spot_img
Home Blog Page 6475

ହସ୍ପିଟାଲ କର୍ମଚାରୀଙ୍କ ଦାବି : ସୁଶାନ୍ତଙ୍କ ଗଳାରେ ଥିଲା ଛୁଞ୍ଚି ଦାଗ, ଭାଙ୍ଗି ଯାଇଥିଲା ଗୋଡ଼

ମୁମ୍ବାଇ: ସୁଶାନ୍ତ ସିଂ ରାଜପୂତଙ୍କ ମୃତ୍ୟୁକୁ ପ୍ରାୟ ୪୫ ଦିନ ବିତିଗଲାଣି । ଅଭିନେତାଙ୍କ ପରିବାର,ବନ୍ଧୁ ଓ ପ୍ରଶଂସକ ସୁଶାନ୍ତଙ୍କୁ ନ୍ୟାୟ ଦେବାପାଇଁ ପ୍ରୟାସ ଜାରି ରଖିଛନ୍ତି । ସିବିଆଇ ତଦନ୍ତ ପରେ କେତେକ କଥାର ଖୁଲାସା ହେବାରେ ଲାଗିଛି । ନିକଟରେ ସୁଶାନ୍ତ ସିଂ ରାଜପୂତଙ୍କ ବାପା କେ.କେ ସିଂ ଏକ ଭିଡ଼ିଓ ଜାରି କରିଛନ୍ତି । ଯେଉଁଥିରେ ସେ ଦାବି କରିଛନ୍ତି କି ରିୟା ଚକ୍ରବର୍ତ୍ତୀ ତାଙ୍କ ପୁଅର ହତ୍ୟାକାରୀ । କିନ୍ତୁ ସୁଶାନ୍ତଙ୍କ ମୃତ୍ୟୁ ପରେ ସେ ଆତ୍ମହତ୍ୟା କରିଥିବା ମୁମ୍ବାଇ ପୋଲିସ ରିପୋର୍ଟ ଦେଇଥିଲା । କିନ୍ତୁ ଏବେ କୂପର ହସ୍ପିଟାଲର ଜଣେ କର୍ମଚାରୀ ଆଶ୍ଚର୍ୟ୍ୟ କରିବା ଭଳି କଥା କହିଛନ୍ତି ।  କର୍ମଚାରୀ ଜଣକ ସୁଶାନ୍ତଙ୍କ ଶବ ବ୍ୟବଚ୍ଛେଦ ପରେ ଶ୍ମଶାନକୁ ନେଇ ଯାଇଥିଲା । ସେହି ବ୍ୟକ୍ତିଙ୍କ କହିବା ଅନୁସାରେ ସୁଶାନ୍ତଙ୍କୁ ହତ୍ୟା କରାଯାଇଛି ।

 

ସୁଶାନ୍ତଙ୍କ ଭଉଣୀ ଶ୍ୱେତା ସିଂ କିର୍ତ୍ତୀ ସୋସିଆଲ ମିଡିଆରେ ଏକ ଭିଡ଼ିଓ ଶେୟାର କରିଛନ୍ତି, ଯେଉଁଥିରେ ସୁଶାନ୍ତଙ୍କୁ ହତ୍ୟା କରାଯାଇଥିବା ଦାବି କରୁଛନ୍ତି ହସ୍ପିଟାଲ କର୍ମଚାରୀ । ଗଣମାଧ୍ୟମକୁ  ସାକ୍ଷାତକାରରେ ଦେଇ ସଂପୃକ୍ତ କର୍ମଚାରୀ କହିଛନ୍ତି ଯେ, ସୁଶାନ୍ତଙ୍କୁ ହତ୍ୟା କରାଯାଇଥିଲା । ଡାକ୍ତରମାନେ ମଧ୍ୟ ନିଜ ନିଜ ମଧ୍ୟରେ ଏହା କଥା ହେଉଥିବା ସେ ଦାବି କରିଛନ୍ତି ।

ତାଙ୍କ ଅନୁସାରେ  ସୁଶାନ୍ତଙ୍କ ବେକରେ  ଏକାଧିକ ଦାଗ ରହିଥିଲା । ଯାହା ଛୁଞ୍ଚିରେ କରାଯାଇଥିଲା ।  ପ୍ରାୟ ୨୦ରୁ ୨୫ଟି ଛୁଞ୍ଚି ଦାଗ ଥିଲା । ଏହା ବ୍ୟତୀତ ସୁଶାନ୍ତଙ୍କ ଗୋଡ ମଧ୍ୟ ଭାଙ୍ଗି ଯାଇଥିବା ସେ ଦାବି କରିଛନ୍ତି । ତାଙ୍କ ପାଦ ତଳିପାରେ ମଧ୍ୟ ଛୁଞ୍ଚିଫୋଡା ଦାଗ ଥିବା ସେ ଦାବି କରିଛନ୍ତି ।   ହସ୍ପିଟାଲରୁ ଶ୍ମଶାନ ପର୍ଯ୍ୟନ୍ତ ସୁଶାନ୍ତଙ୍କ ଶବକୁ ନେଇ ଯାଇଥିବା ବ୍ୟକ୍ତି ଜଣକ ଦାବି କରିଥିବା ଭିଡ଼ିଓରେ ନଜର ଆସିଛି । ହସ୍ପିଟାଲକୁ ରିୟା ଚକ୍ରବର୍ତ୍ତୀ ଆସିଥିବା କଥା ମଧ୍ୟ ବ୍ୟକ୍ତି ଜଣକ କହିଛନ୍ତି । ଏହା ବ୍ୟତୀତ ଦୁଇଜଣ ଆସି ସୁଶାନ୍ତଙ୍କ ଶବ ଦେଖିବା ପାଇଁ କହିଲେ ଏବଂ ଶବକୁ ଦେଖି କ୍ଷମା ମାଗିଲେ । କେବଳ ସେତିକି ନୁହେଁ, ବ୍ୟକ୍ତି ଜଣକ କହିଛନ୍ତି କି ବଡ଼ ବଡ଼ ଡାକ୍ତର ମଧ୍ୟ ଏହାକୁ ହତ୍ୟା ବୋଲି କହୁଥିଲେ ।

ପହଞ୍ଚିପାରିଲାନି ଆମ୍ବୁଲାନ୍ସ, ଗ୍ରାମବାସୀ କାନ୍ଧରେ ବୋହିଲେ ମୃତଦେହ

ଭଦ୍ରକ: ଅଧା ରାଜ୍ୟ ଏବେ ବନ୍ୟା ଜଳରେ ଉବୁଟୁବୁ । ଚାରି ଆଡ଼େ ବନ୍ୟା ଜଳର ପ୍ରକୋପ । ବନ୍ୟା ଜଳ ପାଇଁ ବିଛିନ୍ନ ହୋଇଯାଇଛି ଗାଁ ରୁ ଗାଁ । ଯାତାୟତ ବି ଠପ୍‌ । ଏଭଳି ପରିସ୍ଥିତିରେ ଦେଖିବାକୁ ମିଳିଛି ଗାଁ ଲୋକଙ୍କ ମାନବିକତା । ମାଇଲ ମାଇଲ ଦୂର ପର୍ଯ୍ୟନ୍ତ କାନ୍ଧରେ ବୋହି ନେଇଛନ୍ତି ମୃତଦେହ । ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି ଭଦ୍ରକ ଜିଲ୍ଲା ଧାମନଗର ଅଞ୍ଚଳରେ ।

Flood

ଧାମନଗର ବ୍ଲକ୍‌ର ବିଭିନ୍ନ ସ୍ଥାନରେ ବନ୍ୟା ଜଳ ମାଡ଼ି ଯାଇଥିବାରୁ ଯାତାୟତ ଠପ୍‌ ହୋଇଯାଇଛି । ଅନେକ ଗାଁ ଏବେ ପାଣି ଘରରେ ବନ୍ଦି ହୋଇ ରହିଛି । ଏଭଳି ପରିସ୍ଥିତିରେ ଜଣେ ବ୍ୟକ୍ତି ଶୁକ୍ରବାର ରାତିରେ ବନ୍ୟା ଜଳରେ ଭାସିଯାଇଥିଲେ । ସେ ହେଉଛନ୍ତି ଖଡ଼ିପଦା ପଞ୍ଚାୟତ ଦକ୍ଷିଣ କୁରୁଆ ଗାଁର ହେମନ୍ତ ଜେନା । ଭାସିଯିବା ପରେ ଓଡ୍ରାଫ୍‌ ବାହିନୀକୁ ଯୋଗାଯୋଗ କରାଯାଇଥିଲେ ମଧ୍ୟ ଯାତାୟତ ଠପ୍‌ ଯୋଗୁଁ ସେମାନେ ପହଞ୍ଚି ପାରିନଥିଲେ । ଫଳରେ ବ୍ୟକ୍ତି ଜଣଙ୍କର ମୃତ୍ୟୁ ହୋଇଥିଲା । ସକାଳୁ ଗ୍ରାମବାସୀ ଅକାତକାତ ପାଣିରେ ପଶି ମିଳିମିଶି ଖୋଜା ଖୋଜି କରିବା ପରେ ମୃତଦେହକୁ ଉଦ୍ଧାର କରିଥିଲେ । ପରେ ଆମ୍ବୁଲାନ୍ସକୁ ଯୋଗଯୋଗ କରାଯାଇଥିଲା । ହେଲେ ଦୁର୍ଭାଗ୍ୟବଶତଃ ଚାରିଆଡ଼େ ବନ୍ୟା ଜଳ ମାଡ଼ି ଯାଇଥିବାରୁ ଆମ୍ବୁଲାନ୍ସ ପହଞ୍ଚି ପାରିନଥିଲା ।

ଫଳରେ ଗ୍ରାମବାସୀ ମାନବିକତା ଦେଖାଇ ଶେଷରେ କାନ୍ଧରେ ମୃତଦେହକୁ ବୋହି ଆମ୍ବୁଲାନ୍ସ ପର୍ଯ୍ୟନ୍ତ ନେଇଥିଲେ । ଅନ୍ୟ କୌଣସି ବ୍ୟବସ୍ଥା ନଥିବାରୁ ମୃତ ଦେହକୁ କାନ୍ଧରେ ବୋହି ମାନବିକତାର ପରିଚୟ ଦେଇଥିଲେ ଗ୍ରାମବାସୀ । ଦକ୍ଷିଣ କୁରୁଆରୁ ଖଡ଼ିପଦା, ଖଡ଼ିପଦାରୁ ଦୋବଲ ପର୍ଯ୍ୟନ୍ତ ଅଣ୍ଟାଏ ପାଣିରେ ମୃତଦେହକୁ କେନ୍ଧେଇ ନେଇଥିଲେ । ପରେ ଧାମନଗର କଲେଜ ପାଖରୁ ଆମ୍ବୁଲାନ୍ସରେ ଭଦ୍ରକ ମେଡିକାଲକୁ ବ୍ୟବଚ୍ଛେଦ ପାଇଁ ପଠାଯିବ ।

ଝାରସୁଗୁଡ଼ାରୁ ମୁମ୍ବାଇ ଓ ବାଙ୍ଗାଲୁରୁକୁ ସିଧାସଳଖ ବିମାନସେବା ଆରମ୍ଭ

ଭୁବନେଶ୍ୱର: ଝାରସୁଗୁଡ଼ାରୁ ଖୁବ ଶୀଘ୍ର ମୁମ୍ବାଇ ଓ ବାଙ୍ଗାଲୁରୁକୁ ସିଧାସଳଖ ବିମାନସେବା ଆରମ୍ଭ ହେବାକୁ ଯାଉଛି  । ଏହା ଆସନ୍ତା ଅକ୍ଟୋବର ୨୫ ରୁ ଆରମ୍ଭ ହେବାକୁ ଯାଉଛି । ଏନେଇ ସୂଚନା ଦେଇଛନ୍ତି ବିମାନବନ୍ଦର ନିର୍ଦେଶକ ।  ବହୁଦିନ ପରେ ଝାରସୁଗୁଡ଼ାବାସୀଙ୍କ ସ୍ୱପ୍ନ ସାକାର ହେବାକୁ ଯାଉଛି । ମୁମ୍ବାଇ ଓ ବାଙ୍ଗାଲୁରୁକୁ ବିମାନସେବା ଆରମ୍ଭ ହେବା ନେଇ ଗ୍ରୀନ ସିଗନାଲ ଦେଇଛି ଝାରସୁଗୁଡା ବିମାନ ବନ୍ଦର କର୍ତ୍ତୃ ପକ୍ଷ ।

ଅକ୍ଟୋବର ୨୫ରୁ ଆରମ୍ଭ ହେବାକୁ ଯାଉଛି ଆଉ ଦୁଇଟି ସହର କୁ ବିମାନସେବା  । ବହୁ ଦିନରୁ ଦାବି ହୋଇ ଆସୁଥିବା ଝାରସୁଗୁଡ଼ାରୁ ମୁମ୍ବାଇ ଏବଂ ବାଙ୍ଗାଲୁରୁକୁ ବିମାନସେବା ଲାଗି ପଥ ପ୍ରଶସ୍ତ ହୋଇଛି । ଆସନ୍ତା ୱିଂଟର ସିଡ୍ୟୁଲ ଅର୍ଥାତ ଅକ୍ଟୋବର ୨୫ରୁ ଝାରସୁଗୁଡ଼ାରୁ ଏହି ବହୁ ପ୍ରତୀକ୍ଷିତ ବିମାନସେବା ଆରମ୍ଭ ହେବାର ସମ୍ଭାବନା ରହିଛି । ସ୍ପାଇସଜେଟ୍ ପକ୍ଷରୁ ବିମାନସେବା ଆରମ୍ଭ କରିବାକୁ ସ୍ଲଟ୍ ଏଲୋକେସନ ପାଇଁ କରାଯାଇଥିବା ଆବେଦନ ଉପରେ ଝାରସୁଗୁଡ଼ା ବିମାନବନ୍ଦର କର୍ତୃପକ୍ଷ ସବୁଜ ସଂକେତ ଦେଇ ସାରିଥିବା ବିମାନବନ୍ଦରର ନିର୍ଦ୍ଦେଶକ କିଶୋର ସେନାପତି କହିଛନ୍ତି । ଏ ଦିଗରେ ଆବଶ୍ୟକ ହେଉଥିବା ଅନ୍ୟାନ୍ୟ ଅନୁମତି ହାସଲ ପରେ ବିମାନସେବା ଆରମ୍ଭ ହୋଇ ପାରିବ ବୋଲି ସେ କହିଛନ୍ତି ।

ଝାରସୁଗୁଡ଼ା ସ୍ଥିତ ବୀର ସୁରେନ୍ଦ୍ର ସାଏ ବିମାନବନ୍ଦର ଗତ ୨୦୧୮ ସେପ୍ଟେମ୍ବର ୨୨ ତାରିଖ ଦିନ ଉଦଘାଟିତ ହେବା ସହ ବିମାନସେବା ଆରମ୍ଭ ହେବା ପରଠାରୁ ମୁମ୍ବାଇ ଏବଂ ବାଙ୍ଗାଲୁରୁକୁ ବିମାନ ଚଳାଚଳ ଆରମ୍ଭ କରିବାକୁ ଦାବି ହୋଇ ଆସିଛି । ଅବଶ୍ୟ ବିଧିବଦ୍ଧ ଭାବେ ସ୍ପାଇସଜେଟ୍ ପକ୍ଷରୁ ୨୦୧୯ ମାର୍ଚ୍ଚ ୩୧ ତାରିଖ ଠାରୁ ହିଁ ବିମାନସେବା ଦିଲ୍ଲୀ, କୋଲକାତା, ହାଇଦ୍ରାବାଦ ଆଦି ସହରକୁ ଆରମ୍ଭ ହୋଇଥିଲା । ପରବର୍ତ୍ତୀ ସମୟରେ ଏଲାୟନ୍ସ ଏୟାରର ବିମାନସେବା ଭୁବନେଶ୍ୱର, ରାୟପୁର, କୋଲକାତା ଆଦିକୁ ଆରମ୍ଭ ହୋଇଥିଲା ।ଲକଡାଉନ ସମୟରେ କିଛି ସମୟ ଧରି ବିମାନସେବା ବନ୍ଦ ରହିବା ପରେ ପୁଣିଥରେ କଟକଣା ଭିତରେ ବିମାନସେବା ଆରମ୍ଭ ହୋଇଛି । ଆଗକୁ ବାଙ୍ଗାଲୁରୁ ଏବଂ ମୁମ୍ବାଇକୁ ବିମାନସେବା ଆରମ୍ଭ ହେଲେ ଏହା ପଶ୍ଚିମ ଓଡ଼ିଶା ସହ ଭାରତର ପ୍ରମୁଖ ସହରକୁ ଏୟାର କନେକ୍ଟିଭିଟି ହୋଇ ପାରିବ । ଉଚ୍ଚ ଓ ବୈଷୟିକ ଶିକ୍ଷା, ସ୍ୱାସ୍ଥ୍ୟ ଆଦି ପାଇଁ ମୁମ୍ବାଇ, ବାଙ୍ଗାଲୁରୁ ଉପରେ ନିର୍ଭର କରିଥାନ୍ତି । ଏହି ଦୁଇ ସହର ଝାରସୁଗୁଡ଼ା ସହ ଯୋଡ଼ି ହେଲେ ଛାତ୍ରଛାତ୍ରୀ ଏବଂ ରୋଗୀଙ୍କ ପାଇଁ ବଡ଼ ସୁବିଧା ହୋଇ ପାରିବ ।

ବନ୍ୟା ପାଣିରେ ଉବୁଟୁବ ଅଧା ଓଡ଼ିଶା, ଉଦ୍ଧାର ହେଉଛନ୍ତି ଫସି ରହିଥିବା ବ୍ୟକ୍ତି

ଭୁବନେଶ୍ୱର: ରାଜ୍ୟରେ କିଛି ଦିନର ଲଗାଣ ବର୍ଷା ପାଇଁ ଏବେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି । ଅଧା ଓଡ଼ିଶା ବନ୍ୟା ପାଣିରରେ ଉବୁଟୁବୁ ହେଉଛି । ବନ୍ୟାର ପ୍ରଭାବରେ ବିଭିନ୍ନ ସ୍ଥାନରେ ଲୋକେ ଫସି ରହିଛନ୍ତି । ତେବେ ଭଦ୍ରକରେ ଦୁଇଦିନ ଧରି ଗଛ ଉପରେ ଥିବା ବ୍ୟକ୍ତିଙ୍କୁ ଉଦ୍ଧାର କରିଛି ଅଗ୍ନିଶମ ବାହିନୀ । ଉଦ୍ଧାର ହୋଇଥିବା ବ୍ୟକ୍ତି ଜଣକ ହେଲେ ଅର୍ଜୁନପୁର ଗ୍ରାମର ପରୀକ୍ଷିତ ରାଉତ । ଶୁକ୍ରବାର ବ୍ୟକ୍ତି ଜଣକ ରାସ୍ତାରେ ଯାଉଥିବା ବେଳେ ଅର୍ଜୁନପୁର ନିକଟରେ ଭାସିଯାଇଥିଲେ । କିଛି ସମୟ ପାଇଁ ନଦୀରେ ଭାସି ଯାଉଥିବା ବେଳେ ଜୀବନ ବିକଳରେ ଗୋଟିଏ ଗଛକୁ ଧରି ନେଇଥିଲେ ।

Flood Rescued

ପରେ ଗଛ ଉପରକୁ ଉଠିଯାଇଥିଲେ ବ୍ୟକ୍ତି ଜଣକ । ଖବର ପ୍ରସାରିତ ହେବା ପରେ ଉଦ୍ଧାର ପାଇଁ ପ୍ରଶାସନ ପକ୍ଷରୁ ତତ୍ପରତା ଦେଖାଯାଇଥିଲା । ରାତିରେ ଉଦ୍ଧାର ବାଧାପ୍ରାପ୍ତ ହେବାପରେ ପରୀକ୍ଷିତ ରାତି ସାରା କିଛି ନ ଖାଇ ନ ପିଇ ଗଛ ଉପରେ ରହିଯାଇଥିଲେ । ଆଜି ଅଗ୍ନିଶମ ବିଭାଗର ଏକ ଟିମ ପହଞ୍ଚି ଗଛରୁ ତାଙ୍କୁ ଉଦ୍ଧାର କରି ସୁରକ୍ଷିତ ଭାବେ ଘରେ ଛାଡିଛନ୍ତି ।

Flood Rescued

ସେପଟେ ଘର ବାହାରକୁ ଆସିଥିବାବେଳେ ବନ୍ୟା ପାଣିରେ ଖାଲୁଆ ରାସ୍ତାରେ ଭାସିଗଲେ । କୌଣସି କାମ ପାଇଁ ଘର ସାମ୍ନା ରାସ୍ତାକୁ ଆସିଥିଲେ । ରାସ୍ତାଟି ଖାଲୁଆ ହୋଇଥିବାରୁ ସେ ବନ୍ୟା ସୁଅରେ ଭାସି ଯାଇଥିଲେ ।  ଯାହାଫଳରେ ତାଙ୍କର ମୃତ୍ୟୁ ହୋଇଥିଲା । ଏନଡିଆରଏଫ ଟିମ୍ ତାଙ୍କ ମୃତ ଦେହ ଉଦ୍ଧାର କରିଛି । ଭଦ୍ରକ ଜିଲ୍ଲା ଭଣ୍ଡାରିପୋଖରୀ ରହଣିଆ ଗାଁରେ ଏଭଳି ଘଟଣା ଘଟିଛି । ମୃତକ ହେଲେ ହରିହର ସାମଲ । ଖାଲି ସେତିକି ନୁହେଁ ବନ୍ୟା ପ୍ରପକୋରୁ ଉଦ୍ଧାର ହେଲେ ମାଆ ଓ ନବଜାତକ । ଜଳବନ୍ଦୀରେ ନବଜାତକର ପରିବାର ଫସିଥିବା ବେଳେ ସେମାନଙ୍କୁ ଉଦ୍ଧାର କରିଛି ଅଗ୍ନିଶମ ବାହିନୀ । ଯାଜପୁର ବରୀ ଅଞ୍ଚଳର ଏ ସମ୍ବେଦନଶୀଳ ଦୃଶ୍ୟ ।

Flood Rescued

ଅନ୍ୟପଟେ ଅନୁଗୁଳରେ ବନ୍ୟା ଘେରରେ ଫଶି ରହିଥିବା ୧୦ ଶ୍ରମିକଙ୍କ ମଧ୍ୟରୁ ୫ ଜଣଙ୍କୁ ଉଦ୍ଧାର କରାଯାଇଛି । ଅଗ୍ନିଶମ ବିଭାଗ ୫ଜଣଙ୍କୁ ସୁରକ୍ଷିତ ଉଦ୍ଧାର କରିଛନ୍ତି । ଆଠମଲ୍ଲିକରେ ଲିଫ୍ଟ ଇରିଗେସନ କାମରେ ଯାଇଥିଲେ ଶ୍ରମିକ । ଏହି ସମୟରେ ହିରାକୁଦ ଜଳଭଣ୍ଡାରରୁ ଜଳ ନିଷ୍କାସନ ପାଇଁ ଗେଟ ଖୋଲାଯାଇଥିଲା ବେଳେ ମହାନଦୀରେ ବନ୍ୟାସ୍ଥିତି ସୃଷ୍ଟି ହୋଇଥିଲା । ଫଳ ଶ୍ରମିକ ମାନେ ସେଠାରେ ଫଶିଯାଇଥିଲେ  ।

ଆଜି ଦ୍ରୋଣାଚାର୍ଯ୍ୟ ସମ୍ମାନ ପାଇଥାନ୍ତେ, କାଲି ଦୁନିଆ ଛାଡି ଚାଲିଗଲେ

0

ନୂଆଦିଲ୍ଲୀ: ଆଥଲେଟିକ୍ସ କୋଚ୍ ପୁରୁଷୋତ୍ତମ ରାୟଙ୍କର ଗତ ଶୁକ୍ରବାରକୁ ମୃତ୍ୟୁ ହୋଇଛି । ଆଜି ତାଙ୍କୁ କ୍ରୀଡ଼ା ଦିବସରେ ଭର୍ଚୁଆଲ ଆଓ୍ୱାର୍ଡ଼ ସମାରୋହରେ ଦ୍ରୋଣାଚାର୍ଯ୍ୟ ପୁରସ୍କାର ମିଳିଥାନ୍ତା । କିନ୍ତୁ ବିଧିର ବିଧାନ ସବୁ କିଛି ବଦଳାଇ ଦେଇଛି । ଜୀବନର ଏତେ ବଡ଼ ସମ୍ମାନ ପାଇବା ପୂର୍ବରୁ ହୃଦଘାତରେ ସେ ସବୁଦିନ ପାଇଁ ଆଖି ବୁଜି ଦେଇଛନ୍ତି  ।

ଉତ୍ତମ ଆଥଲେଟ ଗଢିବାରେ ପୁରୁଷୋତ୍ତମ ରାୟଙ୍କର ଯଥେଷ୍ଟ ଯୋଗଦାନ ରହିଛି । ଏମାନଙ୍କ ମଧ୍ୟରେ ଏମ.କେ.ଆଶଆ,ଇବି ରାୟଲା, ରୋସା କୁଟ୍ଟୀ, ଅଶ୍ୱିନ ନଚପ୍ପା,ମୁରଲୀ କୁଟ୍ଟନ ଏବଂ ଜିଜି ପରମିଲାଙ୍କ ଭଳି ଖେଳାଳୀ ସାମିଲ ଅଛନ୍ତି, ଯେଉଁମାନେ ଖେଳରେ ଉତ୍ତମ ପ୍ରଦର୍ଶନ କରି ଦେଶକୁ ଗୌରବାନ୍ୱିତ କରିଛନ୍ତି ।

ଚଳିତ ଥର ଖେଳ ମନ୍ତ୍ରାଳୟ ନୂଆ ନିୟମ ପ୍ରଣୟନ କରିଥିଲେ । ଯେଉଁଥିରେ କୌଣସି ଖେଳାଳୀ ବା କୋଚ୍ ନିଜକୁ ନିଜେ ପୁରସ୍କାର ପାଇଁ ନମିନେଟ କରିପାରିବେ । ଏହାଦ୍ୱାରା ସେ ମନ୍ତ୍ରାଳୟ ନଜରକୁ ଆସିଲେ । ଯାହାପରେ ତାଙ୍କୁ ଦ୍ରୋଣାଚାର୍ଯ୍ୟ ପୁରସ୍କାର ପାଇଁ ଚୟନ କରାଗଲା । ରାୟ ହେଉଛନ୍ତି ବାଙ୍ଗାଲୁରୁର ଜଣେ ପ୍ରସିଦ୍ଧ କୋଚ୍ । ତେବେ କୌଣସି ସମସ୍ୟା ପାଇଁ ସେ ଏହି ପୁରସ୍କାରରୁ ବଞ୍ଚିତ ଥିଲେ । ମୃତ୍ୟୁ ପୂର୍ବରୁ  ପୁରସ୍କାର ପାଇବାକୁ ନେଇ ରାୟ ଖୁବ ଖୁସି ଥିଲେ ।

ସୂଚନାଯୋଗ୍ୟ ରାୟ ୧୯୮୭ର ବିଶ୍ୱ ଆଥଲେଟିକ୍ସ ଚାମ୍ପିଅନସିପ,୧୯୮୮ର ଏସିୟାନ ଟ୍ରାକ ଆଣ୍ଡ ଫିଲଡ ଚାମ୍ପିଅନସିପ ସହିତ କେତେକ ଟୂର୍ଣ୍ଣାମେଣ୍ଟ ପାଇଁ ଭାରତୀୟ ଟିମକୁ  ସେ କୋଚିଂ ଦେଇଛନ୍ତି ।

ବନ୍ଧନ ବ୍ୟାଙ୍କ ମହିଳା କର୍ମଚାରୀଙ୍କଠାରୁ ଲୁଟ୍‌ ଘଟଣାର ପର୍ଦ୍ଦାଫାସ୍‌, ଧରାପଡ଼ିଲା ଦୁର୍ଦ୍ଦାନ୍ତ ଅପରାଧୀ ପାଟୁ ଖାଁ

ଭୁବନେଶ୍ୱର: ବହୁ ଚର୍ଚ୍ଚିତ ବରମୁଣ୍ଡା ବନ୍ଧନ ବ୍ୟାଙ୍କ ମହିଳା କର୍ମଚାରୀଙ୍କ ଠାରୁ ଟଙ୍କା ଲୁଟ୍‌ ଘଟଣାର ପର୍ଦ୍ଦାଫାସ । ଘଟଣାରେ ୪ ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି ସ୍ପେଶାଲ ସ୍କ୍ୱାର୍ଡ । ଅଭିଯୁକ୍ତମାନଙ୍କଠାରୁ ପିସ୍ତଲ, ୭୦ ହଜାର ଟଙ୍କା ଓ କାର ମଧ୍ୟ ଜବତ କରାଯାଇଛି । ଅଭିଯୁକ୍ତମାନେ ବାଲିଅନ୍ତା ଏବଂ ଧଉଳି ଲୁଟ ମାମଲାରେ ମଧ୍ୟ ସମ୍ପୃକ୍ତ ଥିବା ପୋଲିସ ସୂଚନା ଦେଇଛି । ଏହି ଲୁଟେରା ଗ୍ୟାଙ୍ଗର ମୁଖ୍ୟ ହେଉଛି ପାଟୁ ଖାଁ । ପୋଲିସ ପାଟୁ ଖାଁ ଏବଂ ତାର ତିନି ସହଯୋଗୀଙ୍କୁ ଗିରଫ କରିଛି ।

ଗତ ଅଗଷ୍ଟ ୫ ତାରିଖ ଦିନ ଖଣ୍ଡଗିରି ଥାନା ଅଧିନ ବରମୁଣ୍ଡା ଗାଁ ଭିତରେ ବନ୍ଧନ ବ୍ୟାଙ୍କର ଜଣେ ମହିଳା କର୍ମଚାରୀଙ୍କଠାରୁ ଦୁର୍ବୃତ୍ତମାନେ ଟଙ୍କା ଭର୍ତ୍ତି ବ୍ୟାଗ୍‌ ଝାମ୍ପି ନେଇଥିଲେ । ମହିଳା କର୍ମଚାରୀ ଜଣକ ବ୍ୟାଙ୍କ ଟଙ୍କା କଲେକ୍ସନ କରି ଫେରୁଥିବା ବେଳେ ଏଭଳି ଘଟଣା ଘଟିଥିଲା । ଏକ ବାଇକ୍‌ରେ ଆସି ଦୁର୍ବୃତ୍ତମାନେ ଟଙ୍କା ଝାମ୍ପି ନେବା ପରେ ଆଖି ପିଛୁଳାକେ ଉଭାନ୍‌ ହୋଇଯାଇଥିଲେ । ସେହି ସମୟରେ ତାଙ୍କର ଏକ ବନ୍ଧୁକ ମଧ୍ୟ ଖସିପଡ଼ିଥିଲା ।

ପରେ ଥାନାରେ ମହିଳାଙ୍କ ଅଭିଯୋଗ ପରେ ପୋଲିସ ବନ୍ଧୁକକୁ ଜବତ କରିବା ସହ ସ୍ଥାନୀୟ ଅଞ୍ଚଳରେ ଥିବା ବିଭିନ୍ନ ସିସିଟିଭି ଫୁଟେଜକୁ ଆଧାର କରି ତଦନ୍ତ ଆରମ୍ଭ କରିଥିଲା ।

Lootera

ସୂଚାନାଯୋଗ୍ୟ ସେହେନାଜ ଖାଁ ଓରଫ ପାଟୁ ଖାଁକୁ ପୋଲିସ ଦୀର୍ଘ ଦିନ ହେବ ଖୋଜୁଥିଲା । ପୂର୍ବରୁ ପାଟୁ ଖାଁ ପୋଲିସ ଏନ୍‌କାଉଣ୍ଟରର ଶିକାର ହୋଇସାରିଛି । ଗତ  ୨୦୧୫/୧୬ ଏବଂ ୨୦୧୯ରେ ପୋଲିସ ପାଟୁ ଖାଁକୁ ଏନକାଉଣ୍ଟର କରିଥିଲା । ତେବେ ଦୁଇ ଥର ଯାକ ପୋଲିସକୁ ଚକ୍‌ମାଦେଇ ସେ ଫେରାର ହୋଇଯାଇଥିଲା । ଥରେ କ୍ୟାପିଟାଲ ହସ୍ପିଟାଲର ବାଥ୍‌ରୁମ୍‌ ଝରକା ଭାଙ୍ଗି ଫେରାର ହୋଇଥିବା ବେଳେ ଆଉ ଥରେ ଏସ୍‌ସିବି ମେଡିକାଲରୁ ଫେରାର ହୋଇଥିଲା । ଏଥିପାଇଁ ଅନେକ ପୋଲିସ କର୍ମଚାରୀଙ୍କୁ ଦାୟିତ୍ୱରେ ଅବହେଳା ଯୋଗୁଁ ସସପେଣ୍ଡ ମଧ୍ୟ କରାଯାଇଥିଲା ।

JEE ଓ NEET ପରୀକ୍ଷା: ଦେଶର ପ୍ରଥମ ରାଜ୍ୟ ଯିଏ ପରୀକ୍ଷାର୍ଥୀଙ୍କୁ ଦେଉଛି ମାଗଣା ସୁବିଧା

ଭୁବନେଶ୍ୱର: କରୋନା କାଳରେ JEE ଓ NEET ପରୀକ୍ଷା ଆୟୋଜନ ହେଉଛି । ପରୀକ୍ଷାର୍ଥୀ କେମିତି ପରୀକ୍ଷା ଦେବେ, କେମିତି ପରୀକ୍ଷା କେନ୍ଦ୍ରରେ ପହଂଚିବେ ଓ କେଉଁଠି ରହିବେ । ଏହି ଚିନ୍ତା ସମସ୍ତଙ୍କୁ ଘାରିଥିଲା । ଏହାରି ଭିତରେ ରାଜ୍ୟ ସରକାର ଆଗକୁ ଆସିଲେ । ପରୀକ୍ଷାର୍ଥୀଙ୍କ ମାଗଣା ଯାତାୟତ ଓ ରହଣି ପାଇଁ ଶୁକ୍ରବାର ସରକାର ଘୋଷଣା କରିଛନ୍ତି । ପରୀକ୍ଷାର୍ଥୀଙ୍କୁ ସବୁ ସୁବିଧା ମାଗଣାରେ ଯୋଗାଇ ଦେବାକୁ ମୁଖ୍ୟମନ୍ତ୍ରୀ ଆଦେଶ ଦେବା ପରେ ପ୍ରଶାସନ ତୃଣମୂଳ ସ୍ତରରେ କାମ ଆରମ୍ଭ କରିଛି । ମୁଖ୍ୟମନ୍ତ୍ରୀ ନବୀନ ପଟନାୟକଙ୍କ ଏହି ସମୟୋଚିତ ପଦକ୍ଷେପକୁ ସବୁ ମହଲରେ ପ୍ରଶଂସା କରାଯାଉଛି ।

Prof. Jayant k Mohapatra

ପ୍ରଫେସର ଜୟନ୍ତ କୁମାର ମହାପାତ୍ର ଏକ ଟ୍ୱିଟ୍ କରି ମୁଖ୍ୟମନ୍ତ୍ରୀଙ୍କ ପଦକ୍ଷେପକୁ ପ୍ରଶଂସା କରିବା ସହ ଏଥିପାଇଁ ପୁରା ଓଡ଼ିଶା ତାଙ୍କୁ ଧନ୍ୟବାଦ ଜଣାଉ ବୋଲି କହିଛନ୍ତି । ସେ ଲେଖିଛନ୍ତି  ଯେ,  ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ । ଓଡ଼ିଶାର ସମସ୍ତ JEE ଓ NEET ପରୀକ୍ଷାର୍ଥୀ ଏବଂ ଅଭିଭାବକମାନେ ମୁଖ୍ୟମନ୍ତ୍ରୀଙ୍କ ପଦକ୍ଷେପକୁ ସ୍ୱାଗତ କରିବା ସହ ତାଙ୍କୁ ଧନ୍ୟବାଦ ଦେବା ଆବଶ୍ୟକ । ମୁଖ୍ୟମନ୍ତ୍ରୀ ଏକ ବଳିଷ୍ଠ ପଦକ୍ଷେପ ନେଇଛନ୍ତି । ମୁଖ୍ୟମନ୍ତ୍ରୀଙ୍କ ଏଭଳି ପଦକ୍ଷେପ ଅନ୍ୟ ରାଜ୍ୟ ପାଇଁ ଏକ ଉଦାହାରଣ ।

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓଡ଼ିଶାର ସମସ୍ତ JEE ଓ NEET ପରୀକ୍ଷାର୍ଥୀଙ୍କ ପାଇଁ ବାଟ ଖର୍ଚ୍ଚ ଦେବାକୁ ଘୋଷଣା କରିଛନ୍ତି । ଏମିତିକି ସେମାନଙ୍କ ଅନ୍ୟାନ୍ୟ ବ୍ୟବସ୍ଥା ମଧ୍ୟ କରାଯିବ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।

ଜେଇଇ ମେନ୍ ଓ ନିଟ ପରୀକ୍ଷାର୍ଥୀ ମାଗଣାରେ ପରୀକ୍ଷା କେନ୍ଦ୍ରକୁ  ଯିବା ପାଇଁ ସରକାର ସମସ୍ତ ବ୍ୟବସ୍ଥା କରିଛନ୍ତି । ଯେଉଁ ପରୀକ୍ଷାର୍ଥୀଙ୍କ ଯାତାୟତ ଓ ରହିବା ସମସ୍ୟା ଥିବ ସେମାନେ ଏହି ସୁବିଧା ପାଇପାରିବେ । ଏକ ସାମ୍ବାଦିକ ସମ୍ମିଳନୀରେ ଶୁକ୍ରବାର ଏହି ସୂଚନା ଦେଇଥିଲେ ମୁଖ୍ୟ ଶାସନ ସଚିବ ଅସିତ ତ୍ରିପାଠୀ । ପ୍ରତି ଜିଲ୍ଲାର ଗୋଟିଏ ଲେଖାଏଁ ଆଇଟିଆଇ କଲେଜକୁ ସରକାର ନୋଡାଲ ସେଣ୍ଟର୍ କରିଛନ୍ତି । ଏହି ନୋଡାଲ ସେଣ୍ଟରକୁ ଫୋନ୍ କରି ପରୀକ୍ଷାର୍ଥୀ ମାନେ ପ୍ରଥମେ ପଞ୍ଜିକରଣ କରିବେ । ସେହି ନୋଡାଲ ସେଣ୍ଟରରୁ ପରୀକ୍ଷାର୍ଥୀଙ୍କୁ ପରୀକ୍ଷା ହେବାକୁ ଥିବା ୭ ସହରର ୨୬ଟି ସେଣ୍ଟର୍‌କୁ ନିଆଯିବ । ସେଠାରେ ସେମାନେ ପରୀକ୍ଷା ଦେବା ସହ ଯେଉଁ ମାନଙ୍କର ରହିବା ସୁବିଧା ନଥିବ ସେମାନଙ୍କୁ ଆଇଟିଆଇ, ପଲିଟେକନିକ୍ ଓ ଘରୋଇ ଇଞ୍ଜିନିୟରିଂ କଲେଜର ହଷ୍ଟେଲରେ ରଖିବା ବ୍ୟବସ୍ଥା କରାଯିବ ।

Odisha Govt. To Provide Transport and Accommodation Facility To JEE And NEET Aspirants

ପରୀକ୍ଷାର୍ଥୀ ଏବଂ ତାଙ୍କ ସାଙ୍ଗରେ ଯାଉଥିବା ସମ୍ପର୍କୀୟଙ୍କୁ ଯାତାୟତ ଓ ରହିବା ଲାଗି କୌଣସି ଦେୟ ଦେବାକୁ ପଡ଼ିବନି  । ରାଜ୍ୟର ପ୍ରାୟ ୩୭ ହଜାର ଛାତ୍ରଛାତ୍ରୀ ଜେଇଇ ମେନ୍ ଓ ନିଟ୍‌ ପରୀକ୍ଷା ଦେଉଛନ୍ତି । ଏହି ସୁବିଧା ପାଇବା ଲାଗି ୩୧ ଅଗଷ୍ଟ ସୁଦ୍ଧା ପରୀକ୍ଷାର୍ଥୀ ନିଜ ତଥ୍ୟ ଦେଇ ପଞ୍ଜିକରଣ କରିପାରିବେ ବୋଲି ମୁଖ୍ୟ ଶାସନ ସଚିବ ସୂଚନା ଦେଇଛନ୍ତି।