spot_img
Home Blog Page 6004

ପେଟ୍ରୋଲ ଦର ବୃଦ୍ଧି ନେଇ କଂଗ୍ରେସ ଓ ବିଜେପି ମୁହାଁମୁହିଁ, ପ୍ରତିବାଦରେ ଆସନ୍ତା ୧୫ ତାରିଖରେ କଂଗ୍ରେସର ଓଡ଼ିଶା ବନ୍ଦ ଡାକରା

ଭୁବନେଶ୍ୱର: ପେଟ୍ରୋଲ୍ ରାଜନୀତିରେ କଂଗ୍ରେସ ଓ ବିଜେପି ମୁହାଁମୁହିଁ। ପେଟ୍ରୋଲ୍ ଓ ଡିଜେଲ୍ ଦରବୃଦ୍ଧି ପ୍ରତିବାଦରେ ଆସନ୍ତା ୧୫ ତାରିଖରେ କଂଗ୍ରେସର ଓଡ଼ିଶା ବନ୍ଦ ଡାକରା। ସକାଳ ୭ଟାରୁ ଦିନ ଗୋଟାଏ ପର୍ଯ୍ୟନ୍ତ ଦଳ ଚକାବନ୍ଦ ଡାକରା ଦେଇଛି। ଦରବୃଦ୍ଧି ନେଇ ହାତ ଟେକିଦେଲା ବିଜେପି। ବଢ଼ି ଚାଲିଛି ପେଟ୍ରୋଲ୍ ଓ ଡିଜେଲ୍ ଦର। ତୈଳଦର ସର୍ବୋଚ୍ଚ ସ୍ତରରେ ପହଞ୍ଚିଥିଲେ ମଧ୍ୟ କେନ୍ଦ୍ର ସରକାର ନିଦାବିଷ୍ଣୁ ସାଜିଛନ୍ତି।

ଏହାର ପ୍ରତିବାଦରେ ଆସନ୍ତା ୧୫ ତାରିଖରେ ରାସ୍ତାକୁ ଓହ୍ଲାଇବ ରାଜ୍ୟ କଂଗ୍ରେସ୍। ସକାଳ ୭ଟାରୁ ଦିନ ଗୋଟାଏ ପର୍ଯ୍ୟନ୍ତ ଓଡ଼ିଶା ବନ୍ଦ ଡାକରା ଦେଇଛି ଦଳ। ପେଟ୍ରୋଲ୍ ଓ ଡିଜେଲ୍ ଦର ବୃଦ୍ଧି ଯୋଗୁ ସାଧାରଣ ଲୋକ ଅସୁବିଧା ଭୋଗୁଛନ୍ତି। କେନ୍ଦ୍ର ସରକାରଙ୍କ ଏହି ଖାଉଟିମାରଣ ନୀତି ବିରୋଧରେ କଂଗ୍ରେସ ରାସ୍ତାକୁ ଓହ୍ଲାଇବ ବୋଲି ପିସିସି ସଭାପତି କହିଛନ୍ତି। ବନ୍ଦକୁ ସଫଳ କରିବାକୁ ଲୋକଙ୍କ ସହଯୋଗ ଲୋଡ଼ିଛନ୍ତି ନିରଞ୍ଜନ।

ସେପଟେ କଂଗ୍ରେସର ବନ୍ଦ ଡାକରାକୁ କଟାକ୍ଷ କରିଛନ୍ତି ବିରୋଧୀ ଦଳ ନେତା। ବିରୋଧୀ ଦଳ ନେତା ପ୍ରଦୀପ୍ତ ନାୟକ କହିଛନ୍ତି, ପ୍ରତିବାଦ କରିବାକୁ କଂଗ୍ରେସର ଅଧିକାର ଅଛି। ତେବେ ଅନ୍ତର୍ଜାତୀୟ ବଜାରରେ ପେଟ୍ରୋଲ୍ ଦର ସ୍ଥିର କରାଯାଏ। ଏଥିରେ କେନ୍ଦ୍ର ସରକାରଙ୍କର କୌଣସି ଭୂମିକା ନାହିଁ ବୋଲି ଚିରାଚରିତ ଢଙ୍ଗରେ ବିଜେପି ସଫେଇ ଦେଇଛି। ଲଗାତାର ଭାବେ ପେଟ୍ରୋଲ ଓ ଡିଜେଲ୍ ଦର ବୃଦ୍ଧି ପାଉଛି । ଓଡ଼ିଶାରେ ପେଟ୍ରୋଲ୍ ଦର ୮୭ ଟଙ୍କା ଟପି ଥିବାବେଳେ ଡିଜେଲ୍ ଦର ଟପିଛି ୮୪ ଟଙ୍କା ।

ଆସନ୍ତା ୧୩ ତାରିଖରେ ଜାତି ନନ୍ଦିଘୋଷ କନକ୍ଲେଭ: ଜାଣନ୍ତୁ କ’ଣ ହେବ ଏହି କାର୍ଯ୍ୟକ୍ରମରେ

ଭୁବନେଶ୍ୱର: ଆସନ୍ତା ୧୩ ତାରିଖରେ ନନ୍ଦିଘୋଷ ଟିଭିକୁ ୧ ବର୍ଷ ପୂରିବ। ଏହି ଅବସରରେ ଆୟୋଜନ ହେବାକୁ ଯାଉଛି ସ୍ୱତନ୍ତ୍ର ଚିନ୍ତନ କାର୍ଯ୍ୟକ୍ରମ ଜାତି ନନ୍ଦିଘୋଷ କନକ୍ଲେଭ।ଏହି କାର୍ଯ୍ୟକ୍ରମରେ ବିଶିଷ୍ଟ ନିମନ୍ତ୍ରିତ ଅତିଥି ଭାବେ ଯୋଗ ଦେବେ ସାମ୍ବାଦିକ ପ୍ରଭୁ ଚାୱଲା। ଓଡ଼ିଶା ବିଷୟରେ ଚିନ୍ତା କରୁଥିବା ଏବଂ ଏହାର ଭାଷା, ସଂସ୍କୃତି, ଅର୍ଥନୀତି ଓ ରାଜନୀତିକୁ ଆଗକୁ ବଢ଼ାଇବା ଲାଗି ଚିନ୍ତା କରୁଥିବା ବିଶିଷ୍ଟ ବ୍ୟକ୍ତିମାନଙ୍କୁ ନେଇ ଏହି କାର୍ଯ୍ୟକ୍ରମରେ କିଛି ଗୁରୁତ୍ବପୂଣ୍ଣ ବିଷୟକୁ ଆଲୋଚନା କରାଯିବ। ସେଥିଲାଗି ସମ୍ପୂର୍ଣ୍ଣ କାର୍ଯ୍ୟକ୍ରମକୁ ୭ଟି ଅଧିବେଶନରେ ଭାଗ କରାଯାଇଛି। ଟେଲିଭିଜନ୍ ପରିଚାଳନା ପକ୍ଷରୁ ନେଇ ଆବଶ୍ୟକ ପ୍ରସ୍ତୁତି ଶେଷ ହୋଇଛି। ଆପଣ ମଧ୍ୟ ଏହି କାର୍ଯ୍ୟକ୍ରମରେ ଭାଗ ନେଇପାରିବେ। ଯେକୌଣସି ସ୍ଥାନରେ ଆପଣ ଟେଲିଭିଜନ୍ କିମ୍ବା ଆମ ୱେବ୍‌ସାଇଟ ଅଥବା ବିଭିନ୍ନ ସୋସିଆଲ୍ ମିଡିଆ ହ୍ୟାଣ୍ଡଲରେ ଏହି କାର୍ଯ୍ୟକ୍ରମକୁ ସିଧାସଳଖ ଦେଖିବା ସହ ମତାମତ ଦେଇପାରିବେ।
ଏହି କନକ୍ଲେଭରେ ନିଜ ନିଜର କୃତୀତ୍ବ ଓ ଅବଦାନ ଲାଗି ଓଡ଼ିଶାର ୨୧ ଜଣ ବିଶିଷ୍ଯ ବ୍ୟକ୍ତିଙ୍କୁ ସମ୍ମାନିତ କରାଯିବ। ଉଚ୍ଚପଦାଧିକାରୀ ତଥା ପ୍ରତିଷ୍ଠିତ ବ୍ୟକ୍ତିତ୍ୱଙ୍କୁ ସମ୍ମାନୀତ ମଧ୍ୟ କରାଯିବ। ସେମାନଙ୍କ ମଧ୍ୟରେ ଆଇପିଏସ୍ ସତ୍ୟଜିତ୍ ମହାନ୍ତି, ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତ କୁଲାଙ୍ଗେ, ଓଡ଼ିଶା ମୋ ପରିବାରର ଆବାହକ ଅରୁପ ପଟ୍ଟନାୟକ, ସୋଆ ସଭାପତି ମନୋଜରଞ୍ଜନ ନାୟକ, ଅଭିନେତା ସବ୍ୟସାଚୀ ମିଶ୍ର, ଓଏସ ଟପ୍ପର ଦେବାଶୀଷ ପଣ୍ଡା, ଶିଳ୍ପପତି ସୌୟୁଦ ସିରାଜୁଦ୍ଦିନ, ପ୍ରବୋଧ ମହାନ୍ତି, ତାରାକାନ୍ତ ପଟ୍ଟନାୟକ, କରୋନା ବିଜ୍ଞାପନ ମାଧ୍ୟମରେ ଘରେ ଘରେ ପରିଚିତ ହୋଇଥିବା କରୋନା ମାଉସୀ ବିଜୟଲକ୍ଷ୍ମୀ ପ୍ରହରାଜ, ବୈଜ୍ଞାନିକ ଓମ୍ ବେବର୍ତା, ଐତିହ୍ୟ ସଂରକ୍ଷକ ଅନିଲ୍ ଧିର୍, ପ୍ରତୀକ ପଟ୍ଟନାୟକ, ଟ୍ୱିଟର ଗର୍ଲ ଦୀପା ବାରିକ, କତାରସ୍ଥିତ ପ୍ରବାସୀ ଓଡ଼ିଆ ସଂଗଠନ ଉତ୍କଳିକା କତାର ପ୍ରଭୃତି ସାମିଲ ରହିଛନ୍ତି।

ଏମାନଙ୍କ ବ୍ୟତୀତ, କରୋନାରେ ପ୍ରାଣ ହରାଇଥିବା କରୋନା ଯୋଦ୍ଧା ସାମ୍ବାଦିକ ପ୍ରବୀର ପ୍ରଧାନ, ତାରିଣୀ ପାଢ଼ୀ ଏବଂ ରୁଦ୍ର ମହାପାତ୍ରଙ୍କ ପରିବାର ବର୍ଗଙ୍କୁ ମଧ୍ୟ ସମ୍ମାନୀତ କରାଯିବ। ପ୍ରଥମ ଅଧିବେଶନରେ ‘ବିକାଶ ଧାରାରେ କେନ୍ଦ୍ର-ରାଜ୍ୟ ସମ୍ପର୍କ’ ପ୍ରସଙ୍ଗକୁ ନେଇ ଆଲୋଚନା ହେବ। ଏଥିରେ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ, ପୂର୍ବତନ ବିଜେପି ସାଂସଦ ଖାରବେଳ ସ୍ୱାଇଁ, ବିଜେଡି ସାଂସଦ ଅମର ପଟ୍ଟନାୟକ ନିଜର ମତାମତ ରଖିବେ।

ଦ୍ୱିତୀୟ ଅଧିବେଶନରେ ‘ମହାମାରୀ ପରର ଅର୍ଥନୀତି’ ପ୍ରସଙ୍ଗରେ ଆଲୋଚନା ହେବ। ଏଥିରେ କୋରାପୁଟ ସେଣ୍ଟ୍ରାଲ ୟୁନିଭରସିଟିର ପ୍ରୋ ଭାଇସ୍ ଚ୍ୟାନେଲର ପ୍ରଫେସର କ୍ଷିତିଶ୍ ଭୂଷଣ ଦାସ ଓ ଅର୍ଥନୀତିଜ୍ଞ ବିଜୟ କୁମାର ସାହୁ ଭାଗନେବେ। ସେହିପରି ତୃତୀୟ ଅଧିବେଶନରେ ‘ଓଡ଼ିଶାର ରୂପାନ୍ତର’ ପ୍ରସଙ୍ଗ ଆଲୋଚନା ହେବାକୁଥିବାବେଳେ ଏଥିରେ ଓଡ଼ିଶାର ଉନ୍ନୟନ କମିଶନର ପ୍ରଦୀପ ଜେନା, ନାଲ୍କୋ ସିଏମଡି ଶ୍ରୀଧର ପଣ୍ଡା, କିମ୍ବଦନ୍ତୀ ହକି ଖେଳାଳୀ ଦିଲ୍ଲୀପ ତ୍ତିର୍କୀ ଭାଗନେବେ।

ଚତୁର୍ଥ ଅଧିବେଶନରେ ସିନେମା ଏବଂ ସୋସିଆଲ ମିଡିଆ ସମ୍ପର୍କରେ ଆଲୋଚନା ହେବ ଏବଂ ଏଥିରେ ଅଭିନେତା ସବ୍ୟସାଚୀ ମିଶ୍ର, ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀ, ସିନେମା ସମୀକ୍ଷକ ପିୟୁଷ ରାୟ ଭାଗନେବେ। ପଞ୍ଚମ ଅଧିବେଶନରେ ’ଓଡ଼ିଆ ସାହିତ୍ୟ- ଆସନ୍ତା କାଲି’ ପ୍ରସଙ୍ଗରେ ଆଲୋଚନା ହେବାକୁଥିବାବେଳେ ପ୍ରତିଷ୍ଠିତ ଲେଖକ ବିଭୁତି ପଟ୍ଟନାୟକ, ସାହିତ୍ୟ ଏକାଡେମୀ ସଭାପତି ହରିହର ମିଶ୍ର, ଲେଖିକା ଅପର୍ଣ୍ଣା ମହାନ୍ତି ପ୍ରମୁଖ ଆଲୋଚନାଚକ୍ରରେ ସାମିଲ ହେବେ।

ଉତ୍ସବ ଶେଷରେ ସାଂସ୍କୃତିକ କାର୍ଯ୍ୟକ୍ରମ ଆୟୋଜନ ହେବ। ଏହିସମୟରେ କଣ୍ଠଶିଳ୍ପୀ ନାଜିୟା ଆଲମ, ମହାପ୍ରସାଦ କର ଏବଂ ସନ୍ଦିପ ପାଲିତ ପ୍ରମୁଖଙ୍କ କଣ୍ଠ ସ୍ବରରେ ଦର୍ଶକ ବିମୋହିତ ହେବେ।

ଏନଏମ୍‌ଏ ଷଡ଼ଯନ୍ତ୍ର ନେଇ କେନ୍ଦ୍ର ଉପରେ ବର୍ଷିଲେ ବିଜୟ ମହାପାତ୍ର

ଭୁବନେଶ୍ୱର: ବିଜେପି ନେତାଙ୍କ ବିଜେପି ସରକାରଙ୍କୁ ଟାର୍ଗେଟ । କେନ୍ଦ୍ର ସରକାରଙ୍କ ଉପରେ ବର୍ଷିଛନ୍ତି ବରିଷ୍ଠ ବିଜେପି ନେତା ବିଜୟ ମହାପାତ୍ର । ଶ୍ରୀମନ୍ଦିର ବିରୋଧରେ କେନ୍ଦ୍ର ସରକାରଙ୍କ ଚକ୍ରାନ୍ତ ସନ୍ଦେହ କରି ନ୍ୟାସନାଲ ମନ୍ୟୁମେଣ୍ଟ ଅଥରିଟିର କାର୍ଯ୍ୟକଳାପ ବିରୋଧରେ ତଦନ୍ତ ଦାବି କରିଛନ୍ତି ବିଜୟ । ରାଜ୍ୟ ବିଜେପିର ଏହି ବରିଷ୍ଠ ନେତା କେନ୍ଦ୍ର ବିଜେପିକୁ ଘେରିବା ପରେ ବ୍ୟାକଫୁଟକୁ ଆସିଛି ଦଳ ।

ହେଲେ ମୁହଁ ଟାଣ କରି ଆରୋପ ପ୍ରତ୍ୟାରୋପ ରାଜନୀତିରେ ବ୍ୟସ୍ତ ବିଜେପି । ପ୍ରଥମେ ଆଇନ କରିବାକୁ ପରାମର୍ଶ ମାଗିବା ଓ ପରେ ପ୍ରତ୍ୟାହର କରିବା ନାଟକ ବିରୋଧରେ ବର୍ଷିଛନ୍ତି ବିଜେପି ଏହି ହେଭିଓ୍ବେଟ । କାହା ଇଙ୍ଗିତରେ ଏପରି ସ୍ପର୍ଶକାତର ଡ୍ରାଫଟ ପ୍ରସ୍ତାବ ଆଣାଯାଇଥିଲା ବୋଲି ସେ ପ୍ରଶ୍ନ କରିଛନ୍ତି । ଏନଏମଏ ଅଧ୍ୟକ୍ଷଙ୍କ ଅଜାଣତରେ ହୋଇଥିବା କଥା ଉପରେ ବି ବିଜୟଙ୍କ ବିଶ୍ବାସ ନାହିଁ । ଏହି ଘଟଣାର ତଦନ୍ତ ଦାବି କରି କେନ୍ଦ୍ର ବିଜେପିକୁ କାଠଗଡ଼ାକୁ ଟାଣିଛନ୍ତି ବିଜୟ ।

କେନ୍ଦ୍ର ସରକାରଙ୍କ ତ୍ରୁଟିକୁ ରାଜ୍ୟ ବିଜେପି ସାଂସଦ ଅନୁଭବ କରି କେନ୍ଦ୍ର ପର୍ଯ୍ୟଟନ ମନ୍ତ୍ରୀଙ୍କୁ ଭେଟିଥିଲେ । ପ୍ରସ୍ତାବ ପ୍ରତ୍ୟାହର ବି ହେଲା । ହେଲେ ଏଯାଏ କେନ୍ଦ୍ରର ଓକିଲାତି କରିବା ବନ୍ଦ କରି ନାହିଁ ରାଜ୍ୟ ବିଜେପି । ଏନଏମଏର ତ୍ରୁଟି ପାଇଁ ରାଜ୍ୟ ସରକାରଙ୍କ ଅଧିକାରୀଙ୍କୁ ଦାୟୀ କରି ଘଟଣାକୁ ଭିନ୍ନ ମୋଡ଼ ଦେବାକୁ ଚେଷ୍ଟା କରିଛନ୍ତି ରାଜ୍ୟ ବିଜେପି ନେତା । ଯାହାକୁ କଟାକ୍ଷ କରିଛି ବିଜେଡି ।

ରାଜ୍ୟ ବଜେଟର ରୂପରେଖ କଣ ହେବ, କେଉଁ କ୍ଷେତ୍ରକୁ ଗୁରୁତ୍ୱ ଦେବେ ରାଜ୍ୟ ସରକାର ?

ଭୁବନେଶ୍ୱର: ରାଜ୍ୟ ବଜେଟର ରୂପରେଖ କଣ ହେବ ? କେଉଁ କ୍ଷେତ୍ରକୁ ରାଜ୍ୟ ସରକାର ଗୁରୁତ୍ୱ ଦେବେ ? କରୋନା ମହାମାରୀରେ ଅର୍ଥନୀତି ବିଗିଡ଼ିଥିଲେ ମଧ ଏଥର ବଜେଟର ରୂପରେଖ ବୃଦ୍ଧି ପାଇବ । ଗତବର୍ଷ ବଜେଟର ଆକାର ୧ଲକ୍ଷ ୬୫ ହଜାର କୋଟି ହୋଇଥିବା ବେଳେ ଏଥର ତାହା ବୃଦ୍ଧି ପାଇଁ ୧ଲକ୍ଷ  ୭୫ହଜାର କୋଟି ହେବ ବୋଲି ଅନୁମାନ କରାଯାଉଛି। ଏଥର ବଜେଟରେ ସ୍ୱାସ୍ଥ୍ୟ, ଶିଳ୍ପ ଓ ଗମନାଗମନକୁ ରାଜ୍ୟ ସରକାର ଫୋକସ କରିବେ। ଚଳିତ ବର୍ଷ ବଜେଟ୍ ଚ୍ୟାଲେଞ୍ଜପୂର୍ଣ୍ଣ ହୋଇଥିବାରୁ ରାଜ୍ୟ ସରକାର ଏକ ଲୋକାଭିମୁଖୀ ବଜେଟ୍ ଆଣିବାକୁ ସବୁପ୍ରକାର ପ୍ରସ୍ତୁତି ସାରିଥିବା ଶାସକ ଦଳ କହିଛି।

କେନ୍ଦ୍ର ବଜେଟରେ ରାଜ୍ୟର ଅଂଶ କମିବା ସହ ଟିକସ ହାର ମଧ୍ୟ କମିଛି। ଏଭଳି ସ୍ଥିତିରେ ରାଜ୍ୟ ଲୋକାଭିମୁଖୀ ଯୋଜନା ପାଇଁ ଅଧିକ ବ୍ୟୟ ବରାଦ କରିବା, ବିଶେଷ କରି ସ୍ୱାସ୍ଥ୍ୟ କ୍ଷେତ୍ରକୁ ଅଧିକ ଗୁରୁତ୍ୱ ଦେବା ଆବଶ୍ୟକ ବୋଲି ପୂର୍ବତନ ଅର୍ଥମନ୍ତ୍ରୀ ପଞ୍ଚାନନ କାନୁନଗୋ କହିଛନ୍ତି। ସେପଟେ ବିରୋଧୀ ଦଳ ନେତା କହିଛନ୍ତି ଯେ, ବଜେଟରେ ଏଥର ସ୍ୱାସ୍ଥ୍ୟକୁ ଗୁରୁତ୍ୱ ଦିଆଯିବା ଉଚିତ।

ଆସନ୍ତା ୨୨ ତାରିଖ ଦିନ ଅର୍ଥମନ୍ତ୍ରୀ ନିରଞ୍ଜନ ପୁଜାରୀ ବଜେଟ୍ ଉପସ୍ଥାପନ କରିବେ। ତେବେ କେନ୍ଦ୍ର ବଜେଟରେ ଓଡ଼ିଶା ଯାହା ଆଶା କରିଥିଲା ତାହା ମିଳିନାହିଁ। କରୋନା ଓ ଆର୍ଥିକ ମାନ୍ଦାବସ୍ତା ସତ୍ୱେ ରାଜ୍ୟ ରାଜସ୍ୱ ବୃଦ୍ଧି ପାଇଛି। ତେଣୁ ଏଥର ବଜେଟ୍ ଲୋକାଭିମୁଖୀ କରିବା ଦିଗରେ ସରକାର ଗୁରୁତ୍ୱ ଦେଇଛନ୍ତି। ବଜେଟକୁ ନେଇ ପୂର୍ବରୁ ଅର୍ଥ ବିଭାଗ ପୂର୍ବତନ ଅର୍ଥମନ୍ତ୍ରୀ, ଅର୍ଥନୈତିକ ବିଶେଷଜ୍ଞ ଓ ସାଧାରଣ ଲୋକଙ୍କର ମତାମତ ଗ୍ରହଣ କରିଛନ୍ତି।

ସରିଲା ରାଜ୍ୟ କ୍ୟାବିନେଟ ବୈଠକ, ୨୭ଟି ପ୍ରସ୍ତାବ ଉପରେ ବାଜିଲା ମୋହର

ଭୁବନେଶ୍ୱର: ସରିଲା ରାଜ୍ୟ କ୍ୟାବିନେଟ ବୈଠକ । ୨୭ଟି ପ୍ରସ୍ତାବ ଉପରେ ବାଜିଲା ମୋହର । ମହିଳା ଶିଶୁ କଲ୍ୟାଣ, କୃଷି, ମିଶନ ଶକ୍ତି, ସାମାଜିକ ସୁରକ୍ଷା ପ୍ରକଳ୍ପକୁ କ୍ୟାବିନେଟର ମଞ୍ଜୁରୀ ମିଳିଛି । ଏଥିସହ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର ପ୍ରକଳ୍ପକୁ ମଧ୍ୟ କ୍ୟାବିନେଟ୍‌ ଅନୁମୋଦନ ଦେଇଛି ।

ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ବସିଥିଲା କ୍ୟାବିନେଟ୍ ବୈଠକ । ହସ୍ତଶିଳ୍ପ କ୍ଷେତ୍ରକୁ ସ୍ୱତନ୍ତ୍ର ଭାବେ ପ୍ରାଧାନ୍ୟ ଦିଆଯାଉଛି । ନିଯୁକ୍ତି ସମସ୍ୟାକୁ ଦୃଷ୍ଟିରେ ରଖି ଓଡ଼ିଶା ହସ୍ତଶିଳ୍ପ ସେବା ନିୟମ ୨୦୨୧ ଘୋଷଣା ହୋଇଛି । ହସ୍ତଶିଳ୍ପ କ୍ଷେତ୍ରରେ ନିଯୁକ୍ତି ହେଲେ ସେହି ବିଭାଗ ଅଧିନରେ ରହି କାର୍ଯ୍ୟ କରିବେ । ପୂର୍ବରୁ ହସ୍ତଶିଳ୍ପ ଏବଂ ଅଣୁ କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ ସେହି ବିଭାଗ ଅଧିନରେ ଥିଲେ । ସାମାଜିକ ସୁରକ୍ଷା ପାଇଁ ପ୍ରସ୍ତାବକୁ କ୍ୟାବିନେଟରେ ମୋହର ବାଜିଛି । ରାଜ୍ୟର ସମସ୍ତ ଜିଲ୍ଲାରେ ପ୍ରର୍ଯ୍ୟାୟକ୍ରମେ ଭିତ୍ତିଭୂମି ପ୍ରକଳ୍ପ ନିର୍ମାଣ ହେବ । ପ୍ରଥମ ପର୍ଯ୍ୟାୟରେ ୧୦ଟି ଜିଲ୍ଲାରେ ପ୍ରକଳ୍ପ ନିର୍ମାଣ ହେବ । ଜିୟଲୋଜିଷ୍ଟ ପୋଷ୍ଟ୍‌ର ବିଭିନ୍ନ ଗ୍ରେଡ୍‌ରେ ଥିବା ଖାଲି ପଦବୀ ଗୁଡ଼ିକୁ ପୂରଣ ପାଇଁ ଅନୁମୋଦନ ମିଳିଛି । ଓଡ଼ିଶା ଭୂତଳ ଜଳ ଭୂବିଜ୍ଞାନ ସେବା ନିୟମ ୨୦୨୦କୁ ମଧ୍ୟ କ୍ୟାବିନେଟ୍‌ରେ ଅନୁମୋଦନ ମିଳିଛି ।

ଦେଶରେ କମିଲାଣି କରାେନା ଭୟ; ୧୫ ରାଜ୍ୟରେ ଗତ ୨୪ ଘଣ୍ଟାରେ ମୃତ୍ୟୁ ସଂଖ୍ୟା ଶୂନ

ନୂଆଦିଲ୍ଲୀ: ସୁଧୁରୁଛି ସ୍ଥିତି । କରୋନା ପ୍ରତି କମୁଛି ଭୟ । ଦେଶର ୧୫ଟି ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳରୁ ଗତ ୨୪ ଘଣ୍ଟା ମଧ୍ୟରେ ଗୋଟିଏ ବି କରୋନା ଜନିତ ମୃତ୍ୟୁ ଖବର ସାମ୍ନାକୁ ଆସିନାହିଁ । ଏହାସହିତ ସାତୋଟି ରାଜ୍ୟ ଏବଂ କେନ୍ଦ୍ରଶାସିତ ଅଞ୍ଚଳରେ ଗତ ତିନି ସପ୍ତାହ ମଧ୍ୟରେ କରୋନାରେ ଆକ୍ରାନ୍ତ ହୋଇ କେହି ମୃତ୍ୟୁ ବରଣ କରିନାହାନ୍ତି । କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ସଚିବ ରାଜେଶ ଭୂଷଣ ମଙ୍ଗଳବାର ଏକ ସାମ୍ବାଦିକ ସମ୍ମିଳନୀରେ ଏନେଇ ସୂଚନା ଦେଇଛନ୍ତି ।

ଭାରତରେ ଦୈନିକ କୋଭିଡ୍ -୧୯ ସଂକ୍ରମଣ ମାମଲା ମଧ୍ୟ ହ୍ରାସ ପାଉଛି । ମନ୍ତ୍ରଣାଳୟ ପକ୍ଷରୁ ସ୍ପଷ୍ଟ କରାଯାଇଛି ଯେ, ପ୍ରତ୍ୟେକ ଦିନ କୋଭିଡ୍‌ ସଂକ୍ରମଣ ମାମଲା କମିବାରେ ଲାଗିଛି । ସେହିଭଳି ସୁସ୍ଥତା ହାର ମଧ୍ୟ ବଢ଼ୁଛି । ତେଣୁ କରୋନା ଚିକିତ୍ସିତ ହେଉଥିବା ରୋଗୀଙ୍କ ସଂଖ୍ୟା ମଧ୍ୟ କମିଛି । ଖୋଲି ସେତିକି ନୁହେଁ ପୁରା ଦେଶରେ କୋଭିଡ୍‌ ଯୋଗୁଁ ହେଉଥିବା ମୃତ୍ୟୁ ସଂଖ୍ୟା ମଧ୍ୟ ହ୍ରାସ ପାଉଛି । ମନ୍ତ୍ରଣାଳୟ କହିଛି ଯେ ଜାନୁଆରୀ ଦ୍ୱିତୀୟ ସପ୍ତାହରେ ଦିନକୁ ହାରାହାରି ମୃତ୍ୟୁ ୨୧୧ ଥିଲା ଏବଂ ଫେବୃଆରୀ ଦ୍ୱିତୀୟ ସପ୍ତାହରେ ଏହା ୫୫ ପ୍ରତିଶତ ହ୍ରାସ ପାଇ ୯୬କୁ ଖସି ଆସିଛି ।

ଭାରତରେ କରୋନା ଚିକିତ୍ସିତଙ୍କ ସଂଖ୍ୟା ମଧ୍ୟ କମିଛି । ଏବେ ୧.୪୩ ଲକ୍ଷ ଲୋକ ଚିକିତ୍ସିତ ହେଉଛନ୍ତି । ଯାହା ସମୁଦାୟ ସଂକ୍ରମଣର ମାତ୍ର ୧.୩୨ ପ୍ରତିଶତ । ଗତ ଚବିଶ ଘଣ୍ଟା ମଧ୍ୟରେ,୧୪ ଜହାର ୧୬ ଜଣ କରୋନା ରୋଗୀ ସୁସ୍ଥ ହୋଇଛନ୍ତି । ଏବେ ସୁଦ୍ଧା, ମୋଟ ୧,୦୫,୪୮,୫୨୧ ଜଣ କରୋନା ରୋଗୀ ସୁସ୍ଥ ହୋଇସାରିଛନ୍ତି ।

୨୦୧୯-୨୦ ଶିକ୍ଷା ବର୍ଷରେ ନବମ ଶ୍ରେଣୀରେ ପାଠ ପଢ଼ୁଥିବା ଛାତ୍ରଛାତ୍ରୀ ୨୦୨୧ରେ ଦେଇପାରିବେ ମାଟ୍ରିକ ପରୀକ୍ଷା

ଭୁବନେଶ୍ୱର: ୨୦୧୯-୨୦ ଶିକ୍ଷା ବର୍ଷରେ ନବମ ଶ୍ରେଣୀରେ ପାଠ ପଢ଼ୁଥିବା ସମସ୍ତ ଓଡ଼ିଆ ମାଧ୍ୟମ ଛାତ୍ରଛାତ୍ରୀ ୨୦୨୧ରେ ରେ ମାଟ୍ରିକ ପରୀକ୍ଷା ଦେଇପାରିବେ। ଏନେଇ ଘୋଷଣା କରିଛନ୍ତି ରାଜ୍ୟ ସରକାର। ଏହି ସମସ୍ତ ପରୀକ୍ଷା ଓଡ଼ିଆ ମାଧ୍ୟମ ଛାତ୍ରଛାତ୍ରୀଙ୍କ ପାଇଁ ପ୍ରଯୁଜ୍ୟ। କୋଭିଡ କାରଣରୁ ରାଜ୍ୟରେ ସବୁ ଶିକ୍ଷାନୁଷ୍ଠାନ ମାର୍ଚ୍ଚ ୨୦୨୦ରୁ ବନ୍ଦ ରହିଥିଲା। ସେଥିପାଇଁ ନବମ ଶ୍ରେଣୀର ବାର୍ଷିକ ପରୀକ୍ଷା ହୋଇପାରି ନଥିଲା। ତେବେ ନବମ ପରୀକ୍ଷା ଦେଇପାରି ନଥିବା ମାଟ୍ରିକ ପରୀକ୍ଷା ପାଇଁ ବହୁତ ଚିନ୍ତିତ ରହିଥିଲେ।

ଏବେ ତାଙ୍କର ସବୁ ଚିନ୍ତା ପୁରଣ ହୋଇଛି। ପିଲାମାନଙ୍କର ମାନସିକ ଚାପକୁ ଦୃଷ୍ଟି ରଖି ଏପରି ନିଷ୍ପତ୍ତି ନେଇଛନ୍ତି ରାଜ୍ୟ ସରକାର। ଯଦି ଦେଖିବା ଜାନୁଆରୀ ୨୦୨୧ରେ ଦଶମ ଓ ଦ୍ୱାଦଶ ଶ୍ରେଣୀ ପିଲାଙ୍କ ପରୀକ୍ଷା ପାଇଁ ସ୍କୁଲ ଖୋଲା ଯାଇଥିଲା। ସେପଟେ ଛାତ୍ରଛାତ୍ରୀଙ୍କ ଆବଶ୍ୟକତାକୁ ଭିତ୍ତିକରି ସେମାନଙ୍କର ଡାଉଟ କ୍ଲିୟର ପାଇଁ କ୍ଲାସ ମଧ୍ୟ ସବୁ ବିଦ୍ୟାଳୟ ସ୍ଥରରେ କରାଯିବ। ସେହିପରି ୨୦୧୯-୨୦ ଶିକ୍ଷା ବର୍ଷରେ ବଢ଼ୁଥିବା ଛାତ୍ରଛାତ୍ରୀଙ୍କ ପାଇଁ ମଧ୍ୟ ସରକାର ଚିନ୍ତା କରିଛନ୍ତି। ଏକାଦଶରେ ପଢ଼ୁଥିବା ସବୁ ଛାତ୍ରଛାତ୍ରୀ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଶଦ ଦ୍ୱାରା ପରିଚାଳିତ ୨୦୨୧ ମଇ ମାସରେ ଯୁକ୍ତ ୨ ପରୀକ୍ଷା ଦେଇପାରିବେ ।

ପ୍ଲେ-ଷ୍ଟୋରରୁ ହଟିଲା ବାର୍‌କୋଡ୍‌ ସ୍କାନର, ତୁରନ୍ତ ମୋବାଇଲରୁ କରୁନ୍ତୁ ଡିଲିଟ୍‌

ନୂଆଦିଲ୍ଲୀ: ବାରକୋଡ୍ ସ୍କାନର୍ ଆପ୍‌ରେ ଭାଇରସ୍ । ବ୍ୟବହାରକରୀଙ୍କୁ ଆସୁଛି ଅଯଥା ବିଜ୍ଞାପନ । ତେଣୁ ଆପ୍‌କୁ ପ୍ଲେ-ଷ୍ଟୋରରୁ ହଟାଇଲା ଗୁଗୁଲ୍‌ । ଆପ୍‌ରେ ଭାଇରସ୍‌ ଥିବା ନେଇ ମାଲଓୟାରବାଇଟ୍‌ସ ସୂଚନା ଦେଇଛି । ବଡ଼ କଥା ହେଲା ଏହି ଅଯଥା ବଜ୍ଞାପନଗୁଡ଼ିକ ମୋବାଇଲର ଡଫଲ୍ଟ ବ୍ରାଉଜରରେ ହିଁ ଆସୁଥିଲା । ଆପ୍‌ଟିକୁ ପ୍ଲେ-ଷ୍ଟୋରରୁ ହଟାଯିବା ବେଳକୁ ପ୍ରାୟ ଏକ କୋଟି ଲୋକ ତାକୁ ଡାଉନଲୋଡ୍‌ କରିସାରିଥିଲେ ।

ମାଲୱେୟାରବାଇଟ୍ସର ରିପୋର୍ଟ ଅନୁଯାୟୀ, ‘ଡିସେମ୍ବର ଶେଷ ଆଡ଼କୁ ଫୋରମ୍ ବ୍ୟବହାରକାରୀଙ୍କଠାରୁ ଏକ ଡିସ୍‌ଷ୍ଟ୍ରେସ୍‌ କଲ୍ ଆରମ୍ଭ ହୋଇଥିଲା । ଏହି ଉପଭୋକ୍ତାମାନେ ବିଜ୍ଞାପନ ଦେଖୁଥିଲେ ଯାହା ସେମାନଙ୍କର ଡିଫଲ୍ଟ ବ୍ରାଉଜର୍ ମାଧ୍ୟମରେ ଆପେ ଆପେ ଖୋଲୁଥିଲା । ଚିନ୍ତାର ବିଷୟ ହେଉଛି ଯେ, ଏମାନେ ଗତ କିଛି ଦିନ ହେବ କୌଣସି ଏଣୁ ତେଣୁ ଆପ୍‌ ଡାଉନ୍‌ଲୋଡ୍‌ କରି ନାହାନ୍ତି । କିମ୍ବା ଯାହା ବି କରିଛନ୍ତି ସବୁ ପ୍ଲେଷ୍ଟୋରରୁ ହିଁ ଡାଉନ୍‌ଲୋଡ୍‌ କରିଛନ୍ତି । ତେବେ ସେମାନଙ୍କ ମଧ୍ୟରୁ ଜଣେ ଜାଣିବାକୁ ପାଇଲା ଯେ, ଦୀର୍ଘ ଦିନ ଧରି ଇନ୍‌ଷ୍ଟଲ ଥିବା ବାର୍‌କୋଡ୍‌ ସ୍କାନରରୁ ଏହି ବଜ୍ଞାପନ ଗୁଡ଼ିକ ଆସୁଛି । ତେବେ ତୁରନ୍ତ ଏହି ଆପ୍‌ରେ ଥିବା ଭାଇରସ୍‌କୁ ଚିହ୍ନଟ କରାଯାଇଥିଲା । ଏହାପରେ ପ୍ଲେଷ୍ଟୋରରୁ ହଟାଯାଇଛି ।

ରିପୋର୍ଟରେ କୁହାଯାଇଛି ଯେ, ଏହି ଆପ୍ ଦୀର୍ଘ ସମୟ ଧରି ବ୍ୟବହାରକାରୀଙ୍କ ମୋବାଇଲରେ ଥିଲା । କିନ୍ତୁ ଡିସେମ୍ବରରେ ଏକ ଅପ୍‌ଡେଟ୍‌ ଆସିଥିଲା, ଆଉ ଏହାକୁ ଅପ୍‌ଡେଟ୍‌ କରିବା ପରେ ତାହା ଏକ ମିଲିସିୟସ୍‌ ଆପ୍‌ରେ ପରିଣତ ହୋଇଯାଇଥିଲା ।

ତେବେ ଏହି ଆପ୍‌ ଯଦି ଏବେ ବି ଆପଣଙ୍କ ମୋବାଇଲରେ ରହିଛି, ଏହାକୁ ତୁରନ୍ତ ଡିଲିଟ୍‌ କରନ୍ତୁ ବା ଅନ୍‌ଇନ୍‌ଷ୍ଟଲ କରନ୍ତୁ । ନଚେତ୍‌ ଆପଣଙ୍କ ମୋବାଇଲକୁ ଭାଇରସ୍‌ ନଷ୍ଟ କରିଦେବ । ଖାଲି ସେତିକି ନୁହେଁ ଅନେକ ଡାଟା ଚୋରି ବା ନଷ୍ଟ ହେବାର ଆଶଙ୍କା ମଧ୍ୟ ରହିଛି ।

ନନ୍ଦନକାନନରୁ ଜାଭିଅର ଛକକୁ ସଂଯୋଗ କରିବ ୨୦୦ ଫୁଟିଆ ରାସ୍ତା

ଭୁବନେଶ୍ୱର: ଆଉ ରହିବନି ଟ୍ରାଫିକ ଜାମ ସମସ୍ୟା। ତ୍ୱରାନ୍ୱିତ ହେଲା ନନ୍ଦନକାନନ-ଜୟଦେବ ବିହାର ରାସ୍ତା କାମ। ୨ଶହ ଫୁଟିଆ ରାସ୍ତା ପାଇଁ ବସ୍ତି ଲୋକଙ୍କ ଥଇଥାନ ଥିଲା ବାଧକ। ମୁଖ୍ୟ ଶାସନ ସଚିବଙ୍କ ହସ୍ତକ୍ଷେପ ପରେ ଫିଟିଲା ବାଟ। ପର୍ଯ୍ୟାୟ କ୍ରମେ ଥଇଥାନ ହେବେ ୧୮୧ପରିବାର। ନନ୍ଦନକାନନରୁ ଶିଖରଚଣ୍ଡୀ ପାହାଡ, ନିଳାଦ୍ରୀବିହାର ଓ ସାଲିଆ ସାହି ଦେଇ ଜାଭିଅର ଛକକୁ ସଂଯୋଗ କରିବ ଏହି ରାସ୍ତା। ରାସ୍ତା ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇଥିବା ବେଳେ ପ୍ରକଳ୍ପ ଯୋଗୁଁ ପ୍ରଭାବିତ ହେଉଥିବା ଲୋକଙ୍କ ପାଇଁ ଅଟକି ରହିଥିଲା ଏହି କାର୍ଯ୍ୟ।

ତେବେ ପ୍ରକଳ୍ପର ଗୁରୁତ୍ୱ ଦୃଷ୍ଟିରୁ ଖୋଦ ସ୍ଥିତି ସମୀକ୍ଷା କରିଛନ୍ତି ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ର। ରୋଡ଼ ମ୍ୟାପକୁ ଅନୁଧ୍ୟାନ କରିବା ସହ ବିଏମସି କମିଶନର, ଜୋନାଲ ଡେପୁଟି କମିଶନର ସ୍ଥାନୀୟ ପ୍ରତିନିଧିଙ୍କ ସହ ମଧ୍ୟ ଆଲୋଚନା କରିଛନ୍ତି। କ୍ଷତିଗ୍ରସ୍ତଙ୍କ ଦାବି ସମ୍ପର୍କରେ ବିସ୍ତୃତ ଆଲୋଚନା ପରେ ଫିଟିଛି ବାଟ। ୨୦ଦିନ ଭିତରେ ବସ୍ତି ଉଛେଦ କରାଯାଇ ରାସ୍ତା କାମ ଆରମ୍ଭ କରାଯିବ ବୋଲି କହିଛନ୍ତି ବିଏମସି କମିଶନର।

ବୀର ବିର୍ସା ଓ ଲକ୍ଷ୍ମୀପୁର ସାନ୍ତାଳ ବସ୍ତି ଦେଇ ରାସ୍ତା ଯାଉଥିବାରୁ ଏହାକୁ ବିରୋଧ କରିଥିଲେ ସ୍ଥାନୀୟ ଲୋକେ। ତେବେ ପର୍ଯ୍ୟାୟକ୍ରମେ ପ୍ରଥମେ ଅସ୍ଥାୟୀ ଓ ପରେ ଆବାସ ଯୋଜନାରେ ପକ୍କା ଗୃହ ଯୋଗାଇଦେବାକୁ ସେମାନଙ୍କୁ ପ୍ରତିଶ୍ରୁ ମିଳିଛି। ଘର ନିର୍ମାଣ ପାଇଁ ସରକାରୀ ଜମି ସହ ରାଜୀବ ଆବାସ ଯୋଜନାରେ ସାମିଲ ହୋଇଥିବା ଲୋକଙ୍କୁ ୩୫ ହଜାର ଟଙ୍କା ଓ ଅନ୍ୟ ଲୋକଙ୍କୁ ୨୫ ହଜାର ଟଙ୍କା ଆର୍ଥିକ ସହାୟତା ଦିଆଯିବାକୁ ପ୍ରତିଶୃତି ଦିଆଯିବା ପରେ ଉଛେଦ କରାଯାଇଛି। ଏହି ସୁଦୀର୍ଘ ରାସ୍ତା ଟ୍ରାଫିକ୍ ସମସ୍ୟ ଦୂର କରିବା ସହ ସ୍ମାର୍ଟ ସିଟିର ଲୋକଙ୍କ ଦୀର୍ଘଦିନର ଦୁଃଖ ଦୂର କରିବାରେ ସହାୟକ ହେବ।

ସଚିନ୍‌ ଫ୍ୟାନ୍‌ଙ୍କ ପାଇଁ ଖୁସି ଖବର, ପୁଣି ଫେଭରାଇଟ୍‌ ପ୍ଲେୟାରଙ୍କୁ ଦେଖିବେ ମଇଦାନରେ

ଛତିଶଗଡ଼: କ୍ରିକେଟ୍‌ର ଭଗବାନ ସଚିନ୍ ତେନ୍ଦୁଲକର ଫ୍ୟାନ୍‌ ମାନଙ୍କ ପାଇଁ ଖୁସି ଖବର । ସେମାନେ ପୁଣି ଥରେ ସଚିନ୍‌ ତେନ୍ଦୁଲକରଙ୍କୁ ଦେଖିବେ ମଇଦାନରେ । ଏନେଇ ଏବେ ସବୁଠି ଚର୍ଚ୍ଚା । ତେବେ ଖାଲି ସଚିନ ତେନ୍ଦୁଲକର ନୁହଁନ୍ତି ବରଂ ବ୍ରାଏନ୍‌ ଲାରା, ବିରେନ୍ଦ୍ର ସେହଓ୍ୱାଗ, ମୁଥୟା ମୁରଲିଧରନ୍‌ ମଧ୍ୟ ନଜର ଆସିବେ ସଚିନ୍‌ଙ୍କ ସହ ମଇଦାନରେ ।

ମାର୍ଚ୍ଚ ୨ରୁ ୨୧ ଯାଏଁ ରାୟପୁରରେ ଆୟୋଜିତ ହେବାକୁ ଥିବା ରୋଡ୍‌ ସେଫ୍ଟି ଓ୍ୱାର୍ଲ୍ଡ ସିରିଜ୍‌ ଟି-ଟ୍ୱେଣ୍ଟିରେ ନଜର ଆସିବେ ଏହି କିମ୍ବଦନ୍ତୀ ଖେଳାଳିମାନେ । ରାୟପୁରରେ ହୋଇଥିବା ନବ ନିର୍ମିତ ଷ୍ଟାଡିୟମ୍‌ରେ ସମସ୍ତ ମ୍ୟାଚ୍‌ ଖେଳାଯିବ । ଏକକାଳିନ ୨୫ ହଜାର ଦର୍ଶକ ଏହି ଷ୍ଟାଡିୟମ୍‌ରେ ବସି ଖେଳ ଦେଖିବାର ସୁବିଧା ରହିଛି ।

ଦୀର୍ଘ ଦିନ ଧରି କ୍ରିକେଟ୍‌ ମଇଦାନଠାରୁ ଦୂରରେ ଥିବା କିମ୍ବଦନ୍ତୀ ଖେଳାଳିମାନଙ୍କୁ ଏହି ସିରିଜ୍‌ରେ ଦେଖିବାକୁ ମିଳିବ । ବ୍ରେଟ୍‌ ଲି, ତିଲକ୍‌ରତ୍ନେ ଦିଲସାନ୍‌ଙ୍କ ଭଳି ଖେଳାଳି ମଧ୍ୟ ଏହି ଷ୍ଟାଡିୟମରେ ନଜର ଆସିବେ । ଏହି ସିରିଜ୍‌ରେ ଅଷ୍ଟ୍ରେଲିଆ, ଶ୍ରୀଲଙ୍କା, ସାଉଥ୍‌ ଆଫ୍ରିକା, ଓ୍ୱେଷ୍ଟଇଣ୍ଡିଜ୍‌ ଏବଂ ଆୟୋଜକ ଭାରତ ଏହି ସିରିଜ୍‌ରେ ଭାଗ ନେଉଛନ୍ତି । ଏହି ସିରିଜ୍‌ ଆୟୋଜନର ମୁଖ୍ୟ କାରଣ ହେଉଛି ଲୋକଙ୍କ ମଧ୍ୟରେ ସଡ଼କ ସୁରକ୍ଷା ନେଇ ସଚେତନତା ବୃଦ୍ଧି କରିବା ।

Bhupesh Baghel

ତେବେ ଏଭଳି କାର୍ଯ୍ୟକ୍ରମର ଆୟୋଜନ ପାଇଁ ଛତିଶଗଡ଼ ମୁଖ୍ୟମନ୍ତ୍ରୀ ଭୁପେଶ ବାଘେଲ ପ୍ରଶଂସା କରିଛନ୍ତି । କିମ୍ବଦନ୍ତୀ କ୍ରିକେଟରମାନଙ୍କୁ ଏକାଠି ଏହି ସିରିଜ୍‌ ହୋଷ୍ଟ କରୁଥିବାର ଦେଖିବାକୁ ମିଳିବ ।