spot_img
Home Blog Page 6207

GST ଠକେଇ ମାମଲାରେ ଦୁଇ ସାମ୍ବାଦିକ ଗିରଫ !

ରାଉରକେଲା: ରାଜ୍ୟ ଜିଏସ୍‌ଟି ଏନଫୋର୍ସମେଣ୍ଟ ଓ୍ୱିଙ୍ଗ୍‌କୁ ବଡ଼ ସଫଳତା । ୨୦୦ କୋଟି ଟଙ୍କାର ଜାଲ ବିଲ ରାକେଟର ପର୍ଦ୍ଦାଫାଶ । ନୂଆକରି ଗଢି ଉଠିଥିବା ଜାଲ ବ୍ୟବସାୟୀକ ପ୍ରତିଷ୍ଠାନ ମାଧ୍ୟମରେ ଚାଲୁଥିଲା ରାକେଟ । ଏହି ରାକେଟରେ ସମ୍ପୃକ ଥିବା ତିନି ଜଣ ମାଷ୍ଟରମାଇଣ୍ଡକୁ ଗିରଫ କରାଯାଇଛି । ସେମାନଙ୍କ ମଧ୍ୟରୁ ଦୁଇ ଜଣକୁ ରାଉରକେଲାରୁ ଗିରଫ କରାଯାଇଥିବା ବେଳେ ଆଉ ଜଣକୁ ଚୌଦ୍ୱାର ଅଞ୍ଚଳରୁ ଗିରଫ କରାଯାଇଛି । ଜାଲ ବ୍ୟବସାୟ ପ୍ରତିଷ୍ଠାନ ମାଧ୍ୟମରେ ସେମାନେ ପ୍ରାୟ ୪୦.୩୬ କୋଟି ଟଙ୍କା ଠକି ଥିବା ଅଭିଯୋଗ ହୋଇଛି । ଗିରଫ ବ୍ୟକ୍ତିଙ୍କ ମଧ୍ୟରୁ ସୌମ୍ୟରଞ୍ଜନ ମହାନ୍ତି ଏକ ଘରୋଇ ଇନ୍‌ସୁରାନ୍ସ କମ୍ପାନୀର ସିନିଅର ବ୍ରାଞ୍ଚ ସର୍ଭିସ ମ୍ୟାନେଜର ଥିବା ବେଳେ ଅନ୍ୟ ଦୁଇଜଣ ହେଲେ ଶିବରାମ ପାତ୍ର ଓ ଅଙ୍କିତ ଅଗ୍ରୱାଲ ସାମ୍ବାଦିକ ବୋଲି ଜଣାପଡିଛି ।

ଅନ୍ୟପଟେ ସେହି ରାଉରକେଲାରେ ହିଁ ଜଣେ ଜିଏସ୍‌ଟି ଅଫିସର୍‌ଙ୍କ ଘରେ ଭିଜିଲାନ୍ସ ଚଢ଼ଉ କରିଛି । ଆୟ ବର୍ହିଭୁତ ସଂପତ୍ତି ଠୁଳ ଅଭିଯୋଗରେ ଭିଜିଲାନ୍ସ ଚଢ଼ଉ କରିଥିବା ଜଣାପଡ଼ିଛି । ସମ୍ପୃକ୍ତ ଅଧିକାରୀ ଜଣକ ହେଉଛନ୍ତି ରାଉରକେଲା ଜିଏସଟି ଅଫିସର ଅଲେଖ ମହାନନ୍ଦ । ସୂଚନା ଅନୁସାରେ ଛେଣ୍ଡ କଲୋନୀ ସ୍ଥିତ ତାଙ୍କ ବାସଭବନରେ ଭିଜିଲାନ୍ସ ଚଢ଼ଉ କରିଛି । ମଙ୍ଗସପୁର, ଚକ୍ରପୁର, ହେମଗିରି ଓ ଅଫିସ ସମେତ ଭିଜିଲାନ୍ସ ବିଭାଗର ୪ଟି ଟିମ୍‌ ଏକ ସମୟରେ ୪ଟି ସ୍ଥାନରେ ଚଢଉ ଜାରି ରଖିଛି ।

Rourkela VIGILANCE

ଅପେକ୍ଷାର ହେବ ଅନ୍ତ: ଆସନ୍ତା ସପ୍ତାହରେ ଦିଲ୍ଲୀରେ ପହଞ୍ଚିବ କରୋନା ଟିକା

0

ନୂଆଦିଲ୍ଲୀ: ଦେଶରେ ଦୀର୍ଘ ସମୟ ଧରି କରୋନା ଟିକାର ଅପେକ୍ଷା କରାଯାଉଛି। ତେବେ ଖୁବ୍ ଶୀଘ୍ର ଏହି ଅପେକ୍ଷାର ଅନ୍ତ ଘଟିବାକୁ ଯାଉଛି। ବିଶେଷ ସୂତ୍ର ମୁତାବକ ଆସନ୍ତା ସପ୍ତାହରେ ଜିଲ୍ଲାରେ ପହଞ୍ଚିବ କରୋନା ଟିକାର ପ୍ରଥମ ସ୍ଲଟ।

ସୂଚନା ଅନୁଯାୟୀ, ଦିଲ୍ଲୀର ରାଜୀବଗାନ୍ଧି ହସ୍ପିଟାଲରେ କରୋନା ଟିକାକୁ ରଖାଯିବାର ଯୋଜନା ରହିଛି। ଏଥିପାଇଁ କୋଲ୍ଡ ଷ୍ଟୋରେଜର ବ୍ୟବସ୍ଥା ମଧ୍ୟ କରାଯାଇଛି। ଟିକାକରଣର ପ୍ରଥମ ଚରଣରେ ସ୍ୱାସ୍ଥ୍ୟକର୍ମୀମାନଙ୍କୁ ଟିକା ଦେବାର ଯୋଜନା ରହିଛି। କରୋନା ଟିକାକରଣ କେନ୍ଦ୍ର ପାଇଁ ଦିଲ୍ଲୀରେ ଦୁଇଟି ଜାଗା ଚିହ୍ନଟ କରାଯାଇଛି।

ସେହିପରି ଟିକାର ସଂରକ୍ଷଣ ପାଇଁ ଦିଲ୍ଲୀ ସରକାର ୬୦୦ଟି ଶୀତଳ ଭଣ୍ଡାର ଚିହ୍ନଟ କରିଛନ୍ତି। ସୋମବାରରୁ ଟିକାକରଣରେ ସାମିଲ ହେବାକୁ ଥିବା ସ୍ୱାସ୍ଥ୍ୟକର୍ମୀଙ୍କୁ ଦିନିକିଆ ଟ୍ରେନିଂ ଦିଆଯାଉଛି। ରାଜୀବ ଗାନ୍ଧି ସୁପର ସ୍ପେଶାଲିଷ୍ଟ ହସ୍ପିଟାଲ, ଲୋକନାୟକ ହସ୍ପିଟାଲ, କସ୍ତୁରାବ ହସ୍ପିଟାଲ, ବାବାସାହେବ ଆମ୍ବେଦକର ହସ୍ପିଟାଲ, ଜିଟିବି ହସ୍ପିଟାଲ ଓ ମହଲ କ୍ଲିନିକଗୁଡ଼ିକୁ ଶୀତଳ ଭଣ୍ଡାର ଭାବେ ବ୍ୟବହାର କରିବାକୁ ନିଷ୍ପତ୍ତି ହୋଇଛି।

ବ୍ରିଟେନରେ ଆବିଷ୍କୃତ ନୂଆ କରୋନା ଭାଇରସ ଷ୍ଟ୍ରେନ୍ କେତେ ଶକ୍ତିଶାଳୀ ? ଜାଣନ୍ତୁ ସବୁକିଛି..

ନୂଆଦିଲ୍ଲୀ: ବ୍ରିଟେନରୁ ମିଳିଥିବା କରୋନାର ନୂଆ ଷ୍ଟ୍ରେନକୁ ନେଇ ସମଗ୍ର ବିଶ୍ୱ ଏବେ ଚିନ୍ତାରେ । ବ୍ରିଟେନରେ ଭାଇରସର ଏହି ନୂଆ ରୂପକୁ ଆଉଟ୍ ଅଫ୍ କଣ୍ଟ୍ରୋଲ ବୋଲି କୁହାଯାଉଛି । ତେଣୁ ସେଠାକାର ସରକାର ପୁଣି କଠୋର ଲକଡାଉନ୍ ଲାଗୁ କରିଛନ୍ତି । ଲକ୍ଷାଧିକ ଲୋକ ଏବେ ଘରେ ରହିବାକୁ ବାଧ୍ୟ । ତେବେ କ’ଣ କରୋନା ଭାଇରସର ଏହି ନୂଆ ରୂପ ଅଧିକ ବିପଜ୍ଜନକ ? ଯେଉଁ ସବୁ ଭ୍ୟାକ୍ସିନ ଏବେ ବଜାରକୁ ଆସିବାର ଅଛି,ସେସବୁ କ’ଣ ଏହି ଭାଇରସ ଆଗରେ ପ୍ରଭାବହୀନ ହୋଇଯିବେ ? ଲୋକଙ୍କ ମନରେ ଏହି ପ୍ରଶ୍ନ ଉଠିଲାଣି । ଆସନ୍ତୁ ଖୋଜିବା ଏହାର ଉତ୍ତର

କେତେ ବିପଜ୍ଜନକ ଏହି ଭାଇରାସ ?
କରୋନା ଭାଇରସର ଏହି ନୂଆ ରୂପ ୭୦ ପ୍ରତିଶତ ଅଧିକ ସଂକ୍ରାମକ । ତେବେ ବିଶେଷଜ୍ଞଙ୍କ କହିବା ହେଉଛି ଏହା ଅଧିକ ମାରକ ବୋଲି ଏପର୍ଯ୍ୟନ୍ତ କୌଣସି ପ୍ରମାଣ ମିଳିନାହିଁ । ଏହସହ ଭାଇରସର ଏହି ନୂଆ ଷ୍ଟ୍ରେନ୍ ଆଗରେ ଟିକା ମଧ୍ୟ ବେକାର ହେବାର କୌଣସି ପ୍ରମାଣ ମିଳିନାହିଁ । ଇମ୍ପେରିଆଲ କଲେଜ ଲଣ୍ଡନର ଡକ୍ଟର ଏରିକ ବୋଲଜଙ୍କ ଅନୁସାରେ,ଏହି ନୂଆ ଷ୍ଟ୍ରେନ୍ ଟିକାକୁ ମାତ୍ ଦେବ କି ନାହିଁ ତାହା ଏବେ କହିବା ସମ୍ଭବ ନୁହେଁ କିନ୍ତୁ ଗୋଟିଏ କଥା ସତ ଯେ, ଏହା ଅତିଶୀଘ୍ର ବ୍ୟାପୁଛି । ପ୍ରଥମ ଭାଇରସ ତୁଳନାରେ ଏହା ଜୋରରେ ବ୍ୟାପୁଛି ।
ଭାଇରସ ନିଜ ରୂପ ବଦଳାଇଛି
ଏହି ନୂଆ ଷ୍ଟ୍ରେନ୍ କରୋନା ଭାଇରସକୁ ବଢାଉଥିବା ପ୍ରୋଟିନରେ ପରିବର୍ତ୍ତନ କରିଛି । ତେବେ ଏଭଳି ପ୍ରଥମ ଥର ପାଇଁ ହୋଇନାହିଁ । ସୂଚନା ଅନୁସାରେ କରୋନା ଭାଇରସ ଆରମ୍ଭରୁ ବର୍ତ୍ତମାନ ସୁଧା ୨୦ ଥର ରୂପ ବଦଳାଇଛି । କରୋନା ଭାଇରସର ପ୍ରଥମ ରୂପ ଏତେ ଅଧିକ ସଂକ୍ରାମକ ନଥିଲା । ବ୍ରିଟେନରେ ମିଳିଥିବା ନୂଆ ରୂପ ଅଧିକ ବିପଜ୍ଜନକ ।କାରଣ ଏହାର ୮ ରୂପ ଜିନରେ ପ୍ରୋଟିନକୁ ବଢାଇଥାଏ । ଏହି ୮ ରୂପରୁ ୨ ଅଧିକ ଭୟଙ୍କର ।ବ୍ରିଟନେରେ ମିଳିଥିବା ଏନ୍୫୦୧ ୱାଇ ଓ H69/B70 ଷ୍ଟ୍ରେନ୍ । ଏହି ଦୁଇ ଷ୍ଟ୍ରେନ୍ ଶରିର ପାଇଁ ଅଧିକ ଘାତକ ହୋଇଥାନ୍ତି
ଟିକା ସମାନ ଭାବେ ପ୍ରଭାବଶାଳୀ ହେବ :CSIR
ସିଏସଆଇର ମହାନିର୍ଦ୍ଦେଷ ଶେଖର ମାଣ୍ଡେଙ୍କ ଅନୁସାରେ ଆଗକୁ ଆସିବାକୁ ଥିବା ଟିକା କରୋନା ଭାଇରସର ନୂଆ ରୂପ ବିରୋଧରେ ମଧ୍ୟ ସମାନ ଭାବେ ପ୍ରଭାବଶାଳୀ ହେବ । ତେଣୁ ଚିନ୍ତାର କାରଣ ନାହିଁ ।

ବୁଧବାରଠାରୁ ଖୋଲିବ ଶ୍ରୀମନ୍ଦିର, ଦର୍ଶନ ଲାଗି ଏସଓପି ପ୍ରସ୍ତୁତ

ପୁରୀ: କାଲି ଖୋଲିବ ଶ୍ରୀମନ୍ଦିର, ମିଳିବ ଜଗା ଦର୍ଶନ। ବୁଧବାର ଦିନ ସକାଳ ୭ଟା ୩୦ମି.ରୁ ଦର୍ଶନ ଆରମ୍ଭ ହେବାକୁ ଥିବା ବେଳେ ପହୁଡ଼ ପର୍ଯ୍ୟନ୍ତ ଜଗା ଦର୍ଶନ କରିପାରିବେ ସେବାୟତ ଓ ପରିବାର । ଦର୍ଶନ ନେଇ ଏସଓପି ପ୍ରସ୍ତୁତ ହୋଇଥିବା ସୂଚନା ଦେଇଛନ୍ତି ଜିଲ୍ଲାପାଳ ।

ସୂଚନା ମୁତାବକ ଜୋତା ଷ୍ଟାଣ୍ଡ ନିକଟରେ ଜୋତା ରଖି ଫଟୋ ଉଠାଇ ସାନିଟାଇଜ ପରେ ଦର୍ଶନ ପାଇଁ ମନ୍ଦିରକୁ ଯିବେ । ସେହିପରି ଆସନ୍ତା ୨୬ ତାରିଖରୁ ପୁରୀବାସୀ ଜଗା ଦର୍ଶନ କରିପାରିବେ । ଏନେଇ ୱାର୍ଡ ୱାରୀ ତାଲିକା ପ୍ରସ୍ତୁତ ହୋଇଛି ।

ସେହିପରି ୨୬ ତାରିଖ ସକାଳ ୭ଟା ୩୦ମି.ରୁ ଦର୍ଶନ ଆରମ୍ଭ ହେବ । ପ୍ରଥମ ଦିନ ୨,୩,୬,୯,୧୧,୧୨,୧୫ ନମ୍ବର ୱାର୍ଡବାସୀ ଜଗା ଦର୍ଶନର ସୁଯୋଗ ପାଇବେ । ପ୍ରଥମ ଦଫା ଦର୍ଶନ ୭ଟା ୩୦ମି.ରୁ ୧୧ଟା ୩୦ମି. ଥିବା ବେଳେ ଦ୍ଵିତୀୟ ଦଫା ୧୨ଟାରୁ ୪ଟା ଓ ତୃତୀୟ ପର୍ଯ୍ୟାୟ ଦର୍ଶନ ୪ଟା ୩୦ମି.ରୁ ପହୁଡ଼ ଯାଏଁ ଚାଲିବ ।

ଏହି ଅନୁସାରେ ୩୧ତାରିଖ ପର୍ଯ୍ୟନ୍ତ ବିଭିନ୍ନ ପର୍ଯ୍ୟାୟରେ ବିଭିନ୍ନ ୱାର୍ଡବାସୀ ଶ୍ରୀମନ୍ଦିରରେ ଶ୍ରୀଜୀଉଙ୍କୁ ଦର୍ଶନ କରିବାର ସୁଯୋଗ ପାଇବେ । ପ୍ରତି ସିଫ୍ଟରେ ପ୍ରତିହାରୀ ନିଯୋଗର ୧୫ ଜଣ ସ୍ୱେଛାସେବୀ ନିୟୋଜିତ ହେବେ । ଭିନ୍ନକ୍ଷମଙ୍କ ପାଇଁ ଉତ୍ତରଦ୍ୱାରରେ ସ୍ୱତନ୍ତ୍ର ବ୍ୟବସ୍ଥା କରାଯିବ ବୋଲି କହିଛନ୍ତି ଜିଲ୍ଲାପାଳ । ଜାନୁଆରୀ ୩ ତାରିଖ ପରଠାରୁ ଜିଲ୍ଲା ବାହାରର ଶ୍ରଦ୍ଧାଳୁ ଦର୍ଶନ କରିପାରିବେ ମହାପ୍ରଭୁଙ୍କୁ । ଆହୁରି ମଧ୍ୟ କୋଭିଡ୍‌ ନେଗେଟିଭ ରିପୋର୍ଟ ଦେଖାଇବା ବାଧ୍ୟତାମୂଳକ ରହିଛି ।

ବିଶ୍ୱ ସାନ୍ତାଳୀ ଦିବସ ଅବସରରେ ରକ୍ତଦାନ ଶିବିର ଉଦଘାଟନ୍

0

ମୟୂରଭଞ୍ଜ: ଆଜି ହେଉଛି ବିଶ୍ୱ ସାନ୍ତାଳୀ ଭାଷା ଦିବସ। ଏହି ଅବସରରେ ମୟୂରଭଞ୍ଜ ଜିଲ୍ଲାର ବିଜୁ ଭବନ ଠାରେ ଆୟୋଜିତ ବୃହତ ରକ୍ତଦାନ ଶିବିରର ଉଦଘାଟନ କରାଯାଇଛି।

ଏହି ଗସ୍ତରେ ଜିଲ୍ଲା ପର୍ଯ୍ୟବେକ୍ଷକ, ବିଜେଡି ରାଜ୍ୟ ସମ୍ପାଦକ ତଥା ଯାଜପୁର ବିଧାୟକ ପ୍ରଣବ ପ୍ରକାଶ ଦାସ ଯାଇଛନ୍ତି। ଗସ୍ତ ସମୟରେ ଜିଲ୍ଲାରେ ସାନ୍ତାଳୀ ଭାଷା ଲିପିର ସ୍ରଷ୍ଟା ପଣ୍ଡିତ ରଘୁନାଥ ମୁର୍ମୁଙ୍କ ପ୍ରତିମୂର୍ତ୍ତି ଓ ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପ ମାଲ୍ୟାର୍ପଣ କରି ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି।

ରାଜ୍ୟ ସରକାରଙ୍କ ରାଜସ୍ୱ ମନ୍ତ୍ରୀ ସୁଦାମ ମାରାଣ୍ଡି, ରାଜ୍ୟ ବିଜେଡି ଦଳର ମୁଖପାତ୍ର ତଥା ରାଜ୍ୟସଭା ସାଂସଦ ଡ଼ଃ ସମ୍ବିତ ପାତ୍ର, କେନ୍ଦୁଝର ସାଂସଦ ଚନ୍ଦ୍ରାଣୀ ମୁର୍ମୁ, ପୁର୍ବତନ ଉପବାଚସ୍ପତି ସାନନ୍ଦ ମାରାଣ୍ଡି, ପୂର୍ବତନ ବଡ଼ସାହି ବିଧାୟକ ଗଣେଶ୍ୱର ପାତ୍ର, ପୂର୍ବତନ ରାଜ୍ୟସଭା ସାଂସଦ ସରୋଜିନୀ ହେମ୍ବ୍ରମ ଏବଂ ବିଜୁ ଯୁବ ଜନତା ଦଳର ରାଜ୍ୟ କାର୍ଯ୍ୟକାରୀ ସଭାପତି ତଥା ନାରୀ ନେତ୍ରୀ ଏଲିନା ଦାସ ପ୍ରମୁଖ ଉପସ୍ଥିତ ରହିଥିଲେ।

ମୁମ୍ବାଇ କ୍ଲବରେ ରେଡ୍, ପାର୍ଟି କରି ଗିରଫ ହେଲେ ସୁରେଶ ରୈନା

ମୁମ୍ବାଇ:  ଦୀର୍ଘଦିନର ଲକଡାଉନ ପାଇଁ ମାୟାନଗରୀ ବଲିଉଡର କୌଣସି ଫିଲ୍ମ ରିଲିଜ ହୋଇପାରୁ ନାହିଁ । ଆଉ ଏହି ମଧ୍ୟରେ ରିଲିଜ ହେଉଛି ଗୋଟିଏ ପରେ ଗୋଟିଏ ଓ୍ୱେବସାଇଟ । ଆଜି କିନ୍ତୁ ଆମେ ଆପଣଙ୍କୁ କୌଣସି ଫିଲ୍ମର ସ୍କ୍ରିନିଂ ବା ଓ୍ୱେବସିରିଜ ରିଲିଜ ବିଷୟରେ କହୁନାହୁଁ । ଘଟଣା ହେଉଛି ଟିକେ ହଟକେ । ଯେଉଁ ଘଟଣାରେ ସାମିଲ ଅଛନ୍ତି ନାମିଦାମୀ ସେଲିବ୍ରିଟି । ଆଜ୍ଞା ହଁ ଗତକାଲି ସୋମବାରକୁ ଏକ ନାମି କ୍ଲବରେ ରେଡ୍‌ କରିଛି ମୁମ୍ବାଇ ପୋଲିସ୍‌। ଯେଉଁଠାରେ କେତେକ ହାଇ ପ୍ରୋଫାଇଲ ସେଲିବ୍ରିଟୀଙ୍କୁ ଅଟକ ରଖାଯାଇଛି । ଏଥିରେ ସାମିଲ ଅଛନ୍ତି ଉଭୟ କଳାକାର ଏବଂ କ୍ରିକେଟର । ତେବେ କୋଭିଡ ୧୯ ନିୟମ ଭାଙ୍ଗିଥିବାରୁ ପୋଲିସ ଏଭଳି ପଦକ୍ଷେପ ନେଇଛି ।


ରାତି ପ୍ରାୟ ୩ଟାରେ ଅନ୍ଧେରୀର ଏକ ବଡ଼ କ୍ଲବ ଡ୍ରାଗନ ଫ୍ଲାଇରେ ରେଡ଼୍ ‌କରିଛି  ମୁମ୍ବାଇ ପୋଲିସ୍‌। ରିପୋର୍ଟ କହୁଛି ଧୁମଧାମରେ ପାର୍ଟି ଚାଲୁଥିଲା । ଗୁରୁ ରାନ୍ଧଓ୍ୱା, ସୁରେଶ ରୈନା, ସୁଜୈନ ଖାନ୍‌ଏବଂ ର୍ୟାପର ବାଦଶାହ ଆଦି ସେଲିବ୍ରିଟି ଏହି ପାର୍ଟିରେ ସାମିଲ ଥିଲେ । କିନ୍ତୁ ଆଶ୍ଚର୍ଯ୍ୟକର କଥା ହେଉଛି ସୁରେଶ ରୈନା କ୍ଲବର ପଛ ଦ୍ୱାର ଦେଇ ଲୁଚି ଚାଲିଗଲେ ।

ମୁମ୍ବାଇ ପୋଲିସ୍‌ ନାମିଦାମି ସେଲିବ୍ରିଟିଙ୍କ ସହ ୩୪ ଜଣଙ୍କୁ ଅଟକ ରଖିଥିଲା । । ପୋଲିସର ରିପୋର୍ଟ କହୁଛି ୧୯ ଜଣ ଦିଲ୍ଲୀ ଏବଂ ପଞ୍ଜାବରୁ ଆସିଥିଲେ । ପାର୍ଟିରେ ଦିଲ୍ଲୀ ଏବଂ ପଞ୍ଜାବ ବ୍ୟତୀତ ସାଉଥ ମୁମ୍ବାଇରୁ ମଧ୍ୟ ଲୋକ ଆସିଥିଲେ । ପୋଲିସ ୨୭ ଜଣ ଗ୍ରାହକଙ୍କ ସମେତ ୭ ଜଣ କର୍ମଚାରୀଙ୍କ ବିରୋଧରେ IPCର ଧାରା ୧୮୮ ଏବଂ ୨୬୯ ଅନୁସାରେ ମହାମାରୀ ଆକ୍ଟ ଦ୍ୱାରା ମାମଲା ରୁଜୁ ହୋଇଛି । ସୁରେଶ ରୈନାଙ୍କ ବିରୁଦ୍ଧରେ ମଧ୍ୟ ଧାରା ୧୮୮ ଅନୁସାରେ ମାମଲା ରୁଜୁ ହୋଇଥିବା କହିଛି ମୁମ୍ବାଇ ପୋଲିସ । ଅବଶ୍ୟ ହେପାଜତକୁ ନିଆଯାଇଥିବା ଲୋକଙ୍କୁ ନୋଟିସ ଦେଇ ଛାଡ଼ି ଦିଆଯାଇଛି ।

ପାରାଦ୍ୱୀପରେ ୧୩୨ ବିଧାୟକ ଓ ଜଣେ ସାଂସଦ: ଆଇଏନଏସ ଜଳସ୍ୱାରେ କରିବେ ସମୁଦ୍ର ଭ୍ରମଣ

0

ପାରାଦ୍ୱୀପ: ପାରାଦ୍ୱୀପରେ “ଡେ ଆଟ୍ ସି” କାର୍ଯ୍ୟକ୍ରମରେ ସାମିଲ୍ ହେଲେ ୧୩୨ ବିଧାୟକ ଓ ଜଣେ ସାଂସଦ। ଭାରତୀୟ ନୌସେନା ପକ୍ଷରୁ ବିଧାୟକମାନଙ୍କୁ ଆଇଏନଏସ ଜଳସ୍ୱାରେ ସମୁଦ୍ର ଭିତରେ ନେଇ ବୁଲାଇବା ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଛି।

୧୯୭୧ ମସିହା ଇଣ୍ଡୋ ପାକ୍ ଯୁଦ୍ଧ ବିଜୟର ସ୍ମାରକୀ ବା ବିଜୟ ଦିବସ ପାଳନ ଅବସରରେ ଭାରତୀୟ ନୌସେନା ପ୍ରତ୍ୟେକ ବର୍ଷ  ଏହି “ଡେ ଆଟ୍ ସି” କାର୍ଯ୍ୟକ୍ରମର ଆୟୋଜନ କରୁଛି। ଚଳିତବର୍ଷ ବିଧାୟକ ଓ ମନ୍ତ୍ରୀମାନଙ୍କୁ ନେବା ପାଇଁ ନୌସେନା ଯୋଜନା କରିଛି। ଏହାର ଉଦ୍ଦେଶ୍ୟ ସାଧାରଣ ଜନତାଙ୍କୁ ନୌସେନାର ଶକ୍ତି ସମ୍ପର୍କରେ ଅବଗତ କରାଇବା ସେନା କିପରି କାର୍ଯ୍ୟ କରୁଛି, ବାଣିଜ୍ୟିକ ଓ ତଟ ସୁରକ୍ଷା ବ୍ୟବସ୍ଥା କେମିତି ରହିଛି ଏ ସମ୍ପର୍କରେ ଅବଗତ କରିବା ଏହାର ମୂଳ ଉଦ୍ଦେଶ୍ୟ।

ଆଇଏନଏସ ଜଳସ୍ୱା ଦେଶର ଦ୍ୱିତୀୟ ବୃହତ୍ତମ ଯୁଦ୍ଧ ଜାହାଜ। ଏହାର ବିଶେଷତ୍ୱ ହେଉଛି ଏହି ଯୁଦ୍ଧ ଜାହାଜ ଉଭୟ ଜଳ ଓ ସ୍ଥଳ ଭାଗରେ ଚାଲି ପାରିବ। ଏହାର ଦୈର୍ଘ୍ୟ ୫୭୦ ଫୁଟ ଚଉଡ଼ା ୧୦୦ ଫୁଟ।  ଏହି ଜାହାଜ ୧୬ ହଜାର ୬୦୦ଟନ ପର୍ଯ୍ୟନ୍ତ ଜିନିଷ ପରିବହନ କରି ଘଣ୍ଟା ପ୍ରତି ୪୦ କିମି ବେଗରେ ଗତି କରି ପାରିବ। ୨୭ ଜଣ ଅଧିକାରୀ, ୩୮୦ ଜଣ ନାବିକଙ୍କୁ ମିଶାଇ ମୋଟ ହଜାରେ ଜଣଙ୍କୁ ନେଇପାରିବା ଭଳି ଏହି ଜାହାଜର କ୍ଷମତା ରହିଛି। ଏହି କାର୍ଯ୍ୟକ୍ରମରେ ନୌସେନା ଜାହାଜ ଆଇଏନଏସ ଜଳସ୍ୱା ସହିତ ଆଇଏନଏସ ସିବାଲିକ, ଆଇଏନଏସ ଶକ୍ତି ଓ ଆଇଏନଏସ ସାହଦ୍ରୀ ମଧ୍ୟ ସାମିଲ ହୋଇଛନ୍ତି। ଏଥିସହିତ ବିଶାଖାପଟନମ ସ୍ଥିତ ଇଣ୍ଟନ ଫ୍ଲାଇଟ ର ୪ଟି ଭୟଙ୍କର ଯୁଦ୍ଧ ବିମାନ ମଧ୍ୟ ସାମିଲ ହେବେ ବୋଲି ସୂଚନା ମିଳିଛି।

ବୁଧବାର ଛାତ୍ର ବିଜେଡିର କାର୍ଯ୍ୟକାରିଣୀ ବୈଠକ

0

ଭୁବନେଶ୍ୱର: ଆସନ୍ତାକାଲି ଛାତ୍ର ବିଜେଡିର କାର୍ଯ୍ୟକାରିଣୀ ବୈଠକ ବସିବାକୁ ଯାଉଛି। ନୂଆ କମିଟି ଗଠନ ପରେ ଏହା ପ୍ରଥମ ବୈଠକ ହେବାକୁ ଯାଉଛି । ଆଉ ଏଥିରେ ଆଗାମୀ ଏକ ବର୍ଷର କାର୍ଯ୍ୟ ଖସଡ଼ା ପ୍ରସ୍ତୁତ କରାଯିବ ବୋଲି ଜଣାପଡିଛି।

ସୂଚନା ଅନୁସାରେ ସ୍ୱତନ୍ତ୍ର ଓଡ଼ିଶା ପ୍ରଦେଶ ଗଠନରେ ମହାପୁରୁଷଙ୍କ ଭୂମିକା, ଓଡ଼ିଆ ଭାଷା ସଂସ୍କୃତିକୁ ଅଧିକ ସଂବୃଦ୍ଧ କରିବାରେ ଛାତ୍ର ବିଜେଡିର ଭୂମିକା ସମ୍ପର୍କରେ ଅଧିବେଶନରେ ଆଲୋଚନା ହେବ। କେନ୍ଦ୍ର ସଂସ୍ଥାରେ ଓଡ଼ିଶାର ଯୁବକ ଯୁବତୀଙ୍କ ଅଧିକ ନିଯୁକ୍ତି ସୁଯୋଗ ନେଇ ପ୍ରସ୍ତାବ ରହିବ।

ଆହୁରି ମଧ୍ୟ ଶ୍ରୀରାମଚନ୍ଦ୍ର ଭଞ୍ଜଦେଓଙ୍କ ନାମରେ ଉତ୍ତର ଓଡ଼ିଶା ବିଶ୍ୱବିଦ୍ୟାଳୟକୁ ନାମିତ କରିବା ଏବଂ ସରକାରୀ ସ୍କୁଲରେ ପଢ଼ୁଥିବା ଛାତ୍ରଛାତ୍ରୀଙ୍କ ପାଇଁ ଇଂଜିନିୟରିଂ ତଥା ମେଡିକାଲ କଲେଜରେ ୧୦ ପ୍ରତିଶତ ସଂରକ୍ଷଣ ନେଇ ମୁଖ୍ୟମନ୍ତ୍ରୀ ଦେଇଥିବା ସହମତିକୁ ଧନ୍ୟବାଦ ପ୍ରସ୍ତାବରେ ରଖାଯାଇଛି।

ସେହିପରି ପ୍ରତି ପଞ୍ଚାୟତ ସଭାପତି ଭାବେ ଛାତ୍ର ବିଜେଡି କର୍ମୀଙ୍କୁ ନିଯୁକ୍ତି, ସୋସିଆଲ ମିଡିଆ ସଂଯୋଜକ ଭାବେ ଛାତ୍ର ବିଜେଡି କର୍ମୀଙ୍କୁ ନିଯୁକ୍ତି ରହିବ ସାଙ୍ଗଠନିକ ପ୍ରସ୍ତାବ। ଏଥିସହ କଲେଜରେ କ୍ୟାମ୍ପସ କମିଟି ଜରିଆରେ କର୍ମୀ ଯୋଡିବା ପାଇଁ ବି ପ୍ରସ୍ତାବ ଦିଆଯିବ। ତେବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଷଷ୍ଠ ଥର ପାଇଁ ମୁଖ୍ୟମନ୍ତ୍ରୀ କରିବା ପାଇଁ ସଂକଳ୍ପ ପ୍ରସ୍ତାବ ଆଦି ଉପରେ ଆଲୋଚନା କରାଯିବ ବୋଲି ସୂଚନା ମିଳିଛି।

ଚିନ୍ତା ବଢ଼ାଉଛି କରୋନାର ନୂଆ ଷ୍ଟ୍ରେନ୍, ବ୍ରିଟେନରୁ ଭାରତକୁ ବ୍ୟାପୁଛି!

ନୂଆଦିଲ୍ଲୀ: ଚିନ୍ତା ବଢ଼ାଇଛି କରୋନାର ନୂଆ ଷ୍ଟ୍ରେନ୍ । ବ୍ରିଟେନରେ ଆତଙ୍କ ସୃଷ୍ଟି କରିଥିବା କରୋନାର ନୂଆ ଭୂତାଣୁ ସଂକ୍ରମଣ ଏବେ ଭାରତକୁ ବ୍ୟାପିଛି ।  ବ୍ରିଟେନରୁ ଦିଲ୍ଲୀ ଆସିଥିବା ୫ ଜଣଙ୍କ ଦେହରେ ଏହି ନୂଆ କରୋନା ଭୂତାଣୁ ରହିଥିବା ନେଇ ସୂଚନା ମିଳିଛି ।

ବ୍ରିଟେନରୁ ଦିଲ୍ଲୀ ଏୟାରପୋର୍ଟରେ ଆସି ପହଞ୍ଚିଥିବା ବିମାନରେ ଥିବା ୨୬୬ ଯାତ୍ରୀଙ୍କ RTPCR ଟେଷ୍ଟ କରାଯାଇଥିଲା । ସେମାନଙ୍କ ମଧ୍ୟରୁ ୫ଜଣ ପଜିଟିଭ୍ ଚିହ୍ନଟ ହୋଇଛନ୍ତି ।

କୋଭିଡ-୧୯ ନୋଡାଲ୍ ଅଧିକାରୀଙ୍କ ମୁତାବକ ସେମାନଙ୍କ ନମୁନା ଯାଞ୍ଚ ଲାଗି ନ୍ୟାସନାଲ୍ ସେଣ୍ଟର ଅଫ୍ ଡିଜିଜ୍ କଣ୍ଟ୍ରୋଲଙ୍କୁ ପଠାଇ ଦିଆଯାଇଛି । ଯେଉଁଥିରୁ ଜଣାପଡିବ ଯେ ସମ୍ପୃକ୍ତ ୫ ଜଣଙ୍କ ମଧ୍ୟରେ କରୋନା ଭାଇରସର ନୂଆ ଷ୍ଟ୍ରେନ୍ ରହିଛି କି ନାହିଁ ।

ଉଲ୍ଲେଖଯୋଗ୍ୟ, ସଂକ୍ରମଣ ଭୟରେ ଡିସେମ୍ବର ୨୩ରୁ ୩୧ ମଧ୍ୟରେ ବ୍ରିଟେନକୁ ସମସ୍ତ ବିମାନ ଚଳାଚଳ ବନ୍ଦ କରିଛି ଭାରତ । ଏହାସହ ବ୍ରିଟେନରୁ ଆସୁଥିବା ସମସ୍ତ ଯାତ୍ରୀଙ୍କ RTPCR ଟେଷ୍ଟ ବାଧ୍ୟତାମୂଳକ କରାଯାଇଛି ।

ଅନ୍ୟପଟେ ନୂଆ ଭାଇରସ୍ ପାଇ ଆଗୁଆ ସତର୍କତାମୂଳକ ପଦକ୍ଷେପ ନେଇଛି ମହାରାଷ୍ଟ୍ର । ଜାନୁୟାରୀ ୫ ପର୍ଯ୍ୟନ୍ତ ରାଜ୍ୟର ମ୍ୟୁନିସିପାଲ କର୍ପୋରେସନ ସୀମା ମଧ୍ୟରେ ରାତ୍ରୀକାଳୀନ କର୍ଫ୍ୟୁ ଜାରି କରାଯାଇଛି । ରାତି ୧୧ଟାରୁ ଭୋର ୬ଟା ଯାଏଁ କଟକଣା ଲାଗୁ କରାଯାଇଛି । ଏହି ସମୟରେ କେବଳ ଜରୁରିକାଳୀନ ସେବାକୁ ଅନୁମତି ମିଳିବ ।

ତେବେ ବ୍ରିଟେନରେ ସ୍ଥିତି ନିୟନ୍ତ୍ରଣ ବାହାରକୁ ଯାଇନି ବୋଲି କହିଛି ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନ (ଡବ୍ଲ୍ୟୁଏଚଓ) ।

ଅଶ୍ଲୀଳ ଫିଲ୍ମ ଦେଖୁଥିଲା,ଇଣ୍ଟରନେଟରୁ ଖୋଜୁଥିଲା ଟ୍ରିକ୍

କଟକ: ନୟାଗଡ଼ର ପରୀ ମୃତ୍ୟୁ ଘଟଣାରେ କଟକ ଠାରେ ମଙ୍ଗଳବାର ଦିନ ଏସ୍‌ଆଇଟି ମୁଖ୍ୟ ଅରୁଣ ବୋଥ୍ରା ପ୍ରେସ୍‌ମିଟ୍ କରିଛନ୍ତି । ଏହି ପ୍ରେସମିଟରେ ସେ ଦୁଷ୍କର୍ମ ଓ ହତ୍ୟା ମାମଲାରେ ବଡଧରଣର ଖୁଲାସା କରିଛନ୍ତି ।

ବୋଥ୍ରାଙ୍କ ସୂଚନା ଅନୁସାରେ ପରୀକୁ ହତ୍ୟା ପରେ ଦୁଷ୍କର୍ମ କରାଯାଇଥିବା ସନ୍ଦେହ କରାଯାଉଛି । ଅଭିଯୁକ୍ତ ସରୋଜ ସେଠି ଭଉଣୀ ମୋବାଇଲରେ ନିୟମିତ ଶିଶୁ ପର୍ଣ୍ଣୋଗ୍ରାଫି ଦେଖୁଥିଲା । ଏପରିକି ସେ ଇଣ୍ଟରେନଟରେ ଦୁଷ୍କର୍ମ ଓ ହତ୍ୟା କରିବାର ଉପାୟ ସର୍ଚ୍ଚ କରୁଥିଲା । ପରୀ ହତ୍ୟା ପୂର୍ବ ରାତି ସାରା ସରୋଜ ପର୍ଣ୍ଣ ଫିଲ୍ମ ଦେଖିଥିଲା । ହତ୍ୟା ପୂର୍ବଦିନ ପରୀ ସରୋଜ ଘରକୁ ଯାଇଥିଲା ।

ଘଟଣାଦିନ ଜାମୁକୋଳି ଖାଇବାକୁ ଯାଇଥିଲା ପରୀ । ଯେଉଁଥିପାଇଁ କୋଳି ଦେବାକୁ କହି ଘରକୁ ଡାକିଥିଲା ଅଭିଯୁକ୍ତ । କୋଳି ଦେବା ବଦଳରେ  ସେ ଘର ଭିତରେ ପରୀ ସହ ଦୁଷ୍କର୍ମ ଉଦ୍ୟମ କରିଥିଲା । ହେଲେ ସେ ଚିତ୍କାର କରିବାରୁ ଭୟରେ ତା’ର ତଣ୍ଟି ଚିପି ହତ୍ୟା କରିଥିଲା ସରୋଜ । ପରେ ପ୍ରମାଣ ନଷ୍ଟ କରିବାକୁ ଯାଇ ସେ ଅଖା ବସ୍ତାରେ ମୃତ ଦେହ ଭର୍ତ୍ତି କରିଥିଲା । ଏଥିସହିତ ମୃତଦେହ ସହ ପରୀ ପିନ୍ଧିଥିବା ଫ୍ରକକୁ ମଧ୍ୟ ଅଖାରେ ପୂରାଇଥିଲା ।

ହତ୍ୟା ପରେ ଦୁଷ୍କର୍ମ ହୋଇଥିବା ସନ୍ଦେହ ପୋଲିସ କରୁଛି । ଫରେନସିକ୍ ଯାଞ୍ଚ ପରେ ଅଧିକ ତଥ୍ୟ ମିଳିବ ବୋଲି ବୋଥ୍ରା କହିଛନ୍ତି । ବୋଥ୍ରାଙ୍କ ଅନୁସାରେ ହତ୍ୟା ପରେ ସରୋଜ ନଡିଆ ବାହୁଙ୍ଗିରେ ପରୀର ଶବକୁ ଘୋଡାଇ ରଖିଥିଲା । ପରୀର ଲେଗିଂସକୁ ପରେ ସେ ପୋଖରୀକୁ ଫୋପାଡି ଦେଇଥିଲା । ହତ୍ୟା କଥା ଅଭିଯୁକ୍ତ ସ୍ୱୀକାର କରିଛି ।ଆହୁରି ମଧ୍ୟ ସେ କହିଛନ୍ତି ଯେ ଅଭିଯୁକ୍ତର ପଲିଗ୍ରାଫ୍ ଟେଷ୍ଟ ହୋଇଥିବା ବେଳେ ମାମଲାରେ ସାଇଣ୍ଟିଫିକ୍ ରିସର୍ଚ୍ଚ ହେବ । ଯେଉଁଥିପାଇଁ ହାଇଦ୍ରାବାଦ ଓ ଦିଲ୍ଲୀର ସଂସ୍ଥା ସହ କଥାବାର୍ତ୍ତା ସରିଛି  । ଜେରା ବେଳର ଅଡିଓ ଭିଡିଓ ରେକର୍ଡ କରାଯାଇଛି ଯାହା କୋର୍ଟରେ ପ୍ରଡ୍ୟୁସ ହେବ ।ଏହାବ୍ୟତୀତ ଅଧିକ ତଥ୍ୟ ପାଇଁ ଗୁଗୁଲ୍‌ର ବି ସହଯୋଗ ଲୋଡାଯାଇଥିବା କହିଛନ୍ତି ଅରୁଣ ବୋଥ୍ରା  ।

ଦୁଇଟି କାରଣରୁ ସରୋଜ ପୋଲିସ ରାଡାର ଭିତରକୁ ଆସିଥିଲା । ପ୍ରଥମତଃ ଘଟଣା ଦିନ ସେ ଏକୁଟିଆ ଥିଲା । ଦ୍ୱିତୀୟରେ ସେ ନିୟମିତ ଭାବେ ପର୍ଣ୍ଣ ଫିଲ୍ମ ଦେଖୁଥିଲା ।ଏହା ସହ ପରୀ ମାମଲାରେ ଅଙ୍ଗ ତସ୍କରୀ ଦୀଗକୁ ଖାରଜ କରିଦେଇଛନ୍ତି ଏସଆଇଟି ମୁଖ୍ୟ । ଶବ ପରୀକ୍ଷଣରୁ ଏହାର କୌଣସି ପ୍ରମାଣ ମିଳିନାହିଁ ବୋଲି ସେ କହିଛନ୍ତି