spot_img
Home Blog Page 6324

ATMରେ ଟ୍ରାଞ୍ଜାକ୍ସନ ଫେଲ ହେବା ପରେ ଆପଣଙ୍କ ଟଙ୍କା ଫେରିନାହିଁ କି ? ବ୍ୟାଙ୍କ ପ୍ରତି ଦିନ ଦେବେ ୧୦୦ ଟଙ୍କାର ଫାଇନ୍

ନୂଆଦିଲ୍ଲୀ: ଅନେକ ଥର ଏଟିଏମ୍ କାରବାର କିମ୍ବା ଟଙ୍କା ନଥିବା ଯୋଗୁଁ ଏଟିଏମ୍ ଟ୍ରାଞ୍ଜାକ୍ସନ ବିଫଳ ହୋଇଥାଏ । କେବେ କେବେ ଟ୍ରାଞ୍ଜାକ୍ସନ ଫେଲ୍ ହେବା ପରେ ମଧ୍ୟ ଆକାଉଣ୍ଟରୁ ଟଙ୍କା କଟିଯାଇଥାଏ । ଏନେଇ ଲୋକେ ଖୁବ ଚିନ୍ତିତ ହୋଇଥାନ୍ତି । ହେଲେ ଏହି ସମସ୍ୟାର ସମାଧାନ ପାଇଁ ବ୍ୟାଙ୍କ ଏବେ ଏକ ନିର୍ଦ୍ଦିଷ୍ଟ ସମୟ ମଧ୍ୟରେ ଟଙ୍କା ଆକାଉଣ୍ଟରେ ଫେରସ୍ତ ହେବ ବୋଲି ସୂଚନା ଦେଇଛି । ରିଜର୍ଭ ବ୍ୟାଙ୍କ ନିଜେ ଏକ ଟ୍ୱିଟରେ ଏହି ସୂଚନା ଦେଇଛି ।

ଯଦି କୌଣସି ଏଟିଏମ୍ ଟ୍ରାଞ୍ଜାକ୍ସନ ବିଫଳ ହୁଏ ଏବଂ ବ୍ୟାଙ୍କ ଏକ ନିର୍ଦ୍ଦିଷ୍ଟ ସମୟ ମଧ୍ୟରେ ଆପଣଙ୍କ ଟଙ୍କା ଆକାଉଣ୍ଟରେ ଫେରସ୍ତ କରେ ନାହିଁ, ତାହେଲେ ସମ୍ପୃକ୍ତ ବ୍ୟାକଙ୍କୁ କ୍ଷତିପୂରଣ ଦେବାକୁ ପଡିବ । ରିଜର୍ଭ ବ୍ୟାଙ୍କ ଅଫ୍ ଇଣ୍ଡିଆ ଲୋକଙ୍କୁ ସଚେତନ କରାଇବା ପାଇଁ ସମୟ ସମୟରେ ଏଭଳି ସୂଚନା ଦେଇଥାଏ । ରିଜର୍ଭ ବ୍ୟାଙ୍କ ନିଜ ୱେବସାଇଟରେ ଏଟିଏମ୍ ଜଡିତ ଅନେକ ପ୍ରଶ୍ନର ଉତ୍ତର ମଧ୍ୟ ଦେଇଛି।

ଭାରତୀୟ ରିଜର୍ଭ ବ୍ୟାଙ୍କ କହିବା ଅନୁସାରେ ବିଫଳ ହୋଇଥିବା ଟ୍ରାନ୍ଜାକସନ୍ ର ରିଫଣ୍ଡ ବ୍ୟାଙ୍କଗୁଡିକ କରିବା ଜରୁରୀ । ତେବେ କେନ୍ଦ୍ରୀୟ ବ୍ୟାଙ୍କ ଏହା ମଧ୍ୟ କହିଛି ଯେ, ଯଦି ଏମିତି କୌଣସି ସମସ୍ୟା ଟ୍ରାଞ୍ଜାକ୍ସନରେ ହେଉଛି ତାହେଲେ ସେମାନଙ୍କ ବ୍ୟାଙ୍କକୁ ଖୁବଶୀଘ୍ର ଜଣାଇବା ଆବଶ୍ୟକ । ଏଟିଏମ୍ ଟ୍ରାଞ୍ଜାକ୍ସନ ବିଫଳ ହେଲେ ଗ୍ରାହକଙ୍କ ଆକାଉଣ୍ଟରେ ୫ ଦିନ ମଧ୍ୟରେ ଟଙ୍କା ଫେରସ୍ତ କରିବା ବ୍ୟାଙ୍କର ଦାୟିତ୍ୱ । ଯଦି ବ୍ୟାଙ୍କ ବିଳମ୍ବ କରେ, ତେବେ ବ୍ୟାଙ୍କକୁ ପ୍ରତିଦିନ ୧୦୦ ଟଙ୍କା କ୍ଷତିପୂରଣ ଦେବାକୁ ପଡ଼ିବ ।

 

ସୋସିଆଲ ମିଡିଆରେ ଭାଇରାଲ ହେଲା ବାବାଙ୍କ ଢାବା, ମଟର ପନିର ପାଇଁ ଭିଡ଼ ଜମିଲା

ନୂଆଦିଲ୍ଲୀ: କମାଲ କରୁଛି ସୋସିଅଲ ମିଡିଆ । ଚୁଟକୀରେ ସମାଧାନ ହେଉଛି ସମସ୍ୟା । କିଛି ଲାକଙ୍କ ପାଇଁ ଦେବଦୂତ ସାଜିଛନ୍ତି ସୋସିଅଲ ମିଡିଆ ୟୁଜର । ସାହାଯ୍ୟ ଲୋଡ଼ୁଥିବା ଲୋକଙ୍କ ପାଇଁ ସମାଧାନର ରାସ୍ତା ବାହାର କରିବାରେ ଟିକେ ମଧ୍ୟ ବିଳମ୍ବ କରୁନାହାଁନ୍ତି । ଏମାନଙ୍କ ପାଇଁ ଦୁଃଖି ମୁହଁରେ ହସ ଫୁଟି ପାରୁଛି ।


ନିକଟରେ ଦକ୍ଷିଣ ଦିଲ୍ଲୀର ମାଲବ୍ୟ ନଗରରେ ନଜର ଆସିଛି ସେହିଭଳି ଏକ ଘଟଣା । ସାଙ୍ଗରେ ଧର୍ମପତ୍ନି । ପାଖରେ ଠେଲାଗାଡ଼ି, ଆଉ ସେଥିରେ ରହିଛି ନାନା କିସମର ବ୍ୟଞ୍ଜନ । କିନ୍ତୁ ଗ୍ରାହକଙ୍କର ଦେଖାନାହିଁ । ଘର ଚଳିବ କେମିତି? କିଭଳି ବିକ୍ରି ହେବ ରନ୍ଧା ହୋଇଥିବା ଖାଦ୍ୟ ? ଆଗାମୀ ଦିନରେ ଆଉ କେଉଁଭଳି ସମସ୍ୟାରେ ଗତି କରିବାକୁ ପଡ଼ିବ । ଏମିତି ମନରେ ଅନେକ ପ୍ରଶ୍ନ ଉଙ୍କି ମାରୁଥାଏ, ଆଖିରୁ ଝରିଯାଉଥାଏ ଲୁହ । ଏହି ସମୟର ଭିଡ଼ିଓକୁ କ୍ୟାମେରାରେ କଏଦ କରିଥିଲେ ଜଣେ ବ୍ୟକ୍ତି । ଯାହାକୁ ସେ ସୋସିଅଲ ମିଡିଆରେ ପୋଷ୍ଟ କରିବା ପରେ ଉକ୍ତ ପୋଷ୍ଟ ଭାଇରାଲ ହେବାରେ ଲାଗିଲା । ଅନେକ ଲୋକ ସାହାଯ୍ୟର ହାତ ବଢାଇଲେ । ଏମାନଙ୍କ ମଧ୍ୟରେ ଜଣେ ବିଶିଷ୍ଟ ବ୍ୟକ୍ତିଙ୍କ ନାମ ମଧ୍ୟ ସାମିଲ ରହିଛି । ତେବେ ସବୁଠାରୁ ଖାସ କଥା ହେଉଛି ଏବେ ବାବାଙ୍କ ଢାବାରେ ଭିଡ଼ ଜମୁଛି । ଯେଉଁ କାରଣରୁ ପୁଣିଥରେ ଏକ ଦମ୍ପତ୍ତିଙ୍କ ମୁହଁରେ ହସ ଫୁଟି ପାରିଛି । ଭିଡ଼ିଓକୁ ଏପର୍ଯ୍ୟନ୍ତ ପ୍ରାୟ ୭୨ ହଜାରରୁ ଅଧିକ ଥର ପସନ୍ଦ କରାଯାଥିବା ବେଳେ ୧୦ ଲକ୍ଷରୁ ଅଧିକ ଭ୍ୟୁଜ୍ ମିଳି ସାରିଛି ।

ଆମ୍ ଆଦମୀ ପାର୍ଟିର ନେତା ଏବଂ ଓକିଲ ସୋମନାଥ ଭାରତୀ ୮ ଅକ୍ଟୋବରକୁ ବାବାଙ୍କ ଢାବାରେ ପହଞ୍ଚି ବୟସ୍କ ଦମ୍ପତ୍ତିଙ୍କ ହସହସ ଚେହେରାର ଫଟୋ ଶେୟାର କରିଛନ୍ତି । ସୂଚନାଯୋଗ୍ୟ ଭାରତୀୟ କ୍ରିକେଟ ଦଳର ଷ୍ଟାର ସ୍ପିନର ବୋଲର ଆର.ଅଶ୍ୱିନ ମଧ୍ୟ ସାହାଯ୍ୟ କରିବାକୁ ଚାହୁଁଥିବା ଟ୍ୱିଟ କରିଛନ୍ତି । ଏହା ସହିତ ଅଭିନେତ୍ରୀ ସୋନମ କପୂର ମଧ୍ୟ ସାହାଯ୍ୟ କରିବାକୁ ଚାହୁଁଛନ୍ତି ବୋଲି ଟ୍ୱିଟ କରି ସୂଚନା ଦେଇଛନ୍ତି ।

ବିହାର ନିର୍ବାଚନ : ହାବିଲଦାରଙ୍କଠାରୁ ମାତ୍ ଖାଇ ବକ୍ସର ଟିକେଟ୍ ହରାଇଲେ ପୂର୍ବତନ ଡିଜିପି ଗୁପ୍ତେଶ୍ୱର ପାଣ୍ଡେ

ପାଟନା: ବିହାର ରାଜନୈତିକ ରଣଭୂମୀରେ ବକ୍ସର ସିଟରୁ ନିର୍ବାଚନ ଲଢିବା ସ୍ୱପ୍ନ ନେଇ ପୋଲିସ ଚାକିରିରୁ ଭିଆରସ୍ ନେଇଥିଲେ ପୂର୍ବତନ ଡିଜିପି ଗୁପ୍ତେଶ୍ୱର ପାଣ୍ଡେ । ଜେଡିୟୁ ହାତଧରି ନିଜର ବହୁଦିନର ରାଜନୈତିକ ସ୍ୱପ୍ନକୁ ପୁରଣ କରିବା ଥିଲା ପାଣ୍ଡେଙ୍କ ଲକ୍ଷ୍ୟ । କିନ୍ତୁ ପୂର୍ବତନ ଡିଜିପି ଟିକେଟ୍ ଲଢେଇର ଜଣେ ପୂର୍ବତନ ହାବିଲଦାରଙ୍କଠାରୁ ମାତ୍ ଖାଇଛନ୍ତି । ଏହି ହାବିଲଦାରଙ୍କ ନାମ ହେଉଛି ପରଶୁରାମ ଚତୁର୍ବେଦୀ । ପର୍ଶୁରାମ ଏମିତି ରାଜନୈତିକ ବ୍ୟୁହ ସେଟ୍ କରିଥିଲେ ଯେ,ପାଣ୍ଡେଙ୍କ ସ୍ୱପ୍ନ ଭାଙ୍ଗିଯାଇଥିଲା ।

ନିଜକୁ ବକ୍ସର ପୁଅ ବୋଲି କହିଥିଲେ

ଗୁପ୍ତେଶ୍ୱର ବକ୍ସର ସିଟ୍ ପାଇଁ ସବୁ ଉଦ୍ୟମ କରୁଥିଲେ । ଏଥି ପାଇଁ ଚାକିରି ଛାଡିଥିଲେ । ନୀତିଶଙ୍କୁ ପ୍ରଶଂସାରେ ପୋତୁଥିଲେ । ନିଜକୁ ବକ୍ସରର ପୁଅ ବୋଲି କହୁଥିଲେ । କିନ୍ତୁ କିଛି କାମ ଦେଲା ନାହିଁ । ଏହି ସିଟ୍ ପାରମ୍ପାରିକ ଭାବେ ବିଜେପିର । ବିଜେପି ୨୦୧୫ରେ ଏଠାରୁ ପରାସ୍ତ ହୋଇଥିଲା ।  ଆରଜେଡି ସିଟ୍ ହାତେଇଥିଲା । ଏଥର ଗୁପ୍ତେଶ୍ୱର ସିଟ୍ ଜେଡିୟୁ କୋଟାକୁ ଆସିବ ବୋଲି ଭାବିଥିଲେ । କିନ୍ତୁ ସିଟ୍ ଗଲା ବିଜେପି ଖାତାକୁ  ।

pandey

ଡିଜିପି ନୁହେଁ ହାବିଲଦାରଙ୍କୁ ମିଳିଲା ଟିକେଟ୍

ଗୁପ୍ତେଶ୍ୱରଙ୍କ ପକ୍ଷରେ ସବୁ ସମୀକରଣ ଥିଲା । କିନ୍ତୁ ଏହାରି ଭିତରେ ଜଣେ ପୂର୍ବତନ ହାବିଲଦାର ତଥା କୃଷକ ନେତା ପର୍ଶୁରାମ ଚତୁର୍ବେଦୀ ବିଜେପି ତରଫରୁ ନିର୍ବାଚନ ଲଢିବାକୁ ନିଜ ଦାବୀ ରଖିଥିଲେ । ସିଟ୍ ସେୟାରିଂ ଫର୍ମୁଲା ଅନୁସାରେ ସିଟ୍ ବିଜେପି ହାତକୁ ଗଲା । ଟିକେଟ୍ ମଧ୍ୟ ହାବିଲଦାରଙ୍କୁ ମିଳିଲା । ଏମିତିରେ କୁହାଯାଉଛି ଯେ, ବିହାରର ପୂର୍ବତନ ଡିଜିପି ଜଣେ ହାବିଲଦାରଠାରୁ ଟିକେଟ୍ ଲଢେଇରେ ହାରିଗଲେ । ତେବେ ଗୁପ୍ତେଶ୍ୱରଙ୍କ କହିବା ହେଉଛି ,ଏଥର ସେ ନିର୍ବାଚନ ଲଢିବେ ନାହିଁ । କାରଣ ହେଉଛି ଜେଡିୟୁର ୧୧୫ ଆସନ ପାଇଁ ଘୋଷିତ ପ୍ରାର୍ଥୀ ତାଲିକାରେ ତାଙ୍କ ନାମ ନାହିଁ ।

୨୦୦୯ରେ ମଧ୍ୟ ଏମିତି ହିନସ୍ତା ହୋଇଥିଲେ ପାଣ୍ଡେ

ପାଣ୍ଡେଙ୍କ ପାଇଁ ଏହା ନୁଆ ନୁହେଁ । ୨୦୦୯ରେ ରାଜନୀତି କରିବେ ବୋଲି ଭିଆରଏସ ନେଇଥିଲେ ପାଣ୍ଡେ । ସେତେବେଳେ ବିଜେପି ଟିକେଟ୍ ଦେବ ବୋଲି ଆଶା କରିଥିଲେ । କିନ୍ତୁ ବିଜେପି ଠିକ୍ ସମୟରେ ତାଙ୍କୁ ମଝି ଦରିଆରେ ଏକାକୀ ଛାଡି ଦେଇଥିଲା । ୨୦୦୯ ଲୋକସଭା ନିର୍ବାଚନରେ ସେ ବକ୍ସର ଆସନରୁ ଲଢିବା ପାଇଁ ପ୍ରସ୍ତୁତ ହେଉଥିଲେ । ବିଜେପିର ଲାଲମୁନି ଚୌବେଙ୍କୁ ଟିକେଟ୍ ମିଳିବ ନାହିଁ ବୋଲି ତାଙ୍କର ଆଶା ଥିଲା । କିନ୍ତୁ ଶେଷ ମୂହୁର୍ତ୍ତରେ ଲାଲମୁନି ଚୌବେଙ୍କ ଧମକ ଆଗରେ ବିଜେପି ମୁଣ୍ଡ ନୁଆଁଇଥିଲା ଓ ପାଣ୍ଡେଙ୍କୁ ପୁଣି ଚାକିରିକୁ ଫେରିବାକୁ ପଡିଥିଲା । ୨୦୨୦ରେ ମଧ୍ୟ ପାଣ୍ଡେଙ୍କ ଅବସ୍ଥା ସମାନ ।

 

OTVର ସାରୁଅ ଜମି କେଳେଙ୍କାରୀ ମାମଲା: ଷ୍ଟୁଡିଓ ଭିତରେ ଚାଲିଛି ପ୍ରଶାସନର ମାପଚୁପ

ଭୁବନେଶ୍ୱର: ଖୋର୍ଦ୍ଧା ସାରୁଅରେ ଓଟିଭି ଜମି କେଳେଙ୍କାରୀ ମାମଲା । ଆଜି ପଞ୍ଚମ ଦିନରେ ଷ୍ଟୁଡିଓ ପରିସରରେ ୭ ଜଣିଆ ଟିମ୍‌ ମାପଚୁପ କରୁଛନ୍ତି । ୪ ଜଣ ଆର ଆଇ ଓ ୩ ଜଣ ଅମିନ ଟିମ୍‌ରେ ସାମିଲ ରହିଛନ୍ତି । ଏହା ସହ ନୂତନ ଦାୟିତ୍ୱ ଗ୍ରହଣ କରିଥିବା ବେଗୁନିଆ ତହସିଲଦାର ପୃଥିରାଜ ମଣ୍ଡଳ ମଧ୍ୟ ତଦନ୍ତ କରୁଛନ୍ତି । ଷ୍ଟୁଡିଓକୁ ସଂଯୋଗ କରୁଥିବା ରାସ୍ତା ଗୋଚର ଜମି ପ୍ରମାଣିତ ହେବା ପରେ ମୁଖ୍ୟ ଫାଠକ ଠାରୁ ତିନି ଶହ ମିଟର ପର୍ଯ୍ୟନ୍ତ ପ୍ରଶାସନ ପକ୍ଷରୁ ନାଲି ପତାକା ପୋତା ଯାଇଥିଲା ।

ଷ୍ଟୁଡିଓ ଭିତରେ ମଧ୍ୟ ଗୋଚର ଜମି ରହିଥିବା ଅଭିଯୋଗ ହୋଇଥିଲା । ଏନେଇ ପ୍ରଶାସନ ପକ୍ଷରୁ ଓଟିଭି କର୍ତ୍ତୃପକ୍ଷଙ୍କୁ ନୋଟିସ୍ ହୋଇଥିଲା । ତେବେ ଭିଯୋଗ ଅନୁଯାୟୀ ୯୦ ଏକର ଜାଗା ଏବେ ଡିସ୍ପୁଟ ରହିଛି । ଏହି ଡିସ୍ପୁଟ ରହିଥିବା ଯାଗାକୁ ଏବେ ମାପଚୁପ କରାଯାଉଛି । ତେବେ ମାପଚୁପ ସରିବା ପରେ ଗାଁ ଲୋକଙ୍କୁ ନିଶ୍ଚିତ ନ୍ୟାୟ ମିଳିବ ବୋଲି ଜିଲ୍ଲା ପ୍ରଶାସନ କହିଛନ୍ତି ।

ଋଷର ଭ୍ୟାକ୍ସିନ୍ ନେଇ ସତର୍କତାର ସହ ଆଗକୁ ବଢୁଛି ଭାରତ,ଅଧିକ ପରୀକ୍ଷଣ ପାଇଁ ଅନୁମତି ଦେଲେନି ସରକାର

ନୂଆଦିଲ୍ଲୀ: ବିଶ୍ୱର ପ୍ରଥମ ପଞ୍ଜୀକୃତ ଟିକା ହେଉଛି ଋଷର ଟିକା ସ୍ପୁଟ୍ନିକ୍-ଭି । ଏହି ଟିକା ସଫଳ ହୋଇଛି ବୋଲି ଦାବି କରିବା ପରେ ଭାରତର ଜଣେ ଡାକ୍ତର ଋଷ ସହିତ ଏନେଇ ଆଲୋଚନା କରିଥିଲେ । ସିଡିଏସସିଓ ପ୍ରଥମେ ଏହି ଟୀକାର ଛୋଟ ପରୀକ୍ଷଣ ପାଇଁ କହିଥିଲା । ହେଲେ ପରୀକ୍ଷଣର ପ୍ରଥମ ଚରଣରେ ଭାରତ ଟ୍ରାୟଲ ପାଇଁ ଅନୁମତି ଦେଇଥିଲା । କିନ୍ତୁ ଋଷ ଏହି ପରୀକ୍ଷଣକୁ ଆଗକୁ ବଢାଇବାକୁ ଯାଇ ଅଧିକ ଟ୍ରାୟଲ ପାଇଁ ଆଶା ପ୍ରକାଶ କରିଥିଲା । ଯାହାର ଉତ୍ତରରେ ଭାରତ ଏହାକୁ ମଞ୍ଜୁରୀ ଦେବାରେ କୁଣ୍ଠାବୋଧ ପ୍ରକାଶ କରିଛି । ଋଷର ଟିକା ପରୀକ୍ଷା ଜାରି ରହିଛି । ଖୁବ ଶୀଘ୍ର ଏହାର ଫଳାଫଳ ପ୍ରକାଶ କରାଯିବ ବୋଲି ଜଣାପଡ଼ିଛି ।

ଋଷ ହେଉଛି ପ୍ରଥମ ଦେଶ ଯାହାକୁ କରୋନା ଭୂତାଣୁ ଟିକାର ରେଗୁଲେଟରୀ ମଞ୍ଜୁରୀ ମିଳିଛି । ଏବଂ ପରୀକ୍ଷା ଶେଷ ହେବା ପୂର୍ବରୁ ଲୋକଙ୍କୁ ଟିକା ଦେବା ଆରମ୍ଭ କରିସାରିଛି। ଋଷର ଏହି ପଦକ୍ଷେପକୁ ନେଇ ସାରା ବିଶ୍ୱରୁ ଡାକ୍ତର ଏବଂ ବୈଜ୍ଞାନିକମାନେ ଚିନ୍ତା ପ୍ରକାଶ କରିଛନ୍ତି । ଏଥି ସହିତ, ସ୍ପୁଟ୍ନିକ୍ ଭି ଟିକା ପ୍ରଦାନ କରିବା ପରେ ଋଷ ଆଉ ଏକ ଟିକା ଲଞ୍ଚ କରିବା ନେଇ ପ୍ରସ୍ତୁତି ଚଲାଇଛି । ଋଷର ଏହି ଟିକା ନାମ ହେଉଛି ଏପିଭୋକ କରୋନା । ଏହି ଟିକା କ୍ଲିନିକାଲ୍ ପରୀକ୍ଷଣରେ ସଫଳ ହୋଇଛି । ଅକ୍ଟୋବର ମାସ ୧୫ ତାରିଖରେ ଏହି ଟିକା ଲଞ୍ଚ ହେବ ବୋଲି କୁହାଯାଇଛି।

ଏହି ଟିକା ସାଇବରିଆର ଭେକ୍ଟର ଷ୍ଟେଟ ଭାଇରୋଲୋଜି ରିସର୍ଚ୍ଚ ସେଣ୍ଟର ଦ୍ୱାରା ତିଆରି କରାଯାଇଛି । ରିସର୍ଚ୍ଚ ସେଣ୍ଟର ଅନୁସାରେ ଏପିଭେକକରୋନା ପ୍ରଥମ ପର୍ଯ୍ୟାୟରେ ପ୍ରଭାବଶାଳୀ ବୋଲି ପ୍ରମାଣିତ ହୋଇଛି। ଭେକ୍ଟର ରିସର୍ଚ୍ଚ ସେଣ୍ଟର ଅନୁସାରେ ପଞ୍ଜୀକରଣ ପରେ ସାଇବରିଆର ୫୦୦୦ ସ୍ୱେଚ୍ଛାସେବୀଙ୍କ ଉପରେ ଏହି ଟିକାର କ୍ଲିନିକାଲ ପରୀକ୍ଷା ଆରମ୍ଭ ହେବ। ଅନ୍ୟପକ୍ଷରେ ଭ୍ୟାକ୍ସିନ୍ ନେଇ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ମଧ୍ୟ ଏକ ଭଲ ଖବର ଦେଇଛି । WHOର ମୁଖ୍ୟଙ୍କ କହିବା ଅନୁସାରେ ଏକ ସୁରକ୍ଷିତ ଭ୍ୟାକ୍ସିନ୍ ଚଳିତ ବର୍ଷ ଶେଷ ସୁଦ୍ଧା ଉପଲବ୍ଧ ହୋଇପାରେ । ଏହା ସହିତ ଟିକାର ସମାନ ଭାବେ ବାଣ୍ଟନ ଉପରେ ସେ ଗୁରୁତ୍ୱାରୋପ କରିଛନ୍ତି ।

ପେଟ୍ରୋଲ ପମ୍ପ ବ୍ଲାଷ୍ଟ ଟ୍ରାଜେଡି: ବିସ୍ଫୋରଣ ନେଇ ମିଳିଲା ସାଙ୍ଘାତିକ ତଥ୍ୟ

ଭୁବନେଶ୍ୱର: ଜଣାପଡ଼ିଲା ପେଟ୍ରୋଲ ପମ୍ପ ବିସ୍ଫୋରଣ ପଛର କାରଣ । ଯେଉଁ ସତ୍ୟ ଜାଣିଲେ ଆପଣ ମାନେବି ଆଶ୍ଚର୍ଯ୍ୟ ହୋଇଯିବେ । ବିସ୍ଫୋରଣ ପରେ ସମସ୍ତଙ୍କ ମନରେ ବିସ୍ଫୋରଣ କେମିତି ହେଲା ନେଇ ପ୍ରଶ୍ନ ସୃଷ୍ଟି ହୋଇଥିଲା । ଫିଲିଂ ଷ୍ଟେସନ୍‌ରେ ଏଲପିଜି ରିଫିଲିଂ ଚାଲିଥିବା ବେଳେ ହୋଇଥିଲା ବିସ୍ଫୋରଣ । ବ୍ଲାଷ୍ଟ ବେଳେ ସାଢେ ୪ ଟନ୍ ଏଲପିଜି ଏବଂ ୧୦ ହଜାର ଲିଟର ପାଣି ଥିଲା ।

ପ୍ରଥମେ  ହାଇଡ୍ରୋଜେନ୍ ଗ୍ୟାସ୍ ଭର୍ତ୍ତି ହୋଇଥିଲା, ତା ପରେ ନାଇଟ୍ରୋଜେନ୍ ଗ୍ୟାସ୍ ଫିଲିଙ୍ଗ ସଫଳ ହୋଇଥିଲା । ସବୁକିଛି ଠିକ୍‌ ଠାକ ଚାଲିଥିଲା । କିନ୍ତୁ ଯେତେବେଳେ ଏଲପିଜି ରିଫିଲିଙ୍ଗ ହେଲା ସେତେବେଳେ ଲିକ୍ ହୋଇ ନିଆଁ ଲାଗିବା ପରେ ବିସ୍ଫୋରଣ ହୋଇଥିଲା । ଏଭଳି ସାଙ୍ଘାତିକ ସୂଚନା ଦେଇଛନ୍ତି ପେଟ୍ରୋଲିଅମ ଆଣ୍ଡ ଏକ୍ସପ୍ଲୋସିଭ୍ ସେଫ୍ଟି ଅର୍ଗାନାଇଜେସନର ଡେପୁଟି ଚିଫ୍ କଣ୍ଟ୍ରୋଲର ରୁଆବ୍ ଅଲି ।

ବିସ୍ଫୋରଣ ପରେ ବିଭାଗ ତଦନ୍ତ ଆରମ୍ଭ କରିଛି । ଫିଲିଙ୍ଗ ଷ୍ଟେସନ ପରିସରରେ ତଦନ୍ତ ଚାଲିଛି । ମୃତକଙ୍କ ବାବଦରେ ତଦନ୍ତ କରାଯାଉଛି । ଆହତ ଲୋକଙ୍କୁ ଚିକିତ୍ସା ପରେ ପଚରାଉଚରା କରାଯିବ । ସେପଟେ ଟାଙ୍କିରୁ ଗ୍ୟାସ ସୁରକ୍ଷିତ ଭାବେ କଢାଯିବା ପରେ ଡିଜେଲ ଓ ପେଟ୍ରୋଲ କଢାଯାଇଛି । ରାଜଭବନ ରାସ୍ତାରେ ଟ୍ରାଫିକ କଟକଣାକୁ ଜୋରଦାର କରାଯାଇଛି । ସ୍ଥାନ ସୁରକ୍ଷିତ ନହେବା ଯାଏଁ ଟ୍ରାଫିକ କଟକଣା ଜାରି ରହିବ ବୋଲି ସିପି ଟ୍ୱିଟ କରିଛନ୍ତି । ସେପଟେ ଗ୍ୟାସ୍ ଟ୍ରାଜେଡିର ତଦନ୍ତ କରୁଛନ୍ତି ଜଟଣୀ ଓ ବାଲେଶ୍ୱରରୁ ଆସିଥିବା ଆଇଓସିଏଲ ଟିମ୍ ।

ଅକ୍ସଫୋର୍ଡ ବିଶ୍ୱବିଦ୍ୟାଳୟର ଓଡ଼ିଶାକୁ ପ୍ରଶଂସା, କରୋନା ମୁକାବିଲା କେମିତି କରାଯାଏ ଗଞ୍ଜାମଠାରୁ ଶିଖ

ଭୁବନେଶ୍ୱର: କରୋନା ମୁକାବିଲାରେ ଓଡ଼ିଶା ସରକାରଙ୍କ ସକ୍ରିୟତା ଓ ରଣନୀତିକୁ ପ୍ରଶଂସା କରିଛି ଇଂଲଣ୍ଡର ପ୍ରଖ୍ୟାତ ବିଶ୍ୱବିଦ୍ୟାଳୟ ଅକ୍ସଫୋର୍ଡ । ବିଶ୍ୱର ୩୧୦ ସହର କରୋନା ମୁକାବିଲା ପାଇଁ ନେଇଥିବା ପଦକ୍ଷେପ ଉପରେ ଅଧ୍ୟୟନ କରି ଅକ୍ସଫୋର୍ଡ ପ୍ରସ୍ତୁତ କରିଥିବା ରିପୋର୍ଟରେ ଓଡ଼ିଶାର ଗଞ୍ଜାମକୁ ପ୍ରଶଂସା କରାଯାଇଛି । ରିପୋର୍ଟରେ ବାକି ସହର ଓ ସରକାର ଗଞ୍ଜାମଠାରୁ ଶିକ୍ଷା ନେବାର ଅଛି ବୋଲି କୁହାଯାଇଛି । ଗଞ୍ଜାମ ସହ ମୁମ୍ବାଇର ଧାରବୀ ମଡେଲକୁ ମଧ୍ୟ ରିପୋର୍ଟରେ ପ୍ରଶଂସା କରାଯାଇଛି । ଏହି ଦୁଇ ସହରରେ ଯେଉଁଭଳି ଭାବେ କରୋନା ସଂକ୍ରମଣକୁ ରୋକାଯାଇଛି ସେଥିରୁ ଅନ୍ୟମାନେ ଶିକ୍ଷା ନେବାର ଅଛି ବୋଲି ଅକ୍ସଫୋର୍ଡ କହିଛି ।

ଅଧ୍ୟୟନ:

ଅକ୍ସଫୋର୍ଡ ବିଶ୍ୱବିଦ୍ୟାଳୟର ରିପୋର୍ଟରେ କୁହାଯାଇଛି ଯେ, ଛୋଟ ଓ ଅଧିକ ଜନସଂଖ୍ୟା ବିଶିଷ୍ଟ ସ୍ଥାନରେ କରୋନା ସଂକ୍ରମଣ ଦ୍ରୁତ ଗତିରେ ବୃଦ୍ଧି ପାଇବାର ଆଶଙ୍କା ରହିଛି । କେବଳେ ଏହି କାରଣରୁ ଗାଁ ଅପେକ୍ଷା ସହରରେ ସଂକ୍ରମିତଙ୍କ ସଂଖ୍ୟା ଅଧିକ । ଯଦି କ୍ଷୁଦ୍ର ସଂକ୍ରମିତ ଅଂଚଳରେ ସଂକ୍ରମଣକୁ ଆରମ୍ଭରୁ ରୋକାଯିବ ତେବେ ଗୋଷ୍ଠୀ ସଂକ୍ରମଣ ରୋକାଯାଇ ପାରିବ ବୋଲି ରିପୋର୍ଟରେ କୁହାଯାଇଛି ।

ଗଞ୍ଜାମ ରୋଲ ମଡେଲ

ରିପୋର୍ଟରେ ଗଞ୍ଜାମ ସଂପର୍କରେ ବିସ୍ତୃତ ଭାବେ ଆଲୋଚନା କରାଯାଇଛି ।  ମେ ୨ ତାରିଖରେ ଓଡ଼ିଶାର ଗଞ୍ଜାମ ଜିଲ୍ଲାରେ ପ୍ରଥମ କରୋନା ସଂକ୍ରମିତଙ୍କୁ  ଚିହ୍ନଟ କରାଯାଇଥିଲା ।  ଅଗଷ୍ଟ ମାସ ବେଳକୁ ସଂକ୍ରମିତଙ୍କ ସଂଖ୍ୟାରେ ୫୯ ପ୍ରତିଶତ ବୃଦ୍ଧି ଘଟିଥିଲା । ଏହାପରେ ଓଡ଼ିଶା ସରକାର ପ୍ରୋଆକ୍ଟିଭ୍ ପଦକ୍ଷେପ ନେଇଥିଲେ । ଫଳରେ ଏବେ ୨୦୪୩୦ ସଂକ୍ରମିତଙ୍କ ମଧ୍ୟରୁ ୯୮ ପ୍ରତିଶତ ସୁସ୍ଥ ହୋଇ ସାରିଛନ୍ତି । କେବଳ ୧୮୮ ସକ୍ରିୟ କରୋନା କେସ୍ ଏବେ ଗଞ୍ଜାମରେ ରହିଛି ।

ଓଡ଼ିଶା ସରକାର ଯେଉଁଭଲି ଭାବେ ସରପଞ୍ଚଙ୍କୁ ମହାମାରୀ ରୋକିବା ଦୀଗରେ କ୍ଷମତା ଦେଲେ,ପ୍ରତି ଗାଁରେ କୋଭିଡ୍ ପ୍ରବନ୍ଧନ କମିଟି ଗଠନ କଲେ ତାହା ଦ୍ୱାରା ଗଞ୍ଜାମ ଜିଲ୍ଲାରେ କରୋନା ସଂକ୍ରମଣକୁ ନିୟନ୍ତ୍ରଣକୁ ଅଣା ଯାଇପାରିଥିଲା । ରିପୋର୍ଟରେ ଏକ ହଜାରରୁ ଅଧିକ ସ୍ୱେଛାସେବୀ ଓ ପ୍ରତି ୫ ଗାଁ ପାଇଁ ଗୋଟିଏ ଆମ୍ବୁଲାନ୍ସ ବ୍ୟବସ୍ଥା କଥା ମଧ୍ୟ କୁହାଯାଇଛି ।

ଦର୍ଶନ ପାଇଁ ଲିଙ୍ଗରାଜ ମନ୍ଦିର ଖୋଲିବା ସପକ୍ଷରେ ନାହିଁ ବଡୁ ନିଯୋଗ, ୟୁନିୟନ ଚର୍ଚ୍ଚ ମଧ୍ୟ କହିଲା ସମାନ କଥା

ଭୁବନେଶ୍ୱର: ରାଜ୍ୟରେ କିଛି ପ୍ରସିଦ୍ଧ ଉପାସନାସ୍ଥଳୀକୁ ଖୋଲିବା ପାଇଁ ସବୁଜ ସଙ୍କେତ ଦେଇଛନ୍ତି ରାଜ୍ୟ ସରକାର । ଦୀର୍ଘ ୭ ମାସ ଧରି ଉପାସନାସ୍ଥଳୀ ବନ୍ଦ ହେବା ପରେ ଆସିଛି ଏଭଳି ଖୁସି ଖବର । ଯାହା ଭକ୍ତ ମାନଙ୍କ ମନରେ ଏକ ପ୍ରକାରର ଖୁସି ଭରି ଦେଇଛି । ସେପଟେ କିନ୍ତୁ ଏହାକୁ ବିରୋଧ କରିଛନ୍ତି ଲିଙ୍ଗରାଜ ମନ୍ଦିରର ସେବାୟତ ମାନେ । କରୋନା ସମୟରେ ଏଭଳି ପଦକ୍ଷେପ ଠିକ୍‌ ନୁହେଁ ବୋଲି ସେମାନେ ନିଜର ମତ ରଖିଛନ୍ତି ।

ସେବାୟତ ମାନେ କହିଛନ୍ତି । ପୁରୁଣା ଭୁବନେଶ୍ୱରରେ ଘରେ ଘରେ ଏବେ କରୋନା । ଲୋକେ କରୋନାରେ ମରିଲେଣି । ମନ୍ଦିର କେମିତି ଖୋଲାଯିବ, କାରଣ ମନ୍ଦିରର ୮୦ ପ୍ରତିଶତ ସେବାୟତ ମଧ୍ୟ କରୋନାରେ ପୀଡ଼ିତ ରହିଛନ୍ତି । ଯଦି ମନ୍ଦିର ଖୋଲାଯିବ ତେବେ ଭକ୍ତ ମାନିବେନି । ବିନା କୌଣସି ସତର୍କତାର ସହ ମନ୍ଦିରରେ ପ୍ରବେଶ କରିବେ । ସେମାନେ ମନ୍ଦିର ଆସିଲେ ସଂକ୍ରମଣ ବଢିବାର ସମ୍ଭାବନା ବହୁତ ରହିଛି ବୋଲି କହିଛନ୍ତି ସେବାୟତ କମଳାକାନ୍ତ ବଡ଼ୁ ।

ସେବାୟତ ସଂକ୍ରମିତ ହେଲେ ନୀତିକାନ୍ତି ବାଧାପ୍ରାପ୍ତ ହେବ । ତେଣୁ ସ୍ଥିତି ସ୍ୱାଭାବିକ ନହେବା ଯାଏ ମନ୍ଦିରରେ ଭକ୍ତଙ୍କୁ ଦର୍ଶନ ଅନୁମତି ନମିଳୁ ବୋଲି ସେ କହିଛନ୍ତି । ଅନ୍ୟ ମନ୍ଦିରକୁ କମ ଭକ୍ତ ଆସିବେ । ହେଲେ ଲିଙ୍ଗରାଜ ଓ ପୁରୀ ମନ୍ଦିରରେ ଭକ୍ତଙ୍କୁ ସମ୍ଭାଳି ହେବ ନାହିଁ ବୋଲି ସେ କହିଛନ୍ତି । ୭ ମାସ ହେଲା ମନ୍ଦିର ନଖୋଲିବା କାରଣରୁ ଆମେ ଦୁଃଖରେ ଅଛୁ କାରଣ ଆମେ ଭକ୍ତଙ୍କ ଦକ୍ଷୀଣାରେ ଚଳୁ । କିନ୍ତୁ କରୋନା ସଂକ୍ରମଣ ନିୟନ୍ତ୍ରିତ ନହୋଇଥିବା ବେଳେ ଲିଙ୍ଗରାଜ ମନ୍ଦିର ଦର୍ଶନ ପାଇଁ ଖୋଲିଲେ ଅବସ୍ଥା ଅସମ୍ଭାଳ ହେବ ବୋଲି ସେ କହିଛନ୍ତି ।

ମନ୍ଦିର ଖୋଲିବା ନେଇ ମଧ୍ୟ ୟୁନିୟନ ଚର୍ଚ୍ଚ ମଧ୍ୟ ମତ ରଖିଛି । ଅଧିକ ଭକ୍ତ ଆସିଲେ ଆମେ ସମ୍ଭାଳି ପାରିବୁନି ବୋଲି ଚର୍ଚ୍ଚ ପକ୍ଷରୁ କୁହାଯାଇଛି । ଆମେ ସରକାରଙ୍କ ସହିତ ଅଛୁ । ହେଲେ ସରକାର କହିଲେବି ଅକ୍ଟୋବର ଶେଷ ଯାଏ ଆମେ ଚର୍ଚ୍ଚ ଖୋଲିବୁନି ବୋଲି ୟୁନିୟନ ଚର୍ଚ୍ଚ କହିଛି । ନଭେମ୍ବରରେ ସ୍ଥିତି ଦେଖି ଆମେ ନିଷ୍ପତ୍ତି ନେବୁ ବୋଲି କୁହାଯାଇଛି ।

ତେବେ ଉପାସନା ସ୍ଥଳି ଖୋଲାଯିବା ସପକ୍ଷରେ ମତ ଦେଇଛନ୍ତି ମୌଲବି ଫଜଲେ ଇଲାହି । ସେ କହିଛନ୍ତି ଯେ, ଅଳ୍ପ ଲୋକ ଆସିଲେ ମସଜିଦ ଖୋଲିବାରେ ଅସୁବିଧା ନାହିଁ । ଏହା ସହ ଗହଳି ରୋକିବା ପାଇଁ ପୋଲିସ ବ୍ୟବସ୍ଥା ହେବାର ଆବଶ୍ୟକତା ଉପରେ ସେ ଗୁରୁତ୍ୱ ଦେଇଛନ୍ତି ।

ସେପଟେ ମନ୍ଦିର ଖୋଲିବା ନେଇ ମନ୍ଦିର ମାନଙ୍କରେ ପରିସ୍ଥିତିକୁ ଅନୁଧ୍ୟାନ କରିବା ପାଇଁ ସମସ୍ତ ଜିଲ୍ଲାର ଜିଲ୍ଲାପାଳ ମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ରାଜ୍ୟ ସରକାର । ୧୦ ଦିନ ମଧ୍ୟରେ ରିପୋର୍ଟ ଦେବା ପରେ ପରିସ୍ଥିତି ଦେଖି ମନ୍ଦିର ଖୋଲିବା ନେଇ ନିଷ୍ପତ୍ତି ନିଆଯିବ ।

ବର୍ଷ ଶେଷ ସୁଦ୍ଧା ଆସିପାରେ କରୋନା ଟିକା: ଭାରତରେ ତିନୋଟି ଟିକା ପରୀକ୍ଷଣର ସ୍ଥିତି କଣ, ଜାଣନ୍ତୁ

ନୂଆଦିଲ୍ଲୀ: ସମଗ୍ର ବିଶ୍ୱ ଏବେ କରୋନା ମହାମାରୀ ଭ୍ୟାକ୍ସିନ୍ ଅପେକ୍ଷାରେ ରହିଛି । କରୋନା ଟିକା କେବେ ଆସିବ ତାହା ସମସ୍ତଙ୍କ ଚିନ୍ତା । ଏହି ସମୟରେ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ (WHO) କହିଛି ଯେ, ଚଳିତ ବର୍ଷ ଶେଷ ସୁଦ୍ଧା କରୋନା ଟିକା ଉପଲବ୍ଧ ହୋଇପାରେ। ତେବେ ଏ ନେଇ WHOର ମୁଖ୍ୟ ଅଧିକ ସୂଚନା ଦେଇନାହାଁନ୍ତି । ସେ କେବଳ କହିଛନ୍ତି ଯେ, ଏବେ ସମସ୍ତଙ୍କୁ ଟିକା ଦରକାର ଏବଂ ଚଳିତ ବର୍ଷ ଶେଷ ସୁଦ୍ଧା ଲୋକେ ଟିକା ପାଇପାରନ୍ତି ।

ବିଶ୍ୱବ୍ୟାପୀ ନଅଟି କରୋନା ଟିକା ର ବିଭିନ୍ନ ପର୍ଯ୍ୟାୟରେ କ୍ଲିନିକାଲ୍ ପରୀକ୍ଷା ଚାଲିଛି । ସମସ୍ତେ ଏହି ଟ୍ରାୟଲର ଫଳାଫଳ ଅପେକ୍ଷାରେ ଅଛନ୍ତି । ଋଷ ଏବଂ ଚୀନ୍ ଏହି ଟିକା ପ୍ରସ୍ତୁତ କରିଛନ୍ତି ଏବଂ ରିପୋର୍ଟ ଅନୁଯାୟୀ, ସେଠାରେ ଏହି ଟିକା କିଛି ରୋଗୀଙ୍କୁ ଦିଆଯିବା ଆରମ୍ଭ ହୋଇସାରିଛି।

କରୋନା ଭୂତାଣୁ ଦ୍ୱାରା ଅଧିକ ପ୍ରଭାବିତ ଦେଶ ମଧ୍ୟରେ ଭାରତ ମଧ୍ୟ ରହିଛି । ଆମେରିକା ପରେ ଭାରତରେ ସର୍ବାଧିକ କରୋନା ମାମଲା ରିପୋର୍ଟ ହୋଇଛି । ଏଭଳି ପରିସ୍ଥିତିରେ ଦେଶର ଲୋକମାନେ ମଧ୍ୟ ଏକ ପ୍ରଭାବଶାଳୀ ଟିକା ଚାହୁଁଛନ୍ତି। ଭାରତରେ ଏବେ ତିନୋଟି କରୋନା ଟିକା ନେଇ ପରୀକ୍ଷଣ ଚାଲିଛି। ସମସ୍ତ ଟିକା ପରୀକ୍ଷଣର ବିଭିନ୍ନ ପର୍ଯ୍ୟାୟରେ ରହିଛି । ନିକଟରେ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ହର୍ଷ ବର୍ଦ୍ଧନ କହିଛନ୍ତି ଯେ, ୨୦୨୧ ଜୁଲାଇ ମାସ ସୁଦ୍ଧା ସରକାର ୪୦ ରୁ ୫୦କୋଟି ଡୋଜ ଯୋଗାଇବାକୁ ଯୋଜନା କରୁଛନ୍ତି। ତେବେ ଭାରତରେ ଚାଲୁଥିବା ତିନୋଟି ଟିକା ଏବଂ ପରୀକ୍ଷା ଜାଣନ୍ତୁ…

ପ୍ରଥମ ଟିକା : କୋଭାକ୍ସିନ୍

କୋଭାକ୍ସିନ୍ ହେଉଛି ଭାରତର ପ୍ରଥମ ସ୍ୱଦେଶୀ କରୋନା ଟିକା । ଇଣ୍ଡିଆନ୍ କାଉନସିଲ୍ ଅଫ୍ ମେଡିକାଲ୍ ରିସର୍ଚ୍ଚ (ଆଇସିଏମ୍ଆର) ଏବଂ ଭାରତ ବାୟୋଟେକ୍ କମ୍ପାନୀ ଦ୍ୱାରା ଏହି ଟିକା ପ୍ରସ୍ତୁତ କରାଯାଉଛି । ଏହା ଏକ ନିଷ୍କ୍ରିୟ ଭୂତାଣୁ ଟିକା । ଏହି ଟିକା ପରୀକ୍ଷା ଦ୍ୱିତୀୟ ପର୍ଯ୍ୟାୟରେ ପହଞ୍ଚିଛି । ସୂଚନା ଅନୁଯାୟୀ ଟିକା ମୂଲ୍ୟ ବହୁତ କମ୍ ରଖାଯିବ।

ଦ୍ୱିତୀୟ ଟିକା: ଜାଇକୋଭ୍-ଡି

ଜାଇକୋଭ-ଡି ହେଉଛି ଦେଶର ଦ୍ୱିତୀୟ ସ୍ୱଦେଶୀ କରୋନା ଟିକା। ଏହା ଭାରତର ବଡ ଫାର୍ମା କମ୍ପାନୀ ଜାୟଡସ୍ କାଡିଲା ଦ୍ୱାରା ବିକଶିତ କରାଯାଇଛି । ଏହା ଏକ ପ୍ରକାର DNA ଆଧାରିତ ଟିକା । ଏହି ଟିକା ମଧ୍ୟ ମାନବ ପରୀକ୍ଷଣର ଦ୍ୱିତୀୟ ପର୍ଯ୍ୟାୟ ଦେଇ ଗତି କରୁଛି । ଏହାର ମୂଲ୍ୟ ବିଷୟରେ କୌଣସି ସୂଚନା ଦିଆଯାଇ ନାହିଁ।

ତୃତୀୟ ଟିକା: କୋଭିଶିଲ୍ଡ

କୋଭିଶିଲ୍ଡ ହେଉଛି ଭାରତର ତୃତୀୟ କରୋନା ଟିକା । ବ୍ରିଟେନର ଅକ୍ସଫୋର୍ଡ ୟୁନିଭରସିଟି ଏବଂ ଫାର୍ମା କମ୍ପାନୀ ଆଷ୍ଟ୍ରାଜେନେକା ଦ୍ୱାରା ଏହାକୁ ବିକଶିତ କରାଯାଇଛି । ଏହି ଟିକା ବର୍ତ୍ତମାନ ଦେଶରେ ମାନବ ପରୀକ୍ଷଣର ଦ୍ୱିତୀୟ ପର୍ଯ୍ୟାୟରେ ପହଁଞ୍ଚିଛି।

ପ୍ରଥମ ଥର ପାଇଁ ନିଜର ଶକ୍ତି ଦେଖାଇଲା ରାଫେଲ, ଆକଶରେ ଉଡ଼ିଲା ଚାଇନାକୁ ଥରାଇଲା

ନୂଆଦିଲ୍ଲୀ: ନୀଳ ଆକାଶରେ ଗର୍ଜନ କରି ଉଡ଼ିଲା ବାୟୁସେନାର ରାଜା । ଶକ୍ତି ଦେଖାଇ ନିଜର ଅସ୍ତିତ୍ୱକୁ ଜାହିର କଲା ରାଫେଲ ଯୁଦ୍ଧ ବିମାନ । ଆକଶରେ ଉଡ଼ିଲା ଚାଇନାକୁ ଥରାଇଲା । ବିଶ୍ୱ ଦେଖିଲା ଭାରତୀୟ ବାୟୁସେନାର ଶକ୍ତି ଏବଂ ସାମର୍ଥ୍ୟକୁ । ଦେଶର ଗୌରବ ବାୟୁସେନା, ଗୁରୁବାର ତାର ୮୮ ତମ ପ୍ରତିଷ୍ଠା ଦିବସ ପାଳନ କରିଛି । ଏହି ଅବସରରେ ଗାଜିଆବାଦର ହିଣ୍ଡନ ଏୟାରବେସରେ ସ୍ୱତନ୍ତ୍ର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଯାଇଛି । ଯେଉଁଥିରେ ବାୟୁସେନାର ମୁଖ୍ୟ ଆର.କେ.ଏସ୍ ଭଦୋରିଆ ଦେଶକୁ ସମ୍ବୋଧିତ କରିଥିଲେ । କାର୍ଯ୍ୟକ୍ରମରେ ଚାଲିଥିଲା ପରେଡ ପରେ ପରେଡ଼ । ବାୟୁସେନାର ବୀର ଯବାନ ମାନେ ଦେଖାଉଥିଲେ ସେମାନଙ୍କର କଳା କୌଶଳ । କିନ୍ତୁ କାର୍ଯ୍ୟକ୍ରମର ଆକର୍ଷଣର କେନ୍ଦ୍ର ଥିଲା ରାଫେଲ ଯୁଦ୍ଧ ବିମାନ । ଯାହା ପ୍ରଥମ ଥର ପାଇଁ ଏହି କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିଥିଲା । ଏହି ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ସାମିଲ ହୋଇଥିଲେ ୫୬ ଟି ଯୁଦ୍ଧ ବିମାନ  ।

ଫ୍ରାନ୍ସରୁ ଆସିଥିବା ପାଞ୍ଚଟି ରାଫାଲ୍ ଯୁଦ୍ଧ ବିମାନ ମଧ୍ୟରୁ ଦୁଇଟି ଏହି କାର୍ଯ୍ୟକ୍ରମରେ ସାମିଲ ହୋଇଥିଲା । ସେହି ଦୁଇଟି ମଧ୍ୟରୁ ଗୋଟିଏ ବିମାନ ଆକାଶ ମାର୍ଗରେ ନିଜର କଳା ଦେଖାଇଥିଲା । ଯେତେବେଳେ ରାଫେଲ ଆକାଶରେ ଉଡ଼ିଥିଲା ସେତେବେ ସମସ୍ତଙ୍କ ଆଖି ଆକାଶକୁ ଚାହିଁଥିଲା । ରାଫେଲ ସହିତ ଜାଗୁଆର ଯୁଦ୍ଧ ବିମାନ ମଧ୍ୟ ନିଜର କଳା କୌଶଳ ଦେଖାଇଥିଲା, ଯାହା ସବୁଠାରୁ ଭାରତୀୟଙ୍କୁ ଏକ ସୁନ୍ଦର ମୁହୂର୍ତ୍ତ ଥିଲା ।

ରାଫାଲ ଯୁଦ୍ଧ ବିମାନ ବ୍ୟତୀତ ସୁଖୋଇ, ମିଗ, ଗ୍ଲୋବମାଷ୍ଟର, ଆପାଚେ, ଚିନୁକ ହେଲିକପ୍ଟର ମଧ୍ୟ ଆକାଶରେ ନିଜର ଶକ୍ତି ପ୍ରଦର୍ଶନ କରିଥିଲା । ଏଥର ଅନେକ ଯୁଦ୍ଧ ବିମାନ ଏବଂ ଅନ୍ୟ ବିମାନ, ହେଲିକପ୍ଟର ସମେତ ସମୁଦାୟ ୫୬ଟି ବିମାନ ଉଡ଼ାଣ କରିଥିଲେ । ଏମାନଙ୍କ ବ୍ୟତୀତ ସୂର୍ଯ୍ୟକିରଣ ଏବଂ ସାରଙ୍ଗ  ମଧ୍ୟ ସେମାନଙ୍କର ଶକ୍ତିକୁ ପ୍ରଦର୍ଶନ କରିଥିଲେ।