spot_img
Home Blog Page 6366

ଗୁଗୁଲ୍ ପେ ବ୍ୟବହାର କରୁଥିଲେ ଦେବାକୁ ପଡିବ ଚାର୍ଜ

0

ନୂଆଦିଲ୍ଲୀ: ଗୁଗୁଲ୍ ପେ ୟୁଜର୍ସଙ୍କ ପାଇଁ ଆସିଛି ଏକ ଗୁରୁତ୍ୱପୂର୍ଣ୍ଣ ଖବର। ସୂଚନା ଅନୁଯାୟୀ ଡିଜିଟାଲ୍ ପେମେଣ୍ଟ ପ୍ଲାଟଫର୍ମ ଗୁଗୁଲ୍ ପେ ଆସନ୍ତା ବର୍ଷ ଜାନୁୟାରୀରୁ ଏହାର ପେ-ଟୁ-ପେର୍ ପେମେଣ୍ଟ ସୁବିଧା ବନ୍ଦ କରିବାକୁ ଯାଉଛି। ଏହା ବଦଳରେ କମ୍ପାନୀ ପକ୍ଷରୁ ଇନଷ୍ଟେଣ୍ଟ ମନି ଟ୍ରାନ୍ସଫର ପେମେଣ୍ଟ ସିଷ୍ଟମ୍ ଯାେଡା ଯିବ ।

ଯେଉଁଥିପାଇଁ ଗ୍ରାହକଙ୍କୁ କିଛିଟା ଦେୟ ଦେବାକୁ ପଡିବ । ଗଣମାଧ୍ୟମର ରିପୋର୍ଟ ଅନୁଯାୟୀ, କମ୍ପାନୀ ପକ୍ଷରୁ ଏହି ଦେୟ ସମ୍ପର୍କରେ କୌଣସି ସୂଚନା ଦିଆଯାଇନାହିଁ।

ବର୍ତ୍ତମାନ ସମୟରେ ଗ୍ରାହକମାନେ ଉଭୟ ଗୁଗୁଲ୍ ପେ ଆପ୍ ଏବଂ pay.google.com ପ୍ଲାଟଫର୍ମ ମାଧ୍ୟମରେ ଟ୍ରାଞ୍ଜାକ୍ସନ କରୁଛନ୍ତି । ତେବେ ଗୁଗୁଲର ବିଜ୍ଞପ୍ତି ଅନୁଯାୟୀ ଉପଭୋକ୍ତାମାନଙ୍କ ପାଇଁ ଏହାର ୱେବ୍ ପେମେଣ୍ଟ ସେବା ଆସନ୍ତା ବର୍ଷ ଜାନୁୟାରୀରୁ କାମ କରିବ ନାହିଁ।

ଗୁଗୁଲର ସୂଚନା ଅନୁଯାୟୀ, ଯେତେବେଳେ ୟୁଜର୍ସମାନେ ବ୍ୟାଙ୍କ ଆକାଉଣ୍ଟକୁ ଟଙ୍କା ଟ୍ରାଞ୍ଜାକ୍ସନ କରୁଛନ୍ତି ସେତେବେଳେ ଏକରୁ ତିନି ବିଜନେସ୍ ଡେ ସମୟ ଲାଗିଥାଏ ।  ଯଦିଓ ଡେବିଟ୍ କାର୍ଡରୁ ଟଙ୍କା ତୁରନ୍ତ ସ୍ଥାନାନ୍ତରିତ ହୋଇଥାଏ । ଯେଉଁଥିପାଇଁ ୧.୫% କିମ୍ବା ୦.୩୧ ଡଲାରର ଚାର୍ଜ ଆଦାୟ କରାଯାଇଥାଏ । ଏଭଳି ସ୍ଥଳେ ପରିସ୍ଥିତିରେ ତୁରନ୍ତ ଟଙ୍କା ଟ୍ରାନ୍ସଫର ଉପରେ ଗୁଗୁଲ ପକ୍ଷରୁ ଚାର୍ଜ ଆଦାୟ କରାଯାଇପାରେ । ତେବେ ବର୍ତ୍ତମାନ ସମୟରେ ଗୁଗୁଲ୍ ସେବାଗୁଡିକ ମାଗଣା ରହିଛି।

ଦୁର୍ନୀତି ବିରୋଧରେ ନବୀନଙ୍କ ଯୁଦ୍ଧ, ଭିଜିଲାନ୍ସ ଜାଲରେ ପିସିସିଏଫ୍ ପାଠକ

ଭୁବନେଶ୍ୱର: ଦୁର୍ନୀତି ବିରୋଧରେ ସରାକାରଙ୍କ କଠୋର କାର୍ଯ୍ୟାନୁଷ୍ଠାନ । ଲାଂଚଖୋରଙ୍କ ବିରୋଧରେ ଶୂନ୍ୟ ସହନ ନୀତି ।  ଅସଜଡ଼ାଙ୍କୁ ସଜାଡ଼ିବା ପାଇଁ ମୁଖ୍ୟମନ୍ତ୍ରୀ ନେଉଛନ୍ତି କଡ଼ା ପଦକ୍ଷେପ । ଏହି କ୍ରମରେ ଏଥର ଭିଜିଲାନ୍‌ସ ଜାଲରେ ଅତିରିକ୍ତ ପିସିସିଏଫ୍ ଅଭୟକାନ୍ତ ପାଠକ । କ୍ଷମତାର ଅପବ୍ୟବହାର କରି ଅୟସ କରୁଥିଲେ ଅଭୟକାନ୍ତ ପାଠକ ।

ଗୁରୁତ୍ୱ ପୂର୍ଣ୍ଣ ପଦବୀରେ ଥିଲେ କିନ୍ତୁ ପଦର ଗୁରୁତ୍ୱକୁ ଭୁଲି ଦୁର୍ନୀତିରେ ଡୁବିଥିଲେ । ଜଣେ ସରକାରୀ ଚାକିରିଆ ହୋଇ ବିଜନେସ୍ ଟାଇକୁନଙ୍କ ଭଳି ଆକାଶରେ ଉଡୁଥିଲେ । ଏବେ ସରକାରଙ୍କ ଦୁର୍ନୀତି ବିରୋଧରେ ଜିରୋ ଟଲରାନ୍ସ ନୀତି କ୍ରମରେ ପାଠକ ଭିଜିଲାନ୍ସ ଜାଲରେ ପଡିଛନ୍ତି ।

ଏହି ଆଧାରରେ ଆୟବର୍ହିଭୁତ ସଂପତ୍ତି ଠୁଳ ତଥା କ୍ଷମତାର ଅପବ୍ୟହାର କରି ସମ୍ପତ୍ତି ଠୁଳ ଅଭିଯୋଗରେ ରାଜ୍ୟ ତଥା ରାଜ୍ୟ ବାହାରେ ଏକକାଳୀନ ସ୍ଥାନରେ ୧୨ଟି ସ୍ଥାନରେ ଭିଜିଲାନ୍‌ସ ରେଡ୍ ଚାଲିଛି। ଓଡିଶାରେ ୫ଟି ଓ ରାଜ୍ୟ ବାହାରେ ୭ଟି ସ୍ଥାନରେ ରେଡ୍ ଚାଲିଛି । ଭୁବନେଶ୍ୱର ବାସଭବନ ଓ ଅନ୍ୟ ୪ଟି ସ୍ଥାନରେ ରେଡ୍ ଚାଲିଛି ।

ସେହିପରି ମୁମ୍ବାଇ, ପୁନେ ଓ ପାଟନାରେ ମଧ୍ୟ ଚଢାଉ କରାଯାଉଛି । ପୁନେ ଭୁଗାଓଁରେ ଥିବା ଫାର୍ମ ହାଉସ୍, କୋରେଗାଓଁ ସ୍ଥିତ ଫ୍ଲାଟ୍‌ରେ ରେଡ୍ ଚାଲିଛି । ଅଭୟକାନ୍ତ ପାଠକ ହେଉଛନ୍ତି ୧୯୮୭ ବ୍ୟାଚ୍‌ ଆଇଏଫ୍ଏସ ଅଫିସର । ଲକ‌ଡାଉନ୍‌ ସମୟରେ ପାଠକ ୨୦ ଥର ଚାର୍ଟର ପ୍ଲେନ୍ ବ୍ୟବହାର କରିଥିଲେ ।

ଭୁବନେଶ୍ୱରରୁ ପାଟନା, ଦିଲ୍ଲୀ, ପୁନେ ମୁମ୍ବାଇ ଚାର୍ଟର ପ୍ଲେନ୍ରେ ଯାଇଥିଲେ ପୁଅ ଆକାଶ ପାଠକଙ୍କ ସହ ଗସ୍ତ କରୁଥିଲେ ଅଭୟକାନ୍ତ ଚାର୍ଟର ପ୍ଲେନ୍ବ୍ୟବହାର କରି ବ୍ୟାପକ ଅର୍ଥ ଦେଣନେଣ କରୁଥିବା ନେଇ ଖବର ରହିଥିଲା କେନ୍ଦ୍ରୀୟ ଏଜେନ୍ସିଠାରୁ ଏସଂପର୍କରେ ଖବର ମିଳିବା ପରେ ରେଡ୍ ଚାଲିଛି ପ୍ରତିଥର ଚାର୍ଟର ପ୍ଲେନ୍ ବ୍ୟବହାର ପାଇଁ ୧୫ରୁ ୨୫ ଲକ୍ଷ ଟଙ୍କା ଖର୍ଚ୍ଚ ହେଉଥିଲା ଅଭୟଙ୍କ ପୁଅ ଆକାଶ କୌଣସି ଚାକିରୀ କରନ୍ତି ନାହିଁ ତେବେ ସେ ବିଳାସପୂର୍ଣ୍ଣ ଜୀବନ ଯାପନ କରୁଥିବା ନେଇ ଖବର ମିଳିଥିଲା

https://youtu.be/65BmhmJi0n4

କଂଗ୍ରେସର ଚାଣକ୍ୟ ଥିଲେ ଅହମ୍ମଦ ପଟେଲ; ଆସନ୍ତୁ ଜାଣିବା ତାଙ୍କ ରାଜନୈତିକ ଯାତ୍ରା ସମ୍ପର୍କରେ

0

ନୂଆଦିଲ୍ଲୀ: କଂଗ୍ରେସର ବରିଷ୍ଠ ନେତା ଅହମ୍ମଦ ପଟେଲ ୭୧ ବର୍ଷ ବୟସରେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି । ଆାଜି ଭୋର ପ୍ରାୟ ୩ଟା ୩୦ମି.ରେ ଅହମ୍ମଦ ପଟେଲଙ୍କ ପରଲୋକ ହୋଇଥିବା ନେଇ ତାଙ୍କ ପୁଅ ଫୈଜଲ ପଟେଲ୍ ଟ୍ୱିଟ୍ କରି ସୂଚନା ଦେଇଛନ୍ତି ।

ସୂଚନା ଅନୁଯାୟୀ ପ୍ରାୟ ମାସେ ତଳେ କରୋନାରେ ସଂକ୍ରମିତ ହୋଇଥିଲେ ଅହମ୍ମଦ ପଟେଲ୍ । ଯାହାପରଠୁ ତାଙ୍କର ସ୍ୱାସ୍ଥ୍ୟବସ୍ଥା ବିଗିଡିବାରୁ ସେ ଗୁରୁଗ୍ରାମର ମେଦାନ୍ତ ହସପିଟାଲରେ ଚିକିତ୍ସାଧୀନ ଥିଲେ । ୫ ଥର ରାଜ୍ୟସଭାରୁ ଓ ୩ଥର ଲୋକସଭାରୁ ନିର୍ବାଚିତ ହୋଇଥିଲେ । ୨୦୦୪ ଓ ୨୦୦୯ରେ କଂଗ୍ରେସର ବିଜୟରେ ତାଙ୍କର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଥିଲା । ୨୦୧୮ ଅଗଷ୍ଟ ମାସରେ ତାଙ୍କୁ କଂଗ୍ରେସର କୋଷାଧ୍ୟକ୍ଷ ନିଯୁକ୍ତ କରାଯାଇଥିଲା ।

ଆାସନ୍ତୁ ଜାଣିବା କିଭଳି ଥିଲା ତାଙ୍କ ରାଜନୈତିକ ଯାତ୍ରା ସମ୍ପର୍କରେ-

ରାଜନୈତିକ ମହଲରେ ଅହମ୍ମଦ ପଟେଲଙ୍କୁ କଂଗ୍ରେସର ‘ଚାଣକ୍ୟ’ ଭାବେ ବିବେଚନା କରାଯାଇଥାଏ। କଂଗ୍ରେସର ତାଲୁକା ପଞ୍ଚାୟତ ଅଧ୍ୟକ୍ଷ ପଦରୁ ରାଜନୈତିକ ଯାତ୍ରା ଆରମ୍ଭ କରିଥିବା ଅହମ୍ମଦ ପଟେଲ ୮ଥର ସାଂସଦ ହୋଇପାରିଥିଲେ। ସେ ୧୯୭୭ ମସିହାରେ ଜରୁରୀକାଳୀନ ସ୍ଥିତି ପରେ ମାତ୍ର ୨୬ ବର୍ଷ ବୟସରେ ସେ ଲୋକସଭାରେ ପାଦ ଥାପିଥିଲେ । ଯାହା ପରେ ସେ ରାଜନୀତିରେ ଆଉ ପଛକୁ କେବେ ଚାହିଁ ନଥିଲେ।

ଦେଶର ସର୍ବ ପୁରାତନ କଂଗ୍ରେସ ଦଳର ଅଧ୍ୟକ୍ଷା ସୋନିଆ ଗାନ୍ଧୀଙ୍କର ରାଜନୈତିକ ପରାମର୍ଶଦାତା ରହିଥିଲେ ଅହମ୍ମଦ ପଟେଲ । ଏପରିକି ତାଙ୍କୁ କଂଗ୍ରେସର ‘ସଙ୍କଟମୋଚନ’ ମଧ୍ୟ କୁହାଯାଇଥାଏ । ପୂର୍ବତନ ପ୍ରଧାନମନ୍ତ୍ରୀ ତଥା ସୋନିଆ ଗାନ୍ଧୀଙ୍କ ସ୍ୱାମୀ ରାଜୀବ ଗାନ୍ଧୀଙ୍କ ହତ୍ୟା ପରେ ମଧ୍ୟ ସେ ଦଳର ସୁପରିଚାଳନା କରିପାରିଥିଲେ । କୁହାଯାଏ ଏହା ପଛରେ ଅହମ୍ମଦ ପଟେଲ ଏକ ବଡ଼ ଭୂମିକା ରହିଥିଲା ।

ଅହମ୍ମଦ ପଟେଲ ତାଙ୍କ ପିତାଙ୍କ ଠାରୁ ରାଜନୀତି ଶିଖିଥିବା ବେଳେ ପରବର୍ତ୍ତୀ ସମୟରେ ସେ କଂଗ୍ରେସରୁ ତାଲୁକ ପଞ୍ଚାୟତର ଅଧ୍ୟକ୍ଷ ହୋଇଥିଲେ।  ୧୯୭୬ ମସିହାରେ ସେ ମେମୁନା ଅହମ୍ମଦଙ୍କୁ ବିବାହ କରିଥିଲା ବେଳେ ତାଙ୍କର ଦୁଇଟି ସନ୍ତାନ ରହିଛି। ତେବେ ଅହମ୍ମଦ ପଟେଲ ନିଜ ପିଲାମାନଙ୍କୁ ରାଜନୀତିରୁ ଦୂରେଇ ରଖିଛନ୍ତି।

ଆହୁରି ମଧ୍ୟ କୁହାଯାଏ, ଯଦିଓ ଗାନ୍ଧୀ ପରିବାର ହାତରେ ଶାସନ ଭାର ରହିଥିଲେ ମଧ୍ୟ ରିମୋଟ୍ କଣ୍ଟ୍ରୋଲ୍ ଅହମ୍ମଦଙ୍କ ହାତରେ ଥିଲା । ତାଙ୍କ ବିନା ଅନୁମତିରେ ଦଳ ଭିତରେ କୗେଣସି କାର୍ଯ୍ୟ ହୁଏନାହିଁ ।

ଚଳିତ ବର୍ଷ ୬ଦିନ ପଡ଼ୁଛି ପଞ୍ଚୁକ, ଜାଣନ୍ତୁ କେମିତି…?

ପୁରୀ: ଆଜିଠୁ ପଞ୍ଚୁକ ବ୍ରତ । ପ୍ରତିବର୍ଷ କାର୍ତ୍ତିକ ମାସରେ ପଞ୍ଚୁକ ୫ଦିନ ପଡିଥାଏ ।  କିନ୍ତୁ ଚଳିତ ବର୍ଷ ପଞ୍ଚୁକ ପାଞ୍ଚଦିନ ପରିବର୍ତ୍ତେ ୬ ଦିନ ପଡୁଛି । ଯେଉଁଥିରେ ମହାପ୍ରଭୁଙ୍କ ଦୁର୍ଲଭ ନାଗାର୍ଜୁନ ବେଶ ଅନୁଷ୍ଠିତ ହେବ । ତେବେ ନାଗାର୍ଜୁନ ବେଶ ଛଡ଼ା ଅନ୍ୟ ପାଞ୍ଚଦିନ ମହାପ୍ରଭୁ ଭିନ୍ନ ଭିନ୍ନ ବେଶରେ ଦର୍ଶନ ଦିଅନ୍ତି । ଆଜି ପଞ୍ଚୁକର ପ୍ରଥମ ଦିନରେ ମହାପ୍ରଭୁଙ୍କ ଲକ୍ଷ୍ମୀ ନାରାୟଣ ବେଶ ବା ଠିଆକିଆ ବେଶ ଅନୁଷ୍ଠିତ ହେବ । ପଞ୍ଚୁକ ବ୍ରତକୁ ଭୀଷ୍ମ ପଞ୍ଚକ ବା ବଗ ପଞ୍ଚକ ବୋଲି କୁହାଯାଏ ।

ପଞ୍ଚୁକ ବ୍ରତର ପ୍ରଥମ ଦିନରେ ଶ୍ରୀକ୍ଷେତ୍ରରେ ଲକ୍ଷ୍ମୀ ନାରାୟଣଙ୍କ ଉପାସନା ହେଉଥିବା ବେଳେ ଲକ୍ଷ୍ମୀ ନାରାୟଣ ବେଶରେ ଝଲସିବେ ମହାପ୍ରଭୁ । ଶ୍ରୀମନ୍ଦିରରେ ଶ୍ରୀଜିଉଙ୍କ ଦ୍ୱାରଫିଟା, ମଙ୍ଗଳ ଆଳତୀ ବଢି ଅବକାଶ ନୀତି ବଢିବା ପରେ ମହାପ୍ରଭୁଙ୍କ ଠିଆକିଆ ବା ଲକ୍ଷ୍ମୀନାରାୟଣ ବେଶରେ ଶୃଙ୍ଗାର କରାଯିବ । ଶ୍ରୀଭୁଜ, ଶ୍ରୀପୟର, ବଳା, ସୁବର୍ଣ୍ଣ କିଆ, ପଦକ ମାଳା, ହରିଡ଼ା ମାଳା ଓ ବିଭିନ୍ନ ସୁବର୍ଣ୍ଣ ଅଳଙ୍କାର ଦ୍ୱାରା ସୁସଜ୍ଜିତ ହେବେ ଚତୁର୍ଦ୍ଧା ବିଗ୍ରହ । ତେବେ ଆଜିର ଏହି ଦିନକୁ ହରି ଉଥାପନ ଏକାଦଶୀ ବା ବଡ ଏକାଦଶୀ ମଧ୍ୟ କୁହାଯାଏ । 

ଅନ୍ୟପଟେ ପଞ୍ଚୁକରେ ଆଠଗଡ଼ ଧବଳେଶ୍ୱର ମନ୍ଦିରରେ ନାହିଁ ଭକ୍ତଙ୍କ ଭିଡ଼ । କରୋନା ମହାମାରୀ ପାଇଁ ୧୪୪ ଧାରା ଜାରି କରିଛନ୍ତି ପ୍ରଶାସନ । ମନ୍ଦିର ପରିସରରେ ପୁଲିସ ଫୋର୍ସ ମୁତୟନ ହୋଇଛି । ଏପରିକି ସେହି ରାସ୍ତାରେ ଅଟକିବା ପାଇଁ ଲୋକଙ୍କୁ ବାରଣ ମଧ୍ୟ କରାଯାଇଛି । ମନ୍ଦିର ପାଖା ପାଖି ରାସ୍ତାରେ ୧୪୪ ଧାରା ଜାରି ହୋଇଛି ଏବଂ ଦୋକାନ ବଜାର ବନ୍ଦ କରାଯାଇଛି ।

ଗିନିଜ୍ ଓ୍ୱାର୍ଲ୍ଡ ରେକର୍ଡ ସମ୍ପର୍କୀତ ପ୍ରଶ୍ନର ଉତ୍ତର ଦେଇନପାରି ଓହରିଲେ ପ୍ରତିଯୋଗୀ; ଜାଣନ୍ତୁ କ’ଣ ଥିଲା ପ୍ରଶ୍ନ?

ମୁମ୍ବାଇ: ସୋନି ଟିଭି ଦ୍ୱାରା ପ୍ରସାରିତ କୌନ ବନେଗା କୋରଡପତି ସିଜନ-୧୨ରେ ମହିଳାମାନଙ୍କର ଟାଲେଣ୍ଟ ଦେଖିବାକୁ ମିଳିଛି।

ପୂର୍ବରୁ ୨ଜଣ ମହିଳା ପ୍ରତିଯୋଗୀ ୧ କୋଟି ଟଙ୍କା ଲେଖାଏଁ ଜିତିଥିବା ବେଳେ ଆଗାମୀ ଦିନରେ କେବିସି ୧୨କୁ ତୃତୀୟ ମହିଳା ପ୍ରତିଯୋଗୀ ମିଳିବାକୁ ଯାଉଛନ୍ତି । ଯିଏ ଖୁବ୍ ଶୀଘ୍ର ୧ କୋଟି ଜିତିବେ।

ଏହାପୂର୍ବରୁ ମଧ୍ୟପ୍ରଦେଶରୁ ଆସିଥିବା ଓସିନ୍ ଜେହେରୀ କେବିସି ସେଟରେ ଖେଳି ଶୋ’ରୁ ୨୫ ଲକ୍ଷ ଟଙ୍କା ପୁରସ୍କାର ରାଶି ଜିତିଥିବା ବେଳେ ପରେ ତାଙ୍କୁ ୫୦ ଲକ୍ଷ ଟଙ୍କାର ପ୍ରଶ୍ନ ପଚରା ଯାଇଥଲା । ହେଲେ ସେ ଏହି ପ୍ରଶ୍ନରେ ନଖେଳି ଗେମରୁ ଓହରି ଯାଇଥିଲେ । ଆସନ୍ତୁ ଜାଣିବା ୫୦ ଲକ୍ଷ ଟଙ୍କାର କି ପ୍ରଶ୍ନ ପଚରାଯାଇଥିଲା?

ପ୍ରଶ୍ନ- ଗିନିସ ବୁକ ଅଫ ରେକର୍ଡସ ଅନୁସାରେ ପୃଥିବୀର ସବୁଠୁ ବଡ ଜୀବ କିଏ?

ବିକଳ୍ପ-

ଏ- ବ୍ଲୁ ହ୍ୱେଲ

ବି-ଜଏଣ୍ଟ୍ ସିକୋୟା

ସି- ଗ୍ରେଟ୍ ବେରିୟର ରିଫ୍

ଡି- ଏ ସ୍ପେଶିମେନ୍ ଅଫ୍ ହନି ମସରୁମ୍

ସଠିକ୍ ଉତ୍ତର ହେଉଛି-ଡ।

ଗିନିଜ ୱାର୍ଲ୍ଡ ରେକର୍ଡ ସହିତ ଜଡିତ ଏହି ପ୍ରଶ୍ନର ଉତ୍ତର ଦେଇପାରିନଥିଲେ ସେ । ଯାହାଫଳରେ ସେ ଖେଳରୁ ଓହରି ଯାଇଥିଲେ ।

ଆୟ ବହିର୍ଭୂତ ସମ୍ପତି ଠୁଳ ଅଭିଯୋଗରେ ଭିଜିଲାନ୍ସ ଜାଲରେ କନିଷ୍ଠ ଯନ୍ତ୍ରୀ

ବଲାଙ୍ଗିର: ଆୟ ବହିର୍ଭୂତ ସମ୍ପତି ଠୁଳ ଅଭିଯୋଗରେ ଭିଜିଲାନ୍ସ ଜାଲରେ ବଲାଙ୍ଗିର ଜିଲ୍ଲା ଦେଓଗାଁ ବ୍ଲକର କନିଷ୍ଠ ଯନ୍ତ୍ରୀ ଗିରିଶ ଚନ୍ଦ୍ର ପାତ୍ର । ଆଜି ଭୋରରୁ ଗିରିଶଙ୍କ ଘରେ ଓ ଦେଓଗାଁ କାର୍ଯ୍ୟାଳୟରେ ଭିଜିଲାନ୍ସ ଚଢ଼ାଉ କରିଛି । ବଲାଙ୍ଗୀର ରାଜେନ୍ଦ୍ର କଲେଜ ନିକଟ ଆଦର୍ଶପଡ଼ା ସ୍ଥିତ ଘରେ ସକାଳୁ ତଲାସି ଆରମ୍ଭ କରିଛି ଭିଜିଲାନ୍ସ ।

ସମ୍ବଲପୁର ଭିଜିଲାନ୍ସ ଡିଏସପି ଦାଶରଥୀ ସେଠୀ, ବଲାଙ୍ଗୀର ଭିଜିଲାନ୍ସ ଡ଼ିଏସପି କାଦମ୍ବିନୀ ସାମଲ ଓ ଇନସ୍ପେକ୍ଟର ସଦାନନ୍ଦ ପାଣିଙ୍କ ସହ ଅନ୍ୟମାନେ ଚଢାଉ ଜାରି ରଖିଛନ୍ତି ।

କଟକ IIFL ଲୁଟ୍ ଘଟଣା: ଆଜି ଆଉ ୪ଜଣ କର୍ମଚାରୀଙ୍କୁ ଉଠାଇନେଲା ପୋଲିସ

କଟକ: କଟକ ନୟାସଡକ ଆଇଆଇଏଫଏଲ ଲୁଟ ଘଟଣା । ଶାଖାର ଆଉ ୪ କର୍ମଚାରୀଙ୍କୁ ଉଠାଇନେଲା ପୋଲିସ । ଜଣେ ମହିଳା କର୍ମଚାରୀଙ୍କ ସମେତ ୪ କର୍ମଚାରୀଙ୍କୁ ପୋଲିସର ଜେରା । ଲୁଟରେ ଅନ୍ୟ କର୍ମଚାରୀଙ୍କ ସଂପୃକ୍ତି ସନ୍ଦେହ କରି ପୋଲିସ ପଚରାଉଚୁରା କରୁଛି । ଗତକାଲି ରାଜ୍ୟର ଏହି ଦ୍ୱିତୀୟ ବଡ଼ ବ୍ୟାଙ୍କ ଡକାୟତିର ରହସ୍ୟ ଉନ୍ମୋଚନ କରିଥିଲା ପୋଲିସ ।

୪ ଡକାୟତଙ୍କୁ ଅଟକ ରଖି ଜେରା ଚାଲିଥିବା ବେଳେ ଆଜି ପୁଣି ଆଉ ୪ଜଣଙ୍କୁ ଜେରା କରିବାକୁ ନେଇଛି ପୋଲିସ ।  ଲୁଟରେ ମୁଖ୍ୟ ସୂତ୍ରଧର ଥିଲେ ବ୍ୟାଙ୍କ କର୍ମଚାରୀ । ସେମାନଙ୍କ ଠାରୁ ୨ କେଜି ସୁନା ଜବତ ହୋଇଥିବା ବେଳେ ପୂରା ବ୍ୟାଙ୍କର ଚାଲିଚଳଣ ଓ ହାବଭାବ ଉପରେ ଅନୁସନ୍ଧାନ କରୁଛି ପୋଲିସ  ।

ସେହିଭଳି ମାତ୍ର ୬ ଦିନରେ ଘଟଣାର ପର୍ଦ୍ଦାଫାସ କରିଥିଲା ପୋଲିସ । କଟକ ଡିସିପିଙ୍କ ନେତୃତ୍ୱରେ ହୋଇଥିଲା ତଦନ୍ତ ରେକର୍ଡ ସମୟ ମଧ୍ୟରେ ପର୍ଦ୍ଦାଫାସ କରିଥିଲା ପୋଲିସ । ସବୁଠାରୁ ବଡ଼ କଥା ହେଉଛି ଏହି ବ୍ୟାଙ୍କ୍‌ ଲୁଟ ପଛର ମୁଖ୍ୟ ସୂତ୍ରଧର ଥିଲା ସେହି ବ୍ୟାଙ୍କର କର୍ମଚାରୀ । କର୍ମଚାରୀଙ୍କର ନାମ ହେଉଛି ଲାଲା ଅମ୍ରିତ ରାୟ । ତେବେ ଏହି ଡକାୟତିରେ ୪ ଜଣ କର୍ମଚାରୀ ଥିଲେ । କିନ୍ତୁ ବାହାରେ ରହି ଲୁଟକୁ ପରିଚାଳନା କରୁଥିଲେ ଆଉଜଣେ ବ୍ୟକ୍ତି । ଯାହାଙ୍କର ନାମ ହେଉଛି ରଞ୍ଜନ ବେହେରା । ରଞ୍ଜନ ବେହେରାଙ୍କର ଘର ହେଉଛି କିଶନନଗର ଅଞ୍ଚଳରେ । ଲାଲା ଅମ୍ରିତ ରାୟ ଏବଂ ରଞ୍ଜନ ବେହେରା ହେଉଛନ୍ତି ପିଲା ବେଳର ସାଙ୍ଗ । ଦୁହେଁ ମିଳିତ ଭାବରେ ପ୍ଲାନ୍‌ କରି ଏହି ଲୁଟ କରିଥିବା ସୂଚନା ମିଳିଥିଲା ।

୧୯୭୦ ମସିହା ପରେ ପ୍ରଥମ ଦେଶ ଭାବେ ନିଜର ପ୍ରଥମ ପ୍ରଚେଷ୍ଟାରେ ଚୀନକୁ ମିଳିଲା ସଫଳତା

ବେଜିଂ: ଚନ୍ଦ୍ରରେ ଗବେଷଣା କ୍ଷେତ୍ରରେ ଚୀନକୁ ବଡ ସଫଳତା  । ଚନ୍ଦ୍ରରୁ ନମୁନା ସଂଗ୍ରହ କରିବା ପାଇଁ ମାନବବିହୀନ ଯାନ ପଠାଇଛି ଚାଇନା । ମହାକାଶକୁ ମାନବବିହୀନ ଯାନ ପଠାଇ ନମୁନା ସଂଗ୍ରହ କରିବାକୁ ‘ଚାଙ୍ଗ୍ ଏ-୫କୁ ପଠାଇ ସଫଳତା ହାସଲ କରିଛି ଡ୍ରାଗନ୍ ।୧୯୭୦ ମସିହା ପରେ ପ୍ରଥମ ଦେଶ ଭାବେ ନିଜର ପ୍ରଥମ ପ୍ରଚେଷ୍ଟାରେ ଚୀନକୁ ଏହି ସଫଳତା ମିଳିଛି । ମଙ୍ଗଳବାର ଚାଇନା ଏହି ମାନବବିହୀନ ଯାନକୁ ସଫଳ ଭାବରେ ଉତକ୍ଷେପଣ କରିଛି ।

ନମୁନା ସଂଗ୍ରହ କରିସାରିବା ପରେ ଏହି ଯାନ ପୃଥିବୀକୁ ଫେରିବ ବୋଲି ଚାଇନା ବୈଜ୍ଞାନିକ ଆଶା ରଖିଛନ୍ତି। ଚୀନ୍ ନିଜର ପ୍ରଥମ ପ୍ରୟାସରେ ଏଭଳି ସଫଳତା ପାଇଛି  । ଯାହାକି କୌଣସି ଦେଶକୁ ମିଳିପାରିନାହିଁ  । ଖବର ଅନୁଯାୟୀ, ଚାଇନାର ଦକ୍ଷିଣ ପ୍ରାନ୍ତର ହେନାନ ସ୍ଥିତ ବେନଚାଙ୍ଗରୁ ‘ଚାଙ୍ଗ୍ ଏ-୫’ ଛଡ଼ାଯାଇଛି। ମହାକାଶ ବିଜ୍ଞାନ କ୍ଷେତ୍ରରେ ସବୁ ଦେଶ ପାଇଁ ଏହା ସବୁଠାରୁ ବଡ଼ ଚ୍ୟାଲେଞ୍ଜ ଥିଲା । ଦୀର୍ଘ ୪୦ ବର୍ଷ ଧରି ବୈଜ୍ଞାନିକମାନେ ଏହା ଉପରେ ଅନେକ ଗବେଷଣା କରୁଥିଲେ ।

ବୈଜ୍ଞାନିକଙ୍କ ମତରେ ମହାକାଶଯାନ ଯେତେବେଳେ ଚନ୍ଦ୍ରରେ ପହଞ୍ଚିବ ସେତେବେଳେ ଅନେକ ନମୁନା ଏକାଥରେ ସଂଗ୍ରହ କରିପାରିବ ।  ‘ଚାଙ୍ଗ୍ ଏ-5’ରେ ଥିବା ଏକ ରବୋର୍ଟ ଏହି କାମ କରିବ । ମୋଟ୍ ୨ କିଲୋଗ୍ରାମର ନମୁନା  ଉଠାଇବାକୁ ଯୋଜନା ରହିଛି । ନମୂନା ମଧ୍ୟରେ ମାଟି, ପଥର ଆଦି ରହିଛି  ।  ନମୂନା ସଂଗ୍ରହ ପାଇଁ ମୋଟ ୨୦ ଦିନ ସମୟ ଲାଗିବ ବୋଲି ଜଣାପଡ଼ିଛି।

ଯୋଗୀ କ୍ୟାବିନେଟର ନିଷ୍ପତ୍ତି; ବଦଳିବ ଅଯୋଧ୍ୟା ଏୟାରପୋର୍ଟର ନାମ

0

ଲକ୍ଷ୍ନୌ: ଅଯୋଧ୍ୟା ବିମାନବନ୍ଦର ଏବେ ମର୍ଯ୍ୟାଦା ପୁରୁଷୋତ୍ତମ ଶ୍ରୀରାମ ବିମାନବନ୍ଦର ଭାବରେ ପରିଚିତ ହେବ । ଏହାକୁ ମଙ୍ଗଳବାର ଦିନ ଉତ୍ତରପ୍ରଦେଶ (ୟୁପି) କ୍ୟାବିନେଟ ଅନୁମୋଦନ କରିଛି।

ଯୋଗୀ ସରକାରର କ୍ୟାବିନେଟ ବୈଠକରେ ଏହି ନିଷ୍ପତ୍ତି ନିଆଯାଇଥିବା ବେଳେ ଏହାକୁ ଭାରତ ସରକାରଙ୍କ ନିକଟକୁ ପଠାଯିବ।

Why CM Yogi Adityanath Is Getting Fail To Manage Uttar Pradesh Law And Order

ସୂଚନା ଅନୁଯାୟୀ, ଏହାକୁ ରାଜ୍ୟସଭାରେ ପାରିତ କରିବା ପରେ ବେସାମରିକ ବିମାନ ଚଳାଚଳ ମନ୍ତ୍ରଣାଳୟକୁ ପଠାଯିବ। ଏହାବ୍ୟତୀତ ଅଯୋଧ୍ୟାର ଏୟାରଷ୍ଟ୍ରିପକୁ ଏକ ଆନ୍ତର୍ଜାତୀୟ ବିମାନବନ୍ଦରର ଆକାର ଦେବା ପାଇଁ ମଧ୍ୟ ଦ୍ରୁତଗତିରେ କାର୍ଯ୍ୟ କରାଯାଉଛି। ପ୍ରଥମ ପର୍ଯ୍ୟାୟରେ  A321 ଏବଂ Code-E B777.300 ଶ୍ରେଣୀ ବିମାନର ସଞ୍ଚାଳନ ଆରମ୍ଭ କରାଯିବ ।

ନିକଟରେ ରାଜ୍ୟ ସରକାରଙ୍କ ବେସାମରିକ ବିମାନ ଚଳାଚଳ ଏବଂ ସଂଖ୍ୟାଲଘୁ କଲ୍ୟାଣ ମନ୍ତ୍ରୀ ନନ୍ଦ ଗୋପାଳ ନନ୍ଦୀ କହିଥିଲେ  ଯେ ଏଯାଏଁ ୫୨୫ କୋଟି ଟଙ୍କା ଅନୁମୋଦନ କରାଯାଇଛି । ସେଥିମଧ୍ୟରୁ ପାଖାପାଖି ୩୦୦ କୋଟି ଟଙ୍କା ଖର୍ଚ୍ଚ ହୋଇଛି।

 

ସ୍ଥଳଭାଗ ମୁହାଁ ବାତ୍ୟା ‘ନିଭାର’,ଜାଣନ୍ତୁ ଓଡ଼ିଶାରେ କଣ ରହିବ ପ୍ରଭାବ

ଭୁବନେଶ୍ୱର: ସ୍ଥଳଭାଗ ମୁହାଁ ବାତ୍ୟା ନିଭାର । ଏବେ ବାତ୍ୟା ୩୦୦ କିଲୋମିଟର ପୂର୍ବ-ଦକ୍ଷିଣ ପୂର୍ବ, ପୁଡୁଚେରୀର ପ୍ରାୟ ୩୧୦ କିଲୋମିଟର ପୂର୍ବ ଏବଂ ଚେନ୍ନାଇର ୩୭୦ କିଲୋମିଟର ଦକ୍ଷିଣ-ପୂର୍ବରେ ରହିଛି । ଆଗାମୀ ୧୨ ଘଣ୍ଟା ମଧ୍ୟରେ ଏହା ଅତ୍ୟଧିକ ଭୟଙ୍କର ସାଇକ୍ଲୋନିକ୍ ଷ୍ଟର୍ମରେ ପରିଣତ ହୋଇ ଆହୁରି ତୀବ୍ର ହେବାର ସମ୍ଭାବନା ଅଛି । ଏହା ପରବର୍ତ୍ତୀ ୬ ଘଣ୍ଟା ପାଇଁ ପଶ୍ଚିମ-ଉତ୍ତର-ପଶ୍ଚିମ ଦିଗକୁ ଏବଂ ତା’ପରେ ଉତ୍ତର-ପଶ୍ଚିମ ଦିଗକୁ ଗତି କରିବ ବୋଲି ପୂର୍ବାନୁମାନ କରିଛି ଭାରତୀୟ ପାଣିପାଗ ବିଭାଗ ।

୨୫ ନଭେମ୍ବର ରାତିରେ ତାମିଲନାଡୁ ଏବଂ ପୁଡୁଚେରୀ ଉପକୂଳ ପାର ହୋଇ କରାଇକାଲ ଏବଂ ମମଲାଲାପୁରମ୍ ମଧ୍ୟରେ ଏକ ଭୟଙ୍କର ଘୂର୍ଣ୍ଣିଝଡ଼ ଭାବରେ ସ୍ଥଳଭାଗ ଛୁଇଁବ । ଲ୍ୟାଣ୍ଡଫଲ ସମୟରେ ପବନର ବେଗ ୧୩୦-୧୪୦ କିଲୋମିଟର ବେଗରେ ଏବଂ ଝଟକା ପବନ ୧୫୫ କିଲୋମିଟର ବେଗରେ ବହିବ ବୋଲି ସୂଚନା ଦେଇଛି ଆଇଏମଡି । ଗତ ୬ ଘଣ୍ଟା ହେବ ବାତ୍ୟା ନିଭାର ଘଣ୍ଟପ୍ରତି ୬ କିଲୋମିଟର ବେଗରେ ସ୍ଥଳଭାଗ ଆଡକୁ ମୁହାଁଉଛି।

ତେବେ ଲ୍ୟାଣ୍ଡଫଲ୍ ପୂର୍ବରୁ ଅଶାନ୍ତ ହୋଇପଡିଛି ତାମିଲନାଡୁ ଉପକୂଳ। ଲଗାଣ ବର୍ଷା ସାଙ୍ଗକୁ ସମୁଦ୍ରରେ ଉଚ୍ଚ ଜୁଆର ଦେଖିବାକୁ ମିଳୁଛି। ଗତକାଲିଠୁ ଚେନ୍ନାଇରେ ବର୍ଷା ଆରମ୍ଭ ହୋଇସାରିଛି। ପ୍ରଭାବିତ ହେବାକୁ ଥିବା ରାଜ୍ୟ ପାଇଁ ସମସ୍ତ ପ୍ରକାର ସହଯୋଗ ଯୋଗାଇ ଦେବା ପାଇଁ ପ୍ରତିଶୃତି ଦେଇଛନ୍ତି କେନ୍ଦ୍ର ସରକାର। ଏନଡିଆରଏଫ ଟିମ୍ ସମ୍ପୂର୍ଣ୍ଣ ଭାବେ ତୟାର ଥିବା କହିଛନ୍ତି ଡିଜି ଏସ ପ୍ରଧାନ । ତଳି ଅଞ୍ଚଳରେ ରହୁଥିବା ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ନିଆଯାଇଛି । ସେହିପରି ବାତ୍ୟା ପ୍ରଭାବରେ ଦକ୍ଷିଣ ଓଡ଼ିଶାର ଗଜପତି, ରାୟଗଡା, ମାଲକାନଗିରି, କୋରାପୁଟ ଏବଂ ନବରଙ୍ଗପୁରରେ ପ୍ରବଳ ବର୍ଷା ହେବ ବୋଲି ପୂର୍ବାନୁମାନ କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର।