spot_img
Home Blog Page 6491

NCB ସମନ ଜାରି ପରେ ଦୀପିକାଙ୍କ ମ୍ୟାନେଜର କରିସ୍ମା ଗାଏବ

ମୁମ୍ୱାଇ: ବଲିଉଡ ଅଭିନେତ୍ରୀ ଦୀପିକା ପାଦୁକୋନଙ୍କ ମ୍ୟାନେଜର କରିସ୍ମା ପ୍ରକାଶଙ୍କୁ ନରକୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋ (ଏନସିବି) ପଚରାଉଚରା ପାଇଁ ସମନ ଜାରି କରିଥିଲା । ଏନସିବି ସମନ ଜାରି କରିବା ପରେ କରିସ୍ମାଙ୍କର କୌଣସି ପତା ମିଳୁନାହିଁ । ଏନସିବି ଅଧିକାରୀମାନେ ସୋମବାର ଏହି ସୂଚନା ଦେଇଛନ୍ତି । ଉଲ୍ଲେଖନୀୟ ଯୋଗ୍ୟ ଯେ, ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ମୃତ୍ୟୁ ମାମଲାରେ ଏନସିବି ଡ୍ରଗ୍ ଆଙ୍ଗେଲର ଅନୁସନ୍ଧାନ କରୁଛି ।

ଅନୁସନ୍ଧାନ ଜଡିତ ଜଣେ ଏନସିବି ଅଧିକାରୀ କହିଛନ୍ତି ଯେ, ତାଙ୍କୁ ଅକ୍ଟୋବର ମାସ ୨୭ ତାରିଖରେ ଏନସିବିରେ ହାଜର ହେବାକୁ କୁହାଯାଇଥିଲା। ତାଙ୍କୁ ଏବେ ଟ୍ରେସ କରିବାରେ ଅଧିକାରୀମାନେ ଅସଫଳ ହୋଇଛନ୍ତି । ଏଯାଏଁ ଏହା ନିଶ୍ଚିତ ହୋଇନାହିଁ ଯେ, କ୍ୱାନ ଟ୍ୟାଲେଣ୍ଟ ମ୍ୟାନେଜମେଣ୍ଟର କର୍ମଚାରୀଙ୍କୁ ମଧ୍ୟ ପଚରାଉଚରା ପାଇଁ ଡକାଯାଇଛି।

ଗତ ମାସରେ, ଏନସିବି ଦୀପିକାଙ୍କ ଘରୁ ୧.୭ ଗ୍ରାମ ଚରସ ଏବଂ କିଛି ବୋତଲ CBD ତେଲ ଜବତ କରିଥିଲା । ଏହା ପରେ ତାଙ୍କୁ ସମନ ଜାରି କରିଥିଲା। ଏହାପୂର୍ବରୁ ଦୀପିକା ଏବଂ କରିସ୍ମା ପ୍ରକାଶ ଥରେ ଏନସିବି ସମ୍ମୁଖରେ ହାଜର ମଧ୍ୟ ହୋଇଥିଲେ। କରିସ୍ମା ପ୍ରକାଶଙ୍କୁ ଏଜେନ୍ସି ପଚରାଉଚରା ପାଇଁ ପୁଣି ଡାକିଥିଲା । ହେଲେ ସେବେଠୁ ସେ ଗାଏବ ଅଛନ୍ତି । ଦୀପିକାଙ୍କ ବ୍ୟତୀତ ଏନସିବି ବଲିଉଡ ଅଭିନେତ୍ରୀ ଶ୍ରଦ୍ଧା କପୁର ଏବଂ ସାରା ଅଲି ଖାନଙ୍କୁ ମଧ୍ୟ ପଚରାଉଚୁରା କରିଛି। ଏନସିବି ଏହି ତିନୋଟି ଅଭିନେତ୍ରୀଙ୍କ ଫୋନ୍ ଜବତ କରି ଫୋରେନସିକ୍ ବିଭାଗକୁ ଯାଞ୍ଚ ପାଇଁ ପଠାଇଛି।

କଟକଣାରେ କଟକ କାଳୀପୂଜା; ସହରରେ ମୁତୟନ ହେବେ ୧୫ ପ୍ଲାଟୁନ୍ ଓ ୫୦ ପୋଲିସ ଅଧିକାରୀ…

କଟକ: କଟକ କାଳୀପୂଜା ପାଇଁ ପ୍ରାରମ୍ଭିକ ପ୍ରସ୍ତୁତି ସରିଛି । କମିଶନରେଟ୍ ପୋଲିସ କାଳୀପୂଜା କଟକଣା ନେଇ ସୂଚନା ଦେଇଛି । ମିଳିଥିବା ସୂଚନା ଅନୁଯାୟୀ, କୋଭିଡ୍ ଗାଇଡଲାଇନ ଆଧାରରେ ହିଁ କାଳୀପୂଜା ହେବ । ମୂର୍ତ୍ତିର ଉଚ୍ଚତା ୪ ଫୁଟ୍ ରହିପାରିବ । ସେହିଭଳି ପୂଜା ମଣ୍ଡପରେ ୭ ଜଣରୁ ଅଧିକ ଏକାଠି ହୋଇପାରିବେ ନାହିଁ । ସୁରକ୍ଷା ଦୃଷ୍ଟିରୁ ୧୫ ପ୍ଲାଟୁନ୍ ପୋଲିସ କର୍ମଚାରୀ ଓ ୫୦ ଜଣ ପୋଲିସ ଅଧିକାରୀ ଦାୟିତ୍ୱରେ ରହିବେ ।

କୋଭିଡ୍ ଗାଇଡଲାଇନ ଭାଙ୍ଗିଲେ, ଜରିମାନା ଦେବାକୁ ପଡ଼ିବ । ଅନ୍ୟପକ୍ଷରେ ବାଣ ବିକ୍ରିକୁ ଅନୁମତି ମିଳିଛି । କମିଶନରେଟ୍ ପୋଲିସର ଅନୁମତି ନେଇ ବାଣ ଦୋକାନ କରିପାରିବେ । ଦୋକାନୀଙ୍କୁ ଏଥିପାଇଁ କମିଶନରେଟ୍ ପୋଲିସ ନିକଟରେ ଆବେଦନ କରିବାକୁ ପଡିବ । ବିନା ଅନୁମତିରେ କଟକ ସହରରେ ବାଣ ବିକ୍ରି ହୋଇପାରିବ ନାହିଁ । ତେବେ କୋଭିଡ୍ ଗାଇଡଲାଇନକୁ ମାନି ପୂଜା କରିବାକୁ କମିଶନରେଟ୍ ପୋଲିସ  ଡିସିପିଙ୍କ ପକ୍ଷରୁ ଅପିଲ୍ କରାଯାଇଛି ।

ରାଜୁ ମିଶ୍ରଙ୍କର ପରଲୋକ; ନିର୍ଦ୍ଦେଶନାର ଏକ ନୂଆ ଧାରା ଥିଲେ

ଓଡିଆ ଚଳଚ୍ଚିତ୍ର ନିର୍ଦ୍ଦେଶକ ରାଜୁ ମିଶ୍ରଙ୍କର ପରଲୋକ ଘଟିଛି । ହୃତଘାତରେ ତାଙ୍କର ମୃତ୍ୟୁ ହୋଇଥିବା ସୂଚନା ମିଳିଛି । ମୃତ୍ୟୁ ବେଳକୁ ତାଙ୍କୁ ୭୨ ବର୍ଷ ବୟସ ହୋଇଥିଲା । ଅନେକ ସୁପରହିଟ୍ ଓଡିଆ ଚଳଚ୍ଚିତ୍ରରେ ନିର୍ଦ୍ଦେଶକ ଭାବେ ଦାୟିତ୍ୱ ନିର୍ବାହ କରି ସେ ବେଶ ସଫଳତା ହାତେଇଛନ୍ତି ।ଜଟଣୀସ୍ଥିତ ବାସଭବନରେ ସେ ଶେଷ ନିଶ୍ବାସ ତ୍ୟାଗ କରିଛନ୍ତି । ଅନେକ ସୁପର୍‌ହିଟ୍ ଓଡ଼ିଆ ଫିଲ୍ମରେ ସେ ନିର୍ଦ୍ଦେଶନା ଦେଇଥିଲେ । ଏକାଧାରାରେ ରାଜୁ ମିଶ୍ର ଥିଲେ ସିନେମାଟୋଗ୍ରାଫର, ସଙ୍ଗୀତଜ୍ଞ ଓ ଚଳଚ୍ଚିତ୍ର ନିର୍ଦ୍ଦେଶକ ଥିଲେ । ଜୟଦେବ ପୁରସ୍କାରରେ ସମ୍ମାନିତ ହୋଇଥିଲେ ରାଜୁ ମିଶ୍ର । ୪୪ତମ ଆନ୍ତର୍ଜାତିକ ଚଳଚ୍ଚିତ୍ର ଉତ୍ସବରେ ଜୁରୀ ଥିଲେ । ରାଜୁ ମିଶ୍ରଙ୍କ ପ୍ରଥମ ନିର୍ଦ୍ଦେଶିତ ଚଳଚ୍ଚିତ୍ର ଥିଲା ଜୋର ଯାର ମୁଲକ ତାର । ‘ଉଲ୍‌କା’ ଥିଲା ତାଙ୍କ ପ୍ରଥମ ଚିତ୍ର ଉତ୍ତୋଳନ ଓ ସଙ୍ଗୀତ ଦେଇଥିବା ଫିଲ୍ମ ।

ରାଜୁ ମିଶ୍ରଙ୍କ ପ୍ରଥମ ଅଭିନୀତ ଫିଲ୍ମ ଥିଲା କବି ସମ୍ରାଟ ଉପେନ୍ଦ୍ର ଭଞ୍ଜ । 2020ରେ ସେ କେଳୁଚରଣ ମହାପାତ୍ର ପୁରସ୍କାର ପାଇଥିଲେ । ‘ଜୀବନ ମୃତ୍ୟୁ, ‘ହରିଭାଇ ହାରେନା, ‘ସତମିଛ, ‘ସାଗର ଗଙ୍ଗା’, ‘ରୁପା ଗାଁର ସୁନା କନିଆ’, ‘ପଥର ଖସୁଛି ବଡ଼ ଦେଉଳୁ’, ‘ଚକା ଆଖି ସବୁ ଦେଖୁଛି’ ଭଳି ସୁପରହିଟ୍ ଫିଲ୍ମରେ ନିର୍ଦ୍ଦେଶନା ଦେଇଥିଲେ ରାଜୁ ମିଶ୍ର । ବିଶିଷ୍ଟ ଚଳଚ୍ଚିତ୍ର ନିର୍ଦ୍ଦେଶକ ରାଜୁ ମିଶ୍ରଙ୍କ ପରଲୋକରେ ସିନେ ଜଗତରେ ଶୋକର ଛାୟା ଖେଳିଯାଇଛି । ୨୦୨୦ରେ ସେ କେଳୁଚରଣ ମହାପାତ୍ର ପୁରସ୍କାର ପାଇଥିଲେ । ଓଡିଆ ଚଳଚ୍ଚିତ୍ରର ଏକ ଗତାନୁଗତିକ ଧାରାକୁ ଭାଙ୍ଗି ସେ ଏକ ନୂଆ ଧରଣର ପ୍ରଚେଷ୍ଟା କରି ସଫଳ ହୋଇଥିଲେ । ତେବେ ତାଙ୍କ ବିୟୋଗରେ କୁନା ତ୍ରିପାଠୀ ଓ ସବ୍ୟସାଚୀ ମହାପାତ୍ରଙ୍କ ଭଳି ପ୍ରମୁଖ ଅଭିନେତାମାନେ ଶୋକ ପ୍ରକାଶ କରିବା ସହ ତାଙ୍କ ନିର୍ଦ୍ଦେଶନାର ନିପୁଣତାକୁ ବଖାଣିଛନ୍ତି ।

ବାବ୍ରି ମସଜିଦ ବିଧ୍ୱଂସ ମାମଲାର ଶୁଣାଣି କରିଥିବା ବିଚାରପତିଙ୍କ ସୁରକ୍ଷା ବଢ଼ାଯିବ ନାହିଁ: ସୁପ୍ରିମକୋର୍ଟ

ନୂଆଦିଲ୍ଲୀ: ୨୮ ବର୍ଷ ପୁରୁଣା ବାବ୍ରି ମସଜିଦ ବିଧଂସ୍ୱ ମାମଲାର ଶୁଣାଣି କରିଥିବା ବିଚାରପତି ଏସକେ ଯାଦବଙ୍କ ସୁରକ୍ଷା ବୃଦ୍ଧି କରାଯିବ ନାହିଁ ବୋଲି ସୁପ୍ରିମ କୋର୍ଟର ନିର୍ଦ୍ଦେଶ । ଏହା ପୂର୍ବରୁ ସୁପ୍ରିମ କୋର୍ଟ ଏସକେ ଯାଦବଙ୍କୁ ସୁରକ୍ଷା ପ୍ରଦାନ କରିଥିଲେ । ଏମିତିକି ମାମଲାର ଶୁଣାଣି ପାଇଁ ତାଙ୍କ ଅବସର ସମୟକୁ ମଧ୍ୟ ବୃଦ୍ଧି କରାଯାଇଥିଲା । ନିକଟରେ ବାବ୍ରି ମସଜିଦ ବିଧଂସ୍ୱ ମାମଲାରେ ରାୟ ଆସିଥିଲା ଯେଉଁଥିରେ ଲାଲକୃଷ୍ଣ ଆଡଭାନୀଙ୍କ ସମେତ ସମସ୍ତ ଅଭିଯୁକ୍ତଙ୍କୁ ନିର୍ଦ୍ଦୋଶ ଘୋଷଣା କରାଯାଇଥିଲା ।

ସୂଚନା ଅନୁଯାୟୀ ମାମଲାର ଶୁଣାଣି କରିଥିବା ବିଚାରପତି ଏସକେ ଯାଦବ ବିଗତ ବର୍ଷ ସେପ୍ଟେମ୍ବର ୩୦ରେ ଚାକିରିରୁ ଅବସର ନେଇଥାନ୍ତେ, କିନ୍ତୁ ସୁପ୍ରିମ କୋର୍ଟ ଏଥିରେ ରୋକ ଲଗାଇଥିଲେ । ସ୍ପେଶାଲ ସିବିଆଇ ବିଚାରପତି ଏସକେ ଯାଦବଙ୍କୁ ଅପ୍ରେଲ ୨୦୨୦ ପର୍ଯ୍ୟନ୍ତ କାର୍ଯ୍ୟରେ ରହି ମାମଲାର ଶୁଣାଣି କରିବା ପାଇଁ ସୁପ୍ରିମ କୋର୍ଟ ନିର୍ଦ୍ଦେଶ ଦେଇଥିଲେ । କାର୍ଯ୍ୟକାଳ ବଢ଼ାଇବାକୁ ନେଇ ସୁପ୍ରିମ କୋର୍ଟ ଉତ୍ତର ପ୍ରଦେଶ ସରକାରଙ୍କୁ ଏ ନେଇ ମତ ରଖିବାକୁ କହିଥିଲେ, ଯାହା ଉତ୍ତରରେ ୟୁପି ସରକାର କହିଥିଲେ ଯେ, ରାଜ୍ୟରେ କୌଣସି ବିଚାରପତିଙ୍କ କାର୍ଯ୍ୟକାଳ ବଢ଼ାଇବା ନେଇ କୌଣସି ବ୍ୟବସ୍ଥା ନାହିଁ । ତେଣୁ କୋର୍ଟ ନିଜ ଅନୁଚ୍ଛେଦ ୧୪୨ ଅଧିନରେ ଏହା କରିପାରିବେ ।

ଏହା ପରେ ମାମଲାର ଶୁଣାଣି ଆସିବା ପର୍ଯ୍ୟନ୍ତ ତାଙ୍କ କାର୍ଯ୍ୟକାଳ ବଢ଼ାଇବା ପାଇଁ ନିର୍ଦ୍ଦେଶ ଦେଇଥିଲା ସର୍ବୋଚ୍ଚ ନ୍ୟାୟାଳୟ । ନିର୍ଦ୍ଦେଶ ଅନୁଯାୟୀ, ୟୁପି ସରକାର ଏକ ବିଜ୍ଞପ୍ତି ଜାରି କଲେ ଏବଂ ରାୟ ଆସିବା ପର୍ଯ୍ୟନ୍ତ ତାଙ୍କ କାର୍ଯ୍ୟକାଳ ବୃଦ୍ଧି କରାଗଲା । ବିଚାର ପ୍ରକ୍ରିୟା ସମୟରେ ବିଚାରପତି ସୁପ୍ରିମକୋର୍ଟରେ ସୁରକ୍ଷା ପାଇଁ ଆବେଦନ କରିଥିଲେ, ଯାହା ପରେ ସୁପ୍ରିମକୋର୍ଟ ୟୁପି ସରକାରଙ୍କୁ ତାଙ୍କୁ ସୁରକ୍ଷା ଦେବାକୁ ନିର୍ଦ୍ଦେଶ ଦେଇଥିଲେ।

ସୂଚନା ଅନୁଯାୟୀ ବାବ୍ରି ମସଜିଦ ବିଧ୍ୱଂସ ମାମଲାର ୨୮ ବର୍ଷ ଧରି ଶୁଣାଣି ହୋଇପାରୁନଥିଲା । ଶେଷରେ ୨୦୨୦ ମସିହା ସେପ୍ଟେମ୍ବର ୩୦ ତାରିଖକୁ ଶେଷ ତାରିଖ ଧାର୍ଯ୍ୟ କରି ସେହିଦିନ ମାମଲାର ଶୁଣାଣି କରାଯାଇଥିଲା । ଏହି ହାଇ ପ୍ରୋଫାଇଲ କେସରେ ମୋଟ ୪୯ ଅଭିଯୁକ୍ତଙ୍କ ମଧ୍ୟରୁ ଭାରତୀୟ ଜନତା ପାର୍ଟିର ଅନେକ ବଡ଼ ବଡ଼ ନେତା ତଥା ଲାଲ କୃଷ୍ଣ ଆଡ଼ଭାନୀ, ମୁରଲୀ ମନୋହର ଯୋଶୀ, ଊମା ଭାରତୀ ସହ ଅନ୍ୟ ନେତା ସାମିଲ ଥିଲେ । ଶୁଣାଣି ଦିନ କୋର୍ଟ ସମସ୍ତ ଅଭିଯୁକ୍ତଙ୍କୁ ଉପସ୍ଥିତ ରହିବାକୁ ନିର୍ଦ୍ଦେଶ ଦେଇଥିଲା । ଅବଶ୍ୟ ଏହି ମାମଲାରେ ସମ୍ପୃକ୍ତ ଅନେକ ଅଭିଯୁକ୍ତଙ୍କର ମୃତ୍ୟୁ ହୋଇଯାଇଥିବା ବେଳେ  ଅନେକ ସ୍ୱାସ୍ଥ୍ୟାବସ୍ଥା ଠିକ୍ ନଥିବା କାରଣ ଦର୍ଶାଇ କୋର୍ଟରେ ଉପସ୍ଥିତ ହୋଇପାରିନଥିଲେ ।

କରୋନା ଟିକା: ଭାରତ କିଣିଲା ୬୦ କୋଟି ଡୋଜ୍

ନୂଆଦିଲ୍ଲୀ: ଭାରତ କରୋନା ଟିକାର ୬୦ କୋଟି ଡୋଜ୍ ପ୍ରି ଅର୍ଡର କରିସାରିଛି । ଏହା ବ୍ୟତୀତ ଏକ ବିଲିୟନ ଡ଼ୋଜ୍ କିଣିବା ପାଇଁ ଯୋଜନା ଚାଲିଛି । କେବଳ ଆମେରିକା ୮୧ କୋଟି ଡୋଜ୍ ପ୍ରି ଅର୍ଡର କରିଛି । ଏଥିସହ, ଆମେରିକା ୧.୬ ବିଲିୟନ ଡ଼ୋଜ୍ ଆଣିବାକୁ ଚେଷ୍ଟା କରୁଛି । ଉଲ୍ଲେଖନୀୟ ଯେ, ଉଚ୍ଚ ଏବଂ ମଧ୍ୟମ ଆୟ କରୁଥିବା ଦେଶ ଅକ୍ଟୋବର ୮ତାରିଖ ସୁଦ୍ଧା ପ୍ରାୟ ୩.୮ ବିଲିୟନ ଡୋଜ୍ ପାଇଁ ବୁକିଂ କରିସାରିଛନ୍ତି।

ଟିକା ତିଆରି କ୍ଷେତ୍ରରେ ଭାରତ ବିଶ୍ୱରେ ଏକ ନମ୍ବରରେ ରହିଛି । ଭାରତ ଓ ଆମେରିକା ବ୍ୟତୀତ ୟୁରୋପିୟନ ୟୁନିୟନ୍ ୪୦ ଡୋଜ୍ ପ୍ରି ଅର୍ଡର କରିଛି ଏବଂ ୧.୫୬୫ ବିଲିୟନ ଡୋଜ୍ ପାଇଁ ଯୋଜନା ଚଲାଇଛି । ଅନୁସନ୍ଧାନ କେନ୍ଦ୍ରର ସହକାରୀ ନିର୍ଦ୍ଦେଶକ ଅନୁଯାୟୀ, ଏହି ଟିକାଗୁଡ଼ିକ ମଧ୍ୟରୁ କେବଳ କିଛି ଭ୍ୟାକ୍ସିନ୍ ପ୍ରକୃତରେ କିଣାଯାଇପାରିବ ଯାହା ରେଗୁଲେଟୋରି ଏପ୍ରୁଭାଲ ଉପରେ ନିର୍ଭର କରେ ।

ଏଯାଏଁ, ଏହି ସମସ୍ତ ଟୀକା ଏକ୍ସପେରିମେଣ୍ଟାଲ ପର୍ଯ୍ୟାୟରେ ରହିଛି ଏବଂ କାହାକୁ ଏପ୍ରୁଭାଲ ଦିଆଯାଇନାହିଁ । କୋଭିଡ -୧୯ ରୁ ବିଶ୍ୱକୁ ବଞ୍ଚାଇବା ପାଇଁ ଭାରତ ଏକ ଟିକା ପ୍ରସ୍ତୁତ କରୁଛି, ତେବେ ଏହା ନାଗରିକଙ୍କ ସୁରକ୍ଷା ସୁନିଶ୍ଚିତ କରିବ କି ନାହିଁ ତାହା ଜଣା ପଡିନି । ସରକାର ନାଗରିକଙ୍କ ସୁରକ୍ଷା ପାଇଁ ଅନେକ ଯୋଜନା ଚଲାଇଛି । ଏବଂ ଟିକା ପର୍ଯ୍ୟାପ୍ତ ମାତ୍ରାରେ ଉପଲବ୍ଧ ହେବା ପାଇଁ ସରକାର ଆବଶ୍ୟକ ପଦକ୍ଷେପ ମଧ୍ୟ ନେଇଛନ୍ତି ।

ରାଜଧାନୀରେ ସାଇବର ଅପରାଧ ରୋକିବା ପାଇଁ ତାଲିମ ନେବେ ୨ ଶହ ପୋଲିସ କର୍ମଚାରୀ…

ଭୁବନେଶ୍ୱର: କଟକସ୍ଥିତ ସାଇବର କମ୍ପ୍ଲେକ୍ସକୁ ଭୁବନେଶ୍ୱରକୁ ସ୍ଥାନାନ୍ତରିତ କରାଯାଇଛି । କମିଶନରେଟ୍ ପୋଲିସ ରାଜଧାନୀରେ ବଢୁଥିବା ସାଇବର ଅପରାଧକୁ ରୋକିବା ପାଇଁ ଏଭଳି ପଦକ୍ଷେପ ନେଇଛି । ଏହାକୁ ଭୁବନେଶ୍ୱରରେ ପୋଲିସ ଡିଜି ଅଭୟ ଉଦଘାଟନ କରିଛନ୍ତି । ଏହା ମୁଖ୍ୟତଃ ଏକ ପୋଲିସ ଷ୍ଟେସନ ଭାବେ କାର୍ଯ୍ୟ କରିବ । ସାଧାରଣ ଲୋକେ ଅନଲାଇନ ଠକେଇ ସମ୍ୱନ୍ଧିତ ଯେକୌଣସି ସମସ୍ୟା ଉପରେ ଏଠାରେ ମାମଲା ଦାଖଲ କରିପାରିବେ । ସାଇବର ଷ୍ଟେସନ ଉକ୍ତ ଅଭିଯୋଗର ତଦନ୍ତ କରିବ । ସ୍ୱାଭାବିକ ଭାବେ ପୋଲିସ କର୍ମଚାରୀମାନଙ୍କର ସାଇବର ସମ୍ୱନ୍ଧିତ ବ୍ୟାପାର ଉପରେ ଏତେ ଧାରଣା ନଥାଏ ।

ତେଣୁ କମିଶନରେଟ୍ ପୋଲିସ ଏକ ସ୍ୱତନ୍ତ୍ର ଟିମ୍ ପ୍ରସ୍ତୁତ କରିଛି । କମିଶନରେଟ୍ ପୋଲିସର ୨ ଶହ ଜଣ କର୍ମଚାରୀଙ୍କୁ ଚୟନ କରାଯିବ । ଏମାନେ ସାଇବର କ୍ରାଇମ ତଦନ୍ତ କରିବା ନେଇ ତାଲିମ ନେବେ । କିଭଳି ଭାବେ ସାଇବର ସମ୍ୱନ୍ଧିତ ଅପରାଧ ହୁଏ ଓ ଏହାର ସମ୍ପୂର୍ଣ୍ଣ ପ୍ରକ୍ରିୟା କଣ, ସେନେଇ ଉକ୍ତ ପୋଲିସ କର୍ମଚାରୀମାନଙ୍କୁ ତାଲିମ ଦିଆଯିବ । ଏଇ ବର୍ଷ ୮ ପର୍ଯ୍ୟୟରେ ପୋଲିସମାନଙ୍କୁ ତାଲିମ ଦିଆଯିବ । ନ୍ୟାସନାଲ ଡିଜିଟାଲ୍ ଟ୍ରେନିଂ ରିସର୍ଚ୍ଚ ସେଣ୍ଟର ସହାୟତାରେ ପୋଲିସଙ୍କୁ ଡିଜିଟାଲ ଶିକ୍ଷା ଦେବା ନେଇ ଡିଜି ଅଭୟ କହିଛନ୍ତି । ତେବେ ସାଇବର କମ୍ପେକ୍ସ ବାଦ ମଧ୍ୟ ସବୁ ଥାନାର ଆଇଆଇସି ଏବଂ ଏଏସଆଇଙ୍କୁ ଟ୍ରେନିଂ ଦିଆଯିବ ।

ଏହା ଦ୍ୱାରା ସାଇବର ଅପରାଧ ସମ୍ୱନ୍ଧିତ ଅଭିଯୋଗ ଯେକୌଣସି ଥାନାରେ ପହଞ୍ଚିଲେ ମଧ୍ୟ ଅଭିଯୋଗକୁ ଗୁରୁତ୍ୱ ଦେଇହେବ । ଉଲ୍ଲେଖଯୋଗ୍ୟ ଯେ ରାଜ୍ୟରେ ସାଇବର କ୍ରାଇମର ମାତ୍ରା ବଢିବାରେ ଲାଗିଛି । ସୋସିଆଲ ମିଡିଆ ଓ ୱେବସାଇଟ୍ ହ୍ୟାକିଂ ଭଳି ଅନେକ ମାମଲା ସାମ୍ନାକୁ ଆସୁଛି । ଏବେ କମିଶନରେଟ୍ ପୋଲିସର ଏଭଳି ପଦକ୍ଷେପ ରାଜଧାନୀ ସାଇବର କ୍ରାଇମର ସ୍ଥିତିରେ ପରିବର୍ତ୍ତନ ଆଣିପାରିବ ବୋଲି ଆଶା କରାଯାଉଛି ।

୨ୟ ଦିନରେ ଓଟିଭି ଆଗରେ ଠିକା କର୍ମଚାରୀଙ୍କ ଧାରଣା

ଭୁବନେଶ୍ୱର: ସାରୁଅରେ ଥମୁନି ଅଶାନ୍ତି । ଦ୍ୱିତୀୟ ଦିନରେ ଓଟିଭି ଷ୍ଟୁଡିଓ ଆଗରେ ଠିକା କର୍ମଚାରୀଙ୍କ ଧାରଣା ଜାରି ରହିଛି । ଦାବି ପୂରଣ ନହେବା ପର୍ଯ୍ୟନ୍ତ ଆନ୍ଦୋଳନ ଜାରି ରହିବ ବୋଲି ଆନ୍ଦୋଳନକାରୀମାନେ ଚେତାବନୀ ଦେଇଛନ୍ତି। ଧାରଣା ସ୍ଥଳରେ ଜିଲ୍ଲାର ଅତିରିକ୍ତ ଶ୍ରମ ଅଧିକାରୀ ପ୍ରଜ୍ଞା ପରମିତା ସାହୁଙ୍କୁ ଦାବି ପତ୍ର ଲିଖିତ ଆକାରରେ ଦେଇଥିଲେ ଆନ୍ଦୋଳନକାରୀ । ଉପଜିଲ୍ଲାପାଳ ଅଶୋକ କୁମାର ବେଉରିଆ ମଧ୍ୟ ଧାରଣାରେ ବସିଥିବା କର୍ମଚାରୀ ମାନଙ୍କ ସହ ଆଲୋଚନା କରିଥିଲେ ମଧ୍ୟ କୌଣସି ସୁଫଳ ମିଳିନଥିଲା।

ଗତକାଲି ସକାଳୁ ଓଟିଭି ଷ୍ଟୁଡିଓ ଆଗରେ ଠିକା କର୍ମଚାରୀଙ୍କ ଧାରଣା ଜାରି ରହିଛି ।  ଠିକା କର୍ମଚାରୀଙ୍କୁ ଗାଳି ଗୁଲଜ ଓ ହତ୍ୟା ଧମକ ନେଇ ବୈଜୟନ୍ତ ପଣ୍ଡା ଓ ଜଗି ପଣ୍ଡାଙ୍କ ଓଡ଼ିଶା ଇନଫ୍ରାଟେକ୍ ଗ୍ରୁପ୍ର ଦୁଇଜଣ କର୍ମଚାରୀ ଗିରଫ ହୋଇ ଜେଲ୍ ଯାଇଛନ୍ତି । ତଥାପି ଗୁଣ୍ଡାଗର୍ଦ୍ଦିର ପୁନରାବୃତ୍ତି ହୋଇଛି। ଓଟିଭି ଏମଡି ଜଗି ମଙ୍ଗତ ପଣ୍ଡାଙ୍କ ବାପା ଏବଂ ଭାଇ ଅସଭ୍ୟ ଭାଷାରେ ଗାଳି ସହ ଧମକ ଦେଇଥିବା ଅଭିଯୋଗ ହୋଇଛି ।

ପ୍ରତିବାଦରେ ଷ୍ଟୁଡିଓ ଆଗରେ ଧାରଣାରେ ବସିଛନ୍ତି ଠିକା କର୍ମଚାରୀ । ଠିକା କର୍ମଚାରୀଙ୍କୁ ଗାଳି ଗୁଲଜ ଓ ହତ୍ୟା ଧମକ ଦେଇ ଓଡ଼ିଶା ଇନ୍ଫ୍ରାଟେକ୍ ଗ୍ରୁପର ଦୁଇ କର୍ମଚାରୀ ଇଞ୍ଜିନିୟର ଦୀନବନ୍ଧୁ ସାମନ୍ତରାୟ ଓ ସୁପର ଭାଇଜର ବିଶ୍ୱଜିତ ରାଉତରାୟଙ୍କ ନାଁରେ ବାଘମାରୀ ଥାନାରେ ଏତଲା ଦିଆଯାଇଥିଲା । ଉଭୟଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି ।

ଆଧାର କାର୍ଡ ମାଧ୍ୟମରେ ଘରେ ବସି ଯାଞ୍ଚ କରିପାରିବେ ବ୍ୟାଙ୍କ ବାଲାନ୍ସ, ଜାଣନ୍ତୁ ଏହି ସହଜ ଉପାୟ

ନୂଆଦିଲ୍ଲୀ: କରୋନା ଭାଇରସ ମହାମାରୀ ହେତୁ ଲୋକମାନେ ଅଧିକ ବ୍ୟାଙ୍କ ଯିବାଠୁ ଦୂରେଇ ରହୁଛନ୍ତି । ପାସବୁକ୍ ରେ ଏଣ୍ଟ୍ରି କରିବାକୁ କିମ୍ବା ବ୍ୟାଙ୍କ ବାଲାନ୍ସ ଜାଣିବାକୁ ବ୍ୟାଙ୍କ କିମ୍ବା ଏଟିଏମ୍ ଯିବାକୁ ପଡେ । କିନ୍ତୁ ଏବେ ଘରେ ବସି ଆଧାର କାର୍ଡ ସାହାଯ୍ୟରେ ବ୍ୟାଙ୍କ ବାଲାନ୍ସ ଚେକ୍ କରାଯାଇପାରିବ ।

  • ପ୍ରଥମେ ଆପଣଙ୍କୁ ପ୍ଲେ ଷ୍ଟୋରରୁ ପେ ୱାର୍ଲ୍ଡ ଆପ୍ ଡାଉନଲୋଡ୍ କରିବାକୁ ପଡିବ ।
  • ଏଥିରେ, AEPS ନାମକ ଏକ ଅପସନ୍ମିଳିବ, ଯାହା ମାଧ୍ୟମରେ ଆପଣ ଆଧାର କାର୍ଡ ସାହାଯ୍ୟରେ ବ୍ୟାଙ୍କ ବାଲାନ୍ସ ଚେକ୍ କରିପାରିବେ । କେବଳ ସେତିକି ନୁହେଁ ଏହା ସହ ଟଙ୍କା ମଧ୍ୟ ଉଠାଇପାରିବେ । ଏକ ଖାସ କଥା ହେଉଛି ଏହା ଦ୍ୱାରା ଆପଣ ଟଙ୍କା ମଧ୍ୟ ରୋଜଗାର କରିପାରିବେ ।
  • ଏଥିପାଇଁ ଆପଣଙ୍କୁ AEPSରେ କ୍ଲିକ୍ କରିବାକୁ ପଡିବ । ଯଦି ଆପଣ ଏଥିରେ ରେଜିଷ୍ଟର କରିନାହାନ୍ତି ତାହେଲେ ପ୍ରଥମେ ୟୁଜରନେମ୍, ପାସୱାର୍ଡ ଇତ୍ୟାଦି ଡିଟେଲ୍ସ ଦେଇ ସାଇନ୍ ଇନ୍ କରି ଲଗଇନ୍ କରିବାକୁ ପଡିବ ।
  • ଲଗଇନ୍ କରିବା ପରେ, ସବୁ ଡିଟେଲ୍ସ ପୂରଣ କରିବାକୁ ପଡିବ ।
  • ଏହା ପରେ ବ୍ୟାଙ୍କ ଡିଟେଲକୁ ଯାଇ ବ୍ୟାଙ୍କ ଆକାଉଣ୍ଟରେ କ୍ଲିକ୍ କରିବାକୁ ପଡିବ ।
  • ଏହା ପରେ, ମଗାଯାଇଥିବା ଆକାଉଣ୍ଟ ଡିଟେଲ ପୂରଣ କରିବାକୁ ପଡିବ ।
  • ଏବେ ଗୁଗୁଲରେ ପେୱାର୍ଲ୍ଡ ରିଟେଲରକୁ ଯାଇ ଆପଣଙ୍କୁ ଲଗଇନ୍ କରିବାକୁ ପଡିବ ।
  • ଏଥିରେ ଲଗ୍ଇନ୍ କରିବା ପରେ ଆପଣଙ୍କୁ DTH, ମୋବାଇଲ୍ ରିଚାର୍ଜ ଉପରେ କ୍ଲିକ୍ କରିବାକୁ ପଡିବ ।
  • ଏହାକୁ ଖୋଲିବା ମାତ୍ରେ ଅନେକ ଅପସନ ଆସିବ, କିନ୍ତୁ ଆପଣଙ୍କୁ AEPS ଉପରେ କ୍ଲିକ୍ କରିବାକୁ ପଡିବ ।
  • ଏଠାରେ କ୍ଲିକ୍ କରିବା ପରେ, ଅନେକ ପ୍ଲାନ୍ ଆସିବ ଯେଉଁଥିରୁ ଆପଣଙ୍କୁ ୯୯୯ ଟଙ୍କା ପ୍ଲାନ କିଣିବାକୁ ପଡିବ । ବିନା ପ୍ଲାନରେ କୌଣସି ସେବାର ଲାଭ ପାଇପାରିବେ ନାହିଁ ।
  • ଏବେ Buy Planରେ କ୍ଲିକ୍ କରି ପେମେଣ୍ଟ କରିବାକୁ ହେବ ।
  • ପେମେଣ୍ଟ କରିବା ପରେ, ଆପଣ ଆଧାର କାର୍ଡ ମାଧ୍ୟମରେ ବ୍ୟାଙ୍କ ବାଲାନ୍ସ ଯାଞ୍ଚ କରିପାରିବେ ।

Odisha Corona Updates: ଆଜି ପଜିଟିଭ୍ ହେଲେ ୧୩୮୯

ଭୁବନେଶ୍ୱର: ରାଜ୍ୟରେ ଆଜି ୧୩୮୯ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଏମାନଙ୍କ ମଧ୍ୟରୁ ୭୯୮ ଜଣ ଚିହ୍ନଟ ହୋଇଥିବା ବେଳେ ସ୍ଥାନୀୟ ସଂକ୍ରମିତଙ୍କ ସଂଖ୍ୟା ୫୯୧ ରହିଛି । ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୧୪୨ ଜଣ ପଜିଟିଭ୍ ହୋଇଛନ୍ତି । ସେହିଭଳି ଅନୁଗୁଳରୁ ୬୯, ବାଲେଶ୍ୱରରୁ ୫୯, ବରଗଡ଼ରୁ ୭୧, ଭଦ୍ରକ ୫୨, ବଲାଙ୍ଗିରରୁ ୭୦, ବୌଦ୍ଧରୁ ୭, କଟକକରୁ ୧୦୧, ଦେଓଗଡ଼ରୁ ୯, ଢେଙ୍କାନାଳରୁ ୨୦, ଗଜପତିରୁ ୪, ଗଞ୍ଜାମରୁ ୧୧, ଜଗତସିଂହପୁରରୁ ୫୩ ଓ ଯାଜପୁରରୁ ୪୬ ଜଣ ପଜିଟିଭ୍ ହୋଇଛନ୍ତି ।

ସେହିଭଳି ଝାରସୁଗୁଡ଼ାରୁ ୩୫, କଳାହାଣ୍ଡିରୁ ୨୭, କନ୍ଧମାଳରୁ ୧୮, କେନ୍ଦ୍ରାପଡ଼ାରୁ ୮୦, କେନ୍ଦୁଝରରୁ ୪୯, କୋରାପୁଟରୁରୁ ୧୩, ମାଲକାନଗିରିରୁ ୨୫, ମୟୂରଭଞ୍ଜରୁ ୫୫, ନବରଙ୍ଗପୁରରୁ ୨୪, ନୟାଗଡ଼ରୁ ୨୨, ନୂଆପଡ଼ାରୁ ୫୯, ପୁରୀରୁ ୫୮, ରାୟଗଡ଼ାରୁ ୧୦, ସମ୍ୱଲପୁରରୁ ୩୪, ସୋନପୁରରୁ ୩୫, ସୁନ୍ଦରଗଡ଼ରୁ ୧୦୦ ଓ ଷ୍ଟେଟ୍ ପୁଲରୁ ୩୧ ଜଣ ସଂକ୍ରମିତ ଚିହ୍ନଟ ହୋଇଛନ୍ତି ।

ଉଲ୍ଲେଖଯୋଗ୍ୟ ଯେ ରାଜ୍ୟରେ ଏବେ ସମୁଦାୟ ୧୪ ହଜାର ୨୫୭ ଜଣ ସକ୍ରିୟ ସଂକ୍ରମିତ ରହିଛନ୍ତି । ସେହିଭଳି ରାଜ୍ୟର ସମୁଦାୟ ସଂକ୍ରମଣ ସଂଖ୍ୟା ୨ ଲକ୍ଷ ୯୩ ହଜାର ୨୧୪ରେ ପହଞ୍ଚିଛି । ରାଜ୍ୟରେ ସଂକ୍ରମଣର ମାତ୍ରା ଏବେ ଉଲ୍ଲେଖନୀୟ ଭାବେ ହ୍ରାସ ହୋଇଛି ।