spot_img
Home Blog Page 6489

ମନରେଗା ଯୋଜନାରେ ଅନିୟମିତତା, ବିନା ଜବକାର୍ଡଧାରୀଙ୍କୁ ନେଇ ଚାଲିଛି ବେଆଇନ ରାସ୍ତାକାମ

ଭଦ୍ରକ: ବେକାର ଯୁବକଙ୍କୁ କାମ ଯୋଗାଇବାକୁ ମନରେଗା ଯୋଜନା କରାଯାଇଛି । ହେଲେ ଏଠି କାମ ବଦଳରେ ଘରେ ବସୁଛନ୍ତି ଗାଁର ଯୁବକ । ରାସ୍ତା କାମ ପାଇଁ ବାହାରୁ ଆସି କାମ କରୁଛନ୍ତି ଦିନ ମଜୁରିଆ । ପ୍ରତି ଗାଁର ପକ୍କା ରାସ୍ତା ପାଇଁ  ମହାତ୍ମାଗାନ୍ଧୀ ଜାତୀୟ ଗ୍ରାମୀଣ କର୍ମ ନିଯୁକ୍ତି ଯୋଜନାରେ ଲକ୍ଷଲକ୍ଷ ଟଙ୍କା ଆସୁଥିଲେ ସୁଦ୍ଧା ଏହା ହଡ଼ପ ହେଉଥିବା ଅଭିଯୋଗ ହୋଇଛି ।

ମନରେଗା ଯୋଜନାରେ ରାସ୍ତାକାମ ପାଇଁ ଆସିଛି ଟଙ୍କା । ହେଲେ ବିନା ସୂଚନା ଫଳକରେ ଚାଲିଛି ନିର୍ମାଣ କାମ । ଯୋଜନାରେ ବି କାମ ପାଉନାହାନ୍ତି ଲୋକେ । ବିନା ଜବକାର୍ଡଧାରୀଙ୍କୁ ନେଇ ଚାଲିଛି ବେଆଇନ ରାସ୍ତାକାମ । ଭଦ୍ରକ ତିହିଡି ବ୍ଲକ ଅଧିନ ବୋଡକ ପଞ୍ଚାୟତର ଭଞ୍ଜନଗର ସ୍କୁଲ୍ ଖଳାଗଡିଆ ଜେନା ସାହି ରାସ୍ତା ପାଇଁ ୩ ମାସ ପୂର୍ବରୁ ୫ ଲକ୍ଷ ଟଙ୍କାର କାର୍ଯ୍ୟାଦେଶ ଥିଲା । କିନ୍ତୁ କାର୍ଯ୍ୟ ନହେବାରୁ ସ୍ଥାନୀୟ ଲୋକେ ଜିଲ୍ଲାପାଳଙ୍କ ନିକଟକରେ ଅଭିଯୋଗ କରିଥିଲେ । ଖବର ବ୍ଲକ ଅଧିକାରୀମାନେ ଜାଣିବା ପରେ ତରବରିଆ ଭାବେ କାମ କରିଛନ୍ତି । ଏପରିକି ବାହାର ପଞ୍ଚାୟତରୁ ଲୋକଙ୍କୁ ଡାକି କାମ କରିବା ସହ ଟ୍ରାକ୍ଟର ଯୋଗେ ମୋରମ ଓ ମେଟାଲ ପକାଇଛନ୍ତି ।

ସେପଟେ କରୋନା କାଳରେ ଦିନ ମଜୁରିଆ କାମ ପାଉନଥିବା ବେଳେ ବ୍ଲକ ଅଧିକାରୀମାନେ ଜବକାର୍ଡ ନଥିବା ଲୋକଙ୍କ ଦ୍ୱାରା କରାଉଛନ୍ତି ରାସ୍ତା କାମ । ତେବେ ଗ୍ରାମବାସୀ ଏନେଇ ଜିଲ୍ଲାପାଳଙ୍କୁ ଜଣାଇବାରୁ ସେ ଘଟଣାର ତଦନ୍ତ ପାଇଁ ଜିଲ୍ଲା ଅଧିକାରୀଙ୍କୁ ଦାୟିତ୍ୱ ଦେବେ ବୋଲି କହିଛନ୍ତି । ତୁରନ୍ତ ଏଭଳି ବେଆଇନ ରାସ୍ତା କାମକୁ ତଦନ୍ତ କରି ଉଚିତ ପଦକ୍ଷେପ ନେବାକୁ ସ୍ଥାନୀୟ ଲୋକ ଦାବି କରିଛନ୍ତି ।

ରାତି ପାହିଲେ ବାଲେଶ୍ୱର ସଦର, ତିର୍ତ୍ତୋଲ ଉପନିର୍ବାଚନ, ପ୍ରଶାସନ ପ୍ରସ୍ତୁତ

ଭୁବନେଶ୍ୱର : ରାତି ପାହିଲେ ଭୋଟ୍ । ରାଜ୍ୟର ୨ଟି ଗୁରୁତ୍ୱପୂର୍ଣ୍ଣ ଆସନରେ ଅନୁଷ୍ଠିତ ହେବ ଉପନିର୍ବାଚନ । ଜଗତସିଂହପୁର ଜିଲା ତିର୍ତ୍ତୋଲ ଏବଂ ବାଲେଶ୍ୱର ଜିଲାର ବାଲେଶ୍ୱର ସଦର ଆସନରେ ଏହି ଉପନିର୍ବାଚନ ଅନୁଷ୍ଠିତ ହେବାକୁ ଯାଉଛି । ନଭେମ୍ବର ୩ ଅର୍ଥାତ ମଙ୍ଗଳବାର ସକାଳ ୭ଟାରୁ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ମତଦାନ ଅନୁଷ୍ଠିତ ହେବ ।

ଏଥିପାଇଁ ରାଜ୍ୟ ନିର୍ବାଚନ ଅଧିକାରୀ(ସିଇଓ) ସୁଶୀଲ ଲୋହାନୀଙ୍କ ପକ୍ଷରୁ ବ୍ୟାପକ ବନ୍ଦୋବସ୍ତ କରାଯାଇଛି । କୋଭିଡ଼ କଟକଣା ମଧ୍ୟରେ ୨ଟି ନିର୍ବାଚନମଣ୍ଡଳୀରେ ବ୍ୟାପକ ବ୍ୟବସ୍ଥା କରାଯାଇଛି । ସାମାଜିକ ଦୂରତା, ସାନିଟାଇଜେସନକୁ ବ୍ୟାପକ ଗୁରୁତ୍ୱ ଦିଆଯାଇଛି । ତିର୍ତ୍ତୋଲରେ ବୁଥ୍ ସଂଖ୍ୟା ବୃଦ୍ଧି କରାଯାଇ ୩୭୩କୁ ବୃଦ୍ଧି କରାଯାଇଛି । ଏହି ନିର୍ବାଚନମଣ୍ଡଳୀର ୨,୩୭,୨୮୨ ଜଣ ଭୋଟର ମତଦାନ କରିବେ । ପୂର୍ବରୁ ବୁଥ ଗୁଡିକ ଯେଉଁଠି ରହିଥିଲା, ସେଠାରେ ରହିଛି । ତିର୍ତ୍ତୋଲ ୫ଟି ସ୍ଥାନରେ ବୁଥକୁ ନିକଟସ୍ଥ ବିଲ୍ଡିଂକୁ ସ୍ଥାନ୍ତାନ୍ତରିତ କରାଯାଇଛି ।ଅନୁରୂପଭାବେ ବାଲେଶ୍ୱରରେ ମଧ୍ୟ ୩୪୬ ବୁଥ ପ୍ରସ୍ତୁତ ହୋଇଛି ।ସେଠାରେ ମୋଟ ୨,୩୦,୨୯୭ ଜଣ ଭୋଟ୍ ଦେବେ । ୧୨ଟି ସ୍ଥାନରେ ବୁଥକୁ ନିକଟସ୍ଥ ବିଲ୍ଡିଂକୁ ସ୍ଥାନ୍ତାନ୍ତରଣ କରାଯାଇଛି ।

ଉଭୟ ନିର୍ବାଚନମଣ୍ଡଳୀରେ ଭୋଟରଙ୍କ ତାପମାତ୍ରା ଯାଞ୍ଚକୁ ଗୁରୁତ୍ୱ ଦିଆଯାଇଛି । ଯାହାର ତାପମାତ୍ରା ସାଧାରଣ ତାପମାତ୍ରାଠୁ ଅଧିକ ରହିବ । ତାଙ୍କ ପାଇଁ ଅଲଗା ବ୍ୟବସ୍ଥା କରାଯିବ । ସେ ମତଦାନ ଗ୍ରହଣର ଶେଷ ଘଣ୍ଟାରେ ଭୋଟ୍ ଦେଇ ପାରିବେ । ଭୋଟ ଦେବା ପୂର୍ବରୁ ସମସ୍ତଙ୍କ ହାତ ସାନିଟାଇଜ୍ କରାଯିବା ସହ ଗ୍ଲୋବସ ଦିଆଯିବ । ଡାହାଣ ହାତରେ ଏହି ଗ୍ଲୋବସ ପିନ୍ଧି ଭୋଟର ମାନେ ମତ ଦାନ କରିବେ ।

ଭୋଟରମାନଙ୍କୁ ୧୧ଟି ପରିଚୟ ପତ୍ର ମଧ୍ୟ କୌଣସି ଗୋଟିଏ ଆଣି ମତଦାନ କେନ୍ଦ୍ରକୁ ଆସିବାକୁ ନିୟମ ରହିଛି । ଏହା ମଧ୍ୟରେ ଭୋଟର କାର୍ଡ, ଆଧାର କାର୍ଡ, ଜବ କାର୍ଡ, କର୍ମକ୍ଷେତ୍ର ପରିଚୟ ପତ୍ର, ବ୍ୟାଙ୍କ୍ ପାସବୁକ୍ ଇତ୍ୟାଦି ରହିଛି ।

୨ଟି ନିର୍ବାଚନମଣ୍ଡଳୀରେ ସୁରକ୍ଷା ବ୍ୟବସ୍ଥାକୁ ମଧ୍ୟ ବ୍ୟାପକ ବ୍ୟବସ୍ଥା କରାଯାଇଛି । ୩୫୦୦ ପୋଲିଂ ଅଫିସରକୁ ନିଯୁକ୍ତି କରାଯାଇଛି । ଏଥିସହିତ ୮୦୦ ଆଶା କର୍ମୀକୁ ମଧ୍ୟ ନିୟୋଜିତ କରାଯାଇଛି । ବାଲେଶ୍ୱର ସଦର ଆସନରେ ୮୬ ସମ୍ବେଦନଶୀଳ ବୁଥ୍ ଏବଂ ତିର୍ତ୍ତୋଲରେ ୧୫୫ ସମ୍ବେଦନଶୀଳ ବୁଥ୍ ଚିହ୍ନଟ କରାଯାଇଛି । ଏହି ସବୁ ବୁଥରେ ସିସିଟିଭି, ୱେବ କାଷ୍ଟିଂ, ଭିଡିଓ ଗ୍ରାଫିଂ ଏବଂ ମାଇକ୍ରୋ ଅଭଜରଭର ରଖାଯିବ । ଏଥିପାଇଁ ୯୦ ପ୍ଲାଟୁନ୍ ପୋଲିସ, ୨୫୦ ପୋଲିସ ଅଫିସର ଏବଂ ୬ କମ୍ପାନୀ କେନ୍ଦ୍ରୀୟ ସଶସ୍ତ୍ର ବଳ ମୁତୟନ କରାଯାଇଛି ।

ବାଲେଶ୍ୱର ସଦରରେ ବିଜେଡିର ସ୍ୱରୂପ ଦାସ, ଭାଜପାର ମାନସ ଦତ୍ତ, କଂଗ୍ରେସରୁ ମମତା କୁଣ୍ଡୁ ଏବଂ ସ୍ୱାଧୀନ ଭାବେ ବେଣୁଧର ବାରିକ ଲଢୁଛନ୍ତି । ସେହିପରି ତିର୍ତ୍ତୋଲରେ ବିଜେଡିରୁ ବିଜୟ ଶଙ୍କର ଦାସ, କଂଗ୍ରେସରୁ ହିଂମାଶୁ ମଲ୍ଲିକ, ଭାଜପାରୁ ରାଜ କିଶୋର ବେହେରା ଲଢୁଛନ୍ତି । ଉଲ୍ଲେଖଯୋଗ୍ୟ, ବାଲେଶ୍ୱର ସଦର ଆସନରୁ ପ୍ରତିନିଧିତ୍ୱ କରୁଥିବା ମଦନମୋହନ ଦତ୍ତ ଏବଂ ତିର୍ତ୍ତୋଲ ବିଧାୟକ ବିଷ୍ଣୁ ଚରଣ ଦାସଙ୍କ ବିୟୋଗ ପରେ ଉପନିର୍ବାଚନ ଆବଶ୍ୟକ ହୋଇଥିଲା ।

 

ଆମିର ଖାନଙ୍କ ଝିଅ ଇରାଙ୍କ ବଡ଼ ଖୁଲାସା, ୧୪ ବର୍ଷ ବୟସରେ ହୋଇଥିଲେ ଯୌନ ନିର୍ଯାତନାର ଶିକାର

ନୂଆଦିଲ୍ଲୀ: ବଲିଉଡ ଅଭିନେତା ଆମିର ଖାନଙ୍କ ଝିଅ ଇରା ଖାନ ନିକଟରେ ‘ୱାର୍ଲଡ ମେଣ୍ଟାଲ ହେଲ୍ଥ ଡେ’ ରେ ଏକ ଭିଡିଓ ସେୟାର କରିଥିଲେ ଯେଉଁଥିରେ ସେ ଡିପ୍ରେସନର ଶିକାର ଥିବା କହିଥିଲେ । ଏହାକୁ ନେଇ ସୋସିଆଲ ମିଡିଆରେ ଖୁବ ଚର୍ଚ୍ଚା ମଧ୍ୟ ହୋଇଥିଲା । ତେବେ ପୁଣି ଥରେ ଇରା ନିଜ ଇନଷ୍ଟାଗ୍ରାମ ଆକାଉଣ୍ଟରେ ଆଉ ଏକ ଭିଡିଓ ସେୟାର କରିଛନ୍ତି  । ଇରା ନିଜ ଭିଡିଓରେ କହିଛନ୍ତି ଯେ, ସେ ବୁଝିପାରୁନାହାନ୍ତି ଯେ ସେ କାହିଁକି ଡିପ୍ରେସନରେ ଅଛନ୍ତି । ନିଜ ମାଆ ବାପାଙ୍କ ଛାଡ଼ପତ୍ର କେବେ ତାଙ୍କ ଡିପ୍ରେସନର କାରଣ ନଥିଲା ବୋଲି ଇରା କହିଛନ୍ତି  । ତେବେ ସେ କାହିଁକି ଡିପ୍ରେସନରେ ଅଛନ୍ତି ତାର ଉତ୍ତର ସେ ନିଜେ ବି ଜାଣି ନାହାନ୍ତି । ଅନେକ ବର୍ଷ ହେବ ସେ ଏହି ପ୍ରଶ୍ନର ଉତ୍ତର ଖୋଜୁଛନ୍ତି କିନ୍ତୁ କୌଣସି ଉତ୍ତର ମିଳିପାରୁ ନାହିଁ । ସେ ଭିଡିଓରେ କହିଛନ୍ତି ଯେ, ‘ ଆଜି ମୁଁ ଆପଣଙ୍କୁ ନିଜ ଜୀବନ ବିଷୟରେ କିଛି କହିବାକୁ ଯାଉଛି । ଟଙ୍କାକୁ ନେଇ ମୋ ଜୀବନରେ କେବେ ଅସୁବିଧା ଆସିନାହିଁ । ମୋ ମାଆ ବାପା ଏବଂ ମୋ ସାଙ୍ଗ ମାନେ ମତେ କେବେ କୈଣସି କଥାକୁ ନେଇ ଚାପ ପକାଇ ନାହାନ୍ତି ।

ମାଆ ବାପାଙ୍କ ଛାଡ଼ପତ୍ରକୁ ନେଇ କହିଲେ ଏମିତି…

ଭିଡିଓରେ ଇରା ନିଜ ମାଆ ବାପାଙ୍କ ଛାଡପତ୍ର କଥା ଉଠାଇ କହିଛନ୍ତି ଯେ, ‘ମୁଁ ଯେତେବେଳେ ଛୋଟ ଥିଲି ମୋ ମାଆ ବାପାଙ୍କ ଛାଡପତ୍ର ହୋଇଯାଇଥିଲା, କିନ୍ତୁ ତାକୁ ନେଇ ମୁଁ କେବେ ବିଚଳିତ ହୋଇନଥିଲି । ମୋ ମାଆ ବାପାଙ୍କ ଛାଡ଼ପତ୍ର ପରେ ମଧ୍ୟ ସେ ଦୁହେଁ ଭଲ ବନ୍ଧୁ ଅଟନ୍ତି । ୬ ବର୍ଷ ବୟସରେ ମତେ ଟିବି ହୋଇଥିଲା, କିନ୍ତୁ ଟିବି ମୋ ପାଇଁ ଏତେ ଦୁଃଖଦାୟକ ନଥିଲା ଯେ ମୁଁ ଡିପ୍ରେସ ଅନୁଭବ କରିବି । ’

୧୪ ବର୍ଷ ବୟସରେ ହୋଇଥିଲା ଯୌନ ନିର୍ଯାତନାର ଶିକାର  

ଇରା କହିଛନ୍ତି ଯେ,  ‘୧୪ ବର୍ଷ ବୟସରେ ମୁଁ ଯୌନ ନିର୍ଯାତନାର ଶିକାର ହୋଇଥିଲି । ସେତେବେଳେ ମୁଁ ଜାଣିପାରୁନଥିଲି ଯେ ମୋ ସହ କଣ ହେଉଥିଲା । କିନ୍ତୁ ଜାଣିବା ପରେ ମୁଁ ସେସବୁରୁ ଦୂରକୁ ଚାଲିଗଲି । ହଁ ମତେ ଖରାପ ଲାଗିଥିଲା ଯେ ମୋ ସହିତ ମୁଁ ଏମିତି କାହିଁକି ହେବାକୁ ଦେଲି କିନ୍ତୁ ଏହା ମୋ ଜୀବନର ବଡ଼ ସଦମା ହୋଇ ରହିନାହିଁ । ମୁଁ ମୋ ଜୀବନ ସହିତ ଜଡ଼ିତ ସମସ୍ତ କଥା ମୋ ବାପା ମାଆ ଓ ସାଙ୍ଗ ମାନଙ୍କୁ ସେୟାର କରିପାରିବି, କିନ୍ତୁ ମୁଁ ତାଙ୍କୁ କହିବି କଣ ? ମୋ ଅନୁଭବ ଅନୁଯାୟୀ ମୋ ସହିତ ଏମିତି କିଛି ଖରାପ ହୋଇନାହିଁ । ଏହା ଭାବି ମୁଁ ମୋ ବାପା ମାଆ ଓ ସାଙ୍ଗ ମାନଙ୍କୁ ଏହି ବିଷୟରେ କିଛି କହୁନାହିଁ । ’

ତେବେ ଆମିର ଖାନଙ୍କ ଝିଅ ଇରା ଖାନ ଅନେକ ଥର ବିଭିନ୍ନ ଗମ୍ଭୀର କଥା ସାମ୍ନାକୁ ଆଣୁଛନ୍ତି । ଏଥର ସେ ନିଜ ଡିପ୍ରେସନର କାରଣ ଜଣାଇବାକୁ ଯାଇ ଅତି ସାହସର ସହ କଥା ସେୟାର କରିଛନ୍ତି । ଏହି ଭିଡିଓଟି ଏବେ ଖୁବ ଭାଇରାଲ ହେବାରେ ଲାଗିଛି ।

ଫ୍ରାନ୍ସ ହତ୍ୟା ଘଟଣାକୁ ନେଇ ବାଂଲାଦେଶରେ ହିନ୍ଦୁଙ୍କୁ ଆକ୍ରମଣ

ବାଂଲାଦେଶ: ବାଂଲାଦେଶର କୋମିଲା ଜିଲ୍ଲାରେ କିଛି ମୁସ୍‌ଲିମ୍‌ କଟରପନ୍ଥୀ ହିନ୍ଦୁ ଲୋକଙ୍କ ଘର ଭଙ୍ଗାରୁଜା କରିଛନ୍ତି । ଇସ୍‌ଲାମ୍‌ ଧର୍ମକୁ ନେଇ ସୋସିଆଲ ମିଡିଆରେ କିଛି ଅପମାନ ଜନକ ପୋଷ୍ଟ ହୋଇଥିବା ଖବର ପ୍ରଚାର ପରେ ଏଭଳି କାଣ୍ଡ ଘଟିଛି । ଫ୍ରାନ୍ସରେ ରହୁଥିବା ଜଣେ ବାଂଲାଦେଶୀ ବ୍ୟକ୍ତି ରାଷ୍ଟ୍ରପତି ଇମାନୁଏଲ୍ ମାକ୍ରୋନ୍‌ଙ୍କ ‘ଅମାନୁଷିକ ବିଚାରଧାରା’ ବିରୋଧରେ ପଦକ୍ଷେପକୁ ପ୍ରଶଂସା କରିଥିଲେ । ଏହାପରେ ବାଂଲାଦେଶରେ ଏଭଳି କାଣ୍ଡ ଦେଖିବାକୁ ମିଳିଛି । Bdnews24.com ଦ୍ୱାରା ପ୍ରକାଶିତ ରିପୋର୍ଟ ଅନୁଯାୟୀ, ଫ୍ରାନ୍ସରେ ମହମ୍ମଦଙ୍କ କାର୍ଟୁନ୍ ଦେଖାଇଥିବା ଜଣେ ଶିକ୍ଷକଙ୍କ ହତ୍ୟା ପରେ ମାକ୍ରୋନ୍ ଏହାକୁ ଘୋର ନିନ୍ଦା କରିଥିଲେ । ଆଗକୁ ଏପରି ଘଟଣାର ପୁନରାବୃତ୍ତି ନହେବା ପାଇଁ ସେ କଡ଼ା ପଦକ୍ଷେପ ନେଇଥିଲେ । ଯାହାକୁ ଜଣେ ବାଂଲାଦେଶୀ ସମର୍ଥନ କରିଥିଲେ । ସୋସିଆଲ ମିଡିଆର ଏକ ପୋଷ୍ଟରେ ଉକ୍ତ ବାଂଲାଦେଶୀ ବ୍ୟକ୍ତି ଜଣକ ମାକ୍ରୋନ୍‌ଙ୍କ କାର୍ଯ୍ୟଶୈଳୀକୁ ସମର୍ଥନ ଜଣାଇଥିଲେ । ଏହି ଖବରକୁ ନେଇ ବାଂଲାଦେଶରେ ଗୁଜବ ସୃଷ୍ଟି ହୋଇଥିଲା । ଆଉ ତା’ପରେ ହିନ୍ଦୁଙ୍କ ଘରେ ଆକ୍ରମଣ ହୋଇଥିଲା । କିଛି ମୁସଲମାନ ହିନ୍ଦୁ ମାନଙ୍କ ଘର ଭଙ୍ଗାରୁଜା କରିବା ସହ ତାଙ୍କ ଘରେ ନିଆଁ ଲଗାଇବାକୁ ଚେଷ୍ଟା କରିଥିଲେ ।

ବଙ୍ଗରା ବଜାର ପୋଲିସ ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ, ଧାର୍ମିକ ଆଘାତ ଦେଇ ସୋସିଆଲ ମିଡିଆରେ ପୋଷ୍ଟ କରିଥିବାରୁ ଦୁଇ ଜଣ ବ୍ୟକ୍ତିଙ୍କୁ ପୋଲିସ ଗିରଫ କରିଛି । ସେଥିମଧ୍ୟରୁ ଜଣେ ହେଲା କିଣ୍ଡର ଗାର୍ଡନର ହେଡ୍‌ମାଷ୍ଟର ଓ ଅନ୍ୟ ଜଣେ ଆଣ୍ଡିକୋଟ୍‌ ଗାଁର ବାସିନ୍ଦା । ତେବେ ଏହି ଘଟଣାକୁ ନେଇ ସ୍ଥାନୀୟ ଡେପୁଟି କମିଶନର ମହମ୍ମଦ ଫଜଲ ମୀର କହିଛନ୍ତି ପରିସ୍ଥିତି ଏବେ ନିୟନ୍ତ୍ରଣରେ ରହିଛି । ଘର ଭଙ୍ଗାରୁଜା କରିଥିବା ଘଟଣାକୁ ନେଇ ତଦନ୍ତ ଚାଲିଛି ଏବଂ ଅଭିଯୁକ୍ତଙ୍କ ବିରୋଧରେ ମାମଲା ରୁଜୁ ପ୍ରକ୍ରିୟା ମଧ୍ୟ ଆରମ୍ଭ ହୋଇଛି । ତେବେ ଘଟଣାର ଭାଇରାଲ ଭିଡିଓକୁ ନେଇ ପୋଲିସ ଅଭିଯୁକ୍ତଙ୍କୁ ଧରିବାକୁ ଚେଷ୍ଟା କରୁଛି ।

ସୂଚନାଯୋଗ୍ୟ, ଫ୍ରାନ୍ସରେ ମହମ୍ମଦଙ୍କ କାର୍ଟୁନ୍‌ ଛାପିବା ଘଟଣାକୁ ନେଇ ଏବେ ବି ବାଂଲାଦେଶରେ ବିରୋଧ ଜାରି ରହିଛି । କୁର୍ବାନପୁର ଏବଂ ଆଣ୍ଡିକୋଟରେ ଆଇନ୍‌ଶୃଙ୍ଖଳା ଦୃଷ୍ଟିରୁ‌ ବ୍ୟାପକ ପୋଲିସ ମୁତୟନ କରାଯାଇଛି । ଅନ୍ୟପଟେ ପୋଲିସ ସାଇବର ସିକ୍ୟୁରିଟି ଆକ୍ଟ ଆଧାରରେ ହେଡ୍‌ମାଷ୍ଟର ଓ ଅନ୍ୟ ଜଣେ ବ୍ୟକ୍ତିଙ୍କ ବିରୋଧରେ ମାମଲା ରୁଜୁ କରିଛି । କୋର୍ଟ ସେମାନଙ୍କ ଜାମିନ ଆବେଦନକୁ ଖାରଜ କରିଦେଇଛନ୍ତି ଏବଂ ସେମାନଙ୍କୁ ଜେଲ୍‌ ପଠାଇ ଦିଆଯାଇଛି ।

ଭୁବନେଶ୍ୱରରେ ଆରମ୍ଭ ହେଲା ନୂଆ ସାଇବର କମ୍ପ୍ଲେକ୍ସ, ପ୍ରାଥମିକ ସ୍ତରରେ ୨୦୦ ପୋଲିସ ଅଫିସର ଙ୍କୁ ଟ୍ରେନିଂ ଦିଆଯିବ

ଭୁବନେଶ୍ୱର: ସାବଧାନ ସାଇବର ଅପରାଧୀ । ଆକାଉଣ୍ଟ ହ୍ୟାକ କଲେ ଖସି ପାରିବେନି ଅପରାଧୀ । ଅଭିଯୋଗ ପରେ ସଙ୍ଗେ ସଙ୍ଗେ ଧରାପଡ଼ିବେ ହ୍ୟାକର । ଭୁବନେଶ୍ୱରରେ ଆରମ୍ଭ ହେଲା ନୂଆ ସାଇବର କମ୍ପ୍ଲେକ୍ସ । କେଶରୀ ନଗରରେ ନୂଆ ସାଇବର କମ୍ପ୍ଲେକ୍ସ ଉଦଘାଟନ କଲେ ଡିଜିପି ଅଭୟ ସିଂ । ପୂର୍ବରୁ ରାଉରକେଲା, ସମ୍ବଲପୁର ଓ ବ୍ରହ୍ମପୁରରେ କାର୍ଯ୍ୟକ୍ଷମ ହେଉଥିଲା ।  cyber station ଖୋଲିବା ପରେ ଏବେ ଏହା twin City ବାସି ଙ୍କ ପାଇଁ ବେଶ୍ ସହାୟକ ହେବ । ଏହି କମ୍ପ୍ଲେକ୍ସ ରେ social media ଲ୍ୟାବ ବି କାର୍ଯ୍ୟକ୍ଷମ ହେବ ଓ ଏହା ସମ୍ପୂର୍ଣ୍ଣ ଡିଜିଟାଲ ମୋଡରେ ତଦନ୍ତ କରାଯିବ ବୋଲି ପୋଲିସ ଡିଜି ଅଭୟ କହିଛନ୍ତି । ଫେସବୁକ, ଟ୍ୱିଟର, ବ୍ୟାଙ୍କ ଆକାଉଣ୍ଟ, ୱେବସାଇଟ ହ୍ୟାକ ଭଳି ବିଭିନ୍ନ ଅପରାଧକୁ ଚେକ ଦେବାରେ ଏହି ସାଇବର ଷ୍ଟେସନ କାମ କରିବ । ପ୍ରାଥମିକ ସ୍ତରରେ ୨୦୦ ପୋଲିସ ଅଫିସର ଙ୍କୁ ଟ୍ରେନିଂ ଦିଆଯିବ ।

ମ୍ୟାଲେରିଆ ମୁକ୍ତ ହେବ ମାଲକାନଗିରି, ଏଥିପାଇଁ ପ୍ରସ୍ତୁତ ହୋଇଛି ସ୍ୱତନ୍ତ୍ର ଖସଡ଼ା

ମାଲକାନାଗିରି: ସାରା ରାଜ୍ୟରେ ଏବେ କରୋନା ସହ ଲଢେଇ ଜାରି ରହିଛି । ହେଲେ ମାଲକାନଗିରିରେ କରୋନା ସହିତ ମ୍ୟାଲେରିଆ ଲୋକଙ୍କୁ ଆତଙ୍କିତ କରିଛି । ଏବେ କିନ୍ତୁ ମ୍ୟାଲେରିଆ ମୁକ୍ତ ହେବ ମାଲକାନଗିରି । ଜିଲ୍ଲାରୁ ସମ୍ପୂର୍ଣ୍ଣ ଲୋପ ପାଇବେ ମ୍ୟାଲେରିଆ ମଶା । ପ୍ରଶାସନ ପକ୍ଷରୁ ସ୍ୱତନ୍ତ୍ର ଖସଡ଼ା ପ୍ରସ୍ତୁତ ହୋଇଛି । ସଚେତନ କରୁଛନ୍ତି ଏଏନଏମ ଓ ଆଶା ଦିଦି । ରାଜ୍ୟରେ ମ୍ୟାଲେରିଆ ପ୍ରବଣ ଅଞ୍ଚଳ ଭାବେ ପରିଚିତ ମାଲକାନଗିରି ଜିଲ୍ଲା ।

ଜିଲ୍ଲା ମୋଟ ଜନସଂଖ୍ୟାର ୬୧ ପ୍ରତିଶତ ଅନୁସୂଚିତ ଜନଜାତି ହୋଇଥିବାରୁ ଚିକିତ୍ସା ପାଇଁ ଅନ୍ଧବିଶ୍ୱାସରେ ବସବର୍ତ୍ତି ହୋଇ ଗୁଣିଗାରେଡ଼ି ଓ କ୍ୱାକ୍ ଉପରେ ଭରଷା କରିଥାନ୍ତି । ଆଉ ମ୍ୟାଲେରିଆ ଭଳି ରୋଗରେ ଆକ୍ରାନ୍ତ ହୋଇ ଜୀବନ ହାରୁଛନ୍ତି । ହେଲେ ଏବେ ମାଲକାନଗିରିକୁ ମ୍ୟାଲେରିଆ ମୁକ୍ତ କରିବା ପାଇଁ ଜିଲ୍ଲା ପ୍ରଶାସନ ତତ୍ପର ହୋଇଛି । ଏନେଇ ସ୍ୱତନ୍ତ୍ର ଖସଡ଼ା ପ୍ରସ୍ତୁତ କରାଯାଇଥିବା ବେଳେ ସ୍ୱାସ୍ଥ୍ୟକର୍ମୀଙ୍କ ଠାରୁ ଆରମ୍ଭ କରି ଏଏନଏମ ଓ ଆଶା ଦିଦି ଲୋକଙ୍କୁ ମ୍ୟାଲେରିଆରୁ ଦୂରେଇ ରହିବା ପାଇଁ ଲୋକଙ୍କୁ ସଚେତନ କରୁଛନ୍ତି ।

ସରକାରଙ୍କ ସ୍ୱତନ୍ତ୍ର ଖସଡ଼ା କାର୍ଯ୍ୟକ୍ରମ ଅନୁଯାୟୀ, ୭ଟି ବ୍ଲକରେ ୧୪ ଜଣ ଅଧିକାରୀଙ୍କୁ ନିଯୁକ୍ତ କରାଯାଇଛି । ଆଉ ଏହି ସ୍ୱାସ୍ଥ୍ୟକର୍ମୀମାନେ ସଚେତନ କରିବା ସହ ଅତ୍ୟାଧୁନିକ ରାପିଡ୍ ଟେଷ୍ଟ କିଟରେ ଲୋକଙ୍କର ପରୀକ୍ଷା ମଧ୍ୟ କରୁଛନ୍ତି । ଫଳରେ ମାର୍ଚ୍ଚ ମାସରେ ୩୪ ପ୍ରତିଶତ ଲୋକ ମଶାରୀ ବ୍ୟବହାର କରୁଥିବା ବେଳେ ସଚେତନତା ପରେ ଏହା ୮୪ ପ୍ରତିଶତକୁ ବୃଦ୍ଧି ପାଇଛି । ଫଳ ସୂରୁପ ଜୁନ ମାସରୁ ମ୍ୟାଲେରିଆ ଆକ୍ରାନ୍ତଙ୍କ ସଂଖ୍ୟା ହ୍ରାସ ପାଇବାରେ ଲାଗିଛି । ତେବେ ଡିସେମ୍ବର ମାସ ସୁଦ୍ଧା ଜିଲ୍ଲା ସମ୍ପୂର୍ଣ୍ଣ ମ୍ୟାଲେରିଆ ମୁକ୍ତ ହେବା ବୋଲି ଜିଲ୍ଲା ଅଧିକାରୀ କହିଛନ୍ତି । ମାଲକାନଗିରି ଜିଲ୍ଲାକୁ ମ୍ୟାଲେରିଆ ମୁକ୍ତ କରିବାରେ ଜିଲ୍ଲା ପ୍ରଶାସନ ଏହି ଉଦ୍ୟମ ଅନ୍ୟ ଜିଲ୍ଲା ପାଇଁ ଉଦାହରଣ ସୃଷ୍ଟି କରିବ ।

ମୋ ଝିଅକୁ ରକ୍ତ ଦେଲେ ନାହିଁ ମାରିଦେଲେ, ଉତ୍ୟକ୍ତ ଲୋକେ ସୁପରିଟେଣ୍ଡଙ୍କୁ ଘୋଷାଡ଼ିି ପିଟିଲେ

ବାରିପଦା: ହସ୍ପିଟାଲ ସୁପରିଟେଣ୍ଡେଟଙ୍କୁ ଠେଲା ପେଲା । ରକ୍ତ ଅଭାବରୁ ମୃତ୍ୟୁ ଅଭିଯୋଗ । ହସ୍ପିଟାଲରେ ଚିକିତ୍ସା ଅବହେଳାର ସାଙ୍ଘାତି ଅଭିଯୋଗ । ପଦାରେ ପଡ଼ିଛି ବାରିପଦା ପଣ୍ଡିତ ରଘୁନାଥ ମୁର୍ମୁ ମେଡିକାଲ କଲେଜ ଅବ୍ୟବସ୍ଥା । ପିଆରଏମ୍ ହସ୍ପିଟାଲ ସମ୍ମୁଖରେ ପରିବାର ଲୋକଙ୍କ ଧାରଣା । ମୃତକ ହେଲେ ସାମାଖୁଣ୍ଟା ବ୍ଲକ ସପନଚୁଆ ଗ୍ରାମର ୧୭ ବର୍ଷୀୟା ସୁପ୍ରିୟା ପାତ୍ର । ଗତ ଶନିବାର ଠାରୁ ଝିଅ ରକ୍ତହିନତା ରୋଗ ପାଇଁ ମେଡିକାଲ କଲେଜରେ ଭର୍ତ୍ତି ହୋଇଥିଲା ।

ରକ୍ତ ଅଭାବରୁ ଝିଅ ଅଧିକ ଅସୁସ୍ଥ ହୋଇପଡ଼ିଥିଲେ । ସେଥିପାଇଁ ଝିଅଙ୍କ ବାପା ଡାକ୍ତରଙ୍କୁ ରକ୍ତ ଯୋଗାଇ ଦେବାକୁ ଅନୁରୋଧ କରିଥିଲେ। ହେଲେ ଡିୟୁଟିରେ ଥିବା ଡ଼ାକ୍ତର ମାନେ ତାଙ୍କ କଥା ଶୁଣି ନ ଥିଲେ । ତେବେ ଆଜି ସକାଳୁ ଝିଅର ମୃତ୍ୟୁ ହୋଇଥିଲା । ଏହା ପରେ ପରିବାର ଓ ସମ୍ପର୍କୀୟ ମାନେ ଝିଅ ଶବ ଧରି ମେଡ଼ିକାଲ କଲେଜ ମୁଖ୍ୟ ଫାଟକରେ ଧାରଣା ଦେଇଥିଲେ ।

ଅଭିଯୋଗ ଅନୁସାରେ ଡିୟୁଟିରେ ଥିବା କର୍ମଚାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି କରିଥିଲେ । କିନ୍ତୁ ମେଡ଼ିକାଲ କଲେଜ ସୁପରିଟେଣ୍ଡେଟ ଏକଥାରେ ରାଜି ହୋଇ ତଦନ୍ତ ପରେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି କହିଥିଲେ । କିନ୍ତୁ ସମ୍ପର୍କୀୟ ଲୋକ ଉତେଜିତ ହୋଇ ସୁପରିଟେଣ୍ଡଙ୍କ ଚାମ୍ବରରେ ପଶି ଠେଲାପେଲା କରିବା ସହ ସାର୍ଟ ଚିରିଦେଇଥିବା ଦେଖିବାକୁ ମିଳିଥିଲା । ଘଟଣା ସ୍ଥଳରେ ବାରିପଦା ପୋଲିସ ଉପଖଣ୍ଡ ଅଧିକାରୀ, ତହସିଲଦାର ଉପସ୍ଥିତ ରହି ମୃତକଙ୍କ ସମ୍ପର୍କୀୟଙ୍କୁ ବୁଝାସୁଝା କରିଥିଲେ ।

ଅନୁକମ୍ପା ମୂଳକ ଭାବେ ଜିଲ୍ଲା ରେଡକ୍ରସ ପକ୍ଷରୁ ଦଶ ହଜାର ଟଙ୍କା ସହ ୧୫ ଦିନ ମଧ୍ୟରେ ତଦନ୍ତ ପରେ ସରକାରୀ ନିୟମ ଅନୁଯାୟୀ ଦୋଷୀକୁ ଦଣ୍ଡ ଦିଆଯିବ ବୋଲି ପ୍ରତିଶ୍ରୁତି ଦେଇଛନ୍ତି । ତେବେ ଝିଅ ଟି ରକ୍ତହୀନତା ରୋଗରେ ଗୁରୁତର ଅବସ୍ଥାରେ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା ବୋଲି ହସ୍ପିଟାଲ ସୁପରିଣ୍ଟେଡେଣ୍ଟ କହିଛନ୍ତି । ଏ ସମ୍ପର୍କରେ ବାରିପଦା ଟାଉନ ଥାନା ରେ ଉଭୟ ପକ୍ଷରୁ ଅଭିଯୋଗ କରାଯାଇଛି । ଏହା ପରେ ଧାରଣାରେ ବସିଥିବା ପରିବାର ଲୋକ ଆନ୍ଦୋଳନରୁ ପ୍ରତ୍ୟାହୃତ କରିଥିଲେ ।

ରାଜ୍ୟ କ୍ରୀଡ଼ା ଭିତ୍ତିଭୂମିରେ ଯୋଡି ହେଲା ଆଉ ୩ ଫର୍ଦ୍ଦ, ହିଞ୍ଜିଳିକାଟୁ, ଛତ୍ରପୁରେ ଇନଡୋର ଷ୍ଟାଡିୟମ ଲୋକର୍ପିତ

ବ୍ରହ୍ମପୁର/ଭୁବନେଶ୍ୱର : ଓଡ଼ିଶା କ୍ରୀଡ଼ା ଭିତ୍ତିଭୂମିରେ ସୋମବାର ଯୋଡି ହୋଇଛି ନୂଆ ଅଧ୍ୟାୟ ।ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଦ୍ୱାରା ଉଦଘାଟିତ ହୋଇଛି ୩ ପ୍ରମୁଖ କ୍ରୀଡ଼ାସ୍ଥଳୀ । ଭିଡିଓ କନଫରେନ୍ସିଂ ମାଧ୍ୟମରେ ଏହି ସବୁ ଉଦଘାଟନୀ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା ।

ସର୍ବପ୍ରଥମେ ରାଜଧାନୀସ୍ଥିତ କଳିଙ୍ଗ ଷ୍ଟାଡିୟମ ପରିସରରେ ଆଦିତ୍ୟ ବିର୍ଲା ଗଗନ ନାରଙ୍ଗ ସୁଟିଂ ହାଇ ପରଫର୍ମାନ୍ସ ସେଣ୍ଟର ଉଦଘାଟିତ ହୋଇଥିଲା । ଏହା ପରେ ଗଞ୍ଜାମ ଜିଲ୍ଲା ହିଞ୍ଜିଳିକାଟୁ ଓ ଛତ୍ରପୁର ଠାରେ ନବନିର୍ମିତ ଇନଡୋର ଷ୍ଟାଡିୟମର ଉଦଘାଟନୀ କରାଯାଇଥିଲା । ଓଡ଼ିଶା ସରକାରଙ୍କ  ରାଜ୍ୟ କ୍ରୀଡ଼ା ଓ ଯୁବ ବ୍ୟାପାର ବିଭାଗ ପକ୍ଷରୁ ଇନଡୋର ହଲର ନିର୍ମାଣ କରାଯାଇଛି । ହିଞ୍ଜିଳିଠାରେରେ 10 କୋଟି 98 ଲକ୍ଷ 75 ହଜାର ଟଙ୍କା ବ୍ୟୟରେ ନିର୍ମିତ ଇନଡୋର ଷ୍ଟାଡିୟମରେ 4 ବ୍ୟାଡମିଣ୍ଟନ କୋର୍ଟ, ଗୋଟିଏ ଲେଖାଁଏ ଟେବୁଲ ଟେନିସ, ଚେସ, ବାସ୍କେଟବଲ ଓ ଭଲିବଲ କୋର୍ଟ  ରହିଛି। ସେହିପରି ଛତ୍ରପୁରରେ 2 କୋଟି 61 ଲକ୍ଷ ଟଙ୍କା ବ୍ୟୟରେ ନିର୍ମିତ ଇନଡୋର ଷ୍ଟାଡିୟମରେ 3 ଗୋଟି ବ୍ୟାଡମିଣ୍ଟନ କୋର୍ଟ ଓ ଗୋଟିଏ ଲେଖାଁଏ ଟେବୁଲ ଟେନିସ ଓ ଚେସ କୋର୍ଟ ରହିଛି।

କବି ମୁନ୍‌ଓ୍ୱର ରାଣାଙ୍କ ବିରୋଧରେ ଏତଲା, ଫ୍ରାନ୍ସ ହିଂସାକାଣ୍ଡକୁ ନେଇ ଦେଇଥିଲେ ବିବାଦୀୟ ବୟାନ୍‌…

ଲକ୍ଷ୍ନୌ: ଲକ୍ଷ୍ନୌର ହଜରତଗଞ୍ଜ ପୋଲିସ ଷ୍ଟେସନରେ କବି ମୁନୱର ରାଣାଙ୍କ ବିରୋଧରେ ଏତଲା ଦାୟର କରାଯାଇଛି । ଫ୍ରାନ୍ସରେ ହୋଇଥିବା ହତ୍ୟା ଘଟଣାକୁ ନେଇ ମୁନୱର ଏକ ବିବାଦୀୟ ବୟାନ ଦେଇଥିଲେ । ସେହି ବୟାନ୍‌ ଯୋଗୁଁ ଏବେ ତାଙ୍କ ନାଁରେ ଥାନାରେ ମାମଲା ରୁଜୁ କରାଯାଇଛି । ସେ ନିଜ ବୟାନରେ ଫ୍ରାନ୍ସରେ ହୋଇଥିବା ହତ୍ୟା ଘଟଣାକୁ ଯଥାର୍ଥ ବୋଲି ଦର୍ଶାଇଥିଲେ । ଏତଲାରେ ଏହି ବିବୃତ୍ତିକୁ ସମ୍ପୂର୍ଣ୍ଣ ଅସାମାଜିକ ବୋଲି ଦର୍ଶାଯାଇଛି । ଏଭଳି ବିବୃତ୍ତି ଦ୍ୱାରା ସମାଜରେ ଅସହଯୋଗ ବୃଦ୍ଧି ହେବାର ସମ୍ଭାବନା ରହିଛି । ଏମିତିକି ଏଭଳି ବିବୃତ୍ତି ସମାଜରେ ଶାନ୍ତି ଭଙ୍ଗ କରିବା ପାଇଁ ଯଥେଷ୍ଟ ବୋଲି କୁହାଯାଇଛି । ତେଣୁ ତାଙ୍କ ବିରୋଧରେ ମାମଲା ଦାୟର କରାଯାଇଛି ।

Poet Munwar Rana

ମୁନଓ୍ୱର ରାଣାଙ୍କ ବିରୋଧରେ ପୋଲିସ ଆଇପିସିର ଧାରା ୧୫୩a-୨୯୫a-୨୯୮-୫୦୫ ଅନୁଯାୟୀ ମାମଲା ରୁଜୁ କରିଛି । ଡିସିପି ସେଣ୍ଟ୍ରାଲ ସୋମେନ ବର୍ମାଙ୍କ ଅନୁଯାୟୀ, ମୁନାୱାର ରାଣା ଏକ ଘରୋଇ ଚ୍ୟାନେଲରେ ବିବୃତ୍ତି ଦେଇଛନ୍ତି, ଯେଉଁଥିରେ କାର୍ଟୁନ ବିବାଦ ପରେ ଫ୍ରାନ୍ସରେ ହୋଇଥିବା ହତ୍ୟାକାଣ୍ଡକୁ ଯଥାର୍ଥ ବୋଲି ଦର୍ଶାଇଛନ୍ତି । ଏଭଳି ବୟାନ ସାମଜ ପାଇଁ ହାନୀକାରକ ।

ତେବେ ମୁନଓ୍ୱର ରାଣା ଏହି ଘଟଣା ପରେ କହିଛନ୍ତି, ‘ମୁ ମୋ ବୟାନରେ ଅଟଳ ରହିଛି ଏବଂ ରହିବି । ଯାହା କହିଛି ଠିକ୍‌ କହିଛନ୍ତି । ଫ୍ରାନ୍ସ ହତ୍ୟାକାଣ୍ଡ ବିଷୟରେ ସତ କହିଛି । ଏଥିପାଇଁ ଯେଉଁ ଦଣ୍ଡ ମିଳିବ ମୁଁ ସ୍ୱୀକାର କରୁଛି । ମୁଁ ସେହିମାନଙ୍କ ଭଳି ନୁହେଁ ଯେଉଁମାନେ ମାମଲା ଭୟରେ ପାଇଁ ସତ କହିବାକୁ ବି ଡରନ୍ତି । ଯଦି ମୋ ବୟାନ ଯୋଗୁଁ କିଛି ଅପରାଧ ହୋଇଛି ତେବେ ମତେ ରାସ୍ତା ମଝିରେ ଗୁଳି କରିଦିଆଯାଉ ।’

Poet Munwar Rana

ସେ ଆହୁରି କହିଛନ୍ତି ୬୯ ବର୍ଷୀୟ କବିକୁ ଜିହାଦି ବୋଲି ଘୋଷଣା କରିଦେଲେ ମଧ୍ୟ ସେ ସତ କହିବା ବନ୍ଦ କରିବେ ନାହିଁ । ଖାଲି ସେତିକି ନୁହେଁ ନିଜ ବୟାନ ପାଇଁ ସେ କ୍ଷମା ପ୍ରାର୍ଥନା ବି କରିବେ ନାହିଁ । ସୂଚନାଯୋଗ୍ୟ, କବି ମୁନୱର ରାଣା ଫ୍ରାନ୍ସରେ ନିର୍ଦ୍ଦୋଷମାନଙ୍କୁ ହତ୍ୟା କରିଥିବା ଅଭିଯୁକ୍ତ ସପକ୍ଷରେ ନିଜ ଉକ୍ତି ରଖିଥିଲେ । ସେ କହିଥିଲେ ଯଦି ନିଜ ଧର୍ମକୁ ଆମେ ଯଦି ମା’ ବୋଲିୁ କହିଥାଉ ତେବେ ମା’କୁ ଯେମିତି କେହି ସମାଲୋଚନା କିମ୍ବା ପରିହାସ କଲେ ବାଧେ, ସେମିତି ଧର୍ମକୁ କିଏ ସମାଲୋଚନା କିମ୍ବା ପରିହାସ କଲେ ବାଧେ । ଆଉ ଏଥିରେ ଜଣେ ପୁଅ ଉଗ୍ର ହେବା ସ୍ୱାଭାବିକ୍‌ ।

ତେବେ ପରେ ଏକ ଜାତୀୟ ଗଣମାଧ୍ୟମକୁ ସାକ୍ଷାତକାର ଦେଇ ମୁନଓ୍ୱର କହିଛନ୍ତି ଯେ, ସେ କେବେ ବି ଫ୍ରାନ୍ସରେ ହୋଇଥିବା ହିଂସାକୁ ଯଥାର୍ଥ ଦର୍ଶାଇ ନାହାନ୍ତି । ସେ କେବଳ କହିଛନ୍ତି ଜାତି- ଧର୍ମ ଏକ ବିପଜ୍ଜନକ ଖେଳ, ମଣିଷ ଏଥିରୁ ଦୂରେଇ ରହିବା ଉଚିତ୍ ।

୨୦ ବର୍ଷ ପରେ ପାକିସ୍ତାନରୁ ଫେରିବେ ଓଡ଼ିଆ ପୁଅ, ୨୫ ବର୍ଷ ହେବ ଘରୁ ପଳାଇଥିଲେ

ସୁନ୍ଦରଗଡ଼: ୨୦ ବର୍ଷ ପରେ ଗାଁ କୁ ଫେରିବ ଗାଁର ପୁଅ । ଏଥିପାଇଁ ଗାଁରେ ଖୁସିର ମାହୋଲ । ନାଚି କୁଦି ଖୁସି ମନାଉଛନ୍ତି ପରିବାର ଲୋକେ । ମନରେ ଖୁସିଯେ କହିଲେ ନସରେ । ଯେଉଁ ଦେଶରେ ବନ୍ଦୀ ହେଲେ ଫେରିବା ଅସମ୍ଭବ ସେହି ଦେଶରୁ ଫେରୁଛି ଭାରତ ମାଟିର ପୁଅ । ୨୦ ବର୍ଷ ପରେ ପୁଅକୁ ଦେଖିବ ମାଆ । ତେବେ ୨୫ ବର୍ଷ ହେବ ଘରୁ ପଳାଇଥିଲେ ଯୁବକ । ୫ ବର୍ଷ ଏଣେତେଣେ ବୁଲିବା ପରେ ପହଞ୍ଚିଥିଲେ ଆମ ଶତ୍ରୁ ଦେଶ ପାକିସ୍ତାନରେ । ଦିନେ ନୁହେଁ କି ଦୁଇ ଦିନ ନୁହେଁ, ୨୦ ବର୍ଷ କାଟିଥିଲେ ପାକିସ୍ତାନ ଜେଲରେ ।  ଏଭଳି ଏକ ଘଟଣା ଦେଖିବାକୁ ମିଳିଛି ସୁନ୍ଦରଗଡ଼ ଜିଲ୍ଳା କଟଙ୍କ ଗାଁରେ । ତାଙ୍କୁ ଏବେ ୪୫ ବର୍ଷ ।

୨୫ଵର୍ଷ ତଳେ ଘରୁ ପଳାଇ ଯାଇଥିଲେ ସୁନ୍ଦରଗଡ଼ ଜିଲ୍ଲାର କଟଙ୍ଗ ଗ୍ରାମର ବିରଜୁ କୁଲୁ । ପରିବାର ଲୋକେ ଥାନାରେ ଅଭିଯୋଗ ନକରି ଖୋଜାଖୋଜି କରିଥିଲେ । ହେଲେ ତାଙ୍କୁ ପାଇନଥିଲେ କେହି । ଭୁଲବଶତଃ ସୀମା ଡେଇଁ ପାକିସ୍ତାନ ଭିତରକୁ ଚାଲିଯାଇଥିଲେ ବିରଜୁ । ପାକିସ୍ତନରେ ଗିରଫ ହେବା ପରେ ତାଙ୍କୁ ଜେଲରେ ଭର୍ତ୍ତି କରାଯାଇଥିଲା । ସେଠାରେ ଦୀର୍ଘ ୨୦ ବର୍ଷ ପାକିସ୍ତାନ ଜେଲରେ ରହିଥିବା ବିରଜୁଙ୍କୁ ପାକିସ୍ତାନ ମୁକ୍ତ କରିଛି । ଜେଲରୁ ମୁକୁଳି ଭାରତ ଆସିଛନ୍ତି ବିରଜୁ । ଯାହାକୁ ନେଇ ବିରଜୁଙ୍କ ପରିବାର ଲୋକେ ଓ ଗ୍ରାମବାସୀ ଖୁସି ପ୍ରକାଶ କରିଛନ୍ତି ।

ପରିବାର ଲୋକେ  ଦିର୍ଘ ୨୦ ବର୍ଷ ପରେ ବିରଜୁଙ୍କୁ ଦେଖିବା ପାଇଁ ଅପେକ୍ଷା କରି ରହିଛନ୍ତି ।  ବିରଜୁ ଏବେ ଭାରତ ଫେରି ଅମୃତସରରେ ପହଞ୍ଚିବା ପରେ କ୍ୱାରେଣ୍ଟାଇନରେ ଅଛନ୍ତି । ଵିରଜୁଙ୍କୁ ସୁନ୍ଦରଗଡ଼ ଆଣିବା ପାଇଁ ପ୍ରଶାସନ ଓ ପୋଲିସ ପଷରୁ ଉଦ୍ୟମ ଆରମ୍ଭ ହୋଇଛି । ତେବେ ପୋଲିସ ପ୍ରଶାସନ ସହ ବିରଜୁଙ୍କ ପରିବାର ଲୋକେ ଅମ୍ରିତସର ଯାଇ ବିରଜୁଙ୍କୁ ଆଣିବେ ବୋଲି ସୂଚନା ରହିଛି ।