ ପଶିବେ ରାଜ୍ୟ ସରକାର, କୋଲକାତା ଯିବେ ଯୋଗାଣ ମନ୍ତ୍ରୀ

ଭୁବନେଶ୍ବର : ଯୋଗାଣ ମନ୍ତ୍ରୀଙ୍କ ଭାଙ୍ଗିଲା ଦମ୍ଭ । ଆଳୁ ପାଇଁ ଆତ୍ମନିର୍ଭର ନୁହେଁ, ଲୋଡା ମମତାଙ୍କ ଶରଣ । ବିଜେଡି କହିଲା, ଡେରିରେ ବୁଝିବେ ବୋଲି ଜାଣିଥିଲୁ । କଂଗ୍ରେସ କହିଲା, ଯୋଗାଣ ମନ୍ତ୍ରୀଙ୍କ ଯାଇନି ଆଳୁଦୋଷ । ଭାଙ୍ଗିଲା ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ରଙ୍କ ବାହାସ୍ଫୋଟ । ପକାଇଥିବା ଛେପକୁ ନିଜେ ଢୋକିଲେ ଯୋଗାଣ ମନ୍ତ୍ରୀ । ଉତ୍ତର ପ୍ରଦେଶରୁ ଟ୍ରେନରୁ ୧୩ ମାସ ହେବ ଆଳୁ ନଆସିବାରୁ ଯୋଗାଣ ମନ୍ତ୍ରୀ ଏବେ ଆତ୍ମନିର୍ଭର କଥା ଭୁଲି ପଶ୍ଚିମବଙ୍ଗ ସରକାର ଶରଣକୁ ଯିବାକୁ ପ୍ରସ୍ତୁତ । ଖୁବଶୀଘ୍ର ପଶ୍ଚିମବଙ୍ଗ ଯାଇ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ସହ ଆଳୁ ଯୋଗାଣ ନେଇ ଆଲୋଚନା କରିବେ ବୋଲି ସେ କହିଛନ୍ତି । ଯୋଗାଣ ମନ୍ତ୍ରୀଙ୍କ ଯୁକ୍ତି ହେଉଛି ରାଜ୍ୟରେ ପ୍ରତିବର୍ଷ ୧୪ ଲକ୍ଷ ମେଟ୍ରିକ୍ ଟନ୍ ଆଳୁର ଆବଶ୍ୟକତା ରହିଛି । ୩ ଲକ୍ଷ ମେଟ୍ରିକ୍ ଟନ ଆଳୁ ଆମଦାନୀ ହେଉଛି । ବାକି ୯ ଲକ୍ଷ ମେଟ୍ରିକ୍ ଟନ ଆଳୁ ଆମେ ଉତ୍ତର ପ୍ରଦେଶ ଏବଂ ପଶ୍ଚିମବଙ୍ଗରୁ ଆଣିବୁ। ତେଣୁ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀଙ୍କ ସହ ଆଲୋଚନା କରି ଆଳୁ ବିବାଦର ସମାଧାନ କରାଯିବ । ମମତା ବାନାର୍ଜୀଙ୍କ ସହ ରାଜ୍ୟ ସରକାରଙ୍କ କୌଣସି ବିବାଦ ନାହିଁ । ରାଜ୍ୟରେ ଆଳୁ ବହୁତ ଧାର୍ଯ୍ୟ ଅଛି ବୋଲି ସେ କହିଛନ୍ତି ।

ପୂର୍ବରୁ ରାଜ୍ୟରେ ଦେଖାଦେଇଥିବା ଆଳୁ ସଙ୍କଟ ପାଇଁ ଯୋଗାଣ ମନ୍ତ୍ରୀ ପଶ୍ଚିମବଙ୍ଗ ସରକାରଙ୍କୁ ଦାୟୀ କରିବା ସହ ବିଜେଡି ସରକାରଙ୍କୁ ଦାୟୀ କରିଥିଲେ । ସିଧାସିଧା ଯୋଗାଣ ମନ୍ତ୍ରୀ କହିଥିଲେ ପଶ୍ଚିମବଙ୍ଗ ଉପରେ ଓଡିଶା ନିର୍ଭରଶୀଳ ନୁହେଁ । ବର୍ଷେ ଭିତରେ ଓଡିଶା ଆଳୁ ଉତ୍ପାଦନରେ ଆତ୍ମ ନିର୍ଭରଶୀଳ ହେବ । ହେଲେ ୧୩ମାସ ପରେ ଯୋଗାଣ ମନ୍ତ୍ରୀ ଏପରି ବୟାନ ଦେବେ ବୋଲି ବିଜେଡି ବହୁ ଆଗରୁ ଜାଣିଥିଲା । ଏକଥା କଟାକ୍ଷ କରିଛନ୍ତି ବିଜେଡି ନେତା ପ୍ରଶାନ୍ତ ମୁଦୁଲି । ଯୋଗାଣ ମନ୍ତ୍ରୀ ବାହାସ୍ଫୋଟ ପୂରା ଓଡିଶା ଆଜି ଜାଣିଲା ବୋଲି ସେ କହିଛନ୍ତି । ବରିଷ୍ଠ କଂଗ୍ରେସ ବିଧାୟକ ତାରା ପ୍ରସାଦ ବାହିନୀପତି ଯୋଗାଣ ମନ୍ତ୍ରୀଙ୍କ ପଶ୍ଚିମବଙ୍ଗ ଗସ୍ତକୁ ନେଇ କଟାକ୍ଷ କରିଛନ୍ତି । ଯୋଗାଣ ମନ୍ତ୍ରୀଙ୍କ ଆଳୁ ଦୋଷ ଯାଉନି ଓ ଆଳୁକୁ ନେଇ ପାଗଳଙ୍କ ପରି ବୟାନ ଦେଉଛନ୍ତି ବୋଲି କଂଗ୍ରେସ କହିଛି । ଉତ୍ତର ପ୍ରଦେଶରୁ ଆଳୁ ଟ୍ରେନରେ କେବେ ଆସିବ ବୋଲି  ତାରା ପ୍ରଶ୍ନ କରିଛନ୍ତି । ଆଳୁ ଯୋଗାଣ ନେଇ ଯୋଗାଣ ମନ୍ତ୍ରୀଙ୍କ ବେଫିକର ବୟାନ ମୋହନ ସରକାରଙ୍କୁ ଅଡ଼ୁଆରେ ପକାଇଛି । ପଶ୍ଚିମବଙ୍ଗ ସହ ଯୋଗାଣ ମନ୍ତ୍ରୀଙ୍କ ଆଲୋଚନା ପରେ ଧାର୍ଯ୍ୟ ସଂଖ୍ୟକ ଆଳୁ ଓଡିଶାକୁ ଆସୁଛି ନାଁ ଟ୍ରେନରେ ଆଳୁ ଆସୁଛି ଭଳି କେବଳ ଏହା ଭେଳିକିରେ ରହିଯିବ ତାହା ଦେଖିବାର କଥା ।

ଜିଲ୍ଲାକୁ ଜିଲ୍ଲା ଡେଇଁବାରେ ଲାଗିଲାଣି ଡାଇରିଆ

ନନ୍ଦିଘୋଷ ବ୍ୟୁରୋ : ଜିଲ୍ଲାକୁ ଜିଲ୍ଲା ଡେଇଁବାରେ ଲାଗିଲାଣି ଡାଇରିଆ । ଗଞ୍ଜାମ ଜିଲ୍ଲା ସାନଖେମୁଣ୍ଡିରେ ୩ ଜଣଙ୍କ ଜୀବନ ନେଲାଣି ଝାଡ଼ାବାନ୍ତି। ଗତକାଲି ଦୁଇ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ, ଚିକିତ୍ସାଧୀନ ଅବସ୍ଥାରେ ଆଉ ଜଣଙ୍କର ଯାଇଛି ଜୀବନ। ଆଜି ପୁଣି ୪ ଜଣ ଆକ୍ରାନ୍ତଙ୍କୁ ଗୁରୁତର ଅବସ୍ଥାରେ ଦିଗପହଣ୍ଡି ମେଡିକାଲରେ ଭର୍ତ୍ତି କରାଯାଇଛି। ଏବେ ଗାଁରେ ଝାଡା ବାନ୍ତି ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି। ସାନଖେମୁଣ୍ଡି ବ୍ଲକ ଟି. ଗୋବିନ୍ଦପୁର ପଞ୍ଚାୟତର ଦାମପୁର ରାସ୍ତା ଅବସ୍ଥା ଶୋଚନୀୟ ଥିବାରୁ ରୋଗୀଙ୍କୁ ସ୍ଥାନାନ୍ତର ପାଇଁ ସୃଷ୍ଟି ହେଉଛି ସମସ୍ୟା। ସେହିପରି ଦିଗପହଣ୍ଡି ଉସ୍ତପଲି ଗାଁରେ ଝାଡାବାନ୍ତିରେ ୩ ଜଣ ପ୍ରାଣ ହରାଇଥିବା ବେଳେ, ସାନଖେମୁଣ୍ଡି ପୋଡାମାରି ଓ କଂସମାରୀରେ ଦୁଇ ଜଣଙ୍କ ଜୀବନ ଯାଇଛି। ଅନେକ ଲୋକ ଏବେ ବି ଝଡ଼ାଫୁଙ୍କା ପରି ଅନ୍ଧବିଶ୍ବାସ ଉପରେ ଭରସା କରୁଥିବାରୁ ରୋଗ ନିୟନ୍ତ୍ରଣକୁ ଆସିନଥିବା ଅଭିଯୋଗ ହୋଇଛି। ସେପଟେ ଗଞ୍ଜାମରୁ ପଡ଼ୋଶୀ ଗଜପତି ଜିଲ୍ଲାକୁ ଡେଇଁଛି ଡାଇରିଆ । ଦିଗପହଣ୍ଡି ସୀମାନ୍ତ ମୋହନା ବ୍ଲକ ଢେପାଗୁଡାରେ ଝାଡାବାନ୍ତିରେ ୪ ଜଣ ଆକ୍ରାନ୍ତ ହୋଇଛନ୍ତି। ଚଳିତ ବର୍ଷ ପ୍ରଥମ ଥର ପାଇଁ ନୂଆପଡା ଜିଲ୍ଲାକୁ ବ୍ୟାପିଛି ଡାଇରିଆ। ସିନାପାଲି ବ୍ଲକର ସୀମାବର୍ତ୍ତୀ ନଙ୍ଗଲବୋର୍ଡ ଗାଁରେ ୧୬ ଜଣ ଅସୁସ୍ଥ ହୋଇଥିବା ବେଳେ ୬ ଜଣ ଗୁରୁତର ଅଛନ୍ତି।

ଗଞ୍ଜାମ ଓ ନୂଆପଡ଼ାରେ ଜନସ୍ବାସ୍ଥ୍ୟ ଟିମ ଆରମ୍ଭ କରିଛି ଯାଞ୍ଚ। ସିନାପାଲିରେ ଗୋଳିଆ ପାଣିରୁ ଝାଡାବାନ୍ତି ବ୍ୟାପୁଥିବା ଜଣାପଡିଛି। ସଂଗ୍ରହ କରାଯାଇଛି ପାଣିର ନମୁନା। ଗଞ୍ଜାମରେ ଯେଉଁ ତିନି ଜଣଙ୍କ ମୃତ୍ୟୁ ଖବର ଆସିଛି, ସେମାନଙ୍କ ମଧ୍ୟରୁ ଦୁଇ ଜଣଙ୍କୁ ଅନ୍ୟ ରୋଗ ଥିବା ନେଇ ପ୍ରାଥମିକ ରିପୋର୍ଟ ପାଇଛି ଜନସ୍ବାସ୍ଥ୍ୟ ବିଭାଗ। ମୟୂରଭଞ୍ଜରେ ବି କଲବଲ କଲାଣି ଡାଇରିଆ। କରଞ୍ଜିଆର ପତ୍ରପଡା ଆଶ୍ରମ ବିଦ୍ୟାଳୟରେ ଝାଡ଼ାବାନ୍ତି ଯୋଗୁଁ ୧୩ରୁ ଅଧିକ ଛାତ୍ରଛାତ୍ରୀ ଆକ୍ରାନ୍ତ ହୋଇଛନ୍ତି ।

ବଳଙ୍ଗା ଘଟଣାରେ ଚିନ୍ତା ପ୍ରକଟ କଲେ ସୁପ୍ରିମକୋର୍ଟ, ଓଡ଼ିଶାରେ ତେଜିଛି ବିଜେପି ସରକାର ବିରୋଧୀ ଋଣହୁଙ୍କାର

ଭୁବନେଶ୍ବର : ବଳଙ୍ଗା ଘଟଣାରେ ଚିନ୍ତା ପ୍ରକଟ କଲେ ସୁପ୍ରିମକୋର୍ଟ । ବିଜେଡି କହିଲା ଓଡିଶାବାସୀଙ୍କ ମୁଣ୍ଡ ତଳକୁ କରିଦେଲେ ସରକାର । କଂଗ୍ରେସ କହିଲା କ୍ଷମତାରେ ରହିବାର ଅଧିକାର ନାହିଁ ବିଜେପିର । ରାଜନୀତିରେ ଭାଷା କହିଲା ବିଜେପି । ବଳଙ୍ଗା ନାବାଳିକାକୁ ଜୀଅନ୍ତା ଜାଳିବା ନେଇ ଆମେ ଲଜ୍ଜିତ। ସୁପ୍ରିମକୋର୍ଟ ଓଡିଶା ଘଟଣାକୁ ନେଇ ଚିନ୍ତା ପ୍ରକଟ କରିବା ପରେ ଓଡିଶାରେ ତେଜିଛି ବିଜେପି ସରକାର ବିରୋଧୀ ଋଣହୁଙ୍କାର । ବରିଷ୍ଠ ବିଜେଡି ବିଧାୟକ ଅରୁଣ ସାହୁ କହିଛନ୍ତି  ବିଜେପି ସରକାର ଯୋଗୁଁ ଓଡିଶାବାସୀଙ୍କ ମୁଣ୍ଡ ତଳକୁ ହୋଇଗଲା । ସବୁଠି ଗୋଟିଏ କଥା  ଲଜ୍ଜା ଲଜ୍ଜା ଲଜ୍ଜା । ଜାତୀୟ ଲଜ୍ଜା ହୋଇଗଲା ଓଡିଶାର ନାରୀ ନିର୍ଯ୍ୟାତନା । ବିଜେପି ପଶ୍ଚାତାପ ଓ ଅନୁତାପ କରନ୍ତୁ । ଆଗକୁ କିପରି ଆଇନଶୃଙ୍ଖଳା ନ ବିଗିଡିବ , ମହିଳା ହିଂସା ନ ଘଟିବ ତାହାକୁ ଧ୍ୟାନ ଦିଅନ୍ତୁ ବୋଲି ବିଜେଡି ସରକାରଙ୍କୁ ପରାମର୍ଶ ଦେଇଛି । ଓଡିଶାରେ ମହିଳାମାନେ କେତେ ଅସୁରକ୍ଷିତ ହୋଇପଡିଛନ୍ତି ତାହା ଗତକାଲିର ଘଟଣାରୁ ସ୍ପଷ୍ଟ ହୋଇଗଲା । ମନ୍ତ୍ରୀ, ଅଫିସରଙ୍କ ବାସଭବନ ଆଗରେ ତଥା ଭୁବନେଶ୍ୱର ଛାତି ଉପରେ ହଜାର ହଜାର ପୋଲିସ ଉପସ୍ଥିତିରେ ଅଭାବନୀୟ ଘଟଣା ଘଟିଲା । ସରକାରଙ୍କୁ ଦୁର୍ବୃତ୍ତ ଦୁର୍ବଳ ବୋଲି ଭାବିନେଲେଣି । ଯାହାକୁ କଟାକ୍ଷ କରିଛି ବିଜେଡି । ପିସିସି ସଭାପତି ଭକ୍ତ ଚରଣ ଦାସ କହିଛନ୍ତି, ସୁପ୍ରିମକୋର୍ଟଙ୍କ ପ୍ରତିକ୍ରିୟା କିପରି ମୁଖ୍ୟମନ୍ତ୍ରୀ ଏବଂ ମନ୍ତ୍ରୀମାନଙ୍କୁ କେଉଁଭଳି ଲଜ୍ଜା ଦେଉ ନାହିଁ ବୋଲି ପ୍ରଶ୍ନ କରିଛି କଂଗ୍ରେସ । ପିସିସି ସଭାପତି କହିଛନ୍ତି ବିଜେପି ଆଉ କ୍ଷମତାରେ ରହିବା ଉଚିତ ନୁହେଁ । ତୁରନ୍ତ ସରକାର ଇସ୍ତଫା ଦିଅନ୍ତୁ ବୋଲି ସେ ଦାବି କରିଛନ୍ତି ।

ସେପଟେ ନାରୀ ନିର୍ଯାତନା ପ୍ରସଙ୍ଗରେ ବିଜେଡି ସରକାର ବିରୋଧରେ ପ୍ରତିବାଦ, ବିକ୍ଷୋଭ କରିବା ପରେ ବି ବିଜେପି ସରକାରଙ୍କୁ ବୁଦ୍ଧି ପଶୁନାହିଁ । ମୁଖ୍ୟ ବିରୋଧୀ ବିଜେଡି ପରି ରାଜ୍ୟରେ ନାରୀ ନିର୍ଯାତନା ପ୍ରସଙ୍ଗକୁ ନେଇ କଂଗ୍ରେସ ସରକାରଙ୍କୁ ଷଣ୍ଢୁଆସୀ ଆକ୍ରମଣ କରିଛି । ବାଲେଶ୍ବର ଏଫଏମ କଲେଜ ଘଟଣାରେ ଆସନ୍ତାକାଲି ଶ୍ରଦ୍ଧାଞ୍ଜଳି ଦିବସ ପାଳନ କରିବ କଂଗ୍ରେସ । ସମସ୍ତ ବିଶ୍ୱବିଦ୍ୟାଳୟ ଏବଂ କଲେଜ ଦିନ ୯ ଟାରେ ଗୋଟିଏ ମିନିଟ ପାଇଁ ନିରବ ପ୍ରାର୍ଥନା କରିବାକୁ ଅନୁରୋଧ କରିଛନ୍ତି ପିସିସି ସଭାପତି । ସେପଟେ କଂଗ୍ରେସର ଏପରି ପ୍ରତିବାଦର ଜବାବ ଦେଇଛି ଶାସକ ଦଳ । ଯୋଗାଣ ମନ୍ତ୍ରୀ କହିଛନ୍ତି ବିରୋଧୀମାନେ ବାଲେଶ୍ଵର ଛାତ୍ରୀ ମୃତ୍ୟୁ ଘଟଣାରେ ଶ୍ରଦ୍ଧାଞ୍ଜଳି ସଭା କରୁଛନ୍ତି । ଏହାର ଅର୍ଥ ସେମାନେ ଔଷଧ ବିକଳରେ ତାଟିଆ କମୁଡୁଛନ୍ତି । ସେଥିପାଇଁ ପୋଲିସ ଅଛି, କୋର୍ଟ କଚେରି ଅଛି । ମୁଖ୍ୟମନ୍ତ୍ରୀ ନାରୀ ନିର୍ଯାତନା ଘଟଣାରେ ତ୍ୱରିତ ପଦକ୍ଷେପ ନେଉଛନ୍ତି । ତେଣୁ ବିରୋଧୀ ରାଜନୀତି ବନ୍ଦ କରନ୍ତୁ। ବିଜେପି ସରକାର ଆସିଲା ଦିନଠୁ ନାରୀ ନିର୍ଯାତନାରେ ଓଡିଶା ଶୀର୍ଷରେ ପହଞ୍ଚିଛି । ଘର, କଲେଜ, ରାସ୍ତା ଘାଟ ଠାରୁ ଆରମ୍ଭ କରି ସବୁଠି ଅସୁରକ୍ଷିତ ହୋଇଛନ୍ତି ମହିଳା । ରାଜ୍ୟରେ ଦୁର୍ବଳ ଶାସନ ଯୋଗୁଁ ମହିଳାମାନେ ଅସୁରକ୍ଷିତ ହୋଇପଡିଛନ୍ତି । ବିରୋଧୀ ଦଳ ବାରମ୍ବାର ପ୍ରତିବାଦ ଓ ବିକ୍ଷୋଭ କରୁଥିଲେ ମଧ୍ୟ ନିଦାବିଷ୍ଣୁ ସାଜିଛନ୍ତି ସରକାର । ସୁପ୍ରିମକୋର୍ଟ ଚିନ୍ତା ପ୍ରକଟ କରିବା ପରେ ସରକାର ସୁଧୁରିଯାଆନ୍ତୁ ବୋଲି ମୁଖ୍ୟ ବିରୋଧୀ ବିଜେଡି ସରକାରଙ୍କୁ ଚେତାଇ ଦେଇଛି ।

ଓଡ଼ିଶାରେ ବିଦ୍ୟୁତ ଉପଭୋକ୍ତାଙ୍କୁ ଶୋଷଣ, ଜାତୀୟସ୍ତର ତୁଳନାରେ ଓଡ଼ିଶାବାସୀ ଦେଉଛନ୍ତି ଅଧିକ ବିଲ୍

ଭୁବନେଶ୍ୱର  : ଓଡ଼ିଶାରେ ବିଦ୍ଯୁତ ଉପଭୋକ୍ତାଙ୍କୁ ଶୋଷଣ। ଜାତୀୟ ସ୍ତର ତୁଳନାରେ ଓଡ଼ିଶାବାସୀ ଦେଉଛନ୍ତି ଅଧିକ ବିଲ୍। ସେପଟେ କେତେବେଳେ ଘଣ୍ଟା ଘଣ୍ଟା ବିଜୁଳି କଟୁଛି ତ କେତେବେଳେ ଲୋକଙ୍କ ସଂଯୋଗ କାଟିଦିଆଯାଉଛି। ଏ ଭିତରେ ସ୍ମାର୍ଟ ମିଟର ଲୋକଙ୍କ ପାଇଁ ଏକ ସ୍ମାର୍ଟ ମାଡ଼ ଭଳି ଉଭା ହୋଇଛି। ଭପଭୋକ୍ତାଙ୍କ ମାଳ ମାଳ ଅଭିଯୋଗକୁ ନେଇ ମହାସଂଘ ଓଡିଶା ବିଦ୍ୟୁତ ନିୟାମକ ଆୟୋଗଙ୍କ ନିକଟରେ ଅଭିଯୋଗ କରିବା ପରେ ସମସ୍ୟାର ଶୁଣାଣି ପାଇଁ ତାରିଖ ଧାର୍ଯ୍ୟ କରିଛନ୍ତି। ଗ୍ରାହକ ଓ ଅନୁଷ୍ଠାନଗୁଡିକ ଠାରୁ ଅଭିଯୋଗ ଓ ମତାମତ ଗ୍ରହଣ ପାଇଁ ନୋଟିସ ଜାରି ହୋଇଛି। ହେଲେ ସ୍ମାର୍ଟ ମିଟର ଲଗାଇବା ପାଇଁ ପବ୍ଲିକ ନୋଟିସ ଜାରି ହେବା ପରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ କରିଛି ଓଡିଶା ବିଦ୍ୟୁତ ଉପଭୋକ୍ତା ମହାସଂଘ। ଧମକରେ ନ ଡରି ଉପଭୋକ୍ତାମାନେ ସ୍ମାର୍ଟ ମିଟର ନ ଲଗାଇବାକୁ ନିବେଦନ କରିଛି ମହାସଂଘ। ଏନେଇ ଦିନକ ପରେ ମହାସଂଘର ଗୁରୁତ୍ୱପୂର୍ଣ୍ଣ ବୈଠକ ହେବ ଓ ଜନସଂଗ୍ରାମ ଗଢି ତୋଳିବାକୁ ନିଷ୍ପତ୍ତି ନିଆଯିବ ବୋଲି ଚେତାଇ ଦିଆଯାଇଛି। ଏ ସରକାରକୁ କେହି ମାନୁ ନାହାନ୍ତି। ସ୍ମାର୍ଟ ମିଟର ଲଗାଇବା ବାଧ୍ୟ ନୁହେଁ ବୋଲି ପୂର୍ବରୁ ଏହି ସରକାର କହିଥିବା ବେଳେ ଏବେ କାହିଁକି ଲୋକଙ୍କୁ ନୋଟିସ କରାଯାଇଛି ବୋଲି ଉଠିଛି ପ୍ରଶ୍ନ।

ଓଇଆରସି ଶୁଣାଣି ପୂର୍ବରୁ ସ୍ମାର୍ଟ ମିଟର ଲଗାଇବା ବାଧ୍ୟତାମୂଳକ ବୋଲି ଦିଆଯାଇଥିବା ନୋଟିସକୁ ସମାଲୋଚନା କରିଛି ବିଜେଡି।  ଓଡ଼ିଶାବାସୀ ଅଧିକ ବିଜୁଳି ବିଲ ଦେଉଛନ୍ତି। ତେଣେ ସ୍ମାର୍ଟ ମିଟର ନୋଟିସ ବେଡି ଉପରେ କୋରଡା ମାଡ଼ କହିଛି ଦଳ। ଉପଭୋକ୍ତାଙ୍କୁ ଶୋଷଣ କରାଗଲେ ଆଗକୁ ବଡ଼ ଆନ୍ଦୋଳନ ମୁଣ୍ଡ ଟେକିବ ବୋଲି ଚେତାବନୀ ଦେଇଛନ୍ତି ବରିଷ୍ଠ ବିଜେଡି ନେତା ପ୍ରଦୀପ ମାଝୀ। ସେପଟେ ଲୋକଙ୍କୁ ଆଉ କେତେ ଲୁଟ କରାଯିବ ବୋଲି ପ୍ରଶ୍ନ କରିଛି ସିପିଆଇ। ପୂର୍ବରୁ ଲୋକେ ଟ୍ରେଲର ଦେଖାଇଥିଲେ। ଆଗକୁ ସାଧାରଣ ଗ୍ରାହକ ଆଉ ବିଦ୍ୟୁତ ଅଧିକାରୀଙ୍କୁ ଗାଁରେ ପଶିବାକୁ ଦେବେ ନାହିଁ ବୋଲି ଦଳ କହିଛି। ବିଜୁଳି ବଳକା ରାଜ୍ୟ ଓଡ଼ିଶାର ବିଦ୍ୟୁତ ଗ୍ରାହକ ଏବେ ନାନା ସଙ୍କଟ ମଧ୍ୟରେ ପେଶି ହେଉଛନ୍ତି। ଏଭଳି ସ୍ଥିତିରେ ସ୍ମାର୍ଟ ମିଟର ମାଡ଼ ବିଦ୍ୟୁତ ଗ୍ରାହକଙ୍କୁ ଅଧିକ ଆଶଙ୍କାକୁ ଠେଲି ଦେଇଛି।

ବଳଙ୍ଗା ଘଟଣାର ୫ ଦିନ ପରେ ପୋଲିସର ହାତ ଖାଲି, ଏଯାଏଁ ଟେର ପାଉନି ତଦନ୍ତକାରୀ ଟିମ୍

ନିମାପଡ଼ା : ପୁରୀ ଜିଲ୍ଲା ବଳଙ୍ଗାରେ ୧୫ ବର୍ଷ ବୟସ୍କା ନାବାଳିକାଙ୍କୁ କିରୋସିନ ଢ଼ାଳି ପୋଡ଼ି ମାରିବାକୁ ଉଦ୍ୟମ ଘଟଣାରେ ପୋଲିସ ଏଯାଏଁ କାହାକୁ ଗିରଫ କରିବାରେ ସକ୍ଷମ ହୋଇନାହିଁ। ତଦନ୍ତକାରୀ ଟିମ୍ ଆଜି ପୁଣି ୩ ଜଣ ସ୍ଥାନୀୟ ଯୁବକଙ୍କୁ ଜେରା କରୁଛି। ଗତ ୫ ଦିନ ଭିତରେ ପୋଲିସ ପାଖାପାଖି ୧୮ ଜଣଙ୍କୁ ପଚରାଉଚରା କରିସାରିଲାଣି। କୋଣାର୍କ ଅଞ୍ଚଳରେ ଥିବା ପୀଡ଼ିତାଙ୍କ ମାମୁଁ ଘରେ ପୋଲିସ ପହଞ୍ଚି ପଚରାଉଚରା କରୁଛି। ଘଟଣାସ୍ଥଳକୁ ଯାଇ ପୋଲିସ ଯାଞ୍ଚ କରିଛି। କିନ୍ତୁ ଏଯାଏଁ କୌଣସି ଠୋସ ସୁରାକ୍ ମିଳୁନାହିଁ। ପୋଲିସର ତଦନ୍ତ ପୀଡ଼ିତାଙ୍କ ଗାଁ ନୂଆ ଗୋପାଳପୁର ଓ ଏହାର ଆଖପାଖ ଅଞ୍ଚଳରେ କେନ୍ଦ୍ରୀଭୂତ ହୋଇଥିବାରୁ ଘଟଣାର ରହସ୍ୟ ସଂପୃକ୍ତ ଅଞ୍ଚଳରେ ହିଁ ଛପି ରହିଥିବା ଅନୁମାନ କରାଯାଉଛି।

ସେପଟେ ଦିଲ୍ଲୀ ଏମ୍ସରେ ପୀଡ଼ିତା ନାବାଳିକାଙ୍କ ଚିକିତ୍ସା ଚାଲିଛି। ସ୍ବାସ୍ଥ୍ୟରେ ସାମାନ୍ୟ ଉନ୍ନତି ଆସିଥିବା ଚିକିତ୍ସା କରୁଥିବା ଡାକ୍ତର ମନୀଷ ସିଂଘଲଙ୍କ ସୂତ୍ରରୁ ଜଣାପଡ଼ିଛି। ଗତକାଲି ପୀଡ଼ିତା ପାଟି ବାଟେ ନରମ ଖାଦ୍ୟ ଖାଇଛନ୍ତି। କେତେକାଂଶରେ ହୋଇଛି ସ୍କିନ ଟ୍ରାନ୍ସପ୍ଲାଣ୍ଟ । ଆଜି ପୁଣି ତାଙ୍କର ଅସ୍ତ୍ରୋପଚାର ହେବ ବୋଲି ଜଣାପଡ଼ିଛି। ପୀଡ଼ିତାଙ୍କ ସ୍ବାସ୍ଥ୍ୟରେ ସାମାନ୍ୟ ଉନ୍ନତି ଆସିଥିଲେ ମଧ୍ୟ ସେ ଏବେ କୌଣସି ବୟାନ ଦେବା ସ୍ଥିତିରେ ନାହାନ୍ତି। ସ୍ବାସ୍ଥ୍ୟରେ ସୁଧାର ବୟାନ ଦେଇପାରିବେ ପୀଡ଼ିତା। ଭୁବନେଶ୍ବର ଏମ୍ସରେ ପୋଲିସ ପୀଡ଼ିତାଙ୍କ ବୟାନ ରେକର୍ଡ କରିଥିଲା। କିନ୍ତୁ ସେଥିରୁ ବିଶେଷ କିଛି ସୁରାକ୍ ମିଳିନାହିଁ। ତେଣୁ ପୁଣି ଦିଲ୍ଲୀ ଯାଇ ବୟାନ ରେକର୍ଡ କରିବାକୁ ଚାହୁଁଛି ପୋଲିସ। ବଳଙ୍ଗା ଘଟଣାରେ ଆମେ ଲଜ୍ଜିତ ବୋଲି ସୁପ୍ରିମକୋର୍ଟ କହିବା ପରେ ସମଗ୍ର ଦେଶରେ ଏହି ଘଟଣାକୁ ନେଇ ଚର୍ଚ୍ଚା ଜୋର ଧରିଛି। ସରକାରଙ୍କ ଉପରେ ମଧ୍ୟ ଅଭିଯୁକ୍ତଙ୍କୁ ଶୀଘ୍ର ଧରିବା ସହ ଘଟଣା ଉପରୁ ପରଦା ଉଠାଇବାର ଚାପ ରହିଛି।

ବେଦାନ୍ତ ଆଲୁମିନିୟମର ତୀରନ୍ଦାଜ ତାଲିମ ପଦକ୍ଷେପ, କଳାହାଣ୍ଡି ପାଇଁ ଗୌରବ ଆଣିଲେ ଯୁବ ତୀରନ୍ଦାଜ

ଭୁବନେଶ୍ୱର: ଭାରତର ସର୍ବବୃହତ ଆଲୁମିନିୟମ ଉତ୍ପାଦକ ବେଦାନ୍ତ ଆଲୁମିନିୟମ ଲାଞ୍ଜିଗଡ଼ରେ ଏହାର ପ୍ରମୁଖ କ୍ରୀଡା ତାଲିମ ପଦକ୍ଷେପ ମାଧ୍ୟମରେ କଳାହାଣ୍ଡିର ଯୁବ ତୀରନ୍ଦାଜମାନଙ୍କୁ ସମର୍ଥନ କରିଆସୁଛି । ଏହି ଅଞ୍ଚଳର ଜଣେ ଯୁବ ତୀରନ୍ଦାଜ ଖିରୋଦ କୁମାର କୋଲକାତାରେ ଅନୁଷ୍ଠିତ CBSE ପୂର୍ବଜୋନାଲ ତୀରନ୍ଦାଜ ଚାମ୍ପିଅନସିପରେ ଦୁଇଟି ସ୍ୱର୍ଣ୍ଣ ଏବଂ ଗୋଟିଏ କାଂସ୍ୟ ପଦକ ଜିତିଛନ୍ତି। ୧୯ବର୍ଷରୁ କମ ଭାରତୀୟ ରାଉଣ୍ଡ ବର୍ଗରେ ପ୍ରତିଯୋଗିତା କରି, ଖିରୋଦ ଉଲ୍ଲେଖନୀୟ ଧ୍ୟାନ ଏବଂ ସଠିକତା ପ୍ରଦର୍ଶନ କରି ଶ୍ରେଷ୍ଠ ପ୍ରଦର୍ଶନକାରୀ ଭାବରେ ଉଭା ହୋଇଛନ୍ତି। ଜଣେ ଅନୁଶାସିତ ଓ କ୍ରୀଡା   ଅନୁରାଗୀ ଛାତ୍ର ଭାବରେ, ସେ ପୂର୍ବରୁ ଜାତୀୟ ସ୍କୁଲ ତୀରନ୍ଦାଜ ଚାମ୍ପିଅନ ସିପରେ ପାଞ୍ଚଟି ସ୍ୱର୍ଣ୍ଣ ପଦକ ହାସଲ କରିବା ସହ ଗତ ତିନି ବର୍ଷ ଧରି ବେଦାନ୍ତର ତୀରନ୍ଦାଜ ତାଲିମ ପଦକ୍ଷେପ ଅଧୀନରେ ପ୍ରଶିକ୍ଷଣ ଗ୍ରହଣ କରୁଛନ୍ତି।

ଏହି ଅବସରରେ ବେଦାନ୍ତ ଆଲୁମିନା ବ୍ୟବସାୟର ସିଇଓ ପ୍ରଣବ କୁମାର ଭଟ୍ଟାଚାର୍ଯ୍ୟ କହିଛନ୍ତି, “ଖିରୋଦର ସଫଳତା ଆମର ତୃଣମୂଳସ୍ତରୀୟ କ୍ରୀଡା ପଦକ୍ଷେପର ପରିବର୍ତ୍ତନକାରୀ ପ୍ରଭାବର ଏକ ଶକ୍ତିଶାଳୀ ପ୍ରମାଣ। ବେଦାନ୍ତରେ, ଆମେ କ୍ରୀଡା ମାଧ୍ୟମରେ ଗ୍ରାମୀଣ ଯୁବପିଢ଼ିଙ୍କୁ ସଶକ୍ତ କରିବା, ଶୃଙ୍ଖଳା, ଆତ୍ମବିଶ୍ୱାସ ଏବଂ ଜାତୀୟ ଗର୍ବକୁ ପ୍ରୋତ୍ସାହିତ କରିବା ପାଇଁ ଗଭୀର ଭାବରେ ପ୍ରତିବଦ୍ଧ। ଆମେ ଖିରୋଦର ଉତ୍ସର୍ଗ ଏବଂ ପ୍ରତିଭା ପାଇଁ ଗର୍ବିତ,  ଏବଂ ଆମେ କଳାହାଣ୍ଡିରୁ ଏପରି ଆହୁରି ଅନେକ ଚାମ୍ପିଅନଙ୍କୁ ପ୍ରୋତ୍ସାହିତ କରିବା ପାଇଁ ପ୍ରତିବଦ୍ଧ।”

୨୦୧୮ମସିହାରେଆରମ୍ଭହୋଇଥିବା, ବେଦାନ୍ତର କ୍ରୀଡା ତାଲିମ ପଦକ୍ଷେପ ଅନୁନ୍ନତସମ୍ପ୍ରଦାୟର କ୍ରୀଡା ପ୍ରତିଭାଙ୍କୁ ଚିହ୍ନଟ ଏବଂ ପ୍ରୋତ୍ସାହିତ କରେ, ଗୁଣାତ୍ମକ ଉପକରଣ ଏବଂ ତାଲିମ ଭିତ୍ତିଭୂମିୟର ଉପଲବ୍ଧତା ସହିତ ଧନୁର୍ବିଦ୍ୟା ଏବଂ ଆଥଲେଟିକ୍ସରେ ବିଶେଷଜ୍ଞଙ୍କ ନେତୃତ୍ୱରେ ତାଲିମ ପ୍ରଦାନ କରେ। କମ୍ପାନୀ ଦେଶବ୍ୟାପୀ ବିଭିନ୍ନ ପ୍ରତିଯୋଗିତାରେ ସେମାନଙ୍କର ଅଂଶଗ୍ରହଣକୁ ମଧ୍ୟ ସୁବିଧା ପ୍ରଦାନ କରେ। ଆଜି ପର୍ଯ୍ୟନ୍ତ, ଏହି କାର୍ଯ୍ୟକ୍ରମ ଅଧୀନରେ ୧୦୦ରୁ ଅଧିକ ଯୁବ ତୀରନ୍ଦାଜଙ୍କୁ ତାଲିମ ଦିଆଯାଇଛି, ଯେଉଁମାନେ ଗତବର୍ଷ ରାଜ୍ୟ ଏବଂ ଜାତୀୟ ଚାମ୍ପିଅନସିପରେ ସାମୂହିକ ଭାବରେ ୪୦ ପଦକ ଜିତିଛନ୍ତି। ଗ୍ରାମୀଣ ଭାରତର ଯୁବ ଖେଳାଳିମାନଙ୍କ ପାଇଁ ଅର୍ଥପୂର୍ଣ୍ଣ ସୁଯୋଗ ସୃଷ୍ଟି କରିବା, ସେମାନଙ୍କର ପୂର୍ଣ୍ଣ ସମ୍ଭାବନାକୁ ଉନ୍ମୋଚନ କରିବା ଏବଂ ବିଶ୍ୱସ୍ତରୀୟ କ୍ରୀଡ଼ାରେ ଦେଶର ଉଦୀୟମାନ ଯୋଗଦାନ ପାଇଁ ବେଦାନ୍ତ ଆଲୁମିନିୟମ ତାର ମିଶନରେ ସ୍ଥିର ରହିଛି।

ତ୍ରିକୋଣୀୟ ପ୍ରେମର କରୁଣ ପରିଣତି, ନର୍ସିଙ୍ଗ ଛାତ୍ରୀଙ୍କ ବିଷଖାଇ ଆତ୍ମହତ୍ୟା ଉଦ୍ୟମ

ଉମରକୋଟ/ ଜୟପୁର :   ତ୍ରିକୋଣୀୟ ପ୍ରେମର କରୁଣ ପରିଣତି । ନର୍ସିଙ୍ଗ ଛାତ୍ରୀଙ୍କ ବିଷଖାଇ ଆତ୍ମହତ୍ୟା ଉଦ୍ୟମ । ଯୁବକଙ୍କ ମାନସିକ ଓ ଶାରୀରିକ ନିର୍ଯ୍ୟାତନା ସହି ନପାରି ଚରମ ନିଷ୍ପତ୍ତି ଅଭିଯୋଗ । ଏବେ ଛାତ୍ରୀ ଜଣକ ମୁର୍ତ୍ୟୁ ସହ କରୁଛନ୍ତି ସଂଗ୍ରାମ । ନବରଙ୍ଗପୁର ଜିଲ୍ଲା ରାଇଘର ଥାନା ଅଂଚଳରେ ଘଟିଛି ଏଭଳି ସାଂଘାତିକ ଘଟଣା । ରାଇଘର ଅଞ୍ଚଳର ଜଣେ ଯୁବତୀ ଜୟପୁରର ଏକ କଲେଜରେ BSC ନର୍ସିଙ୍ଗ ଦ୍ୱିତୀୟ ବର୍ଷର ଛାତ୍ରୀ । ପୋଡୋଶୀ ଗାଁର ଜଣେ ଯୁବକ ଝିଅଟିକୁ ପ୍ରେମ କରୁଥିଲେ । ଯୁବକ ଜଣକ ଭୁବନେଶ୍ବରରେ କୃଷି ଇଂଜିନୟରିଂ ପାଠ ପଢନ୍ତି । ଏଭିତରେ ଯୁବତୀ ଜଣଙ୍କର ଆଉ ଜଣଙ୍କ ସହ ପ୍ରେମ ସମ୍ପର୍କ ଗଢି ଉଠିଛି । ଏକଥା ଯୁବକ ଜଣକ ଜାଣିବା ପରେ ଗତ ଜୁଲାଇ ୧୩ ତାରିଖରେ ଜୟପୁରରେ ଯୁବତୀଙ୍କୁ ରାସ୍ତାରେ ଅଟକାଇ ମାଡ ମାରିଥିବା ଅଭିଯୋଗ ହୋଇଥିଲା । ଏନେଇ ଜୟପୁର ଟାଉନଥାନାରେ ଅଭିଯୋଗ ହୋଇ ଯୁବକ ଜଣକ ଗିରଫ ହୋଇଥିଲେ । ପରେ ଜାମିନରେ ମୁକୁଳି ଯୁବକ ଜଣକ ଯୁବତୀଙ୍କ ପ୍ରେମିକଙ୍କ ସହ ସମ୍ପର୍କକୁ ନେଇ ଛାନଭିନ କରିଥିଲେ । ଆଉ ଏ ସମ୍ପର୍କିତ ଫଟୋ ଓ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ କରିଥିଲେ । ଏହା ଜାଣିବା ପରେ ଯୁବତୀ ଜଣକ ସମାଜ ଲଜ୍ଜା ଓ ଅପମାନ ଭୟରେ ବିଷ ପିଇଦେଇଥିବା ଅଭିଯୋଗ ହୋଇଛି । ଜୁଲାଇ ୨୨ ରାତିରେ ଯବୁତୀଙ୍କ ଦାଦା ରାଇଘର ଥାନାରେ ଆଉ ଏକ ଏତଲା ଦେଇଛନ୍ତି । ଜୟପୁର ଟାଉନ ଥାନା ପୋଲିସ ଆରମ୍ଭରୁ ଅଭିଯୋଗକୁ ହାଲୁକା ଭାବେ ନେଇଥିବା ଯୁବତୀଙ୍କ ବାପା ଅଭିଯୋଗ କରିଛନ୍ତି ।

ସେପଟେ ପୀଡିତାଙ୍କ ବାପା ଆଣିଥିବା ଅଭିଯୋଗକୁ ଖଣ୍ଡନ କରିଛନ୍ତି ଜୟପୁର ଟାଉନ୍ ଥାନା ଅଧିକାରୀ  । ଜୁଲାଇ ୧୪ ତାରିଖରେ ଜୟପୁର ଟାଉନ ଥାନାରେ ଦିଆଯାଇଥିବା ଏତଲା ଆଧାରରେ ଯୁବକଙ୍କୁ ଗିରଫ କରାଯାଇ ସଙ୍ଗିନ ଦଫା ଲଗାଯାଇଥିଲା । ପରେ କୋର୍ଟ ଚାଲାଣ କରାଯାଇଥିବା ବେଳେ ସେ ବେଲରେ ଆସିଥିଲା । ଜୟପୁର ପୋଲିସ ପକ୍ଷରୁ କୌଣସି ପ୍ରକାର ବିଳମ୍ବ କିମ୍ବା କେସକୁ ହାଲକା ଭାବେ ନିଆଯାଇନଥିବା କହିଛନ୍ତି ଥାନାଧିକାରୀ । ଅନ୍ୟପଟେ ଜୁଲାଇ ୧୩ ତାରିଖରେ ପୀଡିତା ବାହାରକୁ ଯାଇଥିଲେ । ସେ ବିଳମ୍ବିତ ରାତିଯାଏଁ ନଫେରିବାରୁ ତାଙ୍କୁ ଫୋନ କରି ପଚାରାଯାଇଥିଲା । ହେଲେ ସେ ତାଙ୍କ ବାପାଙ୍କ ସହିତ କଲେଜକୁ ଫେରିବା ବେଳେ ଅଟୋରୁ ପଡିଯାଇଥିବା କହିଥିଲେ । ପରେ ଝିଅ ଓ ବାପା ରେଜିଷ୍ଟେରରେ ଦସ୍ତଖତ କରି ଘରକୁ ଚାଲିଯାଇଥିବା କହିଛନ୍ତି କଲେଜର ସୁପ୍ରିଟେଣ୍ଟଣ୍ଡ । କିଏ କହୁଛି ସତ, ଏନେଇ ଅନେକ ପ୍ରଶ୍ନ ସୃଷ୍ଟି ହୋଇଥିବା ବେଳେ ତଦନ୍ତ କରାଯାଇ ଯୁବକଙ୍କୁ ଗିରଫ ପାଇଁ ଦାବି ହୋଇଛି । ସେପଟେ ଗୁରୁତର ଅବସ୍ଥାରେ ନବରଙ୍ଗପୁର ମୁଖ୍ୟ ଚିକିତ୍ସାଳଯରେ ଚିକିତ୍ସିତ ହେଉଛନ୍ତି ପୀଡିତା ।

ହସ୍ପିଟାଲ ଅଛି, ହେଲେ ଉପଯୁକ୍ତ ସଂଖ୍ୟକ ଡାକ୍ତର କି ନର୍ସ ନାହାନ୍ତି

ବ୍ରହ୍ମପୁର : ହସ୍ପିଟାଲ ଅଛି, ହେଲେ ଉପଯୁକ୍ତ ସଂଖ୍ୟକ ଡାକ୍ତର କି ନର୍ସ ନାହାନ୍ତି । ଖାଲି ପଡିଛି ଅନେକ ପଦ ପଦବୀ । ଏକ ପ୍ରକାର କାମ ଚଳାରେ ଚାଲିଛି ସ୍ବାସ୍ଥ୍ୟସେବା । ଫଳରେ ନାହିଁ ନଥିବା ସମସ୍ୟାର ସମ୍ମୁଖୀନ ହେଉଛନ୍ତି ଗରିବ ରୋଗୀ । ଗଞ୍ଜାମ ଜିଲ୍ଲାରେ ଏଭଳି ପରିସ୍ଥିତି ସୃଷ୍ଟି ହୋଇଛି । ଜିଲ୍ଲାରେ ୬୯ % ପ୍ରତିଶତ ଡାକ୍ତର ପଦବୀ ଖାଲିପଡିଛି। ଜିଲ୍ଲା ମୁଖ୍ୟ ସ୍ବାସ୍ଥ୍ୟ ଅଧିକାରୀଙ୍କ ପକ୍ଷରୁ ଗଞ୍ଜାମ ଜିଲ୍ଲା ପରିଷଦଙ୍କୁ ଦେଇଥିବା ତଥ୍ୟରୁ ଏହା ଜଣାପଡିଛି । ଗଞ୍ଜାମ ଜିଲ୍ଲାରେ ୧୦୭୭ ଡାକ୍ତର ରହିବା କଥା । ତେବେ ଏଥିରୁ ୩୩୧ ଡାକ୍ତର ରୋଗୀ ସେବା ଯୋଗଉଛନ୍ତି । ଆହୁରି ୭୪୬ ଡାକ୍ତର ପଦବୀ ଖାଲି ପଡିଛି। ଜିଲ୍ଲାରେ ୬୩୭ ରୁ ୪୨୪ ନର୍ସ ପଦବୀ ମଧ୍ଯ ଖାଲି ରହିଛି । ସେହିପରି ୧୦ ଗୋଷ୍ଠୀ ସ୍ବାସ୍ଥ୍ୟ ଅଧିକାରୀ ପଦବୀ ଖାଲି ପଡ଼ିଥିବା ବେଳେ ୧୧୧ ଫାର୍ମାସିଷ୍ଟ, ୧୦୨୪ ବିଭିନ୍ନ ରେଡ଼ିଓଗ୍ରାଫର, ୪୧ ଲ୍ୟାବ ଟେକନିସିଆନ, ୩ ପିଏଚଇଓ, ୪ ଓପଲାମିକ ଆସିଷ୍ଟାଣ୍ଟ ପଦବୀ ଖାଲି ରହିଛି। ଜିଲ୍ଲାରେ  ମୋଟ ସ୍ବାସ୍ଥ୍ୟ ବିଭାଗରେ ୫୨.୪୮ ପ୍ରତିଶତ ବିଭିନ୍ନ ପଦ ପଦବୀ ଖାଲି ପଡିଥିବା ରିପୋର୍ଟରୁ ଜଣାପଡିଛି ।

ଜିଲ୍ଲାର ଛତ୍ରପୁର, ଭଞ୍ଜନଗର, ଆସିକା ଓ ହିଞ୍ଜିଳିରେ ଉପଖଣ୍ଡ ହସ୍ପିଟାଲ ରହିଥିବା ବେଳେ ୨ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର, ୯୩ ପ୍ରାଥମିକ ସେଣ୍ଟର ରହିଛି। ସ୍ବତନ୍ତ୍ର ନିଉ ବର୍ଣ୍ଣ କେୟାର ୟୁନିଟ ଛତ୍ରପୁର, ଆସିକା ଓ ହିଞ୍ଜିଳି ହସ୍ପିଟାଲରେ ନାହିଁ । ସେହିଭଳି ହିଞ୍ଜିଳି ଓ ଛତ୍ରପୁର ହସ୍ପିଟାଲରେ ନ୍ୟାସନାଲ ରିହାବିଲିଟେସନ ସେଣ୍ଟର ନାହିଁ । ଅପରପକ୍ଷରେ MKC, ବ୍ରହ୍ମପୁର ସିଟି ହସ୍ପିଟାଲ, ଛତ୍ରପୁର, ଭଞ୍ଜନଗର, ହିଞ୍ଜିଳି ଓ ଆସିକା ହସ୍ପିଟାଲରେ ମୃତଦେହ ବ୍ୟବଚ୍ଛେଦ ସେଣ୍ଟର ରହିଛି । ହେଲେ ଡାକ୍ତର ଅଭାବରୁ ଏହି ସେଣ୍ଟର କାର୍ଯ୍ୟକ୍ଷମ ହୋଇପାରୁ ନାହିଁ।  ଏହାର ପ୍ରତିକାର ପାଇଁ ସରକାର ତୁରନ୍ତ ଡାକ୍ତର ଦେବା ଆବଶ୍ୟକ ବୋଲି କହିଛନ୍ତି ଗଞ୍ଜାମ ଜିଲ୍ଲା ସ୍ବାସ୍ଥ୍ୟଧିକାରୀ ।

ପୁଣି ମୁଁହ ଖୋଲିଲେ ପିପିଲି ପୀଡ଼ିତା ମହିଳା RI

ପିପିଲି : ପୁଣି ମୁଁହ ଖୋଲିଲେ ପିପିଲି ପୀଡ଼ିତା ମହିଳା ଆରଆଇ ।  ନ୍ୟାୟ ଦେବା ପରିବର୍ତ୍ତେ ତାଙ୍କୁ ମାନସିକ ନିର୍ଯ୍ୟାତନା ଦିଆଯାଉଥିବା ପୁଣି ଅଭିଯୋଗ । ଖୋଦ ଇଣ୍ଟରନାଲ କମିଟିରେ ଥିବା ସମାଜ ମଙ୍ଗଳ ଅଧିକାରୀ ତାଙ୍କୁ କେସ ଉଠାଇବା ପାଇଁ ବାଧ୍ୟ କରୁଥିବା ଅଭିଯୋଗ ଆଣିଛନ୍ତି ଆର.ଆଇ । ସରକାରୀ ଚାକିରିରେ ଏମିତି ସବୁ ହୋଇଥାଏ । ତାକୁ ମ୍ୟାନେଜ କରିବାକୁ ପଡିବ ବୋଲି କୁହାଯାଉଥିବା ଅଭିଯୋଗ ଆଣିଛନ୍ତି ପୀଡିତା ଆରଆଇ । ସମାଜମଙ୍ଗଳ ଅଧିକାରିଣୀଙ୍କ ମାନସିକ ଚାପ ରେ ସେ ଭାରାକାନ୍ତ  ହୋଇ ଥିବା ମହିଳା ଆର ଆଇ ଜଣକ ଅଭିଯୋଗ କରିଛନ୍ତି। କେବଳ ସମାଜ ମଙ୍ଗଳ ଅଧିକାରିଣୀ ନୁହଁନ୍ତି କେସ ଉଠାଇବା ପାଇଁ ଅସମାଜିକ ବ୍ୟକ୍ତି ମଧ୍ୟ ତାଙ୍କୁ ଧମକ ଦେଉଥିବା ପୀଡିତା ଆରଆଇ କହିଛନ୍ତି । ଏଭଳି ଅଭିଯୋଗ ଆସିବା ପରେ ମହିଳାଙ୍କୁ ସୁରକ୍ଷା ଦେବା ପାଇଁ ଥିବା ଇଣ୍ଟରନାଲ କମିଟିକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି ।

ଏଭଳି ଘଟଣାକୁ ନେଇ ପୁଣିଥରେ ରାଜ୍ୟ ସରକାରଙ୍କୁ ସମାଲୋଚନା କରିଛି କଂଗ୍ରେସ । ମହିଳା ଆରଆଇଙ୍କୁ ସରକାର ନ୍ୟାୟ ପ୍ରଦାନ ନକଲେ ରାଜ୍ୟବ୍ୟାପୀ କଂଗ୍ରେସ ରାଜରାସ୍ତାକୁ ଓହ୍ଲାଇବ ବୋଲି ଚେତାବନୀ ଦେଇଛି । ରାଜ୍ୟରେ ପ୍ରତ୍ୟେକ ଦିନ ବିଭିନ୍ନ ସ୍ଥାନରେ ମହିଳା ନିର୍ଯ୍ୟାତିତ ହେଉଥିବା ଖବର ଏବେ ରାଜ୍ୟରେ ଚର୍ଚ୍ଚାର ବିଷୟ ପାଲଟିଛି । ମହିଳା ଆରଆଇଙ୍କୁ ଅସଦାଚରଣ ବେଳର ଭିଜୁଆଲ ସିସି ଟିଭିରେ ରହିଥିଲେ ମଧ୍ୟ ଅସଦାଚରଣ କରିଥିବା ଅତିରିକ୍ତ ତହସିଲଦାରଙ୍କୁ ଘଣ୍ଟ ଘୋଡାଇବାରେ ଲାଗିଛି ଜିଲ୍ଲା ପ୍ରଶାସନ  । ଇଣ୍ଟରନାଲ କମିଟି ନ୍ୟାୟ ତ ଦେବା ଦୂରର କଥା ମହିଳା ଆରଆଇଙ୍କୁ କେଶ ଉଠାଇବା ପାଇଁ ବାଧ୍ୟ କରିବା  ଏବଂ  ଘଟଣାରେ ଜିଲ୍ଲା ପ୍ରଶାସନ ନିରବ ରହିବା ବଡ଼ ପ୍ରଶ୍ନବାଚୀ ସୃଷ୍ଟି କରିଛି । ମେ ୨୪ ତାରିଖରେ ପିପିଲି ଅତିରିକ୍ତ ତହସିଲଦାର ପ୍ରବୋଧ କୁମାର ମହାନ୍ତି ତହସିଲ କାର୍ଯ୍ୟାଳୟରେ ଅସଦାଚରଣ କରିଥିବା ଅଭିଯୋଗ ହୋଇଥିଲା ।  ୨୫ ତାରିଖରେ ପିପିଲି ଥାନାରେ ଅଭିଯୋଗ କରିଥିଲେ ପୀଡିତା ମହିଳା ଆରଆଇ । ଅଭିଯୋଗ ପରେ ପିପିଲି ପୋଲିସ ମାମଲା ରୁଜୁ କରି ଚୁପ ବସିଥିବା ବେଳେ ପିପିଲି ତହସିଲଦାର ଇଣ୍ଟରନାଲ କମିଟି ଗଠନ କରିଥିଲେ । ମାତ୍ର ଅତିରିକ୍ତ ତହସିଲଦାରଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପରିବର୍ତ୍ତେ ବଦଳି କରାଯାଇ ତାଙ୍କୁ ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱ ଦିଆଯାଇଛି । ଏପଟେ ପୀଡିତା ଆରଆଇ ନ୍ୟାୟ ପାଇଁ ଏ ଦୁଆର ସେ ଦୁଆର ହେଉଛନ୍ତି ।