spot_img
Home Blog Page 6514

ସପ୍ତାହେ ବ୍ୟାପି ଚାଲିଥିବା ଜୀବନ ବିନ୍ଦୁ ରକ୍ତ ଦାନ କାର୍ଯ୍ୟକ୍ରମରେ ସାମିଲ ହୋଇଥିବା ଯୁବ ଗୋଷ୍ଠୀଙ୍କୁ ସାଧୁବାଦ ଜଣାଇଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: କରୋନା ଭୂତାଣୁ ଦିନକୁ ଦିନ ତା’ର କାୟା ବିସ୍ତାର କରିଚାଲିଛି । ଏହି ଭୂତାଣୁର ସଂକ୍ରମଣ ବଢୁଥିବାରୁ ସରକାର ରାଜ୍ୟବାସୀଙ୍କ ପାଇଁ ଅନେକ ପଦକ୍ଷେପ ନେଇଛନ୍ତି । କରୋନା ମହାମାରୀ ସମୟରେ ରକ୍ତର ଅଭାବ ନହେଉ, ସେଥିପାଇଁ ବ୍ୟାପକ ଭାବେ ରକ୍ତଦାନ କରିବାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆହ୍ୱାନ ଦେଇଥିଲେ । ରକ୍ତର ଅଭାବ ଯୋଗୁଁ ଯେପରି କାହାର ମୃତ୍ୟୁ ନହୁଏ, ସେ ଦିଗରେ କାମ କରିବାକୁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଥିଲେ ।

ତେବେ ଏହି ମହାମାରୀ ମସୟରେ କ୍ରାନ୍ତି ଦିବସ ଠାରୁ ଆରମ୍ଭ ହୋଇଥିଲା ସାପ୍ତାହିକ ଜୀବନ ବିନ୍ଦୁ ରକ୍ତଦାନ କାର୍ଯ୍ୟକ୍ରମ । କରୋନା ସଙ୍କଟରେ ବିଭିନ୍ନ ସ୍ଥାନରେ ଜୀବନ ବିନ୍ଦୁ ସାପ୍ତାହି ରକ୍ତ ଦାନ କାର୍ଯ୍ୟକ୍ରମର ସମାପ୍ତ ହୋଇଛି । ତେବେ କ୍ରାନ୍ତି ଦିବସରୁ ସପ୍ତାହେ ବ୍ୟାପି ଏହି କାର୍ଯ୍ୟକ୍ରମ ବିଜେଡି ମୋ ପରିବାର ଆୟୋଜନ କରିଥିଲା । ବିଭିନ୍ନ ଜିଲ୍ଲାର ଯୁବ ଗୋଷ୍ଠୀ ଏହି ରକ୍ତ ଦାନ କାର୍ଯ୍ୟକ୍ରମରେ ଯୋଗ ଦେଇ ନିଜର ରକ୍ତ ଦାନ କରିଥିଲେ । ତେବେ ଏହି କାର୍ଯ୍ୟକ୍ରମ ସରିବା ପରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଟ୍ୱିଟ କରି ସମସ୍ତଙ୍କୁ ଧନ୍ୟବାଦ ଜଣାଇଛନ୍ତି ।

ମୁଖ୍ୟମନ୍ତ୍ରୀ କହିଛନ୍ତି ଲୋକଙ୍କ ଜୀବନ ବଞ୍ଚାଇବା ଠାରୁ ଅଧିକ ପୁଣ୍ୟ ଆଉ କିଛି ନାହିଁ । କୋଭିଡ ସଙ୍କଟ ସମୟରେ ଜୀବନ ବିନ୍ଦୁ କାର୍ଯ୍ୟକ୍ରମକୁ ସଫଳ କରାଇଥିବା ଏବଂ ସ୍ୱେଚ୍ଛାକୃତ ରକ୍ତଦାନ ପରି ମହତ କାର୍ଯ୍ୟ କରିଥିବା ସମସ୍ତ ଯୁବଗୋଷ୍ଠୀଙ୍କୁ ସାଧୁବାଦ ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ । ଏହା ସହ  ଏହି କାର୍ଯ୍ୟକ୍ରମରୁ ୧୪ ହଜାର ୮୩୯ ୟୁନିଟ ରକ୍ତ ସଂଗ୍ରହ କରି ଓଡ଼ିଶା ମୋ ପରିବାର ଏକ ମାଇଲ ଖୁଣ୍ଟ ତିଆରି କରିଛି ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି ।

ଅବଶ୍ୟ ସବୁ ଦଳୀୟ ଓ ରାଜନୈତିକ କାର୍ଯ୍ୟକ୍ରମକୁ କରୋନା ସଙ୍କଟ ସମୟରେ ବିଜେଡି ବନ୍ଦ ରଖିଛି । ହେଲେ ବିଜୁ ଛାତ୍ର ଓ ଯୁବ ଜନତା ଦଳ ପକ୍ଷରୁ ଆଜି ଭୁବନେଶ୍ୱର ବିଜେଡି ମୁଖ୍ୟାଳୟରେ ଜୀବନ ବିନ୍ଦୁ ରକ୍ତଦାନ ଶିବିର ଆୟୋଜନ କରାଯାଇଛି । ବିଜେଡିର ଏହି ନିଆରା ପଦକ୍ଷେପରେ ଅନେକ ସମର୍ଥନ ସାମିଲ ହୋଇଥିଲେ ।

ରାଜ୍ୟରେ ଟେଷ୍ଟିଂ ବଢ଼ିବା ସହ ବଢ଼ୁଛି କରୋନା ରୋଗୀ ସୁସ୍ଥଙ୍କ ସଂଖ୍ୟା, ନୂଆ ୧୫୫୦ ରୋଗୀ ସୁସ୍ଥ

ଭୁବନେଶ୍ୱର: ରାଜ୍ୟରେ ବଢ଼ିବାରେ ଲାଗିଛି କରୋନା ସୁସ୍ଥଙ୍କ ସଂଖ୍ୟା । କରୋନା ଭୟ ମଧ୍ୟରେ ସୁସ୍ଥତା ହାର ଆଶ୍ୱସ୍ତି ଦେଉଛି । ରାଜ୍ୟରେ  ଆଜି ୧୫୫୦ ଜଣ କରୋନା ରୋଗୀ ସୁସ୍ଥ ହୋଇଛନ୍ତି । ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଟ୍ୱିଇଟ୍ କରି ଏନେଇ ସୂଚନା ଦିଆଯାଇଛି । ନୂଆ ସୁସ୍ଥଙ୍କ ସଂଖ୍ୟା ଆସିବା ପରେ ରାଜ୍ୟରେ ମୋଟ ୪୨ ହଜାର ୨୭୬ ଜଣ ମୋଟ ସୁସ୍ଥ ହୋଇଛନ୍ତି । ସେ ଥିମଧ୍ୟରୁ  ଗଞ୍ଜାମରୁ ସର୍ବାଧିକ ୩୫୫ ଜଣ ସୁସ୍ଥ ହୋଇଥିବା ବେଳେ ଅନ୍ୟ ଜିଲ୍ଲାମାନଙ୍କରୁ ମଧ୍ୟ ସଂକ୍ରମିତମାନେ ସୁସ୍ଥ ହୋଇ ଫେରିଛନ୍ତି ।

ଖୋର୍ଦ୍ଧାରୁ ୨୪୧, ସୁନ୍ଦରଗଡ଼ରୁ ୧୧୮, କଟକରୁ ୯୯, ସମ୍ବଲପୁରରୁ ୮୯, ଢ଼େଙ୍କାନାଳରୁ ୭୨, ମାଲକାନାଗିରିରୁ ୬୪, ବାଲେଶ୍ୱରରୁ ୬୩, କନ୍ଧମାଳରୁ ୬୨, ପୁରୀରୁ ୫୯, କୋରାପୁଟରୁ ୪୧, ମୟୂରଭଞ୍ଜରୁ ୩୯, ଭଦ୍ରକରୁ ୩୮, ଗଜପତିରୁ ୩୨, ବଲାଙ୍ଗିରରୁ ୨୬, ରାୟଗଡ଼ାରୁ ୨୦, ଜଗତସିଂହପୁରରୁ ୧୮, ଝାରସୁଗୁଡ଼ାରୁ ୧୭, ଯାଜପୁରରୁ ୧୬, କେନ୍ଦ୍ରାପଡ଼ାରୁ ୧୬, କେନ୍ଦୁଝରରୁ ୧୬, ବୌଦ୍ଧରୁ ୧୫, ଅନୁଗୁଳରୁ ୪, ନୟାଗଡ଼ରୁ ୨ ଜଣ କରୋନା ରୋଗୀ ସୁସ୍ଥ ହୋଇଛନ୍ତି । ସେପଟେ କଳାହାଣ୍ଡି, ନବରଙ୍ଗପୁର, ନୂଆପଡ଼ାରୁ ୬ ଜଣ ଲେଖାଏଁ ସୁସ୍ଥ ହୋଇଥିବା ବେଳେ ବରଗଡ଼ ସୋନପୁରରୁ ୫ ଜଣ ଲେଖାଏଁ ସୁସ୍ଥ ହୋଇଛନ୍ତି ।

ସରକାରୀ ଗାଡିର ବୀମା ବା ଇନ୍ସ୍ୟୁରାନ୍ସ ହୁଏ କି ନାହିଁ ? ଏ ସମ୍ପର୍କରେ ସାଧାରଣ ଜ୍ଞାନ ମଧ୍ୟ ନାହିଁ ବିଜେପି ନେତ୍ରୀଙ୍କର

ଭୁବନେଶ୍ୱର: ରାଜ୍ୟସ୍ତରୀୟ ସ୍ୱାଧିନତା ଦିବସ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । କରୋନା କଟକଣା ଭିତରେ ଆୟୋଜିତ ହୋଇଥିଲା ଉତ୍ସବ । ତେବେ ଚର୍ଚ୍ଚା ହୋଇଥିଲା, ମୁଖ୍ୟମନ୍ତ୍ରୀଙ୍କ ଡ୍ରାଇଭର ସିଟରେ ବସିଥିଲେ ତାଙ୍କ ବ୍ୟକ୍ତିଗତ ସଚିବ ଭି.କେ.ପାଣ୍ଡିଆନ୍ । ମୁଖ୍ୟମନ୍ତ୍ରୀଙ୍କୁ ସାମାଜିକ ଦୂରତାରେ ରଖିବାକୁ ଡ୍ରାଇଭରଙ୍କ ବଦଳରେ ନିଜେ କାର୍ ଡ୍ରାଇଭ କରି ପ୍ରଦର୍ଶନୀ ପଡିଆକୁ ଆଣିଥିଲେ ପାଣ୍ଡିଆନ୍ । ତେବେ ଏହି ଘଟଣାକୁ ସହଜରେ ହଜମ୍ କରିପାରିନି ବିରୋଧି ବିଜେପି । ମୁଖ୍ୟମନ୍ତ୍ରୀଙ୍କ କାରର ବୀମା ବା ଇନ୍ସ୍ୟୁରାନ୍ସ ନଥିବା ନେଇ ଅଭିଯୋଗ ଆଣିଛନ୍ତି ବିଜେପି ମୁଖପାତ୍ର ସୋନାଲି ସାହୁ । ଏଥିପାଇଁ ଜରିମାନା ଆଦାୟ ନେଇ ସେ ପ୍ରଶ୍ନ କରିଛନ୍ତି । ବିଜେପି ନେତ୍ରୀଙ୍କ ଏଭଳି ପ୍ରଶ୍ନକୁ ନେଇ ଏକ ନିର୍ଦ୍ଦିଷ୍ଟ ଚ୍ୟାନେଲ ତାର ଡିଜିଟାଲ୍ ମିଡିଆରେ ଖବର ପୋଷ୍ଟ କରିଛି । ତେବେ ବୀମା ବାବଦରେ ସରକାରୀ ଗାଡି ପାଇଁ କଣ ରହିଛି ନିୟମ ।

ଅପରପକ୍ଷରେ ଭୋକ ବିକଳରେ ତାଟିଆ କାମୁଡିବା ନ୍ୟାୟରେ କେବଳ ଚର୍ଚାରେ ରହିବାକୁ ଓ ବିରୋଧ କରିବା ଉେଦ୍ଦଶ୍ୟରେ ବିଜେପି ନେତ୍ରୀ ବିଭ୍ରାନ୍ତିକର ତଥ୍ୟ ପ୍ରଦାନ କରିଥିବା ସିଧାସଳଖ ଅଭିଯୋଗ ଆଣିଛନ୍ତି ସଡକ ସୁରକ୍ଷା ସମିତି କର୍ମକର୍ତ୍ତା । ବ୍ୟକ୍ତିଗତ ଓ ଘରୋଇ ଯାନବାହାନ ପାଇଁ ଏବଂ ସରକାରୀ ଯାନବାହାନ ପାଇଁ ଇନ୍ସ୍ୟୁରାନ୍ସ ନିୟମରେ ପାର୍ଥକ୍ୟ ରହିଛି । ଏନେଇ ସାମାନ୍ୟତମ ଜ୍ଞାନ ନଥାଇ ଏଭଳି ଭୁଲ ତଥ୍ୟକୁ ନେଇ ରାଜନୀତି କରିବା ଆଦୌ ସମୀଚିନ ନୁହେଁ ବୋଲି ସେ କହିଛନ୍ତି । ଶସ୍ତା ରାଜନୀତି ଚକ୍କରରେ ଜଣେ ନେତ୍ରୀ ଏଭଳି ଭୂଲ ତଥ୍ୟ ରଖିଲେ । ହେଲେ ଏହାକୁ ନ୍ୟୁଜ୍ ଆକାରରେ ପୋଷ୍ଟ କରିବା କେତେ ଦୂର ଯୁକ୍ତିଯୁକ୍ତ । ଭାଇରାଲ୍ ଅଡିଓ ପ୍ରସାରଣକୁ ନେଇ ବିବାଦ ଥମି ନଥିବା ବେଳେ ଏଥର ବିଜେପି ନେତ୍ରୀ ଓ ସଂପୃକ୍ତ ଗଣମାଧ୍ୟମ ପୁଣି ଥରେ ବିବାଦ ଭିତରକୁ ଆସିଛନ୍ତି ।

କେତେ ହେବା କଥା ଝିଅଙ୍କ ବିବାହର ସର୍ବନିମ୍ନ ବୟସ, ପ୍ରଧାନମନ୍ତ୍ରୀଙ୍କ ଇସାରା ପରେ ଆରମ୍ଭ ହେଲା ବିତର୍କ

ଭୁବନେଶ୍ୱର: କେତେ ବୟସରେ ଝିଅଟିଏ ବାହା ହେବା କଥା ? ବିବାହ ବୟସ ପାଇଁ ଆଇନ୍‌ ପରିବର୍ତ୍ତନର ଆବଶ୍ୟକତା ରହିଛି କି ? ଏହାକୁ ନେଇ ଆରମ୍ଭ ହୋଇଯାଇଛି ବିତର୍କ । ଆମ ଦେଶରେ ୧୮ ବର୍ଷ ପରେ ଝିଅ ଓ ୨୧ ବର୍ଷ ପରେ ପୁଅଙ୍କୁ ବିବାହ ପାଇଁ ଅନୁମତି ମିଳି ଥାଏ । ତେବେ କମ୍ ବୟସରେ ମହିଳାମାନେ ମା’ ହେଲେ ଅପପୁଷ୍ଟି ଓ ରକ୍ତହୀନତା ସମସ୍ୟାକୁ ସାମ୍ନା କରୁଛନ୍ତି । ଏହାକୁ ଏଡାଇବାକୁ କେନ୍ଦ୍ର ସରକାର ଚିନ୍ତା କରୁଛନ୍ତି । କମ୍ ବୟରେ ମାତୃତ୍ୱ ଯୋଗୁଁ ମାତୃ ମୃତ୍ୟୁହାର ମଧ୍ୟ ହ୍ରାସ କରି ହେଉ ନାହିଁ ।

ଏହି ପ୍ରସଙ୍ଗରେ ଅଧିକ ଅନୁଧ୍ୟାନ ଓ ବିଚାରବିମର୍ଶ କରିବା ପାଇଁ ଏକ ଟାସ୍କ ଫୋର୍ସ ଗଠନ କରାଯାଇଛି । ଯାହାର ନେତୃତ୍ୱ ନେଉଛନ୍ତି ସମାଜସେବୀ ଜୟା ଜେଟ୍‌ଲୀ । ପୂର୍ବରୁ କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ମଧ୍ୟ ଏନେଇ ଘୋଷଣା କରିଥିଲେ । ବିକାଶଶୀଳ ଦେଶରେ ଝିଅମାନଙ୍କ ବିବାହ ବୟସକୁ ବୃଦ୍ଧି କରିବା ଆବଶ୍ୟକ ବୋଲି ସୀତାରମଣ କହିଥିଲେ ।

ଶେଷ ଥର ପାଇଁ ୧୯୭୮ ମସିହାରେ ଆଇନ୍ ପରିବର୍ତ୍ତନ କରି ଝିଅମାନଙ୍କର ସର୍ବନିମ୍ନ ବିବାହ ବୟସ ୧୮ ବର୍ଷ ଧାର୍ଯ୍ୟ କରାଯାଇଥିଲା । ଝିଅମାନେ କମ୍ ବୟସରେ ବିବାହ କରୁଥିବାରୁ ସେମାନଙ୍କର ଶିକ୍ଷା ଅଧିକାର ବା ସୁଯୋଗ ହାତଛଡା ହେଉଛି ବୋଲି କୁହାଯାଇଥିଲା । ୨୦୧୧ ଜନଗଣନା ରେକର୍ଡ ଅନୁସାରେ ଭାରତରେ ୫୬ ପ୍ରତିଶତ ଝିଅ ୧୮ରୁ ୨୧ ବର୍ଷ ଭିତରେ ବିବାହ କରୁଛନ୍ତି । ଭାତର ସମେତ ବିଶ୍ୱର ୧୪୩ଟି ଦେଶରେ ଝିଅଙ୍କ ବିବାହ ବୟସ ୧୮ ରହିଛି ।

ତେବେ ନାଇଜେରିଆ, ଇଣ୍ଡୋନେସିଆ ଓ ମାଲେସିଆ ଭଳି ୨୦ ଦେଶରେ ସର୍ବନିମ୍ନ ବୟସ ରହିଛି ୨୧ । ଧିରେ ଧିରେ ଦେଶରୁ ନାବାଳିକା ବିବାହ ହାର କମିବାରେ ଲାଗିଛି । ତେବେ ୧୫ରୁ ୧୯ ବୟସ ବର୍ଗରେ ବିବାହ କରୁଥିବା ଝିଅମାନେ ମାତୃତ୍ୱ ଲାଭ କରିବା ପରେ ସ୍ୱାସ୍ଥ୍ୟ ସମସ୍ୟାର ସମ୍ମୁଖୀନ ହେଉଛନ୍ତି ।

 

ଓଡ଼ିଶା ମାଟିରେ ବିଦେଶୀ ଫଳ, କଳାହାଣ୍ଡିରେ ଫଳୁଛି ଡ୍ରାଗନ୍ ଫଳ

କଳାହାଣ୍ଡି: ବିକଳ୍ପ ଚାଷ ବାଛୁଛନ୍ତି ଓଡ଼ିଶା ଚାଷୀ । ପାରମ୍ପରିକ ଧାନ ଓ ପରିବା ଚାଷ ବଦଳରେ କରୁଛନ୍ତି ଦାମିକା ଫଳଚାଷ । ଏଭଳି ଉଦାହରଣ ଦେଖିବାକୁ ମିଳିଛି କଳାହାଣ୍ଡି ଜିଲ୍ଲା ଏମ ରାମପୁର ବ୍ଲକ୍ ବାଙ୍କେଲ୍ ଗାଁରେ । ପାରମ୍ପରିକ ଚାଷକୁ ଛାଡି ଡ୍ରାଗନ୍ ଫଳ ଚାଷ କରିଛନ୍ତି ବୈଷ୍ଣବ ସାହୁ । ବିଦେଶରେ ଡ୍ରାଗନର ବେଶ୍‌ ଚାହିଦା ରହିଛି । ବଜାରରେ କେଜିପ୍ରତି ୫ଶହ ଟଙ୍କା ଦରରେ ଏହା ବିକ୍ରି ହୋଇଥାଏ । ଏହା ଦେଖିବାକୁ ଲାଲ୍ ରଙ୍ଗର  । ଏହାର ଆକାର କିଛିଟା ସପୁରୀ ଓ ପଣସ ପରି । ଭାରତରେ ଏହି ଚାଷ କରିବାରେ ଓଡିଶା ହେଉଛି ୪ନମ୍ବର ।ଏହା ପୂର୍ବରୁ ଛତିଶଗଡ, ମହାରାଷ୍ଟ୍ର ଓ କର୍ଣ୍ଣାଟକରେ ଡ୍ରାଗନ ଚାଷ କରାଯାଉଛି । ତେବେ ବୈଷ୍ଣବ ଓଡିଶାରେ ଏହି ଚାଷ କରି ବେଶ୍ ଲାଭବାନ୍ ହେଉଛନ୍ତି ।

ମାଟ୍ରିକ୍ ପଢିବାପରେ ବୈଷ୍ଣବ ପନିପରିବା ଚାଷ ଆରମ୍ଭ କରିଥିଲେ । ଇସ୍କନ୍ ଭକ୍ତ ବୈଷ୍ଣବ ତାଙ୍କ ବାପାଙ୍କ ସହ ଦ୍ବାରକା ବୁଲିଯାଇଥିବା ବେଳେ ସେଠାରେ ଡ୍ରାଗନ୍ ଚାଷ ସମ୍ବନ୍ଧରେ ଜାଣିବାକୁ ପାଇଥିଲେ । ସେଠାରେ ୨ବର୍ଷ ରହି ଏହି ଚାଷ ସମ୍ବଦ୍ଧରେ ତାଲିମ୍ ନେଇଥିଲେ ବୈଷ୍ଣବ । ୨୦୧୮ ମସିହାରେ ଗୋଟା ପିଛା ଶହେ ଟଙ୍କା ଦରରେ ହଜାରେ ଚାରା ଆଣି ନିଜର ୨୦ ଡେସିମିଲ୍ ଜମିରେ ସିମେଣ୍ଟ ପିଲର କରି ଡ୍ରିପ୍ ପ୍ରଣାଳିରେ ଆରମ୍ଭ କରିଥିଲେ ଡ୍ରାଗନ୍ ଚାଷ । ପ୍ରଥମ ୨ବର୍ଷ ଆଶାନୁରୂପ ଫଳ  ଫଳି ନଥିବାବେଳେ ଏବେ ପ୍ରତି ଗଛରେ ଦୁଇ କେଜିରୁ ଅଧିକ ଫଳ ହେଉଛି । ଦିନକୁ ଦିନ ଯୁବପିଢି ଚାଷରୁ ମୁହଁ ଫେରାଉଥିବାବେଳେ ବୈଷ୍ଣବଙ୍କ ଡ୍ରାଗନ ଚାଷ ଯୁବପିଢି ପ୍ରତି ଏକ ପ୍ରେରଣା ପାଲଟିଛି ।

ରାଜ୍ୟରେ କ୍ରୀଡା ଛାତ୍ରାବାସ ପୂନର୍ଗଠନ ପ୍ରସଙ୍ଗ, ମୁଖ୍ୟମନ୍ତ୍ରୀଙ୍କୁ ରାଜ୍ୟର ୧୬ କ୍ରୀଡା ସଂଘର ଚିଠି ପରେ ମତ ରଖିଲେ ବରିଷ୍ଠ କ୍ରୀଡାବିତ୍

କଟକ: କ୍ରୀଡାର ଏନ୍ତୁଡିଶାଳ ହେଉଛି କ୍ରୀଡା ଛାତ୍ରାବାସ । ଏହାକୁ କାଣ୍ଟଛାଣ୍ଟ କଲେ ପଡ଼ିବ ପ୍ରଭାବ । ଅଧିକ ଛାତ୍ରଛାତ୍ରୀ ପ୍ରଶିକ୍ଷଣ ହେବା ଉଚିତ୍ । ପ୍ରଶିକ୍ଷଣ ବଢିଲେ ରାଜ୍ୟରେ କ୍ରୀଡାର ହେବ ଉନ୍ନତି । ରାଜ୍ୟ ସରକାର କ୍ରୀଡା ଛାତ୍ରାବାସ ପୂନର୍ଗଠନ ଯୋଜାନାରେ ସଂଶୋଧନ ଆଣିବାକୁ ଯାଉଥିବାବେଳେ ଏମିତି କିଛି ମତ ରଖିଛନ୍ତି ବରିଷ୍ଠ କ୍ରୀଡାବିତ୍ ।

କ୍ରୀଡ ଓ ଯୁବସେବା ବିଭାଗ ପକ୍ଷରୁ କିଛି ଜିଲ୍ଲାରେ ଛାତ୍ରାବାସ ବନ୍ଦ କରିବା ସହ କିଛି ସଂସ୍କାର ଆଣିବାକୁ ସ୍ଥିର କରାଯାଇଛି । ୧୮ ବର୍ଷରୁ ଉର୍ଦ୍ଧ୍ୱ ଖେଳାଳିଙ୍କୁ ଆଉ ହଷ୍ଟେଲରେ ନ ରଖିବାକୁ ନିଷ୍ପତ୍ତି ନିଆଯାଇଛି । ଏହାକୁ ସଂଶୋଧନ କରିବାକୁ ପୂର୍ବରୁ ରାଜ୍ୟର ୧୬ କ୍ରୀଡା ସଂଘ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଥିଲେ । ଆଉ ଏବେ କିଛି ବରିଷ୍ଠ କ୍ରୀଡାବିତ୍ ଏହାକୁ କାଣ୍ଟଛାଣ୍ଟ ନକରି ବରଂ ବଢାଯାଉ ବୋଲି ମତ ଦେଇଛନ୍ତି ।

ଭେଟରାନ ଆଥଲେଟଙ୍କ କହିବା କଥା, ୧୪ ବର୍ଷରେ ପିଲାମାନେ କ୍ରୀଡା ଛାତ୍ରାବାସକୁ ଆସନ୍ତି । ୨୧ ବର୍ଷ ପର୍ଯ୍ୟନ୍ତ ଜୁନିୟର ଓ ୟୁଥ ଅନ୍ତର୍ଜାତୀୟ ଖେଳାଳି ହେବା ପାଇଁ ସ୍ୱପ୍ନ ଦେଖିଥାନ୍ତି । ତେଣୁ କ୍ୟାରିୟରର ଉତଥାନ ସମୟରେ ସେମାନଙ୍କୁ ହଷ୍ଟେଲରୁ କାଢିଦେବା ଠିକ ହେବନି । ସରକାରଙ୍କ କ୍ରୀଡା ବିଭାଗ ଏ ସମ୍ପର୍କରେ କ୍ରୀଡା ସଂଘ ଓ ବରିଷ୍ଠ କ୍ରୀଡାବିତଙ୍କ ମତ ନେଇ ଖୁବଶୀଘ୍ର ଏକ ଭଲ ନିଷ୍ପତ୍ତି ନେବେ ବୋଲି ସମସ୍ତେ ଆଶା ରଖିଛନ୍ତି ।

ଟ୍ୱିନ୍ ‌ସିଟିରେ ବଢିଛି ଅପରାଧର କଳା ତାଲିକା, ରେକର୍ଡ ତାଲିକାରେ ଧରାପଡ଼ିଲା କମିଶନରେଟ୍ ପୋଲିସର ଅପାରଗତା

ଭୁବନେଶ୍ୱର: ଅପରାଧିଙ୍କ କବଳରୁ ରାଜଧାନୀକୁ ନିସ୍ତାର ନାହିଁ । ଲକ୍ ଡାଉନ୍ ହେଉ କି ସାଧାରଣ ସମୟ । ପୋଲିସକୁ ଚକମା ଦେଇ ମାତିଛନ୍ତି ଲୁଟେରା । କେବଳ ଲୁଟ ନୁହେଁ, ସିନ୍ଧି ଚୋରି, ଡକାୟତି ଭଳି ସାମାଜିକ ଅପରାଧ ଖୁବ୍ ବୃଦ୍ଧି ପାଇଛି । ୨୦୧୯ ବାର୍ଷିକ ଅପରାଧ ରେକର୍ଡରେ ଏପରି ତଥ୍ୟ ଦେଇଛି କମିସନରେଟ୍ ପୋଲିସ । ତଥ୍ୟ ଅନୁସାରେ ୨୦୧୯ରେ ଭୁବନେଶ୍ୱରରେ ୧୯୦୫ଟି ଓ କଟକରେ ୬୪୩ଟି ଚୋରି ହୋଇଛି ।

ସେହିପରି ଲୁଟ ରାଜଧାନୀରେ ୨୬୬ଟି ହୋଇଥିବା ବେଳେ କଟକରେ ୧୧୩ଟି, ରାହାଜାନୀ ୩୩୭ଟି ଭୁବନେଶ୍ୱରରେ ୧୨୪ଟି କଟକରେ, ସିନ୍ଧି ଚୋରି ୬୫୦ଟି, କଟକରେ ୨୬୭ଟି, ଡକାୟତି ବୁବନେଶ୍ୱରରେ ୪୯ଟି କଟକରେ ୨୦ଟି ହୋଇଛି । ଏହା ବାଦ ରାଜଧାନୀରେ ହତ୍ୟା ୩୯ଟି ହୋଇଥିବା ବେଳେ କଟକରେ ୩୦ଟି ହୋଇଛି । ଭୁବନେଶ୍ୱରରେ ଦୁଷ୍କର୍ମ ୧୪୯ଟି ହୋଇଥିବା ବେଳେ କଟକରେ ୬୬ଟି ହୋଇଛି । ପୂର୍ବତନ ଡିଜିପି ସଂଜୀବ ମାରିକ କହିଛନ୍ତି, ସହରାଞ୍ଚଳ ଓ ଜନସଂଖ୍ୟା ବୃଦ୍ଧି ଏ ସବୁ ଅପରାଧ ବୃଦ୍ଧିର କାରଣ ।

ସହରାଞ୍ଚଳ ଓ ଜନସଂଖ୍ୟା ବୃଦ୍ଧି ଯୁକ୍ତିକୁ ଗ୍ରହଣ କରି ନାହାନ୍ତି କ୍ରିମିନାଲ ଆଡଭୋକେଟ୍ । ସେ କହିଛନ୍ତି ଲୁଟ୍ ରାହାଜାନୀ, ଚୋରି ଡକାୟତି ଆଦି ଅପରାଧ ନିୟନ୍ତ୍ରଣ ଯୋଗ୍ୟ । ଏହି ସବୁ ଅପରାଧ ପେଶାଦାର ଅପରାଧୀ କରିଥାନ୍ତି । ପୋଲିସ ଏମାନଙ୍କ ଉପରେ ନିୟମିତ ନଜର ରଖିବା ଦରକାର । ଏହାସହ ସୋସିଆଲ୍ ଇଣ୍ଟେଲିଜେନ୍ସ ବି ଖୁବ୍ ଆବଶ୍ୟକ । ଯାହାକି ଆଜିକାଲିର ପୋଲିସ କରୁନାହିଁ । ଅପରାଧଙ୍କ ଉପରେ ଲଗାମ କସିବା ପାଇଁ ପୋଲିସ ପାଟ୍ରୋଲିଂ ଜୋରଦାର କରୁଥିବା କଥା କହୁଥିବା ବେଳେ ଅସଲରେ ଯେ ଏହା ଠାରୁ ସେ ବହୁତ ଦୁରରେ ତାହା ଏହି ରିପୋର୍ଟରୁ ସ୍ପଷ୍ଟ ।

(ଭୁବନେଶ୍ୱରରୁ ଅରୁଣ ସାହୁ)

କରୋନା ନେଲା ଆଉ ଜଣେ ମନ୍ତ୍ରୀଙ୍କ ଜୀବନ

ଲକ୍ଷ୍ନୌ: ଦେଶରେ କରୋନା ସଂକ୍ରମଣ ବଢ଼ିଥିବା ବେଳେ ମୃତ୍ୟୁସଂଖ୍ୟା ବଢ଼ିବାରେ ଲାଗିଛି । ଉତ୍ତରପ୍ରଦେଶରେ ସ୍ଥିତି ବିଗିଡ଼ିବାକୁ ବସିଲାଣି । ୟୋଗୀ ସରକାରରେ ମନ୍ତ୍ରୀ ଥିବା ଚେତନ ଚୌହାନଙ୍କ ମୃତ୍ୟୁ ହୋଇଛି । ଚେତନ କରୋନା ସଂକ୍ରମିତ ହେବା ପରେ ଗୁରୁଗ୍ରାମର ମେଦାନ୍ତ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ । ଚିକିତ୍ସା ଚାଲିଥିବା ବେଳେ ତାଙ୍କ କିଡନୀ ଫେଲ୍ ହୋଇ ଯାଇଥିଲା । ରବିବାର ମୃତ୍ୟୁ ହୋଇଥିବା ଜଣାପଡ଼ିଛି । ଏହା ପୂର୍ବରୁ ଅଗଷ୍ଟ ୨ ତାରିଖରେ ଯୁପି ସରକାରରେ ମନ୍ତ୍ରୀ ଥିବା କମଳ ରାଣୀ ବରୁଣଙ୍କ ଦେହାନ୍ତ କରୋନାରେ ହୋଇଥିଲା । ଚେତନ ଚୌହାନଙ୍କ ମୃତ୍ୟୁରେ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଦୁଃଖ ପ୍ରକାଶ କରିଛନ୍ତି ।

ଅର୍ଜୁନ ସମ୍ମାନରେ ସମ୍ମାନିତ ହୋଇଥିବା ଚେତନ ଚୌହାନ ଭାରତୀୟ କ୍ରିକଟ୍ ଟିମର ସଦସ୍ୟ ଥିଲେ । ଏହା ବାଦ୍ ସେ ୧୯୯୧ରୁ ୧୯୯୮ ଯାଏଁ ସାଂସଦ ଥିଲେ । ବିଜେପିରେ ସାମିଲ ହେବା ପରେ ସେ ୟୁପି ସରକାରରେ ସୈନିକ କଲ୍ୟାଣ, ହୋମଦଗାର୍ଡ୍ସ, ପ୍ରାନ୍ତୀୟ ରକ୍ଷକ ଦଳ ଓ ନାଗରିକ ସୁରକ୍ଷା ମନ୍ତ୍ରୀ ହୋଇଥିଲେ । ୭୩ ବର୍ଷ ବୟସରେ ତାଙ୍କର ମୃତ୍ୟୁ ହୋଇଛି । ଚେତନ ପୂର୍ବରୁ ଉତ୍ତରପ୍ରଦେଶ ଅମରୋହା ଆସନରୁ ସାଂସଦ ଥିବାବେଳେ ଏବେ ଅମରୋହାର ନୋଗାୱାଁ ବିଧାନସଭା ଆସନରୁ ବିଧାୟକ ଭାବେ ନିର୍ବାଚିତ ହୋଇଥିଲେ ।

ଉତ୍ତରପ୍ରଦେଶ ସରକାରଙ୍କ ଆଇନ୍ ମନ୍ତ୍ରୀ ବ୍ରଜେଶ ପାଠକ ମଧ୍ୟ କରୋନାରେ ପୀଡ଼ିତ ହୋଇଛନ୍ତି । ଏହା ପୂର୍ବରୁ ଯୋଗୀ ସରକାରରେ ମନ୍ତ୍ରୀ ଥିବା କମଳ କାଣୀ ବରୁଣଙ୍କ ଦେହାନ୍ତ ଅଗଷ୍ଟ ୨ ତାରିଖରେ କରୋନାରେ ହୋଇଥିଲା । ସେ ୟୁପି କ୍ୟାବିନେଟ ମନ୍ତ୍ରୀ ଥିବା ବେଳେ କରୋନା ପଜିଟିଭ୍ ଚିହ୍ନଟ ହେବା ପରେ ଏସଜିପିଜିଆଇ ମେଡିକାଲରରେ ଭର୍ତ୍ତି ହୋଇଥିଲେ ।

ଏବେ ଯାଏଁ ଉତ୍ତରପ୍ରଦେଶ ସରକାରର ଖେଳ ମନ୍ତ୍ରୀ ଉପେନ୍ଦ୍ର ତିୱାରୀ, ଜେଲ ମନ୍ତ୍ରୀ ଜୟ ପ୍ରତାପ ସିଂହ, ରାଜେନ୍ଦ୍ର ପ୍ରତାପ ସିଂହ, ଧର୍ମ ସିଂହ ସୈନି, କ୍ୟାବିନେଟ୍ ମନ୍ତ୍ରୀ ମୋତି ସିଂହ ଓ ମହେନ୍ଦ୍ର ସିଂହ କରୋନାରୁ ସୁସ୍ଥ ହୋଇଛନ୍ତି । ଏହା ବ୍ୟତୀତ ରାଜ୍ୟ ବିଜେପି ସଭାପକି ସ୍ୱତନ୍ତ୍ର ଦେବ ମଧ୍ୟ ଗତ ସପ୍ତାହରେ କରୋନା ସଂକ୍ରମିତ ହୋଇଥିଲେ ।

ଅଗଷ୍ଟ ୮ ଓ ୧୨ରେ ପଜିଟିଭ ହାର ସବୁଠୁ ଅଧିକ ୮ ପ୍ରତିଶତ ରହିଛି

ଭୁବନେଶ୍ୱର: କରୋନା ନେଇ ରାଜ୍ୟ ସରକାରଙ୍କ ପ୍ରେସମିଟ୍ । ସିଏମସି କମିଶନର ଅନନ୍ୟା ଦାସଙ୍କ ସୂଚନା । ଯଦି ଆମେ ସିଏମସି ଏରିଆ ଦେଖିବା । ତେବେ ୮ ଅଗଷ୍ଟରୁ ୧୪ ସୁଦ୍ଧା କରୋନାର ମୋଟ କେସ ୬୦୫ଟି ଆସିଥିଲା । ଏମାନଙ୍କ ମଧ୍ୟରେ ୧୬୫ ଜଣ କଣ୍ଟେନମେଣ୍ଟ ଜୋନ, ୧୭୪ ଜଣ ହୋମ କ୍ୱାରେଣ୍ଟାଇନ, ୧୨୭ ଜଣ ଇନଷ୍ଟିଚ୍ୟୁସନାଲ କ୍ୱାରେଣ୍ଟାଇନ ଏବଂ ୧୩୯ ଜଣ ଲୋକାଲ କଣ୍ଟାକ୍ଟ ରହିଛି । ୨୧ରୁ ୪୦ ବର୍ଷ ବୟସର ଲୋକ ଅଧିକ ସଂକ୍ରମିତ ହେଉଛନ୍ତି । ଏହି ବୟସର ଲୋକେ ବାହାରକୁ ଅଧିକ ବାହାରୁ ଥିବାରୁ ସଂକ୍ରମିତ ଅଧିକ ହେଉଛନ୍ତି । ସେଥିପାଇଁ ସରକାର ସତର୍କତା ଅବଲମ୍ବନ କରିବାକୁ ଚେତାବନୀ ନେଇଛନ୍ତି ।

କାମ ପାଇଁ ବାହାରକୁ ଯାଆନ୍ତୁ ମାତ୍ର ସତର୍କତା ଅବଲମ୍ବନ କରନ୍ତୁ ବୋଲି ସିଏମସି କମିଶନର କହିଛନ୍ତି । ଅଗଷ୍ଟ ୮ ଓ ୧୨ରେ ପଜିଟିଭ ହାର ସବୁଠୁ ଅଧିକ ୮ ପ୍ରତିଶତ ରହିଛି । ଏବଂ ଯଦି ଦେଖିବା କେବେ କେବେ ଜିଲ୍ଲାରେ ପଜିଟିଭ ସଂଖ୍ୟା ବଢ଼ୁଥିବା ବେଳେ କେବେ କେବେ କମି ମଧ୍ୟ ଯାଉଛି । ସେପଟେ ୧୧୨ ଜଣଙ୍କଠାରୁ ୨୨୪ ୟୁନିଟ ପ୍ଲାଜମା ସଂଗ୍ରହ କରାଯାଇଛି । ସେପଟେ ସିଏମସିର ବିଭିନ୍ନ ପିଏଚସି ଓ ସିଏଚସିରେ ଟେଷ୍ଟିଂ ଆରମ୍ଭ ହୋଇଛି ।

ମୋବାଇଲ ଟେଷ୍ଟିଂ ସାହାଯ୍ୟରେ ଲୋକଙ୍କ ପାଖରେ ଯାଇ ଟେଷ୍ଟିଂ ଭ୍ୟାନ ପହଞ୍ଚୁଛି । ଜିଲ୍ଲା ମଧ୍ୟରେ ବସ୍ତି ଏବଂ ଅଧିକ ଲୋକଙ୍କ ଗହଳି ଥିବା ସ୍ଥାନକୁ ଗୁରୁତ୍ୱ ଦିଆଯାଇଛି । ଯେଉଁ ମାନଙ୍କର ଥଣ୍ଡା କିଜ୍ୱର ରହୁଛି ସେମାନଙ୍କୁ ଅଧିକ ଗୁରୁତ୍ୱ ଦିଆଯାଇ ତାଙ୍କର ଟେଷ୍ଟିଂ ଅଧିକ ମାତ୍ରାରେ କରାଯାଉଛି । ଗୁରୁତ୍ୱକୁ ଦେଖି ଆଣ୍ଟିଜେନ ଟେଷ୍ଟିଂ ବି ପିଏଚସି ଗୁଡିକରେ ଆରମ୍ଭ କରାଯାଇଛି । ସିଏମସିରେ ହୋମ ଆଇସୋଲେସନ ସୁବିଧା ଉପଲବ୍ଧ କରାଯାଇଛି । ତେବେ ହୋମ ଆଇସୋଲେସନ ପାଇଁ କିଟ ମଧ୍ୟ ଦିଆଯାଉଛି ରୋଗୀଙ୍କୁ ।

କଟକ ଜିଲ୍ଲାରେ ଟେଷ୍ଟିଂ ସଂଖ୍ୟା ବଢ଼ିଥିବା ବେଳେ କମୁଛି ପଜିଟିଭଙ୍କ ସଂଖ୍ୟା

କଟକ: କଟକ ଜିଲ୍ଲାରେ କମୁଛି ପଜିଟିଭଙ୍କ ସଂଖ୍ୟା । ବଡିଛି ଟେଷ୍ଟିଂ, ଜିଲ୍ଲାରେ ୬୬ ପ୍ରତିଶତରୁ ୭୨ ପ୍ରତିଶତକୁ ବୃଦ୍ଧି ପାଇଛି ଟେଷ୍ଟିଂ । ଏପର୍ଯ୍ୟନ୍ତ ୫୪ ହଜାର ୮୮୪ ନମୁନା ସଂଗ୍ରହ କରାଯାଇ ଥିବା କଟକ ଜିଲ୍ଲା ପ୍ରଶାସନ ପକ୍ଷରୁ ସୂଚନା ଦିଆ ଯାଇଛି । ସମସ୍ତ ନମୁନାରୁ ମଧ୍ୟରୁ ୩୭୪୭ ଜଣ ପଜିଟିଭ ଚିହ୍ନଟ ହୋଇଛନ୍ତି । ଏଥିରୁ ୪୯ ପ୍ରତିଶତ ସହରାଞ୍ଚଳର ସଂକ୍ରମିତ ଅଛନ୍ତି । ସମସ୍ତ ସଂକ୍ରମିତଙ୍କ ଚିକତ୍ସା ପାଇଁ ଜିଲ୍ଲାରେ ୧୨୩୦ଟି ବେଡ୍ ବିଶିଷ୍ଠ ୮ଟି କୋଭିଡ କେୟାର ସେଣ୍ଟର ପସ୍ତୁତ ରହିଛି ।

ତେବେ କରୋନା ପଜିଟିଭ୍ ପରେ କୌଣସି ଲକ୍ଷଣ ନଥିବା ବ୍ୟକ୍ତିଙ୍କୁ ହୋମ କ୍ୱାରେଣ୍ଟାଇନ ପାଇଁ ପରାମର୍ଶ ଦିଆଯାଉଥିବା ସିଏମସି ପକ୍ଷରୁ ସୂଚନା ଦିଆଯାଇଛି । ଏ ସପ୍ତାହରେ ୨୨୩ ଜଣ ହୋମ କ୍ୱାରେଣ୍ଟାଇନରେ ରହିଛନ୍ତି । ପ୍ଲାଜମା ଥେରାପୀ ଯୁଗାନ୍ତକାରୀ ଚିକିତ୍ସା ପଦ୍ଧତିରେ ପରିଣତ ହୋଇଛି । ଏବେ ସୁଦ୍ଧା ଜିଲ୍ଲାରେ ୧୧୨ ଜଣଙ୍କଠାରୁ ୨୨୪ ୟୁନିଟ ପ୍ଲାଜମା ସଂଗ୍ରହ କରାଯାଇଛି । ଅଧିକରୁ ଅଧିକ ପ୍ଲାଜମା ସଂଗ୍ରହ ପାଇଁ ଲୋକଙ୍କୁ ସେଚତନ କରାଯାଉଛି ।

ସେପଟେ ୩୩୨ ଜଣ କୋଭିଡ ଯୋଦ୍ଧାଙ୍କ ମଧ୍ୟରୁ ୩୪ ଜଣ ଚିକିତ୍ସାଧୀନ ଅଛନ୍ତି । ଜିଲ୍ଲାରେ ପଜିଟିଭଙ୍କ ମଧ୍ୟରୁ ୧୦୨୦ ଜଣ ଚିକିତ୍ସାଧୀନ ଅଛନ୍ତି । ତବେ କଟକରେ କରୋନା ସୁସ୍ଥତାହାର ୭୨ ପ୍ରତିଶତ ରହିଥିବା ସୂଚନା ଦେଇଛନ୍ତି ଜିଲ୍ଲାପାଳ ଭବାନୀ ଶଙ୍କର ଚୟନୀ । ଅନ୍ୟପଟେ ଯୁଗାନ୍ତକାରୀ ଚିକତ୍ସା ସେବା ପ୍ରଦାନ କରିଥିବାରୁ ୩୯ କୋଭିଡ ଯୋଦ୍ଧାଙ୍କୁ କଟକରେ ସମ୍ମାନିତ କରାଯାଇଥିବା ମଧ୍ୟ ସୂଚନା ଦେଇଛନ୍ତି ଜିଲ୍ଲାପାଳ ।