spot_img
Home Blog Page 623

ଆଉ କେଉଁମାନେ ସୋନମଙ୍କୁ କରିଥିଲେ ସହଯୋଗ, ପୋଲିସ ସୂତ୍ର କହୁଛି..

ନନ୍ଦିଘୋଷ ବ୍ୟୁରୋ: ହନିମୁନ ହରର କାହାଣୀ ଭାରତବର୍ଷରେ ଚର୍ଚ୍ଚାର ବିଷୟ ପାଲଟିଛି । ରାଜା ରଘୁବଂଶୀ ମର୍ଡର ମିଷ୍ଟ୍ରିରେ ଗୋଟିଏ ପରେ ଗୋଟିଏ ଗୁମର ଖୋଲୁଥିବାବେଳେ ଅଧିକ ତଥ୍ୟ ପାଇଁ ତଦନ୍ତ ଚଳାଇଛି ପୋଲିସ । ତେବେ ଏହି ଘଟଣାରେ ଆଉ କେଉଁମାନେ ସମ୍ପୃକ୍ତ ରହିଛନ୍ତି ? ପତ୍ନୀ ସୋନମ ଏବଂ ତାଙ୍କ ପ୍ରେମିକଙ୍କ ସହ ବନ୍ଧୁବାନ୍ଧବ ଏବଂ ସାଙ୍ଗଙ୍କ କିଛି ସମ୍ପୃକ୍ତି ରହିଛି ? ଏମିତି ଏକ ସନ୍ଦେହ ସୃଷ୍ଟି ହୋଇଥିବାବେଳେ ପୋଲିସ ଏବେ ଇନ୍ଦୋରରେ ଅଧିକ ତଦନ୍ତ ଚଳାଇଛି । ମାମଲାର ତଦନ୍ତ ପାଇଁ ୩ ଜଣିଆ SIT ଟିମ୍ ଗଠନ କରାଯାଇଛି । ସଦ୍ୟ ସୂଚନା ଅନୁସାରେ ବୁଧବାର ପୋଲିସକୁ ରାଜା ରଘୁବଂଶୀଙ୍କ ଲାପଟପ ଏବଂ ଡ୍ରେସ୍ ଡ୍ରେନରୁ ସୁରକ୍ଷିତ ଭାବେ ମିଳିଛି । ଏହାସହ ତାଙ୍କୁ ହତ୍ୟା କରାଯାଇଥିବା ପିସ୍ତଲକୁ ମଧ୍ୟ ଉଦ୍ଧାର କରାଯାଇଛି । ଏବେ ସନ୍ଦେହ କରାଯାଉଛି କି, ଏହି ଘଟଣାରେ ସୋନମଙ୍କ ଘନିଷ୍ଠ ବନ୍ଧୁ ଏବଂ କିଛି ପରିବାର ସଦସ୍ୟଙ୍କ ସମ୍ପୃକ୍ତି ରହିଥିବା ମଧ୍ୟ ସନ୍ଦେହ କରାଯାଉଛି ।

 

ଓଡ଼ିଶା ସୀମାନ୍ତ ଛତିଶଗଡ଼ରେ ନକ୍ସଲ ଏନକାଉଣ୍ଟର : ଟଳିଲେ ୨ ମାଓବାଦୀ

ନନ୍ଦିଘୋଷ ବ୍ୟୁରୋ: ଓଡ଼ିଶା ସୀମାନ୍ତ ଛତିଶଗଡ଼ରେ ନକ୍ସଲ ଏନକାଉଣ୍ଟର। ନାରାୟଣପୁର ଜିଲ୍ଲା ଅବୁଝମାଡ଼ ଜଙ୍ଗଲରେ ମୁହାଁମୁହିଁ ହୋଇଥିଲେ ନକ୍ସଲ ଓ ସୁରକ୍ଷାକର୍ମୀ। ଏଥିରେ ଦୁଇ ଜଣ ମହିଳା ନକ୍ସଲ ନିହତ ହୋଇଛନ୍ତି। ଛତିଶଗଡ଼ର ନାରାୟଣପୁର ଜିଲ୍ଲାରେ ସୁରକ୍ଷାବାହିନୀ ଏବଂ ନକ୍ସଲଙ୍କ ମଧ୍ୟରେ ଗୁଳିବିନିମୟ ଜାରି ରହିଛି। ମାଓବାଦୀଙ୍କ ଉପସ୍ଥିତି ସୂଚନା ପାଇ କମ୍ବିଂ ଅପରେସନ ଆରମ୍ଭ କରିଥିଲେ ଯବାନ। ସୁରକ୍ଷାକର୍ମୀଙ୍କ ଏକ ମିଳିତ ଦଳ ନକ୍ସଲ ବିରୋଧୀ ଅପରେସନରେ ବାହାରିଥିବା ବେଳେ ଅବୁଝମାଡ ଜଙ୍ଗଲରେ ଗୁଳି ବିନିମୟ ହୋଇଥିଲା। ଏବେବି ଗୁଳି ବିନିମୟ ଜାରି ରହିଛି ବୋଲି ଜଣାପଡ଼ିଛି ।

ବୃଦ୍ଧଙ୍କୁ ଆକ୍ରମଣ କଲେ ତିନି ଭାଲୁ, ଚାଲିଗଲା ଜୀବନ

ନନ୍ଦିଘୋଷ ବ୍ୟୁରୋ: ଭାଲୁ ଆକ୍ରମଣରେ ବୃଦ୍ଧ ମୃତ । ୩ଟି ଭାଲୁ ଏକ ସଙ୍ଗେ ଆକ୍ରମଣ କରିବାରୁ ଘଟଣାସ୍ଥଳରେ ହିଁ ବୃଦ୍ଧଙ୍କର ମୃତ୍ୟୁ ଘଟିଛି । କେନ୍ଦୁଝର ଜିଲ୍ଲା ଘଟଗାଁ ରେଞ୍ଜ କୋଳିପଶି ଗାଁ ନିକଟ ଅଟେଇ ଜଙ୍ଗଲରେ ଘଟିଛି ଅଭାବନୀୟ ଘଟଣା । ମୃତକ ହେଉଛନ୍ତି ନୁନୁ ନାଏକ। ସକାଳୁ ସେ ଛେଳି ପାଇଁ ଡାଳ,ପତ୍ର ଆଣିବାକୁ ନିକଟସ୍ଥ ଜଙ୍ଗଲକୁ ଯାଇଥିବା ବେଳେ ତାଙ୍କୁ ହଠାତ୍ ୩ଟି ଭାଲୁ ଆକ୍ରମଣ କରିଥିଲେ । ଫଳରେ, ତାଙ୍କର ମୁଣ୍ଡ ଓ ପେଟରେ ଗଭୀର ଆଘାତ ଲାଗିଥିଲା । ନିକଟରେ ଜଙ୍ଗଲକୁ ଛତୁ ଗୋଟାଇବାକୁ ଯାଇଥିବା ଲୋକେ ତାଙ୍କର ଚିତ୍କାର ଶୁଣି ଘଟଣାସ୍ଥଳକୁ ଆସିଥିଲେ । ହେଲେ, ସେତେବେଳେ ତାଙ୍କର ମୃତ୍ୟୁ ହୋଇଥିଲା । ଖବର ପାଇ ଘଟଣାସ୍ଥଳରେ ବନ ବିଭାଗ ଓ ପୋଲିସ ପହଞ୍ଚି ଘଟଣାର ତଦନ୍ତ ଆରମ୍ଭ କରିଛି ।

ବାକି ଟଙ୍କା ମାଗିବାରୁ ମାରିଦେଲେ..

ନନ୍ଦିଘୋଷ ବ୍ୟୁରୋ: ବାକି ଟଙ୍କା ମାଗିବାରୁ ମର୍ଡର। ପାନ ଦୋକାନୀଙ୍କ ମାଡରେ ଯୁବକଙ୍କ ମୃତ୍ୟୁ ହୋଇଛି । ବାଲେଶ୍ୱର ଜିଲ୍ଲା ଖଇରା ବଜାରରେ ଘଟିଛି ଏଭଳି ଘଟଣା। ମୃତକ ହେଲେ ଖଇରା ପଂଚାୟତ ପୁରୁଷୋତ୍ତମପୁର ଗାଁର ଜୟକୃଷ୍ଣ ସାହୁ।। ଅଭିଯୁକ୍ତ ଦୋକାନୀ ବସନ୍ତ ବେହେରା ଓ ସେଠାରେ ଥିବା ଅନ୍ୟ ଜଣେ ସହଯୋଗୀଙ୍କୁ ଥାନାରେ ଅଟକ ରଖି ପଚରା ଉଚରା ଚଳାଇଛି ଖଇରା ପୋଲିସ। କିଛି ଦିନ ତଳେ ଜୟକୃଷ୍ଣଙ୍କ ଠାରୁ ବସନ୍ତ କିଛି ଟଙ୍କା ଧାର ସୂତ୍ରରେ ଆଣିଥିଲେ l ଉକ୍ତ ଟଙ୍କା ମାଗିବାକୁ ବସନ୍ତଙ୍କ ଦୋକାନକୁ ଯାଇଥିଲେ ଜୟକୃଷ୍ଣ। ସେଠାରେ ବାକି  ଟଙ୍କା ନେଇ ଉଭୟଙ୍କ ମଧ୍ୟରେ ବଚସା ଓ ଗଣ୍ଡଗୋଳ ହୋଇଥିଲା। ପରେ  ଜୟକୃଷ୍ଣକୁ ମାଡ଼ ମାରି ତଳେ ପକାଇଦେଇଥିଲେ ଦୋକାନୀ। ସ୍ଥାନୀୟ ଲୋକେ ସଙ୍ଗେ ସଙ୍ଗେ ଜୟକୃଷ୍ଣଙ୍କୁ ଖଇରା ମେଡିକାଲକୁ  ନେଇଥିଲେ। ହେଲେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।

ହିମାଚଳ ପ୍ରଦେଶରେ ପ୍ରକୃତିର ତାଣ୍ଡବ : ଭାସିଗଲେ ୨୦ରୁ ଅଧିକ ଶ୍ରମିକ

ନନ୍ଦିଘୋଷ ବ୍ୟୁରୋ: ହିମାଚଳ ପ୍ରଦେଶରେ ପ୍ରକୃତିର ତାଣ୍ଡବ। ବାଦଲ ଫଟା ବର୍ଷାରୁ ବନ୍ୟାସ୍ଥିତି। କାଙ୍ଗଡା ଜିଲ୍ଲା ଖାନିଆରା ଅଂଚଳରେ ପାଣିର ସୁଅରେ ଭାସିଗଲେ ୨୦ରୁ ଅଧିକ ଶ୍ରମିକ। ପ୍ରବଳ ବର୍ଷା ଯୋଗୁଁ ପାଣି ଆସି ଦୁଇ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ପ୍ରାୟ ୨୦ ଜଣ ଭାସି ଯାଇଥିବା ଆଶଙ୍କା କରାଯାଉଛି।କାଙ୍ଗଡ଼ା ଜିଲ୍ଲାର ମାନୁନି ଖାଡ୍ରୁ ଦୁଇଟି ମୃତଦେହ ଉଦ୍ଧାର କରାଯାଇଛି। ଖାନିଆରା ମାନୁନି ଖାଡ୍ରେ ଜଳସ୍ତର ବୃଦ୍ଧି ପାଇବା ପରେ ଇନ୍ଦିରା ପ୍ରିୟଦର୍ଶିନୀ ଜଳବିଦ୍ୟୁତ୍ ପ୍ରକଳ୍ପ ନିକଟ ଏକ ଶ୍ରମିକ କଲୋନୀରେ ନିୟୋଜିତ ପ୍ରାୟ ୧୫ରୁ ୨୦ ଜଣ ଶ୍ରମିକ ଭାସି ଯାଇଥିବା ଆଶଙ୍କା କରାଯାଉଛି। ବର୍ଷା ଯୋଗୁଁ ପ୍ରକଳ୍ପ କାର୍ଯ୍ୟ ସ୍ଥଗିତ ରଖାଯାଇଥିଲା। ଶ୍ରମିକମାନେ ଏକ ଅସ୍ଥାୟୀ ଆଶ୍ରୟସ୍ଥଳରେ ବିଶ୍ରାମ ନେଉଥିଲେ। ସେତେବେଳେ ମାନୁନି ଖାଡ ଏବଂ ନିକଟସ୍ଥ ଡ୍ରେନରୁ ବନ୍ୟା ଜଳ ଶ୍ରମିକ କଲୋନୀ ଆଡ଼କୁ ମୁହାଁଇ ଶ୍ରମିକଙ୍କୁ ଭସାଇ ନେଇଥିଲା।

ଶ୍ରମିକ ଭାସିଯିବା ପରେ ଉଦ୍ଧାରକାର୍ଯ୍ୟ ଜୋରସୋରରେ ଚାଲିଛି।ରାଜ୍ୟ ବିପର୍ଯ୍ୟୟ ପ୍ରଶମନ, ସ୍ଥାନୀୟ ପ୍ରଶାସନ, ଗ୍ରାମ ପଞ୍ଚାୟତ ଏବଂ ରାଜସ୍ୱ ବିଭାଗ ପକ୍ଷରୁ ରେସକ୍ୟୁ ଅପରେସନ ଚାଲିଛି। କିଛି ସ୍ଥାନୀୟ ଶ୍ରମିକ ସୁରକ୍ଷିତ ଥିବା ଜଣାପଡିଛି। ଏହି ବନ୍ୟାରେ ଅନେକ ଘର, ସ୍କୁଲ କୋଠା, ଦୋକାନ, ସଂଯୋଗକାରୀ ରାସ୍ତା ଏବଂ ଛୋଟ ପୋଲ କ୍ଷତିଗ୍ରସ୍ତ ହୋଇଛି। ମନାଲି ନିକଟରେ ମନାଲି-ଚଣ୍ଡିଗଡ଼ ଜାତୀୟ ରାଜପଥ ଆଂଶିକ କ୍ଷତିଗ୍ରସ୍ତ ହୋଇଛି। ବଞ୍ଜାର ଉପଖଣ୍ଡ ହୋର୍ନାଗଡ ଅଞ୍ଚଳରେ ବନ୍ୟା ଯୋଗୁଁ ଏକ ପୋଲ ଭାସିଯାଇଛି। ଏକ ସରକାରୀ ସ୍କୁଲ ପରିସରରେ ପାଣି ପଶିବା ସହ ଚାଷ ଜମି ବ୍ଯାପକ କ୍ଷତି ଘଟିଛି। ଆସନ୍ତା ୨୯ ପର୍ଯ୍ୟନ୍ତ ଚାରି ଦିନ ମଧ୍ୟରେ ଚାରି ରୁ ସାତଟି ଜିଲ୍ଲାର ପୃଥକ ସ୍ଥାନରେ ପ୍ରବଳ ବର୍ଷା ହେବା ନେଇ ଅରେଂଜ ଆଲର୍ଟ ଜାରି କରିଛି ପାଣିପାଗ ବିଭାଗ ।

ରିଙ୍କୁ ସିଂଙ୍କୁ ମିଳିଲା ସରକାର ଚାକିରୀ, ଏଣିକି..

ନନ୍ଦିଘୋଷ ବ୍ୟୁରୋ: ଟିମ ଇଣ୍ଡିଆର ଷ୍ଟାର ବ୍ୟାଟ୍ସମ୍ୟାନ ରିଙ୍କୁ ସିଂଙ୍କ କ୍ୟାରିୟର ଅଳ୍ପଦିନର । କିନ୍ତୁ ତାଙ୍କର ରେକର୍ଡ ଅନେକ ଗୁଡ଼ିଏ ରହିଛି । ୧୯୯୭ ମସିହା ଆଲିଗଡ଼ରେ ଏକ ସାଧାରଣ ପରିବାରରେ ତାଙ୍କ ଜନ୍ମ । ବେଶ ସଂଘର୍ଷମୟ ଜୀବନ ଦେଇ ଗତି କରିଥିବା ରିଙ୍କୁ ଏବେ ବିଳାସମୟ ଜୀବନ ବିତାଉଛନ୍ତି । ଏବେ ତାଙ୍କୁ ସରକାରୀ ଚାକିରୀ ଦେଇଛନ୍ତି ଉତ୍ତରପ୍ରଦେଶ ସରକାର ।

ରିଙ୍କୁ ସିଂହଙ୍କୁ ମୌଳିକ ଶିକ୍ଷା ଅଧିକାରୀ ପଦବୀରେ ନିଯୁକ୍ତି ଦିଆଯାଇଛି। ଏହି ନିଯୁକ୍ତି ପ୍ରତ୍ୟକ୍ଷ ନିଯୁକ୍ତି ନିୟମ ଅନୁଯାୟୀ କରାଯାଇଛି, ଯାହା ତାଙ୍କ ପାଇଁ ଏକ ବଡ଼ ସଫଳତା। ଭାରତୀୟ କ୍ରିକେଟ୍ ଦଳ ପାଇଁ ଟି-୨୦ ଅନ୍ତର୍ଜାତୀୟ ମ୍ୟାଚ୍‌ରେ ଚମତ୍କାର ପ୍ରଦର୍ଶନ କରିଥିବା ରିଙ୍କୁ ସିଂହ ଏବେ ଶିକ୍ଷା କ୍ଷେତ୍ରରେ ସେବା କରିବେ। ଏ ସମ୍ପର୍କରେ ମୌଳିକ ଶିକ୍ଷା ନିର୍ଦ୍ଦେଶକ (ମୌଳିକ)ଙ୍କ ପକ୍ଷରୁ ଏକ ଚିଠି ଜାରି କରାଯାଇଛି। ଆପଣଙ୍କୁ ଜଣାଇ ଦେଉଛୁ ଯେ, ସେ ଟିମ୍ ଇଣ୍ଡିଆର ପ୍ରଥମ ଖେଳାଳି ନୁହଁନ୍ତି, ଏହା ପୂର୍ବରୁ ମଧ୍ୟ ଅନେକ କ୍ରିକେଟର ସରକାରୀ ଚାକିରି ପାଇସାରିଛନ୍ତି।

ରାଜଧାନୀରେ ଦୁର୍ଘଟଣା : ଜଣେ ମୃତ

ନନ୍ଦିଘୋଷ ବ୍ୟୁରୋ: ଭୁବନେଶ୍ବର ସିଆରପି  ଓଭରବ୍ରିଜ ଉପରେ ସଡକ ଦୁର୍ଘଟଣା । ଦୁର୍ଘଟଣାରେ ଜଣଙ୍କର ମୃତ୍ୟୁ ହୋଇଛି । ମୃତକ ଜଣଙ୍କ ଜଣେ ଓଲା ଡ୍ରାଇଭର ବୋଲି ଜଣାପଡିଛି । ନିଜ ବାଇକ ଯୋଗ ଯାଉଥିବା ବେଳେ ଧକ୍କା ଦେଇଛି ଅଜଣା ଟ୍ରକ । ଦୁର୍ଘଟଣାରେ ମୃତ୍ୟୁକୁ ନେଇ  ଘଟଣାସ୍ଥଳରେ ପ୍ରବଳ ଉତ୍ତେଜନା ଦେଖାଦେଇଥିଲା। ଘଟଣାସ୍ଥଳରେ ପୋଲିସ ପହଞ୍ଚି ଉତ୍ତ୍ୟକ୍ତ ଲୋକଙ୍କୁ ବୁଝାସୁଝା କରିଥିଲା।  ମୃତକଙ୍କ ପରିଚୟ ଓ ଦୁର୍ଘଟଣା ଘଟାଇଥିବା ଗାଡି ଓ ଡ୍ରାଇଭରଙ୍କ ସମ୍ପର୍କରେ ଚାଲିଛି ଖୋଳତାଡ଼ ।

ଆସନ୍ତା ୨୮ ତାରିଖରୁ ଆରମ୍ଭ ହେବ ରତ୍ନଭଣ୍ଡାର ମରାମତି କାର୍ଯ୍ୟ

ନନ୍ଦିଘୋଷ ବ୍ୟୁରୋ: ଆସନ୍ତା ୨୮ ତାରିଖରୁ ଆରମ୍ଭ ହେବ ରତ୍ନଭଣ୍ଡାର ମରାମତି କାର୍ଯ୍ୟ। ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ଏନେଇ ଚୂଡାନ୍ତ ହୋଇଛି। ଶ୍ରୀମନ୍ଦିର କାର୍ଯ୍ୟାଳୟରେ ଏଏସଆଇ ଅଧିକାରୀ ଓ ଭଣ୍ଡାର ମରାମତିକୁ ନେଇ ସମ୍ପୃକ୍ତ ସେବାୟତଙ୍କ ସହ ଆଲୋଚନା କରାଯାଇଛି। ମହାପ୍ରଭୁଙ୍କ ରଥଯାତ୍ରା ସମୟରେ ରତ୍ନଭଣ୍ଡାରର ବାକି ଥିବା ମରାମତି କାର୍ଯ୍ୟ କରାଯିବା ନେଇ ପୂର୍ବରୁ ନିଷ୍ପତି ହୋଇଥିଲା। ନୀଳାଦ୍ରି ବିଜେ ପୂର୍ବରୁ ମରାମତି କାର୍ଯ୍ୟ ଶେଷ କରିବାକୁ ଲକ୍ଷ୍ୟ ରଖାଯାଇଛି।

ଆଜି ମହାକାଶ ଇତିହାସ ଲାଗି ଗୁରୁତ୍ବପୂର୍ଣ୍ଣ ଦିନ, ଅପରାହଣ ୪.୩୦ରେ ଅନ୍ତର୍ଜାତୀୟ ମହାକାଶ ଷ୍ଟେସନରେ ଡକିଂ କରିବ ସ୍ପେସକ୍ରାଫ୍ଟ

ନନ୍ଦିଘୋଷ ବ୍ୟୁରୋ: ଆଜି ମହାକାଶ ଇତିହାସ ଲାଗି ଗୁରୁତ୍ବପୂର୍ଣ୍ଣ ଦିନ। ପୃଥିବୀର ପ୍ରାୟ ୪୦୦ କିଲୋମିଟର ଉପରେ କକ୍ଷପଥରେ ଆଜି ଅପରାହଣ ୪.୩୦ରେ ଅନ୍ତର୍ଜାତୀୟ ମହାକାଶ ଷ୍ଟେସନରେ ଡକିଂ କରିବ ସ୍ପେସକ୍ରାଫ୍ଟ। ସ୍ବାଧୀନ ଭାବେ ଉଡାଣ ଓ ଡକିଂ କ୍ଷମତା ରହିଛି ଡ୍ରାଗନ ସ୍ପେସକ୍ରାଫ୍ଟର। ଗତକାଲି ଫ୍ଲୋରିଡାର କେନେଡି ସ୍ପେସ ସେଣ୍ଟରରୁ ଆରମ୍ଭ ହୋଇଥିଲା ଆକ୍ସିଅମ ୪ ମିଶନ। ଏହି ମିଶନରେ ସାମିଲ ଅଛନ୍ତି ଭାରତୀୟ ଆଷ୍ଟ୍ରୋନଟ ଶୁଭାଂଶୁ ଶୁକ୍ଲା, ହଙ୍ଗେରୀର ତିବୋର କାପୁ, ନାସାର ପୂର୍ବତନ ଆଷ୍ଟ୍ରୋନଟ ପେଗି ହୁଇଟସନ, ପୋଲାଣ୍ଡ ତଥା ୟୁରୋପିଆନ ସ୍ପେସ ଏଜେନ୍ସିର ସ୍ଲାଓଜ ଉଜନସ୍କି ଉଇସନିସ୍କି। ଚାରି ମହାକାଶଚାରୀ ଆଇଏସଏସରେ ୧୪ ଦିନ ରହିବେ। ସେଠାରେ ସେମାନେ ୩୦ଟି ଦେଶର ବୈଜ୍ଞାନକଙ୍କ ସହ ଯୋଗାଯୋଗରେ ରହିବେ। ଆଇଏସଏସରେ କରାଯିବ ପ୍ରାୟ ୬୦ଟି ଗବେଷଣା। ମିଶନରେ ସାମିଲ ଅଛନ୍ତି ଆକ୍ସିୟମ ସ୍ପେସ, ନାସା, ସ୍ପେସ ଏକ୍ସ ଓ ଇସ୍ରୋ। ୪୧ ବର୍ଷ ପରେ ଦ୍ବିତୀୟ ଥର ଲାଗି ଆଇଏସଏସକୁ ଯାଇଛନ୍ତି ଭାରତର ଦ୍ବିତୀୟ ମହାକାଶଚାରୀ। ଆସନ୍ତା ୨୦୨୭ ଗଗନଯାନ ମିଶନ ଲାଗି ବି ବାଟ ଖୋଲିଦେଇଛନ୍ତି ଶୁଭାଂଶୁ। ଗଗନଯାନ ଅଭିଯାନ ଲାଗି ବି ଶୁଭାଂଶୁ ରହିବେ କ୍ରିଉ ମେମ୍ବର।

ମା ତାରିଣୀ ବସ୍ତ୍ରାଳୟର ଗୋଦାମରେ ନିଆଁ, ପୋଡ଼ିଗଲା ଲକ୍ଷାଧିକ ଟଙ୍କାର କପଡା

ନନ୍ଦିଘୋଷ ବ୍ୟୁରୋ: ବିଳମ୍ବିତ ରାତିରେ କପଡ଼ା ଗୋଦାମରେ ଲାଗିଲା ନିଆଁ । ଲକ୍ଷାଧିକ ଟଙ୍କାର କପଡା ଜଳିପୋଡ଼ି ପାଉଁଶ ହୋଇଛି ।  ଭୁବନେଶ୍ୱର କଳ୍ପନା ଛକରେ ଥିବା ମା ତାରିଣୀ ବସ୍ତ୍ରାଳୟର ଗୋଦାମରେ ଲାଗିଥିଲା ନିଆଁ । ଜଣେ କର୍ମଚାରୀଙ୍କୁ ଶ୍ୱାସରୁଦ୍ଧ ଅବସ୍ଥାରେ ଉଦ୍ଧାର କରିଛି ଅଗ୍ନିଶମ ବିଭାଗ ।   ୪ଟି ଦମକଳ ବାହିନୀର ବହୁ ଉଦ୍ୟମ କରି ନିଆ ଓ ଧୂଆଁ କୁ ଆୟତ କରିଥିଲେ। । ତାରିଣୀ ବସ୍ତ୍ରାଳୟର ପଛପଟେ ଥିବା କପଡା ଗୋଦାମରେ କୌଣସି କାରଣରୁ ନିଆ ଲାଗିଯାଇଥିଲା । ପରେ ଅଧିକ ଧୂଆଁ ସହ ନିଆ ଦେଖାଯିବାରୁ ସ୍ଥାନୀୟ ଲୋକ ଅଗ୍ନିଶମ ବାହିନୀକୁ  ସୂଚନା ଦେଇଥିଲେ ।  ତେବେ ଏହି ଅଗ୍ନିକାଣ୍ଡରେ ଲକ୍ଷାଧିକ ଟଙ୍କାର କପଡା ପୋଡିଯାଇଥିବା ଅନୁମାନ କରାଯାଉଛି ।