ଭୁବନେଶ୍ବର: ରାଜଧାନୀରେ ଚାଞ୍ଚଲ୍ୟ। ରାତି ଅଧରେ ନାବାଳିକାଙ୍କୁ ଧରି ଫେରାର ହେଉଥିଲେ ୨ ବଙ୍ଗୀୟ ଯୁବକ। ନିଶାଦେଇ ନାବାଳିକାକୁ ଅପହରଣ କରୁଥିବା ବେଳେ ୨ ଯୁବକଙ୍କୁ ମାଡି ବସିଲେ ସ୍ଥାନୀୟ ଲୋକେ। ୨ ଯୁବକ ନିଶାସକ୍ତ ଅବସ୍ଥାରେ ଥିବା ବେଳେ ନାବାଳିକାଙ୍କୁ କୁଆଡେ ଓ କାହିଁକି ନେଉଥିଲେ କାରଣ ଅସ୍ପଷ୍ଟ ରହିଛି। ଅନ୍ୟପଟେ ନାବାଳିକା ଜଣକ ଅଚେତ ଅବସ୍ଥାରେ ଥିବାରୁ ଦୁଷ୍କର୍ମ ଉଦ୍ୟମ ହୋଇଥିବା ଅଭିଯୋଗ କରିଛନ୍ତି ସ୍ଥାନୀୟ ଲୋକେ। ମୂର୍ମୁଷ ଅବସ୍ଥାରେ ଧରି ନେଉଥିବା ବେଳେ ସ୍ଥାନୀୟ ଲୋକ ଦେଖିଥିଲେ। ସନ୍ଦେହ ହେବାରୁ ୨ ଜଣଙ୍କୁ ଅଟକ ରଖି ଖଣ୍ଡଗିରି ଥାନା ପୋଲିସକୁ ଜିମା ଦିଆଯାଇଛି। ନାବାଳିକାକୁ ଉଦ୍ଧାର କରି ଚିକିତ୍ସା ପାଇଁ ଏମସରେ ଭର୍ତ୍ତି କରାଯାଇଛି। ଅଟକ ୨ ଯୁବକ ହେଲେ ପଶ୍ଚିମବଙ୍ଗ ମେଦିନାପୁରର ଗୋପାଳ ମଜୁମଦାର ଓ ମୃତ୍ୟୁଞ୍ଜୟ ଘୋଷ। ଖଣ୍ଡଗିରିର ଥାନା ଡୁମଡୁମା ଅଞ୍ଚଳରେ ଥିବା ହୋଟେଲରେ ଶ୍ରମିକ ଭାବରେ କାମ କରନ୍ତି ୨ ଯୁବକ। ଦୁଷ୍କର୍ମ ଅଭିଯୋଗ ପରେ ଉଦ୍ଧାର ନାବାଳିକାର ଚିକିତ୍ସା ପରେ ଡାକ୍ତରୀମାଇନା କରିବ ପୋଲିସ ।
ଆଜି ପ୍ରକାଶ ପାଇବ ଆସନ୍ତା ଜନଗଣନା ବିଜ୍ଞପ୍ତି, ଦୁଇଟି ପର୍ଯ୍ୟାୟରେ ହେବ ଜନଗଣନା
ନୂଆଦିଲ୍ଲୀ: ଆଜି ପ୍ରକାଶ ପାଇବ ଆସନ୍ତା ଜନଗଣନାର ବିଜ୍ଞପ୍ତି। ଏକ ବୈଠକରେ ଜନଗଣନା ପ୍ରସ୍ତୁତିର ସମୀକ୍ଷା କରିଛନ୍ତି କେନ୍ଦ୍ର ଗୃହ ମନ୍ତ୍ରୀ ଅମିତ ଶାହ। କେନ୍ଦ୍ର ଗୃହ ସଚିବ ଗୋବିନ୍ଦ ମୋହନ ଏବଂ ଅନ୍ୟ ବରିଷ୍ଠ ଅଧିକାରୀଙ୍କ ସହିତ ଆଗାମୀ ଜନଗଣନାର ପ୍ରସ୍ତୁତି ସେ ସମୀକ୍ଷା କରିଛନ୍ତି। ଜାତି ଗଣନା ସହିତ ଭାରତର ଷୋଡ଼ଶ ଜନଗଣନା ୨୦୨୭ରେ କରାଯିବ। ଲଦାଖ ଭଳି ତୁଷାରପାତ ଅଞ୍ଚଳଗୁଡ଼ିକରେ ଅକ୍ଟୋବର ପହିଲା ୨୦୨୬ ରୁ ଆରମ୍ଭ ହେବ ଜନଗଣନା। ଦେଶର ଅନ୍ୟାନ୍ୟ ସ୍ଥାନରେ ୧ ମାର୍ଚ୍ଚ ୨୦୨୭ରୁ ଏହି ପ୍ରକ୍ରିୟା ଆରମ୍ଭ ହେବ।
ଏଥର ଜାତିଗଣନା ବି ହେବ। ଜନଗଣନା ଦୁଇଟି ପର୍ଯ୍ୟାୟରେ କରାଯିବ। ପ୍ରଥମ ପର୍ଯ୍ୟାୟରେ ଗୃହ ତାଲିକାକରଣ କାର୍ଯ୍ୟ, ପ୍ରତ୍ୟେକ ପରିବାରର ବାସସ୍ଥାନ ଅବସ୍ଥା, ସମ୍ପତ୍ତି ଏବଂ ସୁବିଧା ସୁଯୋଗର ତଥ୍ୟ ସଂଗ୍ରହ କରାଯିବ। ପରବର୍ତ୍ତୀ ସମୟରେ ଦ୍ୱିତୀୟ ପର୍ଯ୍ୟାୟ ଅର୍ଥାତ୍ ଜନସଂଖ୍ୟା ଗଣନାରେ ପ୍ରତ୍ୟେକ ପରିବାରର ପ୍ରତ୍ୟେକ ବ୍ୟକ୍ତିଙ୍କ ଜନସଂଖ୍ୟାଗତ, ସାମାଜିକ, ଅର୍ଥନୈତିକ, ସାଂସ୍କୃତିକ ଏବଂ ଅନ୍ୟାନ୍ୟ ବିବରଣୀ ସଂଗ୍ରହ କରାଯିବ। ଜନଗଣନାରେ ଜାତି ଗଣନା ମଧ୍ୟ କରାଯିବ ବୋଲି ବିବୃତ୍ତିରେ କୁହାଯାଇଛି। ଜନଗଣନା କାର୍ଯ୍ୟ ପାଇଁ ୩୪ ଲକ୍ଷ ଗଣନାକାରୀ, ପର୍ଯ୍ୟବେକ୍ଷକ ଏବଂ ପ୍ରାୟ ୧.୩ ଲକ୍ଷ ଜନଗଣନା କାର୍ଯ୍ୟକର୍ତ୍ତାଙ୍କୁ ନିୟୋଜିତ କରାଯିବ। ଆଗାମୀ ଜନଗଣନା ମୋବାଇଲ୍ ଆପ୍ଲିକେସନ୍ ବ୍ୟବହାର କରି ଡିଜିଟାଲ୍ ମାଧ୍ୟମରେ କରାଯିବ। ଲୋକମାନଙ୍କୁ ସ୍ୱୟଂ-ଗଣନାର ବ୍ୟବସ୍ଥା ମଧ୍ୟ ଉପଲବ୍ଧ କରାଯିବ। ପ୍ରତି ୧୦ ବର୍ଷରେ ଥରେ ଜନଗଣନା ହୁଏ। କିନ୍ତୁ କରୋନା ପାଇଁ ୨୦୨୧ରେ ଏହା ହୋଇପାରିନଥିଲା।
ଇସ୍କନ ପକ୍ଷରୁ ପୁଣି ଜଗନ୍ନାଥ ସଂସ୍କୃତି ଓ ପରମ୍ପରାକୁ ଅବମାନନା
ନନ୍ଦିଘୋଷ ବ୍ୟୁରୋ: ଇସ୍କନ ପକ୍ଷରୁ ପୁଣି ଜଗନ୍ନାଥ ସଂସ୍କୃତି ଓ ପରମ୍ପରାକୁ ଅବମାନନା । ଆମେରିକାର ବିଭିନ୍ନ ସହରରେ ଇସ୍କନ ପକ୍ଷରୁ ଭିନ୍ନ ଭିନ୍ନ ଦିବସରେ ସ୍ନାନଯାତ୍ରା କରାଯାଇଛି । ଏହା ଶାସ୍ତ୍ରୀୟ ମତ ଅନୁସାରେ ହୋଇ ନଥିବା ଦର୍ଶାଇ କ୍ଷୋଭ ପ୍ରକାଶ କରିଛନ୍ତି ପୁରୀ ଗଜପତି ମହାରାଜା । ଏ ନେଇ ଇସ୍କନ କର୍ତ୍ତୃପକ୍ଷଙ୍କୁ ଚିଠି ଲେଖିଛନ୍ତି । ଇସ୍କନ ଗଭର୍ଣ୍ଣିଂ ବଡି କମିଶନର ଅଧ୍ୟକ୍ଷଙ୍କୁ ପତ୍ର ଲେଖିଛନ୍ତି ଗଜପତି ମହାରାଜା l ଭାରତ ବାହାରେ ବିଭିନ୍ନ ଦେଶର ଇସ୍କନ କେନ୍ଦ୍ର ତଥା ମନ୍ଦିରଗୁଡ଼ିକ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ସ୍ନାନଯାତ୍ରା ଏବଂ ରଥଯାତ୍ରା ଭିନ୍ନଭିନ୍ନ ତିଥିରେ ପାଳନ କରୁଥିବା ନଜରକୁ ଆସିଛି । ଏହା ସମ୍ପୂର୍ଣ୍ଣ ଶାସ୍ତ୍ର ବିରୋଧୀ ବୋଲି ପତ୍ରରେ ଲେଖିଛନ୍ତି ଗଜପତି । ବିଭିନ୍ନ ଇସ୍କନ ମନ୍ଦିର ପକ୍ଷରୁ ଇଣ୍ଟରନେଟରେ ଏ ସମ୍ପର୍କରେ ଦିଆଯାଇଥିବା ଘୋଷଣାନାମାକୁ ମଧ୍ୟ ଚିଠି ସହିତ ସଂଲଗ୍ନ କରାଯାଇଛି l ଗତ ମାର୍ଚ୍ଚ ୨୦ ତାରିଖରେ ଭୁବନେଶ୍ବର ଠାରେ ହୋଇଥିବା ଆଲୋଚନା ସମୟରେ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଶ୍ରୀଜଗନ୍ନାଥ ସଂସ୍କୃତି ଗବେଷକମାନେ ଦୃଢ଼ ଭାବେ ସ୍ନାନଯାତ୍ରା କେବଳ ଜ୍ୟେଷ୍ଠ ପୂର୍ଣ୍ଣିମା ତିଥି ଜୁନ୍ ୧୧ ତାରିଖରେ ପାଳନ କରାଯିବାକୁ କହିଥିଲେ । ଏବଂ ଆଷାଢ ଶୁକ୍ଳ ଦ୍ବିତୀୟା ଜୁନ୍ ୨୭ ତାରିଖ ଠାରୁ ଆଷାଢ ଶୁକ୍ଳ ଦଶମୀ ଜୁଲାଇ ୫ ତାରିଖ ୯ ଦିନ ମଧ୍ୟରେ ହିଁ ରଥଯାତ୍ରା ଶ୍ରୀଗୁଣ୍ଡିଚା ଯାତ୍ରା ଏବଂ ବାହୁଡାଯାତ୍ରା ପାଳନ କରାଯାଇ ପାରିବ ବୋଲି ସ୍ପଷ୍ଟ କରିଥିଲେ l ମହାପ୍ରଭୁଙ୍କ ସବୁଠାରୁ ପବିତ୍ର ଏହି ଯାତ୍ରା ଅନ୍ୟ ତିଥି କିମ୍ବା ତାରିଖରେ ପାଳନ କରାଯିବା ଦ୍ବାରା ଶାସ୍ତ୍ର ତଥା ପବିତ୍ର ଶ୍ରୀଜଗନ୍ନାଥ ପରମ୍ପରା ଉଲ୍ଲଂଘନ ହେଉଛି । ତେଣୁ ସମଗ୍ର ବିଶ୍ୱରେ କୌଣସି ଇସ୍କନ କେନ୍ଦ୍ର କିମ୍ବା ମନ୍ଦିରରେ ଶାସ୍ତ୍ର ସମ୍ମତ ତିଥି ବ୍ୟତିତ ଅନ୍ୟ ଦିନ ସ୍ନାନଯାତ୍ରା କିମ୍ଵା ରଥଯାତ୍ରା ଯେପରି ପାଳିତ ନହୁଏ, ତାହା ନିଶ୍ଚିତ କରିବାକୁ ଇସ୍କନ ଗଭର୍ଣ୍ଣିଂ ବଡି କମିଶସନ ଅଧ୍ୟକ୍ଷ ଗୋବର୍ଦ୍ଧନ ଦାସ ପ୍ରଭୁଙ୍କୁ କହିଛନ୍ତି ଗଜପତି ମହାରାଜା ।….
ଡାଇରିଆ ବ୍ୟାପିଥିବାରୁ ୨ ସପ୍ତାହ ବନ୍ଦ ରହିବ ସମସ୍ତ ଜଳଖିଆ ଦୋକାନ
ଯାଜପୁର: ଯାଜପୁର ଜିଲ୍ଲାରେ ଡାଇରିଆ ବ୍ୟାପିଥିବାରୁ ବରୀ ବ୍ଲକ ପ୍ରଶାସନର କଡ଼ା ନିର୍ଦ୍ଦେଶ। ୨ ସପ୍ତାହ ବନ୍ଦ ରହିବ ସମସ୍ତ ଜଳଖିଆ ଦୋକାନ, ମାଛ ଦୋକାନ , ଫାଷ୍ଟ ଫୁଡ୍ ଦୋକାନ, ଗୁପଚୁପ, ଦହିବରା ଷ୍ଟଲ୍। ଡାଇରିଆ ସ୍ଥିତି ନେଇ ଯାଜପୁର ଜିଲ୍ଲା ବରୀରେ ବିଧାୟକ ବିଶ୍ଵରଞ୍ଜନ ମଲ୍ଲିକ ସମୀକ୍ଷା କରିଛନ୍ତି। ସ୍ୱଚ୍ଛ ପାନୀୟ ଜଳ ଯୋଗାଣ, ହୋଟେଲ, ଜଳଖିଆ ଦୋକାନରେ ଯେମିତି ବାସି ଖାଦ୍ୟ ଦିଆ ନ ଯାଏ ତାହା ନିଶ୍ଚିତ କରିବାକୁ ପ୍ରଶାସନକୁ ନିର୍ଦ୍ଦେଶ ଦେଇଛନ୍ତି ବିଧାୟକ। ବରୀ ବାଲିଆପାଳରେ ଥିବା ଆଇସକ୍ରିମ ଫ୍ୟାକ୍ଟ୍ରିକୁ ସିଲ କରାଯିବା ସହିତ ଜଳଖିଆ ଦୋକାନ, ମାଛ ଦୋକାନ, ଫାଷ୍ଟ ଫୁଡ୍ ଦୋକାନ, ଗୁପଚୁପ, ଦହିବରା ଷ୍ଟଲରେ ଚଢାଉ କରାଯାଇଛି। ବାସି ଖାଦ୍ୟ ବିକିଲେ, ଆଇନଗତ ଆକ୍ସନ ନିଆଯିବ ବୋଲି କହିଛନ୍ତି, ବରୀ ତହସିଲଦାର। ବିଭିନ୍ନ ହସପିଟାଲରେ ଚିକିତ୍ସିତ ହେଉଥିବା ୩୦ରୁ ଅଧିକ ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ସାଲାଇନ, ହାଲୋଜିନ ବଟିକା ଓ ଆବଶ୍ୟକ ଔଷଧ ମହଜୁଦ ଥିବା କହିଛନ୍ତି ବରୀ ହସପିଟାଲ କର୍ତ୍ତୃପକ୍ଷ। ବିଶୁଦ୍ଧ ପାନୀୟ ଜଳ ଯୋଗାଣକୁ ବି ଗୁରୁତ୍ଵ ଦିଆଯାଉଛି।
ହଇଜାକୁ ନେଇ ସରକାର ଆପଣାଇଛନ୍ତି ଖାମଖିଆଲ ମନୋଭାବ
ନନ୍ଦିଘୋଷ ବ୍ୟୁରୋ: ଯାଜପୁର ହଇଜା ଏବେ ସାରା ରାଜ୍ୟକୁ ବ୍ୟାପିଲାଣି। ଗୋଟିଏ ଜିଲ୍ଲାରୁ ୮ ଜିଲ୍ଲାକୁ ଡେଇଁଲାଣି। ହେଲେ ୮ ଦିନ ପରେ ଯାଜପୁର ଗସ୍ତ କରି ସ୍ଥିତି ସମୀକ୍ଷା କରିଛନ୍ତି ସ୍ବାସ୍ଥ୍ୟମନ୍ତ୍ରୀ। ଏ ପର୍ଯ୍ୟନ୍ତ କାହିଁକି ମୁଖ୍ୟମନ୍ତ୍ରୀ ପ୍ରଭାବିତ ଅଞ୍ଚଳ ଗସ୍ତ କରିନାହାନ୍ତି । ଚିକିତ୍ସା ବ୍ୟବସ୍ଥା ଠିକଠାକ ଚାଲିଛି ବୋଲି କହି ନିଜ କାମ ସାରିଦେଇଛନ୍ତି । ଏହାସରକାରଙ୍କ ଖାମଖିଆଲି ମନୋଭାବ ବୋଲି ବିରୋଧୀ ଅଭିଯୋଗ କରିଛନ୍ତି।
ଜିଲ୍ଲା ପରେ ଜିଲ୍ଲା ଡେଇଁଲାଣି ହଇଜା । ହେଲେ ସରକାର କହୁଛନ୍ତି ସ୍ଥିତି ସୁଧୁରିଛି । ୮ ଜିଲ୍ଲାକୁ ବ୍ୟାପିଲାଣି । ମଲେଣି ୧୮ଜଣ । ହେଲେ ସରକାରଙ୍କ ଖାତାରେ ଏବେ ୫ ଜଣଙ୍କ ମୃତ୍ୟୁ ହୋଇଥିବା ରିପୋର୍ଟ। ଖାଲିସେତିକି ନୁହେଁ, ଯାଜପୁରରେ ହଇଜା ସଂକ୍ରମଣରେ ଏକାଧିକ ମୁଣ୍ଡ ଗଡ଼ିଛି ।
କେନ୍ଦ୍ରୀୟ ଟିମ୍ ଦୁଇଥର କ୍ଷେତ୍ର ପରିଦର୍ଶନ କଲେଣି । ହେଲେ ୯ ଦିନ ପରେ ଜିଲ୍ଲା ଗସ୍ତ କରି ସମୀକ୍ଷା କରିବାକୁ ସ୍ବାସ୍ଥ୍ୟମନ୍ତ୍ରୀଙ୍କ ମନେପଡ଼ୁଛି । ରାଜ୍ୟରେ ହଇଜା ସଂକ୍ରମଣରେ ବ୍ରେକ୍ ଲାଗୁନଥିବା ନେଇ ସରକାରଙ୍କ ବିରୋଧରେ ଏପରି ମାଳ ମାଳ ଅଭିଯୋଗ କରିଛନ୍ତି ବିରୋଧୀ । ଯାଜପୁର ପରେ ଭଦ୍ରକ, କେନ୍ଦୁଝର, କଟକ, କେନ୍ଦ୍ରାପଡ଼ା, ପୁରୀ, ଖୋର୍ଦ୍ଧା, ଢେଙ୍କାନାଳକୁ ବ୍ୟାପିଲାଣି ଡାଇରିଆ ଓ କଲେରା। ଯାଜପୁର ଜିଲ୍ଲାରୁ ୧୫୧୬ଜଣ ଡାଇରିଆ ରୋଗୀ ଚି଼ହ୍ନଟ ହୋଇଥିବା ସ୍ବାସ୍ଥ୍ୟ ବିଭାଗ ସ୍ପଷ୍ଟ କରିଛି ।
ଦ୍ବିତୀୟ ଥର ପାଇଁ କେନ୍ଦ୍ରୀୟ ଟିମ ଯାଜପୁର ଯିବା ପରେ ରାଜ୍ୟ ସ୍ବାସ୍ଥ୍ୟମନ୍ତ୍ରୀ ଯାଇ ସ୍ଥିତି ସମୀକ୍ଷା କରିଛନ୍ତି। ସ୍ବାସ୍ଥ୍ୟ ମନ୍ତ୍ରୀଙ୍କ ଏପରି ବେପରୁଆ ମନୋଭାବ ବିରୋଧରେ ବର୍ଷିଛନ୍ତି ବିରୋଧୀ । ସରକାରୀ ବିଭାଗ ଭିତରେ ସମନ୍ବୟର ଅଭାବକୁ ବିଜେଡି ଟାର୍ଗେଟ କରିଛି । ହଇଜା ମୃତ୍ୟୁକୁ ନେଇ ସରକାର ତଥ୍ୟ ଲୁଚାଉଥିବା ଅଭିଯୋଗ ବି ଆଣିଛି ବିଜୁ ଜନତା ଦଳ । ସେପଟେ ମୁଖ୍ୟମନ୍ତ୍ରୀ କାହିଁକି ଏ ପର୍ଯ୍ୟନ୍ତ ଜିଲ୍ଲା ଗସ୍ତ କରିନାହାନ୍ତି ବୋଲି ପ୍ରଶ୍ନ ଉଠାଇଛି କଂଗ୍ରେସ ।
ଗୋଟାଏ ପଟେ ସ୍ବାସ୍ଥ୍ୟ ବିଭାଗ ବିଷାକ୍ତ ପାଣି ଯୋଗୁଁ ଝାଡ଼ାବାନ୍ତି ବ୍ୟାପୁଥିବା ସ୍ପଷ୍ଟ କରିଥିବାବେଳେ ପଞ୍ଚାୟତିରାଜ ଓ ପାନୀୟ ଜଳ ମନ୍ତ୍ରୀ ରବି ନାୟକ ଏହାକୁ ଖଣ୍ଡନ କରିଥିଲେ। ବିଳମ୍ବରେ ସ୍ଥିତିର ସମୀକ୍ଷା କରିବାକୁ ଯାଇଥିବା ସ୍ବାସ୍ଥ୍ୟମନ୍ତ୍ରୀ ବି ଠିକ୍ ଭାବେ କଲେରା ଓ ଡାଇରିଆର କାରଣ ଖୋଜି ପାଇ ପାରିନାହାନ୍ତି। ଯାହାକୁ ନେଇ ଦ୍ବନ୍ଦ୍ବ ବଢ଼ିବାରେ ଲାଗିଛି । ଡାଇରିଆ ବଢୁଛି । ବିଲୁପ୍ତ କୁହାଯାଉଥିବା କଲେରା ବି କଲବଲ କଲାଣି। ସଂକ୍ରମଣ ନିୟନ୍ତ୍ରଣକୁ ଆସୁନଥିବାରୁ ରାଜ୍ୟରେ ସ୍ବାସ୍ଥ୍ୟସେବା ଖରାପ ସ୍ଥିତିକୁ ଗଲାଣି କି ବୋଲି ବୁଦ୍ଧିଜୀବୀ ପ୍ରଶ୍ନ ଉଠେଇଛନ୍ତି।
ନିମ୍ନମାନର କାମ କରି ସରକାରୀ ଅର୍ଥ ହଡ଼ପ, କାମ ନସରୁଣୁ ଉଠିଗଲାଣି ଗୋଡ଼ି
ନନ୍ଦିଘୋଷ ବ୍ୟୁରୋ: ପୂର୍ତ୍ତ ବିଭାଗ ରାସ୍ତା କାମରେ ଅନୀୟମିତତା । ନିମ୍ନମାନର ରାସ୍ତା ନିର୍ମାଣ ଯୋଗୁଁ ରାସ୍ତା କାମ ଶେଷ ହେବା ପୂର୍ବରୁ ରାସ୍ତାରୁ ଉଠିଗଲାଣି ଫଡ଼ା ଫଡ଼ା କଂକ୍ରିଟ । ରାସ୍ତାର ଅନେକ ସ୍ଥାନରୁ ଗୋଡ଼ି ଉଠିଗଲାଣି । ଯାଜପୁର ଜିଲ୍ଲା ବରୀ ବ୍ଲକ ପୂର୍ତ୍ତ ବିଭାଗ ପକ୍ଷରୁ ପୂଗୋଳକୁଣ୍ଡରୁ ରତ୍ନଗିରି ଏଵଂ ଗୋଳକୁଣ୍ଡ ଠାରୁ ଇନ୍ଦୁପୁର ରାସ୍ତାର ସଂପ୍ରସାରଣ କାର୍ଯ୍ୟରେ ଅନିୟମିତତା ଅଭିଯୋଗ । ଅନେକ ସ୍ଥାନରେ ଗୋଡ଼ି ଉଠିଯାଇଥିବାରୁ ବଜୁରୀ ବିଛାଡ଼ି ହୋଇ ପଡ଼ିବା ଯୋଗୁଁ ପ୍ରତିଦିନ ଏହି ରାସ୍ତାରେ ଦୁର୍ଘଟଣା ଘଟୁଛି । ନିର୍ମାଣ କାର୍ଯ୍ୟ ଚାଲୁଥିବା ସମୟରେ କୌଣସି ଅଧିକାରୀ ତଦାରଖ କରିବାକୁ ଆସୁ ନଥିବାରୁ ଏହି କାର୍ଯ୍ୟ ଅତି ନିମ୍ନମାନର ହୋଇଛି ବୋଲି ସ୍ଥାନୀୟ ଗ୍ରାମବାସୀ ମାନେ ଅଭିଯୋଗ କହିଛନ୍ତି।
ରାସ୍ତା କାମ ନସରୁଣୁ ଉଠିଗଲାଣି ଗୋଡ଼ି । ନିମ୍ନମାନର କାମ କରି ସରକାରୀ ଅର୍ଥ ହଡ଼ପ। ଏପରି ଅଭିଯୋଗ ଆସିଛି ଯାଜପୁର ଜିଲ୍ଲା ବରୀ ବ୍ଲକରୁ। ଏ ହେଉଛି ଗୋଳକୁଣ୍ଡରୁ ରତ୍ନଗିରି ଏବଂ ଗୋଳକୁଣ୍ଡରୁ ଇନ୍ଦୁପୁର ନିର୍ମାଣ ହେଉଥିବାର ରାସ୍ତାର ଅବସ୍ଥା । ପୂର୍ତ୍ତ ବିଭାଗ ପକ୍ଷରୁ ୧୮ କୋଟିରୁ ଅଧିକ ଟଙ୍କା ବ୍ୟୟ ଅଟକଳରେ ୭ ମାସ ତଳେ ରାସ୍ତା ସମ୍ପ୍ରସାରଣ କାମ ଆରମ୍ଭ ହୋଇଥିଲା । ଯାହା ଏ ପର୍ଯ୍ଯନ୍ତ ସମ୍ପୂର୍ଣ୍ଣ ହୋଇନାହିଁ। ନିର୍ମାଣ କାର୍ଯ୍ୟରେ ନିମ୍ନ ମାନର ଗୋଡ଼ି, ପତଳା ବାଲି ସାଙ୍ଗକୁ ନିମ୍ନ ମାନର ସିମେଣ୍ଟ ବ୍ୟବହାର ହୋଇଥିବାରୁ ଢ଼ଳାଇ ଫାଟିବା ସହିତ ଗୋଡ଼ି ଉଠି ଯାଉଥିବା ସ୍ଥାନୀୟ ଲୋକେ ଅଭିଯୋଗ କରିଛନ୍ତି।
ଏହି ରାସ୍ତା ଦେଇ ନିତିଦିନ ଶହ ଶହ ଗାଡି ମୋଟର ଯାତାୟାତ କରିଥାଏ । ରାସ୍ତା ଅବସ୍ଥା ଖରାପ ହୋଇଥିବାର ଛାତ୍ରଛାତ୍ରୀ, ଡାକ୍ତରଖାନାକୁ ରୋଗୀ ଯିବ, ବୌଦ୍ଧ ପୀଠ ରତ୍ନଗିରିକୁ ପର୍ଯ୍ଯଟକମାନଙ୍କ ଯିବାଆସିବା କରିବାରେ ବହୁ ଅସୁବିଧା ଭୋଗୁଛନ୍ତି। ବିଭାଗୀୟ ଅଧିକାରୀ ତଦାରଖ କରିବାକୁ କ୍ଷେତ୍ର ପରିଦର୍ଶନରେ ଆସୁନଥିବାରୁ ଠିକାଦାର ମନଇଛା କାମ କରୁଥିବା ଲୋକେ ଅଭିଯୋଗ କରିଛନ୍ତି ।
ସରକାରୀ ତହବିଲରୁ ଖର୍ଚ୍ଚ ହେଉଛି କୋଟି କୋଟି ଟଙ୍କା। ହେଲେ ଲୋକେ ସୁବିଧା ପାଇବେ କଣ କେତେକ ଦୁର୍ନୀତିଗ୍ରସ୍ତ ଅଧିକାରୀ ଓ ଠିକାଦାରଙ୍କ ମଧୁଚନ୍ଦ୍ରିକା ଯୋଗୁଁ ସରକାରୀ ଅର୍ଥ ଏପରି ହରିଲୁଟ ହେଉଛି ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚା ଜୋର ଧରିଛି।
ବାପା ହେବ ତ ଏମିତି, ୨୨ ବର୍ଷ ଧରି ଚାରି ଭିନ୍ନକ୍ଷମ ଶିଶୁଙ୍କୁ ସେବା ଯତ୍ନ କରି ଅନ୍ୟମାନଙ୍କ ପାଇଁ ସାଜିଛନ୍ତି ପ୍ରେରଣା
ନନ୍ଦିଘୋଷ ବ୍ୟୁରୋ: ପିତା ଶବ୍ଦଟି ଶୁଣିଲେ ଅଖି ଆଗରେ ଆଙ୍କି ହୋଇଯାଏ ପରିଶ୍ରମ, ପୁଅ ଝିଅ ଓ ପରିବାର ଖୁସି ପାଇଁ ଜୀବନକୁ ଉତ୍ସର୍ଗୀକୃତ କରିଥିବା ମଣିଷଟିର ଚେହେରା । ଜୀବନ ସାରା ହାଡ଼ ଭଙ୍ଗା ପରିଶ୍ରମ କରି ପରିବାରର ପ୍ରତି ସଦସ୍ୟଙ୍କ ମୁହଁରେ ହସ ଦେଖି ନିଜ ଦୁଃଖକୁ ଭୁଲି ଯାଉଥିବା ମଣିଷଟି ହେଉଛି ପିତା । କିପରେ ଜଣେ ବାପା ନିଜର ସନ୍ତାନ ପାଇଁ ନିଜର ଜୀବନକୁ ବାଜି ଲଗାଇ ଲାଳନ ପାଳନ, ଶିକ୍ଷା, ସ୍ୱାସ୍ଥ୍ୟ, ଭଳି ସମସ୍ତ ସୁବିଧା କିଭଳି ପାଇବେ ସେଥିପାଇଁ ଅହରହ ପରିଶ୍ରମ କରେ ପିତୃ ଦିବସରେ ତାହାର ଏକ ନିଛକ ଉଦାହରଣ ଦେଖିବା ମିଳିଛି ମାଲକାନଗିରି ଜିଲ୍ଲାରେ।
ମାଲକାନଗିରି ଜିଲ୍ଲl ସଦର ବ୍ଲକ ଅନ୍ତର୍ଗତ ତଣ୍ଡିକି ଗାଁର ରାମକୃଷ୍ଣ ଦଣ୍ଡସେନା । ସେ ୨୨ ବର୍ଷ ଧରି ନିଜର ଚାରି ଭିନ୍ନକ୍ଷମ ଶିଶୁଙ୍କୁ ସେବା ଯତ୍ନ କରି ଅନ୍ୟମାନଙ୍କ ପାଇଁ ପ୍ରେରଣା ସାଜିଛନ୍ତି । ପତ୍ନୀ ବାସନ୍ତୀ ଦଣ୍ଡସେନା ରକ୍ତ ଶିକୁଳି ରୋଗରେ ପୀଡ଼ିତ । ରାମକୃଷ୍ଣଙ୍କ ସ୍ତ୍ରୀ ରୋଗାଗ୍ରସ୍ତ ହୋଇଥିବା ବେଳେ ରାମକୃଷ୍ଣ ଏହି ଭିନ୍ନକ୍ଷମ ପିଲାଙ୍କ ସେବାରେ ଅବହେଳା କରନ୍ତିନାହିଁ । ସକାଳୁ ଉଠି ସମସ୍ତଙ୍କୁ ଗାଧୁଆ ପାଧୁଆ ସହ ଭିନ୍ନକ୍ଷମ ପିଲାଙ୍କୁ ଖୁଆଇଦେଇ ନିତ୍ୟକର୍ମ କରିଥାନ୍ତି । ପତ୍ନୀ ବାସନ୍ତୀ ଏଥିରେ ରାମକୃଷ୍ଣଙ୍କୁ ସହଯୋଗ କରିଥାନ୍ତି । ୨୨ ବର୍ଷ ପୂର୍ବେ ପ୍ରଥମେ ଭିନ୍ନ କ୍ଷମ ଝିଅ ମମତାକୁ ଜନ୍ମ ଦେଇଥିଲେ ବାସନ୍ତୀ । ଜନ୍ମରୁ ଦୃଷ୍ଟିହୀନ ସହିତ ହାତଗୋଡ ସମ୍ପୂର୍ଣ୍ଣ ଅଚଳ । ଏହାପରେ ଆଉ ଏକ କନ୍ୟା ସହିତ ଆହୁରି ୨ଜଣ ଜମଜ ପୁତ୍ର ସନ୍ତାନଙ୍କୁ ଜନ୍ମ ଦେଇଥିଲେ । ତାଙ୍କର ମଧ୍ୟ ସମଦଶା । ଦୁଇ ପୁତ୍ର ଦୃଷ୍ଟିହୀନ ହୋଇଥିବା ବେଳେ ଶରୀର ସମ୍ପୂର୍ଣ୍ଣ ଅଚଳ ।
ଛୋଟିଆ ଟିଣ ଛପର ଘରେ ମା’ ସହିତ ରାମକୃଷ୍ଣ ଦଣ୍ଡସେନାଙ୍କ ପରିବାର ରହିଆସୁଛନ୍ତି । ହେଲେ ଆଜି ପର୍ଯ୍ୟନ୍ତ ତାଙ୍କୁ ଆବାସ ଯୋଜନାରେ ଘର ମିଳିପାରିନାହିଁ । ସରକାରୀ ସହାୟତା କହିଲେ ଭିନ୍ନକ୍ଷମ ପିଲାମାନଙ୍କୁ ୩୫୦୦ ଟଙ୍କା ଲେଖାଏଁ ଭତ୍ତା ମିଳୁଛି । ଚାଉଳ ପ୍ରଦାନ କାର୍ଯ୍ୟରେ ନିୟୋଜିତ ରହି ରାମକୃଷ୍ଣ ୫ ହଜାର ଟଙ୍କା ଦରମା ପାଉଛନ୍ତି । ଏହି ସ୍ପଳ୍ପ ରୋଜଗାରରେ ଚାରି ଭିନ୍ନ କ୍ଷମ ଶିଶୁ ଓ ରୋଗାଗ୍ରସ୍ତ ପତ୍ନୀଙ୍କ ଚିକିତ୍ସା ସହିତ ପରିବାର ଚଳାଇବା ରାମକୃଷ୍ଣଙ୍କ ପାଇଁ କଷ୍ଟକର ହୋଇପଡୁଛି । ଘର ସହିତ ପାଇଖାନା ଟିଏ ଯୋଗାଇ ଦେବାକୁ ସରକାରଙ୍କୁ ଗୁହାରି କରିଛନ୍ତି ରାମକୃଷ୍ଣ ।
୪ ଜଣ ଭିନ୍ନକ୍ଷମ ପିଲାଙ୍କ ଲାଳନପାଳନରେ କୌଣସି ଅବହେଳା କରିନାହାନ୍ତି ରାମକୃଷ୍ଣଙ୍କ । ପିତୃତ୍ୱ ଦିବସରେ ଏଭଳି ଜଣେ ପିତାଙ୍କୁ ଯେତେ ପ୍ରସଂଶା କଲେ ମଧ୍ୟ କମ ବୋଲି ସାଧାରଣରେ ଚର୍ଚ୍ଚା ହେଉଛି ।
ଝାଡ଼ାବାନ୍ତି ଆତଙ୍କ : ସ୍ବାସ୍ଥ୍ୟମନ୍ତ୍ରୀଙ୍କୁ ଏମିତି କହି ସମାଲୋଚନା କଲେ ତାରା
ନନ୍ଦିଘୋଷ ବ୍ୟୁରୋ: ଆଠ ଦିନରୁ ଅଧିକ ହେଲାଣି ବ୍ୟାପିଲାଣି ଝାଡାବାନ୍ତି। ଓଡ଼ିଶା ହୁଲୁସ୍ତୁଲ। ଡାଇରିଆରେ ଲୋକ ଦୁର୍ଦ୍ଦଶା ଭୋଗୁଛନ୍ତି। ରୋଗୀ କହୁଛନ୍ତି ଯେ, ଠିକ ଭାବେ ଚିକିତ୍ସା ହେଉନି। ବିଜେଡି ଘଟଣା ସ୍ଥଳକୁ ଯାଇଥିଲା। ଲୋକେ ଛଟପଟ ହେଉଥିବା ବେଳେ, ଆଜି ସ୍ୱାସ୍ଥ୍ୟ ମନ୍ତ୍ରୀ ଘଟଣାସ୍ଥଳକୁ ଯାଇ ସ୍ଥିତି ସମୀକ୍ଷା କରୁଛନ୍ତି। ଲୋକଙ୍କ ପ୍ରତି ଦରଦ ନାହିଁ। ଜଣେ ମନ୍ତ୍ରୀ କହୁଛନ୍ତି ପାଣିରୁ କଲେରା ହୋଇଛି। କିନ୍ତୁ ଅନ୍ୟ ଜଣେ ମନା କରୁଛନ୍ତି। କିଏ କଣ କହୁଛି, କାହାର କାହା ସହିତ ରହୁନି ତାଳମେଳ। ସେହିପରି ମୃତ୍ୟୁ ସଂଖ୍ୟା କାହିଁକି ଲୁଚା ଯାଉଛି ବୋଲି ପ୍ରଶ୍ନ କରିଛନ୍ତି ବିରୋଧୀ ଦଳ ମୁଖ୍ୟ ସଚେତକ ପ୍ରମିଳା ମଲ୍ଲିକ। ଅନ୍ୟପଟେ ଝାଡ଼ାବାନ୍ତିକୁ ନେଇ ସ୍ବାସ୍ଥ୍ୟମନ୍ତ୍ରୀଙ୍କୁ କଡ଼ା ଭାଷାରେ ସମାଲୋଚନା କରିଛନ୍ତି ବରିଷ୍ଠ କଂଗ୍ରେସ ବିଧାୟକ ତାରାପ୍ରସାଦ ବାହିନୀପତି।
ନବରଙ୍ଗପୁରରେ ଫଳୁଛି ଜାପାନ ମାଟିର ମିୟାଜାକି ଆମ୍ବ, ବିଶ୍ଵ ବଜାରରେ ଦାମ ରହିଛି ଲକ୍ଷେରୁ ୪ ଲକ୍ଷ
ନନ୍ଦିଘୋଷ ବ୍ୟୁରୋ: ଉପାନ୍ତ ନବରଙ୍ଗପୁର ଜିଲ୍ଲାରେ ଚାଷ ହୋଇଛି ଦାମୀ ଆମ୍ବ । ଯାହାର ଭାରତୀୟ ବଜାର ମୂଲ୍ୟ କିଲୋଗ୍ରାମ ପ୍ରତି ଲକ୍ଷେରୁ ୪ ଲକ୍ଷ ଟଙ୍କା । ଆମ୍ବଟି ଦେଖିବାକୁ ଯେମିତି ସୁନ୍ଦର, ସେମିତି ସୁସ୍ଵାଦୁ । ନବରଙ୍ଗପୁର ସହରର ଚାଷୀ ସୁଧାଂଶୁ ପାଢ଼ୀ ପରୀକ୍ଷାମୂଳକ ଭାବେ ଜାପାନର ମିଆଜାକି ଆମ୍ବ ଗଛ ଲଗାଇ ସଫଳ ହୋଇଛନ୍ତି । ଚଳିତ ବର୍ଷ ଏହି ଗଛରେ ଆମ୍ବ ଫଳିଥିବାରୁ ସ୍ଥାନୀୟ ଚାଷୀଙ୍କ ମଧ୍ୟରେ ତାହାର ଆଗ୍ରହ ବଢ଼ିଛି।
ନବରଙ୍ଗପୁରରେ ଫଳୁଛି ବିଦେଶୀ ଆମ୍ବ । ଦେଖିବାକୁ ଯେମିତି ସୁନ୍ଦର, ସ୍ଵାଦ ବି ସେମିତି ନିଆରା । ଏହା ହେଉଛି ଜାପାନ ମାଟିର ଲକ୍ଷେ ଟଙ୍କିଆ ମିୟାଜାକି ଆମ୍ବ । ଏହା ଶୁଣି ଆପଣଙ୍କୁ ଆଶ୍ଚର୍ଯ୍ୟ ଲାଗୁଥିଲେ ବି ସତ । ବିଶ୍ଵ ବଜାରରେ କିଲୋଗ୍ରାମ ପ୍ରତି ମୂଲ୍ୟ ୧ ଲକ୍ଷ ଟଙ୍କାରୁ ୪ଲକ୍ଷ ଟଙ୍କା ରହିଥାଏ । ଏହି ମିୟାଜାକି ଆମ୍ବ ଏବେ ନବରଙ୍ଗପୁର ଜିଲ୍ଲା ନନ୍ଦାହାଣ୍ଡି ବ୍ଳକ ଡେଙ୍ଗା ତୋଟା ଗୁଡ଼ା ଗାଁରେ ଶୋଭା ବର୍ଦ୍ଧନ କରୁଛି ।
ନବରଙ୍ଗପୁର ଜିଲ୍ଲାର ଅଗ୍ରଣୀ ଚାଷୀ ସୁଧାଂଶୁ ପାଢ଼ୀ ପରୀକ୍ଷାମୂଳକ ଭାବେ ନିଜ ଫାର୍ମରେ ଚାଷ କରିଛନ୍ତି ମିୟାଜାକି ଆମ୍ବ । ମାତ୍ର ୬ ରୁ ୭ ଫୁଟ ଉଚ୍ଚତା ବିଶିଷ୍ଟ ଗଛରେ ଆମ୍ବ ଫଳିଛି । ଗୋଟିଏ ଗୋଟିଏ ଆମ୍ବ, ଅଧାରୁ ଏକ କେଜି ଓଜନର ହେଲାଣି । ସ୍ଥାନୀୟ ଅଞ୍ଚଳରେ ଏତେ ଟଙ୍କା ମୂଲ୍ୟର ଆମ୍ବ ବିକ୍ରି ପାଇଁ ବଜାର ସୁବିଧା ନାହିଁ । କିନ୍ତୁ ସାହସ ଜୁଟାଇ ଆମ୍ବ ଗଛ ଲଗାଇଛନ୍ତି ସୁଧାଂଶୁ କହିଛନ୍ତି ।
ନବରଙ୍ଗପୁର ଜିଲ୍ଲାରେ ଡ୍ରାଗନ ଫଳ ଚାଷ କରି ଚର୍ଚ୍ଚାରେ ରହିଥିଲେ ସୁଧାଂଶୁ । ଏହା ସହିତ ସୁଧାଂଶୁ ନିଜ ଫାର୍ମରେ କେଶର, ଚଉସା, ଆଲ ଫାନ ସୋ’ ଆମ୍ବ ସହ ପିଜୁଳି ଚାଷ କରନ୍ତି । ଗତ ୨୦୨୨ ମସିହାରେ ଏକ ନର୍ସରୀରୁ ୨୧ ହଜାର ଟଙ୍କାରେ ୧୧ ଟି ମିୟାଜାକି ଆମ୍ବ ଚାରା ଆଣି ନିଜ ଫାର୍ମରେ ଲଗାଇଥିଲେ । ଜିଲ୍ଲା ଉଦ୍ୟାନ ବିଭାଗ ସହାୟତାରେ ବୁନ୍ଦା ଜଳ ସେଚନ ବ୍ୟବସ୍ଥା କରାଯାଇଛି । ଗଛକୁ ଉଭୟ ଖତ ସାର ସହ ପାଣି ନିୟମିତ ବ୍ୟବଧାନରେ ମିଳିପାରୁଥିବାରୁ ଦୁଇ ବର୍ଷ ମଧ୍ୟରେ ଗଛରେ ଫଳ ଧରିଛି ।
ସ୍ଥାନୀୟ ବଜାରରେ ଆମ୍ଵ ୫୦ରୁ ୧୦୦ ଟଙ୍କା ମୂଲ୍ୟରେ ବିକ୍ରି ହେଉଥିବାରୁ ଲକ୍ଷେ ଟଙ୍କା ମୂଲ୍ୟର ଆମ୍ବ ଫଳାଇ ଉଦ୍ୟାନ କୃଷି କ୍ଷେତ୍ରରେ ନୂତନ ସମ୍ଭାବନା ସୃଷ୍ଟି କରିଛନ୍ତି ସୁଧାଂଶୁ । ଆଗାମୀ ଦିନରେ ଏହି ଆମ୍ବର ବିକ୍ରି ପାଇଁ ବଜାର ବ୍ୟବସ୍ଥା କରାଯିବ ବୋଲି କହିଛନ୍ତି ଉଦ୍ୟାନ କୃଷି ଉପନିର୍ଦ୍ଦେଶକ । ମିୟାଜାକି ଆମ୍ବର ଦର ବିଶ୍ଵ ବଜାରରେ ୧ ଲକ୍ଷ ଟଙ୍କାରୁ ୪ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ରହିଛି । ସରକାରୀ ସ୍ତରରେ ଚାଷୀଙ୍କୁ ପ୍ରୋତ୍ସାହନ ସହିତ ବିକ୍ରି ପାଇଁ ବଜାର ସୁବିଧା କରାଇଲେ ଅଧିକରୁ ଅଧିକ ଚାଷୀ ଏହି ପ୍ରଜାତିର ଆମ୍ଵ ଚାଷ କରିବାକୁ ଆଗଭର ହେବେ ।
ଜଲାପୁଟ ଜଳ ଭଣ୍ଡାରକୁ ଡେଇଁ ପ୍ରେମୀ ଯୁଗଳଙ୍କ ଆତ୍ମହତ୍ୟା
ନନ୍ଦିଘୋଷ ବ୍ୟୁରୋ: କୋରାପୁଟ ଜିଲ୍ଲା ଜଲାପୁଟ ଜଳ ଭଣ୍ଡାରକୁ ଡେଇଁ ପ୍ରେମୀ ଯୁଗଳଙ୍କ ଆତ୍ମହତ୍ୟା । ଦୁଇ ଜଣଙ୍କ ମୃତ ଦେହ ଉଦ୍ଧାର କଲା ନନ୍ଦପୁର ଅଗ୍ନିସମ ବାହିନୀ । ଉଭୟଙ୍କ ଘର ବନୁର ଗାଁରେ ବୋଲି ସୂଚନା ମିଳିଛି । ମୃତ ଦୁଇଜଣ ହେଲେ ଦେବେନ୍ଦ୍ର କ୍ରିସାନି ଏବଂ ଦଶମ ଶ୍ରେଣୀରେ ପଢୁଥିବା ପୁଷ୍ପା ବୈରାଗୀ। ଉଭୟେ କିଛିବର୍ଷ ଧରି ପ୍ରେମସମ୍ପର୍କରେ ଥିଲେ ବୋଲି ଜଣାପଡିଛି । ତେବେ କାହିଁ ଆତ୍ମହତ୍ୟା କଲେ ଉଭୟେ ? ପ୍ରେମ ସମ୍ପର୍କକୁ କିଏ ବିରୋଧ କରୁଥିଲେ କି ? ନା ରହିଛି ଅନ୍ୟ କିଛି କାରଣ । ଏଭଳି ଅନେକ ଦିଗକୁ ନେଇ ପୋଲିସ ତଦନ୍ତ ଆରମ୍ଭ କରିଛି ।

