spot_img
Home Blog Page 6369

ଏହି ରାଶିର ଲୋକଙ୍କର ବୈବାହିକ କିମ୍ବା ପ୍ରେମ ଜୀବନରେ ବଢ଼ିପାରେ ଅଶାନ୍ତି

ଆଜିର ପଞ୍ଚାଙ୍ଗ:

୨୮ ସେପ୍ଟମ୍ବେର,୨୦୨୦ ସୋମବାର
୧୪୨୮ସାଲ,୧୯୪୨ ଶକାବ୍ଦ,୨୦୭୭ ସମ୍ବତ୍,
କନ୍ୟା ୧୩ ଦିନ,ଆଶ୍ୱିନ ମଳମାସ ୧୨ଶୀ ରାତ୍ର ୯ଟା ଗତେ ୧୩ଶୀ

– ମକର ରାଶିରେ ରହିବେ ଚନ୍ଦ୍ର ଦିବା ୯: ୪୧, ଏହା ପରେ କୁମ୍ଭ ରାଶିରେ ଚନ୍ଦ୍ର ରହିବେ
– ଧନିଷ୍ଠା ନକ୍ଷତ୍ର ରାତ୍ର ୧୦:୩୮ ପରେ ଶତଭିଷା ନକ୍ଷତ୍ର
– ଘାତ ଚନ୍ଦ୍ର – ମିଥୁନ, ସିଂହ ଓ ମୀନ
– ଘାତ ବାର – ମିଥୁନ ରାଶିର
– ଯୋଗିନି – ନୈଋତେ ରାତ୍ର 9ଟା ଗତେ ଦକ୍ଷିଣେ
– ପୁଷ୍କର ଦୋଷ -୧ ପାଦ, ରାତ୍ରି ୯ଟା ପର୍ଯ୍ୟନ୍ତ
– ନିଷିଦ୍ଧ ଖାଦ୍ୟ – ପୋଇ, ମସୁରଡାଲି
– ଶୁଭ ସମୟ –
ଦିବା ୮:୫୦ରୁ ୧୧:୧୩
ରାତ୍ର ୮ଟା ରୁ ୧୦:୦୬
ଅଶୁଭ ସମୟ –
ପ୍ରାତଃ ୭:୧୦ରୁ ୦୮:୩୯
ଦିବା ୦୨:୩୫ ରୁ ୦୪:୦୪
ସୋମବାର
ମେଷ ରାଶି-
ଅଶ୍ୱିନୀ ନକ୍ଷତ୍ର – ମନୋବଳ ଦୃଢ ରହିବ, ସମସ୍ତ କ୍ଷେତ୍ରରେ ଶୁଭ ପ୍ରଭାବ ଅନୁଭୁତ ହେବ ।
ଦ୍ୱିଜା ନକ୍ଷତ୍ର – ମାନସମ୍ମାନ, ଅର୍ଥ, ଲୋକପ୍ରୟତା ଏବଂ ପାରିବାରିକ ସୁଖ ପ୍ରାପ୍ତ ଯୋଗ ରହିଛି ।
କୃତ୍ତିକା ନକ୍ଷତ୍ର – ପ୍ରତ୍ୟେକ କ୍ଷେତ୍ରରେ ପ୍ରତିକୂଳ ପରିସ୍ଥିତି ଏବଂ ବିରୋଧର ସାମନା କରିବେ, ଅର୍ଥଚିନ୍ତା ଦ୍ୱିଗୁଣିତ ହେବ ।
– ଶୁଭ ରଙ୍ଗ – ଲାଲ
– ଆଜି କିଛି ଲବଙ୍ଗ ହନୁମାନ ଭଗବାନଙ୍କୁ ସମର୍ପଣ କରି ନିଜ ପାଖରେ ରଖିଲେ ଶୁଭତ୍ୱ ଅନୁଭୁତ ହେବ ।

ବୃଷ ରାଶି –
କୃତ୍ତିକା ନକ୍ଷତ୍ର – ମନମୁତାବକ ଅର୍ଥପ୍ରାପ୍ତି, ସରକାରି ସହାୟତା କିମ୍ବା ଯୋଜନାରେ ସଫଳ, ରାଜନିତିରେ ଲୋକସଂପର୍କ ବଢିବ ।
ରୋହିଣି ନକ୍ଷତ୍ର – ଭବିଷ୍ୟତର ଯୋଜନାରେ ସଫଳ ହେବେ, ମାତୄପିତୃ କୃପାରୁ ମନ ଆନନ୍ଦ ରହିବ ।
ମୃଗଶିରା ନକ୍ଷତ୍ର – ପେଟଜନିତ ଅସୁବିଧା, ଶୁଭକାର୍ଯ୍ୟରେ ବ୍ୟୟ, ଯାନବାହାନ, ଭୂସମ୍ପତ୍ତି ଓ ସମ୍ମାନ ଲାଭର ସୂଚନା ।
– ଶୁଭ ରଙ୍ଗ – କ୍ଷିର ରଙ୍ଗ ଧଳା
– ଶିବ ଭଗବାନଙ୍କୁ ଆରାଧନା ସହିତ ବୃଷଭଙ୍କୁ ଖାଇବାକୁ ଦିଅନ୍ତୁ ।
ମିଥୁନ ରାଶି –
ମୃଗଶିରା ନକ୍ଷତ୍ର – ଭୂସମ୍ପତ୍ତି ଓ ନିଜର ସ୍ୱାସ୍ଥ୍ୟ କ୍ଷେତ୍ରରେ ସତର୍କତା ଅବଲମ୍ବନ କରିବେ, ନିଷ୍ପତ୍ତି ନେବା ପୂର୍ବରୁ ଗୁରୁଜନଙ୍କ ସହିତ ଆଲୋଚନା କରନ୍ତୁ ।
ଆର୍ଦ୍ରା ନକ୍ଷତ୍ର – ଉତ୍ସାହ ଉଦ୍ଦିପନା ବୃଦ୍ଧି, ପ୍ରତି ଉଦ୍ୟମ ସିଦ୍ଧି ହେବ, କର୍ମକ୍ଷେତ୍ରରେ ସାଫଲ୍ୟ ।
ପୂନର୍ବସୁ ନକ୍ଷତ୍ର – ମାନସମ୍ମାନ ଲାଭ, ଆର୍ଥିକ ସଫଳତା ଓ ଉତ୍ତରାଧିକାରୀ ସୁତ୍ରେ ସମ୍ପତ୍ତି ଲାଭର ସୂଚନା ।
– ଓଁ ନମଃ ଶିବାୟ ଜପକରି ଜଳ ସହିତ ଗୁଡ ମିଶାଇ ୯ଥର ଅଶ୍ୱତ୍ଥ ମୂଳରେ ଦିଅନ୍ତୁ ।
କର୍କଟ ରାଶି –
ପୂନର୍ବସୁ ନକ୍ଷତ୍ର – ଆଶାଜନକ ପରିବେଷ ପରିସ୍ଥିତି ମଧ୍ୟରେ ଦିନ କଟିବ, ମନୋବଳ ଦୃଢ ଏବଂ ଶାନ୍ତ ରହିବ ।
ପୂଷ୍ୟା ନକ୍ଷତ୍ର – କର୍ମକ୍ଷେତ୍ରରେ ମାନସିକ ଚାପ ରହିବ, ଚେଷ୍ଟା କରୁଥିବା କାର୍ଯ୍ୟରେ ବିଳମ୍ବ ହେବ ।
ଅଶ୍ଳେଷା ନକ୍ଷତ୍ର – ବନ୍ଧୁବର୍ଗରେ ସାହାଯ୍ୟ, ଗୁପ୍ତଧନ, ପୋତାଧନ, ବୀମାଧନ ଉତ୍ତରାଧିକାରୀ ସୂତ୍ରେ ଧନଲାଭ ।
– ଶୁଭ ରଙ୍ଗ – ନିଳ
– ମା ଭୁବନେଶ୍ବରୀଙ୍କୁ ଦର୍ଶନ ଓ ଦୁର୍ଗାଚାଳିଷା ପାଠ ।
ସିଂହ ରାଶି –
ମଘା ନକ୍ଷତ୍ର – ଗୃହରେ ଶୁଭ କର୍ମ ହେବ, ଶତୃଜୟ, ମାନସିକ ଶାନ୍ତି ଏବଂ ସ୍ୱାସ୍ଥ୍ୟ ଭଲ ରହିବ ।
ପୂର୍ବାଫାଲଗୁନି ନକ୍ଷତ୍ର – ବୈବାହିକ କିମ୍ବା ପ୍ରେମ ଜୀବନରେ ନିରବ ରୁହନ୍ତୁ, ବୃଥା ଆଡମ୍ବର ଓ ଆଳସ୍ୟ ତ୍ୟାଗକରି କର୍ମକ୍ଷେତ୍ରକୁ ଚାଲନ୍ତୁ ।
ଉତ୍ତରାଫାଲଗୁନୀ ନକ୍ଷତ୍ର – ଆଇନ ଅଦାଲତର ସାହାଯ୍ୟ ନେବାକୁ ପଡିପାରେ, କର୍ମଚାପ ରହିବ ।
– ଶୁଭ ରଙ୍ଗ – ଇଷତ୍ ଲାଲ
– ଆଦିତ୍ୟହୃଦୟ ସ୍ତ୍ରୋତ୍ର ପାଠ କରନ୍ତୁ ।
କନ୍ୟା ରାଶି –
ଉତ୍ତରାଫାଲଗୁନୀ ନକ୍ଷତ୍ର – ପ୍ରତ୍ୟେକ କାର୍ଯ୍ୟରେ ଲାଭ ମିଳିବ, ବ୍ୟବସାୟ ବାଣିଜ୍ୟ ତଥା ଚାକିରି ଓ ପାରିବାରିକ ପରିବେଷ ଭଲ ରହିବ ।
ହସ୍ତା ନକ୍ଷତ୍ର – ପାରିବାରିକ ସୌଖ୍ୟ ପ୍ରାପ୍ତି, ବ୍ୟବସାୟରେ ଉର୍ଣ୍ଣତି, ବନ୍ଧୁମିଳନ ଓ ଜନସମ୍ପର୍କ ବୃଦ୍ଧି ।
ଚିତ୍ରା ନକ୍ଷତ୍ର – ମନୋବଳ ସକାରାତ୍ମକ ରହିବ ତେଣୁ ସମସ୍ତ କ୍ଷେତ୍ରରେ ଶୁଭ ପ୍ରଭାବ ଅନୁଭୁତ ହେବ ।
– ଶୁଭ ରଙ୍ଗ – ସବୁଜ
– ଗୃହରେ ବିଷ୍ଣୁ ଭଗବାନଙ୍କୁ ଛେନା, ମାଠପୋଳି ଓ ତୁଳସିମାଳା ଅର୍ପଣ କରନ୍ତୁ ।
ତୁଳା ରାଶି –
ଚିତ୍ରା ନକ୍ଷତ୍ର – ସନ୍ତାନ ମାନଙ୍କ ଦୃଷ୍ଟିରୁ, ଲୋକ ସମ୍ପର୍କ ଏବଂ ଆର୍ଥିକ ପରିସ୍ଥିତି ଭଲ ରହିବ ।
ସ୍ୱାତୀ ନକ୍ଷତ୍ର – ମନ ଦୃଢ ରହିବ ଫଳରେ ସମସ୍ତ ଅଶୁଭତ୍ୱ ସତ୍ତ୍ୱେ ମାନସିକ ଶାନ୍ତି ବଜାୟ ରହିବ ।
ବିଶାଖା ନକ୍ଷତ୍ର – ଭ୍ରମଣ କଷ୍ଟ, ଶରୀରପିଡା ମାତ୍ର ଆର୍ଥିକ ସ୍ୱଛଳତା ସହିତ ଯୌଥ ବ୍ୟବସାୟରେ ଉନ୍ନତି ।
– ଶୁଭ ରଙ୍ଗ – କଳା ଏବଂ ନିଳ
– ଶମିଗଛର ଚେର ଧାରଣ କରନ୍ତୁ ରିଷ୍ଟ ଖଣ୍ଡନ ହେବ ।
ବିଛା ରାଶି –
ବିଶାଖା ନକ୍ଷତ୍ର – ପୈତୃକ ସମ୍ପତ୍ତି ବୃଦ୍ଧିର ସୁଚନା, ଆଥିକ ବିକାଶ ସହିତ କର୍ମକ୍ଷେତ୍ରରେ ଶୁଭ ସୂଚନା ।
ଅନୁରାଧା ନକ୍ଷତ୍ର – ଦୈନଦିନ ଖର୍ଚ୍ଚ ବଢିବ ମାତ୍ର ସେହି ତୁଳନାରେ ଆୟ ହେବ ନାହିଁ, କର୍ମକ୍ଷେତ୍ରରେ ଚାପ ରହିବ ।
ଜ୍ୟେଷ୍ଠା ନକ୍ଷତ୍ର – ପାରିବାରିକ ସହଯୋଗରେ ସମସ୍ତ ଯୋଜନାରେ ସଫଳ ହେବେ, ଆର୍ଥିକ ଉର୍ଣ୍ଣତି ପରିଲିକ୍ଷିତ ହେବ ।
– ଶୁଭ ରଙ୍ଗ – ଲାଲ
– କଳା ଦୁରଦୁରା ଫୁଲ ୫ଟି ଭଗବାନ ଶିବଙ୍କୁ ଚଢାନ୍ତୁ ଏବଂ “ଓଁ ନମଃ ଶିବାୟ” ୨୭ଥର ଜପ କରନ୍ତୁ ।
ଧନୁ ରାଶି –
ମୂଳା ନକ୍ଷତ୍ର – କୌଣସି ସମାଜକଲ୍ୟାଣ କାର୍ଯ୍ୟକରି ଆତ୍ମତୃପ୍ତି ପାଇବେ, ଛାତ୍ରଛାତ୍ରୀ ମାନଙ୍କର ଆଶାତିତ ଫଳ ମିଳିବ, ବ୍ୟବସାୟରେ ଲାଭ ବୃଦ୍ଧି ହେବ ।
ପୂର୍ବଷାଢା ନକ୍ଷତ୍ର – ବନ୍ଧୁପରିଜନଙ୍କର ସହଯୋଗ ମିଳିବ ଓ ଭବିଷ୍ୟତର ଶୁଭକର୍ମର ସୁଚନା ସୃଷ୍ଟି ହେବ ।
ଉତ୍ତରାଷାଢା ନକ୍ଷତ୍ର – ରାଜକୀୟ ସମ୍ମାନ ସହିତ ଆର୍ଥିକ ସହାୟତା ପ୍ରାପ୍ତ ହେବ ।
– ଶୁଭ ରଙ୍ଗ – ଧଳା ରଙ୍ଗ
– ବ୍ରହ୍ମଜଷ୍ଠୀ ବୃକ୍ଷ କିମ୍ବା କଦଳୀ ବୃକ୍ଷ ମୂଳରେ ଗୁଡ ଓ ହଳଦୀ ଜଳ ଅର୍ପଣ କରନ୍ତୁ ।
ମକର ରାଶି –
ଉତ୍ତରାଷାଢା ନକ୍ଷତ୍ର – ଜୀବନସାଥିର ସ୍ୱାସ୍ଥ୍ୟ ପିଡା, ବ୍ୟବସାୟ ସହଯୋଗୀଙ୍କ ସହ ମତାନ୍ତର, ବ୍ୟୟ ବୃଦ୍ଧି ।
ଶ୍ରବଣା ନକ୍ଷତ୍ର – ଯୋଗ୍ୟତା ଅନୁଯାୟୀ ଫଳ ମିଳିବ ନାହିଁ, ପରିଶ୍ରମ ବୃଥା ଯିବ, ମନ ଅଶାନ୍ତଚରହିବ ।
ଧନିଷ୍ଠା ନକ୍ଷତ୍ର – ବିଦ୍ୟା ଅଧ୍ୟନରେ ସଫଳତା, ପିତୃମାତୃ କୃପା, ସୁଖ ବୃଦ୍ଧି ।
– ଶୁଭ ରଙ୍ଗ – ଧଳା ରଙ୍ଗ
– କାଉକୁ ରୁଟି ଖାଇବାକୁ ଦିଅନ୍ତୁ ।
– ଶନି ଭଗବାନଙ୍କୁ ରାଶିତେଲର ଦ୍ୱୀପରେ ଗୋଟେ ଲୁହାକଣ୍ଟା ପକାଇ ଆରାଧନା ।
କୁମ୍ଭ ରାଶି –
ଧନିଷ୍ଠା ନକ୍ଷତ୍ର – ଯୌଥ ବ୍ୟବସାୟରେ ପରିବର୍ତ୍ତନ, ସ୍ଥାନାନ୍ତରର ସୂଚନା ।
ଶତଭିଷା ନକ୍ଷତ୍ର – ବିଦ୍ୟାଶିକ୍ଷାରେ ବାଧା, ଦୁଷିତ ଖାଦ୍ୟ ଓ ପାନୀୟ ପାଇଁ ଶରୀର ପିଡା, କର୍ମଚାପ ରହିବ ।
ପୂର୍ବଭାଦ୍ର ନକ୍ଷତ୍ର – ବନ୍ଧୁବର୍ଗରେ ସାହାଯ୍ୟ ମିଳିବ,ଉଦ୍ୟମ ସିଦ୍ଧି, କର୍ମ ସାଫଲ୍ୟ ।
– ଶୁଭ ରଙ୍ଗ – ଧଳା ରଙ୍ଗ
– ହନୁମାନଙ୍କୁ ତୁଳସୀ ଚଢାନ୍ତୁ ଏବଂ ଚାଳିଷା ଜପ କରନ୍ତୁ ।
ମୀନ ରାଶି –
ପୂର୍ବଭାଦ୍ର ନକ୍ଷତ୍ର – ସର୍ବବିଧ ସୁଯୋଗ ସାଫଲ୍ୟ, ଲାଭ ଓ ପ୍ରତିଷ୍ଠା ମିଳିବାର ସୂଚନା ରହିଛି ।
ଉତ୍ତରଭାଦ୍ର ନକ୍ଷତ୍ର – ଗୃହରେ ଶୁଭକର୍ମ ହେବ, ସନ୍ତାନ ବର୍ଗରେ ଉର୍ଣ୍ଣତି, ଆର୍ଥିକ ଲାଭର ସୂଚନା ରହିବ ।
ରେବତୀ ନକ୍ଷତ୍ର – ଶୁଭରେ ଶୁଭରେ ଦିନଭରି ସମୟ ଅତିବାହିତ ହେବ ।
ଶୁଭ ରଙ୍ଗ – ସବୁଜ ରଙ୍ଗ
– ଶ୍ରୀବିଷ୍ଣୁ ଭଗବାନଙ୍କୁ ଛେନା ଲବଣି ସହିତ ତୁଳସୀ ମାଳା ଅର୍ପଣ କରନ୍ତୁ ।

ଗର୍ଗ ଜ୍ୟୋତିଷ – ଜ୍ୟୋତିର୍ବିଦ୍ ଶ୍ରୀପତି ଆଚାର୍ଯ୍ୟ

IPL 2020: ସୁପରମ୍ୟାନ୍ ଭଳି ଡାଇଭ୍ ମାରି ଛକା ରୋକିଲେ ନିକୋଲସ

ଦୁବାଇ: ଆଇପିଏଲ୍ ୨୦୨୦ର ନବମ ମ୍ୟାଚରେ କିଙ୍ଗ୍ସ ଇଲେଭନ ପଞ୍ଜାବ ଓ ରାଜସ୍ଥାନ ରୟାଲ୍ସ ମ୍ୟାଚରେ ଏକ ଅଦ୍ଭୁତ ଦୃଶ୍ୟ ଦେଖିବାକୁ ମିଳିଛି । ଏହି ମ୍ୟାଚରେ ପଞ୍ଜାବ ପ୍ରଥମେ ବ୍ୟାଟିଂ କରି ନିର୍ଦ୍ଧାରିତ ୨୦ ଓଭରରେ ୨୨୩ ରନ୍ କରିଥିଲା । ଏହାର ଜବାବରେ ରାଜସ୍ଥାନର ପ୍ରଥମ ୱିକେଟ ଶୀଘ୍ର ଖସି ପଡ଼ିଥିଲା । ତାପରେ ଆକ୍ସନ୍ ମୁଡରେ ଥିଲେ ପଞ୍ଜାବ ଖେଳାଳି ।

ରାଜସ୍ଥାନ ବ୍ୟାଟିଂର ୮ ଓଭରରେ ଏକ ରୋମାଞ୍ଚକର ଦୃଶ୍ୟ ଦେଖିବାରୁ ମିଳିଥିଲା । ଅଷ୍ଟମ ଓଭରରେ ରବି ବିଶ୍ନୋଇଙ୍କ ବୋଲିଂରେ ସଞ୍ଜୁ ସୈମସନ ଛକା ସଟ୍ ମାରିଥିଲେ । ବଲ୍ ତ ବାଉଣ୍ଡରୀ ବାହାରକୁ ଯାଉଥିଲା କିନ୍ତୁ ଏହି ସମୟରେ ସୁପରମ୍ୟାନ୍ ଭଳି ଡ୍ରାଇଭ୍ ମାରିଥିଲେ ନିକୋଲସ ପୂରନ । ବାଉଣ୍ଡରୀ ଉପରକୁ ଡ୍ରାଇଭ୍ ମାରି ଛକାକୁ ରୋକିଥିଲେ । ଫଳରେ ରାଜସ୍ଥାନକୁ ୨ ରନ୍ ମିଳିଥିଲା ।

ପୂରନଙ୍କ ଏହି ଶାନଦାର୍ ଫିଲ୍ଡିଂର ତାରିଫ କ୍ରିକେଟ୍ ଫିଲ୍ଡରେ ଉପସ୍ଥିତ ଖେଳାଳି କରିଥିଲେ । ନିକୋଲସଙ୍କ ଏହି ଡ୍ରାଇଭ୍ ଦେଖି ଚକିତ ହୋଇ ଯାଇଥିଲେ ଛକା ସଟ ମାରିଥିବା ସଞ୍ଜୁ ସୈମରନ । ପଞ୍ଜାବ ରାଜସ୍ଥାନ ଆଗରେ ୨୨୪ ରନର ବିଜୟ ଲକ୍ଷ୍ୟ ରଖିଛି । ଯାହାର କଡ଼ା ମୁକାବିଲା କରୁଛି ରାଜସ୍ଥାନ ।

 

 

ଅକ୍ଷୁର୍ଣ୍ଣ ରହିବ ବିଶ୍ୱବିଦ୍ୟାଳୟ ଓ କୁଳପତିମାନଙ୍କ ପୂର୍ବ ସ୍ୱାତନ୍ତ୍ରତା : ଉଚ୍ଚଶିକ୍ଷା ମନ୍ତ୍ରୀ ଅରୁଣ ସାହୁ

ଭୁବନେଶ୍ୱର, ପୂର୍ବରୁ ପ୍ରଚଳିତ ହୋଇଥିବା ନିୟମଗୁଡିକ ସାମ୍ପ୍ରତିକସ୍ଥିତିରେ ପ୍ରାସଙ୍ଗିକତା ହରାଇଥିଲା । ତେଣୁ ଓଡ଼ିଶା ବିଶ୍ୱବିଦ୍ୟାଳୟ ସଂଶୋଧିତ ଅଧ୍ୟାଦେଶ ଆଣିବାକୁ ପଡିଲା ବୋଲି ଉଚ୍ଚଶିକ୍ଷା ମନ୍ତ୍ରୀ ଅରୁଣ ସାହୁ ରବିବାର କହିଛନ୍ତି । ରବିବାର ଓଡ଼ିଶା ବିଶ୍ୱବିଦ୍ୟାଳୟ ସଂଶୋଧିତ ଅଧ୍ୟାଦେଶ ୨୦୨୦ ସମ୍ପର୍କିତ ୱେବିନାରରେ ଯୋଗ ଦେଇ ମନ୍ତ୍ରୀ ଏହା କହିଛନ୍ତି ।

ଅରୁଣ ସାହୁ କହିଥିଲେ ଯେ, ନୂତନ ସଂଶୋଧନ ବିଶ୍ୱବିଦ୍ୟାଳୟ, କୁଳପତିମାନଙ୍କ ସମ୍ମାନକୁ କ୍ଷୁର୍ଣ୍ଣ କରିବ ନାହିଁ । ଅପରପକ୍ଷରେ କୁଳପତିଙ୍କ କାର୍ଯ୍ୟକାଳ ୩ ବର୍ଷରୁ ୪ ବର୍ଷକୁ ବୃଦ୍ଧି କରାଯାଇଛି । କୁଳପତିମାନଙ୍କ ବୟସସୀମା ୬୭କୁ ବୃଦ୍ଧି କରାଯିବା ଫଳରେ ସେମାନେ ଦୀର୍ଘମିଆଦୀ ଯୋଜନା କରିପାରିବେ । ନୂତନ ପଦ୍ଧତିରେ କୁଳପତି ଚୟନ ପ୍ରକ୍ରିୟାରେ ରାଜ୍ୟ ସରକାରଙ୍କ କୌଣସି ଭୂମିକା ହିଁ ନାହିଁ । ଗୁଜରାଟ,ପଶ୍ଚିମବଙ୍ଗ, କର୍ନାଟକ, ତେଲେଙ୍ଗାନା,ମହାରାଷ୍ଟ୍ର, ପଞ୍ଜାବ, ଆନ୍ଧ୍ର ପ୍ରଦେଶ ଏବଂ ବିହାର ଭଳି ବ୍ୟବସ୍ଥା ଓଡ଼ିଶାରେ ନାହିଁ । ଆମ ରାଜ୍ୟରେ କୁଳପତି ଏବଂ ବିଶ୍ୱବିଦ୍ୟାଳୟ ସ୍ୱାୟତ୍ତତାକୁ ସର୍ବାଧିକ ଗୁରୁତ୍ୱ ଦିଆଯାଇଛି ।ସେହିପରି ଶିକ୍ଷକ ନିଯୁକ୍ତି ପ୍ରକ୍ରିୟାକୁ ତ୍ୱରାନ୍ବିତ କରିବା ପାଇଁ ଲୋକସେବା ଆୟୋଗକୁ ଶିକ୍ଷକ ଚୟନ ଦାୟିତ୍ୱ ଦିଆଯାଇଛି । ପୂର୍ବରୁ ବିଶ୍ୱବିଦ୍ୟାଳୟଗୁଡିକ ଅଡିଟ ରିପୋର୍ଟ ସାର୍ବଜନୀନ କରିବା ସମ୍ଭବ ହେଉ ନ ଥିଲା । ହେଲେ ବର୍ତ୍ତମାନ ବିଶ୍ୱବିଦ୍ୟାଳୟଗୁଡିକ ବର୍ତ୍ତମାନ ନିଜ ନିଜ ୱେବସାଇଡରେ ଏହାକୁ ଅପଲୋଡ କରିପାରିବେ  ବୋଲି ମନ୍ତ୍ରୀ କହିଛନ୍ତି ।

 

ସେହିପରି ବିଶ୍ୱବିଦ୍ୟାଳୟ ପରିଚାଳନା କ୍ଷେତ୍ରରେ ଅନେକ ବର୍ଷ ଧରି ସିନେଟର ଭୂମିକା ଆଳଙ୍କାରିକ ହୋଇ ପଡିଥିଲା । ତେଣୁ ଏହାକୁ ଉଚ୍ଛେଦ କରାଯାଇଛି । ରାଜ୍ୟରେ ପୂର୍ବରୁ ଥିବା ସମସ୍ତ ବିଶ୍ୱବିଦ୍ୟାଳୟ ପାଇଁ ଗୋଟିଏ ନିୟମ ଲାଗୁ ହୋଇ ଆସୁଥିଲା । ତେଣୁ ପରବର୍ତ୍ତୀ ସମୟରେ ୨୦୦୫ରେ ଆସିଥିବା ରେଭେନ୍ସା ବିଶ୍ୱବିଦ୍ୟାଳୟ ଅଧିନିୟମକୁ ଉଚ୍ଛେଦ କରାଯାଇଛି । ଏବେ ରାଜ୍ୟର ସମସ୍ତ ବିଶ୍ୱବିଦ୍ୟାଳୟ ପାଇଁ ଗୋଟିଏ ନିୟମ କାର୍ଯ୍ୟକାରୀ ହେବ ବୋଲି ମନ୍ତ୍ରୀ ୱେବିନାରରେ କହିଥିଲେ । ସିନେଟ ବ୍ୟବସ୍ଥା ଉଚ୍ଛେଦ କରାଯାଇ ସିଣ୍ଡିକେଟଗୁଡିକରେ ପୁର୍ନଗଠନ କରାଯିବ । କୁଳପତି ହିଁ ସିଣ୍ଡିକେଟର ଅଧ୍ୟକ୍ଷ ରହିବେ । ଆଉ ପୂର୍ବଭଳି ଉଚ୍ଚଶିକ୍ଷା ବିଭାଗ ସଚିବ ଦାୟିତ୍ୱରେ ରହିପାରିବେ ନାହିଁ । ତେଣୁ ସିଣ୍ଡିକେଟରେ ବିଶ୍ୱବିଦ୍ୟାଳୟ ପ୍ରଭାବ ଅକ୍ଷୁର୍ଣ୍ଣ ରହିବ ବୋଲି ମନ୍ତ୍ରୀ ଦୃଢମତ ପୋଷଣ କରିଥିଲେ ।

ଅନ୍ୟମାନଙ୍କ ମଧ୍ୟରେ ୱେବିନାରରେ ଉଚ୍ଚଶିକ୍ଷା ସଚିବ ତଥା କମିଶନର ଶାଶ୍ୱତ ମିଶ୍ର ସଂଶୋଧିତ ବିଶ୍ୱବିଦ୍ୟାଳୟ ସହ ଅନ୍ୟ ରାଜ୍ୟରେ ଥିବା ନିୟମର ତୁଳନାତ୍ମକ ଅଧ୍ୟୟନ ପ୍ରଦର୍ଶିତ କରିଥିଲେ । ଏହି ୱେବିନାରରେ ୧୦୦୦ରୁ ଅଧିକ ଶିକ୍ଷାବିତ ଯୋଗ ଦେଇଥିଲେ ।

 

ନବରଙ୍ଗପୁର ଜିଲ୍ଲାକୁ ମୁଖ୍ୟମନ୍ତ୍ରୀଙ୍କ ଉପହାର, ଇନ୍ଦ୍ରାବତୀ ଡ୍ୟାମ ଉପରେ ନିର୍ମାଣ ହେବ ସେତୁ

ନବରଙ୍ଗପୁର: ନବରଙ୍ଗପୁର ଜିଲ୍ଲାକୁ ମୁଖ୍ୟମନ୍ତ୍ରୀଙ୍କ ଉପହାର । ଇନ୍ଦ୍ରାବତୀ ଡ୍ୟାମ ଉପରେ ନିର୍ମାଣ ହେବ ସେତୁ । ବ୍ୟୟ ଅଟକଳ ୧୫୦ କୋଟି ଟଙ୍କା । ୭୫୦ ମିଟର ସେତୁ ସହ ୫ କିଲୋମିଟର ରାସ୍ତାକୁ ମଞ୍ଜୁରୀ । ନବରଙ୍ଗପୁର ଠାରୁ ରାୟଗଡା ଯିବାକୁ ହେଲେ କଳାହାଣ୍ଡି କିମ୍ବା କୋରାପୁଟ ଦେଇ ୨୫୦ କିମି ବୁଲି ଯିବାକୁ ପଡୁଥିଲା ।

ଫଳରେ ସରକାରୀ ଯୋଜନା ପାଇଁ ଅଧିକ ନୟାନ୍ତ ହେଉଥିଲେ ତେନ୍ତୁଳିଖୁଣ୍ଟି ବ୍ଲକର ୮ରୁ ଅଧିକ ଗାଁଲୋକେ । ଏବେ ଇନ୍ଦ୍ରାବତୀ ଡ୍ୟାମ ଉପରେ ବ୍ରିଜ ନିର୍ମାଣ ହେଲେ ୧୨୦ କିଲୋମିଟର ରାସ୍ତା କମ ପଡିବ । ଏହାଛଡା ଆଉ ଜୀବନକୁ ବାଜି ଲଗାଇ ଡଙ୍ଗାରେ ଯିବାକୁ ପଡିବ ନାହିଁ । ସରକାର ପୋଲ ନିର୍ମାକୁ ମଞ୍ଜୁରୀ ଦେଇଥିବାରୁ ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇଛନ୍ତି ଅଞ୍ଚଳବାସୀ ।

ଏହି ରାସ୍ତା ହେବା ଦୁଆର ନବରଙ୍ଗପୁର ଜିଲ୍ଲାର ଗମନାଗମନ ସୁବିଧା ସହିତ ବ୍ୟବସାୟ କ୍ଷେତ୍ରରେ ମଧ୍ୟ ଉନ୍ନତି ହୋଇ ପାରିବ । ୧୫୦ କୋଟି ଟଙ୍କା ଅଟକଳରେ ୭୫୦ମିଟର ଲମ୍ବର ଏହ ସେତୁ ସାଙ୍ଗକୁ ନିର୍ମାଣ ହେବ ଦୀର୍ଘ ୫ କିଲୋମିଟର ରାସ୍ତା । ସାଂସଦ ଏବଂ ବିଧାୟକଙ୍କ ଅନୁରୋଧ ରକ୍ଷାକରି ମୁଖ୍ୟମନ୍ତ୍ରୀ ଏହାକୁ ମଞ୍ଜୁରୀ ପ୍ରଦାନ କରିଛନ୍ତି ।

ହର୍ଡ ଇମ୍ୟୁନିଟିକୁ ନେଇ ଏମିତି କହିଲେ ସ୍ୱାସ୍ଥ୍ୟମନ୍ତ୍ରୀ, ଭାରତ ଏବେ ବହୁତ ଦୂରରେ

ନୂଆଦିଲ୍ଲୀ: କରୋନା ସହ କେମିତି ଯୁଝିବ ଭାରତ । ଦେଶରେ ତିଆରି ହୋଇ ସାରିଲାଣି କି ହର୍ଡ ଇମ୍ୟୁନିଟି । ICMR ପକ୍ଷରୁ ଦେଶରେ ଦୁଇଥର ସରିଛି ସିରୋ ସର୍ଭେ । ଏହି ସର୍ଭେ କଣ ସଂକେତ ଦେଉଛି ? ଏହା ଉପରେ ମତ ରଖିଛନ୍ତି କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ହର୍ଷବର୍ଦ୍ଧନ । ଆଇସିଏମଆରର ଦ୍ୱିତୀୟ ସିରୋ ସର୍ଭେ ଅନୁଯାୟୀ କୋଭିଡ୍-୧୯ ବିପକ୍ଷରେ ଦେଶର ଜନସଂଖ୍ୟା ଏବେ ବି ହର୍ଡ ଇମ୍ୟୁନିଟି ଠାରୁ ବହୁତ ଦୂରରେ ଅଛନ୍ତି । କୋଭିଡ୍ ମୁକାବିଲା ପାଇଁ ଆମେ ସମସ୍ତେ ଆବଶ୍ୟକ ସତର୍କତାମୂଳକ ପଦକ୍ଷେପ ନେବା ଉଚିତ୍ । ସେ ଆହୁରି କହିଛନ୍ତି । କୋଭିଡ୍ ସଂକ୍ରମିତଙ୍କ ଉପରେ ଜୋରରେ ରିସର୍ଚ୍ଚ ଚାଲିଛି ।

ତେବେ ଏଯାଏଁ ପୁନଃ ସଂକ୍ରମଣ ମାମଲା ବହୁତ କମ୍ ଅଛି । ଏହାକୁ ସରକାର ସମ୍ପୂର୍ଣ୍ଣ ଗୁରୁତ୍ୱ ଦେଉଥିବା କହିଛନ୍ତି ସ୍ୱାସ୍ଥ୍ୟମନ୍ତ୍ରୀ । କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ହର୍ଷବର୍ଦ୍ଧନ କହିଛନ୍ତି ରେମଡିସିଭର ଓ ପ୍ଲାଜମା ଥେରାପିର ବିଶେଷ ଉପଯୋଗ କରାଯାଉ ନାହିଁ । ସରକାର ତାହା ସମ୍ବନ୍ଧରେ ନିୟମିତ ପରାମର୍ଶ ଦେଉଛନ୍ତି । ଘରୋଇ ହସ୍ପିଟାଲ ମଧ୍ୟ ଏହି ପ୍ରକ୍ରିୟା ନିୟମିତ ପାଳନ ନକରିବାକୁ ଉପଦେଶ ଦିଆଯାଇଛି ।

ICMR Says Population Far From Developing Herd Immunity Against Covid 19 Harshvardhan

ବିଗତ ୨୪ ଘଣ୍ଟାରେ ଦେଶରେ ୯୨ ହଜାର ୪୩ ଜଣ କରୋନାରୁ ସୁସ୍ଥ ହୋଇଛନ୍ତି । ଏଥିସହ କରୋନାରୁ ମୁକ୍ତ ହୋଇଥିବା ଲୋକଙ୍କ ସଂଖ୍ୟା ଦେଶରେ ୫୦ ଲକ୍ଷ ପାଖାପାଖି ପହଞ୍ଚିଛି । ଏଥିସହ ଚିକିତ୍ସାଧୀନ ଆକ୍ରାନ୍ତଙ୍କ ଠାରୁ ଅଧିକ ଲୋକ ୩୯ ଲକ୍ଷ ୮୫ ହଜାର ୨୨୫ ଜଣ ସୁସ୍ଥ ହୋଇଥିବା କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ ସୂଚନା ଦେଇଛି ।

ନରହନ୍ତା ଦନ୍ତାର ବଦଳିଲା ଠିକଣା, ଢେଙ୍କାନାଳ କପିଳାସ ସ୍ୱତନ୍ତ୍ର ଏନ୍‌କ୍ଲୋଜରକୁ ଗଲା ରାକେଶ

ଢ଼େଙ୍କାନାଳ: ନରହନ୍ତା ଦନ୍ତାର ବଦଳିଲା ଠିକଣା । ୮ ମାସ ପରେ ବେଡିରୁ ଖୋଲିବା ଶିକୁଳି । ୧୨ ଲୋକଙ୍କୁ ହତ୍ୟାକରି କାଟୁଥିଲା ବନ୍ଦୀ ଜୀବନ । ସ୍ୱତନ୍ତ୍ର ଏନକ୍ଲୋଜର ହେଲା ରାକେଶର ନୂଆ ଠିକଣା । ଦୀର୍ଘ ୮ ମାସ ପରେ ଦବଙ୍ଗ ଦନ୍ତା ହାତୀ ରାକେଶ ଗୋଡ଼ରୁ ଖୋଲିଛି ଲୁହାର ବେଡି । ଆଉ ତା’ର ସ୍ୱଭାବରେ ପରିବର୍ତ୍ତନ ପାଇଁ ଢେଙ୍କାନାଳର କପିଳାଶ ବନଖଣ୍ଡ କୁତ୍ରିମ ଜଙ୍ଗଲକୁ ପଠାଯାଇଛି । ଯେଉଁଠି ଖୋଲା ଭାବରେ ବୁଲିବା ସହିତ ଖାଇବା ପାଇଁ ରହିଛି ସବୁଜ ଜଙ୍ଗଲ। ତାଳଚେର ପର୍ଯଙ୍ଗ ଅଂଚଳରେ ଆତଙ୍କ ମଚଇ ୧୨ ଜଣଙ୍କ ଜୀବନ ନେଇଥିଲା ଏହି ନରହନ୍ତା ଦନ୍ତା ।

ଢେଙ୍କାନାଳ ଓ ଅନୁଗୁଳ ଜିଲ୍ଲାରେ ପ୍ରତ୍ୟେକ ଦିନ ହାତୀମାନଙ୍କ ଉପଦ୍ରବ ଦେଖିବାକୁ ମିଳୁଛି। ଏହାକୁ ନଜରରେ ରଖି ଟେଂପରାରୀ ଟ୍ରାଞ୍ଜିଟି ଫାସିଲିଟିଜ ଫର ଓ୍ୱାଇଲ୍ଡ ଆନିମାଲ୍ ପ୍ରକଳ୍ପ କାର୍ଯ୍ୟକାରୀ କରାଯାଇଛି । ଏଥିପାଇଁ ପ୍ରଥମ ପର୍ଯ୍ୟାୟରେ ୧୫ ଲକ୍ଷ ଟଙ୍କା ଖର୍ଚ୍ଚ ହୋଇଥିବା ବେଳେ ୫ ଲକ୍ଷ ଟଙ୍କା ପରେ ଖର୍ଚ୍ଚ ହେବ । ଆଉ ଏହାରି ମାଧ୍ୟମରେ ଉଦ୍ଧାର କରାଯାଇଥିବା ବନ୍ୟାପ୍ରାଣୀମାନଙ୍କୁ କିଛି ଦିନ ରଖିବା ପରେ ପୁଣି ଜଙ୍ଗଲରେ ଛାଡି ଦିଆଯିବ । ଯାହା ଏବେ ନରହନ୍ତା ଦନ୍ତା ରାକେଶ ପକ୍ଷେ କାର୍ଯ୍ୟକାରୀ ହୋଇଥିବା କହିଛନ୍ତି ବନବିଭାଗ କର୍ମଚାରୀ ।

କାଠ ମାଫିଆଙ୍କ ଟାର୍ଗେଟ୍‌ରେ ଉପକୂଳବର୍ତ୍ତୀ ଜଙ୍ଗଲ, ଦିନ ଦ୍ୱିପ୍ରହରରେ ଗଛକାଟି ଜଙ୍ଗଲ କରୁଛନ୍ତି ପଦା

ଜଗତସିଂହପୁର: କାଠ ମାଫିଆଙ୍କ ଟାର୍ଗେଟରେ ସମୂଦ୍ର ଉପକୂଳ । ଅସୁରକ୍ଷିତ ବାଲିକୁଦା ଓ ଏରସମା ଅଞ୍ଚଳ । ବନକର୍ମଚାରୀ ଓ ମାଫିଆଙ୍କ ମଧ୍ୟରେ ମଧୁଚନ୍ଦ୍ରିକା । ପଦା ହେଲାଣି ହେକ୍ଟର ହେକ୍ଟର ଜଙ୍ଗଲ । ରାଜ୍ୟ ସରକାର ସମୁଦ୍ର ଉପକୂଳ ଅଞ୍ଚଳକୁ ସୂରକ୍ଷା ଦେବାପାଇଁ କୋଟି କୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି ।

ଏନେଇ ଜଗତସିଂହପୁର ଜିଲ୍ଲା ବାଲିକୁଦା ଠାରୁ ଏରସମା ପର୍ଯ୍ୟନ୍ତ ସମୁଦ୍ର କୂଳରେ ହଜାର ହଜାର ବୃକ୍ଷ ରୋପଣ କରାଯାଇ ଜଙ୍ଗଲ ସୃଷ୍ଟି କରାଯାଇଛି । ହେଲେ କାଠ ମାଫିଆଙ୍କ ଲୋଲୁପ ଦୃଷ୍ଟିରେ ଏବେ ଉପକୂଳ ଜଙ୍ଗଲ ଉପରେ ପଡିଛି । ଫଳରେ ଦିନଦ୍ୱିପ୍ରହରେ ଗଛକାଟି ଜଙ୍ଗଲକୁ ପଦା କରୁଛନ୍ତି ମାଫିଆ । ଆଉ ଏହି ବେପାର ବନକର୍ମଚାରୀ ଓ ମାଫିଆଙ୍କ ମଧୁଚନ୍ଦ୍ରିକାରେ ଚାଲୁଥିବା ଅଭିଯୋଗ ହୋଇଛି ।

କେବଳ ଗଛ ନୁହେଁ ଟ୍ରିପ୍ ଟ୍ରିପ୍ ବାଲି ମଧ୍ୟ ଚୋରାଚାଲାଣ ହେଉଥିବା ଅଭିଯୋଗ ହୋଇଛି । ଉପକୂଳ ଅଞ୍ଚଳରେ ଅଧିକାଂଶ ସମୟରେ ଜୁଆର, ସୁନାମି ଓ ବାତ୍ୟାର ଭୟ ରହିଥାଏ । ୧୯୯୯ର ପ୍ରଳୟଙ୍କାରୀ ବାତ୍ୟା ଜଗତସିଂହପୁରକୁ ଅଧିକ କ୍ଷତି ପହଞ୍ଚାଇଥିଲା । ଏବେ ଉପକୂଳ ଜଙ୍ଗଲ ଦିନକୁଦିନ ଧ୍ୱଶଂ ହେଉଥିବାରୁ ଅଞ୍ଚଳବାସୀ ଭୟଭିତ ହୋଇପଡିଛନ୍ତି । ବନବିଭାଗ ଏଥିପ୍ରତି ଦୃଷ୍ଟି ନଦେଲେ ଆଗକୁ ବିପଦ ମାଡିଆସିବ ବୋଲି ଆଶଙ୍କା କରିଛନ୍ତି ।

ଜେଡିୟୁରେ ସାମିଲ୍ ହେଲେ ବିହାରର ପୂର୍ବତନ ଡିଜିପି ଗୁପ୍ତେଶ୍ୱର ପାଣ୍ଡେ

ପାଟଣା: ବିହାର ବିଧାନସଭା ନିର୍ବାଚନ ୨୦୨୦ ପୂର୍ବରୁ ବିହାରର ପୂର୍ବତନ ଡିଜିପି ଗୁପ୍ତେଶ୍ୱର ପାଣ୍ଡେ ରାଜନୈତିକ ଜୀବନ ଆରମ୍ଭ କରିଛନ୍ତି । ସେ ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାରଙ୍କ ଉପସ୍ଥିତିରେ ଜେଡିୟୁରେ ମିଶିଛନ୍ତି । ରବିବାର ମୁଖ୍ୟମନ୍ତ୍ରୀ ନୀତିଶ କୁମାର ଗୁପ୍ତେଶ୍ୱରଙ୍କୁ ଦଳର ସଦ୍ୟସତା ଦେଇଛନ୍ତି । ଗୁପ୍ତେଶ୍ୱର ପାଣ୍ଡେ ଶୁକ୍ରବାର ଏନଡିଏ ସହିତ ରହିବା ନେଇ ସ୍ପଷ୍ଟ ସଂକେତ ଦେଇଥିଲେ ।

Ex DGP Gupteshwar Pandey Joins JDU Presence Of Nitish Kumar

ଜେଡିୟୁରେ ସାମିଲ୍ ହେବା ପରେ ଗୁପ୍ତେଶ୍ୱର ପଣ୍ଡା କହିଛନ୍ତି- ମୋତେ ନିଜେ ମୁଖ୍ୟମନ୍ତ୍ରୀ ଡାକିଥିଲେ ଦଳରେ ସାମିଲ୍ ହେବା ପାଇଁ । ଦଳ ମୋତେ ଯାହା କରିବାକୁ କହିବ, କରିବି । ମୋତେ ରାଜନୀତି ଜଣାନାହିଁ । ମୁଁ ଜଣେ ସାଧାରଣ ବ୍ୟକ୍ତି । ଯିଏ ନିଜ ସମୟ ସମାଜର ସେବା ପାଇଁ ବିତାଇଛି ।

ଗୁପ୍ତେଶ୍ୱର କହିଥିଲେ- ଆଜି ସନ୍ଧ୍ୟା ୪ଟାରେ ବିହାର ମୁଖ୍ୟମନ୍ତ୍ରୀ ତଥା ଜେଡିୟୁର ରାଷ୍ଟ୍ରୀୟ ଅଧ୍ୟକ୍ଷ ନୀତିଶ କୁମାର ସଦସ୍ୟତା ଦେଇଥିଲେ । ମୁଁ ଆରମ୍ଭରୁ ତାଙ୍କ ଉପରେ ପ୍ରଭାବିତ । ସେ କେବେ ପୋଲିସ କାମରେ ହସ୍ତକ୍ଷେପ କରିନାହାଁନ୍ତି । ନିର୍ବାଚନ ଲଢ଼ିବି କି ନାହିଁ, ତାହା ମୋର ବ୍ୟକ୍ତିଗତ ବିଷୟ ଅଟେ ।

ଗୁପ୍ତେଶ୍ୱର ପାଣ୍ଡେ ଜେଡିୟୁରେ ସାମିଲ୍ ହେବା ନେଇ ଶିବସେନା ସାଂସଦ ପ୍ରିୟଙ୍କା ଚତୁର୍ବେଦୀ ଟ୍ୱିଟ୍ କରିଛନ୍ତି । ସେ ଲେଖିଛନ୍ତି- ମୁମ୍ବାଇ ପୋଲିସକୁ ଗାଳି ଦେଇ କ୍ୟାମ୍ପେନ୍ ଆରମ୍ଭ କରିଥିଲେ । ଗୋଟିଏ ମୃତ୍ୟୁକୁ ରାଜନୈତିକ ସିଡି କରିଥିଲେ । ଏବେ ଆଶା ବିହାରର ଜନତା ଏସବୁର ହିଶାବ ନିକାଶ କରିବେ ।

ପୂର୍ବତନ ଡିଜିପି ସ୍ୱେଚ୍ଛାକୃତ ଭାବେ ଅବସର ନେବା ପରେ ସେ ରାଜନୀତିରେ ଯୋଗ ଦେବା ନେଇ ଚର୍ଚ୍ଚା ହେଉଥିଲା । ସୁଶାନ୍ତ ସିଂହ ରାଜପୁତ ମାମଲାରେ ବୟାନ ରଖି ସେ ବିଗତ ଦିନରେ ଚର୍ଚ୍ଚାକୁ ଆସିଥିଲେ । ଏହାକୁ ପୂର୍ବତନ ଡିଜିପି ବିହାରରେ ଉତ୍ତମ ଶାସନ ଚାଲିଥିବା କହି ତାରିଫ୍ ବି କରିଥିଲେ ।

 

ଡ୍ରଗ୍ସ ମାମଲାରେ ଏବେ କରନ ଜୋହରଙ୍କ ନାଁ, ଆଉ ୧୨ ସେଲିବ୍ରିଟିଙ୍କୁ ଜେରା କରିପାରେ NCB

ମୁମ୍ବାଇ: ବଲିଉଡ ଇଣ୍ଡଷ୍ଟ୍ରି ବର୍ତ୍ତମାନ ଏହାର ସବୁଠାରୁ କଠିନ ପର୍ଯ୍ୟାୟ ଦେଇ ଗତି କରୁଛି । ଡ୍ରଗ୍ ମାମଲାରେ ଏନସିବିର ତଦନ୍ତ ଦ୍ରୁତ ଗତିରେ ଆଗକୁ ମାଡ଼ି ଚାଲିଛି । ଗୋଟିଏ ପରେ ଗୋଟିଏ ନୂଆ ପେଡ଼ି ଖୋଲିବାରେ ଲାଗିଛି ଏନ୍‌ସିବି । ଦୀପିକା ପାଦୁକୋନ, ସାରା ଅଲ୍ଲୀ ଖାନ ଏବଂ ଶ୍ରଦ୍ଧା କପୁରଙ୍କ ନାଁ ଏହି ଡ୍ରଗ୍‌ସ ମାମଲାରେ ଯୋଡାଯିବା ପରେ ଏହା ଅଧିକ ଚର୍ଚ୍ଚିତ ହୋଇଛି । ଏହି ସେଲିବ୍ରିଟି ମାନଙ୍କୁ ଜେରା ପରେ ଏବେ କରଣ ଜୋହରଙ୍କ ଦ୍ୱାରା ଅୟୋଜିତ ଏକ ପାର୍ଟି ବିଷୟରେ ଚର୍ଚ୍ଚା ଆରମ୍ଭ ହୋଇଛି । ଏହି ପାର୍ଟିର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଥିଲା । ଖାଲି ସେତିକି ନୁହେଁ ଭିଡିଓଟି ସମ୍ପୂର୍ଣ୍ଣ ଅସଲି ଏବଂ ଏଥିରେ କୌଣସି ପ୍ରକାର ଏଡିଟିଂ କରାଯାଇ ନାହିଁ ବୋଲି ତଦନ୍ତରୁ ଜଣାପଡ଼ିଛି । ତେବେ କରନ ଜୋହରଙ୍କ ଦ୍ୱାରା ଆୟୋଜିତ ଏହି ପାର୍ଟିରେ ଷ୍ଟାରମାନେ ଡ୍ରଗ୍ସ ସେବନ କରିଥିଲେ ବୋଲି ଅଭିଯୋଗ ହୋଇଛି ।

ସୂଚନାନୁସାରେ, ୨୦୧୯ ମସିହାରେ କରଣ ଜୋହରଙ୍କ ଏହି ପାର୍ଟି ଭିଡିଓର ଫୋରେନସିକ୍ ରିପୋର୍ଟ ଆସିଛି ଏବଂ ଏହା ଏନସିବି ଦ୍ୱାରା ଦାଖଲ ମଧ୍ୟ କରାଯାଇଛି । ଫୋରେନସିକ୍ ରିପୋର୍ଟରେ ଏହା ପ୍ରକାଶ ପାଇଛି ଯେ ଭିଡିଓଟି ପ୍ରକୃତ ଏବଂ ଏଥିରେ କୌଣସି ଏଡିଟିଂ କରାଯାଇ ନାହିଁ। ଏହି ପ୍ରସଙ୍ଗରେ ଏକ ବୈଠକ ଅନୁଷ୍ଠିତ ହେବ, ଯେଉଁଥିରେ ମଲହୋତ୍ରା ଏବଂ ଡିଡିଜି ଅଶୋକ ଜୈନ ନେତୃତ୍ୱ ନେବେ । ଏଥିରେ, ଏନସିବି ଏବଂ ଡିଜିଙ୍କ ସହ ଆଲୋଚନା ପରେ ନିଷ୍ପତ୍ତି ନିଆଯିବ ଯେ, ଏହି ମାମଲାରେ ପରବର୍ତ୍ତୀ ପଦକ୍ଷେପ କ’ଣ ହେବ ?

ଅନ୍ୟପଟେ କରନ୍‌ ଜୋହର କହିଛନ୍ତି ଯେ, ମୁଁ ଡ୍ରଗ୍ସ ସେବନ କରେ ନାହିଁ କି ଏହାକୁ ପ୍ରୋତ୍ସାହିତ କରେ ନାହିଁ । ୨୮ ଜୁଲାଇ ୨୦୧୯ ରେ ମୋ’ ଘରେ ଯେଉଁ ପାର୍ଟି ଆୟୋଜନ ହୋଇଥିଲା ସେଥିରେ ଡ୍ରଗ୍ସ ବ୍ୟବହାର କରାଯାଇଥିଲା ବୋଲି ମିଥ୍ୟା ଖବର ପ୍ରଚାର କରାଯାଉଛିଏହି ଅଭିଯୋଗ ସମ୍ପୂର୍ଣ୍ଣ ଭିତ୍ତିହୀନ ।’ ସେହିଭଳି କରନ୍‌ ଆହୁରି କହିଛନ୍ତି, ସେ କ୍ଷିତିଜ୍‌ ଏବଂ ଅନୁଭବଙ୍କୁ ଜାଣନ୍ତି ନାହିଁ । ସେମାନେ ଧର୍ମା ପ୍ରଡକ୍ସନ୍ସର ଅଧିକାରୀ ନୁହଁନ୍ତି । ନଭେମ୍ବର ୨୦୧୯ ରେ କ୍ଷୀତିଜ କେବଳ ଏକ ଚୁକ୍ତିରେ କାମ କରୁଥିଲେ । ଆଉ ଅନୁଭବ ଧର୍ମା ପ୍ରଡକ୍ସନ୍ସ ସହିତ ମାତ୍ର ଦୁଇମାସ କାମ କରିଥିଲେ । ତେବେ ଏଭଳି ମିଥ୍ୟା ପ୍ରଚାର ବିରୋଧରେ କରନ୍‌ ଜୋହର ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବେ ବୋଲି ସୂଚନା ଦେଇଛନ୍ତି ।

୧୨ ଜଣ ତାରକାଙ୍କୁ ଜେରା କରିବ ଏନ୍‌ସିବି

ଡ୍ରଗ୍ସ ମାମଲାରେ ଆଉ ଏକ ନୂଆ ମୋଡ଼ ସାମ୍ନାକୁ ଆସିଛି । କ୍ଷୀତିଜ୍‌ ପ୍ରସାଦଙ୍କ ଓକିଲ ସତୀଶ ମନେଶିନ୍ଦେ ଅଭିଯୋଗ କରିଛନ୍ତି ଯେ, ତାଙ୍କ ମହକିଲକୁ କଷ୍ଟଡିରେ ନର୍ଯାତନା ଦିଆଯାଉଛି ଏବଂ କରନ୍‌ ଜୋହରଙ୍କ ନାଁ ନେଇ ତାଙ୍କୁ ଫସାଇବାକୁ ବାଧ୍ୟ କରାଯାଉଛି । ସିଗାରେଟ୍‌ ବର୍ଡକୁ ଡ୍ରଗ୍ସ ବୋଲି କହି ଅଭିଯୋଗ କରାଯାଉଛି । ତେବେ ଆଗାମୀ ଦିନରେ କରନ ଜୋହରଙ୍କ ସହ କ’ଣ କରିବ ଏନ୍‌ସିବି, ତାହା ତ ପଛ କଥା । ହେଲେ କରୋନ ଜୋହରଙ୍କ ପାର୍ଟି ଭିଡିଓ ଯୋଗୁଁ ଆଉ ୧୨ ଜଣଙ୍କୁ ଜେରା କରିବା ପାଇଁ ଏନ୍‌ସିବି ପ୍ରସ୍ତୁତ ହେଉଛି ବୋଲି ସୂଚନା ମିଳିଛି ।

ମୋଦି ପ୍ରଧାନମନ୍ତ୍ରୀ ଥିଲା ଯାଏ ସମ୍ଭବ ନୁହେଁ: ଆଫ୍ରିଦ୍

ନୂଆଦିଲ୍ଲୀ: ଭାରତୀୟ ଉପମହାଦେଶରେ କ୍ରିକେଟରେ କ୍ରେଜ୍ ବେଶ ନିଆରା । ବିଶେଷ କରି ଭାରତ, ପାକିସ୍ତାନ, ଆଫଗାନିସ୍ତାନ, ବାଲାଂଦେଶ, ଶ୍ରୀଲଙ୍କାରେ କୋଟି କୋଟି କ୍ରିକେଟ ପ୍ରଂଶସକ ଦେଖିବାକୁ ମିଳିଥାଏ । ସେଥିପାଇଁ ତ କୁହାଯାଇଥାଏ “ମନୋରଞ୍ଜନ କା ବାପ୍ , ଇଣ୍ଡିଆ ଭର୍ସେସ ପାକ୍’’ । ହେଲେ ଭାରତ କିମ୍ବା ପାକିସ୍ତାନ ମାଟିରେ ଉଭୟ ଦେଶ ପରସ୍ପରକୁ ଭେଟିବା ସମ୍ଭବ ହେଉ ନାହିଁ । ଦୁଇ ଦଳ ପରସ୍ପର ସହ ମୁହାଁମୁହିଁ ହେଉଛନ୍ତି ହେଲେ ବିଦେଶ ମାଟିରେ । ତାହା ପୁଣି କୌଣସି ଆଇସିସି ଇଭେଣ୍ଟରେ ।

Former Pakistan Cricketer Shahid Afridi Says no Chance Of India Pakistan Bilateral Series Till Modi Is In Power

ଏହି ସମୟରେ ଫଟାଫଟ କ୍ରିକେଟର ମହାକୁମ୍ଭ ଇଣ୍ଡିଆନ ପ୍ରିମିୟର ଲିଗ(ଆଇପିଏଲ୍) ଜାରି ରହିଛି । ଏଥିରେ କ୍ରିକେଟ ଖେଳୁଥିବା ପ୍ରାୟ ପ୍ରତ୍ୟେକ ଦେଶରେ ଖେଳାଳିଙ୍କ ଉପସ୍ଥିତି ରହିଛି । ହେଲେ ପଡୋଶୀ ପାକିସ୍ତାନ ଖେଳାଳି ଏଥିରେ ଅଂଶଗ୍ରହଣ କରୁ ନାହାନ୍ତି । ୨୦୦୮ର ମୁମ୍ବାଇ ଆକ୍ରମଣ ଏବଂ ଏହା ପରେ ସୀମା ଆତଙ୍କବାଦକୁ ପ୍ରୋତ୍ସାହନ ଦେବା କାରଣରୁ ପାକ୍ ଦଳକୁ ବର୍ଜନ କରାଯାଇଛି । ହେଲେ ଏହି ସମୟରେ ଉଭୟ ଦେଶର କ୍ରିକେଟ ସମ୍ପର୍କ ନେଇ ପୂର୍ବତନ ପାକ କ୍ରିକେଟର ଶାହିଦ ଆଫ୍ରିଦଙ୍କୁ ପକ୍ଷରୁ ବଡ଼ ବୟାନ ଆସିଛି ।

Former Pakistan Cricketer Shahid Afridi Says no Chance Of India Pakistan Bilateral Series Till Modi Is In Power

ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଆଫ୍ରିଦ୍ଏ ହି ବିବାଦକୁ ଟାଣି ଆଣିଛନ୍ତି । ସେ କହିଛନ୍ତି, ଯେ ପର୍ଯ୍ୟନ୍ତ ନରେନ୍ଦ୍ର ମୋଦି ଭାରତର ପ୍ରଧାନମନ୍ତ୍ରୀ ପଦରେ ଥିବେ, ସେ ପର୍ଯ୍ୟନ୍ତ ଭାରତ-ପାକ୍ ମଧ୍ୟରେ ଦ୍ୱିପାକ୍ଷିକ ସିରିଜ ସମ୍ଭବ ହେବ ନାହିଁ । ସେହିପରି ପାକିସ୍ତାନ ଖେଳାଳିମାନେ ଆଇପିଏଲକୁ ମିସ୍ କରୁଛନ୍ତି । ଏହି ପ୍ରତିଯୋଗିତା ପାକିସ୍ତାନର ଯୁବ କ୍ରିକେଟଙ୍କ ଦକ୍ଷତା ବୃଦ୍ଧିରେ ସହାୟକ ହୋଇଥାଆନ୍ତା ବୋଲି ଶାହିଦ କହିଛନ୍ତି ।
ଆରବ ନିଉଜ ଚ୍ୟାନେଲକୁ ଦେଉଥିବା ଏକ ସାକ୍ଷାତକାରରେ ଆଫ୍ରିଦି ଏହି ସବୁ ମନ୍ତବ୍ୟ ଦେଇଛନ୍ତି । ଶାହିଦ କହିଥିଲେ ଯେ, ପାକିସ୍ତାନ ସରକାର ଭାରତ ସହ କ୍ରିକେଟ ଖେଳିବା ପ୍ରସଙ୍ଗକୁ ନେଇ ସବୁବେଳେ ପ୍ରସ୍ତୁତ । ହେଲେ ଭାରତରେ କ୍ଷମତାସୀନ ବର୍ତ୍ତମାନର ସରକାର ଏହା କରାଇ ଦେବେ ନାହିଁ । ବିଶେଷ କରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ପ୍ରଧାନମନ୍ତ୍ରୀତ୍ୱ କାଳରେ ଏହା ସମ୍ଭବ ନୁହେଁ । ଅନୁରୂପଭାବେ ଆଇପିଏଲ ନ ଖେଳିବା ଦ୍ୱାରା ପାକ ଖେଳାଳିଙ୍କ କ୍ଷତି ସହୁଥିବା ବୁମବୁମ୍ ପ୍ଲେୟାର ସ୍ୱୀକାର କରିଛନ୍ତି ।