spot_img
Home Blog Page 6458

WhatsAppରେ ଆପଣାନ୍ତୁ ଏହି ସିକ୍ରେଟ ଟ୍ରିକ୍, କେହି ପଢିପାରିବେ ନାହିଁ ଆପଣଙ୍କ ଚ୍ୟାଟ୍‌

ବିଶ୍ୱବ୍ୟାପି କରୋନା ମହାମାରୀ କାରଣରୁ ଦୀର୍ଘ ଦିନ ଧରି ଲକଡାଉନ ଜାରି ରହିଥିଲା । ଯଦିଓ ଲକଡାଉନକୁ ସାମାନ୍ୟ କୋହଳ କରାଯାଇଛି ତଥାପି ଏକାଧିକ କ୍ଷେତ୍ରରେ ଏହା ଏବେ ମଧ୍ୟ କାର୍ଯ୍ୟ କରୁଛି । ସ୍କୁଲ, କଲେଜ ଠାରୁ ଆରମ୍ଭ କରି ଧର୍ମାନୁଷ୍ଠାନ ପର୍ଯ୍ୟନ୍ତ ବିଭିନ୍ନ ସଂସ୍ଥା ଏବେ ମଧ୍ୟ ବନ୍ଦ ରହିଛି । ଏଭଳି ପରିସ୍ଥିତିରେ ସାମାଜିକ ଦୂରତାକୁ ନଜରରେ ରଖି ଅଧିକାଂଶ ଲୋକ ଘରୁ ବାହାରୁ ନାହାଁନ୍ତି ଏବଂ ପ୍ରାୟ ସମୟ ସୋସିଆଲ ମିଡିଆରେ ବିତାଉଛନ୍ତି । ବ୍ୟକ୍ତିଗତ କାର୍ଯ୍ୟ ହେଉ ବା ଅଫିସିଆଲ । ଫଟୋ ଠାରୁ ଆରମ୍ଭ କରି କୌଣସି ଡକ୍ୟୁମେଣ୍ଟ ପର୍ଯ୍ୟନ୍ତ ପଠାଇବାର ଏକ ସହଜ ମାଧ୍ୟମ ସାଜିଛି ହ୍ୱଟ୍ସାଆପ୍ । ଯଦି ଏହା କୌଣସି ଭୁଲ ବ୍ୟକ୍ତି ହାତରେ ପଡ଼ିଯାଏ ତେବେ ସମସ୍ୟା ସୃଷ୍ଟି ହୋଇଥାଏ । ଏହି ପରିସ୍ଥିତିରେ ହ୍ୱଟ୍ସାଆପ୍ ଚ୍ୟାଟକୁ କିଭଳି ସୁରକ୍ଷିତ ରଖିବେ ଆସନ୍ତୁ ଆଲୋଚନା କରିବା ।

  • WhatsApp ଉପରେ କ୍ଲିକ କରନ୍ତୁ
  • ଏହାପରେ Settingsକୁ ଯାଇ Account ଉପରେ କ୍ଲିକ କରନ୍ତୁ ।
  • Two-Step Verification ଉପରେ କ୍ଲିକ କରନ୍ତୁ । ଏହାକୁ କ୍ଲିକ କଲେ ସ୍କ୍ରିନରେ Enable ଅପ୍ସନ ଦେଖାଯିବ । ତାହା ଉପରେ କ୍ଲିକ କରନ୍ତୁ । ଏଥିରେ ଆପଣ ୬ ଅଙ୍କ ବିଶିଷ୍ଟ ଏକ PIN କ୍ରିଏଟ କରି ପାରିବେ । କିନ୍ତୁ ଧ୍ୟାନ ରଖିବେ କି କୌଣସି ନୂଆ ଫୋନରେ ହ୍ୱାଟ୍ସାଆପ Settings କରିବା ସମୟରେ ଏହି PINର ଆବଶ୍ୟକତା ପଡ଼ିବ ।
  • Two-Step Verification  କୋଡ ଜରିଆରେ ପିନ କ୍ରିଏଟ କରିବା ପରେ E-mail ଆଡ୍ରେସ ଲିଙ୍କ୍ କରିବାକୁ ଅପ୍ସନ ଆସିବ । ଯଦି ଆପଣ କେବେ ପିନ୍ ଭୁଲି ଯାଉଛନ୍ତି ତେବେ ହ୍ୱାଟ୍ସାଆପ ଆପଣଙ୍କୁ E-mail ଆଇଡିକୁ ଲିଙ୍କ୍ ପଠାଇବ ।

 

ନିଜ ଚ୍ୟାଟକୁ ସିକ୍ରେଟ ରଖିବା ପାଇଁ FingerPrint Lock ବ୍ୟବହାର କରନ୍ତୁ । ଏଥିପାଇଁ ଆପଣଙ୍କୁ ହ୍ୱାଟ୍ସଆପ Settingsକୁ ଯାଇ Privacy ଅପ୍ସନକୁ ଯିବାକୁ ହେବ । ଏଥିରେ ଆପଣଙ୍କୁ FingerPrint ଅପସନ୍ ନଜର ଆସିବ । ଏହାକୁ Enable କରନ୍ତୁ ।

Read Receipts ବନ୍ଦ କରନ୍ତୁ ।
ଆପଣ ସାମ୍ନା ଲୋକର ମେସେଜ୍ ପଢିଛନ୍ତି କି ନାହିଁ  ଏହା ଜାଣିବା ପାଇଁ Read receipts ର ଅପସନ୍ ଥାଏ । ଯଦି କାହାର ଚ୍ୟାଟ୍ ପଢିବା ପରେ ଯଦି ଚାହୁଁଛନ୍ତି କି ସେ ନ ଜାଣନ୍ତୁ ଯେ ଆପଣ ତାଙ୍କ ମେସେଜ ପଢିଛନ୍ତି ତେବେ Read receiptsକୁ ବନ୍ଦ କରି ଦିଅନ୍ତୁ । ଏଥିପାଇଁ Whatsappରେ settings କୁ ଯାଆନ୍ତୁ । ଏହାପରେ Account ଉପରେ କ୍ଲିକ କରନ୍ତୁ । ଏହାପରେ privacy ଉପରେ କ୍ଲିକ କରନ୍ତୁ । ଏହା ମଧ୍ୟରେ Read receipts ଅପସନ୍ ବନ୍ଦ କରି ଦିଅନ୍ତୁ ।

ବିହାର ନିର୍ବାଚନ: ମହାମେଣ୍ଟରେ ଛିଡିଲା ସିଟ୍ ଭାଗବଣ୍ଟା

ପାଟନା: ବିହାରରେ ହେବାକୁ ଥିବା ବିଧାନସଭା ନିର୍ବାଚନକୁ ନେଇ ସମସ୍ତ ଦଳରେ ସିଟ୍ ଭାଗ ବଣ୍ଟନ ଉପରେ ବିଚାର ବିମର୍ଷ ଜାରି ରହିଛି । ଏହି ମଧ୍ୟରେ ମହାମେଣ୍ଟରେ ସିଟ ବଣ୍ଟନକୁ ନେଇ ସବୁକିଛି ଧାର୍ଯ୍ୟ ହୋଇ ସାରିଥିବା କହିଛନ୍ତି RJDର ବରିଷ୍ଠ ନେତା ଭାଇ ବୀରେନ୍ଦ୍ର ।

ସୂଚନା ମୁତାବକ ଆରଜେଡି ୧୩୫-୧୪୦, କଂଗ୍ରେସ ୪୫-୫୦,ରାଷ୍ଟ୍ରୀୟ ଲୋକ ସମତା ପାର୍ଟି ୨୩-୨୫, ମୁକେଶ ସହନୀଙ୍କ ଭିଆଇପିକୁ ୮-୧୦,ସିପିଆଇ ୩-୫ ଏବଂ ସିପିଆଇ ଏମ.ଏଲ ୧୨-୧୫ ଏବଂ ସିପିଆଇ ଏମକୁ ୨ରୁ ୩ଟି ସିଟ୍ ମିଳିପାରେ । ଅବଶ୍ୟ ଏହି ଆକଳନ କେବଳ ଚର୍ଚ୍ଚା ଏବଂ ଅନୁମାନ ଉପରେ ଆଧାରିତ ।

ମହାମେଣ୍ଟରେ ସିଟକୁ ନେଇ କୌଣସି ସମସ୍ୟା ନାହିଁ ଏବଂ ଆରଜେଡି ଦଳର ନେତା ସିଟ୍ ବଣ୍ଟନକୁ ନେଇ ଖୁସି ଥିବା କହିଛନ୍ତି ଭାଇ ବୀରେନ୍ଦ୍ର । ସିଟ ବଣ୍ଟନର ସମ୍ପୂର୍ଣ୍ଣ ବିବରଣୀ ଖୁବଶୀଘ୍ର ପ୍ରେସ କନଫରେନ୍ସ ମାଧ୍ୟମରେ ସାର୍ବଜନୀନ କରାଯିବ ବୋଲି ମଧ୍ୟ ସେ ତାଙ୍କ ବୟାନରେ ଉଲ୍ଲେଖ କରିଛନ୍ତି ।

ଜେଡିୟୁ ମୁଖପାତ୍ର ସଞ୍ଜୟ ସିଂ ଗୁରୁବାର ଦିନ ଦେଇଥିବା ବୟାନ୍ ଅନୁସାରେ ଆରଜେଡି କାହାକୁ ସମ୍ମାନ ଦିଏ ନାହିଁ । ଏହା ସହିତ ନିର୍ବାଚନରେ ମହା ମେଣ୍ଟ ଛିନ୍ନ ବିଛିନ୍ନ ହୋଇଯିବ ବୋଲି ସେ କହିଛନ୍ତି ।

ଗୋଟିଏ ପକ୍ଷରେ ଆରଜେଡି ନେତା ସିଟ୍ ବଣ୍ଟନକୁ ନେଇ ଖୁସିଥିବା କହୁଥିବା ବେଳେ ଏହାକୁ ଖଣ୍ଡନ କରିଛନ୍ତି ଜେଡିୟୁ ମୁଖପାତ୍ର ।

କର୍ମଚାରୀଙ୍କ ମଦ ନିଶା, ତଦନ୍ତ ପରେ କାର୍ଯ୍ୟାନୁଷ୍ଠାନ କହିଲେ ଅବକାରୀ କମିଶନର

ସମ୍ବଲପୁର/କଟକ: ଡ୍ୟୁଟି ଅଛି, ଦେହରେ ୟୁନିଫର୍ମ ଡ୍ରେସ୍ ଅଛି । ହେଲେ, ଅବକାରୀ କର୍ମଚାରୀଙ୍କ ନିଶା ଉତୁରୁନି । ଗଞ୍ଜେଇ ବ୍ୟବସାୟୀଙ୍କୁ ରେଡ୍ ପରେ କିଏ କେତେ ଟଙ୍କା ପାଇବ ଖୋଲାଖୋଲି ଆଲୋଚନା କରୁଛନ୍ତି ଅବକାରୀ ବିଭାଗର କର୍ମଚାରୀ । ଏଭଳି ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି । ଭାଇରାଲ୍ ଭିଡିଓରେ ୩ରୁ ୪ ଜଣ ଅବକାରୀ କର୍ମଚାରୀ ଡ୍ରେସରେ ଥିବା ଦେଖାଯାଉଛି । ଗଞ୍ଜେଇ ବ୍ୟବସାୟୀଙ୍କଠାରୁ ଟଙ୍କା ଆଦାୟ ନେଇ କଥା ହେଉଛନ୍ତି କର୍ମଚାରୀ ।

ଭାଇରାଲ ଭିଡିଓଟି ନନ୍ଦିଘୋଷ ଟିଭିରେ ପ୍ରସାରଣ ପରେ ଆକ୍ସନ ମୋଡକୁ ଆସିଛନ୍ତି ଅବକାରୀ କମିଶନର ଅଞ୍ଜନ କୁମାର ମାଣିକ । ସେ ଘଟଣାର ତଦନ୍ତ ନିର୍ଦ୍ଦେଶ ଦେବା ସହ ରିପୋର୍ଟ ଆଧାରରେ କାର୍ଯ୍ୟାନୁଷ୍ଠାନ ହେବ ବୋଲି କହିଛନ୍ତି । ତେବେ, ଡ୍ୟୁଟିରେ ଥିବା ବେଳେ ସରକାରୀ ଗାଡ଼ିରେ ବସି ଅବକାରୀ ବିଭାଗ କର୍ମଚାରୀ କିପରି ମଦ ପିଇଲେ । ଭାଇରାଲ୍ ଭିଡିଓରେ ଥିବା କୌଣସି କର୍ମଚାରୀଙ୍କ ପ୍ରତିକ୍ରିୟା ମିଳିପାରିନାହିଁ ।

WHO Study: ଗୁରୁତର କରୋନା ଆକ୍ରାନ୍ତଙ୍କୁ ବଞ୍ଚାଇପାରିବ ଷ୍ଟେରଏଡ୍

ଭୁବନେଶ୍ୱର: କରୋନା ଚିକିତ୍ସା ପାଇଁ ମିଳିଲା ସଞ୍ଜିବନୀ । ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ (WHO) ଏନେଇ ବଡ଼ ଦାବି କରିଛି । ଦୁନିଆର ଅଧିକାଂଶ ଦେଶରେ କରୋନା ସଂକ୍ରମଣ ମାମଲା ବଢ଼ି ଚାଲିଛି । ସଂକ୍ରମଣ ରୋକିବାକୁ ଭ୍ୟାକ୍ସିନ୍ ଉପରେ ରିସର୍ଚ୍ଚ କରୁଛନ୍ତି ବିଶ୍ୱର ବିଭିନ୍ନ ଦେଶ । କେତକ ଭ୍ୟାକ୍ସିନର ପରୀକ୍ଷଣ ଶେଷ ପର୍ଯ୍ୟାୟରେ ପହଞ୍ଚିଛି । ଏସବୁ ଭିତରେ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ଅଧ୍ୟୟନରୁ ବଡ଼ ତଥ୍ୟ ମିଳିଛି । WHO ବୈଜ୍ଞାନିକଙ୍କ ଦ୍ୱାରା ହୋଇଥିବା ଅଧ୍ୟନରୁ ଏହି ତଥ୍ୟ ମିଳିଛି । ରିପୋର୍ଟରେ କୁହାଯାଇଛି ଷ୍ଟେରଏଡ୍ କରୋନା ସଂକ୍ରମିତ ଗମ୍ଭୀର ଆକ୍ରାନ୍ତଙ୍କ ଚିକିତ୍ସାରେ ଫଳପ୍ରଦ ହୋଇଛି ।

ଆମେରିକା ମେଡିକାଲ ଆସୋସିଏସନ ଜର୍ଣ୍ଣାଲରେ ପ୍ରକାଶିତ ରିପୋର୍ଟରେ ଅଲଗା ଅଲଗା ୭ଟି ଅଧ୍ୟୟନ ପରେ ଷ୍ଟେରଏଡ୍ ଗୁରୁତର କରୋନା ଆକ୍ରାନ୍ତଙ୍କୁ ବଞ୍ଚାଇ ପାରୁଥିବା କୁହାଯାଇଛି । ରିପୋର୍ଟ ମୁତାବକ କରୋନା ସହ ଲଢ଼ୁଥଛିବା ରୋଗୀ ଯାହାଙ୍କୁ ଅକ୍ସିଜେନ୍ ଦରକାର । ସେହିଭଳି କରୋନା ଆକ୍ରାନ୍ତଙ୍କ ଚିକିତ୍ସାରେ ଷ୍ଟେରଏଡ୍ ପ୍ରଭାବ ଦେଖାଉଛି । ଏପରିକି ଆକ୍ରାନ୍ତଙ୍କୁ ମୃତ୍ୟୁମୁଖରୁ ବଞ୍ଚାଇବାରେ ସହାୟକ ହେଉଛି ଷ୍ଟେରଏଡ୍ ।

ବଢ଼ିବ ଷ୍ଟେରଏଡ୍ ଦାମ

ଅକ୍ସଫୋର୍ଡ ବିଶ୍ୱବିଦ୍ୟାଳୟର ଡକ୍ଟର ମାର୍ଟିନ ଲୈଣ୍ଡ୍ରିଙ୍କ ମୁତାବକ- ଅଧ୍ୟୟନ ପରେ କୋଭିଡ୍ ୧୯ ଚିକିତ୍ସା ପାଇଁ ଷ୍ଟେରଏଡ୍ ଦାମ ବଢ଼ିଯିବ । ଏହି ଅଧ୍ୟୟନ ରିସର୍ଚ୍ଚକୁ ଲିଡ୍ କରୁଥିବା ଟିମରେ ମାର୍ଟିନ ଅଛନ୍ତି । ଷ୍ଟେରଏଡକୁ ଦୁନିଆର ଯେ କୌଣସି ଦେଶରେ ବ୍ୟବହାର କରାଯାଇ ପାରିବ । ଏହାକୁ ନେଇ ଇମ୍ପୋରିୟଲ କଲେଜ ଅଫ୍ ଲଣ୍ଡନର ଡକ୍ଟର ଏନ୍ଥନି ଗାର୍ଡନ କହିଛନ୍ତି କରୋନା ଚିକିତ୍ସା ଅନୁସନ୍ଧାନରେ ଏହା ବଡ଼ ସଫଳତା । ଷ୍ଟେରଏଡ୍ ଔଷଧ ଅଧିକ ମହଙ୍ଗା ନୁହେଁ ଓ ସବୁଠି ମିଳିପାରିବ । ଏହାର ବ୍ୟବହାର ବହୁ ବର୍ଷ ଧରି କରାଯାଉଛି । ତେବେ, ଅତ୍ୟଧିକ ମାତ୍ରାରେ ବ୍ୟବହାର ପାର୍ଶ୍ୱପ୍ରତିକ୍ରିୟା ଦେଖାଇପାରେ । ଏପିରିକି ଫୁସଫୁସ୍ କ୍ଷତିଗ୍ରସ୍ତ ହୋଇପାରେ ।

WHO ଆଡଭାଇଜରୀ

ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ପକ୍ଷରୁ ଏନେଇ ଆଡଭାଇଜରୀ ଜାରି ହୋଇଛି । ଷ୍ଟେରଏଡ୍ କେବଳ କରୋନା ସଂକ୍ରମିତ ଗୁରୁତର ରୋଗୀଙ୍କୁ ଦିଆଯାଇ ପାରିବ । ଏହାକୁ କରୋନାର ପ୍ରାଥମିକ ଲକ୍ଷଣ ଦେଉାଯାଉଥିଲେ ଦିଆଯିବନ ନାହିଁ । ଅଲଗା ଅଲଗା ସ୍ଥାନରେ ପ୍ରାୟ ୧୭୦୦ କରୋନା ସଂକ୍ରମିତଙ୍କ ଠାରେ ଏହାର ୩ ପ୍ରକାର ପରୀକ୍ଷଣ କରାଯାଇଛି । ଏଥିରୁ ଜଣାଯାଇଛି ଷ୍ଟେରଏଡ୍ ବ୍ୟବହାର ଦ୍ୱାରା ଗୁରୁତର ରୋଗୀଙ୍କ ମୃତ୍ୟୁ ଆଶଙ୍କା ଅନେକାଂଶରେ କମିଯାଇଛି ।

ସୂଚନାଯୋଗ୍ୟ ଯେ, ଡାକ୍ତର ଡେକ୍ସାମେଥାସୋନ, ହାଇଡ୍ରୋକାର୍ଟିସୋନ, ମିଥାଇଲପ୍ରେଡିସୋଲେନ ଭଳି ଷ୍ଟେରଏଡ୍ ଔଷଧ ରୋଗୀଙ୍କ ଶରୀରରେ ରୋଗ ପ୍ରତିଶେଧକ କ୍ଷମତା ବଢ଼ାଇବା ଲାଗି ଦିଆଯାଇଥାଏ । ଏହା ଦରଜ ସହିତ ମାଡ଼ ହୋଇଥିବା ସ୍ଥାନର ଫୁଲା ଅଂଶକୁ କମାଇଥାଏ ।

ବ୍ରିଜ୍ ଉପରେ ଗାଡ଼ି ରଖି ଭରା ନଦୀକୁ ଡେଇଁଲେ ୨୮ ବର୍ଷୀୟ ଯୁବକ

ଭୁବନେଶ୍ୱର: ଧୁ ଧୁ ଖରାବେଳ । ରାଜପଥରେ ଯିଏ ଯାହା କାମରେ ମାଡ଼ି ଚାଲିଥାନ୍ତି । ନୀଳରଙ୍ଗର ସ୍କୁଟି ଧରି ଯାଉଥିବା ଜଣେ ଯୁବକ ହଠାତ୍ ଦୟା ନଦୀ ଉପରେ ଅଟକି ଯାଇଥିଲେ । କେହି କିଛି ବୁଝିବା ଆଗରୁ ଦୟା ନଦୀର ଭରା ଗର୍ଭକୁ ଡେଇଁ ପଡ଼ିଥିଲେ ଯୁବକ ଜଣକ ।

ନଦୀ ଗର୍ଭକୁ ଡେଇଁଥିବା ଯୁବକ ଜଣକ ଓଲ୍ଡ ଟାଉନ୍ କପିଳେଶ୍ୱର ଖୁଣ୍ଟିଆ ସାହିର ମଧୁସୂଦନ ଖୁଣ୍ଟିଆ ବୋଲି ଜଣାପଡ଼ିଛି । ତେବେ, ସେ କେଉଁ ପରିସ୍ଥିତିରେ କାହିଁକି ଦୟା ଗର୍ଭକୁ ଡେଇଁଲେ ତାହା ଜଣାପଡ଼ିନାହିଁ । ଘଟଣାସ୍ଥଳରେ ଧଉଳି ପୋଲିସ ଓ ଦମକଳ ବାହିନୀ ପହଞ୍ଚି ସର୍ଚ୍ଚ ଅପରେସନ୍ ଜାରି ରଖିଛନ୍ତି ।

ବିଶ୍ୱର ସବୁଠାରୁ ବଡ ନୌସେନା ଚୀନ୍ ପାଖରେ,ଭାରତ ମହାସାଗରରେ ରାଜ୍ ପାଇଁ ଲକ୍ଷ୍ୟ

0

ବିଶ୍ୱର ସବୁଠାରୁ ବଡ ନୌସେନା ତିଆରି କରିଛି ଚୀନ୍ । ଏହା ସହିତ ଖୁବ ଆଧୁନିକ ମଧ୍ୟ । ଗତ କିଛି ବର୍ଷ ମଧ୍ୟରେ ନୌସେନାରେ ଶକ୍ତି ବୃଦ୍ଧି କରିବା ଜାରି ରଖିଛି ଚୀନ୍ । ଏହାସହ ଭାରତକୁ ଘେରିବାକୁ ସମସ୍ତ ପ୍ରକାର ଉଦ୍ୟମ କରିଛି । ପାକିସ୍ତାନ, ଶ୍ରୀଲଙ୍କା, ମିଆଁମାରରେ ଚୀନ ନିଜର ନୌସେନା ଆଡ୍ଡା ବନେଇବାକୁ ଚେଷ୍ଟା କରୁଛି । କେବଳ ସେତିକି ନୁହେଁ ଇଣ୍ଡୋ ପେସିଫିକ ଅଞ୍ଚଳରେ ମଧ୍ୟ ନୌସେନାର ପେଣ୍ଠ ସ୍ଥଳୀ କରିବା ପାଇଁ ଚୀନ ଯୋଜନା କରୁଛି ।

ଚୀନ ପାଖରେ ଏବେ ୩୫୦ଟି ଯୁଦ୍ଧ ଜାହାଜ ଓ ବୁଡା ଜାହାଜ ରହିଛି । ଗଭୀର ସମୁଦ୍ରରେ ମଧ୍ୟ ଶତ୍ରୁପକ୍ଷକୁ ଆକ୍ରମଣ କରିବାର କ୍ଷମତା ରଖିଛି ଚୀନ । ଅନ୍ୟ ପକ୍ଷରେ ଆମେରିକା ପାଖରେ ୨୯୩ଟି ଯୁଦ୍ଧ ଜାହାଜ ରହିଛି । ତେବେ ଚୀନ ଠାରୁ ଆମେରିକା ପାଖରେ ଅଧିକ ବିମାନବାହୀ ଯୁଦ୍ଧପୋତ ରହିଛି ।   ଆମେରିକା ପାଖରେ ୧୧ଟି ଏୟାରକ୍ରାଫ୍ଟ କ୍ୟାରିୟର ଥିବା ବେଳେ ଚୀନ ପାଖରେ ମାତ୍ର ୨ଟି ଏୟାରକ୍ରାଫ୍ଟ କ୍ୟାରିୟର ରହିଛି ।

ତେବେ ଚୀନ ଆମେରିକାର ସମକକ୍ଷ ହେବାକୁ ବହୁ ଦିନ ହେବ ଉଦ୍ୟମ କରୁଛି । ଭାରତ ମହାସାଗରେ ଚୀନ ନିଜ ଆଧିପତ୍ୟ ବିସ୍ତାର କରିବା ପାଇଁ ଏକ ଶକ୍ତିଶାଳୀ ନୌସେନା ଆବଶ୍ୟକ କରୁଛି । ଗତ ୩୦ ବର୍ଷ ହେବ ଚୀନ ନିଜ ନୌସେନାର ବିକାଶ ଦିଗରେ ଅଧିକ ଅର୍ଥ ବ୍ୟୟ କରୁଛି ।

ବରଫ ଉପତ୍ୟକାରେ ବାନିୟନ ପିନ୍ଧି ସେମାନେ ଖେଳନ୍ତି ମୃତ୍ୟୁର ଖେଳ,ଚୀନକୁ ଚମକାଇ ଦେଇଥିବା SFF ବାବଦରେ ଜାଣନ୍ତୁ..

ନୂଆଦିଲ୍ଲୀ: ପୂର୍ବ ଲଦାଖର ପେଙ୍ଗାଙ୍ଗ୍ ହ୍ରଦର ଦକ୍ଷିଣ ତଟରେ ଚୀନକୁ ପଛଘୁଂଚା ଦେବାକୁ ପଡିଛି । ଅଗଷ୍ଟ ୨୯-୩୦ ତାରିଖ ରାତିରେ ଭାରତୀୟ ଯବାନ ଏହାର ଶିଖର ଉପରେ କବଜା କରିଛନ୍ତି । ଏବେ ଭାରତୀୟ ସେନା ଚୀନର ପ୍ରତ୍ୟକ ଗତିବିଧି ଉପରେ ଏହିଠାରୁ ନଜର ରଖିପାରିବ । ସାମରିକ ଦୃଷ୍ଟିକୋଣରୁ ଭାରତକୁ ଏହି ଲାଭ ମିଳିବା ପଛରେ ଅଛି ଏକ ଗୁପ୍ତ ଫୋର୍ସ-ଏଷ୍ଟାବ୍ଲିସମେଣ୍ଟ୍ ୨୨(ଟୁଟୁ) । ଏହାକୁ ମଧ୍ୟ ସ୍ପେଶାଲ ଫ୍ରଣ୍ଟିୟର ଫୋର୍ସ (SFF) ବୋଲି କୁହାଯାଇଥାଏ । SFF ନାମରେ ପରିଚିତ ଏହି ଫୋର୍ସକୁ ସିଧାସଳଖ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟରୁ ନିୟନ୍ତ୍ରଣ କରାଯାଇଥାଏ । ଅର୍ଥାତ ଏହା ଉପରେ ସେନାର ସେତେଟା ନିୟନ୍ତ୍ରଣ ନଥାଏ । ଆସନ୍ତୁ ଜାଣିବା SFF କ’ଣ ? କେମିତି ଏହା ଦଗାବାଜ୍ ଚୀନକୁ ମୁହଁତୋଡ୍ ଜବାବ ଦେଇଥିଲା ।

SFF ର ସବୁ କମାଣ୍ଡୋ ପାରଙ୍ଗମ ପାରାଟ୍ରୁପର

SFFର ଜନ୍ମ ୧୯୬୨ର ଯୁଦ୍ଧ ସହ ହୋଇଥିଲା । ୧୯୬୨ ଯୁଦ୍ଧରେ ଭାରତ ପରାସ୍ତ ହେବା ପରେ ଏଭଳି ଗୋଟିଏ ଗୁପ୍ତ ଫୋର୍ସର ଆବଶ୍ୟକତାକୁ ଅନୁଭବ କରିଥିଲେ ଭାରତ ସରକାର । ଏହି ଆବଶ୍ୟକତାରୁ ଜନ୍ମ ନେଇଥିଲା SFF । ସ୍ପେଶାଲ ଫ୍ରଣ୍ଟିୟର ଫୋର୍ସ । ଯାହାର ଏକ ମାତ୍ର କାମ ହେଉଛି ସୀମାରେ ଶତ୍ରୁକୁ ଚମକାଇବା । ଅଚାନକ ପହଂଚିବା ଓ ଶତ୍ରୁକ ଆବାକାବା କରି ମିଶନ ଶେଷ କରିବା । ଏହି କମାଣ଼୍ଡୋଙ୍କୁ ଆପଣ ଜ୍ୟାକ୍ ଅଫ୍ ଅଲ୍ ଟ୍ରେଡସ ବୋଲି ମଧ୍ୟ କହିପାରିବେ । କାରଣ ଏମାନେ ଆକାଶରୁ ଲମ୍ଫ ଦେଇ ପାରନ୍ତି । ପାଣିରେ ବୁଡି ଶତ୍ରୁକ ଚମକାଇ ପାରନ୍ତି । ୧୯୬୨ର ଯୁଦ୍ଧ ସରୁସରୁ ଏହାର ଗଠନ ହୋଇ ସାରିଥିଲା । ଏଥିରେ ଭାରତରେ ରହୁଥିବା ତିବ୍ବତୀୟ ଶରଣାର୍ଥୀଙ୍କୁ ସାମିଲ କରାଯାଇଥାଏ ।  ଆରମ୍ଭରେ ସେମାନଙ୍କୁ ଇଣ୍ଟେଲିଜେନ୍ସ ବ୍ୟୁରୋ (ଆଇବି) ରିସର୍ଚ୍ଚ ଆଣ୍ଡ୍ ଆନାଲିସିସ୍ ୱିଙ୍ଗ୍(RAW0 ଓ ଆମେରିକାର CIA ପ୍ରଶିକ୍ଷଣ ଦେଇଥିଲା । ଅନେକ ବର୍ଷ ପର୍ଯ୍ୟନ୍ତ SFFକୁ ଚୀନର ଆଣବିକ ମିଶାଇଲ ମୁତୟନ ଉପରେ ନଜର ରଖିବାକୁ କୁହାଯାଇଥିଲା । ଏହାର ମୁଖ୍ୟାଳୟ ଉତ୍ତରାଖଣ୍ଡର ଚକରାତାରେ ରହିଛି । SFFରେ ଅତିକମରେ ୫ ବାଟାଲିଅନ ରହିଛି । ଏହି ୫ ବାଟାଲିୟନରେ ଅଛନ୍ତି ପାହାଡି ଯୁଦ୍ଧରେ ମାହିର ୫ ହଜାର କମାଣ୍ଡୋ । ଏହି ସମସ୍ତ କମାଣ୍ଡୋ ପାରଟ୍ରୁପର ଅଟନ୍ତି । ଅର୍ଥାତ ଆବଶ୍ୟକ ସ୍ଥଳେ ସେମାନଙ୍କୁ ଆକାଶମାର୍ଗରୁ ମୁତୟନ କରାଯାଇ ପାରିବ ।

Establishment 22 ନାମ କେମିତି ମିଳିଲା ?

ସ୍ପେଶାଲ ଫ୍ରଣ୍ଟିୟର ଫୋର୍ସର ପ୍ରଥମ ଆଇଜି ଥିଲେ ମେଜର ଜେନରାଲ (ଅବସରପ୍ରାପ୍ତ) ସୁଜନ ସିଂହ । ସେ ଦ୍ୱିତୀୟ ବିଶ୍ୱଯୁଦ୍ଧ କାଳରେ ୨୨ ମାଉଣ୍ଟେନ୍ ରେଜିମେଣ୍ଟର କମାଣ୍ଡର ଥିଲେ । ତାଙ୍କୁ ମିଲିଟାରି କ୍ରସରେ ସମ୍ମାନିତ କରାଯାଇଥିଲା ।  ବ୍ରିଟିଶ-ଭାରତୀୟ ସେନାରେ ତାଙ୍କର ବେସ ଖାତିର ଥିଲା । ଯେହେତୁ ସେ ୨୨ ମାଉଣ୍ଟେନ୍ ରେଜିମେଣ୍ଟରେ ଥିଲେ ତେଣୁ କାଳାନ୍ତରରେ ଏହି ଫୋର୍ସର ନାମ ଏଷ୍ଟାବ୍ଲିସମେଣ୍ଟ୍ ଟୁ ଟୁ ପଡିଥିଲା ।

ଭୟଙ୍କର ଥଣ୍ଡାରେ ଖାଲି ବାନିୟନ ପିନ୍ଧି ଖେଳନ୍ତି କମାଣ୍ଡୋ

ସେନାରେ ଏବେ ସାମିଲ ଥିବା କିମ୍ବା ଅବସର ନେଇଥିବା କୌଣସି ଅଧିକାରୀ ଏଷ୍ଟାବ୍ଲିସମେଣ୍ଟ୍ ଟୁ ଟୁ ବାବଦରେ କେବେ ମଧ୍ୟ ମୁହଁ ଖୋଲିବେ ନାହିଁ । ଶନିବାର ଅପରେସନରେ ଏଷ୍ଟାବ୍ଲିସମେଣ୍ଟ୍ ଟୁ ଟୁ ସାମିଲ ଥିଲା କି ନାହିଁ ସେ ବାବଦରେ କୌଣସି ଅଧିକାରୀ କିଛି ମଧ୍ୟ କହିବେ ନାହିଁ । କିନ୍ତୁ ସମସ୍ତେ ଏହା କୁହନ୍ତି ଯେ, ଲଦାଖ ଓ ଅନ୍ୟ ସ୍ଥାନରେ SFFର ବାଟାଲିୟନ ମୁତୟନ ଅଛି । ୧୫ କର୍ପସର ମୁଖ୍ୟ ରହିଥିବା ଲେଫ୍ଟେନାଣ୍ଟ୍ ଜେନରଲ ସୈୟଦ ଆତା ହୁସନୈନ୍(ଅବସରପ୍ରାପ୍ତ) କୁହନ୍ତି ଯେ,  ଲଦାଖରେ ଥିବାବେଳେ ମୋ ସହ ‘ବିକାସ’ ୟୁନିଟ ଥିଲା । ମୁଁ ସେମାନଙ୍କୁ ୧୬ ହଜାର ଫୁଟ ଉଚ୍ଚତାରେ ବାନିୟନ ପିନ୍ଧି ଭଲିବଲ ଖେଳୁଥିବା ଦେଖିଛି । ସେହି ମାଟି ସହ ସେମାନଙ୍କ ଭାବନାତ୍ମକ ସଂପର୍କ ବେସ ମଜଭୁତ । ଏଥିରୁ ସେମାନଙ୍କୁ ଅପରେସନରେ ଫାଇଦା ମିଳିଥାଏ ।

sff

SFF  ବାବଦରେ କହିବା ମନା
ଜଣେ ଅବସରପ୍ରାପ୍ତ ଜେନରାଲଙ୍କ ଅନୁସାରେ ‘‘ ଆମେ ସେମାନଙ୍କ ବାବଦରେ ଜାଣିଛୁ । କିନ୍ତୁ ସେମାନଙ୍କ ଉପସ୍ଥିତିର କୌଣସି ରେକର୍ଡ ନାହିଁ । ଆମ ମଧ୍ୟରୁ ଯେଉଁମାନେ ସେମାନଙ୍କ ସହ କାମ କରିଛନ୍ତି ସେମାନେ ଶପଥ ଦ୍ୱାରା ବନ୍ଧା’’ । ସେହିଭିଳି ସର୍ଜିକାଲ ଷ୍ଟ୍ରାଇକ୍ ସମୟରେ ଉତ୍ତର କମାଣ୍ଡର ମୁଖ୍ୟ ଥିବା ଡିଏସ ହୁଡ୍ଡା(ଅବସରପ୍ରାପ୍ତ)  କହିଛନ୍ତି ଯେ, ଚୀନକୁ କୂଟନୈତିକ, ଆର୍ଥିକ ଓ ସାମରିକ ଉତ୍ତର ଦେବାର ସମୟ ଆସିଛି । ସେନା ଯେକୌଣସି ଚ୍ୟାଲେଂଜର ଉତ୍ତର ଦେବାକୁ ପ୍ରସ୍ତୁତ ଅଛି ।

ମିଶନ କାଳରେ SFF ଅଧିକାରୀ ସହିଦ

sff

SFFର ଜଣେ କମ୍ପାନୀ କମାଣ୍ଡର ମିଶନ କାଳରେ ସହିଦ ହୋଇଥିବା କୁହାଯାଉଛି । ଏହା ସହ ଜଣେ ଜୁନିୟର କମାଣ୍ଡୋ ମଧ୍ୟ ଆହତ ହୋଇଛନ୍ତି । ପେଙ୍ଗାଙ୍ଗ୍ ହ୍ରଦର ଦକ୍ଷୀଣ ଦୀଗରେ ଅପରେଶନ ଚାଲୁଥିବା ବେଳେ ଅଗଷ୍ଟ ୨୯-୩୦ରାତିରେ ଲାଣ୍ଡ୍ ମାଇନ୍ ବିସ୍ଫୋରଣରେ ଏହି ଘଟଣା ଘଟିଥିଲା । ୧୯୬୨ ମସିହାରେ ବିଛାଯାଇଥିବା ଲ୍ୟାଣ୍ଡ୍ ମାଇନ୍ ଉପରେ ପାଦ ପଡିବାରୁ କଂପାନୀ କମଣ୍ଡାରଙ୍କ ମୃତ୍ୟୁ ହୋଇଥିବା କୁହାଯାଉଛି ।

କରୋନା କଟକଣା ଭିତରେ OTDC ପାଳିଲା ୪୧ ତମ ପ୍ରତିଷ୍ଠା ଦିବସ

ଭୁବନେଶ୍ୱର: କରୋନା କଟକଣା ଭିତରେ ଓଟିଡିସି ପାଳିଲା ୪୧ ତମ ପ୍ରତିଷ୍ଠା ଦିବସ । ୧୯୭୯ ମସିହା ସେପ୍ଟେମ୍ବର ୩ ତାରିଖରେ ପ୍ରତିଷ୍ଠା ହୋଇଥିଲା ଓଟିଡିସି । ତେବେ ଏହି ପ୍ରତିଷ୍ଠା ଦିବସକୁ ପୁରା ନିରାଡ଼ାମ୍ବର ଭାବରେ ପାଳନ କରାଯାଇଛି । ଓଟିଡିସିର ମୁଖ୍ୟ କାର୍ଯ୍ୟାଳୟ ପରିସରରେ ଆୟୋଜିତ ହୋଇଛି ପ୍ରତିଷ୍ଠା ଦିବସ । ତେବେ ଏଥିରେ ଭିଡିଓ କନଫରେନସିଂ ମାଧ୍ୟମରେ ଯୋଗ ଦେଇଥିଲେ ନିଗମର ଅଧ୍ୟକ୍ଷା ଶ୍ରୀମୟୀ ମିଶ୍ର । ଯୋଗଦେଇ ଶ୍ରୀମୟୀ କହିଛନ୍ତି ରାଜ୍ୟରେ ପର୍ଯ୍ୟଟନର ବିକାଶ ଯାତ୍ରାରେ ଓଟିଡିସି ପ୍ରମୁଖ ଭୂମିକା ଗ୍ରହଣ କରିଛି । ଏହା ସହ ଏକ ଲାଭଦାୟକ ଅନୁଷ୍ଠାନ ମଧ୍ୟ ହୋଇପାରିଛି ।

ଖାଲି ସେତିକି ନୁହେଁ ଏହି କରୋନା କାଳରେ ହୋଟେଲ ଏବଂ ପର୍ଯ୍ୟଟନ ଶିଳ୍ପ ଅଧିକ ପ୍ରଭାବିତ ହୋଇଛି । ତଥାପି ନିଗମ ନିଜର ୨୧ ପାନ୍ଥନିବାସ ଓ ୨ଟି ପରିବହନ ୟୁନିଟ ମାଧ୍ୟମରେ କରୋନା ଯୋଦ୍ଧାଙ୍କୁ ଦୈନିକ ଖାଦ୍ୟ, ପାନୀୟ, ରହିବା ଓ ପରିବହନ ସୁବିଧା ଯୋଗାଇ ପ୍ରଶଂସିତ ହୋଇଛି ବୋଲି ଅଧ୍ୟକ୍ଷା କହିଛନ୍ତି । ଏହା କେବଳ ସମ୍ଭବ ହୋଇଛି ମୁଖ୍ୟମନ୍ତ୍ରୀଙ୍କ ମାର୍ଗଦର୍ଶନ ପାଇଁ । ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶରେ ନିଗମ ଅନେକ କାର୍ଯ୍ୟକ୍ରମ ହାତକୁ ନେଇ ସାଧାରଣ ଲୋକଙ୍କ ଦ୍ୱାରା ପ୍ରଶଂସିତ ହୋଇଛି । ସେପଟେ ଓଟିଡିସି ଦ୍ୱାରା ରାଜ୍ୟ ଏବଂ ରାଜ୍ୟ ବାହାରୁ ଆସୁଥିବା ଅତିଥି ମାନଙ୍କ ପାଇଁ କଣ ସୁବିଧା କରାଯାଇଛି ସେନେଇ ମଧ୍ୟ ସୂଚନା ଦେଇଥିଲେ ।

କରୋନା ସମୟରେ ଲୋକଙ୍କ ମଧ୍ୟରେ ଓଡ଼ିଆ ଖାଦ୍ୟର ପ୍ରସାର ପାଇଁ ରଜରେ ପିଠା ଲୋକଙ୍କ ପାଖରେ ପହଞ୍ଚା ଯାଇଥିଲା । ଏହା କେବଳ ବିଭାଗର ପଦାଧିକାରୀଙ୍କଠୁ ଆରମ୍ଭ କରି ନିଗମ କର୍ମଚାରୀ ସମସ୍ତଙ୍କ ପରିଶ୍ରମ ଏବଂ ସହଯୋଗ ପାଇଁ ଏହା ସମ୍ଭବ ହୋଇପାରିଛି । ସେପଟେ ଅତିଥି ଦେବୋ ଭବଃ ସ୍ଳୋଗାନକୁ ଆଧାର କରି ଦେଶ ଓ ବିଦେଶ ପର୍ଯ୍ୟଟକଙ୍କୁ ନିମନ୍ତ୍ରଣ କରିବା ପାଇଁ ନିଗମ ନିଜର ପ୍ରତିଷ୍ଠା ଦିବସରେ ଏକ ସ୍ୱତନ୍ତ୍ର ଅଡିଓ/ଭିଡିଓ ଉନ୍ମୋଚନ କରାଯାଇଛି ।

ଚୀନ ସହିତ ବିବାଦ ମଧ୍ୟରେ ଲଦାଖରେ ପହଞ୍ଚିଲେ ସେନା ମୁଖ୍ୟ,ସ୍ଥିତିର କରିବେ ସମୀକ୍ଷା

0

ନୂଆଦିଲ୍ଲୀ: ଭାରତ ଏବଂ ଚୀନ ମଧ୍ୟରେ ବିବାଦ ଜାରି ରହିଛି । ଲାଇନ ଅଫ ଆକଚୁଆଲ କଣ୍ଟ୍ରୋଲ ବା LAC ରେ ଚୀନର ସୀମା ଉଲ୍ଲଂଘନ ଉଦ୍ୟମର କଡ଼ା ଜବାବ ଦେଉଛି ଭାରତ । ଏହା ମଧ୍ୟରେ ପେଙ୍ଗୋଙ୍ଗ ଏବଂ ଅନ୍ୟ ଅଞ୍ଚଳର ପରିସ୍ଥିତି ପରଖିବା ପାଇଁ ଗୁରୁବାର ସକାଳେ ଲଦାଖରେ ପହଞ୍ଚିଛନ୍ତି ସେନା ମୁଖ୍ୟ ମନୋଜ ମୁକୁନ୍ଦ ନରବଣେ ।

ଦୀର୍ଘ ଦିନ ହେବ ଚୀନ ଏବଂ ଭାରତ ମଧ୍ୟରେ ସୀମାକୁ ନେଇ ବିବାଦ ଦେଖିବାକୁ ମିଳୁଛି । ନିକଟରେ ଚୀନ ପୁଣି ବଳପୂର୍ବକ ଅନୂପ୍ରବେଶ କରିଥିବା କହିଛି ଭାରତ । ଯାହାପରେ ସେନା ମୁଖ୍ୟ ଲଦାଖରେ ପରିସ୍ଥିତିକୁ ପରଖିବା ପାଇଁ ପହଞ୍ଚିଛନ୍ତି । ସେଠାରେ ପହଞ୍ଚି ନରବଣେ ପରିଚାଳନା ଏବଂ ସୀମା ବିଷୟରେ ଖବର ନେଇଛନ୍ତି । ତେବେ ଉକ୍ତ ବିବାଦକୁ ନେଇ ଚୀନ ଏବଂ ଭାରତ ମଧ୍ୟରେ ବୈଠକ ଜାରି ରହିଛି ।

ଖବର ଅନୁଯାୟୀ ନରବଣେ ଲଦାଖ ଦୁଇ ଦିନିଆ ଗସ୍ତରେ ପହଞ୍ଚିଛନ୍ତି । ଚୀନର ଦକ୍ଷିଣରେ ଥିବା ପେଙ୍ଗୋଙ୍ଗର ସ୍ଥିତିକୁ ବଦଳାଇବା ପାଇଁ ଚୀନ ଆରମ୍ଭ କରିଥିବା ନୂଆ ଉଦ୍ୟମ ଭିତରେ ଉକ୍ତ ଅଞ୍ଚଳରେ ସୁରକ୍ଷା ସ୍ଥିତିକୁ ସମୀକ୍ଷା କରିବା ପାଇଁ ଗୁରୁବାରଠାରୁ ସେନା ମୁଖ୍ୟଙ୍କ ଗସ୍ତ ଆରମ୍ଭ ହୋଇଛି । ସେନାର ଶୀର୍ଷ କମାଣ୍ଡରଙ୍କ ସହ ଆଲୋଚନା କରି ସେନାମୁଖ୍ୟ ସ୍ଥିତିର ସମୀକ୍ଷା କରିବେ ।

କୋଭିଡ୍‌ ଟେଷ୍ଟ ପରେ ମାଜିଷ୍ଟ୍ରେଟଙ୍କ ପାଖରେ ହାଜର ହେବେ ଅଭିଯୁକ୍ତ

ଭୁବନେଶ୍ୱର: ରାଜ୍ୟରେ କରୋନା ସଂକ୍ରମିତଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି । ସେଥିପାଇଁ ରାଜ୍ୟ ସରକାର କରୋନା ସଂକ୍ରମଣ ରୋକିବା ପାଇଁ ଭିନ୍ନ ପଦକ୍ଷେପ ମାନ ନେଉଛନ୍ତି । ଅନ୍‌ଲକ୍‌ ୪ ପରେ ଜେଲ ବିଭାଗ ପାଇଁ SOP ଜାରି କରାଯାଇଛି । କୋରୋନାକୁ ଦୃଷ୍ଟିରେ ରଖି ଜେଲ ବିଭାଗ ପାଇଁ ଜାରି ହେଲା SOP  । SOP ଜାରି କଲା ଗୃହ ବିଭାଗ । କୌଣସି ଅଭିଯୁକ୍ତଙ୍କୁ ମାଜିଷ୍ଟ୍ରେଟଙ୍କ ପାଖରେ ହାଜର କରିବା ଆଗରୁ କୋଭିଡ଼ ଟେଷ୍ଟ ବାଧ୍ୟତାମୂଳକ ବୋଲି ଏସଓପିରେ ନିର୍ଦ୍ଦେଶ ରହିଛି । ନିର୍ଦ୍ଦିଷ୍ଟ ମେଡିକାଲର ମେଡିକାଲ ଅଫିସରଙ୍କ ଦ୍ଵାରା ସ୍ୱାସ୍ଥ୍ୟ ପରୀକ୍ଷା କରାଯିବ ।

ଆଣ୍ଟିଜେନ ଟେଷ୍ଟ ଦ୍ୱାରା ନେଗେଟିଭ ସାବ୍ୟସ୍ତ ହେବା ପରେ  ହିଁ ଅଭିଯୁକ୍ତ ଜେଲ ଯିବେ  । ପଜିଟିଭ ଚିହ୍ନଟ ହେଲେ କୋର୍ଟଙ୍କ ଅନୁମତି ନେଇ କୋଭିଡ ମେଡିକାଲକୁ କଏଦୀ କିମ୍ବା ଅଭିଯୁକ୍ତଙ୍କୁ ସ୍ଥାନାନ୍ତର କରାଯିବ  । ନୂଆକରି ଜେଲ ଯାଇଥିବା ଅଭିଯୁକ୍ତଙ୍କୁ ଆଇସୋଲେସନ ୱାର୍ଡ ରଖାଯିବ  । ହସ୍ପିଟାଲକୁ ଯାଇଥିବା କଏଦୀଙ୍କ ସହ ଜଣେ ସୁରକ୍ଷାକର୍ମୀ ରହିବେ  । ଏବଂ କଏଦୀ ସୁସ୍ଥ ହେବା ପରେ ସୁରକ୍ଷାକର୍ମୀ ଜଣଙ୍କ ୧୪ ଦିନ ପାଇଁ ସଙ୍ଗରୋଧରେ ରହିବେ ବୋଲି ଏସଓପି ଜାରି ହୋଇଛି  ।