spot_img
Home Blog Page 6348

IPL 2020: ଧୋନି ନଟଆଉଟ୍, ତଥାପି ୭ ରନରେ ଚେନ୍ନାଇକୁ ହରାଇଲା ହାଇଦ୍ରାବାଦ

ଦୁବାଇ: ଆଇପିଏଲର ୧୩ତମ ସିଜିନର ୧୪ ତମ ମ୍ୟାଚରେ ସନରାଇଜର୍ସ ହାଇଦ୍ରାବାଦ, ଚେନ୍ନାଇ ସୁପର କିଙ୍ଗ୍ସକୁ ୭ ରନରେ ହରାଇଛି । ଟସ୍ ଜିତି ବ୍ୟାଟିଂ କରିଥିବା ହାଇଦ୍ରାବଦ ଚେନ୍ନାଇକୁ ୧୬୫ ରନର ଟାର୍ଗେଟ ଦେଇଥିଲା । ଜବାବରେ ଚେନ୍ନାଇ ୫ ୱିକେଟ ହରାଇ ୧୫୭ ରନ କରିବାରେ ସକ୍ଷମ ହୋଇଥିଲା ।

IPL 2020 SRH Defeat CSK In 7 Runs

ଚେନ୍ନାଇ ଅଧିନାୟକ ମହେନ୍ଦ୍ର ସିଂହ ଧୋନି ନଟଆଉଟ୍ ରହି ପ୍ୟାଭିଲିୟନ୍ ଫେରଥିବା ବେଳେ ଦଳକୁ ଜିତାଇ ପାରିନଥିଲେ । ଷଷ୍ଠଥର ପାଇଁ ଧୋନି ଆଉଟ୍ ହୋଇ ନଥିଲେ ମଧ୍ୟ ଟିମ୍ ହାରି ଯାଇଛି । ଚଳିତ ଆଇପିଏଲ୍ ସିଜିନରେ ଏଭଳି ଦ୍ୱିତୀୟ ଥର ପାଇଁ ହୋଇଛି । ଏହା ପୂର୍ବରୁ ରାଜସ୍ଥାନ ରୟାଲ୍ସ ବିରୋଧରେ ୨୯ ରନ୍ କରି ଆଉଟ୍ ନହୋଇ ଧୋନି ପ୍ୟାଭିଲିୟନ ଫେରିଥିଲେ, ଟିମ୍ ହାରି ଯାଇଥିଲା ।

IPL 2020 SRH Defeat CSK In 7 Runs

ହାଇଦ୍ରାବାଦ ଠାରୁ ମ୍ୟାଚ୍ ହାରିବା ସହ ଚେନ୍ନାଇ ଚଳିତ ସିଜିନରେ ତୃତୀୟ ଥର ପାଇଁ ପରାଜୟ ବରଣ କରିଛି । ଧୋନିଙ୍କ ନେତୃତ୍ୱାଧୀନ ଚେନ୍ନାଇ ସୁପର କିଙ୍ଗ୍ସ ଲଗାତାର ଦୁଇଥର ୨୦୧୦ ଓ ୨୦୧୧ରେ ଆଇପିଏଲ୍ ଚାମ୍ପିଅନ୍ ହୋଇଥିଲା । ୨୦୧୮ରେ ମଧ୍ୟ ଚାମ୍ପିଅନ୍ ବନିଥିଲା ଚେନ୍ନାଇ ।

କୌଣସି କଥାକୁ ନେଇ ଏହି ରାଶିର ବ୍ୟକ୍ତିଙ୍କର ଦେଖାଦେଇପାରେ ପାରିବାରିକ ବିବାଦ

ଆଜିର ପଞ୍ଚାଙ୍ଗ:

୦୩ ଅକ୍ଟୋବର, ୨୦୨୦, ଶନିବାର

୧୪୨୮ ସାଲ, ୧୯୪୨ଶକାବ୍ଦ, ୨୦୭୭ ସମ୍ବତ୍,

କନ୍ୟା ୧୮ ଦିନ, ଆଶ୍ୱୀନ ମଳ କୃଷ୍ଣପକ୍ଷ ଦ୍ୱିତୀୟା ତିଥି,

ରେବତୀ ନକ୍ଷତ୍ର ମୀନ ରାଶିରେ ସକାଳ ୮ଟା ୫୦ ପରେ ଅଶ୍ୱିନୀ ନକ୍ଷତ୍ର ମେଷ ରାଶିରେ

-ଘାତ ଚନ୍ଦ୍ର – ଧନୁ ରାଶିର ଦିନ ୮ଟା ୫୦ ପରେ ମେଷ ରାଶିର

– ଘାତ ବାର – ବୃଷ,ସିଂହ,କନ୍ୟା ରାଶିର

– ପୁଷ୍କର ଦୋଷ – ୨ ପାଦ, କୃଷି,ପଶୁହାନୀ

ପ୍ରତିକାର- ଭୂମି ଓ ଅନ୍ନଦାନ

– ଶୁଭ ସମୟ –

ସକାଳ ୭ ଟା ୧୫ରୁ ସକାଳ ୮ ଟା ୩୮

ଦିନ ୧୧ଟା ୫୯ ରୁ  ଦିନ ୧ଟା ୦୩ ମିନିଟ୍

ଦିନ ୨ଟା ୩୨ ରୁ ଅପରାହ୍ନ ୩ଟା ୦୭

– ଅଶୁଭ ସମୟ –

ରାହୁକାଳ- ସକାଳ ୮ଟା ୩୮ ରୁ ଦିନ ୧୦ଟା ୦୬

କାଳରାତ୍ରି- ସନ୍ଧ୍ୟା ୫ଟା ୨୯ ରୁ ସନ୍ଧ୍ୟା ୭ଟା

 

ମେଷ ରାଶି

ଅଶ୍ୱିନୀ ନକ୍ଷତ୍ର – ଦୃଢ ନିଷ୍ପତ୍ତି ନେଇ ବାକି ରହିଥିବା କାମକୁ ସଂପୂର୍ଣ୍ଣ କରିବେ

ଦ୍ୱିଜା ନକ୍ଷତ୍ର- ଘର ପାଇଁ କିଛି କିଣାକିଣି କରିପାରନ୍ତି

କୃତ୍ତିକା ନକ୍ଷତ୍ର – କିଛି ନୂଆ ତଥ୍ୟ ପାଇଁ ପ୍ରଶଂସିତ ହୋଇପାରନ୍ତି

ଶ୍ରୀହନୁମାନଙ୍କର ଆରାଧନା ସହ ଚାଳିଶା ପାଠ କରନ୍ତୁ

ବୃଷ ରାଶି

କୃତ୍ତିକା ନକ୍ଷତ୍ର – ଅପେକ୍ଷା କରିବା ଯୋଗୁ ମନ ଅଶାନ୍ତ ରହିବ

ରୋହିଣି ନକ୍ଷତ୍ର – ରୋଜଗାର ଅଧିକ ହେବ ନାହିଁ କିନ୍ତୁ ଖର୍ଚ୍ଚ ଅଧିକ ହୋଇପାରେ

ମୃଗଶିରା ନକ୍ଷତ୍ର -ପରିଶ୍ରମ ଅନୁସାରେ ପାରିଶ୍ରାମିକ ପାଇପାରିବେ ନାହିଁ

ଶୁକ୍ରଙ୍କର ମନ୍ତ୍ର ପାଠ କରନ୍ତୁ

ମିଥୁନ ରାଶି

ମୃଗଶିରା ନକ୍ଷତ୍ର – ଦୀର୍ଘଦିନର ଅଭିଳାଷ ପୂରଣ ହେବ, ନୂତନ କର୍ମରେ ଯୋଗଦାନ କରିପାରନ୍ତି

ଆର୍ଦ୍ରା ନକ୍ଷତ୍ର – ନିଜ ପାଖରେ ଥିବା ଦକ୍ଷତା ପ୍ରତିପାଦିତ କରିବେ, ଆଶା କରୁଥିବା ଦିଗରୁ ଶୁଭ ଖବର ପାଇବେ

ପୁନର୍ବସୁ ନକ୍ଷତ୍ର – ନିଜର ମନ ଅନୁସାରେ କର୍ମ କ୍ଷେତ୍ରରେ କର୍ମ କରିପାରିବେ

ଗଣେଶଙ୍କର ପୂଜା କରନ୍ତୁ

କର୍କଟ ରାଶି

ପୁନର୍ବସୁ ନକ୍ଷତ୍ର – ପାରିବାରିକ କ୍ଷେତ୍ରରେ କିଛି କଥାକୁ ନେଇ ବିବାଦୀୟ ହୋଇପାରନ୍ତି

ପୁଷ୍ୟା ନକ୍ଷତ୍ର – ଆଶା, ଅଭିଳାଷ ନିଶ୍ଚିତ ଭାବରେ ପୂରଣ ହେବ

ଅଶ୍ଲେଷା ନକ୍ଷତ୍ର – ବ୍ୟବସାୟୀମାନେ ବ୍ୟବସାୟରେ ଲାଭବାନ୍ ରହିବେ

ମହାଦେବଙ୍କର ପୂଜାର୍ଚ୍ଚନା କରନ୍ତୁ

ସିଂହ ରାଶି

ମଘା ନକ୍ଷତ୍ର – ବ୍ୟବସାୟ ବୃଦ୍ଧି ପାଇଁ କୌଣସି ନୂଆ ପଦକ୍ଷେପ ନେଇପାରନ୍ତି

ପୂର୍ବାଫାଲଗୁନି ନକ୍ଷତ୍ର – ବିଭିନ୍ନ  ସୂତ୍ରରୁ ଅର୍ଥଲାଭର ଯୋଗ ରହିଛି, ବନ୍ଧୁମାନଙ୍କ ସହିତ ସମୟ କାଟିବେ

ଉତ୍ତରାଫାଲଗୁନୀ ନକ୍ଷତ୍ର – କାର୍ଯ୍ୟ ସିଦ୍ଧି ଯୋଗୁ ମନ ଖୁସି ରହିବ, ଭାଙ୍ଗିଯାଇଥିବା ସଂପର୍କ ପୁଣି ଥରେ ଯୋଡି ହୋଇଯିବ

ସୂର୍ଯ୍ୟନାରାୟଣଙ୍କୁ ଜଳ ପ୍ରଦାନ କରନ୍ତୁ

କନ୍ୟା ରାଶି

ଉତ୍ତରାଫାଲଗୁନୀ ନକ୍ଷତ୍ର – ସ୍ୱାସ୍ଥ୍ୟ ଓ କର୍ମକ୍ଷେତ୍ରରେ ଉନ୍ନତି ହେବ

ହସ୍ତା ନକ୍ଷତ୍ର – ବନ୍ଧୁଙ୍କର ପ୍ରେରଣାରେ ଅନେକ ନୂତନ କାମ କରିପାରିବେ

ଚିତ୍ରା ନକ୍ଷତ୍ର – ଅଟକି ରହିଥିବା କାମକୁ ପୁରା କରିବା ପାଇଁ ଚେଷ୍ଟା କରନ୍ତୁ

ଗରିବ ଲୋକଙ୍କୁ କିଛି ସାହାଯ୍ୟ କରନ୍ତୁ

ତୁଳା ରାଶି

ଚିତ୍ରା ନକ୍ଷତ୍ର – ଅନ୍ୟ ଦ୍ୱାରା ପ୍ରଭାବିତ ହୋଇ ଭୁଲ୍ ରାସ୍ତାରେ ଯାଆନ୍ତୁ ନାହିଁ, ବିପଦ ରହିଛି

ସ୍ୱାତୀ ନକ୍ଷତ୍ର – କିଛି ଭୁଲ ଖବର ଯୋଗୁ ବ୍ୟସ୍ତ ହୋଇଯିବେ, ବନ୍ଧୁଙ୍କର ସାହାଯ୍ୟ ମିଳିପାରେ

ବିଶାଖା ନକ୍ଷତ୍ର -ବିବାଦୀୟ ଘଟଣାର ସମାଧାନ କରିବାର ଦିନ, ମାନସିକ କଷ୍ଟ ପାଇପାରନ୍ତି

ଗାଈକୁ କିଛି ଖାଇବାକୁ ଦିଅନ୍ତୁ

ବିଛା ରାଶି

ବିଶାଖା ନକ୍ଷତ୍ର – ବାହାରକୁ ଯିବା ବେଳେ ଅନ୍ୟମନସ୍କ ରୁହନ୍ତୁ ନାହିଁ

ଅନୁରାଧା ନକ୍ଷତ୍ର – ଜମିଜମା ସମସ୍ୟା ବିବାଦୀୟ ରୂପ ନେଇପାରେ, ସତର୍କ ରୁହନ୍ତୁ

ଜ୍ୟେଷ୍ଠା ନକ୍ଷତ୍ର – ଆପଣଙ୍କ ଭାବନାକୁ ଅନ୍ୟମାନେ ଭିନ୍ନ ରୂପ ଦେଇପାରନ୍ତି, ଜଗିରଖି କାର୍ଯ୍ୟ କରନ୍ତୁ

ମା’ବଗଳାମୁଖୀଙ୍କର ମନ୍ତ୍ର ପାଠ କରନ୍ତୁ

ଧନୁ ରାଶି

ମୂଳା ନକ୍ଷତ୍ର – କର୍ମକ୍ଷେତ୍ରରେ ସାହାଯ୍ୟ,ସହଯୋଗ ପାଇବେ, ସଫଳତା ରହିଛି

ପୂର୍ବଷାଢା ନକ୍ଷତ୍ର – ସାମାଜିକସ୍ତରରେ ସମ୍ମାନ ଲାଭ କରିପାରନ୍ତି

ଉତ୍ତରାଷାଢା ନକ୍ଷତ୍ର – ଅନ୍ୟମାନଙ୍କର ଖୁସି ପାଇଁ କିଛି ତ୍ୟାଗ କରିପାରନ୍ତି

ଗାୟତ୍ରୀ ପାଠ କରି ଘରୁ ବାହାରିବେ

ମକର ରାଶି

ଉତ୍ତରାଷାଢା ନକ୍ଷତ୍ର – ପରିଶ୍ରମର ଆଶାଜନକ ଫଳ ପାଇବେ ,ପାରିବାରିକ ସୁଖ ରହିବ

ଶ୍ରବଣା ନକ୍ଷତ୍ର – ଅଟକି ରହିଥିବା କାମ ସୁରୁଖୁରୁରେ ହୋଇଯିବ

ଧନିଷ୍ଠା ନକ୍ଷତ୍ର – ସମସ୍ତ କାର୍ଯ୍ୟରେ ସଫଳତା ପାଇବେ, ଶାରିରୀକ ସୁସ୍ଥତା ରହିବ

କୁକୁରକୁ କିଛି ଖାଇବାକୁ ଦିଅନ୍ତୁ

କୁମ୍ଭ ରାଶି

ଧନିଷ୍ଠା ନକ୍ଷତ୍ର – ଗୁରୁଜନ ଓ ଉଚ୍ଚପଦସ୍ଥ ବ୍ୟକ୍ତିଙ୍କ ଠାରୁ ସାହାଯ୍ୟ ସହଯୋଗ ପାଇବେ

ଶତଭିଷା ନକ୍ଷତ୍ର – ବ୍ୟବସାୟରେ ୱନାନା ପ୍ରକାରର ସୁବିଧା, ସୁଯୋଗ ପାଇବେ, ବକେୟା ଅର୍ଥ ବି ପାଇପାରନ୍ତି

ପୂର୍ବଭାଦ୍ର ନକ୍ଷତ୍ର – ପ୍ରତିଯୋଗିତାରେ ବିଜୟୀ ହେବେ, ରାଜନୈତିକ କ୍ଷେତ୍ରରେ ସଫଳତା ପାଇବେ

ଅଧିକ ଶୁଭତ୍ୱ ପାଇଁ ମା’କାଳୀଙ୍କର ମନ୍ତ୍ର ପାଠ କରନ୍ତୁ

ମୀନ ରାଶି

ପୂର୍ବଭାଦ୍ର ନକ୍ଷତ୍ର – ସାହସିକ ପଦକ୍ଷେପ ନେଇ ପ୍ରଶଂସିତ ହେବେ., ସ୍ବାସ୍ଥ୍ୟ ଠିକ୍ ରହିବ

ଉତ୍ତରଭାଦ୍ର ନକ୍ଷତ୍ର- ଅନେକ ଦିନରୁ ଚେଷ୍ଟା କରୁଥିବା କାମରେ ସଫଳତା ପାଇବେ

ରେବତୀ ନକ୍ଷତ୍ର – ଦୁର ସ୍ଥାନକୁ ଯାତ୍ରା କରିପାରନ୍ତି, ସନ୍ତାନଙ୍କ ପାଇଁ ଚିନ୍ତା ରହିବ

ମା’ତାରାଙ୍କର ମୂଳମନ୍ତ୍ର ପାଠ କରନ୍ତୁ

 

ଜ୍ୟୋତିର୍ବିଦ୍- ଦୀପକ ଆଚାର୍ଯ୍ୟ

ଯୋଗାଯୋଗ-9439050099, 9861064469

ଓଡିଶା ବିଶ୍ୱବିଦ୍ୟାଳୟ (ସଂଶୋଧନ) ଅଧ୍ୟାଦେଶ ୨୦୨୦ ସଂପର୍କୀୟ ୱେବିନାର…

0

ଭୁବନେଶ୍ୱର: ବିଜୁ ଯୁବ ଛାତ୍ର ଜନତା ଦଳର ଆନୁକୁଲ୍ୟରେ ଆୟୋଜିତ ଓଡିଶା ବିଶ୍ୱବିଦ୍ୟାଳୟ (ସଂଶୋଧନ) ଅଧ୍ୟାଦେଶ ୨୦୨୦ ସଂପର୍କୀୟ ୱେବିନାର ଅନୁଷ୍ଠିତ ହୋଇଛି । ଉଚ୍ଚଶିକ୍ଷାର ଗୁଣାତ୍ମକ ମାନ ବୃଦ୍ଧି ଏବଂ ଉତ୍କୃଷ୍ଟତା ନିମନ୍ତେ ରାଜ୍ୟସରକାରଙ୍କ ଦ୍ୱାରା ଆଗତ ଏହି ଐତିହାସିକ ଅଧ୍ୟାଦେଶ ସଂପକୀୟ ୱେବିନାରରେ ପାଖାପାଖି ୧,୫୦,୦୦୦ ରୁ ଉର୍ଦ୍ଧ୍ୱ ଛାତ୍ରଛାତ୍ରୀ ଅଭିଭାବକ ଏବଂ ସମଗ୍ର ବିଶ୍ୱର କୋଣ ଅନୁକୋଣରେ ପ୍ରତିଷ୍ଠିତ ମହା ଅନୁଭବୀ ଶିକ୍ଷାବିତ୍‌ମାନେ ଯୋଗଦେଇ ନିଜର ମତ ପ୍ରଦାନ କରିବା ସହ ଏହି ବିଶ୍ୱବିଦ୍ୟାଳୟ ସଂଶୋଧନ ଅଧ୍ୟାଦେଶକୁ ଭୂୟସୀ ପ୍ରଶଂସା କରିଥିଲେ ।

ସିଙ୍ଗାପୁର ଜାତୀୟ ବିଶ୍ୱବିଦ୍ୟାଳୟର ନିର୍ଦ୍ଦେଶକ ତଥା ଆସୋସିଏଟ୍ ପ୍ରଫେସର ଡଃ ସଂଜୀବ ପଣ୍ଡା ୱେବିନାରରେ ଅଂଶଗ୍ରହଣ କରିବା ଅବସରରେ କହିଥିଲେ କି “ଓଡିଶା ବିଶ୍ୱବିଦ୍ୟାଳୟ ସଂଶୋଧନ ଅଧ୍ୟଦେଶ ୨୦୨୦ ଏକ ସ୍ୱାଗତ ଯୋଗ୍ୟ ପଦକ୍ଷେପ ଏବଂ ଏହି ଅଧ୍ୟାଦେଶ ଦ୍ୱାରା ଓଡିଶାର ସମସ୍ତ ବିଶ୍ୱବିଦ୍ୟାଳୟ ଗୋଟିଏ ନିୟମାବଳୀରେ ପରିଚାଳିତ ହୋଇ ଛାତ୍ରଛାତ୍ରୀ ମାନଙ୍କ ପାଇଁ ଏକ ସୁସ୍ଥ ଶିକ୍ଷାର ବାତାବରଣ ସୃଷ୍ଟି କରିବ । ଫକୀରମୋହନ ବିଶ୍ୱବିଦ୍ୟାଳୟର ପୂର୍ବତନ କୂଳପତି ପ୍ରଫେସର କୁମରବର ଦାସ କହିଥିଲେ କି ଓଡିଶା ସରକାରଙ୍କ ଦ୍ୱାରା ଆଗତ ଏହି ଅଧ୍ୟାଦେଶ ଶିକ୍ଷା ପ୍ରଣାଳୀରେ ନୂତନ ସଂସ୍କାର ଆଣିବ ଏବଂ ଶିକ୍ଷକ ଏବଂ ଅଣ ଶିକ୍ଷକ ପଦବୀ ଚୟନ ଦାୟିତ୍ୱ ଓଡିଶା ଲୋକସେବା ଆୟୋଗ ଏବଂ ରାଜ୍ୟ ପ୍ରବରଣ ମଣ୍ଡଳୀଭଳି ସ୍ୱତନ୍ତ୍ର ସଂସ୍ଥାକୁ ପ୍ରଦାନ କରିବା ଦ୍ୱାରା ଚୟନ ପ୍ରକ୍ରିୟାରେ ସ୍ୱଚ୍ଛତା ଆସିବା ସହ ପକ୍ଷପାତିତାର ଅନ୍ତ ଘଟିବ ।

ଏହି ୱେବିନାରରେ ବିଧାୟକ ତଥା ବିଜୁ ଜନତା ଦଳର ସାଂଗଠନିକ ସଂପାଦକ ପ୍ରଣବ ପ୍ରକାଶ ଦାଶ ଯୋଗଦେଇ କହିଥିଲେ ଯେ, ମୁଖ୍ୟମନ୍ତ୍ରୀ  ନବୀନ ପଟ୍ଟନାୟକଙ୍କ ଦୂରଦୃଷ୍ଟି ସଂପନ୍ନ ଚିନ୍ତାଧାରା ଏବଂ ସ୍ୱଚ୍ଛ ନେତୃତ୍ୱ ମାଧ୍ୟରେ ପ୍ରସ୍ତୁତ ଓଡିଶା ବିଶ୍ୱବିଦ୍ୟାଳୟ ସଂଶୋଧନ ଅଧ୍ୟାଦେଶ” ବଳରେ ଓଡିଶା ବିଶ୍ୱର ଶିକ୍ଷା ସଂସ୍କାର ମାନଚିତ୍ରରେ ଏକ ସ୍ୱତନ୍ତ୍ର ସ୍ଥାନ ଅଧିଗ୍ରହଣ କରିବ । ଆଗାମୀ ଦିନରେ ଶିକ୍ଷାର ଗୁଣାତ୍ମକ ମାନଦଣ୍ଡ ବୃଦ୍ଧି କରିବାରେ ଏହି ଅଧ୍ୟାଦେଶ ନିଣ୍ଣାୟକ ଭୂମିକା ଗ୍ରହଣ କରିବାରେ ସହାୟକ ହେବ । ଏହି ୱେବିନାରରେ ସ୍ୱାଗତ ଭାଷଣ ପ୍ରଦାନ କରିଥିଲେ ବିଜୁ ଜନତା ଦଳର ସାଧାରଣ ସଂପାଦକ (ଯୁବବ୍ୟପାର) ତଥା ମାନ୍ୟବର ବିଧାୟକ  ପ୍ରଣବ ବଳବନ୍ତ ରାୟ, ସଭାପରିଚାଳନା କରିଥିଲେ ବିଜୁ ଯୁବଜନତା ଦଳର ରାଜ୍ୟ ସଭାପତି ତଥା ମାନ୍ୟବର ବିଧାୟକ  ବ୍ୟୋମକେଶ ରାୟ, ବିଜୁ ଜନତା ଦଳର ରାଜ୍ୟ ସଂପାଦକ (ଯୁବବ୍ୟାପାର) ତଥା ଓଡିଶା ଉଠାଜଳସେଚନ ନିଗମର ଅଧ୍ୟକ୍ଷ ଅମରେଶ ପତ୍ରୀ ଅଂଶ ଗ୍ରହଣ କରିଥିଲେ ଏବଂ ବିଜୁ ଛାତ୍ର ଜନତା ଦଳର ରାଜ୍ୟ ସଭାପତି ତଥା ବିଧାୟକ  ଦେବୀ ରଂଜନ ତ୍ରୀପାଠୀ ଉପସ୍ଥିତ ରହି ୱେବିନାରକୁ ସଫଳ କରିଥିଲେ ।

 

କନ୍ଧମାଳ: ଦିବ୍ୟାଙ୍ଗ ପ୍ରତିଭା ‘ସୁନେଲି’ଙ୍କୁ ସହାୟତା ପାଇଁ ଜିଲାପାଳଙ୍କୁ ଟୁଇଟ୍ କରି ଅନୁରୋଧ କଲେ ବର୍ଷା ପ୍ରିୟଦର୍ଶିନୀ

ଭୁବନେଶ୍ୱର:କନ୍ଧମାଳ ଜିଲା ଦାରିଙ୍ଗିବାଡ଼ି ବ୍ଲକର ବାଡ଼ାବାଙ୍ଗା କଲୋନୀର ସୁନା ଝିଅ ସୁନେଲି । ବୟସ ମାତ୍ର ଏଗାର ବର୍ଷ । ପିଲାଟି ଦିନରୁ ଦିବ୍ୟାଙ୍ଗ, ହେଲେ ଏହା ତା ମନୋବଳ ଭାଙ୍ଗି ଦେଇନି । କଳାକୁ ଯେମିତି ଜନ୍ମରୁ ନିଜ ସାଙ୍ଗରେ ନେଇ ଆସିଛି, ସେହି ଭଳି ପ୍ରତିଭାର ଅଧିକାରିଣୀ ସୁନେଲି । ନୃତ୍ୟ ପାଇଁ ଦୁର୍ବଳତା । ଘରେ ହେଉ କି ସାଇ ପଡିଶାରେ ଗୀତ ତା କାନରେ ବାଜିଲେ, ଥୟ ଧରନ୍ତିନି ସୁନେଲି  । ସଂଗୀତ ତାଳେ ତାଳେ ନାଚି ଉଠନ୍ତି ସେ । ଭିନ୍ନ ଭିନ୍ନ ଅଙ୍ଗଭଙ୍ଗୀରେ । ସବୁବେଳେ ତାଙ୍କ ମୁହଁରେ ଶୋଭାପାଉଥାଏ କେରାଏ ମିଠା ହସ ।

ଏହି ଅନନ୍ୟ ପ୍ରତିଭାଙ୍କ ସମ୍ପର୍କରେ ସୋସିଆଲ ମିଡିଆରୁ ଜାଣିବାକୁ ପାଇଥିଲେ ଓଲିଉଡ ନାୟିକା ବର୍ଷା ପ୍ରିୟଦର୍ଶିନୀ । ସୁନେଲିଙ୍କ ନାଚ ଶିଖିବାର ଆଗ୍ରହ, ପାଠ ପଢିବାର ଇଚ୍ଛା, ଅଭିନୟ ଯାଦୁ ଦେଖାଇବାର ଉତ୍ସାହ ବର୍ଷାକୁ ମୁଗ୍ଧ କରିଥିଲା । ତେଣୁ ସୁନେଲିର ସୁନେଲି ଭବିଷ୍ୟତକୁ ଆହୁରି ସୁନିଶ୍ଚିତ କରିବା ପାଇଁ କନ୍ଧମାଳ ଜିଲାପାଳ ଡକ୍ଟର ବୃନ୍ଦା ଦେବରାଜନଙ୍କୁ ଅନୁରୋଧ କରିଛନ୍ତି । ବର୍ଷା ନିଜ ଟୁଇଟ୍ ର ହ୍ୟାଣ୍ଡେଲରୁ ଟୁଇଟ୍ କରି ଶୁକ୍ରବାର ଜିଲାପାଳଙ୍କୁ ଅନୁରୋଧ କରିଥିବା ଜଣାପଡିଛି । ସୁନେଲିଙ୍କ ବାପାଙ୍କ ନାଁ  ସୁକ୍ରୁ ଦିଗାଲ । ମା ଟୁନି ଦିଗାଲ । ସୁନେଲି ଅନ୍ୟ ଦୁଇ ଭଉଣୀ ଅଞ୍ଜଳି ଓ ରାହେଲ ।

ସାହି ପଡିଶାରେ ସୁନେଲି କୁନି ସେଲିବ୍ରେଟି । ତା ବୟସ ପିଲାମାନଙ୍କ ମଧ୍ୟରେ ସେ ତାରକା। ପିଲାଟିର ଇଚ୍ଛା ଅଛି, ତେଣୁ ତାକୁ ନିଶ୍ଚୟ ଭଲ ସୁଯୋଗ ମିଳିବ ବୋଲି ବନ୍ଧୁ, ପରିଜନ ଆଶାବାଦୀ ଅଛନ୍ତି ।

 

 

ଥିଏଟର ଖୋଲିବ କିନ୍ତୁ ଅକ୍ଷୟ କୁମାରଙ୍କ ଫିଲ୍ମ ସୂର୍ଯ୍ୟବଂଶୀ ହେବନାହିଁ ରିଲିଜ, ସାମ୍ନାକୁ ଆସିଲା ଏହି କାରଣ

ମୁମ୍ବାଇ: ଯେତେବେଳେ ଅନଲକର ପ୍ରକ୍ରିୟା ଆରମ୍ଭ ହେଲା ସେତେବେଳେ ଅକ୍ଷୟ କୁମାର ହେଉଛନ୍ତି ପ୍ରଥମ ଅଭିନେତା ଯିଏକି ନିଜ ଫିଲ୍ମ ସୁଟିଂ ଶେଷ କରିଛନ୍ତି । ଅକ୍ଷୟ କୁମାର ପୂର୍ବ ୨ ଦଶକରୁ ମଧ୍ୟ ଅଧିକ ସମୟରୁ  ଫିଲ୍ମ ଇଣ୍ଡଷ୍ଟ୍ରିରେ ସକ୍ରିୟ ଅଛନ୍ତି । କରୋନା ମହାମାରୀ ସମୟରେ ସିନେମା ଘର ଗୁଡ଼ିକରେ ତାଲା ପଡ଼ିଥିଲା । କିନ୍ତୁ ଅନଲକ ପ୍ରକ୍ରିୟାରେ ଅକ୍ଟୋବର ୧୫ରୁ ଥିଏଟରଗୁଡ଼ିକୁ ସାଧାରଣ ଲୋକଙ୍କ ପାଇଁ ଖୋଲାଯିବ ।

ଯେତେବେଳେ ଅନଲକ୍ ପ୍ରକ୍ରିୟା ଆରମ୍ଭ ହେଲା, ଅକ୍ଷୟ କୁମାର ବଲିଉଡର ପ୍ରଥମ ଅଭିନେତା ଯିଏ ଫିଲ୍ମ ସୁଟିଂ ଆରମ୍ଭ କରିଥିଲେ । ଅକ୍ଷୟ କୁମାର ୨ ଦଶନ୍ଧିରୁ ଅଧିକ ସମୟ ଧରି ଚଳଚ୍ଚିତ୍ର ଇଣ୍ଡଷ୍ଟ୍ରିରେ ସକ୍ରିୟ ଅଛନ୍ତି ଏବଂ ପ୍ରତିବର୍ଷ ଭିନ୍ନ ଭିନ୍ନ ପ୍ରସଙ୍ଗରେ ଅନେକ ଚଳଚ୍ଚିତ୍ର କରିବା ପାଇଁ ଖୁବ ଜଣାଶୁଣା । କରୋନା ମହାମାରୀ ଭିତରେ ମଧ୍ୟ ଅକ୍ଷୟ କୁମାରଙ୍କର ପାଖରେ ଫିଲ୍ମର ଅଭାବ ନାହିଁ । ତାଙ୍କ ପାଖରେ ଏବେ ଅନେକ ଚଳଚ୍ଚିତ୍ର ରହିଛି । ଏହି ଚଳଚ୍ଚିତ୍ର ମଧ୍ୟରୁ ଗୋଟିଏ ହେଉଛି ବେଲ୍ ବଟମ୍, ଯାହା ସୁଟିଂ ବର୍ତ୍ତମାନ ସେ କରୁଛନ୍ତି । କେବଳ ଏତିକି ନୁହେଁ ଏହି ଫିଲ୍ମର ପ୍ରଥମ ଟିଜର ମଧ୍ୟ ଖୁବ ଶୀଘ୍ର ଆସିବାକୁ ଯାଉଛି।

କରୋନା କାଳରେ ସିନେମା ଘରଗୁଡ଼ିକ ଦୀର୍ଘ ସମୟ ଧରି ବନ୍ଦ ହୋଇରହିଥିଲା । କିନ୍ତୁ ବର୍ତ୍ତମାନ ଅନଲକ୍ ପ୍ରକ୍ରିୟାର ଏକ ଅଂଶ ଭାବରେ ଅକ୍ଟୋବର ୧୫ରୁ ସାଧାରଣ ଲୋକଙ୍କ ପାଇଁ ପ୍ରେକ୍ଷାଳୟ ମଧ୍ୟ ଖୋଲାଯିବ । ଏଭଳି ପରିସ୍ଥିତିରେ ସମସ୍ତେ ଆଶା କରୁଛନ୍ତି ଯେ ଏବେ ବଡ଼ ବଡ଼ ଫିଲ୍ମ ଏବେ ବଡ ପରଦାରେ ମୁକ୍ତିଲାଭ କରିବ। ଏହି ତାଲିକାରେ ଅକ୍ଷୟ କୁମାରଙ୍କ ଫିଲ୍ମ ସୂର୍ଯ୍ୟବଂଶୀ ଶୀର୍ଷରେ ଅଛି କାରଣ ଏହି ଚଳଚ୍ଚିତ୍ରଟି ସଂପୂର୍ଣ୍ଣ ଭାବେ ପ୍ରସ୍ତୁତ ହୋଇ ରହିଛି । କିନ୍ତୁ ବର୍ତ୍ତମାନ ପ୍ରଶଂସକଙ୍କ ପାଇଁ ଏକ ଖରାପ ଖବର ଆସିଛି ।

ଥିଏଟରରେ ରିଲିଜ ହେବ କି ସୂର୍ଯ୍ୟବଂଶୀ

କୁହାଯାଉଛି ଯେ, ଥିଏଟର ଖୋଲିବା ସତ୍ତ୍ୱେ ଅକ୍ଷୟ କୁମାରଙ୍କ ସୂର୍ଯ୍ୟବଂଶୀ ଥିଏଟରରେ ରିଲିଜ ହେଉନାହିଁ । ଏହି ଫିଲ୍ମକୁ ପ୍ରଥମେ ଦିପାବଳୀରେ ରିଲିଜ କରିବା ପାଇଁ ଚିନ୍ତା କରାଯାଉଥିବା ବେଳେ, ସେଭଳି ହେଉନଥିବା ଦେଖାଦେଉଛି । ମେକର୍ସଙ୍କ ମୁତାବକ ଏବେ ଥିଏଟର କୋଲୁଛି ସତ କିନ୍ତୁ ସମସ୍ତ ରାଜ୍ୟ ଥିଏଟର ଖୋଲୁଥିବା ଦେଖିବାକୁ ମିଳୁନାହିଁ । ତାଙ୍କ ହିସାବରେ ମହାରାଷ୍ଟ୍ର, ତମିଲନାଡୁ, ଆନ୍ଧ୍ରପ୍ରଦେଶ ଭଳି ରାଜ୍ୟ ଏବେ ଥିଏଟର ଖୋଲିବା ପାଇଁ ମନା କରୁଛନ୍ତି । ଏମିତିରେ ଫିଲ୍ମ ରିଲିଜ କରିବା ଲାଭପ୍ରଦ ହେବ ନାହିଁ । ଖବର ଏହା ମଧ୍ୟ ଆସୁଛି ଯେ, ସୂର୍ଯ୍ୟବଂଶୀଙ୍କୁ ଡିସେମ୍ବରରେ ରିଲିଜ କରାଯାଇପାରେ । କିନ୍ତୁ ତାହା ମଧ୍ୟ ଫାଇନାଲ ହୋଇପାରିନାହିଁ । କରୋନାର ସ୍ଥିତିକୁ ଦେଖି ନିଷ୍ପତ୍ତି ନିଆଯିବ ।

OTT ରେ ଆସୁଛି ଲକ୍ଷ୍ମୀ ବୋମ

ଏଥର ଦିପାବଳୀ ଅବସରରେ ଅକ୍ଷୟଙ୍କ ଲକ୍ଷ୍ମୀ ବମ୍ ଫିଲ୍ମ ମୁକ୍ତିଲାଭ ହେବାକୁ ଯାଉଛି । ଫିଲ୍ମକୁ ନେଇ ପ୍ରଶଂସକଙ୍କ ମଧ୍ୟରେ ଏକ ଜବରଦସ୍ତ ଉତ୍ସାହ ଦେଖିବାକୁ ମିଳୁଛି । ଫିଲ୍ମର ଟିଜର ଟ୍ରେଣ୍ଡ ହେଉଛି ଏବଂ ଅକ୍ଷୟଙ୍କ ଲୁକ୍ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି । ବର୍ତ୍ତମାନ ଏହି ଚଳଚ୍ଚିତ୍ରଟି OTT ରେ ରିଲିଜ ହେବାକୁ ଯାଉଛି, ଫିଲ୍ମର ସଫଳତା ବିଷୟରେ ଅନେକ ପ୍ରଶ୍ନ ଉଠିଛି । ଏହାପୂର୍ବରୁ ଅମିତାଭଙ୍କ ଗୁଲାବୋ ସୀତାବୋ OTT ରେ ରିଲିଜ୍ କରି କିଛି ବିଶେଷ ପ୍ରଦର୍ଶନ କରିବାରେ ସକ୍ଷମ ହୋଇନଥିଲେ, ଏପରି ପରିସ୍ଥିତିରେ ଅକ୍ଷୟଙ୍କ ପାଇଁ ଏହା ଏକ ବଡ଼ ଆହ୍ୱାନ ହେବ।

ରାଜ୍ୟରେ ଆଉ ୪୦୪୮ କରୋନା ଆକ୍ରାନ୍ତ ସୁସ୍ଥ, ଜାଣନ୍ତୁ କେଉଁଠୁ କେତେ..

ଭୁବନେଶ୍ୱର: ରାଜ୍ୟରେ ଆଉ ୪୦୪୮ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି ଏନେଇ ସ୍ୱାସ୍ଥ୍ୟ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ସମସ୍ତ ସୁସ୍ଥଙ୍କୁ ଘରକୁ ଫେରିବା ପାଇଁ ଅନୁମତି ଦିଆଯାଇଛି

ତେବେ ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୬୮୩ ଜଣ ସୁସ୍ଥ ହୋଇଥିବା ବେଳେ ୪୬୬ ଜଣ କଟକରୁ, ୧୩୦ ଜଣ ଜଗତସିଂହପୁରରୁ, ସୁନ୍ଦରଗଡ଼ରୁ ୯୮, ଯାଜପୁରରୁ ୧୭୬, ପୁରୀରୁ ୧୯୫, ଝାରସୁଗୁଡ଼ାରୁ ୮୧, ମୟୂରଭଞ୍ଜରୁ ୧୦୮, ବରଗଡ଼ରୁ ୧୦୬, କେନ୍ଦ୍ରାପଡ଼ାରୁ ୧୪୨, ବାଲେଶ୍ୱରରୁ ୧୧୫, ଅନୁଗୁଳରୁ ୧୬୭, ସମ୍ବଲପୁରରୁ ୧୧୧, ନୟାଗଡ଼ରୁ ୪୬, କଳାହାଣ୍ଡିରୁ ୫୩, ଢେଙ୍କାନାଳରୁ ୩୩, ନବରଙ୍ଗପୁରରୁ ୧୩୩, ନୂଆପଡ଼ାରୁ ୧୦୧, ସୋନପୁରରୁ ୬୧, କେନ୍ଦୁଝରରୁ ୧୦୭, କନ୍ଧମାଳରୁ ୧୪୬, ଭଦ୍ରକରୁ ୧୧୮, କୋରାପୁଟରୁ ୬୪, ବଲାଙ୍ଗିରରୁ ୪୫, ମାଲକାନଗିରିରୁ ୪୮, ଗଞ୍ଜାମରୁ ୩୯, ରାୟଗଡ଼ାରୁ ୯୯, ବୌଦ୍ଧରୁ ୩୫, ଦେଓଗଡ଼ରୁ ୧୬, ଗଜପତିରୁ ୧୩ ଜଣ ସୁସ୍ଥ ହୋଇଛନ୍ତି ଏହାସହ ଷ୍ଟେଟ୍ପୁଲ୍ରେ ମଧ୍ୟ ୩୧୩ ଜଣ ସୁସ୍ଥ ହୋଇଥିବା ସୂଚନା ମିଳିଛି

ତେବେ ଏହି ସୁସ୍ଥଙ୍କୁ ମିଶାଇ ରାଜ୍ୟରେ ଏବେ ସୁଦ୍ଧା ଲକ୍ଷ ୯୪ ହଜାର ୧୨୮ ଜଣ ସୁସ୍ଥ ହୋଇଛନ୍ତି

ଲକ୍ଷେ ୪୩ ହଜାର ଟଙ୍କାରେ ବିକ୍ରି ହେଲା ୨୨ କେଜିର ମାଛ

ଭଦ୍ରକ: ଧାମରା ଚନ୍ଦନୀପାଳରେ ମତ୍ସ୍ୟଜୀବୀଙ୍କ ଜାଲରେ ପଡ଼ିଲା ୨୨ କେଜିଆ ତେଲିଆ ମାଛ । ଯାହାକୁ କେଜି ପିଛା ୬ ହଜାର ଟଙ୍କା ଦେଇ କିଣିଛି ମୁମ୍ବାଇର ଏକ ଫାର୍ମା କମ୍ପାନୀ । ମାଛକୁ ଏକ ଲକ୍ଷ ୪୩ ହଜାର ଟଙ୍କାରେ ଫାର୍ମାସ୍ୟୁଟିକାଲ ଫାର୍ମ କିଣିଛି । ତାଳଚୁଆଁ ଅଞ୍ଚଳର ଜଣେ ମତ୍ସ୍ୟଜୀବୀଙ୍କ ଜାଲରେ ଘୋଲ ନାମକ ମାଛ ପଡ଼ିଥିଲା । ଯାହାକୁ ସ୍ଥାନୀୟ ଅଞ୍ଚଳରେ ତେଲିଆ ମାଛ କୁହନ୍ତି ।

Rare Ghol Fish Sell At 6000 Rupees For KG In Dhamara

ଗଭୀର ସମୁଦ୍ରରୁ ମାଛ ଧରାପଡ଼ିଛି । ରାଜ୍ୟରେ ଦୁଇ ଦିନ ଧରି ବର୍ଷା ଲାଗି ରହିଛି । ଅନ୍ୟପଟେ କୋଭିଡ୍ ଯୋଗୁଁ ଅନେକ କଟକଣା ଲାଗିଛି । ଏହାରି ଭିତରେ ୨୨ କେଜିର ଘୋଲ ମାଛ ପାଇଁ ନିଲାମ ଡକାଯାଇଥିଲା । ଯାହାକୁ ମୁମ୍ବାଇ ସ୍ଥିତ ଏକ ଫାର୍ମା କମ୍ପାନୀ କେଜି ପିଛା ୬ ହଜାର ଟଙ୍କା ଦେଇ କିଣିଛି । ସାମୁଦ୍ରିକ ପ୍ରଜାତିର ମହଙ୍ଗା କିସମର ମାଛ ଘୋଲ ।

Rare Ghol Fish Sell At 6000 Rupees For KG In Dhamara

ଏହି ମାଛ ସମୁଦ୍ର ସୁନା ଭାବେ ପରିଚିତ । ଏହାକୁ ଔଷଧ ପାଇଁ ବ୍ୟବହାର କରାଯାଏ । ବିଶେଷକରି ଇଣ୍ଡୋ-ପେସିଫିକ୍ କ୍ଷେତ୍ରରେ ଏହା ଦେଖାଯାଏ । ପ୍ରଜନନ ସମୟରେ ସେମାନେ ଗଭୀର ଜଳରୁ ବାହାରକୁ ଚାଲି ଆସନ୍ତି । ପୂର୍ବରୁ ଏହି ପ୍ରଜାତିର ୨ଟି ମାଛ ଧରା ପଡ଼ିଥିବା ବେଳେ କେଜି ପିଛା ୬ ହଜାର ଟଙ୍କାରେ ବିକ୍ରି ହୋଇଥିବା ଗ୍ରାମବାସୀ କହିଛନ୍ତି ।

ସିନେ ତାରକା ତଥା ସମାଜସେବୀ ସବ୍ୟସାଚୀଙ୍କୁ ସମ୍ମାନିତ କରିବ ଓଡ଼ିଶା ସ୍କାଉଟ ଗାଇଡ୍ ସଂସ୍ଥା

ଭୁବନେଶ୍ୱର: ଓଡ଼ିଆ ଚଳଚିତ୍ରର ଲୋକପ୍ରିୟ ତାରକା ସବ୍ୟସାଚୀ ମିଶ୍ର । କେବଳ ଅଭିନୟ ନୁହେଁ, ସମାଜସେବା ପାଇଁ ମଧ୍ୟ ସେ ବେଶ୍ ପରିଚିତ । କରୋନା ମହାମାରୀ ସମୟରେ ବିଭିନ୍ନ ସ୍ଥାନରେ ଫସିଥିବା ଲୋକଙ୍କୁ ସହାୟତା କରିବା, ଅସହାୟଙ୍କ ମୁହଁରେ ହସ ଫୁଟାଇପାରିଥିଲେ । ତାଙ୍କର ଏହି କାର୍ଯ୍ୟ ଏବେ ବି ଅବ୍ୟାହତ ରହିଛି । କେହି କେହି ତ ତାଙ୍କୁ ଓଡ଼ିଶାର ସୋନୁ ସୁଡ୍ ବୋଲି କହିଲେଣି । ଏହିପରି ପରୋପକାର କାର୍ଯ୍ୟ ସବ୍ୟସାଚୀଙ୍କ ପାଇଁ ଅନେକ ପ୍ରଶଂସା ଏବଂ ପୁରସ୍କାର ଆଣିଛି ।

ସେହିକ୍ରମରେ ସବ୍ୟସାଚୀ ମିଶ୍ରଙ୍କୁ ଇଣ୍ଡିଆନ ସ୍କାଉଟ ଓ ଗାଇଡ୍ ଫେଲୋସିପ , ଓଡ଼ିଶା ଶାଖା ପକ୍ଷରୁ ସମ୍ମାନିତ କରାଯିବ । ଏ ସମ୍ପର୍କିତ ଏକ ନିଷ୍ପତ୍ତି ଓଡ଼ିଶା ରାଜ୍ୟ ସ୍କାଉଟ ଓ ଗାଇଡର କାର୍ଯ୍ୟକାରିଣୀରେ ନିଷ୍ପତ୍ତି ନିଆଯାଇଛି । ଜାତିର ପିତା ମହାତ୍ମାଗାନ୍ଧୀ ସମ୍ମାନ ନାମରେ ନାମିତ ଏହି ପୁରସ୍କାର ସବ୍ୟ ପାଇବାକୁ ଯାଉଛନ୍ତି ।  ସବ୍ୟଙ୍କୁ ବାଦ ଦେଲେ କର୍ନାଟକ ରାଜ୍ୟର ଯଥା ଭାରତୀୟ ସ୍କାଉଟ ଗାଇଡ୍ ର ସଭାପତି ଏସ୍.କେ ମିଶ୍ରଙ୍କୁ ଲାଲବାହାଦୂର ଶାସ୍ତ୍ରୀ ସମ୍ମାନ ପ୍ରଦାନ କରାଯିବ ।

କାର୍ଯ୍ୟକାରିଣୀ ବୈଠକରେ ସଭାପତି କାଳି ମିଶ୍ର, ପଦ୍ମଶ୍ରୀ ଦିଲ୍ଲୀପ ତିର୍କୀ, ଅଭିନେତ୍ରୀ ଅର୍ଚ୍ଚିତା ସାହୁ ଏବଂ ଅନ୍ୟମାନଙ୍କ ମଧ୍ୟରେ ଗୁରୁ ପୀତାମ୍ବର ବିଶ୍ୱାଳ, ସମ୍ପାଦକ ଋଷି ପଟ୍ଟନାୟକ , ଡକ୍ଟର ପ୍ରଣବ ମହାପାତ୍ର, ସଂସ୍ଥାର ଓଡ଼ିଶା ସୂଚନା ଅଧିକାରୀ ଗଜେନ୍ଦ୍ର ନାଥ ବେହେରା ପ୍ରମୁଖ ଉପସ୍ଥିତ ଥିଲେ ।

ଟଙ୍କା ନେଇ ଚମ୍ପଟ ମାରିଲା କମ୍ପାନୀ…

ସୋନପୁର: ମାତିଛନ୍ତି ଠକ କମ୍ପାନୀ । ଲୋକଙ୍କୁ ଦୁର୍ବଳତାର ସୁଯୋଗ ଲୁଟ୍ କରୁଛନ୍ତି । ଏମିତି ଅଭିଯୋଗ ଆସିଛି ସୁବର୍ଣ୍ଣପୁର ଜିଲ୍ଲାରୁ । ରଶ୍ମୀ ଇଣ୍ଟଷ୍ଟ୍ରିଜ୍ ଆଣ୍ଡ କନସଲଟେନ୍ସି ନାମକ ଏକ ଘରୋଇ କମ୍ପାନି ସ୍ଥାନୀୟ ମହିଳାଙ୍କୁ ବ୍ୟବସାୟର ବାଟ ଦେଖାଇବା ଆଳରେ ଅର୍ଥ ଲୁଟ୍ କରିଛି । ୧୦-୨୦ ହଜାର ଟଙ୍କା ବିନିମୟରେ ଘରେ ପେପରପ୍ଲେଟ୍, ଧୁପକାଠୀ, ହଳଦି ଓ ଫୁଡ ପୋସେସିଙ୍ଗ ମେସିନ ସହ କଞ୍ଚାମାଲ ଯୋଗାଇ ଦେବାକୁ ପ୍ରତିଶ୍ରୁତି ଦେଇଥିଲା ।

ରୋଜଗାର ଆଶାରେ ଅନେକ ମହିଳା ଏହି କମ୍ପାନିକୁ ଟଙ୍କା ଦେଇଥିଲେ । ହେଲେ ଆଠମାସ ହେଲା ଲୋକଙ୍କୁ କୌଣସି ଜିନିଷ ଯୋଗାଇ ନଥିବା ଅଭିଯୋଗ ହୋଇଛି । କମ୍ପାନୀ ପକ୍ଷରୁ ଦିଆଯାଇଥିବା ଫୋନ୍ ନମ୍ୱରରେ ସମ୍ପର୍କ କରିବା ମଧ୍ୟ ସମ୍ଭବପର ହୋଇନଥିଲା ।

ଏହାପରେ ବାଧ୍ୟ ହୋଇ ମହିଳାମାନେ ଏକାଠି ହୋଇ ସୋନପୁର ଥାନାରେ ଲିଖିତ ଅଭିଯୋଗ କରିଛନ୍ତି । ତେବେ କମ୍ପାନୀ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେଇ ଅତିରିକ୍ତ ଜିଲ୍ଲାପାଳ ପ୍ରତିଶ୍ରୁତି ଦେଇଛନ୍ତି । ମହିଳାମାନଙ୍କ ଆଶଙ୍କା ଏହା ଯେ, କମ୍ପାନୀ ଏମଡି ବିନୋଦ ଜେନା ଟଙ୍କା ନେଇ ଫେରାର ହୋଇ ଯାଇଛନ୍ତି ।

IPL: ସୁରେଶ ରାଇନାଙ୍କ ଏହି ରେକର୍ଡ ଭାଙ୍ଗିଲେ ମାହି

ନୂଆଦିଲ୍ଲୀ: ମହେନ୍ଦ୍ର ସିଂହ ଧୋନି ଆଇପିଏଲ ଖେଳାଳି ଭାବେ ଏକ ବଡ଼ ରେକର୍ଡ ହାତେଇଛନ୍ତି । ଧୋନି ସର୍ବାଧିକ ଆଇପିଏଲ୍ ମ୍ୟାଚ ଖେଳିଥିବା ଖେଳାଳି ଭାବେ ରେକର୍ଡ କରିଛନ୍ତି । ଏହି କ୍ଷେତ୍ରରେ ମହେନ୍ଦ୍ର ସିଂହ ଧୋନି ନିଜ ଟିମ୍ ସିଏସକେର ସାଥୀ ଖେଳାଳି ସୁରେଶ ରାଇନାଙ୍କୁ ପଛରେ ପକାଇ ଦେଇଛନ୍ତି ।

MS Dhoni IPL 2020 Chennai Super Kings Most IPL Matches

ଦୁବାଇରେ ଚାଲିଥିବା ଆଇପିଏଲ୍ ମ୍ୟାଚରେ ସନରାଇଜର୍ସ ହାଇଦ୍ରାବଦ ବିପକ୍ଷ ମ୍ୟାଚରେ ରୈନାଙ୍କୁ ପଛରେ ପକାଇ ସର୍ବାଧିକ ମ୍ୟାଚ୍ ଖେଳିଥିବା ଖେଳାଳି ହୋଇଛନ୍ତି ଧୋନି । ଏହା ଧୋନିଙ୍କ ୧୯୪ତମ ଆଇପିଏଲ୍ ମ୍ୟାଚ୍ । ଏହା ପୂର୍ବରୁ ଧୋନି ଆଇପିଏଲରେ ପ୍ରାୟ ୧୯୩ଟି ମ୍ୟାଚ୍ ଖେଳିଥିବା ବେଳେ ୪ ହଜାର ୪୭୬ ରନ୍ କରିଛନ୍ତି । ସୁରେଶ ରାଇନା ଏବେ ଯାଏଁ ୧୯୩ଟି ମ୍ୟାଚ ଖେଳିଥିବା ବେଳେ ୫ ହଜାର ୩୬୮ ରନ୍ କରିଛନ୍ତି ।

MS Dhoni IPL 2020 Chennai Super Kings Most IPL Matches

ମହେନ୍ଦ୍ର ସିଂହ ଧୋନି ଆଇପିଏଲ ଆରମ୍ଭରୁ ଚେନ୍ନାଇ ସୁପର କିଙ୍ଗ୍ସ ଟିମ୍ ସହ ଅଛନ୍ତି । ଯେତେବେଳେ ଚେନ୍ନାଇ ସୁପର କିଙ୍ଗ୍ସ ଉପରେ ୨ ବର୍ଷ ବ୍ୟାନ୍ ଲାଗିଥିଲା । ସେତେବେଳେ ଧୋନି ରାଇଜିଂ ପୁଣେ ପାଇଁ ଖେଳି ଥିଲେ । ରାଇନା ଆଇପିଏଲ୍ ଆରମ୍ଭରୁ ଚେନ୍ନାଇ ସହିଥ ଅଛନ୍ତ । ୨୦୧୬-୧୭ରେ ସେ ଗୁଜରାଟ ଲାୟନ୍ସରେ ଥିଲେ । ଚେନ୍ନାଇ ସୁପର କିଙ୍ଗ୍ସ ତିନିଥର ଆଇପିଏଲ୍ ଚାମ୍ପିଅନ୍ ହୋଇଛି ।

MS Dhoni IPL 2020 Chennai Super Kings Most IPL Matches

ସବୁଠୁ ଅଧିକ IPL ମ୍ୟାଚ୍ ଖେଳିଥିବା ଖେଳାଳି

୧) ମହେନ୍ଦ୍ର ସିଂହ ଧୋନି- ୧୯୪ଟି ମ୍ୟାଚ୍

୨) ସୁରେଶ ରୈନା- ୧୯୩ଟି ମ୍ୟାଚ୍

୩) ରୋହିତ ଶର୍ମା- ୧୯୨ଟି ମ୍ୟାଚ୍

୪) ଦିନେଶ କାର୍ତ୍ତିକ- ୧୮୫ଟି ମ୍ୟାଚ୍

୫) ବିରାଟ କୋହଲି- ୧୮୦ଟି ମ୍ୟାଚ୍